Unknown

 

 

 

 

 

 

 

 

 

 

ସାରଳା ମହାଭାରତ

(ବିରାଟପର୍ବ)

ଆଦିକବି ସାରଳା ଦାସ

 

ସୂଚୀପତ୍ର

୧।

ବିରାଟ ରାଜା ଓ ସୁଦେଷ୍ଣାଙ୍କର ପୂର୍ବଜନ୍ମ ବିବରଣ, କୀଚକ ଶତେଭାଇଙ୍କ ଜନ୍ମ ଏବଂ ବିରାଟ ରାଜାଙ୍କର ମତ୍ସ୍ୟଦେଶେ ଅଭିଷେକ

୨।

ବିରାଟର ମଘଦେଶ ପ୍ରାପ୍ତି, ପଞ୍ଚପାଣ୍ଡବଙ୍କର ଛଦ୍ମ ରୂପ ଧାରଣ ଓ ଶମୀବୃକ୍ଷ ଉତ୍ପତ୍ତି, ତାହାର କ୍ରୋଟରେ ଅସ୍ତ୍ରଶସ୍ତ୍ର ରକ୍ଷଣ ଓ ପଞ୍ଚପାଣ୍ଡବଙ୍କର ଗୁପ୍ତବେଶ ଧାରଣ କରି ରହିବାର ମନ୍ତ୍ରଣା

୩।

ଯୁଧିଷ୍ଠିର ଙ୍କର ବାଞ୍ଛାବଟକୁ ସ୍ତବ ଓ ସାହାଡ଼ା ପତ୍ରର ମାହାତ୍ମ୍ୟ

୪।

ତ୍ରିପୁରାସୁର ବଧ

୫।

ଯୁଧିଷ୍ଠିରଙ୍କ ବିରାଟ ସଭାକୁ ଗମନ

୬।

ଯୁଧିଷ୍ଠିରଙ୍କର ଶାଢ଼ୀ ଗ୍ରହଣ

୭।

ଭୀମଙ୍କର ବିରାଟ ସଭାରେ ପ୍ରବେଶ

୮।

ଅର୍ଜୁନଙ୍କର ବିରାଟ ସଭାରେ ପ୍ରବେଶ

୯।

ଦ୍ରୌପଦୀଙ୍କର ବିରାଟ ଭବନରେ ପ୍ରବେଶ

୧୦।

ନକୁଳଙ୍କର ବିରାଟ ସଭାକୁ ଗମନ

୧୧।

ସହଦେବଙ୍କର ବିରାଟ ସଭାକୁ ଗମନ

୧୨।

ଭୀମ ବ୍ୟାଘ୍ର ଯୁଦ୍ଧ ଓ ନାନା ପ୍ରସଙ୍ଗ

୧୩।

ଭୀମଙ୍କ ସହିତ ପ୍ରଦେଶୀ ମଲ୍ଲର ଯୁଦ୍ଧ ଓ ତାହାର ମୃତ୍ୟୁ

୧୪।

ମାଲର ପୂର୍ବଜନ୍ମ ବୃତ୍ତାନ୍ତ ଓ ଭୀମଙ୍କ ରନ୍ଧନ ପ୍ରଣାଳୀ

୧୫।

ବିରାଟ ରାଜ୍ୟରେ ଚନ୍ଦନଯାତ୍ରା ଉତ୍ସବ ପ୍ରବର୍ତ୍ତନ

୧୬।

ସୈରିନ୍ଧ୍ରୀ ଦର୍ଶନେ କୀଚକର ଦୂତ ପ୍ରେରଣ

୧୭।

ସୁଦେଷ୍ଣା ସୈରିନ୍ଧ୍ରୀଂକୁ କୀଚକ ନିକଟକୁ ପ୍ରେରଣ ଓ ସୈରିନ୍ଧ୍ରୀଙ୍କର ସୂର୍ଯ୍ୟଙ୍କୁ ପ୍ରାର୍ଥନା

୧୮।

ଛାୟା ମାୟା ସାହାଯ୍ୟରେ ଦ୍ରୌପଦୀଙ୍କର ଗମନ ଓ କୀଚକର ଲାଞ୍ଛନା

୧୯।

ପାଞ୍ଚପାଣ୍ଡବଂକ ନିକଟରେ ଦ୍ରୌପଦୀଙ୍କ କୀଚକ ମୃତ୍ୟୁର ଗୁପ୍ତ ପରାମର୍ଶ

୨୦।

ଭୀମ କର୍ତ୍ତୃକ କୀଚକ ବଧ

୨୧।

କୀଚକର ମୃତଦେହ ଦର୍ଶନେ ବିରାଟଙ୍କ ଶୋକ

୨୨।

ଭୀମ କର୍ତ୍ତୃକ କୀଚକର ଅନେଶ୍ୱତ ଭ୍ରାତାଙ୍କର ନିଧନ

୨୩।

ନାରୀମାନଙ୍କର ଶୋକ, ଦ୍ରୌପଦୀଙ୍କର ଉପଦେଶ ଓ କୀଚକର ଶୁଦ୍ଧକ୍ରିୟା

୨୪।

ପାଣ୍ଡବଙ୍କ ଅନୁସନ୍ଧାନାର୍ଥେ ଦୁର୍ଯ୍ୟୋଧନଙ୍କର ଦୂତ ପ୍ରେରଣ ଓ ତ୍ରିଗର୍ତ୍ତ ରାଜା ସହିତ ବିରାଟଙ୍କ ଯୁଦ୍ଧ

୨୫।

ତ୍ରିଗର୍ତ୍ତ ସହ ଯୁଦ୍ଧେ ବିରାଟର ବନ୍ଦୀ ହେବା

୨୬।

ଭୀମସେନଙ୍କର ଯୁଦ୍ଧ ଓ ବିରାଟ ରାଜାଙ୍କ ମୁକ୍ତି

୨୭।

ତ୍ରିଗର୍ତ୍ତର ପରାଜୟ ବାର୍ତ୍ତା ଶୁଣି ମାନଗୋବିନ୍ଦର ରଣସଜ୍ଜା

୨୮।

ବିରାଟ ବୀରବାହୁ ସହିତ ଯୁଦ୍ଧେ ଗମନ, ଗୋଧନ ହରଣ ନିମନ୍ତେ କୁରୁସୈନ୍ୟ

 

ବିରାଟ ରାଜ୍ୟରେ ପ୍ରବେଶ ଓ ପୃଥନାର ସହଦେବ ସହିତ ଯୁଦ୍ଧ

୨୯।

ବୃହନ୍ନାରୀଙ୍କୁ ସାରଥି କରି ତ୍ତରରର ଯୁଦ୍ଧଯାତ୍ରା

୩୦।

କୁରୁସୈନ୍ୟ ଦେଖି ଉତ୍ତରର ପଳାୟନ, ଅର୍ଜୁନଙ୍କ ପଶ୍ଚାତ୍‌ଧାବନ ଓ ନାନାଦି ଉପଦେଶ ଏବଂ କୁରୁବୀରଙ୍କର ଅନୁମାନ

୩୧।

ଶୁକ୍ର ମହାରାଜାଙ୍କର ଉପାଖ୍ୟାନ

୩୨।

ଅର୍ଜୁନଙ୍କର ଆଦେଶରେ ଉତ୍ତରର ଶମୀ ବୃକ୍ଷରୁ ଅସ୍ତ୍ର ଆଣିବା ନିମିତ୍ତ ଗମନ ଓ ଶୋଷକ ସର୍ପ ଦଂଶନ

୩୩।

ବୃହନ୍ନାରୀ କର୍ତ୍ତୃକ ଉତ୍ତର ନିକଟରେ ପଞ୍ଚପାଣ୍ଡବଙ୍କ ପରିଚୟ ଓ ଅର୍ଜୁନଙ୍କର ଦଶନାମ କଥନ

୩୪।

ଶିବପିଣ୍ତ ଓ ଦେବଦତ୍ତ ଶଙ୍ଖ ବିବରଣ ଏବଂ ଅମ୍ବାସୁର ବଧ

୩୫।

ଅର୍ଜୁନଙ୍କ ନନ୍ଦିଘୋଷ ରଥ ପ୍ରାପ୍ତି ଓ ମହିଷାସୁର ବଧ ଏବଂ ଅକ୍ଷୟ ତୂଣ ତତ୍ପତ୍ତିର ବିବରଣ

୩୬।

ଅର୍ଜୁନର ପାଶୁପତ ଓ ଅକ୍ଷୟତୁଣ ପ୍ରାପ୍ତି ବିବରଣ

୩୭।

କୁରୁ ସେନାପତି ମାନଙ୍କର ପରିଚୟ; ଝିମିଟି ଖେଳ ଓ ଦୁର୍ବାସାଙ୍କଠାରୁ କୁନ୍ତୀଙ୍କ ବରପ୍ରାପ୍ତି ଏବଂ କର୍ଣ୍ଣ ଜନ୍ମ ବିବରଣ

୩୮।

ଅର୍ଜୁନ ଦୁର୍ଯ୍ୟୋଧନର କଳି ଓ ଶତେ ଭ୍ରାତାଙ୍କ ସହିତ ଯୁଦ୍ଧ

୩୯।

କର୍ଣ୍ଣ ଅର୍ଜୁନଙ୍କ ଯୁଦ୍ଧ

୪୦।

ଅର୍ଜୁନଙ୍କ ସହିତ କୁରୁସୈନ୍ୟଙ୍କର ଗୋଳଯୁଦ୍ଧ, ମୋହନା ଶର ପ୍ରୟୋଗ ଏବଂ କୁରୁସେନାଙ୍କର ଲାଞ୍ଚନା

୪୧।

ବିରାଟ କଳ୍ପିରାଜା ଯୁଦ୍ଧେ ଗମନ ଓ ଭୀମ କର୍ତ୍ତୃକ ବୀରବାହୁର ପତନ

୪୨।

ଉତ୍ତରର ଜୟବାର୍ତ୍ତା ଶୁଣି ବିରାଟର ଆନନ୍ଦ ଓ ଯୁଧିଷ୍ଠିରଙ୍କ ମସ୍ତକରୁ ରକ୍ତପାତ

୪୩।

ଉତ୍ତରର ଯୁଧିଷ୍ଠିରଙ୍କୁ ସ୍ତୁତି ବାଦନ ଓ ଅଭିଷେକ ନିମନ୍ତେ ଯୁଧିଷ୍ଠିର ସହଦେବଙ୍କ ସହିତ ମନ୍ତ୍ରଣା

୪୪।

ଶମୀବୃକ୍ଷ ତଳେ ଯୁଧିଷ୍ଠିରଙ୍କର ଅଭିଷେକ ଓ ବଳଦେବଙ୍କର ଅପମାନ

୪୫।

ବିରାଟ ସିଂହାସନେ ଯୁଧିଷ୍ଠିରଙ୍କ ଉପବେଶନ ଶୁଣି ବିରାଟର କୋପ ଓ ଉତ୍ତର କର୍ତ୍ତୃକ ପରିଚୟ ପ୍ରଦାନ

୪୬।

ବିରାଟଙ୍କର ଯୁଧିଷ୍ଠିରଙ୍କ ନିକଟରେ ଅନୁନୟ, ଯୁଧିଷ୍ଠିରଙ୍କର ପୁନର୍ବାର ଅଭିଷେକ ଓ ଉତ୍ତରା କୁମାରୀର ବିବାହ ନିର୍ବନ୍ଧ

୪୭।

ଅଭିମନ୍ୟୁର ଉତ୍ତରା ସହିତ ବିବାହ

୪୮।

ଧୃତରାଷ୍ଟ୍ର ଶକୁନିର କଥୋପକଥନ ଓ ଧୃତରାଷ୍ଟ୍ରଙ୍କର ଅପମାନ

୪୯।

ଯୁଧିଷ୍ଠିରଙ୍କର ଇନ୍ଦ୍ରପ୍ରସ୍ଥକୁ ଯିବା ଅନୁକୂଳ

 

ବିରାଟ ରାଜା କୀଚକ ଶତେଭାଇଙ୍କ ଜନ୍ମ ଏବଂ

Unknown

ବିରାଟ ରାଜାଙ୍କର ମତ୍ସ୍ୟଦେଶେ ଅଭିଷେକ ଓ ସୁଦେଷ୍ଣାଙ୍କର ପୂର୍ବଜନ୍ମ ବିବରଣ,

ମେରୁଶୂଳ ବଧ ଅନ୍ତରେଣ କଥା

ଆରଣ୍ୟକ ପର୍ବ ସଦା ସଂପୂର୍ଣ୍ଣ ବାରତା ।୧।

ୟେଥୁ ଅନ୍ତରେ ବିରାଟ ପର୍ବ କଥା

କହସି ମହରଷି ତୁମ୍ଭେ ପଣ୍ତିତ ଭିଗ୍ୟଂବନ୍ତା ।୨।

ମେରୁଶୂଳ ବଧ କରି ପାଣ୍ଡବ ପଞ୍ଚୁବୀରେ

ବ୍ୟାସ ମାରକଣ୍ଡ ବାଲମୀକ ମୁନିବରେ ।୩।

ବହୁତ କଲ୍ୟାଣ ବାଞ୍ଛା କଲେ ଅର୍ଜୁନକୁ

ତୁହି ସେ ତପୀବଳ ନିଶ୍ଚଳ କଲୁ ଯେ ଆମ୍ଭଂକୁ ।୪।

ଅନେକ ଦାନବେ ଯେ ଥିଲେ ୟେହୁ ବନେ

ସମସ୍ତେ ନାଶ ଗଲେ ୟେକା ତୋହାର ପ୍ରସନ୍ନେ ।୫।

କିମ୍ଭୀରୀ କିନ୍ନରୀ ଆଦି ବକ ହିଡ଼ିମ୍ବେକ

ପାଣ୍ଡବାସୁର ରେବାସୁର ଆଉ ହିରଣେକ ।୬।

ମୋଢାସୁର କଳ୍ପାସୁର ଜପାସୁର ନର୍ବାତ କପଚ

କୁମ୍ଭ ନିକୁମ୍ଭ ଆବର ଗୋସିଂହ କାଳିଞ୍ଚ ।୭।

ଜଟାସୁର ତ୍ରିଜଟା ତ୍ରିବୀଣାନ୍ତ ଦହନ କଲା

ମେରୁଶୂଳ ମୂଳେ ଅନେକ ଦଇତ୍ୟ ମଲା ।୮।

ୟେତେକ ଦୁରାନ୍ତେକ ଥିଲେ ୟେହୁ ବନେ

ଲୁଚିଣ ସେ ତପଧର୍ମ କରନ୍ତି ମୁନିମାନେ ।୯।

ୟେହେନ୍ନେକ ଦେବତାଂକର ଅଟଇ ସଞ୍ଚିତ

ତୁମ୍ଭେ ବନବାସ ନଇଲେ କେମନ୍ତେ ମରନ୍ତେ ଦଇତ ।୧୦।

ଆମ୍ଭେ ଯାଉଅଛୁଂ ଯେ ଯାହାର ତପସ୍ଥାନେ

ଅଗ୍ୟାଂତବାସେ ତୁମ୍ଭେ ରହିବ ଷଡ଼ଜଣେ।୧୧।

ସମସ୍ତ ରଷିମାନେ ଗଲେ ତୀର୍ଥଧର୍ମେ

ଯଦୁବଳ ଘେନିଣ ବିଜେକଲେ ଦେବ ବଳରାମେ ।୧୨।

ପଦ୍ମନ ତ୍ରିଭୁବନ ମୋହିନୀ ସୁନ୍ଦରୀ

କରାବନ୍ତି ବିଭା ଯେ ସେ ଶୁଭଲଗ୍ନ ବିଚାରି ।୧୩।

ବଜ୍ରଗିରି ଦେଶରେ ଯେ ପାଣ୍ଡବନ୍ତ ଘେନି

ରହିଲେ ନିଚିନ୍ତେ ତହିଂ ବଞ୍ଚିଲେ ମାସ ତିନି ।୧୪।

ବ୍ୟାସେ ବାସୁଦେବ ଯେ ଅଛନ୍ତି ତାଂକ ତୁଲେ

ବନବାସ ସରିଲା ବଢ଼ା ଦିବସ ଗଣିଲେ ।୧୫।

ମହୀଗୋଲକ ନାମେ ସେ ଦ୍ୱାପର ଯୁଗେ

ତହିଂକି ଆଠଲକ୍ଷ ତେର ସହସ୍ର ବରଷ ଭୋଗେ ।୧୬।

ପ୍ରାଗମନୁର ମଧ୍ୟେ ଧ୍ରୁବ ନାମେ ସମ୍ବତ୍ସର

ତୁଳମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିର ।୧୭।

ଶଶାଂକ ବାରରେ ହସ୍ତାନକ୍ଷତ୍ର ଯୁଗତ

ବାଣିଜ୍ୟ ନାମେ କରଣ ଭୋଗ ଯେ ନିୟତ ।୧୮।

ବିଷ୍କୁମ୍ଭ ନାମରେ ଯୋଗ ଦତ୍ୟ ଉପଦପ

ୟେହି ସମୟେ ରାଜତ୍ୱ କଲେ ଶ୍ୱେତ ନୃପ ।୧୯।

ବ୍ୟାସ ବାସୁଦେବ ପଞ୍ଚୁ ପାଣ୍ଡବେ ଦ୍ରୋପତୀ

ବିଷ୍ଣୁବାତ ବନେ ବିଷ୍ଣୁ ପର୍ବତେ ବସିଛନ୍ତି ।୨୦।

ବିଷ୍ଣୁଭଦ୍ରା ନାମେଣ ବହଇ ନଦୀଗୋଟି

ତହିଂରେ ନିତ୍ୟକର୍ମ ସାରିଲେ ଯୁଝେଷ୍ଠି ।୨୧।

ବେଳ ହୋଇଛି ପ୍ରତକ୍ଷେ ଷଡଘଡି

ବୃହସ୍ପତି ବେଳେ ଯୁଝେଷ୍ଠି ଦେବ କଥା ପାଡି ।୨୨।

ତୁମ୍ଭର ବ୍ୟତ୍ରକେ ମୋର ଆନ ନାହିଂ ତାତ

କେବଣ ବନେ ମୁହିଂ ବଞ୍ଚିବି ଅଗ୍ୟାଂତ ।୨୩।

ବ୍ୟାସେ ଯୁଝେଷ୍ଠିଂକି କହିଲେ ୟେକାନ୍ତେ

ଅଗ୍ୟାଂତବାସ ତୁମ୍ଭର କୀଚକ ବଧ ନିମନ୍ତେ ।୨୪।

ଧର୍ମ ଆଗ୍ୟାଂ ତୋତେ ଅଛଇ ଆକାଶେ

ବିରାଟ ରାଜ୍ୟେ ଦିନ ବଞ୍ଚିବ ଯେ ଅଗ୍ୟାଂତବାସେ ।୨୫।

ଯୁଝେଷ୍ଠିଦେବେ ବୋଇଲେ ହୋଅ କି ୟେମନ୍ତ

କୁଳହୀନ ବିରାଟ ବ୍ରତଇ ନିୟତ ।୨୬।

ଶଳାର ବାହୁବଳେ ତାହାର ରାଜ୍ୟ ବ୍ରତହେତୁ

ରାଜୁସି ଯାଗକୁ ପଶି ନ ଦିଲୁ ତହିଂର ନିମନ୍ତୁ ।୨୭।

ବ୍ୟାସେ ବୋଇଲେ ବାବୁ ମୁହିଂ ସେ କପଟ କଲି

ତୋତେ ଚିହ୍ନଇ ବୋଲି ସଭାକୁ ପଶିତ ନ ଦିଲି ।୨୮।

ଯୁଝେଷ୍ଠି ଦେବେ ବୋଇଲେ ସେ ମୋହୋର ଭୃତ୍ୟର ଭୃତ୍ୟ

ସେବକର ଭୂମିରେ ଥିବାର ତ ନୋହୁଇ ଉଚିତ ।୨୯।

ବ୍ୟାସେ ବୋଇଲେ ତୁମ୍ଭେ ହୋ କିଛିହିଂ ନ ଜାଣ

ପୂର୍ବଜନ୍ମେ ବିରାଟ ଅଟଇ ଅଟଇ ବଡଜଣ ।୩୦।

ଯୁଝେଷ୍ଠି ଦେବେ ବୋଇଲେ ତୁମ୍ଭେ ଭୂତ ଭବିଷ୍ୟ ଗ୍ୟାଂତା

ମୋତେ କହିବା ବିରାଟର ପୂର୍ବଜନ୍ମର ବାରତା ।୩୧।

ଶୁଣ ଧର୍ମରାୟେ ବଦୟନ୍ତି ପାରେଶ୍ୱରୀ

ହଇହୟ ବଂଶରେ ରାଜା ବିନୟ କେଶରୀ ।୩୨।

ତାହାର ନନ୍ଦନ ଯେ ନାମ ସଦାଶିବ

ସଦାଶିବର ନନ୍ଦନ ମଦନଧର ଦେବ ।୩୩।

ମଦନଧର ନନ୍ଦନ ନରେନ୍ଦ୍ର କାଶୀପତି

ସୂର୍ଯ୍ୟସେନ ବୋଲି କୁମାରେ ତା ତହୁଂ ଉତପତ୍ତି ।୩୪।

ସୂର୍ଯ୍ୟସେନର ନନ୍ଦନ ନାମ ଶକ୍ରଧ୍ୱଜ

ଅଂଶୁମାଳୀ ବୋଲିଣ ତାହାର ତନୁଜ ।୩୫।

ତାହାର ନନ୍ଦନ ସୁଜାଣେଶ୍ଵର ଯତି

ତାହାର ନନ୍ଦନ ହୋଇଲା ସରଯାତି ।୩୬।

ସରଯାତିର ନନ୍ଦନ ହୋଇଲା ଭାନୁମତ

ୟେହାର ନନ୍ଦନ ଯେ ହୋଇଲା କ ଶ୍ୱେତ ।୩୭।

ଦିଗବିଜେ କରିଣ ସେ ପାଳଇ ଜନପ୍ରଜା

ବାଟିକେ ଘେନଇ ସେ ଚିନାୟେକ ସଞ୍ଜା ।୩୮।

ଜୀବଘାତ ନ କରଇ ରାଜା ତୋଳି ଫଳ ନ ଭୁଞ୍ଜଇ

ପାଚିଣ ଭୂମିରେ ପଡିଲେ ତାହା ଆହାର କରଇ ।୩୯।

ଧର୍ମହୁ ଅନୀତି ସେ ନ କରଇ ରାୟେ

ଶିରେ ଜଟାଭାର ଭସ୍ମ ଲେପନ କାୟେ ।୪୦।

ବ୍ୟାଘ୍ରଚର୍ମ କଟିମେଖଳି କୃଷ୍ଣାଜୀନ ଛଉଂରୀ

ଜଗୁଜୀବ ଶିବ ବୋଲି ରାଜା ଗଜ ଅଶ୍ୱନ୍ତନ ଚଢି ।୪୧।

ମହାଯୋଗେଶ୍ୱର ସେହୁ ନୀରଞ୍ଜନ ଦୀକ୍ଷା

ଆଧାରକୁ ଇଚ୍ଛାହେଲେ ରାଜା ମାଗଇ କଣଭିକ୍ଷା ।୪୨।

ୟେକା ଭାରିଜା ତାର ୟେକା ପୁତ୍ର ଗୋଟିୟେ

ଧନୁ ଗୋଟିୟେ ସର୍ବେ ନାରାଜ ଗୋଟିୟେ ।୪୩।

ୟେକା ନାରାଜର ନାମ ଅଟଇ ମନଭେଦୀ

ନବଦ୍ୱୀପ ସପତ ସାଗର କରଇ ରାୟେ ସାଧି ।୪୪।

ଦଇତ ଦାନବଂକର ନାହିଂ ଉପଦ୍ରବ

ବ୍ରତନ୍ତି ଅଇଶୁର୍ଯ୍ୟେ ଯେ ଯାହାର ଅନୁରୂପ ।୪୫।

ଅସୁର ଜନ୍ମଠାରୁ କୀଟ ପତଙ୍ଗ ପରଯନ୍ତେ

ଜଣେକହିଂ ବିଘାତ ନାହିଂ ତାହାର ହେତୁବ୍ରତେ ।୪୬।

ଶୁଣ ହୋ ମହାରୟେ ବଦୟନ୍ତି ବେଦବ୍ୟାସେ

ଅନେକ ସାଧୁ ଧୁନି ଉପୁଜିଲା ଆକାଶେ ।୪୭।

ସତ୍ୟଯୁଗ ତିନିଲକ୍ଷ ରାଜା ଭୋଗକଲା

ଯାଗ କରିବାକୁ ସେ ମନେ କଳପିଲା ।୪୮।

ବ୍ରହ୍ମା ଛାମୁରେ ବିଜୟେ ରାୟ ଶ୍ୱେତ

ଅସ୍ତାନର ତଳେ ରାଜା ଯାଇ କଲା ଶତସହସ୍ର ପ୍ରଣିପତ୍ୟ ।୪୯।

ଜଗତ କରତା ନାଥ ସ୍ୱାମୀ ଦଣ୍ଡେ ଅବଧାରୀ ହୋଇବା

ମୁହିଂ ଯାଗ କରିବି ମୋତେ ଯାଗନିକ ଜଣେ ଦେବା ।୫୦।

ଶ୍ୱେତ ମହାରାଜଂକର ବଚନେ ଗରିଷ୍ଠ

ଦେଖିଲେ ଛାମୁରେ ଉଭା ହୋଇଅଛନ୍ତି ବଶିଷ୍ଠ ।୫୧।

ତୁ ହୋ ବଶିଷ୍ଠ ଯାଅ ଶ୍ୱେତ ମହାରଜ ଯଗ୍ୟେଂ

ଯେମନ୍ତେ ଶ୍ୱେତରାଜା ବସଇ ଅମର ସ୍ୱର୍ଗେ ।୫୨।

ଶ୍ୱେତକଇଂ ଘେନିଣ ଅଇଲେ ବଶିଷ୍ଠ

ତୁ ହୋ ଯାଗନିକ ମୋତେ କଲୁ କାହିଂ ତୋର ଘୃତ ।୫୩।

ପଞ୍ଚବିଂଶ ଅଗ୍ନି ଯେ ମୋହୋର ଦୋହରା

ଚାରିମେଘ ପ୍ରୋକ୍ଷଣୀ ଅଟଇ ମୋର ସୁରା ।୫୪।

ତୁ ଯେବେ ରାଜା ପାରିବୁ ଘୃତ ଅଣ୍ଟାଇ

ଆମ୍ଭନ୍ତ ବର ସ୍ୱର୍ଗେ ବସ ମୁକତ ହୋଇଯାଇ ।୫୫।

ବଶିଷ୍ଠଂକ ବଚନରେ ଶ୍ୱେତରାଜା ତୋଷ

ବଶିଷ୍ଠଂକୁ ବରି ରାଜା ହୋଇଲା ହର, ।୫୬।

ରତ୍ନଝରୀ ଧରି ରାଜା ବଶିଷ୍ଠଂକ ଚରଣ ପଖାଳି

ଆସନ ସମାର୍ଜନ ପାଦାର୍ଘ୍ୟ ଦେଇ ତୋଳି ।୫୭।

ପୁଷ୍ପ ଗନ୍ଧ ଚନ୍ଦନ ଧୂପ ଦୀପ ନଇବେଦ୍ୟ

ଅନେକ ବିନୋନ୍ତି ରାଜା ରତ୍ନମାଳି ଦିଲା ହୃଦ ।୫୮।

ନବତନ ବସ୍ର ନଟିକାଳ ଫଳ

ପୂଜାବିଧି କରି ରାଜା ଦିଲା ପୁଷ୍ୟମାଳ ।୫୯।

ବିଶିଷ୍ଠ ବୋଇଲେ ରାଜା ଯଗ୍ୟଂ ଶାଳ ଆଞ୍ଚ

ଯେତେମାନ ପାର ରାଜା ଘୃତଆଣି ସଞ୍ଚ ।୬୦।

ଅଗ୍ନିମନ୍ଦ ଭୋଜନରେ ଧର୍ମ ହୋନ୍ତେ ହାନି

କାରୁଣ ନ ଉପୁଜଇ ବୋଇଲେ ମହାମୁନି ।୬୧।

ବଶିଷ୍ଠଂକ ବଚନେ ଚଳିଲା ମହୀପତ୍ୟେ

ଘୃତ ସମୁଦ୍ରକୁ ଖଟିଲା ପଞ୍ଚଦଶ ବରଷ ପରିଯନ୍ତେ ।୬୨।

ପ୍ରସନ୍ନେ ବୋଇଲେ ବର ମାଗ ମହାରାଜ

ଯେହ୍ନେ ବାଞ୍ଛା ସିଦ୍ଧି ହୋଇବ ତୋର କାର୍ଯ୍ୟ ।୬୩।

ଲୋ ଘୃତ ସମୁଦ୍ର ମୋତେ ପ୍ରସନ୍ନ ହୋଇବା

ମୁହିଂ ଯାଗ କରିବି ଘୃତ ମୋତେ ଦେବା ।୬୪।

ପିତାର ବଚନେ ମୁଂ ବରିଲି ବଶିଷ୍ଠଇଂ

ବଶିଷ୍ଠେ ବୋଇଲେ ମୋତେ ଘୃତସମୁଦ୍ର ଅଣ୍ଟଇ ।୬୫।

ଘୃତ ସମୁଦ୍ର ବୋଇଲା ବଶିଷ୍ଠର ମେଘ ସ୍ରୋହାକାଠି

ବରଷିବି ଯାଗ ସରିବାଯାୟେ ଯେତେକ ତାକୁ ଅଣ୍ଟି ।୬୬।

ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ବେଦବ୍ୟାସ

ବଶିଷ୍ଠଂକୁ ଶ୍ୱେତରାଜା କହିଲା ହରଷେ ।୬୭।

ଯାଗ ଆରୋପଣ କଲା ହିମଗିରି ତଟେ

ସୁରଭଦ୍ରା ନଦୀ ବାଞ୍ଛାବଟର ନିକଟେ ।୬୮।

ଅସମ୍ଭବ ସଂକଳ୍ପ କଲାକ ନୃପତି

ଯାଗ ଆରୋପଣ କଲା ଚଉବିଂଶ ବରଷ ପ୍ରତି ।୬୯।

ବଶିଷ୍ଠ ଯାଗନିକ ହେଲେ ସେ ହୋମକୁଣ୍ଡର

ଶଗଡ଼ ତୁମ୍ବ ପ୍ରମାଣେ ମେଘ ବରଷନ୍ତି ଘୃତଧାର      ।୭୦।

ସାଧୁ ମହାତମା ସେ ବଶିଷ୍ଠ ମହାମୁନି

ଅଗ୍ନିର ଶିଖା ହାଦେ ଉଠିଲା ସପତ ବ୍ରହ୍ମାଣ୍ଡ ଘେନି ।୭୧।

ଲୋଭେଣ ଘୃତ ତହିଂ ଯେ ଖାଇଲେ ବଶ୍ୟାନର

ଲୁଦୁବୁଦୁ ବ୍ୟାଧି ହୋଇଲା ମନ୍ଦାଅଗ୍ନି ଶରୀର ।୭୨।

ଲୁଦୁବୁଦୁ ବ୍ୟାଧି ହେଲା ସତ୍ୟ ତ୍ରେତା ଦ୍ଵାପର ପରିଯନ୍ତେ

ପିଲୋହା ବ୍ୟାଧି ହୋଇଲା ଅଗ୍ନି ଦଇବତେ ।୭୩।

ଦେବ ଦାନବ ମାନବ ସବୁରିହିଂ ବ୍ୟାଧି

ଅଗ୍ନି ଦେବତା ଖଣ୍ଡିତ ନୁଆରିଲେ ସାଧି ।୭୪।

ଯେ ଯିସ ଭକ୍ଷଇ କାହାକୁହିଂ ନାହିଂ ପାର

ଲୁଦୁବୁଦୁ ବ୍ୟାଧିରେ ବସିଲେ ସଚରାଚର ।୭୫।

ଶ୍ୱେତ ମହାରାଜାର ଅନେକ ଯେ ପୁଣ୍ୟେ

ବ୍ରହ୍ଣାଣ୍ଡ ପୁରେ ବସାଇଲେ ଦେବତାମାନେ ।୭୬।

ପିତାମହ ବୋଇଲେ ବ୍ରହ୍ମାଣ୍ଡ ପୁରେ ବସିଲୁ ହୋ ଶ୍ୱେତ

ପୁଣ୍ୟଧର୍ମ ସର୍ବ ତୋତେ ହୋଇଲା ପରାପତ ।୭୭।

ଆମ୍ଭର ଦେବକାର୍ଯ୍ୟ ଅଛି ଜନମ ହୋଅ ମଞ୍ଚେ

ବିରାଟ ନାମ ବହିବୁ ରହିବୁ ସୁସଞ୍ଚେ ।୭୮।

ମଘଦେଶେ ମତ୍ସଦେଶେ ତୁ ହୋଅ ଅଧିକାରୀ

ଅନେକ ଗୋଧନ ଘେନି ହୋଅସି କ୍ଷୀର ଆଧାରି ।୭୯।

ମଧ୍ୟଭୁବନେ ଯୁଝେଷ୍ଠି ହୋଇବ ରାଜା

ଦୁତୀ ନିରଞ୍ଜନ ସେ ମାନବେଣ ପୂଜା ।୮୦।

ଅଗ୍ୟାଂତବାସ ଯେ ବରଷେ ତେରଦିନ ପରିଯନ୍ତେ

ସେ ଯୁଝେଷ୍ଠିଂକ ସେବାନ୍ତେ ମୁକତ ହୋଇ ତୋତେ ।୮୧।

ବାବୁ ଶ୍ୱେତରାଜା ପୁଣି ବସିଲା ମଞ୍ଚ ବ୍ରହ୍ମାଣ୍ଡେ

ତୋହୋର ନିମନ୍ତେ ଜାତ ସେ ହୋଇଲା ମଧ୍ୟଖଣ୍ଡେ ।୮୨।

ୟେସନେକ ମତେ ସେ ନୃପତି ମଚ୍ଛଇନ୍ଦ୍ର

ବଡ଼ାଇ ଧାର୍ମିକ ସେ ଶ୍ୱେତ ତାହାକୁ ନ ନିନ୍ଦ ।୮୩।

ବ୍ୟାସଂକର ବଚନେ ଯୁଝେଷ୍ଠି ପରମ ଶାନ୍ତି

ଯିବଇଂ ବିରାଟ ରାଜ୍ୟେ ଫିଟିଲା ମନଭ୍ରାନ୍ତି ।୮୪।

ଯୁଝେଷ୍ଠି ବୋଇଲେ ସେ ଯେବେ ୟେତେ ଗ୍ୟାଂନବନ୍ତ ରାଜା

ମୁହିଂ ତାହାଂକ ଚରଣେ କରିବିଟି କି ପୂଜା ।୮୫।

ବ୍ୟାସେ ବୋଇଲେ ତୁ ନିରଞ୍ଜନ ସାରିକ୍ଷେ ଦେବା

ବିରାଟ ନୃପତି ତୋତେ କରୁଥିବ ସେବା ।୮୬।

ଯୁଝେଷ୍ଠି ଦେବ ବୋଇଲେ ୟେ ପାଞ୍ଚାଳୀ ଜିଘ୍ନସେନୀ

ଦ୍ୱାରିକା ଭୁବନକୁ ୟେହାଂକୁ ଜଗନ୍ନାଥେ ଯାନ୍ତୁ ଘେନି ।୮୭।

ବ୍ୟାସେ ବୋଇଲେ ବାବୁ ତୁ କିମ୍ପେ କହୁ ୟେମନ୍ତ

ଦ୍ରୋପତୀ ତୁମ୍ଭ ସଙ୍ଗରେ ଥିବାର ଯୁଗତ ।୮୮।

ଶ୍ରୀକୃଷ୍ଣ ବୋଇଲେ ବ୍ୟାସେ ନ ଯାନ୍ତୁ ଦ୍ରୋପତୀ

ବ୍ୟାସେ ତଥ୍ୟବାର୍ତ୍ତା ୟେକାନ୍ତେ ଜଗନ୍ନାଥଂକୁ କହନ୍ତି ।୮୯।

ତୁ ଦେବ ସକଳ ଭୂତ ଜଗତ ଅଧିକାରୀ

କୀଟୁ ବ୍ରହ୍ମ ପରିଯନ୍ତେ ହୃଦଗତେ ତୋହୋରି ।୯୦।

କେବଣ ତୋତେ ଅଗୋଚର ତୁ କାହା ନ ଜାଣ

କୁତୂହୋଳୀ ପୁରୁଷ ତୁ ପରତହୁଂ ଶୁଣୁ ।୯୧।

ସଂକୋଚନ ନନ୍ଦନ ଯେ କୀଞ୍ଚେକ ମହାବୀରା

ବଡାଇ ଦୃଭାର ସେ ପୃଥୀକି ହେଲା ମହାଭାରା ।୯୨।

ତାହାକଇଂ ନାଶ କରିବାର ନିମନ୍ତେ

କୀଞ୍ଚେକ ନାଶଯିବ ଦ୍ରୋପତୀଂକି ଦେଖନ୍ତେ ।୯୩।

ବ୍ୟାସଂକର ବଚନେ ନାରାୟଣ ତୂନୀ

ବିରାଟ ଭବନକୁ ଯାଆନ୍ତୁ ଜିଘ୍ନସେନୀ ।୯୪।

ଯୁଝେଷ୍ଠି ଦେବେ ବୋଇଲେ ଯେବେ ଯିବେ ଦ୍ରୋପତୀ

ୟେ କେମନ୍ତେ ଦିନ ବଞ୍ଚିବେ ଥିବେ କାହାର ଯେ କତି ।୯୫।

ବ୍ୟାସେ ବୋଇଲେ ବାବୁ ସେ ବିରାଟର ପାଟରାଣୀ

ସୁଦେଷ୍ଣା ବୋଲିଣ ସେ ସଂକୋଚନର ଦୁଲଣୀ ।୯୬।

ବାବୁ ସୁଜାଣ ବୋଲି ନଗ୍ର ଉଜାଣକାନ୍ତି

ତହିଂର ରାଜା ସେ ବୀରସେନ ଚକ୍ରବ୍ରତୀ ।୯୭।

କଳପାଧି ବଂଶେ କଳ୍ମଷପାଦ ମହାରାଜା

ବିଶ୍ୱାମିତ୍ରଂକ ଶାପ୍ୟେ ରାକ୍ଷସ ହୋଇ ବଶିଷ୍ଠଂକ

ଶତେ ପୁତ୍ର କଲା ସେ ଭକ୍ଷଭୋଜା ।୯୮।

ବଡ଼ାଇ ପ୍ରତାପୀ ସେ ଅଟଇ ସୁନ୍ଦର ରାକ୍ଷସ

ୟେହାର ନନ୍ଦନ ଯେ ହୋଇଲା ଦୁର୍ଣ୍ଣକେଶ ।୯୯।

ଦୁର୍ଣ୍ଣକେଶର ନନ୍ଦନ ହୋଇଲା ଜଡ଼ଭ୍ରଥ

ଅରୁଣସେନ ବୋଲି କରି ୟେହାର ପୁତ୍ର ଜାତ ।୧୦୦ ।

ଅରୁଣସେନ ନନ୍ଦନ ଯେ କର୍ଣ୍ଣାଟ କେଶରୀ

ବଇରାଷ୍ଟ ବୋଲିକରି ଯେ କ ତନୟ ୟେହାରି ।୧୦୧।

ବଇରାଷ୍ଟର ନନ୍ଦନ ଯେ ନୃପତି ସୁରାକ୍ଷ

ସୁରାକ୍ଷର ନନ୍ଦନ ଯେ ବରୁଣା ଶ୍ରୀବତ୍ସ ।୧୦୨।

ଶ୍ରୀବତ୍ସର ନନ୍ଦନ ଯେ ଅଭୟେ ଜାତିମାଳି

ୟେହାର ନନ୍ଦନ ହୋଇଲା ଯେ ଦୁରାନ୍ତେକ ବଳୀ ।୧୦୩।

ବଳୀର ନନ୍ଦନ ଯେ ଶରଦ କଞ୍ଚଣ

ୟେହାର ନନ୍ଦନ ଯେ ହୋଇଲା ସଂକୋଚନ ।୧୦୪।

ସଂକୋଚନର ଭାରିଯା ଅଟଇ ତୁଳୁସା

ୟେହାର ଉଦରୁ ଜାତ ଦୋହିତା ସୁଦେଷ୍ଣା ।୧୦୫।

ମତ୍ସଦେଶର ରାଜା ଯେ ଅଟଇ ବଇରାଷ୍ଟ

ବଡ଼ ବିବାଦୀ ରାଜା ଅନୁବରତେ ସାଜଇ ପରଥାଠ ।୧୦୬।

କଳପି ଦେଶର ରାଜା କାଳ ଯେ ନଉମି

ବଇରାଷ୍ଟ ପୟାଣ କଲା ତାହାର ଥାଠ ଘେନି ।୧୦୭।

କଳପି ଦେଶେ ଯାଇଂ ବେଢ଼ିଲା ବଇରାଷ୍ଟ

କାଳନଉମି ରାଜା ସାଜିଲା ବେଗେ ଥାଠ ।୧୦୮।

ବହୁତ ସମର କଲା ବଇରାଷ୍ଟର ତୁଲେ

ମତ୍ସଦେଶର ସଇନି ଭାଜି ପଳାଇଲେ ।୧୦୯।

ବଇରାଷ୍ଟ ନୃପତି ଯେ ଭାଜିଲା ରଣ ତେଜି

କାଳନଉମି ସଇନି ଉଠିଲେ ଗଳଗାଜି ।୧୧୦।

ୟେକସରେ ବଇରାଷ୍ଟ ଅନେକ ସମର କଲା

କଳପି ରାଜାର ସଇନି ତାହାକଇଂ ଯାବତେ ବେଢ଼ିଲା ।୧୧୧।

ପଦ୍ମେକ ଯୋଦ୍ଧା ଘେନିଣ କାଳ ଯେ ନଉମି

ବଇରାଷ୍ଟ ରାଜାଂକୁ ବେଢ଼ିଲା କୋନ୍ତ ଖଡଗ ଘେନି ।୧୧୨।

ଘାୟେଣ ବିରଥୀ ୟେ ହୋଇଲା ମତ୍ସେଶ୍ୱର

ୟେକା ଘାନ୍ତିକେ ପ୍ରହାର କଲା ଅଶିଲକ୍ଷ କୋନ୍ତକାର ।୧୧୩।

ସମରେ ପଡ଼ିଲା ଯହୁଂ ବଇରାଷ୍ଟ ନୃପତି

ଅନେକ ସଇନି ତୁଲେ ପଡ଼ିଲେ ବହୁତ ସେନପତି ।୧୧୪।

ବାରତା ପାଇଣ ଯେ ପଳାଇଲା ମହାଦେଈ

ଉଜାଣିକାନ୍ତି ଦେଶେ ପଳାଇ ପଶିଲାକ ଯାଇଂ ।୧୧୫।

ଆସ୍ତାନେ ବିଜୟେ ଯେ ସଂକୋଚନ ନୃପମଣି

ଶରଣ ପଶିଲା ୟାଇଂ ବଇରାଷ୍ଟ ପାଟରାଣୀ ।୧୧୬।

ଅନାସ୍ତୁଣୀ ଦେଖି ସଂକୋଚନ ଦୟାକଲା

ଆପଣାର ମହାଦେଈ ପୁରେଣ ସମ୍ଭାଇଲା ।୧୧୭।

ପଞ୍ଚାମାସ ଗର୍ଭବାସ ବଇରାଷ୍ଟର ରାଣୀ

ଯତନେ ସମ୍ଭାଳିଲା ସଂକୋଚନ ନୃପମଣି ।୧୧୮।

ବୃଷ ଶୁକ୍ଳପଷ ଅର୍କବାର ଚଉଠୀ

ହସ୍ତା ନକ୍ଷତ୍ର ଯେ ରାତ୍ର ପାଞ୍ଚଦଣ୍ଡ ଘଟି ।୧୧୯।

ବାଳବ ନାମେ କରଣ ବରୀୟାନ ନାମେ ଯୋଗ

ଚତୁର୍ଥ ଘରେଣ ବୃହସ୍ପତିଂକର ଭୋଗ ।୧୨୦।

ଅମୃତ ଲଗନ ଯେ ତହିଂ ମାହୀନ୍ଦ୍ର ନାମେ ବେଳା

ରାତ୍ର ପାଞ୍ଚଘଡ଼ିଠାରେ ପୁତ୍ର ଜନମ ହୋଇଲା ।୧୨୧।

ବାରତା ପାଇଣ ଯେ ଉଜାଣେଶ୍ୱର ଦେବ

ବନ୍ଦୀ ମୁକତ କରାଇଣ ରାଜ୍ୟେ କରାଇଲା ଉତ୍ସବ ।୧୨୨।

ହସ୍ତା କନ୍ୟାରାଶି ଯେ କୁମାର ଦେବଜାତି

ପଣ୍ଡିତ କ୍ଷେତ୍ରେ କେନ୍ଦ୍ର ପାଦେ ଦେଖିଲେ ବୃହସ୍ପତି ।୧୨୩।

ବେନି କରସ୍ଥଳେ ଶୋହେ ଶଙ୍ଖନିଧି ପଦ୍ମନିଧି ଚିହ୍ନ

ଦେଖିଣ ସାନନ୍ଦ ଯେ ନୃପତି ସଂକୋଚନ ।୧୨୪।

ପିତାର ନାମ ତାର ଅଟଇ ବଇରାଷ୍ଟ

ତେଣୁ ସେ ପୁତ୍ରର ନାମ ଦିଲେକ ବିରାଟ ।୧୨୫।

ମହତ ଧାର୍ମିକ ଯେ ରାଜା ଅଟଇ ସଂକୋଚନ

ସେ ବାଳକ ଗୋଟିକ ପାଳିଲା କରି ଅତି ଯତନ ।୧୨୬।

କଞ୍ଚନ ନାମେଣ ହାଦେ ୟେକଇ ମହଋଷି

ନିରାମୟ ବ୍ରହ୍ମ-ବେତ୍ତା ଅଗସ୍ତିଂକ ଶିଷି ।।୧୨୭।

ତାହାଂକୁ ଭଗତି କଲା ଯେ ସଂକୋଚନ ରାଣୀ

ଅରୁଣ ମଞ୍ଜି ଶତଗୋଟି ଦିଲେ ତାହାଂକୁ ଆଣି ।୧୨୮।

ୟେହାକଇଂ ଗ୍ରାସ ତୁହି କରସି ଗୋ ମାୟେ

ପ୍ରାପତ ହୋଇବ ତୋତେ ଶତଗୋଟି ତନୟେ ।୧୨୯।

ଶଉଚବନ୍ତ ହୋଇଣ ବିଦ୍ୟାବନ୍ତର କୁମାରୀ

ଋଷିଂକର ଛାମୁରେ ପ୍ରାଶନ ତାହା କରି ।୧୩୦।

ଦେଖ ହୋ ମହାତମାର ମହାମନ୍ତ୍ରର ଉପାୟେ

ସଂକୋଚନ ମହାରାଜାର ହୋଇଲା

ଶତଗୋଟି ତନୟେ ।୧୩୧।

ସଂକୋଚନ ରାଜାର ଭାରିଜା ତୁଳସା ଅପର୍ଣ୍ଣା

ଆଗହୁଂ ଦୋହିତା ଜାତ ହୋଇଛି ସୁଦେଷ୍ଣା ।୧୩୨।

ପୁତ୍ରର ଜନମ ଶୁଣି ସେ କଞ୍ଚନ ମହଋଷି

ଉଜାଣିକାନ୍ତି ନଗ୍ରେ ପ୍ରବେଶ କଲେ ଆସି ।୧୩୩।

ଦେଖିଣ ସଂକୋଚନ ରାଜା ଅନେକ ଭଗତ

ତୋହୋର ପରସାଦେ ମୁନି ମୋର ଶତେ ପୁତ୍ର ଜାତ ।୧୩୪।

ପାରିକଲୁ ମହାତମା ମୋତେ ଅପୁତ୍ରିକ ଲକ୍ଷଣୁ

ଋଷିଂକର ଛାମୁରେ ଆଣି ଶୁଆଇଲେ ସର୍ବତନୁ ।୧୩୫।

ଦେଖିଣ ମହାତମା ଯେ ପରମ ସାନନ୍ଦ ହୋଇଲେ

ପ୍ରଥମ ପୁତ୍ରକଇଂ କୀଞ୍ଚକ ନାମ ଦିଲେ ।୧୩୬।

ସ୍ନେହେଣ ମହାମୁନି ତାକୁ ଧଇଲେକ କୋଳ

ତକ୍ଷଣେ ବୋଇଲେ ତୋହାର ହେଉ

ଶତେସିଂଘର କଳ ।୧୩୭।

ବରଦେଇ ମହାତମା କୋଳେଛନ୍ତି ଧରି

କାନ୍ଦିଣ କୁମର ଯେ ଚରଣ ହଲାଇକରି ।୧୩୮।

ଋଷିଂକର ବକ୍ଷସ୍ଥଳେ ବାଜିଲା ଚରଣଗୋଟି

ମୃକ୍ଷାଗତେ ମୁନି ଯେ ପଡ଼ିଲେ ମହୀଲୋଟି ।୧୩୯।

ଘନ ଘନ ରୁଧିର କହିଲା ନାସିକାର ବାଟେ

ବେନିଘଡ଼ି ପରିଯନ୍ତେ ନିଚେଷ୍ଟେ ପଡ଼ିଲେ ତପୋନିଷ୍ଠେ ।୧୪୦।

ଚେତନା ପାଇଣ ସେ ବୋଇଲେ ମନୁନିବର

ପ୍ରଥମେ ଘାତକଲୁ ତୁ ମୋହୋର ହୃଦର ।୧୪୧।

ୟେହକ୍ଷଣି ଶତେସିଂଘର ତୋତେ ଦେଲଇଂ ପରାକ୍ରମ

ୟେକ ସିଂଘର ପ୍ରାକର୍ମେ ତୋତେ ପ୍ରାଭବ କରୁ ଭୀମ ।୧୪୨।

ବ୍ୟାସେ ବୋଇଲେ ବାବୁ ଶୁଣ ହୋ ଯୁଝେଷ୍ଠି

ୟେହେନ୍ନେକ ଶାପ ଦିଲେ କଞ୍ଚନ ତପନିଷ୍ଠି ।୧୪୩।

ତୁ ଯେ ପଚାରିଲୁ ସୁଦେଷ୍ଣା ଚରିତ

ବଶିଷ୍ଠଂକ ବିବାଦେ ତପକଲେ ବିଶ୍ୱାମିତ୍ର ।୧୪୪।

ବାସବ ଦେବତାଂକୁ ଲାଗିଲା ବଡ଼ ଶଂକା

ମଳୟ ବସନ୍ତ ତୁଲେ ସେ ପେଷିଲେ ମେନକା ।୧୪୫।

ସେ ମେନକା ଅପକ୍ଷରୀ ବିଶ୍ୱାମିତ୍ରେ ଭେଟି

ଦେଖିଣ ମୋହିତ ହୋଇଲେ ସେ

ବିଶ୍ୱାମିତ୍ର ତପନିଷ୍ଠି ।୧୪୬।

ଭଗ୍ନତପ ହୋଇଣ ଋଷି ଧଇଲେ ତାକୁ କୋଳେ

ମନୋହର ବନେ ମେନକାକୁ ଶୃଙ୍ଗାର କଲେ ବଳେ ।୧୪୭।

ସେ ଅମୋହ ରେତୁଂ କନ୍ୟାୟେ ହୋଇଲାକ ଜାତ

ଶକୁନ୍ତଳା ନାମ ତାର ହୋଇଲା ବିଦିତ ।୧୪୮।

ଶକୁନ୍ତକାକଇଂ ଘେନି ମେନକା ସ୍ୱର୍ଗପୁର ଗଲା

ବାସବ ଦେବତା ତାକୁ ଦେଖି ମହାଭୟ କଲା ।୧୪୯।

ବାସବ ଦେବତା ବୋଇଲେ ତୁଲୋ ଯାଅ ମଞ୍ଚପୁର

ସଂକୋଚନ ରାଜା ଘରେ ଯାଇଂ ତୁ

ହୁଅସି ଅବତାର ।୧୫୦।

ଶ୍ରୀକୃଷ୍ଣା ନାମ ତୋର ହୋଇବ ଯୁଗତେ

ବଇରାଷ୍ଟ କୁମାର ଯେ ପ୍ରଦାନ ହେଉ ତୋତେ ।୧୫୧।

ମଘଦେଶେ ମତ୍ସଦେଶେ ହୋଇବୁ ଠାକୁରାଣି

ସମୟକେ ଭେଟିବୁ ତୁ ଦ୍ରୁପଦ ଦୁଲଣୀ ।୧୫୨।

ସେ ଜିଘ୍ନସେନୀର ଅଗ୍ୟାଂତ ବନବାସେ

ପ୍ରିୟଭାବେ ଖଟିଥିବୁ ଦ୍ରୋପତୀର ପାଶେ ।୧୫୩।

ଜାତସ୍ମର ହୋଇଣ ତୁ ଜାତ ହୋଇଥିବୁ

ପାଣ୍ଡବଂକ ଗୋପ୍ୟାନ କଥା ସମସ୍ତ ଜାଣିବୁଂ ।୧୫୪।

ଜାଣିଣ ଗୋପ୍ୟାନ ତୁ ଯେ କରିବୁ ସର୍ବକଥା

ଫୁଟି କହିଲେ ତୋତେ ପ୍ରାପତ ମୃତୁଗତା ।୧୫୫।

ୟେସନେକ ବାକ୍ୟ ଯେ କହିଲେ ମଘବାନ

ଶକୁନ୍ତଳା ଉତପତ୍ତି ହୋଇଲା ସଂକୋଚନର ଭୁବନ ।୧୫୬।

ବ୍ୟାସେ ବୋଇଲେ ବାବୁ ତୁ ୟେଥକୁ ଆନ

ବିଚାର ନକର ମନେ

ଶକୁନ୍ତଳା ମୋକ୍ଷ ହୋଇବ ଦ୍ରୋପତୀ ଦରଶନେ ।୧୫୭।

ବ୍ୟାସେ ବୋଲନ୍ତେ ଫିଟିଲା ମନର ସନ୍ଦେଶ

ପ୍ରଳମ୍ବିତ ହୋଇ ଯୁଝେଷ୍ଠି ପୁଣ ପୁଚ୍ଛନ୍ତି

ବ୍ୟାସଂକର ପାଶ       ।୧୫୮।

ବିରାଟ ଯେ ଉପୁଜିଲା ସଂକୋଚନ ଘରେ

ଶ୍ରୀକୃଷ୍ଣାକଇଂ ପ୍ରଦାନ ହୋଇଲା କେବଣ ପ୍ରକାରେ ।୧୫୯।

ବ୍ୟାସେ ବୋଇଲେ ଶୁଣ ହୋ ଧର୍ମ ଯୁଝେଷ୍ଠି

ଅତ୍ୟନ୍ତ ସୁନ୍ଦର ସେ ବଇରାଷ୍ଟ ପୁତ୍ରଗୋଟି ।୧୬୦।

ପୁତ୍ରନ୍ତ ବସାଇ ରାଜା ଭାଳଇ ସଂକୋଚନ

ବିରାଟକଇଂ ଶ୍ରୀକୃଷ୍ଣା କରିବା କି ପ୍ରଦାନ ।୧୬୧।

ବାବୁ ବିରାଟର ପିତାକୁ ଯେ କାଳନଉମି ବଧକଲା

ଗର୍ଭବାସ ହୋଇ ତାର ଘରଣୀ ପଳାଇ ଅଇଲା ।୧୬୨।

ମୁହିଂ ତାଂକୁ ସମ୍ଭାଳିଲି ଅତି ଯତ୍ନ କରି

ଧର୍ମବଳେ କୁମାର ଯେ ହୋଇଲା ତାହାରି ।୧୬୩।

ବାବୁ ଅତ୍ୟନ୍ତ ଲକ୍ଷଣବନ୍ତ କୁମାର ବିରାଟଇ

ମତ୍ସଦେଶେ ମଘଦେଶେ ସେ ଠାକୁର ଅଟଇ ।୧୬୪।

ଭସ୍ମ ଆଂକୁରାଇ ଉଦିତ କରିବା ଧର୍ମ

ଶ୍ରୀକୃଷ୍ଣାକୁ ବିରାଟକଇଂ କରିବା ପ୍ରଦାନ ।୧୬୫।

ବାବୁ ମଘଦେଶେ ମତ୍ସଦେଶେ ଯେବେ କରାଇ ପାରିବୁ ରାଜା

ଲକ୍ଷେରାଜା ମୁଖେ ବାବୁ ପାଇବୁଟି ବହୁତ ପୂଜା ।୧୬୬।

ଶୁଣିଣ କୀଚକ ଯେ କଲାକ ସନମତ

ବଡ଼ାଇ ସମ୍ଭରେ ରାଜା ତାକୁ ଦିଲାକ ଦୁହିତ ।୧୬୭।

ଶ୍ରୀକୃଷ୍ଣା ଦୁହିତା ବିରାଟକୁ ପ୍ରଦାନ କରାଇ

ଲକ୍ଷେକ ରଥ ଯୋଦ୍ଧା ଯଉତୁକମାନନ୍ତ ଦେଇ ।୧୬୮।

ପାଞ୍ଚଲକ୍ଷ ହାଥୀ ଦଶଲକ୍ଷ ହୟେ

ବିରାଟଇ ଯଉତୁକ ଦିଲା ସଂକୋଚନ ରାୟେ ।୧୬୯।

ଦୁଇସାଗର ପାଦାନ୍ତି ଯେ ବତିଶ ଗୋଷ୍ଠ ଗାଈ

ବେନି ଭଣ୍ଡାର ରାଜା ତାକୁ ଯଉତୁକ ଦେଇ ।୧୭୦।

ଚାରି ଚାରି ପାରିଦଣ୍ଡ ଛାଡିଲାକ ରାଜଭୂଇଂ

ବିରାଟକୁ ଯଉତୁକ ଦିଲା ସଂକୋଚନ ନୃପସାଇଂ ।୧୭୧।

ବଇବସୁତ ମନୁ ପଚାରନ୍ତି ଅଗସ୍ତି ତପୋବନ୍ତ

ଗୋଷ୍ଠକ କେତେ ଗାଈ କହିବା ମୁନି ତଥ୍ୟ ।୧୭୨।

ୟେକଶତ ପଲ ହେଲେ ୟେକଗୋଷ୍ଠ ଜାଣ

ୟେହିପରି ବତିଶ ଗୋଷ୍ଠ ଦିଲାକ ରାଜନ ।୧୭୩।

ୟେତେକ ସଂକୋଚନ ଯଉତୁକ ଦିଲା

କିଛି ଦିଲି ନାହିଂ ବୋଲି ରାଜା ଯେ କହିଲା ।୧୭୪।

ଅନେକ ସମ୍ଭରେ ବିଭା ସେ କରାନ୍ତି

ଅନେକ ଯୁବତୀ ବନ୍ଦାପନା କରନ୍ତି ।୧୭୫।

କୀଚେକ ଶସ୍ରଧାରୀ ହୋଇଲା ଯେତେବେଳେ

ଅନେକ ରାଜ୍ୟ ମଣ୍ଡଳ ସେ ସାଧିଲା ଭୁଜବଳେ ।୧୭୬।

ସଂକୋଚନ ବୋଇଲା ଯେ କୀଚକକୁ ରାଇ

ବାବୁ ବିରାଟକୁ ବସା ଯା ତାହାର ରାଜ୍ୟେ ନେଇ ।୧୭୭।

ସେ ମୋହୋର ତହିଂ ଯେ ପଶିଲା ଶରଣ

ତୁ ତାହାକୁ ବାବୁରେ କରା ଯା କାରଣ ।୧୭୮।

ବିରାଟକୁ ନବବିଂଶ ବରଷ କୀଞ୍ଚକକୁ ପଞ୍ଚବିଂଶ

ସମଦଣ୍ଡ ଘେନି କୀଂଚକ ବାହିଲା ମଘ ମତ୍ସଦେଶ ।୧୭୯।

ବଇରାଷ୍ଟକୁ ଜିଣିଣ ସେ କାଳନଉମି ରାୟେ

ମତ୍ସଦେଶେ ବସାଇଛି ପାରିଦଣ୍ଡ ଗୋଟାୟେ ।୧୮୦।

ମର୍ଭୁତେକ ରଥ ବେନି ମର୍ଭୁତେକ ହାଥୀ

ପାଞ୍ଚ ପରାୟୁଧ ତୁରଙ୍ଗମ ନବସାଗର ପାଦାନ୍ତି ।୧୮୧।

ଶରଣସେନ ବୋଲି ସେ ୟେକକଳ୍ପି ପାରିଦଣ୍ଡ

ମାଡ଼ି ବସିଅଛି ସେ ମତ୍ସଦେଶ ରାଜ୍ୟଖଣ୍ତ ।୧୮୨।

କୀଚକ ଦଣ୍ଡଘେନି ବାହିଲା ଯେତେବେଳେ

ଶରଣସେନ ଓଗାଳିଲା ଶରଣଭଦ୍ରା ନଦୀକୂଳେ ।୧୮୩।

ଅନେକ ସମର ଯେ ହୋଇଲା ମହାଗୋଳ

ସମରେ ନ ଘୁଞ୍ଚିଲେ ଉଭୟେ ସନ୍ୟବଳ ।୧୮୪।

କୀଞ୍ଚକ ବୋଲିଣ ସେ ଅଭୟେ ବଳବନ୍ତା

ଶତେସିଂଘ ପରାକ୍ରମ ସେ ସମରେ ଶକତା ।୧୮୫।

କୁଞ୍ଜମାଳ ବୋଲିଣ ଯେ ୟେକଇ ପରବତେ

ରତ୍ସର୍ଗସ୍ଥଳୀ ଯେ ନବକୋଶ ପରିଯନ୍ତେ ।୧୮୬।

ସେ ପର୍ବତ ଉପାଡ଼ି ସେ ଧଇଲା ନିଜକରେ

ଯେସନେକେ ତ୍ରିୟେ ଧରି ବୁଲାବନ୍ତି ଗଦାବରେ ।୧୮୭।

ଗିରିବର ବୁଲାଇଣ ଆକ୍ରେଷିଣ ପିଟି

ଶତେ ଶହସ୍ର ସେନା ଯେ ପଡିଲେ ମହୀଲେଟି ।୧୮୮।

ସାତଦିନ ସାଂଗ୍ରାମ ହୋଇଲା ଅବିଶ୍ରାମ

ଶରଣସେନ ସନ୍ୟ ସର୍ବେ ପଡିଲେ ସାଂଗ୍ରାମ ।୧୮୯।

ଅନିର୍ଯାପ ଯୁଦ୍ଧେ ଯହୁଂ ନଶିଲେ ସଇନି

ପଳାୟେ ଶରଣସେନ ଭଗ୍ନବଳ ଘେନି ।୧୯୦।

ଉଜାଣେଶ୍ୱର ନୃପତି ଯେ ସମରେ ପ୍ରଚଣ୍ଡା

କଳପି ରାଜା ଥାଠଯାକ କଲା ମସୀଗୁଣ୍ଡା ।୧୯୧।

ପାଞ୍ଚ ଯୋଜନ ପର୍ଯ୍ୟନ୍ତେ ପାୟେଡ଼ା ପଡିଲା

ଧାଇଂଣ କୀଚକ ଯେ ଶରଣସେନକୁ ଧଇଲା ।୧୯୨।

କେଶ ଧରିଣ କୀଞ୍ଚକ ଯେ ଚାପୋଡେ ପ୍ରହାରି

ଶରଣସେନ ପଡ଼ିଲା ରୁଧିର ଉଦୁଗାରି ।୧୯୩।

କୟେବାର କହିଲା ହୋ ସଂକୋଚନ ନୃପତି

କଳପିବଳ ନିଶୋଧନ କଲା କୀଞ୍ଚକ ସେନାପତି ।୧୯୪।

ରଥ ଗଜ ଅଶ୍ୱ ତିନି ସାଗର ସଇନି

କୀଞ୍ଚକ ଧ୍ୱଂସିଲା ଯେ ଗିରିବରେ ଘେନି ।୧୯୫।

ପାଷାଣ ରୂପେ ବିଜୟେ ମତ୍ସ ଇନ୍ଦ୍ରନାଥେ

ବିରାଟକଇଂ ଘେନି କୀଞ୍ଚକ ହୋଇଲେ ପ୍ରଣିପତ୍ୟେ ।୧୯୬।

ଜୟ ତୁ ମତ୍ସଇନ୍ଦ୍ରନାଥ ପ୍ରତ୍ୟକ୍ଷେ ମୀନରୂପୀ

କିଞ୍ଚିତ ଅବଲୋକନେ ସପତ ବ୍ରହ୍ମାଣ୍ଡ ବ୍ୟାପି ।୧୯୭।

ଅକାରଣକୁ କାରଣ ଶୂନ୍ୟ ପବନ ବେତ୍ତା

ସାଧକ ପୁରୁଷ ନାଥ ଜୟ ତୁ ଅବଧୂତା ।୧୯୮।

ଖେଳନ୍ତା ସିଂଘ ଜାଣି ନ ଜାଣୁ ରାତ୍ରଦିବା

ଆଦି ଅନ୍ତ ମଧ୍ୟ ତୁହି ସେ ଆଦି ଦେବା ।୧୯୯।

ଶୂନ୍ୟ ଆସନେ ସ୍ୱାମୀ କୋଟି ବ୍ରହ୍ମାଣ୍ଡ ଘୋଟି

ଶତ ତିରିଶି ମୁଦ୍ରାୟେ ଯେ ସମୟେକ ବ୍ୟାପି ।୨୦୦।

ଉଜାଣି ପବନ ଦେବ ବୁଡାଇଲୁ ପଞ୍ଚମୁଦ୍ରା

ପବନ ହେଠାଇଣ ଅବ୍ୟକତ କଲୁ ସିଦ୍ଧା ।୨୦୧।

ଅନନ୍ତ ସିଦ୍ଧ ଯେ ତୁହି ମତ୍ସଇନ୍ଦ୍ର ନାଥେ

ଯାହାର ଲୟେ କୋଟିୟେ କଳ୍ପ ପରିଯନ୍ତେ ।୨୦୨।

ଅନୁକାଳ ବଞ୍ଚାଇଲୁ ନାଥ ଲୋକେଶ୍ୱର ଜିତା

ନବଗୋଟି ଇନ୍ଦ୍ରି ବୁଡାଇଲୁ କାମ ଅସକ୍ତା । ୨୦୩।

ଭାବକ ଛଉଁରୀ ପାବକ କୁଣ୍ଡଳୀ

ଅଗମିତ ମେଦିନୀ କଣ୍ଠେ ରୁଦ୍ରାକ୍ଷ ମାଳି ।୨୦୪।

ନିରନ୍ତରେ ସେବା ମୁଂ ଯେ ମାଗଇ ପରମଯୋଗୀ

ପବନ ଆପ୍ୟାନେ ଯାହାର ଅନେକ କାଳ ଭୋଗୀ ।୨୦୫।

ଅନନ୍ତ ସିଦ୍ଧା ଯେ ମତ୍ସଇନ୍ଦ୍ର ନାଥେ

ଯାହାର ଲୟେ ନବକୋଟି କଳ୍ପ ପରିଯନ୍ତେ ।୨୦୬।

ଆଦିନାଥ ପୁତ୍ରର ଚରଣ ନମାମି

ଶୂଦ୍ରମୁନି ସାରୋଳ ଦାସ ଶତସହସ୍ର ଦଣ୍ଡ ପରିଣାମି ।୨୦୭।

••••                        

 

 

 

Unknown

ବିରାଟର ମଘଦେଶ ପ୍ରାପ୍ତି, ପଞ୍ଚପାଣ୍ଡବଙ୍କର ଛଦ୍ମରୂପ ଧାରଣ ଓ ଶମୀବୃକ୍ଷ ଉତ୍ପତ୍ତି, ତାହାର କ୍ରୋଟରେ ଅସ୍ତ୍ରଶସ୍ତ୍ର ରକ୍ଷଣ ଓ ପଞ୍ଚପାଣ୍ଡବଙ୍କର ଗୁପ୍ତବେଶ ଧାରଣ କରି ରହିବାର ମନ୍ତ୍ରଣା

ସ୍ୱାମୀ ମତ୍ସ୍ୟଇନ୍ଦ୍ର ନାଥ ତୁ ଯେ ସଦୟେ ଯୋଗେଶ୍ୱର

କୀଚକ ବୋଇଲା ସ୍ୱାମୀ ବିରାଟକୁ ଦୟାକର ।୧।

ଶୁଣିଣ ସାନନ୍ଦ ଯେ ମତ୍ସ୍ୟଇନ୍ଦ୍ର ନାଥ ମହାଭୋଳା

ନାଥଂକର ତହୁଂ ଖସି ପଡିଲା ଅକ୍ଷୟ ଜୟମାଳା ।୨।

ବିରାଟର କଣ୍ଠେ କୀଚେକ ନେଇଣ ଲମ୍ବାଇ

ଆସ୍ତାନେ ବିରାଟକୁ ବସାଇଲା ନେଇ ।୩।

ଦୂତ ପେଶି ମୁନିଗଣମାନନ୍ତ ଅଣାଇ

ରାଜ ଅଭିଷେକ ବିଧି ସମସ୍ତ ଭିଆଇ ।୪।

ବାମଦେବ ପଣ୍ତିତ ବରୁଣ ସିଉକାରୀ

ମତ୍ସଦେଶେ ଅଭିଷେକ କଲା ବିରାଟ ଦଣ୍ଡଧାରୀ ।୫।

ସଂକୋଚନ ବୋଇଲେ ବାବୁ ବିରାଟକୁ ଘେନି

ମଚ୍ଛଦେଶେ ଥାଆ ତୁ ସମସ୍ତ ଘେନି ସଇନି ।୬।

ବ୍ୟାସେ ବୋଇଲେ ବାବୁ ଯୁଝେଷ୍ଠି ପୂର୍ବେ ୟେହେନ୍ନେକ ସଞ୍ଚା

ତୁହି ୟେବେ ଅଗ୍ୟାଂତବାସ ତହିଂରେ ଥାଇ ବଞ୍ଚା ।୭।

ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ତପୋବନ୍ତ

ପୁଣ କଳ୍ପିଦେଶ ରାଜା କଲାକ କେମନ୍ତ ।୮।

ବ୍ୟାସେ ବୋଇଲେ ସେ କଳପି ଦେଶର ରାୟେ

ଦଣ୍ଡଭଗ୍ନ ଦେଖିଣ ସେ ଥାଠ ଘେନି ଆୟେ ।୯।

ଅଶି ଫରାର୍ଦ୍ଧସନ୍ୟ ଯେ ସବିହେଂ ମୁକୁଟ ବନ୍ଧା

ବିଶାଶତେ କୋଟି ସନ୍ୟ ସର୍ବେ ରଣସିଦ୍ଧା ।୧୦।

ୟେକ ଛତ୍ର ଗୋଟାୟେ ଧରଇ କାଳନଉମି

ମଘଦେଶେ ମାଡ଼ି ବସିଲା ମଚ୍ଛ ଦେଶର ସାରଭୂମି ।୧୧।

ବିରାଟ ନୃପତିକି ଆସି କହିଲେ ମୁନେହିଂ

କଳପି ଦେଶ ରାଜା ଦେବ ମଘଦେଶେ ଅଛି ରହି ।୧୨।

ବିରାଟକୁ ରାଜପଦେ ବସାଇ କୀଞ୍ଚେକ

କାଳନଉମି ତହିଂକି ବାହିଲା ଦଣ୍ଡେକ ।୧୩।

ବିଷ୍ଣୁଭଦ୍ରା ନଦୀତୀରେ ଅଛନ୍ତି ବେନିଥାଠ

ଉଭୟ ବଳ ସଇନ ହୋଇଲେ ଯାଇଂ ଭେଟ ।୧୪।

ଅସଂଖ୍ୟ ସମର ଯେ ହୋଇଲା ରଣରଙ୍ଗ

ନ ଘୁଞ୍ଚନ୍ତି ସଇନି ନୁହନ୍ତି କେହି ଭଙ୍ଗ ।୧୫।

ରାତ୍ର ଦିବାନ୍ତେଣ ଯେ ବିଶ୍ରାମ ନାହିଂ କିଛି

ଯେ ଯାହାର ସମର କରନ୍ତି ବଳ ଆଞ୍ଚି ।୧୬।

ମୀନମାସ କୃଷ୍ଣପକ୍ଷ ଅଷ୍ଟମୀର ଦିନ

ଭୂମିବାର ଜ୍ୟେଷ୍ଠା ନକ୍ଷତ୍ର ବିଦ୍ୟମାନ ।୧୭।

ସେଦିନ ସାଂଗ୍ରାମ ଯେ ହୋଇଲା ୟେକମୁଖେ

କୀଞ୍ଚେକ ଆପଣେ ବିଜେକଲାକ ପ୍ରତକ୍ଷେ ।୧୮।

ସହସ୍ରେ ସହସ୍ରେ ଭାର ଲୁହା ଗଦା ଘେନି

ରାହୁ ତେଜ ପ୍ରାୟେ ଦୁରାନ୍ତେକ ଜାଣି ।୧୯।

ଯେସନେକେ କୃତାନ୍ତକ ଘେନି କାଳଦଣ୍ଡ

ଗିରିବର ମାଡ଼ି ଯେହ୍ନେ ଧାମଇ ମତ୍ତଷଣ୍ଡ ।୨୦।

ତେସନେକ ସୋହୋଡ଼ ସୁନ୍ଦର ବଳବନ୍ତା

କୀଞ୍ଚେକର ବଳଦର୍ପେ ତାହାର ସଇନ ଭଗନସ୍ତା ।୨୧।

ୟେକା ପ୍ରହାରକେ ପଡନ୍ତି ଅମାପତ ବଳ

ୟେକାନ୍ତେ କୀଞ୍ଚେକ ଯେ ମନ୍ଥିଲା ମହାରୋଳ ।୨୨।

ଯେସନେକେ ମତ୍ତଗଜ ପଶଇ କଦଳୀ ବନେ

ସେହିମତି ହୋଇଣ ନଶିଲେ ସନ୍ୟମାନେ ।୨୩।

କାଳନଉମିର ସମଦଣ୍ଡ କଲାକ ଭଗନ

ମେଦାମେଦ ମାୟେଂସେ ହୋଇଲା କର୍ଦ୍ଦନ ।୨୪।

ଯେ ଅବା ଲେଉଟି ନାରାଜ ବିନ୍ଧଇ ତହିଂ ରହି

ତାହାଂକର ନାରାଜକୁ କୀଞ୍ଚେକର ଭୟ ନାହିଂ ।୨୫।

ନାରାଜ ଫୁଟଇ କି ପର୍ବତ ଉପରେ

ଟେଳା ପ୍ରହାରେ କି ଟଳଇ ଗିରିବରେ ।୨୬।

ୟେସନେକ ପ୍ରଚଣ୍ଡ ସେ ସଂକୋଚନର ବଳ

ପ୍ରତଗ୍ୟାଂ ସାମର୍ଥ ସେ କ୍ଷତ୍ରିୟ ଅଚାର୍ଗଳ ।୨୭।

ମଧୁବନ ଯୁଦ୍ଧେ ଯେହ୍ନେ ଦିଶଇ ପାବେନି

ୟେକା କୀଞ୍ଚେକ ଧଂସିଲା କାଳନଉମି ସଇନି ।୨୮।

ଲୋହସାର ଗଦା ଧରି କାଳ ଯେ ନଉମି

କୀଞ୍ଚକ ଉପରେ ପିଟିଲା ବିକ୍ରମି ।୨୯।

ଦେଖିଣ କୀଞ୍ଚେକ ଯେ ପାତିଲା ବାମକର

ଲୋହସାର ଗଦା ପଡ଼ି ତାର ଅଙ୍ଗେ ହୋଇଲା

ଶତେଚୂର ।୩୦।

ଗଦା ଭଗ୍ନ ଦେଖିଣ ସେ ପାଇଲା ମହାଭୟେ

ପ୍ରାଣ ବିକଳେ ପଳାୟେ କାଳନଉମି ରାୟେ ।୩୧।

ଆରେ ଆରେ ବୋଲି ହାକଇ କୀଚକ ସେନାପତି

କାଳନଉମି ଉପରେ ଗଦାୟେ ପିଟିଲାକ ଧାତି ।୩୨।

ଉପରେ ପଡିଣ ଯେ କୀଞ୍ଚେକ ଗଦାବର

ଅଙ୍ଗଭଗ୍ନ ହୋଇ ରାୟେ ପଡ଼ିଲା ଭୂମିର ।୩୩।

ରାଜା ପଡ଼ନ୍ତେଣ ଥାଠ ଯେ ନିରୋଧି

କାଳନଉମି ସନ୍ୟଂକୁ ଗୋଡ଼ାଇ ଶରବିନ୍ଧି ।୩୪।

ସମସ୍ତ ସଇନିକି କୀଞ୍ଚକ ବଧିଲାକ ମହାରୋଳେ

ମଘଦେଶ ମଚ୍ଛଦେଶ ଘେନିଲାକ ବଳେ ।୩୫।

ଶତେସିଂଘ ପରାକ୍ରମ କୀଞ୍ଚେକ ଦଣ୍ଡଧାରୀ

ମଚ୍ଛଦେଶେ ମଘଦେଶେ ବିରାଟକୁ କଲା ଅଧିକାରୀ ।୩୬।

କାଳନଉମିର ନନ୍ଦନ ଯେ ପଳାଇଲା ତ୍ରିଗର୍ତ୍ତ

ଦ୍ରିଯୋଧନର ତହିଂ ଶରଣ ଯେ ପଶିଲା ତୁରିତ ।୩୭।

ବ୍ୟାସେ ବୋଇଲେ ବାବୁ ୟେମନ୍ତ ମଚ୍ଛଦେଶ ପୁରୀ

ମଚ୍ଛଇନ୍ଦ୍ର ନାଥଂକର ସଞ୍ଚିଲା ସେ ନଗରୀ ।୩୮।

ବାବୁ ବଇରାଷ୍ଟ ଉପର ବଂଶେ ହରିକେଶର ନୃପତି

ମଚ୍ଛଇନ୍ଦ୍ରନାଥକୁ ସେ ବହୁତ ବିନୟ ଭଗତି ।୩୯।

ସଦୟେ ବର ତାକୁ ଯାଚିଲେ ପରମ ଯୋଗୀ

ଭଗତି ଉପୁଜାଇଣ ମଚ୍ଛଦେଶ ମାଗି ।୪୦।

ପଦ୍ମେକ ଗୋଧନ ମଚ୍ଛଇନ୍ଦ୍ର ନାଥଂକ ସଞ୍ଚିଲା

ହରିକେଶର ରାଜାକୁ ମହାତୋଷେଣ ମହାତ୍ମା ଦିଲା ।୪୧।

ପଦ୍ମେକ ଗୋଧନ ମଚ୍ଛଇନ୍ଦ୍ରଂକର ଦିଲେ ପୂର୍ବେ

ଦୁହାଂଳ ଦୁଇପଦ୍ମ ଗାଈ ହୋଇଲାନି ୟେବେ ।୪୨।

ବରଡ ବାରଲକ୍ଷ ଅଛି ୟେବେ ଗାଈ

ଖର୍ବେକ ଅଣ୍ଡିରା ବଚ୍ଛା ପାଞ୍ଚଲକ୍ଷ ଅଛି ମାଈ ।୪୩।

ପ୍ରଥମେ ଚିରେ ଚିରେ ଦୁହିଂ ଯେ ପକାନ୍ତି ଭୂମିକି

କଟକ ବେଢି କ୍ଷୀରନଦୀ ବହୁଥାଇ ସାତ ଘଡିକି ।୪୪।

ୟେସନକ ସମ୍ପଦ ବାବୁ ସେ ମତ୍ସରାଜ ପୁରୀ

ୟେ ମୃତୁମଣ୍ଡଳେହେଂ ସେ ରାଜ୍ୟକୁ କେହି ନାହିଂ ସମସରି ।୪୫।

ବାବୁ ୟେକଦିନେକ ଯେବେ ରହିବ ମଚ୍ଛପୁରୀ

ଶରୀରେ ପାପ ନ ଥିବ ତାର ଛଡମାସ ସରି ।୪୬।

ବ୍ୟାସଂକର ବଚନେ ସନମତ କଲେ ଧର୍ମରାୟେ

ରହିବି ବିରାଟ ପୁରେ କହିବା ଉପାୟେ ।୪୭।

ବ୍ୟାସ ବାସୁଦେବ ଆଉ ଧଉମ୍ୟ ପୁରୋହିତେ

ପାଣ୍ଡବ ପଞ୍ଚୁବୀରେ ଯେ ଦ୍ରୋପତୀ ସହିତେ ।୪୮।

ୟେତେକ ରହିଣ ସେ କରନ୍ତି ଭାଳେଣି

ଗହନ ଘୋର ଅଟବ୍ୟା ସେ କେହିତ ନ ଜାଣି ।୪୯।

ମଣିଭଦ୍ରା ବୋଲିଣ ଯେବଣ ନଦୀଗୋଟି

ବହଇ ଉତ୍ତରାୟଣୀ ଗଣ୍ଡୁକୀ ନଦୀ ଫୁଟି ।୫୦।

କରୁଣାକର ବୋଲି ଯେ ୟେକଇ ବଟତଳେ

ବସିଣ ଭାଳନ୍ତି ଯେ ମଣିଭଦ୍ରା ନଦୀକୂଳେ ।୫୧।

ଗୋବିନ୍ଦ ବୋଇଲେ ଯେ ଯୁଝେଷ୍ଠିଂକି ପରିମାଣି

ବିରାଟର ଭୃତ୍ୟ ତୁମ୍ଭେ ନୋହିବଟି ଦେବସ୍ୱାମୀ ।୫୨।

ବିରାଟ ସମାନେ ତୁମ୍ଭେ ବସିବ ସଭାର

ତେବେ ସେ ଭ୍ରାଥେ ଦ୍ରଶନ କରିବେ ଆସ୍ତାନର ।୫୩।

ସ୍ୱାମୀ ତୁମ୍ଭର ଯେ ବିରାଟ ନ ଜାଣଇ ପରକୃତି

ଭାଇଂକର କୋପେ କି ବ୍ରତଇ ମଚ୍ଛପତି ।୫୪।

ଆହେ ଭୀମ ଅରଜୁନ ନକୁଳ ସହଦେବ

ଆମ୍ଭର ବାକ୍ୟ ଶୁଣି ବାବୁ ଚାରି ଯେ ପାଣ୍ଡବ ।୫୫।

ସମସ୍ତେ ତୁମ୍ଭେ ଥିବ ବିରାଟ ରାଜ୍ୟେ ଗୋପ୍ୟ ହୋଇ

ଅନୁବ୍ରତେ ଥିବଟି ଦ୍ରୋପତୀଂକି ଲୟେ ଦେଇ ।୫୬।

ଯେ ଅବା ମତ୍ସ୍ୟଦେଶେ ଦ୍ରୋପତୀଂକି ବୋଲିବ ଅନୀତି

ଅବଶ୍ୟ ନାଶିବ ତାହା କରିବ ବିନଶ୍ୟତି ।୫୭।

ଗୁପତେ ନାଶିବ ତାହା ଜାଣନ୍ତା ନୋହି କେହି

ଜାଣନ୍ତା ହେଉ ପଛେ ତହିଂକି ବିରୋଧ ନାହିଂ ।୫୮।

ଅଥବା ଜାଣନ୍ତା କେହି ହୋଇବାକ ଯଦି

ସେ କଥା ମୋତେ ଲାଗିଲା ମୁଂ ହୋଇବି ପ୍ରତିବାଦୀ ।୫୯।

ଅଥବା ୟେହାକୁ ପ୍ରକାଶ କରିବ ଯେ ଯଦି

ଚକ୍ରମାରି ତାର ଶିର ପକାଇଇବି ଛେଦି ।୬୦।

ଯୁଝେଷ୍ଠିଂକି ଭ୍ରଚ୍ଛନା ବୋଲିବ ଯେ ଅବା

ତାହା ନାଶ ତୁମ୍ଭେ କରିବଟି ବାବା ।୬୧।

ନାରାୟଣଂକ ବଚନ ଶୁଣିଣ ସର୍ବେ କର୍ଣ୍ଣେ

ସାନନ୍ଦ ହୋଇଲେ ଶୁଣି ପାଣ୍ଡବ ପାଞ୍ଚଜଣେ ।୬୨।

ବ୍ୟାସେ ବୋଇଲେ ବିରାଟେ କୋପ ନ କରିବୁ ଭୀମ

ଗୋପ୍ୟାନ ହୋଇବୁ ସେ ନୋହିବୁ ଉତକର୍ମ ।୬୩।

ଅଗ୍ୟାଂତବାସ ବରଷେ ତେରଦିନ ପରିଯନ୍ତେ

କ୍ଷିଦ୍ରେହେଂ ଜାଣନ୍ତା ନୋହିବ ଥିବଟି ଗୁପତେ ।୬୪।

ୟେତେକର ମଧ୍ୟେ ଯେବେ ହୋଇବଟି ଜାଣନ୍ତା

ବାହୁଡ଼ି ବନବାସ ବାର ବରଷ ଯୁଗତା ।୬୫।

ୟେ କଥା ଶୁଣି ମଉନ ହୋଇଲେ ଚାରିଜଣ

ୟେଥକୁ ହେ ଜଗନ୍ନାଥେ ଆମ୍ଭେ ତୋହୋର ଶରଣ ।୬୬।

ତୁ ଦେବ ଜଗତମୋହନ କରୁଣାମଚ୍ଛଳ

ତୁହି ଯେ ରକ୍ଷା ନାଥ କରିବୁ ସର୍ବକାଳ ।୬୭।

ଆମ୍ଭର ଭାରା ଦେବ ନ ସହଇ ମେଦିନୀ

କେମନ୍ତେ ବିରାଟ ସଂହରିବଟି ପ୍ରଭୁପଣ ଘେନି ।୬୮।

ଗୋବିନ୍ଦେ ବାକ୍ୟ ଯେ ଦିଅନ୍ତି ଅଥବା

ମାଗୋ ପାଞ୍ଚାଳୀ ତୁ ଶ୍ରୀକୃଷ୍ଣାକୁ କରିଥିବୁ ସେବା ।୬୯।

ମାଗୋ ମହତ ଜନକୁ ଯେ ପଡ଼ଇ ପ୍ରମାଦ

ସହି ପାରିଲେ ପରମ ପଣ୍ଡିତ ହୁଅଇ ଲଭଇ ପରମ ପଦ ।୭୦।

ଦ୍ରୋପତୀ ବୋଇଲେ ତୁହୋ ସୟଳ ଚିନ୍ତାମଣି

ତୁ ମାତ୍ର ଲୟେ ନ ଛାଡିବୁ ଆମ୍ଭନ୍ତ ଚକ୍ରପାଣି ।୭୧।

କେତେକ ମାତ୍ର ସେ ଅଗ୍ୟାଂତବାସ ବୋଲି

ତୋହୋର ପ୍ରସାଦେ ହରି ବଞ୍ଚିବୁ ଆମ୍ଭେ କାଲି ।୭୨।

ଜନଘୋଷ ବୋଲି ଯେ ୟେକବିଦ୍ୟା ଗୋଟିୟେ

ପାଣ୍ଡବନ୍ତ ପ୍ରସନ୍ନେ ଶିଖାଇଲେ ପ୍ରଭୁ ଦେବରାୟେ ।୭୩।

ୟେମନ୍ତ ପ୍ରସନ୍ନେ ତୁମ୍ଭେ ଚିହ୍ନିବ ସବୁନ୍ତି

କେହି ଚିହ୍ନି ନୁଆରିବେ ତୁମ୍ଭ ଚିହ୍ନମୃତ୍ତି ।୭୪।

ମନ୍ତ୍ର ପରୀକ୍ଷ କରାଇଲେ ଜନାର୍ଦ୍ଦନ

ଯୁଝେଷ୍ଠି ଧବଳ ବର୍ଣ୍ଣ ଦିଶିଲେ ପାଣ୍ଡୁର ବର୍ଣ୍ଣ ।୭୫।

ଭୀମସେନ ଶରୀର ଗଉର ବର୍ଣ୍ଣ ଦିଶି

କିଂଶୁକ ପୁଷ୍ୟ ପରାୟେ ତାର ଶରୀର ପ୍ରକାଶି ।୭୬।

ଅର୍ଜୁନ ଶ୍ୱରୀର ଯେ ନୀଳଉତ୍ପଳ ପ୍ରାୟେ

ଶୁଦ୍ଧ ସଷ୍ଠିକ ଜାଣି ଦିଶିଲା ଧନୁର୍ଜୟେ ।୭୭।

ନକୁଳ ଶ୍ୱରୀର ଯେ ଶୁଦ୍ଧ ସୁବର୍ଣ୍ଣ ବର୍ଣ୍ଣ

ଲୋହିତ ତମ୍ବା ଜାଣି ଦିଶିଲା ମାଦ୍ରୀର ନନ୍ଦନ ।୭୮।

ସହଦେବର ଶ୍ୱରୀର ସୁରଭି ପୁଷ୍ୟ ଓଳି

କୁଂକୁମ ବର୍ଣ୍ଣ ଜାଣି ଦିଶିଲା ତାର ଶରୀର ତ୍ରିବଳୀ ।୭୯।

ଢଳିତ ସୁବର୍ଣ୍ଣ ଜାଣି ଦ୍ରୋପତୀର କାୟେ

ଶ୍ୱରୀର ବିକାଶିଲା ଗଉର ବର୍ଣ୍ଣ ପ୍ରାୟେ ।୮୦।

ଦେଖ ହୋ ମହାତ୍ମା ନାରାୟଣଂକ ମନ୍ତ୍ରଗୋଟି

ୟେକା ମନ୍ତ୍ରକେ ସବୁରି ବର୍ଣ୍ଣମାନ ଯେ ଲେଉଟି ।୮୧।

ଅଦୃଶ୍ୟ ଉଲୁକ ବିଦ୍ୟା ଗୋହନ ମନ୍ତ୍ର ବେନି

ପାଣ୍ଡବନ୍ତ କହିଲେ ଆବର ଜିଘ୍ନସେନୀ ।୮୨।

ୟେସନେକେ ଅନେକ ମତେ ସେ ପାଣ୍ଡବନ୍ତ ତିଆରି

ବ୍ୟାସେ ବୋଇଲେ ଦୁର୍ଗତି ଫିଟିଲା ୟେହାଂକରି ।୮୩।

ଯୁଝେଷ୍ଠି ଦେବଂକୁ ଯେ ନାରାୟଣ ବଚନ ପରକାଶି

ଆମ୍ଭେ ବିଜେ କରୁଅଛୁ ଘେନି ବ୍ୟାସ ମହଋଷି ।୮୪।

ଅଗ୍ୟାଂତବାସ ତୁମ୍ଭର ନ ଜାଣିମେଟି କେହି

ୟେତେ ବୋଲି ଅନ୍ତରୀକ୍ଷେ ଗଲେ ଦେବ ଗରୁଡ଼ ଆରୋହି ।୮୫।

ବ୍ୟାସେ ବାସୁଦେବ ବିଜେ ବଇନେତ୍ର ପିଠି

ଶୂନ୍ୟେଣ ରହିଣ ସେ ବେନିୟେ ଦେଖୁଛନ୍ତି ୟେକଦୃଷ୍ଟି ।୮୬।

ଯୁଝେଷ୍ଠିଦେବେ ବୋଇଲେ ଆମ୍ଭର ବୋଲ ଶୁଣ

କେବଣ ଠାବେ ଥୋଇବା ପାଞ୍ଚଧନୁ ଦଶତ୍ରୋଣ ।୮୭।

ଅନନ୍ତ କୋଟି ବ୍ରହ୍ମାଣ୍ଡର ଧନ ଅଛି ଲାଗି

କେଉଂଣ ଠାବରେ ୟେହା ଯିବା ପରିତ୍ୟାଗି ।୮୮।

ଭୂମିରେ ଥୋଇଲେ ତ ପୃଥୀ ନ ସହିବ

ପୋତିଣ ଥୋଇଲେ ତ ବାସୁକି ହରିନେବ ।୮୯।

ପର୍ବତେ ଥୋଇଲେ ତ ନେବେ ବନଚରେ

ଜଳେ ବୁଡାଇଲେ ତ ନେବେ ଜଳଚରେ ।୯୦।

ଗିରିଂକର ରାଜା ଯେ ଅଟଇ ଅଚଳାଚଳ ମେରୁ

ସେ ସହିବନା ୟେ ଶହସ୍ରଂକର ଗରୁ ।୯୧।

ମେରୁ ଅଚଳେ ଥୋଇଲେ ହରିବେ ଗନ୍ଧର୍ବେ

ୟେ ବଡାଇ ସଂକଟ ମୋତେ ପଡ଼ିଲା ବାସୁଦେବେ ।୯୨।

ବିଚାରନ୍ତି ଧର୍ମନନ୍ଦନ ଶହସ୍ରଂକ ତେଜ ଚାହିଂ

ୟେ ଶହସ୍ର ଥିଲେ ଆମ୍ଭେ ଗୋପ୍ୟ ହୋଇବାକ କାହିଂ ।୯୩।

ୟେ ମହା ଦୁରାପଦ କଥା ହୋ ପୁଚ୍ଛିବା କାହାକୁ

ଆଗହୁଂନ ପୁଚ୍ଛିଲାଇଂ ଆମ୍ଭେ ବ୍ୟାସ ବାସୁଦେବଂକୁ ।୯୪।

କରପତ୍ର ଯୋଡିଣ କହନ୍ତି ଧନୁର୍ଜୟେ

ଶହସ୍ର ଥୋଇବାକୁ ମୋହୋର ଅଛଇ ଉପାୟେ ।୯୫।

ଯୁଝେଷ୍ଠି ଦେବ ହରଷ ହୋଇଲେ ତାହା ଶୁଣି

ଉପାୟେ ଥିଲେ ବାବୁ ଚିନ୍ତାକର ୟେହିକ୍ଷଣି ।୯୬।

ଯୁଝେଷ୍ଠିଂକ ବଚନ ଶୁଣିଣ କିରୀଟୀ

ହାଥରେ ଅର୍ଜୁନ ଯେ ଘେନିଲେ ଖଡିଗୋଟି ।୯୭।

ହରି ହର ବେନିଗାର କାଟିଲେ ବିବତ୍ସ

ଅବଲୋକନେ ଚାହାନ୍ତେ ବାହାର ହୋଇଲା ବେନିବୃକ୍ଷ ।୯୮।

ପୂର୍ବ ପଚ୍ଛିମ ହୋଇଣ ଯେ ବେନିମୃତ୍ତି

ଧବଳ ନୀଳବର୍ଣ୍ଣ ଦିଶଇ ବେନିଂକର କାନ୍ତି ।୯୯।

ଶମୀ ଶିଂଶୁପା ବୋଲିଣ ବେନିବୃକ୍ଷ ଗରିଷ୍ଠେ

ମଧ୍ୟରେ ବିସ୍ତୀର୍ଣ୍ଣ ତାହାର ଅଛଇ ୟେକ କ୍ରୋଟେ ।୧୦୦।

ନବତାଳ ଗଭୀର ଯେ ବିସ୍ତାର ୟେକକାଠି

କୋଶେକ ବିସ୍ତାର ଡାଳ ଆକାଶେଣ ଘୋଟି ।୧୦୧।

ଉତ୍ତର ଦକ୍ଷିଣ ପୂର୍ବ ପଚ୍ଛିମେ ଚଉଡାଳ

ବିସ୍ତୀର୍ଣ୍ଣ ହୋଇ ସେ ଦିଶଇ ପରିମଳ ।୧୦୨।

ଉପରେ ଡାଳେକ ଯେ ପଞ୍ଚତାଳ ଉଚ୍ଛର୍ଗ

ଯୋଜନେକ ଆୟେତନ ବୃକ୍ଷର ପ୍ରତି ଦୀର୍ଘ ।୧୦୩।

ନବତାଳ ପରିଯନ୍ତେ ଡାଳ ନାହିଂ କିଛି

ୟେସନେକ କରି ସେ ବୃକ୍ଷ ସଞ୍ଚିଲା ସର୍ବସାଚୀ ।୧୦୪।

ଯୁଝେଷ୍ଠିଦେବେ ଆଶ୍ରିଯ୍ୟ ହୋଇଲେ ତାହା ଚାହିଂ

ବାବୁ ୟେହେନେକ ସଞ୍ଚିତ ରେ କରିଥିଲୁ କାହିଂ ।୧୦୫।

ବାବୁ ବଡ଼ାଇ ଆଶ୍ରିଯ୍ୟରେ ଅଟଇ ୟେ ବୃକ୍ଷ

ଶୁଣିତେ ଇଚ୍ଛା ମୋହୋର କହ ରେ ବିବତ୍ସ ।୧୦୬।

ଅର୍ଜୁନ ବୋଇଲେ ସ୍ୱାମୀ ଶୁଣିମା ଧନୁର୍ଜୟେ

ୟେ ବୃକ୍ଷର ଚରିତ୍ର ମୁଂ କହଇ ଉପାୟେ ।୧୦୭।

ତୁଳମାସେ କୃଷ୍ଣପକ୍ଷ ଅମାବଇ ତିଥି

ସ୍ୱାତୀ ନାମରେ ନକ୍ଷତ୍ର ବାର ବୃହସ୍ପତି ।୧୦୮।

ନାଗନାମେ କରଣ ଯେ ଆୟୁଷ୍ମାନ ଯୋଗ

ଈଶ୍ୱରେ ବିଜେକଲେ ହଠକେଶ୍ୱର ସ୍ୱର୍ଗ ।୧୦୯।

ସ୍ୱାମୀ ହିରଣାକ୍ଷ୍ୟ ବୋଲିକରି ୟେକଇ ଅସୁରୀ

ବଇଲୋଚନ ଭଗିନୀ ସେ ଅଟଇ ଦୋଚାରୀ ।୧୧୦।

ସୁବାହୁ ଦଇତର ସେ ଅଟଇ ଭାରିଜା

କେଶବ ରୂପେ ତାହା ବଧିଲେ ଦେବରାଜା ।୧୧୧।

ସୁବାହୁ ବଧ ହୁଅନ୍ତେ ଅସୁରୀ ହିରଣାକ୍ଷୀ

ପାତାଳପୁରକୁ ପଳାଇଲା ନିଜ ଭୁବନ ଉପେକ୍ଷି ।୧୧୨।

ସେ ହିରଣାକ୍ଷୀ ଗୋପ୍ୟଗଲା ପାତାଳ ସ୍ୱର୍ଗପୁରୀ

ସାଚିବଟ ତଳେ ସେ ମାନିନୀ ରୂପ ଧରି ।୧୧୩।

ବଇଲ ବାହାନେ ସେ ଚଳନ୍ତି ଦେବକାଶୀ

ସାଚିବଟ ତଳେ ଭେଟିଲେ ଦେବ ଆସି ।୧୧୪।

ପାର୍ବତୀ ସାରିକ୍ଷେ ଯେ ତାହାର ରୂପ ଗୋଟି

ଦେଖିଣ ମଦନେ ବଶ ହୋଇଲେ ଧୂର୍ଜଟୀ ।୧୧୫।

ବୃଷଭୁଂ ଉତୁରିଣ ଦେବ ବିଶ୍ୱବାସୀ

ସେ ହିରଣାକ୍ଷୀକି ଦେଖିଣ ବଚନ ପ୍ରକାଶି ।୧୧୬।

ସଦାନନ୍ଦକଇଂ ଦେଖି ଉଠିଲା ମାନିନୀ

ରୁଦ୍ର ଦେବତାର ପାଦେ ବିନୋୟୀ ଦୟିନୀ ।୧୧୭।

ଶୃଙ୍ଗାରେ ଭୋଳା ସେ ଅଟଇ ପରମ ଯୋଗୀ

କାମ୍ୟେକ ପୁରୁଷ ରତିରଙ୍ଗେ ବଡ଼ଭୋଗୀ ।୧୧୮।

ସନ୍ନିଧେ କେହି ନାହିଂ ଦେଖିଲେ ୟେକାନ୍ତେ

ଆକ୍ରେଷି ଧଇଲେ ତାକୁ ମଦନ ଆରତେ ।୧୧୯।

ରାକ୍ଷସୀର ତୁଲେ ରମଣ ବିଶ୍ୱବାସୀ

ପୁରୁଷ ବଶ ବିଦ୍ୟା ଜାଣଇ ସେ ରାକ୍ଷସୀ ।୧୨୦।

ଅନେକ ରଙ୍ଗ କଉତୁକ ଶୃଙ୍ଗାର ରସମେଳେ

କପିଳାସ ପୁରେ ବିଜେ ନ କଲେ ଦେବ ସୁଢଳେ ।୧୨୧।

ଅନେକ କାଳ ବାଟ ଚାହାନ୍ତି ଗିରିଜା

ଆରେ ନନ୍ଦିକେଶ୍ୱର ନଇଲେତ ଦେବରାଜା ।୧୨୨।

ବାବୁ ଗଙ୍ଗାର ମନ୍ଦିରେ ଅବା ଈଶ୍ୱର ଛନ୍ତି ରହି

ଅନେକ ବିମୁଖ ଦେବୀ ହୋଇଲେ ବାଟ ଚାହିଂ ।୧୨୩।

ମାୟା ମୋହିନୀ ସେ ଅଟଇ ବାରାଙ୍ଗନା

କୁଗ୍ୟାଂନ କୁମନ୍ତ୍ର ସେ ଜାଣଇ ସେ ଅସୁରୀ ଅପର୍ଣ୍ଣା ।୧୨୪।

ପାତାଳ ଭୁବନେ ସେ ରହିଲେ ବିଶ୍ୱବାସ

ପିଚାଶୁଣୀ ସଙ୍ଗତେ ରହିଲେ ୟେକାଦଶ ବରଷ ।୧୨୫।

ଅନେକ ଦୂତ ଯେ ପେଷିଲେ ଶାକାମ୍ଭେରୀ

ସ୍ୱର୍ଗ ମଞ୍ଚ ଭୁବନ ନ ପାଇଲେ ଲୋଡ଼ିକରି ।୧୨୬।

ସ୍ୱାମୀ କକଡ଼ା ମାସ ଶୁକଳ ପଞ୍ଚମୀ ଅଟଇ

ୟେ ଦିନ କଇଳାସେ କୃଷ୍ଣ ସଙ୍ଗେ ଥିଲି ଯାଇ ।୧୨୭।

ଗୋବିନ୍ଦ ପୁଚ୍ଛାକଲେ ଅମଙ୍ଗଳ ଭୁବନ ଦେଖି

ନାରାୟଣ ବଦନ ଚାହିଂ ବୋଇଲେ ଶଶୀମୁଖୀ ।୧୨୮।

ଈଶ୍ୱରେ କାହିଂ ଛନ୍ତି ଦେଖିଲ କି ଜଗନ୍ନାଥେ

କପିଳାସୁଂ ଗଲେନି ୟେକାଦଶ ବରଷ ପରିଯନ୍ତେ ।୧୨୯।

ଗୋବିନ୍ଦ ଚାହିଂଲେ ଯେ ମୋହୋର ବଦନ

ଈଶ୍ୱରଂକ ତଦନ୍ତ କି ଜାଣିଛୁ ଅରଜୁନ ।୧୩୦।

ନାରାୟଣଂକ ବଚନେ ଗାଣ୍ଡିମ ଧନୁ ଧରି

ନାରାଜ ପୂରୋଇଣ ଈଶ୍ଵରଂକୁ ଲୟେ କରି ।୧୩୧।

ମନଭେଦୀ ନାରାଜ ଧନୁରେ ପୂରୋଇଲେ

ଅନନ୍ତ କୋଟି ବ୍ରହ୍ମାଣ୍ଡ ଦିଶଇ ଚାହିଂଲେ ।୧୩୨।

ନାରାଜ ପୂରୋଇଣ ଚାହିଂଲେ ସର୍ବସାଚୀ

ଦେଖିଲା ରୁଦ୍ରଦେବତାଂକୁ ଘୋଟିଛି ରାକ୍ଷସୀ ।୧୩୩।

ପାର୍ବତୀଂକ ଅଗ୍ରତେ ଯେ ଅର୍ଜୁନ କହିଲା

ମାଗୋ ହିରଣାକ୍ଷୀ ରାକ୍ଷସୀ ତୋ ଈଶ୍ୱରଂକୁ ମୋହିଲା ।।୧୩୪

ସ୍ଵାମୀ ହଠକେଶ୍ୱର ଭୁବନକୁ ଯିବାର ବାଟର

ଅନ୍ଧାର ଭୁବନେକ ଯେ ଅଛଇ ଅଭ୍ୟନ୍ତର ।୧୩୫।

ସେହି ବାଟରେ ଯେ ଯାଆନ୍ତେ ଦେବକାଶୀ

ପାର୍ବତୀ ରୂପ ଧରିଣ ଯେ ମୋହିଲା ରାକ୍ଷସୀ ।୧୩୬।

ଗଉରୀ ବୋଇଲେ ମୋତେ କର ପ୍ରତିକାର

ଯେସନେକେ ରାକ୍ଷସୀ ମୁଖୁଂ ପାରହୋନ୍ତୁ ଦେବହର ।୧୩୭।

ହୃଦଗତେ ଚିନ୍ତଇ ଅର୍ଜୁନ ଶରଭେଦୀ

ଲକ୍ଷେ ଯୋଜନକଇଂ ବୋଲି ଶର ଯେ ସମ୍ପାଦି ।୧୩୮।

ହିରଣାକ୍ଷୀ ବସିଅଛି ସଦାନନ୍ଦ କୋଳେ

ରଙ୍ଗରସ କୁତୂହୋଳ ପରିହାସ ବେଳେ ।୧୩୯।

ଅର୍ଜୁନ କହିଲେ ମାୟେ ୟେସନେକ ଚରିତ

ଶୁଣିଣ ଉତ୍ତର ଯେ ଦିଅନ୍ତି ଜଗନ୍ମାତ ।୧୪୦।

ବାବୁ ତୁ କ୍ଷତ୍ରୀ ଅଟୁ ବୀର ଧନୁର୍ଜୟେ

ଇଶ୍ୱରଂକ ଆସିବାକୁ କର ତୁ ଉପାୟେ ।୧୪୧।

ଅର୍ଜୁନର ଶର ଭେଦିଲା ଯୋଜନ ଲକ୍ଷ ଲକ୍ଷ

ଶରପଡ଼େ ରାକ୍ଷସୀର ହୃଦପରେ ପ୍ରତକ୍ଷ ।୧୪୨।

ହୃଦଗତେ ପତି ନାରାଜ ପିଠି କତିକି ଗଲା କଣ୍ଟି

ଗର୍ଜିଣ ରାକ୍ଷାସୁଣୀ ଯେ ପଞ୍ଚୁତାଳ ଉଞ୍ଚେ ଉଠି ।୧୪୩।

ଈଶ୍ୱର ଦେଖନ୍ତେ ଯେ ଦହନ ତାର କାୟେ

ଅସ୍ଥି ଚର୍ମ ମାଂସ ନ ରହିଲା ନାରାଜର ଘାୟେ ।୧୪୪।

ଘୋର ଅନ୍ଧକାର ଯେ ହୋଇଥିଲା ଭୁବନ

କପିଳାସ ପୁରେ ଆସି ବିଜୟେ ତ୍ରିଲୋଚନ ।୧୪୫।

ଦେଖିଣ ଆଶ୍ରିଜ୍ୟ ଯେ ହୋଇଲେ ମହାମାୟେ

ବୋଇଲେ ଫାଲଗୁନି ଧନ୍ୟ ଧନ୍ୟ ତୋର କାୟେ ।୧୪୬।

ଅନେକ ପ୍ରଶଂସା ମୋତେ କଲେ ମହାମାୟୀ

ଅତିହିଂ ଆନନ୍ଦ ହେଲେ ଈଶ୍ୱରଂକୁ ପାଶେ ଚାହିଂ ।୧୪୭।

ଈଶ୍ୱରଂକୁ ଦେଖି ଆମ୍ଭେ ପାଥ ଜଗନ୍ନାଥ

ପାର୍ବତୀଂକ ସହିତେ ଆମ୍ଭେ ଯେ ହୋଇଲୁ ପ୍ରଣପତ୍ୟ ।୧୪୮।

ଈଶ୍ୱର କହିଲେ ନାରାୟଣଂକ ଅଗ୍ରତେ

ପାର୍ବତୀ ସାରିକ୍ଷେ ଅସୁରୀ ରୂପ ଦିଶିଲାକ ମୋତେ ।୧୪୯।

ସେ ଅନ୍ଧାର ଘୋର ଭୁବନ ଦିଶିଲା କପିଳାସ ସ୍ୱର୍ଗ ଜାଣି

ମୋହୋର ଗ୍ୟାଂନ ସେ ପୁରେ ଥିଲା ପିଚାଶୁଣୀ ।୧୫୦।

ଭଗତି ମହିଂମା ତାର କହିତେ କି ପାରି

ଶରୀର ବହିଣ କେ ଆସିବାକ ଉବୁରି ।୧୫୧।

କାମଦେବ ବୋଲିକରି ୟେତେକ ବଳବନ୍ତ

ୟେଡ଼େକ ଅସାଷ୍ଟମ ସେ କରଇ ଦଇବତ ।୧୫୨।

ଈଶ୍ୱରେ ବୋଇଲେ ପାଣ୍ଡବ ଜୀବନ ତୋର ଧନି

ୟେଡ଼େବଡ଼ ଦୁର୍ଗତିରୁ ଅଇଲୁ ମୋତେ ଘେନି ।୧୫୩।

ନାରାଜର ମହିମା ଦେଖ ହୋ ବନମାଳୀ

ମୋହୋର କୋଳେ ଥାଇଂ ଅସୁରୀର ଗଲା ଜଳି ।୧୫୪।

ନାହିଂ ନାହିଂ କ୍ଷତ୍ରୀ ୟେ ତିନି ଭୁବନ ସ୍ୱର୍ଗ

ଗୁଣସାଗର ପାଥ ବୀର ଅଭୟେ ବର ମାଗ ।୧୫୫।

ୟେକ ସମସ୍ୟାୟେ ବୋଇଲେ ହରିହର ବେନି

ୟେ ଆମ୍ଭର ସତ୍ୟ ସତ୍ୟ ଦେବୁଂ ଫାଲଗୁନି ।୧୫୬।

ପାର୍ବତୀ ବୋଇଲେକ ବର ମାଗ କିନା ପାଥ

ଗୁଣବନ୍ତ ଲୋକଂକର ଭଗତ ବହୁତ ।୧୫୭।

ଶୁଣ ହୋ ମନୁରାୟେ ବଦନ୍ତି ଅଗସ୍ତି ମୁନିବର

ହରିହର ଗିରିଜା ୟେକାବେଳେ ଦିଲେ ବର ।୧୫୮।

ଅର୍ଜୁନ ବୋଇଲେ ସ୍ୱାମୀ କିସ ବର ମାଗିବି

ପୁଣ ପୁଣ ଜନ୍ମିଣ ତ ନୋହିବି ତ୍ରିଜୀବି ।୧୫୯।

ଅର୍ଜୁନ ବୋଇଲା ସ୍ୱାମୀ ୟେମନ୍ତ ବାଞ୍ଛା କରଇ

ହରିହର ଗିରିଜାୟେ ବେଳେକେ ବନ୍ଦଇ ।୧୬୦।

ସ୍ୱାମୀ ଅଗ୍ୟାଂତବାସ ବୋଲି ଆମ୍ଭଂକୁ ଧର୍ମର କଷଣ

ଗୋପ୍ୟାନ ହୋଇବୁ ଯାଇଂ ବିରାଟ ରାଜ୍ୟେଣ ।୧୬୧।

ହରିହର ପାର୍ବତୀ ତୁମ୍ଭେ ହୋଇବ ବୃକ୍ଷଗୋଟି

ଆମ୍ଭର ଶସ୍ରମାନ ଥୋଇବୁ ବୃକ୍ଷକ୍ରୋଟି ।୧୬୨।

ଅର୍ଜୁନର ମୁଖୁଂ ୟେସନେକ ବାକ୍ୟ ଶୁଣି

ଡାହାଣ ଭୁଜୁଂ କେଶବ ବାହାର କଲେ ଶ୍ରୋଣି ।୧୬୩।

ଈଶ୍ୱରଂକର ବିଭୂତି ପାର୍ବତୀଂକର ଜପାମାଳି

ବ୍ରହ୍ମାଂକର କପୋଳ ଭରି ମର୍ଦ୍ଦିଲେ ବନମାଳୀ ।୧୬୪।

ସବୁନ୍ତି ସମାଯୁକ୍ତ କରି ନାରାୟଣ ଚକଟି

ବେନିକରେ ବଳି ଦେବ ଭିଆଇଲେ ଖଡ଼ିଗୋଟି ।୧୬୫।

ଈଶ୍ୱରେ ବୋଇଲେ ତୋର ଯେତେବେଳେ ପଡ଼ଇ କାର୍ଯ୍ୟ

ଭୂମିରେ ତିନିଗାର କାଟିଲେ ହୋଇବ ସରୋଜ ।୧୬୬।

ଅର୍ଜୁନ କହିଲେ ଯେ ଯୁଝେଷ୍ଠିକ ଆଗରେ

ଶମୀ ଶିଂଶୁପାୟେ ଯେ ପାର୍ବତୀ ହରିହର ।୧୬୭।

ସ୍ୱାମୀ ଶମୀବୃକ୍ଷ ଅର୍ଧଅଂଗ ଯେ ସଦାଶିବର କାୟେ

ଶିଂଶୁପା ଅର୍ଧଅଂଗଟି ବାସୁର ଅଂଶ ସ୍ୱୟେଂ ।୧୬୮।

ବିଭୂତି ମେଦିଲେ ଯେ ବ୍ରହ୍ମାର କପୋଳ

ଧାତାର ଚାରି ବଦନ ଯେ ବୃକ୍ଷର ଚାରିଡାଳ ।୧୬୯।

ସ୍ୱାମୀ ମଧ୍ୟେଣ କ୍ରୋଟେକ ଅଛି ପ୍ରତକ୍ଷେ ଗିରିଜା

ୟେହି ସେ ଶମୀବୃକ୍ଷଟି ଜାଣ ଧର୍ମରାଜା ।୧୭୦।

ଅର୍ଧଅଙ୍ଗ ଯେବେ ନୋହିବଟି ୟେହାଂକର

ଆନ କେ ସହି ପାରିବଟି ୟେ ଶସ୍ରଂକ ଭାର ।୧୭୧।

ଶୁଣିଣ ଅର୍ଜୁନକଇଂ ପ୍ରଶଂସା କରନ୍ତି ଯୁଝେଷ୍ଠି

ୟେହେନେକ ସଞ୍ଚିତ କରିଅଛୁ ମୋହାର ଭାଇଗୋଟି ।୧୭୨।

ଅର୍ଜୁନ କହିଲେ ମୁଂ ଡାଳେ ଯାଇଂ ଉଠଇ

ଭୀମସେନ ଠାକୁରେ ବଢାଇ ଦିଅନ୍ତୁ ଥୋଇବି କ୍ରୋଟେ ନେଇ ।୧୭୩।

ବୃକ୍ଷକୁ କୋଳକରି ବୁଜିଲା ନୟନ

ଡାଳେ ଯାଇଂ ବସିଲେ ମନଭେଦୀ ଅର୍ଜୁନ ।୧୭୪।

ନବତାଳ ନବଲକ୍ଷ ଉଚ୍ଛର୍ଗ ଭୀମସେନର କାୟେ

ଶହସ୍ର ବଢାଇ ଦିଅନ୍ତେ ଥୁଅଇ ଧନୁର୍ଜୟେ ।୧୭୫।

ପାଞ୍ଚଧନୁ ଦଶତ୍ରୋଣ ଥୋଇଲା କ୍ରୋଟର ଗର୍ଭଗତେ

ଭୀମସେନର ଗଦାବର ନକୁଳର କୋନ୍ତେ ।୧୭୬।

ଅର୍ଜୁନର ଗାଣ୍ଡିମ ଯୁଝେଷ୍ଠିଂକର ଶାୟକ

ସହଦେବଂକର ଖଡ଼ଗ ଫଳା ନେଇ ଥୋଇଲାକ ।୧୭୭।

ବୃକ୍ଷରୁ ଓହ୍ଲାଇ ସେ ପାଣ୍ଡବ ଫାଲଗୁନି

ଶମୀବୃକ୍ଷକୁ ସେ ବହୁତ ବିନୋୟୀ ଦୟିନୀ ।୧୭୮।

ଜୟତୁ ମହତ ବୃକ୍ଷ ଗଗନଭେଦୀ ସ୍ୱାମୀ

ପ୍ରଳୟ ଉତ୍ତାରଣ ତୁ କଳପି ମହାବ୍ରହ୍ମି ।୧୭୯।

ସଂକେତ ବାଞ୍ଛାବୃକ୍ଷ ମହତ ବୃକ୍ଷଗୋଟି

ଗଗନକୁ ଶିଖା ପାତାଳକୁ ପାଞ୍ଚ ଯୋଜନ କଣ୍ଟି ।୧୮୦।

ଅକାମ ପୁରୁଷ ତୁ ଅକାମ ଅର୍ଥଦାତା

ଯେମନ୍ତେ ବାଞ୍ଛା ତୁ ପ୍ରାପତ କରନ୍ତା ।୧୮୧।

ଶ୍ରୀ ବାଞ୍ଛାବଟ ତୁ ମହତ ବୃକ୍ଷ ଶମୀ

ଶୂଦ୍ରମୁନି ସାରୋଳା ଦାସ ଶତେ ସହସ୍ର ଦଣ୍ଡ ପରିଣାମି ।୧୮୨।

କ୍ରୋଟରେ ଶହସ୍ରମାନ ପଶିଲା ଯେତେବେଳେ

ଆଦିତ୍ୟ ଉଦୟେ ପ୍ରାୟେ ଦିଶଇ ରାତ୍ରକାଳେ ।୧୮୩।

ଶୁଣ ହୋ ବଇବସୁତ ମନୁ ଶମୀବୃକ୍ଷର ମହିଂମା

ସେ ବୃକ୍ଷରେ ବସି ନବସୃଷ୍ଟି ଭିଆଇଲା ବେଦବ୍ରହ୍ମା ।୧୮୪।

ସାରଥିକଂକ ଖମ୍ବ (ପକ୍ଷୀ) ଦ୍ରୋଣ ଧର୍ମକ ଚାରିପଚ୍ଛୀ

ମହାଯୋଗ ଭେଦି ସେ ଭେଟିଲେ ତାରାକ୍ଷୀ ।୧୮୫।

ୟେ ଚାରିପକ୍ଷୀ ପୁଣ ବୃକ୍ଷର ଡାଳରେ ଥାଆନ୍ତି

ସର୍ବଦା ରାମନାମ ଯେ ସ୍ମରଣ କରନ୍ତି ।୧୮୬।

ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଫାଲଗୁନ୍ୟ

ୟେକା ଧନୁରେ ଲାଗଅଛି ବାବୁ ବାଆନ କୋଟି ଭଣ୍ଡାର ଧନ ।୧୮୭।

ଦଇତ ଦାନବ ଦକ୍ଷ କିନ୍ନର ଗନ୍ଧର୍ବେ

ନ ପୁଣ ହରଣ କରନ୍ତି ୟେ ରତ୍ନାକଇଂ ଲୋଭେ ।୧୮୮।

ଅଥବା ଦିପାଳମାନଂକର ତହିଂକି ଇଚ୍ଛା

ସୁବୁଦ୍ଧି ସୋଦରରେ କେମନ୍ତେ ହୋଇବ ୟେ ରକ୍ଷା ।୧୮୯।

ଅର୍ଜୁନ ବୋଇଲା ୟେଥକୁ ଦେବ ନ କର ଚିନ୍ତା

ବଡ଼ ବଳବନ୍ତ ପୁରୁଷେକ ସେ ଅଛଇ ରଖନ୍ତା ।୧୯୦।

ସେହି ଖଡ଼ି ଘେନି ଲେଖନ କଲାକ ପିତୁଳୀ

ସେହି ପିତୁଳୀ ବିଦାରି ବାହାର ହୋଇଲା ପ୍ରଚଣ୍ଡ ବଳୀ ।୧୯୧।

କର ଚରଣ ନାହିଂ ଯେ ନାହିଂ ତାର ମୁଣ୍ଡ

ପେଟ ପିଠି ନାହିଂ ଅଂଗ ମେଦ ମୃତୁପିଣ୍ଡ ।୧୯୨।

ଯୁଝେଷ୍ଠିଂକି ପ୍ରଣପତ୍ୟ କରି କହଇ ଧନୁର୍ଜୟେ

ୟେ ରକ୍ଷା କରିଥିବଟି ଅଗ୍ୟାଂତବାସ ସରିବା ଯାୟେ ।୧୯୩।

ଯୁଝେଷ୍ଠି ଦେବେ ହସିଲେ ଭୀମସେନ ମୁଖ ଚାହିଂ

ବାବୁ ୟେହେନ୍ନେକ ପରପଞ୍ଚ ଦେଖିଲାତ ଆମ୍ଭର ନାହିଂ ।୧୯୪।

ଆରେ ମୁହିଂ ଅଟଇ ଧର୍ମପୁପୁଷ ଯଥାର୍ଥ ପ୍ରକୃତି

ହାଥ ସୁଖେ ପଶା ଖେଳି ହରାଇଲି ରାଜ୍ୟ ଯେ ବିଭୂତି ।୧୯୫।

ଆରେ ମୋତେ ଖତାଉଣୀ ନିମନ୍ତେ ତୋହୋର ୟେଡ଼େ ଛଟା

ଶହସ୍ରନ୍ତ ରଖିବ କେମନ୍ତେ ୟେ ମୃତୁପିଣ୍ଡ ଗୋଟା ।୧୯୬।

ଅର୍ଜୁନ ବୋଇଲା ଦେବ ଶୁଣିମା ଧର୍ମ ସୁତେ

ସମସ୍ତ ଗୋପ୍ୟାନ କଲା ୟେ ସଂସାର ଜନହିତେ ।୧୯୭।

ସ୍ୱାମୀ ଶିର କନ୍ଧ ନାସା ଶ୍ରବଣ ଚାରି ଚରଣ ହୋଇଲେ

ମେରୁ ଟଳିବନା ୟେହାର ହାକ ଦିଲେ ।୧୯୮।

ଅର୍ଜୁନ ତ ଲୟେ କରି ଚିନ୍ତିଲା ବକ୍ଷସ୍ଥଳେ

ଧାତିକାରେ ମୃତୁପିଣ୍ଡ ଲାଗିଲାକ ଯାଇଂ ଡାଳେ ।୧୯୯।

ଅଦଉଡ଼ିୟେ ଅବନ୍ଧରେ ଲାଗିଲା ତାର କାୟେ

ବୃକ୍ଷର ଉପରେ ବୁଲିଲା ସେ ତମ୍ବାଚକ୍ର ପ୍ରାୟେ ।୨୦୦।

ବଦନ ବିହୁନେ ସେ ଛାଡ଼ିଲା ଘୋର ରଡ଼ି

ଭୂମିରୁ ପର୍ବତ କି ପଡିଲେ ଉପୁଡ଼ି ।୨୦୧।

ଯୁଝେଷ୍ଠି ଭୀମସେନ ନକୁଳ ସହଦେବ

ମୃକ୍ଷାଗତ ହୋଇ ପଡିଲେ ଚାରି ଯେ ପାଣ୍ଡବ ।୨୦୨।

ସନକ ବିଶ୍ୱଦେବ ବିଦ୍ୟାଧର ପୁରୁଷେ

ଶୂନ୍ୟେ ବିହନ୍ତା ପୁରୁଷେ ରହି ନୁଆରିଲେ ଆକାଶେ ।୨୦୩।

ଯୁଝେଷ୍ଠିଂକି କୋଳକରି ଧଇଲେ ସର୍ବସାଚୀ

ସାଷ୍ଟାମ କରାଇଣ ମୁଖେ ଜଳ ସିଞ୍ଚି ।୨୦୪।

ଅର୍ଜୁନ ବଚନେ ମୃତୁପିଣ୍ଡ ହୋଇଲାକ ଶାନ୍ତି

ଆଉ ରତିୟେ ଦିଲେ ନିଶ୍ଚେ ଛାଡ଼ନ୍ତେ ଜୀବତି ।୨୦୫।

ମୁଖେଣ ଅମୃତ ଯହୁଂ ସିଞ୍ଚିଲେ ଅର୍ଜୁନ

ନକୁଳ ସହଦେବ ଯେ ସାଷ୍ଟାମ ଭୀମସେନ ।୨୦୬।

ଯୁଝେଷ୍ଠିଦେବେ ପୁଚ୍ଛାକଲେ ଯେତ ବଡ଼ାଇ ଦୁର୍ଲଭ

ୟେ ମୃତୁପିଣ୍ଡ ବାବୁ କେ ଅଟଇ ପୂର୍ବଗର୍ଭ ।୨୦୭।

କର ଚରଣ ନାସିକା ରୂପ ନାହିଂ କିଛି

ବଦନ ବିହୁନେ ୟେତ ଘୋରରଡ଼ି ପାଡୁଅଛି ।୨୦୮।

ଅର୍ଜୁନ ବୋଇଲେ ସ୍ୱାମୀ ମୁଂ ଯେବଣ ବେଳେ ଗଲି ସ୍ୱର୍ଗେ

ନିର୍ବାତକବଚକୁ ମାଇଲି ମୁହିଂ ବାସବର ରାଗେ ।୨୦୯।

ଦେବ ଗନ୍ଧର୍ବ ନାମେ ନୃପତି ବିଶ୍ୱାବସୁ

ୟେହାର ନନ୍ଦନ ନାମ ଅଟଇ କଣୟପ୍ରଶୁ ।୨୧୦।

କଣୟପ୍ରଶୁର ବିରଞ୍ଚି ଯେ ଧ୍ୱଜ

ବୃଦ୍ଧଶ୍ରବା ବୋଲିଣ ଯେ ୟେହାର ଆତ୍ମଜ ।୨୧୧।

ବୃଦ୍ଧଶ୍ରବାର ନନ୍ଦନ ନାମ ଯେ ପ୍ରଚଣ୍ଡବଳୀ

ୟେହାର ଭାରିଜା ନାମ ଅଟଇ ଗନ୍ଧକାଳୀ ।୨୧୨।

ଅମରାଧିନାଥଂକୁ ୟେ ନେଇ ଯୋଗାୟେ ଚାରୁଗନ୍ଧ

ସୁନ୍ଦର ପଣେ ୟେହାକୁ ବାସବର ବଡ଼ାଇ ସଧ ।୨୧୩।

ସ୍ୱାମୀ ନିର୍ବାତକବଚ ଧାଡ଼ିଦିଲା ଯେତେବେଳେ

ଅନେକବାର ବାସବ ହାରିଲେ ତାକୁ ରୋଳେ ।୨୧୪।

ଅମରଭୁବନ ଉପେକ୍ଷି ପଳାବନ୍ତି ବିଦ୍ୟାଧରୀ

ନିର୍ବାତକବଚ ବଳେ ଆଣିଲା ତାଂକୁ ହରି ।୨୧୫।

ସେ ଗନ୍ଧକାଳୀକି ହରି ନିର୍ବାତକବଚ ନେଲା

ଗନ୍ଧମାଦନ ପର୍ବତେ ନେଇ ଗୁପତେ ଥୋଇଲା ।୨୧୬।

ମୁହିଂ ଯେତେବଳେ ନିର୍ବାତକବଚ ବଧକଲି

ଯେ ଯାହାର ପଦାର୍ଥମାନ ଆଣି ବିଦ୍ୟାଧରନ୍ତ ଦିଲି ।୨୧୭।

ସ୍ୱାମୀ ପ୍ରଚଣ୍ଡବଳୀ ଗନ୍ଧର୍ବ ମୋତେ କୋଳକରି ଧରି

ବୋଇଲା ବର ମାଗ ପାଥ ନାଶକଲୁ ମୋ ଦାରା ବଇରି ।୨୧୮।

ମୁହିଂ ବୋଇଲି ସ୍ୱାମୀ ଯେବେ ମୋତେ ଦେବୁ ବର

ଅଗ୍ୟାଂତ ବନବାସ ବରଷେ ତେରଦିନ ମୋର ଶସ୍ରନ୍ତ ରକ୍ଷାକର ।୨୧୯।

ସେ ପ୍ରଚଣ୍ଡବଳୀ ବୋଇଲା ବାବୁ ତୋହୋର କାର୍ଯ୍ୟକାଳେ

ମୃତୁପିଣ୍ଡ ହୋଇ ଲାଗିଥିବି ଶମୀବୃକ୍ଷ ଡାଳେ ।୨୨୦।

ତୋହୋର ଉପର ବଂଶେ ମୃଗସେନ ନୃପତି

ପ୍ରଚଣ୍ଡବଳୀ ବନ୍ଧର୍ବ ମୁଂ ହୋଇଅଛି ଉତପତ୍ତି ।୨୨୧।

ଯଦ୍ୟପି ବ୍ରହ୍ମା ବିଷ୍ଣୁ ମହେଶ୍ୱର ସୁରପତି

ମୋହୋର ରଡ଼ିଘାତେ କେହି ନ ଆସିବେ କତି ।୨୨୨।

ବିଶ୍ୱାବସୁ ଗନ୍ଧର୍ବର ୟେ ଅଟଇ ପଣନାତି

ବଡ଼ାଇ ବନ୍ଧର୍ବ ୟେ ଅଟଇ ମହାଛତ୍ରୀ ।୨୨୩।

ଅର୍ଜୁନ ବଚନ ଯେ ଶୁଣିଣ ଧର୍ମସୁତେ

ବଡ଼ାଇ ସାନନ୍ଦ ଯେ ହୋଇଲେ ଦେବକୋନ୍ତେ ।୨୨୪।

ବାବୁ ବିରାଟ ରାଜ୍ୟେଣ ତ ରହିବା ଗୁପତେ

ଦିନ ହରିବା ଆମ୍ଭେ କେବଣହିଂ ମତେ ।୨୨୫।

ଭୀମସେନ ବୋଇଲା ଦେବ ଚିନ୍ତା ନ କର ଆମ୍ଭର କଥାକୁ

ଯେହେନ୍ନେକ ବାଗେ ଆମ୍ଭେ ଭଣ୍ଡିବୁ ବିରାଟକୁ ।୨୨୬।

ଯିସ ତିସ କହିଲେ ଆମ୍ଭଂକୁ ନାହିଂ ଦୋଷ

ମିଥ୍ୟାକଥା କହି ଦିନ ବଞ୍ଚିବୁ ଅଗ୍ୟାଂତବାସ ।୨୨୭।

ସ୍ୱାମୀ ସତ୍ୟହୁଂ ମିଥ୍ୟା ଯେ ନୁଆସଇ ତୁମ୍ଭର ବାକ୍ୟେ

ଯୁଝେଷ୍ଠି ନାମ କହିଲେ ଜାଣିମେ ସର୍ବଲୋକେ ।୨୨୮।

ଯୁଝେଷ୍ଠି ବୋଇଲେ ତୁ ଆମ୍ଭଂତୁ ନ କର ଚିନ୍ତା

ବିରାଟକୁ ସତ୍ୟହୁଂ ଆମ୍ଭେ ନ କହିବୁଂ ମିଥ୍ୟା ।୨୨୯।

ଭୀମସେନ ହସିଲା ଯୁଝେଷ୍ଠିଂକ ବଚନେ

ରାତ୍ରେକ ଦିବସେକ ୟେ ଅଟଇ ଲେଖନେ ।୨୩୦।

ତିରୀୟେକ ପୁରୁଷୟେକ ପାପେକ ପୁଣ୍ୟେକ

ହାରିବା ଜିଣିମା ହୋ ସତ୍ୟେକ ମିଛେକ ।୨୩୧।

ୟେଥିର ମଧ୍ୟରେ କିସ ଅଛଇଟି ଧର୍ମ

ପୂର୍ବର ଲେଖନ ମେଣ୍ଟଣ ନ ଯାଇଟି କର୍ମ ।୨୩୨।

ଯୁଝେଷ୍ଠିଦେବ ବୋଇଲେ ଯାହା କହିଲୁରେ ଭାଇ

ଧର୍ମେଣ ଯେବଣ କଥା ଅଛି କହିବି ତୁକୁଇଂ ।୨୩୩।

ତୁ ଯେ ବୋଇଲୁ ଭୀମ ରାତ୍ରେକ ଦିବସେକ

ତହିଂର ମଧ୍ୟେ ଅଛଇ ସନ୍ଧ୍ୟା ଅବଶେଷକ ।୨୩୪।

ତୁ ଯେ ବୋଇଲୁ ଭୀମ ତିରୀୟେକ ପୁରୁଷୟେକ

ତାହାର ମଧ୍ୟେ ଅଛି ଜନ ନପୁଂସେକ ।୨୩୫।

ତୁ ଯେ ବୋଇଲୁ ଭାଇ ପାପେକ ପୁଣ୍ୟେକ

ତହିଂର ମଧ୍ୟରେ ଆବର ଅଛଇ ମଉନେକ ।୧୩୬।

ତୁ ଯେ ବୋଇଲୁ ଭୀମ ଚନ୍ଦ୍ରେକ ସୂର୍ଯ୍ୟେକ

ତହିଂର ମଧ୍ୟେ ଅଛି ତାରା ଯେ ଅସଂଖ୍ୟେକ ।୨୩୭।

ତୁ ଯେ ବୋଇଲୁ ଭୀମ ସତ୍ୟେକ ମିଛେକ

ତହିଂର ମଧ୍ୟରେ ଅଛଇଟି ସାକ୍ଷଲୋକ ।୨୩୮।

ଭୀମସେନ ବୋଇଲା ୟେ ଦୁସହ ସଂକଟ

କେବଣ ଉପାୟେ ହୋଇବ ନାମ ଯେ ପାଲଟ ।୨୩୯।

ଯୁଝେଷ୍ଠି ବୋଇଲେ ଆମ୍ଭେ ସଭାପଣ୍ଡା ହୋଇବୁ

ଧର୍ମ ବିଚାରି ଆମ୍ଭେ କୋନ୍ତଭଟ୍ଟ ନାମ ବହିବୁ ।୨୪୦।

କୋନ୍ତଭୋଜର ନନ୍ଦିନୀ କୋଇନ୍ତା ମାତା ଆମ୍ଭର ଯୁଗତେ

କୋନ୍ତଭଟ୍ଟ ନାମ ଆମ୍ଭେ ବଞ୍ଚିବୁ ସାକ୍ଷାତେ ।୨୪୧।

ଭୀମସେନ ବୋଇଲା ତୁମ୍ଭେ କେବଣ ଗୁଣଗ୍ରାହୀ

ଅର୍ଥକୁ ଗଉରୋବ ଗୁଣକୁ ପୂଜା ପାଇ ।୨୪୨।

ସ୍ୱାମୀ ଅର୍ଥକୁହିଂ ହାରିଲୁ ଗୁଣକୁ ହେଳ ଅଟ

ସମାନ୍ୟେ ପୂଜା ତୁମ୍ଭଂକୁ କେମନ୍ତେ କରିବ ବିରାଟ ।୨୪୩।

ଯୁଝେଷ୍ଠି ବୋଇଲେ ହୋ ଚାରିହେଂ ତୁମ୍ଭେ ଶୁଣ

ସମାନେ ବସିବା ଆମ୍ଭର ଅଛଇ ୟେକଗୁଣ ।୨୪୪।

ପଶା ଖେଳିବୁ ଆମ୍ଭେ ବିରାଟର ତୁଲେ

ତେବେ ସେ ସମାନେ ବସିପାରୁଂ ଭଲେ ।୨୪୫।

ଭୀମସେନ ବୋଇଲା ବାବୁ ଉଠ ହୋ ଅର୍ଜୁନ

ବାହୁଡ଼ି ପଶିବା ଚାଲ ଗହନ ଅରଣ୍ୟ ।୨୪୬।

ବେଳେ ବେଳେ ୟେହାଂକର ବସିଲା ଦୁର୍ବୁଦ୍ଧି

ଧୃତରାଷ୍ଟ ପୁଅନ୍ତ ଦିଲେ ଅଚଳାଚଳ ସମ୍ପାଧି ।୨୪୭।

ୟେକାବେଳେକ ପଶାୟେ ହାରିଲେ ସମସ୍ତ

ଆତ୍ମା ବିକ୍ରେ ହୋଇଲୁଂ ଭାଇ ଭାରିଜା ସହିତ ।୨୪୮।

ସଭାର ତଳେ ନେଇ ବସାଇଲେ ସବୁନ୍ତି

କେଶଧରି ବିବସନ କରାଇଲା ଦ୍ରୋପତୀ।୨୪୯।

ୟେକା ପଶାକେ ଯେ ହୋଇଲୁ ୟେତେଦୂର

ଦୁଜେ ପଶା ଖେଳି ହାରିଲୁ ରାଜ୍ୟ ଭଣ୍ଡାର ।୨୫୦।

ଯେଉଂ ପଶା ଖେଳରେ ବୁଲୁଥାଉ ବନଘୋର

ପୁଣି ସେ ପଶା ଖେଳିବେ ବିରାଟ ସଙ୍ଗର ।୨୫୧।

ୟେଘାନ୍ତି କିସ ହୋଇବଟି ଧନ ଧର୍ମ ହିଂ ତ ନାହିଂ

ପ୍ରାଣଘାତ ହୋଇବା କି ୟେହି ପଶାର ପାଇଂ ।୨୫୨।

ଯୁଝେଷ୍ଠି ବୋଇଲେ ତୁ ଶୁଣରେ ପାବେନି

କପଟେ ପଶା ଖେଳାଇ ଆମ୍ଭକୁ ହରାଇଲା ଶକୁନି ।୨୫୩।

ଉଚିତ ପଶାଖେଳରେ କେ ଅଛି ଆମ୍ଭନ୍ତ ସରି

କଉତୁକ ଉପୁଜାଇ ହୋଇବୁ ଅଧିକାରୀ ।୨୫୪।

ପଶା ଖେଳେ ଆମ୍ଭେ ଅଟୁ ଜଗୁଜିତା

ଇହଲୋକେ ଆମ୍ଭନ୍ତ କେହି ନାହିଂନା ଜିଣନ୍ତା ।୨୫୫।

ଶୁଣିଣ ଭୀମସେନ ମନରେ ବିଷାଦ

ନମସ୍କାର କରିଣ ସେ ଧରଇ ବେନିପାଦ ।୨୫୬।

ୟେ ଆମ୍ଭର ବଚନ ଶୁଣସି ଧର୍ମରାୟେ

ପଶା ଛାଡ଼ି ଅଛିକି ଆନ ଯେ ଉପାୟେ ।୨୫୭।

ଯୁଝେଷ୍ଠି ବୋଇଲେ କି ଆଉ ଅଛି ବୁଦ୍ଧି

ସାମାନ୍ୟେ ବସିବାକୁ ୟେହା ମୁଂ ଅଛି ସାଧି ।୨୫୮।

ଆମ୍ଭେ ବସିଲେ ହୋ ରାଜାର ସମାନେ

ମତ୍ସଦେଶେ ରହିବ ତୁମ୍ଭେ କାହାର ଦରଶନେ ।୨୫୯।

ପ୍ରକୃତି ଜାଣି ତୁମ୍ଭେ ଖଟିବ ପରିଚର୍ଯ୍ୟା

ତୁମ୍ଭନ୍ତ ସମାର୍ଜନା କରି କି ପାରିବା ।୨୬୦।

ବିରାଟର ତୁଲେ ଆମ୍ଭେ ସଭାରେ ବସିଥିବୁଂ

ଜାଣିଣ ସନମାନ ତୁମ୍ଭନ୍ତ କରାଇବୁଂ ।୨୬୧।

ଯୁଝେଷ୍ଠି ବଚନେ ଫିଟିଲା ମନଭ୍ରାନ୍ତି

ଭୀମସେନ ବଦନ ଚାହିଂ ବଦୟନ୍ତି ଧର୍ମ ନୃପତି ।୨୬୨।

ତୋହୋର କଥାକୁ ରେ ଭୀମ ମୋହୋର ବଡ ଚିନ୍ତା

ମଚ୍ଛଦେଶେ କେହି ତୋତେ ନୋହିବେ ଅନ୍ନଦାତା ।୨୬୩।

ଷାଠିୟେ ପଉଟି ଅନ୍ନ ବେଳକେ ଅତ୍ରିପୁତି

ତିନିବେଳେ ଭୁଞ୍ଜିଲେ ତୋତେ ନ ଅଣ୍ଟ ତିନିଷାଠି ପାଉଟି ।୨୬୪।

ଭିକ୍ଷା ମାଗିଲେ ତ ଭିକ୍ଷା ଦିଅନ୍ତା କେହି ନାହିଂ

ସମସ୍ତେ ଭୟ କରିନ୍ତି ତୋର ବକ୍ର ନୟନକଇଂ ଚାହିଂ ।୨୬୫।

ପଣ୍ଡିତ ଧାର୍ମିକ ନୋହୁ ନ ଜାଣୁ କୂଟ ଛନ୍ଦ

ଯେଣେ ଯାଉ ତେଣେ ଅନୁବ୍ରତେ କରୁ ଦ୍ୱନ୍ଦ ।୨୬୬।

ବାବୁ କଣୟପର୍ବତ ଜାଣି ଦିଶଇ ତୋର କାୟେ

ୟେହା ଗୋପ୍ୟ କରିବୁଟି ତୁ କେବଣ ଉପାୟେ ।୨୬୭।

ଭୀମସେନ ବୋଇଲା ଦେବ ଅଛଇ ମୋର ବୁଦ୍ଧି

ମୁହିଂ ସୂପକାର ହୋଇବି ଜାଣଇ ଅଗ୍ନି ରାନ୍ଧି ।୨୬୮।

ବିରାଟର ରାଜ୍ୟେ ମୁହିଂ ବଲ୍ଲଭ ହୋଇବି

ସୂପକାର ରୂପେଣ ମୁଂ ମତ୍ସଦେଶରେ ରହିବି ।୨୬୯।

ଯୁଝେଷ୍ଠି ଦେବ ବୋଇଲେ ତୁ କିସ ଅବା ରାନ୍ଧିବୁ

ତୁକୁଇ ସେ ଭୋଜନ ହୋଇବ ଆନକୁ କିସ ଦେବୁ ।୨୭୦।

ଭୀମସେନ ବୋଇଲା ଦେବ ବିରାଟ ରାଜ୍ୟେଣ

ସବୁ ସୂପକାର ଛଡାଇ ମୁଂ ହୋଇବି ୟେକଜଣ ।୨୭୧।

ଲକ୍ଷେ ସୂପକାରକୁ ପଡ଼ି ହୋଇବାକ ଯେତେ

ସବୁନ୍ତି ଛଡ଼ାଇ ବିରାଟ ଯେ ୟେକା ଦେବ ମୋତେ ।୨୭୨।

ଯୁଝେଷ୍ଠି ଦେବ ବୋଇଲେ ରେ କେବଣ ଗୁଣ ତୋହୋର

ରାନ୍ଧଣା ବିଧାନ କେମନ୍ତେ ଜାଣିଲୁ ଆବର ।୨୭୩।

ଭୀମସେନ ବୋଇଲା ଦେବ ଜାଣଇ ନିତିପ୍ରତି

ଅମୃତ ଯୋଗାଡ଼ମାନ ଜାଣଇ ନିତିପ୍ରତି ।୨୭୪।

ହାଣ୍ଡିରେ ଯୋଗାଡ଼ି ଦେବ ବସାଇଲେ ଚୂଲିରେ

ସୂର୍ଯ୍ୟପାକ ହୋଇବ ୟେକଇ ସମ୍ଭାରେ ।୨୭୫।

ୟେହେନ୍ନେକ ବିଧାନେ ଦେବ ଜାଣଇ ମୁହିଂ ରାନ୍ଧି

ଯୁଝେଷ୍ଠି ଦେବ ବୋଇଲେ ୟେତ ଗଉରୀ ସଉରୀ ନଳବିଧି ।୨୭୬।

ୟେଡ଼େକ ମହିଂମା ତୋର ଆମ୍ଭଂକୁ ଶୁଣିଲାତ ନାହିଂ

ୟେ ତିନିପ୍ରତି ରାନ୍ଧଣା ବାବୁ ପାଇଲୁ କାହିଂ ।୨୭୭।

ଭୀମସେନ କହଇ ଯୋଡ଼ିଣ କରପତ୍ର ବେନି

ୟେ ନିତିପ୍ରତି ରାନ୍ଧଣା ମୋତେ କହିଲେ ଦୋହରା ଅଗ୍ନି ।୨୭୮।

ଯୁଝେଷ୍ଠିଦେବେ କହିଲେ ତୋହର କେବଣ ଭଗତ

ସେବାଗୁଣ ଆମ୍ଭେ ତୋର ଜାଣୁନା ସମସ୍ତ ।୨୭୯।

ଯେଣେତେଣେ ଥିଲେ ତୁ ଅଶୁଚିବନ୍ତେ ଆସୁ

ବେନି ଚରଣ ଦେଖାଇଣ ଅଗ୍ନିକି ଆକ୍ରୋଷୁଂ ।୨୮୦।

ୟେଡ଼େମାନେ ଭଗତିକି ହୋଇଲେନା ପ୍ରସନ୍ନ

ଥୋକାୟେ ଦିନେ ଅଗ୍ନିରେ ତୁ କରୁ ଆଂଚୋବନ ।୨୮୧।

ଆମ୍ଭେ ଅନେକ ବିନୋୟୀ ବହୁତ ପ୍ରକାରେ ଅଗ୍ନିକି କରିଥାଉ ସେବା

ଘୃତ ଆହୂତି ଦେଇ ବିନୋୟୀ ରାତ୍ର ଦିବା ।୨୮୨।

ଦେଖି ନୁଆରିଲୁ ଅଗ୍ନି ଦେବତାଂକ ନିଜ ମୃତ୍ତି

ନିର୍ଦ୍ଦୟା ଅଣାକାର ସେ ଅଟନ୍ତି ବହତି ।୨୮୩।

ଭୀମସେନ ବୋଇଲା ଦେବ ଶତଶିଂଗ ପରବତେ

ରାନ୍ଧଣା ପାକ ଦେବ ଭକ୍ଷଣ କରଇ ମୁହିଂ ନିତ୍ୟେ ।୨୮୪।

ଅନ୍ନ ମେଞ୍ଜନ ମୁଂ ଯେ ଭୁଞ୍ଜଇ ଅର୍ଧ ଅର୍ଧ

ପାଞ୍ଚଦିନର ପୁଅ ମୁଂ ଭୋଜନକୁ ୟେଡ଼େ ସଧ ।୨୮୫।

କୋଇନ୍ତାୟେ କହିଲେ ଯେ ପଣ୍ଡୁରାଜାଂକର ପାଶେ

ସ୍ୱାମୀ ମଢ଼ଫୁଲି ଯୋଗାଡ଼ ନ ଥାଇ ଅର୍ଧଶେଷେ ।୨୮୬।

କେ ୟେହା ଆଧାର କରଇ ଯେ ବସି ନିତି

ସାତ ବରଷ ହୋଇଲାନି ୟେହିପରି ପ୍ରତି ।୨୮୭।

ଶୁଣିଣ ପଣ୍ଡୁ ରାଜା ତବଦ ପ୍ରାୟେ ହୋଇ

ସେ କଥାକୁ ମନରେ ପ୍ରତ୍ୟେ ନ କଲେ ଗୋସାଇଂ ।୨୮୮।

ଋଷଭମାସ ଶୁକଳ ପୂର୍ଣ୍ଣିମା ଅର୍କବାର

ଅନୁରାଧା ଋକ୍ଷାନ୍ତେ ଜ୍ୟେଷ୍ଠା ପ୍ରହରକର ।୨୮୯।

ଶ୍ରୀକରେ କୃପାଣେକ ଘେନିଣ ପଣ୍ଡୁମହାରାୟେ

ସେ ଜଗିଛନ୍ତି ସ୍ରାହାନକୁ ଗଲେ କୋଇନ୍ତାୟେ ।୨୯୦।

ଅନ୍ଧାର ମନ୍ଦିରେ ଯେ ପଣ୍ଡୁରାଜା ଛନ୍ତି ବସି

ଶଯ୍ୟା ଯୁଗତୁଂ ଯେ ଉଠିଣ ମୁହିଂ ଆସି ।୨୯୧।

ରାନ୍ଧଣାଶାଳେ ପଶି ମୁଂ କରୁଅଛି ଭକ୍ଷ

ସରୂପେ ମହାରାଜା ଦେଖିଲେ ପ୍ରତକ୍ଷ ।୨୯୨।

କୃପାଣ ବୁଲାଇଣ ସେ ଧାମନ୍ତି ମହାରାୟେ

ଧାତିକାରେ ପଳାଇଲି ମୁଂ ପିତାଂକରି ଭୟେ ।୨୯୩।

ଧାମନ୍ତି ସୋମବଂଶୀ କରେ କୃପାଣ ଝୁଣି

ଆରେ ଦୁଷ୍ଟ କୁମର ପକାଇବି ତୋତେ ହାଣି ।୨୯୪।

ଦେଖିଣ ପଣ୍ଡୁଂକୁ ଧଇଲେ ଦେବୀ କୋଇନ୍ତେ

ରାଗେଣ ଫିଙ୍ଗି ପକାନ୍ତେ ମୁଂ ପଳାଇଲି ତୁରିତେ ।୨୯୫।

ମୁହିଂ ଆଗେ ପଳାଇ ପଛେ ପଣ୍ଡୁଯେ ନୃପତି

ଅଗ୍ନିଦେବତା ବ୍ରାହ୍ମଣ ସରୂପ ହୋଇ ପଛେ ଗୋଡ଼ାଇ ଅଛନ୍ତି ।୨୯୬।

ସେ ବ୍ରାହ୍ମଣ ପଛକତି ଭୋଜର କୁମାରୀ

ନିସତେ ପଳାଇଲି ବନସ୍ତେ ଯୋଜନ ଶତ ଚାରି ।୨୯୭।

ଲେଉଟି ଚାହାନ୍ତେଣ ମୁଂ ପଡିଲି ମୁହଂ ମାଡ଼ି

ଉପରେ ଖଣ୍ଡା ନେଇ ରାଜା ପିଟିଲେ ମୋହୋରି ।୨୯୮।

ସେ ବ୍ରାହ୍ମଣ କୋଳକରି ଧଇଲେ ପଣ୍ଡୁଂକୁ

କିଂକେ ନାଶ କରିବୁ ୟେ ବାଳୁତ କୁମରକୁ ।୨୯୯।

ଛାଡ଼ ଛାଡ଼ ପଣ୍ଡାୟେ ମାରିବି ୟେହୁ ଦୁଷ୍ଟ

ନିତ୍ୟାପ୍ରତି ମଣୋହି ଯୋଗାଡ଼ ୟେ କରଇ ଉତ୍ତିଷ୍ଟ ।୩୦୦।

ବ୍ରାହ୍ମଣ ବୋଇଲେ ତୁ ବାତୁଳ ହୋଇଲୁକି ରାୟେ

ଆତ୍ମଘାତକ ଅପାର ଦୋଷ ଯେ ନାଶକରନ୍ତି ତନୟେ ।୩୦୧।

ପୁତ୍ରଂକର ଉତ୍ତିଷ୍ଟକୁ (ଉଚ୍ଛିଷ୍ଟ) ଦୋଷ ନ ଲାଗଇ

ଇନ୍ଦୁର ମଞ୍ଜାରୀ ଛୁଇଂଲେ କି ପାକ ପକାଇ ଦେଇ ।୩୦୨।

ପଣ୍ଡୁରାଜା ବୋଇଲେ ମୋତେ ହୋଇଲାକ ଅଯୋଗ୍ୟ

ଦେବ ପିତ୍ରେ ଦିଅଇ ଯେ ଅଗ୍ରତେ ଅନ୍ନଭୋଗ ।୩୦୩।

ବ୍ରାହ୍ମଣ ବୋଇଲେ ୟେ ଅଗ୍ୟାଂନ ତନୟେ

ୟେହାଂକର ଦୋଷ ଯେ ନ ଘେନନ୍ତି ଦେବତାୟେ ।୩୦୪।

ପଣ୍ଡୁ ବୋଇଲେ ଯେବେ ଦେବତାଂକୁ ଦିଲି

ଦୋହରା ଅଗ୍ନିକି ଯେ ଉତିଷ୍ଟ ପରଶିଲି ।୩୦୫।

ବ୍ରାହ୍ମଣ ବୋଇଲେ ହୋ ବାଳୁତଂକ ଉତ୍ତିଷ୍ଟ

ଦୋହରା ଅଗ୍ନି ଯେ ହୋଅନ୍ତି ତହିଂକି ତୁଷ୍ଟ ।୩୦୬।

ତୁ ଯେବେ ମନେ ଅପ୍ରତେ କରୁ ମହାବୀରା

ଆମ୍ଭେ ସେ ବଶ୍ୟାନର ଅନଳ ଦୋହରା ।୩୦୭।

ତୁହି ସେ ଆଜ ସିନା ଦେଖିଲୁ ହୋ ପଣ୍ଡୁ

ସାତ ବରଷ ହୋଇଲାନି ଆମ୍ଭେ ୟେହାର ଉତ୍ତିଷ୍ଟ ଭୁଞ୍ଜୁ ।୩୦୮।

ନିରୁତାନ୍ତ ରୂପ ଯହୁଂ ଧଇଲେ ବହତି

କୋପ ଛାଡ଼ି ପ୍ରଣପତ୍ୟ ହୋଇଲେ ପଣ୍ଡୁ ଯେ ନୃପତି ।୩୦୯।

ଦୋହରା ବୋଇଲେ ୟେ ତୋହୋର ପୁତ୍ରଗୋଟି

ଭୋଜନେ ଅତ୍ରିପୁତି ୟେହାକୁ ଆଧାର ନ ଅଣ୍ଚି ।୩୧୦।

ଆମ୍ଭନ୍ତକୁହିଂ ଘୃତ ଯେହ୍ନେ ଭୁଞ୍ଜନ୍ତେ ନ ଅଣ଼୍ଟେ

କ୍ରୋଟ ଅନଳ ରୂପେ ଥିବୁ ୟେହାର ଗର୍ଭଗତେ ।୩୧୧।

ଦିବାରାତ୍ରେ ୟେହାର ଅନ୍ନକୁ ହୋଇବ ବଡସ୍ରାଗ

ୟେହାର ରାନ୍ଧନ୍ତେ ହୋଇବ ଅମିୟ ରସପାଗ ।୩୧୨।

ଗଉରୀ ସଉରୀ ନଳବିଧି ନିତିପ୍ରତି

ସ୍ୱାମୀ ପ୍ରସନ୍ନେ ଦିଲେ ମୋତେ ଦୋହରା ବହତି ।୩୧୩।

ସ୍ୱାମୀ ୟେସନେକ ବିଧାନ ମୁଂ ପାଇଛଇଂ ପୂର୍ବେ

ବିରାଟ ଘରେ ସୂପକାର ହୋଇବି ବଲ୍ଲଭ ନାମ ୟେବେ ।୩୧୪।

ଯଦ୍ୟପି ଶରଧା କରିବ ମତ୍ସରାଜ ସାଇଂ

ଅଥବା ମାଲଯୁଦ୍ଧ କରିବି କୁତୂହୋଳେ ମୁହିଂ ।୩୧୫।

ଗୋସାଇଂ ଆସ୍ତାନେ ତୁମ୍ଭେ ବସିଥିବ ଅନୁବ୍ରତେ

ପରରାଷ୍ଟ ଯୁଦ୍ଧ ପଡ଼ିଲେ ହକରା କରିବାକ ମୋତେ ।୩୧୬।

ଭୀମସେନର କହନ୍ତେ ଯେ ଫିଟିଲା ମନଭ୍ରାନ୍ତି

ସ୍ୱାମୀ ସନିଧ୍ୟ ହୋଇ ବସିଥିବ ତୁମ୍ଭେ ବିରାଟର କତି ।୩୧୭।

ଆମ୍ଭେ ଦ୍ରଶନ କରିବୁ ଯେତେବେଳେ

ଭୃତ୍ୟପଣେ ଆସଇ କି ଆମ୍ଭର ସଦାକାଳେ ।୩୧୮।

ଯେବଣ ବଚନ କହି ଅବା ଆମ୍ଭେ ନୁଆରିବୁ ଆସ୍ତାନେ

ତୁମ୍ଭେ ପୁରୋଇ କହିବନା ରାଜାର ସନିଧ୍ୟାନେ ।୩୧୯।

ଯୁଝେଷ୍ଠି ଚାହିଂଲେ ପୁଣ ଅର୍ଜୁନର ମୁଖ

ତୁ କେହ୍ନେ ଗୋପ୍ୟାନ ବାବୁ ହୋଇବୁ ରେ ବିବତ୍ସ ।୩୨୦।

ଅର୍ଜୁନ ବୋଇଲା ଛାମୁରେ କରପତ୍ର ଯୋଡ଼ି

ବିରାଟ ରାଜ୍ୟେ ମୁଂ ଯେ ହୋଇବି ବୃହନ୍ନାରୀ ।୩୨୧।

ରାଣୀହଂସ ପୁରେ ମୁଂ କରାଇବି ନୃତ୍ୟ

ବେଣୁ ବୀଣା ଯନ୍ତ୍ରତାଳ ତାଣ୍ଡବ ଭ୍ରରହ ସଂଗୀତ ।୩୨୨।

ପଞ୍ଚବିଂଶ ତାଳ ଖଟଣ ୟେକବିଂଶ ମୃଚ୍ଛନା (ମୃକ୍ଷନା )

ଅନନ୍ତ ବିନୋଦ ବୃନ୍ଦାଅର୍କ ମୋହନା ।୩୨୩।

ଅର୍ଜୁନ ବଚନ ଶୁଣି ଧର୍ମରାୟେ ବୋଇଲେ

ଅନ୍ତେଶ୍ୱର ପୁରେ କେସନେକେ ପଶିବୁ ପୁରୁଷ ଭାବ ଥିଲେ ।୩୨୪।

ଅଣ୍ଡିରମାନେ ନ ପଶନ୍ତି ଅନ୍ତେଶ୍ୱର ପୁରେ

ଗୋଟା ପରିବା ନ ପଶଇ ରାନ୍ଧିବାର ପୁରେ ।୩୨୫।

ଅର୍ଜୁନ ବୋଇଲା ମୋର ହୋଇବ ସ୍ତିରୀବେଶ

କାମିନୀ ରୂପେଣ ଖୋଷା ଖୋଷିବି ଦେବ କେଶ ।୩୨୬।

ତିରୀବେଶ ଅଳଂକାରେ ପିନ୍ଧିବି ଦେବ ଶାଢୀ

ବୃହନ୍ନାରୀ ବେଶ ହୋଇବ ମୋହୋରି ।୩୨୭।

ଯୁଝେଷ୍ଠି ବୋଇଲେ ତୋତେ ହୋଇବ ଶରଧା

ଆସ୍ତାନେ ବିରାଟ ନିଚେ କରିବଟି ଶୋଧା ।୩୨୮।

ଅର୍ଜୁନ ବୋଇଲା ଦେବ ମୁଂ ନପୁଂସକ ହୋଇବି

ଗୁଣ ଘୃଷ୍ଟ ଫଳିବାର ବେନି ବାହି ପିନ୍ଧିବି ।୩୨୯।

ଯୁଝେଷ୍ଠି ଦେବ ବିଷାଦ ଯେ ଅର୍ଜୁନ ବଚନେ

ନପୁଂସକ ଲକ୍ଷଣ ବାବୁ ତୁ ହୋଇବୁ କେସନେ ।୩୩୦।

ଯେହେନେକ ଭବିଷ୍ୟ କହିଲୁ କିଂକେ କଥା

ମମ ହୃଦେ ଶୁଣିତେ ଲାଗଇ ବଡ଼ ଚିନ୍ତା ।୩୩୧।

ଧୂର୍ତ୍ତ ସିଂହଣ ନୃପତି ଅଟଇ ରାୟେ ମଚ୍ଛ

ଅବଶ୍ୟ ଶୋଧିବ ସେ ଯେ କରିବ ପରୀକ୍ଷ ।୩୩୨।

ଅର୍ଜୁନ ବୋଇଲା ଦେବ ନପୁଂସକ ରୂପ

ବିରାଟ ଶୋଧାକଲେ ହୋଇବ ସରୂପ ।୩୩୩।

ଯୁଝେଷ୍ଠି ପୁଚ୍ଛାକଲେ ୟେହେନେକ ଅଛଇ କି ପୂର୍ବେ

ନିଜ ନାମ ଗୋପ୍ୟାନ ତୋର ହୋଇଥିଲାକ କେବେ ।୩୩୪।

ଅର୍ଜୁନ ବୋଇଲା ମୁଂ ଯେତେବେଳେ ଗଲାଇ ଅମର ମଣ୍ଡଳେ

ନିର୍ବାତକପଚକଇଂ ବଧକଲି ପିତାମହର ଛଳେ ।୩୩୫।

ତୋଷେଣ କୋଳେ ମୋତେ ବସାଇ ମଘବାନ

କିରୀଟୀ ନାମ ମୋତେ ଦିଲେ ପାକ ଯେ ଶାସନ ।୩୩୬।

ବାସବ ଦେବତାଂକର ଯେତେ ଅଳଂକାର ଭୂଷଣ

ସମସ୍ତ ଅଙ୍ଗେ ମୋର କଲେକ ଆଭରଣ ।୩୩୭।

ଦେଖିଣ ମୋହିତ ହୋଇଲେ ସକଳ ଅପକ୍ଷରୀ

ଅନେକ ବେଶ ବେଶନେ ଯେ ତାଣ୍ଡେବ ନୃତ୍ୟକରି ।୩୩୮।

ବାସବର ପ୍ରିୟବତୀ ଅଟଇ ଉର୍ବଶୀ

ନୃତ୍ୟ ଆରମ୍ଭରେ ମୁଂ ଆସ୍ତାନେ ଥିଲି ବସି ।୩୩୯।

ସେ ଅପକ୍ଷରୀ ମୋହୋରେ କଲାକ ମାନସୀ

ମୋତେ ଦେଖିଣ ସେ କାମସାଗରେ ଯେ ଭାଷି ।୩୪୦।

ମୋହାର ବଦନ ସେ ଚାହିଂଲା ଯହୁଂ ଆସି

ମୁହିଂ ତାହାର ବଦନ ନ ଚାହିଂଲି ସମ୍ଭାଷି ।୩୪୧।

ମୁହିଂ ତାହାର ବଦନ ନ ଚାହିଲି ଯହୁଂ ତୋଳି

ବିଚିତ୍ର ନୃତ୍ୟ କରି ପଡ଼ିଲା ବାଳୀ ଢଳି ।୩୪୨।

କିଞ୍ଚିତ କରିଣ ସେ ଯେ ଚାହିଂଲା ୟେକଦୃଷ୍ଟି

ମଦନଶରେ ବାଳୀ ହୋଇଲା ଅସାଷ୍ଟି ।୩୪୩।

ବାସବ ଜାଣିଲେ ଯେ ଉର୍ବଶୀର ପ୍ରକୃତି

ମୋହୋର ଶୟନ ସ୍ତାନକୁ ପେଶିଲେ ନିଶାରାତି ।୩୪୪।

ସ୍ୱାମୀ କପାଟ ପାଡିଣ ମୁଂ ପଲଂକେ ବସି ଶରମାନ ଗୁଣି

ପ୍ରିୟମ୍ବଦା ଉର୍ବଶୀ ଦ୍ୱାରେ ମିଳିଲେ ବେନି ଯେ ତରୁଣୀ ।୩୪୫।

କପାଟ ଫିଟାଅ ବୋଲି ବିନୟେ ବୋଲନ୍ତି ଦ୍ୱାରେ

ରାତ୍ରେକ ମଣାଇ ମୋତେ କହିଲେ ଉତ୍ତରେ ।୩୪୬।

ମାତାହୁଂ ଆନ ମୁଂ ଯେ ନ ବୋଲଇ ତାହାରେ

ବିନୋୟୀ ରାତ୍ରେକ ସେ ବସିଲା ମୋର ଦ୍ୱାରେ ।୩୪୭।

କପାଟ ନ ଫେଡ଼ିଣ ମୁଂ ନ ଚାହିଂଲି ତାର ମୁଖ

ରୟଣୀ ଶେଷ ହୋଇଲା ସେ ହୋଇଲା ବିମୁଖ ।୩୪୮।

କାମ କଷ୍ଠୋରେ ଉର୍ବଶୀ କୋପେ ବିହିଲା ମୋତେ ଶାପ

ମୁହିଂ ଜଗତମୋହିନୀ ରେ ମୋର ଭାଙ୍ଗିଲୁ ସିନା ଦର୍ପ ।୩୪୯।

ମୋତେ ଅପ୍ରାପତ ଯେବେ ହୋଇଲୁ ଫାଲଗୁନି

ଆବର ରତିରଙ୍ଗ କରିବୁ କି ଅନ୍ୟ ତିରୀ ଘେନି ।୩୫୦।

ମୋତେ ତୁହି ନିରାଶରେ କଲୁ ଅକାରଣେ

ତୋତେ ପ୍ରାପତ ହେଉ ନପୁଂସକ ଲକ୍ଷଣେ ।୩୫୧।

ସ୍ୱାମୀ ଇନ୍ଦ୍ର ଦେବତା କୋପକଲେ ତାହା ଶୁଣି

ନିକଳଂକ ପୁତ୍ରେ ମୋର କଳଂକ ଲଗାଇଲୁ ଆଣି ।୩୫୨।

ମୁହିଂ ତୋତେ ୟେବେ ଶାପ୍ୟ ଦେବଇଂ ଉର୍ବଶୀ

ପ୍ରଳମ୍ବିତ ହୋଇ ବାଳୀ ବାସବେ ବଚନ ସମ୍ଭାଷି ।୩୫୩।

ଉବର୍ଶୀ ବୋଇଲା ମୋରେ କୋପ ନ କର ସୁରନାହା

ମୋର ଶାପ୍ୟ ପରମ ହିତ ହୋଇବ ପରିମାଣି ବୁଝ ୟେହା ।୩୫୪।

ସ୍ୱାମୀ ଅଗ୍ୟାଂତବାସ ଯେ ବରଷେ ତେରଦିନ

ତେତେଦିନ ଯାୟେ ନପୁଂସକ ହୋଇବ ଅରଜୁନ ।୩୫୫।

ସ୍ୱାମୀ ହିତକାଳୟେ ଯେବେ ମୋତେ ସୁମରଣ

ତେତେବେଳେ ହୋଇବ ୟେ ନପୁଂସକ ଲକ୍ଷଣ ।୩୫୬।

ତହିଂର ନିମନ୍ତେ ସେ କରିବ ସୁମରଣ

କାହାରେ ଅନ୍ୟଥା ନୋହଇଟି କପାଳ ଲେଖନ ।୩୫୭।

ସ୍ୱାମୀ ସବୁକାଳେ ସମ୍ପଦେ କାହାର ନ ଯାଇଟି ଦିନ

ସଦା ବିପତ୍ତି ଦେବ ନୋହଇ ଲେଖନ ।୩୫୮।

ରାତ୍ର ଦିବସ ଯେହ୍ନେ ସମ୍ପଦ ବିପଦ ତେହ୍ନେ

କାହାରିବେଳେ ସେ ଯେ ହୋଇବାକ ଆନେ ।୩୫୯।

ଅଣହିତ କାଳେ ୟେ ନ ଥିବ ତାର ତହିଂ

ଶୁଣିଣ ସାନନ୍ଦ ଯେ ହୋଇଲେ ସୁରସାଇଂ ।୩୬୦।

ଯୁଝେଷ୍ଠି ଦେବ ପାଦତଳେ ଅର୍ଜୁନ ପରିଣାମି

ୟେଥକଇଂ ଭ୍ରାନ୍ତି ତୁମ୍ଭେ ନ କର ଦେବସ୍ୱାମୀ ।୩୬୧।

ଅର୍ଜୁନ ବଚନେ ସେ ହୋଇଲେ ପରମ ଶାନ୍ତି

ସାନନ୍ଦ ଭଜିଣ ଦେବ ହୋଇଲେ ତ୍ରିପୁତି ।୩୬୨।

ନକୁଳ ବଦନ ଚାହିଂ ବୋଇଲେ ଭାଇଗୋଟି ।୩୬୩।

ବାବୁ ୟେ ମହାଘୋର ଅରଣ୍ୟରେ ତୋତେ ହଂସୁଲୀ ସୁପାତି

ଶତେପଳ ଚନ୍ଦନରେ ଲେପୁଥାଉଂ ନିତି ।୩୬୪।

ବାବୁ ବିଦ୍ୟାଧର ପରାୟେ ସୁକୁମାର ତୋର କାୟେ

ମୋ ତହୁଂ ବ୍ୟତ୍ରେକେ ଆନକୁ କହି ନୁଆରୁ କଥାୟେ ।୩୬୫।

ଶୁଦ୍ଧ ସୁବର୍ଣ୍ଣ କୁଂକୁମ ଜାଣି ଶୋଭିତ ତୋର ବର୍ଣ୍ଣ

ଅଗ୍ୟାଂତବାସେ ବାବୁ ବଞ୍ଚିବୁ କେହି ଦିନ ।୩୬୬।

ବାବୁ କୋହୁଣି ବିଦ୍ୟାରେ ତୁ ନୋହୁସିରେ କୁଶଳ

କେବଣ ମତେ ଦିନ ବଞ୍ଚିବୁରେ ନକୁଳ ।୩୬୭।

ବାବୁ ତୋହୋର କଥାକୁ ମୋହୋର ବଡ଼ ଚିନ୍ତା

ମୋହୋର ଅଜିଲା କର୍ମ ଭୁଞ୍ଜୁଛ ରେ ଚାରିଭ୍ରାଥା ।୩୬୮।

ନକୁଳ ବୋଇଲା ଦେବ ତୁମ୍ଭରେ ମୁହିଂ ସୁଖୀ

ଲଲାଟ ଲେଖନ ଦେବ କାହାର ବେଳେ ହୋଇବ ଉପେଖି ।୩୬୯।

ସଦା ସମ୍ପଦେ ପ୍ରାଣୀଂକର ନ ଯାଇଟି ଦିନ

ସଦା ବିପତ୍ତି ଯେ କେବେ ନୋହୋଇ ଲେଖନ ।୩୭୦।

ରାତ୍ର ଦିବସ ଯେହ୍ନେ ହୋଅଇ ତେସନ ସମ୍ପତ୍ତି ବିପତ୍ତି ଜାଣ

କାହାର ବେଳେ ଦେବ ହୋଇବ ସେ ଆନ ।୩୭୧।

ମୋହୋର କଥାକୁ ଦେବେ କିଛିହିଂ ନ ଭାଳ

ଗ୍ରନ୍ଥିକାର ନାମେ ମୁଂ ଯେ ହୋଇବି ବାଜୀପାଳ ।୩୭୨।

ଯୁଝେଷ୍ଠି ପୁଚ୍ଛାକଲେ ଗ୍ରନ୍ଥିକାର ବାଜୀପାଳ କାହାକୁ ଯେ ବୋଲି

ୟେ କେମନ୍ତ ଚରିତଟି ମୁଂ ବୁଝିତ ନୁଆରିଲି ।୩୭୩।

ନକୁଳ ବୋଇଲା ମୁଂ ପାଗଡ଼ା ବାରୁଆଳ ହୋଇବି

ବିରାଟ ନୃପତିକଇଂ ଅଶ୍ୱ ଲାଗ କରାଇବି ।୩୭୪।

ସ୍ୱାମୀ ମୋହାର ହାଥରେ ଯେବଣ ଅଶ୍ୱ ସାଜି

ଆକାଶ କ୍ଷେପି ପାରନ୍ତି ସେ ହୁଅନ୍ତି ମହାତେଜି ।୩୭୫।

ଯୁଝେଷ୍ଠି ଦେବେ ବୋଇଲେ ଆମ୍ଭର ଦେଖିଲା ଶୁଣିଲା ନାହିଂ ପୂର୍ବେ

ଅଶ୍ୱ ଲକ୍ଷଣ ବିଦ୍ୟା ଜାଣିଲୁ କେମନ୍ତ ତୁ ୟେବେ ।୩୭୬।

ନକୁଳ ବୋଇଲେ ଦେବ ଶୁଣିମା ସାବଧାନ

ଜୟନ୍ତି ନାମେ ସତ୍ୟଯୁଗ ବିଦ୍ୟମାନେ ।୩୭୭।

ସ୍ୱାମୀ ତୁଳମାସ ଆଦିତ୍ୟ ବିଷ୍ଣୁ ଯେ ପ୍ରଭବ

ବିଛାମାସେ ଅନନ୍ତ ନାମ ଯେ ସମ୍ଭବ ।୩୭୮।

ଦିବାକର ଆଦିତ୍ୟ ଯେ ହୋୟେ ଧନୁମାସେ

ସହସ୍ରେ କିରଣ ତେଜ ଯେ ପରକାଶେ ।୩୭୯।

ମକର ମାସେ ଆଦିତ୍ୟ ଅରୁଣ ନାମେ ବିଦିତ

ନାରାୟଣ ମୃତ୍ତି ଉଦେ କୁମ୍ଭମାସେ ପ୍ରକାଶିତ ।୩୮୦।

ଭାସ୍କର ନାମେଣ ଆଦିତ୍ୟ ମୀନମାସେ ପ୍ରକାଶଇ

ଅନନ୍ତ ମୃତ୍ତି ଦେବ ତେଜ ଅଦୃଶ୍ୟ ଯେ ହୋଇ ।୩୮୧।

ମେଷମାସେ ଆଦିତ୍ୟ ଯେ ହୁଅଇ ଉଦିତି

ନିଦାଘ ଆଦିତ୍ୟ ଜ୍ୟେଷ୍ଠମାସେ ତେଜମୃତ୍ତି ।୩୮୨।

ମିଥୁନ ମାସେ ଉଦିତ ତପନ ନାମେଣ ସୂର୍ଯ୍ୟ

କକଡ଼ା ମାସେ ଜଳଧର ନାମେ ତେଜ ।୩୮୩।

ବନାନଳ ଆଦିତ୍ୟ ସିଂହମାସେ ଉଦେ

ମାର୍ତ୍ତଣ୍ଡ ନାମେ ଆଦିତ୍ୟ କନ୍ୟାମାସେ ଉଦେ ହାଦେ ।୩୮୪।

ଦ୍ୱାଦଶ ମାସେ ୟେ ଯେ ଦ୍ୱାଦଶ ଆଦିତ୍ୟ

ନକୁଳ କହଇ ଯେ ଯୁଝେଷ୍ଠିଂକ ଅଗ୍ରତ ।୩୮୫।

ସ୍ୱାମୀ ଦକ୍ଷର ନନ୍ଦିନୀ ଯେ ସଂଗ୍ୟାଂ ମହାସତୀ

ବିରଞ୍ଚିନାରାୟଣଂକର ସେ ଅଟେ ପ୍ରିୟବତୀ ।୩୮୬।

କୋଟିୟେ କିରଣ ଯେ ବିରଞ୍ଚି ନାରାୟଣ ମୃତ୍ତି

ସଂଗ୍ୟାଂ ସହି ନୁଆରିଲା ପ୍ରଖର ମହାଜ୍ୟୋତି ।୩୮୭।

ସ୍ୱାମୀ ରୂପଜ୍ୟୋତି ଦେଖି ସେ ସଂଗ୍ୟାଂ ଅପୂର୍ଣ୍ଣା

ଶରୀରୁ ଜାତ କଲେ ଛାୟାନାମେ ବରାଙ୍ଗନା ।୩୮୮।

ସ୍ୱାମୀର ପ୍ରକୃତିମାନ ସମସ୍ତ ତାକୁ କହି

ସ୍ତମ୍ଭନମୋହନ ବଶ ଉଚ୍ଚାଟନ ଗୁଟିକା ଅଞ୍ଜନ ତାକୁ ସମସ୍ତ ଶିଖାଇ ।୩୮୯।

ମୁହିଂ ଗୋପ୍ୟାନ ହେଉଛି ମେରୁକ୍ରୋଟ

ଆରାଧନା ଭଗତି କରି ତୁହି ବିରଞ୍ଚି ନାରାୟଣକଇଂ ଖଟ ।୩୯୦।

ଛାୟାକୁ ସମର୍ପିଣ ତହୁଂ ସଂଗ୍ୟାଂ ଗଲା ଗୋପ୍ୟେ

ମେରୁକ୍ରୋଟେ ପଶିଲା ସେ ହୋଇଣ ଅଶ୍ୱରୂପେ ।୩୯୧।

ଛାୟା ଖଟିଲା ଯେ ନାରାୟଣ ବିରଞ୍ଚି

ସଂଗ୍ୟାହୁଂ ଅଧିକ ଗୁଣେ ଭଗତି ସେହୁ ସଞ୍ଚି ।୩୯୨।

ୟେ ବିଧିରେ ସତ୍ୟ ତ୍ରେତା ଦ୍ୱାପର ଯେ କଳି

ୟେକସ୍ତରୀ ଗଣ୍ଡା ଯୁଗ ଖଟିଲା ଅଂଶୁମାଳୀ ।୩୯୩।

ଅନେକ ପ୍ରୀତି ଭାବେ ଖଟଇ ରମଣୀ

ବିରଞ୍ଚି ନାରାୟଣ ତାହା ନୁଆରିଲେ ଜାଣି ।୩୯୪।

ମନୁସାନନ୍ଦ ବୋଲିଣ ୟେକଇ ସଂବତ୍ସରେ

କୁଣ୍ଡଳ ନାମେଣ କାଳ ଅବଦ ଭୋଗ କରେ ।୩୯୫।

କୃତାନ୍ତକ ବୋଲିକରି ୟେକଇ କନ୍ୟାମାସେ

କୃଷ୍ଣପକ୍ଷ ୟେକାଦଶୀ ସଂକ୍ରାନ୍ତି ଦିବସେ ।୩୯୬।

ଉତ୍ତମ ବାର ସେଦିନ ଯେ ମଘାସିଂହ ରାଶି

ବାଳବ ନାମେ କରଣ ଯୋଗ ଯେ ହରଷି ।୩୯୭।

ସେହିଦିନ କୃତାନ୍ତକ ଛାୟା ସଙ୍ଗେ କଳି

ଅନେକ ଭ୍ରଚ୍ଛନା କରିଣ ଛାୟା ଦିଲେ ଗାଳି ।୩୯୮।

ସହି ନୁଆରି ସେ କୋପ କଲେକ ଯମ

ଛାୟାର ଉପରେ ପାଦ ପ୍ରହାର କଲା ତମ ।୩୯୯।

କୋପେଣ ଛାୟା ଯେ ଶାପ୍ୟଦିଲେ ହେଳୁଂ

ଯାଆରେ ଯମ ତୋର ବାମ ଚରଣ ଅକ୍ଷୋଭ ହୋଇ ଗଳୁ ।୪୦୦।

ଅଥବା ଯେବେ ମୁହିଂ ଅଟଇ ତୋର ମାୟେ

ଗଳୁତ କୋଷ୍ଠ ବ୍ୟାଧି ହେଉ ପ୍ରହାର କଲୁ ଯେବଣ ପାୟେ ।୪୦୧।

ୟେହେନ୍ନେକ ଶାପ୍ୟ ବିହିଲେ ଛାୟା ମହାମାୟେ

ଗଳୁତ କୋଷ୍ଠ ବ୍ୟାଧି ହୋଇଲା ଯମ ଦେବତାଂକର ପାୟେ ।୪୦୨।

ନିତ୍ୟ କର୍ମ ବିଧି ଯେ ସୟଳ ଜନ ଚିନ୍ତା

ଆପଣା ଭୁବନେ ଆସି ବିଜେ କରଇ ସବିତା ।୪୦୩।

ଦେଖିଲେ ଯମର ଚରଣେ ଗଳୁତ କୁଷ୍ଠ

ବାବୁ କାହାର ଶାପ୍ୟରେ ତୋହୋର ଶରୀରେ ହୋଇଲା ୟେତେ କଷ୍ଟ ।୪୦୪।

କ୍ରୋଧେ ଗଦ ଗଦ ହୋଇଣ ଯେ ନାଶକର ବୋଇଲା

ମାତାର ଶାପେ ମୋତେ ୟେତେ କଷ୍ଟହେଲା ।୪୦୫।

ପୁତ୍ରର ବାକ୍ୟ ଶୁଣି ବିସରିଲେ ଅଂଶୁମାଳୀ

ପୁତ୍ରକୁ ବାଧଇ ନିକି ମାତାଂକର ଗାଳି ।୪୦୬।

ସବ୍ୟେ ଅସବ୍ୟେ ପୁତ୍ରେ ମାତାକୁ କରିବେ ଦୋଷ

ମାତାୟେ ରାଗେ ପୁତ୍ରଂକୁ ଶାପ୍ୟ ଦିଅନ୍ତି ଅବଶ୍ୟ ।୪୦୭।

ୟେମନ୍ତ ହୋଇ ମାତାଂକର ଶାପ ପଡ଼ିଲେ

ବଂଶ ରହିବ କି ବିରଞ୍ଚି ନାରାୟଣ ବୋଇଲେ ।୪୦୮।

ନିଚୟେ ଆମ୍ଭର ଏ ନୋହଇ ବଲ୍ଲଭୀ

ମାୟା କରିଣ ସେ ଆମ୍ଭନ୍ତ ଅଛି ସେବି ।୪୦୯।

ଧ୍ୟାନେଣ ଜାଣିଲେ ତାହା ଗଗନ ବିହାରୀ

ବିଚାରି ଜାଣିଲେ ୟେ ପୁତ୍ରଂକର ନୋହେ ଗର୍ଭଧାରୀ ।୪୧୦।

ତେଜ ସହି ନୁଆରି ସଂଗ୍ୟାଂ ଆମ୍ଭନ୍ତ କଲାକ ହାଦେ ମାୟା

ଧ୍ୟାନେ ଜାଣିଲେ ସେ ଯେ ଅଟଇ ଦେବୀ ଛାୟା ।୪୧୧।

ସଂଗ୍ୟାଂର ଗୋପ୍ୟ ସେ ଜାଣିଲେକ ଦେବ ହୃଦେ

ଛାୟାକୁ ପ୍ରସନ୍ନ ବୋଇଲେ ଦେବ ପରମ ସାନନ୍ଦେ ।୪୧୨।

ୟେତେକାଳ ପ୍ରକୃତି ଜାଣି ଖଟିଲୁ ଯେ ତୁହି

ସଂଗ୍ୟାଂ ଦେବୀର ବଲ୍ଲଭ ଯେ ଅଟଇ ହାଦେ ମୁହିଂ ।୪୧୩।

ସଂଗ୍ୟାଂକଇଂ ଲୋଡ଼ିବାରେ ଗଲେକ ବିରଞ୍ଚି

ସୁସଞ୍ଚ ତୁରଙ୍ଗମ ହୋଇଲେ ଦେବ ସଞ୍ଚି ।୪୧୪।

ହ୍ରେସାରାବ କରିଣ କଲେକ ଶବଦେ

ଅନନ୍ତ କୋଟି ବ୍ରହ୍ମାଣ୍ଡ କମ୍ପିଲା ରଡ଼ିନାଦେ ।୪୧୫।

ଯେସନେକେ ଅଶ୍ୱଜାତି ତେସନେକେ ପ୍ରକୃତି

ସଂଗ୍ୟାଂହି ହସିଲେ ବିରହ ଭାବମତି ।୪୧୬।

ଶବଦକୁ ଗୋଡ଼ାଇ ଦେବ ପଶିଲେ ମେରୁକ୍ରୋଟେ

ମାଡ଼ି ବସିଲେ ଦେବ ସଂଗ୍ୟାଂଦେବୀର ପୃଷ୍ଠେ ।୪୧୭।

ୟେକରାତି ହୋଇଲା ବତିଶ ଦିନ ପରିଯନ୍ତେ

କେହି କାହାକୁ ଓଛ ନୁହନ୍ତି ଯୁଗତେ ।୪୧୮।

ଗର୍ଭରେ ଛାଡ଼ିଲେ ଦେବ ଅମୋହ ବିନ୍ଦୁରେତ

ବୀର୍ଯ୍ୟ ପଡ଼ନ୍ତେ ଗର୍ଭରୁ ପୁତ୍ରେକ ହୋଇଲେ ସମ୍ଭୂତ ।୪୧୯।

ସେ ବିନ୍ଦୁରୁ ଜାତ ହୋଇଲେ ଅଶ୍ୱିନୀକୁମାର

ଅଶ୍ୱର ମୁଖଗୋଟି ଯେ ମାନବ ଶରୀର ।୪୨୦।

ପୁତ୍ରର ବିକ୍ରମ ରୂପ ଦେଖିଣ ଅଂଶୁମାଳୀ

ଅତିହିଂ ଆନନ୍ଦେ ପୁଣ ସଂଗ୍ୟାଂର ପାଶେ ମିଳି ।୪୨୧।

ପୁତ୍ରଜନ୍ମ ହେବାରୁ ରହି ନୁଆରିଲା ଯେତେ ରେତ

ଅସମ୍ଭାଳ ହୋଇଣ ସେ ପଡ଼ିଲା ପୃଥୀଗତ ।୪୨୨।

ତହିଂରୁ ପୁଣ ପୁତ୍ରେକ ହୋଇଲାକ ଜାତ

ଅଯୋନି ସମ୍ଭୂତ ସେ ନାମଗୋଟି ରେହନ୍ତ ।୪୨୩।

ରେହନ୍ତଂକର ଅଶ୍ୱକାୟେ ଦିଗପାଳ ଶିର ଗୋଟି

ଆକାଶ ପୁରୁଷ ହୃଦଗତେ ଅଜପା ଲୟେ ଘୋଟି ।୪୨୪।

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଗୁଟିକା ଅଞ୍ଜନ

ଉଲୁକ କୁହୁକ ବିଦ୍ୟା ଯଜିନ ଯାଜନ ।୪୨୫।

ଧରଣ ଧାରଣ ପର୍ବତ ରସାୟନ ମଉଷଧି

ଅବ୍ୟୟ ପୁରୁଷ ସେ ସ୍ୱୟଂ ସମସ୍ତ ମନ୍ତ୍ର ସାଧି ।୪୨୬।

ସ୍ୱାମୀ ପଣ୍ଡୁଂକର ଅବସ୍ଥାନେ ମାଦ୍ରୀ ମୋତେ ଘେନି କୋଳାଗ୍ରତେ

ଅନନ୍ତ ବଇତରଣୀ କୂଳେ ଯେ ଭେଟିଲେ ରେହନ୍ତେ ।୪୨୭।

ସ୍ୱାମୀ ଅଶ୍ୱ ଲକ୍ଷଣ ଯେ ସମସ୍ତ ମଉଷଧି

ରେହନ୍ତ ସାରଥି ମୋତେ କହିଲେ ସର୍ବବୁଦ୍ଧି ।୪୨୮।

ସେ ପରମ ପୁରୁଷ ମୋତେ ଧରିଣ କୋଳାଗ୍ରତେ

ପଞ୍ଚବିଂଶ ମନ୍ତ୍ର ମୋତେ କହିଲେ ରେହନ୍ତେ ।୪୨୯।

ଅଗି ଅରୁକତ ତପନ ସିଦ୍ଧଗୁଣ୍ଡି

ରୁଜିସମ ଧନଧର୍ମ ଆବର ମନ୍ତ୍ରଗୁଣ୍ଡି ।୪୩୦।

ସ୍ୱାମୀ ୟେତେକ ବିଦ୍ୟା ଯେବେ ସାଧି ପାରଇ ସଦ୍ଧ

ବ୍ୟାଧି ନ ପୀଡ଼ଇ ମୃତୁ ନୋହୋଇ ଅଶ୍ୱ ଯେ ନୋହନ୍ତି ବୃଦ୍ଧ ।୪୩୧।

ଅବଧାନୀ ବୋଲିଣ ଯେ ୟେକ ମନ୍ତ୍ର ଗୋଟିୟେ

ତାହା ପଢି ସାଜିଲେ ଆକାଶେ କ୍ଷେପନ୍ତି ହୟେ ।୪୩୨।

ଅରୁଣ ମନ୍ତ୍ର ବଳି କର୍ମଣ ମନ୍ତ୍ର ବେନି

ଅଶ୍ୱ ରଣେ ସାଜି ଜିଣନ୍ତି ଯେ ପାରନ୍ତି ଚିହ୍ନି ।୪୩୩।

ସାମ ତିତ କଙ୍ଗ ନାମେ ଅଛଇ ତିନି ମନ୍ତ୍ରେ

ଅକାଟ ଅପୁଟ ୟେ ଉଲୂକଣ ହୟେ ଯେତେ ।୪୩୪।

ଶୁଣ ଦେବ ମହାରାଜା ବୋଧିତ ଗ୍ୟାଂନଗୁରୁ

ବନର ଅଶ୍ୱେ ଆସି ଖଟିବେ ମୋହୋର ମନ୍ତ୍ର ପଡୁ ।୪୩୫।

ପଳିତ ଗଳିତ ଅଶ୍ୱ ମୋହୋରେ ତେଜମୟେ

ଥାଠ ନ ଜିଣିଲେ ଦେବ ନୁଆସନ୍ତି ମୋର ହୟେ ।୪୩୬।

ମନ୍ଦାଅର୍କ ବୋଲିଣ ଅଛଇ ବେଦମନ୍ତ୍ର ସଂଗ୍ୟାଂ

ୟେହା ଉଦ୍ଦେଶ୍ୟ କରନ୍ତେ ସବୁନ୍ତି ଅଟଇ ଆଗ୍ୟାଂ ।୪୩୭।

ନକୁଳ କହନ୍ତେ ଥମ୍ବୀଭୂତ ଧର୍ମସୁତେ

ବିପତ୍ତି କାଳକୁ ଧାତା ସଞ୍ଚି ଅଛଇ ନିୟତେ ।୪୩୮।

ଯୁଝେଷ୍ଠି ବୋଇଲେ ବାବୁ ଶୁଣସିରେ ବତ୍ସ

ଅଶ୍ୱ ଗୋଟିୟେ ଡାକନି ରେ ଦେଖିବା ପ୍ରତକ୍ଷ ।୪୩୯।

ନୋହିଲେ କି ବିରାଟ ରାଜ୍ୟକୁ ତୋତେ ପାରଇକି ନେଇ

ଜଣେକ ଉଦିତ ହୋଇଲେ ଜାଣିମେ ସବୁଂକୁହିଂ ।୪୪୦।

ନକୁଳ ଚାହିଂଲା ଅଶ୍ୱ ଅଂଜନକଇ ଘେନି

ଦେଖିଲା ଅଶ୍ୱଜାତ ବନ ଯୋଜନ ଶତ ତିନି ।୪୪୧।

ନକୁଳ ବୋଇଲା ସ୍ୱାମୀ ଶୁଣିମା ସାବଧାନେ

ବାରସ ପର୍ବତ ଦେବ ତିନିଶତ ଯୋଜନେ ।୪୪୨।

ତହିଂ ଅଶ୍ୱମାନଂକର ଜନମଥାନ ଭୂମି

କଳା ପାଟଳ ହରିତ ଶ୍ୱେତ କୁଂକୁମ ଶ୍ୟାମରୂପ ସ୍ୱାମୀ ।୪୪୩।

କେମନ୍ତ ଅଶ୍ୱ ଗୋଟିୟେ ଆସିବ ଦେବ କତି

ଶ୍ୱେତ ଅଶ୍ୱ ଗୋଟିୟେ ଆସୁ ଦଧିମଙ୍ଗଳ ସୁଗତି ।୪୪୪।

ଅଶ୍ୱ ଆଗମ ମନ୍ତ୍ରେ ବାମାବର୍ତ୍ତେକ ପଢିଲା କୁମାର

ଅଦଭୂତେ ଅଶ୍ୱେକ ଆସି ମିଳିଲା ଛାମୁର ।୪୪୫।

ଧର୍ମଂକର ନନ୍ଦନ ତାହା ଦେଖିଣ ଆଶ୍ରିଜ

ବାବୁ ତୋହୋର ପ୍ରସନ୍ନେ ପ୍ରାପତ ହୋଇବ ମୋତେ ରାଜ୍ୟ ।୪୪୬।

ବାବୁ ଅଶ୍ୱଂକର ପ୍ରସନ୍ନେ ଶତ୍ରୁକୁ ହୋୟେ ଜିଣି

ୟେବେ ସେ ଉଦିତ ମୋତେ ହୋଇଲା ଦଣ୍ଡ ପାଣି ।୪୪୭।

ଆବର କଉରୋବଂକୁ କିସ ମୋର ଭୟେ

ବେଗକରି ଅଗ୍ୟାଂତବାସ ସାରିବା ଛଡ଼ଜଣେହେ ।୪୪୮।

ସହଦେବର ବଦନ ଯେ ଚାହିଂଲେ ଧର୍ମସୁତେ

ତୁହି ସେ ସର୍ବଗ୍ୟଂ ବାବୁ କିସ କହିବାକ ତୋତେ ।୪୪୯।

ଆମ୍ଭ ସବୁଂକୁହିଂ ବାବୁରେ ତୁହି ସେ ବୁଦ୍ଧିଦାତା

ଶୁଣିତେ ଇଚ୍ଛା ମୋର ତୁ କେବଣ ଗୁଣେ ଜିତା ।୪୫୦।

ସହଦେବ ବୋଇଲା ଦେବ ଶୁଣ ଧର୍ମରାୟେ

ଗୋପ୍ୟାନ ହେବାକୁ ମୋର ଅଛଇ ଉପାୟେ ।୪୫୧।

କହ ବୋଲି ବୋଲନ୍ତି ସେ ଧର୍ମର ନନ୍ଦନ

କରପତ୍ର ଯୋଡ଼ିଣ କହେ ମାଦ୍ରୀର ନନ୍ଦନ ।୪୫୨।

ଶୁଣ ଦେବ କଉଶିକ ଋଷିଂକର ଗୋତ୍ରେ

ସାମନୁ ମହଋଷି ବୋଲି ତାହାଂକର ପୁତ୍ରେ ।୪୫୩।

ସାମନୁଂକର ପୁତ୍ର ଯେ ଅଭୟେମନୁ ବୋଲି

କୃତାଶ୍ୱ ମହଋଷି ତାହାର ପୁତ୍ର ଯେ କହିଲି ।୪୫୪।

କୃତାଶ୍ୱର ନନ୍ଦନ ଯେ ଅଜମୀଢ ମହରିଷି

ବୃନ୍ଦାଅର୍କ ବୋଲିକରି ୟେହାଂକର ଶିଷି ।୪୫୫।

ବୃନ୍ଦାଅର୍କର ନନ୍ଦନ ମନୁମନ ସିଦ୍ଧି

ୟେହାଂକର ନନ୍ଦନ ହୋଇଲେ ଜମ୍ଭୁଭେଦୀ ।୪୫୬।

ଜମ୍ଭୁଭେଦୀର ନନ୍ଦନ ଯଦୁ ନାମେ ମହଋଷି

ୟେଥକୁ ସେ ଯଦୁବଂଶ ହୋଇଲା ବିକାଶି ।୪୫୭।

ଯଦୁର ନନ୍ଦନ ଯେ ହୋଇଲା ସୁରଥ

ୟେହାଂକର ନନ୍ଦନ ଯେ ହୋଇଲେ ମନୁରଥ ।୪୫୮।

ମନୁରଥର ନନ୍ଦନ ହୋଇଲା ଶୂନ୍ୟଋଷି

ବଇଷ୍ଣବ ବୋଲିକରି ୟେହାଂକର ଶିଷି ।୪୫୯।

ବଇଷ୍ଣବ ଋଷିଂକର ନନ୍ଦନ ଯେ ଅଟଇ ଅରୁଣତେଜ

ୟେହାଂକର ନନ୍ଦନ ଯେ ଅନନ୍ତ ମନସିଜ ।୪୬୦।

ଅନନ୍ତର ନନ୍ଦନ ଯେ ହୋଇଲା ସୁରଦେବ

ସୁରଦେବର ନନ୍ଦନ ଯେ ହୋଇଲା ସୁଦେବ

ସୁଦେବର ନନ୍ଦନ ଯେ ହୋଇଲା ବସୁଦେବ ।୪୬୧।

ବସୁଦେବର ଭାରିଜା ଅଟଇ ଦେବକୀ

କଂସର ଭୟେଣୀ ସେ ସୁପୁତ୍ର ଜାତକୀ ।୪୬୨।

ସ୍ୱାମୀ ଦିନେକ ନାରଦଂକୁ ଯେ ପୁଚ୍ଛାକଲା ରାୟେ କଂସ

ଭୂତ ଭବିଷ୍ୟ ଗ୍ୟାଂତା ମୁନିହେ ମୃତୁ ମୋତେ କିସ ।୪୬୩।

ନାରଦ କହିଲେ ଯେ ଶାହାସ୍ର ସଙ୍ଗତେ

ତୋହୋର ମୃତୁ ହେବ ହାଦେ ଭଣଜାର ହାଥେ ।୪୬୪।

ନାରଦେ କହିଲେ ଯହୁଂ ମୃତୁଅର୍ଥ ବାଣୀ

ପାମର କଂସାସୁର ୟେହା ନୁଆରିଲା ଜାଣି ।୪୬୫।

ୟେକା ଦେବକୀକି ଯଦି ମାରି ପକାଇଥାନ୍ତା

ଭଗ୍ନୀ ନାଶଗଲେ ଭଣଜା କାହୁଂ ଉପୁଜନ୍ତା ।୪୬୬।

ଗର୍ଭବାସ କାଳେ ଭଗ୍ନୀକି ରକ୍ଷା କରୁଥାଇ

ବାଳୁତ ପୁତ୍ର ଗୋଟିକି ସେ ଆପଣେ କଚାଡଇ ।୪୬୭।

ଛଡ଼ପୁତ୍ର ମାଇଲାନି ୟେହିମତେ ପାଷାଣେ କଚାଡି

ସପତମ ଗର୍ଭେ ଯେ ବଳରାମେ ଅବତରି ।୪୬୮।

ଦେବକୀ ଗର୍ଭରୁ ଦେବ ଉଭାଇଣ ଯାଇଂ

ରୋହିଣୀ ଗର୍ଭୁଂ ଦେବ ଜନ୍ମିଲେ ହଳସାଇଂ ।୪୬୯।

ଅଷ୍ଟମ ଗର୍ଭେ ଯେ ଦେବକୀ ଉଦରେ

ଜନ୍ମିଲେ ପ୍ରଭୁ ଯେ ଦେବ ଚକ୍ରଧରେ ।୪୭୦।

ସ୍ୱାମୀ ସିଂହମାସ କୃଷ୍ଣପକ୍ଷ ଅଷ୍ଟମୀ ଚନ୍ଦ୍ରବାର

କୃତ୍ତିକା ଅନ୍ତରେ ରୋହିଣୀ ପ୍ରବେଶ ରାତ୍ର ଯେ ଅର୍ଦ୍ଧର ।୪୭୧।

କଂସର ଆଗ୍ୟାଂୟେ ଜଗିଛନ୍ତି ଯେ ଅନେକ ପାହାରି

ନିଆଳ ପିନ୍ଧାଇଛନ୍ତି ଦେବକୀକି ଯତ୍ନକରି ।୪୭୨।

ସେଦିନ ନିଶିଅର୍ଧେ ହେଲେ ହରି ଜାୟେ

ବାସୁଦେବଂକ ମାୟାରେ କରି ସବୁରି ଅଚେବନ କାୟେ ।୪୭୩।

ବାସୁଦେବଂକୁ ଘେନିଣ ବସୁଦେବ ଯେ ବାହାର

ଧାତିକାରେ ଭେଟିଲା ସେ ଉଗ୍ରସେନ ବୀର ।୪୭୪।

ଉଗ୍ରସେନକଇଂ ଦ୍ରଶନ କରାଇଲେ ହରି

ପାଟେ ରାଜା କରିବେ ବୋଲି ବାନ୍ଧିଦିଲେ ଶାଢୀ ।୪୭୫।

ୟେ କଥାକୁ ନୁଜାଣଇ ବାସୁଦେବ ଛାର

ଧାତିକାରେ ପ୍ରବେଶିଲା ଯମୁନା ନଦୀତୀର ।୪୭୬।

ସେ ଯମୁନା ବଢି ଅଛି ବେନିକୂଳ ମାଡ଼ି

କେଶବ ମାୟାରେ ସେ ଜଳ ଗଲା ଛାଡ଼ି ।୪୭୭।

ବାମ ଡାହାଣେ ସେ ବେନି ତାଳ ଉଚ୍ଚ

ବାସୁଦେବଙ୍କ ଗମନେ ବାଟ ହେଲା ୟେକ ସଞ୍ଚ ।୪୭୮।

ବାମ ଡାହାଣରେ ସେ ଅନେକ ତାଳ ରଞ୍ଚି

ସମସ୍ତ ଦେବଂକର ଗମନ ବାଟ ହୋଇଅଛି ।୪୭୯।

କୃଷ୍ଣଙ୍କୁ ଜନ୍ମ କରାଇ ଇନ୍ଦ୍ରାଦି ଦେବଗଣ

ମଥୁରାରୁ ଗୋପକୁ ସେ କରନ୍ତି ପୟାଣ ।୪୮୦।

ତେଣୁକରି ଯମୁନା ନଦୀ ଥୋଇଅଛି ଥଳ

ବେନିପାଖେ ରହିଅଛି ବହୁତ ଯେ ଜଳ ।୪୮୧।

ସୁଖେଣ ବାସୁଦେବ ନଦୀ ହୋଇଲେକ ପାରି

ଗୋପପୁରେ ପ୍ରବେଶ ଯେ ରାତ୍ର ଦଶଘଡ଼ି ।୪୮୨।

ଯେବଣ ଦିନ ଶ୍ରୀକୃଷ୍ଣ ଗର୍ଭରେ ସଞ୍ଚରିଲେ

ସେହିଦିନ ଯଶୋବନ୍ତୀ ଗର୍ଭବାସ ହେଲେ ।୪୮୩।

ଆଦି ଅନ୍ନପୂର୍ଣ୍ଣା ଯେ ରହିଲା ତାର ଗର୍ଭେ

ବିଚାରିଣ ଭିଆଣ କଲେକ ସର୍ବଦେବେ ।୪୮୪।

ନନ୍ଦର ଘରଣୀ ଯେ ଦେବୀ ଯଶୋବନ୍ତୀ

ତାହାର ଦୋହିତାୟେ ଯେ ଜନ୍ମିଛି ସେହି ରାତି ।୪୮୫।

ପୁତ୍ରକଇଂ ଦେଇଣ ସେ ଆଣିଲା ଦୋହିତ

କୁମାରୀକି ଦେଲେ ନେଇ ଦେବକୀ ଅଗ୍ରତ ।୪୮୬।

ପ୍ରଭାତରେ ଆସିଣ କଂସ ଦେଖିଲାକ ତାହା

ସେ ବିଜୁଳି କନ୍ୟାକୁ କଚାଡ଼ଇ କଂସ ନୃପନାହା ।୪୮୭।

ଅନ୍ତରୀକ୍ଷେ ପିଚିକାଇ ଗଲା ସେ ଅନାଦି ଭଇରୋବୀ

କଂସର ମୃତୁଭେଦ କହିଗଲେ ଶୂନ୍ୟେ ମହାଦେବୀ

କେଶବଂକୁ ଗୋପପୁରେ ଯଶୋବନ୍ତୀ ସେବି ।୪୮୮।

ଶୁଣିଣ ମହାରାଜା ପାଇଲା ମହାଭୀତି

ଗୋପପୁରକୁ ଶାପ ଅଛି ନ ଯିବ ତହିଂ କତି ।୪୮୯।

ଅଷ୍ଟମଲ୍ଲଂକୁ ବିଚାରିଣ ବୋଇଲା ତୁମ୍ଭେ ଯାଅ

ଗୁପତେ ମାରିବ ତୁମେ ନନ୍ଦ ଗଉଡ଼ର ପୁଅ ।୪୯୦।

ଶୁଣି ଅଷ୍ଟମଲ୍ଲଂକ ମଧ୍ୟେ ପୁତନା ଯୁବତୀ

ବୋଇଲା ୟେ ଛାର ବାଳକ ମୁଂ ଆସିବି ନିପାତି ।୪୯୧।

ୟେତେ ବୋଲି ପୁତନା ଯେ ଅଇଲା ଗୋପପୁର

ଦିବ୍ୟରୂପ ଧରିଣ ସେ ପଶିଲା ନନ୍ଦ ଘର ।୪୯୨।

ଦେଖିଲା କୃଷ୍ଣ ଶୋଇଅଛନ୍ତି ଅନ୍ତୁଡ଼ିର ଶାଳେ

ଥନ ନେଇ ସମର୍ପିଲା କୃଷ୍ଣର ବଦନରେ ।୪୯୩।

କ୍ଷୀର ପିବନ୍ତେ ଯେ ହରି ବଧ କଲେକ ପ୍ରୋହିଣୀ

ପାଦେଣ ଭାଞ୍ଜିଲେ ଯେ ଯାମଳା ଅର୍ଜୁନ ବୃକ୍ଷ ବେନି ।୪୯୪।

ପାଦ ପ୍ରହାରନ୍ତେ ଯେ ଭାଞ୍ଜିଲେ ଶକଟା

ବାଳୁତ ଖେଡ଼େ ଥାଇଂ ହରି ବିଦାରିଲେ ତୃଣାବର୍ତ୍ତା ।୪୯୫।

ବତ୍ସା ରଖନ୍ତେଣ ବନେ ବଧକଲେ ଷଣ୍ଢ

ବକାସୁରକୁ ଯେ ଚିରିଲେ ବେନିଖଣ୍ଡ ।୪୯୬।

ଅଘାସୁରକୁ ଯେ ମାଇଲେ ପରଚଣ୍ଡା

ବ୍ରାହ୍ମଣୀ ଅନ୍ନେ ସନ୍ତୋଷ ହେଲେ ବାହୁଡ଼ାଇ ଦିଲେ ପଣ୍ଡା ।୪୯୭।

ଦାବାଗ୍ନି ଭକ୍ଷିଣ ଯେ ଦଳିଲେ ଦେବ କାଳୀ

ଶତେଭାର ପଦ୍ମପୁଷ୍ୟ କଂସକୁ ଦିଲେ ତୋଳି ।୪୯୮।

କାଳିନ୍ଦୀର ତୀରେ ବିଜୟେ କଦମ୍ବ ତରୁତଳେ

ହରଷେ ରମିଲେ ଗୋପ ନାୟେକା କ୍ରୀଡ଼ାରଙ୍ଗ କୁତୂହୋଳେ ।୪୯୯।

ପୁଷ୍ୟେକ ନନ୍ଦିନୀ ଯେ ରାଧିକା ଅପର୍ଣ୍ଣା

ନାରାୟଣେ ଅପ୍ରୀତି ସେ ବଢାଇଲା ବରାଙ୍ଗନା ।୫୦୦।

ସ୍ୱାମୀ ରାଧିକା ନଇଲା ଦୂତିକାର ବୋଲେ ଯହୁଂ

କେଶବ ବିସରିଲେ କଂସକୁ ବଧ କରିବି ମୁଂ ଆବର ଯେ କାହୁଂ ।୫୦୧।

ପୁଷ୍ୟେକ ନନ୍ଦିନୀ ରାଧିକା ଯେବେ ମୋହୋରେ ଅପ୍ରୀତି

ଅଥବା ଆବର ମୋହୋର କିସ ଯେ ଜୀବତି ।୫୦୨।

ବିସରି ବସିଲେ ହରି କଦମ୍ବ ବୃକ୍ଷତଳେ

ଧାତା ବିଜେକଲେ ଆସି ନିଶି ଅର୍ଧକାଳେ ।୫୦୩।

ବ୍ରହ୍ମାୟେ ବୋଇଲେ ହରି କିଂଭୂତେ ନିରାଶ

ମହୀଭରା ଉଶ୍ୱାସେ ତୁ ନିଧନକର କଂସ ।୫୦୪।

ୟେଥେ ତୁ ପଶିବୁ ଯେବେ ରଙ୍ଗ କଉତୁକେ

ଅନେକ ଭୟେ ଯେ କଲେନି ବୃନ୍ଦାଅର୍କେ ।୫୦୫।

ବଦୟନ୍ତି କେଶବ ଯେ ବିରଞ୍ଚିର ଆଗ

ପୁଷ୍ୟକ ନନ୍ଦିନୀ ମୋତେ ନ ଦିଲା ଅଙ୍ଗଭୋଗ ।୫୦୬।

ଅନେକ ଧନରତ୍ନ ଦେଇ ମୁହିଂ ଦୂତୀକି ଦିଲି ପେଷି

ତାହା ଫିଙ୍ଗି ପକାଇଲା କହିଲା ନିରାଶି ।୫୦୭।

ଧାତାୟେ ବୋଇଲେ ହରି ତୁ କୃଷ୍ଣବର୍ଣ୍ଣ କଳା

ତେଣୁ କରି ତୋତେ ନ ଭଜିଲା ପୁଷ୍ୟେକ ଅବଳା ।୫୦୮।

ବାଇଂଶୀ ଗୋଟିୟେକ ଯେ ଦିଲେ ବେଦବର

ଥମ୍ବନ ମୋହନବଂଶ ଉଚ୍ଚାଟନ କୁହୁକ ପଞ୍ଚୁସ୍ୱର ।୫୦୯।

ରାଧିକା ନାମ ଧରି ବେଣୁ ପ୍ରଥମ ସ୍ୱରେ ବଜା

ହୋଇବ ବିରହତା କରିବ ସମସ୍ତ ପରିତ୍ୟେଜା ।୫୧୦।

ଛାଡ଼ିବ ଘର ମୁଂହାସ କୁଟୁମ୍ବ ସର୍ବଜନ

ତୋ ତହୁଂ ବ୍ୟତ୍ରକେ ବଲ୍ଲଭ ନୋହିବ ଆନଜନ ।୫୧୧।

ଆବର କଥାୟେ ତୁ ଶୁଣସି ନନ୍ଦବତ୍ସ

ୟେ ବଇଂଶୀରେ କାମବୀଜ ତୁ ଜପିବୁ ପ୍ରତକ୍ଷ ।୫୧୨।

ତେବେ ସେ ରାଧିକା ଯେ ହୋଇବ ମୋହମାନ

ନିମିଷେ ନ ଛାଡ଼ିବ କହିଲୁ ତୋତେ କାହ୍ନ ।୫୧୩।

ଆରେକ ସ୍ୱରେ ହରି ବାଇଲେ ବାଇଂଶୀ

ଗୋପ କୁମାରମାନେ ଯେ ହୋଇବ ନପୁଂସି ।୫୧୪।

ସବୁରି ଉପସ୍ଥ ଯେ ଲୁଚିବ ତଳମାର୍ଗେ

ଶୃଙ୍ଗାର ଇଚ୍ଛା ନୁଆରିବେ ଗୋପ ସ୍ତିରୀଂକର ସଙ୍ଗେ ।୫୧୫।

ତୃତୀୟ ସ୍ୱରେ ହରି ବାଇଲେକ ବଂଶୀ

ହତ ଗୋଧନ ମାନେ ପ୍ରାପତ ହୋଇବେକ ଆସି ।୫୧୬।

ଅସାଧ୍ୟ ସାଧ୍ୟ ହୋଇବେ ସଙ୍ଗଯିବେ ବନ୍ଧ୍ୟା

ନାନା ରୋଗ ବ୍ୟାଧିମାନେ ଗୋରୁଂକୁ ନ କରିବେ ବାଧା ।୫୧୭।

କରଟୀ ଅକରଟୀ ମଡ଼ିଛି ଅଛନ୍ଦା ଅଦୁହାଂ ଗାଈ

ସୁଖେଣ କ୍ଷୀର ଦେବେ ଯେତେକ ଇଚ୍ଛାହୋଇ ।୫୧୮।

ସ୍ୱାମୀ ଚତୁର୍ଥ ସ୍ୱରେ ବଂଶୀ ଯେ ବାଇଲେ

ଦେବତାୟେ ଦୃଶ ହୋଇବେ ବେଦବ୍ରହ୍ମାୟେ ବୋଇଲେ ।୫୧୯।

ଯହିଂକି ପେଷିବୁ ସେ କରିବେ ତୋର ବାଣୀ

ୟେ ବଇଂଶୀ ଗୋଟି ତୋତେ ପ୍ରାପତ ହୋଇ ଯେ ଚକ୍ରପାଣି ।୫୨୦।

ପଞ୍ଚମସ୍ଵରେ ହରି ଯେବେ ବଇଂଶୀ ବାଇବୁ ଗାଢେ

ଛତ୍ରୀଂକ ହାଥରୁ ଶହସ୍ର ସମରେ ଛିଡ଼ିପଡ଼େ ।୫୨୧।

ରଥ ଗଜ ଅଶ୍ଵ ପାଦାନ୍ତି ଯୋଦ୍ଧା ଆଦିକରି

ସକଳ କ୍ଷତ୍ରୀମାନେ ଭୂମିରେ ଯେ ପଡ଼ିବେ ପ୍ରାଣହାରି ।୫୨୨।

ଜଳଚର ବନଚର ପକ୍ଷୀ ଜନ୍ତୁମାନେ

ସମସ୍ତେ ସନ୍ନିଧ୍ୟେ ଆସିଣ ହୋଇବେ ବିଦ୍ୟମାନେ ।୫୨୩।

ୟେ ମୋହନ ବଂଶୀ ଚୁମ୍ଵନ୍ତେ ବେଳ ଷଷ୍ଠ

ଶତେ ଯନ୍ତ୍ର କିଳଣି ଥିଲେ ଫିଟିବ କପାଟ ।୫୨୪।

ସପତମେ ବଂଶୀ ଧରି ଯେବେ ଚୁମ୍ଵିବୁ ଦେବ ହରି

ଷୋଳ ସହସ୍ର ଗୋପୀ ତୋତେ ଖଟିବେ ପରିଚାରୀ ।୫୨୫।

ବେଣୁ ଦେଇ ଧାତା ଗଲେ ପୁର ଯଶୋବନ୍ତୀ

ଅନ୍ଧକାରେ ଥାଇଂ ବଇଂଶୀ ବଜାଇଲେ ଶିରୀପତି ।୫୨୬।

ନିଶି ଅର୍ଦ୍ଧେ ଯାଇଂ ପ୍ରବେଶ ହୋଇଲେ ଚନ୍ଦ୍ରାବଳୀ

ସୁଖେଣ ଅଙ୍ଗଭୋଗ ତହିଂ କଲେକ ବନମାଳୀ ।୫୨୭।

ସ୍ଵାମୀ ୟେହିମତେ ଷୋଳସହସ୍ର ନାୟେକା

ତେଜିଲେ ନିଜ ବର ହୋଇଲେ ନିଶଂକା ।୫୨୮।

ଅନେକ ରଙ୍ଗରସେ ଦେବ ମୋହିଲେ ଗୋପତିରୀ

ନାଉକା ବିମାନେ ଦେବ କ୍ରୀଡ଼ାରଙ୍ଗ ସାରି ।୫୨୯।

ସ୍ଵାମୀ ଗୋପାଳୁଣୀମାନନ୍ତ ଘେନିଣ ଦେବହରି

କୁମ୍ଭ ଶୁକଳ ଦଶମୀରେ ଫଗୁଯାତ୍ରା କରି ।୫୩୦।

ମୁହିଂ ଯାଇଂ ଭେଟିଲି କାଳିନ୍ଦୀ ନଦୀ ଯେ ବଟତଳେ

ଗୋବିନ୍ଦେ ବିଜେକଲେ ପ୍ରୋଷ୍ଠ ପଦାର ଦୋଳେ ।୫୩୧।

ଦୂରେଣ ନାରାୟଣ ଦୋଳିରେ ଥାଇ ଦେଖି

ଆପଣେ ବିଜେ କଲେ ଯାତ୍ରା ଯେ ଉପେଖି ।୫୩୨।

ଭୁଜେଣ ଭିଡ଼ି ଦେବ ଧଇଲେ ମୋତେ କୋଳେ

ସ୍ରାହାନ କରି ଦେବ ବସିଲୁ ଯାଇଂ ଦୋଳେ ।୫୩୩।

ଯାତ୍ରା ବିଧାନ ଯେ ସାରିଣ ଦେବହରି

ସମସ୍ତ କୁଶଳ ମୋତେ ଗତ ଆଗତ ପଚାରି ।୫୩୪।

ମୁହିଂ ବୋଇଲି ତୋହୋର ରଙ୍ଗଯାତ୍ରା ଖଣ୍ତ

ତୋହୋର ତହିଂକି ମଗଧେଶ୍ଵର ସାଜିଲାକ ଦେବ ଦଣ୍ତ ।୫୩୫।

ତୁ ଯେବେ ବଧ କରିବୁ କଂସ ମହାରାଜା

ହେତି ପ୍ରହେତି ତାର ବେନି ଯେ ଭାରିଜା ।୫୩୬।

ଜରାସନ୍ଧର ୟେ ଦୁହେଂ ଅଟନ୍ତି ନନ୍ଦିନୀ

ବିଧବା ହୋଇ ଛାମୁରେ ତୋର କରିବେ ଅଶୂବାଣୀ ।୫୩୭।

ଦୋହିତାଂକର ବିକଳ ଜରାସନ୍ଧ ଦେଖି

ମଥୁରାକୁ ଦଣ୍ତ ସାଜିବ ମଗଧ ଉପେକ୍ଷି ।୫୩୮।

ତେଇଶି କ୍ଷଉଣୀ ବଳ ଘେନିଣ ଜରାସନ୍ଧ ରାଜା

ସମୟେ ନାରାୟଣ ଗୋପପୁରେ କରିବେ ତେଜ୍ୟା ।୫୩୯।

ସ୍ଵାମୀ ମୋହୋର ବଚନ ଶୁଣିଣ ଜନାର୍ଦ୍ଦନ

ମୋତେ ସମର୍ପିଲେ ଗୋଧନ ପଲମାନ ।୫୪୦।

ତୁ ୟେହାନ୍ତ ଘେନିଣ ଯାଅ ବାରୁଣା ପ୍ରଶସ୍ତେ

ସୁଖେଣ ଗୋଧନ ପଲ ବ୍ରତନ୍ତୁ ବନସ୍ତେ ।୫୪୧।

ଗୋଧନ ସମର୍ପି ଦେବ ଦିଲେ ମୋତେ ବିରହ ବଇଂଶୀ

ୟେଣେ ସେ ଗୋଧନ ପଲ ସାଧ୍ୟ ହୋଅନ୍ତିଟି ଆସି।୫୪୨।

ଗୋଲକ୍ଷ ବିଦ୍ୟାଟି ଯେତେକ ମନ୍ତ୍ରମାନ

ସମସ୍ତ ଶିଖାଇ ମୋତେ ଦିଲେକ ଜନାର୍ଦ୍ଦନ ।୫୪୩।

ମୁହିଂ ଗୋ ଲକ୍ଷଣ ବିଦ୍ୟା ଜାଣଇଂ ସମସ୍ତ

ମୁକୁଇଂ ଶିଖାଇଛନ୍ତି ଦେବ ପଦ୍ମନେତ୍ର ।୫୪୪।

ସ୍ଵାମୀ ନାରାୟଣ ପ୍ରସନ୍ନେ ମୁଂ ଗୋ ଲକ୍ଷଣ ବିଦ୍ୟାୟେଣ ଜିତା

ମତ୍ସଦେଶେ ଗୋଧନ ଦେବ ରଖିବି ଅପ୍ରମିତା ।୫୪୫।

ମୋହୋର ନାମ ଧରନ୍ତେ ଗୋଧନ ତରନ୍ତି

ତନ୍ତ୍ରୀପାଳ ନାମ ବହିବି ଗୋପାଳ ମୂରତି ।୫୪୬।

ସହଦେବର ବଚନେ ସମତୁଲ ଭେଟି

ଶୁଣିଣ ସାନନ୍ଦ ଯେ ହୋଇଲେ ଯୁଝେଷ୍ଠି ।୫୪୭।

ଦ୍ରୋପତୀଂକି ପୂଛାକଲେ ତୁମ୍ଭର କିସ ବୁଦ୍ଧି

ଦ୍ରୋପତୀ ବୋଇଲେ ବ୍ୟାସଂକର ବଚନେ ଥିବି ମୁଂ ସୁଦେଷ୍ଣାଂକୁ ଆରାଧି ।୫୪୮।

ଚତୁସମ ଯୋଗାଇବି ୟେକଯୋଗ କରି

ଅଲେଖ ତିଳେଖ କରାଇବି ସଂକୋଚନର କୁମାରୀ ।୫୪୯।

ଯେମନ୍ତେ ବିରାଟ ନ ଦେଖଇ ନିଜକାୟେ

ଦେଖିଲେ ଇଛା କରିବ ଲଘିଂଲେ ନାଶ ଯାୟେ ।୫୫୦।

ଅଥବା ବିରାଟ ହୋଉ କିବା ଆନଜନ ହୋଉ

ତୁମ୍ଭନ୍ତ ଲଂଘିଲେ ନାଶ ଯିବ ଧର୍ମହିଂ ପଛେ ଯାଉ ।୫୫୧।

ୟେସନେକ ବାକ୍ୟ ଯହୁଂ କହିଲେ ଯୁଝେଷ୍ଠି ନୃପତି

ପାଞ୍ଚାଳୀ ବୋଇଲେ ମୁଂ ଚିତ୍ତବୃତ୍ତି ଥିବିଟି ନିବର୍ତ୍ତି ।୫୫୨।

ତୁମ୍ଭେ ଯେ ଯାହାର ନାମ କରସି ଗୋପନ

ସଇରିନ୍ଧ୍ରୀ ନାମ ମୋହୋର ହୋଇବ ବିଦ୍ୟମାନ ।୫୫୩।

ଯୁଝେଷ୍ଠି ଦେବ ଶୁଣିଣ ପୁଛାକଲେ ତହିଂ ବାଣୀ

ମିଥ୍ୟା କହିଲେଟି ନାଶ ଯାନ୍ତି ପ୍ରାଣୀ ।୫୫୪।

ଦ୍ରୋପତୀ ବୋଇଲେ ଦେବ ନୁହଇଟି ମିଥ୍ୟା

ସଇରନ୍ଧ୍ରୀ ନାମହୁଂ ମୋହୋର ନାହିଂ ଆନ ଦୀକ୍ଷା ।୫୫୫।

ସଇରିନ୍ଦ୍ରୀ ସଦାରାୟେ ସଦାଦିନ ହରି

ତେନ୍ୟାୟୁଂ କରି ସଇରିନ୍ଧ୍ରୀ ନାମ ହୋଇଲା ମୋହୋରି ।୫୫୬।

କାଳ ଅନୁରୂପେ କରିବା ନା ସେବା

ପ୍ରସ୍ତାବ ଅନୁରୂପେ ଯେ ସମସ୍ୟା କରିବା ।୫୫୭।

ପବନ ଅନୁରୂପେ ବାରିଦା ବାରିବା ଅନକୂଳ

ଧର୍ମ ଅନୁରୂପେ ବଞ୍ଚିବା ଦିନକାଳ ।୫୫୮।

ଅନୁରୂପ ସାଧ୍ୟେ ଭାଷିବା ନାହିଂକି ବାଣୀ

ପଣ୍ତିତ ଜନେ ସେ ୟେହା ପରିମାଣି ।୫୫୯।

ଶୁଣିଣ ଧର୍ମନନ୍ଦନ ପରମ ସାନନ୍ଦେ

ସବୁଂକରି ମନଭ୍ରାନ୍ତି ଫିଟିଲାକ ହାଦେ ।୫୬୦।

ଜୟ ତୁ ଜଗୁମୋହନ ଦେହ ଶିରୀବତ୍ସ

ତୋହୋର ପ୍ରସନ୍ନେ ମୋର ସର୍ବସିଦ୍ଧ ବାଞ୍ଚ୍ଥ ।୫୬୧।

ସ୍ଵାମୀ ନ ଗଲି ତୀର୍ଥ ଯେ ନ କଲି ଧର୍ମମାନ

ଶ୍ରବଣେ ଶୁଣିଲି ଯାହା ଦେଖିଲି ନୟନ ।୫୬୨।

ନ ପଢିଲି ଶାହାସ୍ର ମୁଂ ନ ଜାଣିଲି କିଛି

ନୋହିଲି ଭଗତ ମୁହିଂ ଭଗତଜନ ବାଛି ।୫୬୩।

କରୁଣାସାଗର ନାଥ ଅଲେଖନ ଚିତ୍ରପଟି

ହୃଦଗତେ ବିଘଂସୁ ମମ ଶ୍ରୀକୃଷ୍ଣ ନାମ ଗୋଟି ।୫୬୪।

ଶିବ ଶୁକବ୍ରହ୍ମା ଯେଉଂଣ ପାଦେ ବନ୍ଦେ

ସ୍ରିଜିତ ଭାବକର୍ମ ଗୁଣନାଥ ଅନୀତିକି ବାଟ ନଦେ ।୫୬୫।

ବଉଦ ରୂପେ ନାରାୟଣ ସୟଳଜନ ଚିନ୍ତା

ବୁଡ଼ନ୍ତା ସିନ୍ଧୁଜଳୁଂ ତୁହି ସେ ଦେବ ଉଦ୍ଧରନ୍ତା ।୫୬୬।

ମୂର୍ଖ ଅପଣ୍ତିତ ମୁହିଂ ନ ଜାଣଇ କିଛି

ଶୂନ୍ୟ ଶବଦ ବାକ୍ୟେ ତୁହି ସେ ସର୍ବସାକ୍ଷୀ ।୫୬୭।

ବିଷ୍ଣୁର ଆଶ୍ରା ବ୍ୟତ୍ରେକେ ନ ଜାଣଇ ଆନ

ତୁକୁଇଂ ନାଥଂ ମୁଂ ମାଗଇ ତୋର ଜପତପ ଧ୍ୟାନ ।୫୬୮।

ପ୍ରିୟମ୍ଵଦାର ପ୍ରାଣବଲ୍ଲଭ ତୁଳୁସାର ପ୍ରାଣବନ୍ଧୁ

ଶୂଦ୍ରମୁନି ସାରୋଳା ଦାସ ଶ୍ରୀ ପୁରୁଷୋତ୍ତମ ପାଦେ ବନ୍ଦୁ ।୫୬୯।୭୭୬

 

Unknown

ଯୁଧିଷ୍ଠିରଙ୍କର ବାଞ୍ଛାବଟକୁ ସ୍ତବ ଓ ସାହାଡ଼ା ପତ୍ରର ମାହାତ୍ମ୍ୟ

ଶୁଣ ହୋ ଚଇତନ ଶମୀବୃକ୍ଷ ଶିଂଶୁପା ଲତା ତଳେ

କଣୟଭଦ୍ରା ନଦୀର ଉତ୍ତର ଭାଗ କୂଳେ ।୧।

ବିଷ୍ଣୁବାତ ବୋଲିକରି ୟେକଇ ପର୍ବତେ

ତହିଂ ବସି ଆରଣ୍ୟେକ ବାସ କଲେ ସମାପତେ ।୨।

ଧନୁମାସ ଶୁକ୍ଳପକ୍ଷ ଚଉଠିର ଦିନ

ଶତଭିଷା ଋକ୍ଷ ଗୁରୁବାର ଅଟେ ଜାଣ ।୩।

ବବନାମେ କରଣ ବ୍ୟତିପାତ ନାମେ ଯୋଗ

ଧନୁ ସଂକ୍ରାନ୍ତିକି ଉଣେଇଶି ଦିନ ଭୋଗ ।୪।

ଆରଣ୍ୟକ ବନବାସ ଦ୍ଵାଦଶ ବରଷ

ଉଚିତ ପ୍ରମାଣେ ଯାହା କହିଲେ ବେଦବ୍ୟାସ ।୫।

ଶ୍ରୀ ଗଦାଧର ଫଲୁକୀ ପ୍ରସନୁଂ

ବନବାସ ସମାପତ କଲେ ସେହି ଦିନୁ ।୬।

ବାଞ୍ଚ୍ଥା ହୋଉ ହୃଦଗତେ ଶ୍ରୀ ସର୍ବ ମଙ୍ଗଳେ

ଅଗ୍ୟାଂତବାସକୁ ଆମ୍ଭେ କରିବା ଅନକୂଳେ ।୭।

ସହଦେବ ବୋଇଲା ଯେ ଯୁଝେଷ୍ଠି ଚରଣେ ପରିଣାମି

ଧନୁମାସ ଶୁକ୍ଳପକ୍ଷ ଗୁରୁବାର ଦଶମୀ ।୮।

ତଇତିଳ ନାମେ କରଣ ନକ୍ଷତ୍ର ରେବତୀ

ଚନ୍ଦ୍ରଂକର ଶୁଭବେଳା ଅଟେ ଦିବା ରାତି ।୯।

ସ୍ଵାମୀ ପ୍ରାତକାଳେ ଯୋଗ୍ନୀ ଯେ ମହାଲକ୍ଷ୍ମୀ ମୂରତି

ମଗର ବାହାନେ ଈଶାନ୍ୟେ ଦେବୀ ଥିତି ।୧୦।

ମତ୍ମ୍ୟଦେଶକଇଂ ଗମନ ଦକ୍ଷିଣ କରି ଅଙ୍ଗ

ଧନୁଲଗ୍ନେ ପାପଗ୍ରହ ନାହିଂ ମାହୀନ୍ଦ୍ର ଅଟେ ଯୋଗ ।୧୧।

ଲେଖନ୍ତେ ପଢନ୍ତେ ସର୍ବ ଶୁଭ ଅନକୂଳେ

ଦିବସେକ ବଞ୍ଚିଲେ ପାଣ୍ତବେ ବାଞ୍ଚ୍ଥାବଟ ତଳେ ।୧୨।

ଭୋ ମହତ ବଟ ଶୁଣ ଆମ୍ଭର ଯେ ବାଞ୍ଚ୍ଥା

ମତ୍ସଦେଶେ ଗୋପ୍ୟାନ ହୋଇବୁ ନ କହିବୁ ମିଥ୍ୟା ।୧୩।

ଅଗ୍ୟାଂତବାସ ବରଷେ ତେର ଯେ ଦିବସ

କେହି ଆମ୍ଭର ଚିହ୍ନନ୍ତା ନୋହିବ ଅବଶ୍ୟ ।୧୪।

ବଞ୍ଚିବୁ ଦିନ ଆମ୍ଭେ ତରିବୁ ଅପ୍ରମାଦେ

ଶୁଭଯୋଗେ ବଞ୍ଚିବୁ ବଟ ତୋହୋର ପରସାଦେ ।୧୫।

ଭାବଗ୍ରାହୀ ଜଗନ୍ନାଥ ବାୟେଂଛା କଳ୍ପ ବୃକ୍ଷ

ଯେ ଯାହା ଇଛଇ ତୁ ତାହା ଫଳାଉ ପ୍ରତକ୍ଷ ।୧୬।

ମହତ କଳ୍ପ ବଟ ଅନକୂଳ ସର୍ବସିଦ୍ଧି

ଗୁଣସାଗର ତରୁବର ସଞ୍ଚିତ କଳ୍ପନିଧି ।୧୭।

ତହିଂରେ ସନ୍ନିଧ୍ୟେ ଅଛି ସାହାଡ଼ା ନାମେ ବୃକ୍ଷ

ତହିଂର ତଳେ ବସିଲା ଯାଇ ପବନର ବତ୍ସ ।୧୮।

ସାହାଡ଼ା ବୃକ୍ଷରୁ ପଡ଼ିଲା ପତ୍ରଗୋଟି

ଶିରରେ ଘେନିଲା ଭୀମ ତାହା ଦେଖିଲେ ଯୁଝେଷ୍ଟି ।୧୯।

ସହଦେବ ମୁଖ ଚାହିଂ ହସିଲେ ଧର୍ମସୁତେ

ଅନିର୍ଯାପ ବାଟ ସେ ଥାଇ ଅନୁବ୍ରତେ ।୨୦।

ବାଟେ ନ ଚାଲଇ ଭୀମା ଅମଡ଼ା ମାଡ଼ଇ

ଯହିଂ ଧର୍ମ ତାହା ସେ ଦଣ୍ତକେ ଛାଡ଼ଇ ।୨୧।

ସୁଗ୍ୟାଂନ ପଣ୍ତିତଂକ ତୁଲେଣ ନ ଭେଟି

କୁଜନ ଲୋକଂକ ତୁଲେଣ ତାର ଭଲ ଗୋଷ୍ଠୀ ।୨୨।

କୁଭୂମି ପାଇଲେ ସେ ସୁସ୍ତାନ କରଇ ତେଜ୍ୟା

ସୁପାତି ଉପେଖିଣ ଭୂମିରେ କରଇ ଶେଯ୍ୟା ।୨୩।

କୁମନ୍ତ୍ର ବିଦ୍ୟା ପଢେ କୁଜନ ସଙ୍ଗେ ଭେଟି

କୁଗ୍ୟାଂନ କର୍ମ ସୁସଙ୍ଗେ ନୋହେ ଗୋଷ୍ଠୀ ।୨୪।

ବାଞ୍ଚ୍ଥାବଟ ୟେ ଯେ ମହତ କଳ୍ପତରୁ

ସମସ୍ତେ ବାଞ୍ଚ୍ଥାକରୁ କେମନ୍ତେ ଅଗ୍ୟାଂତ ପାରକରୁ ।୨୫।

କିଛିହିଂ ନ ବୋଇଲା ବୃକ୍ଷକୁ ଭଗତି ନୋହିଲା

ସାହାଡ଼ା ବୃକ୍ଷତଳେ କିକିଟି ବୋଇଲା ।୨୬।

ଦୋହେରା ବର ଦେବାର ୟେହିମତି ହୋଇବ

ସୂପକାର ବୃତ୍ତି ୟେହାର କିଛିହିଂ ନୋହିବ ।୨୭।

ଭୀମସେନ ବୋଇଲା ଦେବ ତୁମ୍ଭେ କିଛିହିଂ ନ ଜାଣ

ୟେ ସାହାଡ଼ା ବୃକ୍ଷର ଦେବ ଅଛଇ ବହୁତ ଗୁଣ ।୨୮।

ଯୁଝେଷ୍ଠି ବୋଇଲେ ଭୀମ କେମନ୍ତେ ତୁହି ୟେହା ଜାଣୁ

ମୋହୋର ଆଗରେ କିମ୍ଫା ୟେ କଥା ନ ବଖାଣୁ ।୨୯।

ଭୀମସେନ ବୋଇଲା ଦେବ କପିଳାସ ଦେବରାଜେ

ବୃଷଭ ଆରୋହିଣ ସଦାନନ୍ଦ କଲେ ଦିଗବିଜେ ।୩୦।

ବାମେଣ ସାହାଡ଼ା ବୃକ୍ଷେକ ଦେଖିଲେ ସଦାଶିବ

ପତ୍ର ଗୋଟିୟେ ମଥାରେ ଘେନିଲେ ବୃଷଭ ।୩୧।

ଈଶ୍ଵର ପଚାରିଲେ ବଇଲ ତୁ ମହାଗ୍ୟାନୀ

ୟେ ବୃକ୍ଷରୁ ପତ୍ର ଗୋଟିୟେ କିମ୍ପେ ଶିରେଣ ତୁହି ଘେନି ।୩୨।

ଚନ୍ଦନ ଅଗ୍ର ଯେ ଦେବଦାରୁ ନଟୀକାଳ

ଗନ୍ଧ ସୁଗନ୍ଧ ଯେ ଦାରାକ୍ଷ ଚୂତଫଳ ।୩୩।

ୟେମାନ ଛାଡ଼ିଣ ତୁ ୟେହା କିଂକେ ବନ୍ଦୁ

ଅଗନ୍ଧ ଅସ୍ଵାଦୁ ୟେ ଅଟଇ ଅଖାଦୁ ।୩୪।

ବଇଲ ବୋଇଲା ଦେବ ବାମେଣ ସାହାଡ଼ା ବୃକ୍ଷ ଥିଲେ

ପୁଷ୍ଟ ଭୋଜନ ମିଳଇ ୟେଥୁ ପତ୍ରେକ ଶିରରେ ଘେନିଲେ ।୩୫।

ଈଶ୍ଵର ହସିଲେ ଯେ ବଇଲ ବଚନ ଶୁଣି

କେମନ୍ତେ ଅନ୍ନ ମିଳିବ ଆଜ ତୋତେ ପରୀକ୍ଷେ ବୁଝି ଜାଣି ।୩୬।

ୟେତେକ ବିଚାରିଲେ ସେ ରୁଦ୍ର ମାରତଣ୍ତ

ଅବିଶ୍ରାମେ ଭ୍ରମୁଛନ୍ତି ସପତ ବ୍ରହ୍ମାଣ୍ତ ।୩୭।

ଅନୁବ୍ରତେ ଧୂଆଂବନ୍ତି ବଇଲ ମହାବେଗ କରି

ଜଳତୃଣ ସହିତେ ସେ ନୁଆରଇ ଚରି ।୩୮।

ଭ୍ରମନ୍ତେ ଭ୍ରମନ୍ତେ ଯେ ଆଦିତ୍ୟ ଅସ୍ତ ଗଲେ

କପିଳାସ ସ୍ଵର୍ଗକଇଂ ରୁଦ୍ର ବାହୁଡ଼ିଲେ ୩୯।

ଅମୃତ ପାକ ମୁଣୋହି ସମ୍ପାଦିଲେ ଦେବୀ ଉମା

ସ୍ଵାମୀଂକି ବାଟ ଚାହିଂ ବିମୁଖ ସଦାନନ୍ଦର ବାମା ।୪୦।

କେଉଂଣ ଭୁବନେ ଅବା ରହିଲେ ଈଶାନେ

ଅଥବା ମୁଣୋହି ହୋଇଲା କେବଣ ଭୁବନେ ।୪୧।

ବେଳ ଅବସାନ ଯହୁଂ ସନ୍ଧ୍ୟାର ଯୁଗତେ

ଆପଣେ ମୁଣୋହିରେ ବିଜେକଲେ ଜଗତମାତେ ।୪୨।

ପଞ୍ଚୁଗ୍ରାସ ମାତ୍ର କରିଅଛନ୍ତି ଯେ ଦେବୀ ସତୀ

ଡମ୍ଵରୁ ଶବଦ ଯେ ଶୁଭିଲା ତତକ୍ଷଣାତି ।୪୩।

ସ୍ଵାମୀର ଆଗତ ବୋଲି ଦେବୀ ଉଠିଲେ ଧାତିକାରେ

ସେ ମୁଣୋହି ଯୋଗାଡ଼ ମାନ ଭରିଲେ ନେଇ ବୃଷଭର ଗୁଆଣିରେ ।୪୪।

ଗୁଆଣି ଭିତରେ ତାହା ଲୁଚାଇଲେ ଗୋସାମଣି

ଅଳିଆ ଘାସ ଲୋଚାଇ ତହିଂ ଉପରେ ଘୋଡ଼ାଇ ଦିଲେ ଆଣି ।୪୫।

ଆଂଚୋବନ ସାରି ଦେବୀ ଶ୍ରୀକରେ ଘେନିଣ ରତ୍ନଝରୀ ।

ସ୍ଵାମୀକି ଓଳଗିଲେ ଆସି ଦ୍ଵାରେଣ ଉଭାରି ।୪୬।

ଆପଣେ ବୃଷଭ ପିଠିରୁ ଉତୁରି ତ୍ରିଲୋଚନ

ଗୁହାଳେ ବୃଷଭକୁ ବାନ୍ଧିଲେ ଅତି ଯତନ ।୪୭।

ନନ୍ଦିକେଶରକୁ ବୋଇଲେ କଥାୟେକ ମୋର ଅଛି

ବଇଲକୁ ଘାସ ପାଣି ଆଜ ନ ଦେବୁରେ କିଛି ।୪୮।

କ୍ଷୁଧାରେ ବୃଷଭ ଯେ ଇଛଇ ଗୁଆଣି

କୋପରା ଭିତରେ ମୁଖ ଭରିଦିଲାକ ଆଣି ।୪୯।

ଷଡ଼ରସ ଯୋଗାଡ଼ ଅମୃତ ମଢଫୁଲି

ବୃଷଭ ବିଚାରଇ ଆଜଦିନ ମୁଂ ଅମୃତ ଭୋଜନ ପାଇଲି ।୫୦।

ଆହାର କରଇ ସେ ମହାତୁଷ୍ଟେ ବଇଲ

ସ୍ରାହାନ ଭୋଜନ ନୃତ୍ୟ ସାରିଲେ ସୋଢଳ ।୫୧।

ମୋହୋର ସେବକ ହୋଇ ମୋତେ ନ କରିବ ସେବା

ସାହାଡ଼ା ବୃକ୍ଷକୁ ସେ ବନ୍ଦଇ କିମ୍ପେ ଅବା ।୫୨।

ଜାଣିମାନା କେମନ୍ତେ ଆଜ ପ୍ରାପତ ହୋଇବ ଆଧାର

ରଜନୀ ପ୍ରଭାତେ ସ୍ଵାମୀ ପ୍ରବେଶ ହେଲେ ବୃଷଭ କତିର ।୫୩।

ଆଧାର ସନ୍ତୁଷ୍ଟେ ବୃଷଭ ମହାସୁଖ ପାଇ

ସୁଖେଣ ବଇଲ ଯେ ଅଛଇ ନିଦ୍ରାଯାଇ ।୫୪।

ସଦାନନ୍ଦ ବୋଇଲେ ହୋ କେମନ୍ତ କଲୁ ବଇଲ

ସାହାଡ଼ା ବୃକ୍ଷ ସେବି କିସ କିସ ପାଇଲ ।୫୫।

ବୃଷଭ ବୋଇଲା ସ୍ଵାମୀ ଶାହାସ୍ର ନୋହଇ ମିଥ୍ୟା

ଅବଶ୍ୟ ପ୍ରାପତ ହୋଅଇ ମନରେ କଲେ ବାଞ୍ଚ୍ଥା ।୫୬।

ସ୍ଵାମୀ ୟେତେକ ଯୋଗାଡ଼ ଯେ ତୁମ୍ଭର ମଢଫୁଲି

ସାହାଡ଼ା ବକ୍ଷକୁ ସେବିଣ ମୁଂ ସମସ୍ତ ପାଇଲି ।୫୭।

ଅମୃତ ଭୋଜନ କଲି ସକଳ ଶ୍ରମ ଗଲା

ସବୁଦିନ ଠାରୁ ଅଧିକ ଆଧାର ମୋତେ ମିଳିଲା ।୫୮।

ଉମାଂକ ବଦନ ଚାହିଂ ବୋଲନ୍ତି ଶୂଳପାଣି

ତୁମ୍ଭେ ୟେହାକୁ ରାତ୍ରେ ଆଧାର ଦିଲ କିଗୋ ଆଣି ।୫୯।

ପ୍ରଣପତ୍ୟ ଭାବେ ଯେ ବଦୟନ୍ତି ପାର୍ବତୀ

ସ୍ଵାମୀ ତୁମ୍ଭନ୍ତ ବାଟ ଚାହୁଂ ଚାହୁଂ ହୋଇଲା ବହୁରାତି ।୬୦।

ସମସ୍ତ ଯୋଗାଡ଼ ମୁଂ ବାଢିଲି ୟେକଯୋଗେ

ମୁଣୋହିରେ ବିଜେକଲି କ୍ଷୁଧାର ଆରତେ ଅତି ବେଗେ ।୬୧।

ସର୍ବେ ଅନ୍ନ ପଞ୍ଚୁଗୁଣ୍ତି କରିଛି ମୁଂ ଗ୍ରାସ

ଧାତିକାରେ ତୁମ୍ଭେ ବିଜୟ କଲ କପିଳାସ ।୬୨।

ଆରତେ ସମସ୍ତ ଦ୍ରବ୍ୟ ଘେନିଣ ଗଲି ତୋଳି

ଭୃଷଭ କୋଠରୀରେ ସମସ୍ତ ଦିଲି ଦେବ ତୋଳି ।୬୩।

ୟେହା ଶୁଣି ହସିଲେ ଯେ ଦେବ ସଦାନନ୍ଦ

ୟେ ଗୋଲେକ ବୃକ୍ଷକୁ ହୋ ସମସ୍ତେହେଂ ବନ୍ଦ ।୬୪।

ଭୀମସେନ ବୋଇଲା ଦେବ ୟେସନେକ ଅଛି ପୂର୍ବେ

ମୁଂ ତାହା ଶୁଣି ଦେବ ଗୋଡ଼ାଇ ଅଛି ୟେବେ ।୬୫।

ଶୁଣିଣ ସାନନ୍ଦ ହେଲେ ଧର୍ମରାୟେର ବଳା

ମୂର୍ଖ ହୋଇ ତୋହୋର ପଣ୍ତିତ ବୁଦ୍ଧି ଅନର୍ଗଳା ।୬୬।

ୟେଥୁ ଅନନ୍ତରେ ପୁଣ ବାଞ୍ଛା ବଟର ତଳେ

ବସିଲେ ପଦ୍ମ ଆସନେ ପଣ୍ତୁରାୟେଂକର ବାଳେ ।୬୭।

ରୟେଣୀ ବଞ୍ଚିଣ ସୁମରନ୍ତି ବାକ୍ୟଦେବୀ

ବିରାଟର କଣ୍ଠେ ବିଜେକର ଗୋ ପରମ ବଇଷ୍ଣବୀ ।୬୮।

ସୁବଚନ ବରଷୁ ଗୋ ତବ ପରସନ୍ନେ

ତବ ବିନୟ ଭାବୁଂ ଚିତ୍ତ ନ ବଳୁ ଯେ ଆନେ ।୬୯।

କୃପାଜଳ ନନ୍ଦନୀ ଗୋ ଅଭୟେ ଧବଳାଙ୍ଗୀ

କାମଇଛାୟେ ଗୋ ତୁ ମୋହିଲୁ ପରମ ଯୋଗୀ ।୭୦।

ଶ୍ଵେତପଦ୍ମ ଆସନୀ ଗୋ କରେଣ ବ୍ରହ୍ମବେଣୀ

ମୋହିଲୁ ନାରାୟଣ ଗୋ ଗନ୍ଧାର ରସବାଣୀ ।୭୧।

ବିଛେକ ବାହିନୀ ଗୋ ନମାମି ମମ ଆଶ

ବଦନ୍ତି ଶୂଦ୍ରମୁନି ସାରୋଳ ଚଣ୍ତୀ ଦାସ ।୭୨। ।୮୪୮।

 

Unknown

ତ୍ରିପୁରାସୁର ବଧ

ବିଜୟେ ପାଣ୍ତବେ ଯେ ତ୍ରିପୁରାନ୍ତକ ପରବତେ

ଧର୍ମ ବୋଇଲେ ତ୍ରିପୁରା ବଧ ହୋଇଲାକ ୟେଥେ ।୧।

ଦ୍ରୋପତୀ ବୋଇଲେ ତ୍ରିପୁର ବୋଲିଣ ସେ କେବଣ କଉଣୋପ

କାହାର ପୁତ୍ର ସେ ଯେ କେ ତାହାର ମାତା ବାପ ।୨।

କହନ୍ତି ଯୁଝେଷ୍ଠିର ଶୁଣରେ ପାଞ୍ଚାଳୀ

ଅପାର କାଳର କଥା ଶୁଣରେ ଶୁଦ୍ଧଶାଳୀ ।୩।

ବଇତରଣୀ କୂଳେ ମଧୁପୁର ବୋଲି ୟେକ ନଗ୍ର ବିଦ୍ୟମାନେ

ବହୁତ ଶାସନିକ ତହିଂ ବସନ୍ତି ଦ୍ଵିଜମାନେ ।୪।

ୟେକ ବ୍ରାହ୍ଣଣ ତହିଂ ମଧୁଶର୍ମଣ ବୋଲି

ତାହାର ଭାରିଜା ନାମ କୁରଞ୍ଜନୀ ବାଳୀ ।୫।

ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ଅର୍କବାର

ପ୍ରଥମ ରଜୋବତୀ ବାଳୀ ହୋଇଲା ସେ ଦିନର ।୬।

ସମ୍ଵତ୍ସର ଅନ୍ତେ ତାର ସ୍ଵାମୀ ନାଶ ଗଲା

ସୋମେକ ନାମେ ଶୂଦ୍ରକୁ ଘେନି ସେ ଘରକଲା ।୭।

ବୟସ ସଂହରି ନୁଆରିଲା ସେ ବିଧବା ବ୍ରାହ୍ଣଣୀ

ଶୂଦ୍ରକୁ ଘେନିଣ ସେ କଲା ପର ଦାରାୟେଣୀ ।୮।

ସେ ବ୍ରାହ୍ମଣୀର ରଜେ ସେହୁ ଶୂଦ୍ରର ଯେ ବୀର୍ଯ୍ୟେ

ଗର୍ଭରେ ରହିଲା ତାର ୟେକଇ ଆତ୍ମଜେ ।୯।

କାର୍ତ୍ତିକ ଶୁକ୍ଳପକ୍ଷ ପୂର୍ଣ୍ଣମୀ ଗୁରୁବାର

କୃତ୍ତିକା ନକ୍ଷତ୍ର ଯେ ଅଟଇ ସେ ଦିନର ।୧୦।

ବିଷ୍ଟିନାମେ କରଣ ଯେ ନାଗନାମେ ଯୋଗ

ପଞ୍ଚମ ଘରେ ରାହୁ କରେ ଦିବ୍ୟଭୋଗ ।୧୧।

ସେ ଦିନ ବ୍ରାହ୍ମଣୀ ଗର୍ଭୁଂ ଜାତ ହେବ କୁମାର

ଅନ୍ଧାର ନିଶି ଯେ ରାତ୍ର ପାଞ୍ଚ ଘଡ଼ିକର ।୧୨।

ନଗ୍ରଛାଡ଼ି ବ୍ରାହ୍ମଣୀ ପଶିଲା ଘୋର ବନସ୍ତର

ପୁତ୍ରେକ ଜାତ କଲା ରାତ୍ର ତେରଦଣ୍ତ ଠାର ।୧୩।

ଜାତି ବ୍ରହ୍ମରାକ୍ଷସ କୃତ୍ତିକା ବୃଷରାଶି

ତାମ୍ରବର୍ଣ୍ଣ ପ୍ରାୟେକ କୁମର ବର୍ଣ୍ଣ ଦିଶି ।୧୪।

ଯେତେବେଳେ ବ୍ରାହ୍ଣଣୀ ଗର୍ଭବାସ ହୋଇଲା

ସେ ସୋମେକ ଶୂଦ୍ର ତାକୁ ଛାଡ଼ି ପଳାଇଲା ।୧୫।

ସେ ପୁତ୍ରକଇଂ ଘେନିଣ ସେ ବିଧବା ବ୍ରାହ୍ମଣୀ

ବନେ ରହିଥାଇ ସେ ପିଚାଶୁଣୀ ବୃତ୍ତି ଜାଣି ।୧୬।

କନ୍ଦମୂଳ ଭକ୍ଷଣେ ବଞ୍ଚଇ ଦିବାରାତି

ସପତ ବରଷର ଯହୁଂ ହୋଇଲା ସନ୍ତତି ।୧୭।

ସିଂହମାସ କୃଷ୍ଣପକ୍ଷ ଅମାବଇ ଉତ୍ତମବାର

ନାରଦେ ବିଜେକଲେ ସେହି ବନସ୍ତ ଭିତର ।୧୮।

ତୁଙ୍ଗଭଦ୍ରା ନଦୀକୂଳେ ଖେଳଇ ବାଳଶିଷି

ଦଣ୍ତ କମଣ୍ତଳ ଘେନି ଯାଉଛନ୍ତି ଋଷି ।୧୯।

ସେ ନନ୍ଦନ ବୋଇଲା ମୁନି ହେ ତୁମ୍ଭ ପାଦେ ମୋହୋର ନମସ୍କାର

ଦେଖିଣ ବିସ୍ମୟେ ହେଲେ ବ୍ରହ୍ମାଂକ କୁମର ।୨୦।

ଆରେ ନର ଚଣ୍ତାଳ ତୁ ଆମ୍ଭଂକୁ ପ୍ରଣପତ୍ୟ

ଆଜ ଆମ୍ଭର ଗଲା ରେ ଦିନକର ସୁକୃତ ।୨୧।

ସେ ପୁତ୍ର ବୋଇଲା ମୁନି ହେ ମୁଂ ବ୍ରାହ୍ଣଣ ଦେଖିଲେ

ନିତି ପ୍ରତି ପ୍ରଣପତ୍ୟ କରଇ ତାହାଂକ ପୟରେ ।୨୨।

ଶରଧା ଭକତି ଆଉ ଶୁଦ୍ଧ ମାନସରେ

ବ୍ରାହ୍ମଣ ସୁକୃତ ହରଇ ଶୂଦ୍ରେ ନମସ୍କାର କଲେ ।୨୩।

ନାରଦେ ବୋଇଲେ ତୁ ମୋତେ ହୋଇଲୁ ପ୍ରଣପତ୍ୟ

ଜାତି ନର ଚାଣ୍ତାଳରେ କେ ତୋର ପିତାମାତ ।୨୪।

ଧାତାର ନନ୍ଦନ ତୁମ୍ଭେ ଭୂତ ଭବିଷ୍ୟ ଜାଣନ୍ତା

ତୁମ୍ଭେ ସେ କହ ଗୋସାଇଂ ହେ କିୟେ ମୋହୋର ପିତା ।୨୫।

ନାରଦ ବୋଇଲେ ରେ ମନ ଜାଣେ ପାପ

ଆର କିୟେ କହିବ ରେ ତୋ ମାତା ଜାଣେ ବାପ ।୨୬।

ମାତାକୁ ଯାଇଣ ତୋର ପଚାର ତଦନ୍ତ

କେ ତୋହୋର ପିତା ନାମ ସେ କହିବ ଯୁଗତ ।୨୭।

କହିଣ ନାରଦ ସେ ଗଲେ ଅନ୍ତର୍ଦ୍ଧାନେ

ମାତାର ଅଗ୍ରତେ ଯାଇ ପୁଛଇ ନନ୍ଦନେ ।୨୮।

କେ ମୋହୋର ପିତା ଗୋ କହସି ମହାତ୍ମାଣୀ

ମାତା ବୋଲେ ବାବୁ ମୁଂରେ ବିଧବା ବ୍ରାହ୍ମଣୀ ।୨୯।

ପିତା ତୋହୋର ଯେ ସୋମେକ ଶୂଦ୍ର ବୋଲି

ପ୍ରସବ ମାତ୍ରକେ ପୁତ୍ରରେ ପଳାଇଲା ଛାଡ଼ି ।୩୦।

ସେ ମୋତେ ହରିଲା ମୁଂ ନର ଚାଣ୍ତାଳୁଣୀ ହୋଇଲି

ଭୋ ମାତ ମୁହିଂ ନିଚୟେ ନରଚାଣ୍ତାଳ ହୋଇଲି ।୩୧।

ତୋହ ଯୋଗେ ମାତା ମୁଂ ହୋଇଲି କଳଂକିତ

କହ କାହାକଇଂ ସେବି ମୁଂ ହୋଇବି ମୁକତ ।୩୨।

ୟେ ମହାପାତକ ଖଣ୍ତିବଇଂ କାହାରହିଂ ବୋଲେ

ଦୁଷୁକୃତ ଖଣ୍ତିବରେ ବାବୁ ଶିବ ସେବାକଲେ ।୩୩।

ସାତ ବରଷର ନନ୍ଦନ ମାତାକୁ କଲାକ ଉପେକ୍ଷା

ଶିବ ସେବାରେ ସେ ବଳାଇଲା ଇଛା ।୩୪।

ସେହି ପରବତେ ବସିଣ ଅନେକ ତପ କଲା

ଷାଠିୟେ ସହସ୍ର ବରଷ ପବନ ଭକ୍ଷିଲା ।୩୫।

କଷ୍ଠୋର ତପ ଦେଖିଣ ସେ ବିଜୟେ ପଶୁପତି

ଜୀବନ୍ୟାସ ମନ୍ତ୍ରେ ସେ ସିଞ୍ଚିଲେକ ବିଭୂତି ।୩୬।

ବସିଲା କୁମର ଯେ ପାଇଣ ସାଷ୍ଟାମ

ବୋଇଲା କାହିଂର ମହାତମା ହୋ ନାଶକଲ ଧର୍ମ ।୩୭।

ଈଶ୍ଵରେ ବୋଇଲେ ତୁ କାହାକୁ କରୁ ସେବା

ମୁହିଂ ସେ ବିଶ୍ଵନାଥ ଅନାଦି ବିଶ୍ଵଦେବା ।୩୮।

ସେ କୁମର ବୋଇଲା ଭୋ ନାଥ ତୁ ଯେବେ ଈଶାନ

ନିଜ ରୂପ ଧର ଆହେ ଦେବ ତ୍ରିଲୋଚନ ।୩୯।

ତତକ୍ଷଣେ ନିଜ ରୂପ ଧଇଲେ କାପାଳୀ

ନବଲକ୍ଷ ଡମ୍ଵରୁ ଯେ ଅନ୍ତରୀକ୍ଷେ ହାମ୍ପୋଳି ।୪୦।

ସଦ୍ୟୁ ବାମ ଘୋର ଈଶାନ ତତପୁରୁଷ ପଞ୍ଚୁଶିର

ପଞ୍ଚଦଶ ଲୋଚନ ବିରାଜଇ ଦେବ ହର ।୪୧।

ସଙ୍ଗମ ମେଖଳ ନନ୍ଦକ ପିଙ୍ଗଳ ଜଟା

ଶୁଦ୍ଧ ସଷ୍ଟିକ ଶରୀର ଦିଗବସନ ଉକୁଟା ।୪୨।

କଣ୍ଠେଣ ଶୋଭାବନ ରୁଣ୍ତ ମୁଣ୍ତମାଳା

ଅନନ୍ତ ଉଡ଼ଙ୍ଗ ଯାର କଟିରେ ମେଖଳା ।୪୩।

ଶେତ୍ଵପଦ୍ମ ମହାପଦ୍ମ ତକ୍ଷକ ନାଗ ଅଣ୍ଟି

ଭୁଜରେ ନାଗ ଯେ କଂକଣ ବାହୁଟି ।୪୪।

ଗଙ୍ଗା ଯମୁନା ସରସ୍ଵତୀ ତିନିଧାର

ୟେ ତିନିହେଂ ସଙ୍ଗମ ହୁଅନ୍ତି ମିଳି ଚନ୍ଦ୍ର ଜଟାର ।୪୫।

ଭସ୍ମ ବିଲୋପନ ତାମ୍ରବର୍ଣ୍ଣ ଫେଣୀ ମାଥେ

ନୀଳ ଲୋହିତ ପିଙ୍ଗଳ ଧବଳ ହୃଦଗତେ ।୪୬।

ନିଜରୂପ ଧରିଣ ବିଜେକଲେ ଦେବରାଜା

ହୃଦଗତେ ପଦ୍ମ ଆସନେ ବିଜୟେ ଶଇଳଜା ।୪୭।

ପିନାକ ସାରଙ୍ଗ ତ୍ରିଶୂଳ ଦଣ୍ତପାଣି

ଖଟ୍ଵାଙ୍ଗ ମୁଦୁଗର ଶୁଦ୍ଧ ସଷ୍ଟିକ ଫଣି ମଣି ।୪୮।

ଅନନ୍ତ ଅମୃତ କୁଣ୍ତଳ ମଣିରେ ଶୋଭା

ତିମିରି ବିଦାରଣ ମଣି ମେଖଳ କଟିପ୍ରଭା ।୪୯।

ଜପା ଅଜପା ଲୟେ ଗମଇ ଯୋଗମତେ

ଅଧାଟି ଗଣପତି ଶରଗୁଣା ସର୍ବଯନ୍ତ୍ରେ ।୫୦।

କ୍ଷଣେ କ୍ଷଣେ ଯୋଗ ଆସନେ କ୍ଷଣେ ରଙ୍ଗଭୋଳା

ଭ୍ରୂକୁଟୀ ସଙ୍ଗତେ ନାଟ ହାସ୍ୟ ଅନର୍ଗଳା ।୫୧।

ଦକ୍ଷିଣେ ଗଜାନନ୍ଦ ବାମେଣ କାର୍ତ୍ତିକ

ଭ୍ରୂକୁଟୀ ତୁଲେ ମହାକାଳ ପଞ୍ଚକ ।୫୨।

ଟିଣାୟକ ବୀଣାୟକ ଜୟନ୍ତିକ ଅଜୟନ୍ତିକ

ଚଣ୍ତ ପ୍ରଚଣ୍ତ ଯେ ମଣିଭଦ୍ର ଭୀମେକ ।୫୩।

ଡିବି ଡିବି ଡମ୍ଵରୁ ବାଜଇ ଘନ ଘନ ଡାକି

କୋଟି କିରଣ ସୂର୍ଯ୍ୟ ପ୍ରାୟ ଶୋଭା ଦିଶଇ ପିନାକି ।୫୪।

ୟେସନେକ ସ୍ଵରୂପେ ବିଜୟେ ବିଶ୍ଵବାସୀ

ବର ମାଗରେ ନନ୍ଦନ ବଦୟନ୍ତି ଦେବ କାଶୀ ।୫୫।

ସ୍ଵାମୀ ଷାଠିୟେ ସହସ୍ର ବରଷ କଲିଣି ମୁହିଂ ତପ

ଇଛାବର ମୋତେ ହୋ ଦେବା ବିଶ୍ଵରୂପ ।୫୬।

ସ୍ଵାମୀ ତିରୀଂକି ତିନିବର ପୁରୁଷକୁ ଦଶବର

ୟେସନେକ ବର ଦେବ ହେ ଦେବହର ।୫୭।

ଦଶବରୁଂ ବରେ ଅଧିକ ମାଗିଲେ

ଶିରଛେଦନ ହୋଅଇ ପୁରାଣେ ବୋଇଲେ ।୫୮।

ତିନିବରୁଂ ଅଧିକ ମାଗନ୍ତି ଯେବଣ ତିରୀ

ନାସା ଛେଦନ ଅବଶ୍ୟ ହୋଅଇ ତାହାରି ।୫୯।

ଇଛାୟେ ବର ଦେବା ମାଗଇଂ ମୁହିଂ ତୋତେ

ଉଦେହେଲା ଠାରୁ ବର ଦେଉଥିବୁ ରବିଅସ୍ତ ପରିଯନ୍ତେ ।୬୦।

ସଦାନନ୍ଦ ବୋଇଲେ ମନେ ଯାହା ଇଛୁ

ହୋଉ ତୋତେ ପ୍ରାପତ ଯିସ ମନେ ବାଞ୍ଚ୍ଥୁ ।୬୧।

ସ୍ଵାମୀ ଇଛାବର ମୋତେ ଦେବାକ ଧୂର୍ଜଟି

ତୃତୀୟେ ବହିଲୁ ତୁ କେବଣ ନାମଗୋଟି ।୬୨।

ଈଶ୍ଵର ବୋଇଲେ ମୋର ନାମ ତ୍ରିପୁରାରି

ସେ ବୋଇଲା ତ୍ରିପୁର ନାମ ଦେବାକ ଶୂଳଧାରୀ ।୬୩।

ତୁ ଯେ ତିନିପୁର ଭ୍ରମିଲୁ ବିଶ୍ଵନାଥ

ମୁହିଂ ଜିଣିବି ଦେବ ୟେ ତିନି ଜଗତ ।୬୪।

ସ୍ଵାମୀ ନର ଚଣ୍ତାଳ ରୂପେ ହୋଇଲି ମୁହିଂ ଜାତ

ସେ ପାତକ ମୋର କ୍ଷୟ ହୋଉ ବିଶ୍ଵନାଥ ।୬୫।

ଈଶ୍ୱର ବୋଇଲେ କଲି ପାପକ୍ଷୟେ

ସ୍ଵାମୀ ବଜ୍ରେ ନିର୍ବାଣ ଯେ ହୋଉ ମୋର କାୟେ ।୬୬।

ତ୍ରିପୁର ଶରୀରେ ଲେପିଲେ ବିଭୁତି ବଜ୍ରଛଉଂରୀ

ଶରୀର ଯାକ ବଜ୍ର ଯେ ହୋଇଲା ତାହାରି ।୬୭।

ସ୍ଵାମୀ ପୃଥୀ ଆପ ତେଜ ବାୟିବ୍ୟ ଆକାଶ

ପଞ୍ଚୁଧାତୁ ମଧ୍ୟେ ୟେ ପଞ୍ଚୁ ଯେ ପୁରୁଷ ।୬୮।

ୟେହି ପଞ୍ଚୁଧାତୁମାନଂକୁ ପାଇବି ମୁହିଂ ସାଧି

ଶହସ୍ର ଧରନ୍ତେ କେହୁ ସମାନ ନୋହିବେ ମୋତେ ଯୋଧୀ ।୬୯।

ସ୍ଵାମୀ ଇନ୍ଦ୍ର ଚନ୍ଦ୍ର ଆଉ ପବନ ଆଦିତ୍ୟ

ଯମ କୁବେର ଅନଳ ନଇଋତ ବରୁଣ ବିଧାତ ।୭୦।

ୟେମାନନ୍ତ ସମରେ ଜିଣିମି ମୁହିଂ ଧରି

ବାଞ୍ଚ୍ଥା ସିଦ୍ଧି ହୋଉ ସାଧ୍ୟ ହୋ ବୋଇଲେ ତ୍ରିପୁରାରି ।୭୧।

ସ୍ଵାମୀ ଅଗ୍ନିରେ ପଶିଲେ ନ ପୋଡ଼ିବ ମୋର କାୟେ

ମହା ପ୍ରଳୟକାଳେ ଜଳ ମୋତେ ହୋଇବ ଆଣ୍ଠୁୟେ ।୭୨।

ଋଷିଂକର ଶାପ ମୋତେ ନ କରିବ ବାଧା

ଦେବତାୟେ ଭସ୍ମ କଲେ ହୋଇବି ମୁଂ ସିଦ୍ଧା ।୭୩।

ପାତାଳେ ନାଗଲୋକ ମଞ୍ଚରେ ନରଲୋକ

ଗର୍ନ୍ଧବ କିନ୍ନର ଯେ ଦକ୍ଷ ରାକ୍ଷସଯାକ ।୭୪।

ସବୁନ୍ତି ସମରେ ଜିଣିମି ମୁହିଂ ଧରି

ଈଶ୍ଵରେ ବୋଇଲେ ଅସ୍ତୁହୋଉ ଯେ ତୋହୋରି ।୭୫।

ଦିବ୍ୟଚକ୍ଷୁ ପ୍ରାପତ ହୋଉ ମୋତେ ଦିଅସି ଆଦିଦେବ

ୟେଥେ ଥାଇ ଚାହିଂଲେ ମୋତେ କୋଟି ବ୍ରହ୍ମାଣ୍ତ ଦିଶିବ ।୭୬।

ଶହସ୍ରମାନ ଭେଦ ନୋହିବ ଯେ ମୋର ଅଙ୍ଗ

ବଜ୍ର ଶକତି ବ୍ରହ୍ମ ଶକତି ଶୂଳ ଶକତି ଚକ୍ର ସମସ୍ତ ହୋଇବ ଭଙ୍ଗ ।୭୭।

କାଳଫାଶ ନାଗଫାଶ ଯମଫାଶ ତିନି

କାଳଦୂତ ବଶ ମୋତେ ହୋଇବେ ସଞ୍ଜୀବନୀ ।୭୮।

ତିରିଶି ବରଷ ଠାରୁ ଚାଳିଶି ବରଷ ପରିଯନ୍ତେ

ୟେତେକହୁଂ ଅଧିକ ବୟସ ମୋତେ ନୋହିବେ ଯୁଗତେ ।୭୯।

ସ୍ଵାମୀ ୟେକସ୍ତରୀ ଗଣ୍ତା ଯୁଗେ ହୋୟେ ୟେକମନୁ

କାଳେହେଂ ବିଚଳିତ ନୋହିବ ମୋର ତନୁ ।୮୦।

ଈଶ୍ଵରେ ବୋଇଲେ ରେ ସମସ୍ତ ହୋଉ ଅସ୍ତୁ

ଯେତେକ ମାଗୁ ତେତେକ ହୋଉ ତୋତେ ପରାପତୁ ।୮୧।

ସ୍ଵାମୀ ଦିବି ଭୁବି ପାତାଳ ୟେହି ତିନିପୁର

ବିଶ୍ଵରୂପ ଘୋଟିବ ମୋହୋର ଶରୀର ।୮୨।

ନାରାୟଣର ହାଥେ ଯେ ନୋହିବି ମୁହିଂ ହତ

ଅଶଉଚବନ୍ତେ ବିଦ୍ୟା ସାଧିବି ସମସ୍ତ ।୮୩।

ଶୂନ୍ୟ ପୁରୁଷମାନେ ଯେତେକ ବିହନ୍ତା

ସମସ୍ତେହେଂ ଖଟିଥିବେ ମୋତେ ହୋଇଣ ବଶ୍ୟଗତା ।୮୪।

ତୁହି ମୋତେ ସମାନ ନୋହିବୁ ଦେବହର

କପିଳାସ କନ୍ଦରୁ ତୁ ନୋହିବୁ ବାହାର ।୮୫।

ତୁମ୍ଭର ଚରଣେ କେହି ନ କରିବେ ପୂଜା

ତୁମ୍ଭସ୍ଥାନେ ବସିମୁହିଂ ବୋଲାଇବି ଦେବରାଜା ।୮୬।

ଈଶ୍ୱରେ ବୋଇଲେ ରେ ହୋଇଲା ମୋର ସତ୍ୟ

ତୁ ଯାହା ମାଗିଲୁରେ ସିଦ୍ଧ ହୋଉ ସମସ୍ତ ।୮୭।

ସ୍ଵାମୀ ପିନାକ ଶାରଙ୍ଗ ଯେ ଅକ୍ଷୟ ବେନିତ୍ରୋଣ

ୟେହା ମୋତେ ବିଶ୍ଵନାଥେ ଦେବାକ ୟେହିକ୍ଷଣ ।୮୮।

ତ୍ରିଶୂଳ ଶକତି ଅମୋହ ଶକତି ଯେ ମୁଦୁଗର

ଅଧାଚକ୍ର ମହାକାଳ ପାଶୁପତ ରୁଦ୍ରାଶର ।୮୯।

ତ୍ରିପୁରା ବଚନେ ରୁଦ୍ର ଦିଲେ ଯେ ସମସ୍ତ

ୟେ ତୋହୋର ବଇଲ ମୋତେ ଦେବାକ ବିଶ୍ଵନାଥ ।୯୦।

ୟେକାଦଶ ଲୋକେ ମୋତେ ଜିଣନ୍ତା ନୋହୁ କେହି

ତ୍ରଇଲୋକ୍ୟେ ସେବା ମୋତେ କରିବେ ଗୋସାଇଂ ।୯୧।

ଈଶ୍ଵର ବୋଇଲେ ରେ ହୋଇଲି ତ୍ରିପୁତି

ବଇଲ ଡମ୍ଵରୁ ସହିତେ ଭୋଳେ ଦିଲେକ ପଶୁପତି ।୯୨।

ବର ମାଗନ୍ତେଣ ଦେବତାୟେ ମନେ କଲେ ଶଂକା

ରାଇଲେ ବାକ୍ୟଦେବୀ ଆଦି ଯେ କେତୁକା ।୯୩।

ତୁ ଦେବୀ ବିଜେକର ତ୍ରିପୁରା ହୃଦଗତେ

ଗଙ୍ଗା ପାର୍ବତୀଂକି ୟେ ନ ମାଗଇ ଯେମନ୍ତେ ।୯୪।

ଦେବଂକ ବଚନେ ଦେବୀ ବିଜୟେ ସରସ୍ଵତୀ

ତ୍ରିପୁରାର ହୃଦଗତେ ବିଜୟେ ତଡ଼ତି ।୯୫।

ସମସ୍ତ ମାଗିଲା ସେ ଗଙ୍ଗା ପାର୍ବତୀଂକି ଛାଡ଼ି

ଭୋଳେଣ ଈଶ୍ଵର ଯେ ଦିଲେ ସମସ୍ତ କାଢି ।୯୬।

ଆଦିତ୍ୟ ଦେବତାଂକୁ ବୋଇଲେ ପିତାମହ

ବହନ ହୋଇ ମେରୁ ଉହାଡ଼େଣ ରୁହ ।୯୭।

ବ୍ରହ୍ମାଂକର ବଚନେ ଆଦିତ୍ୟ ଦେବତା

ଚଉବିଂଶ ଦଣ୍ତେ ସେ ଯେ ଗଲେ ଅସ୍ତଂଗତା ।୯୮।

ବର ମାଗନ୍ତେ ଯେ ଆଦିତ୍ୟ ଅସ୍ତଗତ

କପିଳାସ ସ୍ଵର୍ଗେ ଯାଇଂ ବିଜୟେ ବିଶ୍ଵନାଥ ।୯୯।

ୟେହି ପର୍ବତେ ସେ ତ୍ରିପୁର ବୀର ଥାଇ ରହି

ଭୟେଣ ଅମରଗଣ ତୁଲାଇଲେ ମୁଣୋହି ।୧୦୦।

ଦିନେ ରମଣୀ ପ୍ରଭାତେ ବିଜୟେ ଈଶ୍ଵର କଉଣୋପ

ଦେବସଭାକୁ ବିଜୟେ ଈଶ୍ଵର ସରୂପ ।୧୦୧।

ପଞ୍ଚବଦନ ଯେ ପଞ୍ଚଜଟା ମାଥେ

ପିନାକ ତ୍ରିଶୂଳ ଯେ ଖଟ୍ଵାଙ୍ଗ ଡମ୍ଵରୁ ପ୍ରଶୁହାଥେ ।୧୦୨।

ଦିଗବସନ ଯେ ବଇଲ ବାହାନେ

ବିଜୟେ ତ୍ରିପୁରା ଯେ ଅମର ସଭାସ୍ତାନେ ।୧୦୩।

ଦୁତୀ ଈଶ୍ଵର ରୂପ ସରୂପେଣ ଦେଖି

ଉଠିଲେ ଦିଗପାଳେ ଆସନ ଉପେଖି ।୧୦୪।

ଈଶ୍ଵର ଆସନେ ଯାଇଂ ତ୍ରିପୁରା ବସଇ ମାଡ଼ି

ଦିଗପାଳମାନେ ଉଭା ହୋଇଲେ କରପତ୍ର ଯୋଡ଼ି ।୧୦୫।

ମହାଭୟେ କରିଣ ଯେ ସମସ୍ତ ଦିଗପାଳେ

ପ୍ରଣପତ୍ୟ ହୋଇଲେ ଯେ ତ୍ରିପୁରା ପାଦତଳେ ।୧୦୬।

ସେଦିନ ନାରାୟଣେ ବିଜୟେ ମେରୁସଭା

ତ୍ରିପୁରାକୁ ପିଠିକରି ବସିଲେ ଆଦିଦେବା ।୧୦୭।

ତ୍ରିପୁରା ବିଚାରି ଯେ କଲା ମନ୍ଦପଣ

ପ୍ରଶୁଘେନି ୟେହା ଶିରଗୋଟି ଛେଦିବି ୟେହିକ୍ଷଣ ।୧୦୮।

ମୁହିଂ ଈଶ୍ଵର ଅଟେ ୟେ ପିଠିକଲା ମୋତେ

ପ୍ରଥମେ ପ୍ରମାଦ ୟେହାକୁ କରିବି କେମନ୍ତେ ।୧୦୯।

ମତ୍ତଗର୍ବେ ମୋତେ ତ ୟେ ନୁଆରିଲା ଚିହ୍ନି

ବୋଇଲା ଜାଣୁ ଜାଣୁ ସିନା ୟେ କରଇ ଅମାନି ।୧୧୦।

ପଣ୍ତିତପଣେ ରାଗ ସଂହରିଲା ତ୍ରିପୁର

ତାହାର କୋପଖଣ୍ତି ଜାଣିଲେ ଦାମୋଦର ।୧୧୧।

ନକରୁ ମାନ୍ୟ ପଛେ ନ ବୋଲିବି କିଛି

ସ୍ଥିରହୋଇ ବସିଲା ତ୍ରିପୁରା ମନେ ପାଞ୍ଚି ।୧୧୨।

ନାରାୟଣ ପ୍ରତିଉତ୍ତର ଦିଲେ ତ୍ରିପୁରାକୁ

ଆହୋ ନମସ୍କାର କିମ୍ପେ ନ କଲେ ଆମ୍ଭଂକୁ ।୧୧୩।

ତ୍ରିପୁରା ବୋଇଲା ତୁ ଯେ ପୁରୁଷ ଉତ୍ତମ

ଈଶ୍ୱର ଦେବତାଂକୁ ତୁ କରୁଟି କି ପ୍ରଣାମ ।୧୧୪।

ନାରାୟଣ ବୋଇଲେ ଈଶ୍ୱର ଆମ୍ଭର ସାନଭ୍ରାଥ

ତାହାକୁ ଆମ୍ଭର ନମସ୍କାର ନୋହଇ ବିହିତ ।୧୧୫।

ଶିରରେ ଧବଳାଙ୍ଗୀ ପାର୍ବତୀ ଥାନ୍ତି ହୃଦେ ଯେବେ

ତହିଂକି ନମସ୍କାର କରୁ ଆମ୍ଭେ ହାଦେ ।୧୧୬।

ମହିଷା ବଧ କରି ସେ ହୋଇଲେ ଜଗମାୟେ

ତେଣୁକରି ନମସ୍କାର କରନ୍ତି ସର୍ବ ଦେବତାୟେ ।୧୧୭।

ଆହୋ ଈଶ୍ଵର ଯେ ଅଟନ୍ତି ଜଗତଭୂତ ବାଇ

ତାହାକୁ ଯେ ସେବା କରଇ ହୋଇବ ସେ ବାଇ ।୧୧୮।

ତୋତେ ଯେବେ ଈଶ୍ଵରପଦ ବର ଦେଇଥାନ୍ତା

ଗଙ୍ଗା ପାର୍ବତୀଂକି ସେ କିଂପେ ନ ଦିଅନ୍ତା ।୧୧୯।

ଈଶ୍ଵର ପଦ ଯେବେ ତୋତେ ସେ ପ୍ରାପତ

ଚନ୍ଦ୍ର ଗଙ୍ଗା ପାର୍ବତୀ ଥାନ୍ତେ ବସୁମାତ ।୧୨୦।

ତୋତେ ଯେବେ ଦେଇଥାନ୍ତେ ଚାରି ଯେ ଭାରିଜା

ତେବେ ସିନା ହୁଅନ୍ତୁ ତୁହି ଦେବରାଜା ।୧୨୧।

ଆରେ ନରଚଣ୍ତାଳ ଦେଖି ତୋତେ ଈଶ୍ଵର ଭଣ୍ତିଲା

ବାହିଜ ବର ମାନ ତୋତେ ଜାଣି ଦିଲା ।୧୨୨।

ଆମ୍ଭର ବୋଲକରି ଯାଅ ଯା ୟେହିକ୍ଷଣ

ଚାରିଜାୟା ଯାଇ ଈଶ୍ଵର ତହୁଂ ଆଣ ।୧୨୩।

ତେବେ ସେ ନିଚୟେ ହୋଇବୁ ଦେବରାଜ , ସ୍ଵାମୀ

ସମସ୍ତ ଦେବେ ତୋତେ ହୋଇବେ ପରିଣାମି ।୧୨୪।

ଚାରି ଭାରିଜା ତୋତେ ନ ଦିଅଇ ଅଥବା

ଦୁତୀ ଭାରିଜା ଆଣିଲେ ଅର୍ଦ୍ଧେଶ୍ଵର ପଦସେବା ।୧୨୫।

ଯଦ୍ୟପି ତୋତେ ଦୁଇ ଭାରିଜାଂଇ ନ ଦେବ

ବୃଦ୍ଧ ଈଶ୍ଵର ସେ ଆଉ ତହିଂ କିଂପା ଥିବ ।୧୨୬।

କପିଳାସେ ପଶି ତାର ଶିର ଛେଦିପକା

ଆଣ ଚାରି ଭାରିଜା ତୋତେ ଈଶ୍ଵରପଦ ହୋଉ ୟେକା ।୧୨୭।

ପୁରୁଣା ଈଶ୍ଵର ସେହିମତେ ଥିଲେ

ତୋତେ କିଂପେ ପୂଜିବୁ ୟେହା ଜଗନ୍ନାଥେ ବୋଇଲେ ।୧୨୮।

ନାରାୟଣ କହିଲେ ଯହୁଂ ଚକ୍ରକୂଟ ବୁଦ୍ଧି

ମୂର୍ଖ ପାମର ସେ ନ ଜାଣିଲା କଥା କୂଟଛନ୍ଦି ।୧୨୯।

ଅତିଅନ୍ତ ଉଗ୍ରବର ମାଗିଲା ତ୍ରିପୁର

ନିକଟେ ମୃତୁ ତାକୁ କରାଇଲେ ଦାମୋଦର ।୧୩୦।

ନାରାୟଣଂକ ବଚନେ ଧାମଇ କଉଣୋପ

ରୁଦ୍ର ଦେବତାଂକୁ କରିଣ ମହାକୋପ ।୧୩୧।

ଆରେ ଆରେ ବୋଲି ଧାମଇ ସେ ପାପିଷ୍ଠ

କପିଳାସ କନ୍ଦରେ ଯାଇ ବିଜୟେ ଦ୍ରପିଷ୍ଠ ।୧୩୨।

ତ୍ରଇଲୋକ କଂପମାନ ଅସୁର ଘୋରବୋବି

ତ୍ରିପୁର ଆଗତ ବୋଲି କହିଲେ ମହାଦେବୀ ।୧୩୩।

ଧ୍ୟାନେଣ ଜାଣିଲେ ତାହା ଦେବ ବିଶ୍ଵନାଥେ

ଅତି ଉଗ୍ରବର ପ୍ରାପତ ହୋଅଇ କି ଯୁଗତେ ।୧୩୪।

ମାଧବ ଚିନ୍ତିଲେକ ଚକ୍ରକୂଟ ବୁଦ୍ଧି

ଯେମନ୍ତ ଦାନବ ମରଣ କରାଇବେ ସିଦ୍ଧି ।୧୩୫।

ଈଶ୍ଵରେ ବିଜେ କଲେ ଉତ୍ତର କୋଣ କାଛେ

ତ୍ରିପୁର ଭେଟିଲେ ଦେବ ପଞ୍ଚମୁଛେ ।୧୩୬।

ତମ୍ଵାଚକ୍ର ପରାୟେ ଭ୍ରମଇ ବେନିଆଖି

ଈଶ୍ଵର ଦେବତାୟେ ଭୟ କଲେ ତାହା ଦେଖି ।୧୩୭।

ତ୍ରିଶୂଳ ବୁଲାଇ ବୋଲଇ ତ୍ରିପୁର

ଆହୋ ଈଶ୍ୱର କେବଣ ପ୍ରକୃତି ହୋଇଲା ତୋହୋର ।୧୩୮।

ଷାଠିୟେ ସହସ୍ର ବରଷ ଦୁଖେ ଅରଜିଲି ତପ

ବାହିଜ ବର ଯାହା ଦିଲୁ ନିରୁତାନ୍ତ କଲୁ ଗୋପ୍ୟ ।୧୩୯।

ଦେବତାୟେ ବସିଣ ନ ଦିଲେ ମୋତେ ମେରୁସଭା

ଯେବେ ମୋତେ ସଞ୍ଚିଲା ତୋର ଚାରି ଭାରିଜା ମୋତେ ଦେବା ।୧୪୦।

ଈଶ୍ଵର ବୋଇଲେ ତୁ ପାମର ଗୋଳଗୁଣ୍ତ

ଆରେ ଗୁରୁପତ୍ନୀ ହରଣ କଲେ ଛେଦନ ହୋୟେ ମୁଣ୍ତ ।୧୪୧।

ତ୍ରିପୁରା ବୋଇଲା ସ୍ଵାମୀ ତୁ ହରିଲୁ ତୋ ନିଜମାତେ

ଈଶ୍ଵର ପଦ ତୋଠାରେ ଗଛଇ କେମନ୍ତେ ।୧୪୨।

ସଦାନନ୍ଦ ବୋଇଲେ ମାଗିଥାନ୍ତୁ ଯଦି କାଲି

ଉଦେ ଅସ୍ତ ପରିଯନ୍ତେ ଯାହା ମାଗିଲୁ ତାହା ଦିଲି ।୧୪୩।

କାଲି ଯଦି ମାଗିଥାନ୍ତୁ ଚାରି ଯେ ଘରଣୀ

ନିଚୟେ ଦେଇଥାନ୍ତି ୟେ ମୋହୋର ସତ୍ୟବାଣୀ ।୧୪୪।

ତ୍ରିପୁର ବୋଇଲା ତୁ ମୋହୋର ପରମ ଗୁରୁ

ଦୁଇ ଭାରିଜା ଦିଅ ମୋତେ କିଂପେ ନାସ୍ତି କରୁ ।୧୪୫।

ଯଦ୍ୟପି ନ ଦେବୁ ମୋତେ ଗଙ୍ଗା ଯେ ଗିରିଜା

କପିଳାସ ଭାଙ୍ଗିତୋର ମୁହିଂ ହୋଇବି ଦେବରାଜା ।୧୪୬।

ଶୁଣିଣ କୋପକଲେ ଦେବ ଶୂଳପାଣି

ୟେ ତୋହୋର ମୃତୁଭେଦ ତୁରେ ନୁଆରିଲୁ ଜାଣି ।୧୪୭।

ତ୍ରିପୁରା ବୋଇଲା ରେ ଆଜ ଛେଦିବି ତୋର ଶିର

ତେବେ ସେ ଈଶ୍ଵରପଦ ହୋଇବ ମୋହୋର ।୧୪୮।

କରେ ଧନୁ ଧରିଣ ସେ ନାରାଜେକ ପୂରୋଇ

ବିନ୍ଧନ୍ତେ ଈଶ୍ଵରଂକ ପାଦତଳେ ପଡ଼ିଲାକ ଯାଇ ।୧୪୯।

ଦେଖି ପ୍ରଜ୍ଵଳିତ ଯେ ହୋଇଲେ ପଞ୍ଚମନୁ

ରାଗେ ବିଶ୍ଵନାଥେ କରେ ଧଇଲେ ଶିବଧନୁ ।୧୫୦।

ପୁଣି ସହସ୍ରେକ ନାରାଜ ସନ୍ଧିଣ ତ୍ରିପୁରା

ଈଶ୍ଵର ଉପରକୁ ବିନ୍ଧଇ ମହାବୀରା ।୧୫୧।

ଗର୍ଜିଣ ନାରାଜମାନ ଅଇଲେକ ଉଡ଼ି

ଈଶ୍ଵର ପାଦତଳେ ସକଳ ଶସ୍ର ପଡ଼ି ।୧୫୨।

ସହସ୍ରେକ ନାରାଜ ବିନ୍ଧିଲେ ଦେବକାଶୀ

ତ୍ରିପୁରକୁ ଚୁମ୍ଵ ଦେଇ ମୁଖେଣ ସମ୍ଭାଷି ।୧୫୩।

ପୁଣି ସହସ୍ରେକ ନାରାଜ ଧରିଣ ତ୍ରିପୁର

ଈଶ୍ଵରଂକ ଉପରକୁ ବିନ୍ଧିଲା ମହାବୀର ।୧୫୪।

ବାୟେବା ଶରେକ ବିନ୍ଧିଲେ ଶୂଳପାଣି

ତ୍ରିପୁର ଶହସ୍ରମାନ ପକାଇଲେ ହାଣି ।୧୫୫।

ଅନ୍ୟୋଅନ୍ୟି ସମରେ ବଢିଲା ମହାରୋଳ

ବାଣ ଜାଳାବଳୀ ବରଷ ଧାର ଶହସ୍ରମାଳ ।୧୫୬।

ଲାଘବ ସମରେ କେହି କାହାକୁହିଂ ନ ଜିଣି

ଦେବ ଶହସ୍ରମାନ ସବୁ ଆଧାନ କଲେ ଆଣି ।୧୫୭।

ଭୂଲୋକ ସ୍ଵର୍ଗଲୋକ ପାତାଳ ଆଦିକରି

ଉଲୁକାପାତ ଜାଣି ଦିଶିଲା ତିନିପୁରୀ ।୧୫୮।

ଅବିଶ୍ରାମ ସମର ଲାଗିଲା ରାତ୍ର ଦିବା

ଆହାର ନିଦ୍ରା ଅବକାଶ ନାହିଂ ଯେ ଅଥବା ।୧୫୯।

ମହା ରଣଗୋଳ ଯେ ଲାଗିଲାକ ଅପ୍ରମିତେ

ସମର ବଢିଲା ଷାଠିୟେ ସହସ୍ର ବରଷ ପରିଯନ୍ତେ ।୧୬୦।

ଯୁଦ୍ଧେଣ ବିମୁଖ ସେ ପାଇଲେ ତ୍ରିଲୋଚନ

ଦେବି ଦେବି ଭାରିଜାନ୍ତ ଭାଳନ୍ତି ପଞ୍ଚୁମନ ।୧୬୧।

ବିଘ୍ନରାଜେ ଜାଣିଲେ ବିଶ୍ଵନାଥଂକ ମତି

ବୋଇଲେ ସ୍ଵାମୀ ସମରେ ଶ୍ରମ ପାଇଲ କି ପଶୁପତି ।୧୬୨।

ଈଶ୍ଵରେ ବୋଇଲେ ବାବୁ ମୁହିଂ ବିନ୍ଧଇ ଯେତେ ଶର

ସମସ୍ତ ଚୂର ହୋଅଇ ତ୍ରିପୁର ଶରୀର ।୧୬୩।

ବିଘ୍ନରାଜ ବୋଇଲେ ୟେହାର ଶରୀରେ ଖଞ୍ଜିଲ ବଜ୍ରର ଛଉଂରୀ

ତେଣୁ କରି ଶସ୍ର ମାନ ନ ଭେଦନ୍ତି ୟେହାର ଶରୀ ।୧୬୪।

ୟେବେ ତୁ କେମନ୍ତ ବିଚାର କରୁ ଦେବ ମନେ

ଦୁଇ ଭାରିଜା ଦେବି ବୋଲି ବୋଇଲେ ଈଶାନେ ।୧୬୫।

ଆପଣେ ଦେବଇଂ ଯେ ବାରାହୀ ବସୁମତୀ

ତେବେ ସେ ଦଇତ ଯେ ହୋଇବ ତ୍ରିପୁତି ।୧୬୬।

ଆଥବା ତ୍ରିପୁତି ଯେବେ ନୋହିବ ତ୍ରିପୁରା

କଷ୍ଠୋର କଲେ ଦେବି ଗଙ୍ଗା ଯେ ଗଉରା ।୧୬୭।

ବିଘ୍ନରାଜ ବୋଇଲେ ତୁମ୍ଭଂକୁ ସେହୁ ସେବି

ତାହାନ୍ତ ପାଇଲେ ତ୍ରିପୁର ହୋଇବ ତ୍ରିଜୀବୀ ।୧୬୮।..

ସ୍ଵାମୀ ୟେ କଥା ଯୁଗତ ନୁହଇଂ କଦାଶ୍ଚିତେ

ମୋହୋର ତହୁଂ ଶୁଣ ତ୍ରିପୁରା ବଧ ହୋଇବ କେମନ୍ତେ ।୧୬୯।

ସ୍ଵାମୀ ୟେ ଶହସ୍ରମାନ ଯେ ଘେନିଲା ତୋର ତହୁଂ

ତେଣୁ ସେ ବଧ ପୁଣ ହୋଇବ ହାଦେ କାହୁଂ ।୧୭୦।

ସ୍ଵାମୀ ସ୍ଵର୍ଗରୁ ଶହସ୍ରମାନ ଆଣ ୟେହିକ୍ଷଣ

ତେବେ ସେ ତ୍ରିପୁରାର ହୋଇବ ମରଣ ।୧୭୧।

ବ୍ରହ୍ମା ବିଷ୍ଣୁ ଦେବଇନ୍ଦ୍ର ଆଉ ଚନ୍ଦ୍ର ସୂର୍ଯ୍ୟ

ପବନ ଅନଳ ଆଦିକରି ଆଣ ଦେବରାଜ ।୧୭୨।

ବିଘ୍ନରାଜଂକର ବୋଲେ ଦେବ ଯେ ଧୂର୍ଜଟୀ

ସମରିଲେ ଦିଗପାଳେ ଦେବତା ତେତିଶ କୋଟି ।୧୭୩।

ସଦାନନ୍ଦ ସୁମରନ୍ତେ ଅଇଲେ ବୃନ୍ଦାଅର୍କେ

ଆକାଶ ଗଙ୍ଗାକୂଳେ ଭାଳନ୍ତି ଦେବଲୋକେ ।୧୭୪।

ବିଘ୍ନରାଜ ବୋଇଲେ ଆମ୍ଭେ ନାଶକରିବା ତ୍ରିପୁର

ଆପଣେ ନାରାୟଣ ହୋଇବ ତୁମ୍ଭେ ଶର ।୧୭୫।

ବିଷ୍ଣୁର ଶରେ ଫଳ ହୋଇବ ବଇଶ୍ୟାନର

ପବନ ପଞ୍ଚୁପକ୍ଷୀ ହୋଇ ଲାଗିବ ତହିଂର ଉପର ।୧୭୬।

ଅନାଦି ଧନୁ ଆରଦ୍ରାବଳୀ ଯେ ହୋଇବ

ସେ ଶହସ୍ର ଘେନିକରି ଈଶ୍ଵର ବିନ୍ଧିବ ।୧୭୭।

ରକ ଯଜୁ ସାମ ଅଥର୍ବ ଯେ ଦେବ ଚାରି

ୟେହି ଅଶ୍ଵହୋଇ ଶୂନ୍ୟ ଚାଲିବେ ବେଗକରି ।୧୭୮।

ଉତ୍ତର ଦକ୍ଷିଣ ପୂର୍ବ ପଛିମ ଚାରିଦିଗ ରୁଣ୍ତ

ୟେ ଚାରିହେଂ ରଥକୁ ହୋଇବେ ଚାରିକାଣ୍ତ ।୧୭୯।

ଆବର୍ତ୍ତକ ସଂବର୍ତ୍ତକ ଦ୍ରୋଣ ଯେ ପୁଷ୍କର

ୟେ ଚାରିମେଘ ରଥକୁ ହୋଇବେ ଚାରିପୀଢ ।୧୮୦।

ସତ୍ୟ ତ୍ରେତୟା ଯେ ଦ୍ଵାପର ଯୁଗ କଳି

ୟେହି ଚାରିହେଂ ହୋଇବେ ରଥକୁ ଚାରିଚକ ଫଳି ।୧୮୧।

ମଧ୍ୟପୁର ଭୂମି ସୟଳ ବସୁନ୍ଧରୀ

ଦ୍ୟାବା ପୃଥିବୀ ହୋଇବ ରଥଚକ କଢି ।୧୮୨।

ହିମବନ୍ତ ମାଲ୍ୟବନ୍ତ ବିନ୍ଧ୍ୟମାଳ ଗନ୍ଧ ଯେ ମାଦନ

ୟେ ଚାରିନ୍ତ ରଥକୁ ଖୁରାକଲେକ ତ୍ରିଲୋଚନ ।୧୮୩।

ଦେବେ ଯେ ଚଳନ୍ତି ପିତାମହର ବୋଲେ

ଆପଣେ ବ୍ରହ୍ମା ରଥକୁ ସାରଥି ହୋଇଲେ ।୧୮୪।

ଅଷ୍ଟକୁଳା ନାଗେ ରଥକୁ ହୋଇଲେ ଦଉଡ଼ି

ତେତିଶକୋଟି ଦେବତାୟେ ଧର ଧର ମାର ମାର

ବୋଲି ବୋବିପାଡ଼ି ।୧୮୫।

ତ୍ରିପୁରାକୁ ଈଶ୍ଵର ସମରେ ନୁଆରିଲେ

ବେନି ଭାରିଜା ଦେବି ବୋଲି ଶାନ୍ତ କରାଇଲେ ।୧୮୬।

ରାତ୍ରେଣ ଗଜାନନ ୟେସନେକ କଲେ କୂଟବୁଦ୍ଧି

ସମର ଆରମ୍ଭିଲେ କଥାକରି ସନ୍ଧି ।୧୮୭।

ଈଶ୍ଵର ରଥୀ ହେଲେ ବ୍ରହ୍ମା ସାରଥି ହୋଇଲେ

ତ୍ରିପୁରା ଛାମୁରେ ଯାଇଂ ଈଶ୍ଵର ମିଳିଲେ ।୧୮୮।

ଦୂରେ ଥାଇକରି ଦେଖିଲା ଯେ ଅସୁର ତ୍ରିପୁରା

ଈଶ୍ଵରଂକ ମୂରତି ଦେଖିଲା ସ୍ଵର୍ଗଧାରା ।୧୮୯।

ଭୟ ଉପୁଜିଲା ମନେ ତ୍ରିପୁରା ବିଚାରିଲେ

ନିଚୟେ ହାତୀମୁଣ୍ତା ମୋ ମୃତୁ ଭେଦଟି କହିଲା ।୧୯୦।

ବୃଷଭ ବାହାନେ ଯେ ପଳାଇଲା ତ୍ରିପୁର

ଗଗନେ ଖେପିଲେ ରୁଦ୍ର ଗୋଡ଼ାବନ୍ତି ଖର ।୧୯୧।

ଜଗନ୍ନାଥ ବୋଇଲେ ସ୍ଵାମୀ ୟେ ସ୍ଵର୍ଗଧାରା ଦେବଶର

ୟେକାବେଳକେହିଂଟି ପେଷିବ ନିରାଧାର ।୧୯୨।

ସ୍ଵାମୀ ନାଭିଗର୍ଭର ଗମ୍ଭୀରେ ଯେ ନ ପଶିଲା ବଜ୍ରଛଉଂରୀ

ୟେଠାବକୁ ଶର ଯେ ବିନ୍ଧ ଶୂଳଧାରୀ ।୧୯୩।

ସ୍ଵାମୀ ବିଷ୍ଣୁ ଅଗ୍ନିଫଳ ପବନ ଦେବତା

ଅନ୍ୟ ଠାବରେ ପଡ଼ିଲେ ନାଶ ନୋହିବ ଦଇତା ।୧୯୪।

ଦେବଶର ବେଳକେଟି ହୋଇ ପରାପତ

ନାଭିକି ଦେଖି ନାରାଜଗୋଟି ବିନ୍ଧିବ ବିଶ୍ଵନାଥ ।୧୯୫।

ଦୁର୍ଗାମାଧବ ସୁମରି କର ତୁ ଅନକୂଳ

ବିଜୟେ ବିନାୟକ ରଥର ଧ୍ଵଜର ।୧୯୬।

ତ୍ରାସେ ପଳାଇଲା ଯେ ନର ଚାଣ୍ତାଳ ତ୍ରିପୁର

ପବନୁଂ ବେଗେ ଯେ ଗୋଡ଼ାବନ୍ତି ଦେବହର ।୧୯୭।

ଅନ୍ତରୀଛେ ପଳାବଇ ନଚାହିଂ ଲେଉଟି

ନାଭି ନ ଦିଶଇ ନାରାଜ ବିନ୍ଧନ୍ତି ଧୂର୍ଜଟୀ ।୧୯୮।

ତିରିଶି ସହସ୍ର ବରଷ ଯୁଦ୍ଧ କଲା ପ୍ରଥମେ

ତିରିଶ ସହସ୍ର ବରଷ ପଳାଇଲା ମହାଶ୍ରମେ ୧୯୯।

ୟେମନ୍ତେ ଯୁଦ୍ଧ ଷାଠିୟେ ସହସ୍ର ବରଷ ସମ୍ଵତ୍ସର

ପୂରୋଇ ଶହସ୍ର ଯେ ନ ପେଷନ୍ତି ଦେବହର ।୨୦୦।

ନିଦାଘର କାଳ ଯେ ବଇଶାଖ ମାସ

ଶୁକ୍ଳପକ୍ଷ ଉତ୍ତମବାର ଦ୍ଵାଦଶୀ ଦିବସ ।୨୦୧।

ହସ୍ତାନାମ ନକ୍ଷତ୍ର ଯେ ଭୋଗ ସେ ଦିନର

ବେଳ ହୋଇଅଛି ଅଷ୍ଟାଦଶ ଦଣ୍ତର ।୨୦୨।

ତ୍ରିପୁରା ପଳାଇ ନୁଆରି ରହିଲାକ ଫୁଟି

ବିଘ୍ନରାଜ ବୋଇଲେ ଦେବ ଶରବିନ୍ଧ ହେ ଧୂର୍ଜଟୀ ।୨୦୩।

ମହା ବଇଷ୍ଣବୀ ଅଟେ ମହା ତୀକ୍ଷବାଣ

ନାମ ଧରି ବୋଇଲେ ପଡ଼ ତ୍ରିପୁରା ନାଭିରେଣ ।୨୦୪।

ଶତେକୋଟି କିରଣଟି ଯେଉଂଣ ଶରତେଜ

ନାଭିରେ ପଡ଼ନ୍ତେ ତ୍ରିପୁରା ହୋଇଲା ଦହିଜ୍ୟ ।୨୦୫।

ତ୍ରଇଲୋକ୍ୟେ ଶୁଭିଲାକ ଜୟେ ଜୟେ ବାଣୀ

ତ୍ରିପୁରା ଧଂସନ ନାଥ ଜୟ ତୁ ଶୂଳପାଣି ।୨୦୬।

ତବ ପଦ୍ମପାଦେ ବିନୟେ ଭଗତି

ଦେବ ଦାନବ ଆଦିକରି ସମସ୍ତେ ତୋଷମତି ।୨୦୭।

ମେରୁଶିଖେ ସଭାକରି ବସିଲେ ସମସ୍ତ ଦଇବତେ

ତ୍ରିପୁରକୁ ବଧ କରି ବିଜେ ବିଶ୍ଵନାଥେ ।୨୦୮।

ସାନନ୍ଦେ ଆରୋପଣ କଲେ ତାଣ୍ତବ ଯେ ନୃତ୍ୟ

ଦେଖିଲେ ସାନନ୍ଦେ ଦେବ ଦାନବମାନନ୍ତ ।୨୦୯।

ଆପଣେ ପିତାମହ କରେ ବାଇଲେ ମର୍ଦ୍ଦଳ

ଇନ୍ଦ୍ର କଂସାଳ ଧଇଲେ ପବନ ଧଇଲେ କାହାଳ ।୨୧୦।

ନାରାୟଣ ତାଳ ଧରି ଗାଇଲେ ମଧୁର ସଂଗୀତା

କୁବେର ବୀଣା ଯେ ସପତସ୍ଵର ଜିତା ।୨୧୧।

ବସନ୍ତ ବଇଂଶୀ ଯେ ଅନଙ୍ଗ ସରଗୁଣା

ବିନାୟକ ଧଇଲେ ଯେ ପିନାକ ବ୍ରହ୍ମବୀଣା ।୨୧୨।

ଉଂକାର ଶବଦ ସୁରସ ସୁସ୍ୱରେ ଆଳାପନ୍ତି

ନୃତ୍ୟ ଆରମ୍ଭଣେ କାଛେଣୀ ପଶୁପତି ।୨୧୩।

ସବୁ ଦେବତାଂକ ମନେ ଆନନ୍ଦ ଅପାର

ବୀଣାନାଦ ଶବଦେ ନାଚନ୍ତି ନୃତ୍ୟକାର ।୨୧୪।

ଦେବତାୟେ ଭାସ୍କର ନିଦାଘ ଉଦିତ କିରଣ ଜ୍ୟୋତି

ରୁଦ୍ର ଦେବତାର ଶିରେ ମୁକୁଟ ବାନ୍ଧନ୍ତି ।୨୧୫।

ନିଦାଘ ଉଦୟେ କି କିରଣ କୋଟି କୋଟି

ରୁଦ୍ରଦେବତାଂକ ଫଣୀ ମୁକୁଟଗୋଟି ।୨୧୬।

କାମ୍ୟକ ଚଞ୍ଚଳା ମୋହିନୀ ବିଦ୍ୟାଧର ଗୀତି

ଷୋଳସହସ୍ର କଳା ଚନ୍ଦ୍ର ଲଲାଟେ ବିରାଜନ୍ତି ।୨୧୭।

ଶଙ୍ଖପଦ୍ମ ମହାପଦ୍ମ ତକ୍ଷକ କର୍କୋଟକ

ବାସୁକୀ କୁଳିକ ଅଷ୍ଟକୁଳା ନାଗଲୋକ ।୨୧୮।

କର୍ଣ୍ଣାଞ୍ଚଳ ବାହୁଟି ଯେ ଅଷ୍ଟକୁଳା ନାଗେ

ଅନନ୍ତ ନାଗ ମେଖଳା ଲାଗେ କଟିଭାଗେ ।୨୧୯।

କାଳ କାମ ରୁନ୍ଧେକ ଛନ୍ଧେକ ବନ୍ଧକ ପଞ୍ଚୁମୁଦ୍ରା

ୟେକବିଂଶ ପ୍ରୋଛନା ତିମ୍ଵୁର ନାମ ମୁଦ୍ରା ।୨୨୦।

ବେନିଲକ୍ଷ ପର୍ବତ ଘାଘୁଡ଼ିମାଳ ବେନିପାଦେ

ନବଲକ୍ଷ ଡମ୍ଵରୁ ବାଜଇ ଶୂନ୍ୟମାର୍ଗେ ମହାନାଦେ ।୨୨୧।

ନାଚନ୍ତେ ବାଦନ୍ତେ ଯେ ଟଳଟଳିତ ମେରୁ

ଧରଣୀ କମ୍ପଇ ଯେ ଅନନ୍ତ ନାଗ ଫେରୁ ।୨୨୨।

ସଙ୍ଗମ ଅଲେଖ ନିରେଖ ନନ୍ଦନ ପିଙ୍ଗଳ ପଞ୍ଚୁଜଟା

ମହାତାଣ୍ତବ ନାଟେ ଯେ ଚଳିତ ଭ୍ରୂକୁଟା ।୨୨୩।

ସମ୍ପୂର୍ଣ୍ଣ ମହାବ୍ରହ୍ମ ଗ୍ୟାଂନରେ ନିରିଜିତା

ପିଙ୍ଗଳ ମୁର୍ଦ୍ଧନା ଦିଗବସନ ଅଟେ କଛା ।୨୨୪।

ତ୍ରିପୁର ବିଦାରଣ ଚରଣେ ନମସ୍ତେ

ଇଦଂଭୂତ ଭାବୁଂ ତଲୟେ ମମ ହୃଦଗତେ ।୨୨୫।

ସୁରବର ନାଥ ଚରଣ ଭାବୁଂ ହୃଦେ

କୁତୂହୋଳ ପୁରୁଷ ନାଥ ସଦାନନ୍ଦେ ।୨୨୬।

ବହଇ ସହସ୍ରଧାର ଶିରେ ଧବଳାଙ୍ଗୀ

ଶୁଦ୍ଧ ସଷ୍ଟିକ ବର୍ଣ୍ଣ ଅଟୁ ପରମ ଯୋଗୀ ।୨୨୭।

ସେବକ ଜନକଇଂ ଦୋଉ ତୁ ସୁଖାସନ ଦଣ୍ତଛତ୍ର

ଆପଣେ ବଇଲ ବାହାନେ ବିଜୟେ ବିଶ୍ଵନାଥ ।୨୨୮।

ତ୍ରିପୁର ବିଧଂସି ଦେବତାଂକ ମନରଞ୍ଜି

ଅନେକ ସାନନ୍ଦେ ଯେ ଅମୃତକୁଣ୍ତ ଭୁଞ୍ଜି ।୨୨୯।

ଚଳିଲେ ଦେବତାୟେ ଯେ ଯାହା ଭୁବନ

କପିଳାସ ବିଜେକଲେ ଦେବ ତ୍ରିଲୋଚନ ।୨୩୦।

ତ୍ରିପୁର ବିନାଶନେ ସାନନ୍ଦ ହୋଇଲେ ଦେବୀ

ଅନେକ ଉତସଲ୍ୟ କଲେକ ଦିବିଭୁବି।୨୩୧।

ଇତି ଶ୍ରୀ ଶିବ ପୁରାଣ ବାକ୍ୟ ଯେ ସଂଗତେ

ମୁହିଂ ୟେହା ବଞ୍ଚାଇଲି ସଂସାର ଜନହିତେ ।୨୩୨।

ତ୍ରିପୁର ବଧ ଯେ ଶ୍ରବଣେ ଶୁଣନ୍ତି ୟେକମନେ

ପାବନ୍ତି କପିଳାସନ ନ ଭେଟନ୍ତି ଯମଗଣେ ।୨୩୩।

ଶ୍ରୀ ବିଶ୍ଵନାଥ ବାରାଣସୀ ପୁର ନିତ୍ୟେ

ଜନ୍ମେ ଜନ୍ମେ ଅଭ୍ୟାସଇ ଶରୀର ଅନୁବ୍ରତେ ।୨୩୪।

ମୁହିଂ ରୁଦ୍ରଗଣ ନନ୍ଦିକେଶ୍ଵର କଳା

ଶୁଦ୍ରମୁନି ସାରୋଳା ଦାସ ରୁଦ୍ରଗଣ ସଙ୍ଗେ ମେଳା ।୨୩୫।୧୦୮୩।

 

ଯୁଧିଷ୍ଠିରଙ୍କ ବିରାଟ ସଭାକୁ ଗମନ

କହନ୍ତି ଅଗସ୍ତି ମୁନି ବ୍ରହ୍ମବେତ୍ତା

ଅଷ୍ଟଦଶ ପର୍ବେ ଯେ ବିରାଟ ପର୍ବ କଥା ।୧।

ଧର୍ମର ଆଗ୍ୟାଂ ଯେ ଅଲଂଘିତ ଶିରେ

ଅଗ୍ୟାଂତ ବନବାସ ପାଣ୍ତବଂକ ମଛଦେଶରେ ।୨।

କୀଞ୍ଚେକର ଭାରା ଯେ ସହି ନୁଆରଇ ପୃଥୀ

ତାହାର ବଧ ନିମନ୍ତେ ପାଣ୍ତବଂକୁ ୟେତେ ଶାସ୍ତି ।୩।

ଯୁଝେଷ୍ଠି ଦେବେ ବୋଇଲେ ଭୀମ ଯାଅ ବିରାଟ ସଭାକୁ

ବିରାଟ ଚିହ୍ନି ପାରଇ କି ନୁଆରଇ ତୁକୁ ।୪।

ଯେବେ ତୋତେ ଚିହ୍ନି ନୁଆରେ ବିରାଟର ନାହା

ଯିବା ବିରାଟ ରାଜ୍ୟକୁ ତୁ ଆଗେ ହୋଇ ଯାଆ ।୫।

ଭୀମସେନ ବୋଇଲା ଆଗେ ଯେବେ ଯିବି

ବିରାଟ ସଭାରେ ମୁଂ କାହା ମୁଖ ଚାହିଂ ସମ୍ପାଦ କହିବି ।୬।

ଜାଣି ବିରାଟ ନ କଲେ ଗଉରୋବ

ସ୍ଵାମୀ ଆମ୍ଭର କୋପରେ ସେ ନିଚୟେ ନାଶଯିବ ।୭।

ତୁମ୍ଭେ ବସିବ ଯାଇ ବିରାଟ ଆସ୍ତାନେ

ସମସ୍ତ ସିଦ୍ଧ ହୋଇବ ତୁମ୍ଭର ଦରଶନେ ।୮।

ଭୀମସେନର ବଚନେ ସଜ ହୋଇଲେ ଦେବ କୋନ୍ତେ

ସଭାପଣ୍ତା ରୂପ ଧଇଲେ ଗୋପ୍ୟାନେ ନିମନ୍ତେ ।୯।

ଲମ୍ଵିତ ଜୂଡ଼ା ଯେ ତ୍ରିକଛ ବସନ

ତ୍ରାମ୍ରବସ୍ର ପରିହରଣ ବିଭୂତି ଶରୀରେ ଲେପନ ।୧୦।

ସଉରୋବ ତମ୍ଵାପାତ୍ରୀ କରେଣ ବେଦ ଯେ କରାଣ୍ତି

ଦ୍ଵାଦଶ ଚିତା ଶ୍ରୀବତ୍ସ ଲାଞ୍ଚ୍ଥନ ବାମକରେ କୁଶବିଡ଼ି ।୧୧।

ଦେବ ସମାର୍ଜନେ କାଖେ ବିଷ୍ଣୁପୁରାଣ ଯେ ପୋଥି

ବାମେ କାନ୍ଧେଣ ପଇତା ଉତ୍ତୁରୀ ପଡ଼ିଅଛି ।୧୨।

ଶ୍ରୀକରେ ପଞ୍ଚମୁଖୀ ରୁଦ୍ରାକ୍ଷ ଡ଼ାହାଣାବ୍ରତେକ

ଚାଲନ୍ତେ ଜଗୁଜନ ମୋହୋଇ ତିନିଲୋକ ।୧୩।

ନିରାକାର ପୁରୁଷ ନାଥ ଧର୍ମରାୟେ ଯେ ଯୁଝେଷ୍ଠି

ପବିତ୍ରା ଉତ୍ତରୀ ଯେ ଅଙ୍ଗୁଷ୍ଠିରେ କୁଶଗଣ୍ଠି ।୧୪।

ମନୁ ସମ୍ଭାଷଣେ ଯେ ଗୋପ୍ୟାନ ଦୋହୋରା

ଅଜପା ଗାୟତିରୀ ପବିତ୍ର ବ୍ରହ୍ମସୋରା ।୧୫।

ୟେହେନ୍ନେକ ହୋଇଣ ବ୍ରାହ୍ମଣ ଦିବ୍ୟବେଶ

ପଣ୍ତୁର ନନ୍ଦନ ଯେ ଗମଇ ମଛଦେଶ ।୧୬।

ପଣ୍ତିତ ରୂପଗୋଟି ଧଇଲେ ଧର୍ମବାଳ

ସୁମରନ୍ତି ଦଧିବାବନ ସର୍ବ ଯେ ମଙ୍ଗଳ ।୧୭।

ପଛିମ ମୂରତି ହୋଇଲେ ବାଞ୍ଚ୍ଥାବଟର ତଳେ

ସୁମରନ୍ତି ବାକ୍ୟଦେବୀ ଶ୍ରୀ ସର୍ବ ସାରୋଳେ ।୧୮।

ଧନୁମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ଗୁରୁବାର

ପୁନର୍ବସୁ ନକ୍ଷତ୍ର ଅଟଇ ସେ ଦିନର ।୧୯।

ତଇତିଳ ନାମେ କରଣ ଇନ୍ଦ୍ରନାମେ ଯୋଗ

ତାରଚନ୍ଦ୍ର ବେଳେଣ ରୋହିଣୀ ଘରେ ଭୋଗ ।୨୦।

ବିଜୟେ ଧର୍ମନନ୍ଦନ ଶୁଭଯୋଗ ଘେନି

ଲଳିତ ପାଦଗତି ଜଳେ ହଂସ ଜାଣି ।୨୧।

ଧର୍ମନନ୍ଦନ ଚାଲନ୍ତେ ପୃଥିବୀ ଶୋହଇ

ମତ୍ତଗଜ ଲୀଳା ତ୍ରଇଲୋକ୍ୟ ଜନ ମୋହଇ ।୨୨।

ଦ୍ରହସିତ ବଦନେ ପକ୍ଵବିମ୍ଵ ଅଧର ପରକାଶ

ମଛଦେଶେ ଯାଇ ହୋଇଲେ ପରବେଶ ।୨୩।

ନଗ୍ରେ ଚାଲନ୍ତେଣ ଦେଖନ୍ତି ପୁରଜନେ

ଅମରାଧିନାଥ କି ବିଜୟେ କଲେ ମଘବାନେ ।୨୪।

କେବଣ ଦେଶୀ ୟେ ଆସି ମଧ୍ୟପୁରେ ପଶି

ମନୁଷ୍ୟ ଅବତାର ତ ସରୂପ ନ ଦିଶି ।୨୫।

ସମ୍ଭର୍ବେ ଆସ୍ତାନେ ବିଜୟେ ମଛପତି

ବାମଦେବ ପୁରୋହିତ ଯାଚକେଶ୍ଵର ମନ୍ତ୍ରୀ ।୨୬।

ବତିଶଲକ୍ଷ ଯୋଦ୍ଧା ତିନିଶତ ପାରିଦଣ୍ତ

ଚାରିଲକ୍ଷ ଆଲମ୍ଵ ତିନିଲକ୍ଷ ଚାମର ପ୍ରଚଣ୍ତ ।୨୮।

ସାତକ୍ଷଉଣୀ ବଳ ଯେ ଅଛନ୍ତି ପଟୋଆରୀ

ତିନି ଅହିବ୍ରତ ବୀରତୂର ବାଦ୍ୟନାଦ ପୂରି ।୨୯।

ଲକ୍ଷେକ ଶଙ୍ଖ ଯେ ଫୁରଇ ଆସ୍ତାନର ତଳେ

ପାଣ୍ତବ ସୁନ୍ଦର ଯାଇଂ ବିଜୟେ ଧର୍ମବାଳେ ।୩୦।

ଦ୍ଵାରେଣ ଉଭା ଯେ ହୋଇଲେ ଯୁଝେଷ୍ଠି

ଆସ୍ତାନର ଲୋକେ ଯେ ହୋଇଲେ ୟେକଦୃଷ୍ଟି ।୩୧।

ଭୟେଣ ଦ୍ଵାର ଯେ ଛାଡ଼ିଲେ ଦ୍ଵାରପାଳ

ବିରାଟ ବୋଇଲେ ୟେ କେବଣ ଦିଗପାଳ ।୩୨।

ଯଶୋବନ୍ତୀପୁର ତେଜି କି ବିଜେକଲେ ବେଦବ୍ରହ୍ମା

ଅଲେଖ ବୋଧନ କି ୟେ ଗୁଣସାଗର ମହାତମା ।୩୩।

ଅଳକାର ନାଥ କି ୟେ ଅଟଇ କୁବେର

ଅମରାଧିନାଥ କି ୟେ ବିଜେ ସୁରେଶ୍ଵର ।୩୪।

କି ଅବା ଈଶ୍ଵରେ ୟେ କପିଳାସବାସୀ

ବାହାନ ଅଭାବେଣ କି ପାଦେ ଗମିଆସି ।୩୫।

ବିରାଟର ଅଗ୍ରତେ ଯେ ମନ୍ତ୍ରୀବର ପ୍ରକାଶଇ

ମୃଦ୍ଧନା ଅଭିଷେକୀ ପ୍ରାୟେକ ଦିଶଇ ।୩୬।

ମୃଦ୍ଧନା ଅଭିଷେକୀ ହୋଇ ପାଦେଣ ନ ଚାଲି

ରାଜ୍ୟଭ୍ରଷ୍ଟ ରାଜାପ୍ରାୟ ବିଚାର ମୁହିଂ କଲି ।୩୭।

ଆକୁଞ୍ଚିତ କେଶ ଯେ ମକରନ୍ଦ ବର୍ଣ୍ଣ

ରସାଣିଲା କଣୟ ପ୍ରାୟେକ ଲଲାଟ ଘଟଣ ।୩୮।

ନୀଳାରେଖ ପ୍ରାୟେ ତଥିର ରୋମାବଳୀ

ହରିଣ୍ୟ ଉପରେ ଯେ ନୀଳାରେଖ ଝଳି ।୩୯।

ଖଗବର ଚଞ୍ଚୁଜାଣି ନାସା କଟି କଣୟ ମେଖଳା

ଗୁଞ୍ଜଫଳ ଜାଣି ଚଳନ୍ତି ବେନି ଡୋଳା ।୪୦।

ପଂକୁବିମ୍ଵ ପ୍ରାୟେକ ଦିଶଇ ଅଧର

ଡ଼ାଳିମ୍ଵ ବୀଜ ଜାଣି ଦଶନ ଶୋଭାକର ।୪୧।

ଘଟଣ ହୀରା ପ୍ରାୟେକ ଶୋହେ ଗଣ୍ତସ୍ଥଳ

ବିସ୍ତାର ବକ୍ଷସ୍ଥଳ ଉଛର୍ଗ ବୃଷାଳ ।୪୨।

କୁଞ୍ଜର ହାଥ ଜାଣି ବେନିବାହା ଦିଶି

ଚମ୍ପେକ କଢି ଜାଣି ଅଙ୍ଗୁଳି ବିକାଶି ।୪୩।

ଶୁଦ୍ଧ ସଷ୍ଟିକ ଜାଣି ଦିଶଇ ଦଶନହ

କୁଂକୁମ ବର୍ଣ୍ଣ ଜାଣି ସୁବଳିତ ଦେହ ।୪୪।

ପୃଥୁଳ ପ୍ରାୟେକ ବପୁ ଶୋଭା ଦିଶଇ ଯେ କୁଛୀ

ଗଭୀର ନାଭିକୁନ୍ଦ ଘଟଣ ଜାଣି ଗଛି ।୪୫।

ଉଲଟ ରାମ କଦଳୀ ଜାଣି ଶୋହଇ ବେନିଜାନୁ

ସଂକୀର୍ଣ୍ଣ ମଝା ଯେ ଅଳପ ଢଳଇ ତନୁ ।୪୬।

ଅୟେଂଳା ପୁଷ୍ୟ ପ୍ରାୟେକ ପାଦ ତଳିପାର କାନ୍ତି

ଘଟଣ ପୋୟେଳା ଜାଣି ଅଙ୍ଗୁଷ୍ଠି ବିରାଜନ୍ତି ।୪୭।

ତରାଟ ପାଖୁଡ଼ା ପ୍ରାୟେକ ଦିଶଇ ଲଖରେହ

ମାନବ ଜନ୍ମ ପ୍ରାୟେକ ନୋହୋଇ ୟେହାଂକର ଦେହ ।୪୮।

ଆସ୍ତାନ ଯାକେ ସମସ୍ତେ ତହିଂ କଲେ ମହାଭୟେ

ଉପରେ ଉଠିଲେ ଯାଇଂ ତପୋଧନ ପ୍ରାୟେ ।୪୯।

ମନ୍ତ୍ରୀ ବୋଇଲେ ଦେବ ଉଠ ଉଠ ହୋ ବିରାଟ

ଆଜ ତୁ ପାଇଅଛୁ ମହାତ୍ମା ପୁରୁଷର ଭେଟ ।୫୦।

ଦେବ ବିପ୍ର ତପୋଧନ ଦେଖିଲେ କରି ପୂଜା

ମନ୍ତ୍ରୀବର ବଚନେ ଯେ ଉଠିଲା ମହାରାଜା ।୫୧।

ଭୟେଣ ମହାରାଜା ଉଭା ଆସ୍ତାନ ଛାଡ଼ି

ବିରାଟର ଆସ୍ତାନେ ବସିଲେ ରାୟେ ମାଡ଼ି ।୫୨।

ଆସ୍ତାନରେ ବସନ୍ତେ ନିରଞ୍ଜନର ସାରିଛ

ଦେଖିଣ ପ୍ରଳମ୍ଵ ଯେ ହୋଇଲେ ରାୟେ ମଛ ।୫୩।

ସମସ୍ତେ ପ୍ରଣପତ୍ୟ ହୋଇଲେ ଯୁଝେଷ୍ଠିଂକ ପାଦତଳେ

ସମସ୍ୟା ନ ଫିଟଇ ଚାହାନ୍ତି ବେନିଡ଼ୋଳେ ।୫୪।

ସମସ୍ତେ ମଉନବ୍ରତ କାହାର ନ ଫୁରଇ ବାଣୀ

ମସ୍ତକେ ହାଥଦେଇ ଭୃତ୍ୟର ଭୃତ୍ୟ ଜାଣି ।୫୫।

ମନ୍ତ୍ରୀବର ବୋଇଲା ଦେବ ସମସ୍ୟା କର ରାୟେ

ବିରାଟ ବୋଇଲା ମୋତେ ଲାଗୁଛି ବଡ଼ ଭୟେ ।୫୬।

ଭୋ ମନ୍ତ୍ରୀ ତୁ ତାହାଂକୁ କହ ତୁସ୍ତିବାଣୀ

କିସ ଉତ୍ତର କହନ୍ତି ତୋହର ବଚନ ଶୁଣି ।୫୭।

ମନ୍ତ୍ରୀ ବୋଇଲା ତୁମେ ରାଜ୍ୟର ଅଧିକାରୀ

ସେମାନେ କି ସମସ୍ୟା ଦେଇତ ଆମ୍ଭେ ପାରି ।୫୮।

ବେନିକର ଯୋଡ଼ି ଛାମୁରେ କହଇ ବିରାଟ

ଗୋସାଇଂ କେବଣ ଭୁବନର ଠାକୁର ତୁମେ ଅଟ ।୫୯।

କେବଣ ଦିଗପାଳ କେବଣ କୁଳଜାୟେ

କେବଣ ରାଷ୍ଟ୍ର କେ ଅଟଇ ପିୟର ମାୟେ ।୬୦।

ବଦୟନ୍ତି ଧର୍ମସୁତେ ଶୁଣ ଭୋ ମଚ୍ଛପତି

ପଛିମ ସଉରାଷ୍ଟ୍ରେ କୁଞ୍ଜଗଳ ଚକ୍ରବତୀ ।୬୧।

ବଇରାଷ୍ଟ ଗୋତ୍ର ଧର୍ମଦାସ ପଣ୍ଡାୟେ ଆମ୍ଭ ପିତା

ଭୋଜର ନନ୍ଦିନୀ ମାହେଶ୍ୱରୀ ଆମ୍ଭର ଯେ ମାତା ।୬୨।

ବେଦ ଶାହାସ୍ରେ ନିର୍ଜିତା ସୁବାକ୍ୟ ସୁଧର୍ମ

ଜନରଞ୍ଜନ ଭାବକୁ କୋନ୍ତପଣ୍ଡା ଆମ୍ଭ ନାମ ।୬୩।

ହସ୍ତିନା ଠାକୁର ଦେବ ଯେ ଯୁଝେଷ୍ଠି ନୃପତି

କଉତୁକେ ପଶାଖେଳ ଖେଳାଇଲ ମାନଚକ୍ରବତୀ ।୬୪।

ପଶାଖେଳେ ଯହିଂ ହାରିଲେ ରାଜ୍ୟଭାର

ଦ୍ୱାଦଶ ବରଷ ଯେ ସେ ବୁଲିଲେ ବନଘୋର ।୬୫।

ଆମ୍ଭେ ସେ ଯୁଝେଷ୍ଠିଂକର ସଭାପଣ୍ଡା ହୋଉ

ଧର୍ମ ବିଚାରନ୍ତେ ଆମ୍ଭେ ୟେକଆତ୍ମା ସେହୁ ।୬୬।

ୟେକଭୂତ ହୋଇ ଆମ୍ଭେ ଯେ ନିରଞ୍ଜନ ଦେବ ଖଟୁଂ

ଯେ ସେ ଯୁଝେଷ୍ଠି ସେ ପ୍ରତକ୍ଷ ଆମ୍ଭେ ଅଟୁଂ ।୬୭।

ୟେହେର୍ଣ୍ଣେକ ମହାତ୍ମା ସେ କରନ୍ତି ଆମ୍ଭକୁ ଦୟେ

ସେ ଯୁଝେଷ୍ଠି ଦେବଂକର ଆମ୍ଭର ଅଟଇ ୟେକକାୟେ ।୬୮।

ଆହୋ ବିରାଟ ପଞ୍ଚୁବଟୀ ହାଦେ ପାଣ୍ଡବେ ରହିଥିଲେ

ତୋହୋର ରାଜ୍ୟକୁ ଯେ ଯୁଝେଷ୍ଠି ୟେହିକ୍ଷଣି ଅଇଲେ ।୬୯।

ତାହାଂକର ଅଇଲା ଶବଦେଣ କରି

ଆମ୍ଭେ ଯୁଝେଷ୍ଠିଦେବଂକୁ ଆସିଅଛୁ ଲୋଡ଼ି ।୭୦।

ସାଧୁ ସାଧୁ ମହିଂମା ସେ ଧର୍ମରାୟେ ସୁତ

ସତ କହି ପାଣ୍ଡବେ ହୋଉଛନ୍ତି ଗୁପତ ।୭୧।

ଯଦ୍ୟପି ବିଧାତା ଆହୋ ବିହିଲାକ ଶାସ୍ତି

କଦାଶ୍ଚିତେ ମିଥ୍ୟା ନୁଆସଇ ପ୍ରକୃତି ।୭୨।

ବିରାଟ ବୋଇଲେ କୋନ୍ତ ମୋହୋର ୟେତେକ ପୁଣ୍ୟ କାହିଂ

ବଂଶ ମୋହୋର ମୁକତ ହୋଇବନା ଯୁଝେଷ୍ଠିଂକ ପାଦପଦ୍ମ ଚାହିଂ ।୭୩।

ରାଜୁସୀ ଯାଗ କଲେ ଯେବଣ କାଳେ

ତୁମ୍ଭେ ଥିଲଟିକି ମହାତ୍ମା ସେ ସଭାତଳେ ।୭୪।

ଆହୋ ବିରାଟ ତୁ ଦେଖି ନୁଆରିଲୁ ଆମ୍ଭର ବର୍ଣ୍ଣଚିହ୍ନ

ଯୁଝେଷ୍ଠି ଆମ୍ଭର ନାହିଂ ଭିନ୍ନାଭିନ୍ନ ।୭୫।

ବିରାଟ ବୋଇଲା ମୁଂ ପାଞ୍ଚ ଉତ୍ତର ଶତେଭାର ସୁବର୍ଣ୍ଣ ଘେନିଗଲି

ଷୋଳଦିନ ପରିଯନ୍ତେ ଦେଖି ନୁଆରିଲି ।୭୬।

ସାତକ୍ଷଉଣୀ ବଳ ଘେନି ଭୁଞ୍ଜୁଥାଇ ଛତ୍ରଶାଳେ

କେହି ଜାଣନ୍ତା ନାହିଂ ସେ ସଭାର ତଳେ ।୭୭।

ଦିନେକ ଜଣାଇଲି ଭୀମସେନ ଠାକୁରଂକୁ

ଗଣ୍ଡସ୍ଥଳେ ହାତଦେଇ ସେ ଅନ୍ତରୀକ୍ଷେ ଘେନିଗଲେ ମୁକୁଂ ।୭୮।

ୟେହେର୍ଣ୍ଣେକ ଅନ୍ତରୀକ୍ଷେ ନେଲେ ମୋତେ ବୀର ଭୀମସେନ

ଶରୀରେ ଜୀବନ ରହିଲା ମୁଂ ବ୍ରତିଲି ଧର୍ମେଣ ।୭୯।

ଗଳଥା ଦେଇ ମୋତେ ପକାଇଲେ ଛାମୁରେ

ଉଠ ଉଠ ବିରାଟ ବୋଲି ଠାରି ଦିଲେକ ସେ କରେ ।୮୦।

ବଚ୍ଛ ମୁଦି ଗୋଟିଥିଲା ଯୁଝେଷ୍ଠି ଦେବଂକ ଅଙ୍ଗୁଷ୍ଠି

ବିଜୁଳି ତେଜ ପ୍ରାୟେକ ଦିଶିଲା ମମ ଦୃଷ୍ଟି ।୮୧।

ଆବର ଦେଖିଲି ମୁହିଂ ବାମ ତଳିପାର କାନ୍ତି

ଇଦଂବାକ୍ୟେ ମୋହୋର ଫିଟିଲା ମନଭ୍ରାନ୍ତି ।୮୨।

ମୋହୋର ଛାର ପାମର ଚର୍ମ ନୟନ ବେନିଆଖି

ଯୁଝେଷ୍ଠି ଦେବଂକ ଶ୍ରୀଚରଣ କାହିଂ ପାରିବି ଆର ଦେଖି ।୮୩।

ପୂର୍ବଜନ୍ମେ ଯେବେ କରିଥାଆନ୍ତି ତୀର୍ଥକୋଟି

ତେବେ ସିନା ମୋହୋର ରାଜ୍ୟକୁ ଆସନ୍ତେ ଯୁଝେଷ୍ଠି ।୮୪।

ୟେଡେ ପରମ ଭାଗ୍ୟ କରିବ ମୋହୋର ରାଜ୍ୟ

ୟେ ମୋହୋର ରାଜ୍ୟେ ପଡ଼ିବକି ଯୁଝେଷ୍ଠିଦେବଂକ ପାଦରଜ ।୮୫।

ମୋହୋର ରାଜ୍ୟକୁ କିୟେ ଯେବେ ପାରିବ ତାଂକୁ ଆଣି

ଅଷ୍ଟରତ୍ନ ଭଣ୍ଡାର ବଧାଇ ଦେବି ୟେହିକ୍ଷଣି ।୮୬।

କୋନ୍ତେ ବୋଇଲେ ନ ଭାଳ ରାୟେ ଦେଖାଇବା ତୋତେ

ଆମ୍ଭେ ଯେବେ ଅଇଲୁ ସେ ଆସିବେ ଦିନାକେତେ ଅନ୍ତେ ।୮୭।

ତୁ ମହା ଧାର୍ମିକ ହୋ ଅଟ ବିବେକ ଗୁଣବନ୍ତ

ଅତିଅ ପୁଣ୍ୟେତା ଯେ ତୋତେ ହୋଇଲୁ ପରାପତ ।୮୮।

ଯତସତ ଦେବତା ବ୍ରାହ୍ମଣେ ଆରାଧନ୍ତା

ତୁହିଂ ସେ ପଣ୍ଡିତ ଗ୍ୟାଂନବନ୍ତ ଶିରୀବନ୍ତ ସୁଭାଗ୍ୟବନ୍ତା ।୮୯।

ବନ୍ଧୁମଚ୍ଛଳ ପ୍ରୀତିମଚ୍ଛଳ ଗୁଣମଚ୍ଛଳ ଧୃତିମଚ୍ଛଳ

ବାଚାମଚ୍ଛଳ ଦୟାମଚ୍ଛଳ ବୁଦ୍ଧିମଚ୍ଛଳ ବାଞ୍ଛାମଚ୍ଛଳ ଭଗତମଚ୍ଛଳ ।୯୦।

ତୁ ସେ ମତ୍ସପତି ଅଟୁ ମହାବଳା

ସରୂପ ଦିଶଇ ତୋର ପ୍ରତକ୍ଷେ ବିଷ୍ଣୁକଳା ।୯୧।

ଶିବନିନ୍ଦା କଲେ ହୁଅଇ କୋଷ୍ଠବ୍ୟାଧି

ବିଷ୍ଣୁ ନିନ୍ଦାକଲେ ନର୍କେଣ ସମ୍ପାଦି ।୯୨।

ବ୍ରହ୍ମା ନିନ୍ଦାକଲେ ବଂଶ ହୋୟେ ହାନି

ଗୁରୁ ନିନ୍ଦା କଲେ ହୋଅଇ ମୂର୍ଖ,ପଣ୍ଡିତେ ଅବଗ୍ୟାଂନୀ ।୯୩।

ବ୍ରାହ୍ମଣ ନିନ୍ଦାକଲେ ଆଷ୍ୟ ହୋୟେ ହାନି

ଲକ୍ଷ୍ମୀକି ନିନ୍ଦାକଲେ ଦାରିଦ୍ର ହୋୟେ ପ୍ରାଣୀ ।୯୪।

ପୃଥୀ ନିନ୍ଦା କଲେ ହୋୟେ ଅନ୍ନଶାସ୍ତି

ପିତାମାତା ନିନ୍ଦାକଲେ ପଡ଼ଇ ଦୁରୁଗତି ।୯୫।

ଦେବ ନିନ୍ଦାକଲେ ଦିନ ନ ଯାଇ ଭଲେ

ଜନ୍ମକାଳ ହୁଅଇ ଶାସ୍ର ନିନ୍ଦାକଲେ ।୯୬।

ଆଦିତ୍ୟ ନିନ୍ଦାକଲେ ଛେଦନ ହୋଅଇ କନ୍ଧ

ଅକ୍ଷର ନିନ୍ଦା କଲେ ହୋଅଇ ଜାତି ଅନ୍ଧ ।୯୭।

ତୀର୍ଥ ନିନ୍ଦାକଲେ ଚାଣ୍ଡାଳେ ଉତପତି

ଜାତି ନିନ୍ଦାକଲେ ଅନେକ ହୋୟେ ଶାସ୍ତି ।୯୮।

ଜଳ ନିନ୍ଦା କଲେ ହୋଅଇ ଗର୍ଭରୋଗୀ

ଅଗ୍ନି ନିନ୍ଦାକଲେ ହୁଅଇ ଦୁଖଭୋଗୀ ।୯୯।

ସୁସ୍ତିରୀ ନିନ୍ଦାକଲେ ନଶିଲେ ଗୃହବାସ

ବହୁଜନ ନିନ୍ଦନ୍ତେ ଯେ ତୁଟଇ ଆୟିଷ ।୧୦୦।

ମନ୍ତ୍ରୀକି ନିନ୍ଦାକଲେ ନାଶଯାଇ ହେତୁ

ଶହସ୍ର ନିନ୍ଦାକଲେ ପଡ଼ଇ ଅପମୃତୁ ।୧୦୧।

ଭୋଜନ ନିନ୍ଦାକଲେ ଅନ୍ନ ଯେ ନ ମିଳି

ଗୃହ ନିନ୍ଦା କଲେ ହୋଅଇ ପଥଚାରି ।୧୦୨।

ଆତ୍ମା ନିନ୍ଦାକଲେ ହୋଅଇ ମହାଦୁଖୀ

ପରସ୍ତିରୀ ନିନ୍ଦାକଲେ ଜନ୍ମେ ଜନ୍ମେ ଦୁଖୀ ।୧୦୩।

ରାଜସଭା ନିନ୍ଦାକଲେ ହୋଅଇ କ୍ଲେଶଭୋଗୀ

ବାଳୁତ ନିନ୍ଦାକଲେ ହୁଅଇ ବିଯୋଗୀ ।୧୦୪।

ରାଜା ନିନ୍ଦାକଲେ ହୋଅଇ ଶିରଚ୍ଛେଦ

ଜପତପ ନିନ୍ଦାକଲେ ହୋଅଇ ପାଦଚ୍ଛେଦ ।୧୦୫।

ଗ୍ରହ ନିନ୍ଦାକଲେ ନୋହଇ ସନ୍ତାନ

ଦେବୀ ନିନ୍ଦାକଲେ ଅବଶ୍ୟ ଶିର ହୋଅଇ ଛେଦନ ।୧୦୬।

ବୃଦ୍ଧ ନିନ୍ଦାକଲେ ଯେ ହୁଅଇ ଦୀର୍ଘ ରୋଗୀ

ବାତୁଳ ହୁଅଇ ଯେ ନିନ୍ଦିଲେ ପୁଣଯୋଗୀ ।୧୦୭।

ସୁଜନ ନିନ୍ଦାକଲେ ହୁଅଇ ଦେଶାନ୍ତରୀ

ବୁଭୁକ୍ଷିତେ ନିନ୍ଦାକଲେ ହୁଅଇ ଭିକାରୀ ।୧୦୮।

କୁବେର ନିନ୍ଦାକଲେ ନ ମିଳେ ରତନ

ପ୍ରତଗ୍ୟାଂ ନିନ୍ଦାକଲେ ବପୁ ହୁୟେ କ୍ଷୀଣ ।୧୦୯।

ଗୋରୁ ନିନ୍ଦାକଲେ ଶୂକର ହୋଇ ହୋୟେ ଜାତ

ଯୋନି ନିନ୍ଦାକଲେ ମୁଖେ କରାନ୍ତି ରେତ ।୧୧୦।

ଭଲ ନିନ୍ଦାକଲେ ସୁଖୀ ନୁହନ୍ତି କଦାଶ୍ଚିତେ

ରତ୍ନ ନିନ୍ଦାକଲେ ଦୁଖ ପାଇ ଅପ୍ରମିତେ ।୧୧୧।

ଗୁରୁଜନ ବାକ୍ୟ ନିନ୍ଦାକଲେ ସୁକୃତ ହୋୟେ ହତ

ପୁଣ୍ୟ ନିନ୍ଦାକଲେ ଅମୋକ୍ଷ ହୋୟେ ପ୍ରେତ ।୧୧୨।

ମୂରୁଖ ହୁଅଇ ସୁଜନ ବାକ୍ୟ ନିନ୍ଦାକଲେ

ଶୂଦ୍ରମୁନି ସାରୋଳା ଦାସ ପୁରାଣେ ବୋଇଲେ ।୧୧୩।

******

 

ଯୁଧିଷ୍ଠିରଙ୍କର ଶାଢ଼ୀ ଗ୍ରହଣ

ଆହୋ ଚଇତନ୍ୟ ବଚନ ବଡ଼ାଇ ଯହୁଂ ଶୁଣିଣ ବିରାଟ

ବୋଇଲେ କୋନ୍ତେ ତୁମ୍ଭେ ବଡ଼ାଇ ଧାର୍ମିକ ଅଟ ।୧।

କୋନ୍ତେ ତୁମ୍ଭେ କେବଣ ପୁରାଣେ ଶକତା କେବଣ ଗୁଣେ ବକତା

ଧର୍ମ ବିଚାରେ ଆମ୍ଭେ ବସୁଂ ଯେ ସର୍ବଥା ।୨।

ରାଜାର ସମାନେ ବସି ଆମ୍ଭେ ସଭାୟେ ବିଚାରୁଂ

ରାଜାର ଶରଧା ହୋଇଲେ ପଶାକ୍ରୀଡ଼ା କରୁଂ ।୩।

ବିରାଟ ବୋଇଲେ ତୁମେ ଆମ୍ଭ ସଭାପଣ୍ଡା

ତୁମର ଅନଗୃହ ହୋଇଲେ କରିବଇଂ ପଶାକ୍ରୀଡ଼ା ।୪।

କୋନ୍ତେ ବୋଇଲେ ବିରାଟ ତୁ ପଶାୟେ ଯାହା ହାରି

ତତକ୍ଷଣେ ଦେବୁଟି ଯାହା ପୀଢ଼କରି ।୫।

ଶୁଣ ହୋ ରାଜନ ପ୍ରତଗ୍ୟାଂ ଯୁଝେଷ୍ଠିଂକର

ଆପଣେ ନ ହାରିବେ ବୋଲି ବୋଲନ୍ତି ସଭାର ।୬।

ସତ୍ୟ ସରୂପ କରି ସେ କହୁଛନ୍ତି ବାଣୀ

ତଦ୍ୟାପି ବିରାଟ ଯେ ନୁଆରିଲା ହାଦେ ଜାଣି ।୭।

ଯାଚକେଶ୍ୱର ମନ୍ତ୍ରୀ ବୋଇଲେ ଶୁଣ ହୋ ମହାରାଜା

ଠାକୁର ସମାନେ ଲୋକଂକୁ ବହୁତ ନ ବଜା ।୮।

ଠାକୁର ସମାନେ ୟେ ଅଟନ୍ତି ଆମ୍ଭର

ଯୁଝେଷ୍ଠି ସମାନେ ଆମ୍ଭେ ଆର୍ଧନା କରିବୁଂ ପୟର ।୯।

ମନ୍ତ୍ରୀବର ବଚନେ ସେ ସାନନ୍ଦ ଦଣ୍ଡଧାରୀ

ଆପଣାର ଶ୍ରୀ ହାଥରେ ବିରାଟ ଘେନିଲାକ ଶାଢ଼ୀ ।୧୦।

ଯୁଝେଷ୍ଠିଂକର ରାଜ୍ୟରେ ତୁମ୍ଭେ ଯେମନ୍ତ ହୋଇଥିଲ

ୟେ ମୋହୋର ରାଜ୍ୟେ ତୁମ୍ଭେ ସଭାପଣ୍ଡା ହୋଇଲ ।୧୧।

ବିରାଟ ଯେ ଯାଚଇ ଶାଢ଼ୀ ଘେନି ହାଥେ

ମୋହୋର ରାଜ୍ୟେ ଅଧିକାରୀ ହୋଇଲ ଶାଢ଼ୀ ଘେନ କୋନ୍ତେ ।୧୨।

ଧର୍ମର ନନ୍ଦନ ଯେ ବିରାଟ ଶାଢ଼ୀ ଦେଖି

ବୋଇଲେ ଭୋ ପରମାନନ୍ଦ ପୁରୁଷ ତୁ ୟେଥକୁ ହୋଅ ସାକ୍ଷୀ ।୧୩।

ମୁହିଂ ଯେବେ ଶାଢ଼ୀ ଘେନିବି ତଳହାଥେ

କୋପ କରିବ ଶାଢ଼ୀ ନ ବାନ୍ଧିଲେ ମାଥେ ।୧୪।

ଅଥପା କୋପ ଯେବେ ମୋତେ କରିବ ବିରାଟ

ବିଚାରି ଜାଣିବ ତୁମ୍ଭେ ଯୁଝେଷ୍ଠିଦେବ ନିଚେ ଅଟ ।୧୫।

ମୁଂ ୟେହାର ଶାଢ଼ୀ ତଳ ହାଥରେ ଘେନିଲେ

ଭୃତ୍ୟପଣ ହୋଇବନା ଶାଢ଼ୀ ମଥାରେ ବାନ୍ଧିଲେ ।୧୬।

ଶାଢ଼ୀ ମଥାରେ ନ ବାନ୍ଧିଲେ ହୋଇବି ଜାଣନ୍ତା

ପ୍ରସନ୍ନେ ନାରାୟଣ ମୋତେ ୟେ କଷଣୁଂ ପାରି ଯେ କରନ୍ତା ।୧୭।

ଦୁସହ କଷଣେ ଯହୁଂ କୋନ୍ତେ କଲେ ଚିନ୍ତା

ନାରାୟଣ ବିଜେକଲେ ବିରାଟ ହୃଦଗତା ।୧୮।

ଧାତିକାରେ ବିରାଟ ଯେ ହାଥ କାଢ଼ିଆଣି

କୋନ୍ତେ ମୁଂ ତୁମ୍ଭଂକୁ ଶାଢ଼ୀ ଯାଚିଲି ନ ଜାଣି ।୧୯।

ଯୁଝେଷ୍ଠିଂଦେବ ସମାନେ ଯାହାକୁ କରିବି ପୂଜାସେବା

ଉପର ହାଥେ ଶାଢ଼ୀ କେମନ୍ତେ ଦେବି ଅବା ।୨୦।

ଠାକୁରଂକ ଅଧିକାରୀ ଯାହାର ମତ୍ସଦେଶେ

ତୁମ୍ଭର ଶାଢ଼ୀ ଦେବା ମୋତେ ବିହିତ ଯେ ଆସେ ।୨୧।

ମୁହିଂ ଛାର ଯୁଝେଷ୍ଠିଂକି ଦେଖିବି ଆର କାହିଂ

ଯୁଝେଷ୍ଠିଂକ ସମାନେ ତୁମ୍ଭେ ଅଟ ହୋ ଗୋସାଇଂ ।୨୨।

ଛାମୁରେ ବିରାଟ ଥୋଇଲାକ ନେଇଂ ଶାଢ଼ୀ

ଆଜହୁଂ ଗୋସାଇଂ ତୁମ୍ଭେ ଆସ୍ତାନେ ଅଧିକାରୀ ।୨୩।

ନାରାୟଣ ସୁମରି କୋନ୍ତେ ଆଭରଣ କଲେ ବସନ

ଶ୍ରୀହସ୍ତେ ନେଇ ଆପଣେ ଥୋଇଲେ ସନ୍ନିଧାନ ।୨୪।

ଜୟତୁ ନାରାୟଣ କେଶବ ମୂରତି

ଯୋଗୀଜନ ହୃଦୟ ନାଥ ତୁହି ସେ ଆଧିପତି ।୨୫।

ଶ୍ରୀମାତ ପ୍ରସନ୍ନେ ଶ୍ରୀ ପୁରୁଷୋତ୍ତମ ଚରଣେ

ଶୂଦ୍ରମୁନି ସାରୋଳା ଦାସ ସଂଗତି ବିଷ୍ଣୁ ପୁରାଣେ ।୨୬।

ବଦୟନ୍ତି ଅଗସ୍ତି ଶୁଣ ଯେ ମହୀଧର

ଅପୂର୍ବକଥା ଶୁଣ ହାଦେ ଯୁଝେଷ୍ଠିଂ ଦେବଂକର ।୨୭।

ସଭାପଣ୍ଡାପଣେ ସେ ପଶାକ୍ରୀଡ଼ା ରସେ

ବସିଲେ ଧର୍ମନନ୍ଦନ ମଚ୍ଛାଧିପର ପାଶେ ।୨୮।

ଅନେକ ସାନନ୍ଦ ସେ ବିନୟ ଭଗତିମାନେ

ପୂଜା ପାଇ ବସିଲେ ସେ ବିରାଟ ଆସ୍ତାନେ ।୨୯।

କୋନ୍ତେ ବୋଇଲେ ଶୁଣିମା ମଚ୍ଛ ଦଣ୍ଡଧାରୀ

ତତକ୍ଷଣେ ଦେଇଟି ପଶାୟେ ଯାହା ହାରି ।୩୦।

ବିରାଟ ବୋଇଲେ ୟେ ଅଟଇ ଯୁଗତ

ମୋହୋର ଦେବାର ଅଟଇ ହାଦେ ତଥ୍ୟ ।୩୧।

ଶ୍ରୀ ବାସୁଦେବ ବାକ୍ୟ ଦେବୀର ପ୍ରସାଦେ

ବିଜୟେ ଧର୍ମନନ୍ଦନ ପଶାର ବିନୋଦେ ।୩୨।

ଶ୍ରୀକରେ ଖଡ଼ି ଘେନିଣ ଧର୍ମରାଜ ଯେ ଯୁଝେଷ୍ଠି

ଦକ୍ଷିଣକଇ ଶିରକରି କାଟିଲେକ ପଶାକୋଷ୍ଠି ।୩୩।

ବେନି ଅକ୍ଷରେ ଯେ ଭେଦିଲେ ନାମଗୋଟି

ତ୍ରିୟକଚ୍ଛ କରିଣ ଯେ ଦ୍ୱାଦଶ କୋଠି କାଟି ।୩୪।

ୟେକା ଘାନ୍ତିକେ ଯେ ପଶାକୋଠୀ କାଟନ୍ତି

ଅଶ୍ୱମେଧ ଯଗ୍ୟଂର ଫଳ କପିଳା ଦାନ ଫଳ ଶ୍ରୁତି ।୩୫।

ଦେଖିଣ ସାନନ୍ଦ ଯେ ହୋଇଲେ ରାୟେ ମତ୍ସେ

ବିରାଟ ନୃପତି କୋନ୍ତ ପଣ୍ଡାୟେ ବସିଲେ ପ୍ରତିକଚ୍ଛେ ।୩୬।

ୟେକ ଆସ୍ତାନେ ବିଜୟେ କଲେ ରାୟେ ବେନି

ଅମର ତେଜି କି ବିଜୟେ ସସ୍ରଯୋନି ।୩୭।

 

ଭୀମଙ୍କର ବିରାଟ ସଭାରେ ପ୍ରବେଶ

ଆହୋ ଚଇତନ ୟେମନ୍ତ ସମୟେ ଯେ ପାଞ୍ଚଘଡ଼ି ଦିନକର

ବିରାଟ ଭୁବନକୁ ଆସଇ ବ୍ରିକୋଦର ।୧।

ଖାଂକର କେଶ ଉର୍ଦ୍ଧ୍ୱ ଲମ୍ବିତ ଜୁଡ଼ାଗୋଟି

ଶ୍ରୀବତ୍ସ ଲାଞ୍ଛନ ହୃଦେ ଶରୀରେ ଚିତା ଦ୍ୱାଦଶ ଫୁଟି ।୨।

ବାମକନ୍ଧେ ଯଗ୍ୟଂ ପବିତ୍ର ଉତ୍ତରୀ ବେଦ ଯେ କରାଣ୍ଡି

ତ୍ରିକଚ୍ଛ ବସନ ଯେ ଅଣ୍ଟାରେ କୁଶବିଡ଼ି ।୩।

ବିକ୍ରମସିଂଘ ଯେହ୍ନେ ସୁସଞ୍ଚା ସର୍ବଦେହା

ହିରଣ୍ୟ ପର୍ବତେ ଯେହ୍ନେ ଜଳଧର ମେହା ।୪।

କନ୍ଧେଣ ଉପୁରାଣ ବସ୍ରଗୋଟି କଳା

ଗିରିବର ଗମଇ କି ତେଜେଣ ଅନର୍ଗଳା ।୫।

ବିଜେକର୍ଣ୍ଣକଟାରୀ କରେଣ ରାନ୍ଧଣା ଯୋଗାଡ଼ଧାରୀ

ଗଜକଇଂ ଆକର୍ଷଣ ଯେହ୍ନେ ବିକ୍ରମ କେଶରୀ ।୬।

ମହା ସମ୍ଭର୍ବେଣ ଆସ୍ତାନେ ଯେ ବିଜୟେ ବିରାଟ

ଭୀମସେନ ପ୍ରବେଶ ହୋଇଲେ ନିକଟ ।୭।

ଦେଖିଣ ଚକିତ ଯେ ବିରାଟ ସଭାଜନେ

ଦେଶାଉରେ ବାରତା ଜଣାଇଲେ ବିରାଟ ଆସ୍ତାନେ ।୮।

ଅବଧାନ ମହାରାୟେ କେବଣ ଦିଗପାଳେ

ଆକାଶ ତେଜିଣ କି ବିଜୟେ ୟେ ମଞ୍ଚ ମଣ୍ଡଳେ ।୯।

ଆସ୍ତାନେ ଥୋଇଣ ବିରାଟ ଚାହିଂଲା ଲେଉଟି

ମହାତେଜ ଦେଖି ସର୍ବେ ବୁଜିଲେ ବେନି ଚଛୁଗୋଟି ।୧୦।

କି ଅବା ଅନଳ ଦେବତା ଅଇଲେ ବ୍ରାହ୍ଣଣ ସରୂପେ

ମମ ଧର୍ମ ବିଡ଼ିତେ ସରୂପ ହୋଇ ଗୋପ୍ୟେ ।୧୧।

ବିରାଟ ବୋଇଲା ହୋ ଦେଖ ଦେଖ କୋନ୍ତଭଟ୍ଟେ

ୟେସନେକ ରୂପ ପୁରୁଷ ଦେଖିଛ କି ୟେ ମଧ୍ୟଜଗତେ ।୧୨।

ଦେଖିଣ ସଇନି ଯେ ହୋଇଲେ ବେନିଭାଗ

ପାଣ୍ଡବ ସୋହୋଡ଼ା ଯାଇଂ ଆସ୍ତାନେ ବିଜେ ବେଗ ।୧୩।

ଦୂର ଦୂର ହୋଇଣ ଅମନାତ୍ୟ ଗଣେ ଗଲେ ଘୁଞ୍ଚି

ତ୍ରାସେଣ ସମାସ୍ୟା ଯେ ନ ଦିଅନ୍ତି କେହି କିଛି ।୧୪।

ଯୁଝେଷ୍ଠିଦେବ କିଞ୍ଚିତ ଅବଲୋକନ ଆଖି

ଭୀମସେନ ପ୍ରଣପତ୍ୟ କୋନ୍ତଂକ ମୁଖ ଦେଖି ।୧୫।

ମାରୁତି ପ୍ରଣପତ୍ୟ ବିରାଟର ଆସ୍ତାନର ତଳେ

ଯୁଝେଷ୍ଠିଦେବ ତାହା ଦେଖିଲେ ବେନିଡୋଳେ ।୧୬।

ଅନେକ କ୍ରୋଧ ରାୟେ ଭୀମସେନର ପ୍ରଳମ୍ବ ଦେଖି

ଜ୍ୱଳିତ କିମ୍ବା ନ ଗଲାରେ ୟେ ମୋହୋର ବେନିଆଖି ।୧୭।

ଛତ୍ରୀବର ସୋହୋଡ ରେ ସାଂଗ୍ରାମେ ଜଗୁଜିତା

ଯାହାର ଭୟେ ନାଶଗଲେ ବକ ହିଡ଼ିମ୍ବକ କୁମ୍ଭିରୀ କିନ୍ନରୀ ୟେ ଚାରିଦଇତା ।୧୮।

ବାବୁ ଲକ୍ଷେକ ନୃପତି ଯାହାର ଚରଣେ ବନ୍ଦେ

ଈଶ୍ୱରେ କପିଳାସ ଭୋଗ ଯାହାର ପରସାଦେ ।୧୯।

ବାବୁରେ ଦ୍ୱାରିକା ରକ୍ଷାପାଳକ କଉରବ ଦର୍ପଗଞ୍ଜା

ବିଷଲଡ଼ୁ ପାର କରନ୍ତା ନାଗୁଣୀଂକ ମନରଞ୍ଜା ।୨୦।

କାହ୍ନୁ ସଂକ୍ରିଷେଣ ଯାହାର ପ୍ରାଣବନ୍ଧୁ

ୟେ ଭୁବି ଭୁବନ ମଧ୍ୟେ ମହିଂମା ତୋର ସାଧୁ ।୨୧।

ବାବୁ କେଉଂଣ ପୁଣ୍ୟ ମତ୍ସରାଜା କରିଥିଲା ପୂର୍ବେ

ତାହାର ଆସ୍ତାନ ତଳେ ମିଳିଲୁ ଆସି ୟେବେ ।୨୨।

ୟେ ମୋହୋର ଶରୀର ହୋଅଇ କିନା ଦହିଜ

ୟେ ତୋହୋର କଷ୍ଟ ବାବୁରେ ଦେଖିଲଇଂ ମୁହିଂ ନିଲଜ୍ଜ ।୨୩।

ହାଥର ସୁଖରେ ବାବୁ ମୁଂ ଯେ ଖେଳିଲାଇ ପଶା

ପଞ୍ଚୁ କଟକ ହାରି ୟେବେ ଭୃତ୍ୟପଣକୁ କଲି ଆଶା ।୨୪।

ତ୍ରଇଲୋକ୍ୟେ ଜିଣିତ ସାମରଥ ମୋର ଭାଇ

କାହିଂର ନିମନ୍ତେ ବାବୁରେ ୟେଡେ କଷ୍ଟ ପାଇ ।୨୫।

ବଚନେ ଦରିଦ୍ର ହୋଇ ମୁଂ କାର୍ଯ୍ୟନାଶ କଲି

କଉରୋବନ୍ତ ମାର ବୋଲି କିଂପେ ନ ବୋଇଲି ।୨୬।

ଦ୍ରୋପତୀ କେଶ ଆକ୍ରଷଣ କରିବାର ବେଳେ

ମୋତେ ଆଗ୍ୟାଂ ମାଗିଲୁ ତୁ ଭାଇ ଦୁସହ କଟାଳେ ।୨୭।

କିଞ୍ଚିତ କରି ଯେବେ ଆଗ୍ୟାଂ ମୁହିଂ ଦ୍ୟନ୍ତି

ଭୀଷ୍ମ ଦ୍ରୋଣ ଆଦିକରି ମାରନ୍ତୁ ସବୁନ୍ତି ।୨୮।

ଫୁଟି କହି ନୁଆରନ୍ତି ହୃଦୟ ବିକଳେ

ବ୍ରିକୋଦର ପ୍ରଣପତ୍ୟ ଆସ୍ତାନର ତଳେ ।୨୯।

ବିରାଟ ବୋଇଲେ ଆହୋ ଶୁଣ ଦ୍ୱିଜବର

ଉଠିଣ କହ କେବଣ ଆଧ୍ୟାନ ତୋହୋର ।୩୦।

ବିରାଟ ବଚନେଣ ଭୀମସେନ ନ ଉଠି

ମନେ ବିଚାରନ୍ତି ଯେ ଧର୍ମରାଜ ଯୁଝେଷ୍ଠି ।୩୧।

ଆମ୍ଭର ତହୁଂ ସେ ଯେ ଆଗ୍ୟାଂ ନ ପାଇଲେ

କିଂପେ ଉଠିବ ୟେହୁ ବିରାଟର ବୋଲେ ।୩୨।

କୋନ୍ତେ ବୋଇଲେ ଉଠ ଉଠ ହୋ ଦ୍ୱିଜବର

ଠାକୁରଂକର ଆଗ୍ୟାଂ ହୋଇଲା କାର୍ଯ୍ୟ କହସି ତୋହୋର ।୩୩।

ବିରାଟର ବଚନରେ ଭୀମ ପ୍ରଣପତ୍ୟ ଥିଲା

କୋନ୍ତଂକର ବଚନ ଶୁଣି ଧାତିକାରେ ଉଠିଲା ।୩୪।

ବିରାଟର କତିକି ଅଂଗସାର ଦେଇ

ମସ୍ତକେ ହାଥେ ଦିଲା କୋନ୍ତଂକର ମୁଖ ଚାହିଂ ।୩୫।

ବିରାଟ ବୋଇଲେ ତୁ ଶୁଣିମା ବ୍ରାହ୍ମଣ

ଆଦି ଶାସନ ତୋହୋର କେବଣ ରାଜ୍ୟେଣ ।୩୬।

କେବଣ ବେଦବିଦ୍ୟା କେବଣ କୁଳଶୀଳ

ମୁହିଂ ତୋତେ ମଣଇ ପ୍ରତକ୍ଷେ ଦିଗପାଳ ।୩୭।

ଅନେକ ବିନୋୟ ତୁ ମୋତେ କଥା କହୁ

ମୁହିଂ ତୋତେ ବିଚାରଇ ତୁ ମାନବଜନ୍ମ ନୋହୁ ।୩୮।

କୋନ୍ତେ ବୋଇଲେ ତୁ ଶୁଣ ହେ ଦ୍ୱିଜବର

ତୋହୋର କଥାମାନ କହସି ଠାକୁରଂକ ଛାମୁର ।୩୯।

ଶୁଣ ହୋ ମଚ୍ଛପତି ବଦୟନ୍ତି ବଲ୍ଲଭ

ପଛିମ ସଉରାଷ୍ଟ ଜାଣୁକି ମଚ୍ଛଦେବ ।୪୦।

ଗଙ୍ଗା ଯମୁନା ଯେ ବେନି ନଦୀଂକର ମଧ୍ୟେ

କୁଞ୍ଜଗଳ ଦେଶ ବୋଲି କ୍ଷେତ୍ର ଅଟଇ ସାଧ୍ୟେ ।୪୧।

ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ଜଇନ୍ତା ହସ୍ତିନା ବାରୁଣା

ସେ ରାଜ୍ୟରେ ଯୁଝେଷ୍ଠିଦେବଂକ ସାନୁଜ ପାଣ୍ଡବ ଭୀମସେନା ।୪୨।

ତିନିଷାଠି ପଉଟି ଅନ୍ନ ଭୁଞ୍ଜିଲେ ଅତ୍ରିପୁତ୍ରି

ମୁହିଂ ତାଂକର ଅଟଇ ବଲ୍ଲବ ବଶ୍ୟାବୃତ୍ତି ।୪୩।

ବିରାଟ ପୁଚ୍ଛାକଲା ବଲ୍ଲବବୃତ୍ତିଟି କେମନ୍ତ

କୋନ୍ତେ ବୋଇଲେ ହୋ ବିରାଟ ଶୁଣ ସୂପକାରବୃତ୍ତ ।୪୪।

ଶୁଣ ହୋ ମଚ୍ଛାଧିପତି ବଦୟନ୍ତି ବୀର ଭୀମ

ରାନ୍ଧଣା ବିଧାନ ଜାଣଇ ସୂପକାର ବଲ୍ଲବ ମୋର ନାମ ।୪୫।

କାର୍ଯ୍ୟ ପଡ଼ିଲେ ମୁଂ ମାଲଯୁଦ୍ଧ ଜାଣଇ

ସରୂପ କଥା ମୁହିଂ କହଇ ତୁମ୍ଭକଇଂ ।୪୬।

ହାତର ସୁଖେ ଯୁଝେଷ୍ଠି ପଶା ଯେ ଖେଳିଲେ

ରାଜ୍ୟଭାର ସିଂହାସନ ହାରିଣ ସେ ବନବାସ କଲେ ।୪୭।

ଯୁଝେଷ୍ଠିଠାକୁରେ ତୋହୋର ରାଜ୍ୟକୁ ଅଇଲେ ବୋଲି

ବାରତା ପାଇ ମୁଂ ଶବଦକୁ ଗୋଡ଼ାଇ ଅଇଲି ।୪୮।

ବିରାଟ ବୋଇଲା ହୋ ବାତୁଳ ହୋଇଲୁ ଦିଜବର

ଯୁଝେଷ୍ଠିଦେବ ନାମ ଧଇଲୁ ତୁ ସେ ତ୍ରଇଲୋକ୍ୟ ଈଶ୍ୱର ।୪୯।

ପାଞ୍ଚ ଉତ୍ତର ଶତେ ରଥ ମୁଂ ସୁବର୍ଣ୍ଣ ଘେନିଗଲି

ଷୋଳହ ଦିନ ପରିଯନ୍ତେ ଦ୍ରଶନ ନ ପାଇଲି ।୫୦।

ଭାଇ ତାଂକର ବ୍ରିକୋଦର ମୋ କାନ୍ଧରେ ହାଥ ଦେଇ

ସେ ସ୍ୱାମୀ ଚରଣତଳେ ପକାଇଲେ ନେଇ ।୫୧।

ଅଶ୍ୱମେଧ ଯାଗ କରିଥିଲେ ପୂର୍ବେ

ଯୁଝେଷ୍ଠି ଦେବଂକ ଶ୍ରୀଚରଣ ଦେଖିବଇଂ ୟେବେ ।୫୨।

ବିରାଟ ବୋଇଲେ କୋନ୍ତେ ମୁଂ ପଚାରଇ ତୁମ୍ଭଂକୁ

ତୁମ୍ଭ ଚିହ୍ନଟିକି ୟେ ବଲ୍ଲବ ସୂପକାରକୁ ।୫୩।

କୋନ୍ତେ ବୋଇଲେ ତୁମ୍ଭେ ଶୁଣ ରାୟେ ମଚ୍ଛେ

ଯେ ସେ ବଲ୍ଲଭ ସେ ଭୀମସେନ ପ୍ରତଚ୍ଛେ ।୫୪।

ୟେହେର୍ଣ୍ଣେକ କରି ୟେହାକୁ ସଦୟେ କରଇ ଯେ ଭୀମା

ୟେ ଦିଜ ଅଟଇ ହୋ ଭୀମସେନର ପଞ୍ଚୁ ଆତମା ।୫୫।

ବିରାଟ ବୋଇଲା ୟେ ଯେବେ ଭୀମସେନ ଠାକୁରଂକର ସୂପକାର

ମୋହୋବେଳେ ଆର୍ଦ୍ଦୋଳିକି ମୁହିଂ ପାରିବି କି ୟେହାର ।୫୬।

ରୁହ ବୋଲି ବୋଇଲେ ଭଗତି ହୋଇ ପାରିବିକି ତୋତେ

ଯାଅ ବୋଲି ବୋଇଲେ କୋପ କରିବାକ ମୋତେ ।୫୭।

କୋନ୍ତେ ବୋଇଲେ ରାଜା ତୁ ଭୟ ନ କର କିଛି

ସରୂପ ବୁଝିବା ହୋ ଥାଉ ଅନ୍ନ ବାଚି ।୫୮।

ବଲ୍ଲବ ବୋଇଲା ତୁହୋ ଶୁଣସି ମଚ୍ଛାଧି

ୟେକେଣ ସୂପକାରେକ ରାନ୍ଧଣା ମୁଂ ସମସ୍ତ କରିବି ସିଦ୍ଧି ।୫୯।

ସାତ କ୍ଷଉଣୀ ବଳ ଘେନି ଭୁଞ୍ଜି ବସିବୁ ତୋହୋର ତୁଲେ

ଛଡ଼ରସ ଯୋଗାଡ଼ କରି ତ୍ରିପୁତି କରି ପାରଇ ମୋହୋର ବୋଲେ ।୬୦।

ୟେସନେକ କଥା ଯହୁଂ କହିଲାକ ଦ୍ୱିଜେ

ଶୁଣିଣ ସମସ୍ତ ସଭା ଯେ ହୋଇଲେ ଆଶ୍ରିଜେ ।୬୧।

ଲକ୍ଷେକ ସୂପକାର ରାନ୍ଧଣା ତୋହୋର ଯେ ପୁରେ

ଯୋଦ୍ଧା ଅମନାତ୍ୟମାନେ ବସନ୍ତି ମୋହୋରି ସଙ୍ଗତରେ ।୬୨।

ୟେତେ ସଇନିଂକ ଅନ୍ନ କେ ପାରିବ ଅଣ୍ଟୋଇ

ଦୁସହ ପ୍ରତଗ୍ୟାଂ ଦ୍ୱିଜ ହାଦେ କହିଲୁ ଯେ ତୁହି ।୬୩।

ଭୀମସେନ ବୋଇଲା ଶୁଣସି ରାୟେ ମଚ୍ଛ

ସରୂପ ନୃପତି ତୁ ଦେଖ ହୋ ପ୍ରତଚ୍ଛ ।୬୪।

ପୁରୁଂ ବାହାର କର ତୋ ଲକ୍ଷେ ସୂପକାରଂକୁ

ତାହାଂକର ପଡ଼ିମାତ୍ର ଦେବୁସି ରାୟେମୁକୁ ।୬୫।

ସୁବର୍ଣ୍ଣର କୁଣ୍ଡହିଂ ମାତ୍ର ଥିବ ରୋଷୁଅ ଘର ପାଶେ

ତହିଂ ଭିତରେ ଢାଳିବଇଂ ଭାତରସେ ।୬୬।

ଆବର ମହିଂମା ୟେକ ଶୁଣସି ମୋହୋର

ରାଜ୍ୟଯାକ ସଙ୍ଗେ ଘେନି ଭୁଞ୍ଜିବୁ ତୋହୋର ।୬୭।

ଆହୁରି କଥାୟେ ମୋର ଶୁଣସି ହୋ ନୃପରାଣ

କିଛି କିଛି ଜାଣଇ ମୁଂ ମାଲ ଯେ ବିନ୍ଧାଣ ।୬୮।

ଶୁଣିଣ ସାନନ୍ଦ ଯେ ମତ୍ସ ଅଧିକାରୀ

ଶ୍ରୀକରେ ବିରାଟ ଯେ ଘେନିଲା ଆପଣେ ଶାଢ଼ୀ ।୬୯।

ଘେନ ହୋ ବିପ୍ର ବୋଲି ରାଜା ଯାଚଇ ଆସ୍ତାନେ

ତାହା ଦେଖି ଶରୀର କମ୍ପଇ ଭୀମସେନ ।୭୦।

ଭୀମସେନର ମନ ଯେ ଜାଣିଲେ ଯୁଝେଷ୍ଠି

ହୃଦଗତେ ଚିନ୍ତିଲେ ଯେ କେଶବ ନାମଗୋଟି ।୭୧।

ବିରାଟର ଶାଢ଼ୀ ୟେତ ନ ଘେନିମ ତଳହାଥେ

ପ୍ରଣମ୍ୟ ନୋହିବ ୟେ ନ ବାନ୍ଧିବ ଶାଢ଼ୀ ମାଥେ ।୭୨।

ରାଗେଣ ଶରୀର ଯେ କମ୍ପଇ ମାରୁତି

ନପୁଣ ବିରାଟକୁ ଚାପୋଡ଼େ ମାରଇ ଧାତି ।୭୩।

ମୁଂ ୟେହାର ରାଜ୍ୟକୁ ଅଇଲି ଦୁର୍ଗତି ବଞ୍ଚିବି ବୋଲି

ଅନ୍ତେ ବିରାଟକୁ ମୁଂ ସଂପୋଡ଼େ ନାଶକଲି ।୭୪।

ଦୁସହ କଷଣୁଂ ହରି ମୋତେ କରିବାକ ପାର

ବିଚାରିଣ ହାଥ ଯେ କାଢ଼ିଲା ମତ୍ସେଶ୍ୱର ।୭୫।

ସେ ଶାଢ଼ୀ ଥୋଇଲା ନେଇ କୋନ୍ତଂକ ଅଗ୍ରତେ

ପଣ୍ଡାୟେ ତୁମ୍ଭର ଶାଢ଼ୀ ସେ ଦେବାର ଯୋଗାଇ ବିହିତେ ।୭୬।

ଯୁଝେଷ୍ଠିଂକ ସମାନେ ତୁମ୍ଭଂକୁ ମୁଂ କରଇ ସେବା

ୟେ ବଲ୍ଲବ ସୂପକାରକୁ ତୁମ୍ଭେ ଶାଢ଼ୀ ଦେବା ।୭୭।

ଶ୍ରୀଜଗନ୍ନାଥଂକୁ ସୁମରମା କରି ହୃଦଗତେ

ତୋହୋରେ ପ୍ରତିକାର ଅଛଇ ସେ ଦେବ ମୋତେ ।୭୮।

ବିରାଟର ବଚନେ ଆପଣେ ଶାଢ଼ୀ ଘେନିଣ ଦିଲେ ଧର୍ମନାନେ

ଦେଖିଣ ସାନନ୍ଦେ ଯେ ହୋଇଲେ ଭୀମସେନେ ।୭୯।

ମାଥେଣ ଶାଢ଼ୀ ବାନ୍ଧି ହୋଇଲେ ପ୍ରଣପତ୍ୟ

ଉଠ ଉଠ ଦ୍ୱିଜବର ବୋଲି ବୋଇଲେ ଧର୍ମସୁତ ।୮୦।

ଧର୍ମ ଧର୍ମ ସୁମରି ଯେ ପାଣ୍ଡବର ବାଳ

ପାଣ୍ଡବ ସୁନ୍ଦର ଯେ ପ୍ରବେଶ ରୋଷୁଅର ଶାଳ ।୮୧।

ଦେଖିଣ ତ୍ରିପୁତି ଯେ ସକଳ ସୂପକାର

ରୋଷଶାଳ ଛାଡ଼ି ସମସ୍ତେ ହୋଇଲେ ବାହାର ।୮୨।

ଆପଣେ ବ୍ରିକୋଦର ପଶିଲା ରୋଷୁଅ ଘରେ

ଚୁଲ୍ଲୀୟେ ପାଡ଼ିଲା ଭୀମ ମହା ସମ୍ଭର୍ବରେ ।୮୩।

ଶତେ ପଖା କରିଣ ଚୁଲ୍ଲୀୟେ ପାଡ଼ିଲା

ସହସ୍ରେ ବଖରା ଯେ ସେହିମତି ସମ୍ପାଦିଲା ।୮୪।

ୟେସନେକ ଉପାୟ କରିଣ ସେ ମତ୍ସାଧିପର ରାଜ୍ୟେ

ରାନ୍ଧଣା ବିଦାନ ସେ କରଇ ବୀର ସଜେ ।୮୫।

କଞ୍ଚା ଦାରୁନ୍ତ ନେଇଣ ସେ ପକାବଇ ଚୁଲ୍ଲୀ

ଦୋହୋରା ପ୍ରସନ୍ନେ ଜଳ ଜଳ ହାଦେ ବୋଲି ।୮୬।

ଅକଟା ଅବଟା ଯୋଗାଡ଼ଇ ୟେକପାଗେ

ଲବଣ ବେସର ଯେ ଭରଇ ୟେକଯୋଗେ ।୮୭।

ଦୋହରା ପ୍ରସନ୍ନେ ଅମୃତ ପାକ ସଞ୍ଚା

ଯେତେକ ଜାଳ ଦିଅଇ ସମସ୍ତ କାଠ କଞ୍ଚା ।୮୮।

ଦେଖିଣ ଆଶ୍ରିଜ ଯେ ହୋଇଲେ ସର୍ବଜନେ

ଦେଶାଉରେ ବାରତା କହିଲେ ରାଜାର ଆସ୍ତାନେ ।୮୯।

ଶୁଣ ଦେବ ରାଜାଧି ରାଜେଶ୍ୱର ମତ୍ସ ଆଧିପତି

ବଡ଼ାଇ ଆଶ୍ରିଜ୍ୟ ଦେବ ବ୍ରାହ୍ମଣର ଗତି ।୯୦।

ପରିବା ଅକଟା ଦେବ ସୋରିଷ ଅବଟା

ଚୁଲ୍ଲୀରେ ଭରଇ ନେଇ କଞ୍ଚା ଦାରୁଗୋଟା ।୯୧।

ଯୋଗାଡ଼ି ବସାଇଣ ଓହ୍ଲାଇ ଅତି ବେଗେ

ବିଚାରି ବୁଝିବା ସେ କେମନ୍ତେ ହୋୟେ ପାଗେ ।୯୨।

ବିରାଟ ଚାହିଂଲେ ଯେ କୋନ୍ତଂକ ବଦନ

କେମନ୍ତ ବିଚାର କଲ ପଣ୍ଡାୟେ ରାନ୍ଧଣା ବିଧାନ ।୯୩।

ମୋହୋର ବିଚାରକୁ ତ ନ ଯୋଗାଇ ୟେସନ

ଅକଟା ଅବଟା କାହିଂ କରନ୍ତି ଭୋଜନ ।୯୪।

କୋନ୍ତେ ବୋଇଲେ ତୁ ଅଟୁ ମହାଭିଗ୍ୟଂ

ଗୁଣବନ୍ତ ଧାର୍ମିକ ଲକ୍ଷ୍ମଣବନ୍ତ ସର୍ବଗ୍ୟଂ ।୯୫।

ଆଜିହୁଂ ୟେହା ଆମ୍ଭେ ବିଚାରିଅଛୁ ରାୟେ

ସେ ବ୍ରାହ୍ମଣ ନ ଦିଶଇ ସୂପକାରେ ପ୍ରାୟେ ।୯୬।

ତୁହି ମହାରାଜା ହୋ ଗୁଣବନ୍ତ ମହାପ୍ରଭୁ

ତୋହୋର ଅବଧାନ କଥା ଭାଙ୍ଗିବୁ ଆମ୍ଭେ କାହୁଂ ।୯୭।

କୋନ୍ତଂକର ବଚନେ ବୋଇଲେ ରାୟେ ମତ୍ସ

ୟେହିକ୍ଷଣି ମୁଣୋହିର କାଳେ କଥା ବୁଝିବା ପ୍ରତିଚ୍ଛ ।୯୮।

ତୁମ୍ଭେ ଯେ ମୁଣୋହି କରିବ ଆମ୍ଭର ତୁଲେ

ଆମ୍ଭେ ଯେ ସୂପକାର କରିଛୁଂ ତୁମ୍ଭରହିଂ ବୋଲେ ।୯୯।

ୟେମନ୍ତର ସମୟେ ରୋଷୁଅ ଘରୁ ଅଇଲେ ଚାରଗଣ

ଦେବ ସୂପକାରେ ବୋଇଲେ ପାକ ହୋଇଲା ସମ୍ପୂର୍ଣ୍ଣ ।୧୦୦।

ମଧ୍ୟାହ୍ନ ଆଦିତ୍ୟ ଆସି ହୋଇଲା ସୂର୍ଯ୍ୟବେଳା

ଆହାର୍ଣ୍ଣିକ ସାରନ୍ତୁ ରାୟେ ନ କରିଣ ହେଳା ।୧୦୧।

ବେଗ ବେଗ ବିଜେକର ମୁଣୋହି ମଣ୍ଡୋପକୁ

ସୂର୍ଯ୍ୟବେଳେ ମୁଣୋହି କଲେ ଆହାର ହୋୟେ ପଂକୁ ।୧୦୨।

ଅନ୍ନ ଜୀର୍ଣ୍ଣ ନୋହଇ ଯେ ସୋମର ବେଳ ପଡ଼ିଲେ

ମନ୍ଦାଗ୍ନି ହୋଅଇ ଦେବ ବେଳ ବାରି ନୁଆରିଲେ ।୧୦୩।

ସୂର୍ଯ୍ୟବେଳ ଭୋଜନ ଯେ ଚନ୍ଦ୍ରବେଳେ ରତି

ୟେସନେକ ବେଭାର ଦେବ ଅଛଇ ଶାହାସ୍ର ସଂଗତି ।୧୦୪।

ସୂପକାର ବଚନ ଦେବ ସାବଧାନେ ଶୁଣି

ହୃଦୟ ବିଂଘସିଲା ବିରାଟ ବଲ୍ଲବ ବାକ୍ୟ ଶୁଣି ।୧୦୫।

ବିରାଟ ବୋଇଲା କୋନ୍ତେ ପଣ୍ଡିତ ଅଟଇ ସେ ବ୍ରାହ୍ମଣ

କୋନ୍ତେ ବୋଇଲେ ହୋ ମତ୍ସାଧିପ ବ୍ରାହ୍ମଣ ଭୀମର ପ୍ରାକ୍ରମ ।୧୦୬।

ସୂପକାର ବାରତା ପାଇଣ ମତ୍ସରାୟେ

ମାଜଣା ସାରିଣ ରାୟେ ସ୍ନାନକଇଂ ବିଜୟେ ।୧୦୭।

ଆହାର୍ଣ୍ଣିକ ସାରିଣ କୋନ୍ତ ଯେ ପଣ୍ଡିତେ

ବିଜୟେ ବିରାଟେଶ୍ୱର ମୁଣୋହିର ନିମନ୍ତେ ।୧୦୮।

ତୁଲେଣ ଅଛନ୍ତି ଯୋଦ୍ଧାଗଣ ଅମାନାତ୍ୟ

ଅନେକ ଅଛନ୍ତି ସନ୍ୟ ପଇଦଲ୍ୟ ଭୃତ୍ୟ ।୧୦୯।

ଅଶ୍ୱସେନା ରାଉତ ମାହୁନ୍ତ ପାଦାନ୍ତି

ଯେ ଯାହାର ସଙ୍ଗତେ ଅଛନ୍ତି ପନ୍ତି ପନ୍ତି ।୧୧୦।

ଚଉବିଂଶ ଲକ୍ଷ ଯେ ମୁକୁଟବନ୍ଧା ଯୋଦ୍ଧାମାନେ

ସମ୍ଭର୍ବେ ବସିଲେ ରାୟେ ମୁଣୋହି ଆସ୍ତାନେ ।୧୧୧।

ଶୁଣ ହୋ ମତ୍ସେଶ୍ୱର ବଦୟନ୍ତି ବଲ୍ଲବ

ରାଜ୍ୟଭାର ସମ୍ପଦ ତୋର ୟେ ବଡ଼ାଇ ଦୁର୍ଲଭ ।୧୧୨।

ମୁହିଂ ଜାଣିଲି ରାୟେ ତୁ ବଡ଼ାଇ ବିବାଦୀ

ପରରାଷ୍ଟ୍ର ମାଡ଼ି ତୁ ହୋଇଲୁ ବଡ଼ ଦ୍ୱନ୍ଦୀ ।୧୧୩।

ଅମନାତ୍ୟ ପ୍ରୋହିତେ ଯୋଦ୍ଧା ଯେ ସହିତେ

ସମାନ ଭାବ କଲେ କାରଣ ହୋଇବ ତୋତେ ।୧୧୪।

ସମସ୍ତ ସଇନି ତୋହୋର ହୋ ବସନ୍ତୁ ଛତ୍ରେଶାଳେ

ୟେଥିର ଚରିତ ତୁ ଶୁଣ ମତ୍ସେଶ୍ୱରେ ।୧୧୫।

ସଙ୍ଗତେ ଭୁଞ୍ଜି ବସିଲେ ବଡ଼ିମା ପାଇ ଥାଠ

ସଂଗ୍ରାମ କାଳେ କାରଣ କରେଟି ବିରାଟ ।୧୧୬।

ସାନନ୍ଦ ମହାରାଜା ବଲ୍ଲଭର ବଚନେ

ଦଣ୍ଡଘେନି ମୁଣୋହିର ବିଜୟେ ରାଜନେ ।୧୧୭।

ବିପୁଳ ଭୁବନେ ଯେ ବିଜୟେ ବିରାଟ

ତହିଂର ନିକଟେ ଯାଇ ବସିଲେ କୋନ୍ତଭଟ୍ଟ ।୧୧୮।

ସାତକ୍ଷଉଣୀ ବଳ ଘେନି ଯେ ବିରାଟେଶ୍ୱର ବସି

ପାଞ୍ଚଲକ୍ଷ ସୂପକାର ଘେନି ଭୀମ ଯେ ପରଶି ।୧୧୯।

ଗଉରୀ ସଉରୀ ନଳବିଧି ଯେ ରାନ୍ଧଣା

ନିତି ପ୍ରତି ମେଞ୍ଜନ ପରଶଇ ଭୀମସେନା ।୧୨୦।

ଦେବ ରାନ୍ଧଣା ପରା ପାଇବେ ସେ କାହିଂ

ବିରାଟ ପ୍ରଶଂସଇ ବଲ୍ଲବ କଇଂ ଚାହିଂ ।୧୨୧।

ଅଦଭୁତେ ପୁରୁଷ ତୁ ବିଜେ କଲୁ କାହୁଂ

କେଉଂଣ ଦିଗପାଳ ତୁ ମନୁଷ୍ୟଜନ୍ମ ନୋହୁଂ ।୧୨୨।

କୋନ୍ତଭଟ୍ଟେ ବୋଇଲେ ତୁହୋ ଶୁଣସି ମତ୍ସପତି

ଅନ୍ତେ ଜାଣୁ ସିନା ୟେହାଂକର ଗୁଣ ଯେ ପ୍ରକୃତି ।୧୨୩।

ଅମୃତ ରସ ଯୋଗାଡ଼ ଭୁଞ୍ଜିଣ ସଇନି

ସମସ୍ତେ ପ୍ରଶଂସନ୍ତି ବ୍ରାହ୍ମଣ ତୋର ଧନି ଧନି ।୧୨୪।

ଆଂଚୋବନ ସାରିଣ ଯେ ବିଜୟେ ଆସ୍ତାନେ

ରାନ୍ଧଣା ବିଧାନକୁ ପ୍ରଶଂସନ୍ତି ସର୍ବଜନେ ।୧୨୫।

କଉତୁକେ ତିରୀଜନେ ମାଗନ୍ତି ମେଞ୍ଜନ

ଜନରଞ୍ଜନ ନିମନ୍ତେ ଦିଅଇ ପବନ ନନ୍ଦନ ।୧୨୬।

ଅନେକ ସ୍ତିରୀମାନେ ଦିଅନ୍ତି ପରିବା

ତୁମ୍ଭେ ପଣ୍ଡାୟେ ରନ୍ଧନ କରି କଣକଳପେ ଆମ୍ଭନ୍ତ ଦେବା ।୧୨୭।

ରାଜାହୁଂ ଭିକ୍ଷାଶୀ ପରିଯନ୍ତେ ୟେକଦୃଷ୍ଟି

ଅବିଚ୍ଛନ୍ନେ ଦିଅଇ ଯାହାକୁ ଯେତେ ଅଣ୍ଟି ।୧୨୮।

ସମସ୍ତେ ବୋଲନ୍ତି ବିରାଟ ରାଜ୍ୟ ତୋର ହୋଇଲା ସିଦ୍ଧି

ଦେବରାନ୍ଧଣା ପାକ ଗଉରୀ ସଉରୀ ନଳବିଧି ।୧୨୯।

ଛତ୍ରୀବୃତ୍ତି ଛାଡ଼ି ଉପୁଜାଇଲା ଧଉର୍ଯ୍ୟ ପଣଇ

ଗୁଣ ଉପୁଜାଇଲେ ଉପୁଜଇ ବହୁତ କାରଣଇ ।୧୩୦।

ଶୁଣ ହୋ ମନୁରାୟେ ତୁ ମହାତମା ପୁରୁଷ

ଭୀମସେନ ଗୋପ୍ୟାନ କଥା କହନ୍ତେଣ ନ ଯାଇ ଶେଷ ।୧୩୧।

 

Unknown

ଅର୍ଜୁନଙ୍କର ବିରାଟ ସଭାରେ ପ୍ରବେଶ

ୟେଥୁ ଅନନ୍ତରେ ଗମଇ ସର୍ବସାଚୀ

କବେରୀ ଭାର ବେଲାଉଳ ଖୋଷାୟେକ ସଞ୍ଚି ।୧।

ଶିରରେ ସୀମନ୍ତନୀ ମୁକୁତାର ଜାଲି

ଲଲାଟରେ ମଥାମଣି କର୍ଣ୍ଣେ କାପେ ଯେ ବେଣ୍ଟୁଲୀ ।୨।

ଆକାଶର ମଣି ସେ ବେନିକରେ ସୁବର୍ଣ୍ଣର ଚୁଡ଼ି

ଗଳାରେ ରତ୍ନମାଳୀ ଦଶ ଅବତାର ଚାପସରି ।୩।

ପାଦରେ ନେପୂର ସ୍ତିରୀବେଶ ଅଞ୍ଚଳ

ହୃଦରେ କାଞ୍ଚଲୀ ମୁକୁତା ରତ୍ନମାଳ ।୪।

ତିରୀବେଶ ଅଞ୍ଚଳ ଚାଲନ୍ତେ ଶୋହୋଇ

ମଧୁରିପ ବଲ୍ଲବ ରୂପେ ତ୍ରଇଲୋକ ମୋହଇ ।୫।

କିଞ୍ଚିତ ବକ୍ର ନୟନେ ଚଳଇ ହେଳୁ ହେଳୁ

ଚଳଇ ଯୋଗେଶ୍ୱରୀ କି ବେଣୀଭଦ୍ରା ନଦୀ କୂଳୁଂ ।୬।

ସଂସାର ଜନ ମୋହିଲା ସେ ପୁରୁଷ ତିରୀ ବେଶ

ମଚ୍ଛରାଜ୍ୟେ ଧନୁର୍ଜୟେ ହୋଇଲା ପ୍ରବେଶ ।୭।

ଦେଖିଣ ମୋହଗଲେ ଯେ ସମସ୍ତ ଜନମାନେ

କିୟେ ରମ୍ଭା ତେଜିଲା କି ଆକାଶ ଭୁବନେ ।୮।

କିୟେ ତେଜି ଅଇଲା କି ସାବିତ୍ରୀ ମେନକା

ଭଲେଣ କେହି ନାହିଂ ଗବନ କିଂକେ ୟେକା ।୯।

ବିରାଟ ଆସ୍ତାନ ସନ୍ନିଧ୍ୟେଣ ଯାଇଂ ଧନୁର୍ଜୟେ ଭେଟି

ଦେଖନ୍ତେ ନ ଅଣ୍ଟଇ ସେ ସବୁରି ୟେକ ଦୃଷ୍ଟି ।୧୦।

ସମ୍ଭର୍ବ ଆସ୍ତାନେ ବିଜୟେ ମହୀପାଳେ

ବାସବର ନନ୍ଦନ ଯାଇ ବିଜୟେ ଆସ୍ତାନର ତଳେ ।୧୧।

ତ୍ରଇଲୋକ୍ୟ ମୋହିନୀ ତାର ରୂପ ଗୁଣ ଦେଖି

ଭୟେଣ ବେନିଭାଗଜନେ ଆସ୍ତାନ ଉପେଖି ।୧୨।

ବିରାଟେ ପଚାରଇ କୋନ୍ତେ ୟେତେ ବଡ଼ାଇ ଅପୂର୍ବ

ଆକାଶ ବାହିନୀ କି ୟେହାର ସରୂପ ଦେଖିବ ।୧୩।

ଯୁଝେଷ୍ଠି ବିଚାରନ୍ତି ଅର୍ଜୁନ ମୁଖ ଚାହିଂ

ଆରେ ନିଲ୍ଲଜ ଆତ୍ମା ମୋର କିଂପେ ଅଛୁ ରହି ।୧୪।

ବାବୁ ଦୁଇବାହେ ମହାଭାରା ପୃଥୀ ଧଇଲୁ ଧନୁହୁଳେ

ସୁଭଦ୍ରା ଛଳେ ଦ୍ୱାରିକାୟେ ଜିଣିଲୁ କୃଷ୍ଣ କାମପାଳେ ।୧୫।

ପାଞ୍ଚାଳ ଦେଶରେ ବାବୁ ରାଧାଚକ୍ର ବିନ୍ଧି

ପାଞ୍ଚାଳୀ ହରଣେ ତୁ ଜିଣିଲୁ ସର୍ବ ଯୋଧୀ ।୧୬।

ଶରେ ସାଗର ବିନ୍ଧିଲୁ ହନୁମନ୍ତ ବିବାଦେ

ଗୋସିଂହ ଭୟେ ଦ୍ୱାରକା ରକ୍ଷାଗଲା ତୋହୋର ପରସାଦେ ।୧୭।

ବାବୁରେ ଅରଣ୍ୟେ ଗମନ୍ତେ ଜିଣିଲୁ ତୁ ଅଙ୍ଗାରପନଙ୍ଗ

ଶହସ୍ର ବିଘାତେ ବିକୋତିଲୁ ତାହାର ଯେ ଅଙ୍ଗ ।୧୮।

ବାବୁ ଅଗ୍ନି ଦେବତାର ଖଣ୍ଡିଲୁ ତୁ ଲୁଦୁବୁଦୁ ବ୍ୟାଧି

ବାସବକଇଂ ଜିଣି ଖାଣ୍ଡବ ବନୁଂ ଦେଲୁ ମଉଷଧି ।୧୯।

କିରାତ ରୂପେଣ ତୁ ଅରଣ୍ୟେ ହର ଜିଣି

ଭୟେଣ ପ୍ରସନ୍ନ ତୋତେ ହୋଇଲେ ଶୂଳପାଣି ।୨୦।

ପଶୁପତ୍ର ଅକ୍ଷୟ ତ୍ରୋଣ ବର ତୋତେ ଦିଲେ

ହର ପାର୍ବତୀ ତୋତେ ଯେ ପ୍ରସନ୍ନ ହୋଇଲେ ।୨୧।

ସ୍ୱର୍ଗ ମଞ୍ଚ ପାତାଳ ତିନି ଲୋକରେ ବଳବନ୍ତା

ୟେଥକୁ ଭାର୍ଜନ ତୋତେ କଲାକ ବିଧାତା ।୨୨।

ମୁହିଂ ତୁମ୍ଭଂକୁ ନାଶକଲି ହାଥର କୁତୂହୋଳେ

ତୋରପରା ଭାଇ ଆସି ଉଭାରିଲୁ ବିରାଟର ସଭାତଳେ ।୨୩।

ୟେ ତୋହୋର ପ୍ରାକର୍ମ ହୀନକାର୍ଯ୍ୟ ଦେଖି

ଫୁଟି କିମ୍ପା ନ ଗଲାରେ ମୋହୋର ବେନିଆଖି ।୨୪।

ଫୁଟିଣ ନ କହନ୍ତି କୋନ୍ତେ ବିଚାରନ୍ତି ମନେ ମନେ ଗୁଣି

ଶରୀର ବିସର୍ଜନ ହୋଉକିନା ୟେହିକ୍ଷଣି ।୨୫।

ସଭାତଳେ ଯାଇଂ ଅର୍ଜୁନ ହୋଇଲାକ ଉଭା

ଅମର ଭୁବନ ଜିଣି ଦିଶିଲାକ ଅତି ଶୋଭା ।୨୬।

ବାମଅଙ୍ଗ ସାର ଦେଇ ବିରାଟ କତିକି

ପ୍ରଣପତ୍ୟ ଫାଲଗୁନି କୋନ୍ତଂକ ମୁଖ ଦେଖି ।୨୭।

ବିରାଟ ବୋଇଲା ତହିଂ ଜିତ ମହାପ୍ରସାଦେ

ଅମନାତ୍ୟେ ବୋଇଲେ ଉଠ ଆଗ୍ୟାଂ ହୋଇଲାକ ହାଦେ ।୨୮।

ସ୍ୱଇଚ୍ଛାୟେ ଗୋପ୍ୟ ସେ କାର୍ଯ୍ୟର ନିମନ୍ତେ

ସ୍ତିରୀବେଶ ଅଳଂକାର ବେନିବାହୀ ହାଥେ ।୨୯।

ସାଷ୍ଟାଙ୍ଗେ ପଡ଼ି ଯେ ଅଛନ୍ତି ସେହୁ ଭୂମିଗତେ

ବିରାଟର ବଚନେ ସେ ଉଠିବ କେମନ୍ତେ ।୩୦।

ହୃଦଗତେ ବିଚାରନ୍ତି ଦେବ ଯେ ଯୁଝେଷ୍ଠି

ଆମ୍ଭର ଆଗ୍ୟାଂ ନ ପାଇଲେ ଯେ ନ ଉଠଇ କିରୀଟୀ ।୩୧।

କୋନ୍ତେ ବୋଇଲେ ତୁ ଗୋ ଶୁଣସି ମହାତ୍ମାଣୀ

ଠାକୁରଂକ ଆଗ୍ୟାଂ ହେଲା ଉଠ ୟେହିକ୍ଷଣି ।୩୨।

ବିରାଟର ବଚନେ ଯେ ସେ ତୂନୀ ହୋଇଥିଲା

ଯୁଝେଷ୍ଠିଂକ ବଚନେ ସେ ଧାତିକାରେ ଉଠିଲା ।୩୩।

ବିରାଟ ବୋଇଲା ତୁ ଶୁଣସି ଗୋ ସୁନ୍ଦେରୀ

କେବଣ ଭୁବନେ ଥାନ ଗୋ ତୋହୋରି ।୩୪।

କେ ତୋହୋର ମାତାପିତା କେ ତୋହୋର ପ୍ରଭୁ

କାହୁଂ ଅଇଲୁ ତୁ ଗୋ କାହାର କୁଳବୋହୂ ।୩୫।

ମୋହିନୀ ରୂପ ଧରି ପଶିଲୁ ମୋର ରାଜ୍ୟେ

କିମ୍ଭୂତ ତୋର ସମ୍ପାଦ କହ କିସ ତୋର କାର୍ଯ୍ୟେ ।୩୬।

ସୁଶୀତଳ ବାଣୀ ଯେ କହଇ ସର୍ବସାଚୀ

ଅପାର କାର୍ଯ୍ୟ ମୋହୋର ବିଚାରେ ନାହିଂ କିଛି ।୩୭।

ପଶ୍ଚିମ ସଉରାଷ୍ଟେ ହସ୍ତିନା ନଗ୍ରପୁରୀ

ଯୁଝେଷ୍ଟି ଦେବ ଠାକୁରେ ତାହିଂର ଅଧିକାରୀ ।୩୮।

ଭୀମସେନ ଠାକୁରେ ତାହାଂକ ସାନୁଜ

ତାହାଂକର କନିଷ୍ଠ ଯେ ବାସବ ତନୁଜ ।୩୯।

ସେ ଅର୍ଜୁନକୁ ଦେବ ତୁହି ଚିହ୍ନି ପାରୁ କି ବିରାଟଇ

ମୁହିଂ ତାଂକର ବେଶ କାରେଣୀ ଅଟଇ ।୪୦।

ପଶାରେ ରାଜ୍ୟଭାର ହାରିଲେ ଯୁଝେଷ୍ଠି ଦେବେ ଯହୁଂ

ହସ୍ତିନା ନଗ୍ରକୁ ଆଉର ଯିବୁ ଆମ୍ଭେ କାହୁଂ ।୪୧।

ଯୁଝେଷ୍ଠି ଦେବ ଠାକୁର ତୁମ୍ଭ ରାଜ୍ୟକୁ ଅଇଲେ ବୋଲି

ସେ ଶବଦକଇଂ ମୁଂ ଯେ ଗୋଡ଼ାଇ ଅଇଲି ।୪୨।

ମୋହୋର ନାମ ସଂକେତ ଅଟଇ ବୃହନ୍ନାରୀ

କନ୍ୟାଂକର ଅନ୍ତପୁରେ ମୁଂ ଥାଇ ନୃତ୍ୟଗୀତ କରି ।୪୩।

ବିରାଟ ବୋଇଲା ତୋର ସ୍ତିରୀବେଶ ଶୁଦ୍ଧକାୟେ

ମମହୃଦେ ବିଚାରଇ ତୁ ଗୋ ଦିଶୁ ପୁରୁଷ ଲକ୍ଷଣ ପ୍ରାୟେ ।୪୪।

ବୋଲଇ ବୃହନ୍ନାରୀ ଶୁଣସି ମହେଶ୍ୱର

ସ୍ତିରୀ ପୁରୁଷ ଲକ୍ଷଣୁ ମୁଂ ଅଟଇ ବାହାର ।୪୫।

ବିରାଟ ବୋଇଲେ କୋନ୍ତେ ୟେ ଅଟଇ କିସ ରୂପ

ବଡ଼ାଇ ଦୁରାପଦ ୟେ କହିଲା ମହାଗୋପ୍ୟ ।୪୬।

ଯାହା ସେ ଲେଖନ କଲା ପ୍ରଜାପତି

ଚନ୍ଦ୍ରେକ ସୂର୍ଯ୍ୟେକ ଯେ ସ୍ରିଜିଲା ଦିବାରାତି ।୪୭।

ସ୍ତିରୀୟେକ ପୁରୁଷ ୟେକ ପାପେକ ପୁଣ୍ୟେକ

ୟେଥୁଂ ବାହାର ସେ ବୃହନ୍ନାରୀ ସରୂପେକ ।୪୮।

କୋନ୍ତେ ବୋଇଲେ ସେ ଥିବ ଅନ୍ତପୁରେ

ଅହନିଶି ମେଳହୋଇ ସେ ସ୍ତିରୀଂକ ସଙ୍ଗତରେ ।୪୯।

ଯେବେ ମହାରାଜ କଲୁ ମନେ ବାଧା

ବିଶ୍ୱାସଗଲା ଲୋକ ଘେନି କରାଅ ବେଗେ ଶୋଧା ।୫୦।

ଯାଚକେଶ୍ୱର ମନ୍ତ୍ରୀ ବୋଇଲା ଅନ୍ତବାଡ଼ ପଡ଼ୁ

ଉତ୍ତରକୁମର ଯାଇ ଆପଣେ ଶୋଧା କରୁ ।୫୧।

ସରୂପ ବୁଝିବାନା ପରୀକ୍ଷୁଂ ଉତୁରିଲେ

ତେବେ ସେ ଅନ୍ତପୁରେ ଥିବ ନପୁଂସକ ହୋଇଲେ ।୫୨।

ଅନ୍ତବାଡ଼ ଭିତରେ ପଶିଲା ବୃହନ୍ନାରୀ

ବିରାଟ ନନ୍ଦନ ଉତ୍ତରକୁମାର ପରୀକ୍ଷ ସେ କରି ।୫୩।

ବିଧାତାର ନିର୍ବାର ଉର୍ବଶୀର ଶାପ୍ୟ

ତେଣୁ ସେ ପାଥର ଉପସ୍ଥ ଗଲା ଗୋପ୍ୟ ।୫୪।

ବିବସ୍ର କରିଣ ଦେଖନ୍ତି ବର୍ଣ୍ଣଚିହ୍ନ

ସରୂପ ଦେଖିଲା ନାହିଂ ସ୍ତିରୀ ପୁରୁଷ ଲକ୍ଷଣ ।୫୫।

ଆସ୍ଥାନେ ଉତ୍ତରକୁମର କହଇ ସରୂପ

ସ୍ତିରୀ ଲକ୍ଷଣ ନାହିଂ ପୁରୁଷ ଲକ୍ଷଣ ଗଲା ଗୋପ୍ୟ ।୫୬।

ବିରାଟ ବୋଇେଲ କୋନ୍ତେ ସାଧୁ ମୋ ଜୀବନ

ମହତଂକ ପ୍ରସନ୍ନେ ଜନେ ଲଭନ୍ତି ପୁଣ୍ୟମାନ ।୫୭।

ପ୍ରଥମେ ଯେ ବୋଇଲା ଯୁଝେଷ୍ଠି ଅଇଲେ ବୋଲି

ସେ ଶବଦଗୋଟି ଶୁଭିଲା ମୁଂ ତେଣୁ ନିସ୍ତରିଲି ।୫୮।

କୋନ୍ତେ ବୋଇଲେ ରାୟେ ନ କହୁ ଆମ୍ଭେ ମିଥ୍ୟା

ପୁଣି ଅବଦେ ପରିଯନ୍ତେ ଦେଖିବୁ ତୁ ଯଥା ।୫୯।

ମହଂତକ ବାଚା ଯେବେ ହୋଇବାକ ଆନ

ଆବର ଚନ୍ଦ୍ର ସୂର୍ଯ୍ୟ କିଂପେ ଶୂନ୍ୟେ କରିବେ ଗବନ ।୬୦।

ବଚନେ ବୋଧଗଲା ମଚ୍ଛ ଅଧିକାରୀ

ତୁ ମୋହୋର ଉତ୍ତରା ବାଳୀକି ନୃତ୍ୟ କରାଅ ବୃହନାରୀ ।୬୧।

ଅର୍ଜୁନ ଠାକୁରଂକୁ ଦେଖିବି ମୁଂ ଆର କାହିଂ

ସଂସାର ଅନ୍ଧପଟଳ ଫିଟଇ ତାହାଂକ ମୁଖ ଚାହିଂ ।୬୨।

ଯାଚକେଶ୍ୱର ମନ୍ତ୍ରୀ ବୋଇଲା ତୁ ଶୁଣିମା ମହାରାଜା

ଧାର୍ମିକ ଲୋକନ୍ତ ବହୁତ ନ ବଜା ।୬୩।

ମନ୍ତ୍ରୀର ବଚନ ଶୁଣିଣ ସେ ଧାର୍ମିକ ଦଣ୍ଡଧାରୀ

ଆପଣାର ଶ୍ରୀକରେ ବିରାଟ ଘେନିଲାକ ଦିବ୍ୟଶାଢୀ ।୬୪।

ଘେନସି ବୃହନାରୀ ବୋଲି ଶ୍ରୀକରେ ରାୟେ ତୋଳି

ହେଠ ବଦନେ ଅର୍ଜୁନ ସୁମରଇ ବନମାଳୀ ।୬୫।

ୟେହାର ଶାଢ଼ୀ ଯେ ମୁଂ ଘେନିଲେ ଚଳହାଥେ

ଭୃତ୍ୟପଣ ହୋଇବ ସିନା ଶାଢ଼ୀ ବାନ୍ଧିଲେ ମାଥେ ।୬୬।

ତିନିହୁଂ ଚାରି ମୋତେ ଦିଅନ୍ତା ନାହିଂ ଶାଢ଼ୀ

ଇନ୍ଦ୍ର ଗୋବିନ୍ଦ ଆବର ଯୁଝେଷ୍ଠି ଦଣ୍ଡଧାରୀ ।୬୭।

କହୁଂ କହୁଂ ଅରଜୁନ ଅଧର ପୁଷ୍ଟ କଲା

ଆଜ ତୋହୋର ଶିରୀ ସମ୍ପଦ ସରଇ ବିରାଟେ ବୋଇଲା ।୬୮।

ଅର୍ଜୁନର କୋପ ଦେଖି ଜାଣିଲେ ଯୁଝେଷ୍ଠି

ହୃଦେ ସୁମରଣା କଲେ ନାରାୟଣ ନାମଗୋଟି ।୬୯।

ହରି ସେ ତୋହୋର ବୋଲେ ଅଇଲି ବିରାଟ ରାଜ୍ୟକୁ

ୟେ ଧର୍ମ କଷଣୁଂ ହରି ହେ ପାରି କରିବା ମୁକୁ ।୭୦।

ହରିର ମାୟାରେ ଯେ ଚେତିଲା ମତ୍ସପତି

ଶାଢ଼ୀଦେବା ହାଥେ କାଢ଼ି ଆଣିଲା ତତକ୍ଷଣାନ୍ତି ।୭୧।

ବିରାଟ ବୋଇଲା କୋନ୍ତେ ମୁଂ ନ ଜାଣି କଲି ଅନୀତି

ମତ୍ସରାଜ୍ୟଯାକ ମୁଂ ସମର୍ପିଲଇଂ ତୁମ୍ଭନ୍ତି ।୭୨।

ତୁମ୍ଭେ ଶାଢ଼ୀଦେବା ହୋଉ ୟେ ବୃହନ୍ନାରୀ କି

କନ୍ୟାପୁରେ ଯାଉ ୟେ ଉତ୍ତରା ତହିଂକି ।୭୩।

କୋନ୍ତେ ଶାଢ଼ୀଦିଲେ ଅର୍ଜୁନକୁ ସାନନ୍ଦେ

ଶ୍ରୀହସ୍ତେ ଅର୍ଜୁନ ମଥାରେ ବାନ୍ଧିଲା ହାଦେ ।୭୪।

ଆସ୍ତାନର ମଧ୍ୟେ ଶାଢ଼ୀ ବୀର ଘେନି

ନାଟପା ମନ୍ଦିରକୁ ଚଳଇ ଫାଲଗୁନି ।୭୫।

ଉତ୍ତରାର ମୂଳେ ଯେ କନ୍ୟାଗୋଟି ଚାରି

ନୃତ୍ୟ ଆରମ୍ଭ ନେଇ ସେ ପାତିଲେ ଅନ୍ତପୁରୀ ।୭୬।

ଯୁଝେଷ୍ଠି ସଭାପଣ୍ଡା ବିରାଟକୁ ଘେନି ଖେଳାବନ୍ତି ପଶା

ଭୀମସେନ ସୂପକାର ଅର୍ଜୁନ ଅମାନୁଷା ।୭୭।

ଅର୍ଜୁନ ବେଶକାର ବୃହନ୍ନାରୀରୂପେ

ଜାଣନ୍ତା ନୋହିଲେ ୟେ ତିନିହେଂ ରହିଲେ ଯେ ଗୋପ୍ୟେ ।୭୮।୧୪୦୫।

******

 

 

ଦ୍ରୋପଦୀଙ୍କର ବିରାଟ ଭବନରେ ପ୍ରବେଶ

ୟେଥୁ ଅନନ୍ତରେ ଶୁଣିମା ଦିବ୍ୟରସ

ପାଞ୍ଚାଳୀ କହଇ ସେ ସହଦେବର ପାଶ ।୧।

ଶୁଣସି ସହଦେବ କି ବୁଦ୍ଧି କରିବା

କେଉଂଣ ଉପାୟେ ଆମ୍ଭେ ମତ୍ସଦେଶେ ଯିବା ।୨।

ସହଦେବ ବୋଇଲା ଶୁଣ ଗୋ ଜିଘ୍ନସେନୀ

ଦଧିବାମନ ଅନକୂଳ ଶୁଭଲଗ୍ନ ଘେନି ।୩।

ଆସ୍ତାନର ମଧ୍ୟେ ଯେ ରହିଲେ ଦେବଧର୍ମେ

ରୋଷୁଅଶାଳ ଆବୋରି ରହିଲେ ଭୀମସେନେ ।୪।

ଅନ୍ତପୁର ଭିତରେ ରହିଲେ ସବ୍ୟସାଚୀ

ଚଳ ତୁ ଅନ୍ତପୁରେ ଗୋ ସୁଦେଷ୍ଣା ଯହିଂ ଅଛି ।୫।

ସର୍ବମଙ୍ଗଳ ଯୋଗ ଅମୃତ ବିଧାନ

ବିଜେ ଅନ୍ନପୂର୍ଣ୍ଣା ମାହେଶ୍ୱରୀ ଯେ ସୁମରି ଭଗବାନ ।୬।

କଷାବସନ ପରିହରଣ ଅଳଂକାର ବିହୁନା

ଶ୍ରୀକରେ ବେନିବାହୀ ଦେବୀ ମୁକୁଳ କେଶ ସିନା ।୭।

ଗମନ୍ତେ ତ୍ରଇଲୋକ୍ୟ ମୋହୋଇ ପାଞ୍ଚାଳୀ

ନବର ପଛିମ ଦ୍ୱାରେଣ ଯାଇଂ ମିଳି ।୮।

ମଉନ ବିକାରେ ଯେ କାହାକୁ ବଚନ ନ ବୋଲଇ ସତୀ

ଧାଇ ମୁଦୁସୁଲୀମାନେ ଆସି ମିଳିଲେ ତଡ଼ତି ।୯।

ନାଗରୀ ଚତୁରୀୟେ ପ୍ରକାଶନ୍ତି ଚାଟୁବାଣୀ

କାହୁଂ ସେ ଆସିଅଛୁ କହ ଗୋ ମହାତ୍ମାଣୀ ।୧୦।

ଶ୍ରୀକୃଷ୍ଣା ମହାଦେଈଂକି କହନ୍ତି ସଦିଭାବେ

ସତ୍ୟ ବଚନ ଆମ୍ଭର ଶୁଣସି ଗୋ ମାୟେ ୟେବେ ।୧୧।

ଶୁଣସି ଗୋ ମହାଦେଈ ପବିତ୍ର ଅପର୍ଣ୍ଣା

କନ୍ୟାୟେ ଦ୍ୱାରେ ଉଭା ରୂପେ ବରାଙ୍ଗନା ।୧୨।

କଥା ନ କହଇ ଗୋ ମଉନବ୍ରତ ଜାଣି

ଭବାନୀ କଲ୍ୟାଣୀ ଗୋ ଅହିଅ ସୁଲକ୍ଷଣୀ ।୧୩।

କପିଳାସ ତେଜିଣ କି ବିଜେକଲେ ଦେବୀ ଉମା

କି ସେ ଶଚୀଦେବୀ ଅଟଇ ଇନ୍ଦ୍ରଂକର ବାମା ।୧୪।

କି ଅବା ପଦ୍ମବନ ତେଜି ଅଇଲେ କମଳିନୀ

କି ଅବା ରତିଦେବୀ କାମର ଘରଣୀ ।୧୫।

ତିରୀଂକର ମଧ୍ୟେଣ ଗୋ ସୁନ୍ଦରୀ ଅଟଇ ରମ୍ଭା

ଗଉତମଂକର ପତ୍ନୀ ଅହଲ୍ୟା ଅଟେ ଅବା ।୧୬।

ସଂପୋଡ଼େ କଷଣ ଗୋ ପଡ଼ିଲା ଆସି ତୋତେ

ଦେଖିଲେ ବିରାଟ ଗୋ ମୃଚ୍ଛିବ କେମନ୍ତେ ।୧୭।

ଜଗୁଜନ ମୋହିନୀ ସେ ଗୋ ତିରୀ ରତ୍ନକାନ୍ତି

ଜାତି ପଦ୍ମିନୀ ସେ ରୂପେ ରୂପବନ୍ତୀ ଗୁଣବନ୍ତୀ ।୧୮।

ବିଚାରି ଠାକୁରାଣୀ ଗୋ ବୁଝିବା ପରିମାଣି

ନିଚୟେ ତୋହୋର ଗୋ ସେ ହୋଇବ ସପତଣୀ ।୧୯।

କେ ବୋଲଇ ତାହାକୁ ନେମା କେଶ ଧରି

କଟକ ବାହାରେ ତାକୁ ଛାଡ଼ିବା ଡେଙ୍ଗୁରି ।୨୦।

କେ ବୋଲଇ କୁରୁଳି କରି ପିଟିବା ମୁଖେ ଦେଇ ବିଣ୍ଡା

କେ ବୋଲଇ ହାଣିମା କି କରେ ଧରି ଖଣ୍ଡା ।୨୧।

ଶ୍ରୀକୃଷ୍ଣାୟେ ବୋଇଲେ ୟେମନ୍ତ କିମ୍ପେ ବୋଲ

ମହତ ଲୋକ ହୋଇଥିବ ନ କର ଘଞ୍ଚାଳ ।୨୨।

କଷଣ ନିମନ୍ତେ ମର୍ତ୍ତ୍ୟେ ଆସିଥାନ୍ତି ଦେବସ୍ତିରୀ

ଘଞ୍ଚାଳ କଲେ ଗୋ ଅବଶ୍ୟ ହାଦେ ମରି ।୨୩।

ତାହାର ତହିଂକି ଗୋ ଯାଅ ୟେହିକ୍ଷଣି

ମୋହୋର ଛାମୁକୁ ଗୋ ଘେନିଆସ ବେଗେ ପୁଣି ।୨୪।

ମହାଦେଈର ବଚନେ ମୁଦୁସୁଲୀ ଗଲେ ଝାତି

ଯାଇଣ ଛାମୁରେ ଯେ ବିନୋୟୀ କହନ୍ତି ।୨୫।

ତୁକୁହି ଆଗ୍ୟାଂ ଗୋ ଦିଲେକ ଠାକୁରାଣୀ

ଛାମୁକୁ ବହନ ହୋଇ ଆସିବା ମହାତ୍ମାଣୀ ।୨୬।

ଶ୍ରୀହରି ସୁମରି ଚଳଇ ପାଞ୍ଚାଳୀ ଯେ ବିରାଟ ଅନ୍ତପୁରେ

ଦେଖିଣ ଶ୍ରୀକୃଷ୍ଣା ଆସନ ତେଜିଲେ ଧାତିକାରେ ।୨୭।

ପାଞ୍ଚାଳୀ ପଶନ୍ତେ ପୁର ଦିଶିଲାକ ଶୋଭା

ଶ୍ରୀକୃଷ୍ଣା ବିଚାରନ୍ତି ୟେତ ପ୍ରତକ୍ଷେ ଅଟଇ ରମ୍ଭା ।୨୮।

ଅମରାଧିନାଥ କେହ୍ନେ ତେଜିଲା ଆଖଣ୍ଡଳୀ

କେ ଅବା କେବଣ ଦ୍ରୋହେ ପତିତ ଭୂଅତଳି ।୨୯।

ୟେମନ୍ତ ବିଚାର ଯେ କରନ୍ତି ମହାଦେଈ

କି ଅବା ସାବିତ୍ରୀ ସତ୍ୟବନ୍ତେ ତେଜି ଅଇଲେକ ୟେହି ।୩୦।

କି ଅବା ମେନକା ଦୋହିତା ୟେହୁ ଶକୁନ୍ତଳା

ସର୍ବଲକ୍ଷଣ ବେଶ କିଂପେ କେଶ ଯେ ମୁକୁଳା ।୩୧।

ଶ୍ରୀୟା ନାମେଣ ଶ୍ରୀକୃଷ୍ଣଂକ ବିଶ୍ୱାସୀ ମୁଦୁସୁଲୀ

ଆଲୋ ବହନ ସମସ୍ୟା କର ବଚନ କିସ ବୋଲି ।୩୨।

ମୁଦୁସୁଲୀ ବୋଇଲା ଗୋ ମତ୍ସଦେଶର ଠାକୁରାଣୀ

ସମସ୍ୟା ପଚାରେ ପ୍ରତିଉତ୍ତର ପଡ଼ଇ ଦୃଢ଼ବାଣୀ ।୩୩।

ଧୂର୍ତ୍ତ ବାତୁଳୀ ଆମ୍ଭେ ଚତୁରୀ ମୁଦୁସୁଲୀ

ଅଶୁଦ୍ଧ ବାକ୍ୟ ଆମ୍ଭେ ସର୍ବଦାୟେ ବୋଲି ।୩୪।

ମାୟେ ସମାନ ସାଦୃଶ୍ୟେ ହାଦେ ବଚନ କହିବା

ପ୍ରସ୍ତାପ ସାଦୃଶ୍ୟେଣ ପ୍ରତିସମସ୍ୟାହିଂ ଦେବା ।୩୫।

ସେବା ଅନୁରୂପେ କରିବା ମନବାଞ୍ଛା

କ୍ଷୁଧା ଅନରୂପେ ଭୁକତ କରଇ ଇଚ୍ଛା ।୩୬।

ଶକତି ସାଦୃଶ୍ୟେନ କରିବା କର୍ମେଣ

ଧନ ଅନରୂପେ ଧର୍ମ କରିବା ଘଟଣ ।୩୭।

ପରାକ୍ରମ ଅନରୂପେ ହୋଇବାକ ଦ୍ୱନ୍ଦୀ

ସମାନ ଅନରୂପେ ହୋଇବାକ ବାଦୀ ।୩୮।

ମନ୍ତ୍ର ଅନରୂପେ ବିପ୍ରେ ଘେନିବାକ ଦାନ

ଦେବତା ଅନରୂପେ ପ୍ରସାଦ ବିଦ୍ୟମାନ ।୩୯।

ସମାନ ସାଦୃଶ୍ୟେଣ କରିବାକ ଦେବୀ କୋପ

ୟେମାନ ହେଜି ନୁଆରିଲେ ଖଣ୍ଡଣ ହୋୟେ ତପ ।୪୦।

ବାବୁ ଅନରୂପେ ଯେ କରିବା ଗଉରୋବ

ୟେତେ ଠାବକୁ ଚରଚା କରନ୍ତି ପଣ୍ଡିତ ଯେ ଭାବ ।୪୧।

ତୁ ଯେ ଧାର୍ମିକ ବିବେକ ପଣ୍ଡିତ କୁଳଶୀଳ

ତୋ ତହୁଂ ଗରୁହଂସୀ ତାହାର ଦିଶଇ ବାକ୍ୟବଳ ।୪୨।

ଶ୍ରୀୟାର ବୋଧ ବଚନେ ଯେ ବଦୟନ୍ତି ଶ୍ରୀକୃଷ୍ଣା

କେବଣ ଦେଶୁଂ ଗବନ କଲୁ କହ ଗୋ ସତୃଷ୍ଣା ।୪୩।

କେ ତୋହୋର ବଲ୍ଲଭ କେ ତୋହୋର ପିଅର ମାୟେ

ଗୃହବାସ କାହିଂ ଗୋ କେବଣ କୁଳେ ଜାତହୋୟେ ।୪୪।

ଶୁଣ ଗୋ ବଇରାଷ୍ଟ ପୁର ଭୁବନ ମଣ୍ଡଣି

ବଚନ ପ୍ରକାଶନ୍ତେ ଶୁଭଇ ମଧୁର ରସବାଣୀ ।୪୫।

ବିନୟ ଭଗତେଣ ହୋଇ ସେ କୃତାଞ୍ଜଳି

ରୁଚିର ବଚନ ଦେବୀ କହଇ ପାଞ୍ଚାଳୀ ।୪୬।

ମାଗୋ ପଛିମ ସଉରାଷ୍ଟେ ଯେ ନଦୀ ବହଇ ଯମୁନା

ସେ ନଦୀତଟେ ଯମପ୍ରଶସ୍ତ ଇନ୍ଦ୍ରପ୍ରଶସ୍ତ ଜଇନ୍ତ ବାରୁଣା ହସ୍ତିନା ।୪୭।

ବଡ଼ାଇ ପ୍ରମୋଦ ସ୍ଥାନ ଯେ କୁଞ୍ଜଗଳ ବାରସ୍ୱତୀ

ଯୁଝେଷ୍ଠି ମହାରାଜ ତହିଂର ଚକ୍ରବତୀ ।୪୮।

ଭୀମ ଅର୍ଜୁନ ଯେ ନକୁଳ ସହଦେବ

ସୋମବଂଶକଇଂ ଉଦ୍ଧାରଣ ପଞ୍ଚୁ ଯେ ପାଣ୍ଡବ ।୪୯।

ତାହାଂକର ମନୋହରୀ ଅଟନ୍ତି ଦ୍ରୋପତୀ

ଦ୍ରୋପତ ରାଜାର ସେ ଅଟଇ ଦୋହିତୀ ।୫୦।

ନୋହଇ ଦ୍ରୋପତୀ ମୁଂ ଅଟଇ ତାଂକ ଦାସୀ

ୟେ ସତ୍ୟବାକ୍ୟ ଗୋ କହିଲୁ ପରକାଶି ।୫୧।

ଶ୍ରୀକୃଷ୍ଣା ବୋଇଲେ ଗୋ କହିଲୁ ସିନା ଭଲବାକ୍ୟ

ବଡ଼ାଇ ଦୁଲଭ କଥା ୟେ ଶୁଭେତ ତ୍ରଇଲୋକ୍ୟ ।୫୨।

ଆଜଦିନର କଥା ସୁଫଳ ଗୋ ପୁଣ୍ୟ ଅପ୍ରମିତା

ପରମାନନ୍ଦ ପୁରୁଷଂକର ପଡ଼ିଲା ଆଜ ଚିନ୍ତା ।୫୩।

ଆଗୋ ଦ୍ରୁପଦ ରାଜାଂକର ଦୋହିତା ଦ୍ରୋପତୀ

ୟେକ ସ୍ତିରୀଂକି ଗୋ ଅଟନ୍ତି ପଞ୍ଚୁପତି ।୫୪।

କିମ୍ଭୂତ ମାୟା ଯେ ଗୋ ଶୁଣୁଅଛୁ ବାଣୀ

ସରୂପେ ସତ୍ୟ କି ୟେହା କହିବା ଦୃଢ଼ବାଣୀ ।୫୫।

ଶ୍ରୀକୃଷ୍ଣା ଦେବୀ ଯେ ସର୍ବଗ୍ୟଂ ସର୍ବଜାଣ

କଥା ଅନରୂପେ ବାକ୍ୟ କରନ୍ତି ପ୍ରକାଶ ପୁଣ ।୫୬।

ଅନେକ ରାଜ୍ୟେ ଯେ ପଡ଼ଇ ୟେହୁ କଥା

ଆମ୍ଭେ ବିଚାରୁ ସତ ୟେ ନୋହୋଇ ସର୍ବଥା ।୫୭।

ଶ୍ରୀକୃଷ୍ଣା ବୋଇଲେ ଗୋ ବସ ବସ ମାୟେ

ବଡ଼ାଇ ଦୁରାପଦ ଲାଗିଲା ସନ୍ଦେହ କଥାୟେ ।୫୮।

ଶ୍ରୀକୃଷ୍ଣାର ବଚନେ ବସିଲେ ଦ୍ରୋପତର ବାଳୀ

କହନ୍ତି କୋକିଳ ବଚନ ଶୁଦ୍ଧଶାଳୀ ।୫୯।

ତୁ ଯେ ପୁଚ୍ଛାକଲୁ ରାଣୀ ଗୋ ପାଣ୍ଡବ ପାଞ୍ଚଂକର କଥା

ପାଞ୍ଚ ପତିଂକର ଭାରିଜା ଦ୍ରୋପଦ ଦୁହିତା ।୬୦।

ପଞ୍ଚୁପାଣ୍ଡବଂକର ୟେକଇ ଭାରିଜା ଦ୍ରୋପତୀ

ପାଞ୍ଚେହେଂ ରମଣ କରନ୍ତି ତାହାନ୍ତ ନିତି ।୬୧।

ଶ୍ରୀକୃଷ୍ଣା ବୋଇଲେ ଗୋ ସ୍ତିରୀ ମାତ୍ର ଭଳି

ୟେକାଇଂ କେମନ୍ତେ ସହଇ ପାଞ୍ଚଂକ ଆର୍ଦ୍ଦୋଳି ।୬୨।

ସଇରିନ୍ଧ୍ରୀ ବୋଇଲେ ଗୋ ସେହୁ ପ୍ରତକ୍ଷେ ଜିଘ୍ନସେନୀ

ନିତ୍ୟେହେଂ ପରୀକ୍ଷ ସେ କରଇ ବହନି ।୬୩।

ଧନ୍ୟ ସେ ସ୍ତିରୀ ଅଟଇ ସତୀ ବିଳାସୁଣୀ ।୬୪।

ମୁହିଂ ସେ ଦ୍ରୌପତୀଂକର ଅଟଇ ନିଜ ଦାସୀ

ତାହାଂକର ସମାନ ମୋତେ ଅଭିନ୍ନ ନ କରନ୍ତି ଶୁଭ୍ରକେଶୀ ।୬୫।

ସକଳ ସନ୍ଦେଶମାନ ସେ କହନ୍ତି ମୋହୋର ଆଗେ ପୁଣ

ତାହା ତୋତେ କହିବା ତୁ ୟେକମନେ ଶୁଣ ।୬୬।

ଯୁଝେଷ୍ଠିଂକର ତହିଂକି ସେ ଗମଇ ଯେଉଂଣ ଦିନ

କ୍ରୀଡ଼ାରଙ୍ଗ ସାରି ପଶଇ ହୁତାଶନ ।୬୭।

ସେ କାୟା ଦହନ ଯାଇ ପୁଣ ହୋଅଇ ଆନ କାୟେ

ଆରେକ ଦିନ ଭୀମସେନକୁ ଦ୍ୟନ୍ତି କାୟେ ।୬୮।

ବ୍ରିକୋଦର ତୁଲେ ଯହୁଂ ସରଇ ପୀରତି

ଦୋହୋରା ଅନଳ ପୁଣି ପଶଇ ମହାସତୀ ।୬୯।

ସେ ଅନଳେ ଦହନ କରଇ ୟେହୁ କାୟେ

ନବତନ ଶରୀର ଘେନି ପୁଣ ସମର୍ପଇ ପାର୍ଥିବ ଧନୁର୍ଜୟେ ।୭୦।

ନକୁଳ ସହଦେବଂକୁ ୟେହି ପ୍ରତି ପ୍ରତି

ପଞ୍ଚୁଦିନେ ଅନଳେ ଦହନ ହୁଅଇ ପଞ୍ଚୁଘାନ୍ତି ।୭୧।

ଅନ୍ୟ ସ୍ତିରୀମାନଂକୁ ଜଳ ଯେହ୍ନେ ସ୍ରାହାନ

ଅଗ୍ନି ସଂଯୋଗେଣ ସେ ବଞ୍ଚୁଥାଇ ଦିନ ।୭୨।

ୟେକର ଉଚ୍ଛିଷ୍ଟ ସେ ଆରେକକୁ ନ ଦିଅଇ

ପଞ୍ଚଇ ପୁରୁଷ ହାଦେ ସେ ୟେକଇ ଆତ୍ମା ତାହାକଂରି ଦେହୀ ।୭୩।

କହନ୍ତେ ଶ୍ରୀକୃଷ୍ଣା ଯେ ବୁଝିଲେ ମହାଗୁରୁ

ଅସଂକ୍ଷେପ ବଚନ ତୋହୋର କେହୁ ପ୍ରତେକରୁ ।୭୪।

ସଇରିନ୍ଧ୍ରୀ ବୋଇଲେ ଗୋ ସନ୍ନିଧ୍ୟେ ତାହାଂକଇ ଖଟି ସେବା

ପଞ୍ଚଭୂତ ଆତ୍ମା ମୁଂ ତାହାଂକ ପ୍ରିୟଭାବା ।୭୫।

ୟେସନେକ ଅଭିନ୍ନ କରି ସେ ଦେଖଇ ମୁକୁଇଂ

ସେ ଯେହ୍ନେ ଦ୍ରୋପତୀ ପ୍ରତକ୍ଷେ ଅଟେ ମୁହିଂ ।୭୬।

ସନ୍ନିଧ୍ୟେ ଖଟଣି ସେବା ନାମ ମୋର ସଇରିନ୍ଧ୍ରୀ

ଅଲେଖ ତିଳେଖ କରଇ ଚତୁସମ ଲାଗି ।୭୭।

ସ୍ୱାମୀର ଅଧମ ପଣେ ପଶାକ୍ରୀଡ଼ା ହୋଡ଼େ

ରାଜ୍ୟଭାର ସଂପଦ ସେ ହାରିଲେ ସଂପୋଡ଼େ ।୭୮।

ବଚନ ଅଲଂଘିତେ ହୋଇଲେ ବନଗାମୀ

ଶବଦେକ ଶୁଭିଲା ତୁମ୍ଭ ରାଜ୍ୟକଇଂ ଅଇଲେ ଯୁଝେଷ୍ଠି ଦେବସ୍ୱାମୀ ।୭୯।

ମୁହିଂ ବିଚାରିଲି ଦ୍ରୌପତୀ ଯିବେ ନାହିଂ କି ବିରାଟ ରାଜ୍ୟକୁ

ଗୋଡ଼ାଇ ଅଇଲି ମାଗୋ ଅନିବାରଣ ଶବଦକୁ ।୮୦।

ମାଗୋ ଦେଖିଲି ବିବେକ ଧାର୍ମିକ ତୋହୋରକ ଇଚ୍ଛା

ସେ ନିମନ୍ତେ ତୋର ରାଜ୍ୟେ ରହିତେ କଲି ଇଚ୍ଛା ।୮୧।

ମା ଗୋ ତୁହି ଶ୍ରୀକୃଷ୍ଣା ଗ୍ୟାଂନବନ୍ତ ଦେହୀ

ଶୁଣି ଅଛୁନା ତୋହୋର କଥା ସଙ୍ଗତହିଂ ।୮୨।

ଶ୍ରୀକୃଷ୍ଣା ବୋଇଲେ ଯେବେ ମୋହୋର ଭାଗ୍ୟ ଥିବ

ତୁମ୍ଭେ ମୋହୋର ଭୁବନେ ସମୟେକେ ରହିବ ।୮୩।

ମୋହୋର ଛାର ପାମରୀ ଦ୍ରୌପତୀଂକି ଦେଖିବଇ କାହିଂ

ଖଣ୍ଡଇ କିନା ଦୁରାପଦ ମୁଂ ତୁମ୍ଭର ମୁଖ ଚାହିଂ ।୮୪।

ମାଗୋ କଥା ପୁଚ୍ଛିବି ତୋତେ ମୁଂ ହୋଇବ କଟାଳ

ସର୍ବଗୁଣେ ସାଧବୀ ମାଗୋ ମୁକୁଳ କିଂପେ ବାଳ ।୮୫।

ସଇରିନ୍ଧ୍ରୀ ବୋଇଲେ ମୋହୋର ଦିଅରେ କଲି କଳି

ଭ୍ରଚ୍ଛନା ବୋଲି ମୁହିଂ ତାହାରେ ବହୁତ ଦିଲି ଗାଳି ।୮୬।

ସହି ନୁଆରିଲି ସେହି ମୂରୁଖ ଚାଣ୍ଡାଳ

ଆକ୍ରେଷିଣ ବାମଭୁଜେ ଧଇଲା ମୋର ବାଳ ।୮୭।

ତେଣୁ କରି କେଶ ମୋର ହୋଇଲା ମୁକୁଳି

ରାଗେଣ ନ ବାନ୍ଧିଲି ମୋହୋର କଇଚ୍ଛା ଅଙ୍ଗୁଳି ।୮୮।

ଶ୍ରୀକୃଷ୍ଣା ବୋଇଲେ ତୋର କେଶ ଯେ ମୁକୁଳିତ

ବନ୍ଧନ ନ କଲେ ପୁଣ ହୋଇବ କେମନ୍ତ ।୮୯।

ସଦିଭାବ ହୋଇ ଶୁଣ କହଇ ମୁଂ ତାହା

ମୋହୋର ସ୍ୱାମୀ ହାଥେ ଉପୁଡ଼ାଇବି ବେନି ତାର ବାହା ।୯୦।

ତାହାର ଭୁଜ ଶୋଣିତେ ପଖାଳିବି ମୋହୋର କେଶ

ତେବେ ସେ ବନ୍ଧନ କରିବି ମୋହୋର ସତ୍ୟ ବଚନ ପ୍ରକାଶ ।୯୧।

ଶୁଣିଣ ଶ୍ରୀକୃଷ୍ଣାର ଯେ କଣ୍ଟିଲା ଲଲାଟ ପାଟି

ବୋଇଲା ସ୍ତିରୀମାତ୍ର ହୋଇ ୟେଡେ କଇଚ୍ଛା ଜଗଜ୍ଜେଠୀ ।୯୨।

ଶ୍ରୀକୃଷ୍ଣା ବୋଇଲେ ୟେ ମୋହୋର ରାଜ୍ୟେ ସମୟେକ ରହିଲେ

ତୋତେ ପୁଣି ଭଗତି କରି ନୋହୋଇ ମୋହୋର ବେଳେ ।୯୩।

ସୋଦୋର ଦିଅରଂକ ଯାହାର ୟେଡେକ କଇଚ୍ଛା

ନ ପୁଣ ଭାଇନ୍ତ ମୋହୋର କରି ନୁଆରଇ ରକ୍ଷା ।୯୪।

ସଇରିନ୍ଧ୍ରୀ ବୋଇଲେ ଗୋ ଯେ ସେ ଠାକୁରାଣୀ

ଦ୍ରୌପତୀ ଶ୍ରୀକୃଷ୍ଣା ତୁମ୍ଭେ ହୋ ୟେକଆତ୍ମା ଜାଣି ।୯୫।

ଯେ ସେ ସେବକ ଗୋ ସେ ସବୁଂକରି ଅଟଇ ଭୃତ୍ୟ

ଠାକୁରାଣୀ ପଦ ମାଗୋ ବଡ଼ାଇ ମହତ ।୯୬।

ଅଲେଖ ତିଳେଖ ବେଶ ଭୂଷଣ ଗୋ କରାଉଥିବି ନିତି

ଚତୁସମ ଲାଗି ତୁମ୍ଭଂକୁ କରିବା ଯଥା ପ୍ରୀତି ।୯୭।

ୟେକାମାତ୍ର କଥା ତୋତେ ମାଗଇ ମାୟେଶ୍ୱରୀ

କିଞ୍ଚିତ କଥା ୟେ ସେ ଅଭ୍ୟର୍ଥନା ମୋହୋରି ।୯୮।

ପାଦ ପାଲଟା ଉତ୍ତିଷ୍ଟ ଗୋ ନ ଛୁଆଂଇବୁ ମାୟେ

ଭ୍ରଚ୍ଛନା ବୋଲ ନ ବୋଲିବୁ ଅଳପ କଥାୟେ ।୯୯।

ସାମାନ୍ୟେଣ ନ ପେଷିବୁ ଅଦୋଷେ ନ କରିବୁ ତେଜ୍ୟା

ପୁରୁଷେ ନ ପେଷିବୁ ନ ଛୁଆଂଇବୁ ମୋତେ ଶେଯ୍ୟା ।୧୦୦।

ୟେ ଛଡ଼ଗୋଟି କଥା ମାଗୋ କରିଥିବ ଦୃଢ଼

ଅନେକ ଧର୍ମ ଉପୁଜିବ ବଚନ ମୋର ଗାଢ଼ ।୧୦୧।

ଶ୍ରୀକୃଷ୍ଣା ବୋଇଲେ ଗୋ ମୋହୋର ବିଚିତ୍ର ପୁରେ ଥିବା

ତୁମ୍ଭର ଭ୍ରଥା ଅଛନ୍ତି କାହିଂ ଗୋ ମୋତେ ତା କହିବା ।୧୦୨।

ସଇରିନ୍ଧ୍ରୀ ବୋଇଲେ ମାଗୋ ମୁହିଂ ୟେଥି ଥିଲେ

ଦେଖୁ ସିନା ସ୍ୱାମୀଂକି ମୋହୋର ତୋହୋର ଇଚ୍ଛା କଲେ ।୧୦୩।

ଶ୍ରୀକୃଷ୍ଣା ବିଚାରନ୍ତି ହୃଦଗତେ ପୂର୍ବର କଥା

ପୂର୍ବେ ମୋତେ ଯାହା କହିଛନ୍ତି ମୋର ମାତା ।୧୦୪।

ପାଣ୍ଡବେ ଗୋପ୍ୟରୂପେ ମିଳିବେ ୟେହୁ ପୁରୀ

ନିଚୟେ ଦେଖିବୁ ତୁ ଦ୍ରୋପତ କୁମାରୀ ।୧୦୫।

ଅଥବା ସେ ହୋଇବ ବୋଲି ହୃଦଗତେ ବିଚାରି

ନ ପୁଣ ହୁଅଇ ନିକି ୟେ ଦ୍ରୋପଦ କୁମାରୀ ।୧୦୬।

ଶ୍ରୀକୃଷ୍ଣା ବୋଇଲା ଗୋ ଥାଅ ନିତ୍ୟ କର୍ମେ

ଯେତେକାଳେ ଉଦିତ ହୋଅଇ ତୋର ଧର୍ମେ ।୧୦୭।

ଶ୍ରୀକରେ ଶ୍ରୀକୃଷ୍ଣା ଯେ ଘେନିଲେ ଦିବ୍ୟଶାଢ଼ୀ

ଘେନସି ମାତା ଗୋ ବୋଲି ଉର୍ଦ୍ଧ୍ୱଭୁଜ କରି ଧରି ।୧୦୮।

ଶ୍ରୀକୃଷ୍ଣା ଶାଢ଼ୀ ଯେ ଯାଚନ୍ତି ଉପର ହାଥେ

ହେଠମାଥେ ଦ୍ରୋପତୀ ଯେ ସୁମରଇ ଜଗନ୍ନାଥେ ।୧୦୯।

ୟେ ଦେବ ଉପର ହାଥେ ମୁଂ ଘେନିମି ତଳ ହାଥେ

ନ ପୁଣ କୋପ କରିବ ଶାଢ଼ୀ ନ ବାନ୍ଧିଲେ ମାଥେ ।୧୧୦।

ତଳ ହାଥେ ଶାଢ଼ୀ ଘେନି ବାନ୍ଧିଲେ ଶିରେଣ

ନିଚୟେ ୟେହାର ମୁଂ ହୋଇବି ଭୃତ୍ୟପଣ ।୧୧୧।

ଭୋ ହରି ଶାଢ଼ୀ ଘେନି ପୁଣ ଶିରେ ନ ବାନ୍ଧିଲେ

ନ ପୁଣ ଜାଣଇ ୟେ ବିନୋୟୀ ନୋହିଲେ ।୧୧୨।

ହରି ତୁ ସେ ଜାଣୁ ନା ହୋ ୟେଥିର ଚରିତ

ମୁହିଂ ଆଶ୍ରିତ ତୋହୋର ପାଣ୍ଡବେ ସିନା ତୋର ଭୃତ୍ୟ ।୧୧୩।

ତୋହୋର ବଚନେ ସିନା ଅଇଲି ବିରାଟ ରାଜ୍ୟକୁ

ତୁହି ୟେ ଧର୍ମ କଷଣୁଂ ପାରି କରସି ଦେବ ମୁକୁ ।୧୧୪।

ପୁରୁଷ ଉତ୍ତମ ତୁ ଲେଖ ଚିତ୍ରପଟି

ଶ୍ରୀକୃଷ୍ଣାର ହୃଦେ ବିକାଶୁ ଧର୍ମବାଟ ଗୋଟି ।୧୧୫।

ତୁଳୁସାର ବଲ୍ଲଭ ଚରଣେ ଅନୁବ୍ରତେ

ଶୂଦ୍ରମୁନି ସାରୋଳା ଦାସ ନମନ୍ତି ଶତେ ଶତେ ।୧୧୬।

ହରିନାମ ଯହୁଂ ହୃଦଗତେ କଲେ ଲୟେ

ଶ୍ରୀକୃଷ୍ଣା ହୃଦଗତେ ଯେ ନାରାୟଣ ବିଜୟେ ।୧୧୭।

ବିଚାରେ ଶ୍ରୀକୃଷ୍ଣା ୟେତ ଦ୍ରୋପତୀ ସମାନ

ମୋର ଶାଢ଼ୀ ଦେବା ୟାକୁ ନୋହଇ ବିଧାନ ।୧୧୮।

ଶାଢ଼ୀ କରେ ତୋଳିଥିଲା ବିରାଟର ରାଣୀ

କରସ୍ଥଳୁଂ ବେଗେ କାଢ଼ି ଥୋଇଲା ଅବନୀ ।୧୧୯।

ଆଗୋ ସଇରିନ୍ଧ୍ରୀ ଅଟୁ ତୁମ୍ଭେ ମୋହୋର ରାଜ୍ୟେ ଗଉରୋବୀ

ମୁହିଂ କେମନ୍ତେ ତୁମ୍ଭଂକୁ ଶାଢ଼ୀ ଉପର ହାଥେ ଦେବି ।୧୨୦।

ଛାମୁରେ ଶାଢ଼ୀ ନେଇ ଥୋଇଲାକ ମତ୍ସ ରାଜରାଣୀ

ନାରାୟଣ ସୁମରିଣ ଘେନସି ମହାତ୍ମାଣୀ ।୧୨୧।

ଶ୍ରୀହରିଂକି ଲୟେକରି ଶାଢ଼ୀ ସେ ଘେନିଲେ

ବିରାଟର ଅନ୍ତେଶ୍ୱରେ ସଇରିନ୍ଧ୍ରୀ ହୋଇଣ ରହିଲେ ।୧୨୨।

ଲୋକିତ କର୍ମେଣ ଯେ ଶ୍ରୀକୃଷ୍ଣା ମହାଦେଈ

ବାଚା ବନ୍ଧନ କରି ଭୃତ୍ୟପଣ କରାବନ୍ତି ସେହି ।୧୨୩।

ଯାଅ ଯା ବୋଲି ବୋଇଲେ ମୋତେ କରିବ ତ କୋପ

ମୋର ଭ୍ରାଥେ ବ୍ରତିବେ କି ଦେଖି ୟେହାର ସରୂପ ।୧୨୪।

ୟେହେନ୍ନେକ ଯୋଗ ଅଛି ମୋର ହାଦେ ପୂର୍ବେ

ଅବଶ୍ୟ ଭୁଞ୍ଜିବି ଯାହା ଅର୍ଜିଅଛି କର୍ମେ ୟେବେ ।୧୨୫।

କଥା ଗୋପ୍ୟାନ କଲେ ଆପଣା କୁଳ ତୁଟଇ

ଉଦିତ କଲେ ମୂର୍ଦ୍ଧନା ଫାଟି ପ୍ରାଣଯାଇ ।୧୨୬।

କର୍ମ ଆଦରଣା କରି ରହିଲେ ଶ୍ରୀକୃଷ୍ଣା ମହାଦେବୀ

ରହିଲେ ସଇରିନ୍ଧ୍ରୀ ଯେ ଶ୍ରୀକୃଷ୍ଣାଂକୁ ସେବି ।୧୨୭।

ଅଲେଖ ତିଳେକ ଯେ କରନ୍ତି ଚତୁସମ

ଗୋପ୍ୟେଣ ଥାଆନ୍ତି ଅନ୍ତେଶ୍ୱରେ ନୋହନ୍ତି ଉତକର୍ମ ।୧୨୮।୧୫୩୩।

 

ନକୁଳଙ୍କର ବିରାଟ ସଭାକୁ ଗମନ

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ବିରାଟ ରାଜ୍ୟକୁ ଗମଇ ମାଦ୍ରୀଦେବୀ ତନୁ ।୧।

ଶିରେଣ ତଲାରି ବାହେଣ ବାହୁଟି

ଦକ୍ଷିଣ ଭୁଜେ ପିଚ୍ଛ ବାମ କରେ କାଠିଗୋଟି ।୨।

ବିଜେକର୍ଣ୍ଣକଟାର ଘେନି ତାଳୁରେ ବନ୍ଧବେଣୀ

ରଙ୍ଗପାଟ ପରିହରଣ କଟିରେ ଚିରକୁଟ ଖଞ୍ଜଣି ।୩।

ବିଭୂତି ବିଲେପନ କର୍ଣ୍ଣେଣ ମନ୍ଦାର ଫୁଲ

ଅଖାଇଜ ଆପ୍ୟାନେ ଯେହ୍ନେ ମତ୍ତଭୋଳେ ଚାଲ ।୪।

ଆକୁଞ୍ଚିତ କେଶ ମକରନ୍ଦ ତେଜ ପୁଡ଼ା

ତହିଂକି ପ୍ରବନ୍ଧ ଯେ ଉଚିତ ସଞ୍ଚଜୂଡ଼ା ।୫।

ଚଉସମ ସଞ୍ଚିତ ଲଲାଟ ଶୁଦ୍ଧପାଟି

ରସାଣ ପତ୍ର ପ୍ରାୟେକ ସୁସଞ୍ଚେଣ ଘଟି ।୬।

ଆରକତ କୁମୁଦ ଜାଣି ଅବଲୋକନ ବେନିଆଖି

ଖଗବର ନାସିକା ସାରିକ୍ଷେଣ ଉପଲେଖି ।୭।

ଅଧର ବର୍ଣ୍ଣ ଜାଣି ଶୋହଇ ପଂକୁ ବିମ୍ବଫଳ

ଝଟକନ୍ତି ଦଶନପନ୍ତି ମଞ୍ଜୁଳ ଡାଳିମ୍ବ ବୀଜ ତୁଲ ।୮।

କଣୟ ବର୍ଣ୍ଣ ଜାଣି ଗଣ୍ଡସ୍ଥଳ ବେନିପାଟି

ହିରଣ ରେହ ଜାଣି ଢଳଇ ଓଷ୍ଠଗୋଟି ।୯।

ଆଲୁଳିତ ଶ୍ରବଣ ଝଲକନ୍ତି ବେନି କନ୍ଧେ

ଗଜର ଥୋରହସ୍ତ ଜାଣି ଶୋଭିତ କରବନ୍ଧେ ।୧୦।

ଭ୍ରମନ୍ତି ଭ୍ରମରେ ଯେ ମକରନ୍ଦ ବାସ ଲୁବୁଧେ

ଗଜ ଅଇରି ମଝା ଜାଣି ଦିଶଇ ପ୍ରସିଦ୍ଧେ ।୧୧।

ମୃଣାଳ କୋମଳ ଜାଣି ପ୍ରଳମ୍ବ ବେନିବାହା

କଣୟ ପତ୍ର ଜାଣି ଘଟଣ ତାର ଦେହା ।୧୨।

ବିସ୍ତୀର୍ଣ୍ଣ ହୃଦୟ ଯେ କଣକଳ୍ପ ଘଟଣ କୁଚ୍ଛି

କଇଥ ଥୋପେ ପ୍ରାୟେକ ନାଭି ଶୋଭା ଦିଶୁଅଛି ।୧୩।

ବତିଶ ଲକ୍ଷଣ ତାର କମଳା କନ୍ଧେ ଅଛି

ହୁତାଶନ ନୁହଇ ଯେ ବିଶ୍ୱରୂପ ଦିଶୁଅଛି ।୧୪।

ବିକ୍ରମକେଶରୀ ଜାଣି ଗଗନର ଠାଣି

କିଞ୍ଚିତ ସରୁ ମଝା ତାହାର ହରଡମ୍ବରୁ ଚିହ୍ନ ଜାଣି ।୧୫।

ଉଲଟ ରାମ କଦଳୀ ଜାଣିଣ ଦିଶଇ ବେନିଜାନୁ

ବାଳଅର୍କ ପ୍ରାୟେକ ଦିଶଇ ଯେ ତନୁ ।୧୬।

ରକତ କୁମୁଦ ଜାଣି ଦିଶଇ ବେନି କରସ୍ଥଳୀ

କିଞ୍ଚିତ ବିଂଘସିତ ଚମ୍ପକ କଢ଼ ଜାଣି ଦିଶଇ ଆଙ୍ଗୁଳି ।୧୭।

ଶୁଦ୍ଧ ସଷ୍ଟିକ ଜାଣି ଦିଶଇ ନହରେଖ

ବିଜୁଳି ଦ୍ରୋଚ୍ଛନା ଜାଣି ଦିଶଇ ଅତିତୀକ୍ଷ ।୧୮।

ଅଶୋକ ପୁଷ୍ୟ ଜାଣି ଦିଶଇ ପାଦତଳ କାନ୍ତି

ପୋୟେଳା ଝଳି ଜାଣି ଦିଶଇ ଦିବ୍ୟଜ୍ୟୋତି ।୧୯।

ଚଉସରି ସେବତୀ ଜାଣି ଦିଶଇ ନଖପନ୍ତି

ପୃଥ୍ୱୀକି ଅଳଂକାର ପ୍ରାୟେକ ଦିଶଇ ନକୁଳର ମୃତ୍ତି ।୨୦।

ହୀରା ଜଡ଼ିତ ପାଗ କାଖେଣ ଶାଳିପତ୍ର

କଣୟ ଜଡ଼ିତ ଲାଂକିଆ ଶୋହିତ ବାମହାଥ ।୨୧।

ପାଟବନ୍ଧ ବାଖର ଯେ ସୁବର୍ଣ୍ଣର ବଳୟା

ହର ଅଇରି ଜାଣି ସୁନ୍ଦର ତାର କାୟା ।୨୨।

ଶୁକଳପାଟ ଚଉସରା ଲଲାଟ ଶୋଭାଗୋଟି

ଗଳାରେ ମନ୍ଦାର ପୁଷ୍ୟ ସୁସଞ୍ଚ ପ୍ରକଟି ।୨୩।

ୟେସନେକ ସୁନ୍ଦର ଯେ ମାଦ୍ରୀ ଦେବୀର ବଳା

କେଶରୀ ସାରିକ୍ଷେ ତାହାର ତେଜ ଅନର୍ଗଳା ।୨୪।

ୟେକା ପୁରୁଷେକ ସେ ସଂସାରେ ଜନ ମୋହି

ବିରାଟ ରାଜ୍ୟରେ ବୀର ଚାଲନ୍ତେଣ ସୋହଇଂ ।୨୫।

ଆସ୍ତାନେ ଥାଇଂଣ ବିରାଟ ଚାହଂଇ ନିରେଖି

ବୋଇଲା କୋନ୍ତେ ଅନଙ୍ଗ ବିଜୟେ କି ରତିକି ଉପେଖି ।୨୬।

ବଇକୁଣ୍ଠ ତେଜିଣ କି ଅଇଲେ ଚକ୍ରପାଣି

ସୁସଞ୍ଚ ସୁନ୍ଦର ସେ ଚାଲନ୍ତେ ସିଂହଠାଣି ।୨୭।

ବିରାଟେ ବଚନେ କୋନ୍ତେ ଅବଲୋକନେ ଦୃଷ୍ଟି

ଆସ୍ତାନେ ଥାଇଂଣ ତାହା ଦେଖିଲେ ୟୁଝେଷ୍ଠି ।୨୮।

ହୃଦଗତେ ଚିନ୍ତିଲେ ସେ ଦେବ ଜଗନ୍ନାଥେ

ବିରାଟ ରାଜ୍ୟ ନକୁଳ ତ ହୋଇ ନୁଆରିବ ଗୁପତେ ।୨୯।

ଲକ୍ଷଣ ଆକାର ୟେହାର ଥାନପାଳ ରୂପ

ପ୍ରତକ୍ଷେ ଦିଶୁଅଛି ଅନଙ୍ଗ ସରୂପ ।୩୦।

ବାବୁରେ ତୁମ୍ଭର ଆପାଦ ଘେନି ମୁହିଂ ଯାଇଂ

ହାଥର ସୁଖେ ପଶା ଖେଳିଲି ତୁମ୍ଭନ୍ତ ଅବସ୍ତା ଦେଇ ।୩୧।

କୁମାର ମୁଖେ ପାଟଅଛି ଯାହାକୁ ଆକାଶ ମଣ୍ଡଳେ

ସେ ସୋହୋଦ୍ର ଉଭା ଆସି ବିରାଟ ସଭାତଳେ ।୩୨।

ଧିକ ଧିକ ହୋଉ କିନା ମୋର ୟେ ଧାର୍ମିକପଣ

ୟେଡେବଡ଼ ସମ୍ପଦ ମୁଂ ହରାଇଲି ଅକାରଣ ।୩୩।

ହେ ଦଇବ ପୁରୁଷ ତୁ କଲୁ ସିନା ୟେଡ଼େଗତି

କୁନ୍ତମୁନେ ବସାଇଣ ଧରିପାରଇ ଯେ ପୃଥୀ ।୩୪।

ସୁକୁମାର ସୁନ୍ଦର ଶରୀର ସୋହୋଡ଼ ବଳବନ୍ତା

କେବଣ ଦୋଷେ ଶାସ୍ତିରେ ବିହିଲା ବିଧାତା ।୩୫।

ଗୁପତ ନିମନ୍ତେଣ ବୀଭତ୍ସ ତୋର କାୟେ

ହୀନବୀର୍ଯ୍ୟେ ଦିଶୁଛୁ ତୁ ପୃଥିକୁ ଅଳଂକାର ପ୍ରାୟେ ।୩୬।

ଆରେ ଆରେ ଅତିଅନ୍ତ ସୁସଞ୍ଚ ଦିଶଇ ସୁଲକ୍ଷଣ ସୁନ୍ଦର ତୋର ତନୁ

ଭୋ ଭଗବାନ ଭାଇକି ମୋର ବିରାଟ ନ ଚିହ୍ନୁ ।୩୭।

ଗମନେ ଲୀଳାଗତି ଚାଲନ୍ତେଣ ଅତିବେଗେ

ଭୟେଣ ସଇନି ଯେ ହୋଇଲେ ବେନିଭାଗେ ।୩୮।

ଯୁଝେଷ୍ଠି ଦେବେ ନାରାୟେଣେ ଚିନ୍ତିଲେ ଯେତେବେଳେ

ନକୁଳ ପ୍ରବେଶ ବିରାଟ ଆସ୍ତାନର ତଳେ ।୩୯।

ବିରାଟ କତିକି ସେ ବାମଅଙ୍ଗ ସାର ଦେଇ

କୋନ୍ତଂକର ମୁଖ ଚାହିଂ ପ୍ରଣପତ୍ୟ ହୋଇ ।୪୦।

ଜିତ ମହାପ୍ରସାଦ ବୋଲିଣ ବୋଇଲା ବିରାଟେ

ପ୍ରଣପତ୍ୟ ହୋଇଛି ବିରାଟ ବୋଲେ ସେ ନ ଉଠେ ।୪୧।

ଯୁଝେଷ୍ଠି ବୋଇଲେ ମମ ଆଗ୍ୟାଂ ନ ପାଇଲେ

କିଂପାଇଂ ଉଠିବ ସେ ବିରାଟର ବୋଲେ ।୪୨।

କୋନ୍ତେ ବୋଇଲେ ଠାକୁଂରକ ଆଗ୍ୟାଂ ହେଲା ତୋତେ

ଉଠ ମହାତମା ହୋ ପ୍ରଣପତ୍ୟ ହୋଉ କେତେ ।୪୩।

ବିରାଟ ବଚନେ ମଉନେ ପ୍ରଣପତ୍ୟ ହୋଇଥିଲା

କୋନ୍ତଂକର ଆଗ୍ୟାଂ ପାଇ ଧାତିକାରେ ଉଠିଲା ।୪୪।

ଦୂର ହୋଇ ନକୁଳ ରହିଲା ପୁର ମେଣ୍ଟି

ବିରାଟକୁ ନ ଚାହିଂ ପ୍ରତିଉତ୍ତର ଦିଅଇ ଯୁଝେଷ୍ଠି ।୪୫।

ବିରାଟ ବୋଇଲା ହୋ ଶୁଣସି ସୁନ୍ଦର

କାହୁଂ ଅଇଲୁ ତୁ କେବଣ ଦେଶେ ତୋର ଘର ।୪୬।

ଆମ୍ଭେ ଯାହା ପ୍ରକାଶିଲୁ ସରୂପେ ତୋତେ କହୁ

ୟେ ମଧ୍ୟଭୁବନ ମଣ୍ଡଳର ତୁ ଯେ ନୋହୁ ।୪୭।

କିଅବା ଅନଙ୍ଗ କିଅବା ଗନ୍ଧର୍ବ ଚିତ୍ରସେନ

କି ଅବା କୁବେର ତୁ ବିଶ୍ରବା ନନ୍ଦନ ।୪୮।

ବଡ଼ାଇ ଦୁଲଭ ଦେଖିଲୁ ତୋହୋର ବଳବୀର୍ଯ୍ୟ

ତୋହୋର ରୂପ ଦେଖି ଆମ୍ଭେ ସମସ୍ତେ ହୀନତେଜ ।୪୯।

ନକୁଳ ବୋଇଲା ମୁଂ ନୋହୋଇ ଦେବପୁତ୍ର

ପଛିମ ସଉରାଷ୍ଟ ହସ୍ତିନା ଜାଣୁ କି ହୋ ମତ୍ସନାଥ ।୫୦।

ତହିଂର ଠାକୁର ଯେ ଯୁଝେଷ୍ଠି ମହାରାଜ

ଭୀମସେନ ବୋଲିଣ ତାହାଂକ ସାନୁଜ ।୫୧।

ଭୀମସେନ ଠାକୁରଂକର ଅର୍ଜୁନ ସାନଭ୍ରାଥ

ବାସବର ନନ୍ଦନ ସେ ହରିଂକର ପଞ୍ଚଭୂତ ।୫୨।

ଅର୍ଜୁନହୁଂ ସାନୁଜ ଯେ ନକୁଳ କୁମର

ମାଦ୍ରୀଦେବୀର ନନ୍ଦନ ଯେ ବଡ଼ାଇ ସୁନ୍ଦର ।୫୩।

ନକୁଳର ସଖା ମୁଂ ଗ୍ରନ୍ଥିକାର ମୋର ନାମ

ତାହାଂକର ବନବାସେ ମୋହୋର ବନଭ୍ରମ ।୫୪।

ଶବଦେକ ଶୁଭିଲା ତବ ରାଜ୍ୟକୁ ଅଇଲେ ଯୁଝେଷ୍ଠି ଦେବସ୍ୱାମୀ

ସେହି ନିମନ୍ତେ ଶବଦକୁ ଗୋଡ଼ାଇ ଅଇଲୁ ଆମି ।୫୫।

ଦେଖିଲି ଧାର୍ମିକ ବିବେକ ଗୁଣବନ୍ତ

ମହୀଧର ଯୋଗେଶ୍ୱର ତୁ ଲକ୍ଷଣ ଭାଗ୍ୟବନ୍ତ ।୫୬।

ରାଜ୍ୟ ପରିମଳ ବଡ଼ ସୁସ୍ତ ଭୂମି

ତେଣୁକରି ରହିବାକୁ ଇଚ୍ଛାକଲୁ ଆମି ।୫୭।

ବିରାଟ ବୋଇଲା ହୋ କିସ ତୋର ସେବା

ଗ୍ରନ୍ଥିକାର ସ୍ଥାନପାଳ ମୁଂ ଶୁଣ ହୋ ରାଜଦେବା ।୫୮।

ବିରାଟ ବୋଇଲା ହୋ ଥାନପାଳ କେମନ୍ତ

ବାଜୀପାଳ ବୋଲି କହିଲା ସମସ୍ତ ।୫୯।

ଶୁଣିଣ ବିରାଟ ପୁଚ୍ଛେ କେମନ୍ତ ବାଜୀପାଳ

କୋନ୍ତେ ବୋଇଲେ ୟେ ସରୂପ ବାରୁଆଳ ।୬୦।

ଆହୋ ମତ୍ସାଧିପ ଅଶ୍ୱକୁ ଯେ ବୋଲି ବାଜୀ

ଅଶ୍ୱ ପାଳନ୍ତା ଜନ ବାଜୀପାଳ ନାମ ସାଜି ।୬୧।

ବିରାଟ ବୋଇଲା ତୁ ଯେବେ ଅଟୁ ବାଜୀଧରା

କି କି ଲକ୍ଷଣ ବାଜୀଂକର ଅଛି ଜାଣୁଟି କି ହୋ ମହାବୀରା ।୬୨।

ନକୁଳ ବୋଇଲା ତୁ ଶୁଣସି ମତ୍ସଇନ୍ଦ୍ର

ଅଶ୍ୱଂକର ଲକ୍ଷଣ ମୁଂ ଜାଣଇ ସର୍ବପଦ ।୬୩।

ବିକଟ ବିକରାଳ ବିକଟାଳ ବିଲୋପା ଧୋକଡ଼ା

ବାତୁଅ କରକଟା ବାଧକା କାମୋଡ଼ା ବିହଡ଼ା ।୬୪।

ଅବିକାର ମୁରା ଗଣ୍ଡକ ପାଙ୍ଗୁରା ଶିରଟା

ବିକଞ୍ଚ ରଣଭଙ୍ଗା ଯେ ମେଦୁଆ ନହଫୁଟା ।୬୫।

ବାନ୍ତିଲା ବାଟିଲା ଯେ ତରକା ଅଣ୍ଟାଭଞ୍ଜା ଶଶୀକଳା

ତାଳୁକା କଂକାଳଭଞ୍ଜା ବିରଳା ଜଳକା ପାଗଳା ।୬୬।

ବିରାଟ ପାଳୁଆ ଘୁଞ୍ଚା କାଉଂରିଆ ଆଂକୁରା

ଦାଢ଼ିହା ବରେହା କୁରୁପା ଆରୁହା କାଂକେରା ଗତିରା ।୬୭।

ଫାଲୁଆ ଚାନ୍ଦୁଝରା ଚନ୍ଦକ କ୍ରକଞ୍ଚା କୁରଟା

ବିରଂକା ଯୁଗଚନ୍ଦକା ପାଳୁଙ୍ଗା ଦିପଟା ତ୍ରିପଟା ।୬୮।

ୟେତେ ଲକ୍ଷଣ ଯେ ଅଶ୍ୱଂକର ବ୍ୟାଧି

ମୋହୋର ଦ୍ରଶନେ ସମସ୍ତ ହୋୟେ ସିଦ୍ଧି ।୬୯।

ଯୋଦ୍ଧାୟେ ସମରେ ତେଜନ୍ତି ଯେବଣ ବାଜୀ

ମୋହୋର ସାଜିଲେ ସେ ହୋଅଇ ମହାତେଜି ।୭୦।

ପ୍ରତଗ୍ୟାଂ ଗାଢ଼କରି ସେ କହିଲା ବହୁତ କଥା

ଶୁଣିଣ ଆଶ୍ରିଜ ହୋଇଲା ବିରାଟ ମହାରଥା ।୭୧।

ମତ୍ସାଧିପ ବୋଇଲା ତୁ ଅଶ୍ୱିନୀ କୁମାର ଅଟୁ

ଅଶ୍ୱଲକ୍ଷଣ ବିଦ୍ୟା ଜାଣି କିମ୍ପେ ମାନବଣେ ଖଟୁ ।୭୨।

ନକୁଳ ବୋଇଲା ତୁ ଧାର୍ମିକ ବଳବନ୍ତା

ନାନା କର୍ମକୁ ସେ ମୋତେ ନିର୍ଜିତ କଲାକ ବିଧାତା ।୭୩।

ଆହୋ ବିରାଟ କର୍ମର ବିପାକେ ତବ ରାଜ୍ୟକୁ ଆସି

ଦିଅ ମୋତେ ପରମାଣ ନ ପାରୁ ଯେବେ ପୋଷି ।୭୪।

ବିରାଟ ବୋଇଲା ତୁ ଯେ ନକୁଳ ବାରୁଆଳ

ମୁହିଂ ତୋତେ ଭେଟିଲି ମୋହୋର ଜୀବନ ସୁଫଳ ।୭୫।

ଦକ୍ଷିଣ ଦିଗବିଜେ କରି ରାଜାନ୍ତ କଲା ସାଧି

ମହାବଳବନ୍ତ ବାନା ତାର ଜଗତେ ପ୍ରସିଦ୍ଧି ।୭୬।

ବାବୁ ତୁ ଯେ ବୋଇଲୁ ସକଳ ବାଜୀ ସାଧ୍ୟ କରଇ ମୁହିଂ

ବାବୁ ମହାଦୃଭାର ଅଶ୍ୱ ମୋହୋର ଗୋଟାୟେ ଅଛଇ ।୭୭।

ଡାହାଳ ଦେଶର ରାଜା ଆଣି ଦରଶନି ଦେଲା ମୋରେ

ଚୋଖାର ରାହୁତମାନେ କତିକି ତାର ଯାଇ ନୁଆରନ୍ତି ଡରେ ।୭୮।

ମୁଖେ ପାଞ୍ଚ ଦଉଡ଼ି ଚାରିପାଦ ଛନ୍ଦି

ଠାବରେ ଘାସପାଣି ଦିଅଇ ରାତ୍ର ଦିବସେ ଥାଇ ବାନ୍ଧି ।୭୯।

ବିରି ଦେବାକୁ କେହି ନ ୟାଇପାରନ୍ତି ତାର କତି

ହାମ୍ପୋଡ଼ିଣ ତାହାର ଶରୀର ବିଦାରଇ ଧାତି ।୮୦।

ପାଦର ଖୁରା ତାର ପ୍ରଶୁ କୁଠାର ସିନା

ଦନ୍ତ ତାର ଶାବେଳୀ ପ୍ରାୟେକ ତୀଖମୁନା ।୮୧।

କଟାକ୍ଷ ନୟନେ ଚାହିଂଲେ କରନ୍ତି ସର୍ବେ ମହାଭୀତି

ଗଳିତମୟେ ମତ୍ତ ନ ଯାନ୍ତି ତାର କତି ।୮୨।

ଧନ ଲୁବୁଧେ ଯେ ତାର କତିକି ଗଲା

ପାଦର ପ୍ରହାରନ୍ତେ ବତିଶଜଣ ମଲା ।୮୩।

ପେଲିଲେ ନ ଚଳଇ ଫେଇଲେ ଯାଇ ଉଡ଼ି

ପର୍ବତ ଡିଙ୍ଗର ନ ଜାଣଇ ଅଗାଦ ଜଳେ ପଡ଼ଇ ବୁଡ଼ି ।୮୪।

ସେ ଅଶ୍ୱଗୋଟି ଯେବେ ଦେଇପାରୁ ସାଧି

ଜାଣିମା ନା ପରୀକ୍ଷେ ତୋର ସର୍ବକାର୍ଯ୍ୟ ସିଦ୍ଧି ।୮୫।

ବୋଲଇ ଗ୍ରନ୍ଥିକାର ଆଣନି ଦେଖିବା ତୋର ହୟେ

କେବଣ ଅବିଗୁଣ ଦେଖିବା ହୋ ମତ୍ସରାୟେ ।୮୬।

ବିରାଟ ବୋଇଲା ୟେଠାକୁ ପାରିବୁ ଯେବେ ଆଣି

ତୋହୋର ବୋଲେ ସାଧ୍ୟ ହୋଇବ ୟେହିକ୍ଷଣି ।୮୭।

ନକୁଳ ବୋଇଲା ମୋତେ ତୋର ଦେଖାଉ କିନା ବାରାସ

ନେଇଣ ଦୂତମାନେ ଭେଟାଇଲେ ଅଶ୍ୱ ।୮୮।

ନକୁଳ ମୃତ୍ତି ଦେଖି ହସିଲାକ ହୟେ

ନକୁଳ ସନ୍ନିଧ୍ୟେ ଯାଇଂ ଆଶ୍ୱାସନା କୟେ ।୮୯।

ବନ୍ଧନ ଦଉଡ଼ିମାନ ସମସ୍ତ ହୁଗାଳି

ମୁଖରେ କଳୀଆରି ଯେ ଲାଇ ବୀର ତୋଳି ।୯୦।

ଆସ ଆସ ବୋଲିଣ ନକୁଳ ଯାଇ ଆଗେ

ପଛେଣ ବାରାସ ଯେ ଗୋଡ଼ାଇ ଅତିବେଗେ ।୯୧।

ନକୁଳ ପ୍ରବେଶ ଯେ ଆସ୍ଥାନର ତଳେ

ଦେଖିଣ ଚମତ୍କାର ହୋଇଲେ ସକଳେ ।୯୨।

ଗ୍ରନ୍ଥିକାର ବୋଇଲା ସ୍ଥାନପାଳ ତୁମ୍ଭର ନାହିଂ

ଅଶ୍ୱ ଲକ୍ଷଣ ବିଦ୍ୟାମାନେ ହାଦେ ନ ଜାଣନ୍ତି କେହି ।୯୩।

ଚାରିଖୁରା ଧବଳ ମୁଖରେ ଚାଳଫୁଟି

ଶ୍ୱେତବର୍ଣ୍ଣ ଚୂଳ ବଦନେ ଯାୟେ ଲୋଟି ।୯୪।

କର୍କଶ ନୟନ ଯେ ବିଦାରିଣ ମୁଖ

କୃଷ୍ଣବର୍ଣ୍ଣ ରୋମାବଳୀ ଉଚ୍ଛର୍ଗ ଭ୍ରମର ସାରିକ୍ଷ ।୯୫।

ତାଟ ବାଟ ଅଙ୍ଗୁଳି ପାଦଛନ୍ଦା ଡାକେ

ଲାଗିଲା ବାଣୀରସ ନକୁଳର ହାକେ ।୯୬।

ନାଳି ପାଳି ତାଳି ତିନିହିଂ ୟେକଛନ୍ଦେ

ବିରାଟକୁ ବୋଇଲା ଅଶ୍ୱ ଲାଗି ହୁଅ ୟେବେ ।୯୭।

ବିରାଟ ବୋଇଲା କୋନ୍ତେ ସାଧୁ ସାଧୁ ବାଜୀପାଳ

ହୃଦଗତେ ଆଭରଣ କଲା ଆପଣା ରତ୍ନମାଳ ।୯୮।

ଶ୍ରୀଭୁଜେ ଆଲିଙ୍ଗନ କରିଣ ମତ୍ସନାଥେ

କଣୟ ବରଷିଲା ନେଇ ଗ୍ରନ୍ଥିକାର ମାଥେ ।୯୯।

ଅଶ୍ୱ ପିଠିରେ ୟେବେ ଆରୋହ ବାଜୀପାଳ

ବୋଇଲା ଦେଖିବାନା ତୁରଙ୍ଗମ ଚୋଖାର ପରିମଳ ।୧୦୦।

ଗ୍ରନ୍ଥିକାର ବୋଇଲା ବିରାଟ ବଡ଼ ସୁସଞ୍ଚ ୟା ଜାନୁ

ମୋହୋର ଲାଗି ହୁଅନ୍ତେ ନାଶଯିବ ୟେହାର ତନୁ ।୧୦୧।

ବିରାଟ ବୋଇଲା ତୁ ଯେ ଗଲୁ ୟେହାର ପାଶ

ମୋହୋର ରାଜ୍ୟ ଲୋକଂକର ତ ନୋହିଲା ଭରସା ସାହସ ।୧୦୨।

ତୋହୋର ମନରେ ବାବୁ ନକର କିଛି ବାଧା

ୟେହାର ଧାପକୁ ମୋର ରାଜ୍ୟ ଲୋକଂକ ଶରଧା ।୧୦୩।

ଗ୍ରନ୍ଥିକାର ବୋଇଲା ରାଜା ମୋହୋର ନାହିଂ କିଛି ଦ୍ରୋହ

ବିରାଟ ବୋଇଲା ବାବୁ ଅଶ୍ୱ ବହନ ଆରୋହ ।୧୦୪।

ପିଠି ହାମ୍ପୋଳିଣ ବାଜୀପାଳ ଯାଇଂ ଲାଗି

ଚଢ଼ିବା ମାତ୍ରକେ ପବନହୁଂ ଅଶ୍ୱକ୍ଷେପଇ ଅତି ବେଗି ।୧୦୫।

ଚକ୍ଷୁ ପିଛାଡ଼ନ୍ତେ କ୍ଷେପଇ ୟେକଜୁଣ

ଧାତିକାରେ ଅଶ୍ୱ ଆଣି ଟେକିଲା ତତକ୍ଷଣ ।୧୦୬।

ପୁଣି ଦେଖାଇଲା ଦକ୍ଷିଣ ଭାଗ ଭୂମି

ତେଣିକିହିଂ ଯୋଜନେକ ଗମିଲା ହାଦେ ଭ୍ରମି ।୧୦୭।

ୟେକ ଘଡ଼ିକେଣ ବେନି ଯୋଜନ ଧାପ

ପୃଥୀରେ ପାଦ ନ ପଡ଼ଇ କ୍ଷଣକେ ହୋୟେ ଗୋପ୍ୟ ।୧୦୮।

ସାଧୁ ସାଧୁ ବୋଲି ପ୍ରଶଂସନ୍ତି ବିରାଟ ଆଦି ସର୍ବକ୍ଷତ୍ରୀ

ସାଧୁ ସାଧୁ ଗ୍ରନ୍ଥିକାର ଧନ୍ୟ ତୋ ଜୀବତି ।୧୦୯।

ଆଗ୍ୟାଂ ପ୍ରମାଣେ ଯେ ଅଶ୍ୱପିଠି ବୀର ତେଜି

ପଡ଼ିଣ ପ୍ରାଣତ୍ୟାଜ ହୋଇଲା ସେହୁ ବାଜୀ ।୧୧୦।

ନକୁଳ ଦେଖନ୍ତେ ସେ ହୋଇଲା ସ୍ୱର୍ଗଗାମୀ

ଅଳକା ଭୁବନେ ଯାଇଣ ବିଶ୍ରାମି ।୧୧୧।

ଚଇତନ ପୁଚ୍ଛାକଲା ଶୁଣ ହୋ ମନୁ ଦେବା

ସେ ବାରୁସ ଚରିତ ଯେ ଅଟଇ ଅସମ୍ଭବା ।୧୧୨।

ସନ୍ଦେହ ଲାଗିଲା ମୋତେ ୟେ ବାରତା ଗୋଟି

ପୂର୍ବେଣ ସେ ମହାତ୍ମା କେ ହାଦେ ହୋଇଟି ।୧୧୩।

ଶୁଣ ହୋ ଚଇତନ ତୁ ଯାହା କଲୁ ପୁଚ୍ଛା

ପ୍ରସ୍ତାପ ବାକ୍ୟେ ଯାହା ଶୁଣିତେ କଲୁ ପୁଚ୍ଛା ।୧୧୪।

ବୃନ୍ଦାଅର୍କ ନାମେଣ ସେ ୟେକଇ ସତ୍ୟଯୁଗେ

ମନଭେଦୀ ନାମେ ଇନ୍ଦ୍ର ବସଇ ସେ ହାଦେ ସ୍ୱର୍ଗେ ।୧୧୫।

ପାର୍ବତୀର ନନ୍ଦନ ସେ କାମଦେବ କ୍ଷେତ୍ରପାଳ

ଆକାଶ ଦେବତୀ ତୁ କଲେ ରକ୍ଷାପାଳ ।୧୧୬।

ଅମର ଭୁବନେଣ ଇନ୍ଦ୍ର ତାଂକୁ ଦିଲେ ଶାଢ଼ୀ

ୟେକାରାତ୍ର ମଧ୍ୟେ କୋଟିୟେ ବ୍ରହ୍ମାଣ୍ଡ ଯିବୁ ବେଢ଼ି ।୧୧୭।

ଆସ୍ତାନର ତଳେ କ୍ଷେତ୍ରପାଳ ପଡ଼ଇ ଗଡ଼ଘାଲି ପ୍ରାୟେ

ବୋଇଲା ଆଦିତ୍ୟ ତହୁଂ ମୋତେ ଦେବା ଅଶ୍ୱ ଯେ ଗୋଟାୟେ ।୧୧୮।

ଅତି ଅନ୍ତ ବେଗି ଅଶ୍ୱ ମୁଂ ତାହାନ୍ତ ଦେଖିଲି

ସେହି ସେ ରାତ୍ରକେ କୋଟିୟେ ବ୍ରହ୍ମାଣ୍ଡ ପାରଇ ବୁଲି ।୧୧୯।

ଇନ୍ଦ୍ର ବୋଇଲେକ ହୋ ଯାଅସି ତୁ ଅତିବେଗ

ଆମ୍ଭ ବୋଇଲେ ବୋଲି ଅଶ୍ୱ ଗୋଟିୟେକ ମାଗ ।୧୨୦।

ଚଳଇ କ୍ଷେତ୍ରପାଳ ଦେବତାଂକ ବଚନେ

ପ୍ରବେଶ ହୋଇଲା ଯାଇ ଦିନକର ଆସ୍ତାନେ ।୧୨୧।

ମସ୍ତକେ ଶାଢ଼ୀ ଦେଖି ବୋଇଲେ ଅଶୁଂମାଳୀ

ଆକାଶ ଭୁବନେ ତୁ କି ହୋଇଲୁ ରକ୍ଷାପାଳୀ ।୧୨୨।

କ୍ଷେତ୍ରପାଳ ବୋଇଲା ଭୋ ସ୍ୱାମୀ ମୋତେ ଆଗ୍ୟାଂ ଦିଲେକ ମଘବା

ୟେକା ରାତ୍ରକେ କେମନ୍ତେ ବୁଲିବି ସ୍ୱର୍ଗ ଅବା ।୧୨୩।

ସ୍ୱାମୀ ପ୍ରଥମ ଅନକୂଳ ମୋର ଆଜହିଂ ବିଜୟେ

ତୋହୋର ତହୁଂ ଦେବା ମୋତେ ଅଶ୍ୱ ଯେ ଗୋଟିୟେ ।୧୨୪।

ଗଗନେ ଭ୍ରମି ଅଶ୍ୱ ଛାଡ଼ିବି ଯେତେବେଳେ

ତତକ୍ଷଣେ ଅଶ୍ୱ ଲାଗିବ ଗଗନ ମଣ୍ଡଳେ ।୧୨୫।

ରାତ୍ରକେ ଭ୍ରମିଣ ମୋତେ ଦିବସେ ଦେବୁ ଆଣି

ତେବେ ସେ ମୁଂ ପୁଆଇଂ ପାରଇଟି ରୟଣୀ ।୧୨୬।

ଅଶ୍ୱ ଅଶ୍ୱହୁଂ ମୋର ଆନ ନାହିଂ ହୟେ

ଅତୁଲଇ ହୋଇଲେ ରଥ ତୁଲେଣ ନ ଯାୟେ ।୧୨୭।

ପାର୍ବତୀର ନନ୍ଦନ ପ୍ରତେ ଉପୁଜାଇ ଦିଗପାଳ

ଡାହାଣୁଂ ଅଶ୍ୱେକ ଯେ ଫେଇଲା କ୍ଷେତ୍ରପାଳ ।୧୨୮।

ଡାହାଣେ ଭୂରିଶ୍ରବା ବୃଦ୍ଧଶ୍ରବା ଉଚ୍ଚେଶ୍ରବା ସୁରଶ୍ରବା

ବାମେଣ କାଳିମେଘା ବଜ୍ର ବାଣ ମେଘନାଦ ଅଶ୍ୱଶ୍ରବା ।୧୨୯।

ୟେ ଅଷ୍ଟଅଶ୍ୱ ମଧ୍ୟେ ମହାଅଶ୍ୱ ଭୁରି

ଲକ୍ଷେଜୁଣ ମାଡ଼ି ପଡ଼ଇ ତାହାର ଟାପୁ ଚାରି ।୧୩୦।

ସେ ଭୂରିଶ୍ରବାକୁ କ୍ଷେତ୍ରପାଳ ଘେନିଗଲା

ଯାଆନ୍ତେଣ ଅରୁଣ ସାରଥି ବିରଞ୍ଚି ନାରାୟଣେ ବୋଇଲା ।୧୩୧।

ଅରୁଣ ବୋଇଲା ସ୍ୱାମୀ ତୁମ୍ଭେ ମନ୍ଦ କୃତ୍ୟ କଲ

କ୍ଷେତ୍ରପାଳକଇଂ କିଂପେ ତୁମ୍ଭେ ଭୂରିଶ୍ରବା ଅଶ୍ୱ ଦେଲ ।୧୩୨।

ଆଦିତ୍ୟ ବୋଇଲେ ସେ ଆକାଶ ଦଣ୍ଡୁ ଆସି

ଆଜ ରାତ୍ରକେ ଭ୍ରମି କାଲି ପ୍ରଭାତେ ବାହୁଡ଼ାଇ ଦେବସି ।୧୩୩।

ଅରୁଣ ବୋଇଲେ ଦେବ ନୋହଇ ୟେମନ୍ତ

ଜଣେକ ଆମ୍ଭର ତହୁଂ ପେଶିବାକ ଦୂତ ।୧୩୪।

ତାହାର ଛାଡ଼ିଲେ ସେ ଆଣୁ ଅଶ୍ୱଗୋଟି

ବଡ଼ାଇ ଦୁଲଭ ସେ ପାଇବା ଲେଉଟି ।୧୩୫।

ଦିନକର ନାଥ ଯେ ବୋଇଲା ଅରୁଣକୁ

ବାମ ଭୁଜୁଂ ଜାତକଲେ ୟେକଇ ପୁରୁଷକୁ ।୧୩୬।

ସେ ପୁରୁଷକୁ ଦେଖି ବୋଇଲେ ଗଗନ ମଣ୍ଡଳେ

ଆରେ ନାମ ହୋଉ ତୋହୋର ଗୋରେହା କ୍ଷେତ୍ରପାଳେ ।୧୩୭।

ଆକାଶ ବୁଲି ଯେ ବେଳ ଛାଡ଼ିବ ବାରାସ

ଧାତିକାରେ ଯାଇଣ ତୁ ଅଶ୍ୱକୁ ଘେନିଆସ ।୧୩୮।

ବିରଞ୍ଚି ନାରାୟଣ ବୋଲେ ଗୋରେହା କ୍ଷେତ୍ରପାଳ ଚଳିଗଲା

କାମଦେବ କ୍ଷେତ୍ରପାଳ ସନ୍ନିଧ୍ୟେ ଯାଇଣ ମିଳିଲା ।୧୩୯।

ଗୋରେହା ବୋଇଲେ ମୋତେ ତୋହୋର ତହିଂକି ପେଷିଲେ କମଳକର

ରାତ୍ରକ ବୁଲି ତୁ ଅଶ୍ୱ ଗୋଟି ଦେବୁ ଯେ ଆମ୍ଭର ।୧୪୦।

କ୍ଷେତ୍ରପାଳ ବୋଇଲା ତୁ ଥାଅସି ଆମ୍ଭର ପଛକତି

ଛାଡ଼ିଲେ ଅଶ୍ୱକୁ ଘେନିଯିମୁଂ ତୁ ତତକ୍ଷଣାନ୍ତି ।୧୪୧।

ଭ୍ରମଇ କ୍ଷେତ୍ରପାଳ ନିଶି କଟୁଆଳ

ତୁଲେଣ ତାହାର ଗୋଡ଼ାଇଅଛି ଗୋରେହା କ୍ଷେତ୍ରପାଳ ।୧୪୨।

ୟେକା ରାତ୍ରକେ ବୁଲିଲା ସେ ତେତିଶ କୋଟି ପୁର

ଗୋରେହା କ୍ଷେତ୍ରପାଳ ଅଛଇ ତାହାର ସଙ୍ଗତର ।୧୪୩।

ରଜନୀ ପ୍ରଭାତ ହୋଇଲା ଅଶ୍ୱ ଚଢ଼ିଅଛି

ଆଦିତ୍ୟ ଉଦୟ ହୋଇଲେ ସାତ ଅଶ୍ୱ ଯୋଚି ।୧୪୪।

ଗୋରେହା ବୋଇଲା ମୋତେ ଦେଉକିନା ହୟେ

ରାତ୍ର ପାହିଲା ଆଦିତ୍ୟ ହୋଇବେ ଉଦୟେ ।୧୪୫।

ସେ କ୍ଷେତ୍ରପାଳ ବୋଇଲା ମୁଂ ଆଦିତ୍ୟ ଦେବତାଂକୁ କହିଅଛି

ଛାଡ଼ିଲେ ଅଶ୍ୱକୁ ନେମୁଂ ମୋ ତୁଲେ ଥାଆସି ।୧୪୬।

ସତ୍ୟଯୁଗ ସତରଲକ୍ଷ ଅଠାଇଶ ସହସ୍ର ବର୍ଷ ଗଲା

ଭୋଜନେ ଶୟନେ ଅଶ୍ୱ ଦିବାରାତ୍ରେ ନ ଛାଡ଼ିଲା ।୧୪୭।

ଦିନେକ ଅଶ୍ୱ ବାଗ ଧଇଲା ଗୋରେହା

ଆଦିତ୍ୟ ଦେବତାଂକୁ ରେ ତୁ ଭଣ୍ଡିଲୁ ଗୋରେହା ।୧୪୮।

କୋପେଣ କାମପାଳ ଅସିପତ୍ର ଧରି ହାଣି

ସେ ଗୋରହା କ୍ଷେତ୍ରପାଳର ଛିଡ଼ିଲା ଦକ୍ଷିଣ ପାଣି ।୧୪୯।

କାମଦେବ କ୍ଷେତ୍ରପାଳ କୋପ ବିଘାତେଣ

ଗୋରେହା କ୍ଷେତ୍ରପାଳକର ହୋଇଲା ଖଣ୍ଡଣ ।୧୫୦।

ବିରଞ୍ଚି ନାରାୟଣଂକ ସନ୍ନିଧ୍ୟେ ପ୍ରବେଶ

ଅରୁଣ ବୋଇଲା ଦେବ ଦେଖ ୟେ ଭବିଷ୍ୟ ।୧୫୧।

କହଇ ଗୋରେହା ଯେ କର ଖଣ୍ଡଣ ହୋଇ

ମାଗନ୍ତେ ବାରାସ ଦେବ ନ ଦେଲା ଆମ୍ଭଂକୁହିଂ ।୧୫୨।

ତୋହୋର ଆନ ପାଡ଼ି ଅଶ୍ୱବାଗ ଧଇଲି ଆଗିଆଣି

ଆକ୍ରେଷି ଅସି ପତ୍ର ମୋହୋର କର ହାଣି ।୧୫୩।

ଦଣ୍ଡେହେଂ ନ ଛାଡ଼ଇ ଦେବ ରାତ୍ର ଯେ ଦିବସେ

ଭୋଜନହିଂ କରଇ ବାରାସ ଉପରେ ସେ ।୧୫୪।

ୟେମନ୍ତେ ଅଶ୍ୱ ନ ଛାଡ଼ଇ ନିଚଳେ ସେ ଥାଇ

ଗୋରେହା ବଚନ ଶୁଣି ଅଶ୍ୱକଇଂ ମୃଚ୍ଛିଲେ ହାଦେ ଦିନକରସାଇଂ ।୧୫୫।

ବାମେଣ ଚାରିହୟେ ଡାହାଣେ ତିନି ହୟେ

ଗମନ୍ତେଣ ତୁଲ ଯେ ନ ପଡ଼ଇ ପାୟେ ୟେକଠାୟେ ।୧୫୬।

ଶରଦ ହେମନ୍ତ ଶିଶିର ବସନ୍ତ ଗ୍ରୀଷମ ବରଷା

ୟେ ଷଡ଼ଋତୁ ଘେନିଣ ଗମନ୍ତି ଦ୍ୱାଦଶ ମାସା ।୧୫୭।

ତିନିଋତୁ ଗମନ୍ତେଣ ପୁଣ ହୁୟେ ଛଡ଼ମାସ

ଉତ୍ତରାୟଣ ଦକ୍ଷିଣାୟଣ ଯେ ବିଶେଷ ।୧୫୮।

ଉତ୍ତରାୟଣ ଦକ୍ଷିଣାୟଣ ୟେକତୁଲେ ଅବଦ

ବାଛିବୁଛି କରିଣ ଦିଲେ ସେ ବାରାସ ମେଘନାଦ ।୧୫୯।

ବାଛିଣ ବିରଞ୍ଚି ଅଶ୍ୱ ଦିଲେ କ୍ଷେତ୍ରପାଳ

ୟେତେକାଳ ଯାୟେଂ ଅଶ୍ୱ ନ ଦିଲା ଚାଣ୍ଡାଳ ।୧୬୦।

କେତେଦିନେ ଦେଖିଣ ଆଦିତ୍ୟ ମହାରାଗେ

ମୋହୋର ଅଶ୍ୱ ତୁରେ ନ ଦେଉ କେଉଂ ବାଗେ ।୧୬୧।

କିମ୍ପାଇ ଫେରାଉ ନାହୁଂ କହ ମୋତେ ଆଗେ

ଉଚ୍ଚେ ନୀଚେ ବିନା ହରିବା କେଉଂ ବାଗେ ।୧୬୨।

ଆରେ କାମଦେବ କ୍ଷେତ୍ରପାଳ ତୁ ୟେଡେ କିଂପେ ମନ୍ଦ

ମୋତେ ତୁ ଭଣ୍ଡିଣ ରେ ପାତିଲୁ ହାଦେ କୂଟଛନ୍ଦ ।୧୬୩।

ମୋହୋର ଅଶ୍ୱ ଯେ ନେଇ ନ ଦିଲୁ ଅବିଶ୍ୱାସୀ

ଯାଅରେ କ୍ଷେତ୍ରପାଳ ତୁ ଅଶ୍ୱେକ ହୋଇ ଜାତ ହୁଅସି ।୧୬୪।

ବିରଞ୍ଚିର ଶାପ୍ୟେ ସେ କାମଦେବ କ୍ଷେତ୍ରପାଳ

ଅଶ୍ୱେକ ହୋଇଣ ଜାତ ୟେ ମହୀମଣ୍ଡଳ ।୧୬୫।

ବଚନ ସମାର୍ଜଇ ମୃତୁମଣ୍ଡଳେ ଜାତହୋଇ

କେସନେକ ପ୍ରତିକାର କରିବା ବିରଞ୍ଚି ଦେବସାଇଂ ।୧୬୬।

ଶୁଣିଣ ଦୟା ବସିଲା କମଳ ଲୋଚନ

ଅଶ୍ୱ ହରଣ ଦୋଷେ ତୁ ହୋଇଲୁ ଦୂଷଣ ।୧୬୭।

ଅଶ୍ୱହୋଇ ରହିଥିବୁଟି ତୁ ପଞ୍ଚବଟୀ ବନେ

ଡାହାଳ ଦେଶର ରାଜା ଯିବାକ ବିପୁନେ ।୧୬୮।

ତୋତେ ସେ ବନରୁ ବନ୍ଧନ କରିନେବ

ମତ୍ସରାଜା ବିରାଟରୁ ନେଇଣ ସମର୍ପିବ ।୧୬୯।

ତୁ ପୁଣି ବିରାଟକୁ ହୋଇବୁ ଆସାଧି

ଅନେକ ଯତନେ ତୋତେ ନୁଆରିବେ ସାଧି ।୧୭୦।

ଆମ୍ଭର ନନ୍ଦନ ଯେ ଅଶ୍ୱିନୀ କୁମାର

ତାହାର ଅଂଶେ ଜାତ ହୋଇବ ନକୁଳ କୁମାର ।୧୭୧।

ଯେତେବେଳେ ପାଣ୍ଡବେ ଗୋପ୍ୟାନ ହୋଇବେ ବିରାଟେ

ନକୁଳ ପରୀକ୍ଷ ତୋତେ କରିବ ବଇରାଷ୍ଟେ ।୧୭୨।

ପରୀକ୍ଷ କରିବ ତୋତେ ନେଇଣ ସଭାତଳେ

ମୃତୁ ପାଇବ ତୁ କୁମାର କୁତୂହୋଳେ ।୧୭୩।

ଶୁଣ ହୋ ଚଇତନ ଅଶ୍ୱର ୟେହେନେକ କଥା

ପୂର୍ବେ ଶାପ୍ୟ ବିହିଲେ ସେ ଆଦିତ୍ୟ ଦେବତା ।୧୭୪।

ନବଯୁଗ ପରିଯନ୍ତେ ଅଶ୍ୱ ହୋଇଥିଲା

ନକୁଳ ଦରଶନେ ସେ ମୁକତି ଲଭିଲା ।୧୭୫।

ଗୋରେଖ କ୍ଷେତ୍ରପାଳ ଯେ ଖଣ୍ଡଣ ହୋଇଥିଲା

ହାଥ କଅଂଳି ବିରଞ୍ଚିର ହୃଦରେ ସମ୍ଭାଇଲା ।୧୭୬।

ଜୟ ତୁ କେଶୀ ବିଦାରଣ ଶ୍ରୀ ପୁରୁଷୋତ୍ତମ

କେଶୀ ନିପାତିଣ କେଶବ ତୋର ନାମ ।୧୭୭।

ମଧୁ କଇଟଭ ମାରି ନାମ ମଧୁରିପୁ

ନାରକା ବିଦାରିଣ ତୁ ନାରାୟଣ ସରୂପୁ ।୧୭୮।

କଂସ ନିଶୋଧନେ ତୁ ଶ୍ରୀକୃଷ୍ଣ ନାମଗୋଟି

ରାବଣ ନିଶୋଧନେ ରାମନାମ ପ୍ରକଟି ।୧୭୯।

ପୁଷ୍ୟେକ ବିମାନେ ଯେ ବିଜୟେ ଜନାର୍ଦ୍ଦନ

ତେଣୁକରି ନାମ ଗୋଟି ତୋର ପଦ୍ମ ଯେ ଲୋଚନ ।୧୮୦।

ଋଷିଂକର ରଖନ୍ତେ ନାମ ଋଷିକେଶୀ

ବଳିକି ଚାପିଣ ବାମନ ରୂପ ପରକାଶି ।୧୮୧।

ସ୍ୱାମୀ ଦୁରାନ୍ତେକ ଦାନବ ଯେ ହିରଣ୍ୟ କଶିପୁ

ନୃସିଂହ ରୂପେ ତାର ବିଦାରିଲ ବପୁ ।୧୮୨।

ଜଗତ ଉଦ୍ଧାରଣେ ଜଗନ୍ନାଥ ନାମଗୋଟି

ତବ ପାଦପଦ୍ମେ ତଳେ ମୋହୋର ଶିର କମଳ ଲୋଟି ।୧୮୩।

ମୁହିଂ ତୋହୋର ନାମ ହୃଦଗତେ କରଇ ଅଭ୍ୟାସ

ବଦୟନ୍ତି ଶୂଦ୍ରମୁନି ସାରୋଳ ଚଣ୍ଡୀ ଦାସ ।୧୮୪।୧୭୧୭।

******

 

Unknown

ସହଦେବଙ୍କର ବିରାଟ ସଭାକୁ ଗମନ

ଅତିଅନ୍ତ ସାନନ୍ଦେ ସେ ମତ୍ସ ଅଧିକାରୀ

ବିରାଟ ବୋଇଲେ ବାଜୀପାଳକୁ କୋନ୍ତେ ଦିଅ ଶାଢ଼ୀ ।୧।

କୋନ୍ତେ ତୁମ୍ଭେ ଯେ ମୋହୋର ଆସ୍ତାନେ ଅଧିକାରୀ

ତୁମ୍ଭ ହାଥେ ଶାଢ଼ୀ ଦେବା ଯଥାର୍ଥ ବିଚାରି ।୨।

ଶ୍ରୀନାରାୟଣ ସୁମରି ପ୍ରସନ୍ନେ ଧର୍ମରାଜାର ତନୟେ

ଆପଣେ ଯୁଝେଷ୍ଟି ବାଜୀପାଳପଣେ ନକୁଳକୁ ଶାଢ଼ୀଦିୟେ ।୩।

କେଶବର ନାମ ଧରନ୍ତେ ହୃଦଗତେ

ମଥାରେ ଶାଢ଼ୀ ବାନ୍ଧି ନକୁଳେ ପ୍ରଣପତ୍ୟେ ।୪।

ଅଶ୍ୱଶାଳେ ବିଜେକଲେ ମାଦ୍ରୀଦେବୀର ସୁତ

ଅଶ୍ୱମାନେ ଦେଖିଣ ଛାଡ଼ିଲେ ଦୁଷୁକୃତ ।୫।

ଯେବଣ ଅଶ୍ୱେ ବୃଦ୍ଧ କ୍ଲେଶୀ ହୋଇଥିଲେ

ନକୁଳ ଦ୍ରଶନେ ସେ ଚୋଖାର ତୁରଙ୍ଗମ ହୋଇଲେ ।୬।

ଯେବଣ ଅଶ୍ୱ କ୍ଷେତ୍ରୀ ତେଜ୍ୟାକରି ରଣେ

ନକୁଳ ସାଜନ୍ତେଣ ଗମି ଲୋଡ଼ନ୍ତି ସେ ଗଗନେ ।୭।

ଅନେକ ବ୍ୟାଧି ପୀଡ଼ା ଯେ ଛାଡ଼ିଲା ଅଶ୍ୱଂକୁ

ଅନେକ ପ୍ରଶଂସା ସେ କରନ୍ତି ଗ୍ରନ୍ଥିକାର ନକୁଳଂକୁ ।୮।

ୟେଥୁ ଅନନ୍ତରେ ଶୁଣିମା ମନୁ ନୃପତି

ସହଦେବର ଆଗତ କଥା ପୁଣ ଦିବ୍ୟରୀତି ।୯।

ମଦନାର ନନ୍ଦନ ଯେ ସୁଭାଗ୍ୟ ବଳବନ୍ତା

କରସ୍ଥଳ ଚାହାନ୍ତେ ଜାଣଇ ଚତୁର୍ଦ୍ଦିଗର ବାରତା ।୧୦।

ଭୂତ ଭବିଷ୍ୟ ସେ ଯେ ବର୍ତ୍ତମାନ ତିନି

ଯୁଗାନ୍ତକ ବାରତା ସେ କହଇ ତତ୍ତୁ ଘେନି ।୧୧।

ପୃଥୀ ଆପ ତେଜ ଯେ ବାୟବ ଆକାଶ

ପଞ୍ଚୁଧାତୁ ଯାହାର ହୃଦରେ ପ୍ରକାଶ ।୧୨।

ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାକୁ ହୋଅଇ ଦୃଶ୍ୟ

ତାହାର ମହିଂମା ମୁହିଂ କହିବଇଂ କିସ ।୧୩।

କାଳର ଅଭାବେଣ ସେ ଗୋପାଳ ରୂପ ଧରି

ପୃଥୀ ଭାରାଭର ନିବାରଣ ନିମନ୍ତେଣ କରି ।୧୪।

ଧାତାର ନିର୍ବାଣ ସେ ପଣ୍ଡୁର ପଞ୍ଚୁ ପୟେ

ଅଗ୍ୟାଂତବାସେ ବିରାଟେ ରାଜ୍ୟେ ଗୋପ୍ୟାନ ଯେ ହୋୟେ ।୧୫।

ଜୂଡ଼ା କେଶ କବରୀ ଚୂଟ ବନ୍ଧବେଣୀ

ଲଲାଟେ ଗୁଞ୍ଜରା ମାଳି ପୁଞ୍ଜି ପୁଞ୍ଜି ସୁଖଞ୍ଜଣି ।୧୬।

ପଘା ବାଆଂରା ଯେ ସପତ ବନ୍ଧ ଶିକା

ଛନ୍ଦଣୀ ବନ୍ଧଣୀ ଯେ ନବନିଶି ରେଖା ।୧୭।

କାନ୍ଧେଣ କାଉଂରୀ ଭାର ହାଥରେ ବିରହ ବଇଂଶୀ

କେନ୍ଦୁଶର ଲଉଡ଼ି କରେ ଗୋପାଳ ବେଶୀ ।୧୮।

ପାଦେଣ କଠାଉ ପୁଣି ଶିର ପରେ ଖୋଲରୀ

କଟିରେ କଟିସୂତା କାଛଟିୟେ ଭିଡ଼ି ।୧୯।

ସୁସଞ୍ଚ ବସନ ମଦନଗୋପାଳ ମଇତ୍ର କି ଓଳି

ବିରାଟର ଆସ୍ତାନ ସନ୍ନିଧ୍ୟକୁ ସହଦେବ ଯାୟେ ଚଳି ।୨୦।

ସେ ଜାଣନ୍ତି ଯେ ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ

ଗୁଟିକା ଅଞ୍ଜନ ଧାତୁବାଦ ବିଦ୍ୟା ଜାଣଇ ରସ ରସାୟଣ ।୨୧।

ଆସ୍ତାନେଣ ଯାଇଂ ଜଣାଇଲେ ଚାରଗଣ

ସ୍ୱାମୀ ପରଦେଶୀ ଗୋପାଳେକ ଉଭା ହୋଇଅଛି ଦୁଆରେଣ ।୨୨।

ବହୁତ ଗୋ ଲକ୍ଷଣ ଜାଣଇ ଅନେକ ବିଦ୍ୟା

ବଡ଼ାଇ ସୁସଞ୍ଚ ଗୋପାଳ ସ୍ୱୟେଂ ସିଦ୍ଧଦେବା ।୨୩।

ଅପୂର୍ବ କଥା ଶୁଣି ବୋଲଇ ମତ୍ସରାଣ

ଦେଖିବା ଗୋପାଳ ଆଣ କେମନ୍ତ ଲକ୍ଷଣ ।୨୪।

ସ୍ୱାମୀର ଆଗ୍ୟାଂୟେ ଦ୍ୱାର ଛାଡ଼ିଲେ ଦ୍ୱାରପାଳ

ଭିତର ପ୍ରବେଶ ଆସି ହୋଇଲା ତନ୍ତ୍ରୀପାଳ ଗୋପାଳ ।୨୫।

ଦେଖିଲେକ ଆସ୍ତାନେ ଯେ ସମସ୍ତ ଜନପୁରୀ

ଗୋପାଳ ରୂପ ଦେଖି ବହୁତ ପ୍ରଶଂସା ତହିଂ କରି ।୨୬।

ବିରାଟେ ବୋଇଲେ ହୋ କୋନ୍ତେ ଛାଡ଼ ପଶାକାଠି

ନିରୋପି ଦେଖ ୟେବେ ଯେ ଗୋପାଳ ରୂପଗୋଟି ।୨୭।

ଗୁଣବନ୍ତ ଲକ୍ଷଣ ସୋହୋଡ଼ପଣ ଯେତେ

ଗୋପାଳ ବୋଲି ୟେହାକଇଂ ବୋଲିବା କେମନ୍ତେ ।୨୮।

କନ୍ଧେଣ ଭାର ଗବନେଣ ଅବନୀଳ

ଅମର ତେଜିଣ କି ବିଜେ ଆଖଣ୍ଡଳ ଦିଗପାଳ ।୨୯।

ୟେ କି ପ୍ରତକ୍ଷେ ବ୍ରହ୍ମାନ୍ୟରୂପ ଅଟଇ

କେବଣ କଷଣେ ଆସି ୟେ ମୋହୋର ଭୁବନେ ଭେଟଇ ।୩୦।

ପ୍ରତକ୍ଷେ ଅଟନ୍ତି କି ସ୍ୱୟେଂ ବାସୁଦେବ

ଦ୍ୱାରିକା ତେଜିଣ ବିଜେକଲେକ ମାଧବ ।୩୧।

କପିଳାସ ତେଜି କି ଅଇଲେ ଶୂଳପତି

ଦେଖିଣ ଚମତ୍କାର ହୋଇଲା ନୃପତି ।୩୨।

କୋନ୍ତଭଟ୍ଟେ ବୋଇଲେ ଶୁଣ ହୋ ମହୀପାଳ

ଯୁଗତେ ସୁକୁମାର ଅଟଇ ୟେ ଗୋପାଳ ।୩୩।

ଥାଆନ୍ତି ଅବସାନେ ୟେ ନ ଜାଣନ୍ତି କିଛି

ଗୋରସ ଭୁଞ୍ଜନ୍ତି ସେ ଖାଆନ୍ତି ସର ବାଛି ।୩୪।

ସରଲବଣୀ ଅଧାମ ଶାକର ଗୁଟିକା ଛେନା

ୟେହାଂକର ଉବୁରା ଆଉମାନେ ଖାଆନ୍ତି ସିନା ।୩୫।

ବୁଲାବନ୍ତେ ଲଉଡ଼ି ମତ୍ତାର ରସ ଖେଡ଼େ

ନାଚନ୍ତି ଖେମଣ୍ଟା ବିହଡ଼ନ୍ତି ସଂକୋଡ଼େ ।୩୬।

ବଳେଣ ଅଚାର୍ଗଳ ୟେ ଅଟନ୍ତି ବଡ଼ସୁଖୀ

ରାତ୍ର ଦିବସ ସେ ବଞ୍ଚନ୍ତି ଗୋଧନ ପଲ ଥାନ୍ତି ରଖି ।୩୭।

ଖରା ବରଷା ଶୀତ କାଳ ଛଡ଼ଋତୁ

ଅମୃତ ରସ ଖେଡ଼ ୟେହାଂକର ହାଦେ ବ୍ରତ ହେତୁ ।୩୮।

ଆହୋ ବିରାଟ ବିଚାର କର ଗୋପାଳଂକର କାୟେ

ଭୋଗ କଉତୁକେ ୟେଥେ କେଶବ ହୋୟେ ଜାୟେ ।୩୯।

ହୀନଜନ ହୋଇଥିଲେ ସେ ଗୋପାଳେ

ନାରାୟଣ ବଢ଼ିଲେ ଯହୁଂ ଗୋପାଳଂକ ମେଳେ ।୪୦।

ତ୍ରଇଲୋକ ବ୍ରହ୍ମାଣ୍ଡ ଘୋଟିଥିଲା ଯେଉଂଣ ରାଜା କଂସ

ୟେହି ଲଉଡ଼ି ଧରି ସେ ଗୋପାଳେ କଲେ ନାଶ ।୪୧।

ଗୁଣ ସରୂପମାନ ନ ବିଚାର ୟେହାଂକର

ହାଦେ କେବଣ ବିଧାନମାନ ବୁଝିବାକୁ ନୃପବର ।୪୨।

ଅବଧାନେ ଆସ୍ତାନେ ଉଭା ହୋଇଛନ୍ତି ସକଳେ

ସହଦେବ ଭାର ଥୋଇଲେ ବିରାଟ ଆସ୍ତାନ ତଳେ ।୪୩।

ବିରାଟ କତିକି ଅଙ୍ଗ ଅପସର ଦେଇ

ପ୍ରଣପତ୍ୟ ସହଦେବ କୋନ୍ତଭଟ୍ଟଂକ ମୁଖ ଚାହିଂ ।୪୪।

ଶ୍ରୀଭୁଜେ ସ୍ୱାମୀ ଯେ ଘେନିଣ ପଶାକାଠି

ଭୂମିରେ ପାଡ଼ନ୍ତି ସହଦେବକଇଂ ଦେଇ ଦୃଷ୍ଟି ।୪୫।

ଯୁଝେଷ୍ଠି ବିଚାରନ୍ତି ତୁ ସର୍ବଗ୍ୟଂ ନାଥ ମୋର ବାବୁ

ଗତ ଆଗତ ଭୂତ ଭବିଷ୍ୟ ତୁହି ଜାଣୁ ସବୁ ।୪୬।

ଯାହାକଇଂ ବୁଦ୍ଧି ମାଗନ୍ତି ହୃଷୀକେଶୀ

ସମସ୍ତ ବୁଡ଼ାଇଲୁ ବାବୁ ମୋହୋର କର୍ମେ ପଶି ।୪୭।

ବିରାଟ ବୋଇଲା ହୋ ଉଠ ଉଠ ଗୋପାଳ

କେବଣ ଦେଶର ତୁ କାହିଂ ତୋହୋର ଗୋକୁଳ ।୪୮।

କ୍ଷଣେ କ୍ଷଣେ ଉଠ ବୋଲି ବୋଇଲା ରାଜନେ

କିମ୍ପାଇ ଉଠିବ ସେ ବିରାଟ ବଚନେ ।୪୯।

କୋନ୍ତେ ବୋଇଲେ ହୋ ଠାକୁରଂକ ଆଗ୍ୟାଂ ହୋଇଲାକ ତୋତେ

ଉଠ ଉଠ ଗୋପାଳ ପ୍ରଣମ୍ୟ ହୋଉଛୁ କେତେ ।୫୦।

କୋନ୍ତଭଟ୍ଟଂକ ବଚନେ ସହଦେବ ଉଠି

ମସ୍ତକେ ଦିଲା ନେଇ ବେନିହାଥ ଗୋଟି ।୫୧।

ବିରାଟ ବୋଇଲା ଗୋପାଳ ହୋ ତୁ ଅଟୁ କେଉଂଣ ଦେଶୀ

କିସ ଅର୍ଥେ ତୁ ମୋହୋର ରାଜ୍ୟକୁହିଂ ଅଛୁ ଆସି ।୫୨।

କେବଣ ଗୋପାଳ ନାମ ସଂକେତ ତୋହୋର କହ କିସ

ସହଦେବ ବୋଇଲା ରାଜା ତୋତେ ସକଳେ ହୋଉ ଯଶ ।୫୩।

ଉତ୍ତର ବାହିନୀ ଗଙ୍ଗା ସରସ୍ୱତୀ ଯେ ଯମୁନା

ମଧ୍ୟରେ ଇନ୍ଦ୍ର ପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣା ।୫୪।

ପଣ୍ଡୁର ନନ୍ଦନେ ସେ ଅଭୟେ ସୋମବଂଶୀ

ଯୁଝେଷ୍ଠି ମହାରାଜା ଯେ ଧର୍ମଂକର ଶିଷି ।୫୫।

ସେ ଯୁଝେଷ୍ଠିଂକ ଅନୁଜ ଅଟଇ ଭୀମସେନ

ଭୀମସେନଂକ ସାନୁଜ ଯେ ଅଟନ୍ତି ଅରଜୁନ ।୫୬।

ଅର୍ଜୁନର ଅନୁଜ ଯେ ନକୁଳ ମହାଛତ୍ରୀ

ତାହାଂକର ଅନୁଜ ଯେ ସହଦେବ ମନ୍ତ୍ରୀ ।୫୭।

ସେ ସହଦେବକଇଂ ଆଗ୍ୟାଂଦିଲେ ଯେ ଅଚ୍ୟୁତ

ଗୋଧନ ପଲେକ ସ୍ନେହେ ଦିଲେ ଗୋପୀନାଥ ।୫୮।

ଗୋଧନ ପଲେକ ସଧେ ଦିଲେ ଗୋପୀନାଥ

ସହଦେବଂକର ଗୋପାଳ ମୁଂ ପାଳଇ ଗୋରୁନ୍ତ ।୫୯।

ସେ ସହଦେବ ମୋତେ ଅଭିନ୍ନ ଦେଖଇ

ଯେ ସେ ସହଦେବ ପ୍ରତକ୍ଷେ ଅଟଇ ମୁହିଂ ।୬୦।

ଅସଂଖ୍ୟ ଗୋଧନ ପଲ ତାହା କେ ପରିକଳ୍ପନା କରଇ

ମୁଂ ତାହା ପାଳନ୍ତା ଅଟଇ ବିତକ୍ଷଣ ଗୁଆଳଇ ।୬୧।

ତନ୍ତ୍ରୀପାଳ ଗୋପାଳ ନାମ ମୋ ନିଜ ବାକ୍ୟେ

ଗୋଧନ ରକ୍ଷନ୍ତା ମୁହିଂ ସିନା ସାୟକେ ।୬୨।

ଯହୁଂ ସେ ଯୁଝେଷ୍ଠି ପଶାୟେ ହାରିଲେ ରାଜ୍ୟଭାର

ପଞ୍ଚୁଭାଇ ସହିତେଣ ବୁଲିଲେ ବନସ୍ତର ।୬୩।

ଅରଣ୍ୟେ ଶବଦେକ ଶୁଭିଲା ମତ୍ସଦେଶ ଅଇଲେ ଯୁଝେଷ୍ଠି

ଶବଦକୁ ଗୋଡ଼ାଇ ଅଇଲି ମୁଂ ପାରଇ ଅବା ଭେଟି ।୬୪।

ବହୁତ ଗୋଧନ ପଲ ଅଛଇ ତୋହୋର ପୁରେ

ଗୋରୁନ୍ତ ପାଳିବାକୁ ମୁଂ ବିତକ୍ଷଣ ଗଉଡ଼େ ।୬୫।

ଯେବଣ ଗୋଷ୍ଠେ ମୁହିଂ ଗୋରୁନ୍ତ କରଇ ରକ୍ଷା

ଅତୁଟ ଅପମୃତୁ ଯେ ନ ପାବନ୍ତି ତହିଂର ବତ୍ସା ।୬୬।

ଗୋରୁଂକ ଉପରେ ଯେତେକ ରୋଗ ଥାଇ

ମୁଂ ଝାଡ଼ନ୍ତେ ସକଳ ବ୍ୟାଧି କ୍ଷୟେପାଇ ।୬୭।

ଓଂକାର ଅକ୍ଷରଟି ମୂଳମନ୍ତ୍ର ଜାଣ

ସବୁ ବ୍ୟାଧିକି ଅଟଇ ମୁଂ ବିଶଲ୍ୟକରଣ ।୬୮।

ବିରାଟ ବୋଇଲା ଗୋପାଳ ଗୋରୁଂକର କେତେ ବ୍ୟାଧି

ତୋହୋର ରଖିଲେ ହୋଇବ ଯେବେ ସାଧି ।୬୯।

ସହଦେବ ବୋଇଲା ତୁ ଶୁଣ ହୋ ମତ୍ସାଧି

ଗୋରୁଂକର ଶୟେ ଅଷ୍ଟଉତ୍ତର ସିନା ବ୍ୟାଧି ।୭୦।

ଖୁରାରୋଗ ଖିରା ଶିମୁଳିଆ ହାବୋଡ଼ା ମାଣ୍ଡୁକୀ

ମଉନା ଗଳକନ୍ଦା ଧୋକଡ଼ା ଫାଟୁଆ ତାଟକୀ ।୭୧।

ଜୁଇକାଣ୍ଡ ଧରସରା ସହାଣା ଭରଥିଆ

ଘୋଷରା ହାଂପରା ପେଟଫୁଲା ଦୃଷ୍ଟିପଡ଼ା ମହୁରିୟା ।୭୨।

ଗଣ୍ଠିଆ ବସନ୍ତ ଲହସା କାଉଂରିଆ ମୁତୁରା

ଗରିବେଙ୍ଗା ମାରୁଣିବେଙ୍ଗା ପାଣିବେଙ୍ଗା ଥରହରା ।୭୩।

ଖଲିଆ ହେମଗିରି ମହାଗିରି ପିଠି ଲେଟରା

ସୁକୁଟା ଶିଂଗବାତ ଆଣ୍ଠୁଆ ବାତ ରୋମଟାଂକୁରା ।୭୪।

ଅନ୍ତଭଂଜା ଅଜାଣୁଆ ଅଘଷା ଗଣ୍ଡୁକୀ କରକରା

ଅତିଶୂଳା ଆଡୁରା କରକଣା କୁଆହଣା ଗୋଖୁରା ।୭୫।

ଖୁରାଖି ଗଳଗ୍ରହା ଗଳକାଶ ଛିଂକ ଗାଲୁଆ

ଗଳଶୋଥ ଗର୍ଭରେହା ଜାନୁଭଙ୍ଗ ଜୋକିଆ ।୭୬।

ଟିଣା ତାଳୁକା ଦଣ୍ଡଧରା ପାଟୁଳି ଥରଥରିଆ

ପେଟ କାମୁଡ଼ା ପେଟପୋଡ଼ା ଦାରୁଣା ଭଉଂରିଆ ।୭୭।

ମଳବନ୍ଧ ଜାଦୁରା ଲୁହବୋହା କାମଳ ରଣା

ଶିରରୋଗ ଶାଲୁକା ଆବୁଆ ଅରୁକଣା ।୭୮।

ଅଧାମଡ଼ା ଅରକଟିଆ କଇକଶା ଟିଂକରା

ଗରଜନ ଜଟାକଟା ତାଳୁଶୁଖା ବାରୁଣା ଗମ୍ଭୀରା ।୭୯।

ତାଳୁକାଛିଟି ଦାନ୍ତଭଞ୍ଜା ତଳପକା ଜରା

ଅନ୍ତବଥା ଛିନାଳୀ ବଇଧକୀ ଆରକ୍ତ ଛେରା ।୮୦।

କରଟିଆ ଗଧିଆ ବାଇଆ କଂଚାଶିଂଗା ପାଙ୍ଗରା

ଗଳକଣ୍ଠା ଆଣ୍ଠକର୍ପଟୀ ଅନ୍ତବଥା ମଡ଼ା ।୮୧।

କାଲବାତ ଅନ୍ତକୋଷ ଆଉଂରିଆ ପିହୁଲା ଛେରା

ଉଦୁରିଆ ଆଖିଫୁଲା ଟୋଲକମରା ଗିଳା ।୮୨।

ୟେମନ୍ତେ ଗୋଧନଂକର ଅଷ୍ଟଉତ୍ତର ଶତେ ବ୍ୟାଧି

ମୋହୋର ଆଗ୍ୟାଂୟେ ସେମାନେ ନୁଆରନ୍ତି ଭେଦି ।୮୩।

ଅଦୁହାଂ ଗାଈ କରକଟି ହୁଅନ୍ତି ଯେ ଗୋଷ୍ଠେ

ଅଛନ୍ଦା ଅବନ୍ଧା ୟେ ଦୁହାବନ୍ତି ଦୁଷ୍ଟେ ।୮୪।

କାମୋଡ଼ା ବିନ୍ଧଣା ଯେ ୟେମାନେ ହୁଅନ୍ତି ସର୍ବସାଧି

ବାଂଝି ମଡ଼ଛି ନୋହୋନ୍ତି ମୋହୋର ବାକ୍ୟେ ମଉଷୋଧି ।୮୫।

ଯେବଣ ଗାଈ ବିହଡ଼ନ୍ତି ଦୁଷ୍ଟପଣେ ବନେ

ସେ ଆସି ସାଧ୍ୟ ହୁଅନ୍ତି ଯେ ଆପଣେ ଆପଣେ ।୮୬।

ବିରାଟ ବୋଇଲା କଥାୟେ କହିବି ବାବୁ ରହ ରହ

ପାଇଲି ପରୀକ୍ଷ ତୁ ଆଉର ବଚନ ନ କହ ।୮୭।

ତୁ ଯେ ବୋଇଲୁ ମୁଂ ଅସାଧ୍ୟ ସାଧ୍ୟ କରଇ

ୟେହିକ୍ଷଣି ପରୀକ୍ଷ ଜାଣିମାନା ତୋହୋର ତହିଂ ।୮୮।

ବିରାଟ ବୋଇଲା କୋନ୍ତେ ମୋର ପୃଥୁନା ନାମେ ଯେବଣ ଗାଈ

ଅଣ୍ଡିର ଲକ୍ଷେକ ବତ୍ସା ଦୁଇଲକ୍ଷ ମାଈ ।୮୯।

ୟେତେକ ଘେନିଣ ସେ ବିହରଇ ମୋର ଗୋଷ୍ଠେ

ଯାଇଂଣ ରହିଲା ସେ ବିନ୍ଧ୍ୟମାଳ ପର୍ବତ ନିକଟେ ।୯୦।

ସାତ କ୍ଷଉଣୀ ବଳ ଘେନିଣ ମୁହିଂ ଗଲି

ଥାଠ ଘେନି ବେଢ଼ି ଗାଈ ଆଣି ନୁଆରିଲି ।୯୧।

ବହୁତ ଗୋଧନ ଯେ ସମର ମୋହୋର ତୁଲେ କଲେ

ଭୟେଣ ସଇନି ମୋହୋର ଭାଜି ପଳାଇ ଅଇଲେ ।୯୨।

ଗୋଡ଼ାଇଣ ବହୁତ ପୟେଡ଼ କଲେ ମୋତେ

ପୟେଡ଼ ପଡ଼ିଲା ମୋତେ ନବ ଯୋଜନ ପରିଯନ୍ତେ ।୯୩।

ସାତ କ୍ଷଉଣୀ ବଳ ଘେନିଣ ଯାଇଥିଲି

ଦୁଇ କ୍ଷଉଣୀ ପଡ଼ିଲେ ପାଞ୍ଜକ୍ଷଉଣୀ ଘେନିଣ ପଳାଇ ଅଇଲି ।୯୪।

ପୁଣି ସମୟେକ ମୁ ଯେ ମୁରୁଛି ନୁଆରିଲି

ବିନ୍ଧ୍ୟମାଳ ପର୍ବତକୁ ଥାଠ ଘେନିଗଲି ।୯୫।

ଅସଂଖ୍ୟ ଅପ୍ରମିତ ଥାଟ ନାଶଗଲା

ସେ ପୃଥୁନା ଗାଈ ମୋତେ ସାଧ୍ୟ ଯେ ନୋହିଲା ।୯୬।

ତୁ ସାଧ୍ୟ ମୋତେ କରିଦେବୁ ଯେବେ ପୃଥୁନା

ୟେ ମତ୍ସଦେଶେ ମଘଦେଶେ ଠାକୁର ତୁହି ସିନା ।୯୭।

ହେ କୋନ୍ତେ ସେ ଗାଈ ଯେତେବେଳେ ଗୋଷ୍ଠରୁ ମୋର ଗଲା

ଶିରୀ ତୁଟିଲା ରାଜ୍ୟ ମୋହୋର ନାରଖାର ଦିଶିଲା ।୯୮।

ବାବୁ ତୋହୋର ବଚନେ ଯେବେ ଗୋଧନ ଡରନ୍ତି

ତନ୍ତ୍ରୀପାଳ ନାମ ଗୋଟିକି ମୁଂ ହୋଇଥିବି ଭଗତି ।୯୯।

ତନ୍ତ୍ରୀପାଳ ବୋଇଲା ରାଜା ପାଇବୁ କାରଣ

ପଲ ଘେନି ପୃଥୁନା ତୋହୋର ଆସିବ ୟେହିକ୍ଷଣ ।୧୦୦।

ଦୁସହ ପ୍ରତଗ୍ୟାଂ ଶୁଣି ବିଚାରନ୍ତି କୋନ୍ତେ

ଅସଂଖ୍ୟ ପ୍ରତଗ୍ୟାଂ ୟେତ କଲାକ ଅପ୍ରମିତେ ।୧୦୧।

ବେନିଲକ୍ଷ ବଚ୍ଛା ଘେନି ବିହଡ଼ିଲା ଯେବଣ ଗାବ

ୟେହାର ବଚନେ ସେ କିଂପେ ଯେ ଆସିବ ।୧୦୨।

ନ ପୁଣ ନ ଆସଇ ନିକି ଗାଈ ୟେହାର ବୋଲେ

ସହଦେବ ନାଶଗଲା ତ ବିରାଟ କୋପିଲେ ।୧୦୩।

ସୁମରନ୍ତି କୋନ୍ତେ ଦେବ ଯେ ଦାମୋଦର

ୟେ ଦୁସହ ସଂକଟୁ ଦେବ ସହଦେବକୁ ପାରିକର ।୧୦୪।

ବିରାଟ ବୋଇଲା ହୋ ଶୁଣ ତନ୍ତ୍ରୀପାଳ ଗୋପାଳ

ଯିବା ଯେବେ ବିଂଝମାଳ ସାଜିବା ସନ୍ୟବଳ ।୧୦୫।

ସହଦେବ ବୋଇଲା ରାଜା ସେ ପ୍ରମାଦ ଅଟଇ ଭୂମି

ତାହାର ତହିଂକି ତୋର କଦାଚିତେ ଯିବାର ନ ଯୋଗାଇ ସ୍ୱାମୀ ।୧୦୬।

ୟେହି ସମ୍ପ୍ରଧି ଘେନି ରାଜା ବସିଥିବୁ ୟେହି ଠାବେ

ପଲ ଘେନି ପୃଥୁନା ଆସି ହୋଇବ ତୋର ଆଗେ ।୧୦୭।

ଦୁସହ ପ୍ରତଗ୍ୟାଂ ଶୁଣିଣ ଯେ ହସଇ ମତ୍ସପତି

ଦେଖିବା ଆଉ ଶୁଣିଲା ନାହିତ ମୋହୋର ୟେସନ କଥା ଅପ୍ରମିତି ।୧୦୮।

ଦେଖ ଦେଖ କୋନ୍ତେ ଗୋପାଳର ମହିଂମା

ମୁହିଂ ଜାଣିଲି ୟେ ପ୍ରତକ୍ଷେ ଅଟଇ ଯେ ବ୍ରହ୍ମା ।୧୦୯।

ଶୁଣିଣ ସହଦେବ ଯେ ଉତ୍ତରକଇଂ କଲା ମୃତ୍ତି

ବାମ ଚରଣ ଉପରେ ଦକ୍ଷିଣ ପାଦଗତି ।୧୧୦।

ହୃଦଗତେ ସୁମରଇ ଦେବ ହୃଷିକେଶୀ

ପୃଥୁନା ନାମ ଧରିଣ ଚୁମ୍ବିଲା ବଇଂଶୀ ।୧୧୧।

ମତ୍ସଦେଶକୁ ବିଝଂବନ ବାଷଠି ଶତେ ଜୁଣ

ବଇଂଶୀ ସ୍ୱନ ଶୁଭିଲା ପୃଥୁନା ଶ୍ରବଣ ।୧୧୨।

ଧ୍ୟାନେଣ ଜାଣିଲା ସେ ନନ୍ଦନୀର ନାତୁଣୀ

ବୋଇଲା ମୋତେ ସୁମରିଲେ ସହଦେବ ମନ୍ତ୍ରୀ ଚୂଡ଼ାମଣି ।୧୧୩।

ପୃଥନା ବୋଇଲା ସାଧୁ ସାଧୁ ହୋ ବିରାଟ

ବଂଶଇ ତୋର ସାଧୁ ସାଧୁ ସାଧୁ ତୋର ରାଷ୍ଟ୍ର ।୧୧୪।

ବଡ଼ ମହିମାଂ ବିରାଟ ରେ ତପ ଅର୍ଜିଲୁ ପୂର୍ବଜନ୍ମେ

ତୋହୋର ରାଜ୍ୟେ ଆସି ବିଜେକଲେ ଦେବଧର୍ମେ ।୧୧୫।

ଲକ୍ଷେକ ବତ୍ସା ହକାରିଣ ପୃଥୁନା ଯେ ମାୟେ

ବୋଇଲା ଆସ ଯିବାରେ ମତ୍ସଦେଶ ଯାୟେ ।୧୧୬।

ବିରାଟ ରାଜ୍ୟରୁ ଯେ ଦୁଷୁକୃତ ଫିଟିଲା

ଗୋପାଳ ରୂପ ଧରି ସହଦେବ ବିଜେକଲା ।୧୧୭।

ୟେତେକ ବଚନେଣ ସେ ସମସ୍ତ ବତ୍ସାମାନେ

ହେମରାବ ଶବଦ କରିଣ ସେ ଧାମନ୍ତି ଗହନେ ।୧୧୮।

ଓହ୍ଲାଇଣ ମାହେଶ୍ୱରୀ ବିନ୍ଧ୍ୟମାଳ ପର୍ବତୁଂ

ଉଡ଼ିଲା ଗଗନେ ଧୂଳି ଗାଈଂକର ପାଦଘାତୁଂ ।୧୧୯।

କୁହୁଡ଼ି ପ୍ରାୟେକ ଯେ ଦିଶଇ ଚରଣର ଧୂଳି

ଆକାଶେଣ ଅଦୃଶ୍ୟ ଯେ ହୋଇଲେ ଅଂଶୁମାଳୀ ।୧୨୦।

ମୁଖରାବ ଶବଦେଣ ଯେ କମ୍ପଇ ତିନିପୁର

ମଧ୍ୟପୁର ପୃଥୀ ଯେ କଂପଇ ଥରହର ।୧୨୧।

ବିରାଟ ପଚାରଇ ପୃଥୀ ଉଲୁକାପାତ ଦେଖି

ନିର୍ଘାତ ପଡ଼ିଲା କି ଗଗନ ଉପେକ୍ଷି ।୧୨୨।

ଉତ୍ତର ଦିଗ ଦେଶାଉରେ କହିଲେ ଆସ୍ତାନେ

ସ୍ୱାମୀ ଗୋଧନ ପଲ ଗୋଟିୟେ ଆସନ୍ତି ଘୋରବନେ ।୧୨୩।

ଅଦଭୂତେ ଗୋଧନ ପଲ ୟେ କାହୁଂ ସେ ଗବନା

ତନ୍ତ୍ରୀପାଳ ବୋଇଲା ଦେବ ଆସୁଛି ପୃଥୁନା ।୧୨୪।

ୟେମନ୍ତ ମନ୍ତ୍ରବଳ ଅଛଇ ମୋହୋର

ଗୋଲକ୍ଷଣ ବିଦ୍ୟା ସହଦେବକୁ କହିଲେ ଚକ୍ରଧର ।୧୨୫।

ଯେବଣ କାଳେ କାଳଦମନ ଜରାସନ୍ଧ ଦିଲେ ଧାଡ଼ି

ଅସଂଖ୍ୟ ସନ୍ୟ ଘେନି ମଥୁରା ଆସି ବେଢ଼ି ।୧୨୬।

ସବୁ ଗୋଧନ ପଲ ଯେ ହରି ସମର୍ପିଲେ ସହଦେବଂକୁ

ସମସ୍ତ ନିଅ ବାବୁ ତୋ ହସ୍ତିନା ରାଜ୍ୟକୁ ।୧୨୭।

ଦଇଂତକ ଭୟେ ଗୋମତ ଗିରିରେ ଲୁଚିଲେ ହୃଷୀକେଶ

ଗୋଲକ୍ଷଣ ବିଦ୍ୟା ସହଦେବଂକୁ କହିଲେ ପୀତବାସ ।୧୨୮।

ସେ ସହଦେବଂକର ମୁଂ ଅଟଇ ତନ୍ତ୍ରୀପାଳ ଗୋପାଳ

ସେ ମନ୍ତ୍ର ଅଛି ମୋର ହୃଦୟ କମଳ ।୧୨୯।

ଯେ ସେ ସହଦେବ ସେହି ସେ ଅଟଇ ମୁହିଂ

ସତ ସରୂପ ତୋର ଅଗ୍ରତେ କହିଲଇଂ ।୧୩୦।

ଶୁଣିଣ ଆଶ୍ରିଜ ଯେ ମଚ୍ଛେଶ୍ୱର ନରନାଥ

ଅସଂଖ୍ୟ ଚରିତ କି ସେ ହୋଇବ ୟେମନ୍ତ ।୧୩୧।

ଦୁଇ କ୍ଷଉଣୀ ବଳ ମୋର ନାଶଗଲା ଯେଣେ

ସେ କିଂପେ ଆସିବ ୟେଥେ କିମ୍ଭୂତ କାରଣେ ।୧୩୨।

ଆଶ୍ରିଜ ପ୍ରାୟେକ ହୋଇ ରାୟେ ଚାହାନ୍ତି ୟେକଦୃଷ୍ଟି

କଟକ ଭିତରେ ଯାଇଂ ଗୋଧନ ପଲ ଭେଟି ।୧୩୩।

ସରୂପ ଦେଖିଲେ ସେହୁ ଉଚ୍ଚବାଚ୍ଚ ଗାଈ

ଭୟେଣ ବିରାଟ ସଇନି ଘେନି ଗଲେକ ପଳାଇ ।୧୩୪।

ପୃଥୁନା ସମର ମୂରତି ଦେଖିଲେ ରାୟେ ଦୂରେ

ଭୟେଣ ଉଠିଲେ ଯାଇଂ ଜଗତୀ ଉପରେ ।୧୩୫।

ମେଢ଼ ମଣ୍ଡୋପ ଯେ ଜଗତୀ ଅଟ୍ଟାଳୀ

ଘରେ ବୃକ୍ଷେ ଉଠିଣ ଦେଖନ୍ତି ଯେ ସମସ୍ତେ ବିକଳି ।୧୩୬।

ଗୋଧନ ପଲଟି ଯହୁଂ ବିଜୟେ ନିକଟେ

ୟେକାମାତ୍ର ଆସ୍ତାନେ ରହିଲେ କୋନ୍ତଭଟ୍ଟେ ।୧୩୭।

ବିରାଟ ବୋଇଲା କୋନ୍ତେ ପଳାଅ କିଂପେ ନାହିଂ

ବଡ଼ାଇ ପ୍ରମାଦ ୟେ ଅଟଇ ଦୁଷ୍ଟଗାଈ ।୧୩୮।

ୟେହିମନ୍ତ ପର୍ବତୁଂ ୟେ ଓହ୍ଲାଇ ଅଇଲା

ଦୁଇ କ୍ଷଉଣୀ ବଳ ମୋର ଗୋଡ଼ାଇ ମାଇଲା ।୧୩୯।

ସମସ୍ତେ ଚାହାନ୍ତି ଯେ ୟେକଦୃଷ୍ଟି ହୋଇ

ସହଦେବକଇଂ ଲକ୍ଷେପୁର କରି ବେଢ଼ିଲେକ ସର୍ବଗାଈ ।୧୪୦।

ଦେଖିଣ ଚକିତ ହୋଇଲା ମତ୍ସ ନୃପମଣି

ସମରାଜ୍ୟେ ଶୁଭିଲାକ ହା ହା କାର ବାଣୀ ।୧୪୧।

ଆହୋ ତନ୍ତ୍ରୀପାଳ ବୋଲି ବିରାଟ କ୍ରୋଧକଲା

ୟେ ମୋହୋର କାର୍ଯ୍ୟେ ତନ୍ତ୍ରୀପାଳ ଗୋପାଳ ନାଶଗଲା ।୧୪୨।

ସହଦେବ ପ୍ରଣପତ୍ୟ ପୃଥୁନା ଦେବୀ ପଦ୍ମପାଦେ

ବଞ୍ଚିବି ଦୁରାପଦ ମାଗୋ ତୋହୋର ପରସାଦେ ।୧୪୩।

ମାଗୋ ଶୁଭେଣ ଗୋପ୍ୟାନ ହୋଇଲେ ଚାରି ଯେ ଠାକୁର

ମୋତେ କଷଣ କଲା ୟେ ମତ୍ସାଦି ରାଜ୍ୟେଶ୍ୱର ।୧୪୪।

ମୁହିଂ ତ ଆନ ସେବା କରି ନୁଆରିବି

ତୋହୋର ଚରଣେ ତଳେ ସେବା କରିଥିବି ।୧୪୫।

ୟେଡେ କୋପ କରିଣ ଯେ ଅଇଲୁ ୟେ ରାଜ୍ୟକୁ

ବିରାଟ ନୃପତି ଦେଖି ଭୟକଲା ତୁମ୍ଭଂକୁ ।୧୪୬।

ପୃଥୁନା ବୋଇଲା ବିରାଟ ଦୂରହୋଇ ନ ଗଲେ

ମୁହିଂ କଥା ହୋଇ ପାରନ୍ତି କି ତୋହୋର ତୁଲେ ।୧୪୭।

ଶୁଣିଣ ସହଦେବ ପୁଣ ପ୍ରଣପତ୍ୟ କଲାକ ପୃଥୁନା

ଅନାଦି ସିଦ୍ଧଦେବୀ ଗୋ ପ୍ରଳୟ ଅନ୍ତ ସିନା ।୧୪୮।

ମାଗୋ ଆଦି କପିଳା ଯେ ତାହାର ଉଦରୁ ସଚରାଚର ଜାୟେ

ତାହାର କ୍ଷୀର ପାନେ ସଚରାଚର ରକ୍ଷା କରନ୍ତି କାୟେ ।୧୪୯।

କପିଳାର ନନ୍ଦନୀ ବଉଳା ନାମେ ଗାଈ

ବିମଳା ନାମେଣ ତାହାର ବତ୍ସା ଉପୁଜାଇ ।୧୫୦।

ବିମଳାର ତହୁଂ ଜାତ ହୋଇଲା ଧବଳୀ

ଧବଳୀର ନନ୍ଦିନୀ ଯେ ନାମ ତଇତିଳୀ ।୧୫୧।

ତଇତିଳୀର ନନ୍ଦିନୀ ଯେ ଅଟଇ ସୁରଭି

ତାହାତହୁଂ ଜାତ ଯେ ନନ୍ଦିନୀ ବତ୍ସା ମହାଦେବୀ ।୧୫୨।

ବତ୍ସା ନନ୍ଦିନୀର ତହୁଂ ଜାତ ରମ୍ଭା ନାମେ ଗାଈ

ସେ ରମ୍ଭାର ତହୁଂ ଜାତ ହୋଇଲେ ଶତେମାଈ ।୧୫୩।

ଶତେମାଈର ନନ୍ଦନୀ ଯେ ଅଟଇ ତ୍ରିଲୋଚନା

ତାହାର ନନ୍ଦିନୀ ତୁ ଅଟୁ ଯେ ପୃଥୁନା ।୧୫୪।

ପୃଥୁନା ତୋତହୁଂ ଜାତ ପଞ୍ଚ ସହସ୍ର ମାଈ

ପୁଣି ପଞ୍ଚସହସ୍ର ଅଣ୍ଡିର ଉପୁଜାଇ ।୧୫୫।

ୟେମନ୍ତେଣ ବେନିଲକ୍ଷ ବତ୍ସା ଉପୁଜାଇ

ତୁହି ସେ ସର୍ବ ତାରିଣୀ ଅଟୁ ମହାମାଈ ।୧୫୬।

ୟେକା ଚିରରୁ କ୍ଷୀର ଦେଉ ଆଗୋ ମାୟେ

ଉତ୍ପତ୍ତି ପ୍ରଳୟ କରୁ ଦେବୀ ତୁ ଗୋ ସ୍ୱୟେଂ ।୧୫୭।

ଜାତ ଅନ୍ତକାରିଣୀ ଗୋ ତୁ ଭଗତମତ୍ସଳା

ନୋହୁ ତୁ କସରା ଗୋ ପାଟଳୀ ବର୍ଣ୍ଣ କଳା ।୧୫୮।

ଅଭୟେ ଅପୂର୍ଣ୍ଣା ଗୋ ପ୍ରସନ୍ନେ ନିରାକାରୀ

ୟେକ ବର୍ଣ୍ଣେଣ ତୁ ନାନା ରୂପ ଧରି ।୧୫୯।

ଜୟ ଜୟ ଅନାଦି ଗୋ ବିଜୟା ମାତଙ୍ଗୀ

ଲୟେ ରୂପ ଧରି କାତ୍ୟାୟିନୀ ଗାୟତ୍ରୀ ନାମ ମହାଦେବୀ ।୧୬୦।

ଦୁତୀ ଅପର୍ଣ୍ଣା ଗୋ ନିରଞ୍ଜନ ଗୋତ୍ରୀ

ଭଗତର ଜନନୀ ଗୋ ଅଭୟେ ବରଦାତ୍ରୀ ।୧୬୧।

ପ୍ରଳୟ ତାରିଣୀ ମାଗୋ ଅଗତିକି ଗତିଦ୍ୟନ୍ତା

ମମ କଷ୍ଟ ଉଦ୍ଧର ଗୋ କରସି ସର୍ବଚିନ୍ତା ।୧୬୨।

ବୁଡ଼ନ୍ତେ ଅବନୀ ଗୋ ତୁହି ସେ ଉଦ୍ଧରନ୍ତା

ତୋତେ ଆଶ୍ରେକରି ମାଗୋ ଲାଗିଲା ବଡଚିନ୍ତା ।୧୬୩।

ଆଦି ଅବତାରେ ଗୋ ଅଦଭୂତ ଶବଦୁଂ

ପଞ୍ଚମୃତ୍ତି ଗଙ୍ଗା ଗୋ ବହଇ ତୋର ପାଦୁଂ ।୧୬୪।

ଦିବିଭୁବି ପାତାଳ ଗୋ ତିନିଖଣ୍ଡ ମହୀ

ତୋହୋର କ୍ଷୀର ଆପ୍ୟାନେ ଗୋ ସମସ୍ତ ଧାତୁଦେହୀ ।୧୬୫।

ବତିଶ ଛନ୍ଦଣୀ ଗୋ ବିଶାଶତେ ମୁଦୁରା

ତୁହି ସେ ବଞ୍ଚାଇଲୁ ଗୋ କାଳକାମ ନିଦ୍ରା ।୧୬୬।

ଅକ୍ଷୟେ ଅବ୍ୟୟେ ଅଜୟେ ଅନୁଭବୀ

ଅଥବା ବାଞ୍ଛାସିଦ୍ଧକୁ ତୁହି ସେ ଆଦିଦେବୀ ।୧୬୭।

ତାମସ ତନୁ ତୋର ଗୋ ଦୁଖ ସୁଖ ନ ମଣେ

ପଞ୍ଚଧାତୁ ବୁଡ଼ାଇଲୁ ୟେକଯୋଗ ମିଳନେ ।୧୬୮।

ସାକାର ସାମ ଦୀର୍ଘ ଅଚିନ୍ତ କାନ୍ତାନୀ

ଶରଣ ଜନ ପାଳେନୀ ତୋ ଚରଣେ ଦୟିନୀ ।୧୬୯।

ସେ ପୃଥୁନାର ସ୍ତୋତ୍ର ମୋର ଭାବୁଂ ନିତ୍ୟେ

ଶୂଦ୍ରମୁନି ସାରୋଳା ଦାସ ବନ୍ଦେ ସଂସାର ଜନହିତେ ।୧୭୦।

ଇଦଂ ବଚନଂ ପ୍ରଣପତ୍ୟ କରଇ ସହଦେବ ପୃଥୁନାର ପାଦତଳେ

ମାଗୋ ମତ୍ସଦେଶେ ବୋଲାଇଲି ମୋର ନାମ ତନ୍ତ୍ରୀପାଳେ ।୧୭୧।

ପୃଥୁନା ବୋଇଲା ବାବୁ ହୋଇଲି ପ୍ରସନ୍ନ

ତୋହୋର ମୋହୋର ୟେକଯୋଗେ ବଞ୍ଚିବାକ ଦିନ ।୧୭୨।

ଅତ୍ୟନ୍ତ ମହିଂମା ୟେ ବିରାଟ ପୁଣ୍ୟଗୋଟି

ତୋହୋର ପ୍ରସାଦେ ପାଇବେ ସେ କଳ୍ପକ୍ଷୀର ଫୁଟି ।୧୭୩।

ସହଦେବ ବିକାଶିଲା ବଇଂଶୀର ବାଣୀ

ମତ୍ସଦେଶ ଜନେ ସାନନ୍ଦ ହୋଇଲେ ତାହା ଶୁଣି ।୧୭୪।

ବିରାଟ ବୋଇଲା ୟେତ ନୋହୋଇ ଗୋପାଳ

ଗୋପାଳ ରୂପେ ଅଇଲା କେବଣ ଦିଗପାଳ ।୧୭୫।

ସହଦେବ ହାକିଲା ଯେ ଶୁଣସି ରାୟେ ମତ୍ସ

ପୃଥୁନା ପ୍ରାପତ ୟେବେ ହୋଇଲା ପ୍ରତଚ୍ଛ ।୧୭୬।

ବିରାଟ ହାକ ଦିଅଇ ଜୀବନ ତୋର ସାଧୁ

ମୁହିଂ ମୋକ୍ଷଗତି ପାଇଲି ତୁହି ମୋହୋର ପରାଣ ବନ୍ଧୁ ।୧୭୭।

ୟେ ତୋହୋର ପ୍ରସନ୍ନେ ମୁଂ ପାଇଲି ପୃଥୁନା ଗାଈଗୋଟି

ମୁକତ ହୋଇବି ମୋତେ ଦେବା କ୍ଷୀରଫୁଟି ।୧୭୮।

ସାତ କ୍ଷଉଣୀ ବଳ ମୋର ସବୁରିହିଂ ବଡ଼ ଆଶ

ତୁ ସର୍ବଗ୍ୟଂ ବିଚକ୍ଷଣ ତୋତେ କହିବଇଂ କିସ ।୧୭୯।

ସହଦେବ ବୋଇଲା ଶୁଣସି ଗୋ ମହାମାୟେ

ବିରାଟ ରାଜାକୁ ଦେବା କ୍ଷୀର ଯେ ଫୁଟିୟେ ।୧୮୦।

ସନ୍ୟବଳ ମାରି ତାକୁ କରିଛୁ ବିମୁଖ

ତୋହୋର କ୍ଷୀରପାନ କରି ପାସୋରିବ ସର୍ବଦୁଖ ।୧୮୧।

ପୃଥୁନା ବୋଇଲା ତୋରେ କ୍ଷୀର ଦେବି ବାବୁ

ଚିରେକ ମୋହୋର ବାବୁ ଆକାଶକୁ ଛାଡ଼ିବୁ ।୧୮୨।

ଆରେକ ଚିର ଦେବୁ ନାଗ ଯେ ଲୋକକୁ

ଯେକ ଚିର ସମର୍ପିବୁ ମୋର ଲକ୍ଷେ ଯେ ବଚ୍ଛାକୁ ।୧୮୩।

ୟେକ ଚିରକର ତୁ ପାଇବୁ ଯେତେ କ୍ଷୀର

ଦୁହିଂଣ ଦେବୁ ତ୍ରିପୁତି ଯେ ହୋଇବ ମତ୍ସେଶ୍ୱର ।୧୮୪।

ତିନିଚିର ଛାଡ଼ି ଯେ ୟେକା ଚିରକର

ଦୁହିଂକର ସହଇ ପୂରୋଇ ଭାଣ୍ଡର ।୧୮୫।

ଚକ୍ରୀମାନେ ନେଇଣ ଦିଅନ୍ତି କୁମ୍ଭମାନ

ସହଦେବ ମନ୍ତ୍ରୀବର କରୁଛଇ ଗାବ ଯେ ଦୋହନ ।୧୮୬।

ଦୁହିଂଣ ସହଦେବ ପୂରୋଇ କଳସୀର

ନେଇଣ ଥୋଇଲା ସେ ବିରାଟ ସଭାର ।୧୮୭।

ଦେଖିଣ ଆଶ୍ରିଜ ହୋଇଲା ମଚ୍ଛେଶ୍ୱର

ୟେକା ଚିରକରୁ ସହଦେବ ଦୁହିଂଲା ଲକ୍ଷେଭାର ।୧୮୮।

ଦେଖିଣ ଆଶ୍ରିଜ ଯେ ହୋଇଲେ ମତ୍ସଦେଶେ

ସାତ କ୍ଷଉଣୀ ବଳ ଘେନି ବିରାଟ କ୍ଷୀରପାନେ କରଇ ହରଷେ ।୧୮୯।

ପୃଥୁନା ପ୍ରାୟେକ ଗାଈ ୟେକା ମୋହୋର ଗୋଷ୍ଠେ ଥାଉ

ତନ୍ତ୍ରୀପାଳ ଗୋପାଳ ମୋତେ ଜନ୍ମେ ଜନ୍ମେ ହୋଉ ।୧୯୦।

ବହୁତ ପ୍ରଶଂସଇ ରାଜା ମନେ ହୋଇ ଶାନ୍ତି

ଆଝୁଂ ସେ ମୋକ୍ଷ ମୋର ହୋଇଲା ଜୀବତି ।୧୯୧।

ଯେବଣ କ୍ଷୀରକଇଂ ସଦା ଆଶ କରଇ ବେଦବ୍ରହ୍ମା

ସେ କ୍ଷୀର ଆପ୍ୟାନ କରିବାକୁ ହୋଇଲି ମୁହିଂ କ୍ଷମା ।୧୯୨।

ଶ୍ରୀଭୁଜେ ଶାଢ଼ୀ ଯେ ଘେନିଣ ରାୟେ ମତ୍ସ

ୟେ ମୋହୋର ଗୋଷ୍ଠେ ତୁ ଗୋପାଳ ପରୀକ୍ଷ ।୧୯୩।

ୟେସନେକ ସହଦେବେ ଜଗନ୍ନାଥଂକୁ ସୁମରି

ୟେ ମହା ସଂକଟୁ ମୋତେ ଉଦ୍ଧର ଚକ୍ରଧାରୀ ।୧୯୪।

ଭୋ କୋନ୍ତେ ଗୋପାଳକୁ ଶାଢ଼ୀ ଦିଅସି ଶ୍ରୀହସ୍ତେ

ମହାପାତ୍ର ମହାଖୁଡ଼ ପଣେ ଥିବ ୟେ ମୋହୋର ରାଜ୍ୟେ ଥିବା ପରିଯନ୍ତେ ।୧୯୫।

ବିରାଟର ବଚନେ ଶାନ୍ତି ଭଜି ଦେବ କୋନ୍ତେ

ଆପଣେ ବାନ୍ଧିଲେ ଶାଢ଼ୀ ତନ୍ତ୍ରୀପାଳର ମାଥେ ।୧୯୬।

ଶାଢ଼ୀ ପାଇଣ ସେ କୁମାର ପଞ୍ଚାଣ

କରେ ଲଉଡ଼ି ଧରିଣ ସେ ତଡ଼ିଲେ ଗାଈମାନ ।୧୯୭।

ୟେସନେକ ଅଂସକ୍ଷେପ ଚରିତ ଶୁଣି ବଇବସୁତ ମନୁ

ପାଦ ଅର୍ଘ୍ୟ ଦିଲା ନେଇ କୁମ୍ଭଋଷିର ତନୁ ।୧୯୮।

ବଡ଼ାଇ ଦୁରାପଦ କଥା କହିଲ ଅଗସ୍ତି ହେ

ୟେ କଥା ଲାଗିଲା ମୋତେ ବଡ଼ାଇ ସନ୍ଦେହେ ।୧୯୯।

ପୃଥୁନା ଗାଈ ତହୁଂ ସହଦେବ କଲାକ ସାଧ୍ୟ

ୟେକ ଚିରକରୁ ଦୁହିଂଲେ ସେ ଲକ୍ଷେଭାର ଦୁଧ ।୨୦୦।

ଶୁଣିବାକୁ ଅସଖ୍ୟ କହିଲ ଭଗବନ୍ତେ

ବଡ଼ାଇ ଅଗୋଚର କଥା ହୋଇଲାକ ମୋତେ ।୨୦୧।

ଗୋମାତାକୁ ନିନ୍ଦାକଲେ ହୋଇବି ମନ୍ଦରୋଗୀ

ହୃଦୟକୁ ସଂପ୍ରତେ ମୋର ନ ଯାଇ ଶାସ୍ରଯୋଗୀ ।୨୦୨।

ଗାଈ କେଡେ ହୋଇଲା ତାର ପହ୍ନା କେଡେ ହୋଇଲା

ୟେକା ଚିରକରୁ କେସନେକ ଲକ୍ଷେଭାର ଦୁଧ ଦୁହାଂଇଲା ।୨୦୩।

ମହା ପଣ୍ଡିତ ତୁ ଯେ ଭିଗ୍ୟଂ ବ୍ରହ୍ମବେତ୍ତା

ୟେ ଶାହାସ୍ର କହିବାକୁ ତୁମ୍ଭେ ସେ ଶକତା ବକତା ।୨୦୪।

ୟେହା ସଞ୍ଚପି ମୋତେ କହିବା ତପୋଧନୀ

ଶୁଣିଣ ନିଭ୍ରାନ୍ତି ହୋଇବି ମୁଂ ମହାଗ୍ୟାନୀ ।୨୦୫।

ବଦୟନ୍ତି ଅଗସ୍ତି ଯେ ଅନାଦି ବ୍ରହ୍ମବେତ୍ତା

ଶୁଣସି ହୋ ମହାରାୟେ ୟେ ଗାଈର ଆଦିଜନ୍ମ କଥା ।୨୦୬।

ନୀର ଭେଦରୁ ୟେ ହୋଇଲା ସମ୍ଭୂତା

ଚିର ନିରଞ୍ଜନୀ ୟେ ଅଟଇ ଆଦିମାତା ।୨୦୭।

ସେ ନିରଞ୍ଜନୀ ଗୋତ୍ରୀ ଅଟଇ କପିଳା

ୟେହାର ନନ୍ଦିନୀ ଯେ ଅଟଇ ବଉଳା ।୨୦୮।

ବଉଳାର ବଂଶେ ଜାତ ଅଟଇ ତ୍ରିଲୋଚନା

ତ୍ରିଲୋଚନାର ଅଂଶେ ଉପୁଜିଲା ପୃଥୁନା ।୨୦୯।

ପୃଥୁନାର ଆଈ ଯେ ସୁରଭି ନାମେ ଗାଈ

ଅମ୍ବୁ ସମୋଦ୍ର ଜିଣି ସେ ନିତ୍ୟ ଚରିଯାଇ ।୨୧୦।

ରତ୍ନଦୀପେ ଚରଇ ସେ ଅମିୟ ଜାତ କ୍ଷୀର

ଚରନ୍ତେ ଦିନେକଟି ହୋଇଲା ଉଛୁର ।୨୧୧।

ଅନ୍ୟଦିନେ ଆସନ୍ତେ ତାକୁ ସମୋଦ୍ର ହୋୟେ ଝାଣ୍ଟୁଆଣି

ସେ ଦିନ ବତ୍ସାର ଶ୍ରାଗେ ଆସନ୍ତେ ପେଟେ ଲାଗିଲାକ ପାଣି ।୨୧୨।

ଚିର ସହିତେ ଲୁଣିପାଣି ଲାଗିଥିଲା

ବତ୍ସା ପିବନ୍ତେଣ କ୍ଷୀର ସୁସ୍ୱାଦୁ ଲାଗିଲା ।୨୧୩।

କ୍ଷୀର ପିବନ୍ତେଣ ପେଟର ପାଣି ଭକ୍ଷି

ବୋଇଲା ମାତା ଗୋ ୟେମନ୍ତ ଜଳ କାହିଂ ଅଛି ।୨୧୪।

ସୁରଭି ବୋଇଲା ମାଗୋ କ୍ଷାର କ୍ଷୀର ନୀର ଶ୍ୱେତ ଯେ ଲବଣ

ୟେ ପାଞ୍ଚ ସମୁଦ୍ର ଶତେ ନବଲକ୍ଷ ଯୋଜନ ।୨୧୫।

ତହିଂର ଅନ୍ତରେ ଅଛି ଅମ୍ବୁ ସମୋଦ୍ର ଜଳ

ଆଣ୍ଠୁୟେ ପାଣି ମୋତେ ହୋଅଇ ସକଳ ।୨୧୬।

ମାଗୋ ଆଜ ତୋହୋର ବିକଳେ ଧାଇଂ ମୁଂ ଅଇଲଇଂ ଖରେ

ତେଣୁକରି ପାଣି ଲାଗିଲା ମୋହୋର ପେଟରେ ।୨୧୭।

ଆରଦିନ ସୁରଭି ଯେ ବେଗେ ଚଳିଗଲା

ଶରଧାୟେ ନନ୍ଦିନୀ ତାହାର ପଛେ ଗୋଡ଼ାଇଲା ।୨୧୮।

ଅମ୍ବୁ ସମୋଦ୍ର ତୃଷାରେ ଆପ୍ୟାନ ସେ କଲା

ଦେଖିଣ ଆଶ୍ରିଜ ଯେ ସୁରଭୀ ହୋଇଲା ।୨୧୯।

ଶୁଣ ହୋ ଚଇତନ ବଦୟନ୍ତି ଅଗସ୍ତି ମହାମୁନି

ୟେମନ୍ତ ମହିମାଂ ସୁରଭିର ରାଜା ଶୁଣ ତତ୍ତ୍ୱ ଘେନି ।୨୨୦।

ସେ ଅମ୍ବୁ ସମୋଦ୍ର ଯେ ତିନିକାଠି ଯୋଜନଟି

ବିସ୍ତାର ଆୟେତନ ବିଶାଶତେ ଯୋଜନ ଘଟି ।୨୨୧।

ୟେଡ଼େକ ସମୋଦ୍ର ଜଳ ହାଦେ ପିଇଲା ବତ୍ସାଗୋଟି

ଶୁଣି ଆଚମ୍ବିତ ହୋଇଲା ରାଜଶ୍ରେଷ୍ଠି ।୨୨୨।

ତୁ ଯେ ପୁଚ୍ଛାକଲୁ ବଇବସୁତ ମନୁ

ସମୋଦ୍ର ଗଣ୍ଡୂଷ ହୋଇଲାଟି ୟେହାର କୃଶାଣୁ ।୨୨୩।

ଅମୃତ ସମୋଦ୍ର ନାଶ ଦେଖିଣ ସମସ୍ତ ବୃନ୍ଦାଅର୍କେ

ସୁରଭିକି ଅନେକ ତୁସ୍ତି ଯେ କଲେ ଦେବଲୋକେ ।୨୨୪।

ବୋଇଲେ ମାଗୋ ତୋହୋର ନନ୍ଦିନୀ ଯେ କଲାକ ଅନୀତି

ୟେ ଅମ୍ବୁ ସମୋଦ୍ର ନ ଥିଲେ ସଚାରଚର କେମନ୍ତେ ବ୍ରତି ।୨୨୫।

ପୃଥୀ ଫଳ ନ ଦିଅଇ ନୋହୋଇ ଶସ୍ୟ ଜାତ

ୟେଥିକି ଆଶ୍ରେକରି ଯଏ ବ୍ରତନ୍ତି ଭୁବି ସାତ ।୨୨୬।

ଦେବତାଂକ ବଚନେ ସେ ଅନାଦି ମାହେଶ୍ୱରୀ

ସମୋଦ୍ର ଭିତରେ ନେଇ ମେଲିଲା ଚିରଚାରି ।୨୨୭।

ମୂଷଳ ଧାରାରେ ଦୁଗୁଧ ଝରିଲା ଦିବାରାତି

ସହସ୍ର ବରଷେ ସମୋଦ୍ରେ ପୂରିଲା ଯୁଗତି ।୨୨୮।

ତୁ ଯେ ପୁଚ୍ଛାକଲୁ ରାୟେ ଜୀବନ ତୋର ସାଧୁ

ପ୍ରସରିତ କାୟେ ହୋଇଲା କ୍ଷୀରସିନ୍ଧୁ ।୨୨୯।

ବେନି ନୟନୁ ଜାତ ନୀର ନୀଳ ସମୋଦ୍ର ବେନି

ଶ୍ୱେତ ସମୋଦ୍ର ଝରିଲାଟି ରୋମାବଳୀ ଘେନି ।୨୩୦।

କ୍ଷୀର ସମୋଦ୍ର ଘୃତ ସ୍ତନରୁ ହେଲା ଜାତ

କର୍ଣ୍ଣରୁ ଅମୃତ ଯେ ଝରିଲା ଗୋ ମାତ ।୨୩୧।

ମାୟେ ଜାତ କରନ୍ତି ପିବନ୍ତି ୟେହାର ବତ୍ସା

ସଂହରନ୍ତି ଉଦ୍ଧରନ୍ତି ୟେହାଂକରି ସ୍ୱଇଚ୍ଛା ।୨୩୨।

କପିଳା ବୋଲିକରି ୟେହାଂକରି ଆଈ

ୟେକା ଶରୀରୁ ସାତ ସମୋଦ୍ର ଉପୁଜାଇ ।୨୩୩।

ତୁ ଯେ ପୁଚ୍ଛାକଲୁ ମୋତେ ମନୁ ଦଣ୍ଡଧର

ଲକ୍ଷେଭାର କ୍ଷୀର ତାକୁ କେତେକ ମାତର ।୨୩୪।

ମନରେ ଯେତେ କଳ୍ପିବ ତେତେ କ୍ଷୀର ଦ୍ୟନ୍ତି

ତେଣୁ କାମଧେନୁ ନାମ ଜଗତେ ବୋଲନ୍ତି ।୨୩୫।

ସେହି ଶରୀର ସମୋଦ୍ର ଯେ ଦିଲେ ଉପୁଜାଇ

ଲକ୍ଷେଭାର ଦୁଧ ଯେ ସହଦେବ ଦୁହିଂଲାଇଂ ।୨୩୬।

ଅନେକ ପୂଜାକଲା ମନୁ ମହାଗ୍ୟାଂତା

ତବ ମୁଖୁଂ ଶୁଣି ମନଭ୍ରାନ୍ତି ଫିଟିଲା ବ୍ରହ୍ମବେତ୍ତା ।୨୩୭।

ମହତ ଭାଗ୍ୟ କଲାକ ମତ୍ସାଧିପେଶ୍ୱର

ମାନବେ ପ୍ରାପତେ ଆସି ହୋଇଲା ଦେବମାତାକ୍ଷୀର ।୨୩୮।

ଗୋଧନ ପଲ ଘେନି ସହଦେବ ଚଳଇ ଗୋଗୋଷ୍ଠେ

କୁଣ୍ଡଳୀ ପାତିଲା ନେଇ ମଣିଭଦ୍ରା ନଦୀତଟେ ।୨୩୯।

ମନ୍ତ୍ରୀ ଚୂଡ଼ାମଣି ସେ ସହଦେବର ପ୍ରସାଦେ

ଆରୋଗ୍ୟ ଗୋଧନ କ୍ଷୀର ବର୍ଦ୍ଧମାନ ହୋଇଲାକ ହାଦେ ।୨୪୦।

ପଦ୍ମେକ ଭାର କ୍ଷୀର ତାର ଉପୁଜିଣ ଥିଲା

ଶତେପଦ୍ମ ଭାର ଦୁଧ ସହଦେବ ଦୁହିଂଲା ।୨୪୧।

ବିରାଟ ରାଜ୍ୟ ସବୁ ହେଲା ଗୋଧନମୟେ

ରୋଗ ପୀଡ଼ା ନାହିଂ ସବୁ ଧବଳ କମଳ ପ୍ରାୟେ ।୨୪୨।

ସହସ୍ରେକ ଗାଈରେ ଗୋ ଗୋଷ୍ଠେକ ବୋଲି

ଶତେଗୋଷ୍ଠ ହୋଇଲେ ୟେ ହୋଅଇ ୟେକ ପଲ୍ଲୀ ।୨୪୩।

ଶତେକ ପଲ୍ଲୀରେ ଯେ ଲଉଡ଼ିୟେ ଅଟଇ

ଶତେ ଲଉଡ଼ିୟେ ମହାଖୁଡ଼କେ ଖଟଇ ।୨୪୪।

ଶତେକ ମହାଖୁଡ଼େ ଅଟଇ ଯେତେ ଗାଈ

ୟେତେକ ଉପରେ ଯେ ୟେକ ମହାଭୋଇ ।୨୪୫।

ଶତେକ ମହାଭୋଇ ମୂଳେ ଗୋରୁ ହୋଅଇ ଯେତେ

ଲେଖ ହୋ ପଣ୍ଡିତେ ଗୋଧନ ହୋଇଲାକ କେତେ ।୨୪୬।

ଦୁହାଂଳ ପାଞ୍ଚପଦ୍ମ ବରଡ଼ିଆ ତିନିପଦ୍ମ ଗାଈ

ଅଣ୍ଡିର ମର୍ଭୁତେକ ବତ୍ସା ପଞ୍ଚ ପରାୟୁଧ ମାଇ ।୨୪୭।

କପିଳା ବଉଳା କଷରା ଶୁକଳା କୃଷ୍ଣବର୍ଣ୍ଣ

କପୋଳ ସିଂହ କାହାର ଉବୁରେ ଘନ ଘନ ।୨୪୮।

ପିଙ୍ଗଳ ନୟନ କନ୍ଧ ଯେ କାହାର କଳା ପିଠି

ପାଦ ଖୁରା ଶ୍ୱେତ କାହାର ମସ୍ତକେ ଚାନ୍ଦ ଫୁଟି ।୨୪୯।

ୟେହେନେକ ପାଞ୍ଚଲକ୍ଷ ଷଣ୍ଢ ଅଛି

ଲକ୍ଷେକ ଲକ୍ଷେକ ତହିଂ କପିଳା ଗାଈ ଗଚ୍ଛି ।୨୫୦।

ୟେଗାର ଶତ ଯୋଜନ ମତ୍ସରାଜ୍ୟ ସୀମା

କୃଷି କର୍ମ ନାହିଂ ତହିଂ ଗୋଧନ ସେ ବ୍ରହ୍ମା ।୨୫୧।

ସୁଖେଣ ଚରନ୍ତି ଯେ ଓଗାଳନ୍ତା ନାହିଂ କେହି

କଣୟଭଦ୍ରା ନଦୀରୁ ସେ ସୁଖେଣ ପାଣି ଖାଇ ।୨୫୨।

ଗୋଧନ କାଳେ ଚିରେ ଚିରେ ଭୂମିରେ ପକାନ୍ତି ଯଦି

କଟକ ବେଢ଼ିଣ ଅଢ଼ାଇ ପହର ପରିଯନ୍ତେ ବହଇ କ୍ଷୀର ନଦୀ ।୨୫୩।

ସକଳ ଜୀବଜନ୍ତୁ କରନ୍ତି କ୍ଷୀରପାନ

ସୁବର୍ଣ୍ଣରେ ଝଳିଲା ପ୍ରାୟେ ଦିଶନ୍ତି ଦେହବର୍ଣ୍ଣ ।୨୫୪।

ମତ୍ସଦେଶ କଟକରେ ସକଳ ନରନାରୀ

ବିଦ୍ୟାଧର ପରାୟେ ଦିଶନ୍ତି ସ୍ତିରୀମାନେ ଅପଚ୍ଛରୀ ।୨୫୫।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ମହାମୁନ୍ୟେ

ଶସ୍ୟ ଜାତ ନାହିଂ କେମନ୍ତେ ବ୍ରତନ୍ତି ପ୍ରଜାମାନେ ।୨୫୬।

ଅଗସ୍ତି ବୋଇଲେ ସେ ମଘଦେଶ ମତ୍ସଦେଶ ଭୂମି

ତାହା ଭୋଗ କରଇ ଯେ ବିରାଟ ଦେବସ୍ୱାମୀ ।୨୫୭।

ସେ ମତ୍ସଦେଶ ରାଜା ଅଟେ ମହୀଦାସ

କୀଚକର ଭୟେ ସେଟି ନ ରହିଲା କତିପାଶ ।୨୫୮।

କାମ୍ୟେକ ନାମେ ପର୍ବତ ଯେ ମଘଦେଶେ ବସଇ

କାମ୍ୟେକ ନାମୁଂ ତହିଂ ପ୍ରତିଦିନ ବରଷଇ ।୨୫୯।

ଚାଳିଶ ଦିବସରେ ଯେ ପାଚଇ ତହିଂ ଧାନ

ତହିଂ ସେ ଉତପତ୍ତି ହୁଅଇ ସର୍ବ ଶସ୍ୟମାନ ।୨୬୦।

ଜଣେକ ଶତେମାଢ଼ ବର୍ତ୍ତନ ଦେଇ ଭ୍ରମି

ୟେତ ଆୟେ ତ କରନ୍ତି ବିରାଟ ଦେବସ୍ୱାମୀ ।୨୬୧।

ୟେ ବିଧିରେ ବେନିରାଜ୍ୟ ମାଡ଼ିବସଇ ବିରାଟ

ଆପଣା ସୁଷମାୟେ ଥାଇ ନାହିଂ ତାର ପରରାଷ୍ଟ ।୨୬୨।

ଆପଣେ ହେ ନରେନ୍ଦ୍ର ପରେ ନୋହୋଇ ଦ୍ୱନ୍ଦୀ

ତାହାର ସଙ୍ଗରେ କେହୁ ନୋହୋଇ ବିବାଦୀ ।୨୬୩।

ୟେମନ୍ତ ମତ୍ସଦେଶ ସୀମା ଯୋଜନ ପଞ୍ଚାଶ

ଧବଳ ଛାୟେଣୀ ଘରେ ବସଇ ସୁବର୍ଣ୍ଣ କଳସ ।୨୬୪।

ଧନେଣ ଗୁରୁହଂସୀ କୁବେର ସମାନେ ପରଜା

ଜଣେ ଜଣେକ ଖଟନ୍ତି ରାଜାଂକୁ ନ ଦିଅନ୍ତି ସଞ୍ଜା ।୨୬୫।

ଗୋରସ ବିକନ୍ତେ ଉପୁଜେ ଯେବଣ ଧନ

ରାଜାର ଭଣ୍ଡାରକୁ ଚଳଇ ବିଦ୍ୟମାନ ।୨୬୬।

ଅମନାତ୍ୟ ପାତ୍ର ଯୋଦ୍ଧା ଅନେକ ପାଦାନ୍ତି

ସମସ୍ତ ପାତ୍ରମାନେ କୃଷି କର୍ମଣ ବ୍ରତନ୍ତି ।୨୬୭।

ମହାପାତ୍ରକେ ଚାରିଶତ ମାଢ଼ ଭୂମି ପାତ୍ରକେ ଶୟେ ତିନି

ପାଦାନ୍ତିକେ ଶତେମାଢ଼ ଯୋଦ୍ଧାକେ ଶତ ବେନି ।୨୬୮।

ମହାପାତ୍ରକେ ଲକ୍ଷେଗାବ ପାତ୍ର ପଞ୍ଚାଶ ସହସ୍ର

ଯୋଦ୍ଧାକେ ତିନିସହସ୍ର ପାଦାନ୍ତିକେ ସହସ୍ରେକ ନିର୍ମିତ ।୨୬୯।

ୟେହେନେକ ସଂପଦ ମଘଦେଶ ମତ୍ସଦେଶ ପୁରୀ

ଦେବତା ସମାନେ ତହିଂ ବ୍ରତନ୍ତି ନରନାରୀ ।୨୭୦।

ମହୀତଳେ ଉଦିତ ସେ ମତ୍ସଦେଶ ନାହା

ଅଶିଲକ୍ଷ ରଥ ଅଟଇ ତାହଂକର ହାଦେ ସାହା ।୨୭୧।

ତିନିଖର୍ବ ଚୋଖାର ତୁରଙ୍ଗମ ବାଜୀ

ଧବଳ ଶୁଦ୍ଧ ବାରଣ ସେ ନିର୍ବାଣ ମହାତେଜି ।୨୭୨।

ସୋହୋଡ଼ ବନ ତହିଂକି ନିକଟଇ

ୟେମନ୍ତେ ଉତ୍ତମ ଅଶ୍ୱ ଯେ ତାହାକୁ ଖଟଇ ।୨୭୩।

ୟେହାର ତୁଲେ ଯେବଣ ରାଜା ହୋଅଇ ଅପ୍ରୀତି

ଗୋରସ ଦେଇ ଅରଜଇ ବହୁତ ସେ ପ୍ରୀତି ।୨୭୪।

ଧାର୍ମିକ ବିବେକ ପଣ୍ଡିତ ସେ ଅଟଇ ମହାରାଜା

ସୁଦେଷ୍ଣା ବୋଲିକରି ତାହାର ଭାରିଯା ।୨୭୫।

ଶଙ୍ଖ ଶ୍ୱେତ ଉତ୍ତର ତାହାର ତିନି ଯେ ତନୟେ

ଉତ୍ତରା ନାମେଣ ତାର ୟେକ ଦୁହିତାୟେ ।୨୭୬।

ପାଞ୍ଚମଣ୍ଡଳ ମାଡ଼ି ତାହାର ରାଜ୍ୟଖଣ୍ଡ

ସାତ କ୍ଷଉଣୀ ବଳ ତାହାର ତିନିଶ ଶତ ପାରିଦଣ୍ଡ ।୨୭୭।

ୟେସନେକ ସଂପଦେ ବିରାଟ ରାଜ ବସାଇ

ଆନ ରାଜ୍ୟ ଖଳ ତାହାର ରାଜ୍ୟେ ନ ପଶଇ ।୨୭୮।

ଶୁଣ ହୋ ଚଇତନ ମଘମତ୍ସ ଦେଶର ମହିମାଂ

ୟେହେନେକ କରି ସ୍ରିଜିଲା ବିରାଟ ମହାତମା ।୨୭୯।

ଆହୋ ଚଇତନ ବିରାଟ ମହିଂମା ତୁ ଶୁଣ

ଘରେ ଘରେ ବଖାଣ ହେଉଥାଇ ବିଷ୍ଣୁ ଯେ ପୁରାଣ ।୨୮୦।

ୟେହେନେକ ମହିଂମା ସେ ବିରାଟ ଭୁବନ

ହରିବାସର ଦିନେ କେହି ନ ଭୁଞ୍ଜନ୍ତି ଅନ୍ନ ।୨୮୧।

ଅଥବା ଅନ୍ନ ଯେବଣ ଦିନ ଭୁଞ୍ଜନ୍ତି ଗୁପତେ

ରାଜ୍ୟ ବାହାର କରିଦ୍ୟନ୍ତି ତାହାକୁ ପାଞ୍ଜବରଷ ପରିଯନ୍ତେ ।୨୮୨।

ପଣ୍ଡୁର ନନ୍ଦନ ଯେ ନିଜ ରାଜ୍ୟ ଉପେଖି

ରହିଲେ ଚିନ୍ତିତେ ରାଜାର ଧାର୍ମିକ ପଣ ଦେଖି ।୨୮୩।

ସଭାପଣ୍ଡା ପଣେ ରହି ପଶାକ୍ରୀଡ଼ା ବିଧାନେ

କୋନ୍ତଭଟ୍ଟ ନାମ ଯୁଝେଷ୍ଠି ବହିଲେ ଗୋପ୍ୟାନେ ।୨୮୪।

ଧର୍ମହୁଂ ଅନୀତି ନ କହନ୍ତି ସଭାୟେଣ ବସି

ୟେଣୁକରି ବେନିରାଜ୍ୟେ ଜନେ ଅନେକ ଭଗତି ହୁଅନ୍ତି ଆସି ।୨୮୫।

କୋନ୍ତେ ବୋଇଲେ ରାଜା ଶୁଣିମା ବିରାଟ

ଯଦ୍ୟପି ଦୂତେ ଆସିବେ ପରରାଷ୍ଟ ।୨୮୬।

ନଗ୍ର ଭିତେର ରାୟେ ତାକୁ ନ ଦେବୁ ହାଦେ ପଶି

ଅମନାତ୍ୟ ପରି ମୁଖେ କରିବୁ ସମ୍ଭାଷି ।୨୮୭।

ଆସ୍ତାନେ କୋନ୍ତ ତାଂକୁ କହିଲେ ଯେବଣ ବୁଦ୍ଧି

ପରରାଷ୍ଟ ଲୋକନ୍ତ ସେହି ଦିନୁଂ ଦୁଆର ବିରୋଧୀ ।୨୮୮।

ବଲ୍ଲଭ ନାମେଣ ଭୀମ ସୂପକାର ମୃତ୍ତି

ବୃକୋଦର ପାକ ପଚନ କରଇ ସେ ନିତିପ୍ରତି ।୨୮୯।

ଗଉରୀ ସଉରୀ ନଳ ୟେ ତିନିବିଧି ରାନ୍ଧଣା

ସମସ୍ତ ସଂପାଦଇ ସେ କୋଇନ୍ତାଂକର ଦୁଲଣା ।୨୯୦।

ୟେକାଇ ସୂପକାରକେ ସେ କରଇ ରନ୍ଧନ

ସୁଖେଣ ଭୋଗ କରନ୍ତି ସେ ସମସ୍ତ ରାଜ୍ୟମାନ ।୨୯୧।

କଉତୁକେ ନଗ୍ର ସ୍ତିରୀମାନେ ମେଂଜନ ନିଅନ୍ତି

ସୁସ୍ୱାଦୁ ପାଇଣ ରୋଷୁଅ ଘରେ ରାନ୍ଧଣା ସଞ୍ଚା ଦିଅନ୍ତି ।୨୯୨।

ହରଷେ ରାନ୍ଧିଦିଅଇ ସେ କାହାକୁହିଂ ନିରାଶ ନାହିଂ

ସମସ୍ତ ସୁହୃଦ ମଣେ ବଲ୍ଲବ ଗୋସାଇଂ ।୨୯୩।

ସ୍ୱାମୀହୁଂ ଭିକ୍ଷାବାସୀ ପରିଯନ୍ତେ ସବୁଂକୁହିଂ ୟେକଦୃଷ୍ଟି

ତେଣୁକରି ସମରାଜ୍ୟେ ସାଧୁ ସାଧୁ ଧୁନି ଉଠି ।୨୯୪।

କୋନ୍ତେ ସଭାପଣ୍ଡା ଭୀମ ରାନ୍ଧୁଣିଆ ରୂପ ଧରି

ନକୁଳ ବାଜୀପାଳ ଅର୍ଜୁନ ବୃହନାରୀ ।୨୯୫।

ଦ୍ରୋପତୀ ରହିଲେ ଯେ ସଇରିନ୍ଧ୍ରୀ ରୂପ ହୋଇ

ସହଦେବ ମନ୍ତ୍ରୀ ଯେ ରଖିଲାକ ଗାଈ ।୨୯୬।

ୟେସନେକ ସମସ୍ତେ ଗୁପତେ ରହିଲେ

ବିରାଟ ରାଜ୍ୟେ କେହି ଜାଣି ନୁଆରିଲେ ।୨୯୭।

ୟେମନ୍ତେଣ ଧନୁ ମକର କୁମ୍ଭ ମେଷ ଋଷଭ ଗଲା

ଷଡ଼ମାସ ଗଲା କେହି ଜାଣନ୍ତା ନୋହିଲା ।୨୯୮।୨୦୧୫।

 

Unknown

ଭୀମ-ବ୍ୟାଘ୍ର ଯୁଦ୍ଧ ଓ ନାନା ପ୍ରସଙ୍ଗ

ୟେହା ଶୁଣି ବୋଇଲା ବିଲଂକ ଆଧିପତି

ଅନ୍ନ ଭୁଞ୍ଜିଣ ପାବେନି ହୋଇଲା ତ୍ରିପୁତି ।୧।

ଭୀମସେନ ମହିମାଂ ଯେ ତୁମ୍ଭେ ମୋତେ କହି

ସାଂଗ୍ରାମ ନ ପାଇଲେ ସେ ନ କରଇ ମୁଣୋହି ।୨।

ପୁଷ୍ଟ ଭୋଜନେ ଯେ ତାର ଶରୀର ବଢ଼ିଲା

ସେ ମହାତମା ଯେ ଶରୀରେ ସମର କିସ କଲା ।୩।

ବଦୟନ୍ତି ଅଗସ୍ତି ଯେ ଗ୍ୟାଂନବନ୍ତ ଶୁଦ୍ଧଚେତା

ଶୁଣ ହୋ ମହାରାୟେ ପଣ୍ଡିତ ମହାଶ୍ରୋତା ।୪।

ଶୁଣ ହୋ ମହାରାଜ ବଦୟନ୍ତି ମହାତମା

ୟେକଇ ମତ୍ତବ୍ୟାଘ୍ର ବଧକଲା ଭୀମା ।୫।

ୟେହା ଶୁଣି ମନୁ ବୋଇଲେ ଶିରେ ଦେଇ କର

ଭୋ ଅଗସ୍ତି ମୁନି ମୋତେ କହିବା ସମାଚାର ।୬।

କି ଅବା ବ୍ୟାଘ୍ରକୁ ଭୀମ ମାଇଲା ବନେ ପଶି

କି ଅବା ବ୍ୟାଘ୍ର ନଗରେ ଉପଦ୍ରବ କଲା ଆସି ।୭।

ୟେହା ସଞ୍ଚପି ମୋତେ କହିବା ମୁନିବର

କି ରୂପେ ବ୍ୟାଘ୍ରକୁ ସେ ମାଇଲା ସୂପକାର ।୮।

ଅଗସ୍ତି ବୋଇଲା ହୋ ୟେକଇ ବେଣ୍ଟକାର

ମନୋହର ବନରେ ଯେ ଅଟଇ ତାର ନିଜ ଘର ।୯।

ଦଣ୍ଡକାରଣ୍ୟକୁ ସେ ମୃଗୟା ବିନୋଦେ ଗଲା

ଗଜ ବ୍ୟାଘ୍ରଂକର ତହିଂ ସମର ଦେଖିଲା ।୧୦।

ପର୍ବତେ ଥାଇଣ ସେ ବିନ୍ଧିଲା ତୀକ୍ଷଶର

ନାରାଜ ଘାତ ପାଇଣ ସେ ପଳାଇଲା ବ୍ୟାଘ୍ରବର ।୧୧।

ମତ୍ତହାଥୀକି ବନ୍ଧନ କଲାକ କିରାତ ଜାରା

ବିରାଟେ ରାଜ୍ୟେ ନେଇ କଲାକ ମହାବୀରା ।୧୨।

ସେ କିରାତର ହାଥେ ହାଥୀକି କରାଇ ବନ୍ଧନ

ତୋଷେଣ ବିରାଟ ଦେଲା ଅନେକ ଧନବସ୍ରମାନ ।୧୩।

ରାତ୍ର ଦିବା ତାହାକୁ ଦୃଢ଼କରି ବାନ୍ଧି

ଅବଦେକ ହୋଇଲାଣି ହାଥୀକି ଯେ ନୁଆରିଲେ ସାଧି ।୧୪।

ପୁଣିହିଂ କିରାତ ସେ ଦଣ୍ଡକା ଅରଣ୍ୟକଇଂ ଗଲା

ସେ ମତ୍ତ ବ୍ୟାଘ୍ରକୁ ସେ ହେଳେଣ ବନ୍ଧନ କଲା ।୧୫।

ମନ୍ଦର ପର୍ବତ ଜାଣି ବ୍ୟାଘ୍ରର ନିଜର କାୟେ

ମୁଣ୍ଡ ଦିଶଇ ଯେ ତାର ଉଦେଗିରି ପ୍ରାୟେ ।୧୬।

ଆକାଶ କିଂପାଇଂ ସେ ବ୍ୟାଘ୍ରର ଘୋରରଡ଼ି

ଚଳନ୍ତେଣ ହେଳ ଘେନଇ ବସୁନ୍ଧରୀ ।୧୭।

ବଇବସୁତ ମନୁ ଅଗସ୍ତିଂକି ପୁଚ୍ଛାକଲେ

ସେ ମତ୍ତବ୍ୟାଘ୍ରକୁ ଭୀମସେନ କେମନ୍ତେ ମାଇଲେ ।୧୮।

ଶବର ସେ ବ୍ୟାଘ୍ରକୁ ବା ବାନ୍ଧିଲା କେମନ୍ତେ

ସାଧୁ ସାଧୁ ମହିମା ସେ ଶବର ମହାବଳବନ୍ତେ ।୧୯।

ସେ ଶବରର ମହିଂମା ମୋତେ କହିବା ମୁନି ୟେବେ

ସେ ଜାରା ଶବର ମୁନି ଅଟଇ କେହୁ ପୂର୍ବେ ।୨୦।

ଅଗସ୍ତି ବୋଇଲେ ହୋ ଶୁଣ ବିଲଂକାଧି

ପୂର୍ବେ ସେ ଶବର ଯେ ଅଟଇ ମହାଯୋଧୀ ।୨୧।

ଶୁଣ ହୋ ମହାରାଜା ତ୍ରେତୟା ଯୁଗର କଥା

ଶ୍ରୀରାମ ସୂର୍ଯ୍ୟ ବଂଶେ ଯେ ହୋଇଲେ ସମ୍ଭୂତା ।୨୨।

କଇକେୟାର ବଚନେ ସେ ଶ୍ରୀରାମ ବନବାସୀ

ଲକ୍ଷଣ ସୀତୟା ଘେନି ଚଉଦ ବରଷ ବନେ ପଶି ।୨୩।

ଦଣ୍ଡକା ଅରଣ୍ୟେ ସେ ହୋଇଲେ ବନଚାରୀ

ସେ ଅରଣ୍ୟୁଂ ରାବଣ ସୀତୟା ନେଲା ହରି ।୨୪।

ପଥ ଉପନେସି ବନେ ବୁଲନ୍ତି ରଘୁନାଥେ

ବାଳୀକି ବଧିଲେ ଇସ୍କନ୍ଦ୍ୟା ନାମେ ବନେ ।୨୫।

ହରିବଳ ସଂପକ୍ଷ ସୁଗ୍ରୀବ ଅଙ୍ଗଦ ହନୁମନ୍ତେ

ଶାତବାଳିକି ଭେଟିଲେ ମାଲ୍ୟବନ୍ତ ପର୍ବତେ ।୨୬।

ମାଲ୍ୟବନ୍ତ ପର୍ବତେ ହନୁମନ୍ତକୁ ଦୂତପଣେ ପେଷି

ଜାନକୀ ଠାବକଲା ସେ ଲଂକାଗଡ଼େ ପଶି ।୨୭।

ମଧୁବନ ଭାଞ୍ଜିଣ ସେ ଅନେକ ସଇନି ମାରି

କଉତୁକ ସମର ହନୁର କେ ସଞ୍ଚପି କହିପାରି ।୨୮।

ଇନ୍ଦ୍ରଜିତ ବନ୍ଧନେ ପୋଡ଼ିଲା ଯେ ଲଂକା

ଶ୍ରୀରାମଂକୁ ବାର୍ତ୍ତା ପୁଣି କହିଲା ଆସି ୟେକା ।୨୯।

ହନୁମନ୍ତ ପ୍ରତଗ୍ୟାଂ ବଳବୀର୍ଯ୍ୟ ଦେଖି

ଶ୍ରୀରାମେ ବିଭୀଷଣ ଶରଣ ପଶିଲା ସହୋଦ୍ର ଉପେକ୍ଷି ।୩୦।

ମନ୍ତ୍ରୀ ଚୂଡ଼ାମଣି ଯେ କହିଲା ଦିବ୍ୟବୁଦ୍ଧି

ସୁଗ୍ରୀବର ଘେନିଣ ରାମ ବାନ୍ଧିଲେ ବାରାନିଧି ।୩୧।

ସେତୁବନ୍ଧ ଦେଖିଣ ରାବଣ ଭୟେକଲା

ଚଉରାଶୀ ଜୁଣ ଲଂକାଦ୍ୱାରା କପାଟ ପାଡ଼ିଲା ।୩୨।

କପାଟ ପାଡ଼ନ୍ତେ ସେ ଶ୍ରୀରାମ କୋପ କଲେ

କୋଦଣ୍ଡେ ଶ୍ରୀରାମ ରାବଣେ ନାରାଜ ପେଷିଲେ ।୩୩।

କରପତ୍ର ଯୋଡ଼ିଣ ରାମେ କହଇ ଲକ୍ଷଣ

ସ୍ୱାମୀ ଅପାର ବନ୍ଧୁବର୍ଗ ପୋଷିଛି ରାବଣ ।୩୪।

ମହା ମତ୍ତଗୋଳ ୟେ ଯେ ହରିଲା ଜାନକୀ

ୟେବେ ଭୟେ କରି କବାଟ ପାଡ଼ିଲାକ ଆମ୍ଭର ବଳ ଦେଖି ।୩୫।

ଆମ୍ଭର କରି ଲଂକାକଇଂ ଶ୍ରୀମୁଖେ ଦେବା

ସ୍ୱତୀଂକି ନ ସମର୍ପିଲେ ପଛେ ସମର କରିବା ।୩୬।

ଲକ୍ଷଣର ବଚନେ ରାମ ଚାହିଂଲେ ଜମ୍ବେବର ମୁଖ

ରାବଣକୁ ନିର୍ବାଣି ତୁମ୍ଭେ ଶ୍ରୀମୁଖେ ଲେଖ ।୩୭।

ମହାମନ୍ତ୍ରୀ ଜାମ୍ବେବ ଯେ ଶ୍ରୀମୁଖ ନିର୍ବାଣି

ବଂଶାବଳୀ ଆଦିକରି ଲିହଇ ମନେ ଗୁଣି ।୩୮।

ଶ୍ରୀମୁଖରେ ମତ୍ସମୁଦି ସନ୍ତକ ଯେ ଦିଲେ ରାମଚନ୍ଦ୍ରେ

ଶ୍ରୀମୁଖ ହାଥେ ଘେନି ବିଚାରନ୍ତି ହାଦେ ରଘୁକୁଳ ଇନ୍ଦ୍ରେ ।୩୯।

ଶ୍ରୀମୁଖ ଘେନିଣ କେ ଯିବ ଲଂକାପୁରେ

ତିନିଜଣୁଂ ଚାରିଜଣ ନାହିଂ ଆମ୍ଭ ସଙ୍ଗତରେ ।୪୦।

ହନୁମନ୍ତ ଯାଇତେ ସେ ସାମରଥା ଲଂକା ପୁଣ

ରାବଣ ବୋଲିବ ୟେହି ବଳବନ୍ତା ଅଛଇ ଶ୍ରୀରାମ ଥାଠେଣ ।୪୧।

ୟେହାକୁ ନାଶକଲେ ସରିବ ତାର ଦର୍ପ

ବେଢ଼ିଣ ପ୍ରମାଦ ଯେ ଚିନ୍ତିବ କଉଣୋପ ।୪୨।

ପୁଣିହିଂ କେସନେକ ପେଷିବି ହନୁମନ୍ତ

ସୁଗ୍ରୀବର ଯାଇ ପାରଇ ସେ ହାଦେ ଆମ୍ଭ ମଇତ୍ର ।୪୩।

ସ୍ୱାମୀ ସରିସମ ଦୂତଗଲେ କଳିବନା ରିପୁ

ଥାଠର ମଧ୍ୟରେ ୟେ ସିନା ଅଟଇ ଆଧିପୁ ।୪୪।

ଅଙ୍ଗଦ ବୀର ଯାଇ ତ ପାରଇ ଲଂକାପୁରୀ

ବିଚାରନ୍ତେ ଅଙ୍ଗଦର ତ ଆମ୍ଭେ ପିତୃ ବଇରୀ ।୪୫।

ଯାଇଂଣ ନ ଆସିବ ୟେ ପଶିବ ଅବା ଶତ୍ରୁ ସଙ୍ଗେ

ରିପୁ ଭେଦ ପାଇବନା ସାମରଥ ଅଟଇ ଅଙ୍ଗେ ।୪୬।

କାହାକଇଂ ପେଷିବି ବୋଲିଣ ମନେ ଭାଳି

ଦୂରେ ଥାଇ ଅଙ୍ଗଦ କରଇ ନିଉଛାଳି ।୪୭।

ଭୋ ସ୍ୱାମୀ ମୋହୋରେ ଶ୍ରୀମୁଖ ଦେବାକ ରଘୁପତି

ମୋହୋର ଗଲେ ସର୍ବକାର୍ଯ୍ୟ ହୋଇବ ଯୁଗତି ।୪୮।

ଶ୍ରୀରାମ ବୋଇଲେ ଆମ୍ଭେ ତୋହୋର ଜାଣିଲୁଣି ହିଆ

ପିତୃବଧ ଦୋଷ ନିମନ୍ତେ କଲୁ ତୁ ବିଶ୍ରୋହା ।୪୯।

ଅଙ୍ଗଦ ବୋଇଲା ସ୍ୱାମୀ ନୋହୋଇ ୟେମନ୍ତ

ରାବଣକୁ ଉପୁଗାର ମୁଂ କରିଛି ବହୁତ ।୫୦।

ପିତା ମୋହୋର ତାକୁ ଧରି ଆଣିଥିଲା ପୂର୍ବେ

ସିଂହଦ୍ୱାରେ ବନ୍ଦୀକରି ପକାଇଲା ମତ୍ତଗର୍ବେ ।୫୧।

ସ୍ୱାମୀ ତେର ବରଷ ଯେ ସତାଇଶ ଦିବସ

ଦାସୀମାନଙ୍କ ଅଗ୍ରତେ କରଇ ତାଣ୍ଡବ ନୃତ୍ୟରସ ।୫୨।

ଧାଈ ତିରୀମାନଙ୍କର ସେ ଉତ୍ତିଷ୍ଟ ଅନ୍ନମାନ ଖାଇ

ଶରୀର ରକ୍ଷା କରିଥିଲା ଯେ ଲଂକାସାଇଂ ।୫୩।

ସ୍ୱାମୀ ଦିନେକ ରାଇ ଆଗ୍ୟାଂ ଦିଲେକ ମୋତେ ପିତା

ମୁଣ୍ଡ କାଟିପକା ନେଇ ରାବଣ ଦଇତା ।୫୪।

ପିତାର ଆଗ୍ୟାଂୟେ ମୁଂ କରେ ଧରି ଅସିପତ୍ର

ଦେଖିଲି ଦାସୀଂକ ତୁଲେ କରୁଛି ତାଣ୍ଡେବ ନୃତ୍ୟ ।୫୫।

ମୁହିଂ ବୋଇଲି ଆହେ ରାବଣ ଦଇତା

ଶିର ଛେଦନ ହୋଇବୁ ରେ ସୁମର ତୋ ଇଷ୍ଟ ଦେବତା ।୫୬।

ନିଷତେ ବୋଇଲା ମୋ ଇଷ୍ଟ ଦେବତା ଯେ କିୟେ

ଅଙ୍ଗଦହିଂ ଇଷ୍ଟ ଦେବତା ମୋର ମୋତେ ଜୀବଦାନ ଦିୟେ ।୫୭।

ସ୍ୱାମୀ ଶରଣ ପଶନ୍ତେ ଯେ ମୁହିଂ ଦୟା ତାକୁ କଲି

ଶିର ଚରଣରେ ରଜ୍ଜୁ ଲଗାଇ ଲଂକାକୁ ଫିଙ୍ଗି ଦିଲି ।୫୮।

ୟେହେନ୍ନେକ ଉପୁଗାର ମୁଂ ରାବଣକୁ କରିଅଛି ପୂର୍ବେ

ମୋକେ ଦେଖିଲେ ଭୟ କରିବନା ୟେବେ ।୫୯।

ନିକଳଂକ ଅଙ୍ଗଦ ବଚନେ ତ୍ରିପୁତି ରଘୁନାଥେ

ଶ୍ରୀମୁଖ ଦିଲେ ନେଇଣ ଯୁବରାଜ ହାଥେ ।୬୦।

ଶ୍ରୀମୁଖ ଘେନିଣ ସେ ଅଙ୍ଗଦ ଗଲା ଲଂକା

ସେତୁବନ୍ଧେ ବିଭୀଷଣକଇଂ ଭେଟିଲା ଯାଇଂ ୟେକା ।୬୧।

ଲଂକାର କ୍ଷିଦ୍ର କଥା ଯେ କହିଲା ବିଭୀଷଣ

ଲଂକା ଶିରୀ ଅଛି ବାବୁ ପଞ୍ଚଇ ଠାବେଣ ।୬୨।

ସୁବର୍ଣ୍ଣର ସିଂହବେନି ଭାଞ୍ଜିବୁ ଉତ୍ତର ଦ୍ୱାରେ

କୁମ୍ଭକର୍ଣ୍ଣକଇଂ ଶୁଆଇବୁ ଉତ୍ତରକୁ କରି ଶିରେ ।୬୩।

ମନ୍ଦୋଦରୀ କେଶ ଧରି କରିବୁ ଅଭିମାନ

ବ୍ରହ୍ମାର ନିଆସିଲା ବେତ ତୁ କରିବୁ ଭଗନ ।୬୪।

ରାବଣ ବସିବାର ଯେ ଜଗତୀର ଚାଳ

ତାହା ଘେନିଣ ଆସିବୁ ତୁ ବାଳୀର ଦୁଲାଳ ।୬୫।

ଲଂକାରେ ତୁ ଯେବେ ଯେତେକ କରି ପାରିବୁ ଯୁବରାଜ

ତେବେ ଶ୍ରୀରାମର ତୁ ସେବକ ଆତ୍ମଜ ।୬୬।

କହିଣ ମନ୍ତ୍ରୀବର ବାହୁଡ଼ିଣ ଗଲା

ପ୍ରଥମ ଦ୍ୱାରେ ଯାଇଂ ଅଙ୍ଗଦ ସିଂହ ଦୁଇ ଭଗ୍ନ କଲା ।୬୭।

ଜଗତୀ ଦ୍ୱାର କପାଟ ସହିତରେ ଭାଂଜି

ଲଂକାଗଡେ ଅଙ୍ଗଦ ପଶିଲା ଗଳଗାଜି ।୬୮।

କୁମ୍ଭକର୍ଣ୍ଣ ଦ୍ୱାରେ ଯାଇଂ ପଶିଲା ଧାତିକାରେ

ଦକ୍ଷିଣୁଂ ଉଲୁଟାଇ ଶୁଆଇଲା ଶିରକୁ କରିଣ ଉତ୍ତରେ ।୬୯।

ଅଙ୍ଗଦର ରଡ଼ି ଶୁଣି ଅସୁର ଅବଳା

ପୁରୁଂ ବାହାର ହୋଇ ସେ ଚାହାଂନ୍ତି ଭେଳା ଭେଳା ।୭୦।

ଅନ୍ତପୁରୁଂ ବାହାର ହୋଇ ମନ୍ଦୋଦରୀ ରାଣୀ

ଧାଇଂଣ ଅଙ୍ଗଦ ଆକ୍ରୋଷି ଶିର ଝୁଣି ।୭୧।

ନାରଦେ ବୋଇଲେ ତୁ ଛାଡ଼ ୟେହା କେଶ

ୟେ ତୋହୋର ମାତା ତୁ ୟେହାର ଶିଷ ।୭୨।

ନାରଦ କହିଲେ ଯହୁଂ ପୂର୍ବର କଥା

ମନ୍ଦୋଦରୀ ରାଣୀର ଯେବଣ ବ୍ୟବସ୍ତା ।୭୩।

ଶୁଣିଣ ଅଙ୍ଗଦ ତାର ଛାଡ଼ିଲା କେଶକଇଂ

କ୍ଷେପିଣ ଅଙ୍ଗଦ ରାବଣ ଜଗତୀରେ ବସଇ ।୭୪।

ବହୁତ ଉତ୍ତର ହୋଇଲା ରାବଣ ଅଙ୍ଗଦେ

ବାମକରେ ଶ୍ରୀମୁଖ ଘେନିଲା ରାବଣ ହାଦେ ।୭୫।

ଶ୍ରୀମୁଖ ଘେନିଣ ରାବଣ କହିଲା ମନ୍ଦବୁଦ୍ଧି

ଅଙ୍ଗଦ ବୋଇଲା ତୋର ଶିର ପକାନ୍ତି ଆଜ ଛେଦି ।୭୬।

ସ୍ୱାମୀର ନାହିଂ ମୋହୋର ୟେହେର୍ଣ୍ଣକ ଆଗ୍ୟାଂ

ମୁହିଂ ହୀନଜନ ତାହା କରିପାରଇ କି ଅବଗ୍ୟାଂ ।୭୭।

କହୁଂ କହୁଂ ଉତକର୍ମ ବାଳୀରାଜାର ରାଟ

ରାବଣର ଶିରୁ ଉଛୁଡ଼ି ଆଣିଲା ମଣିମୟେ ମୁକୁଟ ।୭୮।

ସୁବର୍ଣ୍ଣ ଜଗତୀ ଚାଳ ଭାଞ୍ଜିଲା ବାମହାଥେ

ବିକ୍ରମି ଅଇଲା ଦେବ ୟେକ ପାଦଗତେ ।୭୯।

ବାଳୀର ନନ୍ଦନ ଯାଇଂ ସୁବଳୟାରେ ବିଜୟେ

ଶିରଭୂଷା ମୁକୁଟ ଦେଇ ଛାମୁରେ କରଇ ବିନୟେ ।୮୦।

ଦେଖିଣ ସାନନ୍ଦ ଯେ ପରମ ଯୋଗେଶ୍ୱର

ସତ ବଚନ ଶୁଣି ତୁ ମାଗି ଘେନି ବର ।୮୧।

ସତ୍ୟ ବଚନ ଶୁଣି ଅଙ୍ଗଦ କରଯୋଡ଼ି

କ୍ଷମାସାଗର ନାଥ ପ୍ରସନ୍ନେ ଦେବହରି ।୮୨।

ମୁହିଂ ପାମର ତୋତେ କିସ ବର ମାଗିବଇ ମନ ଫୁଟି

ଜାଣି ଅନୁଗ୍ରହ ମୋତେ କରିବା ଶ୍ରୀରାମ ପ୍ରଭୁଗୋଟି ।୮୩।

ଶ୍ରୀରାମ ବୋଇଲେ ଆମ୍ଭେତ ଜାଣିଲୁ ତୋର ହିୟା

ଉଦ୍ଦେଶ୍ୟ ଫେଡ଼ିଣ କହ ଜାଣନ୍ତୁ ସମସ୍ତେ ତାହା ।୮୪।

ଅଙ୍ଗଦ ବୋଇଲା ସ୍ୱାମୀ ସର୍ବଭୂତେ ଯାହାର ବାସ

କି ବର ମାଗିବି ମନେ ଫୁଟି ଜନ ଉଦ୍ଦେଶ ।୮୫।

ମନଜାଣି ବର ମୋତେ ଦେବାକ ରଘୁନାଥେ

ମୁହିଂ ଛାର ପାମର ଯେ ତୋହୋର ଭୃତ୍ୟର ଭୃତ୍ୟେ ।୮୬।

ଅଙ୍ଗଦର ମନ ଯେ ଜାଣିଲେ ଶ୍ରୀହରି

ବୋଇଲେ ତୁ ଯାହା ବାଞ୍ଛାକଲୁ ଆମ୍ଭେ ତୋର ପିଅର ବଇରି ।୮୭।

ତବ ହାଥେ ବଧ ଆମ୍ଭର ଅଛଇ ଯଥାବିଧି

ଯାଆରେ ଅଙ୍ଗଦ ତୋର ମନବାଞ୍ଛା ହୋଉ ସିଦ୍ଧି ।୮୮।

ସମସ୍ତେ ଥମ୍ଭୀଭୂତ ହୋଇଲେ ତାହା ଶୁଣି

ହନୁମନ୍ତ ଉଠିଲା ରାଗେଣ ଶିରଝୁଣି ।୮୯।

ଆରେ ଆରେ ଅଙ୍ଗଦ ତୋହୋର ମୁଣ୍ଡ ପକାଇବି ମୋଡ଼ି

ଶ୍ରୀରାମେ ଧଇଲେ ହନୁମନ୍ତକୁ କୋଳକରି ।୯୦।

ତୁ କିଂପାଇଂ ୟେହାକୁ କୋପକରୁ ହନୁ

ଉଚିତ ବର ମାଗିଲାଟି ବାଳୀ ରାଜାର ତନୁ ।୯୧।

ପୁତ୍ରହୋଇ ଯେବେ ପିତାକୁ କାରଣ ନ କରିବ

ୟେକାବନ ପୁରୁଷ ତାହାର କେବେହେଂ ନ ତରିବ ।୯୨।

ପିତାକୁ କାରଣ ନ କରାଇଟି ଯେବଣ ପୁତ୍ର

ତାହାର ଜୀବନ ନିଷ୍ଫଳ କିସ ଯେ ଜୀବିତ ।୯୩।

ଆରେ ବାବୁ ଅଙ୍ଗଦ ମୁହିଂ ବୋଲଇ ୟେକବାର

ୟେ ଦେହ ଘେନି ଆମ୍ଭେ ସର୍ଗକୁ ଯିବୁଟି ନିକର ।୯୪।

ଦ୍ୱାପର ଯୁଗେ ଆମ୍ଭେ କହ୍ନା ଅବତାରେ

ଜନମ ହୋଇବୁଂଟି ବାସୁଦେବ ଘରେ ।୯୫।

ଅଷ୍ଟମଲ୍ଲ ମୂଳେ କଂସାସୁରକୁ ନିଶୋଧି

ଜରା ନାରକା କାଳଦମନକୁ ବଧି ।୯୬।

ମହାଭାରତ ଯୁଦ୍ଧେ ମୁଂ ସେ ପାଣ୍ଡବେ ପୀରତି

ପୃଥୀ ଭାରାଭର ସମସ୍ତ କରାଇବୁଂ ନିବୃତ୍ତି ।୯୭।

ବହୁତ ସ୍ତିରୀ ରମନ୍ତେଣ କୁଟୁମ୍ବ ବିସ୍ତାର

ଉପାୟେ ସେମାନଂକୁ କରିବି ସଂହାର ।୯୮।

ଦ୍ୱାପର ଅନ୍ତେ କଳିଯୁଗ ପ୍ରବେଶ ହୋଇଲେ

ସିଆଳୀ ଲତାରେ ଆମ୍ଭେ ଶୋଇଥିବୁ ଯମୁନାର କୂଳେ ।୯୯।

ସେ ଲତାର ଉପରେ ଥିବଇଂ ମୁହିଂ ଶୋଇ

ଦ୍ୱାପରେ ଜାତ ହୋଇବୁ ଜରା କିରାତ ରୂପ ହୋଇ ।୧୦୦।

ଅଜର ନାମେଣ ଯେ ୟେକଇ ଶବର

ମନୋହର ବନରେ ଯେ ଆଶ୍ରମ ତାହାର ।୧୦୧।

ସେ ଅଜର ନନ୍ଦନ କିରାତ ଅଜପତି

ଜରାଜ ବୋଲିକରି ତାହାର ସନ୍ତତି ।୧୦୨।

ଜରାଜର ନନ୍ଦନ ବିରାଜ ବନଚର

ତାହାର ନନ୍ଦନ ଯେ ମଧନାମେ ଶବର ।୧୦୩।

ମଧର ନନ୍ଦନ ଯେ କିରାତ ହରିଦାସ

ଜରା ନାମେ ଶବର ଅଟଇ ତାର ଶିଶ ।୧୦୪।

ଜରା ନାମେ ଶବର ତହିଂ ତୁ ହୋଇଥିବୁ

ସେଦିନେ ବନସ୍ତେ ଆମ୍ଭନ୍ତ ନାରାଜ ଘାତ କରିବୁ ।୧୦୫।

ମୁହିଂ ତୋର ପିତାକୁ ଦୋଷେ କଲି ନାଶ

ତୁହି ମୋତେ ଶରାଘାତ କରିବୁ ବାଳୀ ଶିଷ ।୧୦୬।

ଶୁଣ ହୋ ମନୁସୁତ ବଦନ୍ତି ଅଗସ୍ତି

କିରାତ ରୂପେ ଅଙ୍ଗଦ ଦ୍ୱାପର ଯୁଗେ ଉତପତ୍ତି ।୧୦୭।

ମନୋହର ବନ ସେ ଯେ ତାହାର ବାସଇ

ଦଣ୍ଡକାରଣ୍ୟେ ଧଇଲା ମତ୍ତବ୍ୟାଘ୍ର ଯାଇଂ ।୧୦୮।

ବ୍ୟାଘ୍ରକୁ ଘେନିଣ ଅଜପତିର ନାତି

ମତ୍ସ ଦେଶେଣ ପ୍ରବେଶ ହୋଇଲାକ ଝାତି ।୧୦୯।

ଲୁହାର ଲାଗିଅଛି ଯେ ପାଞ୍ଚଗୋଟି ଶିକଳା

ମହାମତ୍ତ ବ୍ୟାଘ୍ର ଯେ ତେଜେଣ ଅନର୍ଗଳା ।୧୧୦।

ତୁଣ୍ଡ ବିସ୍ତାରି ଯେ ବ୍ୟାଘ୍ର ଦେଉଅଛି ଘୋର ରଡ଼ି

ଡାକ ଘାତେଣ ମେରୁଗିରି ପଡ଼ୁଅଛି କି ଝଡ଼ି ।୧୧୧।

ଗହ ଗହ ଶବଦ ବ୍ୟାଘ୍ରର ଘୋର ଡାକେ

ତ୍ରାସେଣ ପଳାଇଲେ ମଚ୍ଛରାଜ୍ୟର ସର୍ବଲୋକେ ।୧୧୨।

ସେ ବ୍ୟାଘ୍ରକଇଂ ଆକ୍ରୋଷି ଧରିଅଛି ବୀର ବଳେ

କିରାତ ଆସି ପ୍ରବେଶ ହୋଇଲା ବିରାଟ ଆସ୍ତାନର ତଳେ ।୧୧୩।

ବିରାଟ ବୋଇଲା କିରାତ ରେ ଜୀବନ ତୋର ଧନି ଧନି

କେମନ୍ତେ ୟେଡେ ମତ୍ତ ବ୍ୟାଘ୍ରକୁ ଅଇଲୁ ତୁହି ଘେନି ।୧୧୪।

ୟେହାର ବୀର୍ଯ୍ୟେ ଉପୁଜନ୍ତା ଯେତେକ ସନ୍ତତି

ଅପାର ଜୀବଜନ୍ତୁ ମାରିଣ ଭକ୍ଷନ୍ତା ସବୁନ୍ତି ।୧୧୫।

ତୁହି ରକ୍ଷାକଲୁ ବ୍ୟାଘ୍ର ମହାଭୟେ

ଲକ୍ଷେକ ମାଢ଼ ସୁବର୍ଣ୍ଣ ଦିଲା ମତ୍ସରାୟେ ।୧୧୬।

ଆହୋ କିରାତ ପ୍ରଥମେ ସେ ମତ୍ତଗଜେକ ଦିଲୁ ଆଣି ବାନ୍ଧି

ପଞ୍ଚଦଶ ମାସ ହୋଇଲା ମୁଂ ନୁଆରିଲି ସାଧି ।୧୧୭।

ବିରାଟର ବଚନ ଶୁଣି ବୋଇଲା ବୀର ଜରା

କୀଞ୍ଚକର ହାଥେ ତୁ ହୋ ମତ୍ତବ୍ୟାଘ୍ରକୁ ମରା ।୧୧୮।

କେହୁଣସି ମତେ ବଧ ନୋହିଲେ ୟେ ମହାବଳୀ

ସହସ୍ରେକ ଜଣ ୟେକାଘାନ୍ତିକେ ପାରଇ ସେ ଗିଳି ।୧୧୯।

ବିରାଟ ବୋଇଲା ମୋ ରାଜ୍ୟେ କୀଞ୍ଚେକ ସେନାପତି

ତାହାର ବାହୁବଳେ ଯେ ମୋହୋର ୟେ ସଂପଦ ବିଭୂତି ।୧୨୦।

ଆହୋ ଶବର ନଖଦନ୍ତେ ବିଷ ଯାର ଅନୁବ୍ରତେ

ମୁହିଂ ତାର ତହିଂକି କୀଞ୍ଚେକକୁ ପେଷିବି କେମନ୍ତେ ।୧୨୧।

ନିଅ ଯା ବ୍ୟାଘ୍ର ତୁହି ଆନ ଦେଶେ ନେଇ ମରା

ରାଜ୍ୟକୁ ତୋର ଲାଜ ହେଉଅଛିଟି ବୋଇଲା କିରାତ ଜାରା ।୧୨୨।

ଯଦ୍ୟପି ବ୍ୟାଘ୍ର ମୁଂ ଘେନିଯିବି ୟେଥୁଂ

ୟେହା ନେଇ ସମର୍ପିବି ତୋର ବଇରି ତ୍ରିଗତକୁ ।୧୨୩।

ୟେ ବ୍ୟାଘ୍ରକୁ ଘେନିଣ ଯେବେ ବାହିବ ତ୍ରିଗତ

ତେତେବେଳେ ବିରାଟ ତୁ କରିବୁ କେମନ୍ତ ।୧୨୪।

କୋନ୍ତେ ବୋଇଲେ ରାଜା ଯେବେ ଅଛି ତୋ ବଇରି

ଉପାୟେ କରିଣ ରାଜା ପକାଅ ୟେହାକଇଂ ମାରି ।୧୨୫।

ବିରାଟ ବୋଇଲା ଯାଚକେଶ୍ୱର ମନ୍ତ୍ରୀ ଆଗେ

ମେଲାଇ ଘେନିଆସ ହୋ ମହାମତ୍ତ ନାଗେ ।୧୨୬।

ରାଜାର ବଚନେ ସେ ବୋଇଲେ କୋନ୍ତଭଟ୍ଟେ

ଦୁଷ୍ଟ ହାଥୀ ଗୋଟାୟେ ଥିଲେ ମେଲ ହୋ ତାର ଥାଠେ ।୧୨୭।

ବିରାଟ ବୋଇଲେ ମୋର କୀଚେକ ପ୍ରସାଦେ

ବେନିରାଜ୍ୟ ଭୋଗ ମୁହିଂ କରଇ ଅପ୍ରମାଦେ ।୧୨୮।

ଆଣ ମତ୍ତହାଥୀ ବ୍ୟାଘ୍ର ତୁଲେ ଯୁଦ୍ଧ ହୋଉ

ଗଜ ବ୍ୟାଘ୍ରକୁ ମାରୁ କି ବ୍ୟାଘ୍ର ଗଜକୁ ଖାଉ ।୧୨୯।

ମତ୍ସପତି ବଚନ ସେ ନିରାଧାର ବୋଲି

ସହସ୍ର ବେଣ୍ଟକାର ଆସି ହାଥୀକି ଦିଲେ ମେଲି ।୧୩୦।

ଗଜ ଆସନ୍ତେଣ କମ୍ପଇ ମେଦିନୀ

ଆସ୍ତାନର ତଳେ ଗଜକୁ କଲେ ଆଣି ।୧୩୧।

କଟକ ରାଜାଦଣ୍ଡେ ଯେ ମହତ ବୃକ୍ଷ ଥିଲା

ଦୃଭାର ଗଜ ତାହା ଭାଞ୍ଜି ଚୂନାକଲା ।୧୩୨।

ବିରାଟ ବୋଇଲା ଶବର ହୋ ତୋର ବ୍ୟାଘ୍ରକଇଂ ମେଲ

କରୁ ସେ ସମର ଯେ ମତ୍ତହାଥୀର ତୁଲ ।୧୩୩।

ଜାରା ଶବର ବୋଇଲା ରାଜା ନାହିଂ ମୋହୋର ଦୋଷ

ୟେଗଜ ଦେଇ ତୋହୋର ତହୁଂ ନେଲି ଅନେକ ରତ୍ନକୋଷ ।୧୩୪।

ବିରାଟ ବୋଇଲା ତୁ ୟେମନ୍ତ ନ ବୋଲଟି ଜାରା

ଗଜ ଯୁଦ୍ଧକରି ୟେ ବ୍ୟାଘ୍ରକଇଂ ବେଗେ ମରା ।୧୩୫।

ରାଜାର ବଚନେ ସେ କୋପେଣ ବେଣ୍ଟକାର

ଗଜକଇଂ ଦେଖାଇଣ ସେ ମେଲିଲାକ ବ୍ୟାଘ୍ରବର ।୧୩୬।

ଗଜ କଣ୍ଠ ଗର୍ଜନ ବ୍ୟାଘ୍ର ଘୋର ବୋବି

ପଳାଇଲେ ବନଜନ୍ତୁ କମ୍ପଇ ମହୀଦେବୀ ।୧୩୭।

ବେନି ପଡ଼ିତାଳ ହୋଇଲେ ବିକ୍ରାନ୍ତେ

ଆକାଶେ କଂପିଲେ ଯେ ଦିଗପାଳ ସମସ୍ତେ ।୧୩୮।

ସମରାଜ୍ୟ ଲୋକେ ଭୟେଣ ମହାତ୍ରାସି

ଦ୍ୱାରନ୍ତ ପାଡ଼ିଣ ବାଳୁତ ପ୍ରାୟେ ଭିତରେ ଯାଇ ପଶି ।୧୩୯।

ଗିରିବର ସମାନେ ଯେବଣ ମତ୍ତହାଥୀ

ମହାଭୟେ କଲା ଦେଖିଣ ବ୍ୟାଘ୍ର ମୃତ୍ତି ।୧୪୦।

ହାମ୍ପୋଡ଼ି ନାଦକରି ସେ ଧାଇଂଲା ମହାଦୁଷ୍ଟ

ଗଜ କୁମ୍ଭସ୍ଥଳେ ବସିଲା ମହାଆଣ୍ଟ ।୧୪୧।

ତିନି କାଠି ଆୟତନ ଯେବଣ ଗଜର ମୁଣ୍ଡ

ଆକ୍ରୋଷିଣ ବ୍ୟାଘ୍ରବର ଘୋଟିଲା ତାହାର ତେଡ଼େ ତୁଣ୍ଡ ।୧୪୨।

ତମ୍ବାଚକ୍ର ପ୍ରାୟେକ ବ୍ୟାଘ୍ରର ବେନି ଦୃଷ୍ଟି

ଘୋର ନାଦକରି ଚାପିଲା ବେନିପାଟି ।୧୪୩।

ବ୍ୟାଘ୍ର ଆକ୍ରୋଶନ୍ତେ ଭାଞ୍ଜଇ ଗଜର ମୃଦ୍ଧନା

ଅସ୍ଥି ଚର୍ମ ସହିତେ ହୋଇଲା ସର୍ବ ଚୂନା ।୧୪୪।

ପଡ଼ିଲା ମହାଗଜ ନିଚେଷ୍ଟ ଉତ୍ତାନଶାୟୀ ହୋଇ

ପୁଣ ଉଦର ବିଦାରିଲା ଦଶନ ହଲାଇ ।୧୪୫।

ବେନିଫାଳ ହୋଇଣ ଯେ ପଡ଼ିଲା ମତ୍ତଗଜ

ରୁଧିର ଆପ୍ୟାନ ସେ କରଇ ମହାତେଜ ।୧୪୬।

ଗଜର ଗର୍ଭରେ ଯେ ପୁରୁଷେକ ଥିଲା

ଶ୍ରୀଯୁଝେଷ୍ଠିଂକ ଦ୍ରଶନେ ସେ ସ୍ୱର୍ଗକଇଂ ଗଲା ।୧୪୭।

ମନୁ ପୁଚ୍ଛାକଲେ ଅଗସ୍ତି ମହାପ୍ରଭୁ

ସେ ବ୍ୟାଘ୍ର ଯେ ଗଜକୁ ବଧକଲା ସେ ଅଟଇ ପୂର୍ବେ କେହୁ ।୧୪୮।

ଅଗସ୍ତି ବୋଇଲେ ହୋ ଶୁଣିମା ଚଇତନ

ବିଶ୍ୱାବସୁ ବୋଲି ଗନ୍ଧର୍ବ ବିଦ୍ୟମାନ ।୧୪୯।

ୟେକଦିନେ ବ୍ରହ୍ମା ଯେ ତର୍ପଣ କରୁଥିଲେ

ବିଶ୍ୱାବସୁ ଗନ୍ଧର୍ବ ଯାଇଣ ଦେଖିଲେ ।୧୫୦।

ମୂର୍ଖପଣ କରି ସେ ଜଳରେ ଉଭାହୋଇ

କୋପଭରେ ବ୍ରହ୍ମା ଯେ ଦେଖିଲେ ତାକୁ ତହିଂ ।୧୫୧।

ବୋଇଲେ ପାମର ରେ ଆଗରେ ଉଭାହେଲୁ

ତର୍ପଣର ବେଳେ ମନ ବିଚଳିତ କଲୁ ।୧୫୨।

ଯାଅସି ଗନ୍ଧର୍ବ ରେ ମଞ୍ଚରେ ହୋଅ ଜାତ

ଗଜମୂର୍ଖ ବୋଲି ତୋତେ ବୋଲନ୍ତୁ ଜଗତ ।୧୫୩।

ତାହା ଶୁଣି ବିଶ୍ୱାବସୁ ଯେ ଚରଣେ ପଡ଼ିଲା

ଶାପକୁ ମୁକତ ମୋତେ କହସି ବୋଇଲା ।୧୫୪।

ଧାତା ବୋଇଲେ ତୁ ବିରାଟ ଘରେ ଥିବୁ

ଯୁଝେଷ୍ଠିଂକି ଦେଖିଣ ତୁ ମୁକତ ହୋଇଣ ଆସିବୁ ।୧୫୫।

ୟେତେବୋଲି ଧାତା ଯେ ଗଲେ ନିଜପୁର

ବିଶ୍ୱାବସୁ ଗନ୍ଧର୍ବ ଜନ୍ମ ହୋଇଲା ପୃଥୀର ।୧୫୬।

ଗଜମୂର୍ଖ ହୋଇଣ ବନସ୍ତେ ବୁଲୁଥିଲା

ସେ ଗଜକୁ ଆଣି କିରାତ ବିରାଟକୁ ଦିଲା ।୧୫୭।

ତାର ସଙ୍ଗେ ଯୁଦ୍ଧକଲା ମତ୍ତବ୍ୟାଘ୍ର

ଯୁଝେଷ୍ଠି ଦେଖି ଗଜ ହୋଇଲା ପ୍ରାଣତ୍ୟାଗ ।୧୫୮।

ବଇବସୁତ ମନୁ ପଚାରିଲେ ତପୋବନ୍ତେ

ବ୍ୟାଘ୍ରକୁ ଘେନି କିରାତ କଲାଟି କେମନ୍ତେ ।୧୫୯।

ଚଇତନ୍ୟ ପୁଚ୍ଛାକଲେ ଶୁଣିମାକ ପୁରୁଷ

ବ୍ୟାଘ୍ରର ମହିଂମା ଯେ ଅତୀୟ ସାହସ ।୧୬୦।

ମନୁ ବୋଇଲେ ହୋ ଶୁଣ ଚଇତନ

ଦେଖିଣ ବିରାଟ ତହୁଂ ହୋଇଲା ଭୟେ ମନ ।୧୬୧।

ୟେଡେବଡ଼ ମତ୍ତହାଥୀ ପ୍ରାଣତ୍ୟାଜ ହୋଇଲା

କାହାର ହାଥେ ବ୍ୟାଘ୍ରକୁ ମରାଇବି ବୋଇଲା ।୧୬୨।

ଯାଅ ଯାଅ ବ୍ୟାଘ୍ରକୁ ଘେନିଣ ବେଣ୍ଟକାର

କିରାତ ବୋଇଲା କୀଞ୍ଚେକକଇଂ ଆଣ ନୃପବର ।୧୬୩।

ଶତସିଂଘେ ବଳ ପ୍ରାକର୍ମ ଯାହାର

ବ୍ୟାଘ୍ର ମାତ୍ର ତାକୁ ଅଟେ କିସ ଛାର ।୧୬୪।

କିରାତ ବୋଇଲା ଦଶ ପାଦାନ୍ତିର ବଳ ୟେକଇ ବଇଲ

ଦଶ ବଇଲର ବଳ ୟେକା ଷଣ୍ଢ ମହାବଳ ।୧୬୫।

ଦଶଷଣ୍ଢର ବଳ ୟେକା ବଳୟା ଜୀବ ବୋଲି

ଦଶ ବଳୟାର ୟେକ ଗଣ୍ଡାବଳ ବୋଲି ।୧୬୬।

ଦଶଗଣ୍ଡାର ପରାକ୍ରମ ୟେକଇ ଶଅମ୍ବର

ଦଶ ଶଅମ୍ବର ବଳ ୟେକଇ ଗୟଳର ।୧୬୭।

ଦଶ ଗୟଳ ପ୍ରାକର୍ମ ୟେକଇ ବାହୁଟିଆ

ଧାଉଡ଼ିଆ ଜନ୍ତୁ ଯେ ନ ପାଇ ୟାଂକ ହିଆ ।୧୬୮।

ଦଶ ବାହୁଟିଆ ପରାକ୍ରମ ୟେକଇ ବ୍ୟାଘ୍ରର

କେଶରୀ ଅଂଶେ ଜାତ ଅଟଇ ୟେହାର ।୧୬୯।

ଦଶ ବ୍ୟାଘ୍ରର ପରାକ୍ରମ ୟେକଇ ଭାଲୁକ

ଦଶ ଭାଲୁକର ପରାକ୍ରମ ୟେକଇ ଯେ ଜୀବକୋକ ।୧୭୦।

ଦଶକୋକର ପରାକ୍ରମ ଶାର୍ଦ୍ଦୁଳ ଜୀବ ଜାତ

ୟେହି କେଶରୀ ଅଂଶେ ଯେ ଅଟଇ ଯୁଗତ ।୧୭୧।

ଦଶଶାର୍ଦ୍ଦୁଳ ପରାକ୍ରମ ଅଟଇ ୟେକ ହାଥୀ

ଦଶହାଥୀର ସିଂଘ ପରାକ୍ରମ ଅଟଇ ମତ୍ତଗଜର ଯୁଗତି ।୧୭୨।

ଦଶ ମତ୍ତହାଥୀର ପ୍ରାକର୍ମ ୟେକଇ ସିଂଘ ବୋଲି

ୟେମନ୍ତେ ଶତ ସିଂଘର ପରାକ୍ରମ ତୋର କୀଞ୍ଚେକର ଶୁଣିଲି ।୧୭୩।

ୟେହେନେକ ପ୍ରାକର୍ମ ତୋର କୀଞ୍ଚେକ

ବ୍ୟାଘ୍ର ଛାର ପ୍ରାକର୍ମ ଅଟଇ କେତେ ମାତ୍ରକ ।୧୭୪।

ଯଦ୍ୟପି ନ ମରାଇବୁ କୀଞ୍ଜେକର ହାଥେ

ୟେହିଠାରେ ମେଲିବି କହିଲଇଂ ହାଦେ ତୋତେ ।୧୭୫।

ରାଜ୍ୟର ଲୋକେ ଯେ ତ୍ରାସିଲେ ତାହା ଶୁଣି

ମେଲିବା ମାତ୍ରେକ ଜନ ଭକ୍ଷିବ ୟେହିକ୍ଷଣି ।୧୭୬।

ରାଜ୍ୟର ବଇକୁଲ ଦେଖିଲେ ବିରାଟେ

ମଉନବ୍ରତ ହୋଇ କିମ୍ପେ ବସିଲ ହୋ କୋନ୍ତଭଟ୍ଟେ ।୧୭୭।

କ୍ରୋନ୍ତେ ବୋଇଲେ ତୁ ଶୁଣ ହୋ ବେଣ୍ଟକାର

କୀଞ୍ଚେକର ହାଥେ ବ୍ୟାଘ୍ର କି ହୋଇବ ଅପହାର ।୧୭୮।

ଆନ ହାଥେ ମରାଇଲେ ହୋଇବଟିକି ସାଧ୍ୟ

କିରାତ ବୋଇଲେ ଯେହ୍ନେ କରିପାରୁ ବଧ୍ୟ ।୧୭୯।

ବନ କନ୍ଦର ଜୀବଜନ୍ତୁ ନ ବ୍ରତିଲେ ୟେହାର ଘାୟେ

କୀଞ୍ଚେକ ପରା କ୍ଷତ୍ରୀ ଥାଉଂ ରାଜ୍ୟକୁ କିଂକେ କରୁ ଭୟେ ।୧୮୦।

ଋଷି ବିପ୍ର ତପୋଧନ ରହି ନୁଆରନ୍ତି ବନ

ତୁ ଯେ ଦଣ୍ଡଧାରୀ ନିବର୍ତ୍ତାଇବୁ ନା ଅରଷ୍ଟିମାନ ।୧୮୧।

ଯଦ୍ୟପି ୟେ ବ୍ୟାଘ୍ର ବନ୍ଧନେ ନ ମରିବ

ରାଜ୍ୟକଇଂ ବୋଲଣା ତୋର ପରରାଷ୍ଟେ କଳଣା ପଡ଼ିବ ।୧୮୨।

କୀଞ୍ଚେକ ପରାକ୍ରମ ସହିତେ ତୋର ପ୍ରାକର୍ମ ହୋଇ ଦୂଷି

ବିରାଟ ବୋଇଲେ କୋନ୍ତେ ଅଷ୍ଟ ଅବଧାନେ ସ୍ୱୟେଂ ୟେହାକଇଂ ନାଶି ।୧୮୩।

କୋନ୍ତେ ବୋଇଲେ ହୋ ଶୁଣିମା ମତ୍ସପତି

କଥାୟେ କହିବି ବିଚାରକୁ ମିଳଇ ଯୁଗତି ।୧୮୪।

ଆହୋ ଯାଚକେଶ୍ୱର ମନ୍ତ୍ରୀ ସେ ବଲ୍ଲଭ ବ୍ରାହ୍ମଣ

ଆସ୍ତାନର ତଳେ ବୋଇଲା ମୁଂ ଜାଣଇ ମାଲ ବିନ୍ଧାଣ ।୧୮୫।

ତାହାକଇଂ ହକରାଇ ଆଣିମାକ ମହାରାୟେ

ଯେମନ୍ତେ ବ୍ୟାଘ୍ରକୁ ମରାଇବା କଉତୁକ ପ୍ରାୟେ ।୧୮୬।

ବ୍ୟାଘ୍ର ମଲେହେଂ ଯୋଗାଇ ବ୍ରାହ୍ମଣ ମଲେ ହେଂ ଯୋଗାଇଲା

ପରଦେଶୀ ବ୍ରାହ୍ଣଣ କିଂପେ ପ୍ରତଗ୍ୟାହିଂ କଲା ।୧୮୭।

ଶୁଣିଣ ଥମ୍ଭୀଭୂତ ହୋଇଲା ମତ୍ସଇନ୍ଦ୍ର ନରେନ୍ଦ୍ର

ବୋଇଲା କୋନ୍ତେ ଜାଣିଲି ତୁମ୍ଭେ ଅଟ ବଡ଼ମନ୍ଦ ।୧୮୮।

ବ୍ୟାଘ୍ରର ତୁଲେ ଅବା କାହିଂ ମନୁଷ୍ୟର ସମର

କିସ ଦ୍ରୋହକଲା ତୁମ୍ଭଂକୁ ସେ ବଲ୍ଲଭ ସୂପକାର ।୧୮୯।

ମନ୍ତ୍ରୀ ବୋଇଲା ଦେଖି ଆଣିମାକ ରାଇ

କିସ ପ୍ରତିଉତ୍ତର ବୁଝିବାନା ତାହି ।୧୯୦।

ବିରାଟ ବୋଇଲା ହକରାଅ ଚାରଗଣ

ବଲ୍ଲଭ ସୂପକାରକୁ ହକାରିଣ ବେଗେ ଆଣ ।୧୯୧।

ରାଜାର ଆଗ୍ୟାଂରେ ସେ ଚଳିଲେ ବେଗେ ଦୂତେ

ରୋଷୁଅ ଶାଳ ସନ୍ନିଧ୍ୟେ ମିଳିଲେକ ତୁରିତେ ।୧୯୨।

ବିଜୟେ ବ୍ରିକୋଦର ରାନ୍ଧଣା ବିଧାନେ

ଦ୍ୱାରେ ଥାଇଂ ହାକ ଦ୍ୟନ୍ତି ରାଜା ଦୂତମାନେ ।୧୯୩।

ଗୋସାଇଂ ବଲ୍ଲଭ ବୋଲିଣ ଉଚ୍ଚେଣ ଡାକଦେଇ

ରାନ୍ଧଣାର ଝଗଡ଼େ କିଛିହିଂ ନ ଶୁଣଇ ।୧୯୪।

ଗଜକଇଂ ମାଡ଼ି ଯେହ୍ନେ ସିଂହ ଆକ୍ରୋଶଇ

ଅଗ୍ନିକି ବ୍ରିକୋଦର ତେହେନେକ ପ୍ରାୟେ ଦିଶଇ ।୧୯୫।

ଚାରଗଣଂକର ବଚନ ଯେ ନ ଶୁଣଇ ଭୀମସେନ

ପୁଣ ପୁଣ ଚାରଗଣେ ଡାକି ପାଆନ୍ତି ବଡ଼ଶ୍ରମ ।୧୯୬।

କାଳଚକ୍ର ପ୍ରାୟେ ବୁଲାଇ ବେନିଡୋଳ

କିୟେଟିରେ ବୋଲି ଚାହିଂଲା ମହାବଳ ।୧୯୭।

କମ୍ପମାନ ହୋଇଣ ଯେ କହନ୍ତି ଡଗରେ

ସ୍ୱାମୀ ଠାକୁରଂକ ଆଗ୍ୟାଂୟେ ଆସିବ ସୂପକାରେ ।୧୯୮।

ଆକ୍ରେଷିଣ ନୟନରେ ଚାହିଂଲା କଟାକ୍ଷି

କାହାର ମୁଂ ବଶ୍ୟରେ ଠାକୁର ମୋ କେ ଅଛି ।୧୯୯।

ସ୍ୱାମୀ ବିରାଟ ଠାକୁରଂକ ତୋତେ ଯିବାକଇଂ ଆଗ୍ୟାଂ

ନ ଯାଇଂ ନ ଯାଇଂ ବୋଲି କଲାକ ଅବଗ୍ୟାଂ ।୨୦୦।

ବାହୁଡ଼ି ଆସ୍ତାନେ ଯେ କହିଲେ ଡଗରେ

ବଲ୍ଲଭ ବୋଇଲା ମୋହୋ ଉପରେ କେ ଅଛିରେ ଠାକୁରେ ।୨୦୧।

ଶୁଣିଣ ବିସରନ୍ତି ଦେବ ଧର୍ମସୁତେ

ମୁହିଂତ ଅଗ୍ୟାଂତେ ବଞ୍ଚି ନୁଆରିବି କଦାଶ୍ଚିତେ ।୨୦୨।

ଅନୁବ୍ରତେ ମୂର୍ଖପଣ ଯାହାର ଅଟେ ପ୍ରକୃତି

ବିରାଟଇ ଛାରକରି ବୋଇଲା ଅନୀତି ।୨୦୩।

ଭୋ ଜଗମୋହନ ପ୍ରତିକାର କର ମୋତେ

ତୁହି ସେ ସକଳ ଦୁର୍ଗତିରୁ ଉଦ୍ଧରନ୍ତା ଜଗନ୍ନାଥେ ।୨୦୪।

ବିରାଟ ବୋଇଲା କୋନ୍ତେ କି ପାଇଲ ଅଭିମାନ

ତୁମ୍ଭେତ ବିସରିଣ ହୋଇଲ ମଉନ ।୨୦୫।

କୋନ୍ତେ ବୋଇଲେ ହୋ ନ ଯୋଗାଇ ୟେହେର୍ଣ୍ଣେକ କଥା

ଗୁରୁ ଜ୍ୟେଷ୍ଠ ସ୍ୱାମୀ ଆଦି ହେଲେ ଉପଗତା ।୨୦୬।

ଆତ୍ମା ବଡ଼ିମାପଣ ପ୍ରଶଂସା ଯେହୁ କହି

ଆମ୍ଭର ବେଳେ ହୋ ଯେ ନୁଆରୁ ୟେହା ସହି ।୨୦୭।

ବିରାଟ ବୋଇଲା କୋନ୍ତେ ଅର୍ଥକୁ ଗଉରୋବେ କରି ପୂଜା

ମୋହୋର ରାଜ୍ୟେ ତୁମ୍ଭେ ଠାକୁର ଅଟ ଦୁଜା ।୨୦୮।

ଚାରଗଣେ ବୋଇଲେ ଦେବ ସେ ବଡ଼ାଇ ଅସଂଖ୍ୟ

ବ୍ରାହ୍ମଣ ଚରିତ ନାହିଂନା ତ୍ରଇଲୋକ ।୨୦୯।

ଭାଣ୍ଡେକ ରାନ୍ଧଇ ସେ ଯୋଗାଡ଼େକ ଚୂଲୀରେଣ ଭରି

ଆରେକ ଯୋଗାଡ଼ ଦେବ ଯେ ସୂର୍ଯ୍ୟପାକ କରି ।୨୧୦।

ବିରାଟ ବୋଇଲା ୟେ ବଡ଼ ଦୁଲଭ ଚରିତ

ୟେକା ବ୍ରାହ୍ଣଣକେ ମୋର ସମସ୍ତ ବଳ ସୁସ୍ଥ ।୨୧୧।

ଯେ ଯେତେ ଭୋଜନ କରନ୍ତି ମନଇଚ୍ଛା

ମନ ଜାଣି ବ୍ରାହ୍ମଣ ତାଂକର ପୂରୋଇ ମନବାଞ୍ଛା ।୨୧୨।

ଗଉରୀ ଶଉରୀ ନଳବିଧି ତିନିପ୍ରତି

ମଧ୍ୟସ୍ୱର୍ଗ ଭୁବନକୁ ୟେ ଅଟଇ ଅସକ୍ୟ କୃତି ।୨୧୩।

ନୋହୋଇ ନୋହୋଇ କୋନ୍ତେ ନୋହୋର ବେଲେ ତାକୁ ପେଷି

ଗୁଣବନ୍ତ ଲୋକକୁ କେହ୍ନେ ଅଦଭୁତେ ନାଶି ।୨୧୪।

ଅଶକତ ଲୋକ ସେ ସ୍ୱାମୀ ଆଗ୍ୟାଂୟେ ବ୍ରତୀ

ଗୁଣବନ୍ତ ସମର୍ଥ ଲୋକଂକର କାହାକଇଂ ଭୀତି ।୨୧୫।

ମୋହୋର ମନରେ ତାକୁ ତ ଭରଷା କିଛି ନାହିଂ

ତୁମ୍ଭେ ଯେବେ ପାର ତାକୁ ଆଣ ହକରାଇ ।୨୧୬।

କୋନ୍ତେ ବୋଇେଲ ରେ ବେଗେ ଯାଅ ଚାରଗଣ

ଆମ୍ଭର ବୋଇଲା ବୋଲି ବଲ୍ଲଭକୁ ହକରାଇ ଆଣ ।୨୧୭।

କୋନ୍ତଂକର ଆଗ୍ୟାଂୟେ ଚଳିଲେ ଯେ ଦୂତେ

ରୋଷୁଅଶାଳେ ଯାଇଂ ମିଳିଲେ ତୁରିତେ ।୨୧୮।

ଭୋ ବଲ୍ଲଭ ବିରାଟଂକ ଆଗ୍ୟାଂ କଲୁ ତୁ ଅବଗ୍ୟାଂ

ୟେହିକ୍ଷଣି ଯିବ ତୁମ୍ଭେ କୋନ୍ତ ଭଟ୍ଟଂକର ଆଗ୍ୟାଂ ।୨୧୯।

ରାନ୍ଧଣା ବିଧାନମାନ ଛାଡ଼ିଣ ମାରୁତି

ବୋଇଲା ଅଗ୍ୟାଂତବାସ କି ସରିଲା ଦିବାରାତି ।୨୨୦।

କି ଅବା ମାନଗୋବିନ୍ଦ ଥାଠ ପଲାଣିଲା

କି ଅବା ବିରାଟକୁ ପ୍ରମାଦ ପଡ଼ିଲା ।୨୨୧।

ରୋଷୁଅଶାଳୁଂ ଶରୀରେ ଲାଗିଅଛି କଳା

କଣୟ ପର୍ବତେ ଯେହ୍ନେ ଜଳଧର ମେଘମାଳା ।୨୨୨।

ଖାଂକର କେଶ ଯେ ଲମ୍ବିତ ଜୁଡ଼ାଗୋଟି

ଚନ୍ଦନର ଚିତା ଯେ ଦ୍ୱାଦଶ ସ୍ତାନେ ଫୁଟି ।୨୨୩।

ତ୍ରିକଚ୍ଛ ବସନ ଯେ କଳା ଶରୀରରେ ଜଡ଼ି

କାନ୍ଧେଣ ପବିତ୍ରା ଯେ କୃଷ୍ଣାଜିନ ଉତୁରୀ ।୨୨୪।

ଖେଳନ୍ତା ସିଂଘ ଜାଣି ଚଳଇ ଅବନୀ ତଳ

ବ୍ରିକୋଦର ପ୍ରବେଶ ଯାଇ ବିରାଟ ଆସ୍ତାନର ତଳ ।୨୨୫।

ଯୁଝେଷ୍ଠି ଅବଲୋକନ ଭୀମସେନ ସୂପକାରକଇଂ ଦେଖି

ମନେ ବିଚାରି ଧର୍ମସୁତେ ବୁଜିଲେ ବେନିଆଖି ।୨୨୬।

ଆଧାର ପୁଷ୍ଟେ ଯେହ୍ନେ ନେଉଅଛି ଦିନ

ବିସ୍ତାର ଆକ୍ରଷଣ ନୋହିଲା ତନୁ ଖୀନ ।୨୨୭।

ଭୋ ଦଇବ ପୁରୁଷ ତୋହୋରେ ୟେଡ଼େ କୃତ୍ୟକଲା

ଯେବଣ ବିରାଟ ଦେଖିତ କ୍ଷମ ନୋହିଲା ।୨୨୮।

ରାଜୁସୀ ଯାଗରେ ୟେହାକଇଂ ନେଲୁ ଗଳଥି

ଆସ୍ତାନର ତଳେ ଯେ ଦିଲୁ ୟେହାକୁ ଶାସ୍ତି ।୨୨୯।

ୟେହେର୍ଣ୍ଣେକ କରି ଆମ୍ଭଂକୁ ବିହିଲା ଦଇବେ

ବିରାଟ ସଭାତଳେ ଉଭା ହୋଇଲୁ ଆସି ୟେବେ ।୨୩୦।

ମୋହୋର କଲା କୃତ୍ୟ ମୁଂ କାହାକୁ ଦୋଷ ଦେବି

ମୁଂ କେମନ୍ତେ ୟେ ଅବସ୍ତା ତୋହୋର ଦେଖିବି ।୨୩୧।

ବିରାଟ ବୋଇଲା ୟେ ଗୁଣବନ୍ତ ବ୍ରାହ୍ମଣଗୋଟି

କେଉଂଣ ଦୋଷେ ୟେହାକୁ ପାତିଲ ତୁମ୍ଭେ ଛଟି ।୨୩୨।

କୋନ୍ତେ ବୋଇଲେ ୟେ ସୂପକାର ନ ଥିଲେ

ତୋହୋର ରାଜ୍ୟେ କି ଲୋକ ଉପବାସେ ଥିଲେ ।୨୩୩।

ବିରାଟର କତିକି ଅଙ୍ଗସାର ଦେଇ

ପ୍ରଣପତ୍ୟ ବଲ୍ଲବ କୋନ୍ତଂକର ମୁଖ ଚାହିଂ ।୨୩୪।

ବିରାଟ ବୋଇଲେ ଉଠ ଉଠ ଦ୍ୱିଜବର

ରାଜାର ବଚନେ କିଂପେ ଉଠିବ ସୂପକାର ।୨୩୫।

କୋନ୍ତେ ବୋଇଲେ ସେ ଆମ୍ଭର ଆଗ୍ୟାଂ ନ ପାଇଲେ

ସେ କିଂପେ ଉଠିବ ବିରାଟର ବୋଲେ ।୨୩୬।

କୋନ୍ତେ ବୋଇଲେ ହୋ ଠାକୁରଂକର ଆଗ୍ୟାଂ ହୋଇଲା ତୋତେ

ଉଠି କହୁ କିନା ବ୍ରାହ୍ମଣ ପ୍ରଳମ୍ବ କରୁ କେତେ ।୨୩୭।

ସ୍ୱାମୀର ବଚନ ଶୁଣି ଉଠିଲା ପାବେନି

ଯୁଝେଷ୍ଠିଂକ ମୁଖ ଚାହିଂ ଶିରେଣ କର ବେନି ।୨୩୮।

ବିନୟ ଭାବ ହୋଇ ବେନିକର ତୋଳି

ପାକ ସଞ୍ଚନ ବେଳେ ଅଇଲି ମୁହିଂ ଚଳି ।୨୩୯।

କେବଣ ଆଗ୍ୟାଂଟି ସ୍ୱାମୀ ମୋତେ ବଚନ କହିବା

ଅନମିତେ ସାଧ୍ୟ ମୋହୋର ଘେନ ସେବା ।୨୪୦।

ଶୁଣ ହୋ ବଲ୍ଲବ ବଦୟନ୍ତି ବିରାଟେ

କି ବୁଦ୍ଧି କରିବାକ ମୋତେ ପଡ଼ିଲା ପରରାଷ୍ଟେ ।୨୪୧।

ବଲ୍ଲବ ବୋଇଲା ଆମ୍ଭେ ପର ଉପୁଗାରି

କରିବା ସମର ଆମ୍ଭେ ଯେତେମାନ ପାରି ।୨୪୨।

ଶୁଣିଣ ସାନନ୍ଦ ଯେ ହୋଇଲା ରାୟେ ମତ୍ସେ

ବୋଇଲେ ପ୍ରଦେଶୀ ଶବର ବ୍ୟାଘ୍ରେକ ଆଣିଛି ପ୍ରତକ୍ଷେ ।୨୪୩।

ବହୁତ ଉପଦ୍ରବ କଲା ୟେହୁ ବନେ

ୟେମନ୍ତ ବ୍ୟାଘ୍ର ବଧ ହୋଇବ କେସନେ ।୨୪୪।

କୀଞ୍ଚେକକୁ ସମର ମାଗଇ ବ୍ୟାଘ୍ରବର

କେମନ୍ତେ ପେଷିବୁ ତାକୁ ତାହାରେ ମୋହୋର ରାଜ୍ୟଭାର ।୨୪୫।

ଭୀମସେନ ବୋଇଲା ରାୟେ ରାଜ୍ୟ କରୁଥିଲେ

ଅନେକ କଉତୁକ ଉପୁଜାଇ ପ୍ରଦେଶୀ ଅଇଲେ ।୨୪୬।

ୟେମାନ ସେ ନିବର୍ତ୍ତାଇବାର ଉଚିତ

ନୋହିଲେ ରାଜ୍ୟ କଳନା ସିନା ଉପୁଜାଇ ବିକୃତ ।୨୪୭।

ବିରାଟ ବୋଇଲା ଶୁଣ ବଲ୍ଲବ ପଣ୍ଡାୟେ

ସେ ବ୍ୟାଘ୍ର ବଧ୍ୟ ହୋଇବାକ କେବଣ ଉପାୟେ ।୨୪୮।

ଶୁଣ ହୋ ମତ୍ସେଶ୍ୱର ବଦୟନ୍ତି ବଲ୍ଲବ

ବ୍ୟାଘ୍ର ମନୁଷ୍ୟର ଯୁଦ୍ଧ ଯେ ବଡ଼ାଇ ଦୁଲଭ ।୨୪୯।

ନଖ ଦନ୍ତ ପୂରିତ ଯାହାର ଅଟଇ ବିଷ

ମନୁଷ୍ୟ ମାତ୍ର ହୋଇ କରିବ ତାର କିସ ।୨୫୦।

ମୁହିଂ ତୁମ୍ଭର ରାଜ୍ୟେ ଅଛଇ ସୂପକାର ବୃତ୍ତେ

ଅଥବା ନ ଯୋଗକଲେ ବାହାର କରିଦେବୁ ମୋତେ ।୨୫୧।

ବ୍ୟାଘ୍ରର ହାଥେ ରାଜା ନ ମରାଅ ମୁକୁ

ବ୍ରହ୍ମହତ୍ୟା ଦୋଷ ଲାଗିବନା ତୁକୁ ।୨୫୨ ।

ସୂପକାର କହିଲା ଯହୁଂ ନିଠୁର ବାଣୀ

ବିରାଟ ତୁନି ହୋଇଲେ ବଚନ ତାହାର ଶୁଣି ।୨୫୩।

କୋନ୍ତେ ବୋଇଲେ ପଣ୍ଡାୟେ ତୁମ୍ଭେ ୟେଡ଼େକ ଅଗିଆନ

କେମନ୍ତେ ଭ୍ରଷ୍ଟ କରୁଅଛ ରାଜାର ବଚନ ।୨୫୪।

ଆସ୍ତାନର ତଳେ ତୁମ୍ଭଂକୁ ହୋଇଲା ଯେବେ ଆଗ୍ୟାଂ

ପାର କି ନ ପାର କିଂପେ ବଚନ କର ଅବଗ୍ୟାଂ ।୨୫୫।

ମାର ହୋ ବ୍ରାହ୍ମଣ ପ୍ରତଗ୍ୟାଂ ତୋର ଥିଲେ

ବହୁତ ପୂଜା ପାଇବୁ ୟେ ବ୍ୟାଘ୍ର ବଧକଲେ ।୨୫୬।

ବିରାଟର ବଚନକୁ ସେ କରିଥିଲା ନାସ୍ତି

କୋନ୍ତଂକର ବଚନେ ଯେ ଫିଟିଗଲା ମନଭ୍ରାନ୍ତି ।୨୫୭।

ଯାହାକୁ ଡର ଥିଲା ସେ ଯେବେ ଆଗ୍ୟାଂଦିଲା

ହୃଦଗତେ ବ୍ରିକୋଦର ସାନନ୍ଦ ହୋଇଲା ।୨୫୮।

ମେଲ ମେଲ ବେଣ୍ଟକାର ବୋଲଇ ଦ୍ୱିଜବର

ଦୂର କରି ନେଇ ଫେଡ଼ ହୋ ତୋହୋର ବ୍ୟାଘ୍ରବର ।୨୫୯।

ଜରା ଶବର ବୋଇଲା ତୁ ଅଟୁ ଯେ ବ୍ରାହ୍ମଣ

ତୁ କେହ୍ନେ ଜାଣିମୁଂ ଯେ ବ୍ୟାଘ୍ରର ବିନ୍ଧାଣ ।୨୬୦।

ଅପାର ଦୋଷ ଅଛି ୟେ ବ୍ୟାଘ୍ର ତୋତେ ମାଇଲେ

ବ୍ରହ୍ମହତ୍ୟା ଦୋଷ ଲାଗିବନା ବ୍ୟାଘ୍ର ତୋତେ ଖାଇଲେ ।୨୬୧।

ବଲ୍ଲବ ବୋଇଲା ହୋ ପଶୁଅଛି ଯେବେ ମୁହିଂ ଯୁଦ୍ଧେ

ସାଂଗ୍ରାମେଣ ଗୋରୁ ବ୍ରାହ୍ମଣ ହୋଅଇ ଶିର ଚ୍ଛେଦେ ।୨୬୨।

ବେଣ୍ଟକାର ବୋଇଲା ତୁମ୍ଭେ ଶୁଣ ଦଶ ଦିଗପାଳେ

ମୋହୋର ଦୋଷ ନାହିଂଟି ବୁଝ ହୋ ସକଳେ ।୨୬୩।

ବଲ୍ଲବ ବୋଇଲା କିରାତ ହୋ କେତେ ତ୍ରାହି ତ୍ରାହି ବୋଲୁ

ହତ୍ୟାକୁ ୟେବେ ଡରୁ ବ୍ୟାଘ୍ର କିଂପେ ତୁ ଆଣିଲୁ ।୨୬୪

ବେଣ୍ଟକାର ସେ ବ୍ୟାଘ୍ରକୁ ଦୂରେ ଅଛି ଧରି

ମୂର୍ଖ ଦ୍ୱିଜବର କିଂକେ ୟେହା ନ ବିଚାରି ।୨୬୫।

ବେଣ୍ଟକାର ବୋଇଲା ଜୀବନ ଗରୁ ହୋଇଲା ପଣ୍ଡାୟେ

ତୁ ମରିବୁ ମୋତେ ଲାଗିବ ବ୍ରହ୍ମହତ୍ୟା ଗୋଟାୟେ ।୧୬୬।

ଭୀମସେନ ବୋଇଲା ହୋ ମେଲ ଧୂରକରି

ପୁଣ ପୁଣ ସାକ୍ଷୀ କରଇ ଶବର ଗଗନ ବିହାରୀ ।୧୬୭।

ସାଧୁ ସାଧୁ ଶବରରେ ତୁ ଅଟୁ ମହାବଳୀ

ବ୍ୟାଘ୍ରକଇଂ ହାଂକୋଳିଣ ସେ ମେଲିଲା ଶିକୁଳି ।୨୬୮।

ବେଣ୍ଟକାର ବୋଇଲା ଯାଆ ଯାଆରେ ବ୍ୟାଘ୍ରବର

କର ଯା ଭକ୍ଷପାନ ୟେହୁ ସୂପକାର ଶରୀର ।୨୬୯।

ସୂପକାରକଇଂ ଦେଖିଣ ବ୍ୟାଘ୍ର ଧଇଲା ଗଳଗାଜି

ଗର୍ଜନ ଘାତେ ପର୍ବତ କିବା ପଡ଼ୁଅଛି ଭାଜି ।୨୭୦।

ଭୀମସେନ ବୋଇଲା ପ୍ରଥମହୁଂ ମାରିବି କି ବ୍ରଜମୁଥେ

ପୁଣ ବିଚାରିଲା ଜାଣିମେ ଯେ ବିରାଟ ସହିତେ ।୨୭୧।

ଯତନେ ନିଉନ ସେ ହୋଇଲା ବୀର ଭୀମ

ଆକ୍ରେଷି ଭୀମ ବ୍ୟାଘ୍ର ପାଡ଼ିଲା ବହନ ।୨୭୨।

ବ୍ୟାଘ୍ରର ମୂରତି ଦେଖି ପଳାଇଲେ ନଗ୍ରପୁର ଜନେ

ମେଢ଼ ମଣ୍ଡପ ଜଗତୀ ଉପରେ ଉଠିଲେ ବହନେ ।୨୭୩।

ବିରାଟ ଯେ ଆସ୍ତାନେ ନୁଆରିଲା ରହି

ଭିତର ଜଗତୀରେ ଉଠିଲା ରାଜା ଯାଇଂ ।୨୭୪।

ୟେକାମାତ୍ର ଆସ୍ତାନେ ରହିଲେ ରାଜା ଯେ ଯୁଝେଷ୍ଠି

ଭୀମସେନକଇଂ ଚାହାନ୍ତି ଆକ୍ରେଷିଣ ଦୃଷ୍ଟି ।୨୭୫।

ଉତ୍ତାନଶାୟୀ ହୋଇ ଭୀମସେନ ଅଛି ପଡ଼ି

ବକ୍ଷସ୍ଥଳେ ବସି ବ୍ୟାଘ୍ର ଦିଅଇ ଘୋର ରଡ଼ି ।୨୭୬।

ତଳେ ପଡ଼ି ବ୍ୟାଘ୍ରକୁ ଆକ୍ରେଷି ଅଛି ପବନ ତନୟେ

ଉପରେ ବ୍ୟାଘ୍ର ଦିଶୁଅଛି ଯେ କେଶରୀ ତେଜପ୍ରାୟେ ।୨୭୭।

କେବଳମାତ୍ର ବ୍ୟାଘ୍ର ହୃଦରେ ମାଡ଼ି ବସିଅଛି

ତାହାର ବଳେ ଭୀମକୁ କରିତ ନୋହୋଇ କିଛି ।୨୭୮।

ତଳେଣ ବ୍ରିକୋଦର ଉପରେ ଅଛି ମତ୍ତ ବ୍ୟାଘ୍ରବର

ଦେଖିଣ ନଗ୍ରଜନେ କ୍ରୋଧରେ ଗୁରୁତର ।୨୭୯।

ହା ହା ସୂପକାର ବୋଲି ବୋଲନ୍ତି ନଗ୍ରଜନେ

ମୃତୁଯୋଗ ହୋଇବ ବୋଲି ଅଇଲୁ ୟେ ମତ୍ସଦେଶ ସ୍ତାନେ ।୨୮୦।

ଆମ୍ଭେ କେମନ୍ତେ ଜାଣିମୁଂ ରାନ୍ଧଣା ନିତିପ୍ରତି

ତୋହୋର ପ୍ରସାଦେ ଆମ୍ଭେ ଭୋଜନ କରୁ ସୁସ୍ଥେ ନିତି ।୨୮୧।

ୟେକା ବ୍ରାହ୍ମଣକେ କରୁଥିଲୁ ଯେବଣ ରାନ୍ଧଣା

ସୂପକାରମାନଂକର ତୁ ଅଟୁ ଜଗୁଜିଣା ।୨୮୨।

ରୋବନ୍ତି ନଗ୍ରର ଯେ ସମସ୍ତ ନରନାରୀ

ସମସ୍ତେହେଂ ଶୋକଭର ବଲ୍ଲବ ନାମ ଧରି ।୨୮୩।

ଯେ ଯେତେବେଳେ କ୍ଷୁଧାରେ ମାଗନ୍ତିଟି ଅନ୍ନ

ନିଅଳସ ବ୍ରାହ୍ମଣ ସେ ଦେଉଥାଇ ଅନ୍ନ ଯେ ଭୋଜନ ।୨୮୪।

କାହୁଂ ୟେ ଶବର ବ୍ୟାଘ୍ରକଇଂ ଅଇଲାକ ଘେନି

ୟେହାର ଫଳେ ଆମ୍ଭେ ହୋଇଲୁ ବୀର୍ଯ୍ୟହାନି ।୨୮୫।

ବଲ୍ଲବକଇଂ ପଠିଆଇବାକୁ ଠାକୁରଂକ ନାହିଂ ଇଚ୍ଛା

ୟେକା କୋନ୍ତଭଟ୍ଟେ କଲେ ତାଂକୁ କଇଚ୍ଛା ।୨୮୬।

ଆମ୍ଭର ନିଶ୍ୱାସ ଯେ କୋନ୍ତଂକ ମୁଣ୍ଡେ ପଡ଼ୁ

ଆହୋ କୋନ୍ତ ପଣ୍ଡାୟେ ୟେବେ ପେଟ ତୁମ୍ଭ ପୁରୁ ।୨୮୭।

ଉଦାର ବ୍ରାହ୍ମଣଗୋଟି ନ ଜାଣଇ କୂଟଛନ୍ଦ

ବ୍ୟାଘ୍ରର ତୁଲେ କାହିଂ ମାନୁଷର ଦ୍ୱନ୍ଦ ।୨୮୮।

ଭୋ ଧର୍ମ ଦେବତା ଆମ୍ଭ ସବୁଂକରି ଆଷ୍ୟ ଘେନି

ବେଳେକେ ବ୍ରତୁ ବ୍ରାହ୍ମଣ ବୋଲି ଉଠିଲା ସବୁରି ମୁଖେ ଧୁନି ।୨୮୯।

ବିରାଟ ବଚନ ଯେ ବ୍ରାହ୍ମଣ ଭାଳିଲା

ୟେକା କୋନ୍ତ ପଣ୍ଡାୟେ ବ୍ରାହ୍ମଣକୁ ନାଶକଲା ।୨୯୦।

କି ୟେ ତାହାର ହୋଇଥିଲା ପିତୃ ବଇରି

ପରେଣ ମରାଇଲା ସେ ଆପଣେ ନ ମାରି ।୨୯୧।

ସଂସାର ମୁଖେଣ ସେ ଶୁଣିଣ ୟେହେନେକ ଅପଚ୍ଛାତି

କୋନ୍ତେ ବୋଇଲେ ମୁହିଂ ନିସ୍ତରିଲି ଶିରୀପତି ।୨୯୨।

ସଂସାର ଅପଚ୍ଛାତି ୟେବେ ଦେଉଛନ୍ତି ମୁକୁ

ୟେତେବେଳେ ଯାୟେ ଚିହ୍ନ ନୁଆରିଲେ ଭୀମାକୁ ।୨୯୩।

ୟେଣେ ନିସ୍ତରିଲି ମୋତେ ବହୁତ ପ୍ରତିକାର

ଆଗ୍ୟାଂ ୟେବେ ଦିଅ ବଧ ହୋଉ ବ୍ୟାଘ୍ରବର ।୨୯୪।

ୟେତେବେଳେ ନାଥ ତୁହି ନୋହିଲେ ପ୍ରସନ୍ନ

ଆଜଠାରୁ ବୁଡ଼ିଲାକ ଭୀମ ନାମ ପୁଣ ।୨୯୫।

ଜଗନ୍ନାଥ ନାମ କୁନ୍ତେ କରନ୍ତେ ସୁମରଣ

ନୃସିଂହ ମୂରତି ଯେ ଧଇଲା ଭୀମସେନ ।୨୯୬।

ତଳେ ପଡ଼ି ଭୀମସେନ କୋନ୍ତଂକୁ ଚାହିଂଲେ

ମାରବୋଲି ଯୁଝେଷ୍ଠି ଆଖି ଠାରିଦିଲେ ।୨୯୭।

ଯୁଝେଷ୍ଠିଂକ ଆଗ୍ୟାଂକୁ ସେ ଭୀମ ଚାହିଂଥିଲା

ଅଙ୍ଗ ଝାଡ଼ଦେଇ କରି ବେଗେ ସେ ଉଠିଲା ।୨୯୮।

ତତକ୍ଷଣେ ବିକାଶିଲା ବ୍ରିକୋଦର ମୃତ୍ତି

ଆକ୍ରେଷି ବ୍ୟାଘ୍ରକୁ ଭୀମ ମାଡ଼ି ବସିଲାକ ଧାତି ।୨୯୯।

ରେ ରେ କାର କରିଣ ସେ ପବନର ବାଳେ

ବାମକରେ ବ୍ୟାଘ୍ରକୁ ମାଡ଼ି ବସିଲା ଅବନୀର ତଳେ ।୩୦୦।

ବେନି ଆଣ୍ଠୁରେ ମାଡ଼ି ବସିଲାକ ତାର ହୃଦେ

ବାମକରେ ତଣ୍ଟି ଚିପିଲା ମାଡ଼ିଲାକ ହାଦେ ।୩୦୧।

ଦକ୍ଷିଣ ଭୁଜେ ନେଇ ମାଇଲାକ ମୁଖେ ତୋଳି

ବ୍ୟାଘ୍ରର ମୂର୍ଦ୍ଧନା ଫାଟି ହୋଇଲାକ ମସୀଧୂଳି ।୩୦୨।

ବେନିପାଦ ଯେ ତାହାର ଧଇଲା ୟେକହାଥେ

ଅନ୍ତରୀକ୍ଷ ମାର୍ଗେ ଧରି ବୁଲାଇଲା କୋନ୍ତୀସୁତେ ।୩୦୩।

ଉର୍ଦ୍ଧଗତେ ପ୍ରାଣ ଯେ ଛାଡ଼ିଲା ବ୍ୟାଘ୍ରବର

ପର୍ବତ ସମାନ ହୋଇ ପଡ଼ିଲା ଭୂମିର ।୩୦୪।

ବ୍ୟାଘ୍ରର ହୃଦରେ ଯେ ପୁରୁଷେକ ଥିଲା

ବିଦ୍ୟାଧର ସାରିକ୍ଷେ ସେ ବାହାର ହୋଇଗଲା ।୩୦୫।

ଅମରଗଣେ ଦିଲେ ତାକୁ ପୁଷ୍ୟକ ବିମାନ

ଆରୋହିଣ ବିଦ୍ୟାଧର ହୋଇଲା ଅନ୍ତର୍ଧ୍ୟାନ ।୩୦୬।

ବ୍ୟାଘ୍ର ବଧ ଦେଖିଣ ଯେ ଜାରା ନାମେ ଶବର

ବହୁତ ପ୍ରଶଂସା ସେ କରଇ ସୂପକାର ।୩୦୭।

ନୋହୁ ନୋହୁ ବ୍ରାହ୍ଣଣ ତୁ ଯେ କେବଣ ଦିଗପାଳ

ତୋ ତହୁଂ ବଳବନ୍ତା ନାହିଂ ୟେ ମହୀମଣ୍ଡଳ ।୩୦୮।

ଆହୋ ପଚାରି କଥାୟେ ତୋତେ ପାରିବା ନିକି

ଆହୋ ବଲ୍ଲବ ତୁ ଭୀମସେନ ଠାକୁରକି ।୩୦୯।

ଭୀମସେନ ବୋଇଲେ ତୁ ଜାଣିଲୁ କେମନ୍ତେ

ଶବର ବୋଇଲା ବାଳକାଳେ ମୁଂ ଖେଳାଉଥିଲି ତୋତେ ।୩୧୦।

ଶତଶୃଙ୍ଗ ପର୍ବତରେ ସେ ତୁମ୍ଭର ଆଶ୍ରମ

ପଣ୍ଡୁ ରାଜାଂକର ଯେ କ୍ଷେତ୍ରରେ ତୁମ୍ଭେ ଜନ୍ମ ।୩୧୧।

ତୁଳା ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଚନ୍ଦ୍ରବାର

ସ୍ୱାତୀ ନକ୍ଷତ୍ର ଅଟଇ ଭୋଗ ଯେ ସେ ଦିନର ।୩୧୨।

ପଣ୍ଡୁରାଜା ଯାଇଛନ୍ତି ଅନ୍ଧାରୀ ବେଣ୍ଟପାରିଧି

ମୋହୋର ପିତା ବିରାଜସେନ ପଣ୍ଡୁଂକ ସଙ୍ଗତେ ଯୋଧୀ ।୩୧୩।

ମୋହୋର ମାତାଂକ ନାମ ଅଟଇ କୀର୍ତ୍ତିକା

କୋଇନ୍ତାଂକ ସଙ୍ଗେ ସେ ବସିଣ ଥାନ୍ତି ୟେକା ।୩୧୪।

ରାତ୍ରେ ସୁମରିଲେ ମନ୍ତ୍ର ସେ ଯେ ଶେଯ୍ୟାର ଯୁଗତେ

ପବନ ଦେବତା ଆସି ବିଜେକଲେକ ତୁରିତେ ।୩୧୫।

ମରୁତେ ରମଣ ସେ ଇଚ୍ଛିଲେ ମାହେଶ୍ୱରୀ

ସେ ଦିନ ଜାତ ତୁମ୍ଭେ ଶତଶୃଙ୍ଗ ନାମେ ଗିରି ।୩୧୬।

ବାବୁ ଶ୍ରାବଣ ଶୁକଳ ଯେ ପଞ୍ଚମୀ ଦିନର

ପଣ୍ଡୁ ମୃଗୟାରେ ପଶିଛନ୍ତି ବନସ୍ତ ଭିତର ।୩୧୭।

ତୋତେ ଘେନି କୋଇନ୍ତାୟେ ବସିଛନ୍ତି ଶତଶୃଙ୍ଗ ପର୍ବତର

ମୋତେ ତେତେବେଳେ ହିଂ ହୋ ପଞ୍ଚଇ ସମ୍ବତ୍ସର ।୩୧୮।

ମହାଘୋର ଅନ୍ଧାର ବଡ଼ାଇ ବରଷାର କାଳ

ବ୍ୟାଘ୍ରେକ ଗରଜିଲା ଆସି ଶତଶୃଙ୍ଗ ପର୍ବତର ତଳ ।୩୧୯।

ଡରେଣ ଥରହର ହୋଇଲେ ଦେବୀ କୋନ୍ତେ

ତୋତେ ପକାଇଲେ ବାବୁ ସେହି ଶତଶୃଙ୍ଗ ପର୍ବତେ ।୩୨୦।

ଆହୋ ଶତେକ ଯୋଜନ ଆୟତନ ଯେବଣ ଗିରି ଅଚଳ

ବାଳପୁତ୍ର ପଡ଼ନ୍ତେ ସେ ହୋଇଲା ରସାନ୍ତଳ ।୩୨୧।

ତୋତେ ପକାଇ କୋଇନ୍ତା ଯେ ପଳାଇଗଲେ ଡରେ

ଭୟେଣ ଉଠିଲେ ଯାଇଂ ପର୍ବତ ବୃକ୍ଷର ଉପେର ।୩୨୨।

ପର୍ବତ ଉପରେ ପଡ଼ିଣ ତୁ କାନ୍ଦନ୍ତେ ବାଳପୁତ୍ର

ପୁତ୍ରକଇଂ ଦେଖି ବ୍ୟାଘ୍ର ଯେ ଘୋଟିଲା ତୁରିତ ।୩୨୩।

ବାଳପୁତ୍ର କନିଷ୍ଠ ଅଙ୍ଗୁଳି ବାଜିଲା ବ୍ୟାଘ୍ରର ମୃଦ୍ଧନା

ସେ ବ୍ୟାଘ୍ରର ମୁଣ୍ଡେ ବାଜି ହୋଇଲା ଶତେଚୂନା ।୩୨୪।

ଜରା ଶବର କହଇ ଭୀମସେନର ଆଗେ

ବାବୁ ବାଳୁତ କାଳହୁଂ ତୁ ମାଇଲୁ ମତ୍ତବ୍ୟାଗ୍ରେ ।୩୨୫।

ନବଦିନର ପୁତ୍ର ତୁ ବ୍ୟାଘ୍ର ବଧକରି

ତୋହୋର ବେଳେ ସେ ବ୍ୟାଘ୍ର ହାଦେ ମାରି ।୩୨୬।

ଭୀମସେନ ବୋଇଲେ ତୁ ଯେ ମୋହୋର ସୋଦର

ପଞ୍ଚମାସ ଗୋପ୍ୟଅଛି ତୁ ପ୍ରଘଟ ନ କର ।୩୨୭।

ଜରା ବୋଇଲା କୀଞ୍ଚେକର ଭ୍ରାଥ ଶତେ

ତୁମ୍ଭର ଅଗ୍ୟାଂତବାସ ହୋ ତହିଂର ନିମନ୍ତେ ।୩୨୮।

ମୁହିଂ ତାହା ଜାଣି ଅଛଇନି ଆଗହୁଂ

ହୃଦୟଗତେ ଲିହିଅଛି ମାତା ମୋହୋର କହୁଂ ।୩୨୯।

ଆହୋ ଭୀମସେନ ତୋତେ ଦେଖିବାର ନିମନ୍ତେ

କୀର୍ତ୍ତିକା ମାତା ଯତନେ ପଠିଆଇ ଦିଲେ ମୋତେ ।୩୩୦।

ବ୍ୟାଘ୍ର ବଧ ବାବୁ ନୋହୋଇ ଆନର ବେଳେ

ଯେ ମାରଇ ବ୍ୟାଘ୍ର ସେ ଭୀମସେନ ମହାବଳେ ।୩୩୧।

ତୋହୋର ନାମ ଧରନ୍ତା ଜାଣନ୍ତା ହୋଇ ବୋଲି

ତେଣୁ କରି ସିନା ବାବୁ କୀଞ୍ଚେକକୁ ବ୍ୟାଘ୍ରଯୁଦ୍ଧ ମାଗିଲି ।୩୩୨।

ଯାଉଅଛି ବାବୁ ମୁଂରେ ମନୋହର ନାମେ ବନେ

ତୁମ୍ଭନ୍ତ ଦେଖିବାକଇଂ ବିରାଟ ଦେଶକୁ ଆସୁଥିବି ପ୍ରତିଦିନେ ।୩୩୩।

ଭୀମସେନ କିରାତ ଯେ ହୁଅନ୍ତେଣ କଥା

ଭୀମସେନ ପଚାରିଲା ସେ ବ୍ୟାଘ୍ରର ବାରତା ।୩୩୪।

ସ୍ୱାମୀ ପୁରୁଷେକ ଥିଲା ଯେ ବ୍ୟାଘ୍ରର ଗର୍ଭଗତେ

ବ୍ୟାଘ୍ରବଧ ହୋଅନ୍ତେ ସେ ପୁରୁଂ ଗଲା ସ୍ୱର୍ଗପଥେ ।୩୩୫।

କେଉଂଅର୍ଥେ ପୁରୁଷେକ ଥିଲା ୟେହା ଗର୍ଭେ

ୟେହା ମୋତେ ସଞ୍ଚପି କହିବାକ ଜାରା ୟେବେ ।୩୩୬।

ଜାରା ବୋଇଲା ବାବୁ ଶୁଣସି ପୂର୍ବର ଯେ କଥା

ତୁଯେ ପଚାରିଲୁ ସେ ବ୍ୟାଘ୍ରର ବାରତା ।୩୩୭।

ଜଳଉଦ୍ଦାନ ବୋଲିଣ ୟେକଇ ସତ୍ୟଯୁଗେ

ଦେବ ଗୋକୁଳ ବୋଲିଣ ଇନ୍ଦ୍ର ବସଇ ଅମର ସ୍ୱର୍ଗେ ।୩୩୮।

ଅଜମୀଢ଼ ନାମେଣ ମହାଋଷି ଅଗସ୍ତିଂକର ବାଳ

ମହା ତପୋବନ୍ତ ସେ ବସଇ ବହୁତ ଚିରକାଳ ।୩୩୯।

ଅଜମୀଢ଼ର ନନ୍ଦନ କାଶୀପତି ମହଋଷି

ବନୁ ମହଋଷି ହୋ ତାହାଂକର ଶିଷି ।୩୪୦।

ବନୁଂକର ପୁତ୍ର ଯେ ଦାତବ୍ୟ ବ୍ରାହ୍ମଣ

ଦାତବ୍ୟର ପୁତ୍ର ଯେ ଅଟଇ ବାରୁଣ ।୩୪୧।

ବାରୁଣର ନନ୍ଦନ ଯେ ଅରୁଣ ମହଋଷି

ୟେହାଂକର କୃପାଜଳ ଅଟଇ ଯେ ଶିଷି ।୩୪୨।

କୃପାଜଳ ନନ୍ଦନ ଯେ ବଇଶ୍ରମଣ ଋଷି

ଯଦୁବର ବୋଲିକରି ତାହାଂକର ଶିଷି ।୩୪୩।

ଯଦୁ ମହଋଷିର ନନ୍ଦନ କଉଣ୍ଡିଣ୍ୟ ମହଋଷି

ଠୁଳଋଷି ବୋଲିକରି ୟେହାଂକର ଶିଷି ।୩୪୪।

ସେ ଠୁଳଋଷି ବଇଶାଖ ମାସ ଶୁକଳ ତୃତୀୟାର ଦିନ

ଗୁରୁବାର ରୋହିଣୀ ଯେ ନକ୍ଷତ୍ର ବିଦ୍ୟମାନ ।୩୪୫।

ସେଦିନ ଠୁଳ ମହଋଷି ଯେ ଅମର ସ୍ୱର୍ଗକଇଂ ଗଲେ

ଇନ୍ଦ୍ରଦେବତା ତାଂକୁ ବସିତେ ନ ଦିଲେ ।୩୪୬।

ବହୁତ ବେଳ ସେ ଉଭା ହୋଇଲେ ଆସ୍ତାନେ

ପୂଜା ଆସନ ଋଷିଂକି ନ ଦିଲେ ମଘବାନେ ।୩୪୭।

ଆସ୍ତାନୁ ଅଇଲେ ଋଷି ପାଇଣ ବଡ଼ ଲଜ୍ଜା

ବୋଇଲେ ଅମରେ ମୁଂ ହୋଇବି ଦେବରାଜା ।୩୪୮।

ୟେତେ ବୋଲି ମୁନି ଉତ୍ରାଂକୁର କୂଳେ ଯାଇଂ ସେ ବଦ୍ରିକା ଆଶ୍ରମେ

ତପ ଆଶ୍ରେକରି ତହିଂ ରହିଲେ ମହାତମେ ।୩୪୯।

ତିରିଶ ଦିନରେ ସେ ଭୁଞ୍ଜଇ ଅନ୍ନ ୟେକାବେଳେ

ତାହିଂ ଉପେକ୍ଷା ସେ କଲେକ ଅନ୍ନକାଳେ ।୩୫୦।

ନୀର ଚଳୁୟେ ତୁଳସୀ ପତ୍ର ଗୋଟିୟେ

ୟେମନ୍ତ କରି ୟେକାବେଳେକେ ସେ ଭକ୍ଷିୟେ ।୩୫୧।

ପୁଣି ପବନ ଭକ୍ଷିଲେ ନବ ସହସ୍ର ବରଷ

ନିରାଶ ତପେଣ ମିଳାୟେ ତାହାର ସର୍ବ ମାୟେଂସ ।୩୫୨।

ଶୋଷିଗତେ ପବନ ବହଇ ଅନୁବ୍ରତେ

ୟେମନ୍ତେ ବସିଲେ ମୁନି ୟେକାଦଶ ସହସ୍ର ବରଷ ପରିଯନ୍ତେ ।୩୫୩।

ମଳୟ ସମୀରେ ପୁଣି କଅଂଳିଲା କାୟା

କଠୋର ତପସ୍ୟା ଦେଖି କରତାର ବିହିଲାକ ଦୟା ।୩୫୪।

ନାରଦେ ବୋଇଲେ ତୁମ୍ଭେ ଶୁଣ ହୋ ମଘବା

ଅମର ସରଗ ତୁରେ ନାଶକଲୁ ବାବା ।୩୫୫।

ଠୁଳ ମହଋଷି ଯେ ଅମରକୁ ଆୟେ

ଆସ୍ତାନେ ବସିତେ ତାକୁ ନ ଦିଲୁ ଦେବରାୟେ ।୩୫୬।

ତାମସେ ମହଋଷି ସେ କରତାକଇଂ ହାଦେ ତୋଷି

ନିରାଶି ମହଋଷି ୟେକାଦଶ ସହସ୍ର ତପେ ବସି ।୩୫୭।

କରତାର ପ୍ରସନ୍ନେ ଆସିବେ ଆବର ବେନିଦିନେ

ଇନ୍ଦ୍ରପଦ ତୋହୋର ଘେନିମ ଅମର ଭୁବନେ ।୩୫୮।

ଦେବ ଡଗର ନାରଦେ ସନ୍ଦେଶ କହିଲେକ ସବୁ

ଯେମନ୍ତେ ପାର ସ୍ୱର୍ଗ ରକ୍ଷାକର ବାବୁ ।୩୫୯।

ଶୁଣିଣ ଶଂକା ମନେ ବସିଲା ମଘବାନ

ଶ୍ରୁତି ମୃତ୍ତି ବେନି ପୁତ୍ରନ୍ତ ଇନ୍ଦ୍ର ରାଇଲା ସନ୍ନିଧାନ ।୩୬୦।

ବାବୁ ୟେହିକ୍ଷଣି ଚଳ ତୁମ୍ଭେ ବଦରିକା ଆଶ୍ରମେ

ଠୁଳ ଋଷି ତପ ଯେ କରଇ ମହାତମେ ।୩୬୧।

ଯୋଗୀ ଦ୍ୱନ୍ଦୀ ବାଦୀ ଆଦି ତପୋବନ୍ତ ରାଗୀ

ୟେଥି ଦୋଷ ନାହିଂ ୟେହାଂକର ଯେବେ ତପ ବେଗେ ଭାଙ୍ଗି ।୩୬୨।

ସ୍ୱାମୀଂକର ବଚନେ ବଦୟନ୍ତି ସୁତ ବେନି

ବଡ଼ାଇ ଦୁରାପଦ ସେ ରାଗୀ ମହାମୁନି ।୩୬୩।

ସ୍ୱାମୀ ତୋହୋର ବଚନେ ଯେ ନ କଲେଣ ମରି

ଋଷିର କୋପକଲେ ଦହନ ହୋୟେ ଶିରୀ ।୩୬୪।

ଇନ୍ଦ୍ର ବୋଇଲେ ତୁମ୍ଭେ ମୋହୋର ନନ୍ଦନ ଅମର ରକ୍ଷାକଲେ

ଇନ୍ଦ୍ରପଦ ପାଇବଟି ପିତାର କାର୍ଯ୍ୟେ ମଲେ ।୩୬୫।

ପିଅର ବଚନେ ସେ ଶ୍ରୁତି ମୃତି ବେନି

ଚଳିଲେ ବିଦ୍ୟାଧରେ ଦଣ୍ଡବୀଣା ଘେନି ।୩୬୬।

ଉତ୍ତରାକୁଂରେଣ ବିଜୟେ ଠୁଳ ମହଋଷି

ବାସବର ନନ୍ଦନ ଦୁହେଂ ମିଳିଲେ ତହିଂ ଆସି ।୩୬୭।

ମଧୁର ଓଂକାର ଧୁନି କରନ୍ତି ବିଦ୍ୟାଧରେ

ଦେଖିଣ ମୋହ ହୋଇଲେ କମଣ୍ଡଳର କୁମରେ ।୩୬୮।

ଅନେକ ବିନୋୟୀ ସେ ଗାବନ୍ତି ରସଗୀତ

ଦେଖିଣ ବିଦ୍ୟାଧର ପୁରୁଷଂକ ରୂପେ ମୋହିତ ।୩୬୯।

ମଦନେ ଅସାଷ୍ଟମ ଭରହରଷ ଶୁଣି

ଶରୀରେ ପଡ଼ିଲା ସେ ମଦନ ବିରହିଣୀ ।୩୭୦।

ତୁଣ୍ଡ ବିସ୍ତରିଣ ଋଷି ପିବଇ ପବନ

ଶ୍ରୁତି ମୃତ୍ତି ପଶିଲେ ଋଷିର ଗରଭେଣ ।୩୭୧।

ଶୂନ୍ୟବାତ ସାରିକ୍ଷେ ସେ ପଶିଲେ ଉଦରେ

ଋଷିର ପଞ୍ଚଭୂତ ବୁଡ଼ାଇଲେ ହୃଦୟରେ ।୩୭୨।

ଗର୍ଭେଣ ପଶିଲେ ସେ ହୋଇଲେ ପାପଆତ୍ମା

ଦୁଖେ ଅର୍ଜିଲା ତପ ଭାଞ୍ଜିଲା ମହାତମା ।୩୭୩।

ଶରୀରେ ପଶିଣ ସେ ପୀଡ଼ତି କଲେ କାମ

ତେଜିଲେ ତପସ୍ଥାନ ମଦନେ ଅସାଷ୍ଟମ ।୩୭୪।

ବନେଣ ଭ୍ରମଇ ସେ ବାଳୁତ ଭାବ ଜାଣି

ଶୃଙ୍ଗାର ଇଚ୍ଛିଲା ସେ ଧରିଣ ମୃଗୁଣୀ ।୩୭୫।

ହରିଣୀ ଗର୍ଭରେ ଯେ ପଡ଼ିଲା ତାହାର ରେତ

ସଇନ୍ଦୁ ଜାତ ହେଲା ତାହାର ୟେକଇ ଯେ ସୁତ ।୩୭୬।

ଦକ୍ଷିଣ ପ୍ରାଚୀର କୂଳେ ତୁଚ୍ଛା ତୁଠଗୋଟି

ତହିଂ ଜାତ ହୋଇଲା ତ୍ୱଷ୍ଟା ତପନିଷ୍ଠି ।୩୭୭।

ସେ ତ୍ୱଷ୍ଟାକୁ ରାଇଣ ଯେ ବୋଇଲେ ଠୁଳ ମହଋଷି

ତୁ ଯାଇଂ ସ୍ୱର୍ଗ ଭୁବନେ ଇନ୍ଦ୍ର ଯେ ହୁଅସି ।୩୭୮।

ଇନ୍ଦ୍ର ଯେବେ ମୋହୋର ତପ ନାଶ କଲାକ ଉପାୟେ

ଇନ୍ଦ୍ରକଇଂ ନାଶକରି ତୁ ସ୍ୱର୍ଗେ ହୁଅ ଦେବରାୟେ ।୩୭୯।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି ମହଋଷି ହେ

ତ୍ୱଷ୍ଟା ଇନ୍ଦ୍ରପଦେ ବସିଲେ କି ସତେହେଂ ।୩୮୦।

ତ୍ୱଷ୍ଟା ନ କଲେ ଯେ ସ୍ୱର୍ଗକଇଂ ଇଚ୍ଛା

ଭୂତ ମହଋଷି ବୋଲି ଜାତହେଲେ ସେ ତ୍ୱଷ୍ଟାଂକର ବତ୍ସା ।୩୮୧।

ଭୂତ ମହଋଷି କପିଳ ସେ ବାଳଖିଳା ତପକଲା

ତୁଳମାସ ଶୁକ୍ଳପକ୍ଷ ଦଶମୀ ଦିନ ତାକୁ ସର୍ପଘାତ ହୋଇଲା ।୩୮୨।

ପାର୍ବତୀ ବୋଇଲେ ଶୁଣିମା ଦେବକାଶୀ

ତବ ସେବାୟେ ନାଶକଲା ଭୂତ ମହଋଷି ।୩୮୩।

ତପ ଗଡ଼ି ଯାଆନ୍ତେଣ ତାହାକଇଂ ଭକ୍ଷିଲା ମହାବ୍ୟାଳ

ବଦନରୁ ପୁଣ ଯେ ତାହାର ବହଇ ଗରଳ ।୩୮୪।

ନାରଦଂକୁ ହକାରି ବୋଇଲେ ଶୂଳପତି

ବ୍ରହ୍ମାଂକ ତହିଂକି ୟେହାକୁ ତୁମ୍ଭେ ନିଅ ଧାତି ।୩୮୫।

ଜୀବନ୍ୟାସ କରି ୟେହାକୁ ପ୍ରାଣଦାନ ଦେଉ

ତାହାତହୁଂ ଭଲଠାବେ ଭୂତ ମହଋଷିଂକି ନେଇ ଥୋଉ ।୩୮୬।

ସଦାନନ୍ଦର ଆଗ୍ୟାଂୟେ ନାରଦ ମୃତପିଣ୍ଡ ଘେନି

ଯଶୋବନ୍ତୀ ଭୁବନେ ସେ ଭେଟିଲେ ପଦ୍ମଯୋନି ।୩୮୭।

ନାରଦେ ବୋଇଲେ ଭୂତ ମହଋଷିଂକି ଜୀବ ଦାନ ଦେଇ

ଈଶ୍ୱରେଣ ବୋଇଲେ ୟେହାକୁ ଭଲ ଠାବେ ଥିବୁ ଥୋଇ ।୩୮୮।

ମୃତୁ ସଞ୍ଜୀବନୀ ଦେଇ ଭୂତ ମହଋଷିଂକି ଜୀଆଂଇଲେ

ନାରଦକଇଂ ରାଇ ପିତାମହ ଆଗ୍ୟାଂ ଦିଲେ ।୩୮୯।

ମୋହୋର ତହୁଂ ଭଲଠାବ ଅମର ଭୁବନ ବାରସ୍ୱତୀ ସିନା

ୟେହାନ୍ତ ନେଇ ବସାଅ ଇନ୍ଦ୍ରପଦ ମୃଧୁନା ।୩୯୦।

ମହଋଷିଂକି ଘେନିଗଲେ ଦେବ ଯେ ନାରଦେ

ଅମର ଆସ୍ତାନେ ନେଇଣ ବସାଇଲେ ଇନ୍ଦ୍ରପଦେ ।୩୯୧।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ନୃପତି

ଇନ୍ଦ୍ର ପଦେ ବସିଲେ ସେ ଠୁଳ ମହଋଷିଂକର ନାତି ।୩୯୨।

ଇନ୍ଦ୍ର ଦେବତା ଭୂତ ମହଋଷି ତୁଲେ ବହୁତ ଯୁଦ୍ଧକଲା

ବଜ୍ର ଘେନିଣ ସେହୁ ଭୂତ ମହଋଷିଂକି ମାଇଲା ।୩୯୩।

ରାଜପଦ ୟେଡ଼େ ଲୋଭଟି ଇନ୍ଦ୍ରକଇଂ ଧର୍ମହିଂ ଛାଡ଼ିଲା

ମହାତପୀ ବଧକରି ଇନ୍ଦ୍ର ଅମର ଭୁବନ ମାଡ଼ିଣ ବସିଲା ।୩୯୪।

ନାରଦେ କହିଲେ ଯାଇଂ ତାହାର ପିତାଂକୁ

ବାସବ ବଧକଲା ହାଦେ ତୋହୋର ପୁତ୍ରକୁ ।୩୯୫।

ପୁତ୍ରର ବଧ ଶୁଣି କୋପ କଲା ତ୍ୱଷ୍ଟା

ତପ ଆଚାର ଛାଡ଼ି ପ୍ରକୃତି କଲା ଭ୍ରଷ୍ଟା ।୩୯୬।

କରେ ତ୍ରିଦଣ୍ଡ ଘେନିଣ ଧାମଇଂ ମୁନି ରାଗେ

ଇନ୍ଦ୍ରକଇଂ ନାରଦେ କହିଲେ ତୁ ନ ଥାଅ ଅମର ସ୍ୱର୍ଗେ ।୩୯୭।

ଆସୁଅଛି ତ୍ୱଷ୍ଟା ଯେ ମହାକୋପ କରି

ୟେ ତୋହୋର ସଂପଦପଣ ପାରଇଟି କ୍ଷଣକେ ସେ ହରି ।୩୯୮।

ଆହୋ ମଘବା ତପୀଂକର ତୁଲେ ତୁ ହୋଇଲୁ ବିବାଦୀ

କିଞ୍ଚିତ ଦୋଷେ ନାଶଗଲୁଟି ଜମ୍ବୁଭେଦୀ ।୩୯୯।

ଠୁଳ ମହଋଷିଂକି ନ ଦିଲୁ ହାଦେ ବସି

କିଞ୍ଚିତ ଦୋଷେ ୟେଡେ ସଂପଦ ହୋଇଲାକ ଧ୍ୱଂସି ।୪୦୦।

ନାରଦଂକ ବଚନେ ଭୟେ କଲାକ ମଘବାନ

ସକଳ ସଂପଦ ତେଜିଣ ସେ ନାଶିଲାକ ଜୀବନ ।୪୦୧।

ଶରୀରୁ କାଢ଼ିଲାକ ସେ ପଞ୍ଚଭୂତ ଆତ୍ମା

ପାପଆତ୍ମା ଘେନି ସେ ବସିଲାକ ମହାତ୍ମା ।୪୦୨।

ପଞ୍ଚୁଆତ୍ମା ଥୋଇଲାକ ସେ ପଞ୍ଚୁଠାବ କରି

ପ୍ରଥମ ଆତ୍ମାଗୋଟି ନେଇ ସେ ଧର୍ମେଣ ସଂହରି ।୪୦୩।

ଦୁଜଆତ୍ମା ନେଇଣ ସେ ପବନେଣ ଥୋଇ

ଆପଣା ଆତ୍ମା ନେଇ ଶୂନ୍ୟେଣ ରୁହାଇ ।୪୦୪।

ଅଶ୍ୱିନୀକଇଂ ଆତ୍ମାୟେ ଇନ୍ଦ୍ର ସମର୍ପଇ

କୁମାରେଣ ଆତ୍ମାୟେକ ଥୋଇଲା ଗୋପ୍ୟେ ନେଇ ।୪୦୫।

ପାପଆତ୍ମା ଘେନି ୟେକା ଦେବଇନ୍ଦ୍ର ଅଛି ବସି

ମହା କାଳାନଳ ଜାଣି ତ୍ୱଷ୍ଟା ପ୍ରବେଶ ହୋଇଲାକ ଆସି ।୪୦୬।

ତ୍ୱଷ୍ଟାୟେ ବୋଇଲେ ଇନ୍ଦ୍ର ତୁ ନାଶିଲୁ ମୋହୋର ବାଳକ ନନ୍ଦନ

ଯାଅରେ ବାସବ ତୁ ହୋଅସି ଦହନ ।୪୦୭।

ମହା ବ୍ରହ୍ମବେତ୍ତାର ଶାପ୍ୟ ଯେ ପଡ଼ିଲା

ତ୍ୱଷ୍ଟାର ଇଦଂବାକ୍ୟେ ଇନ୍ଦ୍ର ନାଶଗଲା ।୪୦୮।

ଶୁଣ ହୋ ମନୁରାଜା ଋଷିଂକର ବିବାଦେ

ଆମରାଧିନାଥଂକୁ ହୋଇଲା ୟେଡ଼େକ ପରମାଦେ ।୪୦୯।

ଧର୍ମେଣ ଯେବଣ ଆତ୍ମା ନେଇଣ ଥୋଇଲା

ଦ୍ୱାପରେ ସେ ଧର୍ମବୀର୍ଯ୍ୟେ ଯୁଝେଷ୍ଠି ଉପୁଜିଲା ।୪୧୦।

ପବନେଣ ନେଇ ଥୋଇଲା ଯେବଣ ଦୁତୀଆତ୍ମା

ଦ୍ୱାପରେ ପବନ ବୀର୍ଯ୍ୟେ ହୋଇଲାକ ବୀର ଭୀମା ।୪୧୧।

ଇନ୍ଦ୍ର ଯେବଣ ଆତ୍ମା ଥୋଇଲା ଶୂନ୍ୟେଣ

ଇନ୍ଦ୍ର ବୀର୍ଯ୍ୟେ ଜାତ ସେ ହୋଇଲାକ ଅର୍ଜୁନ ।୪୧୨।

ଅଶ୍ୱିନୀରେ ଯେବଣ ଆତ୍ମା ନେଇଣ ଥୋଇଲା

ସେ ଅଶ୍ୱିନୀ ବୀର୍ଯ୍ୟେ ୟେ ନକୁଳ ଉପୁଜିଲା ।୪୧୩।

କୁମାରେ ଯେବଣ ଆତ୍ମା ଥୋଇଲା ପଞ୍ଚଭୂତ

ସହଦେବ ମହାମନ୍ତ୍ରୀ ମାଦ୍ରୀଦେବୀର ସୁତ ।୪୧୪।

ବ୍ରହ୍ମବେତ୍ତା ମହଋଷି କହିଲେ ପରସ୍ତାବେ

ପଞ୍ଚୁ ଆତ୍ମାରୁ ଜାତ ହୋଇଲେ ପଞ୍ଚୁ ଯେ ପାଣ୍ଡବେ ।୪୧୫।

ବଇବସୁତ ମନୁ ଯେ ଅଗସ୍ତିଂକି ପୁଚ୍ଛାକଲେ

ସେ ବ୍ୟାଘ୍ର ଗଜ ପୁଣ କେ କେ’ଟି ହୋଇଥିଲେ ।୪୧୬।

ଅଗସ୍ତି ବୋଇଲେ ହୋ ୟେ ଅସଂକ୍ଷେପ ଶାସ୍ରକଥା

ସିନ୍ଧୁରେଣୁ ଗଣିବାକୁ କେହୁ ସେ ସାମରଥା ।୪୧୭।

ମୁହିଂ କବିପଣ କଲି ହୋ ସାରଳାଂକ ପ୍ରସନ୍ନେ

ମୋତେ ଯେତେ ଦୃଶ୍ୟ ହୋଇଲା ମୁଂ କଲଇ ଲେଖନେ ।୪୧୮।

ଅଥବା ଦେଖାଉଅଛି ମୁଂ ଠିକ ଠିକ କରି

ସଂସାର ଜନ ବୋଧ ନିମନ୍ତେଣ ମୁହିଂ ସିନା ଡରି ।୪୧୯।

କେବଳ ସାରଳା ପ୍ରସନ୍ନେ ବ୍ରହ୍ମଗ୍ୟାଂନ

ଅସଂକ୍ଷେପ ଅଗାଦ ୟେ ମହାବାରଥ ଆଖ୍ୟାନ ।୪୨୦।

ଅଭୟେ ଅପୂର୍ଣ୍ଣା ଯେ ଜଙ୍ଖେର ପୁରବାସୀ

ଅସଂଖ୍ୟ ହେଉଅଛିଟି ମୋତେ ସଖ୍ୟକରି ଦିଅସି ।୪୨୧।

ସର୍ବ ମଙ୍ଗଳା ମାଗୋ ଯାହାର ନାମଗୋଟି

ଦଧି ସମୁଦ୍ର ଯେହ୍ନେ ଶ୍ୱେତ କମଳ ଫୁଟି ।୪୨୨।

ନିଧଉତ ନିର୍ମଳ ଶଉଚ ଯାହାର ପରକୃତି

ବସନ୍ତ କାଳେ ଯେହ୍ନେ ମଳୟ ବହନ୍ତି ।୪୨୩।

ତୁହି ମାତ ଗୋ ସର୍ବସିଦ୍ଧି ଋଦ୍ଧି ବୃଦ୍ଧି ନିଧି

ତୋହୋର ପ୍ରସନ୍ନେ ତରିବି ଦୁସହ ପୟୋଧି ।୪୨୪।

ଭ୍ରଥ ଖଣ୍ଡ ମଣ୍ଡଣି ଗୋ ଅଭୟେ ଅପର୍ଣ୍ଣା

ଦଇତବଳ ନିଶୋଧିନୀ ଗୋ ତୁ ବ୍ରହ୍ମ ଯୋଗୀ ସିନା ।୪୨୫।

ନୟନେ ଦେଖଇ ଗୋ ମୁଂ ଲିହଇ ଶାସ୍ର ଯୋଗେ

ୟେ ବିରାଟ ପର୍ବକୁ ବଞ୍ଚାଇଲି ଶ୍ଲୋକକୁ ଗୀତବାଗେ ।୪୨୬।

ଶ୍ରୀ ସିଦ୍ଧ ସାରୋଳା ଗୋ ପ୍ରସନ୍ନବଦନୀ

କଉତୁକେ ଖେଳଇ ଯେ ବାଳୁତ ରୂପ ଘେନି ।୪୨୭।

କଳିକାଳ ଧ୍ୱଂସିନୀ ଗୋ ଆନନ୍ଦନନ୍ଦିନୀ

ସଦା ସର୍ବଦା ଗୋ ତବ ଚରଣେ ଦୟିନୀ ।୪୨୮।

ମମହୃଦେ ବିଶ୍ରାମ ଗୋ ନର୍ମଦା ସରସ୍ୱତୀ

ସଞ୍ଜୀବନୀ ନାଥକୁ ଗୋ ଯେମନ୍ତେ ନୋହେ ଭୀତି ।୪୨୯।

ମୁକ୍ତିବନ୍ତ ନାଥ ସେ ଯେ ଅନାଦି ଶ୍ରୀପତି

ନିରାକାର ବ୍ରହ୍ମ ସେ ଯେ ଅଟେ ସ୍ଥୂଳଜ୍ୟୋତି ।୪୩୦।

ଜନ୍ମେଣ ମୂର୍ଖ ମୁଂ ଗୋ ଅପଣ୍ଡିତ ଅଗ୍ୟାଂନ

ଶୂଦ୍ରମୁନି ସାରୋଳ ଦାସକୁ ଦିଅ ଗ୍ୟାଂନ ଦାନ ।୪୩୧।

ବଦୟନ୍ତି ଅଗସ୍ତି ଯେ ବିଲଂକା ଦେଶର ରାଜା

ଠୁଳଋଷି ଗର୍ଭେ ପଶିଥିଲେ ଯେ ବାସବ ତନୁଜ ।୪୩୨।

ଅନେକ ବାତୁଳ ଭାବ ସେ କରାଇଲେ ମୁନିଂକି

ଅବିରତେ ଶୃଙ୍ଗାର କଲେ ସେ ଧରିଣ ମୃଗୁଣୀକି ।୪୩୩।

ଯେତେ ତିରୀଲିଙ୍ଗ ବନେ ପାବନ୍ତି ତପଚାରୀ

ଅବିଚ୍ଛନ୍ନେ ଶୃଙ୍ଗାର ସେ କରଇ ନ ବିଚାରି ।୪୩୪।

ଭାଦ୍ରବ ମାସ ଶୁକଳପକ୍ଷ ଯେ ଚଉଠୀର ଦିନ

ଠୁଳ ଋଷି ପଶିଲେ ଯେ ଦଣ୍ଡକା ଅରଣ୍ୟ ।୪୩୫।

ହିରଣ୍ୟଗିରି ପର୍ବତେ ଯେ ନିଦ୍ରାଗଲେ ଠୁଳଯତି

ଗର୍ଭୁଂ ବାହାର ହୋଇଲେ ବାସବର ସନ୍ତତି ।୪୩୬।

ବ୍ରହ୍ମାଣ୍ଡ ଘୋଟିଲା ତେଜ ମୁନିଂକର ତାହାଂକର ଯାନ୍ତେ

କାହିଂକି ଯାଉଛ ଆରେ ନାଶ କରି ମୋତେ ।୪୩୭।

ଦୁଖେଣ ଅରଜିଲା ତପ ମୋହୋର ଯେ ଭାଞ୍ଜ

ଆରେ ବେନିଭ୍ରାଥ ତୁମ୍ଭେ ହୋଅ ଅରଣ୍ୟେ ବ୍ୟାଘ୍ରଗଜ ।୪୩୮।

କରପତ୍ର ଯୋଡ଼ିଣ ଯେ ବୋଲନ୍ତି କୁମରେ

ମୋକ୍ଷକଇଂ କାରଣ ଆମ୍ଭନ୍ତ ହାଦେ ଦେବାକ ମୁନିବରେ ।୪୩୯।

ମହା ବ୍ରହ୍ମଋଷି ସେ ବୋଇଲେ ବଇରାଗେ

ତୁମ୍ଭେ ଦୁହେଂ ମୋକ୍ଷ ହୋଇବ ରେ ଚଉବିଂଶ ଯୁଗେ ।୪୪୦।

ଘଟ କଲସ ବୋଲିଣ ହୋଇବ ଦ୍ୱାପର ଯୁଗେ

ଜମ୍ବଭେଦୀ ନାମେ ଇନ୍ଦ୍ର ବସିବ ଅମର ସ୍ୱର୍ଗେ ।୪୪୧।

ପଦ୍ମଯୋନି ନାମେ ବ୍ରହ୍ମା କୀର୍ତ୍ତିକା ନାମେ ଯମ

ଯୁଗାନ୍ତକ ନାମେ କାଳ ବ୍ୟତିପାତ ନାମେ ଧର୍ମ ।୪୪୨।

ଅନନ୍ତ ନାମେଣ ଆଦିତ୍ୟ କାମ୍ୟେକ ନାମେଣ ନିଶାପତି

ଜୀବିତ ନାମେଣ ମନ୍ତ୍ରୀ ପାବକ ନାମେ ବହତି ।୪୪୩।

ଶୋହୋଇ ନାମେ ପୃଥୀ ହୋଇବ ଭୂଅଭାଗେ

ମର୍ତ୍ତ୍ୟପୁରେ ଯାତ ଯେ ହୋଇଥିବ ତୁମ୍ଭେ ।୪୪୪।

ସୋମବଂଶର ରାଜା ହୋଇବେ ଧର୍ମର ନନ୍ଦନେ

ମହାଧର୍ମ ସେ ସାଧିବେ ବିଦ୍ୟମାନେ ।୪୪୫।

ଦ୍ୱାପର ଯୁଗ ଆଠଲକ୍ଷ ଚଉଷଠି ସହସ୍ର ବରଷ ଅନ୍ତେ

ବଇବସୁତ ମନୁର ଯୁଗଭୋଗ ୟେ ଲେଖନ୍ତେ ।୪୪୬।

ସେ ଦ୍ୱାପର ଅନ୍ତେ ଯେ ସୁକୁମାର ସମ୍ୱତ୍ସରେ

ଯୁଝେଷ୍ଠି ଅଗ୍ୟାଂତ ବାସ ବିରାଟ ରାଇଜରେ ।୪୪୭।

ଜାରାନାମେ ଶବର ଯେ ଅଙ୍ଗଦ ଅଟଇ ପୂର୍ବେ

ସେ ତୁମ୍ଭନ୍ତ ଧରିନେବ ମତ୍ସାଧିପ ଆଗେ ।୪୪୮।

ଗଜକଇଂ ବ୍ୟାଘ୍ର ଯେ କରିବ ଜାଣ ପ୍ରାଣେ ବଧ

ବ୍ୟାଘ୍ର ପ୍ରାଣ ନାଶିବ ଭୀମ କରିଣ ମାଲଯୁଦ୍ଧ ।୪୪୯।

ସେ ପାଣ୍ଡବେ ତୁମ୍ଭର ସହୋଦ୍ର ଅଟନ୍ତି ଯୁଗତେ

ଭୀମସେନ ପ୍ରହାରେ ଯୁଝେଷ୍ଠି ଦ୍ରଶନେ ତୁମ୍ଭେ ଆସିବ ସ୍ୱର୍ଗପଥେ ।୪୫୦।

ୟେସନେକ ଚରିତ ସେ ପୂର୍ବର ଆଦିକଥା

ଶୁଣ ହୋ ମନୁରାଜା ପୁଚ୍ଛିଲୁ ଯେ ଗଜ ବ୍ୟାଘ୍ରର ବାରତା ।୪୫୧।

ବାସବର ନନ୍ଦନ ଯେ ଶାପ୍ୟ ପାଇଥିଲେ

ମୋକ୍ଷ ହୋଇଣ ସେ ଅମର ସ୍ୱର୍ଗକଇଂ ଗଲେ ।୪୫୨।

ବଇବସୁତ ମନୁ ବୋଇଲା ଗଜ ବ୍ୟାଘ୍ର ବଧଅନ୍ତେ

ବିରାଟ ସମରାଜ୍ୟ ଲୋକେ ହୋଇଲେ ତୋଷଚିତ୍ତେ ।୪୫୩।

କିରାତ ହାକଇ ଆସ ଆସ ହୋ ରାୟେ ମତ୍ସେ

ତୋହୋର ରିପୁକୁ ସୂପକାର ନାଶିଲା ପ୍ରତକ୍ଷେ ।୪୫୪।

ସମସ୍ତ ବାରତା ଜାରା କହିଲା ଭୀମକୁ

ବ୍ରିକୋଦର ବୋଇଲା ପ୍ରଣପତ୍ୟ ହୋଇବି କି ତୁକୁ ।୪୫୫।

ଜାରାଶବର ବୋଇଲା ବାବୁ ନୋହୋଇ ବିହିତ

ତୁମ୍ଭେ ମୋହୋର ତାତ ଯେ ମୁହିଂ ତୁମ୍ଭର ସୁତ ।୪୫୬।

ଭୀମସେନ ବୋଇଲା ମୁଂ ନ ବୁଝିଲି ୟେହା

ସୁଗ୍ୟାଂନୀ ପଣ୍ଡିତ ତୁ ସେ କହ ପୁଣ୍ୟଦେହା ।୪୫୭।

କିରାତ ହୋଇଲା ସତ୍ୟଯୁଗେ କେତୁ ଯେ ମଙ୍ଗଳ

ତ୍ରେତୟା ଯୁଗେ ବାଳୀ ସୁଗ୍ରୀ ମହାବଳ ।୪୫୮।

ଦ୍ୱାପର ଯୁଗେ ୟେବେ ଭୀମ ଦୁଶାସନ

ବାଳୀ ସୁଗ୍ରୀ ଅବତାରେ ଅଙ୍ଗଦ ମୁଂ ଅଟଇ ତୁମ୍ଭର ନାନ ।୪୫୯।

ୟେବେ ମୋହୋର ପିତା ଶତଶୃଙ୍ଗେ ଖଟିଥିଲା ପଣ୍ଡୁଂକୁ

ମୁହିଂ ଭକତି ଭାବେ ୟେବେ ଖଟିବି ତୁମ୍ଭଂକୁ ।୪୬୦।

ତୁମ୍ଭେ ଯେ ଭୀମସେନ ବଲ୍ଲବ ସୂପକାର

ଲୋକିତ କର୍ମେ ବ୍ରାହ୍ମଣ ରୂପକୁ ନମସ୍କାର ମୋହୋର ।୪୬୧।

ଆଦିହୁଂ ବ୍ରାହ୍ଣଣ ଅଟ ବ୍ୟାସବଂଶ

କଉରବ ପାଣ୍ଡବ ତୁମ୍ଭେ ଅଟ ହୋ ସୋମବଂଶ ।୪୬୨।

ଭୀମ କିରାତ କଥା ସରିଲା ଯହୁଂ ବାଣୀ

ଭୀମସେନ ତୂଷ୍ଣୀ ହୋଇ ସୁମରଇ ଚକ୍ରପାଣି ।୪୬୩।

ବ୍ୟାଘ୍ରର ବଧ ଦେଖି ଯେ ବିରାଟ ରାଜନେ

ଜଗତୀରୁ ଓହ୍ଲାଇ ରାଜା ବିଜୟେ ଆସ୍ତାନେ ।୪୬୪।

ଆସ ଆସ ସୂପକାର ହୋ ୟେହେନେକ ତୁମ୍ଭର ମହିଂମା

ୟେ ମଧ୍ୟସ୍ୱର୍ଗରେ ବାବୁ ତୋହୋର ଗାରିମା ।୪୬୫।

ତୁହି ସେ ରକ୍ଷାକଲୁ ମୋହୋର ରାଜ୍ୟର ଉତପାତ

ମହାଭୟରୁ ରକ୍ଷାକଲୁ ତୁ ଆମ୍ଭନ୍ତ ।୪୬୬।

ଆପଣା ଶରୀରେ ଯେତେକ ରତ୍ନ ଅଳଂକାର ଥିଲା

ବଲ୍ଲବ ଶରୀରେ ସମସ୍ତ ଆଭରଣ କଲା ।୪୬୭।

ଅପାର ଧନବସ୍ର ଘେନିଣ ବୋଇଲେ ମତ୍ସନାଥେ

ବଲ୍ଲବକଇଂ ପାତ୍ରପଣେ ଶାଢ଼ୀ ଦିଅ ହୋ କୁନ୍ତେ ।୪୬୮।

ଶ୍ରୀହସ୍ତେ କୋନ୍ତେ ୟେ ଆପଣେ ବଲ୍ଲବକୁ ଦିଲେ ଶାଢ଼ୀ

ବୋଇଲେ ରୋଷୁଅ ଘରେ ହୁଅ ତୁ ସୂପକାର ଅଧିକାରୀ ।୪୬୯।

ଅନେକ ପ୍ରଶଂସା ଯେ କରନ୍ତି ରାଜ୍ୟଲୋକେ

ସାଧୁ ସାଧୁ ସୂପକାର ମହିମାଂ ତୋହୋର ତ୍ରଇଲୋକେ ।୪୭୦।

ବିରାଟ ବୋଇଲା ତୋହ ପରା ଜଣେ ଥିଲେ

ପୃଥିବୀ ଜିଣିପାରେ ମୋହୋର ସେ ବଳେ ।୪୭୧।

ମନେଣ ଅନେକ ସାନନ୍ଦ ସେ ହୋଇଲା ବ୍ରିକୋଦର

ସ୍ୱଇଚ୍ଛାୟେ ରହିଲା ଯାଇଂ ସେ ପବନ କୁମାର ।୪୭୨।୨୪୮୭।

 

Unknown

ଭୀମଙ୍କ ସହିତ ପ୍ରଦେଶୀ ମଲ୍ଲର ଯୁଦ୍ଧ ଓ ତାହାର ମୃତ୍ୟୁ

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ବ୍ୟାଘ୍ରକଇଂ ବଧକଲା ସେ ପବନର ତନୁ ।୧।

କେହି ଜାଣନ୍ତା ନୋହିଲେ ସେ ବ୍ୟାଘ୍ର ମାଇଲା ଗୋପ୍ୟାନେ

ଶାଢ଼ୀପାଇ ଭୀମସେନ ଗଲା ରୋଷୁଅ ସ୍ତାନେ ।୨।

ମନୁ ପୁଚ୍ଛାକଲେ ଆର କିସ କଲା ଯୁଦ୍ଧ

ଅଗସ୍ତି ବୋଇଲେ ପୁଣି ମାଲେକ କଲା ବଧ ।୩।

କାହିଂର ମାଲ ସେ ହାଦେ କେବଣ ପୁରେ ଥିଲା

ବଲ୍ଲବର ତାହାର କାହିଂ ଭେଟ ଯେ ହୋଇଲା ।୪।

ଅଗସ୍ତି ବୋଇଲେ ସତ୍ୟଯୁଗେ ମହାରାଜ ବଳୀ

ଅଶିଖର୍ବ ମାଲ ଘେନି ସେ ସାଧିଲା ମହୀଆଳୀ ।୫।

ବାମନରୂପୀ ନାରୟଣ ଧରି ବିଶ୍ୱମୃତ୍ତି

ଚାପନ୍ତେଣ ବଳୀ ସେ ଗଲା ରାସାଂଗତି ।୬।

ମାଲମାନେ ଧଇଲେ ସେ ବାବନର ଜାନୁ

ଚରଣ ଉପାଡ଼ି ଲୋଡ଼ିଲେ କୁରୁଶାନୁ ।୭।

ରୋମମୂଳ ଉତସଲ୍ୟ ଯହୁଂ କଲେକ ବାମନ

ଅନେକ ଦୂରେ ପଡ଼ିଲେ ବଳୀର ମାଲମାନ ।୮।

ବୀର ଚୋଡ଼ଙ୍ଗ ବୋଲିଣ ନଗ୍ର ପଛିମ କୋଣେ

ବଜ୍ରବାହୁ ମାଲ ପଡ଼ିଲା ସେ ନବସହସ୍ର ଯୋଜନେ ।୯।

ପଞ୍ଚଦଶ ଯୋଜନ ଅଟଇ ସେ କଟକର ସ୍ଥଳୀ

ସେ ମାଲ ପଡ଼ିଲା ତହିଂ ପଞ୍ଚଯୋଜନ ଉଗୁଳି ।୧୦।

ମନ୍ଦର ପର୍ବତ ଯେହ୍ନେ ପଡ଼ିଲାକ ଉଡ଼ି

ମାଲ ପଡ଼ନ୍ତେ ବିଂଶ ଯୋଜନ ହୋଇଲାକ ଚୂରି ।୧୧।

ଜନ ମଣିଷ ଆଦି ହୋଇ ନ ରହିଲା କିଛି

ୟେକା ବଜ୍ର ମହାମଲ୍ଲ ତହିଂ ପଡ଼ିଅଛି ।୧୨।

ସେ ବଜ୍ରବାହୁର ନନ୍ଦନ ଅମୟବାହୁ ବୀରା

ମେଦିନୀ ନ ସହଇ ସେ ମାଲଂକର ଭାରା ।୧୩।

ଅମୟେ ମାଲକୁ ସେ ମାଇଲା ହନୁମନ୍ତ

ରଣକେଶରୀ ବୋଲି ତାହାକଂର ନିଜ ସୁତ ।୧୪।

ରଣକେଶରୀ ପୁତ୍ର ପୃଥୁ କେଶରୀ ମଲ୍ଲ

ହରିଣକେଶରୀ ନାମେ ୟେହାର ଦୁଲାଳ ।୧୫।

ସେ ହରିଣକେଶରୀ ନନ୍ଦନ ମହୀକେଶରୀ ମଲ୍ଲ

ଜିଣିଣ ଦିଗପାଳ କଲା ସକଳ ସମତୁଲ ।୧୬।

ମହୀକେଶରୀ ପୁତ୍ର ସେ ମେରୁକେଶରୀ ବୀରା

ୟେହାର ମୁଥାଘାତେ ଖଣ୍ଡଗିରି ହୋଇଲା ଶତେଚୂରା ।୧୭।

ମେରୁକେଶରୀର ପୁତ୍ର ପ୍ରଚଣ୍ଡ କେଶରୀ

ପୃଥୀର ମାଲନ୍ତ ୟେ ଜିଣିଲା ସର୍ବ ଧରି ।୧୮।

ପ୍ରଚଣ୍ଡ କେଶରୀରର ପୁତ୍ର ଯେ ଦୁର୍ଦଣ୍ଡ କେଶରୀ

ଗଗନକେଶରୀ ବୋଲି ୟେହାର ପୁତ୍ର ଅବତରି ।୧୯।

ତାହାର ପୁତ୍ରର ନାମ ଆକାଶ କେଶରୀ

ଆକାଶ କେଶରୀ ପୁତ୍ର ପାତାଳ କେଶରୀ ।୨୦।

ପାତାଳକେଶରୀ ପୁତ୍ର ଚନ୍ଦ୍ର ଯେ କେଶରୀ

ଚନ୍ଦ୍ରକେଶରୀର ପୁତ୍ର ପଦ୍ମ ଯେ କେଶରୀ ।୨୧।

ପଦ୍ମକେଶରୀର ପୁତ୍ର ବିକ୍ରମକେଶରୀ

ୟେମନ୍ତେ ମାଲବଂଶ କେ ପାରେ ଲେଖାକରି ।୨୨।

ୟେହୁ ସେ ବୋଲାବଇ ପ୍ରତଗ୍ୟାଂ ମାଲରାଜା

ୟେହାର ନନ୍ଦନ ମାଲ ଯମ ଅନର୍ଗଳ ଭଂଜା ।୨୩।

ୟେହାର ନନ୍ଦନ ମାଲ ସୁବାହୁ କେଶରୀ

ୟେହାର ନନ୍ଦନ ଯେ ଗଜଦର୍ପ କେଶରୀ ବୋଲି ନାମ ଧରି ।୨୪।

ପ୍ରତାପୀ ମାଲ ସେ ଯେ ଜମ୍ବୁଦୀପର ମଧ୍ୟେ

ତାହାର ସରି ତିନିମାଲ ମାଇଲାନି ଯୁଦ୍ଧେ ।୨୫।

କନ୍ୟାମାସ କୃଷ୍ଣପକ୍ଷ ଅଷ୍ଟମୀର ତିଥି

ଭୃଗୁବାର ଆରଦ୍ରା ନକ୍ଷତ୍ର ଯୁଗତି ।୨୬।

ସେ ଦିନ ମାଲ ଆସଇ ଦଣ୍ଡ ଚଢ଼ିକରି

ଅହିବ୍ରତେକ ମାଲ ଅଛଇ ତୁଲେଣ ତାହାରି ।୨୭।

ପ୍ରତଗ୍ୟାଂ ଆରମ୍ଭେଣ ଅପାର ବାନା ବୀରଧୂ

ୟେକା ଜଣକେ ମନ୍ଥି ସେ ପାରଇ ସପ୍ତସିନ୍ଧୁ ।୨୮।

ମନ୍ଦର ପର୍ବତନ୍ତ ସେ ଉପାଡ଼ି ପାରଇ ବାମହାଥେ

ହେମବନ୍ତ ଅଚଳ ସେ ଚାଳି ପାରଇ ମାଥେ ।୨୯।

ବୀର ଦାଉଣ୍ଡିମାନେ ଯେ ବୀରମର୍ଦ୍ଦଳ ବୀର ଢୋଲ

ବିଜିଘୋଷ ନିଶାଣ ବଜାନ୍ତି ବୀରମଲ୍ଲ ।୩୦।

ବୀର କାହାଳୀ ବୀରଧୁନି ବୀରନେତ ଯେ ଉଡ଼ଇ ଚଉପାଶ

ବିଲମ୍ବ ଆଲମ୍ବ ଚିରାଳ ଉଲାଖ ଉଡ଼ନ୍ତି ଆକାଶ ।୩୧।

ବୀରନେତ ବାନା ଯାର ବନ୍ଧନ ଭୂଜଗତ

ଅସୁର ବଳ ପ୍ରାୟେକ ସେ ଦିଶନ୍ତି ସାକ୍ଷାତ ।୩୨।

ନିକଳଂକ ତମ୍ବାଚକ୍ର ଜାଣି ମାଲର ବେନିଆଖି

ମଚ୍ଛ ରାଇଜ ଲୋକେ ଭୟେକଲେ ତାକୁ ଦେଖି ।୩୩।

ତିରଣ ଯୋଗେ ଯେହ୍ନେ ଅଗ୍ନି ଜଳିଉଠି

ତ୍ରିକୂଟ ପର୍ବତ ଜାଣି ମାଲର ବେନିମୁଷ୍ଟି ।୩୪।

ତମ୍ବାର ଡିଙ୍ଗର ଜାଣି ଦିଶଇ ମାଲର ତନୁ

ଦଶଭୁଜ ଭୁଜେ କୁଣ୍ଢକଲେ ନ ପାଇ ତାର ଜାନୁ ।୩୫।

କେଶରୀ ଆକ୍ରଷଣ ଜାଣି ମାଲର ବେନିଭୁଜ

କାଳାନଳ ଜାଣି ବିରାଜଇ ମାଲର ହାଦେ ତେଜ ।୩୬।

ଗଜଦର୍ପ ମାଲ ପ୍ରବେଶ ମତ୍ସରାଜ୍ୟେ

ଦେଖିଣ ସର୍ବଜନେ ହୋଇଲେ ଆଶ୍ରିଜେ ।୩୭।

କୃତାନ୍ତେକ ତେଜ ପ୍ରାୟେ ଦେଖିଲେ ମତ୍ସଦେଶର ଲୋକେ

ମାଲ ମହାଗିରି ଯେ ଚଳଇ ମହାମତ୍ତ ଗର୍ବକେ ।୩୮।

ଭୟେଣ ବେନିଭାଗ ହୋଇଲେ ନରଲୋକେ

ଦେଖିଣ ଆଶ୍ରିଜ ଯେ ହୋଇଲେ ମହାଦୁଖେ ।୩୯।

ଆସ୍ତାନ ତଳେ ମାଲ ହୋଇଲା ପ୍ରବେଶ

ବାହାସ୍ଫୋଟ ଦେଇଣ ହାମ୍ପୋଡ଼ନ୍ତେ କମ୍ପିଲା ଆକାଶ ।୪୦।

ଭୂମିକି ଆକ୍ରେଷିଣ ସେ କଲାକ ଠିଆଠାଣ

ୟେକାଘାନ୍ତି କଲା ସେ ଚଉରାଶି ବିନ୍ଧାଣ ।୪୧।

ଅଧର ପୁଷ୍ଟକରି ସେ ଚାପିଲା ଦନ୍ତପାଟି

ଭୟେଣ ଆସ୍ତାନ ତେଜଇ ମଚ୍ଛପତି ।୪୨।

ଆରେ ଆରେ ବୋଲିକରି ହାମ୍ପୋରିଲା ବେନିବାହୁ

ଅତିଚାର ବକ୍ରେ ଯେହ୍ନେ ଚଳିଲାକ ରାହୁ ।୪୩।

ବିରାଟ ପଚାରଇ ମାଲ ତୁ କେବଣହିଂ ଦେଶୀ

ମାଲ ବୋଇଲା ମୁଂ ଆଦିମାଲ ଅଟଇ ବଳୀବଂଶୀ ।୪୪।

ଉପର ବଂଶର ବାରତା ଯହୁଂ ସଞ୍ଚପି କହିଲାକ ସବୁ

ବିରାଟ ବୋଇଲା ମାଲ ୟେଥେ ରହିବୁନା ଯିବୁ ।୪୫।

ମାଲ ବୋଇଲା ମୁଂ ପ୍ରଦେଶୀ ମାଲ ଅନର୍ଗଳା

ଶତେସିଂଘର ପ୍ରାକର୍ମ ଯେ କିଞ୍ଚକ ତୋର ଶଳା ।୪୬।

ଲକ୍ଷେ ଜୁଣ ପଶି ତିନିମାଲ କଲି ବଧ

ୟେବେ କୀଞ୍ଚକର ତୁଲେ କରିବଇଂ ମାଲଯୁଦ୍ଧ ।୪୭।

ମେଲିଦେ କୀଞ୍ଚେକ ସମର କରୁ ମୋର ତୁଲେ

ଚତୁର୍ଦ୍ଦିଗେ ଛତ୍ରୀ ଧରାଇବ ସେ ମୋତେ ଯେ ଜିଣିଲେ ।୪୮।

ମୁହିଂ ତାକୁ ସମରେ ପାରଇ ଯେବେ ମାରି

ଆଉର ଜମ୍ବୁଦୀପେ କେ ଅଛି ମୋତେ ସରି ।୪୯।

ଭୂଇଂ ଛୁଇଂ ଶର୍ବଣ ଛୁଅଇଂ ମଚ୍ଛପତି

ତୋହୋର ତୁଲେ ମୋହୋର ସମର କିସ ଯେ ଯୁଗତି ।୫୦।

କୀଞ୍ଚେକର ବାହୁବଳେ ମୋହୋର ରାଜ୍ୟଭାର

ଯାହାର ଭୟେ ପଳାଇଲା ରାଜା ତ୍ରିଗର୍ତ୍ତ ନୃପବର ।୫୧।

ପରରାଜ୍ୟ ମାରି ମୋତେ ରାଜଭୋଗ୍ୟ ସେ କରାଇ

ଦୁହାଂଳ ଦୁଇ ପଦ୍ମ ମୋର ବରଡ଼ ବାରଲକ୍ଷ ଗାଈ ।୫୨।

ୟେତେକ ଭୋଗ୍ୟ କରଇ ଯାହାର ପରସାଦେ

ତାହାକୁ ପେଷିବି କିଂପେ ୟେଡ଼େକ ପରମାଦେ ।୫୩।

ବିରାଟ ବୋଇଲା ମାଲ ବାହୁଡ଼ି ଯାଆ ଯା ଆନ ରାଜ୍ୟକୁ

ମୋହୋର ବେଳେ ପେଷି ନୋହୋଇ କୀଞ୍ଚେକକୁ ।୫୪।

ମାଲ ବୋଇଲା କୀଞ୍ଚେକ ମୋର ତୁଲେ ଯୁଦ୍ଧ ନ କଲେ

ୟେ ତୋହୋର ରାଜ୍ୟରୁ ମୁହିଂ କି ଯାଇ ଭଲେ ।୫୫।

ଦେଶ ଉଜାଡ଼ିବି ମାରିବି ଜୀବଜନ୍ତୁ ପରଜାନ୍ତ

ଅଶ୍ଵଶାଳ ଗଜଶାଳ ଭାଞ୍ଜି କରିବି ଧୂମାନ୍ତ ।୫୬।

ଯେଣେ କ୍ଷଣେ ମାଲ କୋପକଲାକ କହୁଂ କହୁଂ

କୋନ୍ତେ ବୋଇଲେ ବିରାଟେ ୟେକାନ୍ତେ ତୋତେ କହୁଂ ।୫୭।

ରାଜ୍ୟ କରୁଥିଲେ ହୁଅଇ ଅପାର କଉତୁକ

ଅରଷ୍ଟି ଆପାଦ ଯେ ପଡ଼ଇ ଅନେକ ।୫୮।

କିଂପାଇ ଆନେ ଦିଅଇ ରାଜ୍ୟଭାର

ନୀତି ଅନୀତି ସବୁ ରାଜ୍ୟର ଉପର ।୫୯।

ୟେ ମାଲ ଯଦ୍ୟପି ୟେଥୁ ବାହୁଡ଼ିଣ ଯିବ

ତ୍ରିଗର୍ତ୍ତକଇଂ ଘେନିଣ ୟେ ଅବଶ୍ୟ ବାହିବ ।୬୦।

ୟେତେବେଳେ ନ ଭାଞ୍ଜିଲେ ତେତେବେଳେ କିସ କରି

ଯେଉଂଣସି ପରକାରେ ହୋୟେ ୟେହାକୁହିଂ ମାରି ।୬୧।

ଶତେସିଂଘର ପ୍ରାକର୍ମ ଯେବଣ କୀଞ୍ଚେକ ସେନାପତି

ମାଲ ଛାର ପ୍ରାକର୍ମକୁ ସେ ୟେବେ ନିକି କରଇ ଭୀତି ।୬୨।

ବିରାଟ ବୋଇଲା ହୋ ଶୁଣିମା ଦେବ କୋନ୍ତେ

କିଛିହିଂ ଲାଜ ନାହିଂ ହୋ ୟେମାଲ ବାହୁଡ଼ନ୍ତେ ।୬୩।

କୋନ୍ତେ ବୋଇଲେ ମାଲ ତୁ ଯେବେ ଅଇଲୁ ସମର କରି

ବିଚାର କହିବା ତୁ ରହିଥାଅ ଦିନାଚାରି ।୬୪।

କୋନ୍ତେ ବୋଇଲେ ରାୟେ ଆଗ୍ୟାଂଦିଅ ବଲ୍ଲବକୁ

ଅନ୍ନ ଦେଉଥାଉ ୟେ ପ୍ରଦେଶୀ ମାଲକୁ ।୬୫।

ଦିନା ଚାରି ପଞ୍ଚ ମାଲ ହୋ ବିଶ୍ରାମ ୟେଥି କର

କିଛିହିଂ ଅନ୍ତର ନାହିଂ ତୋତେ ଦିଆଇବା ସମର ।୬୬।

ବିରାଟ ଆଗ୍ୟାଂ ଦିଲା ରାଇଣ ମୁନେହିଂକି

ୟେ ମାଲକୁ ଘେନିଯାଅ ବଲ୍ଲବ ତହିଂକି ।୬୭।

ବୋଲିବ ଅହିବ୍ରତେକ ମାଲ ଘେନି ଆସିଛି ୟେ ପ୍ରଦେଶୀ ମାଲ

ୟେହାକୁ ଦିନା ଚାରି ପାଞ୍ଚ ଯୋଗାଡ଼ ଦେଉଥିବୁ ଭଲ ଭଲ ।୬୮।

ରାଜାର ଆଗ୍ୟାଂୟେ ମାଲକୁ ଗଲେ ଘେନି

ଚାରଗଣ କରନ୍ତି ଯେ ବିନୟ ଦଇନି ।୬୯।

ଗୋସାଇଂ ସୂପକାର ହୋ ପରିଚ୍ଛା ବଲ୍ଲବ

ଠାକୁରଂକୁ ଆଗ୍ୟାଂୟେ ପ୍ରଦେଶୀ ମାଲକୁ ଯୋଗାଣ ଦେଉଥିବ ।୭୦।

ବହୁତ ଦୂର ଦେଶୀ ଜାଣ ୟେ ପରଦେଶୀ ମାଲ

ନିନ୍ଦା ହୋଇବଟି ଯୋଗାଣ ଦେଉଥିବ ଭଲ ।୭୧।

ବଲ୍ଲବ ବୋଇଲା କ୍ଷଣକେ ହୋ ରହ ମାଲଭାଇ

ବୀର ବିଧାନ ଯୋଗାଡ଼ ଭିଆଇଂଣ ଦେବଇଂ ।୭୨।

ଧାନ ଉଷୁଂଇଲା ଯେ ଶତେକ ପଉଟି

ଚାଞ୍ଚଡ଼ା ଉପରେ ସେ କୁଢ଼ାଇଲା ମେଦଗୋଟି ।୭୩।

ମୁଗୁନି ପାଟ ପଥର ମୁଥେକ ମାରି କଲା ଚୂନା

ପେଜରେ ଫୁଟାଇ ତାହା କଲାକ ମେଞ୍ଚନା ।୭୪।

ବସ ହୋ ମାଲ ତୋହୋର ତୁଲେ ଯେତେ ଗୋଟି

ୟେ ଭାତ ତିଉଣ ଭୁଞ୍ଚ ଯେତେକ ତୋତେ ଅଣ୍ଟି ।୭୫।

ପତର ପାଣି ଘେନି ମାଲ ଭୁଞ୍ଚିଣ ବସଇ

ବଲ୍ଲବ ସୂପକାର ନେଇଣ ପରଶଇ ।୭୬।

ଆହୋ ବଲ୍ଲବ ସୂପକାର ହୋଇ ୟେଡ଼େକ ନିଶଂକା

ଦେଖିଣ ମାଲବୀରେ ହୋଇଲେ ତାଟକା ।୭୭।

ମାଲ ବୋଇଲା ହୋ ପଣ୍ଡାୟେ ୟେ ଭୋଜନର କିସ ଯୁଗତି

ଆସରେ ପୁଣି ପାଷାଣ ହୋ ଭୋଜନ ନ କରନ୍ତି ।୭୮।

ବଲ୍ଲବ ବୋଇଲା ତୁ ୟେହା ଭୁଞ୍ଜି ଯେ ନୁଆରିଲେ

କେସନେକ ସମର ତୁ କରିବୁ କୀଞ୍ଚେକର ତୁଲେ ।୭୯।

ଲୁହା ଭାଞ୍ଜିଣ ଭୀମ ଗୋଟି ଗୋଟି କରି

ମାଲ ଦେଖନ୍ତେ ତାହା ଚୋବାଇ କଲା ଧୂଳି ।୮୦।

ବେନିଆଣ୍ଠୁ ମାଡ଼ି ସେ ବସିଲା ଭୟଂକର ମୃତ୍ତି

ଶତେପଉଟି ଧାନ ଭୁଞ୍ଜିଲା ମାରୁତି ତତକ୍ଷଣାନ୍ତି ।୮୧।

ପଥର ଭାଞ୍ଜିଣ ଯେତେକ କରିଥିଲା ତିଉଣ

ଶତେକ ନଉତି ତିଉଣ ଯେ ଭୁଞ୍ଜିଲା ବଲ୍ଲବ ବ୍ରାହ୍ମଣ ।୮୨।

ମାଲକୁ ଚାହିଂଣ ସେ ବୋଲଇ ଉତ୍ତର

କୀଞ୍ଚେକର ତୁଲେ ସମର କରିଲୋଡ଼ୁ ତୋହୋ ଛାର ।୮୩।

ମୁହିଂ ଯେ ତାହାର ସୂପକାର ବ୍ରାହ୍ମଣ ଅଟଇ

କଣକଳ୍ପ ବିଦ୍ୟା ମୁହିଂ ମାଲ ବିନ୍ଧାଣ ଜାଣଇ ।୮୪।

ଆହୋ ମାଲ ଆନଥାନେ ଯେ କୃଷିକାରୀ ଭେଣ୍ଡା

ଦେଶାନ୍ତର ଆଖଡ଼ାୟେ ସେ ଯେ ହୋଉଥାନ୍ତି ହେଣ୍ଡା ।୮୫।

ୟେମାନେ ଯେବେ ସୁସ୍ଥ ଭୋଜନେ କରନ୍ତି ଇଚ୍ଛା

ୟେହାଂକର ବପୁ ଖୀନ୍ନ ପ୍ରତଗ୍ୟାଂ ସବୁ ମିଛ ।୮୬।

ସୂପକାର ଚରିତ୍ର ଦେଖିଣ ବାହୁଡ଼ିଲା ମାଲ

ଆସ୍ତାନର ତଳେ ଯାଇଂ ନ କହଇ ଭଲ ।୮୭।

ଆହୋ ବିରାଟ ସୂପକାର ବୋଲି ତୁ ବୋଇଲୁ ଯାହାରେ

କେବଣ ବ୍ରହ୍ମ ରାକ୍ଷସଟି ଗୋପ୍ୟାନ ତୋହୋର ପୁରେ ।୮୮।

ରାନ୍ଧଣା ଚରିତ ତାର କହିତ କି ପାରି

କଞ୍ଚାଦାରୁ ଅଚିରା ଚୁଲୀରେ ନେଇ ଭରି ।୮୯।

ଅକଟା ଅବଟା ପରିବା ରୁଣ୍ଡ କରି ହାଥେ

ହାଣ୍ଡିରେ ପୂରୋଇ ବୋଲେ ୟେ ମୋହୋର ମେଞ୍ଜନ ଯୁଗତେ ।୯୦।

ମୁଗୁନି ପଥର ମୁଥେକ ମାରି କଲା ଚୂନା

ପେଜରେ ଫୁଟାଇ ତାହା କଲାକ ମେଞ୍ଜନା ।୯୧।

ଉଷୋଇଂ କଢ଼ୋଇଲା ଧାନ ଶତେକ ପଉଟି

ବୋଇଲା ଭୁଞ୍ଜ ହୋ ମାଲ ଯେତେକ ତୋତେ ଅଣ୍ଟି ।୯୨।

ମୁହିଂ ତାହା ହାଦେ ଦେଖି ହୋଇଲି ତାଟକା

ଆପଣେ ଭୋଜନ ତାହା କଲାକ ପୁଣ ୟେକା ।୯୩।

ୟେ କଥା ପରିମାଣି ବୁଝିବା ରାୟେ ମଚ୍ଛ

ୟେଡ଼େ ଦୁଷ୍ଟ ରାକ୍ଷସକୁ କିଂପେ ରଖିଅଛ ।୯୪।

ୟେକା ଦଣ୍ଡକେ ତୋହୋର ସମଦଣ୍ଡ କରିବ ସେ ଭକ୍ଷ

ନୋହିଲେ ସମର ତୁ ଦିଅରେ ପ୍ରତ୍ୟକ୍ଷ ।୯୫।

ବିରାଟ ଚାହିଂଲେ ତହୁଂ ସେ କୋନ୍ତଂକର ବଦନ

କୋନ୍ତେ ବୋଇଲେ ସେ ଜାଣଇ ରାନ୍ଧଣା ବିଧାନ ।୯୬।

କୋନ୍ତେ ବୋଇଲେ ଯହୁଂ ମାଲ କଥା ସେ ଶୁଣିଲା

ବୁଝିବ ବୋଲି ତୋହୋର ଗତି ପରୀକ୍ଷ ନେଲା ।୯୭।

ଭୀମସେନର ସୂପକାର ସେ ଅଟଇ ଯୁଗତେ

ମାଲମାନଂକୁ ସେ ଅନ୍ନ ଦିଅଇ ୟେହିମତେ ।୯୮।

ସୁପଂକୁ ଅନ୍ନ ଯେବେ ଭୁଞ୍ଜି ଲୋଡ଼ିବଟି ମାଲ

ରଜନୀ ବଞ୍ଚିବ ଯେବେ ସୁସ୍ତିରୀର ତୁଲ ।୯୯।

ଶୟନ କାଳେ ଯେବେ ଲୋଡ଼ିବ ସୁଶେଯ୍ୟା

ସେ କିସ ମାଲ ଯୁଦ୍ଧ ହୋ କରିବଟି ରାଜା ।୧୦୦।

ପୁଣିହିଂ କୋନ୍ତେ ବୋଇଲେ ମାଲହୋଇ ଯେବେ ହୋଅଇ ଭୋଗୀ

ଆଧାର ସ୍ରାଗେଣ ବ୍ରତଇଟି ଯେବଣ ରୋଗୀ ।୧୦୧।

ଯୋଗୀ ହୋଇ ଯେବେ ରମଣକୁ କରଇ ବାଞ୍ଛା

ବ୍ରାହ୍ମଣ ହୋଇ ଯେବେ ଦ୍ୱନ୍ଦେ କରଇ କକ୍ଷା ।୧୦୨।

ଛେଦକାର ଲୋକେ ଯେବେ ନିଦ୍ରା କରେ ବାଞ୍ଛା

ଉଚ୍ଚକଳନ୍ତର ଯେବେ ସାହୁକାର କରେ ଇଚ୍ଛା ।୧୦୩।

ତପୀ ହୋଇ ଯେବେ ଭୋଗେ କରଇ ଆଶ

ରିପୁର ଭୃତ୍ୟକଇଂ ଯେବେ ବଢ଼ାଇ ବିଶ୍ୱାସ ।୧୦୪।

ଛତ୍ରୀହୋଇ ଯେବେ ଲୋଡ଼ଇ ସୁଖଭୋଗ

ବଇଦ ହୋଇ ଯେବେ ନ ଚିହ୍ନଇ ରୋଗ ।୧୦୫।

ରୋଗୀ ହୋଇ ଯେବେ ଇଚ୍ଛଇ ସ୍ତିରୀଭୋଗ

ବନଜୀବ ହୋଇ ଯେବେ ସୁସ୍ୱାଦୁ ଆହାରକଇଂ ସ୍ରାଗ ।୧୦୬।

ବ୍ରାହ୍ମଣ ହୋଇ ଯେବେ ହୁଅଇ କ୍ରିୟାହୀନ

ୟେତେକ ଲୋକ ହୁଅନ୍ତି ଯେ ମୃତୁରେ ବନ୍ଧନ ।୧୦୭।

ଆଳସ୍ୟ ନିଦ୍ରା ଯେବେ କରଇ କର୍ମଯୋଗୀ

ପୁତ୍ରବନ୍ତ ହୋଇ ଯେବେ ବନ୍ଧ୍ୟାସ୍ତିରୀ ଭୋଗୀ ।୧୦୮।

ରାଜାହୋଇ ଯେବେ ଯୋଗ କରଇ ଚିନ୍ତା

ୟେତେ ଲୋକଂକୁ ହୋ ପଣ୍ଡିତ ନ କରନ୍ତି ଗଣିତା ।୧୦୯।

ସୁପଂକୁ ଅନ୍ନ ଯେବେ ଇଚ୍ଛା କରଇ ମାଲ

ମରଣ ସେ ଲୋଡ଼ୁ ଅଛି ନ କଲା କିଛି ଭଲ ।୧୧୦।

ଚଳ ହୋ ଚାରଗଣେ ଆମ୍ଭର ବାକ୍ୟ କହ

କୋନ୍ତଂକର ଆଗ୍ୟାଂ ହେଲା ୟେହାକୁ ଭଲ ଭୋଜନ ଦିଅ ।୧୧୧।

କୋନ୍ତଂକର ଆଗ୍ୟାଂ ପାଇ ଚଳିଲେ ଚାରଗଣେ

ବାରତା କହିଲେ ଯାଇଂ ବଲ୍ଲବ ବ୍ରାହ୍ମଣେ ।୧୧୨।

ଆହୋ ଯୁଦ୍ଧ ମାଗି ଆସିଅଛି ପରଦେଶୀ ମାଲ

କୋନ୍ତେ ବୋଇଲେ ୟେହାକଇଂ ଦେଉଥିବ ଅନ୍ନ ଭଲ ।୧୧୩।

କୋନ୍ତଂକର ଆଗ୍ୟାଂ ଯେ ପାଇଣ ପାବେନି

ମାଲକୁ ପରଶଇ ଅମୃତ ଯୋଗାଡ଼ ଘେନି ।୧୧୪।

ଗଉରୀ ସଉରୀ ଯେ ନଳବିଧି ତିନିଯୋଗ

ଭୁଞ୍ଜଇ ମାଲ ଯେ ପାଇଣ ବଡ଼ ସ୍ରାଗ ।୧୧୫।

ୟେ ମଧ୍ୟ ଭୁବନେ ତୋତେ ଦେଖିଲାତ ନାହିଂ

ପଚାରଇ ବ୍ରିକୋଦର ଯେ ମାଲର ମୁଖ ଚାହିଂ ।୧୧୬।

ପୁଣିହିଂ ଭୀମସେନ ପଚାରଇ ମାଲର ଯୁଦ୍ଧ କଥା

ସଞ୍ଚପି କହିବା ମାଲ ସମସ୍ତ ବାରତା ।୧୧୭।

ସୁଂପକୁ ଅନ୍ନ ଯହୁଂ ଯୋଗାଇ ଦିଲା ବଲ୍ଲବ ଦ୍ୱିଜ

ବେଳକୁ ବେଳ ମାଲର ହୋଇଲା ବଡ଼ ତେଜ ।୧୧୮।

ବିରାଟର ଆଗେ ଆସି ବହୁତ ପ୍ରଶଂସି

ସମସ୍ତ ରାଇଜ ମୁଂ ବୁଲଇ ପରଦେଶୀ ।୧୧୯।

ୟେହେନ୍ନେକ ସୂପକାର ହୋ ରାଜା ପାଇଲୁଟି କାହିଂ

ୟେ ମହୀମଣ୍ଡଳେ ମୋହୋର ୟେହା ଦେଖିଲା ତ ନାହିଂ ।୧୨୦।

ହାଣ୍ଡିରେ ପୂରୋଇ ଚୁଲୀରେ ବସାଇଲେ ହୁଅଇ ପାଗ

ଯୋଗାଡ଼ି ଖରାରେ ବସାଇଲେ ହୁଅଇ ଅତିବେଗ ।୧୨୧।

ଅନେକ ପୁଣ୍ୟ କରିଥିଲେ ସେ ପାଇ ୟେ ବ୍ରାହ୍ମଣ

ସାଧୁ ସାଧୁ ଉପୁଜିଛି କେବଣ ତୋହୋର ପୁଣ୍ୟ ।୧୨୨।

କେବଣ ଦିଗପାଳ ବ୍ରାହ୍ମଣ ରୂପ ହୋୟେ

ଅନେକ ଯତନେ ତାକୁ ଭଗତି ହୋଇଥିବ ମଚ୍ଛରାୟେ ।୧୨୩।

ମାଲେ ବୋଇଲେ ଭୋଜନେ ଶୟନେ ନାହିଂ ଇଚ୍ଛା

ଆହୋ ବିରାଟ ସମର ଦିଅ ମୋର ପୂରୁ ମନବାଞ୍ଛା ।୧୨୪।

ପ୍ରଦେଶୀ ମାଲ ମୁଂ ଯେ ନାହିଂଟି ମୋହୋର ସେନେହା

ଅଣାଅ ତୋହୋର କୀଂଚେକକୁ ସମର ମୋତେ ଦିଆ ।୧୨୫।

ଶୁଣିଣ ବିରସ ଯେ ହୋଇଲେ ବିରାଟେ

କୀଞ୍ଚେକ ସମର ଦେଇ ନୁଆରଇ କୋନ୍ତଭଟ୍ଟେ ।୧୨୬।

ତୁମ୍ଭେ ତ ଜାଣ ମୋହୋର କୀଞ୍ଚେକ ବଶ୍ୟ ନୋହି

ତାହାର ଅରଜିଲା ସମ୍ପଦ ଭୋଗ୍ୟ କରଇ ଯେ ମୁହିଂ ।୧୨୭।

ୟେହେନ୍ନେକ ଭାଳନ୍ତେ ତହିଂ ତିନିଦିନ ଗଲା

ସଭାରେ ମାଲ ଯାଇଂ ଉପଦର୍ପ ପହିଜ ବଖାଣିଲା ।୧୨୮।

ଦିଅ ମୋତେ ମତ୍ସରାଜା ସାଂଗ୍ରାମ ବେଗଇ

ୟେଥୁଂ ବେଗେ ଯଦି ହୋ କୀଞ୍ଚେକକୁ ସମର ଦେଇ ।୧୨୯।

ବିରାଟ ବୋଇଲା ମୋର କୀଞ୍ଚେକ ମହାରାଣ

ତାହାର ତୁଲେ ଯୁଦ୍ଧ କରିବାକୁ କିସ ତୋର ପ୍ରାଣ ।୧୩୦।

କୋନ୍ତେ ବୋଇଲେ ବିରାଟ ହୋ କଥାୟେ କରିବା

ସେହି ସୂପକାର ବଲ୍ଲବ ତୁଲେ ତାହାକଇଂ ଯୁଝାଇବା ।୧୩୧।

ଶୁଣିଣ ଥମ୍ଭୀଭୂତ ହୋଇଲା ରାୟେ ମତ୍ସ

କୋନ୍ତେ ବଲ୍ଲବ ସୂପକାରକଇଂ କିମ୍ପେ କଟାଳ କରୁଅଛ ।୧୩୨।

ବଦୟନ୍ତି କୋନ୍ତେ ତୁମ୍ଭେ ଶୁଣ ହୋ ବିରାଟ

ବ୍ୟାଘ୍ରକଇଂ ବଧକଲା ତୁମ୍ଭେ ଦେଖିଲ ସମରାଷ୍ଟ ।୧୩୩।

ମାଲ ବିନ୍ଧାଣ ବିଦ୍ୟା ଅବା ଜାଣଇଟି ସେହି

ବୁଝକିନା କିସ ହୋ ବୋଲଇ ତାହାକଇଂ ଚାହିଂ ।୧୩୪।

ବିରାଟ ବୋଇଲା ରେ ଶୁଣ ଚାରଗଣ

ବଲ୍ଲବ ସୂପକାରକୁ ହକାରିଣ ବେଗେ ଆଣ ।୧୩୫।

ରାଜାର ବଚନେ ସେ ଚଳିଲେ ମୁନେହିଂ

ରୋଷୁଅ ଶାଳ ଦ୍ୱାରେ ପ୍ରବେଶ ହେଲେ ଯାଇଂ ।୧୩୬।

ଗୋସାଇଂ ବଲ୍ଲବ ଗୋସାଇଂ ବଲ୍ଲବ ବୋଲିଣ ଚାରଗଣେ ଦ୍ୟାନ୍ତି ଡାକ

ଠାକୁରଂକର ଆଗ୍ୟାଂ ବେଗେ ଆସିବ ସନ୍ଦେଶ ବାକ୍ୟ ।୧୩୭।

ରାନ୍ଧଣାଶାଳରେ ଥାଇ ନ ଶୁଣଇ ମାରୁତି

ଅଗ୍ନିକି ଆକ୍ରେଷିଣ ଦିଶଇ ଜ୍ୟୋତି କାନ୍ତି ।୧୩୮।

ପୁଣ ପୁଣ ହାକ ସେ ଦିଅନ୍ତି ଡଗରେ

ରୋଷେଣ ବଲ୍ଲବ ବୋଇଲା ମୋହୋର ଉପରେ ଠାକୁରେ କେ ରେ ।୧୩୯।

କାହାର ବଶ୍ୟ ମୁଂ ରେ କେ ମୋତେ ଚାର ବରଗି

ନ ଯାଇ ବୋଲି ବୋଲନ୍ତେ ଚାରଗଣେ ଗଲେ ବେଗି ।୧୪୦।

ଆସ୍ତାନର ତଳେ କହିଲେ ବେଗେ ଚାର

ବୋଇଲା କାହାର ବଶ୍ୟ ମୁଂ ଯେ କେ ମୋହୋର ଠାକୁର ।୧୪୧।

ଯୁଝେଷ୍ଠିଦେବେ ଆଶ୍ରିଜ ଯେ ହୋଇଲେ ତାହା ଶୁଣି

ହୃଦଗତେ ସୁମରଣା କଲେ ଦେବ ଚକ୍ରପାଣି ।୧୪୨।

ଅନୁବ୍ରତେ ଯାହାର ମୂର୍ଖ ଯେ ନ ଯାଇ ଦୁଷ୍ଟପଣ

ୟେହାକୁ ଘେନି କେସନେକ ବଞ୍ଚିବି ଅଗ୍ୟାଂତବାସେଣ ।୧୪୩।

ବିରାଟ ବୋଇଲା ତୁମ୍ଭେ କୋପ କଲ କି କୋନ୍ତେ

ୟେ ବ୍ରାହ୍ମଣ ବଶ୍ୟ ମୋହୋର ନୋହୋଇ ଯୁଗତେ ।୧୪୪।

ୟେକା ୟେ ବ୍ରାହ୍ମଣକେ ମୋହୋର ସମରାଜ୍ୟ ସୁସ୍ଥ

ମୋହୋର ବିଚାରେ ହୋ ଆମ୍ଭେ ସମସ୍ତେ ତାହାର ଭୃତ୍ୟ ।୧୪୫।

ତୁମ୍ଭର ଆଗ୍ୟାଂକୁ ସେ ସର୍ବଦା ଥାଇ ଭଜି

ତୁମ୍ଭର ଆଗ୍ୟାଂୟେ ସେ ଆସିବ ସର୍ବ ତେଜି ।୧୪୬।

କୋନ୍ତେ ବୋଇଲେ ରେ ଯାଅ ଚାରଗଣ

ଆମ୍ଭର ବୋଇଲା ବୋଲି ବଲ୍ଲବକୁ ହକାରି ବେଗେ ଆଣ ।୧୪୭।

ଧାମନ୍ତି ଦେଶାଉରେ ଯେ କୋନ୍ତଂକର ଆଗ୍ୟାଂ ଶୁଣି

ବଲ୍ଲବ ଗୋସାଇଂ କୋନ୍ତଂକ ଆଗ୍ୟାଂ ହୋଇଲା ତୁମ୍ଭେ ଆସିବ ୟେହିକ୍ଷଣି ।୧୪୮।

ଇନ୍ଦ୍ରଂକ ଆଗ୍ୟାଂୟେ ଯେହ୍ନେ ଧାମନ୍ତି ମାତଳି ମୟାଣ

ରାନ୍ଧଣା ଯୋଗାଡ଼ ଛାଡ଼ି ବ୍ରାହ୍ମଣ ଗମଇ ତତକ୍ଷଣ ।୧୪୯।

ବିଜେ ବିରାଟ ସେ ଯେ ଧର୍ମରାୟେର ତୁଲେ

ଆସ୍ତାନ ତଳେ ଯାଇଂ ଯେ ବଲ୍ଲବ ମିଳିଲେ ।୧୫୦।

ଅଙ୍ଗସାର ଦିଲା ବଲ୍ଲବ ବିରାଟ ତହିଂକି

ପ୍ରଣପତ୍ୟ ହୋଇଲା ବଲ୍ଲବ କୋନ୍ତଂକ ମୁଖ ଦେଖି ।୧୫୧।

ବିରାଟର ବାଞ୍ଛିତ ଜିତ ମହାପ୍ରସାଦ

ଭୀମସେନ ନ ଉଠଇ ପ୍ରଣପତ୍ୟ ଯୁଝେଷ୍ଠିଂକ ପାଦ ।୧୫୨।

କୋନ୍ତେ ବୋଇଲେ ହୋ ଶୁଣ ବଲ୍ଲବ ସୂପକାର

ଠାକୁରଂକ ଆଗ୍ୟାଂ ହୋଇଲା ବହନେ ଉଠ ହୋ ଦ୍ୱିଜବର ।୧୫୩।

ବିରାଟ ବଚନେ ବଲ୍ଲବ ଯେ ନ ଉଠି

କୋନ୍ତଂକର ବଚନ ଶୁଣି ସେ ଶିରେ କରଯୋଡ଼ି ଉଠି ।୧୫୪।

ସ୍ୱାମୀ କିସ ଅର୍ଥେ ଆଗ୍ୟାଂ ହୋଇଲାକ ମୋତେ

ରାନ୍ଧଣା ଛାଡ଼ିଣ ଯେ ମୁଂ ଅଇଲି ତୁରିତେ ।୧୫୫।

ବିରାଟ ବୋଇଲା ବିପ୍ର ହୋ ମୋହୋର ବଚନ ଶୁଣ

ପରଦେଶୀ ମାଲ ଆସି କୀଞ୍ଚେକର ତୁଲେ ମାଗଇ ଯେ ରଣ ।୧୫୬।

ୟେ ମୋହୋର ସମ୍ପଦ ଯାହାର ପରସାଦେ

ତାହାକୁ ଚିନ୍ତିବି କାହିଂ ୟେଡ଼େକ ପରମାଦେ ।୧୫୭।

ୟେଥକୁ ମତ୍ତବ୍ୟାଘ୍ର ମାଇଲୁ ହୋ ଦେଖିଲଇଂ ତୋହୋର ମହିଂମା

ମାଲର ତୁଲେ କୁତୂହୋଳ କରି ପାରିବୁ କି ମହାତମା ।୧୫୮।

ସୂପକାର ବୋଇଲା ହୋ ୟେହେନ୍ନେକ ମୋହୋର କର୍ମ

ଆପାଦ କାଳେ ଉଦିତ ନୋହିଲାକ ଧର୍ମ ।୧୫୯।

ତୁହୋ ବିରାଟ ଚଉରାଶି ବିନ୍ଧାଣ ଛତିଶ ପଡ଼ି ବନ୍ଧ

ବଡ଼ାଇ ବିଡ଼ମ୍ବିତା ହୋ ଅଟଇ ମାଲଯୁଦ୍ଧ ।୧୬୦।

ମୋହୋର ବଚନ ରାଜା ହୋ କର ତୁ ସମ୍ପ୍ରତେ

ରାନ୍ଧଣା ବିନ୍ଧାନୁ ଆନ ପ୍ରାପତ ନୋହୋଇ ମୋତେ ।୧୬୧।

ଯଦ୍ୟପି ଦୋଷ ମୁଂ ଯେ କଲଇଂ ତୋହୋରେ

ତୋହୋର ରାଜ୍ୟେ ମୋତେ ନ ଥୋଇପାରୁ ମତ୍ସେଶ୍ୱରେ ।୧୬୨।

ବଚନେଣ ଜିଣି ସେ ନୁଆରିଲା ବିରାଟ

ବଲ୍ଲବ ବଦନ ଚାହିଂ ବୋଇଲେ କୋନ୍ତଭଟ୍ଟ ।୧୬୩।

ଆହୋ ବଲ୍ଲବ ତୁ ଦୁଜେଣ ବ୍ରାହ୍ମଣ ଯୁଗତେ ସୂପକାର

କିମ୍ପା ଆସ୍ତାନେ ବୋଇଲୁ ମୁଂ ଜାଣଇ ମାଲବିନ୍ଧାଣ ସମର ।୧୬୪।

ୟେତେବେଳେ କିମ୍ପେ ହୋ କରୁ ତୁ ଯେ ନାସ୍ତି

ଠାକୁରଂକର ଆଗ୍ୟାଂ ହୋଇଲା ଛାଡ଼ ତୁ ମନଭ୍ରାନ୍ତି ।୧୬୫।

ବିରାଟ ବଚନେ ବଲ୍ଲବ ନାସ୍ତି କରୁଥିଲା

କୋନ୍ତଂକର ଆଗ୍ୟାଂୟେ ସେ ସନମତ କଲା ।୧୬୬।

ଆସ ଆସ ମାଲ ହୋ ୟେବେ କରିବା ସମର

ଭୂଇଂ ଛୁଇଂ ମାଲ ଯେ ଶ୍ରବଣେ ଦିଲା କର ।୧୬୭।

ମାଲ ବୋଇଲା ସୂପକାର ତୁ ରାନ୍ଧଣା ପ୍ରାୟେ ବୁଝୁ

ବିଡ଼ମ୍ବଣ ସମର ତୁ ୟେହା କିଂକେ ନ ବୁଝୁ ।୧୬୮।

ନଶନ୍ତ କାଳକୁ ଯେହ୍ନେ ପ୍ରାଣୀଂକର ବିପରୀତ ବୁଦ୍ଧି

ବ୍ରାହ୍ମଣ ହୋଇ ତୁ କାହୁଂ ଜାଣିମୁ ଯୁଦ୍ଧ ସନ୍ଧି ।୧୬୯।

ବିମୁଖ ହୋଇଲୁକି ବ୍ରାହ୍ମଣ ରାନ୍ଧଣାରେ ପଶି

ଦେଖି ଦେଖୁ ଲଗାଉ ହୋ ଗଳାରେ କାଳଦଣ୍ଡଫାଶି ।୧୭୦।

ତୁ ଅବା ମୃତୁକୁ ଶ୍ରାଗ କରୁଛୁ ଯୁଗତେ

ବ୍ରହ୍ମହତ୍ୟା ପାତକ ଦୋଷ ପ୍ରାପତ ହୋଇବାକ ମୋତେ ।୧୭୧।

ବ୍ରାହ୍ମଣ ବୋଇଲା ସାଂଗ୍ରାମେ ଦୋଷ ନ ବିଚାରି

ବ୍ରାହ୍ମଣ ହୋଇ ଯେବେ ମୁଂ ହୋଇବି ଦ୍ୱନ୍ଦକାରୀ ।୧୭୨।

ତହିଂକି ବ୍ରହ୍ମହତ୍ୟା ଦୋଷ ବୋଲି ତ ନୁଆରଇ

ପାରିଲେ ସଜହୋଇ ସମର କର ମାଲଭାଇ ।୧୭୩।

ନୁଆରିଲେ ପଳା ଯା ତୋହୋର ନିଜ ଯେ ଭୁବନେ

ବାହାନାଦ ଦେଇଣ ଯେ ଉଭା ଦୁଜଜନେ ।୧୭୪।

ବିକଟାଳ ବାକ୍ୟ ମାଲ ବ୍ରାହ୍ମଣ ତହୁଂ ଶୁଣି ହସି

ରେ ରେ କାର କରିଣ ସେ ବଲ୍ଲବକୁ ଆକ୍ରେଷି ।୧୭୫।

ଭୂମିଠାଣ ଦେଇଣ ସେ ମାଲ ଘେନିଲା ବୀରଧୂଳି

ଅଧର ପୁଷ୍ଟ କରିଣ ସେ କୋପେଣ ହାମ୍ପୋଳି ।୧୭୬।

ରେ ରେ କାର କରିଣ ସେ କୋପେଣ ଗଳଗାଜି

ଶବଦର ଘାତେ ଗିରିକନ୍ଦର କି ପଡ଼ୁଅଛି ଭାଜି ।୧୭୭।

ମାଲର ମୂର୍ତ୍ତି ସେ ଯେ ଦେଖିଣ ପାବେନି

ଯୁଝେଷ୍ଠିଂକି ଆକ୍ରେଷିଣ ଚାହିଂଲା କ୍ରୋଧ ଘେନି ।୧୭୮।

କିଞ୍ଚିତ ଆକ୍ରଷଣେ ଚାହିଂଲେ କୋନ୍ତେ ବକ୍ର ଦୃଷ୍ଟି

ନ ପୁଣ ପ୍ରଥମହୁଂ ଭୀମ ମାରଇ ବଜ୍ରମୁଷ୍ଟି ।୧୭୯।

ୟେକା ପ୍ରହାରେକ ମାରନ୍ତେ ହୋଇବ ଜାଣନ୍ତା

ଆମ୍ଭେ ସେ ମନ୍ଦକଲୁ ହୋ ସମସ୍ତ ଯେ କଥା ।୧୮୦।

ୟେଡେ ଦୁଷ୍ଟେ କିଂପେ ଅଣାଇଲୁ ଆସ୍ତାନକୁ

ଆବର ପ୍ରପଞ୍ଚ ପୁଣ ପେଷିଲୁ ସାଂଗ୍ରାମକୁ ।୧୮୧।

ବାହାସ୍ଫୋଟ ମାରି ମାଲ କରଇ ଠିଆଠାଣ

ଦେଖିଣ ସଜ ହୋଇ ଆସଇ ସୂପକାର ବ୍ରାହ୍ମଣ ।୧୮୨।

ତ୍ରିକଚ୍ଛ ବସନ ଲମ୍ବିତ ଜୂଡ଼ା ଭୀମସେନ

ମାଲର ମୃତ୍ତି ଦେଖି ଦ୍ରହସିତ ବଦନ ।୧୮୩।

କୁତୂହୋଳେ ମାଲର ବଦନ ଚାହିଂଣ

ଗେଲେ ଗେଲେ ଚାଲଇ ସେ ପବନ ନନ୍ଦନ ।୧୮୪।

ବିରାଟ ବୋଇଲା କୋନ୍ତେ ନ ବ୍ରତଇ ସୂପକାର

ତୁମ୍ଭ ପରସାଦେ ଶିରୀ ଯାଉଛି ମୋହୋର ରାଜ୍ୟର ।୧୮୫।

କୋନ୍ତେ ବୋଇଲେ ସୂପକାର ବଲ୍ଲବ ନ ଥିଲା ଯେତେକାଳ

ଉପବାସେ ଶୋଉଥିଲେ କି ତୋହୋର ରାଜ୍ୟେ ସଇନି ସକଳ ।୧୮୬।

କୋନ୍ତକୁ ବିରାଟ ରାଜା କହଇ ବହୁତ

ଶୁଣିଣ ସାନନ୍ଦ ସେ ପବନର ସୁତ ।୧୮୭।

ତ୍ରିକଚ୍ଛ ବସନ ଯେ ତୋଳିଣ ସୂପକାର

ମାଲବନ୍ଧ କରିଣ ସେ ଭିଡ଼ିଲା କଟିର ।୧୮୮।

ଲମ୍ବିତ ଜୂଡ଼ା ଫେଡ଼ି ନାଗବନ୍ଧେ ବାନ୍ଧଇ ବେଣୀ

କାନ୍ଧରୁ ପଇତା କାଢ଼ି ବାନ୍ଧିଲା ବାମପାଣି ।୧୮୯।

ଭୀମସେନର ପ୍ରତଗ୍ୟାଂ ସେ କହିତ କି ପାରି

ଯାହାର ପାଦ ଲାଗି ପାତାଳଗତି ଶତଶିଂଘ ଗିରି ।୧୯୦।

ଆସରେ ମାଲ ବୋଲି ଡାକଇ ବଲ୍ଲବ ହୋଇ ଉବା

ମାଲ ବୋଇଲା ଯୁଦ୍ଧ ବିନ୍ଧାଣ କିସ ଜାଣୁ ବାବା ।୧୯୧।

ବଲ୍ଲବ ବୋଇଲା ମୁଂ ଯେ ଯୁଗତେ ସୂପକାର

ମୁଂ କେହେନେ ଜାଣଇ ହୋ ସମର ବେଭାର ।୧୯୨।

ତୋର ମାଲ ବିନ୍ଧାଣ ମୁଂ ଦେଖିବି ଆରେ ଭାଇ

ସଞ୍ଜୀବନୀ ନାଥଂକୁ ଆଜ ଦେଖାଇବି ନେଇ ।୧୯୩।

ନ ଜାଣଇ ଯୁଦ୍ଧ ମୁଂ ଯେ ସ୍ୱଭାବେ ଅଟେ ବିପ୍ରଜନ

ବେଦବିଦ୍ୟା ସିନା ସେ ଯେ ଆମ୍ଭର କର୍ମମାନ ।୧୯୪।

କେବଳ ନୃପତି ମୋତେ ବୋଇଲେ ଆସ୍ତାନେ

ଠାକୁରଂକ ଆଗ୍ୟାଂ ମୁଂ ଯେ ଭାଙ୍ଗିବି କେସନେ ।୧୯୫।

ଶୁଣିଣ ମାଲ ଯେ ଭୀମସେନକୁ କହଇ ବାଣୀ

ମାଲ ଯୁଦ୍ଧର ବାରତା ତୋତେ କହିବା ପରିମାଣି ।୧୯୬।

ଚଉରାଶୀ ବିନ୍ଧାଣ ଯେ ଛତିଶ ପରିବନ୍ଧ

ମହା ବିଡ଼ମ୍ବଣ ୟେ ଯେ ଅଟଇ ମାଲଯୁଦ୍ଧ ।୧୯୭।

ଖଡ଼ଗ ଗଦା କୋନ୍ତ ଗୁରୁଜ ମୂଷଳୀ

ନାନା ବିଦ୍ୟାହୁଂ ହୋୟେ ମାଲଯୁଦ୍ଧ ମହାବଳୀ ।୧୯୮।

ଭୁଜେ ଭୁଜେ ବନ୍ଧନ ପାଦେ ପାଦ ଛନ୍ଦି

ମୁଥେ ମୁଥେ ପରିତାଳ ହୃଦେ ହୃଦେ ବାନ୍ଧି ।୧୯୯।

ଉଭୟେ ସମର ସେ କରନ୍ତେଣ ବଢ଼ି

କିରଟୀ ବୋଇଲେ ହୋ ସମରେ ପୁଣ ଛାଡ଼ି ।୨୦୦।

ମାଲର ବଚନ ଯେ ଶୁଣି ବ୍ରିକୋଦର

ମୋହୋର ସନମତ ହୋ ଯେ ଇଚ୍ଛା ତୋହୋର ।୨୦୧।

ଧାଇଂଣ ମାଲ ଧଇଲା ଯେ ଭୀମସେନର ବେନିଭୁଜ

ବେନିଜାନୁ ଭିଡ଼ିଣ ଧଇଲା ପାଦ ପଂକଜ ।୨୦୨।

ପାଦେ ପାଦ ଛନ୍ଦିଣ ସେ ପକାଇଲା ସୂପକାରକୁ

ପାଡ଼ିଣ ମାଲ ଯେ ଚାପିଲା ତାର ବୁକୁ ।୨୦୩।

ତଳେଣ ଭୀମସେନ ଯେ ଉପରେଣ ମାଲ

ଆରେ ଆରେ ସୂପକାର ଭାଞ୍ଜିବି ତୋର ଗାଲ ।୨୦୪।

ଧାତିକାରେ ଭୀମସେନ ମାଲକୁ ଲେଉଟାଇ

ମାଲର ବକ୍ଷସ୍ଥଳେ ଯେ ବସିଲାକ ଯାଇ ।୨୦୫।

ପୁଣି ଲେଉଟାଇ ମାଡ଼ି ବସିଲା ମାଲ ମହାବୀର

ପୁଣ ଲେଉଟାଇ ଯେ ପାଡ଼ିଲା ସୂପକାର ।୨୦୬।

ଭୁଜେ ଭୁଜେ ଭିଡ଼ାଭିଡ଼ି ପାଦେଣ ପାଦ ଛନ୍ଦି

ଶିରକୁ ଶିର ପଡ଼ି ତାଳ ପାଦେ ପାଦ ବାନ୍ଧି ।୨୦୭।

ହୃଦେ ହୃଦ ଭିଡ଼ା ଭିଡ଼ି ଭୁଜେ ଭୁଜ ତାଡ଼ି

ଶିରକୁ ଶିର ପଡ଼ିତାଳ ଅଗ୍ନିଶିଖା ଝଡ଼ି ।୨୦୮।

ବଜ୍ରଘାତ ପ୍ରାୟେକ ଶୁଭଇ ପଡ଼ିତାଳ

ଶୂନ୍ୟ ପୁରୁଷେ କମ୍ପିଲେ ଆକାଶ ମଣ୍ଡଳ ।୨୦୯।

ବୃନ୍ଦାଅର୍କମାନେ ଯେ କଂପିଲେ ଜାଣ ଦିବି

କୁରୁମ ଚମକଇ ହେଳ ଘେନଇ ପୃଥୀଦେବୀ ।୨୧୦।

ମେଘନାଦ ପାଚେରୀ ଯେ ହୋଇଲା ସର୍ବଚୂରି

ବ୍ରହ୍ମାଣ୍ଡ ଉଛୁଳିଲା ଦୁହିଂକରି ସିଂଘରଡ଼ି ।୨୧୧।

ଆହୋ ଚଇତନ ବଲ୍ଲବକଇଂ ମାଡ଼ି ବସିଲା ମାଲ ହୃଦଗତେ

ଚଳି ନୁଆରିଲା ସେ ହୋଇଣ ମୋହଗତେ ।୨୧୨।

ବାମଭୁଜେ ତଣ୍ଟି ମାଡ଼ିଲା ଡାହାଣ ହାଥେ ମୁଥ ମାରି

ବୋଇଲା ଇଷ୍ଟ ଦେବତା ବ୍ରାହ୍ମଣ ରେ ସୁମର ତୋହୋରି ।୨୧୩।

ରେ ରେ ସୂପକାର ପୂରିଲାନି ତୋହୋର କାଳ

ରାନ୍ଧିଣ ବ୍ରତିଥିଲୁ ରେ ତୁ ରୋଷୁଅର ଶାଳ ।୨୧୪।

ମୁହିଂ ମାଲ ବଳବନ୍ତା ପୃଥିବୀର ମଧ୍ୟେ

କୀଞ୍ଚକ ସେ ସମସରି ହୁଅନ୍ତା ମୋତେ ଯୁଦ୍ଧେ ।୨୧୫।

ରେ ରେ ସୂପକାର ତୋର ଜନମ ସୁଫଳ

ମୋହେର ତୁଲେ ପଡ଼ିତାଳ ଦିଲୁରେ ୟେତବେଳ ।୨୧୬।

ନୋହୁ ନୋହୁ ତୁରେ ସୂପକାର ବ୍ରାହ୍ମଣ

ଛଦ୍ରମେଣ କେଉଂ ଅସୁର ରହିଲୁ ବିରାଟ ରାଜ୍ୟେଣ ।୨୧୭।

ଆଜ ସେ ସମର ହୋ ପାଇଲୁ ଯଥାର୍ଥ

ତୋତେ ଦୂତ ପଠିଆଇଲେ ସଞ୍ଜୀବନୀ ନାଥ ।୨୧୮।

ୟେସନ ବୋଲି ମାଲ ଯେ କରଇ ପହିଜ

ମଚ୍ଛଦେଶ ନରନାରୀ ଦେଖି ହୋଇଲେ ଆଶ୍ରିଜ ।୨୧୯।

ସମରାଜ୍ୟ ଲୋକେ ଯେ ଦେଖିଲି ହୀନବୀର୍ଯ୍ୟ

ସାଧୁ ସାଧୁ ସୂପକାର ତୋହୋର ଅଟଇ ବଳବୀର୍ଯ୍ୟ ।୨୨୦।

ସାଧୁ ସାଧୁ ବଲ୍ଲବ ତୋହୋର ଅଟଇ ରୂପକାନ୍ତି

ତୋହୋର ପ୍ରସାଦେ ରାଜ୍ୟ ଲଭୁଥିଲା ଶାନ୍ତି ।୨୨୧।

ସମରାଜ୍ୟ ଲୋକେ ଯେ ହାହାକାର ବାଣୀ

ୟେକା ସୂପକାରକୁ ହୋ ମରାଇଲେ କୋନ୍ତଭଟ୍ଟେ ପୁଣି ।୨୨୨।

ୟେକା ସୂପକାରେ ଅନ୍ନ ଦେଉଥିଲୁ ରାନ୍ଧି

ସାତ କ୍ଷଉଣୀ ବଳ ସବୁହିଂ ଭୋଜନେ ପ୍ରବୋଧି ।୨୨୩।

ଗର୍ଭକଷ୍ଟ ପାସୋରାଇଲୁ ସଭିଂକୁ ଅମିୟ ପାକ ଦେଇ

ଅଖଡ଼େ ନାଶଗଲୁ ପଡ଼ିଲୁ ବିପ୍ର କାହିଂ ।୨୨୪।

ୟେ ଆମ୍ଭର କଷ୍ଟ ତାହାର ତହିଂ ପଡ଼ୁ

ଆହେ କୋନ୍ତପଣ୍ଡାୟେ ୟେବେ ତୁମ୍ଭ ପେଟ ପୂରୁଂ ।୨୨୫।

ବିରାଟେ ବୋଇଲେ କୋନ୍ତେ ମୁହିଂ ଯେ ବୋଇଲି

ବାହୁଡ଼ିଯାଉ ପ୍ରଦେଶୀ ମାଲ ବୋଲି ମୁହିଂ ନାସ୍ତିକଲି ।୨୨୬।

ଦଇବ ଖଣ୍ଡିଲା ଯେ ୟେ ମୋହୋର ଆଶା

ଆଜହୁଂ ସୂପକାରେ ଯେ ମୁଂ ନ କରଇ ଭରସା ।୨୨୭।

ମୋହୋର ବଚନ ସେ ଭାଙ୍ଗିଲା ଯୁଗତେ

ଆଶ୍ୱାସ ବଚନେ ତାକୁ ନାଶ କଲ କୋନ୍ତେ ।୨୨୮।

ଆହୋ ସୂପକାର ମୋ ରାଜ୍ୟକୁ ଯେସନେକ ତୁହି ଉପୁଗାରୀ

ମୁହିଂ ତୋତେ ଅଦୋଷରେ କଲି ଅପହାରୀ ।୨୨୯।

ମୋହୋର ପରା ଠାକୁର ସର୍ବଦା ତୋତେ ନୋହୁ

ତୋହୋର ପରା ସୂପକାର ମୋତେ ଜନ୍ମେ ଜନ୍ମେ ହୋଉ ।୨୩୦।

ବହୁତ କ୍ରୋଧ କରି ବଦୟନ୍ତି ବିରାଟେ

ସୂପକାର ହତ୍ୟାକାରେଣୀ ହୋଇଲେ କୋନ୍ତଭଟ୍ଟେ ।୨୩୧।

ଭୋ ଅଷ୍ଟ ଦିଗପାଳେ ତୁମ୍ଭେ ବିଚାର କରିବା

ୟେ ହତ୍ୟାରେ ମୋହୋର ଦୋଷନାହିଂଟି ଅଥବା ।୨୩୨।

ବିରାଟର ମୁଖରୁ ଯେ ଶୁଣିଲେ ଅପଚ୍ଛାତି

ଯୁଝେଷ୍ଠି ବୋଇଲେ ମୁଂ ନିସ୍ତରିଲି ଶ୍ରୀପତି ।୨୩୩।

ୟେଡ଼େକ ଯୁଦ୍ଧରେ ଭୀମକୁ ନ ଚିହ୍ନିଲେ କେହି

ହୋଉ ପଚ୍ଛେ ଅପଚ୍ଛାତି ତହିଂକି ଭୟନାହିଂ ।୨୩୪।

ୟେହେର୍ଣ୍ଣେକ ବଚନ ଶୁଣି ଭୀମ ପଡ଼ି ତଳେ

କୋନ୍ତଂକର ମୁଖ ସେ ଚାହିଂଲା ବେନିଡୋଳେ ।୨୩୫।

ନୟନ କଟାକ୍ଷେ ତହିଂ ଆଗ୍ୟାଂଦିଲେ କୋନ୍ତେ

ମାରରେ ମାଲକୁ ବୋଲି ବୋଇଲେ ତୋଷଚିତ୍ତେ ।୨୩୬।

ପଣ୍ଡାଂକର ଠାର ଯେ ଜାଣିଲା ପାବେନି

ଧାତିକାରେ ମାଲକୁ ମାଡ଼ି ଛନ୍ଦିଲା ପାଦବେନି ।୨୩୭।

ହାବୋଡ଼ା ଘାତକେ ଯେ ପକାଇଲା ତଳେ

ରେ ରେ କାର ଶବଦେ ତାକୁ ମାଡ଼ିବସିଲା ବକ୍ଷସ୍ଥଳେ ।୨୩୮।

ଭୀମସେନ ପ୍ରତଗ୍ୟାଂ ଯେ ଦେବଂକୁ ଦୁଲ୍ଲଭ

ମାଲକୁ ତଳେ ପଡ଼ି ବସିଲା ବଲ୍ଲବ ।୨୩୯।

ବେନି ଚରଣ ମାଡ଼ି ବସିଲା ତାହାର ବୁକୁ

କେ ନ ଦେଖିଲେ ବଲ୍ଲବ ପାଡିଛି ମାଲକୁ ।୨୪୦।

ଅଧର ପୁଷ୍ଟ କରି ଯେ ଚାପିଲା ବେନିଜାନୁ

ବେନିଫାଳ ହୋଇ ସେ ଫାଟିଲେ ତାହାର ତନୁ ।୨୪୧।

ଗିରିଭେଦ ପ୍ରାୟେ ହୋଇ ଯହୁଂ ଶ୍ରୋଣିତ ବହିଲା

ମାଲ ବୋଇଲା ବଲ୍ଲବ ମୋହୋର କିରଟି ହୋଇଲା ।୨୪୨।

ବଲ୍ଲବ ବୋଇଲା ମୁଂ ସୂପକାର ବ୍ରାହ୍ମଣ

ମୁଂ କେହ୍ନେ ଜାଣଇଂ ତୋର କିରଟି ବିଧାନ ।୨୪୩।

ମନ୍ଦର ମାଡ଼ି ଯେହ୍ନେ ବସଇ ହେମବନ୍ତ

ସେହି ସାଦ୍ରିଶେ ଦିଶୁଅଛି ଦୁହିଂକରି ଗାତ୍ର ।୨୪୪।

ନାଭି ମଣ୍ଡଳେ ୟେକପାଦ ଆରେକ ପାଦ କଟି

ବକ୍ଷସ୍ଥଳେ ଭୁଜଦଣ୍ଡ ଆକାଶକୁ ଉର୍ଦ୍ଧ୍ୱମୁଷ୍ଠି ।୨୪୫।

ହିରଣ ବିଦାରଣ କାଳେ ଯେହ୍ନେ ନରସିଂଘ

ତେସନେ ଦିଶୁଅଛି ପାଣ୍ଡବ ବୀର ଅଙ୍ଗ ।୨୪୬।

ବେନି ଲୋଚନ ଦିଶଇ କାଳଚକ୍ର ପ୍ରାୟେ

ମଚ୍ଛ ଦେଶର ସଇନି ଦେଖି କଲେ ମହାଭୟେ ।୨୪୭।

ଆକ୍ରେଷି ମୁଥେକ ଯେ ମାଇଲାକ ବୀର ତୋଳି

ମାଲର ଶରୀରଯାକ ସେ ହୋଇଗଲା ଧୂଳି ।୨୪୮।

ଆହୋ ଚଇତନ ମାଲ ମାରି ସୂପକାର ଆସ୍ତାନର ତଳେ ଉଭା

ସମସ୍ତେ ବିଚାରନ୍ତି ଯେ ଯମ ଦେବତା ଅଟଇ ଅବା ।୨୪୯।

ଯେବଣ ମାଲକୁ ଭୀମସେନ ବଧ କଲା

ଗର୍ଭରୁ ତାହାର ଯେ ପୁରୁଷେକ ବାହାର ହୋଇଗଲା ।୨୫୦।

ସମସ୍ତଯାକ ଯେ ଦେଖିଲେ ପ୍ରତକ୍ଷ

ବିରାଟ ବୋଇଲେ ତୁମ୍ଭେ କାହାକୁ ଅନାଉଛ ।୨୫୧।

ମାଲକନ୍ଧୁ ପୁରୁଷେ ହୋଇ ଗଲା ବାହାର

ବିମାନ ଆରୋହି ସେ ଗଲା ସ୍ୱର୍ଗପୁର ।୨୫୨।

ଭୀମସେନ ହାଥେ ବଧହୋଇ ଯୁଝେଷ୍ଠିଂକ ଦେଖି ମୁଖ

ପାଇଲା ଅକ୍ଷୟ ସ୍ୱର୍ଗ ତାହାର ପାରଗଲା ଦୁଖ ।୨୫୩।

ପୁଷ୍ୟେକ ବିମାନ ଆରୋହି ସେ ହୋଇଲା ସ୍ୱର୍ଗଗାମୀ

ଦ୍ରଶନ କଲା ଯାଇ କପିଳାସେ ବିଶ୍ୱନାଥ ଦେବସ୍ୱାମୀ ।୨୫୪।

ଜୟତୁ ତ୍ରିଲୋଚନ ଗଉରୀ ପ୍ରାଣଗୁରୁ

ଜୟ ଜୟ ତ୍ରିଲୋଚନ ସଂକଟ ପାରିକରୁ ।୨୫୫।

ଶୁଦ୍ଧ ସଷ୍ଟିକ ଜାଣି ବିରାଜଇ ତୋର ତନୁ

ଅବ୍ୟୟ ନିରାକାର ଯାହାର ନୟନ କୃଶାନୁ ।୨୫୬।

ପଞ୍ଚଦଶ ଲୋଚନ ପଞ୍ଚ ଯେ ବୟଣ

ପିନାକ ପଶୁପତ୍ର ତ୍ରିଶୁଳ ଅକ୍ଷୟ ଯେ ତ୍ରୋଣ ।୨୫୭।

ଶ୍ୱେତପଦ୍ମ ମହାପଦ୍ମ କ୍ରକୋଟକ କୁଳିକ ଅନନ୍ତ ତକ୍ଷକ

ଆଦିରେ କୁଣ୍ଡଳ କିରୀଟ ମୁକୁଟ ବାହୁଟି ଯେ ଶୋହେ ହାର ବକ୍ଷ ।୨୫୮।

ଚରଣେ ନେପୂର ଯେ ଭୁଜଙ୍ଗ ବାହୁଟି

ଦିଗବାସ କନ୍ଥା ଯେ ଗଳାରେ ଚିରିକୂଟି ।୨୫୯।

ତାଣ୍ଡବ ଆରୋପଣ ବିଧ୍ୱଂସନ ତ୍ରିପୁରାରି

କିଞ୍ଚିତ କାଳେଣ ଅନ୍ଧେକ ପ୍ରାଣହାରି ।୨୬୦।

ଅବନୀଭାର ନିସ୍ତାର କଲୁ କଉଣପବଳ ଧ୍ୱଂସା

ତାମ୍ରବର୍ଣ୍ଣ ଶରୀର ନାଥ ଲେପନ ଅଙ୍ଗେ ଅଂଶା ।୨୬୧।

କେୟୂର କୁଣ୍ଡଳ ଯେ କର୍ଣ୍ଣେଣ ନାଗଫେରୁ

ଅନ୍ତରୀକ୍ଷେ ହାମ୍ପୋଳଇ ନବଲକ୍ଷ ଡମ୍ବରୁ ।୨୬୨।

ନମସ୍ତେ ବିନାୟକ ପିଅର ଶୂଳଲିଙ୍ଗ

ମଉନେ ତ୍ରିବେଣୀ ଯେ ବହଇ ଶିରେ ଗାଙ୍ଗ ।୨୬୩।

ତ୍ରିଲୋଚନ ଦେବ ତୋର ଅଗ୍ନି ସୂର୍ଯ୍ୟ ଶଶୀ

କାଶୀରାଜାକୁ ଧଂସିଲୁ ରହିଣ ବାରଣାସୀ ।୨୬୪।

ଶଇଳ ରାଜାର ନନ୍ଦନୀ ହୃଦରେ ଗିରିଜା

ପର ଦୁଖେଣ କାତର ନାଥ ଅଭୟବର ଦେଉ ଦେବରାଜା ।୨୬୫।

ମଣିକର୍ଣ୍ଣିକା ତୀର୍ଥ ମଣ୍ଡଳ ବାରଣାସୀ

ଜୟ ତୁ ବିଶ୍ୱନାଥ ସ୍ୱାମୀ ତବ ଭୁବନେ ଠାବ ମୋତେ ଦେସି ।୨୬୬।

ସ୍ୱାମୀ ଅନନ୍ତ କୋଟି ଯୁଗର ପାତକ ଖଣ୍ଡଇ ଯେବଣ ତୀର୍ଥେ

ସଦା ସମ୍ପଦ ନାଥ ପ୍ରସନ୍ନେ ପ୍ରାପତ କରିବା ହୋଉ ମୋତେ ।୨୬୭।

ପାର୍ବତୀର ବଲ୍ଲଭ ତଲୟେ ନିତ୍ୟେ ମୋର ସେବା

ଶୂଦ୍ରମୁନି ସାରୋଳା ଦାସକୁ ଗତି ମୁକତି ଦେବା ।୨୬୮।୨୭୫୫।

 

ମାଲର ପୂର୍ବଜନ୍ମ ବୃତ୍ତାନ୍ତ ଓ ଭାମଙ୍କ ରନ୍ଧନ ପ୍ରଣାଳୀ

ୟେଥୁ ଅନନ୍ତରେ ବିଲଂକ ଦେଶର ରାଜା

ଅଗସ୍ତିଂକ ପାଦପଦ୍ମେ କଲା ଦିବ୍ୟପୂଜା ।୧।

ଯେବଣ ମାଲକୁ ବଧକଲା ବ୍ରାହ୍ମଣ ବଲ୍ଲବ

ତହୁଂ ସେ ପୁରୁଷେକ ଉପୁଜିଲା ମୁନିଦେବ ।୨।

କେବଣ ମହାତମା ସେ କହିବା ଅଗସ୍ତି

ଶୁଣିତେ ଇଚ୍ଛା ମୋର ଅମିୟ ରସଶ୍ରୁତି ।୩।

ଶୁଣ ହୋ ମନୁପୁରୁଷ ବଦୟନ୍ତି ବ୍ରହ୍ମବେତ୍ତା

ତୁ ଯାହା ପୁଚ୍ଛାକଲୁ ସେ ବହୁତ କାଳର କଥା ।୪।

ୟେହୁ ସତ୍ୟଯୁଗେ ଥିଲେ ବଶ୍ୱାନର ଦକ୍ଷ

ତାହାର ନନ୍ଦନ ହୋଇଲା ବିଦୁର କବଚ ।୫।

ବିଦୁରକପଚ ପୁତ୍ର ହିରଣ୍ୟକେଶୀ

ମାତଙ୍ଗ ଦକ୍ଷ ବୋଲି ୟେହାର ଯେ ଶିଶି ।୬।

ମାତଙ୍ଗ ଦକ୍ଷର ପୁତ୍ର ଅକାଳି ମାଲ୍ୟବନ୍ତ

ତାହାର ନନ୍ଦନ ଯେ ଦକ୍ଷ ହିମବନ୍ତ ।୭।

ହିମବନ୍ତର ନନ୍ଦନ ଅଟଇ ହେମମାଳୀ

କୃତାନ୍ତକ ଦକ୍ଷ ବୋଲି ୟେହାର ପୁତ୍ର ମହାବଳୀ ।୮।

ୟେ ବିଧି ଦକ୍ଷବଂଶ ଥୋକାୟେ କହିଲି

କୃତାନ୍ତକ ଦକ୍ଷର ପୁତ୍ର ବଳୟା ଦକ୍ଷ ବୋଲି ।୯।

ବଳୟା ଦକ୍ଷର ପୁତ୍ର ହୋଇଲା ହନ୍ତକାରୀ

ତିନି ଭୁବନ ମଧ୍ୟେ ତାହାକୁ କେହି ନାହିଂ ସରି ।୧୦।

ବିଡ଼ମ୍ବଣ ସମରେ ତାହାକୁ କେହି ନାହିଂ ସମସରି

ତିନିପୁର ମଧ୍ୟେ ଅନେକ ବୀର ମାରି ।୧୧।

ଅନେକ ଭୁବନ ଭ୍ରମି ସେ ଆଶିନ ଶୁକଳ ଅଷ୍ଟମୀ

କପିଳାସ ଭୁବନେ ସେ ଦିନକ ଗଲା ଭ୍ରମି ।୧୨।

କପିଳାସ ସିଂଘଦୁଆରେ ପ୍ରବେଶ ସେ ହୋଇଲା ବଳୟା ନାମେ ଦକ୍ଷ

ନନ୍ଦୀ ମହାକାଳ ସେ ଭୁବନର ରକ୍ଷ ।୧୩।

ତାହାନ୍ତ ବୋଇଲା ସେ ତୁମ୍ଭେ ରୁଦ୍ରର ଦ୍ୱାରପାଳ ଅଟ ହୋ ମହାବଳୀ

ମୋହୋରେ ସେ ରଣଭଙ୍ଗ ଦିଅ ହୋ କୁତୋହଳୀ ।୧୪।

ତାହାର ବଚନ ଶୁଣି ସେ ନନ୍ଦିକେଶ୍ୱର ହସି

ଗୁରୁହଂସୀ ପଣେ କେହି ଯେ ନ ଦିଲେ ସମ୍ଭାଷି ।୧୫।

ପୁଣି ଉତ୍ତର ଦ୍ୱାରେ ଯାଇଂ ହୋଇଲା ପ୍ରବେଶ

ଜୟନ୍ତିକ ଅଜୟନ୍ତିକ ଦେଖଇ ଅବକାଶ ।୧୬।

ବୋଇଲା ଈଶ୍ୱରଂକ ଦ୍ୱାରପାଳ ତୁମ୍ଭେ ଅଟ ହୋ ମହାମେରୁ

ମୁହିଂ ମାଲ ଅଟଇ ବଳୟା ହନ୍ତକାରୁ ।୧୭।

ସିଂଘଦ୍ୱାରେ ଦ୍ୱାରପାଳ ନନ୍ଦିକେଶ୍ୱର ମହାକାଳ

ସମର ମାଗନ୍ତେ ସେ ମୋତେ କଲେକ ହେଳ ।୧୮।

ତୁମ୍ଭେ ଯେ ଉତ୍ତର ଦ୍ୱାରେ ଦ୍ୱାରପାଳ ଅଟ

ମୋହୋର ତୁଲେ ସମର କର ତୁମ୍ଭେ ଅଟ ହୋ ଗରିଷ୍ଠ ।୧୯।

ଜୟନ୍ତିକ ବୋଇଲା ତୁ ଅଗ୍ୟାଂନ ଦୁଷ୍ଟ ବାଇ

ତୁମ୍ଭର ତୁଲେ ଆମ୍ଭର ସମର କିସପାଇଂ ।୨୦।

ତୁ ଆମ୍ଭର କିହୋ ହରିଲୁ ବୃତ୍ତିବାଡ଼ି

କିସ ଅର୍ଥେ ତୋହୋର ତୁଲେ ଆମ୍ଭର ଦ୍ୱନ୍ଦକାରୀ ।୨୧।

ଯୋଗଲୟେ ଆମ୍ଭର ହୋ ଅଟଇ ମହାମନ୍ତ୍ର ସାଧି

କେଉଂଣସି କାଳେ ଆମ୍ଭେ ନେହୁଂ ହତ୍ୟାବାଦୀ ।୨୨।

ତାହାଂକର ବଚନ ଶୁଣି ବଳୟା ମହାମଲ୍ଲ ଗଲା

ପଛିମ ଦ୍ୱାରେ ଯାଇଂ ମଣିଭଦ୍ରାକଇଂ ଦେଖିଲା ।୨୩।

ପଛିମ ଦୁଆରେ ସେ ଯେ ଦ୍ୱାରପାଳ ବେନି

ବଳୟାମାଲ ପ୍ରବେଶ ବୀରବର ପ୍ରତଗ୍ୟାଂ ଘେନି ।୨୪।

ମୁହିଂ ମାଲ ବଳବନ୍ତା ଅଟଇ ହନ୍ତକାରୁ

ରୁଦ୍ରଂକର ଦ୍ୱାରପାଳ ଅଟ ହୋ ବଳିଷ୍ଠ ମହାମେରୁ ।୨୫।

ମୁହିଂ ତୁମ୍ଭନ୍ତ ସମର ମାଗଇ ବେନିବୀର

ୟେକେ ୟେକେ ଜଣକରେ ମୋତେ ଦିଅ ତୁମ୍ଭେ ସମର ।୨୬।

ଆକ୍ରେଷିଣ ଭାବେ ଯହୁଂ ବୋଇଲା ଅନେକ

ପ୍ରତଗ୍ୟାଂ ବଚନ ଶୁଣି ବାହାର ହୋଇଲା ଭୀମେକ ।୨୭।

ପୁଷ୍ପଦନ୍ତ ବିଦାରିଣ ଗଣନାଥ ଆଦିସଞ୍ଚା

କପିଳାସ ଘଟଣ ସେ ପ୍ରାୟେ କାଳବଞ୍ଚା ।୨୮।

ଶିରେଣ ୟେକ ଜଟା କୃତାନ୍ତେକ ପରମ ଯୋଗୀ

ପରର ପ୍ରତଗ୍ୟାଂ ନ ସହଇ ସେ ମହା ବଇରାଗୀ ।୨୯।

ବାହାସ୍ଫୋଟ ଦେଇଣ ସେ ଅଧରେ ଦନ୍ତଚାପି

ଆସ୍ତାନୁ ଡେଇଂଣ ସେ ପଡ଼ିଲା ମହାକୋପୀ ।୩୦।

ବଳୟା ଦତ୍ୟକୁ ସେ ଧଇଲା ଆକ୍ରେଷି

ଭୂମିଗତେ ପାଡ଼ି ତାର ହୃଦରେ ମାଡିବସି ।୩୧।

ମାଲର ଭୀମର ଯହୁଂ ବଢ଼ିଲା ସାଂଗ୍ରାମ

ମହାଯୁଦ୍ଧ ଲାଗିଲା ରାତ୍ର ଦିବସ ଅବିଶ୍ରାମ ।୩୨।

କେହି କାହାକଇଂ ସେ ସମରେ ନୋହନ୍ତି ଓଚ୍ଛ

ମହା ବଳବନ୍ତା ସେ ବଳୟା ମାଲପକ୍ଷ ।୩୩।

ବନ ଡିଙ୍ଗର ଚୂରଗଲା ସେ ସମର ପଡ଼ିତାଳେ

ମେଦିନୀ ହେଳ ଘେନିଲା କମ୍ପିଲେ ଦିଗପାଳେ ।୩୪।

ପ୍ରହାରେ ଦଲଦଲିତ ହୋଅଇ ମେଦିନୀ

ତଡ଼ପି ହୋଇ ପୃଥିବୀ ହୋଇଲା ଶସ୍ୟହାନୀ ।୩୫।

ଭୂମିଖାଲ ନଦୀବୋଲି ନ ଗଲା ବାରଣ

ଜଳ ମନ୍ଥନ ମହୀ ମନ୍ଥନ ହୋଇଲା ସାଂଗ୍ରାମେଣ ।୩୬।

ୟେମନ୍ତେ ଦଶ ସହସ୍ର ବରଷ ପରିଯନ୍ତେ ବଢ଼ିଲା ସାଗ୍ରାଂମ

ଅଗ୍ନି ତାପ ହାନି ହୋଇଲା ଦିନକର ହୀନ ।୩୭।

ମହାଯୁଦ୍ଧ ଦେଖି ଯେ ବିଜେକଲେ ଈଶାନ

ରହ ରହ ବୋଲିଣ ସେ କଲେକ ସମାର୍ଜନ ।୩୮।

ଦଶ ସହସ୍ର ବରଷେ ଯୁଦ୍ଧେ ନୋହିଲେ ବିମୁଖ

ମଧ୍ୟରେ ପଶି ସମର ନିବର୍ତ୍ତାଇଲେ ପଞ୍ଚୁ ମୁଖ ।୩୯।

ବହୁତ ସମ୍ବୋଧନା ସେ କରନ୍ତି କପାଳୀ

କାହିଂର ନିମନ୍ତେ ରେ ତୁମ୍ଭର ହୋ ୟେଡ଼େ ବାରୁଆଳି ।୪୦।

ମାଲ ବୋଇଲା ଆମ୍ଭର କଉତୁକ ଯୁଦ୍ଧ

ୟେହିମତି କାଳେ କାଳେ ସମରେ କେହି ନୋହୁ ବଧ ।୪୧।

ଈଶ୍ୱରେ ବୋଇଲେ ତୁମ୍ଭେ ହୋ ବଡ଼ାଇ ଶକତା

ୟେ ଯୁଗରେ ସମର ତୁମ୍ଭର କେହି ନୋହିଲା ଦେଖନ୍ତା ।୪୨।

ଦ୍ୱାପର ଯୁଗେ ତୁମ୍ଭେ ଭୀମମାଲ ହୁଅ

ମଚ୍ଛଦେଶେ ମଘଦେଶେ ତୁମମ୍ଭେ ସମର ଆରୋହ ।୪୩।

ଭୀମଂକ ତୁଲେ ତୋହୋର ସମତ୍ସର ଇଚ୍ଛା ଯେବେ

ଭୀମସେନ ନାମେ ୟେ ଜାତ ହୋଇବ ପାଣ୍ଡବେ ।୪୪।

ତୁହି ହନ୍ତକାରୁ ଯେ ମାଲ ହୋଇଥିବୁ

ବିରାଟ ଆସ୍ତାନ ତଳେ ଯାଇଂ ସମର ମାଗିବୁ ।୪୫।

ତହିଂ ତୁମ୍ଭ ଦୁହିଂକର ସରିସମ ଯୁଦ୍ଧ

ଭୀମସେନ ରୂପେ ୟେ ତୋତେ କରିବ ଜାଣ ବଧ ।୪୬।

ଇଦଂବାକ୍ୟ କହନ୍ତି ସେ ଘଟଋଷିର ତନୁ

ସାବଧାନେ ଶୁଣ ତୁହୋ ବଇବସୁତ ମନୁ ।୪୭।

ମାଲର କଥା ସେ ଯେ ପୁଚ୍ଛିଲୁ ପ୍ରତକ୍ଷ

ୟେ ମାଲ ଅଟଇ ହାଦେ ବଳୟା ମାଲ ଦକ୍ଷ ।୪୮।

ଯୁଝେଷ୍ଠି ଦ୍ରଶନେ ଲଭିଲା ଅକ୍ଷୟ ଯେ ସ୍ୱର୍ଗ

ଦକ୍ଷ ପୁରୁଷଂକ ତୁଲେ ସେ ପାଇଲା ସ୍ୱର୍ଗଭାବ ।୪୯।

ଶୁଣିଣ ସାନନ୍ଦ ସେ ବିଲଂକା ଆଧିପତି

ଷଡ଼ଅର୍ଘ୍ୟେ ପୂଜାକଲା ସେ ପଣ୍ଡିତ ଅଗସ୍ତି ।୫୦।

ମୁନି ହେ ସାଧୁ ସେ ବ୍ରିକୋଦର ରହିଲା ଗୁପତେ

ଅନ୍ନ ସମ୍ପାଦ ତାହାକୁ ହେଉଅଛି କେମନ୍ତେ ।୫୧।

ଷାଠିଏ ପଉଟି ଅନ୍ନେ ଯେ ବେଳକେ ଅତ୍ରିପୁତି

ବିରାଟ ୟେତେକ ମିଳଇ ଟିକି ନିତିପ୍ରତି ।୫୨।

ଅଗସ୍ତି ବୋଇଲେ ହୋ ଶୁଣ ଯୋଗେଶ୍ୱର

ଆଧାର ଲୁବୁଧେ ସେ ହୋଇଲା ବଲ୍ଲବ ସୂପକାର ।୫୩।

ଅହିବ୍ରତେକ ସୂପକାର ବିରାଟ ରୋଷୁଅ ଘରେ ଥିଲା

ସବୁନ୍ତି ଛଡ଼ାଇ ଭୀମ ୟେକା ସୂପକାର ହୋଇଲା ।୫୪।

ନିତ୍ୟାପ୍ରତି ପ୍ରାପତ ହୋଇ ତିନି ଅହିବ୍ରତେକ ପଡ଼ି

ତାହା ଭୋଜନ କରଇ ଭୀମ ଯେ ଅନ୍ନ ପଞ୍ଚନ କରି ।୫୫।

ସୋରିଷ ନ ବାଟିଣ ସେ ପରିବା ନ କାଟି

ସବୁନ୍ତି ୟେକ କରିଣ ଭାଣ୍ଡେ ନେଇ ଘୋଟି ।୫୬।

ଜୀରା ହେଙ୍ଗୁ ମେଥି ମରିଚ ଘୃତ ଦୁଧ ବାସଖଣ୍ଡ

ୟେକା ଘାନ୍ତିକେ ସମସ୍ତ ପୂରୋଇ ନେଇ ଭାଣ୍ଡ ।୫୭।

ଦୋହୋରାନ୍ତ ସୁମରଇ ସେ ୟେକାଜାଳେ ଦେଇ

ୟେକା ନିଶ୍ୱାସକେ ସେ ସିଝାଇ ଓହ୍ଲାଇ ।୫୮।

କଞ୍ଚା ଦାରୁନ୍ତ ନେଇ ସେ ଅଗମୂଳ ମୋଡ଼ି

ଚୁଲୀରେ ପୂରୋଇ ନେଇ ଦୋହୋରା ନାମ ଧରି ।୫୯।

ଗଉରୀ ସଉରୀ ୟେ ଯେ ନଳ ୟେ ତିନିବିଧି ରାନ୍ଧଣା

ବାରଣ ନ ଯାଇ ସେ ଯେ ମେଞ୍ଜନ ୟେକଇ ସିଝଣା ।୬୦।

ବଇବସୁତ ମନୁ ଯେ ପୁଚ୍ଛାକଲେ ବାରତ

ସଉରୀ ପ୍ରତି ରାନ୍ଧଣା ମୁନି ହେ ଅଟଇ କେମନ୍ତ ।୬୧।

ଶଉରୀ ନାରାୟଣ ରୂପେ କେଶବ ବନକ୍ରୀଡ଼ା ହେରି

ଆପଣେ ସରସ୍ୱତୀ ନାମେଣ ଶବରୀ ।୬୨।

କାଠ କୁଢ଼ୋଇଣ ସେ ଅନଳେ କଲେ ଦାହା

ବନଫଳ ମାୟେଂସ ସେ ବନରେ ପାଆନ୍ତି ଯାହା ।୬୩।

ମୃଗମାଂସ ଆମ୍ବିଳ ମହୁର ଶାଗ

ସମସ୍ତଂକୁ ୟେକଯୋଗ କରି ପତ୍ର ସଙ୍ଗ ।୬୪।

ତଇଳ କ୍ଷୀର ଲବଣ ପାତ୍ରେ ସବୁ ଭରି

ଶିଆଳି ଲତାରେ ଗୁଡ଼ାଇ ଅଗ୍ନିରେ ତାହା ପୋଡ଼ି ।୬୫।

ଅଗ୍ନି ଜାଳନ୍ତେଣ ସେ ପୋଡ଼ି ହୋଇ ପଂକୁ

ଭୋଜନକୁ ଯାର ସହିତ ନୋହୋଇ କେହି ତାକୁ ।୬୬।

ବାତପିତ ଶିଳିଷମା ନାନା ରୋଗ ବ୍ୟାଧି

ସମସ୍ତହିଂ ଧ୍ୱଂସନ ହୋଅଇ ସେ ରାନ୍ଧଣା ପ୍ରସିଦ୍ଧି ।୬୭।

ୟେହା ସେ ବୋଲି ହୋ ସଉରୀ ରାନ୍ଧଣାର ପ୍ରତି

ଶବରୀ ରୂପେ ୟେହା ସଞ୍ଚିଲେ ସରସ୍ୱତୀ ।୬୮।

ନଳ ଯେ ସମସ୍ତ ଯୋଗାଡ଼ମାନ ୟେକକରି

ଆମିଷ ଆମ୍ବିଳ ମହୁର ସମସ୍ତେ ସମେ ହାଣ୍ଡିରେ ନେଇ ଭରି ।୬୯।

ଖରାରେ ବସାବନ୍ତେ ସେ ସିଝଇ ଅତି ବେଗେ

ନଳବିଧି ରାନ୍ଧଣା ୟେ ଅଟଇ ସୂର୍ଯ୍ୟପାଗେ ।୭୦।

ସଉରୀ ରାନ୍ଧଣା ଯେ ଅଟଇ ୟେମନ୍ତ

ସମସ୍ତ ଦ୍ରବ୍ୟମାନ ଯେ ହୋଇବ ୟେକତ୍ୱ ।୭୧।

ପରିବା ଅକଟା ଯେ ସୋରିଷ ଅବଟା

ସମଯୋଗ କରିଣ କରିବ ପାକଗୋଟା ।୭୨।

ହେଙ୍ଗୁ ମେଥି ଜୀରା ଯେ ମରୀଚ ସମକରି

ନୀର ତଣ୍ଡୁଳ ସେ ୟେକଯୋଗ କରି ।୭୩।

ରାନ୍ଧଣାର ବେଳେ ଦୋହୋରାଂକ ନାମକୁ ସୁମରି

ୟେବିଧି ରାନ୍ଧଣା ଯେ ଅଟଇ ଗଉରୀ ।୭୪।

ୟେହିମତି ରାନ୍ଧଣା ଯେ ରାନ୍ଧେ ନିତିପ୍ରତି

ୟେ ତିନିପ୍ରତି ରାନ୍ଧଣା କରଇ ମାରୁତି ।୭୫।

ରାନ୍ଧଣାକୁ ତଣ୍ଡୋଳ ନ ଯୋଗାଇ ଯେତେବେଳେ

ଶତେ ପଉଟି ଧାନ ସେ କୁଢ଼ୋଇ କୁତୂହଳେ ।୭୬।

ମୁଥ ପ୍ରହାର ସେ କରଇ ଭୀମସେନା

ଭାଞ୍ଜିଣ ଧାନମାନ ହୋଅଇ ସବୁ ଚୂନା ।୭୭।

ନିଶ୍ୱାସ ଛାଡ଼ନ୍ତେ ସେ ଉଡ଼ିଯାଇ ଚୋପା

ସେ ତଣ୍ଡୁଳ ରନ୍ଧନ ଯେ କରଇ ମନରୂପା ।୭୮।

ଅମନାତ୍ୟ ଯୋଦ୍ଧାନ୍ତ ଘେନିଣ ବିରାଟ ରାଜେଶ୍ୱର

ସମଦଣ୍ଡ ଘେନି ଭୁଞ୍ଜି ବସନ୍ତି କୋନ୍ତଂକ ସଙ୍ଗତରେ ।୭୯।

ଆପଣେ ଅନ୍ନ ଯେ ପରସଇ ପାବେନି

ପ୍ରଥମ ଘାନ୍ତିକେ ଦେଇଯାଇ ସୁବର୍ଣ୍ଣ ପଲମ ଘେନି ।୮୦।

ପୁଣ ପୁଣ ଅନ୍ନ ଯେ ମାଗନ୍ତି ଅପ୍ରମିତେ

କାଳଚକ୍ର ପରାୟେ ବୁଲାଇ ବେନିନେତ୍ରେ ।୮୧।

କୋନ୍ତଂକୁ ବିରାଟକୁ ପରଶଇ ସାମାନ୍ୟ ରୂପ ହୋଇ

ପରଶିଲା ବେଳେ ସନ୍ୟଂକୁ ଭୀଷ୍ମରୂପ ଦେଖାଇ ।୮୨।

ଦେଖିଣ ଭୟେ ଭୁଞ୍ଜି ନୁଆରନ୍ତି ସର୍ବଲୋକେ

ଗୋସାଇଂ ଅଣ୍ଟିଲାନି ବୋଲି ବୋଲୁଥାନ୍ତି ଥୋକେ ।୮୩।

ଅପାର ଅନ୍ନ ଯେ ଉବୁରଇ ୟେହିମତେ

ସୁଖେଣ ବ୍ରିକୋଦର ଭୁଞ୍ଜଇ ଅଣ୍ଟଇ ତାହାକୁ ଯେତେ ।୮୪।

ଭୁଞ୍ଜିଣ ତ୍ରିପୁତି ଯେ ପବନର ବାଳ

ଶରୀର ପୁଷ୍ଟିକଲା ସେ କ୍ଷତ୍ରିୟ ଅଚାର୍ଗଳ ।୮୫।

ବହୁତ ତ୍ରିପୁତି ହୋଇ ସେ ଭୁଞ୍ଜଇ ଶ୍ରୀକୃଷ୍ଣାର ସାଇଂ

ମୁଣୋହିଂର ଗାଢ଼େ ରାଜା ଉଠିତ ନୁଆରଇ ।୮୬।

ବିରାଟେ ବୋଇଲେ କୋନ୍ତେ ୟେତ ବଡ଼ାଇ ଦୁଲଭ

ୟେମନ୍ତ କରିଣ ସୁଂପକୁ ଅନ୍ନ ସେ ଦିଅଇ ବଲ୍ଲବ ।୮୭।

ଅତିଅନ୍ତ ଯୋଗାଡ଼େ ସେ ପୁଷ୍ଟ ହୋଅଇ ଭୋଗୀ

ବପୁଖୀନ୍ନ ହୋଇଲେ ଶରୀର ହୋୟେ ରୋଗୀ ।୮୮।

କୋନ୍ତେ ବୋଇଲେ ବିରାଟେ ଆମ୍ଭର ମନ୍ତ୍ର ଗୋଟିୟେ ଅଛି

ଭୋଜନ ଅନ୍ତରେ ମନ୍ତ୍ର ପଢି ତିନିବେଳ ଆଉଂସିବ କୁକ୍ଷି ।୮୯।

ଗଣ୍ଡସ୍ଥଳ କରି ସରି ଯେବେ ପୂରୋଇବ ଉଦର

ନାଭି ମଣ୍ଡଳ ମନ୍ତ୍ରିଲେ ସମସ୍ତ ଯିବ ପାର ।୯୦।

ବିରାଟ ବୋଇଲେ କୋନ୍ତେ ସରୂପ ମୋତେ ଦେଖା

ଶରୀର ସୁସ୍ଥହୋଉ ମନ୍ତ୍ରଗୋଟି ମୋରେ ଶିଖା ।୯୧।

ଶୁଣ ହୋ ମଚ୍ଛେଶ୍ୱର ସେ ମନ୍ତ୍ରର ମହିମାଂ

କାରୁଣ ହେତୁ ବୋଲିଣ ଅଟଇ ୟେକ ବ୍ରହ୍ମା ।୯୨।

ପଣ୍ଡୁ କଳୁଷ ବୋଲିଣ ତାଂକ ପୁତ୍ର ବେନି

ୟେହାଂକର ପୁତ୍ର ବେନି ଭାବିନୀ କାମିନୀ ।୯୩।

ୟେହାଂକର ପୁତ୍ର ଯେ ସୁତାପି ସରୂପୀ

ୟେହାଂକର ନନ୍ଦନ ଯେ ଆତାପି ବାତାପି ।୯୪।

ଉଦ୍ଦାଳେକ ପ୍ରୋହିତଂକର ପୋଷିଲା ଗଣ୍ଡାଗୋଟି

ଚଉର୍ଯ୍ୟପଣ କରି ତାହା ଅରଣ୍ୟେ ନେଇ କାଟି ।୯୫।

ଅଗ୍ନିରେ ପୋଡ଼ି ତାହା ଖାଇଲେ ବେନିଭ୍ରାଥେ

ଆହାନିକ ସାରି ଗଣ୍ଡା ଲୋଡ଼ନ୍ତି ଉଦ୍ଦାଳେକ ପ୍ରୋହିତେ ।୯୬।

ନିତ୍ୟାପତି ଗଣ୍ଡାକୁ ଯେ ଦିଅନ୍ତି ତୁଲେ ଅନ୍ନ

ଗଣ୍ଡା ଲୋଡ଼ି ମହାତ୍ମା ନ ପାଇଲେ ସେ ଦିନ ।୯୭।

ଲୋଡ଼ି ନ ପାଇଣ ମୁନି ଚିନ୍ତିଲେ ହୃଦଗତେ

ଧ୍ୟାନେ ଜାଣିଲେ ପୋଡ଼ି ଭକ୍ଷିଲେ ଆତାପି ବାତାପି ବେନି ଭ୍ରାଥେ ।୯୮।

ତାମସେ ମହାତମା ଯେ କଲେ ଅତି କୋହ

ରାଗେ ଶାପ୍ୟଦିଲେ ତୁମ୍ଭେ ବ୍ରହ୍ମରାକ୍ଷସ ହୋଅ ।୯୯।

ଉଦ୍ଦାଳକ ଋଷି ଶାପ୍ୟେ ଆତାପି ବାତାପି

ବ୍ରହ୍ମ ରାକ୍ଷସ ହୋଇଣ ବୁଲନ୍ତି ମହାପାପୀ ।୧୦୦।

ଆଶ୍ରମ କରି ରହିଲେ ପଞ୍ଚୁବଟୀ ବନେ

ପ୍ରୟାଗ ଯିବାକୁ ବାଟର ଯେ ମଧ୍ୟସ୍ଥାନେ ।୧୦୧।

ଯେତେ ଲୋକ ଗମନ୍ତି ସେ ପ୍ରୟାଗ ତୀର୍ଥକୁ

ବାଟ ପଡ଼ିଅଛି ସେ ପଞ୍ଚୁବଟୀ ବନକୁ ।୧୦୨।

ପଞ୍ଚଶତ ଯୋଜନ ପରିଯନ୍ତେ ନାହିଂ ଘର ଗ୍ରାମ

ୟେକାମାତ୍ରେ ଅଛଇ ଯେ ତାହାଂକର ଆଶ୍ରମ ।୧୦୩।

ଦ୍ୱାଦଶ ଚିତା ଶ୍ରୀବତ୍ସ ଚିହ୍ନ କନ୍ଧେ ଉତୁରି ପଇତା

ମହା ଆନନ୍ଦରେ ବସି ଭାଷନ୍ତି ବେଦ ପୋଥା ।୧୦୪।

ଦୁରାପଦ ବନେ ସେ ଯେ ଦେଖିଣ ଆଶ୍ରମ

ତୀର୍ଥ ବାସୀ ଜନେ ତହିଂ କରନ୍ତି ବିଶ୍ରାମ ।୧୦୫।

ବାଳ ମୃଗଗୋଟି ତହିଂ ହୋଇଥାଇ ଆତାପି

ଦାଣ୍ଡ ପିଣ୍ଡାରେ ତାକୁ ଦୃଢ଼େ ବାନ୍ଧିଥାଇ ବାତାପି ।୧୦୬।

ଭୋଜନ ଅର୍ଚ୍ଚନା ଯେ କରାଇ ପଥକିକି

କିଛିହିଂ ବ୍ୟାଞ୍ଜନ ନାହିଂ ମାରିବା ୟେ ମୃଗୀକି ।୧୦୭।

ସେହି ତୀର୍ଥବାସୀର ଛାମୁରେ ତାହା ହାଣି

ଛିଦ୍ରକରି କାଟିଣ ମେଞ୍ଜନ କରଇ ତାହା ପୁଣି ।୧୦୮।

ସ୍ରାହାନ କରି ଆସିଣ ସେ ଭୁଞ୍ଜଇ ତୀର୍ଥବାସୀ

ସୁପଂକୁ ଅନ୍ନ ମେଞ୍ଜନ ସେ ଅତିଥିଂକି ପରଶି ।୧୦୯।

ବହୁତ ପୁଷ୍ଟ କରି ଭୁଞ୍ଜାଇ ତୀର୍ଥବାସୀଜନ

ଆହାର ସମ୍ପୂର୍ଣ୍ଣେ ସେ ଯେ କରନ୍ତି ଆଞ୍ଚୋବନ ।୧୧୦।

ଚଳନ୍ତି ପଥୁକୀ ଯେ ଦିନେକ ତହିଂ ରହି

ଥୋକାୟେ ଦୂର ବାତାପି ଗୋଡ଼ାବଇ ତହିଂ ।୧୧୧।

ଥୋକାୟେ ଦୂର ଯାଇ ବାହୁଡ଼ଇ ପଥୁକୀ କି କହି

ଆସରେ ଆତାପି ବୋଲି ବାତାପି ଡାକ ଦେଇ ।୧୧୨।

ପେଟର ଭିତର ଯେ ପୁରୁଷେକ ଅବତରି

ଗର୍ଜିଣ ବାହାର ହୋଅଇ ସେ ପଞ୍ଜରା ବିଦାରି ।୧୧୩।

ଯେତେବେଳେ ପଥୁକୀ ପଡ଼ଇ ଭୂମିଗତେ

ସେହି ମାୟେଂସ ଆହାର କରନ୍ତି ବେନିଭ୍ରାଥେ ।୧୧୪।

କୋନ୍ତେ ବୋଇଲେ ହୋ ବିରାଟ ରାୟେ ଶୁଣ

ୟେହିମତି କରି ସେ ଭକ୍ଷିଲେ ଅନେକ ବ୍ରାହ୍ମଣ ।୧୧୫।

ସତ୍ୟଯୁଗ ସତର ଲକ୍ଷ ଅଠାଇଶ ସହସ୍ର ବରଷ

ତୀର୍ଥବାସୀଜନନ୍ତ ସେ ଅନେକ କଲେ ନାଶ ।୧୧୬।

ତ୍ରେତୟା ଯୁଗରେ ସେ କରନ୍ତେ ୟେହିମତେ

ଆତାପି ବାତାପି ସେ ଦୁଇବ୍ରହ୍ମ ଯେ ଦଇତେ ।୧୧୭।

ଦିବୋଦାସ ନାମେଣ ସୂର୍ଯ୍ୟବଂଶେ ମହାରଥା

ସତାଣୋଇ ସହସ୍ର ଅଂକେ ୟେସନେକ ବାରତା ।୧୧୮।

କାର୍ତ୍ତିକ କୃଷ୍ଣପକ୍ଷ ଦୁତୀୟା ଚନ୍ଦ୍ରବାର

ରୋହିଣୀ ନକ୍ଷତ୍ର ଯେ ଅଟଇ ସେ ଦିନର ।୧୧୯।

ଦଣ୍ଡ କମଣ୍ଡଳ ହୋଇ ଅଗସ୍ତି ମହଋଷି

ସେ ଦିନ ମହାମୁନି ପ୍ରୟାଗ ତୀର୍ଥକୁ ଆସି ।୧୨୦।

ସେହି ଆତାପି ବାତାପି ବେନିଜନେ

ଅଗସ୍ତିଂକୁ ରୁହାଇଲେ କରି ଆଚ୍ଛାଦନେ ।୧୨୧।

ସେହିମତି କରିଣ ସେ ମାଇଲେ ମାୟାମୃଗ

ବାତାପି ପାକ ସଞ୍ଚାକଲା ନେଇ ବେଗ ।୧୨୨।

ଅଗସ୍ତିଂକି ପରଶିଲା ସେହି ମୃଗ ମାୟେଂସ

ବଡ଼ାଇ ସୁସ୍ୱାଦୁ ବୋଲି ଅଗସ୍ତି କଲେ ସର୍ବଗ୍ରାସ ।୧୨୩।

ଭୋଜନେ ହୋଇଣ ସେ ଆଂଚୋବନ କଲେ

ରାତ୍ରକ ରହି ମୁନି ପାହାନ୍ତିକି ଉଠିଗଲେ ।୧୨୪।

ବାତାପିକି କହିଣ ଚଳନ୍ତି ଅଗସ୍ତି

ପଛେଣ ଗୋଡ଼ାଇଲା ସେ ରାକ୍ଷସ ମନ୍ଦଜାତି ।୧୨୫।

ବାହୁଡ଼ ପଣ୍ଡାୟେ ହୋ ବୋଲି ବୋଲନ୍ତି ଅଗସ୍ତି ବ୍ରହ୍ମବେତ୍ତା

ଆତାପି ଆସ ବୋଲି ଡାକିଲା ବ୍ରହ୍ମଦତ୍ୟା ।୧୨୬।

ଆହୋ ବିରାଟ ସାତ ସମୋଦ୍ର ଯେବଣ ମୁନି କଲାକ ଗଣ୍ଡୁଷ

ଯାହାର ଉଦରେ ପଡ଼ି ସାଗର ଗଲା ଧ୍ୱଂସ ।୧୨୭।

ବ୍ରହ୍ମରାକ୍ଷସ ଆତାପି ମାଂସ ହାଦେ ଗଲା କ୍ଷୟେ

ବାତାପି ନ ପାଇଲା ତା ସୋଦରରେ କାୟେ ।୧୨୮।

ବାହୁଡ଼ିଣ ବାତାପି ଅଗସ୍ତିଂକ ଚରଣେ ପରିଣାମି

କେବଣ ମହାତମା ତୁମ୍ଭେ ପୁରୁଷଂକ ଉତ୍ତମି ।୧୨୯।

ଆମ୍ଭେ ବେନି ସହୋଦ୍ର ଅଟୁ ବ୍ରହ୍ମରାକ୍ଷସ

ଅମୋକ୍ଷ ହୋଇ ପଡ଼ିଲୁ ଆସି ଗହନ ଘୋରବାସ ।୧୩୦।

ଅନେକ ହତ୍ୟାକଲୁ ସେ ଆହାର ନିମନ୍ତେ

ତୋର ଉଦରେ ପଡ଼ି ସେ ହୋଇଲା ଭସ୍ମଗତେ ।୧୩୧।

ତୁମ୍ଭେ କେଉଂ ମୁନି ମୁହିଂ ଜାଣି ନୁଆରିଲି

ଅଗ୍ୟାଂନର ମତେ ମୋର ଭାଇକି ନାଶିଲି ।୧୩୨।

ଆରେ ଆରେ ବାତାପି ଆମ୍ଭେ ଅଗସ୍ତି ବ୍ରହ୍ମଦେବେ

କ୍ଷୀରୋଦ୍ର ଗଣ୍ଡୂଷ କଲୁ ହାଦେ ପୂର୍ବେ ।୧୩୩।

ବାତାପି ବୋଇଲା ମୁଂ ନିସ୍ତରିଲି ନିସ୍ତରିଲି ମୁନି ହେ

ମୋକ୍ଷକଇଂ କାରଣ ମୋତେ କହିବା ସନ୍ଦେହେ ।୧୩୪।

ଅଗସ୍ତି ବୋଇଲେ ତୁ ହୁଅସି ମୃଗାରି

ଆହାରେ ଆମ୍ଭେ ତାହା ପାରୁ ଭସ୍ମକରି ।୧୩୫।

ମୃଗେକ ହୋଇଲା ଯହୁଂ ବାତାପି ବ୍ରହ୍ମରାକ୍ଷସ

ପୋଡ଼ିଣ ଅଗସ୍ତ ଯେ ଭକ୍ଷିଲେ ତାର ମାୟେଂସ ।୧୩୬।

ଦୁହେଂ ପଶିଲେ ଯାଇଂ ଅଗସ୍ତିଂକ ଉଦର

କ୍ରୋଟ ଅଗ୍ନିରେ ପଡ଼ି ଦୁହେଂ ଗଲେକ ପାର ।୧୩୭।

ଶୁଣସି ହୋ ବିରାଟ ବଦନ୍ତି କୋନ୍ତ ଯେ ପଣ୍ଡାୟେ

ଅଗସ୍ତିଂକର ସଞ୍ଚିଲା ଅଛି ଆମ୍ଭ ତହିଂ ମନ୍ତ୍ର ଯେ ଗୋଟିୟେ ।୧୩୮।

ଆପଣେ ସେ କୋନ୍ତେ ଶିଖାଇଲେ ବିରାଟକୁ

ୟେଣେ ସେ ଆଧାରମାନ ସବୁ ହୋୟେ ପଂକୁ ।୧୩୯।

ଅଗସ୍ତିଂକ ମନ୍ତ୍ର ସେ ପାଇଣ ବିରାଟେ

ଆଧାରେଣ ଜିତା ସେ ହୋଇଲେ ସେ ମହାପୁଷ୍ଟେ ।୧୪୦।

ଆହେ ବୁଧଜନେ ଯେ ହୁଅଇ ଭୋଜନେ ଶକତା

ଅଗସ୍ତିଂକ ମନ୍ତ୍ରେ ଆହାର ଯାଇ ସେ ଭସ୍ମଭୂତା ।୧୪୧।

ସବୁନ୍ତିହିଂ ପ୍ରାପତ ଯେ ନୋହୋଇ ମନ୍ତ୍ରଗୋଟି

ଅଗସ୍ତି ସୁମରି ତିନି ଘାନ୍ତି ଛୁଇଂବ ନାଭିମଣ୍ଡଳେ ଅଙ୍ଗୁଷ୍ଠି ।୧୪୨।

ତେଣୁକରି ଭୋଜନ ଯାଇଟି ସର୍ବ ଜୀର୍ଣ୍ଣ

ବାରାନିଧି ଗଣ୍ଡୂଷ କଲେ ୟେହି ମନ୍ତ୍ର ବିଧାନ ।୧୪୩।

ଜୟ ଜୟ ଅଗସ୍ତି ତୁ ପଣ୍ଡିତ ମହାଭିଗ୍ୟଂ

ଭୂତ ଭବିଷ୍ୟ ଗ୍ୟାଂତା ଅଟୁ ଯେ ସର୍ବଗ୍ୟଂ ।୧୪୪।

ଭୋଜନ ପୁଷ୍ଟେ ଯେ ଘୋଟଇ ସର୍ବବ୍ୟାଧି

ଅଗସ୍ତିଂକ ମନ୍ତ୍ରବଳେ ସମସ୍ତ ହୋୟେ ଛେଦି ।୧୪୫।

ପିତାମହର ନନ୍ଦନ ସଉଭାଗ୍ୟ ବାଲଖିଲ୍ୟା

ବିହନ୍ତା ପୁରୁଷଂକ ତୁଲେ ଅହନିଶି ଯାହାର ମେଳା ।୧୪୬।

ଭୂତ ଭବିଷ୍ୟ ବ୍ରତମାନ ଯେବଣ ମୁନିଂକି ଗ୍ୟାଂତା

ସମସ୍ତ ବେଦରେ ମହାମନ୍ତ୍ରେଣ ଅଟେ ସେ ଶକତା ।୧୪୭।

ଶଉଚ ଅଶଉଚ ନାହିଂ ଯାହାର ଦେହ ହେଳୁଂ

ବାଳୁତ ଖେଡ଼ରେ ସେ ବାରାନିଧି କଲୁ ଚଳୁ ।୧୪୮।

କୋଟିୟେ ବ୍ରହ୍ମବେତ୍ତା ଶୁଦ୍ଧପଦରେ ଧାରଣା

କଳ୍ପ କଳ୍ପ ଆଷ୍ୟ ଯାହାର ନ ଯାଇ କଳଣା ।୧୪୯।

ୟେକା ଅବଲୋକନେ ଯାହାର ଚତୁର୍ଯୁଗ ଯାଇ ବହି

ଭାବଗ୍ୟଂ ମହାତମା ପୁରାଣେ ନାମ ଯାର କହି ।୧୫୦।

ଧାତାକଇଂ ବୁଦ୍ଧିମନ୍ତ୍ର ଯେ ମାଗଇ ଯୋଗବଳେ

ସପତ ସମୋଦ୍ର ବିଶ୍ରାମଇ ଯାହାର କମଣ୍ଡଳେ ।୧୫୧।

ସେ ମୁନି ଚରଣେ ଯେ ଶରଣ ପରିଣାମି

ଶୂଦ୍ରମୁନି ସାରୋଳା ଦାସ ଅଗସ୍ତିଂକି ସେବାଧର୍ମି ।୧୫୨।୨୯୦୭।

******

Unknown

ବିରାଟ ରାଜ୍ୟରେ ଚନ୍ଦନଯାତ୍ରା ଉତ୍ସବ ପ୍ରବର୍ତ୍ତନ

ବଇବସୁତ ମନୁ ଯେ ପୁଚ୍ଛାକଲେ ଅଗସ୍ତି

ଅନ୍ନପୁଷ୍ଟେ ଶରୀର ଯେ ବଢ଼ିଲା ମାରୁତି ।୧।

ବ୍ୟାଘ୍ର ମାଲ ବଧକଲାକ ସମରେ

ଆବର କି ଯୁଦ୍ଧ ହୋଇଲା ବିରାଟ ରାଜ୍ୟରେ ।୨।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି ବ୍ରହ୍ମଋଷି

କୀଞ୍ଚେକ ବଧକଲା ଭୀମ ବିରାଟ ରାଜ୍ୟେ ପଶି ।୩।

ଶୁଣିଣ ଆଶ୍ରିଜ ହୋଇଲେ ବଇବସୁତ ମନୁ

ଶତେ ସିଂଘର ପ୍ରାକର୍ମ ସଂକୋଚନର ତନୁ ।୪।

ୟେକା ସିଂଘର ବଳ ଅଟଇ ବୀର ଭୀମ

କେସନେକ କୀଞ୍ଚେକକୁ ସେ ମାଗିଲା ସାଂଗ୍ରାମ ।୫।

ବଡ଼ାଇ ଦୁରାପଦ ୟେ ଶୁଣିତେ ମୋହୋର ଇଚ୍ଛା

ସଞ୍ଚପି କହିବା ମୋତେ ପୂରୋଇବା ମନୋବାଞ୍ଛା ।୬।

ଅଗସ୍ତି ବୋଇଲେ ପାଣ୍ଡବେ ରହିଲେ ବିରାଟେ ଗୁପତେ

ଅଗ୍ୟାଂତେ ପଶିଲେ ସେ ଧନୁମାସର ଅନ୍ତେ ।୭।

ବଇଶାଖ ପ୍ରବେଶେ ସେ ପଚାରିଲେ କୋନ୍ତେ

ବସନ୍ତ ଉଚ୍ଛବ ବୋଲି ଆକାଶର ଯାତେ ।୮।

ମୃତୁ ମଣ୍ଡଳରେ ଯେ ବସନ୍ତ ଉଚ୍ଛବ ଯାତ୍ରା

ଦ୍ରଶନେ ମୋକ୍ଷଗତି ସେ ରାଜ୍ୟକୁ ପବିତ୍ରା ।୯।

ଆହୋ ବିରାଟ ଯେବଣ ରାଜ୍ୟରେ ରଙ୍ଗସଭା ନାହିଂ

ଯାତ୍ରା ଉଚ୍ଛବ ଯେବଣ ରାଜ୍ୟରେ ନ ଥାଇ ।୧୦।

ଯେବଣ ରାଜ୍ୟରେ ହୋ ନାହିଂ ଯାଗଯଗ୍ୟଂ

ନିଚୟ ସେ ରାଜ୍ୟ ଜାଣ ଅସୁରେଣ ଭୋଗ୍ୟ ।୧୧।

କୋନ୍ତେ ବୋଇଲେ ୟେ ତୋହୋର ମହାରାଜ୍ୟେ

ବସନ୍ତ ଉଚ୍ଛବ ଯାତ୍ରା ଅଛି ଟିକି ମହାରାଜେ ।୧୨।

ବିରାଟ ବୋଇଲା ଯାହା ପୁଚ୍ଛାକଲ କୋନ୍ତେ

ମୁହିଂ ନ ଜାଣଇ ବସନ୍ତ ଉଚ୍ଛବ ଯାତ୍ରାବିଧି ଯେ କେମନ୍ତେ ।୧୩।

ମୁହିଂ ବନସ୍ତପତି କୁଜନ ଜନେ ସଙ୍ଗୀ

ଗୋପାଳ ବୃତ୍ତିହୁଂ ମୁହିଂ ନ ଜାଣଇ ଆନ ଭଙ୍ଗୀ ।୧୪।

ସୁଜନ ଜନ ସଙ୍ଗ ମୁଂ ପାଇଲି ୟେତେକାଳେ

ତୁମ୍ଭେ ଥାଇ ଯାତ୍ରା ଆରୋପଣ କର କଥା ରହୁ ଚିରକାଳେ ।୧୫।

କୋନ୍ତେ ବୋଇଲେ ତୁମ୍ଭେ ଶୁଣସି ମହାରାଜ

ଲକ୍ଷେକ ମାଢ଼ ସୁବର୍ଣ୍ଣ ହୋଇବ ତୋର ବ୍ୟାଜ ।୧୬।

ବିରାଟ ବୋଇଲା କୋନ୍ତର ବାକ୍ୟ ସରାଗୁଂ

ତହିଂକି କିଛି ବିଚାର ନ କର ବେନିଲକ୍ଷ ମାଢ଼ ଲାଗୁଂ ।୧୭।

ଭଣ୍ଡାର ନାୟେକ ରାଇ ଆଗ୍ୟାଂ ଅବଧାରୀ

କୋନ୍ତକୁ ସମର୍ପ ମୋର ଲକ୍ଷେ ଭଣ୍ଡାର ଆଦିକରି ।୧୮।

ଭଣ୍ଡାର ଫେଇଦିଲା ଯେ ବିରାଟର ବଚନେ

କୋନ୍ତେ ବିଜେକଲେ ଭଣ୍ଡାର ଆସ୍ତାନେ ।୧୯।

ବିଶ୍ୱକର୍ମା କଣୟ ଘଟଣା ବିନ୍ଧାଣି

ଅହିବ୍ରତେକ ମାଢ଼ରତ୍ନ ତାହା ଛାମୁରେ ଦିଲେ ଆଣି ।୨୦।

ଆହୋ ବିଶ୍ୱକର୍ମା ଆହୁଟଦଣ୍ଡ ଯେ ହୋଇବ ପଂକଜ

ଶଙ୍ଖଚକ୍ର ଗଦା ଯେ ଶାରଙ୍ଗ ଚତୁର୍ଭୁଜ ।୨୧।

ଅମୂଲ୍ୟ ରତ୍ନମଣି ମୁକୁଟ ଯେ ହୋଇବ ଲଲାଟେ

ଚକ୍ରଧର ଦେବତା ବହନ କର ଘଟେ ।୨୨।

ଲାଗିଲେ ବିଶ୍ୱକର୍ମା ବହୁତ ବିନ୍ଧାଣି

ଶ୍ରୀ ନାରାୟଣ ଦେବତା ବହନ ନିରିବାଣି ।୨୩।

ପୁଣି ପାଞ୍ଚ ଅହିବ୍ରତକ ମାଢ଼ ଦିଲେକ ରତନ

ଶୁଦ୍ଧ ସୁବର୍ଣ୍ଣରେ ଯେ ନିର୍ବାଣ ବିମାନ ।୨୪।

ଅହିବ୍ରତେକ ମାଢ଼ ସୁବର୍ଣ୍ଣ ଉଦ୍ଦଣ୍ଡ ଆଲମ୍ବ ପାଞ୍ଚଲଖୀ

ଉଚ୍ଛବ ନବର ଯେ ନଦୀତୀରେ ତାହା ରଖି ।୨୫।

ବହଇ ଉତ୍ତରବାହିନୀ ନଦୀ କୃଷ୍ଣାବେଣୀ

ତହିଂର ତୀରେ ଉଚ୍ଛବ ନବର ନିରିବାଣି ।୨୬।

ଅହିବ୍ରତେକ ନାବ ରତ୍ନେଣ ଘଟଣ କରି

ଫଳନ୍ତ କଦଳୀ ଆମ୍ବ ନଟିକାଲ ବୃକ୍ଷନ୍ତ ନେଇ ଆରୋପଣ କରି ।୨୭।

ନାବର ଭିତରେ ରତ୍ନ ନିର୍ବାଣ ଜଗତି

ଯେସନେକ ସାରିକ୍ଷ ଭୁବନ ବାରସ୍ୱତୀ ।୨୮।

ରତ୍ନର କାନଫୁଲ ରତ୍ନବଳା କଂକଣ ନିଯୋଗୀ

ଦିବାରାତ୍ରେ ଅବକାଶ ନାହିଂ ଲାଗିଲେ ବେଗ ବେଗି ।୨୯।

ଜଳନ୍ତି ଦିହୁଡ଼ି ଲକ୍ଷେକ ବିନ୍ଧାଣିଂକ ଆଗେ

ଗଢ଼ନ୍ତି ରୂପକାରେ ଲାଗିଛନ୍ତି ଅତି ବେଗେ ।୩୦।

ଆମ୍ଭର ଦେଖି ବିରାଟର ବଡ଼ାଇ ଶରଧା

ରାତ୍ର ଦିବସେ ଦେଖି ଉପେକ୍ଷା କଲା ନିଦ୍ରା କ୍ଷୁଧା ।୩୧।

ସମରାଜ୍ୟେ ଲୋକେ ସମ୍ଭରେ ଦେଖନ୍ତି

ଆହାର ନିଦ୍ରା ମଇଥୁନ ତିନିହିଂ ଉପେଖନ୍ତି ।୩୨।

ୟେକୋଇଶ ଦିନେ ନିର୍ବାଣ ସର୍ବ କର୍ମ

ବିରାଟ ବୋଇଲା କୋନ୍ତେ ପ୍ରତକ୍ଷେ ତୁମ୍ଭେ ଧର୍ମ ।୩୩।

କୋନ୍ତେ ବୋଇଲେ ବିରାଟ ୟେ କଥା ଅଟଇ ଯୁଗତ

ଧର୍ମଦାସ ପଣ୍ଡାଂକର ଅଟୁ ଆମ୍ଭେ ସୁତ ।୩୪।

ସମସ୍ତ ଯୁଗେ ଆମ୍ଭେ ଠାକୁରଂକ ବରଗି

ସର୍ବ ସୁବିଧାନେ ଆମ୍ଭେ ଅଟୁ ପରମଯୋଗୀ ।୩୫।

ସମରାଜ୍ୟେ ଲୋକେ ଯେ ଅତିୟ ସୁବେଶ

ମଣ୍ଡନ୍ତି ନଗ୍ରପୁର ଭୁବନ ଚଉପାଶ ।୩୬।

ବଇଶାଖ ଶୁକଳପକ୍ଷ ତୃତୀୟା ଚନ୍ଦ୍ରବାର

ରୋହିଣୀ ନକ୍ଷତ୍ରକୁ ଭୋଗ୍ୟ ସେ ଦିନର ।୩୭।

ବାଣିଜ୍ୟ ନାମେ କରଣ ସୁକର୍ମ ନାମେ ଯୋଗ

ବସନ୍ତ ଉଚ୍ଛବ ଯାତ୍ରା ବିଧାନ ଆରମ୍ଭ ।୩୮।

ଦିବ୍ୟ ବିମାନେ ଶ୍ରୀ ଚକ୍ରଧର ସ୍ୱାମୀ କରାଇଲେ ବିଜେ

ବୀରତୂର ଟମକ ନିଶାଣ ଢୋଲ ବାଜେ ।୩୯।

ବେରୀ ମୃଦଙ୍ଗ ଦମାଲୁ ମର୍ଦ୍ଦଳ ବୀରବାଦ୍ୟ

ବିଜିଘୋଷ କାହାଳୀ ମହୁରୀ ଶଙ୍ଖନାଦ ।୪୦।

ତାଳ ପଡ଼ି ପଟହଟ୍ଟ ବାଜଇ ପଖାଉଜ

ଚାଲୁଥାନ୍ତି ଫଡ଼ିକାରେ କେତେ ହୋଇ ସଜ ।୪୧।

ଡାକି କୁଣ୍ଡଳୀ ଯେ ଅଧାଟି ବୀଣାଯନ୍ତ୍ର

ଅନେକ ପସରା ବିକ୍ରେ ଦାଣ୍ଡହାଟ ସମସ୍ତ ।୪୨।

ଅନେକ ପସରା ସଜାଡ଼ିଣ ଦାଣ୍ଡେ ଚଳିଯାନ୍ତେ

ବହୁତ ଜନଗହଳି ହୋଇଲାକ ପଛେ ।୪୩।

କୃଷ୍ଣବେଣୀ ନଦୀତୀରେ ଉତ୍ସବ ନବର

ତହିଂ ନେଇ ବିଜେ କରାଇଲେ ଦେବ ଦାମ୍ବୋଦର ।୪୪।

ହାଥୀ ଦଣ୍ଡ ରଥ ଅଶ୍ୱ ବଡ଼ାଇ ଗହଳ

ଆଦିତ୍ୟ ଅଦୃଶ୍ୟ ହୋଇଲେ ଉଡ଼ନ୍ତେ ପାଟଛତ୍ର ମାଳ ।୪୫।

ଉଡ଼ଇ ଗଗନେ ଯେ ପଦରଜ ଧୂଳୀ

ଆକାଶେ ଅଦୃଶ୍ୟ ଯେ ହୋଇଲେ ଅଶୁଂମାଳୀ ।୪୬।

ନଦୀତୀରେ ଯାଇଣ ଆରମ୍ଭିଲେ ଥାଠ

କୁନ୍ତକଇଂ ବହୁତ ପ୍ରଶଂସା ଯେ କରଇ ବିରାଟ ।୪୭।

କୋନ୍ତେ ବଂଶେ ବଂଶେ ମୋର ଅନେକ ପୁରୁଷ ଗଲା

ୟେଡ଼େକ ସମ୍ପଦ ଯାତ୍ରା ମୋର ନାହିଂ ନ ଦେଖିଲା ।୪୮।

କୋନ୍ତେ ବୋଇଲେ ବିରାଟେ ଅନେକ ପୁଣ୍ୟ କରିଥିଲେ

ବହୁତ ପୁଣ୍ୟ ଉପୁଜଇ ଧର୍ମ ଉଦିତ ହୋଇଲେ ।୪୯।

ବିଜୟେ ପ୍ରତିମା ନେଇ ବସାଇଲେ ନାବେ

ସମସ୍ତ ସମ୍ପଦ ଘେନି ବିଜୟେ ରାଜଦେବେ ।୫୦।

ଅନେକ ସମ୍ଭରେ ସେ କୀଞ୍ଚେକ ସେନାପତି

ନାଉକା ବିମାନେ ବସି ଜଳକ୍ରୀଡ଼ା କରନ୍ତି ।୫୧।

ପବନହୁଂ ବେଗେ ନାବ ବାହାନ୍ତି କୁତୂହେଳେ

ମାରୁଛନ୍ତି ପିଚିକା ପନିର ନୀରଜଳେ ।୫୨।

କରନ୍ତି ନୃତ୍ୟଗୀତ ଯେ ଗଣିକାଗଣମାନେ

ବିଜୟେ ମଚ୍ଛେଶ୍ୱର ୟେ ନାଉକା ବିମାନେ ।୫୩।

ବିରାଟ ପୁଚ୍ଛାକଲା ଶୁଣିମା ଠାକୁର ଦେବକୋନ୍ତେ

ମହାଦେଈମାନେ ବିଜେ କରିବେ କି ଯାତ୍ରା ଦେଖିବା ନିମନ୍ତେ ।୫୪।

କୋନ୍ତେ ବୋଇଲେ ହୋ ବିଭାମଙ୍ଗଳ ଉତ୍ସବେ

ଯାତ୍ରା ସ୍ତାନକୁ କିଂପେ ନ ଆସିବେ ୟେବେ ।୫୫।

ଶୁଣିଣ ବିରାଟେଶ୍ୱର ମୁଦୁସୁଲୀ ହକାରି

ଉତ୍ସବ ନବରକୁ ରାଣୀ ଆସନ୍ତୁ ବିଜେକରି ।୫୬।

ରାଜାର ବଚନେ ସେ ଚତୁରୀ ସିହାଣୀ

ଧାଇଂଯାଇ କହିଲେ ଯାତ୍ରାକୁ ବିଜେ କରିବା ଠାକୁରାଣୀ ।୫୭।

ଶୁଣିଣ ମହାଦେଈ ଯେ ସଇରିନ୍ଧ୍ରୀକି ହକାରି

ଆସ ଆସ ମାୟେ ଗୋ ଯିବା ଯାତ୍ରା ଦେଖିକରି ।୫୮।

ସଇରିନ୍ଧ୍ରୀ ବିଚାରନ୍ତି ମୁଂ ଯିବି ୟେହାଂକର ତୁଲେ

ଦେଖିବି ସ୍ୱାମୀଂକି ମୋର ଅଛନ୍ତି କିନା ଭଲେ ।୫୯।

ମହାଦେଇଂକର ବାକ୍ୟେ ଅନେକ ଶ୍ରାଗକରି

ଶ୍ରୀକୃଷ୍ଣାଂକ ତୁଲେ ସଜ ହୋଇଲେ ସଇନ୍ଧୀରି ।୬୦।

କନେକର ହାନ୍ଦୋଳରେ ବିଜେକଲେ ପାଟରାଣୀ

ପାଶେଣ ବସାଇଛନ୍ତି ପାଣ୍ଡବ ଘରଣୀ ।୬୧।

ଆଗ ପଛ ଓଗାଳ ମହାଦେଈଂକର ଯାନ୍ତେ

ଅନେକ ପାଟଛତ୍ର ଉଡ଼ନ୍ତି ଗଗନ ପଥଗତେ ।୬୨।

ବାଜଇ ବିଜିଘୋଷ ମର୍ଦ୍ଦଳ କଂସାଳ କାହାଳୀ

କଉତୁକେ ବିହଡ଼ନ୍ତି ତୁଲେଣ ସର୍ବବାଳୀ ।୬୩।

ନଦୀର ତୀରେ ଯାଇଂ ବିଜୟେ ମହାଦେଈ

ସନ୍ନିଧ୍ୟେ ସଇରିନ୍ଧ୍ରୀ ଅଛନ୍ତି ଉଭାହୋଇ ।୬୪।

******

 

ସୈରିନ୍ଧ୍ରୀ ଦର୍ଶନେ କୀଚକର ଦୂତ ପ୍ରେରଣ

ଯାତ୍ରାକଇଂ ଉଦବେଗ ଗମନ୍ତେ ଜିଘ୍ନସେନୀ

ସର୍ବଜନ ରଞ୍ଜନୀ ମରୁଳ ଗମନୀ ।୧।

ସମସ୍ତ ଅବଲୋକନ ସଇରିନ୍ଧ୍ରୀକି ଦେଇ ଆଖି

ନାବେଣ ଥାଇ କୀଞ୍ଚେକ ଯେ ଚାହଂଇ ନିରେଖି ।୨।

ଦଇବେ ଆଦିତ୍ୟ ଅସ୍ତ ପ୍ରବେଶ ହେଲା ନିଶି

ଦିହୁଡ଼ି କତିରେ ସଇରିନ୍ଧ୍ରୀର ତେଜ ଯେ ବିକାଶି ।୩।

କୀଞ୍ଚକ ପଚାରଇ ରାଇଣ ମୁଦୁସୁଲୀ

ଆଲୋ ବଡ଼ାଇ ଉପାଧି ୟେତ ଅନ୍ତେଶ୍ୱର ପୁରେ ଦେଖିଲି ।୪।

ରାଣୀଂକ କତିରେ ୟେ ହୋଇଅଛି ଉଭା

କୋଟିୟେ ଗୁଣେ ଶ୍ରୀକୃଷ୍ଣାଂହୁଂ ଦିଶଇ ଅତି ଶୋଭା ।୫।

କେବଣ ରାଜା ବିରାଟକୁ ଅବା ଦିଲା ବନ୍ଦୀ

ମୋତେ ନ କହି ବିରାଟ କେମନ୍ତେ ସମ୍ପାଦି ।୬।

ଆଲୋ ତଦନ୍ତ କରି ତାହା ପଚାରିଆସ ଜାଣି

କେବଣ ରାଜାର ସେ ଅଟଇ ଦୁଲଣୀ ।୭।

କୀଞ୍ଚେକର ବଚନେ ସେ ଚଳିଲେ ମୁଦୁସୁଲୀ

ଶ୍ରୀକୃଷ୍ଣାଂକ ସନ୍ନିଧ୍ୟେ ଯାଇ ହୋଇଲେ ପୋଇଲୀ ।୮।

ଅନ୍ତେଶ୍ୱର ପୁରେ ମୁଦୁସୁଲୀକି ପଚାରି

ଆଗୋ କେବଣ ରାଜାର ୟେ ଅଟଇ କୁମାରୀ ।୯।

ଦାସୀଂକର ଅଗ୍ରତେ କହିଲେ ମୁଦୁସୁଲୀ

କିମ୍ଭୂତ ମାୟା ୟେହା ଜାଣିତ ନୁଆରିଲି ।୧୦।

କେବଣ ଦେଶରୁ ୟେ ଅଇଲା ଅଦଭୁତେ

ତାହାର ପତିଭ୍ରଥା ନାହିଂ ଛଡ଼ମାସ ପରିଯନ୍ତେ ।୧୧।

କୁଳମୂଳ ନାହିଂ ୟେହାର ୟେ ଅଟଇ ଦେଶାନ୍ତରୀ

ଠାକୁରାଣୀଂକି ଅଲେଖ ତିଳଖ କରଇ ନାମ ୟେହାର ସଇନ୍ଧିରୀ ।୧୨।

ୟେମନ୍ତ ଶୁଣିଣ ସେ ଗଲେ ଦାସୀଗଣମାନେ

ବାରତା କହିଲେ ଯାଇଂ କୀଞ୍ଚେକ ସନ୍ନିଧାନେ ।୧୩।

ସ୍ୱାମୀ କେବଣ ଦେଶର ସେ ଅଟଇ ଦେଶାନ୍ତରୀ

ପିତା ମାତା ଭ୍ରଥା କେହି ନାହିଂ ଯେ ତାହାରି ।୧୪।

ପତିଭ୍ରଥା ନାହିଂ ତାର ସନ୍ନିଧ୍ୟେ ଖଟି ସେବା

ଅଲେଖ ତିଳେଖ କରଇ ମହାଦେଈଂକର ବାନ୍ଧବା ।୧୫।

ଶୁଣିଣ କୀଞ୍ଚେକ ଯେ ମଦନେ ବିରହିତା

ନାନାଦି ରସମାନ କଲାକ ବିଷପିତା ।୧୬।

କରୁଣା ନାମେଣ ଯେ କୀଞ୍ଚେକର ମୁଦୁସୁଲୀ

ଅନେକ ଅଳଂକାର ଦେଇ ବିଶ୍ୱାସ କଥା ବୋଲି ।୧୭।

ଲଲାଟ ବନ୍ଧନୀ ଯେ ଶିରେ ସୀମନ୍ଥିନୀ

ମୁକୁତା ଢାଲି ହରିଆଳୀ ରେଖ ଘେନି ।୧୮।

ଲଲାଟ ପାଟିକି ଯେ କର୍ଣ୍ଣାଞ୍ଚଳ ଶୋଭା

ହୃଦୟେ ଭୂଷଣ ଯେ କଣୟ ସୁରଙ୍ଗ ପ୍ରଭା ।୧୯।

ବଳୟା ଚାପସରି ଦଶ ଅବତାର ମାଳା

ସୁବର୍ଣ୍ଣର ବେନିଚୂଡ଼ୀ କଟିକି ମେଖଳା ।୨୦।

ବିଦମୁଦି କଂକଣ ଅଷ୍ଟରତ୍ନ ପାଣିଦ୍ରବ୍ୟ

ରୁଣୁଝୁଣିତ ନେପୁର ବେନି ଚରଣେ ଆରମ୍ଭ ।୨୧।

ଦାସୀନେତ ସିନ୍ଧୁଆ ଝୀନ ଯେ ପତନୀ

ଦାସୀନ୍ତ ତିଆରଇ ବୀର ୟେମାନନ୍ତ କରେ ଘେନି ।୨୨।

ୟେମାନତ ଘେନିକରି ଯିବୁ ଲୋ ୟେହିକ୍ଷଣି

ସଇରିନ୍ଧ୍ରୀକି ନେଇ ସମସ୍ତ କର ଆଭରଣି ।୨୩।

କଣୟ ହାନ୍ଦୋଳରେ ବିଜୟେ କରାଇ

ମୋହୋର ଭୁବନକୁ ନିଅ ସମସ୍ତ କଥା କହି ।୨୪।

କୀଞ୍ଚେକ ବୋଇଲା ମୋହୋର ଶତେକ ଘରଣୀ

ସବୁଂକରି ଉପରେ ସେ ହୋଇବେ ଠାକୁରାଣୀ ।୨୫।

ମୁହିଂ ତାହାର ଭୃତ୍ୟର ଭୃତ୍ୟ ଦାସର ଯେ ଦାସ

ଦ୍ରଶନ ମାତ୍ରକେ ମୋର ଲାଗିଲା ମୁହାଂସ ।୨୬।

ମଚ୍ଛଦେଶେ ମଘଦେଶେ ହୋଇବ କାରେଣୀ

ବିରାଟ ରାଜ୍ୟରେ ସେ ହୋଇବ ଠାକୁରାଣୀ ।୨୭।

ମୁହିଂ ଅଲଂଘିତ ହୋଇଥିବି ତାହାର ବଚନୁ

ମୁହିଂ ମହାଛତ୍ରୀ ସଇରିନ୍ଧ୍ରୀ ମୋହୋର ବିନତି ଘେନୁ ।୨୮।

ମୁହିଂ ମହାଛତ୍ରୀ ସାଂଗ୍ରାମେ ଜଗୁଜିତା

ସଇରିନ୍ଧ୍ରୀ ନୟନ ବାଣେ ମୋହୋର ଶରୀର ଅଶକତା ।୨୯।

ଦେଖିଣ ଜାଣିଲଇ ସେ ମହତ ସାଧବୀ

ଶରଣ ରକ୍ଷଣ ଯେ ଭଗତଜନ ଭାବି ।୩୦।

ମୁହିଂ ତାହାରେ ଶରଣ ସେ ରକ୍ଷା ମୋତେ କରୁ

ମୟାଣ ପୟାଣରୁ ସେ ମୋତେ ବେଳେକ ଉଦ୍ଧରୁ ।୩୧।

ସର୍ବମଙ୍ଗଳା ସୁମରି କର ଲୋ ଗବନ

ୟେହିବାଟେ ପୁରକୁ ମୋହୋର ଆଣଲୋ ବହନ ।୩୨।

ଅନେକ ଧନରତ୍ନ କୀଞ୍ଚେକ ଦିଲା ପୋଇଲୀକି

ଆଲୋ କଣୟ ସାହାନ କରାଇବି ଭେଟାଇଲେ ସଇରିନ୍ଧ୍ରୀକି ।୩୩।

ଅନେକ ଉଷତେଣ ଯହୁଂ ଗଲେକ ଚତୁରୀ

ଉଚ୍ଛବ ନବରୁ ଯାଇ ପଶିଲେ ଅନ୍ତପୁରୀ ।୩୪।

ସଇରିନ୍ଧ୍ରୀକି ହକରାଇଲେ ୟେକାନ୍ତ ଠାବକରି

ବସ ବସ ମହାତ୍ମାଣୀ ଗୋ ଦୁରିତ ଅପହରି ।୩୫।

ୟେକା ଜଣକେ ମାଗୋ ହୋଇଲୁ ଲକ୍ଷପୋଷୀ

ୟେ ମଚ୍ଛଦେଶ ମଘଦେଶ ସୁଖେଣ ହାଦେ ଭୋଗକର ଆସି ।୩୬।

ମାଗୋ ସ୍ତିରୀଂକର ତିନିଦଶା ଯେ କ୍ଷଣକେ ଲେଉଟାଇ

ଆଜହୁଂ ମହାତ୍ମାଣୀ ଗୋ ତୋର ଫିଟିଲା କଷ୍ଟଇ ।୩୭।

ସ୍ତିରୀଜନ୍ମ ମଧ୍ୟେ ଗୋ ଜୀବନ ତୋର ସାଧୁ

ସଂକୋଚନ ରାଜାର ତୁ ହୋଇବୁ କୁଳବଧୂ ।୩୮।

ପୂର୍ବ ଜନ୍ମରେ ଗୋ ଅର୍ଜିଥିଲୁ ସୁଫଳ

ୟେବେ ଆସି ତୋହୋର ଗୋ ହୋଇଲା ଭାଗ୍ୟକାଳ ।୩୯।

ଦାସୀପଣେ ସେବା କରି ପାଉଥିଲୁ ଦୁଖ

ରାଜ୍ୟର କାରେଣୀ ହୋଇ ପାଇବୁ ତୁହି ସୁଖ ।୪୦।

ଶୁଣି ଦ୍ରୋପତୀର ଯେ ଉଡ଼ିଲାକ ଦେହୀ

ବିଚାରିଲା ପ୍ରମାଦ ଚିନ୍ତିଲା ଆଣି ମୋତେ ବିହି ।୪୧।

ରାଜ୍ୟଭାର ତେଜି କଲୁ କନ୍ଦମୂଳ ଗ୍ରାସ

ଭୃତ୍ୟପଣେ ଖଟାଇଲୁ ଜୀବନେ ପ୍ରତିଆଶ ।୪୨।

ୟେଥିରେ ପ୍ରମାଦ ଧାତା କରୁଅଛି କଷ୍ଟି

ହୃଦଗତେ ସୁମରିଲେ ଶ୍ରୀ ନାରାୟଣ ନାମଗୋଟି ।୪୩।

ସଇରିନ୍ଧ୍ରୀ ବୋଇଲେ ତୁ କି ହୋଇଲୁ ବାଈ

ପୂର୍ବେଣ ଯାହା ଅର୍ଜି ୟେବେ ସେ ତାହା ପାଇ ।୪୪।

ହୋଇ ହୋଇ ମହାତ୍ମାଣୀ ଗୋ ପୂର୍ବର ତପ

କୀଞ୍ଚକର ଦ୍ରଶନ ଗୋ ଖଣ୍ଡିବୁ ତୋହୋର ପୂର୍ବ ପାପ ।୪୫।

ବସନ୍ତ ଉତ୍ସବ ଯାତ୍ରା ଭିଆଇଲେ କୋନ୍ତ ଯେ ପଣ୍ଡାୟେ

ତୋହୋର ସୁକର୍ମ ଗୋ ହାଥରେ ବରଦାୟେ ।୪୬।

ମାଗୋ ସଂକୋଚନ ରାଜାର କୁଳେ ଉତପତ୍ତି

ଜ୍ୟୋତିପୁର ନଗ୍ରର ଅଟଇ ଚକ୍ରବତୀ ।୪୭।

ତ୍ରିଗର୍ତ୍ତ କରାଢ଼ କାଳନଉମି ଦର୍ପଭଞ୍ଜା

ସୁରବର ସୁନ୍ଦର ସେ ମୟାଣ ଦର୍ପଗଞ୍ଜା ।୪୮।

ମାଗୋ ମଘଦେଶ ମଚ୍ଛଦେଶର ସେ ଆଧିପତି

ଶତେସିଂଘର ପ୍ରାକର୍ମ ପୃଥୀକି ୟେକଛତ୍ରୀ ।୪୯।

ମା ଗୋ ବିରାଟ ନିରିମାଖୀ ଅଟଇ ଜନ୍ମକାଳେ

ୟେ ଦୁଇଦେଶ ଭୋଗ୍ୟ କରଇ ସେ କୀଞ୍ଚେକ ବାହୁବଳେ ।୫୦।

ଆବର ମହିମାଂ ଦେଖ ସହୋଦ୍ର ଶତେଭ୍ରାଥ

ସମରେ ଜିଣିପାରନ୍ତି ସେ ତିନି ଯେ ଜଗତ ।୫୧।

ମା ଗୋ ଶ୍ରୀକୃଷ୍ଣାଂକ ସନ୍ନିଧେ ତୋହୋର ରୂପ ଦେଖି

କେବଣ ଭାବେ ପୂଜିଲା ତୁମ୍ଭକଇଂ ତାହାର ପାପ ଆଖି ।୫୨।

ଆମ୍ଭନ୍ତ ରାଇ ବରଗିଲା ହୋଇଲା ବହୁତ ଅଭ୍ୟର୍ଥୀ

ଆଜହୁଂ ଖଣ୍ଡଣ ଗଲା ଗୋ ତୋହୋର ଦୁର୍ଗତି ।୫୩।

ମା ଗୋ ସୁସ୍ଥ ଶରୀ ପ୍ରାପତ ଅଦଭୁତେ ନ ଗଞ୍ଜି

କୀଞ୍ଚେକର ପ୍ରସାଦେ ଗୋ ଅନେକ ଭୋଗ ଭୁଞ୍ଜି ।୫୪।

ୟେ ଅଳଂକାରମାନ ଗୋ କର ଆଭରଣି

କୀଞ୍ଚେକର ଭବନକୁ ଗୋ ଚାଲ ୟେହିକ୍ଷଣି ।୫୫।

ଅନେକ ଚାଟୁ ବଚନେ କହିଲା ଯହୁଂ କଥା

ଶରୀର କମ୍ପାଇ ଦେବୀ ରାଗେଣ ହଲାଇଲେ ମଥା ।୫୬।

ଆଲୋ ସ୍ତିରୀକୁଳେ ଉପୁଜି ତୁମ୍ଭେ ଅଟସି ଚାଣ୍ଡାଳୀ

ପରେ ପରିତେଜ୍ୟା ଖଟ ତିନିୟୋଳି ।୫୭।

ପୂର୍ବର ପାପେ ଆଲୋ ପରେ ପରାର୍ଥନା

ଯାହା ଅରଜିବ ୟେବେ କଳନ୍ତର ଭୋଗ ସିନା ।୫୮।

ପୁଣ ଜନ୍ମ ଲଭି ଅଖଡ଼େଣ ବେଗେ ପାପେ ପଶ

ଭୃତ୍ୟ ସ୍ୱଭାବେଣ ପୁଣି ପରେଣ ପରବେଶ ।୫୯।

ଦୁଷ୍ଟର ବାକ୍ୟେ ଆସ ଲୋ ସଜ୍ଜନ ତହିଂକି

ୟେଘାନ୍ତି ଜନମ ଲୋ ତୁମ୍ଭେ ହୁଅ ମହାନର୍କୀ ।୬୦।

ଚାଣ୍ଡାଳ ଘରେ ଯାଇ ଜନ୍ମହୁଅ କର୍ମେ

ଉତ୍ତିଷ୍ଟ ଭକ୍ଷକର ଲୋ ୟେଥିର ଯେ ଅନୁକର୍ମେ ।୬୧।

ଚାର ପାମେରୀ ଲୋ ଦୂଷିତ ଜାତିହୀନ

ସ୍ତିରୀକୂଳ ତୁମ୍ଭନ୍ତ ଲୋକ କରିବ ଲେଖନ ।୬୨।

ପୋଡ଼ୁ ପୋଡ଼ୁ ବଦନ ଲୋ ନ ପାଅ କିଂପେ ଲଜ୍ଜା

ଯାଅ ତୁମ୍ଭେ ଜନ୍ମ ଜନ୍ମେ ପରଦାରେଣୀ ହୋଇ ନିଜ ସ୍ୱାମୀଂକି କର ତେଜ୍ୟା ।୬୩।

ଯେବଣ ପୁରୁଷ ତୁମ୍ଭଂକୁ ଲୋ ହୋଇବ ବିଭାଯୋଗ

ସ୍ତିରୀକୁଳେ ଦୂଷିତ ତୁମ୍ଭନ୍ତ ଆନେ କରୁ ଭୋଗ୍ୟ ।୬୪।

ଦୁରାପଦ ବଚନ ଶୁଣିଣ ଗଲେକ ପରିବାରୀ

କୀଞ୍ଚକର ଅଗ୍ରତେ ସେ କହନ୍ତି ବିନୟ କରି ।୬୫।

ସ୍ୱାମୀ ଅନେକ ପ୍ରାର୍ଥନା କରି କହିଲୁ ତାଂକୁ ବାଣୀ

ପାଷାଣ ତରଳି ପାରଇ ଆମ୍ଭର ବାକ୍ୟ ଶୁଣି ।୬୬।

ସ୍ୱାମୀ ସ୍ତିରୀକୁଳେ ଜନମି ସେ ବଡ଼ାଇ ଦୁରାପାତି

କିଂପାଇ ଆନେ ତାହାକୁ ସ୍ରିଜିଅଛି ବସି ପ୍ରଜାପତି ।୬୭।

ଜଗୁଜନ ମୋହିନୀ ରୂପ ଧରି ସେ ପରେଣ ଭୃତ୍ୟକାରୀ

ସଜ୍ଜନ ଲୋକଂକର ନାମ ହୁଅଇ କି ସଇନ୍ଧୀରି ।୬୮।

ସ୍ୱାମୀ ଯେତେକ ଅଳଂକାରମାନ ଛାମୁରେ ଦିଲୁ ନେଇ

ସମସ୍ତ ଫିଙ୍ଗିଦେଲା ସେ ପାଦେଣ ପେଲାଇ ।୬୯।

ଶୁଣିଲା କୀଞ୍ଚକ ଯହୁଂ ସଇରିନ୍ଧ୍ରୀ ନାସ୍ତିକଥା

ପରଦାରା ସୁଚରିତ ତାକୁ ଲାଗିଲା ବଡ଼ ବ୍ୟଥା ।୭୦।

ଦୁଗୁଣ ଶ୍ରାଗ ତାହାର ବଢିଲା କ୍ଷଣେ କ୍ଷଣେ

ପୁରୁଷ ବିରହିତା କାମ ବିନ୍ଧିଲା ପଞ୍ଚବାଣେ ।୭୧।

ନିରାଶ ବଚନ ଶୁଣି ସେ ଗଳିତ ମତ୍ତହାରା

ଅସାଷ୍ଟମ ହୋଇଣ ପଡ଼ିଲା କୀଞ୍ଚେକ ମହାବୀରା ।୭୨।

ଠାବ ଠାବକେ କୀଞ୍ଚେକ ପଡ଼ିଣ ମୋହଯାଇ

ଚିତ୍ତଛନ୍ନ ହୋଇଲା ମଦନେ ବିରହ ବାଈ ।୭୩।

ସ୍ୱେଦ ଗଳଇ ଯେ ରୋମମୂଳେ ଜାଣି

ନ ରୋଚଇ କ୍ରପୂର କସ୍ତୁରୀ ଅନ୍ନପାଣି ।୭୪।

ଆହା ସଇରିନ୍ଧ୍ରୀରେ ତୁ ମୋହୋର ପଞ୍ଚଭୂତ

ତୋହୋର ନିରାଶ ବଚନ ଶୁଣି ଦିଗୁଣ ବିରହିତ ।୭୫।

କୋଳେ ଧରିଣ ଦାସୀ ମୁଖେଣ ପାଣି ସିଞ୍ଚି

ସାଷ୍ଟାମ ନିମନ୍ତ୍ରେଣ ତାକୁ ଆଲଟ ଧରି ବିଞ୍ଚି ।୭୬।

ସଚେତ ହୋଇଣ ବସିଲା ସଂକୋଚନର ବଳା

ଆଗୋ ସଇରିନ୍ଧ୍ରୀ ତୁ ପଞ୍ଚଭୂତ କଳା ।୭୭।

ଶରୀର ଅଚେବନ ମୋହୋର ତୋହୋର ଅଭାବେ

ଲୁଳୁ ମୋହୋର କାୟା ସଇରିନ୍ଧ୍ରୀ ନିଜ ଠାବେ ।୭୮।

ୟେ ତୋହୋର ଚରଣ କମଳ ପାଦକାନ୍ତି

ଦଶନହେ ଶରୀର ମୋହୋର ପକାଅ ବିକୋତି ।୭୯।

କୀଞ୍ଚକ ବୋଇଲା ଲୋ ସେ କାହାକଇଂ ଥାଇ ସେବି

ଦାସୀ ବୋଇଲା ତୁମ୍ଭର ଜ୍ୟେଷ୍ଠଭଗ୍ନୀ ସେ ଶ୍ରୀକୃଷ୍ଣା ମହାଦେବୀ ।୮୦।

କୀଞ୍ଚେକ ବୋଇଲା ୟେ ରତ୍ନମାନ ନେଇ ଶ୍ରୀକୃଷ୍ଣା ଛାମୁରେଣ ଦିଅ

ମୋହୋର ଅବସ୍ତାମାନ ନାନୀଂକ ଆଗେ ଯାଇଂ କହ ।୮୧।

ବୁଡ଼ିଲା ଛତ୍ରୀପଣ ମୁଂ ସମସ୍ତ କଲି ତେଜ୍ୟା

ଅନଙ୍ଗ ଅସାଷ୍ଟମେ ବୁଡ଼ିଲି ଉପେକ୍ଷିଲି ସର୍ବଲଜ୍ଜା ।୮୨।

ଆଲୋ ମୋହୋର ଅବସ୍ତାତ ଯାଉଛୁ ସର୍ବ ଦେଖି

ସମସ୍ତ କହିବୁ ଗୋ ଭୟ ସଂକୋଚ ଉପେକ୍ଷି ।୮୩।

ଅଭ୍ୟର୍ଥ କରିଣ ଲୋ ବୋଲିବ ତୁମ୍ଭେ ଯାଇ

ସଇରିନ୍ଧ୍ରୀକି ଦିଅନ୍ତୁ ମୋହୋର ପୁରକୁ ପଠିଆଇ ।୮୪।

ମୋହୋର ଜୀଇଂବାରେ ଯେବେ ଅଛି ତାହାଂକର ଆଶ

ସଇରିନ୍ଧ୍ରୀକି ଭେଟ ସେ କରାଇବେ ମୋର ପାଶ ।୮୫।

ଅଥବା ଓପ୍ରୋଧେ ଯେବେ ନ ପାରିବେ ତାକୁ ବୋଲି

ମୁହିଂ ବଳାତ୍କାରେ ଅନ୍ତେଶ୍ୱରୁଂ ଆଣିବି ଯାଇଂ କାଲି ।୮୬।୩୦୫୭।

 

ସୁଦେଷ୍ଣା ସୈରିନ୍ଧ୍ରୀଙ୍କୁ କୀଚକ ନିକଟକୁ ପ୍ରେରଣ ଓ ସୈରିନ୍ଧ୍ରୀଙ୍କର ସୂର୍ଯ୍ୟଙ୍କୁ ପ୍ରାର୍ଥନା

ଚଳିଗଲେ ମୁଦୁସୁଲୀ କୀଚକର ଆଗ୍ୟାଂ ଘେନି

ଦିନକର ଯାତ୍ରା ସାରିଣ ବାହୁଡ଼ନ୍ତି ସଇନି ।୧।

ଦେବନବରେ ନାରାୟଣଂକୁ କଲେକ ବିଜୟେ

ନିଜ ଆସ୍ତାନେ ବିଜୟେ କଲେ ବିରାଟ ମହାରାୟେ ।୨।

ସ୍ରାହାନ ଭୋଜନ ସେ ସାରିଲେ ନିତ୍ୟକର୍ମେ

ଶୟନ ମନ୍ଦିରେ ଯାଇଂ ବିଜୟେ ଧର୍ମେ ।୩।

ରୟଣୀ ପ୍ରଭାତେ ଯେ ପଞ୍ଚମୀ ଦିବସ

କରୁଣା ମୁଦୁସୁଲୀ ଯାଇ ପ୍ରବେଶ ଶ୍ରୀକୃଷ୍ଣାର ପାଶ ।୪।

ଅନେକ ଅଳଂକାର ଯୋଗାଡ଼ ନେଇଣ ଦିଲେ ଛାମୁ

କୀଞ୍ଚେକ ମୁଦୁସୁଲୀ ଛାମୁରେ ପରିଣାମୁଂ ।୫।

ଝାଳେ ତ୍ରିପଣ୍ଡ ଯେ କେଶବାସ ଅସମ୍ଭାଳି

ଦେଖିଣ ଶ୍ରୀକୃଷ୍ଣା ବୋଇଲେ ଲୋ କେମନ୍ତ ଜଞ୍ଜାଳୀ ।୬।

କରୁଣା ମୁଦୁସୁଲୀକି ପୁଚ୍ଛନ୍ତି ମହାଦେଈ

ଆଲୋ ଉପାଧି ଅଳଂକାର କିମ୍ପେ କୀଞ୍ଚକ ମୋତେ ଦେଇ ।୭।

ମା ଗୋ ତୁମ୍ଭର ସୋଦର ଗୋ ଅନେକ ରତ୍ନ ଧ୍ୱଂସି

ତୁମ୍ଭେ ଭୋଗ୍ୟ କରିବ ନାହିଂକି ଅମୂଲ୍ୟ ରତ୍ନରାଶି ।୮।

ଆଲୋ ଦାସୀ ମୋହୋର ମାତାପିତା ଅଛନ୍ତି ନା କୁଶଳ

କ୍ଷମେ ବ୍ରତିଛନ୍ତି ନା କୁଟୁମ୍ବ ସକଳ ।୯।

କୀଞ୍ଚେକର ମୂଳେ ମୋହୋର ଶତେଗୋଟି ଭ୍ରାଥ

କୁଶଳେ ବ୍ରତିଛନ୍ତି ଟିକି ୟେମାନେ ସମସ୍ତ ।୧୦।

କହଇ ଚତୁରୀ ସେ ଅଭୟେ କୂଟବାଣୀ

ସମସ୍ତେ କୁଶଳେ ଗୋ ଅଛନ୍ତି ଠାକୁରାଣୀ ।୧୧।

ୟେକା କୀଞ୍ଚେକକୁ ଗୋ ଆବୋରିଲା କିସ ବ୍ୟାଧି

ସମରାଜ୍ୟ ଲୋକେ ଲୋଡ଼ି ନ ପାଇଲୁ ମଉଷଧି ।୧୨।

ମାଗୋ ଅନ୍ନ ନ ରୁଚଇ ତାମ୍ବୋଳଇ ବିଷପିତା

ପଲଂକ ତେଜିଣ ଗୋ ଭୂମିରେ ସୁପିତା ।୧୩।

ପିନ୍ଧିଲା ବସନ ଗୋ ପକାଇ ପାଲଟି

ଲଲାଟେ କର ତାଡ଼ିଣ ଗୋ ଭୂମିରେ ଦିଅଇ ଘୋଡ଼ାଲୋଟି ।୧୪।

ଅଶ୍ରୁଜଳ ଢଳିତ ଗୋ ବେନି ଯେ ଲୋଚନ

ଗତପ୍ରାଣ ପ୍ରାୟେ ଦିଶେ ତାହାର ବଦନ ।୧୫।

ମାଗୋ ରାତ୍ରରେ ନାହିଂ ନିଦ୍ରା ଦିବସେ ନାହିଂ କ୍ଷୁଧା

କେବଣ ରୋଗ ଆସି କଲାନି ବଡ଼ ବାଧା ।୧୬।

ବାରଣ ନ ଗଲା ଗୋ ୟେହେନେକ ଚରିତ

ଶୁଣିଣ ମହାଦେଈ ଯେ ବଡ଼ାଇ ଆରତ ।୧୭।

ଧର୍ମ ଧର୍ମ ସୁମରଇ ସେ ବିରାଟର ନାରୀ

ଆଲୋ ରାଜାଂକ ଛାମୁରେ କହ ବଦ୍ୟ ଆଣନ୍ତୁ ଲୋଡ଼ି ।୧୮।

ଅନେକ ଧନରତ୍ନ ଲୋ ନିଅ ମୋର ତହୁଂ

ବେଗେ ବଦ୍ୟ ଲୋଡ଼ିଆଣ ପାଇବ ଯହୁଂ ତହୁଂ ।୧୯।

କହୁଂ କହୁଂ ଶ୍ରୀକୃଷ୍ଣା ଯେ ପଡ଼ିଗଲେ ମୃଚ୍ଛା

ଆଲୋ ବୁଦ୍ଧି କରନି ମୋହୋର ଯେମନ୍ତେ ଭାଇ ହୋୟେ ରକ୍ଷା ।୨୦।

ମୁଦୁସୁଲୀ ବୋଇଲେ ମାଗୋ ତରସ୍ତ ନୋହ ମାୟେ

ଅନେକ ଦେବବଦ୍ୟ ଆଣି କରାଇଲେଣି ଉପାୟେ ।୨୧।

କେବେହେଂ ନ ତୁଟଇ ସେ ଅନଙ୍ଗ ମହାବ୍ୟାଧି

ଭଲ ହୋଇବାକୁ ତୁମ୍ଭର ତହିଂ ଅଛଇ ମଉଷଧି ।୨୨।

ଶ୍ରୀକୃଷ୍ଣା ବୋଇଲେ ତାହା ପାଇବଇ କାହୁଂ

କେବଣ ମଉଷଧିଟି ମୋତେ କିମ୍ପାନ କହୁ ।୨୩।

ଗୋସାମଣି ଗୋ ସଇରିନ୍ଧ୍ରୀ ବୋଲି ଯେ ଅଛି ତୁମ୍ଭ ତହିଂ

ତାହାର ଗଲେ ରକ୍ଷା ହୋଇବ ତୁମ୍ଭ ଭାଇ ।୨୪।

ନାନା ମନ୍ତ୍ରମାନ ସେ ଜାଣଇ ମଉଷଧି

ୟେହାର ଅଙ୍ଗ ଲାଗନ୍ତେ ତାହାର କ୍ଷୟେ ହୋଇବ ବ୍ୟାଧି ।୨୫।

ଶୁଣିଣ ଶ୍ରୀକୃଷ୍ଣା ଯେ ସାଷ୍ଟାମ ହୋଇଲେ

ସଇରିନ୍ଧ୍ରୀର ସନ୍ନିଧ୍ୟକୁ ଆପଣେ ବିଜେକଲେ ।୨୬।

ଅନ୍ତେଶ୍ୱର ଗମ୍ଭୀରେ ସେ ଥିଲେ ମହାସ୍ୱତୀ

ଧାତିକାରେ ଦେବୀ ଉଠି ଅଇଲେ ତଡ଼ତି ।୨୭।

ଶ୍ରୀକୃଷ୍ଣାର ସନ୍ନିଧ୍ୟେ ଆସି ସଇରିନ୍ଧ୍ରୀ ହୋଇଲେକ ଉଭା

ବାଳଅର୍କ ପ୍ରାୟେକ ଦିଶନ୍ତି ଦେବୀ ଶୋଭା ।୨୮।

ଶ୍ରୀକୃଷ୍ଣା ବୋଇଲେ ଗୋ ପୁଚ୍ଛଇ ତୋତେ ବାକି

ମନ୍ତ୍ର ମଉଷଧି ମାଗୋ ଜାଣୁ କି ବ୍ୟାଧିକି ।୨୯।

ମାଗୋ କୀଞ୍ଚେକ ମୋହୋର ଯେ ସହୋଦର ଭ୍ରାଥ

ତାହାର ବାହୁବଳେ ଗୋ ସମସ୍ତ ରାଜ୍ୟ ମୋହୋର ସୁସ୍ଥ ।୩୦।

ଚତୁର୍ଦ୍ଦିଗ ରାଜାଂକର ୟେଗୋ ଅଟଇ ରାଜ୍ୟଭୂମି

ୟେଥି ରାଜ୍ୟ କରୁଥିଲା କାଳ ଯେ ନଉମି ।୩୧।

ମଘଦେଶ ରାଜା ଯେ ଅଟଇ ତ୍ରିଗର୍ତ୍ତ

ସେ ଦୁହିନ୍ତି ଜିଣିଣ ମାଗୋ ରାଜ୍ୟ କରଇ ୟେଥ ।୩୨।

ମାଗୋ କୀଞ୍ଚେକର ଦର୍ପେ ସିନା ରାଜ୍ୟ ଯେ ମୋହୋର

ତାହାକୁ ଅପଚୟେ ପଡ଼ିଲେ ରାଜ୍ୟ ମୋ ହୋଇବ ଛାରଖାର ।୩୩।

ଯେବେ ମହାତ୍ମାଣୀ ଗୋ ଜାଣୁ ଜଡ଼ିଗୁଣ୍ଡି

ବେଳେକ ଦାନ ଦିଅ ଗୋ ମୋହୋର ସୋଦର ବ୍ୟାଧିଖଣ୍ଡି ।୩୪।

ଶୁଣ ଗୋ ମହାଦେଈ ବଦୟନ୍ତି ସଇରିନ୍ଧ୍ରୀ

ମୁହିଂ କେହ୍ନେ ଜାଣିମି ଗୋ ମନ୍ତ୍ର ମଉଷଧି ।୩୫।

ତୁଗୋ ଗ୍ୟାଂନବନ୍ତ ଭିଗ୍ୟଂବନ୍ତ ଶ୍ରୀବନ୍ତ ପୟୋଧି

ତୋତେ ୟେକି ଗୁପତ ଚତୁରୀଂକ କୂଟବୁଦ୍ଧି ।୩୬।

ମାଗୋ ମୋତେ ଦେଖିକରି ତୋ ଭାଇ କୀଞ୍ଚକ କଲା ଇଚ୍ଛା

କୂଟ ବୁଦ୍ଧିମାନ ଯେତେକ କହୁଛନ୍ତି ୟେ ସର୍ବ ମିଥ୍ୟା ।୩୭।

ସଇରିନ୍ଧ୍ରୀଂକ ମୁଖୁଂ ୟେହେନେକ ବାକ୍ୟ ଶୁଣି

ଥମ୍ଭୀଭୂତ ହୋଇଣ ବସିଲେ ବିରାଟ ପାଟରାଣୀ ।୩୮।

ସଞ୍ଚୟେ ଭାଇର ମୋର ଶିରୀ ହୋଇଲା ଚୁତ

ନୋହିଲେ ଭ୍ରାଥ ହୋଇ ଭୟେଣୀଠାକୁ ପଠାୟେ କି ଦୂତ ।୩୯।

ଯେତେବେଳେ ନଶନ୍ତ କାଳ ହୁଅଇ ପୁରୁଷା

ଅର୍ଥ ତେଜି ବିଅର୍ଥକୁ ବଲାଇ ମନୀଷା ।୪୦।

ଯେତେ ପରିବାରୀ ଥିଲେ ଅନ୍ତେଶ୍ୱର ପୁରେ

ବହୁମତେ କଟାଳୀ ସେ କହିଲେ ଛାମୁରେ ।୪୧।

ତୁ ଛାର ପାମରୀ ଲୋ ଭିଖାରୀ ଦେଶାନ୍ତରୀ

ମାତା ସହୋଦ୍ର ଲୋ କେ ଅଟେ ତୋହୋରି ।୪୨।

କୀଞ୍ଚକ ସେ ମନ୍ଦବାଈ ଅସାଷ୍ଟମ ପୁରୁଷଇ

ଅକୁଳୀଣ ନାରୀ ତହିଂ ବୀର୍ଯ୍ୟ ଢାଳିତ ନ ଯୋଗାଇ ।୪୩।

ଦାସୀଂକର ଅଙ୍ଗେ ଯେ ସମାର୍ଜନା ବାତ

ୟେତକ ଲାଗିଲେ ଆଷ୍ୟଶିରୀ ହୋୟେ ହତ ।୪୪।

ଶ୍ରୀକୃଷ୍ଣା ବୋଇଲେ ଗୋ ଅନେକ ରତ୍ନ ଦେବା

ଭଲ ସୁଲକ୍ଷଣୀ କରି ଗୋ ବିଭା କରାଇବା ।୪୫।

ମାଗୋ ବଢିଲାକ ରୋଗ ଯେ ସ୍ରାଗିଲାକ ସୋଗ

ଉଛୁଳିଲା ନଦୀ ଅବଶ୍ୟ କରଇ ଯେ ଭୋଗ୍ୟ ।୪୬।

ବିସ୍ମୟେ ମହାଦେଈ ଚିନ୍ତଇ ହୃଦଗତେ

ବିରାଟ ଶିରୀ ସମ୍ପଦ ସେ ନାଶଯିବାକ ଯେମନ୍ତେ ।୪୭।

ଆବର ଜୀବନ୍ତେ କି ବ୍ରତଇ ମୋର ଭାଇ

ଯାହା ସେ ଅରଜିଲା ଅବଶ୍ୟ ତାହା ସେହୁ ପାଇ ।୪୮।

ଶ୍ରୀକୃଷ୍ଣାୟେ ବୋଲନ୍ତି ୟେ ଅଟଇ ମହାସତୀ

ବଚନ ବାକ୍ୟେ ବୁଝିବାନା କେବଣ ପ୍ରକୃତି ।୪୯।

ମାଗୋ ସଇରିନ୍ଧ୍ରୀ ତୋତେ କଥାୟେ ପୁଚ୍ଛିବି ପ୍ରିୟଭାବେ

ଅଥବା ଭଲ ନୋହିଲେ ନ କହିବୁ ବଇରାଗେ ।୫୦।

ସଇରିନ୍ଧ୍ରୀ ବୋଇଲେ ତୋତେ ଯାହା ଅଛି ମାଗି

ସମସ୍ତ ବୋଲିବୁ ମୋତେ ତେତେକ ପରିତ୍ୟାଗି ।୫୧।

ପାଦପାଲଟା ନ ଛୁଆଂଇବୁ ଉତ୍ତିଷ୍ଠ ନ ଛୁଆଂଇବୁ

ପୁରୁଷେ ନ ପେଷିବୁ ଭ୍ରଚ୍ଛନା ନ ବୋଲିବୁ ।୫୨।

ଆବର ତୁ ଯାହା ଗୋ ବୋଲିବୁ ତଥ୍ୟବାଣୀ

ମୁହିଂ ତାହା କରିବିନା ଗୋ ବିଚାର କର ରାଣୀ ।୫୩।

ଶ୍ରୀକୃଷ୍ଣା ମଉନ ହୋଇଲେ ଦୃଢ଼ବାକ୍ୟ ଦେଖି

ଥମ୍ଭୀଭୂତ ହୋଇଲେ ସେ ନୁଆସଇ ବାକି ।୫୪।

ରାଗେଣ ମୁଦୁସୁଲୀ ଯେ ବୋଲଇ କରୁଣା

ତୋହୋ ଛାର ପାମେରୀ ଠାକୁରାଣୀକି କହୁ ଜିଣା ।୫୫।

କୀଞ୍ଚକ ବୋଲିକରି ସେ ଯେବଣ ମହାରଥା

ଶତେସିଂଘର ପ୍ରାକର୍ମ ଜାଣି ଦୁତୀ ଯମ ଦେବତା ।୫୬।

ମହୀଦାସ ପର୍ବତ ଯେ ଭାଙ୍ଗିଣ କଲା ଚୂନା

ୟେ ମହୀସ୍ଥଳ ମଧ୍ୟରେ କେଶରୀ ଦର୍ପ ସିନା ।୫୭।

ଅନଙ୍ଗ ପଟାନ୍ତରେ ସେ ଗୁଣେଣ ଗୁଣନିଧି

ବୃହସ୍ପତି ସାରିକ୍ଷେ ଯାହାର ପ୍ରସରଇ ବୁଦ୍ଧି ।୫୮।

କୁବେର ସମାନେଣ ଧନେଣ ଗଣିତା

ଈଶ୍ୱର ସମାନେଣ ଅଟଇ ବଳବନ୍ତା ।୫୯।

ତାହାର ଭାରିଯା ତୁ ହୋଇବୁ ଯେତେବେଳେ

ଦଶା ତୋର ନେଉଟିଲା କର୍ମର ସୁଫଳେ ।୬୦।

କେବଣ ଜନ୍ମେ ପ୍ରୟାଗେ ପଡ଼ିଲାକ ଅସ୍ଥି

ତେଣୁକରି ଭଜିଲା ତୋତେ କୀଞ୍ଚକ ସେନାପତି ।୬୧।

ଶ୍ରୀକୃଷ୍ଣା ସହିତେ ଖଟିବେ ତୋହୋର ପାଦତଳେ

ଚରଣେ ଲକ୍ଷ୍ମୀ ତୁ ବୋଲାଉଛୁ କର୍ମର ଅବଳେ ।୬୨।

ଛଛନ୍ଦେ ବିନୋଦ ତୁ କରିବୁ ରଙ୍ଗରତି

ଲକ୍ଷ୍ମୀ ଆସି ଆଉଜି ବସିଲାଣି ତୋର କତି ।୬୩।

ମାଗୋ କୀଞ୍ଚେକ ଯେବେ ତୋତେ ହରିବ ନିଶ୍ଚୟେ

ରକ୍ଷାକରି ପାରିବେ କି ତୋତେ ଦେବତାୟେ ।୬୪।

ୟେହିକ୍ଷଣି ଆମ୍ଭ ତହୁଂ ବାରତା ତଥ୍ୟ ଶୁଣି

କେଶ ଧରି କୀଞ୍ଚେକ ତୋତେ ଗୋ ନେମଟି ତତକ୍ଷଣି ।୬୫।

ସଇରିନ୍ଧ୍ରୀ ବୋଇଲେ ଶୁଣ ଗୋ କରୁଣା ମୁଦୁସୁଲୀ

ମହତଂକର ବାକ୍ୟେ ଲୋ ସମସ୍ୟାୟେ ଜାଣିଲି ।୬୬।

ଆଗୋ ସମୁଦ୍ର ହୋଇ ଯେବେ ଲଂଘିବାକ ମହୀ

ସଚରାଚର ମଧ୍ୟେ ବ୍ରତିବେକ ଆର କେହି ।୬୭।

ପୃଥିବୀ ଆପଣେ ଯେବେ ହୋଇବ ଶସ୍ୟହାନି

ସକଳ ଜୀବଜନ୍ତୁ କି ବ୍ରତିବେ ମେଦିନୀ ।୬୮।

ମାଗୋ ଇନ୍ଦ୍ରଦେବତା ଯେବେ ନ କରିବାକ ବୃଷ୍ଟି

ଆବର ରକ୍ଷା କାହିଂ ହୋଇବ ନବସୃଷ୍ଟି ।୬୯।

ଅନୀତି ଅବିଧି ଯେବେ କରିବାକ ରାଜା

କାହାର ଆଗେ ଗୁହାରି କରିବେ ଜନପ୍ରଜା ।୭୦।

ପ୍ରସବିଲା ପୁତ୍ର ଯେବେ ମାତା କରିବାକ ଭକ୍ଷ

ସେ ବାଳୁତ ଆବର କେହ୍ନେ ହୋଇବାକ ରକ୍ଷ ।୭୧।

ଆଗୋ ସ୍ୱାମୀ ନ ସହିଲେ ସେବକ କାହିଂ ବ୍ରତି

ତପୋଧନେ ବ୍ରତନ୍ତି କି ରାଜାର ଅନୀତି ।୭୨।

ମାଗୋ ସ୍ୱାମୀ ହୋଇ ଯେବେ ସେ ସେବକେଣ ହୋୟେ ରାଗୀ

ସହସ୍ରେ ଅରଜିଲେ ସେ ସେବା ପରିତ୍ୟାଗି ।୭୩।

ମୁହିଂ ତୋହୋର ରାଜ୍ୟରୁ ଯାଉଅଛି ଗୋ ମାୟେ

ମୋହୋର ୟେଥେ ଥିଲେ ପଡ଼ିବ ଗୋ ବହୁତ ଅପଚୟେ ।୭୪।

ଶୁଣି ଶ୍ରୀକୃଷ୍ଣାୟେ ବୋଇଲେ ୟେହାର ୟେଥୁଂ ଗଲେ

ପୁର ମୋହୋର ଦହିଜ ହୋଇବ ୟେହାର ପିଠିଦିଲେ ।୭୫।

କୋଳକରି ଶ୍ରୀକୃଷ୍ଣାୟେ ବସାଇଲେ କତି

ମାଗୋ ବେଳେକ କ୍ଷମା କରିବା ମୁଂ ହୋଇଲି ଅନୀତି ।୭୬।

ଶୁଣି ପ୍ରତିଉତ୍ତର ଦିଲା ମୁଦୁସୁଲୀ

ରାଗେଣ ଅପାର ଭ୍ରଚ୍ଛନା ଯେ ବୋଲନ୍ତି ପୋଇଲୀ ।୭୭।

ମେଦମେଦା ମାୟେଂସେଣ ଗୋ ଶରୀର କଲା ଜାୟା

କାମସାଗର ପୂରୋଇ ଘଟଣ କଲା କାୟା ।୭୮।

ବୃହସ୍ପତିଂକର ଭାରିଯା ଯେ ତାରା ମହାସତୀ

ଚନ୍ଦ୍ରଦେବତାଂକର ତୁଲେ ସେ ବଢା଼ଇଲେ ପୀରତି ।୭୯।

ଶ୍ରୀରାମଚନ୍ଦ୍ରର ଭାରିଯା ଗୋ ଅଟଇ ଦେବୀ ସୀତା

ତାହାକଇଂ ପୁଣି ହରିନେଲା ଗୋ ରାବଣ ଦଇତା ।୮୦।

ମାଗୋ ଗଉତମ ଋଷିଂକର ଭାରିଯା ନାମ ତା ଅହିଲା

ପରଦାରାୟେଣ ଚନ୍ଦ୍ର ସୂର୍ଯ୍ୟେ ରମଣ ଦିଲା ।୮୧।

ଚନ୍ଦ୍ରନଉମୀଂକର ଭାରିଯା ଶକୁନ୍ତଳା ମହାସତୀ

ତାହାଂକୁ ହରିଲାଟି ରବି ମହାଜ୍ୟୋତି ।୮୨।

ଗୋପସ୍ତିରୀମାନେ ଯେ ଅଟନ୍ତି ମହାସତୀ

ସେ ପୁଣି କାଳେ ଗୋ କରାଇଲେ କୃଷ୍ଣେ ରତି ।୮୩।

ମାଗୋ ପାଣ୍ଡବଂକର ଭାରିଯା ଯେ ଦ୍ରୋପତର ଦୁହିତା

ତାହାଂକର ପ୍ରାପତ ପୁଣି ହୋଇଲେ ପଞ୍ଚଭ୍ରାଥା ।୮୪।

ଆଗୋ ଦିବିଭୁବିରେ ଯେତେକ ହୋଇଲେକ ଜନ୍ମ

ପରଦାରା ସ୍ତିରୀଂକର ପୁଣି ଲଲାଟ ଲେଖନ ।୮୫।

ସଇରିନ୍ଧ୍ରୀ ବୋଇଲେ ୟେ ଯେ ନୋହୋଇ ଯୁଗତ

ଯତି ସତୀ ନ ଥିଲେ ଗୋ ସଂସାର ରହିବ କେମନ୍ତ ।୮୬।

ଚନ୍ଦ୍ର ଯେ ହରିଲା ତାରା ମହାସତୀ

ବୃହସ୍ପତିଂକର ଶାପ୍ୟେ ରାହୁ ଗ୍ରାସିଲା ତାର ମୃତ୍ତି ।୮୭।

ଇନ୍ଦ୍ର ଯେ ହରିଲେ ଗଉତମଂକର ପତ୍ନୀ

ଋଷିଂକର ଶାପ୍ୟେ ସେ ହୋଇଲା ସହସ୍ର ଯୋନି ।୮୮।

ସୀତା ହରଣ ଦୋଷେ ରାବଣ ନାଶଗଲା

ସୁଗ୍ରୀ ଭାରିଯା ହରି ବାଳୀ ପ୍ରାଣଦିଲା ।୮୯।

ଶକୁନ୍ତଳା ହରଣେ ନାଶଗଲା ସ୍ୱୟଂଭବୁ ମନୁ

ତିରଣ ପ୍ରମାଣେ କୃତାନ୍ତକ କାଟିଲା କେ ତନୁ ।୯୦।

ମାଗୋ ବିରାଟ ରାଜ୍ୟେ ମୁହିଂ ହୋଇଅଛି ବଡ଼ଦୁଖୀ

ସଦା ସର୍ବଦା ୟେଥେ ମୁଂ ନୁହଇଂ ନିରିମାଖୀ ।୯୧।

ପାଞ୍ଚଜଣ ଅଛନ୍ତି ଗୋ ମାତ ଆବୋରିବାକୁ

ଯେ ମୋତେ ବଢ଼ଇ ଅବଶ୍ୟ ମାରନ୍ତି ତାହାକୁ ।୯୨।

ଶୁଣିଣ ଶ୍ରୀକୃଷ୍ଣା ଯେ ମଉନାବ୍ରତ ହୋଇଲେ

ସମସ୍ୟା ନ ଦେଇଣ ଉଠି ବାହୁଡ଼ିଣ ତହୁଂ ଗଲେ ।୯୩।

ସନ୍ନିଧ୍ୟକୁ ହକାରିଲେ କରୁଣା ମୁଦୁସୁଲୀ

ଆଗୋ କରୁଣା ତୁ ଶୁଣିଲୁ ନା ମୁଂ ଯେତେ ବାଗେ ବୋଇଲି ।୯୪।

ସାମାନ୍ୟ ନୁହଇଂ ସେ ଅଟଇ ବଡ଼ଜଣ

ଦରିଦ୍ର ହୋଇ କେ ଉପେକ୍ଷା କରଇ ହିରଣ୍ୟ ।୯୫।

ସାମାନ୍ୟ ମାତ୍ର କି ଠାକୁରାଣୀଂକ ବୋଲ ଭାଙ୍ଗି

ବାକ୍ୟ ଶୁଣିଲୁ ନା ପ୍ରତ୍ୟକ୍ଷେ ସେ ପରମ ଯୋଗୀ ।୯୬।

କୀଞ୍ଚେକକୁ କହିବ ସେ ଦେଖୁ ଦାସୀଚେଡ଼ି

ତାହା ଦେହ ଲାଗିଲେ ଆଇଷ୍ୟ ଶିରୀ ଯାୟେ ଛାଡ଼ି ।୯୭।

ୟେମାନେ କହିଲେ ବୋଧନ ମାନିବ ଅବା

ଉପାୟେ କରି ସଇରିନ୍ଧ୍ରୀକି କୀଞ୍ଚେକ ପୁରକୁ ପେଷିଦେବା ।୯୮।

ଥିର ହୋଇ ରହିଥାଉ ସେ ଦିନା ପାଞ୍ଚସାତେ

ୟେକଥା ମାନ ପାସୋର ହୋଇଯିବା ପରିଯନ୍ତେ ।୯୯।

ବଚନ ବୋଧପାଇ ଗଲେକ ମୁଦୁସୁଲୀ

କୀଞ୍ଚକର ପୁରକୁ ଯେ ଚଳିଲେ ପୋଇଲୀ ।୧୦୦।

କୀଞ୍ଚକ ହରଷ ଯେ ଦୂତୀର ବିଳମ୍ବ ଦେଖି

ରହିଲେଣି ଯେବେ ଘେନି ଆସିବେ ସଇରିନ୍ଧ୍ରୀକି ।୧୦୧।

ନିଚୟେ ପ୍ରାପତ ମୋତେ ହୋଇବାକ କାମନିଧି

ଦୂତୀର ବିଳମ୍ବେ ଯେ ସମସ୍ତ କାର୍ଯ୍ୟ ସିଦ୍ଧି ।୧୦୨।

ଆପଣେ ବେଶ ବେଶନ ହୋଅଇ କୀଞ୍ଚେକ ସେନାପତି

ୟେମନ୍ତ ସମୟେଣ ଦୂତୀମାନେ ମିଳନ୍ତି ।୧୦୩।

ଯାତ୍ରାସାରି ରାଜା ବିଜୟେ ନିଜପୁରେ

କୀଞ୍ଚକ ପଚାରଇ ହକାରି ଛାମୁରେ ।୧୦୪।

କେମନ୍ତ ବାରତ ଲୋ କେବଣ ସୁବିଧାନ କାର୍ଯ୍ୟ

ବଦୟନ୍ତି ସିହାଣୀ ୟେ କହିତେ ବଡ଼ ଲାଜ ।୧୦୫।

ଶୁଣ ଦେବ ପଣ୍ଡିତ କ୍ଷତ୍ରିୟ ଚୂଡ଼ାମଣି

ଶ୍ରୀକୃଷ୍ଣା ବିମୁଖ ହୋଇଲେ ତୁମ୍ଭର କଥା ଶୁଣି ।୧୦୬।

ବୋଇଲେ ଯେହ୍ନେ ପଣ୍ଡିତ ସହୋଦ୍ର ମୋହୋରି

ବେଟୀ ଚେଟୀ ସମାର୍ଜନୀ ବାତ ଲାଗନ୍ତେ ହୁଅଇ ହତଶିରୀ ।୧୦୭।

ମୋହୋର ରାଜ୍ୟେ ୟେ ଖଟଇ ଭୃତ୍ୟପଣେ

ଲେଞ୍ଚେ ବଶ୍ୟ କିଂକେ ହୋଇବ ଅକାରଣେ ।୧୦୮।

ଅପରଚେ ଅଙ୍ଗଭୋଗ ଦେଇ ନ ଯୋଗାଇ

ଶିରୀହୀନ ହୁୟେ ଆୟୁଷ କ୍ଷୟେ ଯାଇ ।୧୦୯।

ସ୍ୱାମୀ ତୋହୋର ବଚନେ ଯହୁଂ କହିଲୁ ଅବସ୍ତା

ବହୁତ ବିକଳ ଯେ ହୋଇଲେ ଜଗତମାତା ।୧୧୦।

ବୋଇଲେ ଯେତେ ଧନ ଲାଗଇ ନେଉ ସେ ଭଣ୍ଡାରୁ

ଆହୁରି ଶତେକନ୍ୟା ସେ ବିରାଟ ବିଭାକରୁ ।୧୧୧।

କୀଞ୍ଚେକ ବୋଇଲା ଲୋ ବଢ଼ିଲା ନଦୀ ବରଷିଲା ଜଳଦ

ମନମତ୍ତ କାମ ଲହରୀ ପଡ଼ିଲା ପରମାଦ ।୧୧୨।

କୀଞ୍ଚେକ ବୋଇଲା ଲୋ ନ ପାରଇ ତାକୁ ମୃଚ୍ଛି

ଉନ୍ମତ୍ତ କାମବାଣେ ନ ଜାଣେ ମୁହିଂ କିଛି ।୧୧୩।

କାହାରି ବେଳେ ରୁହାଇ ନୁହଂଇ କଦାଚିତେ

ୟେ ଶରୀର ତୁଟୁ ମୋହୋର ସଇରିନ୍ଧ୍ରୀ ନିମନ୍ତେ ।୧୧୪।

କଣ୍ଠାଗତ ପ୍ରାଣ ଶରୀରୁ କଲା ତେଜ୍ୟା

ଅଶକତ ପ୍ରାଣୀଂକର ହୋ କିସ ଅଛଇ ଲଜ୍ୟା ।୧୧୫।

କରପତ୍ର ଯୋଡ଼ିଣ ସେ କହଇ ମୁଦୁସୁଲୀ

ସ୍ୱାମୀ ଅଂସଗତେ ପୁଣି ମହାଦେଈଂକି ଘେନିଗଲି ।୧୧୬।

ବହୁତ ସଂକୋଚ ତାହାକୁ କରନ୍ତି ଠାକୁରାଣୀ

ବିକାଶି କରି ତାକୁ କହି ନୁଆରନ୍ତି ବାଣୀ ।୧୧୭।

ଆମ୍ଭର ବଚନ କରି ତାକୁ ବହୁତ କହିଲେ ମଣାଇଂ

ସ୍ତିରୀକୁଳେ ପାମେରୀ ଦେବ ତା ତହୁଂ ଆନ ନାହିଂ ।୧୧୮।

ଯେତେ ଅଳଂକାରମାନ ଛାମୁରେ ତାର ନେଇ ଦିଲି

ଅମୂଲ୍ୟ ରତ୍ନମାନନ୍ତ ସେ ପାଦେଣ ଦେଲା ପେଲି ।୧୧୯।

ସ୍ୱାମୀ କି ସରୂପଗୁଣ ମୁଂ ବର୍ଣ୍ଣିବି ତାହାର

ହିରଣ୍ୟ ନ ଗଚ୍ଛଇ ତାହାର ଚରଣର ।୧୨୦।

ହୀରାହୁଂ ଅଧିକ ତାହାର ପାଦତଳି

ମରକତ ନ ଗଚ୍ଛଇ ତାହାର ଚରଣ ଅଙ୍ଗୁଳି ।୧୨୧।

ୟେ ଅଷ୍ଟରତ୍ନମାନ ଯେ ଥୋଇଲୁ ତାରକତି

ରତ୍ନହୁଂ ଅଧିକ ଦେବ ଅଟଇ ତାହାର ଜ୍ୟୋତି ।୧୨୨।

ଦେବସ୍ତିରୀ ନାୟେକା ସେ ମଧ୍ୟପୁରର ନୁହଇ

ରମ୍ଭା ଉର୍ବଶୀହୁଂ ଅଧିକ ରୂପ ଅମର ଭୁବନ ମୋହୋଇ ।୧୨୩।

ସ୍ୱାମୀ ତାହୋର ଛାମୁରେ ଦାସୀ ପ୍ରାୟେ ଦିଶନ୍ତି ଶ୍ରୀକୃଷ୍ଣା

ଶୁଣିଣ କୀଞ୍ଚକର ବଢ଼ିଲା ଯେ ଦୁଗୁଣ ତୃଷ୍ଣା ।୧୨୪।

ସ୍ୱାମୀ କିଞ୍ଚିତ କରିଣ ଯେବେ କହିବ ଦିବ୍ୟବାଣୀ

ପିକଜନ୍ତୁ ଦୂରେ ଯାଇ ତାହାର ବାକ୍ୟ ଶୁଣି ।୧୨୫।

ଅପାର ଗୁଣ ଯହୁଂ ଦେବ କହିଲା ବିଶେଷି

କୀଞ୍ଚେକ ଢଳିପଡ଼ିଲା ମୋହବନ୍ଧ ଫାଶୀ ।୧୨୬।

କୀଞ୍ଚେକ ଯହୁଂ ବଢ଼ିଲା ମଦନ ଉଦବେଗ

ଆଲୋ ଯାଇଣ ଜଣାଅ ବେଗେ ଠାକୁରାଣୀଂକର ଆଗ ।୧୨୭।

ସେ ମୋହୋର ଠାକୁରାଣୀ ସେ ମୋତେ ରକ୍ଷା କରନ୍ତୁ

ଉପାୟେ କରି ମୋ ପୁରକୁ ସଇରିନ୍ଧ୍ରୀକୁ ପେଷିଦ୍ୟନ୍ତୁ ।୧୨୮।

ଶୁଣିଣ ମୁଦୁସୁଲୀ ଚଳିଗଲେ କୀଞ୍ଚେକର ବଚନେ

ସନ୍ଦେଶ କହିଲେ ଯାଇ ରାଣୀଂକି ସନ୍ନିଧ୍ୟାନେ ।୧୨୯।

ଗୋସାମଣିୟେ କୀଞ୍ଚେକରେ କାର୍ଯ୍ୟ କି ସଇରିନ୍ଧ୍ରୀରେ କାର୍ଯ୍ୟ

ସଇରିନ୍ଧ୍ରୀକି ନଦିଲେ କୀଞ୍ଚେକ ହେଉଛି ପ୍ରାଣତ୍ୟାଜ ।୧୩୦।

ଶ୍ରୀକୃଷ୍ଣା ବୋଇଲେ ଲୋ କୀଞ୍ଚେକ ନାହିଂନା ଜୀବନ୍ତେ

ନ ଗଲେହେଂ ନ ବ୍ରତଇ ଗଲେହେଂ ନ ବ୍ରତଇ କଦାଚିତେ ।୧୩୧।

ଯେହ୍ନେ ସେ ଅରଜିଲା ଭୋଗ୍ୟକରୁ ତାର କର୍ମ

ୟେଥକୁ ବୋଲି ସେ ଯେ ହୋଇଅଛି ଜନ୍ମ ।୧୩୨।

ଲେଉଟି କହ ଯାଇଂ ଲୋ ସମ୍ଭାଳିଥାଉ ତାର କାୟେ

ଦିନା ଚାରି ପାଞ୍ଚ ଉତ୍ତାରେ ସଇରିନ୍ଧ୍ରୀକି ପେଷଇ ସିନା କରିଣ ଉପାୟେ ।୧୩୩।

ଚଳିଲେ ଚତୁରୀ ଯେ ଦୂତ ପରିଯୋଗେ

ଯାଇଂଣ ଜଣାଇଲେ ପୁଣ କୀଞ୍ଚେକର ଆଗେ ।୧୩୪।

ଦିନା ଚାରି ପାଞ୍ଚ ଉତ୍ତାରେ ଯେ ପେଷିବେ ମହାଦେଈ

କ୍ଷୁଧା ଆତୁରେ କି ବେନିହାଥେ ଅନ୍ନ ଖାଇ ।୧୩୫।

ଅଥବା ଯଦ୍ୟପି ସେ ନୁଆରିବେ ପେଷି

କେଶ ଧରି ଆଣିମା ତାହାକୁ ଅନ୍ତେଶ୍ୱର ପୁରେ ପଶି ।୧୩୬।

ଯାତ୍ରା ସମାପତ ସେ ୟେକବିଂଶେ ଦିବସେ

ମୁରାଟ ସାରିଣ ରାଜା ରହିଲେ ହରଷେ ।୧୩୭।

ଅନେକ ନିଯୋଗୀମାନନ୍ତ ଦିଲା ଶାଢ଼ୀ

କୋନ୍ତକୁ ବୋଇଲା ମୋ ରାଜ୍ୟେ ତୁମ୍ଭେ ଠାକୁର ଅଧିକାରୀ ।୧୩୮।

ବଇଶାଖର ଅନ୍ତେ ଯେ ଋଷଭ ପରବେଶ

ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଯେ ଚଉଠୀର ଦିବସ ।୧୩୯।

ଭୂମିବାର ମୂଳା ନକ୍ଷତ୍ର ଅଟଇ ସେ ଦିନର

କୀଞ୍ଚକର ନିମନ୍ତେ ସଇରିନ୍ଧ୍ରୀର ଅଭିସାର ।୧୪୦।

ମନେ ସ୍ମରି ଶ୍ରୀକୃଷ୍ଣାୟେ ଲେଖ ଅବଧାରି

ସଂଚିତ ତାଳପତ୍ର ଲେଖନ କରେ ଧରି ।୧୪୧।

ତାଳପତ୍ର ଘେନିଣ ଲେଖନ୍ତି ମହାସତୀ

ଶ୍ରୀକୃଷ୍ଣାର କୀଞ୍ଚକକୁ ତ୍ରିସନ୍ଧ୍ୟାରେ କଲ୍ୟାଣ ନିତି ।୧୪୨।

ବାବୁ ତୁ ଯେ ଉପୁଜିଲୁ ସଂକୋଚନର ରାଜାର ଘରେ

ଶରଧାୟେ ବଶିଷ୍ଠେ ତୋତେ ଧଇଲେ କୋଡ଼ରେ ।୧୪୩।

ତୋଷେଣ ମହାତ୍ମା ତୋତେ କଲ୍ୟାଣ କଲେ ବାଞ୍ଛା

ଶତେସିଂଘର ବଳ ତୋର ହୋଉରେ ବାଳବଛା ।୧୪୪।

ତୁ ଯେ କାନ୍ଦିଣ ହଲାଇଲୁ ବେନିପାଦ

ତୋହୋର ବାମଚରଣ ବାଜିଲା ଯେ ବଶିଷ୍ଠଂକ ହୃଦ ।୧୪୫।

ମୁନିଂକ ମୁଖରୁ ରୁଧିର ବାହାର ହୋଇ ଫୁଟି

ଉତ୍ତାନଶାହୀ ହୋଇ ଯେ ପଡ଼ିଲେ ତପନିଷ୍ଠି ।୧୪୬।

କୋପେଣ ଶାପ୍ୟ ତୋତେ ଦିଲେକ ତପୋବନ୍ତ

ଶତେ ସିଂଘର ପ୍ରାକର୍ମ ତୋର ୟେକା ସିଂଘକେ ହୋଉ ହତ ।୧୪୭।

ସଇରିନ୍ଧ୍ରୀ ବୋଲଇ ମୁହିଂ ଗନ୍ଧର୍ବଂକ ବଲ୍ଲଭୀ ହାଦେ

ସିଂଘେକ ପ୍ରାକ୍ରମ ତୋତେ ଅଛିଟି ପ୍ରମାଦେ ।୧୪୮।

ସଇରିନ୍ଧ୍ରୀ ଯାଉଅଛି ୟେ ତୋହୋର ପୁର

ଅନେକ ବିନୟ ଭଗତି ହୋଅ ୟେହାର ପୟର ।୧୪୯।

ୟେ ମହାତ୍ମାଣୀ ତୋତେ କରନ୍ତୁ ସଦୟେ

ଆରୋଗ୍ୟ ଅକ୍ଳେଶ ହୋଇବ ତୋହୋର କାୟେ ।୧୫୦।

ୟେ ମୋହୋର ବୋଲ ମେଣ୍ଟି ଯେବେ ସଇରିନ୍ଧ୍ରୀକି ହରିବୁ

ତୁ ଶତେସିଂଘ ପ୍ରାକ୍ରମ ୟେକା ସିଂଘକେ ନାଶଯିବୁ ।୧୫୧।

ପ୍ରତକ୍ଷେ ଗୁରୁପତ୍ନୀ ୟେ ଅଟଇ ଗଉରୋବୀ

ଗଉରୋବୀ ସ୍ତିରୀ ହରିଲେ ଆପଣେ ପରାଭବି ।୧୫୨।

ମୋହୋର ଶପତ ତୋତେ ଠାକୁରଂକ ଆନ

ଯାଇଂଣ ସଇରିନ୍ଧ୍ରୀଟି ବାହୁଡ଼ି ଆସିବ ୟେହିକ୍ଷଣ ।୧୫୩।

ବାବୁ ପଞ୍ଚୁଗନ୍ଧର୍ବଂକର ଭାରିଯା ୟେହା ନାମେ ସଇରିନ୍ଧ୍ରୀ

ୟେହାର ଅଙ୍ଗ ଛୁଂଇଲେ ଜୀବନ ୟେଥେ ନ ରହଇ କାହାରି ।୧୫୪।

ଯେବେ ଜୀବନକୁ ଅଛି ତୋହୋର ଆଶ

ଦୂରେ ଥାଇ ପ୍ରଳମ୍ବ କରିବୁ ନ ଯିବୁ ୟେହାର ପାଶ ।୧୫୫।

ବାବୁ ମତ୍ସଦେଶେ ମଘଦେଶେ ତୁହି ସେ ଅଧିକାରୀ

ୟେଡ଼େକ ସ୍ୱାମୀ ହୋଇ କିଞ୍ଚତେ ନୋହସି ଅପହାରୀ ।୧୫୬।

ବାବୁ ତୁହିତ ପଣ୍ଡିତ ଅଟୁ ମହାଭିଗ୍ୟଂ

ଛତ୍ରୀବର ସୋହୋଡ଼ ସୁନ୍ଦର ଅଟୁ ତୁ ସର୍ବଗ୍ୟଂ ।୧୫୭।

ଚନ୍ଦନ ମୁଦ ଦେଇ ମୁଦିଲେ ଶତଶ୍ରୀୟା

ସଇରିନ୍ଧ୍ରୀ ସନ୍ନିଧ୍ୟେ ଯାଇଂ ବିଜୟେ ରାଜପ୍ରିୟା ।୧୫୮।

ଦ୍ରହସିତେ ବାକ୍ୟେ ଦେବୀ ବଡ଼ାଇ ହରଷେ

ଶ୍ରୀକୃଷ୍ଣାୟେ ସଇରିନ୍ଧ୍ରୀକି ହକାରିଲେ ପାଶେ ।୧୫୯।

ମାଗୋ ତୁ ମୋହୋର ପଞ୍ଚୁଭୂତ ଆତ୍ମାର ବିଶ୍ୱାସୀ

ବିଶ୍ୱାସ ଠାବକୁ ଗୋ ଖଳଲୋକନ୍ତ ନ ପେଷି ।୧୬୦।

ମାଗୋ ନଗର ସ୍ତିରୀମାନେ ୟେ ଅଟନ୍ତି ଚତୁରୀ

ବିଶ୍ୱାସ କଥାମାନ ଗୋ ନୁଆରନ୍ତି ଗର୍ଭକରି ।୧୬୧।

ମାଗୋ ତୋହୋର କରେ ଦେଉଅଛି ବିଶ୍ୱାସ ଲେଖାଗୋଟି

କୀଞ୍ଚକ ଅନ୍ତେଶ୍ୱରେ ଦେଇ ଆସିବୁ ଲେଉଟି ।୧୬୨।

କୀଞ୍ଚକର ଭାରିଯା ନାମ ଅଟଇ ରାଧିକା

ତାହାର ହାଥେ ନେଇ ଲେଖଗୋଟି ଦେଖା ।୧୬୩।

କୀଞ୍ଚକକୁ ଦିଅ ୟେହା ଗୁପତେଣ ବୋଲ

ଧାତିକାରେ ଆସିବୁଟି ବହନ ହୋଇ ଚଳ ।୧୬୪।

ଘେନ ବୋଲି ମହାଦେଈ ଯାଚିଲେ ଉପର ହାଥେ

ସଇରିନ୍ଧ୍ରୀ ବିଚାରନ୍ତି ୟେହା ମେଣ୍ଟିବି କେମନ୍ତେ ।୧୬୫।

ଲୋକିତ କର୍ମକୁ ମୁହିଂ ଭୃତ୍ୟ ପ୍ରାୟେକ ଦିଶି

ନ ଗଲେ ଚିତ୍ତ ଅନ୍ତର ଧରିବଟି ବିରାଟ ପାଟବଂଶୀ ।୧୬୬।

ସ୍ୱାମୀର ବଚନେ ସେ ସେବକ କାହିଂ ମେଣ୍ଟି

କେତେ ଭାଞ୍ଜିବି ମୁଂ ୟେହାର ବାକ୍ୟଗୋଟି ।୧୬୭।

ବିଚାରିଣ ଦେବୀ ଯେ କରେଣ ଲେଖ ଘେନି

ଧର୍ମ ଧର୍ମ ସୁମରନ୍ତି ସେ ପାଞ୍ଚାଳୀ ଜିଘ୍ନସେନୀ ।୧୬୮।

ନଗଲେ କୋପ ମତେ କରିବ ମହାଦେଈ

ଗଲେଣ କୀଞ୍ଚେକ ବଳାତ୍କାରେ ହରିବ ମୁକୁଇଂ ।୧୬୯।

ତୁ ଦେବ ପରମାନନ୍ଦ ପ୍ରସନ୍ନ ପରମ ଯୋଗୀ

ସର୍ବ ବଳବନ୍ତ ପୁରୁଷ ତୁ ଦୃଭାରନ୍ତ ପରିତ୍ୟାଗି ।୧୭୦।

ଜୟତୁ ନାରାୟଣ ଭଗତମଚ୍ଛଳା

ୟେ ମହା କଷଣୁଂ ମୋତେ ଉଦ୍ଧାର କର ଦେବକୀର ବଳା ।୧୭୧।

ଯେମନ୍ତେ ପାମର ମୋର ନ ଛୁଅଂଇ ଅଙ୍ଗ

ତୁହି ୟେହାବିଚାରି କର ହେ ଶିରୀରଙ୍ଗ ।୧୭୨।

ଲେଖଦେଇ ଶ୍ରୀକୃଷ୍ଣା ଚଳିଲେ ନିଜପୁରେ

ଚଳିଲେ ସଇରିନ୍ଧ୍ରୀ ଯେ ଅନ୍ତପୁର ବାହାରେ ।୧୭୩।

ନଗ୍ର ପୂର୍ବଭାଗେ ସେ କୀଞ୍ଚେକ ଭୁବନ

ଚଳନ୍ତି ସଇରିନ୍ଧ୍ରୀ ଯେ ଈଶାନକୁ କରିଣ ବଦନ ।୧୭୪।

ପବନ ଗତି ହୋଇ ଚଳନ୍ତି ପାଞ୍ଚାଳୀ

ଦେଖିଲେ ଆକାଶେ ଉଦୟେ ଅଂଶୁମାଳୀ ।୧୭୫।

ଚଳଇ ଜିଘ୍ନସେନୀ ଜାଣିଣ ନିରିମାଖୀ

କରଇ ବିନୟେ ସେ ଆଦିତ୍ୟ ଦେବତାକଇଂ ଦେଖି ।୧୭୬।

ଜୟତୁ କରତାର ସ୍ୱାମୀ ଛାୟାଦେବୀର ପ୍ରାଣପତି

ତିମିର ବିଦାରଣ ନାଥ ଫେଡ଼ିବା ଦୁର୍ଗତି ।୧୭୭।

ୟେକ ଚକକେ ଯାହାର ସପତ ଅଶ୍ୱ ଯୋଚି

କରୁଣାମଚ୍ଛଳ ନାଥ ଜୟତୁ ବିରଞ୍ଚି ।୧୭୮।

ସ୍ୱାମୀ ପ୍ରସନ୍ନ ନାରାୟଣ ପ୍ରଭୁ ଜୟତୁ ମାରତଣ୍ଡ

ଅଶିଲକ୍ଷ ଜୁଣ ଯାହାର ବିକାଶଇ ଅକ୍ଷଦଣ୍ଡ ।୧୭୯।

କୋଟିୟେ ଧାର ଚକେ ସପତ ଅଶ୍ୱ ଯୋଚି

ଦିବସେ ଉଦୟେ ନାଥ ନିଶାକାଳେ ଲୁଚି ।୧୮୦।

ସ୍ୱାମୀ ଅର୍କ ବିଦାରିଲୁ କଣୟବିନ୍ଦୁର ଭଗତେ

ଆକ୍ରେଷି ମାଡ଼ିବସିଲୁ ଦେବ ଚନ୍ଦ୍ରଭାଗା ତୀର୍ଥେ ।୧୮୧।

ସ୍ୱାମୀ ଜମ୍ବୁଦ୍ୱୀପ ଭ୍ରଥଖଣ୍ଡ ପୃଥିବୀ ଈଶାନ ଅଗ୍ନିକୋଣେ

ତେଣୁ ସେ କୋଣାର୍କ ନାମ ବିରଞ୍ଚି ନାରାୟଣେ ।୧୮୨।

ସ୍ୱାମୀ ସଂଗ୍ୟାଂର ବଲ୍ଲଭ ତୁ ଅନନ୍ତ ମହେଶ୍ୱର

ତୁହି ସେ ଦିବ୍ୟଚକ୍ଷୁ ପୁରୁଷ ଅଣାକାର ।୧୮୩।

ସ୍ୱାମୀ ଚନ୍ଦ୍ରଭାଗା ଦକ୍ଷିଣେ ମଉଦଧି ଉତ୍ତରଭାଗେ

ମହାଯୋଗେ ବସିଲୁ ନାଥ ଚିନ୍ତିଲୁ ଶୂନ୍ୟମାର୍ଗେ ।୧୮୪।

ଲକ୍ଷେକ କୁସୁମ ଦେବ ନିତ୍ୟେ ୟେକବର୍ଣ୍ଣ ପାଟୋଳି

ମର୍କତ ଲିଙ୍ଗେ ଦେଇ ପୂଜିଲୁ ତିନିଓଳି ।୧୮୫।

ସ୍ୱାମୀ ୟେକଲୟେ ଆସନ ନବକୋଟି ସହସ୍ର ବରଷ

ଧ୍ୟାୟେଣ ଚିନ୍ତିଲୁ ଦେବ ଅଣାକାର ପୁରୁଷ ।୧୮୬।

ଦୁସହ ତପ ଦେଖି ପୁରୁଷ ଅଣାକାର

ପୁଷ୍ପେକ ହରି ଉଣା ହୋଇଲା ଲକ୍ଷେକର ।୧୮୭।

ମନେ ବିସ୍ମରିଲୁ ଯେ ଚିନ୍ତିଲୁ ଦେବରାଜ

କେ ୟେଥୁଂ ପୁଷ୍ପେକ ଉଣା କଲା ଆଜ ।୧୮୮।

ମୁହିଂ ଯେବେ ଉଠିଣ ଯିବି ପୁଷ୍ପ ଆଣି

ଖଣ୍ଡିତ ଲୟେ ମୋହୋର ହୋଇବ ୟେହିକ୍ଷଣି ।୧୮୯।

ସଂକଳ୍ପ ସମାପତ କରିବି କେମନ୍ତେ

ଦକ୍ଷିଣ ଚକ୍ଷୁ ତାଡ଼ିଲୁ ସ୍ୱାମୀ ପୁଷ୍ପର ନିମନ୍ତେ ।୧୯୦।

ଦକ୍ଷିଣ ଭାଗ କରେ ଘେନିଣ ନିଜ ଡୋଳ

ଲିଙ୍ଗର ଉପରେଣ ନେଇ ଚଢ଼ାଇଲୁ କମଳ ।୧୯୧।

ସେହି ଲିଙ୍ଗ ବିଦାରିଣ ଦେଖିଲୁ ସରୂପ

ତହୁଂ ତୋତେ ଦୃଶ୍ୟମାନ ହୋଇଲା ଅଣାକାର ରୂପ ।୧୯୨।

ଯୁଗାନ୍ତେକ ପୁରୁଷ ତୋତେ ହୋଇଲା ପ୍ରସନ୍ନ

କମଳ ଆକାର ପୁଣି ଦିଶିଲା ଲୋଚନ ।୧୯୩।

ତୁ ଦେବ କମଳଲୋଚନ କରତାର

ଅଦଭୁତ ନାଥ ମୋତେ କରିବାକ ପାର ।୧୯୪।

ସ୍ୱାମୀ ରିଷିତ ସତ୍ୟଯୁଗେ ମୋହୋର ନାମଟି କେତୁକା

ଚଉଦ ବ୍ରହ୍ମା ହତ୍ୟାକଲା ରହିଲା ଶୂଦ୍ରେକ ୟେକା ।୧୯୫।

ସେ ଆଦି ଧବଳୀ କି ଶରଣ ଯହୁଂ ମାଗି

ଭଗତ ନିମନ୍ତେ ସେ ସରୂପ ପରିତ୍ୟାଗି ।୧୯୬।

ଅଥବା ବିନୟ ତୁ ହୋଇଲୁ ଯେବେ ମୋତେ

ଶରଣ ରକ୍ଷଣ ମୁଂ ନ କରିବି କେମନ୍ତେ ।୧୯୭।

ଧବଳୀର ବଚନେ ମୁଂ ରକ୍ଷାକଲି ତାହା

ଇଦଂଭୂତ ଜନେ ମୁଂ ଭକ୍ଷିବି ତାର ବାହା ।୧୯୮।

ସ୍ୱାମୀ ଦୁଜ ଅବତାରେ ମୁଂ ପାର୍ବତୀ ୟେକବଳା

ରୁଦ୍ରବାକ୍ୟ ହୁଡ଼ିଲି ମୋତେ ଶାପ୍ୟଦିଲା କପିଳା ।୧୯୯।

ତାହାଂକର ବାକ୍ୟ ମୋତେ ହୋଇଲା ପଞ୍ଚୁପତି

ପଦ୍ମେକ ବର୍ଷ ବସିଲି ମୁଂ ୟେକବଳା ପାର୍ବତୀ ।୨୦୦।

ସ୍ୱାମୀ ୟେକବର୍ଣ୍ଣ ପାଟଳୀବସ୍ର ପଞ୍ଚାଉନ କୋଟି ନେଲୁ

ତବ ପୁତ୍ର ଶନିଶ୍ଚରକୁ କନ୍ୟା ପ୍ରଦାନ କରାଇଲୁ ।୨୦୧।

ସ୍ୱାମୀ କଉରୋବ ସଭାତଳେ ଧୁଶାସନ କେଶ ଆକ୍ରଷଣ ବେଳେ

ଛପନକୋଟି ବସ୍ର ଦିଲୁ ମୋତେ ଆତଙ୍ଗର କାଳେ ।୨୦୨।

ସ୍ୱାମୀ ପରମାନନ୍ଦ ସତ୍ୟଯୁଗେ କଳପୀ ନାମେ ନାରାୟଣ

ତୋତେ ହରି ନେଇଥିଲା ଯେ କଉଶିକ ନାମେ ରାବଣ ।୨୦୩।

ଆପଣା ରମ୍ୟସ୍ଥାନ ମନ୍ଦିରେ ଥୋଇଥିଲା

ଅନୁବ୍ରତେ ଲଂକା ଭୁବନ ତାହାର ଦିବସ ପ୍ରାୟେକ ଦିଶିଲା ।୨୦୪।

ନବଖଣ୍ଡ ପୃଥୀ ସବୁ ହୋଇଥିଲା ସର୍ବରାତି

ତବହିତେ ମନୁଷ୍ୟ ରୂପେ ମୁଂ ହୋଇଲି ଉତପତ୍ତି ।୨୦୫।

ମୋତେ ସେ ରାବଣ ଯେ ଘେନିଗଲା ହରି

ବିଷାଦ ନାମରେ ରାମଚନ୍ଦ୍ର ହୋଇଲେ ଦ୍ୱନ୍ଦକାରୀ ।୨୦୬।

ତଦଅର୍ଥେ ରାବଣକୁ ବଧକଲେ ମମ ପ୍ରହୁ

ଦିନକର ଜ୍ୟୋତି ପୁଣ ବିକାଶିଲା ତହୁଂ ।୨୦୭।

ସ୍ୱାମୀ ତୁହି ମୋତେ ମୁହିଂ ତୋତେ ଅନେକ ବାର ଜନ୍ମି

ୟେ କଷଣୁଂ ଉଦ୍ଧର ମୋତେ କମଳାର ସ୍ୱାମୀ ।୨୦୮।

ସ୍ୱାମୀ ଦବନଦକ୍ଷ ତୋତେ ହରିନେଲା ଯେତେବେଳେ

ମହାଖଳା ପାତି ଥୋଇଲା କମଣ୍ଡଳେ ।୨୦୯।

ବସୁଧା ରୂପେଣ ମୁଂ ଥିଲି ଅବତରି

ତହୁଂ ଆଣିଲି ତୋତେ କମଣ୍ଡଳ ବିଦାରି ।୨୧୦।

ସ୍ୱାମୀ ମୋତେ ସଂକଟ ଯେ ପଡ଼ିଲା ୟେତେବେଳେ

ତୁହି ସେ ବିଚାର ନାଥ ଅନାଦି ଦିବ୍ୟଡୋଳେ ।୨୧୧।

ସ୍ୱାମୀ ଇନ୍ଦ୍ର ନାଶ ଗଲା ଯେ ତ୍ୱଷ୍ଟାର ବିବାଦେ

ପଞ୍ଚମୃତ୍ତି ହୋଇଲେ ସ୍ୱାମୀ ତୋହୋର ପ୍ରସାଦେ ।୨୧୨।

କର୍ମର ବିପାକେ ସ୍ୱାମୀ ପଡ଼ିଲା ଅପଚୟେ

ଅଗ୍ୟାଂତେ ପଶିଲୁ ଆସି ଗୋପ୍ୟାନ କରି କାୟେ ।୨୧୩।

ସ୍ୱାମୀ ସଇରିନ୍ଧ୍ରୀ ରୂପେଣ ମୁହିଂ ରହିଲାଇଂ ୟେଥି

ଅଗ୍ୟାଂତବାସ ନିମନ୍ତେ ଶ୍ରୀକୃଷ୍ଣାର ବଶ୍ୟବୃତ୍ତି ।୨୧୪।

କୀଞ୍ଚକର ତହିଂକି ମୋତେ ପେଶିଲେ ଧର୍ମ ଲଘିଂ

କେହି ମୋତେ ସାଖା ନାହିଂ ନୋହିଲାକ ଆନ ସଙ୍ଗୀ ।୨୧୫।

ଅବଶ୍ୟ ପାମର ନ ଚିହ୍ନିବ ମୋହୋର ବର୍ଣ୍ଣ

ବଳାତ୍କାରେ ହରିବ ୟେବେ ସଂସାରକୁ ରହିବ ଲେଖନ ।୨୧୬।

ଅଥବା କୀଞ୍ଚକ ମୋତେ ହରିବାକ ବଳେ

ମୁହିଂ କି ବ୍ରତିବି ନାଥ କ୍ଷଣେହେଂ ତେତେବେଳେ ।୨୧୭।

ମମ ପ୍ରାଣତ୍ୟାଜ ପାରିବୁଟି ମୃଚ୍ଛି

ପୂର୍ବଭାବେ ଯେବେ ତୋହୋର ମୋହୋର କାର୍ଯ୍ୟ ଅଛି ।୨୧୮।

ତୁ ଦେବ ଭଗତମତ୍ସଳ ଅନାଦି

ତୁ ଦେବ ସତ୍ୟବାକ୍ୟ ଧୃତ ଅନୁସିଦ୍ଧି ।୨୧୯।

ତୁ ଦେବ ସଂକଟ କାଳକୁ ଉଦ୍ଧାରନ୍ତା

ତୁ ଦେବ ସଂସାର ଜନଂକୁ ଅଟୁ ହିତା ।୨୨୦।

ତୁ ଦେବ ଜପମନ୍ତ୍ର ଧ୍ୟାନ ଗ୍ୟାଂନସିଦ୍ଧି

ତୁ ଦେବ କୃପାନିଧି କରୁଣା ବାରାଧି ।୨୨୧।

ତୁ ଦେବ ଯଶୋବନ୍ତୀ ବଲ୍ଲଭ ଦିନମଣି

ତୁ ଦେବ ସୟଳ ଜନ ଗ୍ୟାଂନ ପରିଣାମି ।୨୨୨।

ତୁ ଦେବ ସୟଳ ଜନ ସୋଦର ପଦ୍ମନାଭ

ତୁ ଦେବ ଶରଣ ଉଦ୍ଧାରଣ ଆଦିଦେବ ।୨୨୩।

ତୁ ଦେବ ଯୋଗ ଧାରଣ ପଣ୍ଡିତ ବ୍ରହ୍ମରକ୍ଷା

ତୁ ଦେବ ସକଳ ଜନର ପୂରାଅ ମନବାଞ୍ଛା ।୨୨୪।

ତୁ ଦେବ ବିନାଶନ ସିଂହିକା ସୁତ ରାହୁ

ତୁ ଦେବ ମହିଂମା ଧାରଣ ବିଶ୍ୱବାହୁ ।୨୨୫।

ତୁ ଦେବ ପ୍ରଳୟ ମହାପ୍ରଳୟ ଉତ୍ତାରି

ପରେଣ ପରମାନନ୍ଦ ପରଲୋକ ହିତକାରୀ ।୨୨୬।

ତୁ ଦେବ ଜଗୁଜୀବନ ନାଥ ପ୍ରାଣଗୁରୁ

ତୁ ଦେବ କୃପାଜଳ ସୟଳ ଉଦ୍ଧାରୁ ।୨୨୭।

ତୁ ଦେବ ଯତି ସତୀ ସରୂପେଣ ପରକ୍ଷା

ତୁ ଦେବ ସେବା ଜାଣି ପୂରାଅ ମନବାଞ୍ଛା ।୨୨୮।

ତୁ ଦେବ ଶରଦ ହେମନ୍ତ ଶିଶିର ବସନ୍ତ ଗ୍ରୀଷମ ବରଷା

ତୁ ଦେବ ଷଡ଼ଋତୁ ବାଞ୍ଛିତ ମନୀଷା ।୨୨୯।

ତୁ ଦେବ ମମ ଦୁଖେଣ ସଦା ହୋଉ ଦୁଖୀ

ୟେ ଦୁସ୍ତର କଷଣରୁ ପାରିକର କିନା ରଖି ।୨୩୦।

ମମ ଚିନ୍ତାକର ନାଥ ଭଗତ ମତ୍ସଳା

ଅରୁଣ ସୋଦର ନାଥ ଅନନ୍ତ କୋଟି କଳା ।୨୩୧।

ଉଦୟେ ମାରତଣ୍ଡ ଚରଣେ ଶରଣ ନିତ୍ୟେ

ଶୂଦ୍ର ମୁନି ସାରୋଳା ଦାସ ବିନୟ ଅନୁବ୍ରତେ ।୨୩୨।୩୨୮୯।

******

 

Unknown

ଛାୟା ମାୟା ସାହାଯ୍ୟରେ ଦ୍ରୋପଦୀଙ୍କର ଗମନ ଓ କୀଚକର ଲାଞ୍ଛନା

ଦ୍ରୋପତୀ ବିନୟ ଦେଖିଣ କମଳ ଲୋଚନ

ମହାଭୟ ଉପୁଜିଲା ସେ ଜଗତ ଧାରଣ ।୧।

ଛାୟା ମାୟା ବେନି ଦେବୀନ୍ତ ସେ ସନ୍ନିଧ୍ୟେ ହକାରି

ମଞ୍ଚପୁରକଇଂ ଯିବ ଥିବ ସଇରିନ୍ଧ୍ରୀକି ଆବୋରି ।୨।

କୀଞ୍ଚକର ଭୁବନକୁ ଯେ ଯାଉଅଛି ଜିଘ୍ନସେନୀ

ବହନ କରି ତାକୁ ଆସ ତୁମ୍ଭେ ଘେନି ।୩।

ସ୍ୱାମୀର ବଚନେ ଯେ ଛାୟାମାୟା ବେନିମୃତ୍ତି

ଦୁହେଂ ପ୍ରବେଶ ହୋଇଲେ ପାଞ୍ଚାଳୀର କତି ।୪।

ଦେଖିଣ ମାହେଶ୍ୱରୀ ବେନି ଯେ ଦେବତୀ

ସାନନ୍ଦେଣ ଜିଘ୍ନସେନୀ ବିକ୍ରମ ପାଦଗତି ।୫।

କୀଞ୍ଚକର ନବର ସନ୍ନିଧ୍ୟେଣ ଯାଇଂ ପାଇ

ବିଶ୍ୱାସ ମୁଦୁସୁଲୀ କୀଞ୍ଚକକୁ ଜଣାଇ ।୬।

କୀଞ୍ଚକ ବିଜେ କରିଅଛି ଚନ୍ଦଶାଳା ମନ୍ଦିରେ

ବିନୟେ ମୁଦୁସୁଲୀ ଯାଇ କହିଲେ ଛାମୁରେ ।୭।

ସଇରିନ୍ଧ୍ରୀ ଆଗତ ଦେବ ଆମ୍ଭର ଭୁବନେ

ଧାତିକାରେ କୀଞ୍ଚକ ଯେ ଉଠିଲା ତୋଷମନେ ।୮।

ତାରା ଅଭିଳାଷେ ଚନ୍ଦ୍ର ଦିଶଇ ଯେସନେ

କୀଚକ ସାନନ୍ଦ ଯେହ୍ନେ ମଳୟ ପ୍ରସନ୍ନେ ।୯।

ତତକ୍ଷଣେ ବେଶ ଯେ ହୋଇଲା ବୀରମଣି

ଦିବ୍ୟ ସିଂହାସନେ ସେ ବସିଲା ସିଂଘଠାଣି ।୧୦।

ଅନେକ ରତ୍ନ ସେ ଆଭରଣ ଶରୀରେ

ମୃଗନାଭ କସ୍ତୁରୀ ଯେ ଲେପନ ଧାତିକାରେ ।୧୧।

ବେଳ ପାଞ୍ଚଦଣ୍ଡ ଯେ ଦିନକର ପ୍ରକାଶ

କୀଞ୍ଚକର ମନ୍ଦିରେ ଯାଇ ସଇରିନ୍ଧ୍ରୀ ପ୍ରବେଶ ।୧୨।

ନିଧନେ ଧନ ପ୍ରାପତ ଯେହ୍ନେ ଅନ୍ଧକୁ ଚକ୍ଷୁଦାନ

ମୃତୁପ୍ରାଣୀ ଯେସନେ ଅମୃତ ପାନେ ପାଇଲା ଜୀବନ ।୧୩।

ଅନ୍ଧାର ମନ୍ଦିରେ ଯେସନେ ଦିଶେ ଆଲୋମୟେ

ଅନେକ ଉତସଲ୍ୟ କୀଞ୍ଚକର କାୟେ ।୧୪।

ଅନେକ ଆଲଟ ଯେ ଚାମରନ୍ତ ଢାଳି

ଖଟନ୍ତି ଲକ୍ଷେକ ଯେ ବିଳାସୁଣୀ ବାଳୀ ।୧୫।

ନିର୍ମଳ ଶରୀର ତାର ସଇରିନ୍ଧ୍ରୀ ରୂପ ଦେଖି

ରେ ରେ ପ୍ରାଣବଲ୍ଲଭୀ ମୋତେ ଉଦ୍ଧର ଶଶୀମୁଖୀ ।୧୬।

ଶରଦ ପଉର୍ଣ୍ଣମୀ ଚନ୍ଦ୍ରମା ଜାଣି ତୋହୋର ମୁଖଗୋଟି

ଦରିଦ୍ର ଭୁବନେ ତୁ ଗୋ କଲୁ କଣୟ ବୃଷ୍ଟି ।୧୭।

ତୋହୋର ଇଚ୍ଛା ମୋତେ ଅଛିନି ରେ ସଂଘାତ

ମୁହିଂ ସେ ମନ୍ଦକଲି ଅନମିତେ ପେଶିଲି ଯେ ଦୂତ ।୧୮।

ପରେ ବୋଲାଇଣ ମୁଂ ଯେ କାର୍ଯ୍ୟନାଶ କଲି

ମମ ଇଚ୍ଛାୟେ ତୋତେ କିଂପେ ହକାରି ନ ବୋଇଲି ।୧୯।

ମୋହୋର ମନ୍ଦପଣେ କଲୁ ତୁ ମୋତେ କୋପ

ଭୁଜେ ବନ୍ଧନ କରି ମୋତେ ସାରସି ତୁ ପରିତାପ ।୨୦।

ଅନେକ ଚାଟୁ ବଚନେ କୀଞ୍ଚକ ବୁଝାଇ

ତାପଇ ବିଷ ଲହରୀ ସଇରିନ୍ଧ୍ରୀ ଅଙ୍ଗେ ଯାଇ ।୨୧।

ୟେକଲୟେ କରିଣ କୀଞ୍ଚକ କରଇ ଦୃଷ୍ଟି

ଛାମୁରେ ସଇରିନ୍ଧ୍ରୀ ଥୋଇଲେ ସୁପାତ୍ର ଲେଖଗୋଟି ।୨୨।

ତହିଂର ଉପରେ ଥୋଇଲା ଚତୁସମ ଗୋଟିୟେ

ଧାତିକାରେ ଲେଉଟିଲେ ପାଇଣ ମହାଭୟେ ।୨୩।

ଆସନ୍ତେ କୀଞ୍ଚକ ଯେ ଉଠଇ ତଡ଼ତି

କାହିଂକି ଯାଉଅଛୁ ଗୋ ନିର୍ଦ୍ଦୟ ଭାବମତି ।୨୪।

ରହ ରହ କାହିଂକି ଯାଉ ଅନେକ ବିନୟ ବୋଲି

ଅନ୍ତରୀକ୍ଷେ ଦେବଦୂତୀୟେ ତାହାକୁ ପକାଇଲେ ପେଲି ।୨୫।

ଅସାଷ୍ଟମେ କୀଞ୍ଚକ ଯେ ପଡ଼ିଲା ମୁଖମାଡ଼ି

ଶରୀରୁ ପଞ୍ଚୁଆତ୍ମା କି ଗଲା ତାର ଛାଡ଼ି ।୨୬।

ପୁଣିହିଂ ମହାବୀର ଉଠଇ ସାଷ୍ଟାମେ

ସଇରିନ୍ଧ୍ରୀକି ଆକ୍ରେଷଇ ମଦନ ମତିଭ୍ରମେ ।୨୭।

ସଇରିନ୍ଧ୍ରୀ ସିଞ୍ଚାଡ଼ିଲେ ବାମକର ଘାତେ

ପୁଣିହିଂ କୀଞ୍ଚକ ଯେ ପଡ଼ିଲା ମୋହଗତେ ।୨୮।

ପୁଣିହିଂ କୀଞ୍ଚକ ଯେ ମୋହତେଜି ଉଠି

ଆରେ ପ୍ରାଣବନ୍ଧୁ ବୋଲି ଧଇଲା ଲେଉଟି ।୨୯।

ପୁଣିହିଂ ଦରାଣ୍ଡନ୍ତେ ଯେ ଧଇଲା ଅଞ୍ଚଳ

ଭିଡ଼ିଣ କୀଞ୍ଚକ ଯେ କରଇ ତାକୁ କୋଳ ।୩୦।

ବେଢ଼ିଣ ଓଗାଳନ୍ତେ ସମସ୍ତ ମୁଦୁସୁଲୀ

ଆଲୋ ଶରୀର ନ ଛୁଅଂ ମୋର ସଇରିନ୍ଧ୍ରୀ ଦେବୀ ବୋଲି ।୩୧।

କୀଞ୍ଚକ ଅସାଷ୍ଟମେ ଅଇଲେ ସର୍ବବାଳୀ

ରାଗେଣ ପେଲିଦିଲେକ ପାଞ୍ଚାଳ ରାଜାର ଦୁଲାଳୀ ।୩୨।

ଶ୍ରୀଭୁଜର ବାତ ଯାଇଂ ଲାଗିଲା ତା ହୃଦରେ

ନିଚେଷ୍ଟ ହୋଇଣ ପଡ଼ିଲେ ସର୍ବେ ଧୂରେ ।୩୩।

ଲୋଭେଣ କୀଞ୍ଚକ ୟେ ନ ଛାଡ଼ଇ ଅଞ୍ଚଳ

ସଇରିନ୍ଧ୍ରୀ ଗାଢ଼େ ଆସନ୍ତେ ପଡ଼ଇ ସେ ଭୂମିତଳ ।୩୪।

କ୍ଷଣେ କ୍ଷଣେ କୀଞ୍ଚକ ଯେ ପଡ଼ଇ ମୁହଂ ମାଡ଼ି

ଶରୀରୁଂ ରୋଧିର ବହଇ ନାଶିକା ମୁଖ ଛିଡ଼ି ।୩୫।

ରୋଧିରେ ବିଲେପନ ହୋୟେ ତାର ଅଙ୍ଗ

ମନ୍ଦାର କୁସୁମ ଜାଣି ଦିଶଇ ସୁରଙ୍ଗ ।୩୬।

ପୁରୁଂ ବାହାର ସେ ଯେ ହୋଇଲା ସଇରିନ୍ଧ୍ରୀ

କୀଞ୍ଚକ ସଇରିନ୍ଧ୍ରୀର ଅଞ୍ଚଳ ଅଛି ଧରି ।୩୭।

ସଇରିନ୍ଧ୍ରୀର ବାମ ଦକ୍ଷିଣେ ଲାଗିଛନ୍ତି ଛାୟା ମାୟା ବେନି

ଆସ୍ତାନର ତଳକୁ ବୋଲି ତାଂକୁ ଗଲେ ଘେନି ।୩୮।

ପୁଣ ପୁଣ ଅଞ୍ଚଳ ଧରନ୍ତେ ଆସଇ ଦେବୀ ପେଲି

ଗୋଡ଼ାଇଣ ବଚନ ସେ ପୁଣ ପୁଣ ବୋଲି ।୩୯।

ସଇରିନ୍ଧ୍ରୀ ବୋଇଲେ ୟେ ରାଜ୍ୟେ ୟେମନ୍ତ ବିଚାର

ବଳେଣ ନାରୀକି କେ ହରଇ ବଳାତ୍କାର ।୪୦।

ଉଲ୍ଲୋଳ ନୟନ ତାର ସୁନ୍ଦର ବଦନ

ଶରଦକାଳେ ଯେହ୍ନେ ନିର୍ମଳ ଦିଶଇ ଜହ୍ନ ।୪୧।

ଲୋୟେଣ ବ୍ୟାପିତ ତାହାର ନୀଳେନ୍ଦି ନୀଳ ଆଖି

ଯୁଝେଷ୍ଠି ହେଠମାଥ ହୋଇଲେ ତାହା ଦେଖି ।୪୨।

ପଶାଖେଳେ ହସ୍ତିନାୟେ ହୋଇଲା ଯେମନ୍ତ

ସେହି ସାଦୃଶେ ହୋଇଲା ୟେବେ ମଚ୍ଛ ଭୁବନନ୍ତ ।୪୩।

ଷଣ୍ଢ ଯେସନେକ ଗୋଡ଼ାଇ ଥାଇ ଗାଈ

ପଛେଣ କୀଞ୍ଚକ ସେ ଆସ୍ତାନେଣ ପାଇ ।୪୪।

ସଭାରେ କୀଞ୍ଚକ ଯେ ନ ମଣିଲା ଲଜ୍ଜା

ନିଲ୍ଲଜ ଶରୀର ତାହାର ସମସ୍ତ କଲା ତେଜ୍ୟା ।୪୫।

ନିଶତ କାଳକୁ ଯେବେ ହୋୟେ ଜାଣ ପ୍ରାଣୀ

ଅଥବା ଅର୍ଥ ଅନର୍ଥ ୟେକପ୍ରାୟେ ଜାଣି ।୪୬।

ବିରାଟର ଆସ୍ତାନ ପୂରିତ ଗହଳ

ରୋଦନ କରଇ ସଇରିନ୍ଧ୍ରୀ ଆସ୍ତାନର ତଳ ।୪୭।

ସମସ୍ତେ ଚକିତ ଯେ ହୋଇଲେ ତାହା ଦେଖି

ଜଗୁଜନ ମୋହିନୀ ସେ ଶରଦ ଚନ୍ଦ୍ରମୁଖୀ ।୪୮।

ଆସ୍ତାନେ ବସିଅଛନ୍ତି ବିରାଟ କୋନ୍ତଭଟ୍ଟେ

ପଶାକ୍ରୀଡ଼ା ଖେଳନ୍ତି ସେ ଅତି ମନତୁଷ୍ଟେ ।୪୯।

କୀଞ୍ଚକର ଅବସ୍ତା ଦେଖିଣ ମଚ୍ଛନାହା

ଅଧର ପୁଷ୍ଟକରି ସେ ଲଲାଟେ ତାଡ଼ଇ ବେନିବାହା ।୫୦।

ଦ୍ରୋପତୀ ଅଞ୍ଚଳ କୀଞ୍ଚେକ ଧରିଅଛି କରେ

ବିକଳେ ପାଞ୍ଚାଳୀ ଯେ ରୋବଇ ଉଞ୍ଚସ୍ୱରେ ।୫୧।

ସଇରିନ୍ଧ୍ରୀ ବୋଇଲେ ରାୟେ ଶୁଣିମା ମଚ୍ଛପତି

ତୋହୋର ରାଜ୍ୟେ ମୋତେ ହୋଇଲା ଅନୀତି ।୫୨।

କାହାର ତହିଂ ଅବା କେ ସେବା ନ କରଇ

ପ୍ରଭୁପଣ ହୋଇଲେ କି ବଳାତ୍କାର କରଇ ।୫୩।

ରାଜାଂକର ଧର୍ମରାଜ୍ୟେ ଜାଣିମା କେମନ୍ତେ

ଅନାସ୍ତକଇଂ ସଦୟା ଯେବେ ଉପୁଜଇ ଅନୁବ୍ରତେ ।୫୪।

ପରଜା ତପୋଧନ ଅନାସ୍ତ ନିରିମାଖୀ

ଶରଣ ସମ୍ପଦ ରାଜ୍ୟ ରାଜାହିଂ ସେ ରଖି ।୫୫।

ମହାକ୍ରୋଧ ଅବସ୍ତା ହୋଇ ସଇରିନ୍ଧ୍ରୀ ଯେ ପୁଚ୍ଛି

କୀଞ୍ଚେକ ଯେ ମୋତେ ବଳାତ୍କାରେ ହରୁଅଛି ।୫୬।

ବିରାଟ କୋପକଲା ସଇରିନ୍ଧ୍ରୀ ବାକ୍ୟ ଶୁଣି

ଦେଖା ମୋଢ଼ୀ ଦୋଚାରୁଣୀ ପ୍ରକୃତି ଓଚ୍ଛବାଣୀ ।୫୭।

ୟେ ମୋହୋର ଭାରିଯାର ଅଟଇ ଭୃତ୍ୟଦାସୀ

ଅଗ୍ୟାନେ କୀଞ୍ଚକ ୟେହା ଛାରକଇଂ କିଂପେ ରସି ।୫୮।

ଯାହାର ବାହୁବଳେ ମଚ୍ଛଦେଶ ମଘଦେଶ ବେନିରାଜ୍ୟ

ତାହାର ବଲ୍ଲଭୀ ହୋଇଲେ ଭୁଞ୍ଜିବୁ ଅଇଶୁର୍ଯ୍ୟ ।୫୯।

ଲେଞ୍ଚେ ପ୍ରୀତି ହୋଇଲେ ଆପଣେ ହୋୟେ ହୀନ

ଅମାର୍ଗେଣ ପଶିଲେ ବପୁ ହୋଇବାକ କ୍ଷୀଣ ।୬୦।

କହୁଂ କହୁଂ କୋପିତ ଯେ ମଚ୍ଛ ଅଧିକାରୀ

ରାଗେ ବୋଇଲା କୀଞ୍ଚେକ ସଇରିନ୍ଧ୍ରୀକି ନିଅ ବାଳ ଧରି ।୬୧।

ନିରାଧାର ବଚନେ ସାନନ୍ଦ ତାହାର ମତି

ସଇରିନ୍ଧ୍ରୀ ଭୁଜ ଧରି ଉଛୁଡ଼ଇ କୀଞ୍ଚେକ ସେନାପତି ।୬୨।

ରାଜାର ହରଣ କଲେ କି ବ୍ରତଇ ଆର କେହି

କେବଣ ସ୍ୱାମୀ ଲୋ ଅଛଇ ତୋର କାହିଂ ।୬୩।

କୀଞ୍ଚକ ଉଛୁଡ଼ନ୍ତେ ନ ଚଳଇ ସଇରିନ୍ଧ୍ରୀ

ଯେସନେକେ ନିଷ୍କମ୍ପେ ରହଇ ମେରୁଗିରି ।୬୪।

ନିଅରେ କୀଞ୍ଚକ ବୋଲି ବିରାଟ ପୁଣ ପୁଚ୍ଛି

ହୋଇଲା ତୋହୋର ଭାରିଯା କେ ତାହାକଇଂ ରଖି ।୬୫।

ବିରାଟର ବଚନେ କୀଞ୍ଚେକ ଉଛୁଡ଼ଇ ତାର କର

ଯେସନେକ ନିକମ୍ପ କଣୟ ଗିରିବର ।୬୬।

ସଇରିନ୍ଧ୍ରୀର ଅବସ୍ତା ଦେଖିଣ କୋନ୍ତଭଟ୍ଟେ

ଧର୍ମ ଧର୍ମ ସୁମରି ବସିଲେ ବଦନ ହେଠେ ।୬୭।

ଭୋ କୃଷ୍ଣ ପ୍ରତିକାର କରସି ବାସୁଦେବ

ୟେହିକ୍ଷଣି ବିରାଟର ସମ୍ପଦ ନାଶଯିବ ।୬୮।

ଭୋ ଦେବ ନାରାୟଣ ପାରିକର ବଇଦେହୀ ସାଇଂ

ଭ୍ରାଥମାନେ ମୋହୋର ୟେହା ନ ଦେଖନ୍ତୁ କେହି ।୬୯।

ଭୀମ ଅର୍ଜୁନ ଦେଖିଲେ ନାଶଯିବ ବିରାଟ

ନିମିଷକେ ବଧ କରିବେ ୟେହାର ସମରାଷ୍ଟ ।୭୦।

ମୁହିଂ ଦୁର୍ଗତି ବଞ୍ଚିଅଛି ୟେହାର ପୁରେ ଥାଇ

କୀଞ୍ଚେକର ଦୋଷେ ତ ନାଶଗଲା ୟେହି ।୭୧।

କୋନ୍ତେ ବୋଇଲେ ବିରାଟ ୟେକଥା ନ ଯୋଗାଇବାକୁ

ତୁ ଯେ ଦଣ୍ଡଧାରୀ ଅନୀତି ନିବର୍ତ୍ତ କରିବୁ ସବୁ ।୭୨।

ଆହୋ ବିରାଟ କ୍ଷୀରୋଦ୍ର ଲଂଘିଲେ କି ପୃଥୀ ହୋୟେ ରକ୍ଷା

ଶିବ ସମ୍ପଦ ନ ପାଇଲେ ମନୋବାଞ୍ଛା ।୭୩।

ଷଣ୍ଢ ପ୍ରହାର କଲେ କି ବ୍ରତଇ ହାଦେ ଗାବ

ଧର୍ମ ଲଂଘିଲେ ସଚରାଚର ବ୍ରତଇ କେବଣ ବାଗ ।୭୪।

ବିରାଟ ବୋଇଲେ କୋନ୍ତେ ଅନୀତି କି ୟେ କଥା

କେବଣ ଭାଗ୍ୟ ୟେହାର ଠାକୁରଂକର ହୋଇବ ବନିତା ।୭୫।

ପ୍ରୟାଗେ ଝାସି ସେ ଯାହା କରିବ ମନବାଞ୍ଛା

କୀଞ୍ଚକ ପ୍ରସନ୍ନେ ପ୍ରାପତ ହୋଇବ ୟେହାର ଇଚ୍ଛା ।୭୬।

ଘୃତ ଭୋଜନ ପାଇଲେ କି ତେଜ୍ୟା କରନ୍ତି ବହନି

ଭାରା ନିବାରଣ ହୋଇଲେ କି ବିସରଇ ମେଦିନୀ ।୭୭।

ପ୍ରାପତ ନିଧି କେ ପୁଣ ପେଲାଇବ ପାଦେ

ବିପୁଳ ଭୋଗ ଭୁଞ୍ଜିବ ସଇରିନ୍ଧ୍ରୀ କୀଞ୍ଚକର ପରସାଦେ ।୭୮।

ବିରାଟେ ବୋଇଲେ କୋନ୍ତେ ଅତି ପୁଣ୍ୟ କଲେ ସୁନ୍ଦର ଯୁବତୀ

ଅତି ପୁଣ୍ୟେଣ ସୁନ୍ଦର ପୁରୁଷ ପାବନ୍ତି ।୭୯।

ଅତିହିଂ ପୁଣ୍ୟେଣ ସେ ହୋଅନ୍ତି ଅହିସୁଲକ୍ଷଣୀ

ଅତି ପୁଣ୍ୟେ ସେ ଧନ ସନ୍ତାନ ହୁଅନ୍ତି ପୁଣି ।୮୦।

ୟେ ଯେ ସୁସ୍ତିରୀ ପାଇଲା ସୁପୁରୁଷ

ପ୍ରଜାପତିର ଲେଖନ ପ୍ରାପତ ହୋଇଲା ଅବଶ୍ୟ ।୮୧।

ତିରୀଂକର ତିନିଦଶା କ୍ଷଣକେ ଲେଉଟଇ

କୀଞ୍ଚକ ସଇରିନ୍ଧ୍ରୀ ହୋଇଲା ୟେତେକାଳ ଭେଟଇ ।୮୨।

ଗୋବିନ୍ଦ ନାମ ଗୋଟି ଧରି ମଉନବ୍ରତ କୋନ୍ତେ

ଭୋ ଦଇବ ବିହିଲୁ ଆଣି ୟେତେଦୂର ପରିଯନ୍ତେ ।୮୩।

ମହା ଅନଳ ବିଦାରି ଜାତ ଯେବଣ ଜିଘ୍ନସେନୀ

ୟେତେଦୂର ପରିଯନ୍ତେ ତାହାକୁ କଲା ହୀନିମାନି ।୮୪।

ସଇରିନ୍ଧ୍ରୀ ବୋଇଲେ କ୍ଷଣେ ଅବଧାରିବା କୋନ୍ତେ

ସଭାରେ ନ୍ୟାୟ ବିଚାରେ ତୁମ୍ଭନ୍ତ ପ୍ରଶଂସନ୍ତି ଜଗତେ ।୮୫।

ବିରାଟ ରାଜ୍ୟରେ ଗୋସାଇଂ ମୁଂ ଅଟଇ ନିରିମାକ୍ଷୀ

ମୁହିଂ ଅନାସ୍ତୁଣୀ ମୋହୋର ପାଇଂ କ୍ଷଣକେ ହୁଅ ସାକ୍ଷୀ ।୮୬।

ଧର୍ମ ବିଚାରଣା ତୁମ୍ଭେ ସମସ୍ତ ଠାବେ କହ

ମୁହିଂ ଦୁଖୀ ପାଇଂ କିଂପେ କଥାୟେ ନ କହ ।୮୭।

ଧର୍ମକଇଂ ତଲୟେ ଯେ କରିବାକ କ୍ଷଣେ

ତୁମ୍ଭେ ଥାଉଂ ହରିବ ମୋତେ କୀଞ୍ଚକ ମହରାଣେ ।୮୮।

ଯୁଝେଷ୍ଠିଂକ ସମାନେ ତୁମ୍ଭଂକୁ ବିରାଟ କରଇ ସେବା

କୀଞ୍ଚକର ହରଣୁ ଗୋସାଇଂ ମୋତେ ପାରି କରିଦେବା ।୮୯।

ବହୁତ ବିନୟେ ସଇରିନ୍ଧ୍ରୀ ଅନେକ ତୁସ୍ତି ବୋଲି

କୋନ୍ତଂକର ମୁଖ ଚାହିଂ ଶୁତିଲା ଗଡ଼ଘାଲି ।୯୦।

କୋନ୍ତେ ବୋଇଲେ ତୁ ଶୁଣସି ସଇରିନ୍ଧ୍ରୀ

ରାଜା ହରିଲାର ତୁ କାହାକୁ କରିବୁ ଗୁହାରି ।୯୧।

ତୋହୋର କୃତେଣ ତୁ ଯେ ଅନେକ ସହିଲୁ

କର ତୋହୋର କାର୍ଯ୍ୟ ଆମ୍ଭେ ପ୍ରତକ୍ଷେ ଦେଖିଲୁ ।୯୨।

ସଇରିନ୍ଧ୍ରୀ ବୋଇଲେ ଗୋସାଇଂ ମୁଂ ନୋହୋଇ ଅନାସ୍ତୁଣୀ

ମୋତେ ରଖିବାକୁ ଅଛନ୍ତି ଚନ୍ଦ୍ରସୂର୍ଯ୍ୟ ବେନି ।୯୩।

ପଞ୍ଚୁ ଗନ୍ଧର୍ବେ ଅଟନ୍ତି ମୋର ନିଜ ପତି

ମୋହୋର ଅଭିମାନ କ୍ଷଣେହେଂ ନ ସହନ୍ତି ।୯୪।

ନ ପୋଷନ୍ତି ନ ନାଶନ୍ତି ନ ସହନ୍ତି ପରହରଣ

ଯେ ମୋତେ ହରିବ ଅବଶ୍ୟ ଘେନିବେ ତାର ପ୍ରାଣ ।୯୫।

ସଇରିନ୍ଧ୍ରୀର ବଚନେ କୋନ୍ତଭଟ୍ଟେ ଯେ ବୋଇଲେ

ସେ ପଞ୍ଚୁ ଗନ୍ଧର୍ବେ ତୋର ଜୀଉଂ ଜୀଉଂ ମଲେ ।୯୬।

ସଇରିନ୍ଧ୍ରୀ ବୋଇଲେ ସେ ଦେଖିଲାବେଳେ ନିନା

କୋନ୍ତେ ବୋଇଲେ ସେ ତୋତେ ରକ୍ଷା କରନ୍ତୁ କିନା ।୯୭।

ବିରାଟ ବୋଇଲେ ଶତେସିଂଘର ଯାହାର ପରାକ୍ରମ

ଯାହାର ନାମ ଧରିଲେ କାଳଦଣ୍ଡ ଛାଡ଼ଇ ଯେ ଯମ ।୯୮।

ଗନ୍ଧର୍ବେ ତୋହୋର ଛାର ଲୋ କେତେକ ମାତ୍ର ବାଇ

କୀଞ୍ଚେକକୁ ବଳ ଯେ ଅଛନ୍ତି ଶତେଭାଇ ।୯୯।

ସଇରିନ୍ଧ୍ରୀ ବୋଇଲେ ରାୟେ ଶୁଣିମା ମଚ୍ଛପତି

ପୁରୁଷ ମରାଇ ମୋତେ ନ ଦେବ ଅପଚ୍ଛାତି ।୧୦୦।

ବିରାଟ ବୋଇଲେ ମୋତେ ୟେମାନ ନ ଡରା

ତହିଂକି ଡରଇ କି କୀଞ୍ଚେକ ମହାବୀରା ।୧୦୧।

ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ ଶୁଣିମା ସଭାଜନେ

ଉର୍ଦ୍ଧ୍ୱକଇଂ ସାକ୍ଷୀ କରଇ ଦେବୀ ବିକ୍ରମ ବଚନେ ।୧୦୨।

କଷା ବସନ ପରିହରଣ ତାର ନ ଦିଶଇ ଅଙ୍ଗ

ସାକ୍ଷୀ କରନ୍ତେ ତହିଂ ଦିଶିଲା ଅଷ୍ଟାଙ୍ଗ ।୧୦୩।

ଦେଖିଣ ଚକିତ ହୋଇଲେ ସଭାଜନ

ବୋଇଲେ ସାଧୁ ସାଧୁ କୀଞ୍ଚକ ରେ ଜୀବନ ତୋର ଧନ୍ୟ ।୧୦୪।

ପୁଣ ସାକ୍ଷୀ କରନ୍ତେଣ ଦିଶିଲା ବେନିଭୁଜ

ମୃଣାଳ ନାଳ ସହିତେ ଯେହ୍ନେ ଦିଶଇ ସୁରଙ୍ଗ ପଂକଜ ।୧୦୫।

ଦେଖିଣ ମୃଚ୍ଛଗଲେ ସର୍ବଜନେ ଚାହିଂ

ୟେହେନ୍ନକ ସୁଲକ୍ଷଣୀ ଦେଖିଲାତ ଆମ୍ଭର ନାହିଂ ।୧୦୬।

ୟେହେନ୍ନେକ କରିଣ ସେ ସ୍ରିଜିଲା ବିଧାତା

ଜଗୁଜନ ମୋହିନୀ ତୋତେ ପ୍ରାପତ ବନିତା ।୧୦୭।

ତ୍ରଇଲୋକ୍ୟ ମୋହିତେ ସାମରଥ ଯେବଣ ବାଳୀ

ୟେତେକାଳ ମିଳିଲା ତୋହୋର ମନର ହିଆଳୀ ।୧୦୮।

ନବସୃଷ୍ଟିର ଚିନ୍ତା ଛାଡ଼ିଣ ପ୍ରଜାପତି

ତୋତେ ସେ ସ୍ରିଜିଲା ଅଛି ଅମୂଲ୍ୟ ରତ୍ନକାନ୍ତି ।୧୦୯।

ସଇରିନ୍ଧ୍ରୀର କର ଧରିଣ ଯେ କୀଞ୍ଚେକ ବୋଇଲା

ଆସ୍ତାନକୁ ଅଇଲୁ ତୋତେ ବିରାଟ କି ରକ୍ଷାକଲା ।୧୧୦।

ବିରାଟ ବୋଇଲା ଆୟି ନ ଭାଳି ଆନ କିଛି

ବିପୁଳ ଭୋଗ ଭୁଞ୍ଜି ଭଜିଲା ତୋତେ ଲକ୍ଷ୍ମୀ ।୧୧୧।

ଚଳଇ କୀଞ୍ଚକ ଯେ ସଇରିନ୍ଧ୍ରୀ କର ଧରି

ବଡ଼ାଇ ସିହାଣୀ ତୁ ଅଟୁ ଗୋ ଚତୁରୀ ।୧୧୨।

ରେ ପ୍ରାଣ ବଲ୍ଲଭୀ ମୋହୋର ପୁରକୁ ଯିବା ଆସ

ଅନେକ ପ୍ରକାରେ ରଙ୍ଗରସ କରିବା ଅଭିଳାଷ ।୧୧୩।

ସଇରିନ୍ଧ୍ରୀ ବୋଇଲେ ହୋ ଶୁଣ ବୀରମଣି

ଆଜକ ମୃଚ୍ଛ ମୋତେ ପ୍ରସର ହୋଉ ରୟେଣୀ ।୧୧୪।

ବରଷେ ପରିଯନ୍ତେ ମୋହୋର ନାହିଂ ପୁରୁଷର ମେଳା

କେଶବାସ ମଳିଣ ଯେ କାୟେ ମୋ ଅପଖେଳା ।୧୧୫।

କୀଞ୍ଚକ ବୋଇଲା ଯିବା ଗୋ ମୋହୋର ପୁରକୁ

ସହସ୍ରେ ମୁଦୁସୁଲୀ ମାଜଣା କରିବେ ଜାଣ ତୁକୁ ।୧୧୬।

ସଇରିନ୍ଧ୍ରୀ ବୋଇଲେ ମୁଂ ହୋଇଛି ପାକାସ୍ୱତୀ

ଆଜକୁ ହୋଇବ ସର୍ବେ ଚାରି ଦିବସ ଚାରି ରାତି ।୧୧୭।

ସତ୍ୟଯୁଗ ଚାରି ଦିବସ ରଜ ମୁକତକାରୀ

ତ୍ରେତୟାଯୁଗେ ପାଞ୍ଚ ଦିବସେ ରଜ ମୁକତ ହୋଅଇ ନାରୀ ।୧୧୮।

ଦ୍ୱାପର କଳିଯୁଗେ ଚାରିଦିବସ ପରିଯନ୍ତେ

ରଜ ମୁକତ ହୋଅଇ କହିଲେ ଅଗସ୍ତି ତପୋବନ୍ତେ ।୧୧୯।

ଆହୋ କୀଞ୍ଚକ ଅଶୁଦ୍ଧ ହୋଅନ୍ତି ଯେବଣ କାମନାରୀ

ପ୍ରଥମ ଦିନ ଛୁଇଂଲେ ଚାଣ୍ଡାଳ ଛୁଇଂଲା ଦୋଷସରି ।୧୨୦।

ଯେତେ ବସ୍ରେ ଛୁଇଂଲେ ତେତେ ବସ୍ରେ ସ୍ରାହାନ ଯେବେ କରି

ତେବେ ସେ ଶରୀରୁଂ ପାତକ ଖଣ୍ଡଇ ତାହାରି ।୧୨୧।

ଦୁତୀୟ ଦିବସେ ଯେ ଛୁଅଂନ୍ତି ଅଶୁଦ୍ଧ ନାରୀ

ଛୁଇଂଲେ ଅବଶ୍ୟ ସେ ବ୍ରହ୍ମହତ୍ୟା ଦୋଷକରି ।୧୨୨।

ସୁବର୍ଣ୍ଣ ଦାନଦିଲେ ତହିଂର ପାପ ତୁଟେ

ନୋହିଲେ ମହାବ୍ୟାଧି ଶରୀରେ ତାର ଘୋଟେ ।୧୨୩।

ଅଶୁଦ୍ଧ ଯୁବତୀ ଯେ ଛୁଅଂନ୍ତି ତୃତୀୟ ଦିବସେ

ଲିଂଗଭଗ୍ନ ଦୋଷ ଯେ ଲଭନ୍ତି ସେ ପୁରୁଷେ ।୧୨୪।

ଗଙ୍ଗାରେ ସ୍ରାହାନ କଲେ ତୁଟେ ସେ ପାତକ

ନୋହିଲେ ମହାରୋଗ ଘୋଟଇ ଦେହଯାକ ।୧୨୫।

ଚତୁର୍ଥ ଦିନ ଯେ ଛୁଅଇଂ ଅଶୁଦ୍ଧ ଯୁବତୀ

ଗୋହତ୍ୟା ସ୍ତିରୀହତ୍ୟା ସୁରାପାନ ହୁଅନ୍ତି ବିଷୁଳିପତି ।୧୨୬।

ପଞ୍ଚୁ ମହାପାତକ ଯେ ଚତୁର୍ଥ ଦିନେ ଛୁଇଂଲେ

ପଞ୍ଚମ ଦିବସେ ଶୁଦ୍ଧ ହୋଅଇ ଅଗସ୍ତି ବୋଇଲେ ।୧୨୭।

ସଇରିନ୍ଧ୍ରୀ ବୋଇଲେ ତୁ ଯେ ବଳାତ୍କାରେ ବୀର ଛୁଇଂଲୁ ଆଜ ମୋତେ

ଶିରୀ ଆଷ୍ୟ ତୁଟିଲା ତୋହୋର ଜୀବଥିବା ପରିଯନ୍ତେ ।୧୨୮।

କ୍ଷୁଧାୟେ ପ୍ରାଣୀ ଯେବେ ହୋଅନ୍ତି ଆରତ

ନାହିଂତ ଦେଖନ୍ତା ବୀର ବେନିହାଥେ ଭୁକତ ।୧୨୯।

ଆହୋ କୀଞ୍ଚକ ବ୍ରାହ୍ମଣ ହୋଇ ଯେବେ ଜଳକୁ ଭୟେକରି

ଛତ୍ରୀ ହୋଇ ୟେବେ ସମରକଇଂ ଡରି ।୧୩୦।

ବଦ୍ୟ ହୋଇ ଯେବେ ଆପଣେ ହୋଇ ରୋଗୀ

ଶରୀର ଗଳିତ ହୋଅଇ ଯେବେ କେଶପଚା ଯୋଗୀ ।୧୩୧।

ଦେବତା ହୋଇ ଯେବେ ଅତିହିଂ ହୋୟେ କୋପୀ

ଅତୀୟ ଉତକର୍ମେ ନାଶଯାନ୍ତି ବହୁରୂପୀ ।୧୩୨।

ଦୁରାପଦ ଶାଖାୟେ ନାଶଯାନ୍ତି ବୃକ୍ଷେ

ଅସାଧୁ ସଙ୍ଗକଲେ ମହତେ ନାଶଯାନ୍ତି ପ୍ରତକ୍ଷେ ।୧୩୩।

ଅତିହିଂ କୃପଣେ ହୋ ନାଶଯାନ୍ତି ସାଧୁ

ଅତିହିଂ ପ୍ରିୟଭାବେ ନାଶଯାନ୍ତି କୁଳବଧୂ ।୧୩୪।

ପୁରୁଷ ହୋଇଣ ଯେବେ ହୋଅଇ ଅବିଚାରୀ

ୟେମାନେ ନ ବ୍ରତନ୍ତି ସାରୋଳାଦାସ ବିଚାରି ।୧୩୫।

ସଇରିନ୍ଧ୍ରୀ କହିଲେ ଯେ କୀଞ୍ଚକର ଅଗ୍ରତେ

ପଣ୍ଡିତ ଲୋକେ ନାଶଯାଆନ୍ତି ୟେହିମତେ ।୧୩୬।

ବୃକ୍ଷର ଫଳ ଯେବେ ପ୍ରାପତ ହୁଅଇ କରେ

କିସ ବିଳମ୍ବ ହୋ ତାହା ଭୁଞ୍ଚିବାରେ ।୧୩୭।

ଯୁଗତେ କାଲି ମୋହୋର ଶୁଦ୍ଧ ସ୍ରାହାନ ପାଳି

ବେଶ ବେଶନ ହୋଇ ମୁଂ ଆସିବି କାଲି ପ୍ରାନ୍ତଓଳି ।୧୩୮।

ଭାବେଣ ଭଣ୍ଡିଲା ସେ ଅଭୟେ ଅପର୍ଣ୍ଣା

ସଇରିନ୍ଧ୍ରୀ ବଚନ ତାକୁ ମୋହବନ୍ଧ ସିନା ।୧୩୯।

କାଞ୍ଚେକ ବିଚାରଇ ହୃଦଗତେ ପୁଣି

ସଞ୍ଚୟେ ନାଗରୀୟେ ଧୂର୍ତ୍ତ ବଡ଼ ସିହାଣୀ ।୧୪୦।

କୀଞ୍ଚେକ ବୋଇଲା ମୋତେ ଅଛକିନା ତୋହୋର ଇଚ୍ଛା

କେବଣ ଅଭିମାନ ମୋତେ କଲୁ ୟେଡେକ ଇଚ୍ଛା ।୧୪୧।

ସଇରିନ୍ଧ୍ରୀ ବୋଇଲେ ହୋ ତୋହୋର ମୋହୋର ଚୋରୀ ଶୃଙ୍ଗାରରେ

ଲଜ୍ଜା ଦୂଷତ ହୋ ଉପୁଜିବ ସଂସାରେ ।୧୪୨।

ଆହୋ କୀଞ୍ଚେକ ପଞ୍ଚୁଗନ୍ଧର୍ବେ ଅଛନ୍ତି ଯେ ମୋହୋର ପତି

ସେହି ମୋତେ ଆଶ କରିଥିବେ ନା ଯୁଗତି ।୧୪୩।

ଆସ୍ତାନେ ରାଜ୍ୟର ପରିମୁଖେ ହୋଇଲା ଯହୁଂ ଆଗ୍ୟାଂ

ଗନ୍ଧର୍ବେ ମୋତେ ନିରାଶ ହୋଇବେ ଶୁଣିଣ ପ୍ରତଗ୍ୟାଂ ।୧୪୪।

ଆସ୍ତାନେ ବସି ଯହୁଂ ଆଗ୍ୟାଂ ଦିଲେ ରାଜା

କାଲିହୁଂ ତୋହୋର ମୁଂ ହୋଇବି ଭାରିଯା ।୧୪୫।

କୀଞ୍ଚେକ ବୋଇଲା ତୁ ଯେ ପଣ୍ଡିତ ସୁଗ୍ୟାନୀ

ଆସିବୁଟି ସଂଗାତ କାଲି ପ୍ରକାଶ ରୟଣୀ ।୧୪୬।

ଚଳନ୍ତି ସଇରିନ୍ଧ୍ରୀ ନିଜ ଯେ ଭୁବନେ

କୀଞ୍ଚେକ ପ୍ରବେଶ ହୋଇଲା ଆପଣା ଶୟନ ସ୍ଥାନେ ।୧୪୭।

ରାତ୍ର ପ୍ରବେଶ ଯହୁଂ ହୋଇଲା ପାଞ୍ଚଘଡ଼ି

ଶ୍ରୀକୃଷ୍ଣା ଅନ୍ତପୁରକୁ ଯେ ନ ଗଲେ ସଇରିନ୍ଧ୍ରୀ ।୧୪୮।

ଶ୍ରୀକୃଷ୍ଣା ବିଚାରନ୍ତି ସଇରିନ୍ଧ୍ରୀ ଯେ କୀଞ୍ଚେକ ପୁରକୁ ଗଲା

ଚାଣ୍ଡାଳ ଭାଇ ମୋର ତାକୁ ଛାଡ଼ିତ ନ ଦିଲା ।୧୪୯।

ଆଜର ରାତି ଯେବେ ପାଇଟି ମୋତେ ଭଲେ

କର୍ମର ସୁଫଳ ମୋର ପ୍ରମାଦ ନ ପଡ଼ିଲେ ।୧୫୦।

ଭୋ ଧର୍ମ ଦେବତା ମୋତେ କରିବାକ ରକ୍ଷା

ସର୍ବ ଶୁଭ ବିଧାନେ ମୋର ପୂରାଅ ମନବାଞ୍ଛା ।୧୫୧।

ୟେଣେ ଆତଙ୍ଗ ପାଇଣ ଯେ ଦ୍ରୁପଦର ନନ୍ଦନୀ

ଜଗନ୍ନାଥ ନାମଗୋଟି ହୃଦେ ଚିନ୍ତିଲେ ଜିଘ୍ନସେନୀ ।୧୫୨।

ନବର ସିଂଘଦ୍ୱାର କଇଛାଡ଼ ପାଚେରୀ ଭିତରେ

କୋନ୍ତେ ଶୟନ କରିଅଛନ୍ତି ନିଅବକାଶେ ମନ୍ଦିରେ ।୧୫୩।

ଚଳନ୍ତି ସଇରିନ୍ଧ୍ରୀ କୋନ୍ତଂକ ଶୟନ ଠାବକୁ

ସୁମରନ୍ତି ଭଗବାନ ଉଦ୍ଧରିଧର ମୁକୁ ।୧୫୪।

ତୁ ସେ ଭଗବାନ ଭୂତ ଭବିଷ୍ୟଗ୍ୟାଂତା

ଆପଣେ ଜାଣତ ଦେବ ମୋହୋର ଅବସ୍ତା ।୧୫୫।

ତବ ଯାତ୍ରା ଦେଖନ୍ତେ ହୋଇଲି ମୁହିଂ ଦୁଖୀ

ଆପାଦ କଷଣୁଂ ମୋତେ ଉଦ୍ଧର ପଦ୍ମଆଖି ।୧୫୬।

ୟେ ମୋହୋର ଅବସ୍ତା କହିବି ସ୍ୱାମୀଂକର ଅଗ୍ରତେ

ନିଶାୟେ କେହି ଦେବ ନ ଦେଖନ୍ତୁ ମୋତେ ।୧୫୭।

ଯେବଣ ଉଲ୍ଲୁକ ବିଦ୍ୟା ବ୍ୟାସେ ଦେଇଛନ୍ତି

ତାହା ଅଭ୍ୟାସି ଦେବୀ ଚଳଇ ନିଶାରାତି ।୧୫୮।

ଜୟତୁ ନାରାୟଣ ରାଜୀବ ଲୋଚନ

ଜଗୁଜନ ସୋଦର ନାଥ ମୁଂ ତୋହୋର ଶରଣ ।୧୫୯।

ଯୁଗାନ୍ତକ ନାଥ ତୁ ସ୍ୱୟଂ ପରମଯୋଗୀ

ଦଣ୍ଡଛତ୍ର ସାଧନ ପ୍ରସନ୍ନେ ମହାଭୋଗୀ ।୧୬୦।

କୀଞ୍ଚେକର ବଳାତ୍‌କାରୁ ମୋତେ ଉଦ୍ଧରିଧର ଚକ୍ରପାଣି

ଅଥବା ଶିରକମଳ ପକାଇବି ହାଣି ।୧୬୧।

ତୁଳୁସାର ବଲ୍ଲଭ ଉଦ୍ଧରିଧର ମୋତେ

ଶୂଦ୍ରମୁନି ସାରୋଳା ଦାସ ପ୍ରଣପତ୍ୟ ନାରାୟଣ ପାଦଗତେ ।୧୬୨।୩୪୫୧।

******

 

ପଞ୍ଚପାଣ୍ଡବଙ୍କ ନିକଟରେ ଦ୍ରୌପଦୀଙ୍କ କୀଚକ ମୃତ୍ୟୁର ଗୁପ୍ତ ପରାମର୍ଶ

ବ୍ୟାସେ କହିଛନ୍ତି ସେ ଯେ ପାଦୁକା ମନ୍ତ୍ରଗୋଟି

ୟେକା ପାଦକରେ ଯାଇଂଣ କୋନ୍ତଂକ ପୁରେ ଭେଟି ।୧।

ନିଜ ମନ୍ଦିରେଣ ଯେ ଶୟନ ଧର୍ମସୁତେ

ନିଦ୍ରା ଘୃମିତ ନେତ୍ରେ ଶୁତିଲେ ନିଚିନ୍ତେ ।୨।

କଷା ବସନ ପରିହରଣ କଷାବସନ ପାଡ଼ି

ଶିର ସୀମସ୍ଥାନେ ଦେଇଛନ୍ତି ଅକଳିତ ପଶାସାରି ।୩।

ନିର୍ଧୂମ ଅଗ୍ନିଜାଣି ବିକଶିତ କାୟେ

ଦେଖିଣ ସଇରିନ୍ଧ୍ରୀ ଯେ ଲଲାଟେ କରଦିୟେ ।୪।

ସ୍ୱାମୀ ରାଜାଧିରାଜେଶ୍ୱର କଇଚ୍ଛା ଜଗଜ୍ଜେଠି

ୟେହି ମହୀମଣ୍ଡଳେ ବିକାଶଇ ଯାହାର ନାମଗୋଟି ।୫।

ସ୍ୱାମୀ ଲକ୍ଷେ ନୃପତି ଯାହାର ଚରଣ ତଳେ ନିତ୍ୟେ ବନ୍ଦେ

ନାରାୟଣ ବିନୋପଇ ଯାହାର ପଦ୍ମପଦେ ।୬।

ନାଗରାଜା ଅନନ୍ତ ତ୍ରଇଲୋକେଶ୍ୱର ସ୍ୱାମୀ

ଧର୍ମବଳେ ମୋକ୍ଷ ଯାହାର ନଘୋଷ ସ୍ୱର୍ଗଗାମୀ ।୭।

ସ୍ୱାମୀ ଗୋରୁ ଚୋରୀ କରିଣ ଯେ ଅନିଳକ ବସୁ

ତିନିଯୁଗ ଅନ୍ଧ ସେ ତବ ଦରଶନେ ଚକ୍ଷୁ ଦିଶୁ ।୮।

ସ୍ୱାମୀ ଅହିଂସା ଅପାପୀ ଅଜାତଶତ୍ରୁ ହେଟି

କର ନେଉଟାନ୍ତେ ଯାହାର ନେଉଟଇ ନବସୃଷ୍ଟି ।୯।

ସ୍ଵୀମୀ ତୋହୋର ଚରଣ ରେଣୁ ଶିରେ ଘେନି

ଶରୀର ନିକଳଂକ ହୋଇଲେ ନିଷାଦର ପୁତ୍ରତିନି ।୧୦।

ସ୍ଵାମୀ ହାଥର ସୁଖରେ ଯେ ଖେଳିଲ ତୁମ୍ଭେ ପଶା

ସର୍ବ ସମ୍ପଦ ଦେଇ କାହାର ମନୀଷା ।୧୧।

ବିଳାପ କରିଣ ଦେବୀ ଯେ ସୁମରଇ ବିଧାତା

ତୋହୋରେ ସେ କଲା ହୋ ୟେସନ ସିରିଜିତା ।୧୨।

କର୍ମର ଘଟଣ ଯେ ଫଳଇ ଅବଶ୍ୟ

ବଞ୍ଚିତ ନୁଆରିଲେ ଯେବଣ ଧର୍ମଶିଷ ।୧୩।

ନାରାୟଣ ପଦ୍ମପାଦେ ସେବଇ ଯାହାକୁ

କାଳେଣ ଶାସ୍ତି ପୁଣ ବିହିଲା ତାହାକୁ ।୧୪।

ପୁଣ ପୁଣ ନିରୋପି ଯେ କାରୁଣ୍ୟ କରଇ ପାଞ୍ଚାଳୀ

ଚାହିଂଲେ କୁନ୍ତଭଟ୍ଟେ ନୟନ ନିରୋଳି ।୧୫।

ସଇରିନ୍ଧ୍ରୀ ପ୍ରଣପତ୍ୟ କୋନ୍ତଂକର ପଦ୍ମପାଦେ

ସଧୀର କରି ବଚନ ଦେଉଛନ୍ତି ହାଦେ ।୧୬।

କିସଅର୍ଥେ ବିଜେକଲୁ ଗୋ ମୋ ପୁରକୁ ନିଶାକାଳେ

ବିରାଟର କଟୁଆଳେ ଗୋ ଭ୍ରମନ୍ତି ୟେତେବେଳେ ।୧୭।

ଦେଖିଲେ ବୋଲିବେ ଗୋ କୋନ୍ତେ ବଡ଼ ମନ୍ଦକୃତ୍ୟ କଲେ

କାହାର କୁଳବଧୂ ଝିଅନ୍ତ ହରିଣ ଆଣିଲେ ।୧୮।

ବାରତା ପାଇବେ ସେ ମଚ୍ଛଦେଶ ଆଧିପତି

ତୋହୋରେ ଆମ୍ଭନ୍ତ ହୋଇବ ବହୁତ ଅପଚ୍ଛାତି ।୧୯।

କୀଞ୍ଚେକର ବଳବନ୍ତକାର ଗୋ ଅଇଲୁ ସିନା କହି

ପ୍ରତକ୍ଷେ ବେନିଡୋଳେ ଦେଖିଲୁ ଆମ୍ଭେ ଥାଇ ।୨୦।

ବଳବୀର୍ଯ୍ୟ ବୁଡ଼ାଇ ଆମ୍ଭେ ହୋଇଲୁ ଭୃତ୍ୟକାରୀ

ଆମ୍ଭର ବେଳେ ତୋତେ କି ହୋଅଇ ରକ୍ଷାକାରୀ ।୨୧।

ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ କହିଲ ଆସ୍ତନେ

ଆନବାକ୍ୟ କହିଲେ ଜାଣିମାନା ସଭାଜନେ ।୨୨।

କାଳେ ବୋଲିବ ନା କୀଞ୍ଚେକକୁ ତୋହୋର ଇଚ୍ଛା

ଯତନେ ସଭାକୁ ସେ କରିଗଲୁ ପୁଚ୍ଛା ।୨୩।

ୟେସନେକ ବିଚାର କରନ୍ତି ପଞ୍ଚୁବୀରେ

ତେଣୁକରି ଦେବ ଅଇଲି ମୁହିଂ ତୁମର ସନିଧ୍ୟରେ ।୨୪।

କୋନ୍ତେ ବୋଇଲେ ଆମ୍ଭେ ସଭାରେ କହିଲୁଂ ଯେବଣ କଥା

ସେ ଆମ୍ଭର ବାକ୍ୟଗୋଟି କି ହୋଇବ ଅନ୍ୟସ୍ତା ।୨୫।

ଶତେସିଂଘର ବଳ ଯାହାର ପ୍ରାକର୍ମ

ଆମ୍ଭର ବେଳେ ତାହା ତୁଲେ କରିନୋହେ ସାଂଗ୍ରାମ ।୨୬।

ଛାଡ଼ିଲୁ ବଳବୀର୍ଯ୍ୟ ଉପେକ୍ଷିଲୁ ସର୍ବଲଜ୍ଜା

ଅଥାନ୍ତର ହୋଇ ତୁ କୀଞ୍ଚେକର ହୋଇବୁ ଭାରିଜା ।୨୭।

ବାଚା ବିଚଳିତ ସେ ଯେବଣ ପୁରୁଷା

ଜୀବନ ନରହଇଟି ବିଅର୍ଥକୁ ଯାଇ ମନୁଷ୍ୟା ।୨୮।

କୋନ୍ତେ ବୋଇଲେ ୟେଥେ ତୁଗୋ କ୍ଷଣେହେଂ ନ ରହ

ପାରିଲେ ଭୀମାର ଆଗେ ତୁ ଗୋ ୟେ କଥାମାନ କହ ।୨୯।

ସେ ତୋତେ ଦୟାକଲେ ରକ୍ଷା କରିତ ପାରି

ଆଗୋ ବଲ୍ଲଭ ଯେ ଗୋପ୍ୟେ ତାହାକଇଂ ମାରି ।୩୦।

ବ୍ୟାଘ୍ର ମାଲ ମାଇଲା ଦେଖିଲୁ ପ୍ରାକ୍ରମ

ଯାଇଂଣ କହ ତୋତେ ରକ୍ଷାକରୁ ଗୋ ଭୀମ ।୩୧।

ଆହୋ ଚଇତନ କୋନ୍ତଂକର ତହୁ ନିରାଧାର ବାକ୍ୟ ଶୁଣି

ନିରାଶେ ଗବନ କରଇ ଦେବୀ ଦେଢ଼ ପ୍ରହର ରୟଣୀ ।୩୨।

ନାରାୟଣ ସୁମରିଣ ଯେ ଦେବୀ ହୃଦଗତେ

ଚିନ୍ତାୟେ ଆରତ ଯେ ଦ୍ରୋପଦର ଦୁହିତେ ।୩୩।

ନବର ପଚ୍ଛିମଦ୍ୱାରେ ସେ ନାଟପା ମନ୍ଦିର

ସଇରିନ୍ଧ୍ରୀ ପ୍ରବେଶ ଯାଇଂ ବୃହନ୍ନାରୀ କତିର ।୩୪।

ଦିବ୍ୟ ପଲଂକରେ ଶେଯ ଶେଯାଇ ସୁପାତି

ମାଣିକ୍ୟର ଦୀପମାନ ଜଳଇ ଚଉକତି ।୩୫।

ଆନନ୍ଦା ଉତ୍ତରା କାନ୍ତିନୀ ବିଂଝବାଳୀ

ଦୁଇକତିରେ ଚାରିକନ୍ୟା ମଧ୍ୟରେ ବୃହନାରୀ ।୩୬।

ନଇଂପଡ଼ି ସଇରିନ୍ଧ୍ରୀ ଯେ ବଦନ ନିରେଖି

ବାବୁ କୋଟି ବୃହନ୍ନାରୀ ଶରଦ ଚନ୍ଦ୍ରମୁଖୀ ।୩୭।

ବାରଣ ନ ଗଲା ମୋତେ ତୋହୋର ମୁଖଗୋଟି

ୟେହେନ୍ନେକ ରୂପ ତୋତେ ଶୋହିଲା କିରୀଟୀ ।୩୮।

ବିଚାରି ଶ୍ରୀକରେ ଦେବୀ ଘେନିଲେ ଦୀପାବଳୀ

ଅର୍ଜୁନ ବଦନ ଦେବୀ ଚାହିଂଲେ ନିରୋଳି ।୩୯।

ମୁହିଂ ତୋହୋର ଆପାଦ ଘେନିଯାଇଂ କିନା ପାଥ

ୟେ ରୂପଗୋଟି ତୋତେ ଶୋହିଲା ପ୍ରାଣନାଥ ।୪୦।

ସଧୀର ହୋଇ ଯେ ଉଠଇ ସ୍ରବସାଚୀ

ପାଞ୍ଚାଳୀ ମୁଖ ଚାହିଂ କରଇ ପାଥ ବାଚି ।୪୧।

ଅଗ୍ୟାଂତବାସ ନିକଟ ହୋଇଲା କିଗୋ ଦିନ

ଠାକୁରଂକର ଆଗ୍ୟାଂ କି ହୋଇଲା ଉଦିତ ବିଦ୍ୟମାନ ।୪୨।

ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ ଶୁଣିମା ଫାଲଗୁନି

ଅରୁଣ ଉଲ୍ଲୋଳ ଜାଣି ନୟନୁଂ ନୀର ବହୁଅଛି ପୁଣି ।୪୩।

ବାବୁ ୟେ ମୋହୋର ବାକ୍ୟଗୋଟି ଶୁଣ ଧନୁର୍ଜୟେ

କୋଟିୟେ ଋଷି ଘେନି ଯଗ୍ୟଂକଲେ ଦ୍ରୋପଦେଶ୍ୱର ରାୟେ ।୪୪।

ବ୍ରାହ୍ମଣ ଯେ ଋଷି ବେଦବ୍ୟାସ ମହାତମା

ମହା ଅନଳ ବିଦାରି ସେ ଜାତକଲେ ୟେକ ବାମା ।୪୫।

ଯାଗରୁ ଜାତହୋଇ ନାମ ମୋ ଜିଘ୍ନସେନୀ

ଦୁଜେ ସ୍ୱୟେମ୍ବର କଲେ ତାତ ଲକ୍ଷେକ ନୃପତି ଘେନି ।୪୬।

ମହାଲାଖ ରାଧାଚକ୍ର ତୁମ୍ଭେ ବିନ୍ଧିଲ ଯେ ପାଥ

ଲକ୍ଷେକ ରାଜାର ତୁଲେ ତୁମ୍ଭେ କର ଯେ ଅନର୍ଥ ।୪୭।

ସବୁରି ଦର୍ପ ଧ୍ୱଂସ ଆଣିଲ ପାଥ ମୋତେ

ନଟକାର ବୃତ୍ତେ ବିଭା ହୋଇଲ ପଞ୍ଚୁଭ୍ରାଥେ ।୪୮।

ୟେକାୟେ ସହିଲି ମୁଂ ପାଞ୍ଚଂକରି ଆର୍ଦ୍ଦୋଳି

ତଥାପିହିଂ ଉବୁରି ନ ପାରିଲି ମୋହୋଭଳି ।୪୯।

ବାବୁ କନ୍ଦମୂଳ ଆହାରେ କାଳେକ ବନେ ଦୁଖୀ

କେଶ ଆକ୍ରଷଣ କଲା ସଭାରେ ଧୁଶାସନ ମୋତେ ସମସ୍ତେହିଂ ଦେଖି ।୫୦।

ବାବୁ ତାହା ସହି ମୁଂ ଆଦରିଲି କର୍ମ

କାହାକୁ କହିବି ମୁହିଂ ୟେହେନ୍ନେକ କ୍ଷଣେ ହୋଇଲଇଂ ଜନ୍ମ ।୫୧।

ଆହୋ ବାବୁ ସଂକୋଚନରେ ନନ୍ଦନ ଯେ ବିରାଟର ଶଳା

ଶ୍ରୀକୃଷ୍ଣାର ସହୋଦ୍ର ସେ କୀଞ୍ଚେକ ମହାବଳା ।୫୨।

ସୁରାପାତ୍ର ଲେଖଗୋଟି ଦେଇ ମୋତେ ତାହାର ତହିଂକି ପଠିଆଇଲେ ଶ୍ରୀକୃଷ୍ଣା

ଦେଖିଣ ପାମର ମୋତେ କଲାକ କାମତୃଷ୍ଣା ।୫୩।

ଅନ୍ତେଶ୍ଵର ପୁରେ ଚାଣ୍ଡାଳ ମୋତେ ଧଇଲା ଆସି ବଳେ

ରାଗେଣ ଯାଇ ମୁଂ ହୋଇଲି ବିରାଟର ସଭାତଳେ ।୫୪।

ବିରାଟେ କୋନ୍ତେ ବସିଅଛନ୍ତି ଆସ୍ତାନେ

ଅନେକ ପାରିଦଣ୍ଡ ଯେ ବହୁତ ରାଜାମାନେ ।୫୫।

ଦେଖିଣ କୋପେ ବୋଇଲେ ମଚ୍ଛ ଅଧିକାରୀ

ନିଅରେ କୀଞ୍ଚକ ଯେ ସଇରିନ୍ଧ୍ରୀ ବାଳ ଧରି ।୫୬।

କହୁଂ କହୁଂ କ୍ରୋଧ ଯେ ବଢଇ ଜିଘ୍ନସେନୀ

ଅର୍ଜୁନ ପୋଛଇ ତାହା ଝୀନବସ୍ର ଘେନି ।୫୭।

ବାବୁ ବିରାଟର ବଚନେ ମୁଂ ପୁଚ୍ଛାକଲି କୋନ୍ତଂକୁ

ସେ ବୋଇଲେ ଅଙ୍ଗଭୋଗ ଦିଅ ଯା କୀଞ୍ଚକକୁ ।୫୮।

ଅନାସ୍ତର ବାନ୍ଧବ ନାଥ ଅଟୁ ପାଥ ତୁହି

ତୁ କିସ ବୋଲିବୁ ନାଥ ଅଇଲି ତୋତେ କହି ।୫୯।

ବୃହନ୍ନାରୀ ବୋଇଲେ କୋନ୍ତେ ସଭାରେ କହିଲେ ଯାହା

ପାଷାଣର ରେଖ କେ ଅନ୍ୟସ୍ତା କରୁ ତାହା ।୬୦।

ଆମ୍ଭେ ଯେବେ ତାହାଂକର ବଳେ ଭାଙ୍ଗନ୍ତୁ ବଚନ

ଆନେ ସମ୍ପଦ ଦେଇ କିଂପେ ବୁଲନ୍ତୁ ଘୋରବଣ ।୬୧।

ପଶାୟେଣ ସମସ୍ତ ସମ୍ପଦ ହାରିଅଛନ୍ତି ଯେ ସେହି

ସଭାରେ ଆନଭାଷା ପାରିବେ କି କହି ।୬୨।

ସେ ଆମ୍ଭର ଠାକୁର ଯେ ଅଟନ୍ତି ଯୁଝେଷ୍ଠି

ତାହାଂକର ବଚନଗୋଟି ଆମ୍ଭର ନିରାଧାର ହେଟି ।୬୩।

ଆମ୍ଭେ ଯେବେ ତାହାଂକର ବଚନ ମେଣ୍ଟନ୍ତୁ

ପଶାକାଳେ ସଭାତଳେ କିଂପାଇଂ ବସନ୍ତୁ ।୬୪।

ଆମ୍ଭନ୍ତ ସଭାତଳେ ନେଇ ବସାଇ ଭ୍ରଚ୍ଛନା ବୋଲନ୍ତି

କେଶଧରି ତୋତେ ନେଇ ବିବସନ କରନ୍ତି ।୬୫।

ଆଗ୍ୟାଂ ମାଗୁଅଛୁ ଗୋସାଇଂ ଥିରକରି କହ ବାଣୀ

ଶତେ ଭ୍ରାଥ କଉରୋବ ଆଦିକରି ମାରିବୁଂ ୟେହିକ୍ଷଣି ।୬୬।

ମାର ବୋଲି ଆଗ୍ୟାଂ ଯେ ସେ ନଦିଲେ କଦାଚିତେ

ସହିଲୁ ଅନେକ ଅବସ୍ତା ତାହଂକ ନିମନ୍ତେ ।୬୭।

ରାଜାର ଯେମନ୍ତ ଆଗ୍ୟାଂ ସେବକର କିସ ଲଜ୍ଜା

ମୁହିଂ ବୋଲୁଅଛି କୀଞ୍ଚକର ହୁଅ ଯା ଭାରିଯା ।୬୮।

ସଇରିନ୍ଧ୍ରୀ ବୋଇଲେ ତୁମ୍ଭର ଜୀବନ ହୋଉ ଧିକ

ପଞ୍ଚଛତ୍ରୀ ତୁମ୍ଭେ ତୁମ୍ଭ ଭାରିଯା ମୁହିଂ ୟେକ ।୬୯।

ମୋତେ ଆନକଇଂ ଦେଇ ହସ୍ତିନା ଯିବାକ କେମନ୍ତେ

କାହାର ମୁଖ ଚାହିଂବଟି ପୁରୁଷ ଜୀବନ୍ତେ ।୭୦।

ଛାଡ଼ିଲ ଲୋକଲଜ୍ଜା ହୋଇଲ ନଟକାର ବୃତ୍ତିପ୍ରାୟେ

ପୁରୁଷ ଲକ୍ଷଣୁଂ ବାହାର ହୋଇଲ ଧନୁର୍ଜୟେ ।୭୧।

ୟେମନ୍ତେ ଗୋଳକୁଣ୍ଡା ତୁମ୍ଭନ୍ତ ବୋଲନ୍ତି କଉରୋବେ

ରାଜ୍ୟ ସଧାଇବ କେମନ୍ତେ ଭାରିଯା ଅଭାବେ ।୭୨।

ଅର୍ଜୁନ ବୋଇଲା ମୋତେ ନ ଝିଂଘାସ ସଂଘାତୁଣୀ

ଠାକୁର ଆଗ୍ୟାଂ ହୋଇଲାକି ମୁଂ ମାରିବି ୟେହିକ୍ଷଣି ।୭୩।

ସଇରିନ୍ଧ୍ରୀ ବୋଇଲେ ମୋତେ କହିଲେକ କୋନ୍ତେ

ବୋଇଲେ ବଲ୍ଲଭକୁ କହଯାଇଂ ମାରୁ ସେ ଗୁପତେ ।୭୪।

ଅର୍ଜୁନ ବୋଇଲେ ଗୋ ଚଳ ଯା ମହାତ୍ମାଣୀ

ଆବର ଝିଂଘାସ ମୋତେ ନ କହ କଟୁବାଣୀ ।୭୫।

ଅର୍ଜୁନ ବଚନେ ସେ ଚଳିଲେ ଜିଘ୍ନସେନୀ

ସଂପୂର୍ଣ୍ଣ ଅର୍ଦ୍ଧ ସେ ଯେ ହୋଇଅଛି ରୟେଣୀ ।୭୬।

ଚଳଇ ଦ୍ରୋପତୀ ଯେ ନାରାୟଣ ସୁମରି

ୟେ ଦୁସହ କଷଣୁ ନାଥ କରିବାକ ମୋତେ ପାରି ।୭୭।

ଉତ୍ତର ଦ୍ଵାରରେ ଯେ ଅଛଇ ଅଶ୍ଵଶାଳ

ଖଟନ୍ତି ପାଞ୍ଚଲକ୍ଷ ପ୍ରତାପୀ ବାଜୀପାଳ ।୭୮।

ନକୁଳ କୁମାର ତହିଂ ଗ୍ରନ୍ଥୀକାର ରୂପ

ପାଟଅଶ୍ଵ ଜଗିଛି ସେ ଥାନପାଳ ସରୂପ ।୭୯।

ଉଆଳି ତିରଣ ପରେ ପାଡ଼ିଣ ଶଯ୍ୟାଗୋଟି

ନିଦ୍ରାରେ ଅସାଷ୍ଟମ ନକୁଳକୁ ଭେଟି ।୮୦।

ବାଖର ଗୋଟିୟେ ତହିଂ ଦେଇଣ ସୀମସ୍ଥାନ

ନିଦ୍ରାରେ ଅଚେବନ ସେ କୁମାର ପଞ୍ଚାଣ ।୮୧।

ଯାମଳାର ପିଛ ଯେ ବାଉଳି ଛନ୍ଦେ ଛାଟ

ବାଗବନ୍ଧା ବନ୍ଧନ ପରିହରଣ ବଳୋବାଟ ।୮୨।

ୟେସନେକ ସରୂପେ ସେ ନକୁଳ ଶୋଇଅଛି

ଦେଖିଣ ସଇରିନ୍ଧ୍ରୀକି ଯେ ନ ଫୁରଇ କିଛି ।୮୩।

ଆହୋ ନକୁଳ ତୁମ୍ଭେ ଛତ୍ରୀବର ଶ୍ରେଷ୍ଠ

କୁମାର ମୁଖେ ଯାହାକୁ ଆକାଶେ ଅଛି ପାଟ ।୮୪।

ପୃଥୀ ଧରିବାକୁ ତୁମ୍ଭେ ସାମରଥ କୋନ୍ତମୁନେ

ୟେ କଷ୍ଟ ଅବସ୍ଥା ନାଥ ସହିଲୁ କେସନେ ।୮୫।

ଶରୀରେ ଯେବେ ତୋହୋର ବସଇ ମାଛି ଗୋଟିୟେ

ଶତେପଳ ଚନ୍ଦନ ଲେପନ ହୋଅଇ ତୋର କାୟେ ।୮୬।

ବାବୁ ରତ୍ନଖଟ ଉପରେ ସୁପାତି ଶେଜ ତୁଳୀ

ପୁଷ୍ୟ ପାଖୁଡ଼ା ଉପରେ କ୍ରପୂରର ଧୂଳି ।୮୭।

ବାବୁ ଆଲଟ ଚାମର ଧରି ଲକ୍ଷେକ ବିଳାସୁଣୀ

ତଦ୍ୟାପି ନିଦ୍ରା ତୋତେ ନ ମାଡ଼ଇ ରୟଣୀ ।୮୮।

ୟେଡ଼େ ସୁଖ ଭୋଗ କାହାକୁ ବାବୁ ଦିଲୁ

ୟେ ଛାର ତିରଣ ଉପରେ କେମନ୍ତେ ଶୋଇଲୁ ।୮୯।

କାନ୍ଦନ୍ତେ ସୁନ୍ଦରୀ ଯେ ବହଇ ଅଶ୍ରୁଜଳ

ଚେତନା ପାଇଣ ଧାତିକାରେ ଉଠିଲା ନକୁଳ ।୯୦।

ଦେଖଇ ପାଞ୍ଚଳୀର ଦିବ୍ୟ ବଦନଗୋଟି

ଅନ୍ଧାର ମନ୍ଦିରେ ଯେହ୍ନେ କଣୟ ହୋୟେ ବୃଷ୍ଟି ।୯୧।

ସଇରିନ୍ଧ୍ରୀ ବଦନ ଚାହିଂ କୁମାର ବୋଇଲା

ଆଗ୍ୟାଂତବାସ ସରିଲାକି ବୋଲି ଉଷତ ହୋଇଲା ।୯୨।

ବୋଲଇ କୁମାର ମୁଂଗୋ ପୁଚ୍ଛା କରଇ ତୋତେ

ତୁ ଦେବୀ ବିଜେକଲୁ ମୋତେ ଦେଖିବା ନିମନ୍ତେ ।୯୩।

ବେନି ଲୋଚନୁ ଦେବୀର ଅଶ୍ରୁଜଳ ଗଳି

ନକୁଳ ବଦନ ଚାହିଂ ପ୍ରତିଉତ୍ତର ଦିଅଇ ପାଞ୍ଚାଳୀ ।୯୪।

ବାବୁ ତୋହୋର ତହିଂକି ମୁଂ ଅଇଲି ନିଶାକାଳେ

କୀଞ୍ଚକ ପାମର ମୋତେ ହରିତେ ଲୋଡ଼ଇ ବଳେ ।୯୫।

ଆସ୍ତାନେ ଆଗ୍ୟାଂଦିଲେ ବିରାଟ ସହିତେ

ପାରଦଣ୍ଡ ଆଦି କରିଥିଲେ ସମସ୍ତ ଅମନାତ୍ୟେ ।୯୬।

ଉପାୟେ କରିଣ ମୁ ଯେ ଅଇଲି ଆଜ ରାତି

ପ୍ରଭାତେ ତା ପୁରେ ନେମ ମୋତେ କୀଞ୍ଚକ ସେନାପତି ।୯୭।

ନକୁଳ ବୋଇଲା ଯେ ଠାକୁରେ ଆସ୍ତାନେ ବସିଥିଲେ

ତୋହୋର ଅବସ୍ତା ଦେଖି ସେ କିସ ବା ବୋଇଲେ ।୯୮।

କୋନ୍ତେ ବୋଇଲେ କୀଞ୍ଚକକୁ ପ୍ରାକର୍ମେ କେ ସରି

ଯାଅ ଯା ତାହାର ଭାରିଯା ହୋଅ ଗୋ ସଇନ୍ଧ୍ରୀରି ।୯୯।

ନକୁଳ ବୋଇଲା ଠାକୁରଂକ ଗୋ ଯେହ୍ନେ ଆଗ୍ୟାଂ

ସେବକ ମାତ୍ରକ ଆମ୍ଭେ କେସନେକେ କରିବୁ ଅବଗ୍ୟାଂ ।୧୦୦।

ଯାଅ ଯା ସଇରିନ୍ଧ୍ରୀ ଆମ୍ଭେ ଥାଇ କିସ କଲୁ

ସଞ୍ଚୟେ କୀଞ୍ଚକର ତୁ ଭାରିଯା ହୋଇଲୁ ।୧୦୧।

ୟେସନେକ ବଚନ ଯେ ଶୁଣିଣ ପାଞ୍ଚାଳୀ

ରାଗେଣ ନକୁଳକୁ ଦିଅନ୍ତି ଦେବୀ ଗାଳି ।୧୦୨।

ଧିକ ଧିକ ହୋଉ ତୁମ୍ଭର ଛତ୍ରୀବୃତ୍ତି ଜୀବତି

ସଂସାରେ ବୋଲନ୍ତି ପଞ୍ଚୁ ପାଣ୍ଡବଂକର ୟେକା ଭାରଯା ଦ୍ରୋପତୀ ।୧୦୩।

ନଟକାର ବୃତ୍ତିପ୍ରାୟେ ହୋଇଲା ତୁମ୍ଭର ପ୍ରକୃତି

କ୍ଷତ୍ରୀପଣ ଛାଡି ବ୍ରତହେତୁ ପରେ ଦିଅଇ ନିଜର ଯୁବତୀ ।୧୦୪।

ନକୁଳ ବୋଇଲା ଗୋ ଶୁଣସି ପ୍ରାଣସଖୀ

ଗଲୁନିକି ଭୀମସେନ ଠାକୁରଂକ ତହିଂକି ।୧୦୫।

ସଇରିନ୍ଧ୍ରୀ ବୋଇଲେ ମୁଂ ନିହାଇ ଯାଇଂ ରୋଷେ

କୋନ୍ତେ ଆଗ୍ୟାଂଦିଲେ ଯାଅ ବଲ୍ଲଭର ପାଶେ ।୧୦୬।

ଗ୍ରନ୍ଥିକାର ବୋଇଲା ସଖୀ ଆଉ ଆମ୍ଭନ୍ତ କିଂପେ ଝିଂଘାସୁ

ଅନମିତେ ଆମ୍ଭରେ ଯେ ଦେଖି ଆସୁ ।୧୦୭।

ଶତେସିଂଘର ପରାକ୍ରମ ଯାହାର ବଳ

ୟେ ରୂପେ ତାହାକୁ କିସ କରିବୁ ବୋଇଲେ ବାଜୀପାଳ ।୧୦୮।

ମୋତେ ଯେବେ ଆଗ୍ୟାଂ ଦେଇଅଛନ୍ତି ଠାକୁରେ

ଆଥବା ମାରିବି ଚାଲ ଯିବା ତାହାର ପୁରେ ।୧୦୯।

ସଇରିନ୍ଧ୍ରୀ ବୋଇଲେ ବାବୁ ତୋହୋରେ ନୋହୋଇ କିଛି

ଆଗ୍ୟାଂତ ବନବାସ ଆବର ବେନିମାସ ପାଞ୍ଚ ଦିବସ ଅଛି ।୧୧୦।

ପାରିବୁ କି ବଧକରି ଗୁପତେ ତାହାକୁ

ବଲ୍ଲଭ ନାସ୍ତିକଲେ ମୁଂ କହଇ ସିନା ତୁମ୍ଭଂକୁ ।୧୧୧।

କୁମାର ପ୍ରତଗ୍ୟାଂ ଶୁଣି ସାନନ୍ଦ ପାଞ୍ଚଳୀ

ରାତ୍ର ଅଢୋଇ ପ୍ରହରେ ସହଦେବ ପୁରେ ଚଳି ।୧୧୨।

ନବର ଦକ୍ଷିଣ ଦ୍ଵାର ମଇନ୍ଦାଣ ନିକଟେ

ତହିଂର ସନ୍ନିଧ୍ୟେ ଯେ ସୁରଭି ଗୋଗୋଷ୍ଠେ ।୧୧୩।

ଦୁହାଂଳ ଦୁଇପଦ୍ମ ଅଛି ୟେକାଗୋଷ୍ଠ ଗାଇ

ନବଲକ୍ଷ ଗୋପାଳ ୟେକା ଗୋଗୋଷ୍ଠେ ଛନ୍ତି ଶୋଇ ।୧୧୪।

ଗୋଷ୍ଠ ମଧ୍ୟସ୍ଥାନେ ଯେ ବତ୍ସାଂକର କୁଣ୍ଡଳୀ

ତିନିବୃନ୍ଦ ବତ୍ସା ତୁଲେ ୟେକା ସହଦେବ କରଇ କେଳି ।୧୧୫।

ବେଢିତ ଗଡ଼ ଆକାରେ ଯେ ପାଞ୍ଚ ପରାୟୁଧ କୀଳା

ମଧ୍ୟରେ ବସିଅଛନ୍ତି ମଦନା ଦେବୀର ବଳା ।୧୧୬।

ଗୋଷ୍ଠର ଭିତରେ ଦେବୀ ପଶିଲେ ଧାତିକାରେ

ସଇରିନ୍ଧ୍ରୀ ପ୍ରବେଶ ହେଲେ ତନ୍ତ୍ରୀପାଳ ଗୋପାଳ ସନ୍ନିଧ୍ୟରେ ।୧୧୭।

ସହଦେବ ହୋଇଲେ ସଖୀ ତୁ ଆସିବୁ ଆଜ ବୋଲି

ୟେ ନିଶାଯାକ ମୁଂ ଯେ ଉଜାଗରେ ବସିଲି ।୧୧୮।

ପାଞ୍ଚାଳୀ ବୋଇଲେ ମୁଂ ଯେ କିସ କହିବି ତୋତେ କଥା

କୀଞ୍ଚେକ କଲା ମୋତେ ଯେତେକ ଅବସ୍ତା ।୧୧୯।

ତନ୍ତ୍ରୀପାଳ ବୋଇଲା ପାମର କଷ୍ଟ ଦେଉଅଛି ତୋତେ

ଅଗ୍ୟାଂତ ବନବାସ ଆମ୍ଭର ୟେକା କୀଞ୍ଚେକ ବଧ ନିମନ୍ତେ ।୧୨୦।

କୀଞ୍ଚକର ଭାର ଯହୁଂ ନ ସହିଲା ପୃଥୀ

ଦେବସଭାୟେ ଗୁହାରି କଲାକ ବସୁମତୀ ।୧୨୧।

ବସୁଧାର ନିମନ୍ତେ କରି ଚିନ୍ତିଲେ ଦେବ ପିତା

ଆଗ୍ୟାଂତବାସ ଆମ୍ଭନ୍ତ ଆଗ୍ୟାଂଦିଲେ ଧାତା ।୧୨୨।

ଯାହା ସେ ନିରିମିତ କଲାକ ପ୍ରଜାପତି

ସଇରିନ୍ଧ୍ରୀ ନିମନ୍ତେ ମରିବ କୀଞ୍ଚେକ ସେନାପତି ।୧୨୩।

ଚଳ ଗୋ ମାହେଶ୍ଵରୀ ନ ରହନି ଗୋ ୟେଥେ

କୀଞ୍ଚେକ ବଧଯିବ ଗୋ ଭୀମସେନ ଠାକୁରଂକ ହାଥେ ।୧୨୪।

ଆବର ଚରିତ ଗୋ ଶୁଣସି ଭବିଷ

ଶତେକ ସୋହୋଦ୍ର ଗୋ ସମସ୍ତେ ଯିବେ ନାଶ ।୧୨୫।

ଆଗୋ ବାରୁଣାବନ୍ତେ ଭୀମସେନ ଯାହା ମାନିଛନ୍ତି ଅନଳ ଦେବତାଂକୁ

ସେ ବ୍ରହ୍ମସ୍ଵ ଶୁଝିବେ ଦେଇ ଶତେଭାଇ କୀଞ୍ଚକକୁ ।୧୨୬।

କୀଞ୍ଚେକ ନାଶଯିବ ଧୃତରାଷ୍ଟ ବଂଶହିଂ ହେବେ ଧ୍ଵଂସି

ଭାରା ନିବାରଣୀ ଗୋ ବହନ ହୋଇ ଯାସି ।୧୨୭।

ଛତ୍ରୀ ଅଚାର୍ଗଳ ସେ ସୋହୋଡ଼ ପଞ୍ଚାଣ

ଝିଂଘାସି ବୋଇଲେ କରିବେଟି ତୋହୋରେ କାରଣ ।୧୨୮।

ଚଳ ଚଳ ମହାସତୀ ଗୋ ସର୍ବଶୁଭ ଅନକୂଳେ

ହୃଦଗତେ ସୁମର ଦେବୀ ଶ୍ରୀ ସର୍ବ ମଙ୍ଗଳେ ।୧୨୯।

ସସିଦ୍ଧ ମାତାଙ୍ଗୀ ଯେ ଅନୁଗ୍ରହ ତୋତେ କରୁ

ପୃଥୀ ଭାରାଭର ଉଶ୍ଵାସ ହୋଉ କୀଞ୍ଚେକ ବେଗେ ମରୁ ।୧୩୦।

ଆବର କଥାୟେ ମୋହୋଠାରୁ ମାହେଶ୍ଵରୀ ଶୁଣ

କାଲି କୀଞ୍ଚେକର ନିଚେ ହୋଇବ ମରଣ ।୧୩୧।

ଶତେସିଂଘର ପ୍ରାକ୍ରମ ଅଟଇ ତାହାର

ତୋହୋର କର ଛୁଇଂଲାନି ଯିବ ଯମପୁର ।୧୩୨।

ସହଦେବ ବଚନେ ଚଳଇ ଦେବୀ ଯେ ଦ୍ରୋପତୀ

ରୋଷୁଅ ଘରେ ପ୍ରବେଶ ହୋଇ ଚଉବିଂଶ ଦଣ୍ଡ ରାତି ।୧୩୩।

ଆହୋ ଚଇତନ କୋଶେକ ବିସ୍ତାର ଯେବଣ ରୋଷୁଅଶାଳ

ଭୀମସେନଂକ ନିଶ୍ଵାସଘାତେ ଆକାଶକୁ ଉଡ଼ଇ ଚାଳ ।୧୩୪।

ବାହୁଡ଼ି ସଞ୍ଚା ଉପରେ ବସଇ ଚାଳ ନିଶ୍ଵାସ ସଂଘରନ୍ତେ

ଦେଖିଣ ସାନନ୍ଦ ହୋଇଲେ ସେ ଯେ ଦ୍ରୋପଦର ଦୋହିତେ ।୧୩୫।

ବିଚାରି ବୋଇଲେ ସାଧୁ ସାଧୁ ଜୀବନ ତୋହୋର ଭୀମ

ତୋହୋର ତହିଂ ଅଛଇ ଛତ୍ରୀୟ ବଳ ପରାକ୍ରମ ।୧୩୬।

ଅନାସ୍ତ ତରୁଣୀ ମୋତେ ସାଖା ହୋଅ ବାବୁ

ଆତ୍ମାର ଠାକୁର ତୁହି ସେ ମୋହୋର ସବୁ ।୧୩୭।

ଦେଖିଲେ କବାଟ ଯେ ଯନ୍ତ୍ରର କିଳଣି

ସଇରିନ୍ଧ୍ରୀ କର ଲାଗନ୍ତେ ଫିଟିଲା ତତକ୍ଷଣି ।୧୩୮।

ଭିତରେ ଶୋଇଅଛି ପାଣ୍ଡବ ମହାବଳୀ

ସନ୍ନିଧ୍ୟରେ ପ୍ରବେଶ ହୋଇଲେ ଦ୍ରୋପଦର ଦୁଲାଳୀ ।୧୩୯।

ପାଷାଣ ଶଯ୍ୟାକରି ଶୋଇଛି ବଲ୍ଳଭ

ଦେଖିଲା ପାଞ୍ଚାଳୀ ଯେ ସକଳ ସୁଲଭ ।୧୪୦।

କଣୟ ପର୍ବତେ ଯେହ୍ନେ ଜଳଧର ମେଘ ଚଢି

ତେସନେକେ ତାର ଦେହ କଳାରେଖା ଜଡ଼ି ।୧୪୧।

ବାଉଂଳି ନିଷ୍କମାଳି ବିଜେ କର୍ଣ୍ଣକଟାରି

ଶୟନ ଥାନେ ତାହା ଭୀମ ସୀମସ୍ଥାନ କରି ।୧୪୨।

ବଲ୍ଲବ ସନ୍ନିଧ୍ୟେ ସେ ବସିଣ ଜିଘ୍ନସେନୀ

ଅରୁଣ ଉଲ୍ଲୋକ ପ୍ରାୟେ ଦିଶଇ ଚକ୍ଷୁବେନି ।୧୪୩।

ତୋଳଇ ପାଞ୍ଚଳୀ ଆହୋ ଉଠକିନା ଭୀମା

କିସ ଅର୍ଥେ ୟେତେ ନିଦ୍ରା ଯାଉ ମହାତମା ।୧୪୪।

ବ୍ରାହ୍ମଣ ଯୁବାସ୍ତିରୀ ରାଜାର ନିଯୋଗୀ

ସାଧନ ଯୋଗେ ସେ ନିଦ୍ରା ପରିତ୍ୟାଗି ।୧୪୫।

ଆହୋ ଛତ୍ରୀ ହୋଇ ତୋହୋର କିଂପେ ୟେଡ଼େ ନିଦ୍ରା

ତେଜ ହୋ ସୂପକାର ତୋହୋର ଯୋଗମୁଦ୍ରା ।୧୪୬।

ଅପାର କରିଣ ତାକୁ ତୋଳଇ ଦ୍ରୋପତୀ

ନିଦ୍ରା ନ ଭାଞ୍ଜିଲା ସୂପକାର ସେନାପତି ।୧୪୭।

ଯୁଗତେଣ ଛତ୍ରୀ ସେ ବିଶେଷେ ରାଜାର ନିଯୋଗୀ

କିମର୍ଥେ ତୋହୋର ହୋୟେ ୟେଡ଼େକ ନିଦ୍ରାଭୋଗୀ ।୧୪୮।

ଭୁଜ ଧରି ତୋଳନ୍ତେ ନିଦ୍ରା ତାହାର ନ ଭାଞ୍ଜି

ରୟଣୀର ଅନ୍ତେ ଅରୁଣ ଘୋର ତେଜି ।୧୪୯।

ରୟଣୀ ପାହାନ୍ତି ଦେଖି ଦ୍ରୋପତୀ ବିକଳ

ବେନି ଲୋଚନୁ ଦେବୀର ବହେ ଅଶ୍ରୁଜଳ ।୧୫୦।

ଲୁଅ ଜଳ ପଡନ୍ତେଣ ଭୀମସେନ ଉଠଇ ଚେତି

ଦ୍ରୋପତୀର କେଶ ବୀର ଧଇଲା ତତକ୍ଷଣାନ୍ତି ।୧୫୧।

ଶ୍ରୀକରେ ବିଜେ କର୍ଣ୍ଣକଟାର ବେଗେ ଘେନି

କେ ତୁ ପିଚାଶୁଣୀ ରାକ୍ଷସୀ ଡାଂକେଣୀ ।୧୫୨।

ଆଲୋ ଲୋ ଡାଂକେଣୀ ତୋର ୟେଡ଼େକ ଭରସା

ଇଷ୍ଟ ଦେବତା ସୁମର ଛେଦିବଇଂ ତୋର ନାସା ।୧୫୩।

ସଇରିନ୍ଧୀ ବୋଇଲେ ହୋ ଛାଡ଼ ଛାଡ଼ ସୂପକାର

ମୁହିଂ ସେ ଦ୍ରୋପତୀ ହୋ ବଲ୍ଲଭୀ ତୁମ୍ଭର ।୧୫୪।

ପାଣ୍ଡବ ସୁନ୍ଦର ଯେ ଛାଡ଼ିଲା ତାର ବାଳ

ଦ୍ରହସିତ ବଦନେ ଆଣି ବସାଇଲା କୋଳ ।୧୫୫।

ମୁଖରେ ଚୁମ୍ବନ ଦେଇ ବୋଲଇ ପାବେନି

ମୁହିଂ ତୋର ଆପାଦରେ ଘେନଇ ଜିଘ୍ନସେନୀ ।୧୫୬।

ୟେକସ୍ତିରୀ ହୋଇ ସହୁ ପଞ୍ଚଭ୍ରଥାଂକ ଆର୍ଦ୍ଦୋଳି

କାମ ଅସାଷ୍ଟମେ ନୁଆରିଲୁ ସମ୍ଭାଳି ।୧୫୭।

ୟେ ସ୍ତିରୀ ଦେହ ବହି ତୁ ସହିବୁ ଅବା କେତେ

ଦୁରାପଦ ସହିଲୁନି ଦଶମାସ ପରିଯନ୍ତେ ।୧୫୮।

କାମ ଅସାଷ୍ଟମେ ଯେ ଧର୍ମ ପରିତ୍ୟାଗି

ସହି ନୁଆରି ମୋତେ ଅଇଲୁ କି ଶୃଙ୍ଗାର ମାଗି ।୧୫୯।

ଅଇଲୁ ଯେବେ ତୁ ନ ଜାଣିଲୁ ବେଳକାଳ

ରାତ୍ର ନିକଟ ହୋଇଲାନି ପ୍ରାନ୍ତବେଳ ।୧୬୦।

ରାତ୍ର ବେନିଦଣ୍ଡ ଯେ ଅଛଇ ଅବକାଶ

ଭୋଜନ ଶୟନ ନିଦ୍ରା ମଇଥୁନ ନାହିଂନା ପରିହାସ ।୧୬୧।

କଳିହିଂ ନ କରିବ ଯେ ଶାଆସ୍ର ନ ପଢିବା

ସମସ୍ୟାହିଂ ନ ଦେବା ମଉନବ୍ରତ ହୋଇଥିବା ।୧୬୨।

ସନ୍ଧ୍ୟାକାଳେ ଶାସ୍ର ପଢିଲେ ମୂର୍ଖ ହୋନ୍ତି ଆନ ଜନ୍ମେ

ଶୁତିଲେ ରୋଗୀ ହୋଇ ଦାରିଦ୍ର ହୋଅନ୍ତି ଭୋଜନ କର୍ମେ ।୧୬୩।

ଶୃଙ୍ଗାର କଲେ ଜନ୍ମେ ଜନ୍ମେ ନ ପାଇ ରତି

ଜନ୍ମହୁଂ ରୋଗୀ ହୁଅଇ ଜନମିଲେ ସନ୍ତତି ।୧୬୪।

ଚାରିଦଣ୍ଡ ଉତ୍ତାରେ ସେ ପ୍ରହରେକ ରାତି

ତେବେ ସେ ସୂର୍ଯ୍ୟବେଳେ ଭୁକତ ଯୁଗତି ।୧୬୫।

ସଖୀ ସୂର୍ଯ୍ୟବେଳେ ଭୋଜନ କଲେ ଆହାର ହୋଇ ପଂକୁ

ଦଶଦଣ୍ଡେ ଭଚ୍ଚାଟ ଲାଗଇ ସେ କାମଦେବଂକୁ ।୧୬୬।

ମୟାଣ ପୟାଣ କରଇ ପଞ୍ଚଘଡ଼ି ରାତି

ଚନ୍ଦ୍ରବେଳେ କାମର ୟେକଯୋଗ ପୀରତି ।୧୬୭।

ଦଶଦଣ୍ଡୁଂ ଚଉଦଦଣ୍ଡ ପର୍ଯ୍ୟନ୍ତେ ଶୃଙ୍ଗାର କରିବ ଇଚ୍ଛା

ନାନା କଉତୁକେ ପୂରୋଇ ମନୋବାଞ୍ଛା ।୧୬୮।

ଶରୀରକୁ ସୁଆର୍ଥ ଯେ ସନ୍ତାନ ବିବୃଦ୍ଧି

ଆଇଷ ଶିରୀ ଶୁଭକାର୍ଯ୍ୟ ହୋଅଇ ପ୍ରସିଦ୍ଧି ।୧୬୯।

ଷୋଳଦଣ୍ଡ ଯେବେ ହୋଅଇ ଅର୍ଦ୍ଧରାତ୍ରି

ଆକାଶ କ୍ଷେପଣୀ ଯେ ଦେବୀ ଭ୍ରମଇ ଚଉକତି ।୧୭୦।

ଅଷ୍ଟାଦଶ ଦଣ୍ଡରୁ ଯେ କୋଡିୟେକ ଦଣ୍ଡ

ୟେଥେ ଶୃଙ୍ଗାର କଲେ ଉପୁଜଇ ବିଖଣ୍ଡ ।୧୭୧।

ବାଇଶ ଚଉବିଂଶ ହାଦେ ଛବିଶ ଯେ ଦଣ୍ଡର

ଯୋଗବେଳେ ଅନଙ୍ଗ ବିଶ୍ରାମଇ ତତ୍ତୁଘର ।୧୭୨।

ଚନ୍ଦ୍ର ତେଜ୍ୟାକରି ଯେବେ ସୂର୍ଯ୍ୟେ କରଇ ସଙ୍ଗ

ଶୃଙ୍ଗାର କଲେ ୟେଥି ବ୍ରହ୍ମହତ୍ୟା ଦୋଷ ଲିଙ୍ଗଭଙ୍ଗ ।୧୭୩।

ରାତ୍ର ନବଘଡ଼ିରୁ ୟେଣିକି ଶୃଙ୍ଗାର ଯେ କଲେ

ଟସକର ରୋଗୀ ଭିକ୍ଷାସୀ ହୁଅନ୍ତି ଗୋ ସନ୍ତାନ ଉପୁଜିଲେ ।୧୭୪।

ଦୋହିତା ଉପୁଜିଲେ ଗୋ ହୋଅଇ ଦୋଚାରୀ

ଜନ୍ମହୁଂ ରୋଗୀ ହୋଅଇ ସନ୍ତାନ ନୋହୋଇ ତାହାରି ।୧୭୫।

ସଖି ଅଢାଇ ପହର ରାତି କାମଯୋଗ ବେଳେ

ତହିଂ ଭୋଗ୍ୟକଲେ ସ୍ତିରୀ ପୁଂସେ ନଶନ୍ତି ଅଳ୍ପକାଳେ ।୧୭୬।

ବଲ୍ଲଭ ବୋଇଲେ ତୁ ସକଳ ଗ୍ୟାଂତା ସମସ୍ତ ପରିତ୍ୟାଗି

ବେଳ ନ ଜାଣି ଅଇଲୁ ମୋତେ ଶୃଙ୍ଗାର ଯେ ମାଗି ।୧୭୭।

ଦ୍ରୋପତୀ ବୋଇଲେ ସ୍ଵୀମୀ ତୁମ୍ଭେ ଅଟ ଯେ ମୂରୁଖ

ଅପଣ୍ଡିତ ଅବିବେକ ଅଟୁ ସଦାରେକ ।୧୭୮।

ଯଥା ଅନରୂପେ ତଥା ବାକ୍ୟ ଭାଷି

ବାଇକି ତୁ ହୋଇଲୁ ତୋତେ ମୁଂ ଶୃଙ୍ଗାର ମାଗିଆସି ।୧୭୯।

ଅଗ୍ୟାଂତବାସ ଆବର ଯେ ସତୁରି ଦିବସ ଅଛି

ବଲ୍ଲଭ ବୋଇଲା ସଖୀ ତୋତେ କତାୟେ କହିବାକୁ ଅଛି ।୧୮୦।

ମୋହୋର ବଳବୀର୍ଯ୍ୟ ବିରାଟେଶ୍ଵର ଦେଖି

ସଦା ସଂପ୍ରତେ ମୋତେ କରଇ ଶଶୀମୁଖୀ ।୧୮୧।

ତୋତେ ଦେଖିଲେ ବାରତା କହିବେ ରାଜାକୁ

ବିରାଟେ ଅପ୍ରତେ ଗୋ କରିବେ ସଖୀ ମୁକୁ ।୧୮୨।

ବୋଲିବେ ବଲ୍ଲଭ ଯେ ମନ୍ଦକୃତ୍ୟ କଲା

କାହାର ବହୂଝିଅକୁ ଗୁପତେ ହିରଲା ।୧୮୩।

ସଇରିନ୍ଧ୍ରୀ ବୋଇଲେ ତୁମ୍ଭେ ବଡାଇ ମୂରୁଖ

ତୁମ୍ଭ କର ମୁଂ ଯେ ହୋଇଲି ନିରେଖ ।୧୮୪।

ବିରାଟର ଶଳା ଯେ କୀଞ୍ଚକ ମହାବୀର

ସେ ମୋତେ ହରିଣ ଲୋଡ଼ଇ ବଳାତ୍କାର ।୧୮୫।

ବିରାଟ ସହିତେ ହୋ ଆସ୍ତାନେ ବସିଥିଲେ

କୋନ୍ତେ ଆଦିକରି ମୋତେ କୀଞ୍ଚକକୁ ସମର୍ପିଲେ ।୧୮୬।

ବଲ୍ଲଭ ବୋଇଲା ତୋତେ ଯେବେ ସମର୍ପିଲେ କୋନ୍ତେ

ଆମ୍ଭର ବେଳେ କିସକରି ହୋଅଇ ଯୁଗତେ ।୧୮୭।

ତୁହି ଯେବେ କୀଞ୍ଚକକୁ ଇଚ୍ଛା ଜାଣ କଲୁ

ତେନ୍ୟାୟୁ ସଭାକୁ ତୁ କଢାଇ ଘେନିଗଲୁ ।୧୮୮।

ସଭାରେ କଥା କହି ନୁଆରିବେ ଅନୀତି

ନିଚୟେ ହୋଇଲୁ ତୁ କୀଞ୍ଚକର ପ୍ରିୟବତୀ ।୧୮୯।

ସଇରିନ୍ଧ୍ରୀ ବୋଇଲେ ତୁମ୍ଭର ଜୀବନ ଯାଉ ଧିକ

ରାଜ୍ୟଭାର ତେଜିଣ ଯେ ମାଗିଲ ତୁମ୍ଭେ ଭିଖ ।୧୯୦।

ୟେକାସ୍ତିରୀକି ତୁମ୍ଭେ ହୋଇଲ ପଞ୍ଚୁପତି

ପଞ୍ଚଭ୍ରାଥ ଥାଉଂ ଯେ ମୋହୋର ୟେଡ଼େକ ଶାସ୍ତି ।୧୯୧।

ସିଂଘ ବୋଲିକରିଣ ଯେ ମୁଂ ବରିଲି ତୁମ୍ଭଂକୁ

ଶ୍ରୀକାଳ ଯୁଥେ ଜାତକଲେ କୋଇନ୍ତା ତୁମ୍ଭଂକୁ ।୧୯୨।

ତୁମ୍ଭର ଜୀବନ୍ତେ ମୁଂ ହୋଇବି ଆନର ଭାରିଯା

ନିଲ୍ଲଜ ଆତ୍ମା ତୁମ୍ଭର ହୋଇକିନା ପରିତେଜ୍ୟା ।୧୯୩।

କାଳେବର ଗଦା ତୁହୋ ଧରୁ ବେନିହାଥେ

ସେହି ତୋହୋର ଧିକତ ହୋଉକିନା ଯୁଗତେ ।୧୯୪।

ବ୍ରିକୋଦର ନାମ କିମ୍ପେ ତୁ ଅନମିତେ ବହୁ

ନିଲ୍ଲଜ ଜୀବନ ତୋହୋର ଗ୍ରିଧିନୀ ମାଂସ ଖାଉ ।୧୯୫।

ରାଜ୍ୟଭାର ସିଂଘାସନ ସମସ୍ତ ଦିଲଣି ଆନକୁ

ୟେକା ଭାରିଯାୟେ ୟେବେ ଦେବ କୀଞ୍ଚକକୁ ।୧୯୬।

ହସ୍ତିନା ସଭାରେ ବସି ଚାହିଂବ କାହା ମୁଖ

ମାନହୀନେ ବ୍ରତିବାରୁଂ ମରଣ ବଡସୁଖ ।୧୯୭।

ସଇରିନ୍ଧ୍ରୀ ମୁଖୁଂ ୟେସନେକ ଝିଂଘାସ ବାକ୍ୟ ଶୁଣି

କୋପେଣ ଗର୍ଜଇ ପାଣ୍ଡବ କାଳସର୍ପ ଜାଣି ।୧୯୮।

ୟେତେ ଝିଂଘାସି ଗୋ କହିଲୁ ତୋର ତୁଣ୍ଡେ

ସ୍ତିରୀଲିଙ୍ଗ ନୋହିଲେ କାଟନ୍ତି ତୋର ମୁଣ୍ଡେ ।୧୯୯।

ଭୀମସେନ ବୋଇଲା ଆନ କିସ ଆଗ୍ୟାଂ ଦେଇଛନ୍ତି ଠାକୁରେ

ସରୂପ କରିଣ ସଖୀ କହ ମୋହୋର ଛାମୁରେ ।୨୦୦।

ବୋଲନ୍ତି ଦ୍ରୋପତୀ ଶୁଣସି ବଲ୍ଲଭ

ତୋହୋର ଆଗରେ ମୁଂ କହୁଅଛି ସୁଲଭ ।୨୦୧।

ବୋଲଇ ଭୀମସେନ କହିତେ ଯେବେ ପାରୁ

ଅନମିତେ ଝିଂଘାସ କିମ୍ପେ ମୋତେ କରୁ ।୨୦୨।

ଦ୍ରୋପତୀ ବୋଇଲେ ତୁ ଶୁଣସି ବ୍ରିକୋଦର

ଠାକୁରଂକ ଆଗ୍ୟାଂ ହୋଇଛି ଗୁପତେ ତାକୁ ମାର ।୨୦୩।

ଭୀମସେନ ଉଷତ ହୋଇଲା ୟେସନକ ବାକ୍ୟ ଶୁଣି

ମାରିବି କୀଞ୍ଚକ ସଖୀ ଆଜର ରୟଣୀ ।୨୦୪।

ହର ଇନ୍ଦ୍ର ବ୍ରହ୍ମା ରକ୍ଷା କରଇ ଯେବେ ତାହା

ମୋଡ଼ିବି ମୁଣ୍ଡ କୀଞ୍ଚକର ଉପାଡ଼ିବି ବେନିବାହା ।୨୦୫।

ଆଗୋ ସଇରିନ୍ଧ୍ରୀ ଉଚ୍ଛବ ନବରେକ ଯେ ଅଛି ନଦୀର କୂଳେ

ତହିଂକି କଢାଇଣ ନେମୁଟି ନିଶାକାଳେ ।୨୦୬।

ତାହାକୁ ପଠିଆଇ ତୁ ଆପଣେ ନ ଯିବୁ

ପ୍ରତେ ଉପୁଜାଇ ନିଜପୁରେ ଥିବୁ ।୨୦୭।

ଯେବେ କୀଞ୍ଚକଇ ମୁଂ ନ ମାରଇ ଆଜ

ବେନିପାଦେ ଦ୍ରୋହ ମୁଂ କରଇ ଦେବରାଜ ।୨୦୮।

ଗୁରୁ ପିତା ମାତାଂକର ଚରଣେ ଦ୍ରୋହ ମୁଂ କରଇ

କରତାର ଥାଳେ ମୁଂ ବିଷ ନେଇ ଭରଇ ।୨୦୯।

ବୀମସେନ ଯେ ପ୍ରତଗ୍ୟାଂ କରଇ ଅପ୍ରମିତ

ୟେ ତୋହୋର ଦେହ ମୁଂରେ ଛୁଉଂଛି ସଂଗାତ ।୨୧୦।

ଆଜ ଯେବେ କୀଞ୍ଚେକକୁ ମୁହିଂ ନ ମାରଇ

ଗୋ ଶାସନ ଭୂମି ହରିଲାର ଦୋଷ ମୁଂ କରଇ ।୨୧୧।

ଯଦ୍ୟପି ସେ କୀଞ୍ଚେକକୁ ନ ମାରଇ ରଣେ

ବିଧବା ସ୍ତିରୀ ହରଣ ଦୋଷ ମୁଂ ଲଭଇ ୟେଣେ ।୨୧୨।

ମିଥ୍ୟା ଅପବାଦ ଦୋଷ ମୁଂ ଲଭଇ କୋଟି କୋଟି

ଶୁଣିଣ ପାଞ୍ଚାଳୀର ଯେ ମନଭ୍ରାନ୍ତି ଗଲାକ ହାଦେ ତୁଟି ।୨୧୩।

ଅରୁଣ ପ୍ରକାଶନ୍ତେ ଯେହ୍ନେ ସାନନ୍ଦ ହୋଅଇ ଭୁବି

ତେହେନେକ ସାନନ୍ଦ ହୋଇଲେ ମହାଦେବୀ ।୨୧୪।

ପ୍ରଶଂସା କରଇ ଦେବୀ ଭୀମସେନ ମୁଖ ଚାହିଂ

ୟେ ତୋହୋର ଆପାଦ ଘେନିଯାଇ ମୁହିଂ ।୨୧୫।

ବାବୁ ଲାଖ ଅବା ବିନ୍ଧିଲା ପାଣ୍ଡବ ଅରଜୁନ

ସମର ସମ୍ପାଦିଣ ଜିଣିଲୁ ରାଜାଗଣମାନ ।୨୧୬।

ତୁହି ସେ ସମରେ ଯେ ଜିଣି ମୋତେ ଆଣି

ତେବେ ସେ ଦ୍ରୋପତୀ ପାଣ୍ଡବଂକର ଘରଣୀ ।୨୧୭।

ରୟଣୀ ନିକଟ ହୋଇଲା ବାବୁ ଯାଉଅଛି ଭୀମ

ଉଚ୍ଛବ ନବରକୁ ଯିବୁଟି ଛତ୍ରୀବର ଉତ୍ତମ ।୨୧୮।

ସାନନ୍ଦେ ବାହାର ଯେ ହୋଇଲେ ଦ୍ରୋପତୀ

ଅନ୍ତପୁରେ ପ୍ରବେଶ ଯେ ପ୍ରସର ହୋଇଲାକ ରାତି ।୨୧୯।୩୬୭୦।

********

 

ଭୀମ କର୍ତ୍ତୃକ କୀଚକ ବଧ

ନିତ୍ୟକର୍ମ ଯେ ସାରିଣ ପାଞ୍ଚାଳକୁମାରୀ

ସ୍ରାହାନ ଶଉଚବନ୍ତ ସମସ୍ତ ଦେବୀ ସାରି ।୧।

ଚତୁସମ ଗୋଟିୟେ ସମ୍ପାଦ ଦେବୀ କଲେ

କୀଞ୍ଚକ ମନ୍ଦିରକୁ ବୋଲି ଚଳିଣ ଦେବୀ ଗଲେ ।୨।

ସ୍ରାହାନ ସାରି ବୀର ନାନା ବେଶ ବେଶନେ

ବିଜୟେ କୀଞ୍ଚେକ ଯେ କଣୟ ସିଂଘାସନେ ।୩।

ସହସ୍ରେ ଚାମର ଧରି ସେ ଅନେକ ପରିବାରୀ

ସହସ୍ରେ ଆଲଟ ଧରି ସେ ଅଛନ୍ତି ଉଭାରି ।୪।

କଣୟମୟେ ଭୁବନ ଯେ ବାରସ୍ୱତୀ ପୁର ଜାଣି

ସନ୍ନିଧ୍ୟ୍ୟେ ପ୍ରବେଶ ଦେବୀ ପାଣ୍ତବଙ୍କ ଘରଣୀ।୫।

ଆସ ଆସ ସଂଘାତ ଲୋ ପ୍ରାଣର ସମାନ

ତବ ଲୟେ ମୋହୋର ନିମଜ୍ଜିଲା ପଞ୍ଚୁମନ ।୬।

ତୋହୋର ଇଚ୍ଛା ମୋତେ ଅଛି ସଂଗାତୁଣୀ

ମୁହିଂ ସେ କାର୍ଯ୍ୟ ନାଶକଲି ଯେ ନ ଜାଣି ।୭।

ଛାମୁରେ ସଇରିନ୍ଧ୍ରୀ ଥୋଇଲା ଗନ୍ଧପାତ୍ର

କୀଞ୍ଚକ ବୋଇଲା ମୋର କାଳେ ବସ ଗୋ ସଂଗାତ ।୮।

ସଇରିନ୍ଧ୍ରୀ ବୋଇଲେ ମୋତେ ଅପ୍ରତେ ତୁ କରୁ ବୋଲି

ରାଣୀଂକର ତହିଂକି ନ ଯାଇ ମୁଂ ଧାତିକାରେ ଅଇଲି ।୯ ।

ନାସିକାରେ କର ଦେଇ ହସଇ କୀଞ୍ଚକ ସେନାପତି

ସ୍ୱାମୀକି ସେବା କରିଣ ସେବକେ କିସ ଭୀତି ।୧୦।

ଆହୋ ସଇରିନ୍ଧ୍ରୀ ବିରାଟ ଶ୍ରୀକୃଷ୍ଣା ମନ୍ତ୍ରୀ ଯେ ପ୍ରୋହିତେ

ଆଜହୁଂ ଭୃତ୍ୟପଣେ ପରିତେଜ୍ୟା ଖଟିଥିବେ ତୋତେ ।୧୧।

ସଇରିନ୍ଧ୍ରୀ ବୋଇଲା ଶ୍ରୀକୃଷ୍ଣାହିଂ ସେ ମୋର ସବୁ

ତାହାର ପ୍ରସାଦେ ସିନା ମୋତେ ତୁ ପାଇବୁ ।୧୨।

ଶ୍ରୀକୃଷ୍ଣାଂକୁ ଅଲେଖ ତିଳେକ କରାଇ ଯେ ମୁହିଂ

ବେଳ ମଧ୍ୟ୍ୟମାନେ ଆସଇ ସିନା ତୋର ତହିଂ ।୧୩।

ଉଚ୍ଛବ ନବର ହୋ ଯତନ କରିଥାଅ ମହାବୀର

ତହିଂ ସେ ତୋହୋର ମୋହୋର ସୁରତି ସମ୍ଭାର ।୧୪।

କୀଞ୍ଚେକ ହସିଲା ଯେ ସଇରିନ୍ଧ୍ରୀର ବୋଲେ

ତ୍ରିପୁତି କରାଇ ଦେବୀ ବହନ ବାହୁଡ଼ି ଅଇଲେ ।୧୫।

କୀଞ୍ଚେକ ବିଚାରଇ ସଇରିନ୍ଧ୍ରୀ ବଡ଼ ଧୃତି

ୟେହାର ସଙ୍ଗେ ଶୃଙ୍ଗାର କଲେ ହୋଇବ ବଡ଼ାଇ ସୁରତି ।୧୬।

ଚାରଦୂତ ବରଗି ସେ ଉଚ୍ଛବ ନବର

ବେଗ ବେଗ ମଣ୍ତନ୍ତି ଲାଗିଣ ଭୃତ୍ୟକାର ।୧୭।

ଅଲେଖ ମନ୍ଦିରେ ସଇରିନ୍ଧ୍ରୀ ବିଜୟେ ତଡ଼ତି

ଲାଜେଣ ଶ୍ରୀକୃଷ୍ଣା ଯେ ନୁଆସନ୍ତି ତାହାର କତି ।୧୮।

ଶ୍ରୀକୃଷ୍ଣାଂକ ସନିଧ୍ୟେଣ ଯାଇଂ ମିଳିଲେ ସଇନ୍ଧିରୀ

ନିତ୍ୟକର୍ମ ବିଧାନେ ଅଲେଖ ତିଳକେ ଦେବୀ କରି ।୧୯।

ଶ୍ରୀକୃଷ୍ଣାୟେ ପଚାରନ୍ତି ମାଗୋ ଲେଖ ଗୋଟିୟେ ଯେ ନେଲ

ତ୍ରିଗର୍ତ୍ତ ବାହୁଅଛି ବୋଲି କିମ୍ପେ ମୁଖାଗ୍ରତେ ନ କହିଲ ।୨୦।

ସଇରିନ୍ଧ୍ରୀ ବୋଇଲେ ଗୋ ମୁଂ କହିଲିନି ସମସ୍ତ

ବଧିର ପ୍ରାୟେ ସିନା ଅଟଇ ତୋହୋର ଭ୍ରାଥ ।୨୧।

ଶୁଣି ମହାଦେଈ ଯେ ନ ଦେଲେ ସମ୍ଭାଷି

ଥମ୍ଭୀଭୂତ ପ୍ରାୟେ ହୋଇଣ ଦେବୀ ବସି ।୨୨।

ଅଲେଖ ସାରି ଦେବୀ ଚତୁସମ କଲେ ଲାଗି

ରାନ୍ଧଣା ମନ୍ଦିରେ ପୁଣ ବିଜେ ଯାଇଂ ବେଗି ।୨୩।

ଆପଣେ ରାନ୍ଧଣା ସେ କରନ୍ତି ପ୍ରତିଦିନ

ସ୍ରାହାନ ସାରିଣ ଦେବୀ କରନ୍ତି ଭୋଜନ ।୨୪।

ଆଞ୍ଚୋବନ ସାରି ଚତୁସମ ଘେନି ସୁବର୍ଣ୍ଣର ପାତ୍ରେ

କୀଞ୍ଚକର ନଗରକୁ ଚଳିଲେ ତୁରିତେ ।୨୫।

ଅଢାଇ ପ୍ରହର ଯେ ଦିନକର ଜ୍ୟୋତି

କୀଞ୍ଚକର ମନ୍ଦିରେ ଯାଇ ବିଜୟେ ମହାସତୀ।୨୬।

କୀଞ୍ଚେକର ଚ୍ଛାମୁରେ ଚାରେ କହିଲେ ବେଗେ ଯାଇଂ

ସଇରିନ୍ଧ୍ରୀ ଅଇଲେ ଯେ ଶୁଣିମା ଗୋସାଂଇ ।୨୭।

ଶୁଣିଣ ସାନନ୍ଦ ଯେ କୀଞ୍ଚେକ ମହାରଥା

ଶରୀର ହୋଇଛି ଖୀନ ତାର ନବମ ଅବସ୍ତା ।୨୮।

ସଇରିନ୍ଧ୍ରୀ ଆଗତ ଶୁଣି ପଶିଲାକ ପ୍ରାଣ

ଧାତିକାରେ ଉଠିଣ ବସିଲା କୀଞ୍ଚେକ ମହାରାଣ ।୨୯।

ୟେସନ ସମୟେ ସଇରିନ୍ଧ୍ରୀ ପ୍ରବେଶ ଯାଇଂ କୀଞ୍ଚେକର କତି

ଆସ ଆସ ସଂଗାତ ବୋଲି ହାକଇ କୀଞ୍ଚେକ ସେନାପତି ।୩୦।

ଚତୁସମ ଖୋରାୟେ ଛାମୁରେଣ ନେଇ ଥୋଇ

ଉଭା ହୋଇଲେ ଦେବୀ କୀଞ୍ଚେକକୁ ବିନୋୟୀ ।୩୧।

ଆସ ଆସ ସଂଗାତ ଗୋ ବସ ମୋର କତି

ରୋହିଣୀ ଦ୍ରଶନେ ଯେହ୍ନେ ସାନନ୍ଦ ନିଶାପତି ।୩୨।

ଚୁମ୍ବଇ ବଦନ ତୋର ଯେ ଅଧର ପାନ କରି

କାମ କ୍ରୋଧ ଜଳଉଂ ମୋତେ କର ଗୋ ବେଗେ ପାରି ।୩୩।

ତୁ ମୋତେ ଅଭିଳାଷ ନ ଦେବୁ କି ସଖୀ

ଅନଙ୍ଗ ଶରଘାତେ ମୁଂ ହେଉଛି ବଡଦୁଖୀ ।୩୪।

ସଇରିନ୍ଧ୍ରୀ ବୋଇଲେ ହୋ ମଧ୍ୟ୍ୟସ୍ଥାନେ ଦିନକର

ୟେତେବେଳେ ଯୁଗତ କି ମିଳଇ ଶୃଙ୍ଗାର ।୩୫।

ଆଦିତ୍ୟ ମଧ୍ୟ୍ୟସ୍ଥାନେ ଯେବଣ ପୁରୁଷ ରତିରଙ୍ଗ ଖେଦ

ଅବଶ୍ୟ ସେ ପୁରୁଷ ହୁଅନ୍ତି ଶିରଛେଦ ।୩୬।

ସ୍ତିରୀ ହୋଇ ଯେବେ ସେ କରାବଇ ରତି

ତଦ ଦୋଷେ ନାସା ଛେଦନ ହୁଅଇ ଯୁବତୀ ।୩୭।

ସୂର୍ଯ୍ୟ ବେଳେ କାମର ଯେ ନାହିଂ ମେଳଭାବ

ଚନ୍ଦ୍ରକଳା ଘେନି ସେ ଚଳଇ କାମଦେବ ।୩୮।

ଯେବଣ ପୁରୁଷ ରତି କରନ୍ତି ଦିବସେ

ଅଳପ ଆଷ୍ୟ ହୋଇ ପୁରୁଷେ ନାଶଯାନ୍ତି ଅବଶ୍ୟେ ।୩୯।

ଆହୋ କୀଞ୍ଚେକ ମୁଂ ଶ୍ରୀକୃଷ୍ଣାଂକୁ ଅଲେଖ ତିଳକ କରାଇ

ୟେଥକୁ ଆସିବାକୁ ମୋତେ ବେଳ ହୋଇବ କାହିଂ ।୪୦।

ଉଚ୍ଛବ ନବରକୁ ମୁଂ ଯେ ଯିବଇ ସେହିବାଟେ

ତୁହି ୟେହିବାଟେ ଯିବୁଟି ଆବର ନାହିଂ ନାହିଂ ଭେଟେ।୪୧।

କୀଞ୍ଚେକ ବୋଇଲା ମୋତେ ଲହରୀ କାମଜଳ

ଆରେ ପ୍ରାଣବନ୍ଧୁ ମୋତେ କରୁକିନା କୋଳ ।୪୨।

ସଇରିନ୍ଧ୍ରୀ ବୋଇଲେ ମୋହୋର ଶରୀର ଛୁଇଂଲେ

ରସ ପତନ ହୋଇବ ମୋହୋର କାୟେ ଲାଗିଲେ।୪୩।

ରସ ପତନ ହୋଇଲେ ଶୃଙ୍ଗାରେ କିସ ସୁଖ

ଦେଖିଣ ଭ୍ରଷ୍ଟଗଲା ହୋଇଲା ବିମୁଖ ।୪୪।

ୟେତେବେଳେ ତୋହୋର ମୋହୋର ହୋଇବ ଭେଟାଭେଟି

ଅସଂକ୍ଷେପ ଶୃଙ୍ଗାର ହୋଇବ ମନତୁଷ୍ଟି।୪୫।

ପ୍ରଥମ ଶୃଙ୍ଗାରେ ହୋଇ ଲଜ୍ଜା ଘୋର କରି

ଦିବସେ ରତିରଙ୍ଗ କରିତ କି ପାରି ।୪୬।

ନିଅବକାଶେ ଭୋଜନ ନିର୍ଜନେ ଶୃଙ୍ଗାର

ପଣ୍ତିତ ଲୋକେ ୟେହା କରନ୍ତି ବିଚାର ।୪୭।

ଯାତ୍ରା ସରିଲା ଯେ ଉଚ୍ଛବ ନବର ହୋଇ ତୁଚ୍ଛା

ନିଗମସ୍ଥାନେ ତୋହୋର ମୋହୋର ପୂରିବ ମନବାଞ୍ଛା ।୪୮।

କୀଞ୍ଚକ ହସିଲା ସଇରିନ୍ଧ୍ରୀ ବାଣୀ ଶୁଣି

ଜ୍ୱର ଅବସ୍ତାୟେ ଯେହ୍ନେ ନ ରୁଚଇ ଅନ୍ନପାଣି ।୪୯।

ଯହୁଂ ସଇରିନ୍ଧ୍ରୀ ବହୁଡ଼ିଲେ କୀଞ୍ଚକେକୁ ପ୍ରୀତିବଚନ କହି

ଅନ୍ତେଶ୍ୱର ପୁରେ ଦେବୀ ରହିଲେ ଗୋପ୍ୟହୋଇ ।୫୦।

କୀଞ୍ଚେକ ବେଶ ବେଶନ ହୋଅଇ କ୍ଷଣେ କ୍ଷଣେ

ସଇରିନ୍ଧ୍ରୀ ସୁମରନ୍ତେ ଆକୁଳ ପଞ୍ଚପ୍ରାଣେ।୫୧।

ଆଦିତ୍ୟ ଅସ୍ତ ହୋଇବ କେତେବେଳେ

ପୁଣ ପୁଣ ଦୃଷ୍ଟି କରଇ ଆକାଶ ମଣ୍ତଳେ ।୫୨।

ବେନି ପ୍ରହର ବେଳ କମଳ ଲୋଚନ ଦିବାକର

ଅର୍ଘ୍ୟେକ ଘେନି କୀଞ୍ଚକ ନବରୁ ବାହାର ।୫୩।

ପଚ୍ଛିମ ମୂରତି ଯେ ସ୍ୱାମୀ ଦନମଣି

କୀଞ୍ଚେକ ପ୍ରଣପତ୍ୟ କରଇ ସ୍ତୁତିବାଣୀ।୫୪।

ଜୟତୁ ଭାସ୍କର ଗଗନ ଲିଙ୍ଗ ଆଦି

ଯୋଗୀଜନ ଚିନ୍ତାମଣି ତଲୟେ ସମ୍ପାଦି ।୫୫।

ଜୟ ଜୟତୁ ତିମିର ବିଦାରଣ ମାରତଣ୍ତ

ଶୃଙ୍ଗାର ସମ୍ପାଦିଣ ନାଥ ତ୍ରିପୁତି କର ପିଣ୍ତ ।୫୬।

ସ୍ୱାମୀ ତୁ ଯେ ହରିଲୁ ଗଉତମଂକର ପତ୍ନୀ

ତୋହୋରେ ଗୃହଭଗ୍ନ ହୋଇଲେ ଗଉତମ ମହାମୁନି ।୫୭।

ସ୍ୱାମୀ ୟେମନ୍ତ ଅଟଇନା ପର ଦାର ଅବସ୍ଥା

ତୁ ଦେବ ଆପଣେ ଯେ କରତା ବିହନ୍ତା ।୫୮।

ସ୍ୱାମୀ ସଇରିନ୍ଧ୍ରୀ ନିମନ୍ତେଣ ମୋହୋର ବିକୋତଇ ପଞ୍ଚୁଆତ୍ମା

ବେଗ ହୋଇ ଅସ୍ତ ହୋଉକିନା ମହାତମା ।୫୯।

ସଇରିନ୍ଧ୍ରୀ ତୁଲେ ମୁଂ ଯେ କରିବି ରତିରଙ୍ଗ

ମେରୁ ପ୍ରତିକ୍ଷଣ କରିବା ଦେବ ବେଗ ।୬୦।

ସଂଗ୍ୟାର ବଲ୍ଲଭ ତଲୟେ ମମହୃଦେ

ଯମଦଣ୍ତୁ ବଞ୍ଚିବି ନାଥ ତବ ପରସାଦେ ।୬୧।

ଦିବସେ ଦିବାକର ଯାହାର ନାମଗୋଟି

ଶୂଦ୍ରମୁନି ସାରୋଳା ଦାସ ତବ ଚରଣ ତଳେ ଲୋଟି ।୬୨।

ଦିନକର ନାଥଂକୁ ବହୁତ ବିନୟେ କରି

ନିଜ ମନ୍ଦିରେ ପୁଣି ଗମଇ ବାହୁଡ଼ି।୬୩।

ଚତୃଦଶ ଘଡ଼ି ଦିନକର ନାଥ ଗମି

ପୁଣ ପୁଣ ଆନ ବେଶ କୀଞ୍ଚେକ ମତିଭ୍ରମି ।୬୪।

ସୁଶୀତଳ ଜଳେ ପଖାଳଇ ତାହାର କାୟେ

ମୃଗଲାଭ କସ୍ତୁରୀ କ୍ଷଣେ କ୍ଷଣେ ଲେପନ ହୋୟେ କାୟେ ।୬୫।

କ୍ଷଣେ କ୍ଷଣେ ଚତୁସମ କ୍ଷଣକେ ଆନରାଭା

ଆନ ଆନ ଅଳଂକାର ଆଭରଣେ ହୋଇ ବୀର ପ୍ରଭା ।୬୬।

ପୁଣ ପୁଣ ବାହାର ହୋଅଇ କରେଣ ଅର୍ଘ୍ୟେକ ସେ ଘେନି

ସ୍ୱାମୀ କମଳକର ବହନ ହୋଉକିନା ରୟଣୀ ।୬୭।

ତୁ ଦେବ ବିହନ୍ତା ପୁରୁଷ ଆଦି ଅନାଦି ଭାନୁ

ପୁରୁଷଂକର ବିରହ କଷ୍ଟ ପ୍ରତକ୍ଷେ ତୁହି ଜାଣୁ ।୬୮।

ସଂଗ୍ୟାର ନିମନ୍ତେ ଦେବ ବସିଲୁ ଯାଇ କୁନ୍ଦେ

ଅନେଶ୍ୱତ କରିଣ କଲୁ ଦେବ ଛେଦେ ।୬୯।

ଜ୍ୟୋତିଲିଙ୍ଗ ନାମ ବହିଲୁ ଦେବ ତୁହି

ଶତେ ସହସ୍ର କିରଣ ଶରୀରେ ଦେବେବହି ।୭୦।

ଗଗନ ଆଧିନାଥ ନମସ୍ତେ ନମସ୍ତେ

ମମ ପ୍ରାଣରକ୍ଷା ହୋଉ ବହନ ହୋଇବା ଅସ୍ତେ ।୭୧।

ପୁଣି ଯାଇ ପ୍ରବେଶ ହୋଇଲା ନିଜପୁରୀ

ନେଉଟି ପୁଣ ବହୁଡ଼ି ଆସଇ ସଇନ୍ଧିରୀ ।୭୨।

ଛନ୍ନ ଛନ୍ନ ମନ ଅଚେତ ଚିତ୍ତ ଭାବୁଂ

କ୍ଷଣେ କ୍ଷଣେ ବେଶ ବେଶନ କାଢି ପକାୟେ ସବୁ ।୭୩।

ପୁଣି ବିଚାରଇ ସଇରିନ୍ଧ୍ରୀ ଅଇଲେ

ଦେଖି ଦୂଷିବ ମୋତେ ଶରୀରେ ଅଳଂକାର ନ ଥିଲେ ।୭୪।

ପୁଣ ପୁଣ ଆନ ବେଶ ହୋଅଇ କ୍ଷଣେ କ୍ଷଣେ

ପୁରୁ ବାହାର ହୋଇ ଚାହଂଇ ଗଗନେ ।୭୫।

ପଞ୍ଚଦଶ ଘଡ଼ି ରବି ବିଜୟେ ଅଂଶୁମାଳୀ

ରାଗେଣ କୀଞ୍ଚକ ସ୍ୱାମୀକି ଦିଲା ଗାଳି ।୭୬।

ତୁହୋ ଦିନକର ନାଥ ଅଟୁସି ବଡ଼ ଦୋଷୀ

କିମ୍ପା ଆନେ ତୋତେ ଶାପ ଦିଲେ ଗଉତମ ମହଋଷି ।୭୭।

ପ୍ରଳମ୍ବା ବିବାଦେ ତୋତେ ଗିଳିଲା ସୁବାହୁ

ଜାତି ଜାଣିଣ ତୋତେ ଗରାସଇ ଯେ ରାହୁ ।୭୮।

ଅହିଲାକୁ ହରିଲୁ ତୁ ଅତି ଭଣ୍ତୁପଣେ

ଗଉତମ ଶାପ୍ୟ ତୋତେ ଦିଲେ ସେ କାରଣେ ।୭୯।

ଚନ୍ଦ୍ରଭାଗା ଅର୍କତୀର୍ଥେ ହୋଉ ତୁ କୋଣାଅର୍କ ମୂରତି

ଭାସ୍କର ପୁରାଣେ ତୁ ହୋଉଥାଉ ତ୍ରିପୁତି ।୮୦।

ମକର ମାସ ଶୁକଳ ପକ୍ଷ ସଂକ୍ରମଣ ସପତମୀ

ମିଳନ୍ତି ବହୁତ ଜନେ ଭଗତି ଚିତ୍ତେ ସ୍ୱାମୀ।୮୧।

ପଞ୍ଚବିଂଶ ସହସ୍ର ଭଣ୍ତ ପୁରାଣ ଗ୍ରନ୍ଥ

ତୋହୋର ଛାମୁରେ ସେ ହୋଇଥାଇ ଉକତ ।୮୨।

ୟେସନେକ ବେଭାର ଅଟଇ ତୋହୋର କଥା

ଆକାଶର ମାର୍ଗେ ତୁ ଯେ ଅଧର୍ମ ଦେବତା ।୮୩।

ଭାରିଯାର ନିମନ୍ତେ ତୁ କ୍ଷୀନ୍ନକଲୁ କାୟା

ଭଗତ ଜନମାନଂକୁ ତୋହୋର ନ ବସଇ ଦୟା।୮୪।

ହାଥ ପାଇବା ଯାୟେ ଥାଆନ୍ତୁ ଯେବେ କତି

ରାଗ ଶାନ୍ତି ହୁଅନ୍ତା ଦିଅନ୍ତି ତୋତେ ଶାସ୍ତି।୮୫।

ଦିନକର ନାଥ ଯହୁଂ ମେରୁ ଅସ୍ତଗଲା

ବାହୁଡ଼ି କୀଞ୍ଚକ ନିଜ ପୁରେ ପ୍ରବେଶିଲା ।୮୬।

ପୁଣ ଆନ ବେଶ ବେଶନ କୀଞ୍ଚକ ସେନାପତି

ସଇରିନ୍ଧ୍ରୀ ବ୍ୟତିରେକ ତାହାର ଆନେ ନାହିଂ ମତି ।୮୭।

ୟେଥୁ ଅନନ୍ତରେ ଯେ ପାଣ୍ତବ ସୂପକାର

ବେଳଥାଉଂ ସାରିଲା ସେ ରାନ୍ଧଣା ଯୋଗାଡ଼ ।୮୮।

ସୁଶୀତଳ ଜଳରେ ପଖାଳିଲା ତାର କାୟେ

କୀଞ୍ଚକ ବିହୁନେ ତାହାର ଆନ ନାହିଂ ଲୟେ ।୮୯।

ବଲ୍ଲଭ ବୋଇଲା ବ୍ରାହ୍ଣଣ ମାନନ୍ତ ସେ ରାଇ

ଶରୀରକୁ ମୋର ବଡ଼ ଆଳସ ଲାଗଇ ।୯୦।

ରାନ୍ଧଣା ବିଧାନ ହୋ ସରିଲା ମୋହୋରି

ମୁଣୋହିଂ କରାଅ ୟେବେ ମଚ୍ଛଦଣ୍ତଧାରୀ ।୯୧।

ରାଜାକୁ ମୁଣୋହି ଯେବେ କରାଇବ ଯୁଗତି

ଯେବେ ସଂଖୋଳା ମୋତେ କରଇ ମଚ୍ଛପତି ।୯୨।

ଶରୀରକୁ ଅସୁସ୍ତ କହିବ ମୋତ ଜାଣି

ୟେମନ୍ତ ବୋଇଲା ସେ ପାଣ୍ତବ ବୀରମଣି ।୯୩।

ରାନ୍ଧଣା ଯୋଗାଡ଼ ଯେ ବାହାର ପୁରେ ଥାଇ

ଆପଣା ରାନ୍ଧଣା ଯେ ରୋଷୁଅରେ ଚଳାଇ ।୯୪।

ବେଳେକ ମୁଣୋହି କରିଥିଲେ ନୃପବର

ପଖାଳ ମୁଣୋହି ଯେ ବେଗକରି କର ।୯୫।

ଆପଣେ ମୁଣୋହି ସେ କଲା ବୀର ତହିଂ

କୀଞ୍ଚକ ବିନୁ ତାହାର ଆନେ ଚିତ୍ତ ନାହିଂ ।୯୬।

ରାଜାକୁ ପଖାଳ ମୁଣୋହିଂ ଯେ କରାଇ ବୀରମଣି

ପହରକ ଉତ୍ତାରେ ଯେ ପାଞ୍ଚଘଡ଼ି ରୟେଣୀ ।୯୭।

ନଦୀର ତୀରେ ଯାର ପବନ ତନୟେ

ସୁଶୀତଳ ଜଳେ ପଖାଳିଲା ନିଜ କାୟେ ।୯୮।

ସୁମରଇ ପାବେନି ପିତା ଯେ ପବନ

ମରୁତ ଦେବତା ଆସି ମିଳିଲେ ବହନ ସନ୍ନିଧ୍ୟ୍ୟାନ ।୯୯।

ପ୍ରଣପତ୍ୟ ହୋଇସେ ବୋଇଲେ ବୀରମଣି

ନାଟପା ମନ୍ଦିରେ ତୁମ୍ଭେ ଯାଅ ୟେହିକ୍ଷଣି।୧୦୦।

ଅର୍ଜୁନର ତହୁଂ ସେ କାଞ୍ଚଲୀ ସଜ ଆଣ

ସ୍ତୀରିବେଶେ ମାରିବି ଯାଇଂ କୀଞ୍ଚକ ମହାରାଣ।୧୦୧।

ପବନ ବୋଇଲା ଆଣିଦେବି ୟେହିକ୍ଷଣି

ପୃଥିକି ଭାରା ସେ ମୂଢ ମାର ବୀରମଣି ।୧୦୨।

ନାଟପା ମନ୍ଦିରେ ଯାଇ ବିଜୟେ ସମୀର

ଉର୍ବଶୀର ତେଜକାନ୍ତି ଅର୍ଜୁନ ଶରୀର ।୧୦୩।

ଶିରରେ ସୀମଚ୍ଛିନୀ ସେ ମୁକୁତାର ଜାଲି

ନେତେର ସୁସଞ୍ଚ ସେ ରତ୍ନର କାଞ୍ଚଲୀ ।୧୦୪।

ଅର୍ଜୁନର ତହୁଂ ତାହା ସେ ଆଣିଲା ପବନ

ବେଗେ ଆଭରଣ ଯେ ଭୀମସେନ ଶରୀରେଣ ।୧୦୫।

ସ୍ତିରୀବେଶ ଅଳଂକାର ହୋଇଣ ବଲ୍ଳଭ

ତ୍ରଇଲୋକର ମଧ୍ୟ୍ୟେ ଯାହାର ମଣିମାଂ ଦୁଲଭ ।୧୦୬।

କବେରୀ ଭାର ଖୋଷା ଖୋଷିଣ ପାଞ୍ଚାଳ

ପ୍ରବନ୍ଧ କୁନ୍ଦ ଫରୁଆ ଭରିଲା କାଞ୍ଚଲୀ ବକ୍ଷସ୍ଥଳ ।୧୦୭।

ଚନ୍ଦନ କର୍ପୂର ଚତୁସମ ମୃଗନାଭ କସ୍ତୁରୀ

ଗନ୍ଧରସ ଜୁଆଦ ସମସ୍ତ ଶରୀରେ ଲେପନ କରି ।୧୦୮।

ଚିକୁର ବକ୍ର ଚାହାଂଣୀ ଗଭାରେ ଖଞ୍ଜିଲା ସେବତୀ

ପବନ ଦେବତା ଆଣି ପାଦେ ଖଞ୍ଜିଲା ତଡ଼ତି ।୧୦୯।

ଚମ୍ପକ ବକୁଳ ମଲ୍ଲୀ ଯାତୀ ଯୂଥୀ ସେବତୀ

ସମସ୍ତ କୁସୁମ ଘେନି ଖୋଷା ସାଞ୍ଜୋଆନ୍ତି ।୧୧୦।

ଶିରରେ ମୁକୁତାର ଜାଲି ଶୋହେ ଲଲାଟ ପାଚି

କର୍ଣ୍ଣେକ ଗନ୍ଧର୍ବ ତଡ଼କୀ ହୃଦେ କଣୟ ମାଳଗୋଟି ।୧୧୧।

ଭୁଜେଣ ଶୋଭିତ ଯେ କଣୟ ରତ୍ନଚୁଡ଼ି

ପାଦରେ ନୂପୁର ରୁଣଝୁଣ ଝୁଣ୍ଟିଆ ଡାକପାଡ଼ି ।୧୧୨।

ଝୀନବସନ ପରିହରଣ ପାଣ୍ତବ ସୁନ୍ଦର

ଋକ୍ଷଭ ମାସ ଶୁକୁପକ୍ଷ ଦଶମୀ ତିଥିର ।୧୧୩।

ଅର୍କବାରେ ସେ ଦିନ ଯେ ନକ୍ଷତ୍ର ନାମ ହସ୍ତା

ରାତ୍ର ପାଞ୍ଚ ଘଡ଼ିରେ ଚଳଇ ପାଣ୍ତବ ବଳବନ୍ତା ।୧୧୪।

ଉତ୍ସବ ନବରେ ସେ ପ୍ରବେଶ ନିଶାକାଳେ

ରୂପ ଦେଖି ଭୟେ ଦ୍ୱାର ଛାଡ଼ିଲେ ଦ୍ୱାରପାଳେ ।୧୧୫।

ଶୟନ ମନ୍ଦିରେ ସେ ପ୍ରବେଶ ବଲ୍ଲଭ

ଦେଖଇ ପରିମଳ ପୁର ଅତୀୟ ସୁଲଭ ।୧୧୬।

ଜଳନ୍ତି ଦୀପାଳୀ ଯେ ମନ୍ଦିର ଚଉକତି

ଭୀମସେନ ନ ଦେଖିଲା କୀଞ୍ଚକ ସେନାପତି ।୧୧୭।

ବିଚାରଇ ସୂପକାର ସେ ନୁଆସି ଆସିକରି ଗଲା

ୟେ ମୋହୋର ଆସିବାରେ ଅବା ବିଳମ୍ବ ହୋଇଲା ।୧୧୮।

ଦିବ୍ୟ ପଲଂକେ ପଡିଛି ଶେଯ ଯେ ସୁପାତି

ଶରଧେ ଶୁତିଲା ତହିଂ ପାଣ୍ତବ ଭୋଳମତି ।୧୧୯।

ଜଳନ୍ତା ଦୀପାବଳୀ ଯେ ସମସ୍ତ ନିବାଇଂ

ନିଚିନ୍ତେଣ ଭୀମସେନ ଯେ ଶୋଅଇ ନିଦ୍ରାଯାଇ ।୧୨୦।

ଦ୍ୱାରେ ପଶନ୍ତେଣ ଲିହିଅଛି ଭୀମସେନ

ୟେସନେକ ଲଂଘନ୍ତେ ତୋର ପୂରିବ ଜୀବନ ।୧୨୧।

ୟେଥୁ ଅନନ୍ତରେ ରାତ୍ର ଦ୍ୱାଦଶ ଦଣ୍ତର

କାଳବେଳା ହୋଇଅଛି ଗମନ ଶନିଶ୍ଚର ।୧୨୨।

ଅନେକ ବେଶ ବେଶନ କୀଞ୍ଚକ ସେନାପତି

ପୁରୁ ବାହାର ହୋଇଲା ଦେଢ ପହର ରାତି ।୧୨୩।

ଆଲଟ ଚାମର ଯେ ଢାଳନ୍ତି ଯୁବତୀ

ଅନେକ ହୁଳା ସେ ଲାଗିଲା ଚଉକତି ।୧୨୪।

ମଦନ ଆରତେ କୀଞ୍ଚକ ବାହାର ହୋଇଲା

ପ୍ରଥମେ ପାଦ ବଢାନ୍ତେ କୀଞ୍ଚକ ଆପଣେ ଛିଂକିଲା ।୧୨୫।

କାମରେ ବିଭୋଳେ ସେ ନ ମଣଇ କିଛି

ମଧୁର ଲୁବୁଧେ ଯେହ୍ନେ ପଢଇ କୀଟମାଛି ।୧୨୬।

ନବରୁ ବାହାର ହୁଅନ୍ତେ କୀଞ୍ଚକ ପଚ୍ଛିମ ମୂରତି

ଫେରୁଧରି ଉଭା ଉଡଙ୍ଗ ଦେଇ ମହାଛତ୍ରୀ ।୧୨୭।

ବାଟ ଛାଡ଼ିଣ ବୀର ଗମଇ ରତି ଆଶେ

ବଇଲ ବନ୍ଧନ ଯେହ୍ନେ ଗମଇ ସନ୍ତୋଷେ ।୧୨୮।

ଆଗରେ ଝିଂକନ୍ତି ଯେ ବିଧବା ବନିତା

ଅଦଭୁତେ ଉଲୁକ ଡାକ ଦିଅଇ ଅପ୍ରମିତା ।୧୨୯।

ଛାମୁରେ ବିକଟାଳେ ସେ ରୁବନ୍ତି ଭେରଣ୍ତା

ଭୁଜରୁ ଝଡ଼ି ପଡିଲା ତାର ଝମକାନ୍ତେ ଖଣ୍ତା ।୧୩୦।

ଆଣ୍ଠୁରେ ପଡିଣ ତାହାର ବହଇ ରୁଧିର

ରଣ ମାତଙ୍ଗ ଜାଣି ସେ କାମେଣ ଆତୁର ।୧୩୧।

ବାମ ନୟନ ତାର ଘନ ଘନ ଫୁରି

ପଛେଣ ରହି ଶ୍ୱାନେ ଦିଅନ୍ତି ବିକଟାଳ ରଡ଼ି ।୧୩୨।

ଛାମୁରେ କହିଲା ଆସି ପ୍ରିୟମ୍ବଦା ମୁଦୁସୁଲୀ

ସ୍ୱାମୀ ବଡାଇ ଅଶୁଭ ମୁହିଂ ସଂକୁନ୍ୟ ଦେଖିଲି ।୧୩୩।

ସ୍ୱାମୀ ୟେମନ୍ତେ ଅନକୂଳେ ଯେ ପଥ ବାହି ଯାଇଂ

ଗଲେ ବାହୁଡ଼ି ନୁଆସଇ ଆବର ଜୀବନ ନପାଇ ।୧୩୪।

ସ୍ୱାମୀ ଆବର କଥାୟେକ ଶୁଣିମା ମହାଛତ୍ରୀ

ଦୁରାପଦ ସପନ ଗୋଟାୟେ ଦେଖିଲଇଂ ଆଜ ରାତି ।୧୩୫।

ସ୍ୱାମୀ ଯାଉଂ ଯାଉଂ ପଡ଼ିଲେ ତୁମ୍ଭେ ଗମ୍ଭୀର ଅଗାଦେ

ଅସ୍ଥିମାଳା ଗୋଟାୟେକ ଲୁଳେ ତୁମ୍ଭ ହୃଦେ ।୧୩୬।

ସ୍ୱାମୀ ହାତରୁଂ ବେନିଚୂଡ଼ି ତୁଟାଇ ଠାକୁରାଣୀ

ତୁମ୍ଭର ଶିରେ ତାହା ନିବେଶିଲେ ଆଣି ।୧୩୭।

ସେ ଜୀର୍ଣ୍ଣକୂପରୁ କାଢି ଆଣିଲା ୟେକବୀରେ

ଅସ୍ତି ମାୟେଂସ ଲୋଚାକରି ତୁମ୍ଭଂକୁ ଚାପିଲା କାଖରେ ।୧୩୮।

ସ୍ୱାମୀ କୁଟୁମ୍ବପାଳ ତୁମ୍ଭର ୟେକନାବେ ଯାନ୍ତେ ବସି

ମଝି ନଦୀରେ ନାବ ଭାସି ସର୍ବେ ହୋଇଲେକ ଧ୍ୱଂସି ।୧୩୯।

ଅନେକ ବିପତ୍ତି ବୋଲି ଯେ କହିଲା ପ୍ରିୟମ୍ବଦା

ରୋଷେ କୀଞ୍ଚକ ଶୁଣି ବୁଲାଇଲା ବେନିଗଦା ।୧୪୦।

ବୁଲାବନ୍ତେ ଗଦା ଯେ କପାଳେ ତାହାର ବାଜି

ଲଲାଟ ପାଟିରୁ ବାହାର ରୁଧିର ଗଳଗାଜି ।୧୪୧।

କୀଞ୍ଚକ ବିମୁଖେ ଗଦା ଯେ ହାଥରୁ ପକାଇଲା

ମୁଦୁସୁଲୀ ବହୁତ ତିଆରି କହିଲା ।୧୪୨।

ତାହାର ବଚନ ସେ କେବେହେଂ ନ ଶୁଣଇ

ବଧିର ଆଗରେ କମ୍ବୁ ଶବଦ କି ବାଇ ।୧୪୩।

ଯେତେବେଳେ ପ୍ରାଣ ଛାଡ଼ି ଲୋଡ଼ଇ ନିଜ ଦେହୀ

ପୁତ୍ର ବଧୂ ଭାରିଯା ମୁହାଂସ ଛାଡ଼େ ସେହି ।୧୪୪।

ଅନ୍ଧ ପଟଳ ଯେହ୍ନେ ଲାଗଇ ସନ୍ଦେହ

ବନ୍ଧୁ ସହୋଦ୍ର ଦେଖିଲେ ଆବର ନ ବଢାନ୍ତି ସେ ମୋହ ।୧୪୫।

ୟେତେ ଉତପାତ ଅପ୍ରମାଣ ହୃଦେ

କିଛିହିଂ ନ ଜାଣଇ ସେ ମଦନ ବିଷାଦେ ।୧୪୬।

ୟେତେକ ବିପଦ କଥା ସେ ପ୍ରିୟମ୍ବଦା କହଇ

ୟେମାନ କିଛିହିଂ ସେ ମନରେ ନ ଘେନଇ ।୧୪୭।

ୟେସନେକ ବେଳେ ବାଆ ଯେ ବହିଲା ଅଦ୍ଭୁତେ

ଦିହୁଡ଼ି ହୁଳାମାନେ ଯେ ଲିଭିଲେ ସମସ୍ତେ ।୧୪୮।

ଅନ୍ଧାର ମନ୍ଦିର ଯେ ବିଜୟେ ବୀରଚାପେ

ପୁର ଚଉକତି ଦରାଣ୍ଡଇ ବୀର ଦର୍ପେ ।୧୪୯।

ସଇରିନ୍ଧ୍ରୀ ସଇରିନ୍ଧ୍ରୀ କୋମଳେ ଦିଅଇ ହାକ

ରେ ପ୍ରାଣ ବଲ୍ଲଭୀ ମୋହୋର ପଞ୍ଚୁପ୍ରାଣ ରଖ ।୧୫୦।

ବଚନ ସମସ୍ୟା ନ ପାଇ କୀଞ୍ଚକ ବୋଇଲା

ନିହାଇ ଆସଇ କି ଆସିଣ ବାହୁଡ଼ିଣ ଗଲା ।୧୫୧।

ଦ୍ଵାରପାଳେ ବୋଇଲେ ଆମ୍ଭ ସମସ୍ତେ ଦେଖିଲୁ ପ୍ରତକ୍ଷେ

ଠାକୁରାଣୀଂକି ଦେଖି ଆମ୍ଭେ ହୋଇଲୁ ଅନ୍ତର୍ଗତେ ।୧୫୨।

ଦୃଢକରି କୀଞ୍ଚକ ଦରାଣ୍ଡଇ ବେନିହାଥେ

ନିଜ ଭୁଜ ପଡିଲା ଯାଇଂ ଭୀମସେନର ଗାତ୍ରେ ।୧୫୩।

ଦରିଦ୍ର ହାଥେ ଯେହ୍ନେ ପଡ଼ିଲାକ ନିଧି

ତେସନେକେ କୀଞ୍ଚକକୁ ପ୍ରାପତ ସମ୍ପ୍ରଦ୍ଧି ।୧୫୪।

ଆଶ୍ଵାସି ଶିରେ ନେଇ ଦିଲା ଦକ୍ଷିଣ କର

ଆକୋଂଚିତ କବେରୀ ଯେ ସୁସଞ୍ଚ ଖୋପା ଚିକୁର ।୧୫୫।

ଆରେ ସଖି ତୁ ମୋହୋର ପଞ୍ଚୁପ୍ରାଣ ସମ

ୟେ ପ୍ରବନ୍ଧ ଖୋପା ଯେ ତୋର ଘେନିଯାଇ ଆପାଦ ମମ ।୧୫୬।

ୟେ ଗଣ୍ଡସ୍ଥଳ କପାଳ ତୋର ରସାଣିଲା ସୁବର୍ଣ୍ଣ ଜାଣି

ତହିଂର ଆପାଦ ମୁଂ ଘେନଇ ସଂଘାତୁଣୀ ।୧୫୭।

ଆରକ୍ତ ଅବଲୋକନ ତୋହୋର ଚକ୍ଷୁ ବେନି

ତହିଂର ଆପାଦ ସଖିରେ ମୁଂ ଯାଇକିନା ଘେନି ।୧୫୮।

ଅତୁଟିତ ତିଳଫୁଲ ଦିଶଇ ତୋହୋର ନାସା

ତହିଂର ନିଉଛାଣି ମୁଂ ଯାଇକିନା ମନୀଷା ।୧୫୯।

ପଂକୁ ବିମ୍ବପଳ ଜାଣି ତୋହୋର ଅଧର

ତହିଂର ଆପାଦ ଯେ ପଡୁ ମମ ଶିର ।୧୬୦।

ପାଚିଲା ଡାଳିମ୍ବ ବୀଜ ଜାଣି ତୋହୋର ଦଶନ

ତହିଂର ଆପାଦ ମୁଂ ଘେନି ଯାଇଂ କିନା ପୁଣ ।୧୬୧।

ସଞ୍ଚ ପୋୟେଳା ଜାଣି ତୋହୋର ରସନା

ତହିଂରେ ନଉଛାଣି ଯିବି ରେ ବରାଙ୍ଗନା ।୧୬୨।

ଲୁଳିତ କଣୟ କାପ ଶ୍ରବଣ ଗଣ୍ଡସ୍ଥଳ

ତହିଂର ଆପାଦ ମୋର ପଡ଼ୁ ବକ୍ଷସ୍ଥଳ ।୧୬୩।

ଅଣ୍ଡିର କୋକିଳ ଜାଣି ତ ବାଣୀ ସୁସ୍ଵର

ତହିଂରେ ନିଉଛାଣି ପଡୁ ମୋହୋର ମାଥର ।୧୬୪।

ଘଟଣ କୁନ୍ଦ ଜାଣି ତୋହୋର ସ୍ଥଳଗଣ୍ଡା

ସୁସ୍ଵର କର୍ଣ୍ଣଗୋଟି ତୋହୋର ଯାଇ ପରିମୁଣ୍ଡା ।୧୬୫।

କମଳ ମୃଣାଳ ଜାଣି ତୋହୋର ବେନିବାହା

ତହିଂର ଆପାଦ ପଡୁ ୟେ ମୋହୋର କାୟା ।୧୬୬।

କନକ ଚମ୍ପକ ଜାଇପାଖୁଡା ପ୍ରାୟେ ଅଙ୍ଗୁଳି ନଖ

ମୁହିଂ ତହିଂର ନିଉଛଣା ଯାଇ ରେ ନିରେଖ ।୧୬୭।

ଆରମ୍ଭ ବକ୍ଷସ୍ଥଳ ସୁବଟୁଳ ସ୍ତନପାଖୁ

ତହିଂର ଆପାଦମାନ ପଡୁ ମମ ଚଛୁ ।୧୬୮।

ଘଟଣା କୁମ୍ଭପ୍ରାୟେ ତୋହୋର କୁଚ ଯୁଗଳ

ତହିଂର ଆପଦ ମୋର ପଡୁ ବକ୍ଷସ୍ଥଳ ।୧୬୯।

ସଂକୀର୍ଣ୍ଣ ମଝା ଯେ କୃପଣର ଦାନ ଜାଣି

ତହିଂର ନିଉଛାଣି ଘେନଇରେ ସଂଘାତୁଣୀ ।୧୭୦।

ସୁଲଳିତ ଜାଣିଣ ତୋହୋର କୋମଳ ପିଠି

ୟେଥିର ଆପାଦ ପଡ଼ଇ କିନା ମୋର ଦୃଷ୍ଟି ।୧୭୧।

ଆରମ୍ଭ ବିସ୍ତାର ସଖି ତୋହୋର ବେନିଜାନୁ

ତହିଂର ନିଉଛଣା ପଡ଼ଇ କିନା ମୋହୋର କୁରୁଶାନୁ ।୧୭୨।

ସୁଲଳିତ ଲୀଳା ତୋର ଚାଲନ୍ତେ ସିଂଘଗତି

ତହିଂର ନିଉଛୁଣାଂ ମୁଂ ଯାଇକିନା ନିତି ।୧୭୩।

ଭ୍ରମର ପୋକ ଜାଣି ତୋହୋର ହୃଦୟ ରୋମାବଳୀ

ତହିଂର ନିଉଛୁଣା ଯାଇଂ ନିତିଓଳି ।୧୭୪।

ରକତ କୁମୁଦ ପ୍ରାୟେ ପାଦ ତଳିର ରେଖି

ତହିଂର ନିଉଛଣା ମୁଂ ଯାଇ କିନା ସଖୀ ।୧୭୫।

ପୟରେ ଅଙ୍ଗୁଳି ତୋହୋର ସୁଘଟିତ ପୋୟେଳା

ୟେଥିର ଚିହ୍ନ ମୋହୋର ବସୁ ବକ୍ଷସ୍ଥଳା ।୧୭୬।

ଅନେକ ଚାଟୁ ବଚନ କୀଞ୍ଚକ ବାଉନି

ପୁରୁଷ ବିରହିତା ନବମ ଅବସ୍ତା ଅଛି ଘେନି ।୧୭୭।

ପୁଣ ପୁଣ ବୋଲଇ ସଖୀ ମୁହିଂ ବଡ ଦୋଷୀ

ଅପାର ବିଳମ୍ବ କଲି ଦେଢ ପହର ହେଲା ନିଶି ।୧୭୮।

ତହିଂକି କୋପ ମୋତେ ହୋଇଲା କି ତୋହୋର ମନ

ନିଜ ଭୁଜ ଘେନି ମୋତେ କରସି ଗୋ ବନ୍ଧନ ।୧୭୯।

ନଖ ଦନ୍ତଘାତେ ବିକୋତ ମୋହୋର ଦେହ

ନୟନ ବାଣ ବିନ୍ଧ ମୋର ବଢୁ ଯେ ସେନେହ ।୧୮୦।

ସଖି ରତିବନ୍ଧେ ପାଡ଼ିଣ ବକ୍ଷସ୍ଥଳେ ମୋହୋର ବସ

ହୃଦଖଣ୍ଡ ବିଦାର ପୂରୁ ତୋହୋର ଆକ୍ରୋଶ ।୧୮୧।

ପୁରୁଷ ଦର୍ପ ଭଞ୍ଜନୀ କି ସାଧୁ ଯୋଗମୁଦ୍ରା

ବିରହିତା ବାମା ହୋଇ କିମର୍ଥେ ୟେଡ଼େ ନିଦ୍ରା ।୧୮୨।

ଅନେକ ଚାଟୁ ବଚନ କହଇ ମଦନ ଆରତେ

ଆବୋରି ଶୁତିଲା ଥନ ଆଉଂସି ବାମହାଥେ ।୧୮୩।

ଉପରେ ନଦିଲା ନେଇ ବାମ ପାଦଗୋଟି

ଦକ୍ଷିଣ ହାଥେ ଫେଡଇ ନୀବିବନ୍ଧ ଗୋଟି ।୧୮୪।

କଦଳୀ ଫଳ ପ୍ରାୟେ ଲାଗିଲା ତାର ହାଥେ

କୀଞ୍ଚକ ବୋଇଲା ୟେତ ସ୍ତିରୀ ନୋହୋଇ ଯୁଗତେ ।୧୮୫।

ଯୋନିମାର୍ଗେ ହାଥ ଦିଅନ୍ତେ ପୁରୁଷ ଲକ୍ଷଣ ଅଛି

ସଇରିନ୍ଧ୍ରୀ ନୁହଇ ବୋଲି ସେ ମନେ ବିଚାରୁଛି ।୧୮୬।

କଦଳୀ ପତ୍ର ଜାଣି କମ୍ପଇ ତାର ଅଙ୍ଗ

ଗର୍ଜନ ନାଦ କରି ଯେହ୍ନେ ଉଠଇ ନରସିଂଘ ।୧୮୭।

କୀଞ୍ଚକ ମଉନବ୍ରତ ହୋଇଛି ମତିଭ୍ରମେ

କିଛିହିଂ ନ ଜାଣଇ ସେ କାମର ଅସାଷ୍ଟମେ ।୧୮୮।

ଶୁଣ ହୋ ଚଇତନ କାମର ଅବସ୍ଥା ୟେହେନ୍ନେ

କୀଞ୍ଚକ ବାରି ନୁଆରିଲା ସ୍ତିରୀ ପୁରୁଷ ଅଙ୍ଗ କେହ୍ନେ ।୧୮୯।

ଭୀମସେନ କୀଞ୍ଚକକୁ ପାଡ଼ିଲା ଆକ୍ରେଷି

ଲେଉଟାଇ କୀଞ୍ଚକ ଯେ ଭୀମକୁ ମାଡ଼ିବସି ।୧୯୦।

ହୃଦୟେଣ ବସି ମୁଖେ ଭିତି ଦିଅଇ ଚୁମ୍ବନ

ବିଚାରି ବୁଝିଲା ୟେତ ବଡ଼ାଇ ଆରମ୍ଭିଲା ମାନ ।୧୯୧।

ଶତଶୃଙ୍ଗ ଶାପ୍ୟ ଯେ ଦେଇଛି ବାଳକାଳେ

ତଦଦୋଷେ ଭୀମସେନ ପଡ଼ିଅଛି ତଳେ ।୧୯୨।

ପୁଣ ପୁଣ କୀଞ୍ଚକ ଚୁମ୍ବନ ଦିଅଇ ଯେ ମୁଖେ

ଶରୀର ବୁଡ଼ିଲା ତାହାର କାମରସେ ଦୁଖେ ।୧୯୩।

ଶତଶୃଙ୍ଗ ପର୍ବତକୁ ଭୀମ କଲା ସୁମରଣ

ବ୍ରିକୋଦର ମୂରତି ଭୀମ ବିକାଶିଲା ତତକ୍ଷଣ ।୧୯୪।

ଥମ୍ବୁ ନରସିଂଘ ଦେଖି ଯେହ୍ନେ ହରଣ୍ୟକଶିପୁ

ଆକ୍ରେଷଣେ ବଢିଲା ଯେହ୍ନେ ନବ ସହସ୍ର ଯୋଜନ ବପୁ ।୧୯୫।

ତେସନେକ ପରାୟେ ଯେ ସୂପକାର ବଲ୍ଲଭ

ଗୁପତ ପ୍ରତଗ୍ୟାଂ ସେ କରଇ ଦେବଂକୁ ଦୁର୍ଲଭ ।୧୯୬।

ଧାତିକାରେ କୀଞ୍ଚକକୁ ପାଡ଼ିଲା କୋପାନଳେ

ରେ ରେ କାର କରି ମାଡ଼ିବସିଲା ବକ୍ଷସ୍ଥଳେ ।୧୯୭।

ଅଧର ପୁଷ୍ଟ କରି ଚାପଇ ବୀର ଦନ୍ତ

ମହାମତ୍ତ ଗଜପ୍ରାୟେ କରଇ ସିଦ୍ଧାନ୍ତ ।୧୯୮।

ରେ ରେ ମାନବା ରେ ୟେଡ଼େକ ତୋହୋର ଦର୍ପ

ହୀନଜନ ହୋଇ ରେ ବୋଲାଉ ୟେତେ ଚାପ ।୧୯୯।

ଆରେ ଆରେ ମାନବା ଭାରିଯା ମୋହୋର ହରୁ

କିଞ୍ଚିତ ପ୍ରାକ୍ରମେ ତୁ ଚାଳିତେ ଲୋଡୁ ମେରୁ ।୨୦୦।

ଆରେ ଆରେ ମାନବା ତୁ ୟେଡ଼େତ ଭରସୁ

ଦେଖୁଂ ଦେଖୁଂ ଅନଳ ଭିତରେ କେହ୍ନେ ପଶୁ ।୨୦୧।

ରେ ରେ ମାନବା ସରିଲା ତୋହୋର ଜୀବ

କେ ତୋତେ ରକ୍ଷାକରୁ ବିଧାତା ଇନ୍ଦ୍ର ଶିବ ।୨୦୨।

ରେ ରେ ମାନବା ନ ଜାଣୁ ପଞ୍ଚଗନ୍ଧର୍ବ ଅଛନ୍ତି ବୋଲି

ଶୁଣିକରି ବଣା ହୋଇଲୁ ସଇରିନ୍ଧ୍ରୀ କହିଲା ତୋତେ କାଲି ।୨୦୩।

ରେ ରେ ମାନବା ସୁମର ତୋହୋର ମାତାପିତା

ରେ ରେ ମାନବା ସୁମର ତୋହୋର ଇଷ୍ଟ ଦେବତା ।୨୦୪।

ଆରେ ଆରେ ମାନବା ପୂରିଲା ତୋହୋର ମନବାଞ୍ଛା

ଆୟିଷ ପୂରିଲା ୟେବେ ତୋତେ କେହୁ କରୁ ରକ୍ଷା ।୨୦୫।

ଆରେ ଆରେ ମାନବା ଜୀବନ ଶେଷକାଳେ

ସଞ୍ଚୟେ ବସିବୁ ଆଜ ସଞ୍ଜୀବନୀ ମଣ୍ଡଳେ ।୨୦୬।

ସଇରିନ୍ଧ୍ରୀ ଆଶା କରି ଯିବୁ ଆଜି ସଂଜୀବନୀ ପୁରେ

ରେ ରେ ମାନବା ନାଶକର ପାଞ୍ଜି ପୋଛିଲା ତୋହେରେ ।୨୦୭।

ରେ ରେ ମାନବା କେ ପାରେ ଆଜ ତୋତେ ରଖୁ

ତିରଣ ପ୍ରମାଣେ ଆଜ ବିକୋତିବି ତୋର ବୁକୁ ।୨୦୮।

ରେ ରେ କୀଞ୍ଚକ ପାମର ତୋହୋର ୟେତେକି ହୀନବୁଦ୍ଧି

ସଞ୍ଚୟେ ବୁଡ଼ାଇଲୁ ଆଜ ବିରାଟ ସମ୍ପ୍ରଧି ।୨୦୯।

ପୁଣ ପୁଣ ପ୍ରତଗ୍ୟାଂ କରଇ ପାଣ୍ଡବ ବଳିଷ୍ଠ

ବେନିପାଟି ଚାପିଣ ଅଧର କଲା ପୁଷ୍ଟ ।୨୧୦।

ନରସିଂଘ ଅବତାର ପ୍ରାୟେ ଦିଶଇ ତାହାର କାୟେ

ବେନିଚକ୍ଷୁ ବୁଲାଇଲା କାଳଚକ୍ର ପ୍ରାୟେ ।୨୧୧।

ବକ୍ଷସ୍ଥଳେ ପାଦଦେଇ ଭାଞ୍ଜିଲା ତାର ବୁକୁ

ଜାନୁର ଭିତରେ ନେଇ ଚାପିଲା ଶିରକୁ ।୨୧୨।

ରଟମଟ ଶବଦ ଶୁଭିଲା ମହାଘୋର

ଚତୁରୀ ସ୍ତିରୀମାନେ ଯେ କରନ୍ତି ବିଚାର ।୨୧୩।

ବୋଇଲେ ସଇରିନ୍ଧ୍ରୀ ସାମାନ୍ୟ ନୁହଂଇ ସଖୀ

ୟେଡ଼େ ଶୃଙ୍ଗାର କେମନ୍ତେ ସହିବ ଶଶୀମୁଖୀ ।୨୧୪।

ଶତେଶିଂଘର ପ୍ରାକ୍ରମ କୀଞ୍ଚକ ମହାରାଣ

ସଇରିନ୍ଧ୍ରୀ ମାତ୍ରକ କାହିଂ ତହିଂକି ସହମାନ ।୨୧୫।

ଅନେକ ଉପହାସ ଦୂଷିତ ବୋଲାବୋଲି

ନିଶି ଅର୍ଦ୍ଧମାନେ ଯେ ଯାହା ପୁରକୁ ଚଳିଲେ ପୋଇଲି ।୨୧୬।

କୀଞ୍ଚକକୁ ଧରିଣ ସେ ପାଣ୍ଡବ ବୀରମଣି

ବେନିଜାନୁ ଭିତରେ ଶିର ଚାପିଲାକ ଆଣି ।୨୧୭।

ହୃଦୟ ବିଦାରିଣ ବେନି ଚରଣ ବରି

ଭୁଜ ଛନ୍ଦିଣ ସେ ପିଠିକତିକି ସଞ୍ଚାକରି ।୨୧୮।

ମୁଣ୍ଡ ମୋଡ଼ିଣ ସେ ପ୍ରହାର କଲା ମୁଥେ

ମଳଦ୍ଵାର ଭିତରେ ଯେ ପଶିଲା ଚାପନ୍ତେ ।୨୧୯।

ମୁଣ୍ଡ କଟି କର ଜାନୁ ସମସ୍ତ କଲା ଲୋଚା

କୁଷ୍ମାଣ୍ଡ ଫଳ ଜାଣି ମେଦିଲା ୟେକସଞ୍ଚା ।୨୨୦।

ଚାଳ ଉରା ଉପରେ ଥୋଇଲା ତାହା ନେଇ

ବିକ୍ରମ ରୂପ ଧରି ଯେ ବଲ୍ଲଭ ଆସଇ ।୨୨୧।

ୟେହା ଶୁଣି ଅଗସ୍ତିଂକି ବଇବସୁତ ମନୁ ପୁଚ୍ଛାକଲା

ଶତସିଙ୍ଘ ପ୍ରାକର୍ମ କୀଞ୍ଚକର କିସ ଯେ ହୋଇଲା ।୨୨୨।

ଶୁଣ ହୋ ମନୁ ପୁରୁଷ ବଦୟନ୍ତି ବ୍ରହ୍ମବେତ୍ତା

ଶତସିଙ୍ଘ ପରାକ୍ରମ ବଳେ ସେ ଶକତା ।୨୨୩।

ସଇରିନ୍ଧ୍ରୀ ଶରୀର ସେ ଛୁଇଂଲା ଯେତେବେଳେ

ଶିରୀ ଆଷ୍ୟ ତୁଟିଗଲା ପୁଣି ଆବୋରିଲା ଆସି କାଳେ ।୨୨୪।

ନିଜ ବଳବୀର୍ଯ୍ୟ ତୁଟିଲା ଯେ ହୋଇଲା ବପୁକ୍ଷୀଣ

ୟେକ ସିଂଘ ବଳେ ନାଶ ବିଧାତା ଲେଖନ ।୨୨୫।

ବଶିଷ୍ଠଂକ ଶାପେ ନାଶ କୀଞ୍ଚକ ସେନାପତି

ଭାମସେନ ବାହାର ହୋଇଲା ତେରଘଡ଼ି ରାତି ।୨୨୬।

କାଢିଲା ତିରୀବେଶ ହୋଇଲା ସୂପକାର

ରାତ୍ରଥାଉଂ ପଶିଲା ସେ ରାନ୍ଧଣା ବିଧାନର ।୨୨୭।୩୮୯୭।

 

Unknown

କୀଚକର ମୃତଦେହ ଦର୍ଶନେ ବିରାଟଙ୍କ ଶୋକ

ରୟଣୀ ପ୍ରଭାତେ ସ୍ରାହାନ ସାରିଣ ମଚ୍ଛରାୟେ

ପ୍ରୋହିତ ଅବଧାନେ ଦୋବାର୍ଚ୍ଚନ କୟେ ।୧।

ବିଜୟେ ଆସ୍ତାନରେ ମଚ୍ଛାଧିପେଶ୍ଵର

ବିପରୀତ ସପନ କହଇ କୋନ୍ତଂକ ଛାମୁର ।୨।

ସପନ ବିଡ଼ମ୍ବଣ ଶୁଣିମା ପଣ୍ଡାୟେ

ରାତ୍ର ନବ ଘଡି ହୋଇଅଛି ଅସାଷ୍ଟମ କାୟେ ।୩।

ଅଦଭୁତେ ସମର ହୋଉଅଛି ମୋର ପୁରେ

ନାଚନ୍ତି କୋବନ୍ଧେ ଯେ ଲୁଟନ୍ତି ଭୂମିରେ ।୪।

ୟେକଇ କଣକ ସେ ଅନେକ ଜଣେ କଚାଡ଼ି

ଫିଙ୍ଗିଣ ପକାବଇ ରଜକ ଯେହ୍ନେ ଶାଢୀ ।୫।

କେଶବାସ ଅସମ୍ଭାଳ ଚୂଡ଼ିନ୍ତ ଭାଞ୍ଜି ବାଳୀ

ନବର ଚଉକତି ସେ ପାଡ଼ନ୍ତି ବୋବାଳି ।୬।

ଅସ୍ଥି କପୋରାୟେ ଶ୍ରୀକୃଷ୍ଣା ପୂରୋଇ

ମୁଣୋହି ଆସ୍ତାନେ ଥୋଇଲେ ମୋହୋର ନେଇ ।୭।

ମହୁ ମାୟେଂସ ରୁଧିର ଝରୀରେ ପୂରୋଇ

ମୋହୋର ସନ୍ନିଧ୍ୟେଣ ଥୋଇଲେକ ନେଇ ।୮।

ତଇଳ କପାସ ମେଦି ଘଷଇ ମୋହୋର ପାଦେ

ନରଶିର ମାଳା ଗୋଟାୟେ ଲମ୍ବାଇ ମୋହୋର ହୃଦେ ।୯।

ମୋହୋର ବିଚାରକୁ ତ ନ ଦିଶଇ ଭଲ

ଆଜର ଦିନତ ମୋତେ ନ ଯାଇ ସମତୁଲ ।୧୦।

କୋନ୍ତେ ବୋଇଲେ ରାଜା ହୋଇଲୁ କି ବାଇ

ଦୁଲଭ ହୋଉ କି ସୁଲଭ ହୋଉ ସପନକୁ ମନ୍ଦ ବୋଲିତ ନ ଯୋଗାଇ ।୧୧।

ବିରାଟ କହନ୍ତେ ଯେ ଛଡ଼ଦଣ୍ଡ ବେଳା

ଅମନାତ୍ୟ ଯୋଦ୍ଧା ଆଦି ସମସ୍ତେ ହୋଇଲେ ମେଳା ।୧୨।

ଅନେଶ୍ଵତ ଶଳା ଯେ ପ୍ରବେଶ ହୋଇଲେ ଆସି

କୀଞ୍ଚକକୁ ନ ଦେଖି ବିରାଟ ଉନ୍ମେଷି ।୧୩।

ବିରାଟ ପଚାରଇ ଯେ ତୁହାଇ ତୁହାଇ

ସଭାତ ନ ଶୋହିଲା କୀଞ୍ଚେକ ମୋର ନାହିଂ ।୧୪।

ଚାରଗଣେ କହିଲେ ଯେ ଦେବ ସଇରିନ୍ଧ୍ରୀ ବିନୋଦେ

ଉଚ୍ଛବ ନବରେ ସେ କ୍ରୀଡାରସ ରଙ୍ଗ ହାଦେ ।୧୫।

ବିରାଟ ବୋଇଲେ ଯେ ହାକାରି ଆଣ ଯାଇଂ

ଦେଖ କୋନ୍ତେ ସଇରିନ୍ଧ୍ରୀ କାଲି ବୋଲୁଥିଲା ନାହିଂ ନାହିଂ ।୧୬।

ନାଗରୀ ତିରୀମାନଙ୍କର ବେଭାର ୟେସନ

ନିଗମ ଭୂମିକୁ କଢାଇ ନେଲା ମନୋହର ବନ ।୧୭।

ରାତ୍ର ଯାଇ ବେଳ ପହଡେ ହୋଇଲା

ୟେତେବେଳ ପରିଯନ୍ତେ ଛାଡ଼ି ନ ଦିଲା ।୧୮।

ରାଜାର ବଚନେ ଯେ ବେଗେ ଗଲେ ଦୂତେ

ଉଚ୍ଛବ ନବରେ ଯାଇଂ ପ୍ରବେଶ ସମସ୍ତେ ।୧୯।

ଭିତରେ ପଶିଣ ଯେ ଲୋଡ଼ନ୍ତି ଚଉକତି

କୀଞ୍ଚେକ ନାମ ଧରି ଉଚ୍ଚସ୍ଵରେ ଡାକ ସେ ଦିଅନ୍ତି ।୨୦।

ଲୋଡ଼ିଣ ନ ପାଇଲେ ନବର ଚଉପାଶେ

ଦିଉଡ଼ିନ୍ତ ଲଗାଇ ପ୍ରବେଶ ନିଅବକାଶେ ।୨୧।

ଦେଖିଲେ ମେଦ ଗୋଟାୟେ ପଡିଅଛି ବିଭଳି

ଶରୀର ତାହାର ତାମ୍ରବର୍ଣ୍ଣ କିଂଶୁକ ପୁଷ୍ୟଓଳି ।୨୨।

ରାଜାର ଛାମୁରେ ଜଣାବନ୍ତି ଦୂତେ ଯାଇ ବେଗେ

କୀଞ୍ଚେକ ଠାକୁରେ ନାହାନ୍ତି ଉଚ୍ଛବ ନବର ଭାଗେ ।୨୩।

ମେଦ ଗୋଟିୟେକ ଦିଖିଲୁ ଅଛଇ ତହିଂ ପଡି

ଯେସନେକେ ଦେଶଇ ଦେବ ତାମ୍ରବର୍ଣ୍ଣ ଗିରି ।୨୪।

ବିରାଟ ବୋଲଇ ସେ କୋନ୍ତଂକର ମୁଖ ଚାହିଂ

ପଣ୍ଡା ହୋ ଉଚ୍ଛବ ନବରକୁ ଯିବାକ ଚଳାଇ ।୨୫।

ରଥ ଗଜ ଅଶ୍ଵ ନାହିଂ ସମସ୍ତେ ପାଦଗତି

ଦ୍ଵାରେଣ ରହିଲେ ଯାଇଂ ଆପଣେ ମଚ୍ଛପତି ।୨୬।

ଛାମୁକୁ ବୋଲିଣ ତାହା ଆଣିଲେ ଗଡ଼ାଇ

ସମସ୍ତେ ଆଶ୍ରିଯ ହୋଇଲେ ତାହା ଚାହିଂ ।୨୭।

କେ ବୋଲଇ କୀଞ୍ଚେକ କେ ବୋଲଇ ଗନ୍ଧର୍ବ

ଦେଖିଣ ହସିଲା ସେ ବିରାଟେଶ୍ଵର ଦେବ ।୨୮।

ୟେହେନ୍ନେକ ପ୍ରପଞ୍ଚ କରି କେହୁ ୟେହା ସ୍ରିଜି

ମଣିଷ କୃତ୍ୟ ତ ନୋହଇ କାୟେ ତେଜି ।୨୯।

ଦେଖିଣ ଉନ୍ମେଷନ୍ତି କୋନ୍ତଭଟ୍ଟ ମହାତମା

ୟେତେ ପ୍ରପଞ୍ଚ କରି କେସନେକେ ମାଇଲୁରେ ଭୀମା ।୩୦।

ବିରାଟ ବୋଇଲେ ୟେ କେବେଣ ଚରିତ ହୋ କୋନ୍ତେ

ତୁମ୍ଭର ଦେଖିଲା ଅଛିଟିକି ୟେସନକ କୃତ୍ୟେ ।୩୧।

କୋନ୍ତେ ବୋଇଲେ ଆମ୍ଭେ ସରୂପ କହୁ ବିରାଟଇ

ଗନ୍ଧର୍ବ ମାରୁଣି ମତ ପ୍ରାୟେକ ଦିଶଇ ।୩୨।

ସଇରିନ୍ଧ୍ରୀ ରାଗେ ଗନ୍ଧର୍ବେ ମହାକୋପେ

କୀଞ୍ଚେକ ନାଶଗଲା ୟେହେନ୍ନକ ସରୂପେ ।୩୩।

ବିରାଟେ ବୋଇଲେ ୟେ ମୋହୋର ମନକୁ ନ ଘଟଇ

ସରୂପ ଦେଖିବା କୋନ୍ତେ ସନ୍ଦେହ କେମନ୍ତେ ଫିଟଇ ।୩୪।

କୋନ୍ତେ ବୋଇଲେ ୟେହା ପ୍ରପଞ୍ଚ ମାରୁଣି କଲା

ବାହାର ପୁରକୁ ନେଇ ଭିତରକୁ ଉଝୁଂଇଲା ।୩୫।

ଭିତର ରୂପ ଯେ ୟେହାର ହୋଇଲା ବାହାରକୁ

ଗନ୍ଧର୍ବ ମାରୁଣୁ ରାଜା ବୋଲିଟି ୟେହାକୁ ।୩୬।

ବିରାଟ ବୋଇଲେ କୋନ୍ତେ ୟେ କୀଞ୍ଚକ ନୋହୋଇ

ଶତେସିଂଘର ପ୍ରାକର୍ମ ଯାହାର ତାକୁ କେ ମାରି ନୁଆରଇ ।୩୭।

କୋନ୍ତେ ବୋଇଲେ ଯେ ବଳୀୟାର ଲୋକନ୍ତ ରାଇ

କର ଚରଣ ଅଛିନି ଦେଖ ଫେଡକିନା ଯାଇ ।୩୮।

କରେଣ ଶାବେଳୀ ଘେନିଣ କୋନ୍ତ ୟେକମୁନା

ଚଉକତି ତାଡ଼ନ୍ତି କରନ୍ତି ବିଗୋତନା ।୩୯।

କୋନ୍ତେ ବୋଇଲେ ଯେହେନେକ ଜଳଚର ଚିରନ୍ତି ଲେଉଟାଇ

ପିଠି କତିକି ତାହାର ସମସ୍ତ ଚିହ୍ନ ଲାଇ ।୪୦।

କୋନ୍ତେ ତୋଳି ଦେଖାଇଲେ ଯେ ଆପଣା ଅଙ୍ଗୁଳି

ୟେହିଠାରେ ତାଡ଼ ହୋ ଲଗାଇ ଶାବେଳୀ ।୪୧।

କୋନ୍ତଂକର ବଚନେ ତାଡ଼ିଲେ ଠାବଗୋଟି

ୟେକା ସନ୍ଧି ଛାଡ଼ନ୍ତେ ସମସ୍ତ ଗଲା ଫିଟି ।୪୨।

ଶିର କନ୍ଧ କର ଚରଣ ବକ୍ଷସ୍ଥଳ

ନିଜ ଚିହ୍ନ କୀଞ୍ଚକର ଦିଶିଲା ସକଳ ।୪୩।

ଆହା କୀଞ୍ଚକ ବୋଲିଣ କାନ୍ଦିଲା ବିରାଟି

ଛେଦନ ତରୁ ପ୍ରାୟେ ରାଜା ପଡ଼ିଲା ଭୂମିଲୋଟି ।୪୪।

ଧାତିକାରେ ଆତ୍ମା କି ଛାଡ଼ିଲା ନିଜ କାୟେ

କୋଳକରି ଧଇଲେ ତାଂକୁ କୋନ୍ତଭଟ୍ଟ ପଣ୍ଡାୟେ ।୪୫।

ଅଧର ଆଉଂସିଣ ମୁଖେ ଜଳ ସିଞ୍ଚି

ଚେତନା ନିମନ୍ତେଣ ଆଲଟ ଧରି ବିଞ୍ଚି ।୪୬।

ନିଜ କାୟା ପାଇ ରାଜା ବସିଲା ସାଷ୍ଟାମେ

ବହଇ ତ୍ରିପଣ୍ଡ ଯେ ଲଲାଟୁ ବହଇ ଘୁର୍ମେ ।୪୭।

ଆରେ ମୋହୋର ସୋହୋଡ ସୁନ୍ଦର ବାବୁ କୀଞ୍ଚକ

ଭୁବି ଭୁବନର ମଧ୍ୟେ ଯାହାର ନାମ ଧିର ୟେକ ।୪୮।

ସୁରବର ସୁନ୍ଦର କଇଚ୍ଛା ଜଗଜ୍ଜେଠି

ପ୍ରସନ୍ନ ନାରାୟଣ ବାବୁ ତୋହୋର ନାମଗୋଟି ।୪୯।

ସୁକୁମାର ସୁନ୍ଦର ବାବୁରେ ମମଦୁଖେ ଦୁଖୀ

ମଚ୍ଛଦେଶ ମଘଦେଶ ଦୁଇରାଜ୍ୟର ୟେହୁ ରଖି ।୫୦।

ମୁହିଂ ସେ ଅଧାରଣ ନାହିଂ ମୋହୋର ଦର୍ପ

ତୁହି ସେ ରକ୍ଷାପାଳକ ଉଦିତ ମୋର ତପ ।୫୧।

ବାବୁ ସଂକୋଚନର ନନ୍ଦନ ଶରଣପଞ୍ଜର ବୀରଧୂ

ୟେ ମହୀମଣ୍ଡଳରେ ମହିମାଂ ତୋର ସାଧୁ ।୫୨।

ବାବୁ ଅକାରଣକଇଂ କାରଣ ଶରଣ ଉଦ୍ଧାରନ୍ତା

ଦ୍ରଶନେ ପରମ ବନ୍ଧୁ ପ୍ରସନ୍ନେ ବରଦାତା ।୫୩।

ବାବୁ ଶତେକ ସିଂଘର ଯାହାର ପରାକ୍ରମ

ଯାହାର ଦଣ୍ଡ ଦେଖିଲେ ଆସ୍ତାନ ଛାଡଇ ଯମ ।୫୪।

ବାବୁ ମେଦିନୀ ଲାଞ୍ଚ ଦିଅଇ ପାଦଭରା ଦେଖି

ଜଗତ ଦର୍ପହରନ୍ତା ପୁରୁଷ ତୁ ହୋଇଲୁ ନିରିମାକ୍ଷୀ ।୫୫।

ବାବୁ ଚନ୍ଦ୍ରମା ବଦନ ଗୋଟିର ମୁଂ ଯାଇ ନିଉଛୁଣା

ଉଦ୍ଦାଳକ ଗୋତ୍ରକୁ ବାବୁ ତୁହି ସିନା ଧାରଣା ।୫୬।

ବାବୁ ଲୋହଗିରି ପର୍ବତକୁ ଚୂରକଲୁ ମୁଥଘାତେ

ଗନ୍ଧର୍ବ ଅପଘାତେ ହତହେଲୁ ତୁ କେମନ୍ତେ ।୫୭।

କୀଞ୍ଚେକ କୀଞ୍ଚେକ ବୋଲି ଶରୀର ମୋର ଯାଇକିନା ତୁଟି

କେ ହରିନେଲା ମୋର ପୂର୍ଣ୍ଣମୀ ଚାନ୍ଦଗୋଟି ।୫୮।

ବାବୁ ବୀରବର ଦର୍ପ ଚରଣ ରେ ଅତୁଲାୟିତ ମହାମଲ୍ଲ

ୟେ ମହୀମଣ୍ଡଳେ ତୁ ସବୁ ଯୋଦ୍ଧାଂକର ଭରଶଲ ।୫୯।

ମୁହିଂ ଯେ ଅନାସ୍ତ ତୁହି ଅନାସ୍ତର ନାଥ

କେଣେ ଛାଡ଼ିଗଲୁ ମୋର ପ୍ରାଣର ସଂଘାତ ।୬୦।

ବାବୁ ପରସମ୍ପଦ ଘେନି ରାଜ୍ୟ ଦିଲୁ ମୋତେ

ମହାଦ୍ଵନ୍ଦେ ବରି ମୋତେ ଛାଡ଼ିଗଲୁ ତୁ କେମନ୍ତେ ।୬୧।

ରୋବଇ ବିରାଟ ଜାଣି ଦଶଦିଗ ଅନ୍ଧକାର

ୟେ କ୍ରୋଧସାଗରୁ ମୋତେ କେ କରିବ ପାର ।୬୨।

ବାବୁ ପୃଥୀ ଉପାଡ଼ିବାକୁ ତହିଂ ଯେ ସାମରଥା

ମେରୁ ଗଗନେ ଫିଙ୍ଗି କେ ପାତିବାକ ମଥା ।୬୩।

ବାବୁ ହାଥ ବଢାଇ କେ ନେଲା ଚନ୍ଦ୍ର ସୂର୍ଯ୍ୟ

ଅଗ୍ନିହୁଂ ପ୍ରଖର ପୁଣ ହୋଇଲା କାହାର ତେଜ ।୬୪।

ବ୍ରହ୍ମାଣ୍ଡ ଟାଳିବାକୁ କେ ହୋଇଲା ସାମରଥା

ସେହି ସେ ସାଂଗ୍ରାମେ ତୋତେ ହୋଇଲା ଜିଣନ୍ତା ।୬୫।

ବାବୁ ରାତ୍ରକୁ ଦିବସ କଲାରେ ଦିବସ କଲା ରାତି

ସିନ୍ଧୁ ମଛିବାକୁ କାର ହୋଇଲା ଶକତି ।୬୬।

ସେହି ସେ ସାମରଥ ତୋତେ ହୋଇଲା ଜିଣିମାକୁ

ଦଶଦିଶ ଅନ୍ଧକାର ବାବୁ କରିଗଲୁ ମୁକୁ ।୬୭।

କୀଞ୍ଚେକ ପରାୟେ ମୁଂ ସହୋଦ୍ରେ ମରାଇ

ଭୋ କୋନ୍ତେ କେବଣ ସମୋଦ୍ରେ ପଶିବଇ ମୁଂ ଯାଇ ।୬୮।

ବାବୁ କୁଂକୁମ ବର୍ଣ୍ଣ ଜାଣି ତୋହୋର ମୁଖଗୋଟି

ହସି କଥା କହନ୍ତେ କଣୟ ହୋୟେ ବୃଷ୍ଟି ।୬୯।

ଶ୍ରୀରାମ ନାମ ସୁମରନ୍ତେ ତରନ୍ତି ଯେହ୍ନେ ପ୍ରାଣୀ

ତୋହୋର ନାମଗୋଟି ମୋତେ ସୁଲଭ ସେହି ଜାଣି ।୭୦।

ବାବୁ କାମିନୀ ସନସିଜ ବତିଶ ଗୁଣେ କଳା

ଶତସିଂଘର ପରାକ୍ରମ ତେଜେ ଅନର୍ଗଳା ।୭୧।

ବାବୁ ଜଗୁଜନ ମୋହନ କେବଣ କତି ଗଲୁ

ଅଗାଦ ସମୋଦ୍ରେ ମୋର ଭେଳା ବୁଡ଼ାଇଲୁ ।୭୨।

ବାବୁ ତୋହୋର ଅଭାବେ ପଶିବଇ କାହିଂ

ନିଲ୍ଲଜ ଆତ୍ମା ମୋର କିମର୍ଥେ ଅଛି ରହି ।୭୩।

ବାବୁ ରଣେ ଶୂରବନ୍ତା ରେ ଦାନେ ଶୂରବନ୍ତା

ମାନେ ଶୂରବନ୍ତା ତୁରେ କାମିନା ମନରଞ୍ଜନ୍ତା ।୭୪।

ବାବୁ ଡରେ ଶତେଭାର କଣୟ ଦିଅଇ ପୃଥୀ ନିତି

ତୁ ତାହା ଦାନ ସେ ଦେଉଥାଉ ନିତ୍ୟାପ୍ରତି ।୭୫।

ବାବୁ ତପବନ୍ତ ରକ୍ଷାପାଳକ ଅସୁର ଉପଦର୍ପ

ୟେକା ଜଣକେ ଆମ୍ଭେ ନିଶ୍ଚିନ୍ତେ ଥିଲୁ ସର୍ବ ।୭୬।

କୀଞ୍ଚେକ ଅଭାବେ ବିରାଟ କିସଜାଣ

ଅନ୍ତେଶ୍ଵରେ ଅନେକ ସ୍ତିରୀମାନେ କରନ୍ତି କାରୁଣ୍ୟ ।୭୭।

ବାବୁ ରୋବନ୍ତି ତୋହୋର ଯେ ଅନେକ କାମେନୀ

ବାକ୍ୟ ନ ଦେଇ କିମ୍ପେ ହୋଇଅଛୁ ତୁନୀ ।୭୮।

ବାବୁ ତୋହୋର ଅଭାବେ ଯେ ସମସ୍ତେ ନିରିମାଖି

ଦୟା କିମ୍ପେ ନ ବସିଲା ତୋର ଆମ୍ଭ କଷ୍ଟ ଦେଖି ।୭୯।

ରୋବନ୍ତି ତୋହୋର ଯେ ସମସ୍ତ ନଗ୍ର ପୁରନାରୀ

ସମରାଜ୍ୟ ଲୋକେ ଯେ ବହୁତ ଶୋକକରି ।୮୦।

ବିରାଟକୁ ପ୍ରବୋଧ ଯେ କରନ୍ତି କୋନ୍ତଭଟ୍ଟେ

ଆମ୍ଭର ବାକ୍ୟ ଶୁଣି ତୁ ସାଷ୍ଟାମ ହୁଅସି ବିରାଟେ ।୮୧।

ଆହୋ ରାଜା ତୋହୋର ବଇରି ଯେ ଅଟଇ ତ୍ରିଗର୍ତ୍ତ

ରାଜ୍ୟ ଛାଡ଼ି ପଳାଇଲା ସେ ହୋଇଲା ହତପାଟ ।୮୨।

କୀଞ୍ଚେକର ହତ ଯିବା ବାରତା ସେହୁ ଶୁଣି

ନ ପୁଣ ତ୍ରିଗର୍ତ୍ତ ବାହଇ ୟେହିକ୍ଷଣି ।୮୩।

ଆହୋ ବିରାଟ ନାଶଗଲା ରତନ ନୁଆସଇ କେଉଣିସି ଯୁଗେ

ୟେ ମୃତପିଣ୍ଡ ଚାଲ ଦହନ କରିବା ୟେବେ ବେଗେ ।୮୪।

କେହି ନ ଜାଣନ୍ତୁ କଥା ଗୋପ୍ୟାନ ଯେ କର

କ୍ରୋଧ ସମାର୍ଜନା କର ବନ୍ଧୁମାନଂକର ।୮୫।

କୋନ୍ତଂକର ବଚନ ଯେ ଶୁଣିଣ ମଚ୍ଛାଧି

କ୍ରୋଧକଲା ଲୋକମାନନ୍ତ ସମ୍ବୋଧି ।୮୬।

ରଇ ଆରୋପଣ କଲେ ନେଇ ନଦୀକୂଳେ

ଅନେକ ଦାନଦିଲେ କୀଞ୍ଚେକ ଅବଳେ ।୮୭।

ଆଦିତ୍ୟ ଅସ୍ତ ଯେ ଗଲେ ଯେତେବେଳେ

ପ୍ରତିକ୍ଷଣ କରି କୀଞ୍ଚକର ପିଣ୍ଡ ଭରିଲେ ଅନଳେ ।୮୮।

ବିରାଟ ବୋଇଲେ କୀଞ୍ଚକ ଅନେଶ୍ଵତ ଭାଇନ୍ତ ରାଇ

ଆରେ କୀଞ୍ଚକ ମଲା ଯେବଣ ସଇରିନ୍ଧ୍ରୀ ମୋଢୀର ପାଇଂ ।୮୯।

ଯାଅରେ ସମସ୍ତେ ତୁମ୍ଭେ ପଶ ଅନ୍ତପୁରୀ

ସଇରିନ୍ଧ୍ରୀ ମୋଢୀକି ରେ ଆଣ କେଶ ଧରି ।୯୦।

ଆଣି ଦହନ କର ତାକୁ କୀଞ୍ଚକର ତୁଲେ

ଶରୀର ଧରିପାରିବାକି ସଇରିନ୍ଧ୍ରୀ ଦେଖୁଥିଲେ ।୯୧।

ନିଚୟେ ସଇରିନ୍ଧ୍ରୀ ମୋହୋର ପିତୃ ବଇରି

ଦେଖିବା ତାହାକୁ କେହ୍ନେ ଗନ୍ଧର୍ବ ପାରନ୍ତି ରକ୍ଷାକରି ।୯୨।୩୯୮୯।

**********

 

ଭୀମ କର୍ତ୍ତୃକ କୀଚକର ଅନେଶ୍ଵତ ଭ୍ରାତାଙ୍କର ନିଧନ

ଆହୋ ଚଇତନ ବିରାଟ ବଚନେ ସେ ଅନେଶ୍ଵତ ଭାଇଗଣ

ଧାଅଂରେ ସଇରିନ୍ଧ୍ରୀର କେଶ ଧରି ବେଗେ ଆଣ ।୧।

ଧାଇଂଲେ ପାମରେ ସଇରିନ୍ଧ୍ରୀ ସଇରିନ୍ଧ୍ରୀ ବୋଲି

ଅନ୍ତେଶ୍ଵର ପୁରେ ପଶନ୍ତି ଧାଇଂ ପେଲି ।୨।

ଶ୍ରୀକୃଷ୍ଣାୟେ ବାହାର ହୋଇଲେ ଦେଖିଣ ଭାଇଂକର ଦୁର୍ଣ୍ଣୟେ

ଦ୍ଵାର ଆବୋରି ରାଣୀ କରନ୍ତି ବିନୟେ ।୩।

ଛାମୁରେ ଅନେଶ୍ଵତ ଭାଇ ପରିଣାମୁ

ସଇରିନ୍ଧ୍ରୀ ଦିଅ ବେଗେ ବାଳ ଧରିନେମୁ ।୪।

ଶ୍ରୀକୃଷ୍ଣା ବୋଇଲେ ଥିର ହୁଅରେ ବାପ

ପଚ୍ଛୀଇନ୍ଦ୍ର ଛାମୁରେ କି ପ୍ରତଗ୍ୟାଂ କରଇ ସର୍ପ ।୫।

ବାବୁ ଯଦ୍ୟପି ବନଜୀବେ ବହୁତ ହୋଇବେ ୟେକପଲ

କେଶରୀ ବିବାଦକୁ କି ହୋଇବେ ସମତୁଲ ।୬।

ବାବୁ କୀଞ୍ଚେକ ବଧକରି ଗନ୍ଧର୍ବ ପଞ୍ଚୁବୀରେ

ଗୁପତେ ରହିଅଛନ୍ତି ୟେହି ରାଜ୍ୟର ଭିତରେ ।୭।

ଯଦ୍ୟପି ଦେଖିବେ ସେ ସଇରିନ୍ଧ୍ରୀର କଷ୍ଟ

ୟେହିକ୍ଷଣି ଅନେଶ୍ଵତ ଭାଇ ହୋଇବ ପ୍ରାଣଭ୍ରଷ୍ଟ ।୮।

ବାବୁ ଶତେକ ପୁତ୍ର ଯେ ଉପୁଜାଇଲେ ରାଜା ସଂକୋଚନ

ମମ ପିତାକୁ ଅଛି ୟେବେ ଅପୁତ୍ରିକ ଲାଞ୍ଛନ ।୯।

ଅପାର ବଚନ ଯହୁଂ ଶ୍ରୀକୃଷ୍ଣାୟେ ବୋଲି

ପଳା ଯାଅ ବୋଲି ଦୁଷ୍ଟେ ପକାଇଲେ ପେଲି ।୧୦।

ଧାଇଂଣ ପଶିଲେ ବୀରେ ଯେ ଅନ୍ତେଶ୍ଵର ଭିତରେ

ଧର୍ମ ଧର୍ମ ସୁମରନ୍ତି ପାଞ୍ଚାଳୀ ଦେବୀ ହୃଦୟରେ ।୧୧।

ବିରଞ୍ଚ ବିଦୁରଞ୍ଚ ବୋଲି ବେନି ଯେ ଚାଣ୍ଡାଳେ

ଆକ୍ରେଷି ପାଞ୍ଚାଳୀର ଧଇଲେ ଯାଇଂ ବାଳେ ।୧୨।

ଅନ୍ତରୀଚ୍ଛେ କେଶ ଧରିଣ ଝୁଣନ୍ତି ଜିଘ୍ନସେନୀ

ସଇରିନ୍ଧ୍ରୀ ମାର ମାର ଶୁଭଇ ମୁଖଧୁନି ।୧୩।

ବଜାବନ୍ତି ବୀରତୂର ବାଜଣା ଝଞ୍ଜାଳ ବିହୁନେ

ବୋଇଲେ ଆସନା ରେ ପାପିଷ୍ଠ ଗନ୍ଧର୍ବ ବୀରମାନେ ।୧୪।

ବଜାବନ୍ତି ବାଜଣା ୟେ ଆବର ଗିଡ଼ିଗଡ଼ି

ଘୁମୁରା ରାବଦେଇ ପାଡ଼ନ୍ତି ସିଂଘରଡ଼ି ।୧୫।

ରୋଷେଣ ପ୍ରତଗ୍ୟାଂ ସେ ଯେ କରନ୍ତି ବଳିଷ୍ଠ

ଗନ୍ଧର୍ବ ଛାର ମୋ ଭ୍ରାଥକୁ କଲା ପ୍ରାଣଭ୍ରଷ୍ଟ ।୧୬।

କୀଞ୍ଚକ ନାଶଗଲା ପରାୟେ ରେ ବୁଝ

ଶହସ୍ରନ୍ତ ଧରିଣ ଆମ୍ଭ ଛାମୁରେ ଆସି ଯୁଝ ।୧୭।

ବେକି ବେକି କରି କେଶ ଧରିଛନ୍ତି ପଞ୍ଚୁଜଣେ

କେହୁ ଦଉଡ଼ି ଆଣି ଲଗାବନ୍ତି ଭୁଜ ଯେ ଚରଣେ ।୧୮।

ଅନେକ ଅବସ୍ତା ହେଲେନି ଦ୍ରୋପତୀ ମହାଦେବୀ

ରୋଷୁଅ ଘର ସଳଖେ ଦେବୀ ଉଞ୍ଚେଣ ଦିଲେ ବୋବି ।୧୯।

ଆହୋ ଗନ୍ଧର୍ବେ ରକ୍ଷାକର ଆସି ମୋତେ

ସଇରିନ୍ଧ୍ରୀ ଦହନ ହେଉଅଛିଟି ତୁମ୍ଭର ଜୀବନ୍ତେ ।୨୦।

ଆହୋ ଜୟସେନ ତୁମ୍ଭେ ଶୂନ୍ୟ ପୁରୁଷର ବଚ୍ଛା

ଧାଆଂରେ ବାବୁ ଗନ୍ଧର୍ବେ ସଇରିନ୍ଧ୍ରୀକି କରି ରକ୍ଷା ।୨୧।

ଧାଅଂହୋ ମାର ଧାଅଂହୋ ଜୟନ୍ତ ଜୟସେନ

ତୁମ୍ଭର ଭାରିଯା ଯେ ପଶୁଅଛି ହୁତାଶନ ।୨୨।

ଗୁପତେ ନାମ ଧରନ୍ତେ ତା ପଞ୍ଚୁବୀରେ ଜାଣି

ରୋଷଅ ଘର ଭିତରେ ଥାଇ ତାହା ଭୀମସେନ ଶୁଣି ।୨୩।

ରାନ୍ଧଣା ରୋଷ ବିଧାନେ ଲାଗିଛି ପାବେନି

ସଇରିନ୍ଧ୍ରୀକି ମାର ମାର ବୋଲି ଶୁଭଇ ଗୋଳଧୂନି ।୨୪।

ଲଇଂକରି ଚାହିଂଲା ସେ ବଲ୍ଲଭ ପ୍ରଚଣ୍ଡ

କାହିଂ ଶୁଭଅଛି ଯେ ଦ୍ରୋପତୀର ତୁଣ୍ଡ ।୨୫।

ଦେଖିଲା ଦ୍ରୋପତୀକି ନେଉଛନ୍ତି ଚାଣ୍ଡାଳେ

ଅନ୍ତରୀଚ୍ଛେ ନିଅନ୍ତି ତାଂକ ଚରଣ ନ ପଡ଼ଇ ତଳେ ।୨୬।

ଦଇବେ ଦୁଇଘଡ଼ି ଯେ ହୋଇଅଛି ରୟେଣୀ

ବଉଳି ଡାଙ୍ଗ ପକାଇ ସେ ବାହାର ଶିରଝୁଣି ।୨୭।

ହାଥେ ଗଡୁୟେକ ଘେନି ସେ ହୋଇଲା ବାହାର

ଚଳଇ ବ୍ରିକୋଦର କେତେହେଂକ ଦୂର ।୨୮।

ରେ ରେ କାର କରିଣ ତହିଂ ଦିଲାକ ଶବଦେ

ଦେଖିଣ ବୋଇଲେ ଗନ୍ଧର୍ବେ ଅଇଲେକ ହାଦେ ।୨୯।

କାଳାନ୍ତେକ ରୂପ ସେ ପବନର ବଚ୍ଛ

ରୋଷେଣ ଉପାଡ଼ିଲା ସେ ଶାଳ ବେନିବୃକ୍ଷ ।୩୦।

ଆରେ ଆରେ ବୋଲି ସେ କୋପେଣ ଗଳଗାଜି

ଉର୍ଦ୍ଧ୍ଵବାହୁ ପର୍ବତକି ପଡୁଅଛି ଭାଜି ।୩୧।

ରଡ଼ିୟେକ ଦେଇ ବୃକ୍ଷ ପିଟିଲା ନିର୍ଘାତେ

ୟେକ ଘାନ୍ତିକେ ପଡିଲେ କୀଞ୍ଚକର ଅନେଶ୍ଵତ ଭ୍ରାଥେ ।୩୨।

ଶୁଣ ହୋ ବଇବସୁତ ମନୁ ବିଲଂକ ରାଜନ

ଅନେଶ୍ଵତ ଭାଇଂକର ଶୁଣ ନାମମାନ ।୩୩।

ଅଭୟେ କୀଞ୍ଚକ ଯେ ସରଞ୍ଚ ବୀରଞ୍ଚ ଧୀରଞ୍ଚକ

ହିରଞ୍ଚ ସମରେଞ୍ଚେକ ଅରୁଣ ଅଜୟେ କୀଞ୍ଚେକ ।୩୪।

ଅଙ୍ଗୁରା କାଳୀଞ୍ଚକ ଯେ କର୍ଣ୍ଣଞ୍ଚ ସିଦ୍ଧଞ୍ଚେକ

କାଳକୀଞ୍ଚକ ଜାନୁଞ୍ଚ ଅନୁଞ୍ଚେକ ଯମଞ୍ଚେକ ।୩୫।

ହରିଞ୍ଚେକ ଧରଞ୍ଚେକ ଧରଣ ଧର୍ମଞ୍ଚେକ

ଅମରକୀଞ୍ଚକ କୁମ୍ଭକୀଞ୍ଚକ ଯେ କାମକରଞ୍ଚେକ ।୩୬।

ବାହୁଞ୍ଚେକ ବଳୀଞ୍ଚେକ ଯେ ସୁଜାଣ କୀଞ୍ଚକ

ବିଧିଞ୍ଚେକ ବାମଞ୍ଚେକ ଯେ କିରଣ କୀଞ୍ଚକ ।୩୭।

ଶଙ୍ଖସଞ୍ଚ ରଙ୍ଗଞ୍ଚ ଯେ ସୁରଙ୍ଗ ସୁବାହୁ କୀଞ୍ଚକ

ବାଘଞ୍ଚ ସିମାଳୀ କୀଞ୍ଚକ ବିଜୟ ବୁଦ୍ଧି ବିପଞ୍ଚେକ ।୩୮।

ସୁନନେଞ୍ଚକ ଭାନୁଜୟେ ଭୀମଞ୍ଚ ମନୁଞ୍ଚକ

ଜଳଞ୍ଚେକ ବିଧିଞ୍ଚକ ଆବର ଯେ ବ୍ରହ୍ମେଞ୍ଚକ ।୩୯।

ସମକୀଞ୍ଚକ ବିରୁରେଞ୍ଚକ ଭୀଷ୍ମଞ୍ଚ ଭଉରବ କୀଞ୍ଚକ

ଭୂରି କୀଞ୍ଚକ ଭୂରିଶ୍ରବାଞ୍ଚ ମଦନେଞ୍ଚକ ଭଦ୍ରାଞ୍ଚେକ ।୪୦।

ରଞ୍ଚକ ପ୍ରବଞ୍ଚ ରଣଞ୍ଚ ରାହୁଞ୍ଚେକ ତାରକ କୀଞ୍ଚକ

ମଳୟ କୀଞ୍ଚକ ରାମ କୀଞ୍ଚକ ରୁଦ୍ରଞ୍ଚ ସୂର୍ଯ୍ୟଞ୍ଚେକ ତନୁଞ୍ଚେକ ।୪୧।

ରଣଭଙ୍ଗା ରଣଜୟେ ଦୁଷ୍ଟଞ୍ଚେକ ଯତନ କୀଞ୍ଚକ

ରତନ କୀଞ୍ଚକ ଦାରୁଞ୍ଚ ଯେ ନଗଞ୍ଚ ତରୁଞ୍ଚେକ ପୁରୁଞ୍ଚେକ ।୪୨।

ଦରଞ୍ଚକ ଦାନଞ୍ଚକ ନିକୁମ୍ଭ ଚନ୍ଦନ ନିଧିଞ୍ଚେକ

ନୀରଳ କୀଞ୍ଚକ ଚକୋର ଚନ୍ଦ୍ରେଞ୍ଚକ ଯେ ଗଗନ କୀଞ୍ଚକ ।୪୩।

ଘନକୀଞ୍ଚକ ମନକୀଞ୍ଚକ ମରୁତ ଯେ ଉଞ୍ଚେକ

ମାଳୀକାଞ୍ଚକ ମନକୀଞ୍ଚକ ମରୁତ ଯେ ଉଞ୍ଚେକ

ମାଳୀକୀଞ୍ଚକ ମଘକୀଞ୍ଚକ ଖଗ ଯେ କୀଞ୍ଚକ ।୪୪।

ଭଗ କୀଞ୍ଚକ ଇନ୍ଦ କୀଞ୍ଚକ ଭୟେ ଭୂମି ଯେ କୀଞ୍ଚକ

କ୍ଷିଦ୍ରାକୀଞ୍ଚକ ନୀରକୀଞ୍ଚକ ଆବର ବାଳୀ ଯେ କୀଞ୍ଚକ ।୪୫।

ୟେ ବିଧି ସଂକୋଚନ ରାଜାର ଶତପୁତ୍ର ଜାୟେ

ଦୃଭାସାଂକର ମନ୍ତ୍ରେ ବଶିଷ୍ଠ ଉପୂଜାୟେ ।୪୬।

ୟେକୁଂ ଆରେକ ଯେ ଅଟନ୍ତି ବଳବନ୍ତା

ବୀରବର ରଣ ମଛାନ ସେ ସୋହୋଡ଼ ଶକତା ।୪୭।

ସଇରିନ୍ଧ୍ରୀକି ଆବୋରି ଘେନି ଯାଉଛନ୍ତି ବଳେ

ରଣ ମନ୍ଥାନ ଭୀମ ଯେ ପଶିଲା ଯାଇ ରୋଳେ ।୪୮।

ଘୋର ରଡ଼ି କରି ପାଣ୍ଡବ ଗଳଗାଜି

ଦେଖିଣ ଦୁରାନ୍ତେକ ବଳ ପଳାଇଲେ ଭାଜି ।୪୯।

ରେ ରେ ମାନବା ବୋଲି କାଳଚକ୍ର ଦୃଷ୍ଟି

ଶାଳତରୁ ବୁଲାଇ ଭୀମ ଆକ୍ରେଷିଣ ପିଟି ।୫୦।

ରଣେ ସୋହୋଡ଼ ସୁନ୍ଦର ସେ ଅଭୟ ବଳବନ୍ତ

ୟେକା ପ୍ରହାରକେ ସେ ପଡ଼ନ୍ତି ପଞ୍ଚୁସାତ ।୫୧।

କାହାକୁ ମୁଥ ମାରେ କାହାକୁ ଚାପୋଡ଼େ ପ୍ରହାରି

କାହାକୁ ପାଦଘାତ କାହାକୁ ଚରଣେ କଚାଡ଼ି ।୫୨।

ପାଞ୍ଚସାତ ଦରାଣ୍ଡି ଧଇଲେ ପଡ଼ଇ ଯେତେ

ଧୂଳି ହୋଇଯାଇ ସେ କୋପେଣ କଚାଡ଼ନ୍ତେ ।୫୩।

କାଳ ଅନଳ ଜାଣି ଦୃଷ୍ଟି ପରମ ଯୋଗୀ

ପଳାନ୍ତି ଦୁରାନ୍ତେକ ନ ରହନ୍ତି ବେଗି ।୫୪।

ନିସତେ ପଳାବନ୍ତି କେହି ଅବା ଘେନଇଂ ତିରଣ

କେ ବୋଲଇ ଗନ୍ଧର୍ବ ମୁଂ ତୋହୋରେ ଶରଣ ।୫୫।

ଦଇବେ ଭୀମସେନ ଶରଣ ବଇରି

ପତ୍ନୀର କଷ୍ଟ ଜାଣି ତାହାନ୍ତ କଚାଡ଼ନ୍ତି ଧରି ।୫୬।

ଦଶବିଂଶ ପଚିଶ ଧରିଣ ଦରାଣ୍ଡି

ବେନିଭୁଜେ ଭୀମସେନ ପକାୟେ ମୁଣ୍ଡ ମୋଡ଼ି ।୫୭।

ଗୋଡ଼ାଇ ଧରିପକାୟେ ସେ କୀଞ୍ଚକର ଜୁଇ

କେହୁ ସେ ପଳାବନ୍ତି ଛିନ୍ନଛତ୍ର ହୋଇ ।୫୮।

ବ୍ରିକୋଦର ସୋହୋଡ଼ ସେ ଅଭୟେ ରଣରଂକା

ୟେକାୟେ ପ୍ରହାର କରଇ ସେ କାହାକିଇଂ ନାହିଂ ଶଂକା ।୫୯।

ମାରିଣ ଶତେକ କୀଞ୍ଚକ କଲା ନାରଖାର

ରାତ୍ର ହୋଇଲାନି ଆସି ଦେଢ ଯେ ପ୍ରହର ।୬୦।

ସମର ସାରିଣ ଯେ ବାହୁଡ଼ଇ ପାବେନି

ଦ୍ରୋପତୀ ବନ୍ଧନ ରଜ୍ଜୁ ପଳାଇଲା ଛିନ୍ନି ।୬୧।

ବୋଇଲା ରେ ସଖି ତୋର ପୂରିଲା ମାନସ

ଶୁଣି ଜିଘ୍ନସେନୀ ଭୀମେ କରନ୍ତି ଆଶ୍ଵାସ ।୬୨।

ବନ୍ଧନୁ ମୁକୁତ ହୋଇଣ ଦେବୀ ଯେ ପାଞ୍ଚାଳୀ

ଅନ୍ତେଶ୍ଵରେ ଚଳିଗଲେ ଦ୍ରୁପଦ ଦୁଲାଳୀ ।୬୩।

ଦହନ ଶମଶାନୁ ଯେ ପଳାଇଲେ ବିରାଟେ

କୋଳକରି ତାହାନ୍ତ ଧଇଲେ କୋନ୍ତଭଟ୍ଟେ ।୬୪।

ବିରାଟେ ତରସ୍ତ ନୋହ ଆମ୍ଭକତି ଥାଅ ରହି

ଆମ୍ଭର କତିରେ ଥିଲେ ପ୍ରମାଦ ତୋତେ ନାହିଂ ।୬୫।

ବିରାଟେ ବୋଇଲେ କୋନ୍ତେ ଗନ୍ଧର୍ବେ ବଡ କୋପୀ

ମୋତେ ରକ୍ଷାକରି ତୁମ୍ଭେ ପାରିବନି ଅଦ୍ୟାପି ।୬୬।

ମୋହୋର ଦେଖନ୍ତେ ସେ ମାଇଲା ଅନେଶ୍ଵତ ବୀର

ସେହି ଅଗ୍ନିରେ ନେଇ ସମସ୍ତ କଲା କୁଢ ।୬୭।

ଘୃତକୁମ୍ଭମାନ ଆଣିଲା ସେ ରୋଷୁଅର ଶାଳୁ

ଅନଳ ତେଜ ବିକାଶିଲା ପାଇ ଘୃତଚରୁ ।୬୮।

ଭୀମସେନ ପ୍ରଣପତ୍ୟ ହୋଇଲା ବହନିକି

କାଳାନକ ଦେବତାକୁ ବହୁତ କରଇ ତୁସ୍ତିବାକି ।୬୯।

ନମସ୍ତେ କାଳାନଳ ବହନି ବଶ୍ୟାନର

ନମସ୍ତେ ଜ୍ଵାଳ ଅନଳ ତେଜ ଯେ ପ୍ରଖର ।୭୦।

ନମସ୍ତେ ସୟଳ ସଂସାର ବିହନ୍ତା ବିଧାତା

ନମସ୍ତେ ଭାଗ୍ୟବର ଅଭୟେ ବରଦାତା ।୭୧।

ନମସ୍ତେ ନମସ୍ତେ ଶ୍ଵେତ ରାଜାର ଯାଗମଣ୍ଡା

ମନ୍ଦାଗ୍ନି ହୋଇଲୁ ତୁ ତୁଚ୍ଛାକଲୁ ଘୃତହଣ୍ଡା ।୭୨।

ନମସ୍ତେ କାଳଅନଳ ଜାତ ଯେ ଅନଳ

ନମସ୍ତେ ବଡବାଅଗ୍ନି ଅଟବ୍ୟା ଅନଳ ।୭୩।

ନମସ୍ତେ ବହତି ତୁ ଅଟୁ କୋହାନଳ

ନମସ୍ତେ ବଇଶ୍ଵାନର ସର୍ବ ଜୀବଂକର ବଳ ।୭୪।

ନମସ୍ତେ ନମସ୍ତେ ଦୂରାନ୍ତକ ନାମ ତୋ ପିଙ୍ଗଳା

ନମସ୍ତେ ଗୋପ୍ୟାନ ପୁରୁଷ ସ୍ଥାପନ ନମସ୍ତେ ଦୋହରା ।୭୫।

ନମସ୍ତେ ନମସ୍ତେ କ୍ରୋଟ ଅନଳ ବହତି

ନମସ୍ତେ ସଚରାଚର ଅନ୍ତକ ପ୍ରଜାପତି ।୭୬।

ନମସ୍ତେ ନମସ୍ତେ ସ୍ଵାହାସ୍ଵଧାର ବଲ୍ଲଭ

ନମସ୍ତେ ନମସ୍ତେ ସର୍ବ ଭକ୍ଷଣ ପଦ୍ମନାଭ ।୭୭।

ନମସ୍ତେ ଜୀର୍ଣ୍ଣନ୍ତେକ ପଞ୍ଚଶତ ଯୋଜନ ଶିଖା

ନମସ୍ତେ ମତ୍ତାଙ୍ଗ ଦେବ କାଳଅନଳ ରେଖା ।୭୮।

ନମସ୍ତେ ନମସ୍ତେ ଦେବ ମହା ବ୍ରହ୍ମବେତ୍ତା

ନମସ୍ତେ ଜାତ ଅନଳ ଭୂତଭବିଷ୍ୟ କରତା ।୭୯।

ନମସ୍ତେ ନମସ୍ତେ ମହାଲିଙ୍ଗ ସ୍ଵାହାସ୍ଵଧାର ପ୍ରାଣଗୁରୁ

ନମସ୍ତେ ସୟଳ ନାଥ ଶରୀର ଅନନ୍ତ ଗମ୍ଭୀରୁଂ ।୮୦।

ନମସ୍ତେ ଖାଣ୍ଡବ ବନ ଦହନ ପୁରୁଷ

ନମସ୍ତେ ନମସ୍ତେ ନିରାକାର ଦୃଶ୍ୟ ଯେ ଅଦୃଶ୍ୟ ।୮୧।

ନମସ୍ତେ ତ୍ରଇଲୋକ୍ୟ ଉଦ୍ଧାରଣ ସର୍ବସିଦ୍ଧା

ନମସ୍ତେ ନମସ୍ତେ ରଜୁ ବିସ୍ତୀର୍ଣ୍ଣ ସୁନ୍ଦର ପଞ୍ଚୁମୁଦ୍ରା ।୮୨।

ଶ୍ରୀ ଅନଳ ଦେବତା ସଦୟେ କର ମୁକୁ

ଯାହାର ପ୍ରସନ୍ନେ ଆୟିଷ ବଢଇ ଭୁଜତ ଆଧାର ହୋୟେ ପଂକୁ ।୮୩।

ଶ୍ରୀ ବଇଶ୍ଵାନର ଦେବତା ଚରଣେ ଶରଣ ନିତ୍ୟେ

ଶୂଦ୍ରମୁନି ସାରୋଳା ଦାସ ଭାବଇ ପଞ୍ଚୁଭୂତେ ।୮୪।

ଶୁଣ ହୋ ଚଇତନ ତୁମ୍ଭେ ବ୍ରିକୋଦର କଥା

ଅନେକ ତୁସ୍ତି କଲା ଭୀମ ବଳବନ୍ତା ।୮୫।

ସ୍ଵାମୀ ଆମ୍ଭେ ଜଦୁର ଘରୁ ବାହାରିବା ବେଳେ

ବିମ୍ବର ଭିତରେ ଓଗାଳି ମୋତେ କଲୁ ଯେ କଟାଳେ ।୮୬।

ମୁହିଂ ଯେ ତୋତେ ବହୁତ ବିନୋୟୀ ହୋଇଲି ହବି

ମୋହୋର ସମାନ କରି ତୋତେ ଶତେବୀର ଦେବି ।୮୭।

ୟେହାହୁଂ ବଳବନ୍ତା ପାଇବି ଆର କାହିଂ

ତ୍ରିପୁତି ହୋଇ ଭୁଞ୍ଜିବା ଦେବ ଶତେ କୀଞ୍ଚକ ଖାଇ ।୮୮।

ଆଜହୁଂ ମନଭ୍ରାନ୍ତି ଫିଟିଲା ମୋର ଦେବ ଜାଣ

ସତ୍ୟ ପ୍ରତିପାଳି ଶୁଝିଲେ ତବ ଋଣ ।୮୯।

ଆହୋ ଚଇତନ ସେହିଦିନ ରାତ୍ର ଅବଶେଷେ ଅରୁଣ ପ୍ରକାଶେ

ଗୋପ୍ୟାନ ବଲ୍ଲଭ ବିଜେକଲେ ରୋଷୁଅ ଶାଳ ପାଶେ ।୯୦।

ଭୀମସେନ ବିଚାରଇ ବଡ ଶ୍ରମ ପାଇଲି

ସ୍ରାହାନ ସାରି ବୀର ଲଗାଇଲା ଚୂଲୀ ।୯୧।୪୦୮୦।

**********

 

ନାରୀମାନଙ୍କର ଶୋକ, ଦ୍ରୌପଦୀଙ୍କର ଉପଦେଶ ଓ କୀଚକର ଶୁଦ୍ଧକ୍ରିୟା

ସଇରିନ୍ଧ୍ରୀ ଆସୁଛନ୍ତି ଅନ୍ତେଶ୍ଵର ଭୁବନେ

ସଇରିନ୍ଧ୍ରୀ ଅଇଲେ ବୋଲି ପଳାଇଲେ ପୁରଜନେ ।୧।

ଅନ୍ତେଶ୍ଵରେ ଯାଇଣ ପ୍ରବେଶ ବିରାଟ

ଦେଖନ୍ତି ଶ୍ରୀକୃଷ୍ଣା ଉତ୍ତରାବଳୀର କଷ୍ଟ ।୨।

ଅନ୍ତେଶ୍ଵରେ ବିଧବା ହୋଇ ରୋବନ୍ତି ଶତେ କୀଞ୍ଚକର ଭାରିଯା

ଛାମୁରେ ମୃଛାଗତ ଯାଇ ସେ ପଡ଼ିଲେ ମତ୍ସରାଜା ।୩।

କହିବାକୁ ଅଶକ୍ୟ ଶ୍ରୀକୃଷ୍ଣାର ଶୋକ

ଦେଖିଣ ରୋଦନ କରନ୍ତି ନବର ସର୍ବଲୋକ ।୪।

ଆହୋ କୀଞ୍ଚକ ବୋଲି ଶ୍ରୀକୃଷ୍ଣା ମହାଦେବୀ

ବିରାଟର ମୁଖ ଚାହିଂ କଚାଡ଼ି ପଡ଼ିଲେ ଦେବୀ ଭୁବି ।୫।

ସ୍ଵାମୀ ତୁମ୍ଭେ ତ ବିଜେକଲ କୀଞ୍ଚେକ ମୋର କାହିଂ

ଶତେକ ସଖା ସୋଦର ସଙ୍ଗତେ କେହି ଜଣେ ନାହିଂ ।୬।

ଶଙ୍ଖ ଶ୍ଵେତ ଉତ୍ତର ବିରାଟର ପୁତ୍ର ତିନି

ମାତୁଳ ନାମଧରି ବୋବି ପଡ଼ନ୍ତି ଲୋଟିଣ ଧରଣୀ ।୭।

ସ୍ଵାମୀ ୟେତେକ ସମ୍ପଦ ଦିଲୁ ପରଦର୍ପ ଗଞ୍ଜି

ମଚ୍ଛଦେଶ ମଘଦେଶ ହେଳେ ଦିଲୁ ଭାଞ୍ଜି ।୮।

କାହାଘେନି ଆସ୍ତାନେ ବସିବେ ବିରାଟେ

କେହୁ ସମର କରିବଟି ପଶି ପରଥାଠେ ।୯।

ବାବୁ ୟେ ମହୀସ୍ଥଳୀର ମଧ୍ୟେ ତ୍ରିଗର୍ତ୍ତ ମହାବଳୀ

କେ ତାହାର ଛାମୁରେ ଯୁଦ୍ଧ କରିବ ହାଦେ ମିଳି ।୧୦।

ସ୍ଵାମୀ ପଞ୍ଚଲକ୍ଷ ଘରର ଯେ ପୂରାଇଲୁ ଆଶା

ୟେହେନ୍ନେକ ଅବିଶ୍ଵାସ ହୋ କିମ୍ପେ ହୋଇଲା ତୋହୋର ମନୀଷା ।୧୧।

ଶ୍ରୀକୃଷ୍ଣାଂକୁ ପ୍ରବୋଧନା କରନ୍ତି ସଇରିନ୍ଧ୍ରୀ

ମାଗୋ ତୁ ଯେ ପରମ ପଣ୍ଡିତ ଶୋକ କିମ୍ପେ କରି ।୧୨।

ମାଗୋ ଅନୀତି ସଂସାର ୟେ ଯେ ଯାହା ଅରଜି

ଦୁଲଭ ହୋଉ କି ସୁଲଭ ହୋଉ ଅବଶ୍ୟ ତାହା ଭୁଞ୍ଜି ।୧୩।

ମାଗୋ ସର୍ବଦାୟେ ପ୍ରାଣୀଂକି ଯାଇ କି ଉତକର୍ମ

ଶ୍ରୀ ଆୟୁଷ୍ୟ ବର୍ଦ୍ଧୁତ ହୋଅଇ ହାଦେ ଉଦିତ ହୋଇ ଧର୍ମ ।୧୪।

ଧର୍ମ ଲଂଘି ଲୋଡ଼ନ୍ତି ଯେତେବେଳେ ପ୍ରାଣୀ

ଅବଶ୍ୟ ଆୟୁଷ୍ୟ କ୍ଷୟେ ଯାଇ ଶିରୀ ହୋୟେ ହାନି ।୧୫।

ମାଗୋ ମାୟାମୋହ ସଂସାର ୟେ ଦଇବ ରଞ୍ଚନା

ଜଳବିମ୍ବ ପ୍ରାୟେ କ୍ଷଣକେ ଆନୁଆନ ସିନା ।୧୬।

ଯେସନେକେ ବୃକ୍ଷତଳେ ବସନ୍ତି ଅତିଥ ପଥଶ୍ରାନ୍ତି

ଶରୀର ସୁସ୍ଥକରି ଉଠିଣ ତହିଂ ତଳୁ ଯାନ୍ତି ।୧୭।

ଯେ ଯହୁଂ ଅଇଲା ଅବଶ୍ୟ ତହିଂକି ଗମି

ସବୁଂକରି ମୃତ୍ୟୁଅଛି ଗୋ ବିଚାର କର ତୁମି ।୧୮।

ମାଗୋ ପରମ ପୁରଷ ହୋଇ ଯେବେ ଉପୁଜଇ ମେଦିନୀ

କ୍ଷଣକେ ଛାଡ଼ଇ ଶିରୀ ଗୋ ନ ପୁଣ ହୋୟେ ଚିହ୍ନି ।୧୯।

ଭାରିଯା ପୁତ୍ର ପୁତ୍ରୀ କୁଟୁମ୍ବ ବନ୍ଧୁନ୍ତ ଦେଖନ୍ତେ

ମୋହୋର ମୋହୋର ବୋଲି ବୋଲନ୍ତି ଅନମିତେ ।୨୦।

ମାୟାପାଶ ଲଗାଇ ଜଗୁଜନ ମୋହୋଇ

ପିଣ୍ଡ ପ୍ରାଣ କଦାଶ୍ଚିତେ ୟେକତ ନୋହୋଇ ।୨୧।

କେ କାହାର ପିଅର ଗୋ କେ କାହାର ପୋଅ

ଅଦଭୂତ ପାଟଣା ବାନ୍ଧିଛି ମାୟାମୋହ ।୨୨।

ମାଗୋ ନିରପେକ୍ଷ ଅଣଉପ୍ରୋଧ ଅଟଇ ଯମ ଯେ ଦେବତା

ଉପାୟେ ନାଶକରି ତାକୁ କେହି ନାହିଂ ଦୋଷଦ୍ୟନ୍ତା ।୨୩।

ଦୋଷେକ ଭିଆୟେ ଗୋ ନାଶ କରିବା ନିମନ୍ତେ

ଜରରୋଗ ପରମାଦ ଗୋ କରଇ ଅନମିତ୍ତେ ।୨୪।

ଅମୁକାଇକି ଅମୁକାଇ ମାଇଲା ଅଦଭୂତେ କହଣା

ତୁ ପରମ ସାଧେବୀ କିଂପେ ଜାଣୁ ଜାଣୁ ହୋଇ ବଣା ।୨୫।

ପୂର୍ବର ଯେ କଥାମାନ ନାହିଂ କି ତୁ ଶୁଣି

ମହାଗ୍ୟାଂନୀ ଅଟୁ ତୁ ଗୋ ସୁଗ୍ୟଂ ମହାତ୍ମାଣୀ ।୨୬।

ସଇରିନ୍ଧ୍ରୀ ବୋଇଲେ ଦେବୀ ଆଉ ନ କରିବା ଶୋକ

ତୋହୋର ଶୋକ କରନ୍ତେ ବିରାଟକୁ ଅନେକ କ୍ରୋଧ ଦୁଖ ।୨୭।

ଅଥବା କ୍ରୋଧ ତୋତେ ନୁହଂଇଟି ଯୁଗତେ

କାଳାନଳ ବଇରି ତୋହୋର ଅଛଇ ତ୍ରିଗର୍ତ୍ତେ ।୨୮।

ପରରାଷ୍ଟ ଚାରଗଣ ଅଛନ୍ତିଟି ଗୋପ୍ୟାନେ

ବଇରିକି ବାରତା ଗୋ କହିବେ ବିଦ୍ୟମାନେ ।୨୯।

ଯେ ସେ ନାଶଗଲା ତାହା ଲୋଡ଼ିଲେ ନପାଇ

କ୍ରୋଧ ସଂହରି ସାଷ୍ଟମ ହୁଅ ଗୋ ମହାମାଈ ।୩୦।

ଯେଉଂ ଦେବୀ ଆସି ଅବତାର ସ୍ଵୟେଂ

କ୍ରୋଧ ବଞ୍ଚାଇଲେ ସେ ବାକ୍ୟର ଉପାୟେ ।୩୧।

ସଇରିନ୍ଧ୍ରୀର ବଚନେ ରହିଲା ମୁଖଧୁନି

ଶ୍ରୀକୃଷ୍ଣା ବିଜେକଲେ ବିରାଟକଇଂ ଘେନି ।୩୨।

ସଇରିନ୍ଧ୍ରୀକି ବିନୋୟୀ ହୋଇ କହଇ ଶ୍ରୀକୃଷ୍ଣା

ବିରଟକୁ ରକ୍ଷାକର ଗୋ ସମ୍ପଦ ହୋଉ ପ୍ରତିଷ୍ଠା ।୩୩।

ମାଗୋ ଅଥବା କୀଞ୍ଚେକ ଆସିବ କି ଆଉ

ଗନ୍ଧର୍ବଂକୁ ସମର୍ପ ଗୋ ଯେମନ୍ତେ ମୋ ସମ୍ପଦ ରକ୍ଷା ହୋଉ ।୩୪।

ସଇରିନ୍ଧ୍ରୀ ବୋଇଲେ ଗୋ ନ ଭାଳ ମନଭ୍ରାନ୍ତି

ମୋହୋର ଥାଆନ୍ତେ ଗୋ କାହାକଇଂ ତୋର ଭୟଭୀତି ।୩୫।

ସଇରିନ୍ଧ୍ରୀ ବଚନେ ଯେ ବିରାଟ ଶୋକ ଶାନ୍ତି

ବନ୍ଧୁ କୁଟୁମ୍ବନ୍ତ ଘେନିଣ ସ୍ରାହାନେ ଗମନ୍ତି ।୩୬।

କ୍ରୋଧମାନ ଯେ ଛାଡ଼ିଲେ ସ୍ରାହାନେ କଲେ ଜଳେ

ପ୍ରେତକାର୍ଯ୍ୟ ସାରିଲେ ଯେ ଯାହାର କାଳେ ।୩୭।

ନାନା କଉତୁକ ଯେ ଉପୁଜାଇ ଦେବଧର୍ମେ

ପାଶୋରିଲେ ବିରାଟେ ସର୍ବ କୋନ୍ତଂକର ବାକ୍ୟକ୍ରମେ ।୩୮।୪୧୧୮।

***********

 

Unknown

ପାଣ୍ଡବଙ୍କ ଅନୁସନ୍ଧାନାର୍ଥେ ଦୁର୍ଯ୍ୟୋଧନଙ୍କର ଦୂତ ପ୍ରେରଣ ଓ ତ୍ରିଗର୍ତ୍ତ ରାଜା ସହିତ ବିରାଟଙ୍କ ଯୁଦ୍ଧ

ପରରାଜ୍ୟ ବାରତା ଶୁଭଇ ଅପ୍ରମିତା

ମଚ୍ଛଦେଶେ ସୂପକାର ଅଛଇ ବଡ ବଳବନ୍ତା ।୧।

ବ୍ରାଘ ମାଲ ମାଇଲା କିଞ୍ଚିତ ସମରେ

ଶତ୍ରୁ ଚଞ୍ଚଳ ହୋଇ କେହି ନୁଆସନ୍ତି ଡରେ ।୨।

କୋନ୍ତେ ବୋଇଲେ ହୋ ଶୁଣସି ମଚ୍ଛରାଜେ

ଦଣ୍ଡ ଘେନି ବିରାଟ ହୋ କରୁଥାଅ ଦିଗବିଜେ ।୩।

ଆମ୍ଭର ଓଛ ହୋଇଲେ କଳଇଟି ବଇରୀ

ଦଣ୍ଡ ଚଲୁଥିଲେ ହୋ ରିପୁ ଭୟେକରି ।୪।

କୋନ୍ତଂକର ବଚନେ ସାଜଇ ରାୟେ ଦଣ୍ଡ

ଜିଣଇ ଅନେକ ଭୂଅ ମଣ୍ଡଳ ଯେ ଖଣ୍ଡ ।୫।

ଚତୁର୍ଦିଗେ ବାରତ ଶୁଭଇ ପରରାଷ୍ଟେ

ବଡାଇ କଇଚ୍ଛାବନ୍ତ ରାଜା ହୋଇ ଅଛଇ ବିରାଟେ ।୬।

ବଇଶାଖ ମାସେ ବସନ୍ତ ଉଚ୍ଛବ ଯାତ୍ରା ଯେ ହୋଇଲା

ଜ୍ୟେଷ୍ଠମାସ କୃଷ୍ଣ ଦଶମୀରେ କୀଞ୍ଚେକ ନାଶଗଲା ।୭।

ଋଷଭ ମାସେଣ ଯେ ପ୍ରେତକାର୍ଯ୍ୟ ସାରି

ମିଥୁନ ମାସେ ବିରାଟ ଦିଗବିଜେ କରି ।୮।

ମିଥୁନ କକଡା ସିଂଘ ଯେ ତିନିମାସର ମଧ୍ୟେ

ଅନେକ ଖଣ୍ଡମଣ୍ଡଳ ସିଧିଲା ରାୟେ ଯୁଦ୍ଧେ ।୯।

ଆଶ୍ଵିନ ମାସରେ ଯେ ଶରଦ ଉଚ୍ଛବ

ସାନନ୍ଦେଣ ବଞ୍ଚନ୍ତି ସେ ଧର୍ମ ରାଜଦେବ ।୧୦।

ବଇବସୁତ ମନୁ ଯେ ପୁଚ୍ଛା କଲେକ ଅଗସ୍ତି

ବ୍ରାଘ ମାଲ ମାଇଲା ଯେ ସୂପକାର ମୂରତି ।୧୧।

ଶତେ କୀଞ୍ଚକ ସେ ମାଇଲା ଗୁପତେ

ଆବର କିସ କଲା କହିବା ପଣ୍ଡିତେ ।୧୨।

ବଦୟନ୍ତି ଅଗସ୍ତି ବାଲଖିଲା ବ୍ରହ୍ମବେତ୍ତା

ଶୁଣ ହୋ ବଇବସୁତ ମନୁ ସୁବିଗ୍ୟଂ ମହାଶ୍ରୋତା ।୧୩।

ପୁଣି ସମରେ ତ୍ରିଗର୍ତ୍ତ ଭଙ୍ଗାଣ ଦିଲା

ଅପାର ସଇନି ତାହାର ହେଳେ ନାଶଗଲା ।୧୪।

ବଇବସୁତ ମନୁ ପୁଚ୍ଛାକଲେ ଦିବ୍ୟରସ

କହିବା ମହାତମା ତ୍ରିଗର୍ତ୍ତ ଯୁଦ୍ଧରସ ।୧୫।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ପାଣ୍ଡବେ ଗୋପ୍ୟାନ ଗଲେ ତୁଳ ଶୁକଳ ପଞ୍ଚମୀ ଦିନୁଂ ।୧୬।

କନ୍ୟାମାସ ଶୁକ୍ଲପକ୍ଷ ପଉର୍ଣ୍ଣମୀର ଦିନ

ସଉରି ବାର ନକ୍ଷତ୍ର ଯେ ରେବତୀ ମୀନ ।୧୭।

ବିଜୟେ ମାନଗୋବିନ୍ଦେ ଆସ୍ତାନ ଇନ୍ଦ୍ରପ୍ରଶସ୍ତେ

ସଞ୍ଜୟେ ଶକୁନି ଧୃତରାଷ୍ଟ ବିଦୁର ସହିତେ ।୧୮।

ଭୂରିଶ୍ରବା ବାଲହିକ ଆବର ଭୀଷ୍ମ ଦ୍ରୋଣ ସମଦତ୍ତେ

ଶଲ୍ୟ କର୍ଣ୍ଣ ଅଶସ୍ତମା କୃପ ଆଚାର୍ଯ୍ୟ ସହିତେ ।୧୯।

ରଥୀ ମହାରଥୀ ମୁକୁଟବନ୍ଧା ଯୋଦ୍ଧା ସେନା

ଅଶିପରାୟୁଧ ପାତ୍ର ପଞ୍ଚବିଂଶ ସାଗର ଜେନା ।୨୦।

ପାଞ୍ଚପଦ୍ମ ସାମନ୍ତ ମହାମଲ୍ଲ ପରିଡ଼ା

ଅଷ୍ଟାଦଶ ପାରିଦଣ୍ଡ ହୋଇଛନ୍ତି ଛିଡ଼ା ।୨୧।

ମହାରାଜ କୁଞ୍ଜଗଳ ଦେଶ କେହୁ ପରିମାଣି

ପାଦନତି ବଳ ଖଟନ୍ତି ଅଷ୍ଟାଦଷ କ୍ଷଉଣୀ ।୨୨।

ସମ୍ଭର୍ବେ ଆସ୍ତାନେ ବିଜୟେ ମାନଗୋବିନ୍ଦ ଚକ୍ରବ୍ରତୀ

ଅନେକ ଧନରତ୍ନ ବିଳୋହନ୍ତି କୁମାର ପଉର୍ଣ୍ଣମୀର ରାତି ।୨୩।

ତାଡ଼ ତୋଡ଼ର ଝୁମ୍ପା ସରଳ ବାହୁଟି ଜଗଦଳା

ମୁକୁଟ କୁଣ୍ଡଳ କର୍ଣ୍ଣାଞ୍ଚଳ ଶିରୀଭୂଷ ସୀମଛିନୀ ହୃଦେଶ ରତ୍ନମାଳା ।୨୪।

ନବତନ ଆଲମ୍ବ ନବତନ ପାଟଛତ୍ର

ନବତନ ନିଘୋଡ଼ ବାଖର ନବତନ ରଥ ।୨୫।

କନ୍ୟ ଉଚ୍ଛବେ ବଡ଼ାଇ ସମ୍ଭରେ ବିଜୟେ ମହାରାଜା

ଅନେକ ଶାଢୀସୁନା ପାଆନ୍ତି ଜନପ୍ରଜା ।୨୬।

ଆହୋ ଚଇତନ ପାଣ୍ଡବଂକ ଅଗ୍ୟାଂତବାସ ଲେଖା ଦିନୁଂ

ଗୁପତେ ପରରାଷ୍ଟକୁ ଚାର ପେଷିଲା ଯେ ଧୃତରାଷ୍ଟର ତନୁ ।୨୭।

ଅନେକ ଧନରତ୍ନ ଦିଲାକ ଜିତଗ୍ରାମ

ଦରିଦ୍ର ଫେଡ଼ିବି ତୁମ୍ଭର ଯେ ଖୋଜ ପାଣ୍ଡବଂକ ବିଶ୍ରାମ ।୨୮।

ଅଗ୍ୟାଂତବାସ ବରଷେ ତେରଦିନ ପରିଯନ୍ତେ

ଜାଣନ୍ତା ହୋଇଲେ ବାର ବରଷ ପୁଣ ପଶିବେ ବନସ୍ତେ ।୨୯।

ୟେହେନ୍ନେକ ସତ୍ୟବ୍ରତ କରିଅଛନ୍ତି ଯୁଝେଷ୍ଠି

ତେଣୁକରି ଅହିବ୍ରତେକ ଚାର ଗୁପତେ ପେଷିଲା ଧୃତରାଷ୍ଟି ।୩୦।

ଦେଶ ଖଣ୍ଡମଣ୍ଡଳ ରାଷ୍ଟ ପେଣ୍ଠ ଯେ ପାଟଣା

ନଗ୍ରତୀର୍ଥ ଯାତ୍ରା ଅଟବ୍ୟା ନାନା ଯେ ଅରଣ୍ୟା ।୩୧।

ଗିରି ତିଙ୍ଗର ସାଗର ଋଷିଂକ ଆଶ୍ରମ

ଖୋଜନ୍ତି ଦେଶାଉରେ ପାଣ୍ଡବଂକ ବର୍ଣ୍ଣଚିହ୍ନ ।୩୨।

ନବମାସ ଅନ୍ତେ ଦଶମାସ ପରବେଶ

ଖୋଜିଣ ନ ପାଇଲେ ସେ ପାଣ୍ଡବଂକ ଲେଶ ।୩୩।

ଆହୋ ବିରାଟ କଟକେ ଯେବଣ ଚାରେ ଥିଲେ

ବିଷ୍ଣୁ ମାୟାକୂଟେ ସେ ଜାଣିତେ ନୁଆରିଲେ ।୩୪।

ମହା ସମ୍ଭର୍ବ ଆସ୍ତାନେ ବିଜୟେ ମାନଗୋବିନ୍ଦ ସ୍ଵାମୀ

ଦକ୍ଷିଣ ଦିଗର ଚାର ଯାଇଂ ଆସ୍ତାନେ ପରିଣାମି ।୩୫।

ସ୍ଵାମୀ ସ୍ତିରୀରୂପ ବାଳୁତ ରୂପ ଯୋଗୀରୂପ ଅନେକ ଧଇଲୁ

ପାଣ୍ଡବଂକର ବର୍ଣ୍ଣଚିହ୍ନ ଖୋଜିତ ନ ପାଇଲୁ ।୩୬।

ଚାରିଦିଗର ବାରତା ଶୁଣିଲା ମାନଗୋବିନ୍ଦ

ହୃଦଗତେ ବିଚାରି ରାଜା ମନେଣ ସାନନ୍ଦ ।୩୭।

କର୍ଣ୍ଣର ହାଥେ କରତାଳ ଦେଇଣ ହସିଲା ମାନଚକ୍ରବ୍ରତୀ

କେମନ୍ତ ପ୍ରାୟେ ମଣିଲ ଶକୁନି ମାତୁଳ ମହାମନ୍ତ୍ରୀ ।୩୮।

ଦ୍ରିଯୋଧନ ବଚନେ ଯେ ଶକୁନି ବୋଇଲେ

ଆମ୍ଭେ ଶୁଣିଲୁ ପାଣ୍ଡବେ ନିଚୟେ ନାଶଗଲେ ।୩୯।

କର୍ଣ୍ଣ ବୋଇଲା ୟେହା ଜାଣିମା କେମନ୍ତେ

ଶକୁନି ବୋଇଲା ଅବଧାନ ହୋଇବା ସମସ୍ତେ ।୪୦।

ସମସ୍ତେ ଜାଣନା ଯୁଝେଷ୍ଠିର ଯେମନ୍ତ ବୃତ୍ତି

ଅଠାଶି ସହସ୍ର ଋଷିଂକ ଅନ୍ନ ଦିଅଇ ନିତି ।୪୧।

ସଂକଳ୍ପ କରି ତାହା ପାଇବ କାହିଂ ବନେ

କଷଣେ ଝିଂଘାସି କରି ଗଲେ ମୁନିମାନେ ।୪୨।

ତାହାଂକର ଝିଂଘାସେ ଆପଣେ ଉପବାସେ

ଅନ୍ନହୀନେ ଯୁଝେଷ୍ଠି ଗଲେ ପ୍ରାଣନାଶେ ।୪୩।

ସମସ୍ତେ ଜାଣନା ଭୀମାର ପରକୃତି

ତିନିଷାଠି ପଉଟି ଅନ୍ନରେ ସେ ହୋଅଇ ତ୍ରିପୁତି ।୪୪।

ବନସ୍ତେ ୟେତେକ ପାଇବେ କାହିଂ ଲୋଡ଼ି

ଅନ୍ନ ଶାସ୍ତିୟେ ଭୀମା ବନସ୍ତେ ମଲା ଗଡ଼ି ।୪୫।

ଅର୍ଜୁନରେ ଦ୍ରୋପତୀର ଅଟଇ ବଡ଼ ସୋଗ

ବିପତ୍ତିକାଳେ ସୁନ୍ଦରୀ ସ୍ତିରୀ ଥିଲେ ପଡ଼ଇ ପ୍ରମାଦଯୋଗ ।୪୬।

ଦମୟନ୍ତୀକି ଛାଡ଼ି ପଳାଇଲା ନଳ ପ୍ରାୟେ ରାଜା

ଶ୍ରାରାମ ସୀତୟାଂକୁ କଲେ ପରିତେଜ୍ୟା ।୪୭।

ଭୀମା ଯୁଝେଷ୍ଠି ଯେ ଅନ୍ନଶାସ୍ତିରେ ମଲେ

ଅସୁରମାନେ ଆସି ଦ୍ରୋପତୀଂକି ବେଢିଲେ ।୪୮।

ଦ୍ରୋପତୀଂକି ଦେଖି ଯେ ଅର୍ଜୁନ ଲୁବୁଧ

ଅସୁରେ ଦ୍ରୋପତୀଂକି ନେଲେ ଅର୍ଜୁନକୁ କଲେ ପ୍ରାଣେ ବଧ ।୪୯।

ଅର୍ଜୁନ ନାଶଗଲା ଦ୍ରୋପତୀ ନିମନ୍ତେ

ନକୁଳ ସହଦେବ ଝୁରିମନେ ବନସ୍ତେ ।୫୦।

ୟେହାହୁଂ ଅନ୍ତର ହୋ ନୋହୋଇ ଜାଣ କିଛି

ସଭାରେ ଶକୁନି ମନ୍ତ୍ରୀ ୟେହେନ୍ନେକ ବାଚି ।୫୧।

ଦ୍ରିଯୋଧନ ବୋଇଲା ଶୁଣ ଆହୋ କର୍ଣ୍ଣ ମଇତ୍ର

ୟେବେ ସେ ୟେକାଙ୍ଗ ରାଜ୍ୟ ହୋଇଲା ପରାପତ ।୫୨।

ଶତ୍ରୁ ମର୍ଦ୍ଦନ ପାତଙ୍ଗ ବାନ୍ଧିଲେ ସର୍ବ ରଥେ

ଉଚ୍ଛବ କରାଇଲେ ରାଜା ପଞ୍ଚୁ ଯେ ପ୍ରଶସ୍ତେ ।୫୩।

ପୁଣ ସଭାରେ କହିଲେ ପଛିମ ଦିଗ ଚାରଗଣ

ସ୍ଵାମୀ ମଚ୍ଛଦେଶର ବାରତା ସାବଧାନେ ଶୁଣ ।୫୪।

ଦିବସେକ ରହିଲୁ ଆମ୍ଭେ ବିରାଟ ରାଜ୍ୟର

କୀଞ୍ଚେକ ବୋଲି ଥିଲା ଶଳା ଶତେଭାଇ ତାର ।୫୫।

ସଇରିନ୍ଧ୍ରୀ ବୋଲି ଦେବ ଶ୍ରୀକୃଷ୍ଣା ପରିବାରୀ

ଉଚ୍ଛବ ନବରକୁ ଗଲା କୀଞ୍ଚେକ ସଇରିନ୍ଧ୍ରୀକି ଘେନିକରି ।୫୬।

ଗନ୍ଧର୍ବେକ ଥିଲା ଯେ ଗନ୍ଧନଦୀର ତୀରେ

କୀଞ୍ଚେକକୁ ମାଇଲା ଉତ୍ସବ ନବରେ ।୫୭।

ଦେହ ମେଦୀ ମଣ୍ଡା ଆକାର କଲାକ ତାକୁ ୟେକଲୋଟି

ଚାରି ଚରଣ ଶିର ନ ପାଇଲେ ତାର କିଛି ।୫୮।

ରାଗେଣ ବିରାଟ ବୋଇଲା ସଇରିନ୍ଧ୍ରୀ ମୋଢୀକି ବେଗେ ଆଣ

କୀଞ୍ଚକର ତୁଲେ ସଇରିନ୍ଧ୍ରୀକି କରସି ଦହନ ।୫୯।

କୀଞ୍ଚେକର ଅନେଶ୍ଵତ ଭ୍ରାଥେ ଆଣନ୍ତେ ସଇନ୍ଧିରୀ

ତାହାନ୍ତ ମାରି ଗନ୍ଧର୍ବ ଯେ ସେହି ଅଗ୍ନିରେ ଭରି ।୬୦।

ୟେମନ୍ତ ଦେଖିଲୁ ଦେବ ମଚ୍ଛଦେଶେ ଥାଇଂ

ଦ୍ରିଯୋଧନ ହସିଲା ସନ୍ଦେଶ ବାରତା ପାଇଂ ।୬୧।

ଅନେକ ରତ୍ନଶାଢୀ ଅଳଂକାର ଭୂଷଣ

ବଧାଇ ପାଇଲେ ସେ ପଛିମ ଦେଶର ଚାରଗଣ ।୬୨।

ଭୀଷ୍ମଂକର ମୁଖ ଚାହିଂ ଦ୍ରିଯୋଧନ ବୋଇଲା

ୟେ ମହୀମଣ୍ଡଳେ ମୋତେ କୀଞ୍ଚକକୁ ଭୟେ ଥିଲା ।୬୩।

ଅବଶ୍ୟ କ୍ଷାନ୍ତି ହୁଅନ୍ତା ତାହା ବିଧାତା ନାଶକଲା

ୟେସନକ ବଚନ ସେ ଦ୍ରିଯୋଧନ ବୋଇଲା ।୬୪।

ସୁଦଶା ସୁକର୍ମ ପ୍ରାଣୀକି ପ୍ରାପତ ହୋଅଇ ଯେତେବେଳେ

ଆପଣେହେଂ ସୁବିଧାନ ହୋଅଇ ସେ ଧର୍ମବଳେ ।୬୫।

ୟେଣେ ପାଣ୍ଡବେ ମଲେ ତେଣେ କୀଞ୍ଚେକଇ ନାଶଗଲା

ୟେବେ ସେ ଜମ୍ବୁଦ୍ଵୀପ ମୋତେ ୟେକଛତ୍ର ହୋଇଲା ।୬୬।

ଆହୋ ଚଇତନ କୀଞ୍ଚକର ଭୟେ ଯେ ପଳାଇଥିଲା ତ୍ରିଗର୍ତ୍ତ

ଦ୍ରିଯୋଧନ ଶରଣ ପଶିଲା ଯାଇଂଣ ଇନ୍ଦ୍ର ପ୍ରଶସ୍ତ ।୬୭।

ପାରିଦଣ୍ଡମାନଂକ ତୁଲେ ସେ ଆସ୍ତାନ ତଳେ ଥିଲା

କୀଞ୍ଚକର ହତ ଶୁଣି ନିଉଛାଳି କରି ଶୁତିଲା ।୬୮।

ଆହୋ ସ୍ଵାମୀ କଇଚ୍ଛା ଜଗଜ୍ଜେଠୀ ତୁ ଶରଣ ପଞ୍ଜଣ ବିରଧୂ

ୟେ ମହୀମଣ୍ଡଳେ ଦେବ ମହିମାଂ ତୋର ସାଧୁ ।୬୯।

ସ୍ଵାମୀ ମଚ୍ଛଦେଶ ମଘଦେଶ ମୋହୋର ଅଟଇ ଯୁଗତେ

କୀଞ୍ଚେକ ଦଣ୍ଡଭଗ୍ନ କରି ସେ ଉଡ଼ାଇ ଦିଲା ମୋତେ ।୭୦।

ମୋହୋର ନିଜରାଜ୍ୟ ଦେବ ଘେନିଲାକ ବଳେ

ବିରାଟ ମାତ୍ର ସମାନ ନୋହୋଇ ମୋହୋର ବାହୁବଳେ ।୭୧।

ନିଜରାଜ୍ୟେ ପାଇବି ମୁଂ ତୋହୋର ପୁଣ୍ୟବଳେ

ଦିଅ ମୋତେ ଆଗ୍ୟାଂ ମୁଂ ବାହିବି ଅଙ୍ଗଛଳେ ।୭୨।

ସ୍ଵାମୀ ଦୁହାଂଳ ଦୁଇପଦ୍ମ ଅଛି ତାହାର ଗାଈ

ତାହା ତୋତେ ଆଣି ଦେବ ମୁଂ ଯେ ଦେବଇ ବଧାଇ ।୭୩।

ସ୍ଵାମୀ ଶରଣ ରକ୍ଷଣ କଇଚ୍ଛା ଜଗଜ୍ଜେଠି

ୟେ ମହୀତଳେ ଉଦିତ ସେ ତୋହୋର ନାମଗୋଟି ।୭୪।

ଦ୍ରିଯୋଧନ ଆଗ୍ୟାଂ ଦିଲା ତ୍ରିଗର୍ତ୍ତେଶ୍ଵର ବାକ୍ୟ ଶୁଣ

କେତେ ଦଣ୍ଡ ସାଜି ଘେନିଗଲେ ପାରିବୁ ତାକୁ ଜିଣି ।୭୫।

ଭଲ ଭଲ କରି ଅଶ୍ଵ ଗଜ ରଥ ବାଛ

ଯେତେକ ଜିଣି ପାରିବୁ ତେତେକ ସନ୍ୟ ଗଛ ।୭୬।

ବେନି ପରାୟୁଧ ରଥ ବତ୍ରିଶ ପରାୟୁଧ ହାଥୀ

ବାଆନ ପରାୟୁଧ ଅଶ୍ଵ ସାତକ୍ଷଉଣୀ ପାଦାନ୍ତି ।୭୭।

ୟେତେକ ବାଛିଲା ସେ ତ୍ରିଗର୍ତ୍ତେଶ୍ଵର ରାୟେ

ଆଗ୍ୟାଂ ପ୍ରମାଣେ ସମଦଣ୍ଡ ସଜ ହୋୟେ ।୭୮।

ଆସ୍ତାନ ମଉଳନ୍ତେ ବିଦୁର ୟେକଯୋଗେ

ପଛିମ ଦିଗ ଚାରନ୍ତ ସେ ହକାରିଲେ ବେଗେ ।୭୯।

ଆରେ ସତେହେକି ସଇରିନ୍ଧ୍ରୀ ନିମନ୍ତେ ଗନ୍ଧର୍ବେ କୀଞ୍ଚକକୁ ମାଇଲେ

ସ୍ଵାମୀ ଆମ୍ଭେ ଥାଇ ଦେଖିଲୁଂ ସେ କୀଞ୍ଚେକକୁ ଅଗ୍ନିରେ ଦହିଲେ ।୮୦।

ବିଚାରି ବିଚାରି ବିଦୁରେ ଭାଳନ୍ତି ହୃଦଗତେ

ଆଜର ଦିବସ ବଡ ସୁଫଳ ହୋଇଲା ମୋତେ ।୮୧।

ବିରାଟ ରାଜ୍ୟେ ପୋୟେ ଗୋପ୍ୟାନ ହୋଇଥିଲେ

ଦ୍ରୋପତୀ ନିମନ୍ତେ ସେ କୀଞ୍ଚେକ ବଧ କଲେ ।୮୨।

ଅନେକ ବଧାଇ ଦିଲେ ବିଦୁର ମହାତମା

ହୃଦଗତେ ବିଙ୍ଘସିତ ପଞ୍ଚୁଭୁତ ଆତ୍ମା ।୮୩।

ଭୀଷ୍ମ ଦ୍ରୋଣ ଦୁହେଂ ଯେ ହୋଇଲେ ୟେକାନ୍ତେ

ସରୂପ ପଚାରନ୍ତି ସେହୁ ହକାରିଣ ଦୂତେ ।୮୪।

ସରୂପ ବାରତା ଯେ କହିଲେ ଚାରଗଣେ

ସଇରିନ୍ଧ୍ରୀ ନିମନ୍ତେ ଗନ୍ଧର୍ବେ ମାଇଲେ ଶତେ କୀଞ୍ଚେକ ରଣେ ।୮୫।

ଭୀଷ୍ମେ ବୋଇଲେ ଦ୍ରୋଣେ କେମନ୍ତେ ବୁଝିଲ ୟେହୁ କଥା

ଦ୍ରୋଣେ ବୋଇଲେ ପାଇଲୁ ପୁଅଂକର ବାରତା ।୮୬।

ବିରାଟ ରାଜ୍ୟେ ଅଗ୍ୟାଂତେ ବଞ୍ଚିଲେ ପାଣ୍ଡବେ

ନୋହିଲେ ମୃତୁ ମଣ୍ଡଳେ କି ଥାଆନ୍ତି ଗନ୍ଧର୍ବେ ।୮୭।

ଭୀଷ୍ମେ ବୋଇଲେ ଦ୍ରୋଣେ ସଇରିନ୍ଧ୍ରୀ ଯେ ସ୍ଵୟେଂ ଅଟଇ ଜୀଘ୍ନସେନୀ

ତଦ ନିମନ୍ତେ କରି ସେ ସଇରିନ୍ଧ୍ରୀ ନାମ ଘେନି ।୮୮।

ଜଗୁଜନ ମୋହିନୀ ସେ ତାକୁ କୀଞ୍ଚେକ ଆଶାକଲା

ଭୀମ ତାହା ସହି ନୁଆରି ତାକୁ ସମ୍ପୋତେ ନାଶକଲା ।୮୯।

ବହୁତ ଆନନ୍ଦ ଯେ ହୋଇଲେ ଭୀଷ୍ମ ଦ୍ରୋଣେ

ଅନେକ ବଧାଇ ପାଇଲେ ଚାରଗଣେ ।୯୦।

ରୟଣୀ ପ୍ରଭାତେ ରାଜା ବିଜୟେ ଆସ୍ତାନେ

ସମ୍ଭର୍ବେ ପ୍ରବେଶ ଆସି ହୋଇଲେ ସେନାପତିମାନେ ।୯୧।

ଦ୍ରିଯୋଧନ ବୋଇଲା ତୁମ୍ଭେ ଶୁଣିମା ଗୁରୁ ହେ

ବଡ଼ାଇ କଥା ୟେତ ଲାଗିଲା ସନ୍ଦେହେ ।୯୨।

ତ୍ରିଗର୍ତ୍ତ ଯେ ଶରଣ ପଶିଲା ଆମ୍ଭର ତହିଂ

ତାହାର ନିମନ୍ତେ କରି ଅବା ଯାଆନ୍ତୁ ଆମ୍ଭେ ବାହି ।୯୩।

କୀଞ୍ଚେକର ଥାଆନ୍ତେ ଯେ ହୁଆନ୍ତା ବଡ଼ଦ୍ଵନ୍ଦ

ଦଇବେ ସେ ନାଶଗଲା ପାରମର ଦୁଷ୍ଟମନ୍ଦ ।୯୪।

ତ୍ରିଗର୍ତ୍ତ ଯାଉଅଛି ଅନେକ ବଳ ଘେନି

ବାଛିକରି ଦିଲୁ ରଥ ଗଜ ଅଶ୍ଵ ଯେ ସଇନି ।୯୫।

ତାହାର ନିଜରାଜ୍ୟ ପାଇବ ମୋହୋର ବଳେ

ଦୁଇପଦ୍ମ ଗାଈ ଆମ୍ଭେ ପାଇବା ଦୁହାଂଳେ ।୯୬।

ଭୀଷ୍ମେ ବୋଇଲେ ବାବୁ ୟେ ମୋହୋର ବୋଲ ଶୁଣ

ତାହାର ଦଣ୍ଡ ଘେନି ସେ ଯାଉ ତ୍ରିଗର୍ତ୍ତ ମହାରାଣ ।୯୭।

ପର କାର୍ଯ୍ୟେ ନ ଯିବା ଆମେ ପରରାଷ୍ଟ

ସାମାନ୍ୟ ଜଣ ପୁଣ ସେ ନୋହୋଇ ବିରାଟ ।୯୮।

ତୁମ୍ଭେ ମହାଭିଗ୍ୟଂ ଦେବ ନ ଜାଣ ଅବା କାହା

ଆମ୍ଭେ ଜାଣୁ ବିରାଟକୁ ବଡ଼ ଜଣେ ସାହା ।୯୯।

ଯେବଣ ଗନ୍ଧର୍ବ ଯେ ମାଇଲେ କୀଞ୍ଚକଇ

ସମରବେଳେ ସାହା ପୁଣ ହୋଇବେ ବିରାଟକଇଂ ।୧୦୦।

ଦ୍ରିଯୋଧନ ବୋଇଲା ହସ୍ତିନା ଥାଠକୁ

ମୋହୋର ଥାଠ ଭୟ ଯାଇକି ଗନ୍ଧର୍ବ ଛାରକୁ ।୧୦୧।

ଯାଅ ହୋ ତ୍ରିଗର୍ତ୍ତ ବୋଲି ବୋଇଲା ଶକୁନି

ଶୁଭଯୋଗେ ଯାଇଆସ ହୋ ଗୋଧନ ପଲ ଘେନି ।୧୦୨।

ମାଗୁଶୀର ମାସ କୃଷ୍ଣପକ୍ଷ ପଞ୍ଚମୀ ଚନ୍ଦ୍ରବାର

ଆରଦ୍ରା ନକ୍ଷତ୍ର ଯେ ଅଟଇ ସେ ଦିନର ।୧୦୩।

ବିଷ୍ଟିନାମେ କରଣ ଶିବନାମେ ଯୋଗ

ବିଛା ସଂକରାନ୍ତିକି ଯେ ନବ ଦିବସ ଭୋଗ ।୧୦୪।

ରାତି ପାହିବାକୁ ଯେ ଅଛଇ ତିନିଦଣ୍ଡ ।୧୦୫।

ଅନେକ ରତ୍ନେ ରଥ ଗଜ ଅଶ୍ଵ ମଣ୍ଡି

ବାବନ୍ତି ବୀରତୂର ଟମକ ନିଶାଣ ଦାଉଣ୍ଡି ।୧୦୬।

ଦମା ଦୁନ୍ଦୁଭି ଯେ ବିଜିଘୋଷ ଶବଦେ

ମେଦିନୀ ହେଳ ଘେନଇ ହାଥୀଂକର ଘଣ୍ଟାନାଦେ ।୧୦୭।

ଆଲମ୍ଭ ପାଟଛତ୍ର ଉଦ୍ଦଣ୍ଡ ପାଞ୍ଚଲକ୍ଷି

ଗର୍ଜନ୍ତି ଯୋଦ୍ଧାୟେ ଯେ ଗଗନେ ତେଜ ଦେଖି ।୧୦୮।

ଚଲଇ ତ୍ରିଗର୍ତ୍ତେଶ୍ଵର ବନ୍ଦି ମାନଗୋବିନ୍ଦର ପଦାରବିନ୍ଦେ

ହାକ ଡାକ ଦିଅନ୍ତି ବୀରେ ପରମ ସାନନ୍ଦେ ।୧୦୯।

ଯମୁନାର କୂଳେ କୂଳେ ଯେ ଚଳଇ ସମଦଣ୍ଡ

ଗର୍ଜନ ତର୍ଜନ ନାଦ ଶବଦେ ୟେ କମ୍ପଇ ବ୍ରହ୍ମାଣ୍ଡ ।୧୧୦।

ଚଳଇ ନିଜ ବଳ ଯେ ପଛିମ ମୂରତି

ପ୍ରଥମ ଦିନ ପୟାଣ କଲା ବତିଶ ଯୋଜନ ପ୍ରତି ।୧୧୧।

ତହିଂ ଆରଦିନ ଚାଳିଶ ଯୋଜନ ଗମି

ଆରେକ ଦିବସେ ପଞ୍ଚାଶ ଯୋଜନ ବିଭ୍ରମି ।୧୧୨।

ପୁଣି ଆରେକ ଦିନ ବାଆନେ ଯୋଜନ ଯାଇ

ୟେକାଦଶ ଦିବସେ ରାଜା ଥାଠ ଗଲା ଚଳାଇ ।୧୧୩।

ଗୋପାଳୀ ନଦୀକୂଳେ କଣୟକେଶରୀ ବୋଲି ବନ

ତହିଂ ଯାଇ ତ୍ରିଗର୍ତ୍ତ ଥାଠ ରହିଲା ବେନିଦିନ ।୧୧୪।

ଅଗସ୍ତିଂକି ପୁଚ୍ଛନ୍ତି ବଇବସୁତ ମନୁ ବ୍ରହ୍ମବେତ୍ତା

କୀଞ୍ଚେକ ନାଶଗଲା ଯେ ବିରାଟର କେବଣ ଅବସ୍ତା ।୧୧୫।

ଆସ୍ତାନେ ବିଜେକରି ଅଛନ୍ତି ନୃପତି ବିରାଟେ

ପଶାକ୍ରୀଡ଼ା ଖେଳାବନ୍ତି ଦେବ କୋନ୍ତଭଟ୍ଟେ ।୧୧୬।

ଯାଚକେଶ୍ଵର ମନ୍ତ୍ରୀ ବାମଦେବ ପୁରୋହିତେ

ସମ୍ଭର୍ବେ ବସିଅଛନ୍ତି ସମସ୍ତ ଅମନାତ୍ୟେ ।୧୧୭।

ଦେଶାଉରେ ବାରତା ଜଣାଇଲେ ଆସ୍ତାନେ

ସ୍ଵାମୀ ତ୍ରିଗର୍ତ୍ତ ବାହିଲା ଯେ ଅମାପତ ସନ୍ୟେ ।୧୧୮।

ଗୋପାଳୀ ନଦୀକୂଳେ ସେ ଗଡ଼େକ ଭିଆଇ

ପାଞ୍ଚ ଯୋଜନ ମାଡ଼ି ଦେବ ଥାଠ ଛନ୍ତି ତହିଂ ରହି ।୧୧୯।

ସ୍ଵୀମୀ ଶରଣପଞ୍ଜର ରାଜା ମାନ ଯେ ଗୋବିନ୍ଦ

ରଥ ଗଜ ଅଶ୍ଵ ପାଦାନ୍ତି ଦେଇଅଛଇ ନରେନ୍ଦ୍ରେ ।୧୨୦।

ବହୁତ ପହିଜ କଥା ଦେଶଉରେ କଲେ ଯହୁଂ ପୁଚ୍ଛା

ଶୁଣିଣ ବିରାଟ ଯେ ପଡ଼ିଗଲେ ମୃଚ୍ଛା ।୧୨୧।

କୋଳକରି ଆସ୍ତାନେ ଧଇଲେ କୋନ୍ତଭଟ୍ଟେ

ହା ହା କୀଞ୍ଚେକ ବୋଲି କର ତାଡ଼ଇ ଲଲାଟେ ।୧୨୨।

ସୋହୋଡ଼ ସୁନ୍ଦର ବାବୁ ବୀରବର ସାମରଥା

ତୋହୋର ଅବାବେ ଶତ୍ରୁ ମୋତେ ହୋଇଲା କଳନ୍ତା ।୧୨୩।

କୋନ୍ତ ବୋଇଲେ ହୋ ବିରାଟ ରହ ରହ

ଛାଡ଼ ୟେବେ କ୍ରୋଧଗତ କଥା ଦୁସହ ।୧୨୪।

ପରଦେଶୀ ଚାରଗଣେ ଥାଆନ୍ତିଟି ଗୁପତେ

ଶତ୍ରୁ କଳିବେଟି ତୋହୋର ବିରସ ହୋଅନ୍ତେ ।୧୨୫।

ବିରାଟେ ବୋଇଲେ କୋନ୍ତେ ମୁଂ କହଇ ତୁମ୍ଭଂକୁ

ମୁହିଂ ସମରେ ସରି ନୋହଇ ତ୍ରିଗର୍ତ୍ତକୁ ।୧୨୬।

ଜୀବନ ସୁଫଳ ମୁଂ ତୁମ୍ଭନ୍ତ କରିଥିଲି ସେବା

ୟେବେ ଗୋସାଇଂ ତୁମ୍ଭେ ଯେ ଯାହାର ରାଜ୍ୟକଇଂ ଯିବା ।୧୨୭।

ମୋର ଭାଗ୍ୟେ ନାହିଂ ତୁମ୍ଭନ୍ତ ସେବା କରିବାକୁ

ସର୍ବଦାୟେ ଅନଗୃହ କରିଥିବା ମୁକୁ ।୧୨୮।

ଛାଡ଼ିଲି ନିଜ ରାଜ୍ୟ ସମ୍ପଦର ଆଶା

ଗମିବଇ ନାନା ତୀର୍ଥ ପିନ୍ଧିବଇଂ ବାସ କଷା ।୧୨୯।

କୋନ୍ତେ ବୋଇଲେ ରାଜା ନୋହଇଟି ୟେମନ୍ତ

ବିନା ଯୁଦ୍ଧେ ଶତ୍ରୁକୁ ଘୁଞ୍ଚିବା ନୋହଇ ଯୁକତ ।୧୩୦।

ଦଣ୍ଡ ଗୋଟିୟେ ଘେନିଣ ଯିବା ଚାଲ ପେଲି

ସାମ ଦାନ ଭେଦ ଦଣ୍ଡ ଚାରି ପ୍ରତି ବୋଲି ।୧୩୧।

କେଉଣିସି ପରକାରେ ଯେବେ ଶତ୍ରୁକୁ ଜିଣି ନୁଆରି

ତେବେ ସେ ରାଜ୍ୟ ଛାଡ଼ଯାଇ ଅପସରି ।୧୩୨।

ମୋହୋର ଭରସା ନାହିଂ ବୋଲଇ ବିରାଟ

ତୁମ୍ଭର ବୁଦ୍ଧି ଥିଲେ କୋନ୍ତେ ସାଜିବା ହୋଉ ଥାଠ ।୧୩୩।

କୋନ୍ତେ ବୋଇଲେ ହୋ ଶୁଣିମା ଅମନାତ୍ୟେ

ସାଜ ହୋ ସମଦଣ୍ଡ ଅଶ୍ଵ ଗଜ ରଥ ସହିତେ ।୧୩୪।

କୋନ୍ତଂକର ବଚନେ ଯେ ସାଜିଲେ ସଇନି

ବାଜଇ ବୀର ତୂର ଟମକ ଆକାଶେ ଶୁଭଇ ହାଦେ ଧୁନି ।୧୩୫।

ମଣ୍ଡନି ଯୋଦ୍ଧାୟେ ଯେ କଣୟମୟ ରଥ

ବହୁତ ବଳ ଚଞ୍ଚଳ ଚଳନ୍ତେ ମହୀ ହେଳ ଘେନଇଂ ସିନ୍ଧୁ ସାତ ।୧୩୬।

ବହୁତ ସମ୍ଭରେ ଯେ ବାହାର ହେଲେ ଥାଠ

କେହୁ ସେ ଧାମନ୍ତି ଯେ ଧରିଣ ମୁରାଟ ।୧୩୭।

ଧାମନ୍ତି ଯୋଦ୍ଧାୟେ ଯେ ଅମନାତ୍ୟ ପରଚଣ୍ଡ

ଗଗନ ମେଖଳେ ଯୋଦ୍ଧାୟେ ଧାମନ୍ତି ପରଚଣ୍ଡ ।୧୩୮।

ଆପଣେ ଉଭା ହୋଇ ଅଛନ୍ତି କୋନ୍ତଭଟ୍ଟେ

ମଣ୍ଡନ୍ତି ରହୁବର କଣୟ ଜଡ଼ିତ ରଥ ତଟେ ।୧୩୯।

ହୀରା ନୀଳା ପୋୟେଳା ବଇଡ଼ୁର୍ଯ୍ୟ ମାଣିକ୍ୟ ମର୍କତ ମୁକୁତା

ମଣ୍ଡନ୍ତି ଅଷ୍ଟରତ୍ନେ ଝରା ଗୁଛିଣ ପାଟସୂତା ।୧୪୦।

ଅନେକ ଚାମର ଯେ ମଣ୍ଡନ୍ତି ଚଉକତି

ନିଘୋଡ଼ ବାଖରେ ସେନାୟେ ସାଜନ୍ତି ମତ୍ତହାଥୀ ।୧୪୧।

ରଥ ପୀଢାଂକର ଚଉକତି ଲମ୍ବଇ କ୍ଷୁଦ୍ର ଘଣ୍ଟିକା

ଆଦିତ୍ୟ ପ୍ରବାଳ ଜାଣି ଦିଶଇ ରଥଶିଖା ।୧୪୨।

ସୁବର୍ଣ୍ଣକଳସ ଉପରେ ନେତର ପାତାଙ୍ଗ ଉତ୍ତମ

ରଥଂକ ଉପରେ ଛାୟେଣୀ ଶାର୍ଦ୍ଦୁଳର ଚର୍ମ ।୧୪୩।

ହୟଶାଳାରୁ ତୁରଙ୍ଗମ କରିଣ ଚୟନ

ରଥରେ ଅଶ୍ଵ ସେ ଯେ ଯୋଚିଲେ ଶ୍ଵେତବର୍ଣ୍ଣ ।୧୪୪।

ଧବଳ ବକପ୍ରାୟେ ରଥେ ଉଡ଼ନ୍ତି ଗଗନେ

ଯେ ଯାହା ଯୋଦ୍ଧାୟେ ଯେ ଅଛନ୍ତି ଗହନେ ।୧୪୫।

ପାଞ୍ଚମର୍ଭୁତ ରଥ ଦଶ ମର୍ଭୁତ ହାଥୀ

ପଚିଶମର୍ଭୁତ ଅଶ୍ଵ ସାତ କ୍ଷତଣୀ ପାଦାନ୍ତି ।୧୪୬।

ରଥୀ ରଥ ଆରୋହିଣ ସେନାପତିମାନେ ଆଗ

ରଥକଂର ପଛେ ଉଭା ହୋଇଲେ ମତ୍ତନାଗ ।୧୪୭।

ଗଜଂକର ପଛେ ଯେ ଅଶ୍ଵମାନନ୍ତ ସାଜି

ମହୀବାରଣ ତୁରଙ୍ଗେ ଅଟନ୍ତି ମହାତେଜି ।୧୪୮।

ଅଶ୍ଵଂକର ସନ୍ନିଧ୍ୟେ ସଇନିମାନେ ଚଳି

ପୂର୍ବଦିଗେ ସିନ୍ଧୁ ଯେହ୍ନେ ମହାଘୋର ଉଛୁଳି ।୧୪୯।

ଆପଣେ କୋନ୍ତଭଟ୍ଟେ ମଣ୍ଡାଇଲେ ରଥଗୋଟି

ବେନିକୋଟି ହୀରା ଖଞ୍ଜିଲେ ଚଉକତି ଘୋଟି ।୧୫୦।

ଯେସନେକ ମାତଳି ଆକାଶେ ରଥ ସାଜି

ବାଛିଣ ଅଶ୍ଵ ଯେ ଯୋଚିଲେ ଚାରି ବାଜି ।୧୫୧।

ନିରନ୍ତରେ ପାତଙ୍ଗ ରଥର ଉପର

ଦାସୀନେତ ପାତଙ୍ଗ ଯେ ଉଡ଼ଇ ଫରହର ।୧୫୨।

ବୀରବେଶ ଅଳଂକାର କରାଇ ମଚ୍ଛପତି

କୋଦଣ୍ଡ କମାୟେଣ ଧନୁଶର ଯେ ଭାରତୀ ।୧୫୩।

ଛେଲ ଚକ୍ର କୋନ୍ତ ନାରାଜ ଅସି ପତ୍ର ଯାଠି

କଂକପକ୍ଷୀ ଲୋହଶର ଶୁଦ୍ଧ ନାରାଜ ତ୍ରୋଣଗୋଟି ।୧୫୪।

ତାଡ଼ ତୋଡ଼ର ଗୁମ୍ଫା ସରଳ ବାହୁଟି କୁଣ୍ଡଳ

ହୃଦେ ଭୂଫଣ ପଦକ ମୁକୁଟ କର୍ଣ୍ଣାଞ୍ଚଳ ମେଖଳ ।୧୫୫।

ଆପଣେ କୋନ୍ତେ ବିରାଟକଇଂ ଆଗ୍ୟାଂ ଅବଧାରି

ଯେ ବିଧି ଯୋଦ୍ଧାମାନଂକୁ ଆପଣେ ରାଇଣ ଦିଲେ ଶାଢୀ ।୧୫୬।

ଭଣ୍ଡାର ଫେଡାଇ ଦିଲେ ଯୋଦ୍ଧା ଯେ ମାନଂକୁ

ରଥରେ ବିଜୟେ ସେ କରାଇଲେ ବିରାଟକୁ ।୧୫୭।

ମଙ୍ଗଳ ଭାଷନ୍ତି ଯେ ବ୍ରାହ୍ମଣେ ଚଣ୍ଡପୁତେ

ହୁଳହୁଳି ବେଦଧ୍ଵନି ଶୁଭଇ ଅପ୍ରମିତେ ।୧୫୮।

ବେନିଲକ୍ଷ ଯୋଦ୍ଧା ଯେ ବାଛିଣ ହନ୍ତକାରୁ

ରାଜାନ୍ତ ଆବୋରି ଯେ ରହିଲେ ମହାବୀରୁ ।୧୫୯।

ଯାଚକେଶ୍ଵର ମନ୍ତ୍ରୀ ଯେ ଥାଠରେ ଆଗିଆଣି

ନବଲକ୍ଷର ଯୋଦ୍ଧା ଯେ ତାହାର ତୁଲେଣ ପୟାଣି ।୧୬୦।

ଚନ୍ଦକର କାମକର ଯୋଜନ ବାମଦେବ

ମାଧୁର୍ଯ୍ୟ ଯମନିକ ସୋମେକ ମାଧବ ।୧୬୧।

ଥାଠର ନାୟକ ଚଳାବନ୍ତି ହେଳୁ ହେଳୁ

ଇନ୍ଦ୍ର ବିଜେ ପରାୟେ ଦିଶଇ ଥାଠ ଚଳୁଂ ।୧୬୨।

କୋନ୍ତେ ବୋଇଲେ ହୋ ରାୟେ ଶୁଣ ମଚ୍ଛେଶ୍ଵର

ସନ୍ନିଧ୍ୟେ ହକାରିଆଣ ଥାନପାଳ ଗ୍ରନ୍ଥିକାର ।୧୬୩।

ରୁଆଇ ଆଣିଲେ କୋନ୍ତେ ଅଗ୍ୟାଂ ଅବଧାରି

ଶ୍ରୀକରେ କୋନ୍ତଭଟ୍ଟେ ଆପଣେ ଦିଲେ ଶାଢୀ ।୧୬୪।

ଅଶ୍ଵ ଗୋଟାୟେ ଘେନି କରି ହୋ ତୁ ଥାବୁଟି ଠାକୁରଂକ ପଛକତି

କ୍ଷଣେକ ନ ଛାଡିବ ସମର ଦିବାରାତି ।୧୬୫।

କୋନ୍ତେ ବୋଇଲେ ହୋ ଶୁଣିମା ମଚ୍ଛେଶ୍ଵର

ରୁଆଇ ଆଣ ସେ ବଲ୍ଲଭ ସୂପକାର ।୧୬୬।

ଦୁର୍ମୋଟା ବ୍ରାହ୍ମଣ ଗୋଟା ଆବର ଶୁଦ୍ଧକାୟେ

ଦଶବିଂଶ ଭାଞ୍ଜି ପାରଇ ସେ ତୁଲେଣ ଥାଉ ରାୟେ ।୧୬୭।

ବ୍ରାଘ ମାଲ ମାଇଲା ସେ ଦିଖିଲୁ ପ୍ରତକ୍ଷେ

ଅନୁବ୍ରତେ ଥାଉ ସେ ଆମ୍ଭର ପରିକକ୍ଷେ ।୧୬୮।

ବିରାଟେ ବୋଇଲେ ଦେଶାଉର ଡଗରାନ୍ତ ରାଇ

କୋନ୍ତକଂର ବଚନେ ବଲ୍ଲଭ ସୂପକାରକୁ ହକାରିଆଣ ଯାଇ ।୧୬୯।

ରାଜାର ଆଗ୍ୟାଂରେ ସେ ଦେଶାଉର ଡଗରେ

ଉଞ୍ଚସ୍ଵରେ ଡାକଦ୍ୟନ୍ତି ସେ ରୋଷଶାଳ ଦ୍ଵାରେ ।୧୭୦।

ଗୋସାଇଂ ବଲ୍ଲବ ଗୋସାଇଂ ବଲ୍ଲଭ ବୋଲିଣ ଡାକ ଦେଇ

ଠାକୁରଂକ ଆଗ୍ୟାଂ ସେ ଆସିବ ବେଗହୋଇ ।୧୭୧।

ପୁଣ ପୁଣ ଡାକଦ୍ୟନ୍ତି ଚାରଗଣମାନେ

ରାନ୍ଧଣା ରୋଷୁଆରେ ନ ଶୁଣନ୍ତି ତାହା କର୍ଣ୍ଣେ ।୧୭୨।

ବ୍ରାଘକଇଂ ପାଡ଼ି ଯେନେହେ ସିଂଘ ଯେ ଆକ୍ରେଷି

ଅଗ୍ନିକି ଭୀମସେନ ତେସନେକ ଦିଶି ।୧୭୩।

ଉଞ୍ଚସ୍ଵରେ ହାକନ୍ତେ ସେ ଚାହିଂଲା ନେଉଟି

କେରେ ମୋର ଠାକୁର ବୋଲି ତାହଂଇ ରକତ କୁମୁଦ ଦୃଷ୍ଟି ।୧୭୪।

ଦୂରେ ଥାଇଣ ସେ ଡଗରେ ପରିମାଣି

ଗୋସାଇଂ ତୁମ୍ଭନ୍ତ ଯିବାପାଇଂ ଆଗ୍ୟାଂ ଦିଲେ ମଚ୍ଛାଧିପ ସ୍ଵାମୀ ।୧୭୫।

ରୋଷେଣ ବାକ୍ୟ ସେ କହଇ ସୂପକାର

ବୋଇଲା ବିରାଟ ଛାର ରାଜା ସେ କାହାର ଠାକୁର ।୧୭୬।

ମୁହିଂ ତାହାର ବଶ୍ୟେ କି ଯିବାଇ ଆସ୍ତାନେ

ଗଲେ ଦ୍ଵନ୍ଦହୁଂ ମୋତେ ନ ପେଷଇ ଆନେ ।୧୭୭।

କାହିଂ ବୋଲଇ ବ୍ରାଘ ମାର କାହିଂ ବୋଲଇ ମାଲ ମାର

ୟେତେହୋଇ ବଶ୍ୟାବୃତ୍ତି ମୁଂ ନୁହଂଇ ତାହାର ।୧୭୮।

ବାହୁଡ଼ି ଚାରଗଣେ କହିଲେ ଯାଇ ଛାମୁର

ତବ ଆଗ୍ୟାଂ ମେଣ୍ଟିଲା ସେ ବଲ୍ଲବ ସୂପକାର ।୧୭୯।

ରୋଷେଣ ବାକ୍ୟ କହିଲା ସୂପକାର

ବୋଇଲା ବିରାଟ ଛାର ସେ କାହାର ଠାକୁର ।୧୮୦।

ଶୁଣିଣ କୋନ୍ତେ ଯେ ସୁମରନ୍ତି ଭଗବାନ

ୟେଡ଼େ ଦୁଷ୍ଟ ଘେନି ଦେବ ମୁଂ ବଞ୍ଚୁଅଛି ଦିନ ।୧୮୧।

ବିରାଟେ ବୋଇଲେ କୋନ୍ତେ ବଲ୍ଲଭକୁ ବୋଲ କି ରାଗ

ସେ ଘାନ୍ତି ରୁଆଇ ଆଣିଲ ମରାଇଲ ମାଲ ବ୍ରାଘ ।୧୮୨।

ସେ ରାଗ ଧରିଣ ସେ ନଇଲା ଛାମୁକୁ

ପଣ୍ଡାୟେ କୋପ ନ କର ହୋ ବଲ୍ଲଭ ସୂପକାରକୁ ।୧୮୩।

କୋନ୍ତେ ମୁଂ ଯେ ତୁମ୍ଭନ୍ତ ରାଜ୍ୟଭାର ସମର୍ପିଲି

ବଲ୍ଲଭ ରୁଆଇ ଆଣୁ ତୁମ୍ଭର ଆଗ୍ୟାଂ ବୋଲି ।୧୮୪।

କୋନ୍ତେ ବୋଇଲେ ହୋ ଶୁଣ ଦୂତପତି

ଆମ୍ଭର ଆଗ୍ୟାଂ ବୋଲି ଆଣ ତତକ୍ଷଣାନ୍ତି ।୧୮୫।

କୋନ୍ତଂକର ଆଗ୍ୟାଂୟେ ଗଲେ ଚାରଗଣେ

ରୋଷୁଅ ନବରେ ଯାଇ ମିଳିଲେ ତତକ୍ଷଣେ ।୧୮୬।

ଆହୋ ବଲ୍ଲଭ ସୂପକାର ଗୋସାଇଂ

କୋନ୍ତଂକର ଆଗ୍ୟାଂ ହୋଇଲା ଆସିବା ବେଗହୋଇ ।୧୮୭।

ସ୍ଵାମୀକର ଆଗ୍ୟାଂ ନିବେଶିତ ଶିରେ ଘେନି

ରୋଷୁଅ ଘରୁ ବାହାର ହୋଇଲା ପାବେନି ।୧୮୮।

ସମଦଣ୍ଡ ଘେନିକରି ସେ ବିରାଟ ବିଜୟେ

ସନ୍ନିଧ୍ୟେ ପ୍ରବେଶ ଆସି ପବନ ତନୟେ ।୧୮୯।

ବିରାଟ କତିକି ସେ ଅଂଗସାର ଦେଇ

ପ୍ରଳମ୍ବ ସୂପକାର କୋନ୍ତଂକର ମୁଖ ଚାହିଂ ।୧୯୦।

ଜିତ ମହାପ୍ରସାଦ ବୋଲି ଆଗ୍ୟାଂ ଅବଧାରି

ରାଜାର ବଚନେ କି ସେ ଉଠଇ ସୂପକାରୀ ।୧୯୧।

କୋନ୍ତେ ବୋଇଲେ ଠାକୁରଂକର ଆଗ୍ୟାଂ ଯେ ହୋଇଲା

ଉଠ ହୋ ସୂପକାର ନିରାଧାର ହୋଇଲା ।୧୯୨।

ତୁନୀ ହୋଇଥିଲା ସେ ବିରାଟ ବଚନେ

ଧାତିକାରେ ଉଠିଲା କୋନ୍ତଂକ ଆଗ୍ୟାଂ ପରମାଣେ ।୧୯୩।

ଶୁଣ ହୋ ବଲ୍ଲଭ ବଦୟନ୍ତି କୋନ୍ତଭଟ୍ଟେ

କୀଞ୍ଚେକ ନିଧନ ଶୁଣି ତ୍ରିଗର୍ତ୍ତ ବାହିଲା ଥାଠେ ।୧୯୪।

ରାଜ ୟେବେ ବିଜେ କରିଅଛନ୍ତି ସମର ଭୂମିରେ

ଆଗ୍ୟାଂ ହୋଇଲା ତୁମ୍ଭେ ଥାଅ ରାଜାଂକ ସଙ୍ଗତରେ ।୧୯୫।

କୋନ୍ତଂକର ଆଗ୍ୟାଂ ଯେ ନିରାଧାର ଶୁଣି

ଆଗ୍ୟାଂତବାସ ନିକଟ ହୋଇଲା ବୋଲି ମନେ ମନେ ଗୁଣି ।୧୯୬।

ବଲ୍ଲଭ ସନମତ କଲା କୋନ୍ତଂକର ବଚନେ

ଆପଣେ ଶାଢୀଦିଲେ ଧର୍ମର ନନ୍ଦନେ ।୧୯୭।

ଡାହାଣ ପାଖେ କୋନ୍ତେ ବାମପାଖେ ଭୀମସେନ

ପଛେ ନକୁଳ ମଧ୍ୟେ ବିରାଟ ରାଜନ ।୧୯୮।

ସମଦଣ୍ଡ ଚଳନ୍ତେ ଦେଖଇ ମଚ୍ଛପତି

କୋନ୍ତଂକର ମୁଖ ଚାହିଂ ବହୁତ ପ୍ରଶଂସନ୍ତି ।୧୯୯।

ୟେହୁ ଦଣ୍ଡ ସାଜିବାକୁ ମାନବେ ନୋହେ ରହ

ଆନ ରାଜ୍ୟକୁ ତୁମ୍ଭେ ମନ୍ତ୍ରୀ ପଣେ ଯୋଗାଅ ।୨୦୦।

ବିରାଟ ମୁଖରୁ ଶୁଣି ୟେସନେକ ବାକ୍ୟ

ପବନ ନନ୍ଦନ ମନେ ବସିଲାକ ମହାକୋପ ।୨୦୧।

ୟେହାର ରାଜ୍ୟକୁ ନ ଯୋଗାଇଲେ ମନ୍ତ୍ରୀପଣେ

ଆନ ରାଜ୍ୟକୁ ଯୋଗାଇଲେ ସେ କହିଲା ଅକାରଣେ ।୨୦୨।

ଜାଣିମାନା ବିରାଟ ଆଜ ଦଣ୍ଡ ସାଜିଗଲେ

ତ୍ରିଗର୍ତ୍ତକୁ ଆଜ ଜିଣି ପାରଇ ଟିକି ଭଲେ ।୨୦୩।

ଚଳଇ ସମଦଣ୍ଡ ଯେ ମଙ୍ଗଳ ସୀଉକାରି

ମଘଦେଶ ଜିଣି ବିରାଟ ଥାଠ ୟେ ପଟୋଆରି ।୨୦୪।

କାମିନୀଭଦ୍ରା ବୋଲି ୟେକଇ ନଦୀଗୋଟି

ଗଣ୍ଡୁକୀ ଧାରା ସେ ଦକ୍ଷିଣ ଭାଗୁଂ ଫୁଟି ।୨୦୫।

ସେ ନଦୀ କୂଳେ ରହିଲେ ବିରାଟଇ ସଇନି

ଆକାଶ ଉଛୁଳଇ ଘୋରରାବ ଟମକ ମୁଖଧୁନି ।୨୦୬।

ସମଦଣ୍ଡ ଘେନିଣ ସେ ଚଳଇ ତ୍ରିଗର୍ତ୍ତ

ମାନବଙ୍ଗ ପର୍ବତେ ରହି ବାରତା ଦିଲା ଦୂତ ।୨୦୭।

ତ୍ରିଗର୍ତ୍ତେଶ୍ଵର ବାରତା ପାଇଣ ବିରାଟ

ମାନଭଦ୍ରା ନଦୀତୀରେ ଉଭାରିଲେ ଥାଠ ।୨୦୮।

ଶୁଣିଣ ତ୍ରିଗର୍ତ୍ତ ସଇନି ଚଲାଇଲା ମହାରୋଷେ

ପଞ୍ଚଦସ ଯୋଜନ ପୟାଣ କଲା ୟେକାଇ ଦିବସେ ।୨୦୯।

ବରୁଣଗିରି ପର୍ବତ ତଳେ ସେ ରୁହାଇଲା ଥାଠ

ଚାରିଜୁଣ ଅନ୍ତରେ ମାତ୍ର ରହିଛି ବିରାଟ ।୨୧୦।

ସେନାପତି ପାରିଦଣ୍ଡ ସମସ୍ତ ବସାଇ

ଅନେକ ବସ୍ର ଅଳଂକାର ଦେଇ ତ୍ରିଗର୍ତ୍ତ ବିନୋପଇ ।୨୧୧।

ବିରାଟର ସନ୍ୟଯାକ ଦେବାକ ମୋତେ ଜିଣି

ସେନାୟେ ପ୍ରତଗ୍ୟାଂ କଲେ ତ୍ରିଗର୍ତ୍ତ ବଚନ ଶୁଣି ।୨୧୨।

ତୁରଙ୍ଗନ୍ତ ଆରୋହି ବୁଲାବନ୍ତି କୋନ୍ତ ଜାଠି

ରେ ରେ କାର କରିଣ ସମଦଣ୍ଡ ଘେନି ଉଠି ।୨୧୩।

ଧନୁସାମ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଅର୍କବାର

ମୂଳାନାମେ ନକ୍ଷତ୍ର ଯେ ଭୋଗ ସେ ଦିନର ।୨୧୪।

ବିଷ୍ଟି ନାମେ କରଣ ବୃଦ୍ଧିନାମେ ଯୋଗ

ବେନିବଳ ଭେଟାବେଟି ହୋଇଲେ ୟେକାଭାଗ ।୨୧୫।

ବେନିବଳ ଅନ୍ୟୋଅନ୍ୟେ ପ୍ରୀତିଭାବ ଛାଡ଼ି

ତ୍ରିଗର୍ତ୍ତର ସଇନି ପଡ଼ିଲେ ବେଗେ ମାଡି ।୨୧୬।

କରୁଣାକର କଣୟ ବେନି ମହାଯୋଦ୍ଧୀ

ଆଗିଆଣି ଥାଠରେ ସେ ସମର ନିରୋଧି ।୨୧୭।

ପରିଘାଇ ଥାଠ ସେ ଆସୁଛନ୍ତି ବାହି

ମାନଗୋବିନ୍ଦ ଆଗ୍ୟାଂରେ ତ୍ରିଗର୍ତ୍ତ ଅଛି ଧାଇଂ ।୨୧୮।

ଅଶ୍ଵନ୍ତ କ୍ଷେପାଇ ରାଉତେ ପଶନ୍ତି ସମରେ

ପାଞ୍ଚଲକ୍ଷ ଯୋଦ୍ଧା ଘେନି ଉଠିଲେ ଧାତିକାରେ ।୨୧୯।

ଝଳକନ୍ତି ଲାଂକିଆ ଜଳଧରେ ଯେହ୍ନେ ବିଜୁ

ଶରଦ ମେହୁ ପ୍ରାୟେ ହାଥୀଂକର ଘୋର ଗର୍ଜୁଂ ।୨୨୦।

ବିରାଟର ସଇନି ଯେ ନିଜ ଭୂମି ସ୍ଵଦେଶୀ

ସେହି ଗୋଳକଲେ ତ୍ରିଗର୍ତ୍ତ ଥାଠେ ପଶି ।୨୨୧।

ବେନିବଳ ଗୋଳ ହୋଇଲା ୟେକରୁଣ୍ଡ

ଚରଣ ରେଣୁଘାତେ ଅଦୃଶ୍ୟ ବ୍ରହ୍ମାଣ୍ଡ ।୨୨୨।

ରଥୀକି ରଥୀ ଯେ ଆକ୍ରେଷି ଆବୋରି

ଗଜ ଯୋଦ୍ଧାମାନେ ହେଲେ ହାବୋଡ଼ା ହାବୋଡ଼ି ।୨୨୩।

ଅଶ୍ଵ ଯୋଦ୍ଧାମାନେ ଯେ ହୋଇଲେ ଭେଟାଭେଟି

ପାଦନ୍ତିକି ପାଦାନ୍ତି ବଳ ହାଦେ ଘୋଟି ।୨୨୪।

ଲାଗିଲା ସମର କେହୁ ନ ଘୁଞ୍ଚନ୍ତି ରଣେ

ଗର୍ଜନ୍ତି ତର୍ଜନ୍ତି ସେନା ନ ଭାଞ୍ଜନ୍ତି ବଡିମାପଣେ ।୨୨୫।

ବିନ୍ଧନ୍ତି କମାୟେଣ ଯେ ନାରାଜ ତୀଖମୁନା

ଗାଢଶର ବିଘାତେ ତୁଟି ଫୁଟଇ ବଜ୍ରସେନା ।୨୨୬।

ଅରୁଣ କିରଣ ବୋଲି ବିରାଟର ବେନିରଥୀ

ତ୍ରିଗର୍ତ୍ତର ବେନିଯୋଦ୍ଧା ପାଡ଼ନ୍ତି ତତକ୍ଷଣାନ୍ତି ।୨୨୭।

ଶୋଣିତମୟେ ଦେଖି ଯେ ଉଠିଲେ ସର୍ବସେନା

ବୀରବର ଅମନାତ୍ୟ ସାହସ ମଲ୍ଲଜେନା ।୨୨୮।

ବହୁତ ବଳ ଚଞ୍ଚଳ ଯେ କେହୁ ପାରିବ କଳି

ହାକିଡାକି ଦାମନ୍ତେ କମ୍ପଇ ମହୀଆଳୀ ।୨୨୯।

ଗଦା ମୁଦୁଗର ଛେଲ ଚକ୍ର ଅସିପତ୍ର

ପିଟନ୍ତେଣ ଭାଜିଲା ଯେ ଗଜ ଅଶ୍ଵ ରଥ ।୨୩୦।

ବିରାଟର ସମଦଣ୍ଡ ଉଠିଲେ ଗଳଗାଜି

ତ୍ରିଗର୍ତ୍ତର ସଇନି ଯେ ପଳାଇଲେ ଭାଜି ।୨୩୧।

ପ୍ରଥମରେ ପୟେଡ ଯେ ପଡ଼ିଲା ତ୍ରିଗର୍ତ୍ତକୁ

ନବ ସହସ୍ର ରଥୀ ପଡ଼ିଲେ ନବ ଯୋଜନକୁ ।୨୩୨।

ଗଜଯୋଦ୍ଧା ବେନି ସହସ୍ର ଅଶ୍ଵଯୋଦ୍ଧା ଲକ୍ଷେକ

ପାଦନ୍ତି ଯୋଦ୍ଧା ସେ ଯେ ପଡ଼ିଲେ ଅନେକ ।୨୩୩।

ବେନି ସହସ୍ର ରଥୀ ସେ ନେଲେ ବନ୍ଦୀକରି

କୋନ୍ତେ ପ୍ରଶଂସନ୍ତି ସାଧୁ ସାଧୁ ବିରାଟ ତୋହୋରି ।୨୩୪।

ଭଗ୍ନ ବଳ ଘେନିଣ ଚଳଇ ରାୟେ ତ୍ରିଗର୍ତ୍ତେ

ଯାଇଂ ବିଜେକଲେ ରଣଭଙ୍ଗାଣ ପର୍ବତେ ।୨୩୫।

ସ୍ରାହାନ ଦେବାର୍ଚ୍ଚନ ସାରିଣ ବିରାଟ

ରୟଣୀ ପ୍ରଭାତେ ପୁଣ ସାଜିଲା ତାର ଥାଠ ।୨୩୬।

ତ୍ରିଗର୍ତ୍ତ ବିଚାରଇ ଯୋଦ୍ଧାନ୍ତ ବସାଇ

ସଞ୍ଚୟେ ଦଣ୍ଡ ମୋହୋର ଯିବଇଂ ହରାଇ ।୨୩୭।

ଯୋଦ୍ଧାୟେ ବୋଇଲେ ରାଜା ନୋହୋସି ବିକଳ

ହାରିବା ଜିଣିମା ସିନା ଛତ୍ରୀଂକ ବେଭାର ।୨୩୮।

ଆମର ସମର ତୁ ରହିକରି ଦେଖ

ସଞ୍ଚୟେ ବିରାଟ ଆଜ ହୋଇବେ ନିରେଖ ।୨୩୯।

ସାଜିଲେ ସମଦଣ୍ଡ ମହାବଳବନ୍ତା

ଘୋଟିଲେ ସମଦଣ୍ଡ ଯେ ନ ଯାଇ ଗଣିତା ।୨୪୦।

ପାଞ୍ଚ ପରାୟୁଧ ଯୋଦ୍ଧା ଘେନିଣ ତ୍ରିଗର୍ତ୍ତ

ଆପଣେ ଉଠିଲା ସେ ଗଗନେ ଘୋଟି ରଥ ।୨୪୧।

ଉଭୟେ ବଳ ଭିତରେ ଟମକ ମହାଗୋଳ

ପୂର୍ବସାହେର ଯେହ୍ନେ ବଡ଼ାଇ ଉରାଉଳ ।୨୪୨।

କୋନ୍ତଂକର ଅଗ୍ରତେ ଯେ ବିରାଟ ବୋଇଲା

ଯୋଦ୍ଧାନ୍ତ ଘେନି ତ୍ରିଗର୍ତ୍ତ ଆପଣେ ବିଜେକଲା ।୨୪୩।

କୋନ୍ତେ ବୋଇଲେ ସାଜ ହୋ ବିରାଟ

ସମର ଧର୍ମ ସିନା ରାଜାୟେ ରାଜାୟେ ଭେଟ ।୨୪୪।

ରଥୀକି ରଥୀ ପାତ୍ରକୁ ପାତ୍ର ଯୋଦ୍ଧା ଯୋଦ୍ଧା ସମ

ୟେମନ୍ତ ସମର ଯେ ଶାହାସ୍ରେ ଅଛି ଧର୍ମ ।୨୪୫।

ହୁତାଶନ ମୁଖ ସେ ହୋଇଛି ତ୍ରିଗର୍ତ୍ତ

ପତଙ୍ଗ ପୋକେ ପଡ଼ି କି ବ୍ରତଇ ଅଗ୍ନିହୋତ୍ର ।୨୪୬।

କୋନ୍ତଂକର ବଚନ ଶୁଣି ଉଠିଲା ବିରାଟେ

ଡାହାଣ ପାଖ ରଥେ ଆରୋହିଲେ କୋନ୍ତଭଟ୍ଟେ।୨୪୭।

ବାମପାଖ ବଲ୍ଲଭ ଆରୋହି ମତ୍ତଗଜ

ନକୁଳ ଶ୍ୱେତଅଶ୍ୱ ଚଢି ପଛେ ମଧ୍ୟ୍ୟେ ବିରାଟେଶ୍ୱର ରାଜା ।୨୪୮।

ଜାନୁଘଣ୍ଟ ମହାବାହୁ ବୋଲିଣ ବିରାଟର ବେନି ରଥୀ

ଦୁହିଂକର ବେନି ପଖାୟେ ଅହିବ୍ରତକେ ମତ୍ତହାଥୀ।୨୪୯।

ଗିରିବର ତୁଟା ସେ ମହା ମହା ଦନ୍ତା

ଅତି ଉଛର୍ଗ ଗଗନେ ନାଗ ମହାମତ୍ତା ।୨୫୦।

ଘୋଟିଲେ ବୀରେ ଯେ ସମ୍ଭରେଣ ରଣେ

ଥାଠ ମଛନ କଲେ ସେ ଯୋଦ୍ଧା ବେନିଜନେ ।୨୫୧।

ବିଶିକେଶନ ବୋଲି ସେ ବିରାଟର ସାନ ଭ୍ରାଥ

ଆଗିଆଣି ଥାଠେ ସେ ତୁଲେ ବେନିସସ୍ର ରଥ ।୨୫୨।

ଲୋହଗିରି ସାଦ୍ରିଶେ କରେଣ ବେନିଗଦା

ପିଟିଣ ତ୍ରିଗର୍ତ୍ତର ସନ୍ୟ ମାରି କଲା ପଦା ।୨୫୩।

ପାଞ୍ଚଶତ ରଥୀ ବିଶାଶତେ ହାଥୀ

ବେନିଲକ୍ଷ ତୁରଙ୍ଗମ ନବଲକ୍ଷ ପାଦାନ୍ତି ।୨୫୪।

ତ୍ରିଗର୍ତ୍ତ ରାଜାର ସନ୍ୟ ପଡ଼ିଲେ ୟେତେକ ପୁଣ

ଭାଞ୍ଜିଲେ ସମଦଣ୍ତ ଘୁଞ୍ଚିଲେ ପାଞ୍ଚଜୁଣ ।୨୫୫।

ଦଣ୍ତଭଙ୍ଗ ଦେଖିଣ ସେ ତ୍ରିଗର୍ତ୍ତ ମହାବୀରା

ଆପଣେ ଖଡ଼ଗ ଘେନି ରଣରଙ୍ଗେ ଉଠିଲେ କ୍ଷତ୍ରିୟ ସୋହୋଡ଼ା।୨୫୬।

ରେ ରେ କାର କରିଣ ସେ ସମରେଣ ଉଠି

ଯାବତେ ଉଠିଲେ ସେ ସେନା ପାଞ୍ଚକୋଟି ।୨୫୭।

ବକପଲ ଦେଖି ଯେହ୍ନେ ଶାମଳ ଗୋଡ଼ାନ୍ତି ନିପ୍ରୋହି

ତେହେନେକ କରିଣ ତ୍ରିଗର୍ତ୍ତ ଡାକଇ ମହାକୋପ ବହି ।୨୫୮।

ପ୍ରଥମ ସମରେ ସେ ସୁରାନ୍ତେକ ସୁବାହୁ

ବିରାଟର ସୋହୋଦ୍ରେ ପଡ଼ିଲେ ରଣରାହୁ ।୨୫୯।

ସେ ବେନିବୀର ପଡ଼ନ୍ତେ ଭାଜିଲେ ସକଳ

ବେନିଭାଗ ହୋଇ ପଳାଇଲେ ବିରାଟର ବଳ ।୨୬୦।

ଗଦା ତ୍ରିଶୂଳ ଡିମ୍ବୁରୁ ମୁଦୁଗର ଶକତି

ଛେଲ କୋନ୍ତ ବାବଲ ଅବିଛନ୍ନେ ବିନ୍ଧନ୍ତି ।୨୬୧।

ବେନିଥାଠ ମିଶି ପୁଣି ହୋଇଲା ମହାରଣ

ଓହୋବଳ ସଇନି ଯେ ନ ଯାଇ ବାରଣ ।୨୬୨।

ପର କେ ଆପଣା ବୋଲି ନୁଆରନ୍ତି ଚିହ୍ନି

ରୁଧିର ମାୟେଂସେ କର୍ଦ୍ଦନ ହୋଇଲା ମେଦିନୀ ।୨୬୩।

କେ ସହସ୍ରେ ନାରାଜ କେ ଶତେକ ବାଣ ମାରି

ୟେକ ତ୍ରୋଣୁଂ ଆରେକ ମାରଇ ଯୋଚିକରି ।୨୬୪।

ଆଦିତ୍ୟ ଅସ୍ତ ସେ ଯେ ସନ୍ଧ୍ୟା ଅବକାଶେ

ସେହିମତି ଅନ୍ଧାର ଯେ ଦିଶିଲାକ ଦିବସେ ।୨୬୫।

ଓହୋବଳ ସଇନି ପଡ଼ିଲେ ବହୁତ

ରକତ ମାୟେଂସେ କର୍ଦ୍ଦନ ହୋଇଲା ଯୋଜନ ସାତ ।୨୬୬।

ଗର୍ଜନ୍ତି ତର୍ଜନ୍ତି ସେ ନ ଘୁଞ୍ଚନ୍ତି ରଣେ

ଅନେକ ପାଦାନ୍ତି ସେ ମାଇଲା ୟେକଜଣେ ।୨୬୭।

ମହୀଧର ଦୁଷ୍ୟନ୍ତ ବୋଲି ତ୍ରିଗର୍ତ୍ତ ଥାଠରେ ଆଗିଆଣି

ଆପଣେ ବିରାଟ ତାକୁ ଯେ ପକାଇଲା ହାଣି ।୨୬୮।

ୟେହେନେକ ସମର ହୋଇଲା ବିରାଟ ତ୍ରିଗର୍ତ୍ତର

ଲେଖନ୍ତେ ଅଶକ୍ୟ ଯେ କହିତେ ଅଗୋଚର ।୨୬୯।

ଯେତେ ଯେତେ ସମର କଲେ ସେହୁ ରଣେ

ମୁହିଂ ତାହା କହିବି ସାରୋଳା ପରସନ୍ନେ ।୨୭୦।

ଅଭୟେ ହେଙ୍ଗୁଳା ଗୋ ଅନାଦି ଶକତି

ତୋହୋର ପ୍ରସାଦେ ମାଗୋ କହି କି ଦିବ୍ୟରୀତି ।୨୭୧।

ଲେଖନ୍ତେ ସମ୍ପାଦି ମୁଂ କହିବଇଂ କେତେ

ଠିକ ଠିକ କରି କଳ୍ପିଲା କହିଲି ଶାସ୍ରମତେ ।୨୭୨।

ହେ ପଣ୍ତିତ ଜନେ ନ ଧରିବା ମୋହୋର ଦୋଷ

ସରୂପେ ମହାଭାରଥ ୟେ ଶୁଣନ୍ତେ ଦିବ୍ୟରସ ।୨୭୩। ୪୩୯୧।

**************

 

ତ୍ରିଗର୍ତ୍ତ ସହ ଯୁଦ୍ଧରେ ବିରାଟର ବନ୍ଦୀହେବା

ଦିନକର ଅବସାନ ହୋଇଲା ଯେତେବେଳେ

ରଣରଙ୍ଗ ଗୋଳ ଯେ ହୋଇଲା ନିଶାକାଳେ ।୧।

ସେନାପତି ପାରିଦଣ୍ତ ଘେନି ସମରେ ଉଠିଲା ବିରାଟ

ତ୍ରିଗର୍ତ୍ତର ତୁଲେ ରାୟେ ହୋଇଲା ଯାଇଂ ଭେଟ ।୨।

ତ୍ରିଗର୍ତ୍ତ ବୋଇଲା ବିରାଟ ପଡିଲୁ ମୋର ମୁଖ

ଆଜ ସେ ପାସୋରିବି ବନବାସ କଷ୍ଟ ଦୁଖ ।୩।

କୀଞ୍ଚେକ ଘେନି ମୋତେ ଯେ ଚିନ୍ତିଲୁ ପ୍ରମାଦ

ଶରଣମତ୍ସଳ ମୋତେ ସମ୍ଭାଳିଲା ରାଜା ମାନ ଯେ ଗୋବିନ୍ଦ ।୪।

ମୋହୋର ଛାମୁରେ ତୋହୋର କିସ ବଳା

ଜୀବନେ କାର୍ଯ୍ୟଥିଲେ ରାଜ୍ୟ ଛାଡ଼ିପଳା ।୫।

ବିରାଟ ବୋଇଲା ରେ କୀଞ୍ଚେକ ଅବା ମଲା

ୟେକା ବିରାଟ ତୋତେ ଶତେ କୀଞ୍ଚେକ ହୋଇଲା ।୬।

ମୁହିଂତ ନ ଜାଣଇ ତୁହି ଭଲେ ଅଛୁ ବ୍ରତି

ମଘ ମଚ୍ଛଦେଶ ଆଝୁଂ ହୋଇଲା ନିଭ୍ରାନ୍ତି ।୭।

ଭୀମସେନ ବିଚାରଇ ବେନିରାଜାର ଭେଟ

ଜାଣିମା କେମନ୍ତେ ତ୍ରିଗର୍ତ୍ତକୁ ଜିଣଇ ବିରାଟ ।୮।

ବୋଇଲା କୋନ୍ତେ ଆନ ରାଜ୍ୟକୁ ଯୋଗାଅ ତୁମ୍ଭେ ମନ୍ତ୍ରୀ

କେମନ୍ତ ସମରେ ଆଜ ବଞ୍ଚଇ ଦୁର୍ଗତି ।୯।

ବିରାଟକୁ ତ୍ରିଗର୍ତ୍ତ ରାୟେ ଯେ ବଡ କଟାଳୁଅଛି

ୟେସନ ସମୟେ ଯେ ଭୀମସେନ ଗଲା ଘୁଞ୍ଚି ।୧୦।

ବିରାଟ ବାମପାଖେ ଭୀମସେନକୁ ନ ଦେଖି

ନକୁଳ ଘୁଞ୍ଚିଗଲା ଯେ ସମର ଉପେଖି ।୧୧।

ଭୀମ ନକୁଳକଇଂ ଯହୁଂ ନ ଦେଖିଲେ କତି

ଭୟେଣ କୋନ୍ତେ ବିରାଟକୁ ଛାଡ଼ିଲେକ ତଡ଼ତି ।୧୨।

ତିନିଂକର ଭାଞ୍ଜନ୍ତେ ଯେ ଭାଞ୍ଜିଲା ସର୍ବ ସନ୍ୟ

ତ୍ରିଗର୍ତ୍ତର ସଇନି ଯେ ନ ଗଲେ ଗଣନ ।୧୩।

ତିନି ପରାୟୁଧ ରଥୀ ପାଞ୍ଚ ପରାୟୁଧ ହାଥୀ

ୟେକାଦଶ ପରାୟୁଧ ବାରୁ ନବ କ୍ଷଉଣୀ ପାଦାନ୍ତି ।୧୪।

ୟେତେ ଘେନି ତ୍ରିଗର୍ତ୍ତ ବେଢ଼ିଲା ବିରାଟକୁ

କେହି ଜଣେ ସଖା ଯେ ନୋହିଲେ ରାଜାକୁ ।୧୫।

ସମଦଣ୍ତ ଘେନିଣ ସେ ତ୍ରିଗର୍ତ୍ତ ନୃପତି

ଲକ୍ଷେପୁର କରି ସେ ବିରାଟକୁ ବେଢିଛନ୍ତି ।୧୬।

ବଲ୍ଲଭ ସୂପକାର ଯହୁଂ ନ ଦେଖିଲା କୋନ୍ତଭଟ୍ଟେ

ନିଜ କର ବିରାଟ ନେଇ ତାଡ଼ିଲା ଲଲାଟେ ।୧୭।

ବିରାଟ ବଇଲା ମୁଂ ତ ବୁଝି ନୁଆରିଲି

ଜଳପ୍ରଭା ତୁଲେ ମୁଂ ମଇତ୍ର ହୋଇଲି ।୧୮।

ମୋହୋର ମରନ୍ତେ ସେ ଆବୋରିବେ ବେନିରାଜ୍ୟ

ଶତୃରେ ମିତ୍ରତା କରି ନ ପାଇଲି କିଛି କାର୍ଯ୍ୟ।୧୯।

ପୁଣ ବିଚାରେ ମୋର କୀଞ୍ଚେକ ପ୍ରାୟେ ସଖା

ତାହାର ମରନ୍ତେ ମୁଂ ହୋଇଲଇ ୟେକା ।୨୦।

ତେଡ଼େକ ଲୋକ ଯେବେ ଗଲା ମୋହୋର ନାଶ

ଆବର କିସ ବ୍ରତିବା ହୋଇଣ ନିରାଶ ।୨୧।

କର୍ମକୁ ଆଦରିଣ ସେ ବିରାଟ ମହାଯୋଧୀ

ଜୀବନ ନିଆଶେଣ ଆକ୍ରେଷି ଶର ବିନ୍ଧି ।୨୨।

ଶଙ୍ଖଶ୍ୱେତ ଉତ୍ତର ବିରାଟର ନିନିପୁତ୍ରେ

ୟେହାନ୍ତ ଘେନିଣ ଘୁଞ୍ଚିଲେ କୋନ୍ତ ଯେ ପଣ୍ତିତେ ।୨୩।

ଯୁଝେଷ୍ଠି ରହିଲେ ଯାଇଂ କଉପୀନ ନାମେ ବନେ

ଥାଠସନ୍ୟ କେତେ ପଳାଇଲେ ଖିନିକ୍ଷେତ୍ର ହୋଇ ୟେଣେ ତେଣେ ।୨୪।

ୟେକା ବିରାଟ ଯେ ପ୍ରହରକେ ଯୁଦ୍ଧ କଲା

ପଞ୍ଚଷଠି ସହସ୍ର ଯୋଦ୍ଧା ୟେକା ବିରାଟ ତୁହାଇ ପାଡ଼ିଲା ।୨୫।

ନବଲକ୍ଷ ଯୋଦ୍ଧା ଘେନି ତ୍ରିଗର୍ତ୍ତ ବିରାଟ ରଥେ ପିଟି

ସହସ୍ର ଖଣ୍ତ ହୋଇ ଭାଜିଲା ବିରାଟର ରଥ ଗୋଟି ।୨୬।

ପାଦଗତି ହୋଇଣ ସେ ବଇରାଷ୍ଟର ବଳା

ଶ୍ରୀକରେ ମଚ୍ଛାଧିପ ଘେନିଲା ଖଡ଼ଗ ଫଳା ।୨୭।

ବିକ୍ରମସିଂଘ ଯେହ୍ନେ ଖେପଇ ପାଦଗୋତି

ତେସନେକ ଶୋଭାବନ ଯେ ବିରାଟ ମହାରଥୀ ।୨୮।

ଛାଗଳ ପଲେ ଯେହ୍ନେ ପଶଇ ମତ୍ତବ୍ୟାଘ୍ର

ତେସନେକ ସମର କରଇ ବିରାଟ ଅତିବେଗ ।୨୯।

ଖଣ୍ତାୟେକ ଘେନିଣ ଯେ ପିଟିଲା ବିରାଟଇ

ଗଜର କୁମ୍ଭସ୍ଥଳ ବେନିଖଣ୍ତ ହୋଇ ଛିଡ଼ଇ ।୩୦।

ୟେକା ଜଣେକ ଭାଞ୍ଜିଲାନି ତ୍ରିଗର୍ତ୍ତର ଥାଠ

ସମସ୍ତେ ପ୍ରଶଂସା କରନ୍ତି ସାଧୁ ସାଧୁ ହୋ ବିରାଟ ।୩୧।

ପଞ୍ଚବିଂଶ ହାଥୀ ଯୋଦ୍ଧା ଆଦି କରି

ୟେକା ବିରାଟକେ ୟେତେକ ସଂହାରି ।୩୨।

ମୁକୁଟବନ୍ଧା ଯୋଦ୍ଧା ନବଶତ ବୀରା

ବିରାଟ ପ୍ରହାରେ ସମସ୍ତେ ହୋଇଲେକ ଚୂରା ।୩୩।

କେତନ ବୋଲିଣ ଯୋଦ୍ଧାୟେ ତ୍ରିଗର୍ତ୍ତର ଧାଇଂଲା ଅତି ବେଗେ

ବିଂଝମାଳ ସମାନେ ଆରୋହି ମତ୍ତନାଗେ ।୩୪।

ବଜ୍ରାବଳୀ ଆୟୁଧ ଘେନି ବିରାଟକଇଂ ପିଟି

ତରକ ଯୁଦ୍ଧ କରି ବିରାଟ ତାହା ମେଣ୍ଟି ।୩୫।

ଅସିପତ୍ର ବୁଲାଇ ପିଟିଲା ରୋଷଭରି

ସେ ଗଜର ଚାରି ଚରଣ ପଡ଼ିଲାକ ଛିଡ଼ି ।୩୬।

କେତନ ସେନାପତି ପଡ଼ିଲା ମୁହଂମାଡ଼ି

ବିରାଟ ହାଣନ୍ତେ ଗଜମାହୁନ୍ତ ଦୁହେଂ ଗଲେ ଛିଡ଼ି ।୩୭।

କେତନ ବଧକରି ବିରାଟେଶ୍ୱର ଖେଦି

ପଞ୍ଚଶତ ପାଦାନ୍ତି ଘତିକ ମଧ୍ୟ୍ୟେ ଛେଦି ।୩୮।

କୋପେଣ ତ୍ରିଗର୍ତ୍ତ ଯେ ହାକଇ ମହାରଣେ

ଆରେ ଥାଠ ମଛାନ୍ତ ମୋହୋର କଲା ୟେକଜଣେ ।୩୯।

ପୁଣି ହିଂ ଡାକ ଦିଲାରେ ବେଢିଣ ବେଗେ ମାର

ଧର୍ମ ଅଧର୍ମ ବୋଲି କିଛିହିଂ ନ ବିଚାର ।୪୦।

ତ୍ରିଗର୍ତ୍ତର ମୁଖୁଂ ୟେସନକ ବାକି ଶୁଣି

ଧାଇଂଣ ବେଢିଲେ ବିରାଟକୁ ସନ୍ୟ ପାଞ୍ଚ ଯେ କ୍ଷଉଣୀ ।୪୧।

ଅନିର୍ଯ୍ୟାପ କରିଣ ବିରାଟ ବିନ୍ଧିଲା ଅନେକ ଶର

ଯେସନେକ ଗଗନୁଂ ପଡଇ ଜଳଧାର ।୪୨।

କେ ଫଳାୟେ କାଟିଲା କେ ଗଦାୟେ ଖଡ଼ଗ ଭାଜି

ତ୍ରିଗର୍ତ୍ତ ବୋଇଲା ବିରାଟ ତୋର ପୋଛିଲା ଯମ ପାଞ୍ଜି ।୪୩।

ଅଶ୍ୱେକ ଆରୋହି ସେ ହାକଇ ତ୍ରିଗର୍ତ୍ତ

ପ୍ରାଣେ ନ ମାରି ଜୀବନ୍ତେ ଧରରେ ବିରାଟନ୍ତ ।୪୪।

ରାଜାର ବଚନେ ନ ମାଇଲେ କେହି

ବିରାଟ ସୁମରଇ ମୋତେ ଧର୍ମ ଦେବତା ହୁଅ ସାହି ।୪୫।

ଅଶ୍ୱେକ ଆରୋହି ସେ ତ୍ରିଗର୍ତ୍ତ ମହାବଳ

ଆକ୍ରେଷିଣ ବିରାଟର ଧଇଲାକ ବାଳ ।୪୬।

ପାଟଡୋରେକ ଘେନି ସେ ବାନ୍ଧିଲାକ ରଥେ

ଜୟ ଜୟ ଶବଦ କରି ସେ ଚଳଇ ତ୍ରିଗର୍ତ୍ତେ ।୪୭।

କୁଞ୍ଜେଶ୍ୱର ବନେ ଧର୍ମଧାରା ବୋଲି ୟେକଇ ପର୍ବତେ

ତହିଂ ଯାଇ ବିଶ୍ରାମିଲା ନୃପତି ତ୍ରିଗର୍ତ୍ତେ ।୪୮।

ସମର ସମ୍ଭର୍ବେ ଥାଠ ଉପବାସ ଦିନ ତିନି

ସୁଖେଣ ସ୍ରାହାନ ରନ୍ଧନ କରନ୍ତି ସଇନି ।୪୯।

ମତ୍ତାରଙ୍ଗ ନାଟେ ଯେ ଜୟଧୁନି ତୋଳି

ଗାବନ୍ତି ଗୀତ ଯେ ପାଡ଼ନ୍ତି ହୁଳହୁଳି ।୫୦।

ଆହୋ ଚଇତନ ବିମୁହ ହୋଇ ଯେ ପଳାଇଲେ କୋନ୍ତଭଟ୍ଟେ

ସୂପକାର ବାଜୀପାଳ ଦୁହିନ୍ତି ଭେଟିଲେ କାମେନୀ ସର ତଟେ ।୫୧।

ହଟିବଟର ତଳେ ଦୁହେଂ ଛନ୍ତି ବସି

ଯୁଝେଷ୍ଠିଂକ ମୁଖ ଚାହିଂ ବ୍ରିକୋଦର କହଇ ହସି ।୫୨।

କୋନ୍ତେ ବୋଇଲେ ସେ ୟେମନ୍ତ କିମ୍ପେ କଲୁ ଭୀମା

ୟେହେନେକ ଉପୁଗାର କଲା ତୋତେ ବିରାଟ ମହାତମା ।୫୩।

ତିନଶାଠି ପଉଟି ଅନ୍ନେ ନ ପୁରଇ ତୋହୋର ପେଟ

ନ ଜାଣୁ କି ବନସ୍ତେ ପାଇଲୁ ଯେତେ କଷ୍ଟ ।୫୪।

ବାବୁ ତୋହୋର ଅର୍ଦ୍ଦଳି ସହି ନୁଆରନ୍ତି ଗିରି ଡିଙ୍ଗରେ

ଦୁର୍ଗତି ବଞ୍ଚାଇଲୁ ଆସି ଆମ୍ଭେ ବିରାଟ ରାଜ୍ୟରେ ।୫୫।

ବାବୁ କାଇମ ଚଡ଼ାଇ ପରାୟେ ହୋଇଲା ଆମ୍ଭର ଗତି

ଯେ ଅନ୍ନ ଦିଅଇ ହୋ ତାହାକଇଂ ଅନୀତି ।୫୬।

ଅକଳନା ରାଜ୍ୟ ସେ କରୁଥିଲା ଭଲେ

ବିରାଟ ଅନାସ୍ତ ହୋଇଲା କୀଞ୍ଚେକ ନାଶଗଲେ ।୫୭।

ଆରେ ଶତେକ ଶଳା ତାର ମାଇଲୁ ଅନମିତେ

ୟେବେ ବିରାଟ ବନ୍ଦୀହେଲା ମୋହୋର ଦେଖନ୍ତେ ।୫୮।

ବାବୁ ଯେବଣ ବୃକ୍ଷତଳେ ଦଗଧ ବେଳେ ବସି

ତାହା ଗୁଣ ସୁମରଣା କରନ୍ତି ଦିବାନିଶି ।୫୯।

ଧିକ ତ ଜୀବନ ମୋହୋର ପୋଡୁ ବେନିଆଖି

ନିଲଜ ଆତ୍ମା କିଂପେ ରହିଚି ବିରାଟ କଷ୍ଟ ଦେଖି ।୬୦।

ଭୀମସେନ ବୋଇଲା ଗୋସାଇଂ ତୁମ୍ଭନ୍ତ ଯାହା ବୋଇଲା ବିରାଟ

ଆନରାଜ୍ୟକୁ ମନ୍ତ୍ରୀପଣେ ତୁମ୍ଭେ ଯୋଗାଅ କୋନ୍ତଭଟ୍ଟ।୬୧।

ସ୍ୱାମୀ ତାହା ଶୁଣି କୋପ ଯେ ବସିଲା ମୋହୋର ହୃଦେ

ସେ ରାଗେ ମୁଂ ଅପସରିଲି ବିରାଟ ବନ୍ଦୀ ଗଲା ହାଦେ ।୬୨।

କୋନ୍ତେ ବୋଇଲେ ବାବୁ ତୋହୋର ଆପଦ ଘେନିଯାଇ

ବିରାଟକୁ ଆଣ ହୋ ବେଗେ ବନ୍ଦୀରୁ ମୁକୁଳାଇ ।୬୩।

ବାବୁ ଯାହାର ଅନ୍ନ ଖାଇ ତାହାର କାର୍ଯ୍ୟକରି

କଲାର ଉପୁଗାର ବାବୁ କେବେହେଂ ନ ପାସୋରି ।୬୪।

ଭୀମସେନ ବୋଇଲା ସ୍ୱାମୀ ସମର ଗାରଡ଼ି ବିଦ୍ୟା

ମରଣଠାରୁ ଆଣିଲେ କଥା ରହଇ ସର୍ବଦା ।୬୫।

କୋନ୍ତେ ବୋଇଲେ ବାବୁ ସେମନ୍ତହିଂ ହୋଉ

ମୋହୋର ଆଷ୍ୟ ଘେନି ବ୍ରତ ବିରାଟ ପାରହୋଉ ।୬୬।

ବାବୁ ବିରାଟକୁ ଯେବେ ତୁ ନ ଆଣିବୁ ଜୀବନ୍ତେ

ମୋତେ କି ଆଉର ରେ ପାଇବୁ ଦେଖନ୍ତେ ।୬୭।

ବାବୁ ନାରାୟଣ ସୁମରି ଚଳ ଯା ହୃଦଗତେ

ରଣଦୁର୍ଗା ସାହାପକ୍ଷ ସର୍ବଦା ହୋଉ ତୋତେ ।୬୮।

ଶତ୍ରୁ ମାରି ବାବୁ କୁଶଳେ ହୁଅସି ଯାଇ ଉଭା

ଯେମନ୍ତେ ବିରାଟ ବନ୍ଦୀରୁ ମୁକତ ହୋଇ ତେମନ୍ତ କର ରେ ବାବା ।୬୯।

ଭୀମସେନ ବୋଇଲା ଦେବ ମୁଂ କରୁଅଛି ସମର

ଅଗ୍ୟାଂତବାସକୁ ନ ପୁଣ ମୋତେ କୋପକର ।୭୦।

କୋନ୍ତେ ବୋଇଲେ ବାବୁ ଧର୍ମକୁ ଆଶ୍ରିତେ

ପାପକଇଂ ଭୟେ କରିଥିବୁ ଅନୁବ୍ରତେ ।୭୧।

ଦଧିବାମନ ସୁମରି ବହନ ଯାଅ ଭୀମା

ଆରୋଗ୍ୟେ ମୁକତ ହୋଉ ବିରାଟ ମହାତମା ।୭୨।

ଜୟତୁ ଦଧିବାମନ କ୍ଷୀରାବ୍ଧି ପତି ଆଦି

କଳ୍ପ କଳ୍ପାନ୍ତର ପୁରୁଷ ନବକୋଟି ମନ୍ତ୍ର ସାଧି ।୭୩।

ଜାତକ ଯାତ୍ରା ଆଦି ଯେ ସର୍ବ ଅନକୂଳେ

ଦଧି ରୁଚିର ବଦନ ଯେ ସର୍ବ ମଙ୍ଗଳେ ।୭୪।

ଶଙ୍ଖ ପଦ୍ମ ସର୍ବ ମଙ୍ଗଳ ଯେ ମତ୍ସରୂପୀ

ସଦୟ ଯୋଗେଶ୍ୱର ତୁ କ୍ଷୀର ସାଗର ବ୍ୟାପି ।୭୫।

ନାମ ସୁମରନ୍ତେ ସକଳ କାର୍ଯ୍ୟ ସିଦ୍ଧି

ମହା ଭିଗ୍ୟଂବନ୍ତ ପୁରୁଷ ନାଥ ପ୍ରାପତ ହୋଉ ନିଧି ।୭୬।

ଧଇର୍ଯ୍ୟ ଗୁଣବନ୍ତ ଯାର ନାମ ସୁମରନ୍ତେ

ଶୁଦ୍ରମୁନି ସାରୋଳା ଦାସ ବଦୟନ୍ତି ମୁକତି ଗତି ଅର୍ଥେ ।୭୭।୪୪୬୮।

*************

 

ଭୀମସେନଙ୍କର ଯୁଦ୍ଧ ଓ ବିରାଟ ରାଜାଙ୍କ ମୁକ୍ତି

ଶୁଣିମା ବଇବସୁତ ମନୁ ବଦନ୍ତି ବ୍ରହ୍ମଋଷି

ନିର୍ଭୟେ ବଲ୍ଲଭ କୋନ୍ତଂକର ଆଗ୍ୟାଂ ଶିରରେ ନିବେଶି ।୧।

ରାତ୍ର ପାଞ୍ଚଘଡ଼ି ଉତ୍ତାରେ ଦେଢ ପ୍ରହର ପରବେଶ

ଧାମଇ ବ୍ରିକୋଦର ସେ ସମରେ ହରଷ ।୨।

ବାମ ଦକ୍ଷିଣ କରେ ଶାଳବୃକ୍ଷ ବେନି ଘେନି

ଯମ ଦେବତା ବିଜେକଲେ କି କାଳଦଣ୍ତ ଘେନି ।୩।

ଡାମ୍ବରଗିରି ଜାଣି ଦିଶଇ ତାହାର କାୟେ

ବେନିନୟନ ବୁଲାଇ ତାହାର କାଳଚକ୍ର ପ୍ରାୟେ ।୪।

ସଙ୍ଗେଣ ଗ୍ରନ୍ଥିକାର ନାମ ତା ବାରୁଆଳ

କରେ ନୁହାର ବାଡ଼ି ସେ ଘେନିଣ ନକୁଳ ।୫।

ରାନ୍ଧଣା ସାରି ସଇନି ପ୍ରବେଶ ଭୋଜନେ

ୟେମନ୍ତେ ସମୟେ ଯାଇ ପ୍ରବେଶ ଭୀମସେନେ।୬।

ଆରେ ଆରେ ବୋଲି ବୋଲି ନିର୍ଘାତେ ଦିଲା ଡାକେ

ୟେକା ହାକକେ କମ୍ପିଲା ନବଖଣ୍ତ ପୃଥୀଯାକେ ।୭।

ମେରୁ ଲେଉଟି ଅବା ପଡ଼ିଲା କି ଖସି

ନିର୍ଘାତ ବଜ୍ରବାଣ ମଧ୍ୟ୍ୟେ କି ପଡ଼ିଲାକ ଆସି ।୮।

ତେସନେକ ଉଲ୍ଲକାପାତ ଭୀମସେନର ବୋବି

ମେଦିନୀ କମ୍ପିଲାକି ଟଳିଲାକ ପୃଥୀଦେବୀ ।୯।

ପାଦ ଘୋତେଣ ଯେ ପାଷାଣ ଗଡ଼ ଭାଜି

ଭିତରେ ଭୀମସେନ ଯେ ପଶିଲା ଗଳଗାଜି।୧୦।

ଯେବଣ ମତ୍ତହାଥୀ ଚଢି ତ୍ରିଗର୍ତ୍ତ ଯୁଦ୍ଧ କରୁଥିଲା

ସେହି ମତ୍ତହାଥୀ ଧରି ବୀର ବିକ୍ରମ ଗତିରେ ବୁଲାଇଲା ।୧୧।

ବାମକରେ ଶାଳବୃକ୍ଷ ଡାହାଣକରେ ମତ୍ତହାଥୀ

ସଇନି ଉପରେ ନେଇ ପିଟିଲା କୋପମୃତ୍ତି।୧୨।

ରଥକୁ ରଥେ ଘେନି ସେ ପିଟଇ ପାବେନି

ୟେକା ପ୍ରହାରକେ କଚାଡ଼ଇ ଗଜ ବେନି ।୧୩।

ଅଶ୍ୱଂକ ଉପରେ ଅଶ୍ୱଂକୁ ଧରିଣ କଚାଡ଼ି

ବ୍ରହ୍ମାଣ୍ତ କମ୍ପୁଅଛି ଭାମସେନ ସିଂଘରଡ଼ି ।୧୪।

ମହା ନିଶାକାଳରେ ଉଠିଲା ମହାଗୋଳ

ୟେକ ପାଣ୍ତବକେ ମନ୍ଥିଲା ସର୍ବଦଳ ।୧୫।

ବିଶେଷ ନିଶାକାଳ ଅନ୍ଧାର ପକ୍ଷ ଅଟଇ

ମହୀଧର ଜିତା ସେ ପାଣ୍ତବ ବଳିଷ୍ଠଇ ।୧୬।

ଦେବ ଦାନବେ ଯାହାର ବଳ ଅପ୍ରମିତା

କାଳେବର ମୃତ୍ତି ଦେଖି ତ୍ରାସଇ ଯମ ଦେବତା ।୧୭।

ବେଳୁଂବେଳେ ପାଣ୍ତବେ ବସିଲା ମହାତମ

ଭୋଜନେ ଶୟନେ ସମରେ ନାହିଂଟି ଯାହାର ଶ୍ରମ ।୧୮।

ୟେକା ପ୍ରହରାକେ ପଡ଼ଇ ଦଶବିଂଶ

ମୁଥ ଚାପୋଡ଼ଘାତେ ହେଉଛନ୍ତି ପ୍ରାଣନାଶ ।୧୯।

ତ୍ରିଗର୍ତ୍ତର ସଇନି ଯେ ସମରେଣ ବେଗେ ଉଠି

ଗଦା ମୁଦୁଗର ଛେଲ ଚକ୍ର ଶହସ୍ରନ୍ତି ଘେନି ପିଟି ।୨୦।

ଶତଶିଂଗ ପ୍ରସନ୍ନେ ବଜ୍ର ଯାହାର ବାମଅଙ୍ଗ

ସକଳ ଶହସ୍ରମାନ ପଡ଼ି ହେଉଛନ୍ତି ଭଙ୍ଗ ।୨୧।

ବଜ୍ର ୟେଡ଼ନ୍ତେଣ ନ ତୁଟଇ ଯାହାର କାୟେ

ଅସିମୁନା ତୀକ୍ଷମୁନା ନାରାଜକୁ ନାହିଂ ତାର ଭୟେ ।୨୨।

ଶରୀରେ ଶହସ୍ର ପଡ଼ନ୍ତେ ଯାହାର ଦିଗୁଣ ଉଷତ

ଭାଞ୍ଜିଲେ ଥାଟସନ୍ୟ ପାଇଲେ ଭଗନସ୍ତ ।୨୩।

ରକତେ ବିଲେପନ ସବୁଂକରି ଅଙ୍ଗ

ପଳାବନ୍ତି ସଇନି ଯେ ସମରେ ବିଭଙ୍ଗ ।୨୪।

ରଥେ ରଥ ଗଜେ ଗଜ ଅଶ୍ୱେ ଅଶ୍ୱ ପିଟି

ଅସଂକ୍ଷେପ ସଇନି ଯେ ଭୁମିରେଣ ଲୋଟି ।୨୫।

ହାଥୀଂକର ଶରୀରୁ ପଡ଼ଇ ରୁଧିର ଗଳି

ପଳାବନ୍ତି ମତ୍ତନାଗେ ସେ କୁମ୍ଭସ୍ଥଳ ତୋଳି ।୨୬।

ପର କି ଆପଣା ବୋଲି ସେ ବାରଣ ନ ଯାଇ

ଆପଣେ ଆପଣେ ମରାମରି ହୋଇ ପଡ଼ିଲେ ନିବୁଜାଇ ।୨୭।

ଯୁଗତେ ଧନୁମାସ କୃଷ୍ଣପକ୍ଷ ଚତୁର୍ଦଶୀ

ପ୍ରଭାତ ପରିଯନ୍ତେ ଅନ୍ଧାର ଘୋର ନିଶି ।୨୮।

ପୁତ୍ର ହାକଦ୍ୟନ୍ତେ ନ ଶୁଣଇ ପିତା

ସହୋଦରେ ସହୋଦରେ ମରା ମରି ହୁଅନ୍ତି ଅପ୍ରମିତା ।୨୯।

ରଥ ଗଜ ଅଶ୍ୱମାନେ ପଳାବନ୍ତି ଭାଂଜି

ତାହାଂକର ପାଦଘାତେ ଅନେକ ସଇନି ନିମଜ୍ଜି ।୩୦।

ଆଗଦଣ୍ତ ପଳାବନ୍ତେ ରକତ ମାଂସ କର୍ଦ୍ଦନ

ପଛଦଣ୍ତ ଧୂଳି ହୋଇ ଉଡୁଛଇ ଗଗନ ।୩୧।

ପାଞ୍ଚ ପରାୟୁଧ ରଥୀ ଦଶ ପରାୟୁଧ ହାଥୀ

ବିଂଶ ପରାୟୁଧ ଅଶ୍ୱ ସାତ କ୍ଷଉଣୀ ପାଦାନ୍ତି ।୩୨।

ଧର୍ମର ବଳ ହୋ ଶୁଣ ଯୋଗେଶ୍ୱର

ୟେକା ପାଣ୍ତବେକ ମାରି ସର୍ବ କଲା ଚୂର ।୩୩।

ନକୁଳ ରହିଥିଲା ସେ ଯେ ଥାନପାଳ ରୂପ ଧରି

ସେ ଅନେକ ସଇନି ଯେ ଗୋଡ଼ାଇ ପ୍ରହାରି ।୩୪।

ଅନେକ ରଥୀ ଯୋଦ୍ଧା ସେ ଯେ ଥିଲେ ବଳବନ୍ତା

ମହା ମହା ଛତ୍ରୀମାନେ ସମରେ ଶକତା ।୩୫।

ଜଣେ ରହି ସମର କରି ନୁଆରିଲେ ତାହାଂକର ଆଗେ

ବାସଭଗ୍ନ ପକ୍ଷୀ ଯେହ୍ନେ ପଳାବନ୍ତି ଅତିବେଗେ ।୩୬।

ମିଥୁନ ଆଦିତ୍ୟ ଜାଣି ତେଜ ତାହାର ଦିଶି

ସିଂହିକାର ନନ୍ଦନ ଯେହ୍ନେ ଘୋଟିଲାକ ଶଶୀ ।୩୭।

ଶହସ୍ରମାନ ପକାଇ ସମସ୍ତେ ଲୋଟନ୍ତି ଧରଣୀ

ଦନ୍ତେ ତିରଣ ଘେନି ବୋଲନ୍ତି ଶରଣ ରଖ ସ୍ୱାମୀ ।୩୮।

ନିର୍ଦୟା ନିରପେକ୍ଷ ଯାହାର ଶରୀର

ଶରଣ ବୋଲନ୍ତେ ଗୋଡ଼ାଇ ଦୁଗୁଣ କରଇ ପ୍ରହାର ।୩୯।

ଅତୁଳାୟିତ ପରାକ୍ରମେ ଭାରଇ ମଲ୍ଲ ମହାବୀରା

ମେଦୀନି ନ ସହଇ ଯେ ବ୍ରିକୋଦର ମହାଭାରା ।୪୦।

ୟେକାଦଶ ଯୋଜନ ପୟେତ ପଡ଼ିଲାକ ଥାଠ

ମୃତୁପିଣ୍ତର ଘାୟେ ଯେ ନ ଦିଶଇ ବାଟ ।୪୧।

ରୁଧିରେ ବିଲେପନ ଯେ ଭୀମ ନକୁଳର କାୟେ

ଯେସନେ ଧନୁମାସେ ଆଦିତ୍ୟ ଉଦୟେ ।୪୨।

ସାତ କ୍ଷଉଣୀ ବଳ ଘେନି ବାହିଲା ତ୍ରଗର୍ତ୍ତ

ଚାରିକ୍ଷଉଣି ପଡ଼ିଲା ସନ୍ୟ ଅଶ୍ୱ ଗଜ ରଥ।୪୩।

ସଇନି ନିଶେଷ ଦେଖିଣ ତ୍ରିଗର୍ତ୍ତ ନୃପତି

ସକଳ ସଇନି ନିଶେଷ ମରାଇଲି ଆଉର କିସ ମୋ ଜୀବତି ।୪୪।

ସମସ୍ତ ସଇନି ରାଜାର ମୁଂ ମରାଇଲି ୟେଥେ

ମାନଗୋବିନ୍ଦ ମୁଖ ମୁଂ ଚାହିଂବି କେମନ୍ତେ ।୪୫।

କୁଟୁମ୍ବ ମରାଇ ଯେବଣ ପ୍ରାଣୀ ଜାବନକୁ ଆଶାକଲା

ନିଚୟେ ଜାଣିମାନା ସେ ଜୀଉଂ ଜୀଉଂ ମଲା ।୪୬।

ଯେବଣ ମହାମାୟେ ପଶିଛି ସମରେ

ସାମାନ୍ୟ ନୋହୋଇ ସେ ଦିଗପାଳ ନିକରେ ।୪୭।

ୟେହାର ହାଥେ ଯେ ସାଂଗ୍ରାମେ ଝାସଦିଲେ

ମୁକତକୁ କାରଣ ବୋଲି ତ୍ରିଗର୍ତ୍ତ ବାହୁଡ଼ିଲେ ।୪୮।

ରଥ ଲେଉଟାନ୍ତେ ଭୀମ ପ୍ରହାର କଲା ମୁଥେ

ତ୍ରିଗର୍ତ୍ତର ରଥ ଭାଞ୍ଜି ହୋଇଲା ଭଗନସ୍ତେ ।୪୯।

ବିରାଟ ତ୍ରିଗର୍ତ୍ତ ଯେ ପଡିଲେ ମହୀଭାଗେ

ତ୍ରିଗର୍ତ୍ତ ଲୋହାର ଗଦା ଘେନି ପିଟିଲା ଅତିବେଗେ।୫୦।

ଆରେ ରହ ରହ ବୋଲି ଭୀମ ବାମଅଙ୍ଗ ପାତି

ଷାଠିୟେ ଷାଠିୟେ ଭାର ବେନିଗଦା ଭାଜି ଚୂର ହୋଇଲା ତତକ୍ଷଣାନ୍ତି ।୫୧।

ଗଦାଭଗ୍ନ ଦେଖିଣ ତ୍ରିଗର୍ତ୍ତ ମହୀପାଳ

ବିଚାରଇ ତ୍ରିଗର୍ତ୍ତ ୟେ କେବଣ ଦିଗପାଳ ।୫୨।

କୋପେଣ ହାକଦିଲା ସେ ପବନର ବଳା

ରହ ରହ ତ୍ରିଗର୍ତ୍ତରେ ନିସତେ ନ ପଳା ।୫୩।

ମୂଳିକା ଦେଖି ଯେହ୍ନେ ଫେରୁ ନ ଟେକଇ ଅହି

ଭୀମ ହାକନ୍ତେଣ ଯେ କମ୍ପିଲା ତାର ଦେହୀ।୫୪।

ନେଉଟି ଚାହିଂଲା ପଛେ ସନ୍ୟ କେହି ନାହିଂ

ଭାଜିଲା ତେଜ ତାର ସେହି ଠାବେଣ ରହି ।୫୫।

କେଶକୁ ଆକ୍ରେଷି ତ୍ରିଗର୍ତ୍ତର ଭୀମ ଧଇଲା ଅଙ୍ଗେ

ବହୁତ ପ୍ରତଙ୍ଗ୍ୟା ସେ ଧଇଲେ ଗରୁଖଙ୍ଗେ ।୫୬।

ବାମକରେ ତ୍ରିଗର୍ତ୍ତର କେଶ ଡାହାଣେ ବିରାଟର କେଶ ହାଥେ

ଅନ୍ତରୀକ୍ଷେ ଦୁହିନ୍ତି ଧଇଲା ଚରଣ ନ ପଡ଼େ ଭୂମିଗତେ ।୫୭।

ପାଛେଣ ଗୋଡ଼ାଇ ଯେ ନକୁଳ କୁମାର

ଯୋଦ୍ଧାଂକର ମୁକୁଟମାନ କନ୍ଧରେ କରି ଭାର ।୫୮।

ଯୁଝେଷ୍ଠି ବିଜେ କରିଅଛନ୍ତି ନୀଳେନ୍ଦୀ ନାମେ ବନ

ଦୁହିନ୍ତି ଛାମୁରେ ଲୋଟାଇ ପ୍ରଣପତ୍ୟ ଭାମସେନ ।୫୯।

ବଲ୍ଲଭ ବୋଇଲା ଗୋସାଇଂ ୟେ ବିରାଟ ତ୍ରିଗର୍ତ୍ତେ

ଦୁହିନ୍ତିହିଂ ଆଣିଲି ଆଗ୍ୟାଂଦେବା ହେ ମହତ ପଣ୍ତିତେ ।୬୦।

ନୟନ ତରାଟି ଯେ ଦିଲେ କ୍ରୋନ୍ତଭଟ୍ଟେ

ତ୍ରିଗର୍ତ୍ତକୁ ଛାଡ଼ିଦିଅ ସେ ପଳାଉ ଇନ୍ଦ୍ରପ୍ରଶସ୍ତେ ।୬୧।

ଶୁଣ ହୋ ବଇବସୁତ ମନୁ ଯୁଝେଷ୍ଠି ଦେବଂକର ମହିମାଂ

ପରକାର୍ଯ୍ୟେ ଶତୃକୁ ନ ନାଶଇ ମହତମା ।୬୨।

ତେଣୁକରି ତ୍ରିଗର୍ତ୍ତକୁ ଦିଲେ ସେ ଛଡ଼ାଇ

ପଳାଇଲା ତ୍ରିଗର୍ତ୍ତ ସେ ମଥାରେ ହାଥ ଦେଇ ।୬୩।

ବିରାଟ ପ୍ରଳମ୍ବିତ କୋନ୍ତଂକ ପଦ୍ମପାଦେ

ବୋଇଲା ଜୀବନ ଦାନ ପାଇଲି କୋନ୍ତେ ବଲ୍ଲଭ ପରସାଦେ ।୬୪।

ସାଧୁ ସାଧୁ ୟେ ବ୍ରାହ୍ମଣ ସୂପକାର ହୋଇ

ୟେ ମହୀମଣ୍ତଳେ ମୋର ଦେଖିଲାତ ନାହିଂ ।୬୫।

କୋନ୍ତେ କୀଞ୍ଚେକ ଥିଲା ସେ ଯେ ମହାବଳବନ୍ତା

ୟେହାଂକ ସମାନେ ସେ ପୁଣି ରଣେ ନୋହେ ଜିତା ।୬୬।

କିୟେ ଦେବଇନ୍ଦ୍ର ଯମ କୁବେର ପବନ

କିୟେ ରୁଦ୍ର ବରୁଣ କିୟେ ନାରାୟଣ ଗୋପ୍ୟାନ ।୬୭।

ନ ଜାଣି ବୋଇଲି ମୁଂ ବଲ୍ଲଭ ବଲ୍ଲଭ

ଆଜହୁଂ ସେବା ମୋହୋର ତୋତେ ବିନୟ ସ୍ୱଭାବ ।୬୮।

କୋନ୍ତେ ବୋଇଲେ କୀଞ୍ଚେକକୁ ମାଇଲେ ଯେବଣ ଗନ୍ଧର୍ବେ

ବଳେ ଆସି ତୋତେ ରକ୍ଷାକଲେ ସେହୁ ୟେବେ ।୬୯।

ଆହୋ ସେହି ଗନ୍ଧର୍ବେ ହୋ ବଲ୍ଲଭ ଦେହେ ପଶି

ସେହି ସେ ସମର କରିଣ ତ୍ରିଗର୍ତ୍ତର ଥାଠ ଧଂସି ।୭୦।

ଅନାସ୍ତହିଂ ଯେ କଲେ ରକ୍ଷା କରିବେ ନାହିଂକି ୟେବେ

ଅମହତ ନୁହନ୍ତି ସେ ପଞ୍ଚୁ ଯେ ଗନ୍ଧର୍ବେ ।୭୧।

ବଚନେ ବୋଧ ସେ ହୋଇଲେ ରାୟେ ମଚ୍ଛେ

ନ ଜାଣି ବଣା ସେ ଯେ ଦେଖିଲେ ପ୍ରତକ୍ଷେ ।୭୨।

ଜୟତୁ ଇଚ୍ଛାକୁ ବଂଶ ରଘୁରାୟେ

ସାଧୁ ସାଧୁ ସୂର୍ଯ୍ୟବଂଶର ଦଶରଥ ରାଜାଂକ ତନୟେ ।୭୩।

ସାଧୁ ସାଧୁ ମହତମା ଋଷ ଶିଙ୍ଗ ମହାବ୍ରହ୍ମ

ଯାହାର ମନ୍ତ୍ରେ ତୋହୋର ଶରୀର ଗୋଟି ଜନ୍ମ ।୭୪।

ସାଧୁ ସାଧୁ ମହାତ୍ମାଣୀ ଦେବୀ ଯେ କଉଶୁଲ୍ୟା

ଜଗବନ୍ଦନ ପୁରୁଷ ଗୋଟିକି ସେ ଗର୍ଭରେ ଠାବ ଦିଲା ।୭୫।

ଧନ୍ୟ ସେ କଉଶୁଲ୍ୟା ଜୀବନ ଉତ୍ତମ

ବାଛିଣ ନାମଗୋଟି ଦିଲାକ ଶ୍ରୀରାମ ।୭୬।

ସାଧୁ ସାଧୁ ସେ ଜାନକୀ ସୀତୟା ନାମେ ଦେବୀ

ପରମ ଯୋଗ ପୁରୁଷ ଯାହାକଇଂ ଭାବି ।୭୭।

ସାଧୁ ସେ ବୀରବର ବାଳୀ କୁମ୍ଭକର୍ଣ୍ଣ ରାବଣ

ଶ୍ରୀରାମର ତୁଲେ ଯୁଦ୍ଧକରି ହରାଇଲେ ପ୍ରାଣ ।୭୮।

ନୀଳେନ୍ଦୀ ପୁଷ୍ୟବର୍ଣ୍ଣ ଜାଣି ଯାହାର ଦେହଗୋଟି

ଶୁଦ୍ରମୁନି ସାରୋଳା ଦାସ ଯାହାର ପାଦେ ଲୋଟି ।୭୯।୪୫୪୭।

*************

 

ତ୍ରିଗର୍ତ୍ତର ପରାଜୟ ବାର୍ତ୍ତା ଶୁଣି ମାନଗୋବିନ୍ଦର ରଣସଜ୍ଜା

ଆହୋ ଚଇତନ ଧନୁମାସ କୃଷ୍ଣପକ୍ଷ ପଞ୍ଚମୀର ତିଥି

ପୁଷ୍ୟା ନକ୍ଷତ୍ର ଯେ ବାର ବୃହସ୍ପତି।୧।

ସମସ୍ତ ସମଦଣ୍ତ ଘେନି ମାନଗୋବିନ୍ଦ ବିଜେ ଇନ୍ଦ୍ର ପ୍ରଶସ୍ତେ

ତ୍ରିଗର୍ତ୍ତର ବାରତା ଯାଇ ଜଣାଇଲା ଦୂତେ ।୨।

ଅବଧାନ ସ୍ୱାମୀ ମାନଗୋବିନ୍ଦ ଚକ୍ରବତୀ

ତ୍ରିଗର୍ତ୍ତ ଥାଠର ଦେବ ବାରତା ସଂଗତି ।୩।

ଅଷ୍ଟାଦଶ ଦିବସେ ମଚ୍ଛଦେଶେ ଯାଇ ପ୍ରବେଶ ହୋଇଲା ଥାଠ

ସମଦଣ୍ତ ଘେନିଆସି ଯୁଝିଲା ବିରାଟ ।୪।

ଦୁଇ ଦିବସ ପରିଯନ୍ତେ ଆମ୍ଭେ ପଳାଇଲୁ ଭାଜି

ତୃତୀୟ ଦିବସକୁ ଦେବ ଥାଠ ଉଠିଲା ଗଳଗାଜି ।୫।

ମହାଯୁଦ୍ଧ ହୋଇଲା ଆଦିତ୍ୟ ଅସ୍ତ ପରିଯନ୍ତେ

ବିରାଟକୁ ଛାଡ଼ିପଳାଇଲେ ତାର ସନ୍ୟ ଅମନାତ୍ୟେ ।୬।

ସ୍ୱାମୀ ଯେତେକ ସମର ସେ ବିରାଟ କଲା ୟେକା

ସାତକ୍ଷଉଣୀ ବଳ ଦେଖି ହୋଇଲୁ ତାଟକା ।୭।

ବେଢିଧରି ତ୍ରିଗର୍ତ୍ତ ବିରାଟକୁ ବାନ୍ଧିଲା ତାହାର ରଥେ

ଆସି ବିଜେକଲୁ ଦେବ ରମ୍ୟେକ ପର୍ବତେ ।୮।

ବିରାଟର ସନ୍ୟ ଦେବ ପଳାଇଲେ ଦେଶ ଛାଡ଼ି

ଦୁତୀୟ ଦିନ ତ୍ରିଗର୍ତ୍ତ ବସିବ ମଚ୍ଛଦେଶ ମାଡି ।୯।

ଗୋଧନ ପଲ ସେ ଆଣିଲେ ଆମ୍ଭର ସଇନି

ୟେମନ୍ତେ ଦେଖି ଦେବ ଅଇଲୁ ବାରତା ଘେନି ।୧୦।

ଶୁଣିଣ ସାନନ୍ଦ ଯେ ହୋଇଲେ କଉରୋବେ

ପଞ୍ଚୁକଟକେ କରାଇଲେ ଶତ୍ରୁଜିତ ଉଚ୍ଛବେ ।୧୧।

ଅନେକ ସାନନ୍ଦ ରାଜା ମାନ ଯେ ଗୋବିନ୍ଦ

ଦେଶାଉରମାନନ୍ତ ଦିଲା ଅନେକ ଶାଢୀ ପ୍ରସାଦ ।୧୨।

ବିଜୟେ କୁରୁନାଥ ଧନୁ ଶୁକ୍ଳ ଷଷ୍ଠୀ ଗୁରୁବାର

ପୁଣ ଆନ ବାରତା ଦିଲାକ ଆନ ଚାର ।୧୩।

ସ୍ୱାମୀ ପ୍ରଥମ ଦିନ ତ୍ରିଗର୍ତ୍ତ ବନ୍ଦୀକଲା ବିରାଟ

ଜୟକରି ବାହୁଡ଼ିଅଇଲେ ଆମ୍ଭ ଥାଠ ।୧୪।

ସେହି ରାତ୍ର ଅର୍ଦ୍ଧମାନେ ଭୋଜନ କରୁଛନ୍ତି ସମସ୍ତେ

ନିରାଶ ସମରେ ଉପବାସ କରିଥିଲେ ସନ୍ୟ ତିନି ଦିବସ ପରିଯନ୍ତେ ।୧୫।

ଅର୍ଦ୍ଧମାନ ଉତ୍ତାରେ ରାତ୍ର ଅଢାଇ ପ୍ରହର ପରବେଶ

ବନ୍ଧନ କରି ବିରାଟକୁ ତ୍ରିଗର୍ତ୍ତ ବସାଇଅଛି ପାଶ ।୧୬।

ବିରାଟର ସୂପକାର ୟେକ ବ୍ରାହ୍ମଣ ବଲ୍ଲଭ ପଣ୍ତା ବୋଲି

ରାତ୍ରକାଳେ ପଶିଲା ଆମ୍ଭର ଥାଠେ ଗଢଦ୍ୱାର ପେଲି ।୧୭।

ସ୍ୱାମୀ ୟେକା ବ୍ରାହ୍ମଣକେ ଯବଣ ସମର କଲା

ଦେବ ଦାନବ ମାନବେ ତାହା ନାହିଂତ ଦେଖିଲା ।୧୮।

ୟେକାଦଶ ଯୋଜନ ପରିଯନ୍ତେ ସନ୍ୟ ପୟେଡ଼ ପଡ଼ିଲା

ଚାରି କ୍ଷଉଣୀ ବଳ ୟେକା ରାତ୍ରକେ ନାଶକଲା ।୧୯।

ସ୍ୱାମୀ ମହାଘୋର ନିଶାକାଳେ ନ ଗଲା ବାରଣ

ଅନେକ ମରାମରି ହୋଇଲୁ ଆପଣେ ଆପଣ ।୨୦।

ବିରାଟ ତ୍ରିଗର୍ତ୍ତର କେଶଧରି ବ୍ରାହ୍ମଣ ଘେନିଗଲା ମଚ୍ଛଦେଶ

ନେଇଣ ଦିଲା ସେ କୋନ୍ତ ପଣ୍ତାଂକର ପାଶ ।୨୧।

ଦ୍ରୋଣଂକର ହାଥେ ୟେ ଦ୍ରୋଣ କରତାଳ ଦେଇ

ହସିଣ ଉଠିଲେ ଭୀଷ୍ମେ ବିଦୁର ମୁଖ ଚାହିଂ ।୨୨।

ଭୀଷ୍ମେ ବୋଇଲେ ଦ୍ରୋଣେ ୟେ ଘାନ୍ତି କ୍ଷୀର ପାନ କରିବା ଅନୁବ୍ରତେ

ଦୁଇପଦ୍ମ ଦୋହାଂଳ ଗାଈ ଘେନି ଆସୁଅଛି ତ୍ରିଗର୍ତ୍ତେ । ୨୩।

ଆମ୍ଭର ବଚନେ ଯେ ନ କଲୁ କୁରୁପତି

ସକଳ ଥାଠ ଯେ ମରାଇଲୁ ଅକାରଣେ ଅନିମିତି।୨୪।

ପୁଣ ସାତଦିନ କହିଲେ ଯାଇଂ ଦୂତେ

ସ୍ୱାମୀ ଭଗ୍ନବଳ ଘେନି ଦେବ ଆସୁଛି ତ୍ରିଗର୍ତ୍ତେ ।୨୫।

ଭୀଷ୍ମେ ବୋଇଲେ ଦ୍ରୋଣେ ସରିଲା ଆମ୍ଭର ସଧ

ତ୍ରିଗର୍ତ୍ତର ପ୍ରସାଦେ ଖାଇବା ଆମ୍ଭେ ବହୁତ ଦୁଧ ।୨୬।

ଭଗ୍ନବଳ ଘେନିଣ ରାୟେ ତ୍ରିଗର୍ତ୍ତେଶ୍ୱର ଆସି

ଧନୁ କୃଷ୍ଣ ତ୍ରୟୋଦଶୀ ଦିନରେ ରାଜେ ଆସି ପଶି ।୨୭।

ସାତ କ୍ଷଉଣୀ ବଳ ଯେ ତ୍ରିଗର୍ତ୍ତ ଘେନିଗଲା

ଚାରି କ୍ଷଉଣୀ ପଞ୍ଚ ପରାୟୁଧ ସଇନି ପଡ଼ିଲା ।୨୮।

ଦୁଇ କ୍ଷଉଣୀ ପଞ୍ଚ ପରାୟୁଧ ଉବୁରି ଅଇଲା

ୟେତେକ ଘେନିଣ ତ୍ରିଗର୍ତ୍ତ କଟକେ ପଶିଲା ।୨୯।

ଗଜ ଅଶ୍ୱମାନେ ସମସ୍ତେହେଂ ଛୋଟା

ରଥରେ ଅଧେକ ନାହିଂ ଆଡ଼େ ଆଡ଼ ପାଦାନ୍ତି ଶରଫୁଟା ।୩୦।

ଥାଠଯାକ ସର୍ବେ ଦିଶନ୍ତି ଯେ ଶ୍ରୋଣିମୟେ

ସୁବିଧାନ ହୋଇନାହିଂଟି କାହାରିହିଂ କାୟେ ।୩୧।

ଅଶକତେ ଚାଲି କେହୁ ନୁଆରନ୍ତି ବିକଳେ

ସଇନି ଘେନିଣ ତ୍ରିଗର୍ତ୍ତ ଦ୍ରଶନ କଲା ଆସ୍ତାନର ତଳେ ।୩୨।

ଦେଖିଣ ଆଶ୍ରିଜ ହେଲେ ସମସ୍ତ ସେନାପତି

କିସ ଅର୍ଥେ ତ୍ରିଗର୍ତ୍ତ ତୋହୋର ୟେସନେକ ଜୀବତି।୩୩।

ସାତ କ୍ଷଉଣୀ ଥାଠ ଘେନି ଯେ ୟେଥୁଂ ଗଲୁ

ସାଂଗ୍ରାମ ନ ଜିଣି ତୁ କେବଣ କୃତ୍ୟ କଲୁ ।୩୪।

ଶୁଣି ତ୍ରିଗର୍ତ୍ତେଶ୍ୱର ଆସ୍ତାନ ତଳେ ପରିଣାମି

ସାଂଗ୍ରାମର ବାରତା ଅବଧାନେ ଶୁଣିମା ଦେବସ୍ୱାମି ।୩୫।

ସ୍ୱାମୀ ପ୍ରଥମ ଯୁଦ୍ଧେ ଦେବ ମୁଂ ଜିଣିଲି ବିରାଟ

ଅନେକ ସଇନି ମାରି ଭଗ୍ନକଲି ତାର ଥାଠ ।୩୬।

ପୁଣି ବିରାଟକୁ ବନ୍ଧନ କରି ପକାଇଲି ରଥେ

ଘେନିଣ ଅଇଲି ଦେବ ବିଂଶ ଯୋଜନ ପରିଯନ୍ତେ ।୩୭।

ସ୍ୱାମୀ ତିନି ଦିବସ ପରିଯନ୍ତେ ଯେ ସମର ହୋଇଥିଲା

ସନ୍ୟ ଉପବାସେ ଦେବ ଅନ୍ନ ନ ପାଇଲା ।୩୮।

ସ୍ୱାମୀ ଯେତେବେଳେ ବନ୍ଦୀକରି ଆଣିଲି ବିରାଟ

ସୁଖେ ରନ୍ଧନ ଭୋଜନ କରୁଛନ୍ତି ଆମ୍ଭର ଥାଠ ।୩୯।

କେ ରନ୍ଧନ କରଇ କେ କରୁଛଇ ସ୍ରାହାନ

କେ ଅନ୍ନ ଥୋକାୟେ କରୁଛନ୍ତି ଭୋଜନ ।୪୦।

ଦେବ ବଲ୍ଲଭ ନାମେଣ ଯେ ୟେକଇ ବିରାଟର ବ୍ରାହ୍ମଣ

ରାତ୍ରେଣ ବିଜୟେ କଲା ଆସି ମୋ ଥାଠରେଣ ।୪୧।

ସ୍ୱାମୀ ୟେକା ବ୍ରାହ୍ମଣେ ଧଇଲା ଭୀଷ୍ମରୂପ

ଆକାଶେ ଶିର ଲାଗିଲା ଧରଣୀ ମହାକମ୍ପ ।୪୨।

ୟେକା ଜଣକେ ଦେବ ବଧ୍ୟକଲା ମୋର ଥାଠ

ପଳାଇ ଆସିତେ ଦେବ ନ ପାଇଲୁ ବାଟ ।୪୩।

ଅନେକ ଶହସ୍ରନ୍ତ ଦେବ ପ୍ରହାର କଲୁ ଧରି

ତାହାର ଶରୀରେ ପଡି ସମସ୍ତେ ଗଲେ ଚୂରୀ ।୪୪।

କହିତେ ଅସଂଖ୍ୟ ଦେବ ମହିମାଂ ତାହାରି

କି ଅବା ଅନ୍ୟଭୂମି ଛାଡ଼ି ଅଇଲା ମେରୁଗିରି ।୪୫।

ବିରାଟକୁ ମୋତେ ଦୁହିଂକ କେଶ ଧରି

ଅନ୍ତରୀକ୍ଷେ ନେଲା ପବନୁଂ ବେଗକରି ।୪୬।

ସ୍ୱାମୀ କୋନ୍ତଭଟ୍ଟ ପଣ୍ତା ବୋଲିଣ ସେ ୟେକଇ ଦ୍ୱିଜବର

ଦୁହିଂକିହିଂ ପକାଇଲା ନେଇ ତାହାଂକ ପୟର ।୪୭।

ଆମ୍ଭର କେଶ ଧରି ତାହାର ପାଦତଳେ ଲୋଟାଇ

ଆପଣେ ଶୁତିଲା ଦେବ ଦବ ଦଣ୍ତ ପ୍ରଳମ୍ବିତ ହୋଇ ।୪୮।

ସ୍ୱାମୀ ବଡ଼ାଇ ମହତ ସେ କୋନ୍ତଭଟ୍ଟ ବ୍ରାହ୍ମଣ

ମୋତେ ବନ୍ଦୀରୁ ଛଡ଼ାଇ ଦିଲେ ସେ ତତକ୍ଷଣ ।୪୯।

ସେହୁ ଯେବେ ଆଗ୍ୟାଂ ଦିଅନ୍ତି କିଞ୍ଚିତେ

ଶରୀର ଧୂଳି ହୁଅନ୍ତା ମୋର ତାହାଂକ ମୁଥଘାତେ ।୫୦।

କହନ୍ତି ଭଗ୍ନବଳ ଲୋକେ ବିରାଟର କଥା

ସାଧୁ ସେ ମତ୍ସଦେଶ ରାଜା ସାମରଥା ବଳବନ୍ତା ।୫୧।

ବହଇ ଗଣ୍ତୁକୀ ନଦୀ କାବେରୀ ସରସ୍ୱତୀ

ଉତ୍ତର ଦକ୍ଷିଣେ ପଚ୍ଛିମ ନଗ୍ର ତିନିକତି ।୫୨।

ଦୁହାଂଳ ଦୁଇପତ୍ର ବରଡ଼ ବାରଲକ୍ଷ ଗାଈ

ବେନିଖର୍ବ ବଚ୍ଛା ଅଣ୍ତିର ପାଞ୍ଚଖର୍ବ ବଚ୍ଛା ମାଈ ।୫୩।

ସ୍ୱାମୀ ବତିଶ ଅହିବ୍ରତେ ଖଟନ୍ତି ଗୋପାଳ

ତହିଂର ମୋକ୍ଷପାନ ପରିଚ୍ଛା ତନ୍ତ୍ରୀପାଳ ।୫୪।

ସାମୀ ପୃଥୁନା ବୋଲିକରି ଅଛଇ ୟେକ ଗାଈ

କପିଳା ବଂଶରୁ ଉତପତ୍ତି ଦେବ ସେହି ।୫୫।

ୟେକ ଗାଈର ଦୁଧ ଦୁହଂଇ ଭାର ଲକ୍ଷେ

ଗୁପତ ନୋହଇ ଦେବ ଦେଖିଲୁଂ ପ୍ରତକ୍ଷେ ।୫୬।

ପ୍ରଥମେ ଚିରେକ ଯେ ପକାନ୍ତି ବସୁମତୀ

ସାତଘଡ଼ି ପରିଯନ୍ତେ କଟକ ବେଢି ବହି କ୍ଷୀର ନଦୀ ।୫୭।

ଅପୂର୍ବ ବାରତ ସେ ଶୁଣିଣ କଉରୋବେ

ୟେତେକ ସମ୍ପଦ ଯେବେ ବିରାଟ ରାଜ୍ୟେ ଅଛଇ ସମ୍ଭର୍ବେ ।୫୮।

ଦ୍ରିଯୋଧନ ବୋଇଲେ ଶକୁନି ମୁଖ ଚାହିଂ

ମଘଦେଶ ମଚ୍ଛଦେଶ ମାମୁଂ ଯିବା କି ଆମ୍ଭେ ଦଣ୍ତ ବାହି ।୫୯।

ବିରାଟକଇଂ ଜିଣି ସେ ତ୍ରିଗର୍ତ୍ତକୁ ରାଜ୍ୟ ଦେବା

ଗୋଧନ ପଲ ଘେନି ସେ ହସ୍ତିନାକୁ ଆସିବା ।୬୦।

ଭୀଷ୍ମେ ବୋଇଲେ ତେଣେ ଆମ୍ଭର ପ୍ରିଓଜନ କିସ

ପର ସମ୍ପଦ ଦୂଷିଲେ ଆପଣା ଧର୍ମନାଶ।୬୧।

ୟେକା ଗାଈ ହରଣେ ଯେ ଦୋଷ ଅପ୍ରମିତା

ବହୁତ ଗୋଧନ ହରଣେ ନରକେ ଗମିତା ।୬୨।

ଶକୁନି ମନ୍ତ୍ରୀ ବୋଇଲା ହୋ ନ ଜାଣ ତୁମ୍ଭେ କିଛି

ସ୍ୱାମୀ ଆମ୍ଭର ସର୍ବ ସଇନି ବଧକଲା ବାଛି ।୬୩।

ଯେବେ ଶରୀରେ ଥିବ ଛତ୍ରୀବୃତ୍ତ ପଣ

ମାନହୀନେ ବ୍ରତୀବାର କେବଣ କାରଣ ।୬୪।

ତ୍ରିଗର୍ତ୍ତ ମହାତମା ୟେ ଆମ୍ଭଂକୁ ଆଶ୍ରେକଲା

ରାଜ୍ୟହିଂ ନ ପାଇଲା ସନ୍ୟହିଂ ନାଶଗଲା ।୬୫।

ଯେ ସେ ମାନଗୋବିନ୍ଦ ଶରଣ ରକ୍ଷଣ ପର ଦୁଖେ ଦୁଖୀ

ଅନାସ୍ତ ଲୋକର କଷ୍ଟ ସେ ନୁଆରଇ ଦେଖି ।୬୬।

ୟେସନେକ ବିଚାରନ୍ତେ ହୋଇଲା ଆହାର୍ଣ୍ଣିକ ବେଳେ

ଆସ୍ତାନ ମଉଳିଲା ଯେ ମୁଣେହିଂର କାଳ ।୬୭।

ଭୀଷ୍ମ ଦ୍ରୋଣ ବିଦୁର ରହିଲେ ଗୋପ୍ୟସ୍ଥାନେ

କେମନ୍ତ ବିଚାର ହୋ ଭାରଦ୍ୱାଦଶଂକର ନାନେ ।୬୮।

ବିଦୂରେ ବୋଇଲେ ହେ ଉଭୟ ସଂକଟେ

ନିଚୟେ ପୋୟେ ରହିଅଛନ୍ତି ବିରାଟେ ।୬୯।

ଅନ୍ନ ନିମନ୍ତେ ସେ ପାଣ୍ତବ ବ୍ରିକୋଦର

ବଲ୍ଲଭ ନାମେଣ ସେ ହୋଇଲା ସୂପକାର ।୭୦।

ଦୋହରାଂକର ପ୍ରସନ୍ନେ ତାହାର ବଳବୁଦ୍ଧି

ନିତିପ୍ରତି ରାନ୍ଧଣା ଜାଣଇ ଗଉରୀ ଶଉରୀ ନଳବିଧି ।୭୧।

ଦ୍ରୋଣେ ବୋଇଲେ ତ୍ରିଗର୍ତ୍ତ ବିରାଟକୁ ଯେତେବେଳେ ବନ୍ଦୀକଲା

ସହି ନୁଆରି ଭୀମ ସାଂଗ୍ରାମେ ପଶିଲା ।୭୨।

ସଇନି ମାରି ବିରାଟ ତ୍ରିଗର୍ତ୍ତକୁ ନେଲା କେଶ ଧରି

ଯୁଝେଷ୍ଠିଂକର ଛାମୁରେ ନେଇଣ ପକାଇଲା ରୋଷଭରି ।୭୩।

ବାବୁ ମହତ ସେ ଯେ ଧର୍ମରାୟେର ସୁତ

ୟେତେ କଷ୍ଟେ ନାହିଂ ତାର ଚିତ୍ତରେ ବିକୃତ ।୭୪।

ଭାଷ୍ମେ ବୋଇଲେ ପରକାର୍ଯ୍ୟେ ସେ ନ ମାରଇ ବଇରି

ତେନ୍ୟାୟୁ ତ୍ରିଗର୍ତ୍ତକୁ ଦିଲା ଛାଡିକରି ।୭୫।

ଆହୋ ଦ୍ରୋଣେ କୋଇନ୍ତା ୟେ ତାଂକର ଅଟନ୍ତି ନିଜମାୟେ

ତେଣୁକରି ଯୁଝେଷ୍ଠି ନାମ ବହିଲେ କୋନ୍ତ ଯେ ପଣ୍ତାୟେ ।୭୬।

ଦ୍ରୋଣଂକର ଆଗରେ ଗାଙ୍ଗବେ ପୁଣ ପୁଣ ପୁଚ୍ଛି

ଅଗ୍ୟାଂତବାସ ଆବର କେତେଦିନ ଅଛି ।୭୭।

ଦ୍ରୋଣ ବୋଇଲେ ଯେ ୟେକାଦଶ ମାସ ଗଲା

ବରଷକୁ ନବଦିନ ଯେ ପ୍ରବେଶ ହୋଇଲା ।୭୮।

ଭୀଷ୍ମେ ବୋଇଲେ ହୋ ଗୋପ୍ୟାନ କର ୟେହୁ କଥା

ମାନଗୋବିନ୍ଦ ନ ଜାଣୁ ୟେସନେକ ବାରତା ।୭୯।

ବିଦୁର ବୋଇଲେ ହୋ ନ ବାର ଦ୍ରିଯୋଧନକୁ

ସମସ୍ତେହେଂ ଚାଲ ଯିବା ଗୋଧନ ହରଣକୁ ।୮୦।

ପୁଅନ୍ତ ଦେଖିବାନା ଅଛନ୍ତିଟି କି ଭଲେ

ଦୋଷକୃତ ହରିବାନା ପାଣ୍ତବଂକ ମୁଖ ଦେଖିଲେ ।୮୧।

ଅଳପ ଅଳପ କରି ଚଳାଇ ଯିବା ବାଟ

ଅଗ୍ୟାଂତବାସ ଗୋପ୍ୟ ଯେ ଆସି ହୋଇଲା ନିକଟ ।୮୨।

ଅଗ୍ୟାଂତବାସ ଆସି ଯେ ସମାପତ ହୋଇଲେ

ବାହୁଡ଼ାବେଳେ ପୁଅନ୍ତ ଘେନିଆସିବା ବନବାସ ସରିଲେ ।୮୩।

ୟେସନେକ ବିଚାରନ୍ତେ ପ୍ରସରଇ ରୟଣୀ

ସାଜନ୍ତି ସମଦଣ୍ତ କର୍ଣ୍ଣ ଯେ ଶକୁନି ।୮୪।

ଅଷ୍ଟାଦଶ କ୍ଷଉଣୀ ସମଦଣ୍ତ ସାଜି

ମଣ୍ତନ୍ତି ରଥଗଜ ମୟେମତ୍ତ ବାଜୀ ।୮୫।

ନବପରାୟୁଧ ରଥ ବାଆନା ପରାୟୁଧ ମୟେମତ୍ତା

ଦଣ୍ତା ମତ୍ତା ବାଘଡ଼ାନ୍ତ କେ କରୁ ଗଣିତା ।୮୬।

ମହାବାରୁ ତୁରଙ୍ଗମେ ଯେ ପବନକୁ ବେଗେ ତେଜି

ଆକାଶ ଖେପିବାକୁ ସମାନ ଅଟନ୍ତି ସେହୁ ବାଜୀ ।୮୭।

ଅଷ୍ଟରତ୍ନେ ଜଡ଼ି ଯେ କଣୟ ରଥମାନ ମଣ୍ତି

ଛେଲ ଚକ୍ର ନାରାଜ କୁନ୍ତ ଯାଠି ଭୂଷଣ୍ତି ।୮୮।

କୃପ ଆଚାର୍ଯ୍ୟ ଯେ ରାୟେଗୁରୁ ଶଲ୍ୟ

ଆଗଆଣି ଥାଠେ ଚଳିଲେ ଭାରଥେ ଭାରୋଇ ମଲ୍ଲ ।୮୯।

ବିଂଶ କୋଟି ରଥ ବତିଶକୋଟି ମାତାଙ୍ଗ

ପଞ୍ଚବିଂଶ ମେବଚ୍ଛ ଯେ ଚୋଖାର ତୁରଙ୍ଗ ।୯୦।

ବେନିଲକ୍ଷ ଆଲମ୍ବ ଚାରି ମର୍ଭୁତ ପାଟଛତ୍ର

ଉଦଣ୍ତ ୟେକଲକ୍ଷ ପାଞ୍ଚ ଅହିବ୍ରତ ।୯୧।

ଚୋଖାର ତୁରଙ୍ଗମ ରାଉତ ସମସ୍ତେ ଦିଶନ୍ତି କୃଷ୍ଣବର୍ଣ୍ଣ

ମୟୁର ଝାଲରୀ ଛତ୍ର ତରାସ କୃଷ୍ଣମେଘେ ଯେସନ ।୯୨।

ଡାହାଣ ପଖାୟେ କର୍ଣ୍ଣ ଭାରୋଇ ମଲ୍ଲ ମହାରଥୀ

ତାହାର ତୁଲେ ଯେ ରଣରଂକା ତିନି ମର୍ଭୁତ ଛତ୍ରୀ ।୯୩।

ପାଞ୍ଚ ମର୍ଭୁତ ଗଜ ୟେକାଦଶ ମର୍ଭୁତ ହୟେ

ରଥେ ପାତାଙ୍ଗ ଛତ୍ରେ ଦିଶନ୍ତି ରଙ୍ଗବର୍ଣ୍ଣ ମୟେ ।୯୪।

ଡାଳିମ୍ବା ନେତ ଚାମର ଢାଳନ୍ତି ପାଞ୍ଚଲକ୍ଷ

ଅମର ବୃନ୍ଦାଅର୍କ ଘେନି କି ବିଜୟେ ସହସ୍ରାକ୍ଷ ।୯୫।

ବାମେଣ ଶକୁନି ଯେ ଭୂରିସର୍ବା ଅଶସ୍ତମା

ମାନବେ ଗୋଚର କି ୟେହାଂକର ମହିଂମା ।୯୬।

ରଥେ ଶ୍ୱେତବର୍ଣ୍ଣ ପାତାଙ୍ଗ ଆଲମ୍ବ ଶ୍ୱେତବର୍ଣ୍ଣ

ଶ୍ୱେତଚାମର ପାଞ୍ଚଲକ୍ଷ ପାଟଛତ୍ର ଶ୍ୱେତଚିହ୍ନ ।୯୭।

ଢାଳନ୍ତି ଶ୍ୱେତଚାମର ତିନି ତିନି ଲକ୍ଷ

ଶ୍ୱେତଶଙ୍ଖ ଫୁରଇ ରାଜା ଛାମୁରେ ତିନି ଯେ ମେବଚ୍ଛ ।୯୮।

ଦଶ ମର୍ଭୁତ ରଥ ବିଂଶ ମର୍ଭୁତ ଶ୍ୱେତହାଥୀ

ଶ୍ୱେତଅଶ୍ୱ ତିନି ସାଗର ଶକୁନି ଅଶସ୍ତମା ପଛକତି ।୯୯।

ଭୀଷ୍ମ ଦ୍ରୋଣେ ମହାରଥୀ ଥାଠରେ ଆଗୟାଣି

ୟେସନେକ ସମ୍ଭର୍ବେ ଚଳନ୍ତି ସମଦଣ୍ତ ଘେନି ।୧୦୦।

ପାଞ୍ଚପରାୟୁଧ ରଥ ଦଶପରାୟୁଧ ଗଜ

ଅସଂଖ୍ୟ ଅଶ୍ୱ ପାଦାନ୍ତି ୟେଗାର କ୍ଷଉଣୀ ସଜ ।୧୦୧।

ବେଢିଣ ଆବୋରିଲେ ସମସ୍ତ ମହାରଥୀ

ମଧ୍ୟ୍ୟେଣ ବିଜେକଲା ରାଜା ମାନଚକ୍ରବ୍ରତୀ ।୧୦୨।

କଣୟମୟେ ରଥ ଅଷ୍ଟରତ୍ନେଣ ଜଡ଼ି

ଚଉଷଠିପନ୍ତି ହୀରା ଜଡ଼ିତ ରଥର ଫେର ଚିରି ।୧୦୩।

ଶୁଦ୍ଧ ସଷ୍ଟିକ ରଥରେ ଛାୟେଣି କେଶରୀ ଲାଙ୍ଗୁଡ଼ ଚିହ୍ନ

ଜୟନ୍ତିକ ନାମେ ସାରଥି ରଥ ମଣ୍ତଇ ବିଦ୍ୟମାନ ।୧୦୪।

ପାଞ୍ଚଲକ୍ଷ ପାଟଛତ୍ର ଦାସୀନେତ ଝାଳି

ଶତେ ଶତେ ଫେର ଗଜ ମୁକୁତା ମାଳି ମାଳି ।୧୦୫।

କଣୟ ବାଟଳି ଘଟଣ କ୍ଷିଦ୍ର ହୀରାଜଡ଼ି

ମୁକୁତା ମାଳିକେ ଯେ ମାଣିକ୍ୟ ଚାରି ଚାରି ।୧୦୬।

ହୀରା ନୀଳା ପୋୟେଳା ମଣି ମାଣିକ୍ୟ ଯେ ବଇଡୁର୍ଯ୍ୟ ମର୍କତ

ଉପର ବେଢାୟେ ଶୋଭା ଦିଶନ୍ତି ଯେହ୍ନେ ମେଷ ମାସର ଆଦିତ୍ୟ ।୧୦୭।

ଭଣ୍ତାରକ ମୂଲ୍ୟ ୟେକ ପାଟଛତ୍ର ଗୋଟି

ସେପରି ମାନଗୋବିନ୍ଦର ତୁଲେ ଅଛି ଛତ୍ର ପାଞ୍ଚକୋଟି ।୧୦୮।

ଅଷ୍ଟରତ୍ନେ ଧାଡ଼ି ଆଲମ୍ବ ଫରହର

ହୀରାରେ ଜଡ଼ିତ କଣ୍ଠ ଡାଳିମ୍ବ ଚାମର ଉପରେ ।୧୦୯।

ତିନି ମର୍ଭୁତ ଆଲମ୍ବ ନବ ମର୍ଭୁତ ପାଞ୍ଚଲଖି

ପଞ୍ଚବିଂଶଲକ୍ଷ ଶ୍ୱେତଛତ୍ର ମୟୁର ଝାଲି ପକ୍ଷୀ ।୧୧୦।

ବାମେ ବାଜୁ ଡାହାଣେ ବାଜୁ ମହା ମହା ସେହ୍ନା

ବିହଡ଼ନ୍ତି ରାଉତେ ସାହାସ ମଲ୍ଲ ଜେନା ।୧୧୧।

ନିର୍ଭୟେ ବଳ ସେ ଯେ କାମପାଳଂକ ପ୍ରାସାଦେ

ସମଦଣ୍ତ ଚଳାଇ ସେ ଯେ ରାଜା ମାନଗୋବିନ୍ଦେ ।୧୧୨।

ବେଦ ଆଧ୍ୟ୍ୟାନ କରନ୍ତି ମୁନିଗଣମାନେ

ହାକନ୍ତି ଚଣ୍ତପୁତ୍ରେ କୟେବାର ବିଧାନେ ।୧୧୩।

ଶୁଭ ଅନକୂଳେ କହନ୍ତି ଜଉତିଷ ଗ୍ରହକାରୀ

ମଙ୍ଗଳ ହୁଳ ହୁଳି ଦିଅନ୍ତି ସୁଲଭ କୁମାରୀ ।୧୧୪।

ମକରମାସ ଶୁକଳ ପକ୍ଷ ଦ୍ୱିତୀୟାରେ ତିଥି

ପୁଷ୍ୟାଂ ନକ୍ଷତ୍ର ଭୋଗ ସେ ଦିନ ବା ବୃହଷ୍ପତି ।୧୧୫।

ବାୟବ ନାମେ କରଣ ଆୟୁଷ ନାମେ ଯୋଗ

ମକର ସଂକରାନ୍ତିକି ତିନିଦିନ ଭୋଗ ।୧୧୬।

ସେ ଦିନ ଦଣ୍ତ ଘେନିଣ ମାନଚକ୍ରବ୍ରତୀ

ମଚ୍ଛଦେଶକୁ ପୟାଣ ଦେବ ପଚ୍ଛିମ ମୂରତି ।୧୧୭।

ବିଦୁର ବିଜେକଲେ ପାରିଦଣ୍ତ ଘେନି

ଭଣ୍ତାର ବହିଅଛନ୍ତି ଅନେକ ସଇନି ।୧୧୮।

ଗୁଣ୍ଠୁଣି ପଲାଣ କଲେ ବଇଲମାନ ରାଇ

ୟେକ ବଇଲକେ ଲକ୍ଷେରତ୍ନ ପୂରୋଇ ।୧୧୯।

ୟେ ବିଧିରେ ଦଶଲକ୍ଷ ପଲାଣ ବଇଲ

ମଇଂଷି ଲଦନେ ଚଳନ୍ତି ସର୍ବମଲ୍ଲ।୧୨୦।

ରତ୍ନମଣି ମୁକୁଟ ସୀମଛିନ୍ନୀ କର୍ଣ୍ଣାଞ୍ଚଳ ବାହୁଟି

ତାଡ଼ଝୁମ୍ପା ସରଳ ନୂପୁର ମେଖଳା କଚଟି ।୧୨୧।

ବିଦ ମୁଦି ପଦକ ହୃଦେ ଭୂଷଣ ଅଳଂକାର

ସମସ୍ତ ଯୋଦ୍ଧାନ୍ତ ଦାନ ଯେ ସମ୍ଭାର।୧୨୨।

ୟେକ ୟେକ ଯୋଦ୍ଧାକେ ଶତେ ଶତେ ପାଟଶାଢୀ

ଦିଅନ୍ତି ବିଦୁରେ ଯେ ଭଣ୍ତାର ଅଧିକାରୀ ।୧୨୩।

ଦୁତୀୟାର ଦିନେ ଉଦେ କାଳ ଯୋଗିନୀ

ମାହେଶ୍ୱରୀ ଉତ୍ତର ଗମନେ ବୃଷଭ ବାହିନୀ ।୧୨୪।

ବିଦୁରେ ବୋଇଲେ ଶୁଣ ମାନଚକ୍ରବ୍ରତୀ

ମହା ପ୍ରତାପୀ ରାଜା ତୁ ମହୀତଳେ ୟେକଛତ୍ରୀ ।୧୨୫।

ମାନେ ମାନଗୋବିନ୍ଦ ପନ୍ନଗା ନାରାୟଣ

ଅନୁବ୍ରତେ ବରବେଶ ଅସଂ ଅସଖ୍ୟ ଅପ୍ରମାଣ ।୧୨୬।

ଅନୁବ୍ରତେ ବରବେଶ ଅସଂକ୍ଷେପ ଗାରିମା

ମାତାପିତା ଆଦିକରି କାହାକୁ ନାହିଂନା ମାନନା ।୧୨୭।

ବ୍ରହ୍ମା ବିଷ୍ଣୁ ରୁଦ୍ର ଦେବତା ବିପ୍ର ଆଦି

କାହାକୁହିଂ ନମସ୍କାର ତୋହୋର ନାହିଂଟି ସମ୍ପାଦି ।୧୨୮।

ଚଉଷଠି ଲକ୍ଷଣ ଯେ ଚଉରାଶି ଗୁଣବନ୍ତା

ଅଭୟେ ସୋମବଂଶୀ ସୋହୋଡ଼ ଜଗଜ୍ଜିତା ।୧୨୯।

ଶଙ୍ଖନିଧି ପଦ୍ମନିଧି ଯାହାର କରସ୍ଥଳେ

ପାଷାଣେ କର ଲାଗନ୍ତେ ପାଣିଦ୍ରବ୍ୟ ହୋଅଇ ତତକାଳେ ।୧୩୦।

ଚାଲନ୍ତେ ଚରଣୁଂ ଅବେଣ୍ଟ ପଦ୍ମଫୁଟି

ନାହିଂ ନୋହିବନା ୟେହି ମେଦିନୀ ନବସୃଷ୍ଟି ।୧୩୧।

ଧାର୍ମିକ ବିବେକ ଯେ କଇଚ୍ଛା ଜଗଜ୍ଜେଠି

ତ୍ରଇଲୋକ୍ୟ ତ୍ରାସଇ ଯେ ଯାହାର ନାମଗୋଟି ।୧୩୨।

ଭୂତ ଭବିଷ୍ୟ ଗ୍ୟାତାଂ ପଣ୍ତିତ ଭିଗ୍ୟଂ ଦଚ୍ଛ

କଥାୟେ କହିବାକୁ କରଇ ସଂକୁଚ ।୧୩୩।

ଦରହସିତ ବଦନେ ବୋଲଇ ମାନଚକ୍ରବ୍ରତୀ

କହସି ପିତାମହ ତୋହୋର ବାକ୍ୟପ୍ରତି ।୧୩୪।

ବିଦୁରେ ବୋଇଲେ ବାବୁ ସେ ମତ୍ସଦେଶର କଥା

ବାବୁ ଆମ୍ଭେ ତୁମନ୍ତ କହୁଂ ତଥ୍ୟ ଯେ ବାରତା ।୧୩୫।

ବାବୁ କୀଞ୍ଚକ ବଧକରି ଗନ୍ଧର୍ବ ପଞ୍ଚୁବୀରେ

ଗୁପତେ ରହିଣ ଅଛନ୍ତି ସେହି ବିରାଟ ନବରେ ।୧୩୬।

ସେହି ଗନ୍ଧର୍ବେ ମାଇଲେଟି ତ୍ରିଗର୍ତ୍ତର ଥାଠ

ତାହାଂକର ଥିଲେ ନିରଖେ ନୋହୋଇଟି ବିରାଟ ।୧୩୭।

ଅନମିତେ ଅକାରଣେ ଦଣ୍ତ ଚଢିଗଲେ

ଗନ୍ଧର୍ବେ ଯୁଝ ଅବଶ୍ୟ କରିବେଟି ଆମ୍ଭର ତୁଲେ ।୧୩୮।

ବିଦୁରେ କହିଲେ ଯହୁଂ ପରମ ଅର୍ଥ ବାଣୀ

ମତ୍ତ ଗରବେ ସେ କଥା କଉରୋବ ନ ଶୁଣି ।୧୩୯।

ଅସୁର ସଭାରେ କାହିଂ ଧର୍ମ କଥା ଭଖାଣି

ବଧିରା ଶୁଣଇ କି କମ୍ବୁରସ ବାଣୀ।୧୪୦।

ବିପଦ କାଳରେ ନ ଫୁରଇ ସଦବୁଦ୍ଧି

କୁମାର୍ଗ ବେଳେ କି ବିବାଦ ହୋୟେ ସାଧି ।୧୪୧।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

ବିରାଟ କିସ ବାକ୍ୟ କହିଲା ଯୁଝେଷ୍ଠିକି ।୧୪୨।

ଶୁଣ ବଇବସୁତ ମନୁ ଅଗସ୍ତିଂକ ବାକ୍ୟ

ବିରାଟକୁ କେହୁ ସରି ପାଣ୍ତବେ ଯାହାକୁ ସଂପକ୍ଷ ।୧୪୩।

ଛାଡ଼ିଦ୍ୟନ୍ତେ ତ୍ରିଗର୍ତ୍ତ ଯେ ୟେଣେ ପଳାଇଲା

ପାଣ୍ତବନ୍ତ ସଙ୍ଗେ ଘେନି ମଚ୍ଛାଧିପ ଗଲା ।୧୪୪।

ଆପଣା କଟକେ ଯାଇଂ ହୋଇଲେ ପ୍ରବେଶ

ରାଜ୍ୟ ପ୍ରଜା ଦେଖି ସର୍ବେ ହୋଇଲେ ଯେ ତୋଷ ।୧୪୫।

ସଭାପଣ୍ତା ପଣେ କ୍ରୋନ୍ତଭଟ୍ଟ ବିଜେକଲେ

ରୋଷୁଅ ଘରକୁ ଯେ ବ୍ରିକୋଦର ଚଳିଗଲେ ।୧୪୬।

ଗ୍ରନ୍ଥିକାର ରହିଲେ ଯେ ଅଶ୍ୱଶାଳେ ଯାଇଂ

ସନ୍ୟବଳ ଯେ ଯାହାରେ ପ୍ରବେଶିଲେ ତହିଂ ।୧୪୭।

ଆସ୍ତାନେ ବିଜୟେ ଯାଇଂ କଲା ମତ୍ସପତି

କୋନ୍ତଭଟ୍ଟ ସଙ୍ଗେ ଘେନି କରେ ରାଜନୀତି ।୧୪୮।୪୯୯୫।

***************

 

Unknown

ବିରାଟ ବୀରବାହୁ ସହିତ ଯୁଦ୍ଧେ ଗମନ, ଗୋଧନ ହରଣ ନିମନ୍ତେ କୁରୁସୈନ୍ୟ ବିରାଟ ରାଜ୍ୟରେ ପ୍ରବେଶ ଓ ପୃଥନାର ସହଦେବ ସହିତ ଯୁଦ୍ଧ

ଅଗସ୍ତି ବୋଇଲେ ଶୁଣ ମନୁ ନୃପବରେ

ଅପୂର୍ବ ରହସ୍ୟ ଶୁଣ କିଛି ଦିନାନ୍ତରେ ।୧।

କାଳନଉମୀ ବୋଲିକରି ମଘଦେଶେ ରାଜା

ବଳେ କୀଞ୍ଚକ ନାଶକଲା କଳପିବଳ ଗଞ୍ଜା ।୨।

କାଳନଉମୀର ପୁତ୍ର ଅଟଇ ବୀରବାହୁ

ପିତାର ନିଧନେ ଯେ ପଳାଇଲା ସେହୁ ।୩।

କୀଞ୍ଚେକର ଭୟ ସେ ପଳାଇଲା ନିଜ ରାଜ୍ୟେ ଛାଡ଼ି

ଚାପେଣ ବସିଲା ସେ କପିଳ ରାଜ୍ୟ ମାଡ଼ି।୪।

ମଚ୍ଛଦେଶର ରାଜା ନୃପତି ଧର୍ମାଗତ

ବଳେଣ କୀଞ୍ଚେକ ତାହାକଇଂ କଲାହତ ।୫।

ତାହାର ପୁତ୍ର ଯେ ପକାଇଲା ତ୍ରିଗର୍ତ୍ତେ

ଶରଣ ପଶିଲା ଯାଇଂ ଇନ୍ଦ୍ର ଯେ ପ୍ରଶସ୍ତେ।୬।

ସମଦଣ୍ତ ଘେନି ଆସି ପାଇଲା ଅପଚୟେ

ତାହାର ନିମନ୍ତେ ବାହିଲା କୁଞ୍ଜଗଳ ଦେଶରାୟେ ।୭।

ୟେଣେ ତ୍ରିଗର୍ତ୍ତକୁ ଜିଣି ରାଜା ଉଚ୍ଛବ କରାଇ

କଳପି ଦେଶ ରାଜା ବୀରବାହୁ ତେଣେ ବାହି ।୮।

ସାନନ୍ଦେଣ ବିରାଟ ଯେ ଆସ୍ତାନେ ବିଜୟେ

ଦେଶାଉରମାନେ ବାରତା ଆସି କୟେ ।୯।

ସ୍ୱାମୀ କଳପି ଦେଶର ରାଜା ଯେ ବୀରବାହୁ

ସମଦଣ୍ତ ହାଦେ ସାଜିଲା ସେ ସାଂଗ୍ରାମେଣ ରାହୁ ।୧୦।

ଶୁଣିଣ ମୋହମାନ ହୋଇଲା ବିରାଟ

ଆରେ ମୋହୋର କୀଞ୍ଚେକ ବୋଲି କର ତାଡ଼ଇ ଲଲାଟ।୧୧।

ଦୁଇରାଜ୍ୟ ଭୋଗ ମୋତେ କରାଇଲୁ ପୂର୍ବେ

ୟେବେ ମୋତେ ରିପୁ କଳିଲା ରେ ତୋହୋର ଅଭାବେ ।୧୨।

ବାବୁ ମୋହୋର ପରାୟେ ବାନ୍ଧବ ତୋତେ ନୋହୁ

ତୋହୋର ପରାୟେ ବାନ୍ଧବ ମୋତେ ସର୍ବଦା ହୋଇଥାଉ ।୧୩।

ବିରାଟକୁ ସମ୍ବୋଧନା କରନ୍ତି ଦେବ କୋନ୍ତେ

କିମ୍ପା ଅସାଷ୍ଟମ ହେଉଅଛୁ କିସ ଅର୍ଥେ ।୧୪।

ଦଣ୍ତ ସାଜି ଯିବା ଚାଲ ମଘଦେଶ ମଣ୍ତଳେ

ଜିଣିମା ବୀରବାହୁ ସମର ଧର୍ମବଳେ ।୧୫।

ଆପଣେ ଉଭାହୋଇ ଦଣ୍ତ ସାଜିଲେ ଦେବ କୋନ୍ତେ

ଗ୍ରନ୍ଥିକାର ବାଜୀପାଳ ବଲ୍ଲଭ ସୂପକାର ସହିତେ ।୧୬।

ଉତ୍ତର କୁମାର ବୋଲି ଯେ ବିରାଟର ଜ୍ୟେଷ୍ଠବତ୍ସା

ମଘଦେଶ ମଚ୍ଛଦେଶ କଲେ କଟକେ ପରିଚ୍ଛା ।୧୭।

ରାଜ୍ୟଭାର ସିଂଘାସନ ଉତ୍ତର କୁମାରକୁ ସମର୍ପି

ଚଳିଲେ ଦଣ୍ତ ଘେନି ଉତ୍ତର ରାଜ୍ୟ କଳପି ।୧୮।

ବୀରବାହୁ ଦଣ୍ତ ଘେନି ରହିଅଛି ନଇଷଧ ଦେଶେ

ଚାଳିଶ ଯୋଜନ ପରିଯନ୍ତେ କେହୁ ନ ରହନ୍ତି କତିପାଶେ ।୧୯।

ବୀରବାହୁର ଦଶ ମେବଚ୍ଛ ରଥ ବତିଶ ମେବଚ୍ଛ ହୟେ

ଗଜ ଯୋଧ୍ୟ୍ୟା ନାହିଂ ଥାଠଯାକ ରାକ୍ଷସ ମୟେ ।୨୦।

ଗୋ ବ୍ରାହ୍ମଣେ ଭକ୍ଷନ୍ତି ହାଥୀ ଘୋଡ଼ା ଆଦିକରି

ମେଷ ଛାଗଳ ବରେହା ଶ୍ରୀକାଳ ଘୁଷୁରୀ ।୨୧।

ଜୀବନ୍ତେ ଦେଖିଲେ ଅବଶ୍ୟ ତାହା ମାରି

ଋଷି ତପୋଧନ ସ୍ତୀରିଲିଙ୍ଗ ନ ବିଚାରି ।୨୨।

ବିହଡ଼ନ୍ତି ଦୁରାନ୍ତେକ ବେଳେ ତେଜେଣ ଅନର୍ଗଳା

କାଦମ୍ବରୀ ପାନେ ମହାରସେ ହୋଇ ମତ୍ତଭୋଳା ।୨୩।

ପଞ୍ଚଦଶ ଯୋଜନ ଚଳଇ ଥାଠ ମାଡ଼ି

ମଦିରା ପାନ ରକତେ ସେ ପୋଡାମାଂସ ଖେଡ଼ି ।୨୪।

କଢା ବିଜିଘୋଷ ଯେ ମର୍ଦ୍ଦଳ ଦାଉଣ୍ତି

ଟମକ ନିଶାଣ ଯେ ଘୁମୁରା ବାଦ୍ୟ ଖଣ୍ତି ।୨୫।

ବିକଟ ଦଶନ ଯେ ଉର୍ଦ୍ଧ୍ୱ ଖାଂକର କେଶ

ପିଙ୍ଗଳ ବର୍ଣ୍ଣ ଶରୀର ବିକଟାଳ ବେଶ ।୨୬।

ଓଟ ଗଧ ଶାର୍ଦ୍ଦୋଳ ବ୍ରାଘ ଭାଲୁକ ଲାଗି

ୟେହାନ୍ତ ଆରୋହିଣ ଥାଟ ଚଳଇ ବେଗି ବେଗି ।୨୭।

ୟେସନେକ ଚଳଇ ନିଶାଚର ବଳ ଥାଠ

ସରଜୁ ନଦୀ ତୀରେ ଓହୋ ଥାଟ ହୋଇଲେ ଯାଇଂ ଭେଟ ।୨୮।

ମାନେବ ବଳ ଦେଖି ଦୁରାନ୍ତେକ ବଳ ବେଗି

ରେ ରେ କାର କରିଣ ଡାକ ଦେଇ ବେଗେଣ ଲାଗି ।୨୯।

ସମଦଣ୍ତ ଘେନି ବିରାଟ କଳପି ରାଜ୍ୟକୁ ଗଲା ତେଣେ

ଦଣ୍ତ ଘେନି ଦ୍ରିଯୋଧନ ବାହିଲା ପୁଣ ୟେଣେ ।୩୦।

ପ୍ରଥମ ଦିନେ ସଇନି ଚଳିଲେ ଅତିବେଗେ

ସେ ଦିନ ରହିଲେ ଯାଇଂ କୁଣ୍ତଳୀ ବନଭାଗେ ।୩୧।

ଆରେକ ଦିନ ପଞ୍ଚାଶ ଯୋଜନ ଯାଇ

କୁରାଣ୍ତେକ ବନମାର୍ଗ ଠାବେ ରହି ।୩୨।

ଆରେକ ଦିବସେକ ଥାଠ ସତେଇଶ ଯୋଜନ ଯାନ୍ତି ଅଚାର୍ଗଳି ।୩୩।

ହସ୍ତିନାରୁ ବାହାର ଯେ ହୋଇଲେ ନବଦିନେ

ସେ ଦିନ ବିଜେକଲା ରାଜା ଅସକନ୍ଦା ନାମେ ବନେ ।୩୪।

ଦେଶାଉରେ ବାରତା ଯେ କହିବେ ଗୋପତେ

ସ୍ୱାମୀ ମଚ୍ଛଦେଶେ ମଘଦେଶେ ନାହିଂ ବିରାଟ ନୃପତ୍ୟେ।୩୫।

ସ୍ୱାମୀ ବୀରବାହୁ ଦଣ୍ତ ବାହିଲା ବିରାଟ ଉପରକୁ

ସମଦଣ୍ତ ଘେନି ବିରାଟ ବାହିଲା ତାହାର ଥାଠକୁ ।୩୬।

ସ୍ୱାମୀ ଉତ୍ତର କୁମାର ବୋଲି ବିରାଟର ଜ୍ୟେଷ୍ଠ ବତ୍ସା

ତାହାକୁ ୟେକା ଥୋଇଗଲେ କଟକେ ପରିଚ୍ଛା ।୩୭।

କଳପି ରାଜ୍ୟକୁ ବିରାଟ ଗଲା ଦଣ୍ତ ଚାଳି

ପାତ୍ର ଅମନାତ୍ୟ ଯୋଦ୍ଧା ବାଦ୍ୟକାର ଆଦିକରି ।୩୮।

ଭାଷ୍ମେ ବୋଇଲେ ବାବୁ କର ହୋ ଉପେକ୍ଷା

ଯାଇଂ କିସ କରିବା ନଗ୍ର ଯେବେ ତୁଚ୍ଛା ।୩୯।

ତ୍ରିଗର୍ତ୍ତକୁ ହକାରିଣ ପଚାରିଲେ ମହାମଲ୍ଲ

ଅଇଲୁଣି ଯେବେ ରାଜ୍ୟକୁ ଯିବା ଚାଲ ।୪୦।

ତ୍ରିଗର୍ତ୍ତର ରାଜ୍ୟସୀମା ଆଦିକରି

ନିଜ ରାଜ୍ୟେ ୟେହାକୁ କରିବା ଧଣ୍ତଧାରୀ ।୪୧।

ଭୀଷ୍ମେ ବୋଇଲେ ବିରାଟକୁ ନ ଜିଣିଲେ

ରାଜ୍ୟ ମାଡ଼ି ବସିବ କି ୟେହା ଛାର ବୋଲେ ।୪୨।

ଭୀଷ୍ମଂକର ବଚନେ ପ୍ରତିବାକ୍ୟ ଦିଅଇ ତ୍ରିଗର୍ତ୍ତ

ବିରାଟକୁ ନ ଜିଣିଲେ ରାଜ୍ୟ ମୋତେ ନୋହୋଇ ପରାପତ ।୪୩।

ଶକୁନି ବୋଇଲା ୟେବେ ଯିବା କି ବାହୁଡ଼ି

ୟେତେକ ଆରମ୍ଭେ ଆମ୍ଭେ ଅଇଲୁ ଦଣ୍ତ ଚଢି ।୪୪।

ଶକୁନି ବୋଇଲା ତ୍ରିଗର୍ତ୍ତ ଗୋଧନ ପଲ ଅଛି କାହିଂ

ସୁରଭି ପଲ ସୁବିଧାନେ ପାଇଲେ ଘେନିଯିବା ଅଡ଼େଇ ।୪୫।

ମନ୍ତ୍ରୀର ବଚନେ ସେ ତ୍ରିଗର୍ତ୍ତ ମହୀପତେ

ଗୋଗୋଷ୍ଠକୁ ଥାଠ ଯେ କଢାଇଲା ଗୋପତେ ।୪୬।

ବାରାହୀ ନଦୀତୀରେ ଭାର୍ଗବୀ ନାମେ ବନ

ତହିଂର ଉପରେ ଯେ ଗୋଧନ ପଲ ହେଉଛନ୍ତି ଦୋହନ ।୪୭।

ଦୁହାଳ ଦୁଇପଦ୍ମ ବରତ ବାରଲକ୍ଷ ଗଣିତା

ଅଣ୍ତିରା ବଚ୍ଛା ତିନିଲକ୍ଷ ମାଈ ପାଞ୍ଚ ମର୍ଭୁତା ।୪୮।

ୟେକା ଗୋଷ୍ଠେକ ଯେ ୟେତେକ ଗାଈ ଅଛି

କୋଟିୟେ ନବଲକ୍ଷ ଗୋପାଳ ତାହା ରଖି ।୪୯।

ୟେକା ଗୋଷ୍ଠେକ ମାଡ଼ି ଅଛଇ ବେନି ଯୋଜନ ସ୍ଥଳୀ

ଅମାପତ ଗୋପାଳେ ସେ ମହା ମହାବଳୀ ।୫୦।

ଧବଳ କମଳ ସେ ସୁସଞ୍ଚ ଗୋକୁଳ

ତହିଂର ପରିଚ୍ଛା ଯେ ଗୋପାଳ ତନ୍ତ୍ରୀପାଳ ।୫୧।

ସମଦଣ୍ତ ଘେନିଣ ଯେ କଉରବ ଚକ୍ରବ୍ରତୀ

ଗୋଗୋଷ୍ଠେ ବେଢିଲେ ଯାଇଂ ରୟଣୀ ପାହାନ୍ତି ।୫୨।

ମକର ମାସ ଶୁକଳପକ୍ଷ ଦୁତୀୟାର ଦିନ ରାଜା ଚଳିଲା ହସ୍ତିନାଉଂ

ନବଦିନେ ଭେଟିଲା ମଚ୍ଛଦେଶେ ରାତ୍ରଦିବା ଚଳାଉଂ ।୫୩।

ମକରମାସ ଶୁକଳପକ୍ଷ ଦଶମୀରେ ଦିନ

ଭୃଗୁବାର ଆରଦ୍ରା ନକ୍ଷତ୍ର ବିଦ୍ୟମାନ ।୫୪।

ବିଷ୍ଟିନାମେ କରଣ ଯେ ବିଷକୁମ୍ଭ ଯୋଗ

ଅଷ୍ଟମରେ ଶନିଶ୍ଚର ରାହୁ ତୃତୀୟ ଘରେ ଭୋଗ ।୫୫।

ସେ ଦିନ ରାତ୍ର ପାଞ୍ଚଘଡି ଥାଉଂ କଉରୋବ ମହାମଲ୍ଲ

ଲକ୍ଷେପୁର କରି ସେ ବେଢିଲେ ଗୋଧନପଲ ।୫୬।

ବଜାବନ୍ତି ବିଜିଘୋଷ ଟମକ ନିଶାଣ

ବୀରତୁର ଦମା ଦାଉଣ୍ତି ଯେ ନିର୍ଘାତ ବଜ୍ରବାଣ ।୫୭।

ଭେରୀ ଦୋସରୀ ମର୍ଦ୍ଦଳ ମହୁରୀ ବୀର ଯେ କାହାଳୀ

ଧର ଧର ମାର ମାର ଶବଦେ କୁରୁମ ଉଚ୍ଛୁଳି ।୫୮।

ହାଥୀଂକର ଗରଜନ ଘଣ୍ଟାରବ ବାଣୀ

ଛତ୍ରୀଂକର ଗୁଣ ଟଂକାର ଅଶ୍ୱଂକର ଖୁରୁଷାଣୀ ।୫୯।

ଘଣ୍ଟି ଘାରୁଡ଼ି ଯେ ବୀର ଘଣ୍ଟମାନ ବାଜି

ଶବଦେ ମନ୍ଦର କି ପଡୁଅଛି ଭାଜି ।୬୦।

ମହୀ ମନ୍ଥନ କରଇ କି ଅଭୟେ ବାରାନିଧି

ପୃଥୀ ହେଳ ଘେନି କି କମ୍ପଇ ଜଳଧି ।୬୧।

ଶୁଣ ହୋ ବଇବସୁତ ମନୁ ତ୍ରଇଲୋକ୍ୟ କମ୍ପମାନ

ଦିଗାମ୍ବର ପୁରୁଷମାନେ ଆସ୍ତାନ ତେଜୁଛନ୍ତି ଶୂନ୍ୟ।୬୨।

ୟେତେକ ଆରମ୍ଭେ ମହାଥାଠ ଗୋଗୋଷ୍ଠେ ଯାଇଂ ବେଢି

ଗୋପାଳେ ନ ଜାଣନ୍ତି ଗାଈଂକର ହମ୍ବାରଡି ।୬୩।

ଗାଈଂକର ହେମ୍ବାରବ ବଚ୍ଛାଂକର ବୋବି

ଗୋପାଳଂକର ସୁସୁକାର ନଉଡ଼ି ପରାଭବି ।୬୪।

ବାୟେଂଶୀର ଶବଦ ଘଣ୍ଟଂକର ଗରଜନ

ଗାଈଂକର ବେଳେ ଘଣ୍ଟି ବାଜଇ ରୁଣଝୁଣ।୬୫।

ଧବଳୀ କମଳୀ ଯେ କାଳୀ କସୁରୀ ଶ୍ୟାମଳୀ

ବଚ୍ଛାନ୍ତ ଦେଖାଇ ହାକନ୍ତି ଗାଈଂକ ନାମ ତୋଳି।୬୬।

ୟେତେକ ଆରମ୍ଭେ ବେଢି ଅଛଇ କୁରୁପତି

ତାହାଂକ ବେଢିବା ହାଦେ ଗୋପାଳେ ନ ଜାଣନ୍ତି।୬୭।

ଶୁଣ ହୋ ଚଇତନ ଗୋପାଳଂକର ବଡ଼ିମାପଣ

ଦୋହନେ ବନ୍ଧନେ ଲାଗିଅଛନ୍ତି ଅପ୍ରମାଣ।୬୮।

ବିଶେଷେ ମକରମାସ କୁହୁଡ଼ି ଆଚ୍ଛନ୍ନ

କିଛିହିଂନ ଦିଶଇ ପୂରିତ ଗଗନ।୬୯।

ରୟଣୀ ପାହିଣ ବେଳେ ପ୍ରହରେ ହୋଇଲା

କୁହୁଡ଼ି ଫିଟନ୍ତେ କଉରବ ଥାଠ ଯେ ଦିଶିଲା।୭୦।

ଗଉଡ଼େ କହିଲେ ଗୋସାଇଂ ଅବଧାନ ତନ୍ତ୍ରୀପାଳ

କେବଣ ରାଜାଟି ତୋହୋର ବେଢିଛି ଗୋକୁଳ।୭୧।

ଶୁଣିଣ ସହଦେବ ବଇଲ ପିଠିରେ ଉଠି

ଦେଖିଲାକ ସମଦଣ୍ତ ଥାଠ ଧୃତରାଷ୍ଟି।୭୨।

କଣୟମୟେ ରଥେ ଦାସୀନେତ ପାତାଙ୍ଗ

କେଶରୀ ଲାଙ୍ଗୁଡ଼ି ଚିହ୍ନ ଫରହର ଉଚ୍ଛର୍ଗ।୭୩।

ସହଦେବ ଦେଖିଲା ଯେ କଉରୋବ ସଇନି

ଦ୍ରିଯୋଧନ ବିଜେକଲା ନିଜ ବଳ ଘେନି।୭୪।

ବଇଲ ପିଠିର ଯେ ତେଜ୍ୟା କରିଣ ତନ୍ତ୍ରୀପାଳ

ଧାତିକାରେ ପ୍ରଣିପତ୍ୟ ପୃଥୁନା ପାଦତଳ।୭୫।

ଭୋ ମାତ ସମଦଣ୍ତ ଘେନିଣ ଯେ ବିରାଟେ

କଳପି ରାଜ୍ୟେ ଗଲେ ସଙ୍ଗତେ ବଲ୍ଲଭ କୋନ୍ତଭଟ୍ଟେ।୭୬।

ବେନିରାଜ୍ୟ ତୁଚ୍ଛା ଗଜ ଅଶ୍ଵ ସନ୍ୟ ନାହିଂ

ତ୍ରିଗର୍ତ୍ତର ଅଭିମାନେ ଯେ ମାନଗୋବିନ୍ଦ ଅଇଲା ବାହି।୭୭।

ମାଗୋ ବିରାଟ ସମ୍ପଦ ବୁଡ଼ିଲା ନୋହିଲା କିଛି ଭଲ

ସମ୍ଭରେ କୁରୁପତି ଯେ ବେଢ଼ିଲା ଗୋରୁପଲ।୭୮।

ଯଦ୍ୟପି ଗୋରୁ ପଲ ଘେନି ସେ ଯିବ ହରି

ସମ୍ପୋତେ ନାଶଗଲା ବିରାଟର ହାଦେ ଶିରୀ।୭୯।

ମାଗୋ ତୋହର ଥାଆନ୍ତେ ବିରାଟ ଅନାସ୍ତ ହୋଇଅଛି

କହ ଗୋ ଜଗତମାତା କେମନ୍ତେ ୟେ ହୋଇ ରକ୍ଷି।୮୦।

ତୁ ଦେବୀ ଗୋ ସୟଳ ଜନ ଚିନ୍ତାମଣି

ଭୂତ ଭବିଷ୍ୟ ବ୍ରତମାନ ଜାଣୁ ଗୋ ଗୋସାମଣି।୮୧।

ମାଗୋ ଗୋଧନ ପଲ ମୋହର ହରଣ ହେବ କି ତୋହୋର ଥିଲେ

ମୁଂ ଆଉ ବ୍ରତିବି କି ଭୀମସେନ ଠାକୁରଂକର ଅଇଲେ।୮୨।

ତୁ ମହାମାୟୀ ରକ୍ଷାକର ଗୋ ମୋହୋର ଅପାଦ

ଯେମନ୍ତେ ନ ପଦଇ ଗୋଧନ ପଲକୁ ପରମାଦ।୮୩।

ସହଦେବର ବିନୟ ଶୁଣିଣ ପୃଥୁନା

ବାବୁ ମୁହିଂ ତୋହୋର ଦାସର ଦାସ ଭୃତ୍ୟର ଭୃତ୍ୟ ସିନା।୮୪।

ଯେସନେକେ ଚକ୍ରୀ ଯେ ସ୍ରିଜଇ ମାଟି ଲେଚି

ତୁ ଯେଣିକି ଯିବୁ ମୁଂ ତେଣିକି ଯାଉଅଛି ।୮୫।

ପ୍ରୋଥନା ବୋଇଲା ବାବୁ ତୁ ଲାଖ ମାତ୍ର ହୋଇ ମୋହୋର ସଙ୍ଗେ ଚାଲ

ୟେହୁକ୍ଷଣି ମରଦିବି ମୁଂ ସମସ୍ତ କଉରୋବ ବଳ।୮୬।

ପ୍ରୋଥନା ବୋଇଲା ତୁ ୟେଥକୁ ନ କରି କିଛି ଭୟେ

ମୁଂ ୟେହାନ୍ତ ବୁଝାଇ ଶ୍ରିକାଳଯୂଥ ପ୍ରାୟେ।୮୭।

ହୋଉକିନା ଗଜ ଅଶ୍ଵ ହୋଉକିନା ରଥ

ୟେହିକ୍ଷଣି ମାରିଣ କରିବି ଭଗନସ୍ତ।୮୮।

କ୍ଷୀରୋଦ ଲଂଘିଲେ କି ରହଇ ମେଦିନୀ

ବାସୁକି ଟଳିଲେ କେ ପାରଇ ଭାରା ଘେନି।୮୯।

ମୁଂହି ଯେବେ ସଞ୍ଚୟେ ଲଂଘିବି ୟେହୁବଳ

ରଥ ଗଜ ଅଶ୍ଵ ଭାଂଜି କରିବି ନବସ୍ଥଳ।୯୦।

ତୁହି ମାତ୍ର ମୋହୋର ତୁଲେ ହୋଇଥିବୁ ସାଖା

କାହିଂ ସମର କରିବି ଚାଲି ମୋତେ ଦେଖା।୯୧।

ପ୍ରୋଥନା ବାକ୍ୟ ଶୁଣିଣ ତନ୍ତ୍ରୀପାଳ

ଧାଆଂରେ ନଉଡ଼ି ଘେନି ସମସ୍ତ ଗୋପାଳ।୯୨।

ଯାହାଂକର ସଂପକ୍ଷ ଜଗତମାତା ପ୍ରୋଥନା

ରଥ ଗଜ ଅଶ୍ଵ ସେ ମାରି କରୁ ଚୂନା ।୯୩।

ବାସବର ବଚନେ ଯେହ୍ନେ ଚଳନ୍ତି ଦିଗପାଳେ

ସେହି ସାରିକ୍ଷେ ବୀରେ ଧାମନ୍ତି ସମରେ ।୯୪।

କଟିରେ ଦାଉଣୀ ବାଳ ଛନ୍ଦଣୀ କାଛଟାନ୍ତ ଭିଡ଼ି

କରେଣ ଧରିଛନ୍ତି କେନ୍ଦୁସର ଲଉଡ଼ି।୯୫।

ଆରେକ କରେ ବଳବନ୍ତା ତାଳର ମୁଷଣ୍ତି

ଲୋହବନ୍ଧ ଚଉସମ ବିବର୍ଣ୍ଣ କାଉଂରୀ ବାଡ଼ି।୯୬।

ଶିରରେ ଗୁଞ୍ଜରା ମାଳୀ ଲଲାଟେ ସୀମଛିନୀ

କରେ ବାବନ୍ତି ବାୟେଂଶୀ ମଧୁର ରସଧୁନି।୯୭।

ପାଦେଶ ନେପୂର ଘଣ୍ଟି ଘାଗୁଡ଼ି ଶବଦେ

ମହୀ ହେଳ ଘେନୁଅଛି ଗମନ୍ତେଣ ପାଦେ।୯୮।

କଡ଼ା ମର୍ଦ୍ଦଳ ମୃଦଙ୍ଗ ବିଜିଘୋଷ ଘୁମୁରା

ସୁରା ମତୁଆଳେ ନାଚନ୍ତି ଗୋପାଳେ ମହାବୀର।୯୯।

ତାଳୁରେ ଚୂଳ କାହାର ସାତ ପାଞ୍ଚ ବେଣୀ

ହୃଦରେ ମନ୍ଦାରମାଳ ଜାମୁଡାଳ ଶିରେ ଖଞ୍ଜଣୀ।୧୦୦।

ବଜାବନ୍ତି ବୀରତୂର କଂସାଳ ଝଞ୍ଜାଳ ଗୁଡୁଗୁଡ଼ି

ବାବନ୍ତି ଗାବନ୍ତି ନାଚନ୍ତି ଖେମଟା ନାଟଖଣ୍ତି।୧୦୧।

ଆରେ ଆରେ ବୋଲି ଦିଲେକ ଘୋରରଡ଼ି

ଶରୀର ନ ଦିଶଇ ବୁଲାବନ୍ତେ ନଉଡ଼ି।୧୦୨।

କ୍ଷେପନ୍ତି ପାଦଗତି ଯେ ମତୁଆଳ ବଳ

ଆଗେଣ ଧାମନ୍ତି ସେ ପରିଚ୍ଛା ତନ୍ତ୍ରୀପାଳ।୧୦୩।

ଲକ୍ଷେକ ଅଣ୍ତିରା ବତ୍ସ ଘେନିଣ ପ୍ରୋଥନା

ବିହଡ଼ନ୍ତି ମାତାଙ୍ଗୀ ବିକଟାଳ ଘୋର ଗର୍ଜନା।୧୦୪।

ପ୍ରୋଥନାର ଆଗମ ସେ ଦେଖିଣ ସର୍ବଗାଈ

ହେମ୍ଵାରବ କରିଣ ପଡ଼ିଲେ ସର୍ବେ ଧାଇଂ।୧୦୫।

ଗୋପାଳଂକ ମତ୍ତଭାବ ସେ ଦେଖିଣ କଉରୋବେ

ଦ୍ରୋଣଂକର ବଦନ ଚାହିଂ ହସିଲେ ଗାଙ୍ଗବେ।୧୦୬।

କର୍ଣ୍ଣ ଶକୁନି ଯେ ଧୂଶାସନ ସହିତେ

ଉପହାସ କରନ୍ତି ସମସ୍ତ ଅମନାତ୍ୟେ।୧୦୭।

ଦେଖ ହୋ ଗୋପାଳଂକର ଅଗ୍ୟାଂନ ମୂର୍ଖପଣ

ଜାଣିଲୁ ତଦନ୍ତ ୟେହାଂକ ଇଚ୍ଛାୟେ ମରଣ।୧୦୮।

କାଦେମ୍ଵରୀ ପାନେ ବାୟେଂଶୀ ମତୁଆଳେ

ନ ଚିହ୍ନନ୍ତି ପରାପର ଦନ୍ଦୁରେ ଗୋପାଳେ।୧୦୯।

ଗାଲତୂରୀ ମାରିଣ ପାଡ଼ନ୍ତି ଯେ ବୋବି

କିଳିକିଳା ଶବଦେ କମ୍ପଇ ମହୀଦେବୀ।୧୧୦।

ସହଦେବ ବୋଇଲା ମାଗୋ ଶୁଣିମା ପୃଥୁନା

ଉପହାସ୍ୟ କରନ୍ତି ଗୋ କଉରୋବ ସର୍ବସେନା।୧୧୧।

ପ୍ରୋଥନା ବୋଇଲା ଲାଖମାତ୍ର ମୋତେ ହୋଇଥାଅ ସଙ୍ଗେ

ମାରିବି କଉରୋବ ବଳ ତୋହୋର ବଇରାଗେ।୧୧୨।

ଅଛନ୍ତି କଉରୋବ ବଳ ମହା ମହା ରଥୀ

କାହାର ରଥେ ଶିଂଗ ମାରିବି କହ ତତକ୍ଷଣାନ୍ତି।୧୧୩।

ସହଦେବ ବୋଇଲା ଯଦ୍ୟପି ସେନାମାନେ

ବଶ୍ୟପଣେ ଆସିଛନ୍ତି ଅବା ରାଜାର ବଚନେ।୧୧୪।

ଦେଖ ଦେଖ ମହାସମ୍ଭରେ ବିଜେ କରନ୍ତି ମାନଗୋବିନ୍ଦ

ତାହାର ତୁଲେ ଆମ୍ଭର ନିଚୟଟି ଦ୍ଵନ୍ଦ।୧୧୫।

ଉପହାସ କରୁଛନ୍ତି ସେ କଉରୋବ ବୀରେ

ଧାଇଂଣ ସହଦେବ ମିଳିଲା ରାଜାର ଛାମୁରେ।୧୧୬।

ଛାର ବୋଲି ତାହାକଇଂ କଲେ ସର୍ବେ ହେଳା

ରାଜାର ଛାମୁରେ ପ୍ରବେଶ ଗୋପାଳ ମହାବୀରା।୧୧୭।

ବାମ ଡାହାଣେ ବେନି ଲଉଡ଼ି ବୁଲାଇ

ଦ୍ରିଯୋଧନ ରଥେ ସେ ପ୍ରହାର କଲା ନେଇ।୧୧୮।

ଶୁଣ ହୋ ଚଇତନ ଗୋପାଳଂକର ଚରିତ

ଆକାଶୁ ଗରଜି ଯେହ୍ନେ ପଡ଼ଇ ନିରିଘାତ।୧୧୯।

ସେହିମତି ପଡ଼ିଲା ସେ ସହଦେବର ଯାଠି

ବେନିଫାଳ ହୋଇ ଦ୍ରିଯୋଧନ ରଥ ଗଲା ଫାଟି।୧୨୦।

ପୁଣ କୋପେ ସେ ପ୍ରହାର କଲା ଅତିବେଗେ

ମୃଧନା ଫାଟି ପଡ଼ିଲେ ଚାରି ଯେ ତୁରଙ୍ଗେ।୧୨୧।

ବିଜେକେତନ ବୋଲି ଯେ ଦ୍ରିଯୋଧନର ସାରଥି

ଲଲାଟ ଫାଟି ସେ ପଡ଼ିଲା ତତକ୍ଷଣାନ୍ତି।୧୨୨।

ବିରଥୀ ହୋଇଣ ସେ ରାଜା ମାନ ଯେ ଗୋବିନ୍ଦ

ଗଜେକ ଆରୋହିଲା ସେ କଉରୋବ ନରେନ୍ଦ୍ର।୧୨୩।

ସହଦେବ ପ୍ରହାରେ ଧାମଇ ପୃଥୁନା

ଶିଂଗ ମାରି ସେ ଗାଈମାନେ ରଥ କଲେ ଚୂନା।୧୨୪।

ଅଧର ବିକାଶିଣ ସେ ଧାମନ୍ତି ଗଳଗାଜି

ଶିଂଗ ପ୍ରହାର କରନ୍ତେ ସର୍ବେ ରଥ ଗଲା ଭାଞ୍ଜି।୧୨୫।

ଗୋପାଳ ପ୍ରହାର କଲେ ଲଉଡ଼ି ଶରଘାତେ

ଅସାଷ୍ଟମେ ଅଶ୍ଵେ ପଡିଲେ ମୋହୋଗତେ।୧୨୬।

ମହାନାଗ ଆରୋହିଣ ମାନଚକ୍ରବ୍ରତୀ

ସତୁରୀ ସତୁରୀ ଭାର ବେନିଗଦା ଘେନିଣ କୋପମୃତ୍ତି।୧୨୭।

ଧୁଶାସନ ଦୁଜୟ ଦୃବିନ୍ଦ ଦୁରାକର୍ଣ୍ଣ

ଦୁରାନ୍ତେକ ଦୁର୍ମନ ଦୃମତ ଦୁରାସନ।୧୨୮।

ଦୁର୍ଗତ ଦୃନକ ଯେ ଦୃର୍ବଳ ଦୃଦକ୍ଷ

ଦୁର୍ଭେୟେ ଦୁରାର୍ଣ୍ଣେକ ଦୁର୍ବାର ଦୁର୍ମଖ।୧୨୯।

ଦୃକାଳ ଦୁରାପକ୍ଷ ଦୃମଦ ଦୁରାଶୟେ

ଦୃଶତ ଦୃପଦ ସେ ସଭିୟେଂ ୟେକଠାୟେ।୧୩୦।

ରାଜାକୁ କଟାଳ ସେ ଦେଖିଣ ସହୋଦରେ

ରେ ରେ କାର କରି ସଭିୟେଂ ଓଗାଳିଲେ ସହଦେବ ଛାମୁରେ।୧୩୧।

କିହେ ମୂର୍ଖେ ପାମର ଅଗ୍ୟାଂନ ମୂଢ ଗୋପାଳ

ଆରେ ରାହୁର ଛାମୁରେ କି ଚନ୍ଦ୍ରର କୋପାନଳ।୧୩୨।

ମଦିରା ରସପାନେ ମତାରଙ୍ଗ ଭୋଳହୋଇ

ମରଣ ଭୁବିରେ ନ ଚିହ୍ନି କିସପାଇଂ।୧୩୩।

ଆମ୍ଭେ ସେ ମାନଗୋବିନ୍ଦ ଗୋଧନ ହରଣେ ଆସୁ

ଗୋରୁନ୍ତ ଅଡ଼ାଇ ଚାଲରେ ତୁମ୍ଭନ୍ତ କେମନ୍ତେ କରି ପୋଷୁ।୧୩୪।

ଆରେ ମୂଢ ଗୋପାଳକୁ ତୁମ୍ବର ମହାପାତ୍ର ପଣେ ଶାଢୀ ଦେବୁ

ମୁକୁଟ ଯୋଦ୍ଧା ସମାନେ ତାହାକୁ ପାଳିବୁ।୧୩୫।

ମୁକୁଟ କର୍ଣ୍ଣାଞ୍ଚଳ ଯେ ବାହୁଟି ସରଳ

ସବୁନ୍ତି ଆଭରଣ ଦେବୁ ଆମ୍ଭର ହୁଅରେ ଗୋପାଳ।୧୩୬।

ଶଲଘ୍ୟ ବଚନ ଶୁଣି ଧୁଶାସନ ବୀର

କୋପେ ସହଦେବ ଯଷ୍ଟି କଲାକ ପ୍ରହାର।୧୩୭।

ଧୁଶାସନ ରଥ ଭାଞ୍ଜି ସବୁ ହେଲା ଚୂନା

ଆଡ଼େଣି ଫୁଟିଲା ଯେ ତୁଟିଲା ବଜ୍ରସେହ୍ନା।୧୩୮।.

ଅଶ୍ଵ ସାରଥିକି ଯେ ପିଟିଲେ ଗୋପାଳେ

ବିରଥେ ଧୁଶାସନ ପଡ଼ିଲା ମହୀତଳେ।୧୩୯ ।

ଧୁଶାସନର ବିରଥୀ ଦେଖିଣ ରାଧେବ

ଆଗେ ରଥ ଟେକନ୍ତେ ସେ ଦେଖିଲା ସହଦେବ।୧୪୦।

ଆରେ ଗୋପାଳ ବୋଲି ଶ୍ରୀକରେ ଚାପ ଧରି

ଗୋପାଳଂକ ଉପରକୁ ପେଷିଲା ନାରାଜ ଚାରି।୧୪୧।

ଲଉଡ଼ି ବୁଲାନ୍ତେଣ ଗୋପାଳ ତନ୍ତ୍ରୀପାଳ ଜେନା

କର୍ଣ୍ଣର ଶହସ୍ରମାନ ଭାଙ୍ଗି କଲା ଚୂନା।୧୪୨।

ସହଦେବକଇଂ କଟାଳିଲା ଯେ କର୍ଣ୍ଣ ମହାରଥୀ

ଶତେକ ନାରାଜ ବିନ୍ଧିଲା ତତକ୍ଷଣାନ୍ତି।୧୪୩।

ଅଗ୍ନି ସାରିକ୍ଷେ ସେ ଦିଶଇ ତୀଖମୁନା

ସହଦେବ ଲଉଡ଼ି ବୁଲାନ୍ତେ ସର୍ବ ହେଲା ଚୂନା।୧୪୪।

ଦେଖିଣ ପୃଥୁନା ସେ ଧାଇଂଲା ଗଳଗାଜି

ଶିଂଗ ମାରନ୍ତେ କର୍ଣ୍ଣର ରଥ ଗଲା ଭାଞ୍ଜି।୧୪୫।

କର୍ଣ୍ଣ ବିରଥୀ ଯେ ହୋଇଣ ଅପସରି

ଧାଇଂଲେ ଗୋପାଳେ ଯେ ବୁଲାଇ ନଉଡ଼ି।୧୪୬।

ଘୋରରଡ଼ି କରିଣ ସେ ଗୋପାଳ ବୀରେ ଉଠି

ଯୋଦ୍ଧାଂକ ଉପରେ ସେ ପ୍ରହାର କଲେ ଯାଠି ।୧୪୭।

ବହୁତ ଯୋଦ୍ଧା ବାଣ ବିନ୍ଧନ୍ତି ଅବିଚ୍ଛନ୍ନେ

ଗୋପାଳନ୍ତେ ଆବୋରି ରହିଲେ ଗାଈମାନେ।୧୪୮।

ଗୋରୁଂକର ହେମ୍ଵାରବ ଶବଦ ପ୍ରଚଣ୍ତ

ପ୍ରୋଥନାର ତୁଲେ ଛନ୍ତି ପାଞ୍ଚଲକ୍ଷ ଷଣ୍ଢ।୧୪୯।

ଷଣ୍ଢଂକର ଶିଂଗ କି ପରିଘ ତୀକ୍ଷମୁନା

ବିନ୍ଧନ୍ତେ ଅଶ୍ଵ ରାଉତଂକର ଫୁଟଇ ବଜ୍ରସେହ୍ନା।୧୫୦।

ଗୋରୁଂକର ସମର ଦେଖି ଭାଜିଲେ ସର୍ବେ ରଣେ

ଅମଳାଣ ସୁରଭିପଲ ଦେଖି ଭାଞ୍ଜିଲେ ଭୀଷ୍ମ ଶଲ୍ୟ ଦ୍ରୋଣେ।୧୫୧।

ଭୂରିସର୍ବା କୃପା ଆଚାର୍ଯ୍ୟ ଶଲ୍ୟ ଅଶସ୍ତମା

ବାଲହୀକ ସୋମଦତ୍ତ ଆବର କୃତବର୍ମା।୧୫୨।

ସମସ୍ତେହେଂ ଭାଞ୍ଜିଲେ ଗୋହତ୍ୟା ଦୋଷ ବୋଲି

ମାଡ଼ିଣ ଗୋଧନ ପଲ ପଶନ୍ତି ଥାଠେ ପେଲି ।୧୫୩।

ମାରନ୍ତି ଗୋମାତାୟେ ଶିଂଗ ହାଥୀଂକର ପଛଗୁଦେ

ପାଦାନ୍ତି ବଳ ମର୍ଦି ହୋଇଲେ ଗୋରୁଂକ ଖୁରେ ହାଦେ।୧୫୪।

ଶିଂଗେ ମାରନ୍ତେଣ ଫୁଟନ୍ତି ଗଜ ହୟେ

ଗାଈଶିଂଗ ଦିଶନ୍ତି ରକ୍ତବର୍ଣ୍ଣ ପ୍ରାୟେ।୧୫୫।

ଅନିର୍ବାରଣ ସମର ହୋଇଲା ମହାଯୁଦ୍ଧ

ଅନେକ ସଇନି ଯେ ପଡ଼ିଲେ ରଣମଧ୍ୟ ।୧୫୬।

ଅସମ୍ଭାଳ ହୋଇଣ ସେ ପଳାବନ୍ତି ଥାଠ

ପଡ଼ିଲା ବହୁତ ପୟେଡ଼ ନ ପାଇଲେ ବାଟ।୧୫୭।

ସନ୍ୟ ପଳାବନ୍ତେ ବନକନ୍ଦରମାନେ

ଚୂର ହୋଇ ଯାଉ ଅଛି ସେ ସଇନିଂକର ଗହନେ।୧୫୮।

ପଞ୍ଚଦଶ ଜୂଣ ଯାୟେ ସେ ପାୟେଡ଼ା ପଡ଼ିଲା

ଅନେକ ସନ୍ୟ ସେ ଖୁରଘାତେ ଚୂରଗଲା।୧୫୯।

ଦଶ ସହସ୍ର ରଥ ଅହିବ୍ରତେକ ହାଥୀ

ବେନିଲକ୍ଷ ତୁରଙ୍ଗମ ତିନି ପରାୟୁଧ ପାଦାନ୍ତି।୧୬୦।

ୟେତେକ ସଇନି ପଡ଼ିଲା ଗୋଧନ ସମରେ

ଭଗ୍ନଗଳ ଘେନି ରହିଲା ରାଜା ବାରହୀ ନଦୀର ତୀରେ।୧୬୧।

ସହଦେବ ମୁଂଖ ଚାହିଂ ବୋଲଇ ପ୍ରୋଥନା

ବାବୁ କଟାଳ ନ କର ୟେହୁ ଭଗ୍ନବଳ ସିନା।୧୬୨।

ଗୋପାଳନ୍ତ ତିଆରି ଗୋଧନ ପଲ ଚାଲ ଘେନିଯିବା

ପୁଣି ଦ୍ରିଯୋଧନ ବାହୁଡ଼ିଲେ ଲେଉଟି ସମର କରିବା।୧୬୩।

ଆଦିତ୍ୟ ଅସ୍ତ ଯହୁଂ ହୋଇଲା ରୟଣୀ

ବାହୁଡ଼ଇ ତନ୍ତ୍ରୀପାଳ ସୁରଭି ପଲ ଘେନି।୧୬୪।

ବିରସେ କଉରୋବ ବଳ ରହିଲେ ଗଙ୍ଗାକୂଳେ

ପାଆ ମଡ଼ା ସନ୍ୟମାନେ ରୋବନ୍ତି ବିକଳେ।୧୬୫।

ଦ୍ରିଯୋଧନ ସନ୍ତାପିଲା ଭୀଷ୍ମ ଦ୍ରୋଣ ମୁଖ ଚାହିଂ

ଆସନ୍ତେ ବାରିଲ ତୁମ୍ଭେ ବୋଲ ନ କଲଇ ମୁହିଂ।୧୬୬।

ତହିଂର ରାଗ ମୋତେ କଲ କି ଗୁରୁ ହେ

ସମର ନ କରି ତୁମ୍ଭେ ଘୁଞ୍ଚିଲ କି ଯତନେହେଂ।୧୬୭।

ବହୁତ ଝିଂଘାସି ସେ ବୋଇଲା କୁରୁଦେବ

ଶୁଣିଣ ପ୍ରତିବାକ୍ୟ ଯେ ଦିଲେକ ଗାଙ୍ଗେବ।୧୬୮।

ବାବୁ ଦେଖୁଂ ଦେଖୁଂ ଗୋଧନ ପଲ ହେଲା ବଡ ହତ୍ୟା

ମାଇଲେ ତୋତେ ଦୋଷ ହୋଇବ ଅପ୍ରମିତା।୧୬୯।

ବାବୁ ଆମ୍ଭେ ଶହସ୍ର ଧରିବା ବାହା ଆମ୍ଭର ଶୁଦ୍ଧି

ସମରେ ମାଇଲେ ଆମ୍ଭଂକୁ ଦୋଷ ନାହିଂଟି ବିଧି।୧୭୦।

ତୁ ଯେ ନରେନ୍ଦ୍ର ପୃଥୀ ପାଳକ ଅଧିକାରୀ

ସମସ୍ତ ଦୋଷମାନ ତୋତେହେଂ ଆବୋରି।୧୭୧।

ବାବୁ ପାପକଲେ ତୋର ପୁଣ୍ୟକଲେ ଆମ୍ଭର

ନ ମାରି ଅପସରିଲୁ ୟେ ନିମନ୍ତେ ଦୁଖ ତୋହୋର ।୧୭୨।

ଦ୍ରିଯୋଧନ ବୋଇଲା ଯୁଧ୍ୟେଣ ପଶିଲେ

ହତ୍ୟା ନ ଲାଗଇଟି ଗୋ ବ୍ରାହ୍ମଣ ମାଇଲେ।୧୭୩।

ଯଦ୍ୟପି ଗୋ ହତ୍ୟା ହୋ ପଡ଼ିବ ଆଜର ଯୁଦ୍ଧେ

ଲାଗୁ ପଛେ ହତ୍ୟା ମୋତେ ଗୋରୁ ପଡ଼ିଲେ ରଣ ମଧ୍ୟେ।୧୭୪।

କୃତବର୍ମା ବୋଇଲେ ବାବୁ ଶୁଣ ପୂର୍ବର କଥା

ଆକାଶ ଗଙ୍ଗାରେ ସ୍ରାହାନ କରନ୍ତେ ଈଶ୍ଵର ଦେବତା।୧୭୫।

ନିତ୍ୟକର୍ମ ବିଧାନ ନିମନ୍ତେ କୁଶବିଡ଼ା ଥୋଇଲେ ନଦୀକୂଳେ

ଆକ୍ରେଷିଣ ହର ଯେ ପଶିଲେ ମହାଜଳେ।୧୭୬।

କର ଚରଣ ଅଙ୍ଗୁଷ୍ଠି ଶଉଚବନ୍ତ ଧାପନ

ଆଷ୍ଟାଙ୍ଗଯାକ ମାଜଣା କରନ୍ତି ଦେବ ତ୍ରିଲୋଚନ।୧୭୭।

ସୁରଭି ଦୁହିତା ନନ୍ଦନୀ ଆକାଶୁଂ ଆସଇ ଯେ ଚରି

ଅଧାର ନିମନ୍ତେ ଖାଇଲା ସେ ଈଶ୍ଵରଂକ କୁଶବିଡ଼ି ।୧୭୮।

ଜଳରୁ ବାହାର ଦେବ ହୋଇଲେ ଅତି ବେଗେ

ଗାଈକି ତ୍ରିଶୂଳ ଯେ ମାଇଲେ ଅତି ରାଗେ।୧୭୯।

ବକ୍ଷସ୍ଥଳେ ପଡିଲା ଯେ ରୁଦ୍ରଂକର ତୀଖଦଣ୍ତ

ତତକ୍ଷଣେ ଛିଡ଼ି ପଡିଲା ଗୋ ନନ୍ଦନୀର ମୁଣ୍ତ।୧୮୦।

ଛିଡ଼ିଲା ଗୋ ମୁଣ୍ତଗୋଟି ଉଠିଲା ଧାତିକାରେ

ଗୋମୁଣ୍ତ ଲାଗିଲା ଯାଇଂ ରୁଦ୍ର ଦେବତାଂକ କରେ।୧୮୧।

ଅନେକ ତୀର୍ଥେ ଧର୍ମ କଲେକ ବିଶ୍ଵନାଥେ

ତଦ୍ୟାପି ନ ଛାଡ଼ିଲା ମୁଣ୍ତ ଈଶ୍ଵରଂକର ହାଥେ।୧୮୨।

କୃତବର୍ମାୟେ ବୋଇଲେ ଶୁଣ ହୋ କୁରୁପତି

ଭଇରବ ରୂପେ ସେ ମୁଣ୍ତ ବହିଲେ ପଶୁପତି।୧୮୩।

ସମସ୍ତ ଦୋଷ ହରଇ ବ୍ରହ୍ମହତ୍ୟା ସ୍ତିରିହତ୍ୟା ଆଦିକରି

କଦାଶ୍ଚିତେ ଗୋହତ୍ୟା ଦୋଷ ନ ଯାଇ ଅପସରି।୧୮୪।

ରୁଦ୍ର ଯେ ହତ୍ୟା କଲେକ ଅନମିତେ

ସେ ଦୋଷ ଛାଡ଼ିଲା ଯେ ମଣିକର୍ଣ୍ଣିକାର ତୀର୍ଥେ।୧୮୫।

ଗୋହତ୍ୟା ଦୋଷ ଯେ ନ ଯାଇ କହଣା

ତୁ ଯେ ପରମ ପଣ୍ତିତ ହେଉଅଛୁ ବଣା।୧୮୬।

ଦ୍ରିଯୋଧନ ବୋଇଲା ମୁଂ ୟେହା ନ ଶୁଣଇ

ମୋହୋର ବେଳେ ସେ କଥା ନୁଆରଇ ସହି।୧୮୭।

ମୋଠାରେ ଯାହାର ଅଛଟି ହୋ ଆଶ

ମାର ଗୋଧନ ପଲ ମୁଂ ପଛେ ଯାଇ ନାଶ।୧୮୮।

ମହାମତ୍ତ ନାଗେକ ଚଢିଣ କୁରୁପତି

ନେଉଟି ବିଜେକଲା ରାଜା ମାନଚକ୍ରବ୍ରତୀ।୧୮୯।

ରାଜାର ନିରାପକ୍ଷ ଆଗ୍ୟାଂୟେ ଭାଷ୍ମ ଦ୍ରୋଣେ

ମାର ମାର ବୋଲି ବାହୁଡ଼ିଲେ ତତକ୍ଷଣେ।୧୯୦।

ମହାଗୋଳ ଗହଳ ଶୁଭଇ ଅପ୍ରମିତା

ସହଦେବ ବୋଇଲେ ସଇନି ବାହୁଡ଼ିଲେ ମାତା।୧୯୧।

ଶରଣ ପଞ୍ଜର ରାଜା କଇଚ୍ଛା ଜଗଜ୍ଜେଠୀ

ଗୋହତ୍ୟା ଦୋଷ ନ ବାଛି ବାହୁଡ଼ିଲେ ସର୍ବ ଘୋଟି।୧୯୨।

ପ୍ରୋଥନା ବୋଇଲା ସେ ଆସୁ ଆପଣେ ଗୋଗୋଷ୍ଠକୁ

ୟେ ଘାନ୍ତି ପୟେଡ଼ ଜଣେ ନ ଥୋଇବି କାହାକୁ ।୧୯୩।

ତୋହୋର ସୋଦର ବୋଲି ମୋହୋର ଉପ୍ରୋଧ

ତେଣୁକରି ମୁଂହି କଲି ଅଳପ ହେଲା ଯୁଦ୍ଧ।୧୯୪।

ବାବୁ ପରକାର୍ଯ୍ୟେ ତୁମ୍ଭେ ରିପୁ ନ ନାଶ ବୋଲି

ବାବୁ ତୋହ ନିମନ୍ତେ ମୁଂ ହେଳଯୁଦ୍ଧ କଲି।୧୯୫।

ୟେଘାନ୍ତି ପ୍ରତଗ୍ୟାଂ ସମର ମୋହୋର ଦେଖୁ

ବୁଡ଼ିଲା ବଂଶ ତାହାର କେ ପୁଣ ଆଜ ରଖୁ।୧୯୬।

ପବନୁଂ ବେଗ ହୋଇ ଆସନ୍ତି ଗୋକୁଳ

ଦଣ୍ତ ଘେନି କଉରୋବେ କଲେକ କଟାଳ।୧୯୭।

ଆଗେଣ ଗୋଧନ ପଲ ପଛେ ତନ୍ତ୍ରୀପାଳ

ନେଉଟି ଉଗାଳିଲେ କୁରୁସାଗର ଗଳ।୧୯୮।

ନଉଡିଂକର ପଡ଼ିତାଳ ବାଜଇ ତଡ଼ବଡ଼ି

ପୃଥୀ ଡିଙ୍ଗର ଉଛୁଳିଲା ଗୋପାଳଂକର ଘୋରରଡ଼ି।୧୯୯।

ସମଦଣ୍ତ ଘେନି ରହିଲେ ଥମ୍ଭୀଭୂତ ହୋଇ

ଭାଷ୍ମେ ପ୍ରଶଂସା କରନ୍ତି ଗୋପାଳନ୍ତ ଚାହିଂ।୨୦୦।

ଭାଷ୍ମେ ବୋଇଲେ ରେ ଗୋପାଳ ଧନ୍ୟ ତୋ ଜୀବନ ଗୋଟି

ଦ୍ରୋଣେ ବୋଇଲେ ଭୀଷ୍ମେ ସହଦେବ ୟେହିଟି।୨୦୧।

ଭୀଷ୍ମେ ବୋଇଲେ ହୋ ସୁଫଳ ଆଜଦିନ

ଧନ୍ୟ ଶୁଭବେଳେ ହୋଇଲା ଦେଖିଲୁଂ ପୁତ୍ରଂକ ବଦନ।୨୦୨।

ବନସ୍ତର ଭିତରେ ଅନେକ ବିଦ୍ୟା ସାଧି

ହୋଇଲେ ବୀରବର ମହାମନ୍ତ୍ର ପ୍ରବୋଧି।୨୦୩।

ସମରେ ସମ୍ଭର୍ବେ ଯେ ଗୋପାଳ ରହିଲା

ଗୋଧନ ପଲ ଘେନି ପ୍ରୋଥନା ଚଳିଗଲା।୨୦୪।

ଗୋପାଳମାନେ ଗଲେ ଗାଈନ୍ତ ଅଡ଼ାଇ

ସହଦେବ ୟେକାନ୍ତେ ରହିଲେ ରଣଭୂଇଂ।୨୦୫।

ରୟଣୀ ପ୍ରଭାତେ ଉଦେ ଗଗନ ବିହାରୀ

ଳକ୍ଷେପୁର କରି ଥାଠ ସହଦେବକୁ ବେଢି।୨୦୬।

ଦୂରେ ଥାଇ ହାକ ଦିଅଇ କଉରୋବ ଶିରୋମଣି

ପ୍ରାଣେ ନ ମାରି ଗୋପାଳକୁ ଜୀବନ୍ତା ଧର ୟେହିକ୍ଷଣି।୨୦୭।

ୟେହାକୁ ହୋଇଲେ ମୋର ସମସ୍ତ କାର୍ଯ୍ୟ ଭଲ

ତେବେ ସେ ପ୍ରାପତ ମୋତେ ହୋଇବ ଗୋଧନ ପଲ।୨୦୮।

ମଘ ମଚ୍ଛଦେଶ ରାଜ୍ୟର ପାଇବ ସର୍ବଭେଦ

ୟେ ଗୋପାଳକୁ ଧଇଲେ ମୋହୋର ହୋଇବ ସକଳ ସମ୍ପଦ।୨୦୯।

ଅସଂଖ୍ୟ ସାଗର ଯେ କୁରୁବଳ ସଇନ

ଖେଳନ୍ତା ସିଂଘ ଯେହ୍ନେ ସହଦେବ ତେସନ।୨୧୦।

ଯଦ୍ୟପି କଉରୋବ ସନ୍ୟ ଅଟନ୍ତି ମତ୍ତନାଗ

ଅଜାଯୂଥ ରହଇ କି କେଶରୀର ଆଗ।୨୧୧।

ମହାବିକ୍ରମ ଯେ ଅଭୟେ ବାରାନିଧି

କତିକି କେହି ଭରସି ନୁଆରନ୍ତି ସର୍ବଯୋଧୀ।୨୧୨।

ଜାଣି ଭୀଷ୍ମ ଦ୍ରୋଣ ହୋଇଲେକ ହେଳା

ବିହଡ଼ଇ ଗୋପାଳ ସେ ତେଜ ଅନର୍ଗଳା।୨୧୩।

ପୁଣି ଆଗ୍ୟାଂଦିଲା ରାଜା ମାନ ଯେ ଗୋବିନ୍ଦ

ଧରି ଯେବେ ନୁଆରିଲ ସମସ୍ତ ବେଢି ବିନ୍ଧ।୨୧୪।

ରାଜାର ବଚନେ ସଭିହେଂ ପୂରୋଇଣ ବାଣ

ବେଢି ଯୋଦ୍ଧାୟେ ନାରାଜ ବିନ୍ଧିଲେ ତତକ୍ଷଣ।୨୧୫।

କେ ଶତେ କେ ସହସ୍ରେକ କେ ଅବା ଅହିବ୍ରତେ

କେହୁ ଲକ୍ଷେ ନାରାଜ ବିନ୍ଧିଲେ ଅପ୍ରମିତେ।୨୧୬।

ଯେସନେକେ କକଡା ମାସେ ବରଷେ ଜଳଧାର

ତେସନେକ ଯୋଦ୍ଧାୟେ ବିନ୍ଧନ୍ତି ଅନିର୍ବାର।୨୧୭।

କରେ ନଉଡ଼ି ଘେନିଣ ଗୋପାଳ ଚୂଡାମଣି

ନଉଡ଼ିରେ ଜଗଜ୍ଜିତା ମଣାଇ ଅଛନ୍ତି ଚକ୍ରପାଣି।୨୧୮।

ଯେତେକ ଶହସ୍ର ଯୋଦ୍ଧାୟେ ବିନ୍ଧୁଛନ୍ତି ତୋଳି

ସହଦେବ ନଉଡ଼ିରେ ସମସ୍ତ ହୋୟେ ଧୂଳି।୨୧୯।

କୁମ୍ଭାର ଚକ୍ର ଯେହ୍ନେ ଭ୍ରମଇ ଅନ୍ତରୀକ୍ଷେ

ବାମ ଡାହାଣେ ନଉଡି ବୁଲାଇ ସେହି ସାରିକ୍ଷେ।୨୨୦।

ଶୁଣ ହୋ ମନୁ ପୁରୁଷ ଶ୍ରୀଜଗନ୍ନାଥଂକର ମାୟା

କନ୍ଧରୁ ସହଦେବର ବାହାରିଲା ବେନିବାହା।୨୨୧।

ସଂକଟବେଳେ ପ୍ରସନ୍ନ ହୋଇଲେ ଦେବରାଜ

ସମରେ ସହଦେବ ହୋଇଲେ ଚତୁର୍ଭୁଜ।୨୨୨।

ବେନିଭୁଜରେ ସହଦେବ ବାୟେଂଶୀ ଗୋଟିୟେ ଘେନି

ପ୍ରୋଥନା ନାମ ଧରି ସେ ଉଞ୍ଚେ କଲା ଧୁନି।୨୨୩।

ନାରାୟଣଂକର ଦିଲାର ଯେ ମଧୁର ସୁସ୍ଵର

ଭେଦନ୍ତେ ଛତ୍ରୀମାନେ ଶହସ୍ର ଧରି ନୁଆରନ୍ତି କର।୨୨୪।

ଅନଙ୍ଗ ବାଣେ ଯେହ୍ନେ ଅସାଷ୍ଟମ ହୁଅନ୍ତି ପ୍ରାଣୀ

ସମସ୍ତ ବଶ ହୋଇଲେ କୃଷ୍ଣର ବଂଶୀ ଶୁଣି।୨୨୫।

ଯେବଣ ବେନିଭୁଜ ସେ ହୋଇଅଛି ସମ୍ଭୂତ

ପ୍ରତକ୍ଷେ ଅଟଇ ସେ ଶ୍ରୀଜଗନ୍ନାଥଂକର ବେନିହାଥ।୨୨୬।

ଯେବଣ ବେଣୁସ୍ଵନେ କୃଷ୍ଣ ମୋହିଲେ ଗୋପୀମନ

ସବୁରିଂକର ଶରୀରେ ପଡ଼ିଲା ମଦନ।୨୨୭।

ଦୁଜେସ୍ଵର ସମ୍ଭାଇଲା ଯାଇଂ ପ୍ରୋଥନାର କର୍ଣ୍ଣ

ସହଦେବକଇଂ ଛାଡ଼ି ଯାଇଥିଲା ପାଞ୍ଚ ଯେ ଯୋଜନା।୨୨୮।

ଗୋଧନ ପଲ ଘେନିଣ ପ୍ରୋଥନା ଚାହିଂଲା ଲେଉଟି

ମଣ୍ତନ୍ତ ପୋଡୁ ମୋର ହରାଇଲି ପୁତ୍ରଗୋଟି।୨୨୯।

ଧାମନ୍ତି ଗୋଧନ ପଲ ବାୟେଂଶୀ ସ୍ଵନ ହେଜି

କଉରୋବ ଥାଠରେ ପ୍ରବେଶ ଗଳଗାଜି।୨୩୦।

ହେମ୍ଵାରାବ ଶବଦେ ପଡ଼ିଲେ ଆସି ମାଡ଼ି

ଭାଜିଲେ ସମଦଣ୍ତ ପଳାଇଲେ ସବୁ ଛାଡ଼ି।୨୩୧।

ଯେତେବେଳେ ସଇନି ହୋଇଲେ ବେନିଭାଗ

ପ୍ରୋଥନା ପ୍ରବେଶ ଯାଇ ସହଦେବର ଆଗ।୨୩୨।

ବାଜିଲା ଢକା ଯେ ମର୍ଦ୍ଦଳ ଘୁମୁରା

ମତ୍ତରଙ୍ଗେ ନାଚନ୍ତି ଯେ ଗୋପାଳ ମହାବୀରା।୨୩୩।

ତ୍ରାସେ ଘୁଞ୍ଚିଣ ସେ ରହିଲେ କଉରୋବ

ଗୋଧନ ପଲ ଘେନି ଚଳନ୍ତି ସହଦେ।୨୩୪।

ସାନନ୍ଦେଣ ଗୋପାଳେ ଯେ ପ୍ରବେଶ ନିଜ ଗୋଷ୍ଠେ

ପୁଣି ଗୋଧନ ପଲ ବେଢିଲେ ଥାଇଂ ଥାଠେ।୨୩୫।

ଅଲାଜୁକ କଉରୋବ ଲାଜ ୟେହାଂକ ମୁଖେ ନାହିଂ

ୟେସନକ ବଚନ ବୋଇଲା ପ୍ରୋଥନା ସହଦେବ ମୁଖ ଚାହିଂ।୨୩୬।

ମୋତେ ବେଢିଣ ୟେ ଥାନ୍ତୁ ୟେହିଠାବେ

ବଳାତ୍କାରେ ମୋତେ ନେଇ ନୁଆରିବେ କଉରୋବେ।୨୩୭।

ଯୁଗତେ ମୁହିଂ ତ ନ ଯିବି ୟେହାଂକର ପୁରୀ

ତ୍ରଇଲୋକେ ସାମରଥ କେ ମୋତେ ବଳେ ନେଇପାରି।୨୩୮।

ତୁ ବହନ ହୋଇଣ ଯାଅ ଯା ମଚ୍ଛଦେଶକୁ

ଅର୍ଜୁନ ଘେନି ଆସୁ ଉତ୍ତର କୁମରକୁ।୨୩୯।

ଅର୍ଜୁନ ଆସି କଉରୋବ ବଳମାନ ଗଞ୍ଜୁ

ନ ମାରି ଅରଜୁନ ସବୁରି ଦର୍ପ ଭାଞ୍ଜୁ।୨୪୦।

ମୁହିଂ ଗୋଧନ ପଲ ଘେନିଥାଇଂ ୟେଥେ ରହି

ବହନ ଅର୍ଜୁନକୁ ଘେନିଆସ ତୁହି।୨୪୧।

ଅଗ୍ୟାଂତବାସ ହାଦେ ସରିଲାନି ତିନିଦିନ

ଉତ୍ତର କୁମରନ୍ତ ଘେନି ଯେ ବିଜେକରୁ ଅରଜୁନ।୨୪୨।

ପ୍ରୋଥନା ବଚନେ ଯେ ମନ୍ତ୍ରୀ ଚୂଡ଼ାମଣି

ଚଳଇ ମତ୍ସଦେଶ ସେ ବିକ୍ରମ ସିଂଘ ଜାଣି।୨୪୩।।୪୯୩୮।

 

ବୃହନ୍ନାରୀଙ୍କୁ ସାରଥି କରି ଉତ୍ତରର ଯୁଦ୍ଧଯାତ୍ରା

ବିରାଟର ନନ୍ଦନ ଯେ ବିଜୟେ ଆସ୍ତାନେ

ସନ୍ନିଧ୍ୟେ ଉଭାରି ଅଛନ୍ତି ପାଦାନ୍ତି ସଇନିମାନେ।୧।

ଝାଳ ରୁଧିର ତ୍ରିପଣ୍ତ ତନ୍ତ୍ରୀପାଳ ଗୋପାଳର କାୟେ

ଶରୀର ଦିଶଇ ତାର ପାଟଳି ପୁଷ୍ୟ ପ୍ରାୟେ।୨।

ଛାମୁରେ ତନ୍ତ୍ରୀପାଳ କରଇ ଗୁହାରି

ସୁରବର ସୁନ୍ଦର ସୋହଡ଼ କୁମାରମଣି ହୋଇବ ଅବଧାରୀ।୩।

କୁଞ୍ଜଗଳ ଦେଶ ରାଜା ମାନଚକ୍ରବ୍ରତୀ

ଗୋଧନ ପଲ ହରି ସେ ନେଉଛି ଆଜ ରାତି।୪।

ଅନେକ ଗୋଳ ସମର ସେ କଲେ ଆମ୍ଭର ତୁଲେ

ଅନେକ ସନ୍ୟ ମାଇଲୁ ତଦ୍ୟାପି ନ ଘୁଞ୍ଚିଲେ।୫।

ଗୋପାଳ ଅଭିମୁଖେ ୟେସନେକ ବାକ୍ୟ ଶୁଣି

ଅଧର ପୁଷ୍ଟ କରି ଉଠିଲା ଶିରଝୁଣି।୬।

କଦଳୀ ପତ୍ର ଜାଣି କମ୍ପଇ ତାର ଅଙ୍ଗ

ହିରଣ୍ୟ ଦେଖି ଯେହ୍ନେ ଗର୍ଜଇ ନରସିଂଘ।୭।

ବାହାସ୍ଫୋଟ ଦେଇ ମାଡ଼ିପଡ଼ିଲା ବେନିଜାନୁ

ତାମ୍ରବର୍ଣ୍ଣ ପ୍ରାୟେ ଦିଶଇ ତାହାର ତନୁ।୮।

ଯଷ୍ଟି ବିଘାତେ ଯେହ୍ନେ ଗର୍ଜଇ କାଳସର୍ପ

ମୋହୋ ଗୋଧନ ପଲ ହରିବାକୁ କାହାର ୟେଡ଼େ ଦର୍ପ।୯।

କାଳଚକ୍ର ଜାଣି ବୁଲାଇ ବେନିଡୋଳା

କେ ରେ ଭାଙ୍ଗଇ ସେ ଯମର ଅରଗଳା।୧୦।

କିସ ଅର୍ଥେ ଦ୍ରିଯୋଧନର ୟେଡ଼େକ ଉପେକ୍ଷା

ନ ଜାଣଇ ଉତ୍ତରକୁମର କରଇ କଟକ ରକ୍ଷା।୧୧।

ପୁଣ ପୁଣ ବିସରି ବିଚାରଇ ହୃଦଗତେ

ସାରଥି ଜଣେକରି ନେମି କାହାକୁ ମୋର ରଥେ।୧୨।

ପିତାର ଅବିବେକ ପଣ ଦେଖ ହୋ ତନ୍ତ୍ରୀପାଳ

ରାଜ୍ୟଯାକ ତୁଚ୍ଛାକରି ଘେନିଗଲେ ସର୍ବବଳ।୧୩।

ଗୋକୁଳ କୁଳକୁ ତୁ ମୁଂ ଯେ ରାଜ୍ୟକୁ କାରେଣି

ଅନ୍ତେଶ୍ଵର ପୁରେ ଚରଚା କରଇ ବୃହନ୍ନାରୀ ପୁଣି।୧୪।

ସଇରିନ୍ଧ୍ରୀକି ଲାଗଇ ତ ଆମ୍ଭ ସବୁଂକରି କଥା

ଯାଅ ଲୋ ମୁଦୁସୁଲୀ ଭିତରେ କର ଯା ବାରତା।୧୫।

ବୋଲ ଗୋଧନ ପଲ ହରି ନେଉଛି କୁରୁପତି

ସଇରିନ୍ଧ୍ରୀ ଠାକୁରାଣୀ ୟେଥକୁ କିସ ଆଗ୍ୟାଂ ଦିଅନ୍ତି।୧୬।

ଚଳିଣ ମୁଦୁସୁଲୀ ଗଲା ଅତିବେଗେ

ବାରତା ଜଣାଇଲା ଯାଇଂ ଶ୍ରୀକୃଷ୍ଣାଂକର ଆଗେ।୧୭।

ଶ୍ରୀକୃଷ୍ଣା ପ୍ରବେଶ ଯେ ସଇରିନ୍ଧ୍ରୀର କତି

ଭୋ ଦେବୀ ଗୋଧନ ପଲ ହରି ନେଉଛି କୁରୁପତି।୧୮।

ଶ୍ରୀକୃଷ୍ଣା ସଇରିନ୍ଧ୍ରୀ ବିଜେ ପଛିମ ଯେ ଦ୍ଵାରେ

ଉତ୍ତର କୁମର ଯାଇଂ ପ୍ରଣପତ୍ୟ ପୟରେ।୧୯।

ତନ୍ତ୍ରୀପାଳ କହିଲା ଯେ ଗୋଧନ ହରଣ କଥା

ସଞ୍ଚପି କହିଲା ସେ ସମସ୍ତ ବାରତା ।୨୦।

ଉତ୍ତର କୁମର ବୋଇଲା ଗୋପାଳ ମାତ୍ରକେ ତାହାର ବଳ ଭାଞ୍ଜଇ

ମୋହୋର ଗଲେ ତାହାନ୍ତ ପ୍ରାଣ ପାଆନ୍ତା ନାହିଂ।୨୧।

ମୁହିଂ ହୀନକାର୍ଯ୍ୟ ହୋଇଲି ପିତାର ଅବିବେକ ପଣେ

ବାହୁକ କରି ଛାଡ଼ି ନ ଗଲେ ଜଣେ।୨୨।

ଧନୁଗୁଣ ଟଂକାରି ଉଠିଲା ଶିରଝୁଣି

ଅଧରେ ଦନ୍ତ ସେ ଚାପଇ ପୁଣି ପୁଣି।୨୩।

ଦଇବ ସୁମରି ସେ ଲଲାଟେ ତାଡ଼ଇ ହାଥ

ୟେକା ଯିବି କେମନ୍ତେ କେ ବାହିବ ମୋର ରଥ।୨୪।

ସହଦେବର ବଦନ ଚାହିଂଲେ ସଇରିନ୍ଧ୍ରୀ

ଅର୍ଜୁନ ଠାକୁରେ ଯାଆନ୍ତୁ ବୋଲି ସହଦେବଂକୁ ଦିଲେ ଠାରି।୨୫।

ସଇରିନ୍ଧ୍ରୀ ବୋଇଲେ ତୁ ଯେବେ ଲୋଡୁ ହୋ ସାରଥି

ଜଣେ ଅଛି ସାରଥି ତୁହି ପାରିବୁ କି ଅଭ୍ୟର୍ଥୀ।୨୬।

ଉତ୍ତର କୁମାର ବୋଇଲା ସମୟେ ଯେବେ ବାହିବ ମୋର ରଥ

ରାଜ୍ୟକୁ ଠାକୁର ମୋହୋର ସେହି ସେ ଯଥାର୍ଥ।୨୭।

ଅଭ୍ୟର୍ଥୀ କିମ୍ପେ ବୋଲିବି ଚରଣେ କରିବି ଦଇନି

ପୂଜା କରିବି ତାକୁ ଲକ୍ଷେକ ସୁବର୍ଣ୍ଣ ଘେନି।୨୮।

ସଇରିନ୍ଧ୍ରୀ ବୋଇଲେ ବୃହନ୍ନାରୀକୁ ଆଣ ତୁ ହକରାଇ

ବଡ଼ାଇ ସୁସଞ୍ଚେ ସେ ତୋର ରଥ ନେମଟି ବାହି।୨୯।

ଶୁଣି ବିସରିଲା ସେ ବିରାଟର ତନୁ

ବେନିକରେ ଛୁଇଂଲା ସେ ଆପଣା ଶ୍ରବଣୁ।୩୦।

ଉତ୍ତର ବୋଇଲା ତୁ ଯେ ଭୃତପଣେ ଖଟୁ

ଆପଣାର ଅନରୂପେ ବଚନ ପ୍ରକଟୁ।୩୧।

ବେଟୀଚେଟୀ ଛାରଂକର ଅଟଇ କିସ ବୁଦ୍ଧି

ଅହର୍ନିଶି କେଶ ବିଲଗ୍ନ କାର୍ଯ୍ୟହିଂ ଅସିଦ୍ଧି।୩୨।

ଲେଞ୍ଚସ୍ତିରୀ ଲେଞ୍ଚ ପୁରୁଷ ନଫୁସୁକ ହୀନଜାତି

ତାହା ଛାରକୁ କେମନ୍ତେ କରିବି ସାରଥି।୩୩।

ଯାତ୍ରାଯୋଗେ ଅଯାତ୍ରିକ ଲୋକକୁ ଦେଖିଲେ

ଦିନକର ସୁକୃତ ହରଇ ତାହାର ମୁଖ ଚାହିଂଲେ।୩୪।

ସ୍ତିରୀଲିଙ୍ଗ ସରୂପେ ସେ ବସିବ ମୋର ରଥେ

ଦେଖୁଂ ଦେଖୁଂ ଅଯାତ୍ରିକ ଅପୁଂସେକ ଲୋକ ମୁଂ ନେମଇ କେମନ୍ତେ।୩୫।

ଶ୍ରୀକୃଷ୍ଣା ବୋଇଲେ ତୁ ମୂର୍ଖରେ ତନୁଜ

ଗନ୍ଧର୍ବୀଂକ ବଚନେ କଦାଚିତେ ନ ଭାଞ୍ଜ।୩୬।

ଆରେ କୀଞ୍ଚେକ ନାଶଗଲା ଯାହାର କିଞ୍ଚିତ କୋପେ

ତ୍ରିଗର୍ତ୍ତର ବନ୍ଧନରୁ ଯେ ଉତ୍ତାରିଲେ ତୋହୋର ବାପେ।୩୭।

ମହା ବ୍ରହ୍ମବାକ୍ୟ ୟେ ଯେବଣି ମହାତ୍ମାଣୀ

ୟେହାଂକର ଆଗ୍ୟାଂ ବାବୁ ଥିବୁରେ ପରିମାଣି।୩୮।

ଉତ୍ତର ବୋଇଲା ତନ୍ତ୍ରୀପାଳ ତୁ ଯେ ଥିଲୁ ସହଦେବଂକ ତହିଂ

ତୋହୋର ଦେଖନ୍ତେ ବୃହନ୍ନାରୀ ଅଛିଟିକି ରଥ ବାହି।୩୯।

ଗୋପାଳ ବୋଇଲା ଯାହା ମୁଂ ଦେଖିଅଛଇ ଯୁଗତେ

ଗବନ କାଳେ ବସିଥାୟେ ନନ୍ଦିଘୋଷ ରଥେ।୪୦।

ୟେହାର ବାହିଲେ ସେ ଚଲଇ ନନ୍ଦିଘୋଷ

ଯହିଂକି ଯିବ ତହିଂ ହୋଅଇ କାର୍ଯ୍ୟଯଶ।

ଆହୋ ଉତ୍ତର ୟେହେନେକ କରି ସେ ମହାତମା କରଇ ସଦୟେ

ଯେ ସେ ବୃହନ୍ନାରୀ ପ୍ରତେକ୍ଷେ ଧନୁର୍ଜୟେ।୪୨।

ୟେହେନେକ କରି ସେ ୟେହାକୁ ନିର୍ଭାକଲା ମହାତ୍ମା

ଯେ ସେ ବୃହନାରୀ ସେ ପ୍ରତେକ୍ଷେ ଅର୍ଜୁନର ପଞ୍ଚୁଆତ୍ମା।୪୩।

ବୃହାନ୍ନାରୀ ଅର୍ଜୁନ ହୋ ନୁହନ୍ତି ଭିନ୍ନାଭିନ୍ନ

ସେ ଯେବେ ଯାଇ ତୋହୋର କାର୍ଯ୍ୟ ସୁବିଧାନ।୪୪।

ସଇରିନ୍ଧ୍ରୀଂକ ବଚନେ ସେ ଉପହାସ୍ୟ କରୁଥିଲା

ତନ୍ତ୍ରୀପାଳ ବଚନେ ସେ ସନମତ କଲା।୪୫।

ଯାଅ ହୋ ତନ୍ତ୍ରୀପାଳ ନାଟପା ମନ୍ଦିରେ

ବୃହନ୍ନାରୀକି ଘେନିଆସ ମୋହୋର ଛାମୁରେ।୪୬।

ଧାମଇ ସହଦେବ ନଉଡ଼ି ବୁଲାଇ

ସୁଖେ ବିହଡ଼ନ୍ତି ସେ ରାଜ୍ୟରେ କେହିଂ ନାହିଂ।୪୭।

ନାଟପା ମନ୍ଦିରେ ଯାଇ ଗୋପାଳ ପରିଣାମି

ଉତ୍ତର କୁମର ଆଗ୍ୟାଂୟେ ଆସିବ ୟେହିକ୍ଷଣି।୪୮।

ବୃହନ୍ନାରୀ ବୋଇଲା ମୁଂ ଉତ୍ତର କୁମରର ନୁହଇଂ ବଶ୍ୟବୃତ୍ତ

ତାହାର ଆଗ୍ୟାଂକୁ ମୋହୋର କିମ୍ପେ ସନମତ।୪୯।

ଶୁଣିଣ ବୋଇଲା ସେ ଗୋପାଳ ଚୂଡ଼ାମଣି

ପ୍ରଥମେ ଆଗ୍ୟାଂଦିଲେ ସଇରିନ୍ଧ୍ରୀ ଠାକୁରାଣୀ।୫୦।

ଉତ୍ତର କୁମର ବଚନେ ଉପହାସ୍ୟ କରୁଥିଲା

ସଇରିନ୍ଧ୍ରୀଂକ ବଚନେ ସେ ବାହାର ହୋଇଲା।୫୧।

ଆଗେଣ ସହଦେବ ପଛେଣ ଫାଲଗୁନି

ପଚାରନ୍ତେ ସହଦେବ କହଇ ତୂନି ତୂନି।୫୨।

ଦ୍ରିଯୋଧନ ବେଢ଼ିଲା ଗୋଧନ ପଲ ଆସି

ମୁହିଂ ସମର କରି ତାହାର ଅନେକ ବଳ ନାଶି।୫୩।

ନ ଭାଞ୍ଜି ଦ୍ଵନ୍ଦ ସେ କଲେ ପୁଣ ପୁଣ

ଆମ୍ଭର ଥାଆନ୍ତେ ଗୋଧନ କି ହୋଇବ ହରଣ।୫୪।

ଉତ୍ତର କୁମରକୁ ଘେନିଣ ତୁମ୍ଭେ ଯିବା

କଉରୋବ ବଳ ଜିଣି ଗୋଧନ ଆଣିବା ।୫୫।

ସହଦେବର ବଚନେ ଅର୍ଜୁନ ବାକ୍ୟ ପୁଚ୍ଛି

ଅଗ୍ୟାଂତ ବାସ ଲେଖନ୍ତେ ବାବୁ କେତେଦିନ ଅଛି।୫୬।

କରପତ୍ର ଯୋଡ଼ିଣ ସେ ସହଦେବ ବୋଇଲା

ତିନିଶ ସତାବନ ଦିନ ସଂପୂର୍ଣ୍ଣ ହୋଇଲା।୫୭।

ଆବର ତିନି ଦିବସ ହୋଇବ ଲେଖନ୍ତେ

ଆଉର କିସ ଦୋଷ ହୋଇବ ଜାଣନ୍ତେ ।୫୮।

ସହଦେବ ବୋଇଲା ସ୍ଵାମୀ ଶୁଣିମା ଧନୁର୍ଜୟେ

ବରଷକେ ଦଶଦିନ ବଢଇ ତହିଂକି ନାହିଂ ଭୟେ।୫୯।

ଗମନ୍ତେ କହନ୍ତେ ଛାମୁରେଣ ଯାଇଂ ଭେଟି

ଦେଖିଣ ହେଠମାଥ ହୋଇ ବଇରାଟି।୬୦।

ଉତ୍ତର ବିଚାରଇ କବେରୀ ଭାର ଖୋଷା କରେଣ ବେନିବାହୀ

ସ୍ତିରୀବେଶ ଅଳଂକାର ମୂରତି ଗୁଣଗ୍ରାହୀ।୬୧।

ପ୍ରଥମେ ଉପହାସ ଉପୁଜିବନା ମୋତେ

କେମନ୍ତେ ନପୁଂସେକ ବସିବନା ରଥେ।୬୨।

ପ୍ରଭାତେ ବଦନ ଚାହାନ୍ତେ ୟେହାର

ଶତେ ବ୍ରାହ୍ମଣ ଭୋଜନ ଦିଲେ ସେ ଦୋଷ ଯାଇ ପାର।୬୩।

ପୁଣ ବୋଇଲା ଦେଖି କରିବା ସମ୍ଭାଷ

କିସ ଉତ୍ତର କହଇ କେତେମାନ ସାହସ।୬୪।

ଭରସା ନ କଲେ ୟେହାକୁ ମୁଂ ନେମଇ କେମନ୍ତେ

ଦେଖିତେ ଅନ୍ୟାକାର ଆବର ସ୍ତିରୀହତ୍ୟା ଦୋଷ ମୋତେ।୬୫।

ଉତ୍ତର କୁମର ବୋଇଲା ଆହୋ ବୃହନ୍ନାରୀ

ମାନଗୋବିନ୍ଦ ରାଜା ନେଉଅଛି ମୋର ଗୋଧନ ପଲ ହରି।୬୬।

କଳପି ରାଜାକୁ ଦଣ୍ତ ଚଢି ଗଲେକ ବିରାଟେ

ବଲ୍ଲଭ ସହିତେ ସେ ଗଲେ କୋନ୍ତଭଟ୍ଟେ ।୬୭।

ମଘଦେଶ ମତ୍ସଦେଶ ରକ୍ଷାପାଳକ ମୁହିଂ ୟେକା

ସାରଥି ପଣକୁ ମୋତେ କେହି ନାହିଂ ସାଖା।୬୮।

ଲାଖ ମାତ୍ର ହୋଇ ବାହି ପାରିବୁ କି ମୋର ରଥ

ମାରି ଭଗନସ୍ତ କରିବି କଉରୋବନ୍ତ।୬୯।

ୟେକା ୟେକାକେ ମୁହିଂ କରିପାରଇ ଯୁଦ୍ଧ

ସାରଥି ଜଣେ ନ ଥିଲେ କିସ ହୋଇବାକ ସାଧ୍ୟ।୭୦।

ବୃହନ୍ନାରୀ ବୋଇଲା ମୁଂ କହଇ କିନା ତୋତେ

ୟେଡେ ବଡ଼ ଧାର୍ମିକ ତୁ ବାତୁଳ ହୋଇଲୁ କେମନ୍ତେ।୭୧।

ଆହୋ ଦଧିମଙ୍ଗଳ ଅନକୂଳ ସାଂଗ୍ରାମକୁ ସଞ୍ଚି

ନପୁଂସେକ ଦେଖନ୍ତେଣ ତୋତେ ତ୍ରଇଲୋକ୍ୟେ ବାଛି।୭୨।

ଯାତ୍ରାବେଳେ ଦେଖିଲେ ହୋ ଅଯାତ୍ରିକ ଜନ

କାର୍ଯ୍ୟକୁ ଅଯାତ୍ରା ହୋ ଅନକୂଳକୁ ହୋୟେ ହୀନ।୭୩।

ଅମଙ୍ଗଳ ବାକ୍ୟ ଯହୁଂ କରିଲା ଫାଲଗୁନି

ବିରାଟ ନନ୍ଦନ ଶୁଣି ହୋଇଲାକ ତୁନି।୭୪।

ସଇରିନ୍ଧ୍ରୀ ବୋଇଲେ ରାଜ୍ୟେ ନାହିଂନା ବିରାଟେ

ୟେମନ୍ତର ସମୟ ଯେ ପଡ଼ିଲା ପରଥାଠେ।୭୫।

ବିରାଟର ସମ୍ପଦ ଯେ ନେଉଅଛି ହରି

ଯାହାର ଅନ୍ନ ଭୁଞ୍ଜି ତାହାର କାର୍ଯ୍ୟକରି।୭୬।

ଆପଣାର ପରକ୍ରମ ଥାଉଂ ହୋଇଲେ ହୀନବାର୍ଯ୍ୟ

ଆରଜନ୍ମେ ପରକୁ ଖଟନ୍ତି ଯେ ହାନି ହୋୟେ ତେଜ।୭୭।

ଅପଚୟବଳେ ଯେବେ ପ୍ରାଣୀଂକି ହୋୟେ ସାହା

ମହେଶ୍ଵର ସମାନେ ଦେଖିବାନା ତାହା ।୭୮।

ଆହୋ ବୃହନ୍ନାରୀ ତୁ ତ ପ୍ରତକ୍ଷେ ଅଟୁ ଅର୍ଜୁନର ପଞ୍ଚୁଆତ୍ମା

ଉତ୍ତର କୁମାରେ ଦୟାକର ହୋ ମହାତମା।୭୯।

ଉତ୍ତର ବଚନେ ନାସ୍ତି କରୁଥିଲା ପାର୍ଥ

ସଇରିନ୍ଧ୍ରୀଂକ ବଚନେ ସେ କଲାକ ସନମତ।୮୦।

ତତକ୍ଷଣେ ପତିବେଶ ହୋଇଲା କିରୀଟୀ

ତତକ୍ଷଣେ ମଣ୍ତିଲା ସେ ଉତ୍ତର କୁମାର ରଥଗୋଟି।୮୧।

ସଷ୍ଟିକର ସ୍ତମ୍ଭ ଯେ ମାରାଗ ମଣ୍ତଣି

ଶତେ ଶତେ ପୋୟେଳା ହୀରା ପାବଚ୍ଛେ ଖଞ୍ଜଣି।୮୨।

ମର୍କତର ତୁଲେ ସେ ମାଣିକ୍ୟ ପୁଞ୍ଜି ପୁଞ୍ଜି

ଗଜ ମୁକୁତାର ତୁଲେ ପାଟଡୋର ଖଞ୍ଜି।୮୩।

ପଞ୍ଚ ଦହନ ହିରଣ୍ୟେ ରଥର ଚାରିକାଣ୍ତ

ନୀଳା ମାରାଗା ଯେ ମଣ୍ତିଲା ରଥଦଣ୍ତ।୮୪।

ଉପରେ କଣୟର କଳସ ନିରିବାଣି

ତହିଂର ଉପରେ ଯେ ଅଷ୍ଟ ରତନର ଖଞ୍ଜଣି।୮୫।

ଦଧିବାମନ ଲେଖନ ଆଲମ୍ଵ ଶତ ଶତ

ରଥର ଚାରିକୋଣେ ଉଡ଼ନ୍ତି ଚାରିନେତ।୮୬।

ଡାଳିମ୍ଵ ବସନ୍ତ ଯେ ପାତାଙ୍ଗ ପେଣ୍ତି ଓଳି

ଉପରେ ଉଡ଼ନ୍ତି ଯେ ମୁକୁତାର ଫୁଲି।୮୭।

ଲମ୍ଵନ୍ତି ଗଜମୁକୁତାମାନେ ଚଉସରା

ଲମ୍ଵନ୍ତି ହୀରା ମାଣିକ୍ୟ କେରା କେରା।୮୮।

ସପତ ସୂର୍ଯ୍ୟ ଉଦୟ ପରାୟେଣ ଜାଣି

ତହିଂର ସଙ୍ଗେ ରୁଅ ମାରଗ ଖଞ୍ଜଣି।୮୯।

ଅହିବ୍ରତେ ଅଧାଚନ୍ଦ୍ର ଦର୍ପଣ ରଥେ ଅଛି ମଣ୍ତି

ତହିଂର ଉପରେ ଝାଲିମିଲି ହୀରାଖଣ୍ଡି।୯୦।

ଡାଳିମ୍ଵା ଚାମର ଗୋଟିୟେ ଶ୍ଵେତ ଚାମର ଗୋଟିୟେ

ରଥର ଚାରିପଖେ ଲମ୍ଵନ୍ତି ଶୟେ ଶୟେ।୯୧।

ହୀରାନୀଳା ପୋୟେଳା ମୁକୁତାର ତ୍ରୋଣାମାଳା

କେରି କେରି ଲମ୍ଵନ୍ତି ରଥର ଚଉପାଶେ ମେଖଳା।୯୨।

ଦେବାଙ୍ଗ ବସନ ନେତ ପତନୀ ନୀଳରଙ୍ଗ ପାଟ

ଘନ କାଙ୍ଗୁଲା କରିଣ ରଥରେ ମଣ୍ତିଲେ ଚାରିପଟ।୯୩।

ମଲ୍ଲୀ ମାଳତୀ ଯାଈ ଜୂଈ ଚମ୍ପା ରଙ୍ଗଣୀ ରେଖ ରେଖ

ସୁଗନ୍ଧ ପୁଷ୍ୟମାନ ଲମ୍ଵନ୍ତି ଚଉପାଖ।୯୪।

ଗନ୍ଧ ଚନ୍ଦନ ଯେ କର୍ପୂର କସ୍ତୁରୀ

ଠାବ ଠାବ କରି ଯେ ରଥରେ ଲେପନ କରି।୯୫।

ରଥଯାକ ମଣ୍ତିଲା ହୀରା ମାଣିକ୍ୟମୟେ

ସରୂପ ଦିଶିଲା ସେ ଆଦିତ୍ୟ ରଥ ପ୍ରାୟେ।୯୬।

ଅନ୍ଧାର ନିଶାକାଳେ ଯେବେ ଚଳୁଥିବ ସେ ରଥ

ଦିବସ ପ୍ରାୟେ ଦିଶିବ ଚଳନ୍ତେ ଯୋଜନ ସାତ।୯୭।

ରଥତଳ ଚକ ଯେ କଣୟ ପିତୁଳୀ

ଆକର୍ଷଣ ସିଂଘ କଲେ କି ଗବନ ପବନହୁଂ ଉଗୁଳି।୯୮।

ନିମିଷକେ ମହୀ ଲଂଘିବ କି ଶୋଷିବ ବାରାନିଧି

ସପତ ଦୀପ ଲଂଘିବ କି ସପତ ପୟୋଧି।୯୯।

ୟେସନକ ଘଟଣ ସେ ରଥ କଣୟ ଚାରି ସାହା

ରଥରେ ଆପଣେ ଖଞ୍ଜିଲା ସୁଭଦ୍ରାର ନାହା।୧୦୦।

କଣୟ କୁନ୍ଦଝରା ନୀଳା ରେଖ ରେଖ

ଅଷ୍ଟରତ୍ନେ ବାକୁଲି ସେ ହୟଂକର ପାଖ।୧୦୧।

ବିଶାଶତେ ପାବଚ୍ଛ ପତି ହୀରା କମ

ମର୍କତ ନୀଳା ସେ ଗୋଟି ଗୋଟି ଚଉସମ।୧୦୨।

ରଙ୍ଗପାଟ ଦଉଡ଼ି ଡାଳିମ୍ଵପାଟ ଝୁମ୍ପା

ଛନ୍ଦିଲା କ୍ଷୁଦ୍ର ମୋତି ବଳିତ ସର୍ବରୂପା।୧୦୩।

ଯେବଣ ରଥ ମଣ୍ତିଅଛି ଦୁତୀ ବାସୁଦେବ

ଲେଖନ୍ତେ ପ୍ରାନ୍ତକରି କେହୁ ସେ କହିବ।୧୦୪।

ପଞ୍ଚଷଠି ରାଜାର ଭଣ୍ତାର ଯେବଣ ଅମୂଲ୍ୟ ଧନ

ୟେକା ରଥକେ ତାହା ମଣ୍ତିଲେ ବୀର ଫାଲଗୁନ୍ୟ।୧୦୫।

ଚୋଖାର ତୁରଙ୍ଗମ ଶ୍ଵେତ ଚାରି ବାଜୀ

ପବନହୁଂ ବେଗ ହାଦେ ବାରାସ ମହାତେଜି।୧୦୬।

ହୀରା ନୀଳା ବଇଡୁର୍ଯ୍ୟ ପୋୟେଳା ମର୍କତ

ମୁକୁଡ଼ା ମଣି ମାଣିକ୍ୟ ଗୁଚ୍ଛିଲା ବାଖର ଅପ୍ରମିତ।୧୦୭।

ପାଟର ବନ୍ଧନ ତହିଂ ଅଷ୍ଟରତ୍ନେଣ ଖଞ୍ଜି

ଖଞ୍ଜଣି କଡ଼ିଆଳ ମାଣିକ୍ୟ ପୁଞ୍ଜି ପୁଞ୍ଜି।୧୦୮।

ଅଷ୍ଟ ରତନେ ସେ ମଣ୍ତିଲା ଚାରିହୟେ

ସୂଚୀମୁନେ ନ ଦିଶଇ ଅଶ୍ଵଂକର କାୟେ ।୧୦୯।

ମଣ୍ତଣି କଣୟ ଯେ ଖଞ୍ଜିତ ବିମାନ

ନାରାଜ ନ ଫୁଟିବାକୁ ହୋଇଛି ବଜ୍ରସେହ୍ନ।୧୧୦।

ଶଙ୍ଖ ଶାର୍ଦ୍ଦୂଳ ଚିହ୍ନ ଶଙ୍ଖଚିଲ ପକ୍ଷୀ

ତ୍ରୋଣଂକରି ଭିତରେ ଥୋଇଲା ନାରାଜ ପାଞ୍ଚଲକ୍ଷି।୧୧୧।

ଗଦା ଶକତି ଯେ ମୁଦୁଗର ଯାଠି

କୋନ୍ତ ଅସିପତ୍ର ଯେ ଭୂଷଣ୍ତି ଶରଗୋଟି।୧୧୨।

ଋକ୍ଷମୁନା ତୀଖମୁନା କଂକମୁନା ପଞ୍ଚୁ ରେଖା

ଗିରିବର ଫୁଟନ୍ତି ପଡ଼ନ୍ତେ ତାର ଶିଖା।୧୧୩।

ଫାଶି ପରଶୁ ଗୁରୁଜ ବଜ୍ରଶର

ଅଧାଚକ୍ର ପଶୁପତ୍ର ଆବର ବାବଲ ତୀଖଶର।୧୧୪।

ଲଞ୍ଜା ଦଡ଼ବଡ଼ି ଯେ ଡାହାଣେ ବଡ଼ଭୁଷା

ନବନିଶି କୁନ୍ତ ଯେ ଆବର ଅଂକୁଶା।୧୧୫।

ରଥର ଉପରେ ନେଇ ଥୋଇଲା ଫାଲଗୁନି

ରଥ ଚଳାନ୍ତେଣ ଶୁଭିଲା ଘୋରଧୁନି।୧୧୬।

ଆକାଶ ଦେଖାଇ ସେ ଖେପାଇ ଚାରିହୟେ

ପୁଣି ଭୂମିକି ଦେଖାଇଲା ଯେ ଶେଣାପକ୍ଷୀ ପ୍ରାୟେ।୧୧୭।

ଆକାଶୁ ଅଶ୍ଵ ଯେ ପଡୁଛନ୍ତି ଖସି

କିୟେ ଅଙ୍ଗାରପନ୍ନଙ୍ଗ ବିଜେକଲେ ଆସି।୧୧୮।

ଗଗନୁଂ ଖସାଇ ରଥ ଆଣିଲାକ ବେଗେ

ଧାତିକାରେ ଟେକିଲା ନେଇ ଉତ୍ତର କୁମର ଆଗେ।୧୧୯।

ତରତରେ ଅଶ୍ଵ ସେ ଯେ ନ ରହୁଛନ୍ତି ଭୂମି

ଯାଅ ଯାଅ ବୋଇଲେ ସେ କ୍ଷେପିବେ ଆକାଶ ଭୁବନ ତିନି।୧୨୦।

ଫୁଫୁକାରେ ତୁରଙ୍ଗମେ ଯେ ତେଜେ ଅନର୍ଗଳା

ଦେଖିଣ ଆଶ୍ରିଜ ଯେ ଶ୍ରୀକୃଷ୍ଣାର ବଳା।୧୨୧।

ଉତ୍ତର କୁମର ବୋଇଲା ତୁମ୍ଭେ ଅଇଲ ଯେ କାହୁଂ

କେବଣ ମହାତମା ଗୋପ୍ୟାନ ତୁ ନପୁଂସେକ ନୋହୁ।୧୨୨।

ମାନବ ମାତ୍ରକ କେହୁ ୟେହୁ ରଥ ପାରେ ସାଜି

ନାହିଂ ନୋହିବ ନ ଥିବ ୟେ ତ୍ରଭୁବନ ମଝି।୧୨୩।

ନପୁଂସକ ବୋଲିଣ ଯାହା ମୁଂ ନିନ୍ଦିଲଇ ତୋତେ

ତହିଂକି ଅନୁଗ୍ରହ ଦାନ ଦେବାକ ହାଦେ ମୋତେ।୧୨୪।

ବୀରବେଶେ ଅଳଂକାର ହୋଇଲା ଉତ୍ତର କୁମର

ରତ୍ନମଣି ମୁକୁଟ ସୀମନ୍ଥିନୀ ଲଲାଟର।୧୨୫।

ମୁକୁତା ମଣି ମାଣିକ୍ୟ ହୀରା ଚଉସରି ରେଖା

ଖଞ୍ଜିତ ରତ୍ନଜାଲି ଯେ ଯାହାର ଶିଖା।୧୨୬।

ବେନି କର୍ଣ୍ଣେ କର୍ଣ୍ଣାଞ୍ଚଳ ତଡ଼କାରୁ ଦୋସରି

କଣ୍ଠତଟେ ଚଉସରାମାଳ ଚାପସରି।୧୨୭।

ନିଆଳିରେ ପୁଣି ବିରାଜନ୍ତି ଶିକୁଳି

ହୃଦରେ ପଦକ ଯେ ଭୂଷଣମାନ ପ୍ରଜ୍ଵଳି।୧୨୮।

ତାଡ଼ ତୋଡ଼ର ଯେ ବାହୁଟି ସରଳ

ବିଦମୁଦି କଂକଣ ମୁକୁତା ମାଳ ମାଳ।୧୨୯।

କଟିରେ ରତ୍ନ ମେଖଳା କଣୟ ଘାଗୁଡ଼ି

ନେପୂର ଘଟଣ ଯେ ହୀରା କମେଣ ଜଡ଼ି।୧୩୦।

ଦାସୀନେତରେ ମୁକୁତା ଖଞ୍ଜିତ ମେଖଳି

ସୁବର୍ଣ୍ଣର ସୀନ୍ଥିନୀ ଶିରେ କଣ୍ଠେ ଜାତି ପୁଷ୍ୟମାଳୀ।୧୩୧।

ବାମେ ଦକ୍ଷିଣ ଯେ ବେନିତ୍ରୋଣ ଖସି

ଦଧିବାବନ ସୁମରିଣ ରଥରେ ଯାଇ ବସି।୧୩୨।

ଯାତ୍ରାର ମଙ୍ଗଳେ ଯେ କୟେବାର କରି

ଲକ୍ଷେ ବିପ୍ର ମିଳିଲେ ଯେ ବେଦ ଧୁନି ଉଚ୍ଛାରି।୧୩୩।

ସୁଲଭ ସୁଲକ୍ଷଣୀୟେ ଅର୍ଘ୍ୟ ଦିଲେ ତୋଳି

ମାଣିକ୍ୟର ଦୀପ ଘେନି ଦ୍ୟନ୍ତି ହୁଳହୁଳି।୧୩୪।

ଶ୍ରୀକରେ ବୃହନ୍ନାରୀ କୋମଳ ପାଟ ରଜ୍ଜୁ

ଆକାଶେ ଧୁନି ଶୁଭିଲା ଅର୍ଜୁନର ରଥ ସାଜୁ।୧୩୫।

ଶ୍ରୀକୃଷ୍ଣା ବୋଇଲେ ମାଗୋ ଶୁଣ ସଇରିନ୍ଧିରୀ

ପୁତ୍ରକଇଂ ଅର୍ଘ୍ୟ ଦେବା ଗୋ ଶୁଭ ଅବଧାରି।୧୩୬।

ଶ୍ରୀକୃଷ୍ଣା ସଇରିନ୍ଧ୍ରୀ କରେ ଅର୍ଘ୍ୟ ଘେନି

ପ୍ରଥମେ ବନ୍ଦାଇଲେ ସାରଥି ଫାଲଗୁନି।୧୩୭।

ଦୁଜେଣ ବନ୍ଦାଇଲେ ଉତ୍ତର କୁମରକୁ

ଧର୍ମ ଆଶ୍ରେକରି ବାବୁ ଜୟେ ହେଉ ଯେ ତୁମ୍ଭଂକୁ।୧୩୮।

ଶ୍ରୀକୃଷ୍ଣା ବୋଇଲେ ବୃହନ୍ନାରୀ କଥାୟେ ମାଗଇ

ୟେ ମୋହୋର ପୁଅ କଥା ତୋତେ ସେ ଲାଗଇ।୧୩୯।

ଶ୍ରୀକୃଷ୍ଣା ବୋଇଲେ ବାବୁ ସଇରିନ୍ଧ୍ରୀଂକି ହୁଅ ପ୍ରଳମ୍ଵିତ

ୟେହାଂକର କଲ୍ୟାଣେ ତୋତେ ସର୍ବଶୁଭ ହୋଉ ପ୍ରାପତ।୧୪୦।

ଉତ୍ତର କୁମର ସଇରିନ୍ଧ୍ରୀ ଶ୍ରୀକୃଷ୍ଣା ଚରଣ ତଳେ ସେବି

ପରମ ଅଇଶୁର୍ଯ୍ୟ ତୋତେ ପ୍ରାପତ ହୋଉ ବୋଇଲେ ଗାନ୍ଧର୍ବୀ।୧୪୧।

ଶତ୍ରୁ ମାରିକରି ଉଭା ହୁଅସି ରେ ବଳା

ବୃହନ୍ନାରୀ ସଦୟେ ତୋତେ ସାଧୁ ଅନର୍ଗଳା।୧୪୨।

ଉତ୍ତର କୁମାର ବୋଇଲା ସାଧୁ ସାଧୁ ବୃହନ୍ନାରୀ

ଦିନେକେ କେତେ ଦୂର ରଥକୁ ବାହିପାରି।୧୪୩।

ବୃହନ୍ନାରୀ ବୋଲେ ତୁ ଯେ ମୋତେ କଲୁ ପୁଚ୍ଛା

ୟେହିକ୍ଷଣି ରଥ ବାହିପାରଇ ହୋ ଯହିଂକି ତୋହୋର ଇଚ୍ଛା।୧୪୪।

ସ୍ଵର୍ଗ ମଞ୍ଚ ପାତାଳ ଯେ ସୁତଳ ତଳାତଳ

ନିତଳ ଭୂତଳ ଯେ ରସାତଳ ଅତିତଳ।୧୪୫।

ନିର୍ଭୟେ ହୋଇ ଯେବେ ଆଗ୍ୟାଂ ଦେବୁ ମୁକୁ

ଘଡିକ ଭିତରେ ମୁଂ ରଥ ବାହିପାରେ ଚଉଦ ଭୁବନକୁ।୧୪୬।

ଜମ୍ଵୁଦୀପ କ୍ରାଉଞ୍ଚ ଦ୍ଵୀପ ରତ୍ନଦ୍ଵୀପ ଶ୍ଵେତଦ୍ଵୀପ

ଚନ୍ଦ୍ରଦ୍ଵୀପ ପଦ୍ମଦ୍ଵୀପ କୁଶଦ୍ଵୀପ ଶାକଲ୍ୟ ଦ୍ଵୀପ ରମ୍ୟେକ ଦ୍ଵୀପ।୧୪୭।

କ୍ଷାର ସମୁଦ୍ର ଇକ୍ଷୁ ସମୁଦ୍ର ସୁରା ସମୁଦ୍ର ସର୍ପି ସମୁଦ୍ର ଧବଳାଙ୍ଗୀ

ଦଧି ସମୁଦ୍ର ଦୁଗ୍ଧ ସମୁଦ୍ର ମହାଜଳ ସମୁଦ୍ର ସଉଭାଗୀ।୧୪୮।

ବାକୀ ସମୁଦ୍ର ଅନ୍ତରେ ବାସ ସେ ସମୁଦ୍ରର

ୟେ ବିଧାନେ ଅଛଇ ଯେ ନବଦ୍ଵୀପ ସପତ ସାଗର।୧୪୯।

ଯହିଂକି ଇଚ୍ଛା ତୁ କରିବୁ ବିରାଟି

କ୍ଷଣକର ମଧ୍ୟେ ମୁଂ ଯେ ସେ ପୁରେ ପାରଇ ଭେଟି।୧୫୦।

ଆହୋ ଅର୍ଜୁନର ପ୍ରତଗ୍ୟାଂମାନ ମୁଂ କହଇ ସମସ୍ତ

ସମରେ ନ ଜିଣିଲେ ମୁଂ ନ ବାହୁଡ଼ାଇ ରଥ।୧୫୧।

ଉତ୍ତର କୁମର ହସିଲା ବୃହନ୍ନାରୀ କରେ କରତାଳି ଦେଇ

ୟେତେକାଳେ ମନଇଚ୍ଛାୟେ ସାରଥି ପାଇଲଇ ମୁହିଂ।୧୫୨।

ଯେହ୍ନେକ ରଥୀ ତୁହି ତେହ୍ନେକ ସାରଥି

ଆଉର କି ସମରେ ଜିଣିମ କୁରୁପତି।୧୫୩।

ଅର୍ଜୁନ ବୋଇଲା ହୋ ବ୍ରହ୍ମା ବିଷ୍ଣୁ ମହେଶ୍ଵର କୁବେର

ଚନ୍ଦ୍ର ସୂର୍ଯ୍ୟ ମେଘ ମରୁତ ପର୍ବତ ନିଶାଚର।୧୫୪।

ଯାହାର ଆଗକୁ ବୋଲି ଆଗ୍ୟାଂଦେବୁ ମୁକୁ

ୟେହିକ୍ଷଣି ଛାମୁରେ ଭେଟାଇ ପାରଇ ତାକୁ।୧୫୫।

ଉତ୍ତର ବୋଇଲା ତାହାନ୍ତ ଜାଣିମାନା ପଛେ

ମାନଗୋବିନ୍ଦ କୋଟି ଗୋଧନ ହରଇ ପ୍ରତକ୍ଷେ।୧୫୬।

କଉରୋବନ୍ତ ଜିଣିଣ ଯେ ଆଣିମା ଗୋରୁପଲ

ଅର୍ଜୁନ ବୋଇଲା ପାଣ୍ତବଂକର ଅଟଇ ସେ ସଲ।୧୫୭।

ମକର ଶୁକଳ ପକ୍ଷ ତ୍ରୟୋଦଶୀ ଶନିବାର

ପୁନର୍ବସୁ ରୁକ୍ଷ ଭୋଗ ହେଲା ସେ ଦିନର।୧୫୮।

ପ୍ରୀତିନାମେ ଯୋଗ ପୁଣି କଉଳବ କରଣ

ମାଘ ସଂକ୍ରାନ୍ତିକୁ ଭୋଗ ସପ୍ତବିଂଶ ଦିନ।୧୫୯।

ଦ୍ଵାଦଶ ଦଣ୍ତ ଅଟଇ ଭୋଗ ଚନ୍ଦ୍ର କଲା

ଦେଢ ପ୍ରହରେ ପ୍ରବେଶ ବୃହସ୍ପତି ବେଳା।୧୬୦।

ବାମେଣ ପବନ ବହଇ ମଳୟା

ଚଳଇ ରଥ ଯେ ଈଶାନ୍ୟ କୋଣିୟା।୧୬୧।

ନଇଋତ କୋଣେ ଯୋଗ୍ନୀ ଯେ ନାରାୟଣୀ ମୂରତି

ମଗର ବାହାନେ ସେ ଚଳଇ ଦେବୀ ଧାତି।୧୬୨।

ରଥ ଚଳନ୍ତେ ସେ ବୋଇଲା ଉତ୍ତରା ବାଳୀ

ଛତ୍ରୀବର ଶିରୀଭୂଷା ଆଣିମୁଂଟି ବୃହନ୍ନାରୀ।୧୬୩।

କନ୍ୟାଂକର ତୁଲେ ମୁଂ ଖେଳିବାର ବେଳେ

କୁଣ୍ତାଇ ବିଭା ମୁଂ କରିବି କୁତୂହୋଳେ।୧୬୪।

ରଥରୁ ନେତ ପାତାଙ୍ଗ ଆଣିବୁଟି ଛିନାଇ

ଗୋଧନ ପଲ ଆଣିମୁଟି ତୋତେ କୋନ୍ତଂକର ଦ୍ଵାହି।୧୬୫।

ଶୁଣିଣ ସାନନ୍ଦ ଯେ ବ୍ୟାସଂକର ନାତି

ମଙ୍ଗଳ ଭାଷିଲେ ୟେ ଅହିଅ ଯୁବତୀ।୧୬୬।

ଉତ୍ତରା ବୋଇଲା ସମସ୍ତ ଲାଗଇ ବୃହନ୍ନାରୀ

ଦ୍ରିଯୋଧନକଇଂ ଜିଣି ଗୋଧନ ଆଣ ଭାଇକି ମୋହୋର ତାରି।୧୬୭।

ବାହଇ ତୁରିତେ ପାଣ୍ତବ ଶୁଭ ଅନକୂଳେ

ଯେସନେକ ହଂସଯୂଥ କ୍ରୀଡନ୍ତି ମହାଜଳେ।୧୬୮।

ଧବଳ କମଳ ସେ ଅଟନ୍ତି ଚାରିହୟେ

ଖେପନ୍ତି ଆକାଶେ ଦିଶନ୍ତି ସେ ଶେଣାପଚ୍ଛୀ ପ୍ରାୟେ।୧୬୯।

କିରାତ ବିବାଦେ ଯେହ୍ନେ ଖେପନ୍ତି ହରିଣ

କ୍ଷୁଦ୍ର ଘଣ୍ଟି ଘାଘୁଡ଼ି ଯେ ବାଜଇ ରୁଣ ଝୁଣ।୧୭୦।

ତିନି ଯୋଜନ ଅନ୍ତରେ ରହିଛି କୁରସାଗର ବଳ

ଲକ୍ଷେପୂର କରି ବେଢିଛି ଗୋଧନ ପଲ।୧୭୧।

ରୟଣୀ ପ୍ରଭାତେ ସେ ଯେ ଗୋଧନ ପଲ ନେମନ୍ତ ଅଡାଇ

ଅଡାବନ୍ତେ ବିହଡନ୍ତି ସେ ଅଭୟେ ଦୁଷ୍ଟ ଗାଈ।୧୭୨।

ରଥ ଗମନ୍ତେ ସେ ବିଚାରଇ କିରୀଟୀ

ହୃଦଗତେ ସୁମରଇ ସେ ପୁରୁଷୋତ୍ତମ ନାମଗୋଟି।୧୭୩।

ଜୟତୁ ଜୟ କୋଶବ କେଶୀ ଦର୍ପଗଞ୍ଜା

ଶ୍ରୀରାମ ଅବତାରେ ତାଡକୀ ଦର୍ପଭଞ୍ଜା।୧୭୪।

ଦକ୍ଷିଣ ବାରାନିଧି ମହୋଦଧିର ଉତ୍ତର କୂଳେ

ବିଜେ ଜଗତମୋହୋନ କଳ୍ପବଟ ତଳେ।୧୭୫।

ଅଢାଇ ତାଳ ଆୟତନେ ଅଣଦହନ ଭୂମି ଅଛି

ତଦ ନିମନ୍ତେ ରାମ ନିର୍ମଳ ଭୂଇଂ ବାଛି।୧୭୬।

ମଳୟ ପବନ ବସନ୍ତ ତାପ ନାଶକର ବିଧି

ସକୁଟୁମ୍ଵ ଘେନି ଦେଖି ଖଟଇ ଜଳଧି।୧୭୭।

ବାମେ ମାରକଣ୍ତ ଯେ ଡାହାଣେ ଯମେଶ୍ଵର

ପରମାନନ୍ଦ ପୁରୁଷ ଆସନ ଯୋଗ ସିଦ୍ଧେଶ୍ଵର।୧୭୮।

ମହା ବଉଦ ରୂପ କଳିକାଳ ଧ୍ଵଂସି

ଦୁରାପଦ ପାତକ ଯାହାର ଦ୍ରଶନେ ବିନାଶି।୧୭୯।

ଅଣାକାର ସୋହୋଦ୍ର ଯାହାର ଡାହାଣେ ରାମଚନ୍ଦ୍ରେ

ଦୋଷ ଉପେକ୍ଷି ସାନନ୍ଦେ ପିତାମହ ସଉଭଦ୍ରେ।୧୮୦।

ସ୍ଵାମୀ ଅଭୟେ ବାରାନିଧି ପ୍ରତେକ୍ଷେ ଦିଅ ମୋତେ ବୁଦ୍ଧି

ବିଚିତ୍ର ମହାଭାରଥ ୟେ ଅମୁଲ୍ୟ ବାରାନିଧି।୧୮୧।

ଶୁଣ ଆହୋ ଚଇତନ ମହାଭାରଥ ୟେ ସଂସାର ଜନ ହିତା

ଜନ୍ମେ ଜନ୍ମେ ଭାବଇ ମୁଂ ନାରାୟଣ ସଂଗତା।୧୮୨।

ଧବଳ କମଳ କୁଂକୁମ ନୀଳ ଉପଳ ବର୍ଣ୍ଣଗୋଟି

ମମହୃଦେ ବଘଂସୁ ସୁରଭି ପଦ୍ମ ଫୁଟି।୧୮୩।

ତୁଳୁସାର ବଲ୍ଲଭ ପ୍ରିୟବତୀର ପ୍ରାଣନାହା

ଶୁଦ୍ରମୁନି ସାରୋଳ ଦାସ ହୃଦଗତେ ଭାଗଇ ତାହା।୧୮୪।

ଅଗସ୍ତି ନାମେଣ ସେ ଯେବଣ ମହଋଷି

ପବିତ୍ର ବାଲଖିଲ୍ୟା ସେ ପିତାମହର ଶିଷି।୧୮୫।

ଅନାଗତ ପୁରୁଷ ଅବ୍ୟକତ ଅସଞ୍ଚା

ନିରାକାର ପୁରୁଷ ତୁ ଅନନ୍ତ କାଳ ବଞ୍ଚା।୧୮୬।

ପରମ ଯୋଗେଶ୍ଵର ମହାଭିଗ୍ୟଂ ଅଟଇ

ୟେକାଲୟେ ଯାହାର ମନୁକଳ୍ପ ତୁଟଇ।୧୮୭।

ଦିବା ରାତ୍ର ଅପରଚେକ ଯେବଣ ମହଋଷି

ସେ ମୁନିଂକର ତଲୟେ ମୁଂ ହୃଦଗତେ ଭାଷି।୧୮୮।

ସେ ବ୍ରହ୍ମବେତ୍ତା ମହଋଷି ଅଗସ୍ତିଂକର ପାଦତଳେ

ବାରାନିଧି ଗଣ୍ତୂଷ କଲେ ଯେ ଖେଡ଼ର କୁତୂହୋଳେ।୧୮୯।

ଜନ୍ମେ ଜନ୍ମେ ଦାସ ମୁଂ ସେ ମୁନିଂକ ଚରଣେ

ଶୂଦ୍ରମୁନି ସାରୋଳ ଦାସ ହୃଦେ ଭାବନ୍ତି ଅନୁକ୍ଷଣେ।୧୯୦।।୫୧୨୮।

**************

 

କୁରୁସୈନ୍ୟ ଦେଖି ଉତ୍ତର ପଳାୟନ,ଅର୍ଜୁନଙ୍କ ପଶ୍ଚାତ୍ ଧାବନ ଓ ନାନାଦି ଉପଦେଶ ଏବଂ କୁରିବୀରଙ୍କର ଅନୁମାନ

ଅଗସ୍ତି ଋଷି ନାମେଣ ଯେଉଂ ବ୍ରହ୍ମବେତ୍ତା

ସେ ମୁନି ବକତା ବଇବସୁତ ମନୁ ଶ୍ରୋତା।୧।

ମନୁ ପଚାରିଲା ଶୁଣିମା ଅଗସ୍ତି ହେ

ୟେଟି ଶ୍ରୀ ମହୀଭାରଥ ଚେତନା ସନ୍ଦେହେ।୨।

ଉତ୍ତରକଇଂ ଯେ ବୃହନ୍ନାରୀ ଘେନିଗଲା

କହିବା ମହାତମା ସେ କେମନ୍ତେ ହୋଇଲା।୩।

ଅଗସ୍ତି ବୋଇଲେ ଅରୁଣ ପ୍ରକାଶେ ଯେ ଋୟଣୀ ପାହାନ୍ତି

ଅଳପ କୁହୁଡି ଯେ ଧୂର୍ମ ପ୍ରାୟେ ବଘଂସନ୍ତି।୪।

ଅଡ଼ାଅ ରେ ଅଡ଼ାଅ ରେ ବୋଲି ଶୁଭଇ ମହାଗୋଳ

ହେମାରାବ ନାଦେ ଯେ ଗୋରୁଂକର ଚହଳ।୫।

ରଥଂକର ଦଡ଼ବଡ଼ିହାଥୀଂକର ଘଣ୍ଟାରାବେ

ଘଣ୍ଟା ରାବ ଶବଦେ ଯେ ବିହଡ଼ନ୍ତି ଗାବେ।୬।

ଅଶ୍ଵଂକର ହ୍ରେଷାରାବ କୁହୁ କୁହୁ ଶବଦେ

ସିନ୍ଧୁ ଘୋଷ ଜାଣି ଶୁଭଇ ଘୋରନାଦେ।୭।

ଉତ୍ତର କୁମାର ବୋଇଲା ରଥ ରୁହା ବୃହନ୍ନାରୀ

ବଣା ହୋଇଲୁକି ଦିଗ ବାରିତ ନୁଆରି।୮।

କଳିତ ନୁଆରିଲୁ ଯେ ରୟଣୀର କାଳେ

ନିୟତେ ପ୍ରବେଶ ଯେ ଆସି ହୋଇଲୁ ସିନ୍ଧୁକୂଳେ।୯।

ଆମ୍ଭେ ବହନ ହୋର ଯିବା ହୋ କୁରୁବଳ ଥାଠକୁ

ତୁହିତ ରଥ ବାହିଲୁ ସିନ୍ଧୁ ଭିତରକୁ।୧୦।

ଶୁଣି ବିସରିଲା ଯେ ପାଣ୍ତବ ବୃହନ୍ନାରୀ

ୟେହା ଛାର ବୋଲେ କିମ୍ପା ମୁଂ ଅଇଲି ରଥ ଚଢି।୧୧।

ସନ୍ୟ କି ସମୋଦ୍ର ବୋଲି ଯେବେ ୟେ ନ ଚିହ୍ନଇ ଭଲେ

କିସ ଯୁଦ୍ଧ କରିବ ୟେ ଭୀଷ୍ମ ଦ୍ରୋଣଂକର ତୁଲେ।୧୨।

ଚମ୍ପାଇ ରଥ ଯେ ବାହଇ ସର୍ବସାଚି

ଉତ୍ତର କୁମାର ତହିଂ ବହୁତ କରଇ ବାଚି।୧୩।

ନିୟତେ ପ୍ରବେଶ ଯହୁଂ ହୋଇଲାକ ରଥ

ଆକାଶୁ ଖସାଇଲା ମାତଳି ପୁଷ୍ୟେକ ଯେମନ୍ତ।୧୪।

ୟେକଦୃଷ୍ଟି କରି ଯେ ଚାହନ୍ତି କଉରୋବ

କର୍ଣ୍ଣ ବୋଇଲା ରଥ ୟେକ ଆସଇ ଗାଙ୍ଗବେ।୧୫।

ଅମର ବାରସ୍ଵତୀକି କରିଣ ୟେହୁ ତେଜ୍ୟା

କି ଅବା କଉତୁକେ ବିହଡ଼ଇ ଦେବରାଜା।୧୬।

ମାନଗୋବିନ୍ଦ ବୋଇଲା ୟେ ନୋହଇ ମଘବା

ଅଇରାବ୍ରତ ଆରୋହି ଯେ ଚଲଇ ସୁରଦେବା।୧୭।

ଶକୁନି ବୋଇଲା ୟେ ଅଟଇ କୋବେର

ଶଲ୍ୟେ ବୋଇଲେ ସଞ୍ଚକେତୁ ବିବାନ ନାହିଂ ତ ୟେହାର।୧୮।

ଧୁଶାସନ ବୋଇଲା ୟେ ଦେବ ତ୍ରିଲୋଚନ

ମହେଶ୍ଵର ରୂପେ ସେ ଯେ କରନ୍ତି ଗବନ।୧୯।

ଅଶସ୍ତମା ବୋଇଲା ୟେ ନୋହାନ୍ତି ମହାଦେବ

ରୁଦ୍ର ଦେବତା ହୋଇଲେ ସଙ୍ଗେ ଥାନ୍ତାଟି ବୃଷଭ।୨୦।

ଦ୍ରିଯୋଧନ ବୋଇଲା ୟେ ଅଟଇ ପଦ୍ମଯୋନି

ମରୁଳ ବାହାନ ନାହିଂ ବୋଲି ନାସ୍ତିକଲା ଶକୁନି।୨୧।

ଦ୍ରୋଣେ ବୋଇଲେ ଇନ୍ଦ୍ର କି ଗୋବିନ୍ଦ କି ଅର୍ଜୁନ ୟେ ତିନି

ଆନ କେ ଆସନ୍ତା କି ୟେମନ୍ତ ରଥ ଘେନି।୨୨।

ମାନଗୋବିନ୍ଦ ବୋଇଲା ମୁଂ ଇନ୍ଦ୍ର ଦେବତାରେ ନୋହଇ ବିବାଦୀ

ସେ ମୋର ସମରେ କିମ୍ପେ ଆସିବେ ଜମ୍ଭଭେଦୀ।୨୩।

ବାସୁଦେବଂକର ବାନ୍ଧବ ମୁଂ ବଳରାମଂକର ଦେଖନ୍ତେ

ସର୍ବଦା ଅନଗୃହ ସେ କରନ୍ତି ହରି ମୋତେ।୨୪।

ପାଣ୍ତବେ ମଲେ ଯେ କେବଣ ବନସ୍ତରେ ପଡ଼ି

ଆନ କେ ଆସଇ ଯେ ୟେକା ରଥେ ଚଢି।୨୫।

ୟେସନେକ ବିଚାର କରନ୍ତି ସେ କଉରୋବ ସଇନି

ରଥ ଘେନି ସନିଧ୍ୟେ ବିଜୟେ ଫାଲଗୁନି।୨୬।

ଉତ୍ତର ବୋଇଲା ତୁ ବଧୀର କିରେ ସଖୀ

ଅଗାଦ ସମୋଦ୍ର ତୁ ବିମର୍ଥେ ନ ଦେଖି।୨୭।

ବୃହନ୍ନାରୀ ବୋଇଲା ତୋହୋର ଅବଳ କି ବେନିଚଚ୍ଛୁ

ୟେତେକ ନିୟଡ଼େ କାହିଂ ସମୋଦ୍ର ଦେଖୁଅଛୁ।୨୮।

ଉତ୍ତର ବୋଇଲା ରଥ ରୁହାଇ ଦେଖ ବୃହନ୍ନାରୀ

କୂଳକୁ ଆକ୍ରେଷଇ ଯେ ସମାଦ୍ରେ ଲହରୀ।୨୯।

ଦେଖ ହାଦେ ସମୋଦ୍ରେ ଯେ ବୋଇତ ଅପାର

ମଚ୍ଚ କଚ୍ଛପମାନେ ଦେଖି ଚରନ୍ତି ସାହେର।୩୦।

ଭିତରକଇଂ ଦେଖ ଥିର ଜଳପାଣି

କ୍ଷୀରୋଦ୍ର ଘୋଷ ଶୁଭଇ ପ୍ରଳୟାନ୍ତକ ଜାଣି।୩୧।

ବିଚାରଇ ଧନୁର୍ଜୟେ ମୁଂ ଅଇଲଇ ଅନମିତେ

ୟେହିକ୍ଷଣି ପଳାଇବ ୟେ କଉରୋବ ବଳ ଦେଖନ୍ତେ।୩୨।

ଥାଠକୁ ସମୋଦ୍ର ଯେ ବୋଲଇ ଦୃଷ୍ଟିମାତ୍ରେ

ଆବର ସମର ୟେ କରିବ କେମନ୍ତେ।୩୩।

ଶୁଣ ହୋ ଉତ୍ତର ବୋଲଇ ବୃହନ୍ନାରୀ

ସାଗର ସତ ୟେ ତୋହୋର ବଚନ କେହୁ ନାସ୍ତି କରିପାରି ।୩୪।

ନିଚୟେ କୁରୁ ସାଗର ୟେ ଅଟଇ ସଇନି

ସିନ୍ଧୁ ଘୋଷ ପ୍ରାୟ ଶୁଭଇ ମୁଖଧୁନି ।୩୫।

ବାବୁ ବୋଇତ ବୋଲି ତୁ ବୋଇଲୁ ଯହିଂକି

ରଥମାନେ ସେହୁଟି ତୁ କିମ୍ପାଇ ନ ଦେଖି ।୩୬।

ମଚ୍ଛ କଚ୍ଛପ ତୁ ଯାହା ବିଚାରୁ ବୃଦଗତେ

ଗଜ ଅଶ୍ୱମାନେ ତ ସେ ଅଟନ୍ତି ଯୁଗତେ ।୩୭।

ତୁ ଯେ ବୋଇଲୁ ଭିତରେ ଥିରପାଣି ଭଲ

ଥାଠ ବେଢିଛନ୍ତି ତୋହୋର ଗୋରୁପଲ ।୩୮।

ଧବଳ କମଳ ସେ ଯେ ଅଟନ୍ତି ଗୋଧନ

ଥିରଜଳ ପ୍ରାୟେ ସେ ଦିଶନ୍ତି ବିଦ୍ୟମାନ ।୩୯।

ଲହଡ଼ି ବୋଲି ତୁ ଯାହା ବୋଇଲୁ ହୃଦଗତେ

ରଥଂକର ଉପରେ ଯେ ଉଡ଼ନ୍ତି ପାତାଙ୍ଗ ନେତେ ।୪୦।

ଧୃତରାଷ୍ଟର ନନ୍ଦନ ସେ ଅଭୟେ ଚୂଡାମଣି

ଅପ୍ରମିତ ଥାଠ ତାହାର ଅଷ୍ଟାଦଶ କ୍ଷେଉଣୀ ।୪୧।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ସୋମଦତ୍ତ ବାଲମ୍ବିକ

ଇନ୍ଦ୍ର ଗୋବିନ୍ଦ ଜିଣିମାକୁ ସାମରଥ ୟେକୁ ୟେକ ।୪୨।

ଉତ୍ତର ବୋଇଲା ରହ ରହ ବୃହନ୍ନାରୀ

ୟେ ସେ ମାନଗୋବିନ୍ଦ କଉରୋବ ଅଧିକାରୀ ।୪୩।

ତନ୍ତ୍ରୀପାଳ ଗୋପାଳ ୟେମନ୍ତ ବୋଲି କହିଲା କି ମୋତେ

ମୁହିଂ ବିଚାରିଲି ଅବା ଅଇଲେ ଜଣ ଚାରି ପାଞ୍ଚ ସାତେ ।୪୪।

ଗୋଧନ ପଲକୁ ଯେ ନେଉଛନ୍ତି ଓଡାଇ

ତେମନ୍ତ ପ୍ରାୟେ ବୁଝି ଅଇଲଇଂ ବେଗେ ମୁହିଂ ।୪୫।

ୟେତେ ବଳ ଧରି ଯେବେ ବାହିଲା କୁରୁପତି

ୟେକା କଇବ୍ରତକେ କାହିଂ ସମୋଦ୍ର ହୋୟେ ମନ୍ଥି ।୪୬।

ନବଜୂଣମାତି ରହିଅଛି ଯେବଣ ଥାଠ

ମୁହିଂ କେମନ୍ତେ ୟେକା ସମର କରିବଇଂ ବାଳଚାଟ ।୪୭।

ଅର୍ଜୁନ ବୋଇଲା ଶୁଣଶି ୟେକା ଜଣଂକର ମହିମାଂ

ୟେକା ସପତ ସାଗର ଗଣ୍ତୁଷ କଲେ ଯେ ଅଗସ୍ତି ମହାତମା।୪୮।

ୟେକା ଜୟନ୍ତିକ ତୋଳିଲା ଅଚଳ

ୟେକା କାଳୀ ଯେ ମନ୍ଥିଲା ସପତ ସିନ୍ଧୁ ଜଳ ।୪୯।

ୟେକା ଭୀମସେନକେ ଯେ ନାଶଗଲା ଜାରା

ୟେକା ପରଶୁରାମେକ ୟେକୋଇଶି ବାର ପୃଥୀ ନିଛତ୍ର କଲା ।୫୦।

ତ୍ରେତୟା ଯୁଗରେ ପୁଣ ମହାବଳୀ ହନୁ

ରାକ୍ଷସ ବଳ ଧଂସିଲା ୟେକା ପବନର ତନୁ ।୫୧।

ୟେକା ଗରୁଡ଼କେ ଯେ ଉଡଙ୍ଗ ବଳ ଧଂସି

ୟେକାୟେ ଅନ୍ଧେକ ବଳ ନାଶିଲେ ଦେବକାଶୀ ।୫୨।

ବୃହନ୍ନାରୀର ବଚନେ ୟେ ଉତ୍ତର ବୋଇଲା

ୟେହାଂକର ତୁଲେ କିୟେ ୟେଥେ ବଳବନ୍ତ ହୋଇଲା ।୫୩।

ଶୁଣିକରି କୋପବାକ୍ୟ ଯେ କହଇ ବୃହନ୍ନାରୀ

ରାଜାର କୁମାର ତୋତେ ବୋଲି ତ ନୁଆରି ।୫୪।

ୟେତେକ ବିକ୍ରମେ ଯେବେ ନାହିଂ ପରାକ୍ରମ

କଉରୋବ ବଳକୁ କିମ୍ପା ଇଚ୍ଛାକଲୁ ସାଂଗ୍ରାମ ।୫୫।

ପର୍ବତ ଚୂର ହୋଅନ୍ତି ଯାହାର ପଲାଣିଲେ ଥାଠ

ନଉସହସ୍ର ରାଜା ଜିଣି ଯେ କଲା ୟେକପାଟ ।୫୬।

ମାତା ପିତାକୁ ଯେ ନ କରଇ ନମସ୍କାର

ମାନଗୋବିନ୍ଦ ବିରଧୂ ବାନା ଅଟଇ ଅନୁବ୍ରତେ ଯାହାର ।୫୭।

ଉତ୍ତର ବୋଇଲା ମୁଂ ଅଗ୍ୟାଂନ ତୁ ଯେବେ ୟେହା ଜାଣୁ

ଅଗାଦ ସମୋଦ୍ର ଭିତରକୁ କିମ୍ପେ ମୋତେ ଆଣୁ ।୫୮।

ରାଜାର କୁମାର ମୁଂ ବୟସେ ବାଳୁତ

ମୋତେ ପ୍ରମାଦ ପଡ଼ିଲେ ତୋତେ ବାଚ ହେବ ଉକତ ।୫୯।

ମଘଦେଶ ମଚ୍ଛଦେଶର ଯେତେକ ସମ୍ପ୍ରତି

ବିରାଟ ଅଭାବେ ମୁଂ ହୋଇବି ଆଧିପତି ।୬୦।

ୟେତେବଡ଼ ସମ୍ପଦ ମୁଂ ଛାଡ଼ିମି କେମନ୍ତେ

ତୁ ସଖୀ ବୃହନ୍ନାରୀ ଗୋ କଟାଳ ନ କରସି ମୋତେ ।୬୧।

ନିଅନ୍ତୁ ଗୋଧନ ମୋହୋର ପ୍ରିଓଜନ ନାହିଂ ତେଣେ

ବାହା ମୋହୋର ରଥ ପିଅର ଅଛନ୍ତି ଯେଣେ ।୬୨।

ବୃହନ୍ନାରୀ ବୋଇଲା ତୁ ଜୀବନକୁ କଲୁ ଇଛା

ଅସ୍ତାନେ ଶାଢୀ ଘେନି ଯେ ହୋଇଲୁ କଟକ ରକ୍ଷା ।୬୩।

ଆହୋ ଉତ୍ତର କନ୍ୟାଂକର ପୁରେ ତୁ ପ୍ରତଗ୍ୟାଂ କଲୁ ଯେତେ

ମହା ସାର୍ଥୁକ ଛତ୍ରୀପ୍ରାୟେ ମଣିଥିଲି ତୋତେ ।୬୪।

ଛତ୍ରୀକୁଳେ ବାବୁ ତୁ ଯେ ହୋଇଅଛୁ ଜାୟେ

ଅନ୍ତେ ଦେଖିଲି ତୋତେ ମୁଂ ଅଜା ଯୂଥ ପ୍ରାୟେ ।୬୫।

ମୁହିଂ ତୋତେ ଯେ ଦୃଢ କରାଇଲି ବହୁତ

ବୋଇଲି ଶତ୍ରୁକୁ ନ ଜିଣିଲି ନ ବାହୁଡ଼ଇ ମୋର ରଥ ।୬୬।

ସିଂଘ ପ୍ରାୟେ ହୋଇ ଯେ ମିଳିଲୁ ଥାଠ କତି

ଯୁଝ ଗୋଟାୟେ ଯୁଝନିକା ବାହୁଡ଼ି ଲୋଡୁ ଝାତି ।୬୭।

ସାରଥି ପଣେ ମୋହୋର ୟେସନେକ ବୁଦ୍ଧି ଅଛି

ମୋହୋର ଥିଲେ ତୋତେ ପ୍ରମାଦ ନାହିଂ କିଛି ।୬୮।

ଉତ୍ତର କୁମାର ବୋଇଲା ତୋତେ ପଶିଲଇଂ ଶରଣ

ମୋତେ ତାରିଲେ ତୋତେ ଅଛି ଅପାର କାରଣ ।୬୯।

ଅପ୍ରମାଦେ ଯେବେ ମୋତେ ନେଇ ପିତାକଇଂ କରାଇପାରୁ ଭେଟି

ଶିରେ ଅଭିଷେକ ତୋତେ କରାଇବି ରତ୍ନକୋଟି ।୭୦।

ଲକ୍ଷେ ଗୋଧନ ତୋତେ ଦେବିଇଂ ଗାଈ ଧେନୁ

ଲକ୍ଷେକ ଗଜ ଦେବି ତୋତେ ଭଗତି କିମ୍ପେ ନ ଘେନୁ ।୭୧।

ଲକ୍ଷେକ ଚୋଖାର ତୋତେ ଦେବଇଂ ତୁରଙ୍ଗ

ପ୍ରବାଳ ରତ୍ନମୟେ କରିବି ତୋର ଅଙ୍ଗ ।୭୨।

ଆହୋ ବୃହନ୍ନାରୀ ଅସମୟ କାଳେ ତାରନ୍ତି ଯେବଣ ପ୍ରାଣୀ

ପରମ ପୁରୁଷ ତୁଲେ ତାହାନ୍ତହିଂ ଗଣି ।୭୩।

ଦନ୍ତେ ତିରଣ ଘେନି ତୋତେ ଧରଇ ବୃହନ୍ନାରୀ

ୟେ ଦୁସହ କଷଣୁ ମୋତେ ଘେନିଯାଅ ତାରି ।୭୪।

ବୃହନାରୀ ବୋଇଲା ଯେବେ ଅଇଲୁନି ୟେତେ ଦୂର

ଘାନ୍ତିୟେ ହାବୋଡା ହେଉକିନା ରାଜାଂକ ଛାମୁର ।୭୫।

ଆହୋ ଉତ୍ତର ପନ୍ନଙ୍ଗା ନାରାୟଣ ୟେ ମାନଚକ୍ରବ୍ରତୀ

ଉଭୟେ ଦ୍ରଶନେ ତୋହୋର ଫିଟିବ ଦୁର୍ଗତି ।୭୬।

ଉତ୍ତର କୁମାର ବୋଇଲା ମୁଂ ମନ୍ଦକୃତ୍ୟ କଲି

ଦେଖୁ ଦେଖୁ ମୁହିଂ ଜଳପ୍ରଭା ପିଠିରେ ଭେଳା ଚଢିଲି ।୭୭।

ଲେଞ୍ଚର ତୁଲେ ପୀରତି ସେ ବଢାଇଲି ମୁହିଂ

ଧର୍ମ ବୁଡ଼ାଇଲି ମୁହିଂ ନିର୍ଲଜେ ମଇତ୍ର ହୋଇ ।୭୮।

ଦେଖୁ ଦେଖୁ ନପୁଂସେକ ମୁଂ ଅଇଲଇଂ ତୁଲେ

ଅଯାତ୍ରିକ ମେଳେ ଆସି ଯିବଇଂ କି ଆଉ ଭଲେ ।୭୯।

ବୃହନ୍ନାରୀ ବୋଇଲା ଶୁଣ ହୋ ମହାରଥୀ

ସାଂଗ୍ରାମେ ଓହୋବଳ ଭେଟେ ଅଶ୍ୱମେଧେ ଯଗ୍ୟଂ ଫଳଶ୍ରୁତି ।୮୦।

ବଳୀ ବେଣୁ ମାନଧାତା ଜାନୁଘଣ୍ଟ ପୁରୁରବା ପରଶୁରାମ ଛଡ ଚକ୍ରବ୍ରତୀ

ୟେମାନେହେଂ ଗଲେ ୟେବେ ରହିଅଛଇ କୀର୍ତ୍ତି ।୮୧।

ୟେତେ ବୋଲି ରଥ ୟେ ବାହିଲା ଚମ୍ପାଇ

ଭୟେ ଉତ୍ତର କୁମାର ରଥୁଂ ପଡିଲାକ ଡେଇଂ ।୮୨।

ପାଞ୍ଚଭେଡା ୟେକ ଭେଡାୟେ କରି ପଳାଇଲା କୁମରମଣି

ଦେଖିଣ ହସଇ ସେ ବୃହନାରି ମନେ ଗୁଣି ।୮୩।

ନିର୍ଲଜ ପାମର ୟେ ୟେହାର ପାପପୁଣ୍ୟକୁ ନାହିଂ ଗ୍ୟାଂନ

ଉଭୟ ସଂକଟେ ପଡି ମୁଂ ହୋଇଲି ପ୍ରତଗ୍ୟାଂ ହୀନ ।୮୪।

ମୋହୋର ଦେଖନ୍ତେ ଯେବେ ଗୋଧନ ହରଣ ହୋଇବ

ଆମ୍ଭନ୍ତ ଆଶ୍ରେକରି ବିରାଟ ସଂପଦ ନାଶଯିବ ।୮୫।

ମୁହିଂ ଯେବେ ରାଜ୍ୟହୁଂ ନ ଆସନ୍ତି ଅଥବା

ଗ୍ୟାଂନେ ଅଗ୍ୟାଂନେ ମୋହୋର କିମ୍ପେ ଦୋଷ ହୋଅନ୍ତାଟି ଅବା ।୮୬।

ପ୍ରତଗ୍ୟାଂ ସାମର୍ଥ୍ୟ ଦେଖିଲି ଧଉର୍ଯ୍ୟ ପଣେ

କାଳେ ହୀନବୀର୍ଯ୍ୟ ହୋଇ ନ ଟେକିଲା ବଡପଣେ ।୮୭।

ମୁଂ ଯେବେ ବହୁଡ଼ିଣ କରିବି ଗବନ

ଠାକୁରେ କୋପ କରିବେ ଛତ୍ରୀକୁଳକୁ ଦୂଷଣ ।୮୮।

ସହଦେବ କହିଲା ଅଗ୍ୟାଂତବାସ ଅଛି ଦିନ ଯେ ଅଳପ

ବହୁତ ଗଲାନି ଆଡ ଅଛଇ କଣକଳ୍ପ ।୮୯।

କରିବି ସମର ମୁହିଂ କଉରୋବଂକର ତୁଲେ

ଧର୍ମ ଉଦିତ ହୋଇବନା ଗୋଧନ ଛଡାଇଲେ ।୯୦।

ମୁହିଂ ଅବା ୟେଥୁଂ ଆଜ ବାହୁଡ଼ି ଯିବି ଘୁଞ୍ଚି

ଭୀମସେନ ଠାକୁରଂକ କୋପକୁ ଜୀବନ କାହାର ଅଛି ।୯୧।

ୟେତେକ ବିଚାରି ଯେ ପାଣ୍ତବ ବିବଚ୍ଛେ

ଉତ୍ତର କୁମାର ପଳାବନ୍ତେ ବୃହନାରୀ ଗୋଡାଇ ପଛେ ପଛେ ।୯୨।

ତିରୀ ବେଶ ଅଳଂକାର କବରୀ ଭାର ଖୋଷା

ପୟରେ ନେପୂର ଗମନେଣ ମନରୂପା ।୯୩।

କର୍ଣ୍ଣର ହାଥେ ମାନଗୋବିନ୍ଦ କରତାଳ ଦେଇ

ଉପହାସ କରିଣ ଯେ ପୁଛିଲା କୁରୁସାଇଂ।୯୪।

ତିରୀ ଗୋଟିୟେ ଗୋଡାଇ ଅଛି ଅତିୟ ସୁବେଶ

ବିଦ୍ୟାଧର ପରାୟେ ତ ପଳାଇ ପୁରୁଷ ।୯୫।

ଶୁଣି ପ୍ରତିଉତ୍ତର ଦିଲାକ ମାତୁଳ ଶକୁନି

ବିରାଟ ଆସୁଥିଲା ଶରଣ ନିମନ୍ତେ ଶ୍ରୀକୃଷ୍ଣାକୁ ଘେନି ।୯୬।

ଭୟେଣ ଘୁଞ୍ଚିଲା ସେ ଦୃଭାର ବଳ ଦେଖି

ପଳାଇ ବିରାଟ ଯେ ଯାନ ବାହାନ ଉପେକ୍ଷି ।୯୭।

ନିର୍ଭୟେ ସ୍ତିରୀ ସେ ଯେ ପ୍ରକୃତି ମହାଦୁଷ୍ଟା

ତେଣୁକରି ବିରାଟକୁ ଗୋଡାଇ ଶ୍ରୀକୃଷ୍ଣା ।୯୮।

ଭୀଷ୍ମେ ବୋଇଲେ ଯେ ଦ୍ରୋଣକଂର ସନ୍ନିଧର

ପଳାନ୍ତାକୁ ଗୋଡାନ୍ତା କେ ତୁମ୍ଭେ କେମନ୍ତେ ବିଚାର ।୯୯।

ଶୁଣିଣ ପ୍ରତିବାକ୍ୟ ୟେ ଭାରଦ୍ୱାଦଶଂକର ତନୁ

ପଳାନ୍ତା ଲୋକ କେଟି ଆମ୍ଭେ ତ ନଜାଣୁ ।୧୦୦।

ଗୋଡାନ୍ତା ଲୋକ ତ ସରୂପ ଯୁବତୀ

ପ୍ରତକ୍ଷେ ଦିଶଇ ତ ଅର୍ଜୁନର ପାଦଗତି ।୧୦୧।

ଭୀଷ୍ମେ ବୋଇଲେ ହୋ ସରୂପ ୟେହୁ କଥା

ଗୁରୁଂକର ବଚନ କେ କରିବ ଅନ୍ୟସ୍ତା ।୧୦୨।

ଭୀଷ୍ମ ଦ୍ରୋଣଂକର ବଚନେ କଉରୋବ ଉପହାସି

ଗୋଧନ ହରଣେ କେ ବୋଇଲା ତୁମ୍ଭନ୍ତ ଆସି ।୧୦୩।

ୟେତେ ବଡ ଛତ୍ରୀ ହୋଇ ଗ୍ୟାଂନ ଯେ ଉପେଖ

ଦିବସେ ପାଣ୍ତବନ୍ତ ସପନେ ତୁମ୍ଭେ ଦେଖ ।୧୦୪।

ଅଗ୍ୟାଂନ ଅପଣ୍ତିତ ଅଭାଗୀ ଅମର୍ଯାତା

ଅନୁବ୍ରତେ କରୁଥାଅ ତୁମ୍ଭେ ପାଣ୍ତବଂକର ଚିନ୍ତା ।୧୦୫।

ଚାରିଦିଗର ବାରତା ଡଗରେ ଗୁପତେ କହିଲେ

ପାଣ୍ତବଂକର ବର୍ଣ୍ଣଚିହ୍ନ ଖୋଜି ନ ପାଇଲେ ।୧୦୬।

ବନସ୍ତେଣ ପାଣ୍ତବେ ମଲେ ଅନ୍ନ ଶାସ୍ତି

ଅର୍ଜୁନକୁ ମାରିଣ ଦାନବେ ନେଲେକ ଦ୍ରୋପତୀ ।୧୦୭।

ନକୁଳ ସହଦେବ ମଲେ କେଣେ ପଡ଼ି

ଅର୍ଜୁନ ଅର୍ଜୁନ ବୋଲିଣ ତୁମ୍ଭେ ଅହର୍ନିଶି ଲୋଡ଼ି ।୧୦୮।

ଅଥବା ପାଣ୍ତବେ ଥିବେ ଯେବେ ବ୍ରତି

ଅଗ୍ୟାଂତବାସ ଅଛି ତିନିଦିନ ଲାଗୁତି ।୧୦୯।

ହିତେଣ କହିଲେ ଯେ ନୋହିଲା ତାହାନ୍ତ ଭଲ

ଗୁଣଗ୍ରାହୀ ନାଥ ହୋଇ ସୋଦରାନ୍ତ ନାଶକଲ ।୧୧୦।

ପାଣ୍ତବ ପାଣ୍ତବ ବୋଲି ପାଡୁଥାଅ ବୋବି

ପୁଣିହିଂ ପାଣ୍ତବେ ଯେ ମରନ୍ତୁ ବନେ ସେବି ।୧୧୧।

ଭୀଷ୍ମେ ବୋଇଲେ ବରଷେ ତେରଦିନ ଅଗ୍ୟାଂତବାସ

ବରଷେ ସମାପତ ହୋଇଲାନି ବଳିଲା ଦଶ ଯେ ଦିବସ ।୧୧୨।

ଯୁଗତେ ସାତଦିନ ହାଦେ ଗଲାନି ବଳି

ତୁମ୍ଭର ଲେଖାରେ ସେ ତିନିଦିନ ଲାଗୁତି କରି ।୧୧୩।

ଭୀଷ୍ମେ ବୋଇଲେ କିଛି ନ ବୋଲନି ଦ୍ରୋଣେ

ଅଥବା ଅର୍ଜିୁନ ହୋଇଲେ ଜାଣି ସିନା ୟେହିକ୍ଷଣେ ।୧୧୪।

ବହୁତ ଉପହାସ୍ୟେ ଦ୍ରୋଣ ହୋଇଲେ ତୁନି

ଉତ୍ତର କୁମରକଇ ଗୋଡାଇ ଧଇଲା ଫାଲଗୁନି ।୧୧୫।

କୋଳ କରିଣ ଅର୍ଜୁନ ଧଇଲା ଆକ୍ରୋଷି

ଶିରେଣ କର ତାଡ଼ି ଉତ୍ତର କୁମର ବସି ।୧୧୬।

ଛାଡ ଛାଡ ବୃହନ୍ନାରୀ ଦଇନି କରଇ ତୋତେ

ମହାଭୟ ଲାଗିଲା ମୋତେ ଧରୁ ତୁ କିସ ଅର୍ଥେ।୧୧୭।

ଭକତି ଘେନିଣ ମୋତେ କରିବା ଉପେକ୍ଷା

ଭାର୍ଗବ ଗୋତ୍ର ମୋହୋର ସଖି କରୁ କିନା ରକ୍ଷା ।୧୧୮।

ଆହୋ ରେଜୁ ଲଗାଇ ଶ୍ୱାନକୁ ହୋ ନେଉଟାଇ ପକାଇଲେ

ଜୀବନ୍ତା ଜୀବ ଧରି ହୋଇବ କି ତାହାର ବେଳେ ।୧୧୯।

ବୃହନ୍ନାରୀ ବୋଇଲା ତୁ ଯେ ହୋଇଲୁ ନିସତ

ଜୀର୍ଣ୍ଣକୂପେ ପଡ଼ିଲା ତୋହୋର ଧର୍ମ ଯେ ସୁକୃତ ।୧୨୦।

ସଂଗ୍ରାମ କରି ଯେବେ ଜିଣିଲା କୁରୁଥାଠ

ଜୀବନ୍ତେ ସାଧୁ ଧୁନି ମଲେଣ ବଇକୁଣ୍ଠ।୧୨୧।

ବାବୁ ସମର କରି ଯେବେ ପଡ଼ିବୁ ରଣଯଜ୍ଞେ

ବୈକୁଣ୍ଠ ବେତ୍ରକେ ଆନ ଅଛଇ କି ସ୍ୱର୍ଗେ ।୧୨୨।

ବାବୁ ଛାତ୍ରୀବୃତ୍ତିପଣ ହାଦେ ବଡାଇ ଦୁର୍ଲଭ

କିସ ଅର୍ଥେ ଉପେଖୁଅଛୁ ତୁ ୟେତେକ ସୁଲଭ ।୧୨୩।୪୭୫୧।

****************

 

Unknown

ଶୁକ୍ର ମହାରାଜାଙ୍କର ଉପାଖ୍ୟାନ

ଶୁଣ ହୋ ଉତ୍ତର ହରିହର ବଂଶେ ଶୁକ୍ର ବୋଲି ମହାରାଜା

ଆଦି ମୀନ ଗୋରେଖ ବୁଧ ବୋଲି ଚାରି ଯେ ଆତ୍ମଜା ।୧।

ବଡାଇ ପ୍ରତାପୀ ରାଜା ଜଗତେ ବିଖ୍ୟାତି

ବଇଦର୍ଭ ଦେଶର ସେ ଅଟଇ ଆଧିପତି ।୨।

ଦାନେଣ ସୁରବନ୍ତା ସେ ସାଂଗ୍ରାମେ ସୁରବନ୍ତା

ଅହର୍ନିଶି ପରଥାଠେ ପରରାଷ୍ଟ୍ରେ ଜଗୁଜିତା ।୩।

ଲକ୍ଷେକ ଦିହୁଡ଼ି ସେ ଦିବସେ ଲଗାଇ

ପୃଥ୍ୱୀରେ ୟେକାଙ୍ଗ ଠାକୁର ବୋଲି ବୀରଧୂ ଭଣାଇଂ ।୪।

ଆହୋ ଉତ୍ତର ସେ ଚାରିକୁମରେ ଯେ ତିଆରିଲେ ପିତାକୁ

ଭୋ ପିତା ଦଣ୍ତ ନ କର ଆଉ ପରରାଷ୍ଟ୍ରକୁ ।୫।

ଅପାର ହୋଇଲୁନି ହତ୍ୟାରେ ବିବାଦି

ବହୁତ ଛେଦନ ଦୋଷେ ତପ ନୋହୋଇ ସାଧି ।୬।

ପୁତ୍ରଙ୍କର ବଚନ ରାୟେ ନ ଶୁଣିଲା କର୍ଣ୍ଣେ

ଅରବିନ୍ଦ ଦେଶକୁ ଦଣ୍ତ ଘେନି ଚଳିଲା କୋପମନେ ।୭।

ପୁତ୍ରେ ଅପସରିଲେ ୟେ ପିତାର ଅତି ପାପେ

ପ୍ରାଚୀ କପାଳେଶ୍ୱରେ ବସିଲେ ଯାଇଂ ତପେ ।୮।

ଅରବିନ୍ଦ ଦେଶକୁ ଶୁକ୍ରରାଜା ଦଣ୍ତ ଚଳାଇଲେ ଯେତେବେଳେ

ତାହାର ଦେଶକୁ ବାହିଲା ମଗଧ ଆଖଣ୍ତଳେ ।୯।

ତୁଚ୍ଛା କଟକେ ସେ ମଗଧେଶ୍ୱର ପଶି

ଧନଭଣ୍ତାର ଜୂର କଲା ଅନେକ ଜନ ଧ୍ୱଂସି ।୧୦।

ନବତନ ଯୁବାସ୍ତିରୀମାନନ୍ତ ଯେ ଧରି

ଚାପେଣ ଧରି ଘେନିଗଲା ସୁନ୍ଦର ପୁଅନ୍ତ ଆଦିକରି ।୧୧।

ଚାରି କୁମାରେ ସେ ତପ କରୁଥିଲେ

ରାଜ୍ୟରେ ବିପତ୍ତି ବୋଲି ତାଙ୍କୁ ନାରଦେ କହିଲେ ।୧୨।

ନାରଦଙ୍କ ବଚନ ଶୁଣି ଶୁକ୍ର ରାଜାର ପୁତ୍ର ଚାରି

ରାଜା ରାଜ୍ୟରେ ନାହିଂ କେମନ୍ତେ ଲଂଘିଲା ଦଣ୍ତଧାରୀ ।୧୩।

କୁଟୁମ୍ବ ବିନାଶନେ ସେ ଚାରି ଯେ ଆତ୍ମଜା

ହୋଇଲେ ଶହସ୍ରଧାରୀ ତପଧର୍ମ କଲେ ତେଜ୍ୟା ।୧୪।

ଅଜଙ୍ଗ କୋଦଣ୍ତ ଯେ ପିନାକ ଆଦ୍ରାବଳୀ

କରେ ଶହସ୍ର ଧରି ଚାରିହେଂ ଆଖଣ୍ତଳ ରାଜାଙ୍କୁ ଓଗାଳି ।୧୫।

ବହୁତ ରଣଗୋଳ ଯେ ହୋଇଲା ସମର

ଅନେକ ରଥ ଗଜ ଅଶ୍ୱ ପାଦାନ୍ତି ପଡ଼ିଲେ ତାହାର ।୧୬।

ସଇନି ପଡନ୍ତେ ଯୋଦ୍ଧାୟେ ବେଢିଲେ ଶସ୍ର ଘେନି

ବୁଧ ଗୋରେଖ ସେ ଯେ ପଡ଼ିଲେ ପୁତ୍ରବେନି ।୧୭।

ଆଦି ମୀନ ଦୁହେଂ ଅନେକ ସମର କଲେ

ଅନେକ ପୟେଡ଼ କରି ତାହାର ସଇନି ମାରିଲେ ।୧୮।

ରାଜାକଇଂ ସମରେ ଆଣିଲେ ବନ୍ଦୀକରି

ପୁଣି ଛାଡ଼ିଦେଲେ ଧର୍ମ ଯେ ସୁମରି ।୧୯।

ସମସ୍ତ ଧନ ଭଣ୍ତାର କୁଟୁମ୍ବ କାମେନୀ

ସବୁନ୍ତି ହିଂ ଛଡାଇ ଆଣିଲେ ପୁତ୍ର ବେନି ।୨୦।

ଯେବଣ ପୁତ୍ର ବେନି ପଡ଼ିଲେ ରଣଭୂମି

ଅମର ସିଂହାସନେ ତାଙ୍କୁ ବସାଇଲେ ସସ୍ରଯୋନି ।୨୧।

ପୁଣ ସମୟେକେ ଯେ ମଲେ ସେ ପୁତ୍ର ବେନି

ଚାରି ପୁତ୍ରନ୍ତ ରାଇ ଆଗ୍ୟାଂ ଦିଲେ ପଦ୍ମଯୋନି ।୨୨।

ରାଜାର କୁମର ହୋଇ ତୁମ୍ଭେ ୟେତେକ ଗ୍ୟାଂନବନ୍ତ

ମହା ପଣ୍ତିତ ରୂପେ ତୁମ୍ଭେ ଚାରିହେଂ ହୋଅ ଜାତ ।୨୩।

କରତା ନାଥର ଆଗ୍ୟାଂ ପରମାଣ କରି

ମହାପଣ୍ତିତ ହୋଇ ଜନ୍ମିଲେ ଶୁକ୍ରର ପୁତ୍ର ଚାରି ।୨୪।

ସାର ପିକ ଦ୍ରୋଣ ଶୁକ ଚାରିପକ୍ଷୀ ହୋୟେ

ପରମ ନିରାକୁଳ ସେ ଧନପକ୍ଷୀ ଅଟନ୍ତି ସ୍ୱଂୟେ ।୨୫।

ସୋମପାଳ ନାମେ ବଟ ମେରୁ ପଛିମ ପାରୁଶେ

ଆକାଶକଇଂ ଡାଳ ଉଚ୍ଛର୍ଗ ଯେ ଯୋଜନ ପଞ୍ଚାଶେ।୨୬।

ଶତେ ଶତେ ଯୁଣ ତହିଂର ଚାରିଡାଳ

ଶତେ ଯୁଣ ଆୟେତନ ଅଟଇ ତହିଂର ମୂଳ ।୨୭।

ସେ ବଟର ଡାଳରେ ଚାରିହେଂ ଛନ୍ତି ହାଦେ ବସି

ଆକାଶ ଡାଳେଣ ସେ ଭୂଷଣ୍ତ କାକ ସ୍ୱର୍ଗବାସୀ ।୨୮।

ପ୍ରଳୟ ଉତ୍ତାରଣ ସେ ଅଟନ୍ତି ଚାରୀପକ୍ଷୀ

ମାରକଣ୍ତ ପୁରାଣ ଗତ ଆଗତ ସେ କହନ୍ତି ବସି ।୨୯।

ଷାଠିୟେ ସହସ୍ର ଚେଲା ଯେ ବେଦବ୍ୟାସଂକର ଅଟଇ

ସବୁଂକରି ମଧ୍ୟ୍ୟେ ଯେ ଜୟମୁନି ଶ୍ରେଷ୍ଠ ହୋଇ ।୩୦।

ସେ ଜୟମୁନି ଶ୍ରୋତା ଯେ ଧର୍ମପକ୍ଷୀ ବକତା

ସେ ସେ କହୁ ଅଛନ୍ତି ଚାରି ଯୁଗର ପ୍ରସନ୍ନ ବାରତା ।୩୧।

ଶୁଣ ହୋ ଉତ୍ତର କୁମର ବଦୟନ୍ତି ବୃହନ୍ନାରୀ

ପରମ ଗତି ପାଇଲେଟି ସମରାଜ୍ୟ କାରଣ କରି ।୩୨।

ୟେହେନ୍ନେକ କାରଣଟି ପିତାର କାର୍ଯ୍ୟ କଥା

ଇହଲୋକ ପରଲୋକ ତାରଇ ସର୍ବସ୍ଥା ।୩୩।

ବାହୁଡ଼ି କରି ରଥେ ବସ ହୋ ବିରାଟି

ପରମ ଗତି ପାଇବୁଟି ତୁ ମାନଗୋବିନ୍ଦ ଭୀଷ୍ମ ଦ୍ରୋଣ ଭେଟି।୩୪।

ଉତ୍ତର ବୋଇଲା ମୋତେ କହିଲୁ ପୁରାଣର ବାଗେ

ଶାସ୍ର ଶୁଣାଇଲେ କିସ ବା ହୋଇବ ବଧିର ଜନ ଆଗେ ।୩୫।

ବୃହନ୍ନାରୀ ବୋଇଲା ଯେ ପୂର୍ବେ ଶାହାସ୍ର ନ ଶୁଣିଲା

ଆହୋ ଉତ୍ତର ତହିଂର ଦୋଷ ସେ ବଧିର ହୋଇଲା ।୩୬।

ଆହୋ ବୃହନ୍ନାରୀ ବଧିର ଆଗେ ଫେଇଲେ ଶାସ୍ରପୋଥି

ପୂର୍ବଜନ୍ମକୁ ସୁମରି ସେ ପାଇବାନା ସଦଗତି।୩୭।

ଉତ୍ତର କୁମର ବୋଇଲା ମୁଂ ନ ଶୁଣଇ ତୋହର ବାଣୀ

ପଳାଇବା କଥା ମୋତେ ଅମୃତରସ ଜାଣି ।୩୮।

ଶୁଣିଣ ବୃହନ୍ନାରୀ ହୋଇଲା ଥମ୍ବୀଭୂତ

ଜାତ ହୋଇଲେ ମୃତ୍ୟୁ ଯେ ହୋଅଇ ନିୟତ ।୩୯।

ଆହୋ ଉତ୍ତର ବ୍ରାହ୍ମଣ ହୋଇ ଯେବେ ଜଳକୁ କରଇ ଭୟେ

ସ୍ତିରୀ ହୋଇଯେବେ ଅଗ୍ନିରେ ନ ଦିଅଇ କାୟେ ।୪୦।

ଛତ୍ରୀ ହୋଇ ଯେବେ ଡରଇ ସାଂଗ୍ରାମେ

ଅନେକ ଅବସ୍ଥା କରି ତାକୁ ଦଣ୍ତ ଦିଅଇ ଯମେ ।୪୧।

ଉତ୍ତର ବୋଇଲା ତୁ ଯେ ଅଟୁ ନଫୁସକ

ରଣେ ମଲେ ତୁ ପାଇବୁ ଆନ ଜନ୍ମେ ସୁଖ ।୪୨।

ତୁ ଯେ ବୃହନ୍ନାରୀ ମରଣକୁ ପଡୁଅଛୁ ମାଡ଼ି

ମୁଂ କିଂପା ନାଶଯିବି ୟେତେ ସମ୍ପଦ ଛାଡ଼ି ।୪୩।

ବୃହନ୍ନାରୀ ବୋଇଲା ତୁ ୟେତେକ ନିସତ

ସାରଥି ହୋଇ ବାହି ପାରିବୁ କି ମୋର ରଥ ।୪୪।

ଉତ୍ତର କୁମାର ବୋଇଲା ମୁହିଂ ତୋର ସାରଥି ହୋଇଲେ

ତ୍ରୈଲୋକ କେ ଅଛି ରଥୀ ମୋହୋର ରଥ ବାହିଲେ ।୪୫।

ସାରଥିପଣକୁ ମୁଂ ୟେତେକ ସାମରଥ

ବ୍ରହ୍ମାର ଛାମୁକୁ ମୁଂ ବହି ପାରଇ ରଥ ।୪୬।

ମୁହିଂ ଯାହାର ରଥେ ହୋଇବି ସାରଥି

ଇନ୍ଦ୍ର ଗୋବିନ୍ଦ ହୋଇଲେ ସମରେ କାହାକୁହିଂ ନାହିଂ ଭୀତି ।୪୭।

ଆସ ଆସ ଉତ୍ତର ବାହା ୟେବେ ମୋହୋର ରଥ

ରଥୀପଣକୁ ଯେମନ୍ତ ସାରଥିପଣକୁ ତେମନ୍ତ ।୪୮।

ଉତ୍ତର ବୋଇଲା ମୁଂ ଯେବେ ସାରଥି ହୋଇବି

ରଥୀ କେ ହୋଇବ ମୁଂ ତାହାର ମୁଖ ଚାହିଂବି ।୪୯।

ବୃହନ୍ନାରୀ ବୋଇଲା ମୁଂ ହୋଇବଇଂ ରଥୀ

ନାସାରେ ହସ୍ତ ଦେଇ ହସିଲା ସଂକୋଚନର ରାଜାର ନାତି ।୫୦।

ସଖି ୟେ ମହୀମଣ୍ତଳେ ମୁଂ ଯେ ଅଟଇ ମହାଯୋଧୀ

ମୋହୋର ଭଳି ଭାଜିଲା ସମରେ ନିରୋଧି ।୫୧।

ତୁହି ଜାତିହୀନ ପାମର ଅଟୁ ନପୁଂସେକ କାୟେ

କୌରବ ଥାଠକୁ ତୋହୋର ୟେତେକ ନିର୍ଭୟେ ।୫୨।

ଥାଠ ଦେଖି ତ୍ରାସ କଲା ଯେ ୟେ ମୋହୋର ଭଳି

ତୁ ଛାର କିସ ସମର କରିବୁ ନଫୁସକେ ବୃହନ୍ନାରୀ ।୫୩।

ଉତ୍ତର ବୋଇଲା ତୁ ଯେ ପାପକଲୁ ପୂର୍ବେ

ତଦଦୋଷ ନପୁଂସେକ ଲକ୍ଷଣ ଜାତ ୟେବେ ।୫୪।

ସୁବେଳ ପାଇଲୁ ୟେବେ ରଣଯୋଗ୍ୟ କଲୁ ଇଚ୍ଛା

ଓହୋବଳ ମୁଖେ ପଡ଼ିଲେ ପୂରିବ ମନବାଞ୍ଛା ।୫୫।

ଉତ୍ତର ବୋଇଲା ବୃହନ୍ନାରୀ ମୁଂ ଜାଣିଲି ତୋହୋର ମନ ଆଶ

ସଞ୍ଚୟେ ସମରେ ତୁ ଦେବୁ ଆଜ ଝାସ ।୫୬।

ବୃହନ୍ନାରୀ ବୋଇଲା ରେ ପ୍ରତଗ୍ୟାଂ ମୋହୋର ଦେଖ

ତୋହୋର ପ୍ରାୟେ ମଣିଲୁ କି ଲୋଡୁ ଭୋଗ ସୁଖ ।୫୭।

ରାଗେଣ ଉତ୍ତର କୁମାର ବଢାଇଦିଲା ଧନୁ

ଜାଣିମା ତୋହୋର ପରାକ୍ରମ ଧନୁ ଆମଞ୍ଚନୁ ।୫୮।

ଧନୁ ଧରି ବୃହନ୍ନାରୀ ଆମଞ୍ଚନ କଲା

କିଞ୍ଚିତେ ଆକର୍ଷନ୍ତେ ଧନୁ ବେନିଖଣ୍ତ ହୋଇଲା ।୫୯।

ବୃହନ୍ନାରୀ ବୋଇଲା ୟେ ଜୀର୍ଣ୍ଣ ତୋହୋର ଧନୁ

ୟେ ଧନୁ ଧରିଣ କୁରୁସାଗରକୁ କରୁଚୁ ଆଗମନୁ ।୬୦।

ଆହୋ ଉତ୍ତର ଭୀଷ୍ମେ ଧନୁ ବହନ୍ତି ପଞ୍ଚାଣୋଇ ସହସ୍ରବଳ

ନଉସହସ୍ର ବଳ ଧନୁ ବହନ୍ତି ଭାରଦ୍ୱାଦଶଙ୍କର ବାଳ ।୬୧।

ବୟାଣୋଇ ସହସ୍ର ବଳ ଧନୁ ବହନ୍ତି ଅଶ୍ୱଥାମା

ଅଶୀସହସ୍ର ବଳ ଧନୁ ବହନ୍ତି କୃପବ୍ରହ୍ମା ।୬୨।

ପାଞ୍ଚାଣୀ ସହସ୍ର ବଳ ଧନୁ ଯେ ବହନ୍ତି ଭୂରିଶ୍ରବା

ଅଠାଶୀ ସହସ୍ର ବଳ ଧନୁ ବହନ୍ତି କର୍ଣ୍ଣ ଯେ ରାଧେବା ।୬୩।

ଅଶୀ ସହସ୍ର ବଳ ଧନୁ ବହଇ ସୋମଦତ୍ତ

ବୟାଅଶୀ ଶସ୍ର ବଳ ଧନୁ ବହନ୍ତି ବାହ୍ଲିକ ତାର ସୁତ ।୬୪।

ଦୁର୍ଯ୍ୟୋଧନର ମଇତ୍ର ଅଳମୁଷ ରାକ୍ଷସ

ତାହାର ଧନୁର ବଳ ସହସ ଅଶୀୟେ ପଞ୍ଚଦଶ ।୬୫।

ଅଳମ୍ବୁଷର ପୁତ୍ର ଅଳାୟୁଧ ବୋଲି

ସତାଣୋଇ ସହସ୍ର ବଳର ଧନୁ ତାହାର ଦେଖିଲି ।୬୬।

ଆହୋ କର୍ଣ୍ଣର ନନ୍ଦନ ବିଶିକେସନ ମହାବୀରା

ସତାଇଶି ସହସ୍ର ବଳର ଧନୁ ତାହାର ମହାଭାରା ।୬୭।

ଗାନ୍ଧାର ଦେଶର ରାଜା ମାତୁଳ ଶକୁନି

ଅଣାଅଶୀ ସହସ୍ର ବଳ ଧନୁ ଥାଇ ସେହୁ ଘେନି ।୬୮।

ଶକଲ୍ୟ ଦେଶର ରାଜା ୟେ ମହାରଥୀ ଶଲ୍ୟ

ପଞ୍ଚାଶୋଇ ସହସ୍ର ବଳ ଧନୁ ଧରଇ ମହାମଲ୍ଲ ।୬୯।

ଆହୋ ଉତ୍ତର ସର୍ବେ ପଞ୍ଚାଉନ ବଳ ତୋହୋର ଧନୁଗୋଟି

ୟେ ଧନୁରେ ଶର ବିନ୍ଧିବେ ରଥ ଗଜ ଅଶ୍ୱ ନ ଫୁଟି ।୭୦।

ଦ୍ରିଯୋଧନ ବହଇ ଧନୁ ଷାଠିୟେ ସହସ୍ର ବଳ

ଅପ୍ରମିତ ନାରାଜ ବିନ୍ଧଇ ସେ ଦୁଇହସ୍ତେ ପ୍ରବଳ ।୭୧।

ଛୟାଣୋଇ ସହସ୍ର ବଳ ଧନୁ ବହଇ ଧୁଶାସନ

ରଣରେ ତାହାକୁ କେହୁ ନାହିଂଟି ସମାନ ।୭୨।

ଦୁର୍ଜୟ ଦୁର୍ଗୁଣ ଯେ ଦୁର୍ବିନ୍ଦ ଦୁର୍ବାଳ

ୟେ ଶତେଭାଇ ଧନୁ ଧରନ୍ତି ଲକ୍ଷ ଲକ୍ଷ ବଳ ।୭୩।

ଆହୋ ଉତ୍ତର ଯେବଣ ଯେବଣ ଯୋଦ୍ଧାୟେ ଅଛନ୍ତି କଉରୋବ

ପର୍ବତେ ପଡ଼ି ଅଙ୍ଗେ ଚୂର ହେଉଥାନ୍ତି ସର୍ବେ ।୭୪।

ବାଳୁତ ଅଗ୍ୟାଂନ ତୁ ଯେ କିଛିହିଂ ନ ବୁଝୁ

ୟେହି ଧନୁ ଘେନି କି ତୁ ଭୀଷ୍ମ ଦ୍ରୋଣ ତୁଲେ ଯୁଝୁ ।୭୫।

ଉତ୍ତର ବୋଇଲା ବୃହନ୍ନାରୀ ୟେବେ ତୁ ମୋତେ କେତେ କହୁ

ୟେକଥା ସଞ୍ଚପି ମୋତେ କିମ୍ପା ଅନ୍ତପୁରେ ନ କହୁଂ ।୭୬।

ୟେତେକ ଉଦନ୍ତ ଯେବେ ମୁଂ ପାଆନ୍ତି ସେହିଠାରୁ

ନିର୍ମଳ ଶରୀରଗୋଟି କିମ୍ପେ କରନ୍ତି ମୁଂ ଗୁରୁ ।୭୭।

ୟେସନେକ ବିଚାରନ୍ତେ ଆଦିତ୍ୟ ଅସ୍ତ ଗଲା

ଅର୍ଜୁନ ରଥୀ ହୋଇ ରଥରେ ବିଜେ କଲା ।୭୮।୪୮୨୯।

 

*****************

 

ଅର୍ଜୁନଙ୍କର ଆଦେଶରେ ଉତ୍ତରର ଶମୀ ବୃକ୍ଷରୁ ଅସ୍ତ୍ର ଆଣିବା ନିମିତ୍ତ ଗମନ ଓ ଶୋଷକ ସର୍ପ ଦଂଶନ

ଉତ୍ତର କୁମାର ଯେ ହୋଇଲା ସାରଥି

ବୃହନ୍ନାରୀ ବୋଇଲା ରଥ ମୋର ବାହା ଶମୀବୃକ୍ଷ ତଳକୁ ତତକ୍ଷଣାନ୍ତି ।୧।

ବାସବର ଆଗ୍ୟାଂ ଯେହ୍ନେ ମାତଳି ପ୍ରତିପାଳି

ଉତ୍ତର କୁମରକୁ ତେସନେ ବୃହନ୍ନାରୀ ।୨।

ବାହାଇ ତୁରଙ୍ଗ ସେ ଶ୍ରୀକୃଷ୍ଣାର ବଚ୍ଛା

ବନସ୍ତେ ପଶନ୍ତେ ଉତ୍ତର ବୃହନ୍ନାରୀକି କଲା ପୁଚ୍ଛା।୩।

ଉତ୍ତର ବୋଇଲା ୟେହେନେକ ଭୟେ ଉପୁଜଇଟି ରଥୀପଣକୁ

ତୁ ୟେବେ ବୋଇଲୁ ରଥ ବାହାସି ବନସ୍ତ ଭିତରକୁ ।୪।

ବୃହନ୍ନାରୀ ବୋଇଲା ହୋ ଉତ୍ତର ଧନୁ ଯେ ଆମ୍ଭର ନାହିଂ

ଧନୁ ଗୋଟିୟେ ଆଣିମା ଠାବକରି ଯହିଂ ପାଇ ।୫।

ଚଳନ୍ତି ତୁରଙ୍ଗ ଯେ ମହା ନିଶାକାଳେ

ପ୍ରବେଶ ହୋଇଲେ ଯାଇଂ ବିଷ୍ଣୁଭଦ୍ରା ନଦୀକୂଳେ।୬।

ତହିଂର ଉତ୍ତର ପାରୁଶେ ଶମୀବୃକ୍ଷ ଅଛି

ଅଦଭୁତେ ଅଦଉଡ଼ି ବନ୍ଧନେ ତାହା ମୃତୁପିଣ୍ତ ରଖିଅଛି ।୭।

ଉର୍ଦ୍ଧ୍ୱକଇଂ ଚାହିଂ ଡାକେକ ଛାଡିଲା ମହାବୋବି

ରଥର ଉପରୁ ଉତ୍ତର କୁମର ପଡ଼ିଲାକ ଭୁବି ।୮।

ରଥରୁ ଡେଇଂପଡ଼ି ସେ ଧଇଲା ବୃହନ୍ନାରୀ

ମୁଖେ ଜଳ ସୁଞ୍ଚିଣ ସାଷ୍ଟାମ ତାକୁ କରି ।୯।

ସାଷ୍ଟାମ ହୋଇଣ ସେ ପୁଚ୍ଛିଲା କୁମର ଚୂଡାମଣି

ନିର୍ଘାତ ଶବଦ ପ୍ରାୟେ ଶୁଭିଲା କିସ ବାଣୀ ।୧୦।

ବୃହନ୍ନାରୀ ସେ ମୃତୁପିଣ୍ତକୁ ସ୍ତୁତି ଭାଷି

ସ୍ୱାମି ଉତ୍ତର ଭୟେ କରିବ ତୁ କ୍ଷଣେ ଅନ୍ତର ହୁଅସି ।୧୧।

ପାର୍ଥର ବଚନେ ସେ ରହିଲାକ ଶୂନ୍ୟେ

ଉତ୍ତରକୁ ପ୍ରତିବାକ୍ୟ ପୁଚ୍ଛଇ ଫାଲଗୁନେ ।୧୨।

ଆଉ ଉତ୍ତର ୟେ ବୃକ୍ଷ ଉପରକୁ ପାରିବୁଟିକି ବାବୁ ଉଠି

ଶୁଣି ଉପରକୁ ଦୃଷ୍ଟିପାତ କଲାକ ବିରାଟି ।୧୩।

ଉତ୍ତର ବୋଇଲା ବଡାଇ ଉଚ୍ଛର୍ଗ ନିଅତେ ନାହିଂ ଶାଖା

କି ରୁପେ ଉଠିବି କାର୍ଯ୍ୟ ସ୍ୱରୁପ ମୋତେ ଦେଖା ।୧୪।

ବୃହନ୍ନାରୀ ବୋଇଲା ଶୁଣ ହୋ ଉତ୍ତର

ଧନୁ ଗୋଟିଏ ଆଣ ଅଛି କ୍ରୋଟର ଭିତର ।୧୫।

ବୃକ୍ଷକଂଇ ପ୍ରଣପତ୍ୟ ହୋଇଲା ବୃହନାରୀ

ଆହୋ ଉତ୍ତର ବେନିଚଛୁ ବୁଜ ବୃକ୍ଷକୁ କୋଳକରି ।୧୬।

ପନଙ୍ଗର ପୀଡ଼ାୟେ ସେ ଗାରେଡ଼ି ଯେସନ

ବୃହନ୍ନାରୀ ବଚନ ଉତ୍ତରକୁ ତେସନ ।୧୭।

ବୃକ୍ଷକୁ କୋଳକରି ଉତ୍ତର ଯେ ବୁଜିଲା ବେନିଚଛୁ

ଡାଳେ ଉତ୍ତର କୁମର ଯାଇ ନାଗିଲା ପ୍ରତକ୍ଷୁ ।୧୮।

ଦେଖଇ ଉତ୍ତର ଚାରିଦିଗକୁ ଚାରି ଡାଳ

ଯୋଜନେ ଯୋଜନେ ସେ ଅଟଇ ବୃଷାଳ ।୧୯।

ଶମୀ ଶିଶୁପାବୃକ୍ଷ ହରିହର ବେନିମୂଳ

ଭୀମ ଅର୍ଜୁନ ନକୁଳ ସହଦେବ ଚାରିଡାଳ ।୨୦।

ଉପରର ଉଚ୍ଛର୍ଗ ଶାଖା ଧର୍ମରାୟେ ଯୁଝେଷ୍ଠି

ପାଞ୍ଚାଳଦେଶ ରାଜାର ନନ୍ଦିନୀ ତହିଂର ଯେ ପୁଷ୍ପଗୋଟି ।୨୧।

ବେନିକୋଣ ଆୟେତନ ତହିଂ ମଧ୍ୟେଣ ଅଛି କ୍ରୋଟ

ଦିନକରନାଥ ତହିଂ ନିତ୍ୟେ ହୋଇ ଭେଟ ।୨୨।

ବିରାଟର ନନ୍ଦନ ଯେ ଚାହିଂଲା କ୍ରୋଟକୁ

ବୋଇଲା ସଂକଟ ପଡ଼ିଲା କି ଆଦିତ୍ୟ ଦେବତାକୁ ।୨୩।

ସିଂହିକାର ନନ୍ଦନ କି କଟାଳିଲା ରାହୁ

ଦୁରାନ୍ତେକ ଭୟେ ଅବା ଲୁଚିଅଛି ସେହୁ ।୨୪।

ଆକାଶକୁ ନିରେଖଇ ବିରାଟର ତନୟେ

କ୍ରୋଟହିଂ ତ ନିଶାକାଳେ ଦିଶଇ ଦିବସର ପ୍ରାୟେ ।୨୫।

ବୃହନ୍ନାରୀ ବୋଇଲା ହୋ କ୍ରୋଟରେ ହାଥ ଭର

କିସ କିସ ଶହସ୍ର ଅଛି ବେଗେ କାଢି ଦିଅ ମୋର କର ।୨୬।

ଉତ୍ତର କୁମରେ ସେ କ୍ରୋଟରେ ମାଇଲାକ କର

କାଳସର୍ପ ଢଂସିଲା ସେ ହାତରେ ତାହାର ।୨୭।

ଉଡ଼ଙ୍ଗର ବିଘାତେଣ ଶରୀରେ ବିଷ ଘୋଟି

ଡାଳେଣ ଶୋଇ ଅସାଷ୍ଟମ ଯେ ହୋଇଲା ବିରାଟି ।୨୮।

ଉତ୍ତର ଉତ୍ତର ବୋଲି ହାକଇ ଫାଲଗୁନି

ବହନ ଓହ୍ଲାଇ ଆସ ହୋ ଧନୁ ଗୋଟିୟେକ ଘେନି ।୨୯।

ଡାକଦେଇ ବିମୁଖ ହୋଇଲା ସବ୍ୟସାଚୀ

କଦାଶ୍ଚିତେ ନ ଫୁରଇ ଉତ୍ତର କୁମାର ବାଚି ।୩୦।

ବୃକ୍ଷର ଉପରକୁ ଯେ ଉଠିଲା ଧନଞ୍ଜୟେ

ଦେଖିଲା ଉତ୍ତର ଶରୀର ଗରଳମୟେ ।୩୧।

ମୁଖରୁ ଗଳଇ ତାର କାଳ ଯେ ଗରଳଜାଳ

ଅସାଷ୍ଟମେ ପଡ଼ିଲା ସେ ଶ୍ରୀକୃଷ୍ଣାର ବାଳ।୩୨।

ଉତ୍ତର କୁମରକଇଂ ଯେ କୋଳ କଲାକ ବୃହନ୍ନାରୀ

ସର୍ପବିଘାତ ହୋଇଲା କାଳ ଗରଳ ୟେହାରି ।୩୩।

କ୍ରୋଟେଣ ପଶିଥିଲା ଯେବଣ କାଳସର୍ପ

ବିଘାତେ ହରିଲା ସେ ଉତ୍ତର କୁମାର ଦର୍ପ ।୩୪।

ମହାପଣ୍ତିତ ଅର୍ଜୁନ ଜାଣଇ ମହାଗାରଡ଼ି ବିଦ୍ୟା

ଗୋରେଖ ପ୍ରସନ୍ନେ ସେ ପରମ ଯୋଗସିଦ୍ଧା।୩୫।

ଅର୍ଜୁନ ପଢନ୍ତି ଯେ ଗାରଡ଼ିମନ୍ତ୍ରଗୋଟି

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦୁର୍ଗାଂକୁ ହୃଦେ ଲୟ କଲା କିରଟୀ ।୩୬।

ଗାରେଡ଼ିମନ୍ତ୍ର ଗୋଟିୟେ ଚନ୍ଦ୍ରସୂର୍ଯ୍ୟ ଭାଆନ୍ତି ରଥେ

ମୁଂ ବିଷ ମାରଇ ନ ଛୁଂଅଇ ହାଥେ ।୩୭।

ସପ୍ତଋଷି ମୋତେ ଦେଇଥିଲେ ବର

ଆରେ ଆରେ ବିଷ ଘା ମୁଖେ ଅନ୍ତରୀକ୍ଷେ ମର ।୩୮।

ଝଡନ୍ତେ ଝଡ ନ ଝଡୁଂ ବୋଲି କାହାର ରାଣ

ଶ୍ରୀ ଗୋରେଖନାଥ ସ୍ୱାମୀଂକର କୋଟି କୋଟି ରାଣ ।୩୯।

ଆହୋ ଚଇତନ ଅର୍ଜୁନ ମନ୍ତ୍ରେ ଯେ ଛାଡ଼ିଗଲାକ ଗରଳ

ସାଷ୍ଟାମ ହୋଇ ବସିଲା ଶ୍ରୀକୃଷ୍ଣାର ବାଳ ।୪୦।

ବୃହନ୍ନାରୀ ମୁଖ ଚାହିଂ ଉତ୍ତରକୁମାର କଲା ପୁଚ୍ଛା

କାଳସର୍ପ ବିଘାତେ ହୋଇଲି ମୁହିଂ ମୂର୍ଚ୍ଛା।୪୧।

ସରିଲାର ପିଣ୍ତଗୋଟି ତାରିଲୁ କେମନ୍ତେ

ୟେଥିର ଅର୍ଥଗୋଟି କହୁକିନା ସଂଘାତେ ।୪୨।

ବୃହନ୍ନାରୀ ବୋଇଲା ଶୁଣରେ ଉତ୍ତର

ସଦଗତି ଶରୀରୁ ଲାଗିଲା ଉଜାଣିର ଧାର ।୪୩।

ୟେମନ୍ତେ ଅଚେତ ତୁ ହୋଇଲୁ ଉତ୍ତର

ଘୋଟିଲା ଶ୍ରୀହଟ୍ଟ ନାହିଂନା ବିସ୍ତାର ।୪୪।

ତପନ ସଙ୍ଗତେ ଘୋଟଇ ହେଳୁ ହେଳୁ

ପହର ଅର୍ଦ୍ଧେକ ବିଷ ଘୋଟିଲାକ ତାଳୁ ।୪୫।

ପଡ଼ିଲାକ ବିଷ ଯେ ଚନ୍ଦ୍ର ଘରେ ବେଳା

ଘୋଟିଲାକ ବିଷ ଯେ ବିଷମଦ୍ୱାରେ ଖେଳା ।୪୬।

ତିନି ତିହୁଡ଼ି ଚମ୍ପାଇ ଚନ୍ଦ୍ରେଣ ଯେ ବନ୍ଧ

ଡାକେ ଲେଉଟି ଗରଳ ପଡଇ କନ୍ଧ ।୪୭।

ଧରଣ ଧାରଣ ୟେ ଅକାଟଣ ଘଟ

ଜଳ ଉଜାଣି ଯିବାକୁ ପାବଇ ବାଟ ।୪୮।

ରୁନ୍ଧିଲାକ ପବନ ବୁଡାଇଲା କବାଟ

ଉଜାଣିରେ ଅଇଲାକ ବିଷ ସର୍ପର ବିଘାତ ।୪୯।

ମହାବ୍ରହ୍ମ ମନ୍ତ୍ର ବୃହନ୍ନାରୀ ତହୁଂ ଶୁଣି

କାଳସର୍ପ ପଳାଇଲା ବିଦାରି ଧରଣୀ ।୫୦।

ଆବର ବ୍ରତିବିକି ଅର୍ଜୁନ ଶରଘାତେ

ଶରଣ ପଶିଲା ଯାଇଂ ରାଧେବ କର୍ଣ୍ଣ ରଥେ ।୫୧।

ସର୍ପ ବୋଇଲା ଭୋ କର୍ଣ୍ଣ ରକ୍ଷା ମୋତେ କର

ଆହୋ ଭାରଇ ମଲ୍ଲ ଶରଣ ପଶିଲି ତୋହୋର ।୫୨।

କର୍ଣ୍ଣ ବୋଇଲା ସର୍ପ କାହାକଇଂ ୟେତେ ଡର

ଆଦ୍ୟହୁଂ କହିନାହିଂ କି ତୋହୋର ଆଗର ।୫୩।

ଖାଣ୍ତେବ ବନରେ ଥିଲେ ମୋର ଯେତେ ବଂଶ

ବନ ଦହନ କାଳେ ସବୁ ଅର୍ଜୁନ କଲା ଧ୍ୱଂସ।୫୪।

ବଇରିତା ବିଚାରେ ଯେ ଅଇରି ହୋଇଅଛି

ସମସ୍ତ ବଂଶ ମୋହୋର ନାଶକଲା ବିବଚ୍ଛି।୫୫।

ବଇତ୍ରିକ ବିରାଳସର୍ପ ଆଦ୍ରାବଳୀ ବିଜୁ

ଯାବନି କର୍ଦୁରେ ଯେ ଆବର ସରଜୁ ।୫୬।

ୟେ ବିଧ ଅର୍ଜୁନରେ ଶରଣ ୟେ ପଶିଲେ ବିକଳେ

ମାରିଣ ଅର୍ଜୁନ ତାହା ପକାଇଲା ଅନଳେ ।୫୭।

ଆହୋ କର୍ଣ୍ଣ ବାମ୍ପିଂ ଭିତରେ ମୁହିଂ ପଡ଼ିଥିଲି ଉଡ଼ି

ନବ ଦିବସ ପରିଯନ୍ତେ ମୁଂ ପଡ଼ିଥିଲି ବୁଡ଼ି ।୫୮।

ଖାଣ୍ତେବ ବନ ଦହନ ଯହୁଂ ହେଲା ସମାପତ

ଶୋଷେକ ନାମେ କାଳସର୍ପ ମୁଂ ବିରାଳର ସୁତ ।୫୯।

ଆହୋ କର୍ଣ୍ଣ ଅର୍ଜୁନ ମୋହୋର ଯେ ପିତାର ବଇରି

ତାହାକଇଂ ନାଶକଲେ ମୋହୋର ପିତୃଲୋକେ ଡରି ।୬୦।

ପୁତ୍ର ହୋଇ ପିତାକୁ ନକଲେ କାରଣ

ସେ ପୁତ୍ର ପଡଇ ଯେ ରଇରୋବ ନର୍କେଣ ।୬୧।

ଭୋ କର୍ଣ୍ଣ ସମୀବୃକ୍ଷ କ୍ରୋଟରେ ହାଦେ ଥିଲି

ସେ କ୍ରୋଟୁଂ ଅର୍ଜୁନ ଶସ୍ର ନେଲେ ତାକୁ ଢିଂସିବି ବୋଲି ।୬୨।

ୟେତେ ଛିଦ୍ର ପାଞ୍ଚି ରହିଥିଲି ମୁହିଂ

ଆଜଯାୟେ ଅର୍ଜୁନ ନ ମିଳିଲାକ ତହିଂ ।୬୩।

ବିରାଟର ନନ୍ଦନ ଯେ କ୍ରୋଟରେ ହାଥ ଭରି

ମୁହିଂ ଅଇଲି ଉତ୍ତରକୁମାରକୁ ଡଂସିକରି ।୬୪।

ପଳାଇ ଅଇଲି ଡରେ ରଖ ତୁ ଶରଣ

ୟେତେ ବଡ ବିଘାତ ମୋର ହୋଇଲା ଅକାରଣ।୬୫।

ସିଂଘକଇଂ ମୁହିଂ ଯା ପାଡ଼ିଲଇଂ ଫାନ୍ଦ

କେଳେଣ ଶ୍ରୀକାଳ ଆସି ହୋଇଲା ଫାଶି ବନ୍ଧ ।୬୬।

ୟେହିକ୍ଷଣି ଅର୍ଜୁନ ଯେ ଆସିବ ସମରେ

ମୋତେ ପେଷିବୁଟି ତୁହି ତାହାର ଉପରେ ।୬୭।

ୟେତେ ବୋଲି ଶୋଷେକ କାଳସର୍ପ କର୍ଣ୍ଣ ରଥେ ରହିଲା

ଦ୍ରିଯୋଧନ ଅଗ୍ରତେ ଯାଇଂ କର୍ଣ୍ଣ ଯେ କହିଲା ।୬୮।

ଭୋ ମଇତ୍ର ସନ୍ଦେଶ ବାରତା ମୁଂ ପାଇଲି ୟେହିକ୍ଷଣି

ଅର୍ଜୁନ ସମରେ ଆସିବ କହିଲା ମୋତେ ଫଣୀ ।୬୯।

ମାନଗୋବିନ୍ଦ ବୋଇଲା ଉଡଙ୍ଗ ସର୍ପଛାର

କେମନ୍ତେ ସତ କରିବା ବଚନ ତାହାର ।୭୦।(୪୮୯୯)

*****************

 

ବୃହନ୍ନାରୀ କର୍ତ୍ତୃକ ଉତ୍ତର ନିକଟରେ ପଞ୍ଚପାଣ୍ତବଙ୍କ ପରିଚୟ ଓ ଅର୍ଜୁନର ଦଶନାମ କଥନ

ଶୁଣ ଚଇତନ ଉତ୍ତର ବୃକ୍ଷର ଉପରେ ତଳେ ବୃହନ୍ନାରୀ

ଉତ୍ତରକୁମାର ଧନୁ ଶସ୍ରମାନ ଦିଅଇ କାଢିକରି ।୧।

ପାଞ୍ଚ ଧନୁ ଦଶ ତ୍ରୋଣ ବଢାଇଣ ଦିଲା

ଭୀମସେନ ଗଦାଗୋଟି ତୋଳିତ ନୁଆରିଲା ।୨।

ଉତ୍ତର କୁମାର ବୃକ୍ଷରୁ ଓହ୍ଲାଇ ତଳକୁ

ସତେ ସହସ୍ର ଥର ପ୍ରଳମ୍ବ କଲା ଧନୁଶସ୍ରମାନଙ୍କୁ ।୩।

ଉତ୍ତରକୁମାର ବୋଇଲା ଶୁଣିମା ସଂଘାତୁଣୀ

ଯେ ଧନୁ ତ୍ରୋଣମାନ କେ ଥୋଇଲା ୟେଥେ ଆଣି ।୪।

ବୃହନ୍ନାରୀ ବୋଇଲା ତୁ ଶୁଣ ବିରାଟର ତନୁ

ପାଣ୍ତେବ ପାଞ୍ଚାଳଂକର ୟେ ଦଶତ୍ରୋଣ ପାଞ୍ଚଧନୁ ।୫।

ଶୁଣିଣ ସାନନ୍ଦେ ସେ ପଚାରଇ ଉତ୍ତର କୁମର

ଶୁଣିମାକୁ ଇଚ୍ଛା ମୋର କେବଣ ଧନୁ ଅଟଇ କାହାର ।୬।

ବାବୁ ପ୍ରଥମେଣ ଅର୍ଜୁନ ଧନୁଗୋଟି ଧରି

କ୍ଷୁଦ୍ର ହୀରା ଫୁଜି ଫୁଜି ଲାଗିଛି ଶସ୍ରଚାରି ।୭।

ଶଙ୍ଖ ଶାର୍ଦ୍ଦୁଳ ଧନୁ ଧବଳ ବର୍ଣ୍ଣ ଗୁଣ

ଶୁଦ୍ଧ ସଷ୍ଟିକ ଜାଣି ଧବଳ ଦିଶେ ବେନି ତ୍ରୋଣ ।୮।

ଧନୁ ପିଠିରେ ଯେ ମର୍କତ ପଦ୍ମମୟେ

ନିଶାକାଳେ ବିରାଜଇ ଆଦିତ୍ୟ ତେଜ ପ୍ରାୟ ।୯।

ପଞ୍ଚାଶ ସହସ୍ର ବାବୁ ଯେ ଧନୁର ବଳ

ୟେ ଧନୁ ବହନ୍ତି ଯେ ଯୁଝେଷ୍ଠି ମହୀପାଳ ।୧୦।

ଶତେ ସହସ୍ରେକ ଶର ଶ୍ୱେତ ଶଙ୍ଖଚିଲ ପକ୍ଷୀ

ଦୁଇ ତ୍ରୋଣେ ନାରାଚ ଦୁଇ ସହସ୍ର ଅଛି ।୧୧।

ବ୍ରହ୍ମାର ସଞ୍ଚିଲା ୟେ ଅଜଙ୍ଗ ନାମେ ଧନୁ

ସମରେ ଅନିର୍ବାରଣ ୟେ ବହଇ ଧର୍ମରାଜାଂକର ତନୁ ।୧୨।

ସେ ଧନୁ ଥୋଇଣ ଯେ ଆରେକ ଧନୁ ଧରି

ବାମକରେ ଧରିଣ ଯେ ଡାହାଣ କରେ ଝାଡ଼ିକରି ।୧୩।

କଣୟ ଘଟଣ ଯେ ପ୍ରବନ୍ଧ ବେନିହୋଳ

ଧନୁର ଉପରେ ଶାର୍ଦ୍ଦୁଳ ଚର୍ମ ଯେ ମେଖଳ ।୧୪।

ଝଲକନ୍ତି ହୀରା କିରଣ ଯେ ଶତେଚନ୍ଦ୍ର ଜ୍ୟୋତି

ଦୁଇ ତ୍ରୋଣେ ଖଞ୍ଜିଲା ଅଛି ମାରାଗ ପାଞ୍ଚକୋଟି ।୧୫।

ୟେକାଦଶ ଫକ୍ତି ମାଣିକ୍ୟ ତିନି ପଂକ୍ତି ହୀରା

ଡିଙ୍ଗରେ ନ ସହନ୍ତି ଯେବଣ ଧନୁ ଭାରା।୧୬।

ଧରଣ ଧାରଣ ଧନୁ ସେ ନାମ ଆଦ୍ରାବଳୀ

ତିନିପଦ୍ମ ହୀରା ଯେ ଖଞ୍ଜିତ ମେଖଳି ।୧୭।

ଝଲକନ୍ତି ମାଣିକ୍ୟ ଯେ ହୀରାଂକର କାନ୍ଥେ

ଅବିନ୍ଧା ମୁକୁତା ଗୁନ୍ଥିଲା ଅଛଇ ବେନିପାଖେ ।୧୮।

ରୁଦ୍ର ପାବଚ୍ଛେ ପରମ ପଦକୁ ବିକାଶି

ୟେ ଧନୁର ଦର୍ପେ ଅନ୍ଧେକ ବିଦାରିଲେ ଦେବକାଶୀ ।୧୯।

ଭାଗ୍ୟବର ନାମ ଦିଲେ ଦ୍ୱିତୀୟ କୋଦଣ୍ତ ଯେ ଧନୁ

ଷାଠିୟେ ସହସ୍ର ବଳ ୟେ ଧନୁର କୁରୁଶାନୁ ।୨୦।

କଂକ ପକ୍ଷୀ ନାରାଜ ସବୁହିଂ ଚକ୍ରଶର

ଦୁଇତ୍ରୋଣ ଭିତରେ ଅଛଇ ନାରାଜ ସହସ୍ର ପନ୍ଦର ।୨୧।

ପାଣ୍ତବ ସୁନ୍ଦର ସେ ପବନର ବଳା

ସୋହୋଡ ସୁନ୍ଦର ସେ ଛତ୍ରିୟ ଅନର୍ଗଳା ।୨୨।

ଷାଠିୟେ ସହସ୍ର ବଳ ଧନୁ ଭୀମସେନ ବହଇ

ୟେ ଧନୁର ଘାତେ ଛତ୍ରୀ ହୋଇ ରହିବେ ନୁଆରଇ ।୨୩।

ସେ ଧନୁ ଥୋଇଣ ଯେ ଘେନିଲା ଆନ ଧନୁଗୋଟି

ୟେ ଧନୁର ମହିଂମା ତୁ ଶୁଣସି ବିରାଟି।୨୪।

ୟେ ଧନୁର ପିଠିରେ ସହସ୍ର କଣୟ ସୁପାତି

ହୀରା ନୀଳାର ଖଞ୍ଜଣି ପ୍ରବନ୍ଧ କ୍ଷୁଦ୍ର ମୋତି ।୨୫।

ଗଜ ପରିପାଟ ଉପରେ କଣୟ ପଦ୍ମ ଗୁନ୍ଥା

ନିରନ୍ତରେ ମର୍କତ ନିର୍ବାଣ ପଞ୍ଚ ସୀମନ୍ଥା ।୨୬।

ସପତମୀ ଚନ୍ଦ୍ର ଯେହ୍ନେ ଉଦିତ ଆକାଶେ

ଗଜ ମୁକୁତା ବେନିଲକ୍ଷ ଗୁନ୍ଥିଲା ଅଛି ଚଉପାଶେ ।୨୭।

ମାଣିକ୍ୟର ଉଲ୍ଲାଳ ଯେ ନୀଳାର ଖଞ୍ଜଣୀ

ଝଲକନ୍ତି ଧନୁ ଯେ ନିର୍ଧୂମ ଅଗ୍ନି ଜାଣି ।୨୮।

କୁରାଣ୍ତେକ ନଗରୀ ଦହନ କଲା ଯେଣେ

କାମେନୀ ମନସିଜ ୟେହା ବହଇ ମୟାଣେ।୨୯।

ପଞ୍ଚଚାଳିଶ ସହସ୍ର ୟେ ଧନୁର ବଳ

ମାଦ୍ରୀର ନନ୍ଦନ ୟେହା ବହଇ ନକୁଳ ।୩୦।

ସାରଙ୍ଗ ପଚ୍ଛୀ ଶର ଅଧାଚନ୍ଦ୍ର ବାଣ

ପଞ୍ଚ ଅହିବ୍ରତ ଶର ପୂରିତ ବେନିତ୍ରୋଣ ।୩୧।

ଅନୁବ୍ରତେ ଥାଇ ୟେ ନକୁଳର ହାଥେ

ଦକ୍ଷିଣ ଦିଗ ସାଧିଲା ୟେ ଧନୁ ଧରନ୍ତେ ।୩୨।

ସେ ଧନୁ ଥୋଇଣ ଯେ ଘେନିଲା ଆର ଧନୁ

ଶୁଣ ହୋ ସାବଧାନ ଶ୍ରୀକୃଷ୍ଣାର ତନୁ ।୩୩।

ମଳୟ ବସନ୍ତ ରଞ୍ଚନା ଖଞ୍ଜିତ ହେମ ଝଳି

ଅକ୍ଷୟ ଅମଳ କି ତେଜେଣ ଅଶ୍ୱମାଳୀ ।୩୪।

ମତ ମାତାଙ୍ଗ ବିହଡ଼ନ୍ତି ଯେ କୃଷ୍ଣଲୀଳା

ଶୁଦ୍ଧ ସଷ୍ଟିକ ବର୍ଣ୍ଣ ମଧ୍ୟେ କି ପୋୟେଳା ।୩୫।

ହୀରା ନୀଳା ମାଣିକ୍ୟ ଯେ ବଇଡୁର୍ଯ୍ୟ

ମାରାଗ କଣୟ କି ବିରାଜଇ ତେଜ ।୩୬।

ଶବରୀ ନାରାୟଣ ୟେହା ବହଇ ବେଣ୍ଟକାଳେ

ୟେକଇ ଶରକେ ଜୟେ କରିପାରଇ ନବ ମହୀମଣ୍ତଳେ ।୩୭।

ମହାଶର ଗୁଣ ଗଜମୁକୁତାରେ ଖଞ୍ଜି

ଧନୁହୋଳ ପୃଷ୍ଠରେ ଖଞ୍ଜିଲା ମାଣିକ୍ୟ ପୁଞ୍ଜି ପୁଞ୍ଜି ।୩୮।

ମାଣିକ୍ୟ ପୁଞ୍ଜିକେ ହୀରା ପଦ୍ମ ଗୋଟିୟେ ଗୋଟିୟେ

ମାରାଗ ପାଖୁଡା ମୁକୁତା ଶୟେ ଶୟେ ।୩୯।

ତାରେକ ବିଦାରଣ କାଳେ ୟେ ଧନୁ କଲେ ଶତମନୁ

କୁମାର ସମ୍ଭର୍ବେ ସେ ପାର୍ବତୀର ତନୁ ।୪୦।

ଶରଦ ହେମ ଶିଶିର ବସନ୍ତ ଗ୍ରୀଷ୍ମ ବରଷା ଛଡ଼ଋତୁ

ୟେ ଧନୁ ଛାଡ଼ ନ ଯାଇ ମାନଧତା ହାଥୁଂ ।୪୧।

ପୂର୍ବ ଦିଗବିଜୟ କାଳେ ପ୍ରସନ୍ନ ହୋଇଲେ ସୂର୍ଯ୍ୟବଂଶୀ

ପୂଜାବିଧି କରିଣ ସହଦେବ ତୋଷି ।୪୨।

ମଦନାର ନନ୍ଦନ ଯେ କଇଛା ଜଗଜ୍ଜେଠୀ

ନାରାୟଣ ଭାବଇ ଅନୁବ୍ରତେ ଯାହାର ନାମଗୋଟି ।୪୩।

ଚାଳିଶସହସ୍ର ବଳ ୟେ ଧନୁ ଅଟଇ

ମନ୍ତ୍ରୀ ଚୂଡାମଣି ସହଦେବ ୟେହାକୁ ବହଇ ।୪୪।

ମିଥୁନମାସେ ଯେହ୍ନେ ଝଟକନ୍ତି ବିଜୁଳି

ରତ୍ନମାନଂକର ତେଜ ଧନୁରେ ସେହିରୁପେ ଝଳି ।୪୫।

ନାରାଜ ଛାୟେଣୀ ଯେ ଅନୁକୂଳ ଭଦ୍ରା ପଚ୍ଛୀ

ୟେକା ନାରାଜକେ ମୁନ ପଞ୍ଚଲକ୍ଷି।୪୬।

ଅଶି ସହସ୍ର ନାରାଜ ପୂରିତ ବେନିତ୍ରୋଣେ

ମାତାଙ୍ଗସୁର ସମରେ ନାଶଗଲା ଯେଣେ ।୪୭।

ମନ୍ତ୍ରୀ ଚୂଡାମଣି ସହଦେବର ୟେ ଧନୁ

ଚାଳିଶି ସହସ୍ର ବଳ ୟେ ଧନୁ ବହଇ କୁରୁଶାନୁ ।୪୮।

ଚାରି ଧନୁର ମହିଂମା ଯେ କହିଲେ କିରୀଟୀ

ଶୁଣିଣ ସାନନ୍ଦ ଯେ ହୋଇଲା ବିରାଟି।୪୯।

ଶ୍ରୀଭୁଜେଣ ଘେନି ପାଥ ଆପଣାର ଧନୁ

ଆନନ୍ଦେ ଅଶ୍ରୁଜଳ ଗଳିତ ବେନି ନୟନୁ ।୫୦।

ଶୁଣ ବାବୁ ଉତ୍ତର ତୁ ୟେ ଧନୁର ମହିମାଂ

ଯମନିକ ସତ୍ୟଯୁଗେ କୁଶକେତୁ ନାମେ ବ୍ରହ୍ମା ।୫୧।

ଶତମନୁ ପରିଯନ୍ତେ ବ୍ରହ୍ମା ଯାଗକଲା

ସେ ଯଗ୍ୟଂକୁଣ୍ତ ମଧ୍ୟ୍ୟରୁ ଯେ ବାୟେଂଶେକ ଉପୁଜିଲା ।୫୨।

ନାଭିମଣ୍ତଳେ ନାହି ପୁରିତ କରମୁଷ୍ଟି

ଛତିଶ ପବ ସେ ପିଙ୍ଗଳ ବାୟେଂଶ ଗୋଟି ।୫୩।

ବିଜେକର୍ଣ୍ଣକଟାର ଯେ ଘେନିଣ ଚଉମୁଣ୍ତ

ସେ ବାୟେଂଶ ଗୋଟିକି ପିତାମହ କଲାକ ପାଞ୍ଚଖଣ୍ତ।୫୪।

ପ୍ରଥମ ଖଣ୍ତକ ଯେ ୟେକାଦଶ ପବ କଲା

ମନୟେକ ବସି ବ୍ରହ୍ମା ଧନୁୟେ ସ୍ରିଜିଲା ।୫୫।

ସେହି ଧନୁର ବଳ ଯେ ହୋଇଲା ତିନିକୋଟି

ପିନାକ ନାମ ଦିଲେ ତାହା ବହିଲେ ଧୂର୍ଜଟି ।୫୬।

ଦୂତୀୟ ଖଣ୍ତ ଯେ ନବପବ କରି ଘେନି

ଅର୍ଦ୍ଧ ମନୁକେ ତାହା ସ୍ରିଜିଲା ପଦ୍ମଯୋନି ।୫୭।

ବେନିକୋଟି ବଳ ସେ ସାରଙ୍ଗ ନାମେ ଧନୁ

ଇନ୍ଦ୍ର ଦେବତା ବହିଲେ ତାହା ଅମର ଭୁବନୁ ।୫୮।

ତୃତୀୟ ଖଣ୍ତ ଯେ ହୋଇଲା ପବ ସାତ

ମନୁୟେକ ବସି ଧନୁ ୟେ ସ୍ରିଜିଲା ବିଧାତ ।୫୯।

କୋଟିୟେକ ବଳ ସେ ଯେ ଅଜଙ୍ଗ ନାମେ ଧନୁ

ସତ୍ୟଯୁଗେ ତାହା ବହିଲେ ପ୍ରଶୁରାମ ଜମଦଗ୍ନିର ତନୁ ।୬୦।

ଆରେକ ଖଣ୍ତ ଯେ ପାଞ୍ଚପବ ଗଣି

ପଞ୍ଚବିଂଶ ଗଣ୍ତା ଯୁଗେ ସେ ଧନୁ ନିର୍ବାଣି ।୬୧।

ନବଲକ୍ଷ ବଳ ସେ ଯେ କୋଦଣ୍ତ ଧନୁ ନାମ

ତ୍ରେତୟା ଯୁଗେ ଭାରାଭର ନିବାରଣ ଅର୍ଥେ ତାହା ବହିଲେ ଶ୍ରୀରାମ ।୬୨।

ଆର ୟେକଖଣ୍ତ ଯେ ହୋଇଲା ପବ ତିନି

ପାଞ୍ଚଯୁଗେ ଧନୁ ୟେ ସ୍ରିଜିଲା ପଦ୍ମଯୋନି ।୬୩।

ବାବୁ ୟେ ଧନୁର ନାମ ଯେ ଅଟଇ ଗାଣ୍ତିମ

ଦ୍ୱାପର ଯୁଗେ ଅର୍ଜୁନକୁ ୟେହା ଦିଲେ ଶ୍ରୀପୁରୁଷୋତ୍ତମ ।୬୪।

ଲକ୍ଷେକ ଧନୁ ୟେ ଯେ ବହଇ ଫାଲଗୁନି

ୟେ ଧନୁର ନାରାଜ ସହନ୍ତା ନାହିଂ ମେଦିନୀ ।୬୫।

ଅଗ୍ନି ଦେବତାଂକର ଯେ ଲୁଦୁବୁଦୁ ବ୍ୟାଧି

ଖାଣ୍ତବ ବନ ଦହିଣ ଦିଲେକ ମଉଷଧି।୬୬।

ଆରୋଗ୍ୟ ହୋଇଲେ ସେ ଲୋହିତ ପିଙ୍ଗଳ

ପ୍ରତିଗ୍ରହ କରି ଅର୍ଜୁନକୁ ଦିଲେକ ସକଳ ।୬୭।

ପଞ୍ଚତିରିଶ ପବ ଯେ ପାଞ୍ଚଧନୁ ହୋଇଲା

ପିନାକ ସାରଙ୍ଗ ଅଜଙ୍ଗ କୋଦଣ୍ତ ଗାଣ୍ତିମ ନାମ ଦିଲା ।୬୮।

ଆହୋ ଉତ୍ତର ଅଗ୍ରଚ୍ଛେଦ ହୋଇ ଯେ ଉବୁରିଲା ୟେକପବ

ବଇଂଶୀ ଗୋଟିୟେ କଲା ତାହା ପିତାମହ ଦେବ ।୬୯।

ସତ୍ୟ ତ୍ରେତା ଯୁଗେ ତାହା ଥୋଇଲା ଯତ୍ନକରି

ଦ୍ୱାପର ଯୁଗେ ନାରାୟଣ କହ୍ନା ଅବତାରେ ଜନ୍ମିଲେ ଗୋପପୁରୀ।୭୦।

ରଙ୍ଗା ଅବତାରେ ସେ ଗୋପୀଂକର ଅର୍ଥେ

ମନ୍ଦର ଧଇଲେ କହ୍ନା ଗୋପୀ ଗୋପାଳ ନିମନ୍ତେ ।୭୧।

କାଳୀକି ଦଳିଲେ ସେ କଂସର ବିବାଦେ

ପୁଷ୍ୟେକ ନନ୍ଦିନୀ ରାଧାକୁ ଇଚ୍ଛିଲେ କୃଷ୍ଣ ହୃଦେ ।୭୨।

ଦୂତିକା ପେଷି ଅନେକ ଧନ ଦିଲେ ହରି

ପାଦେ ପେଲି ରାଧା ତାହା ପକାଇଲା ଦୂରକରି ।୭୩।

ରାଧାର ବିରହେ ସେ ନିରାଶ ଉପବାସେ

ନିଆଶ୍ରି ବସିଲେ ହରି ରାତ୍ର ଯେ ଦିବସେ ।୭୪।

ଛାଡିବଇଂ ସର୍ବ ଚିନ୍ତା ବୋଇଲେ ନ ମାରିବି କଂସ

ମନୁଷ୍ୟ କାୟା ଛାଡ଼ିବି ଯିବି ନିଜ ବାସ ।୭୫।

ହରିଂକ ନିରାଶ ଦେଖି ବିଜୟେ ଦେବବ୍ରହ୍ମା

ନାରାୟଣକଇଂ ପ୍ରସନ୍ନ ଯେ ହୋଇଲେ ମହାତମା ।୭୬।

ୟେସନେକ ନିରାଶ ଅବସ୍ତା ହରି ହୋଇଲୁ କିମର୍ଥେ

ପୁଷ୍ୟେକ ନନ୍ଦନୀ ରାଧା ଲେଛିଲା କି ତୋତେ ।୭୭।

ବଦୟନ୍ତି କେଶବ ଯେ ପିତାମହର ବଚନେ

ମାରିବି କଂସକୁ ଯେବେ ରସିବେ ଗୋପସ୍ତିରୀମାନେ ।୭୮।

ସେ ରାଧା ନିରାଶ କଲା ଯହୁଂ ମୋତେ

ମହୀଭାରା ଉଶ୍ୱାସ ମୁଂ କରିବଇଂ କେମନ୍ତେ ।୭୯।

ବଦୟନ୍ତି ପିତାମହ ଶୁଣିମା ଋଷିକେଷୀ

ମୁହିଂ ତୋତେ ଦେବଇଂ ଅନେକ କାଳର ବିରହ ବାୟେଂଶୀ ।୮୦।

ସ୍ତମ୍ଭନ ମୋହୋନ ବଶ୍ୟ ଉଚ୍ଚାଟନ ଅଞ୍ଜନ ଯେ ପଞ୍ଚୁସ୍ୱର

ନାମଧରି ବାଇଲେ ଗୋପୀୟେ ଆସିବେ ତୋହୋର ଛାମୁରେ ।୮୧।

ବୟେଂଶୀ ଧରି ବାଇବୁ ରାଧାନାମ ଧରି

ସେ ତୋତେ ଦଇନି କରିବଟି ନିଜବାସ ୟେଡ଼ିକରି ।୮୨।

ଗୋପନାରୀୟେ ଛୁଟିଲେ ନମାନି ଭରତା

ତେଣୁକରି ଗୋପୀମାନନ୍ତ ହରି ରମିଲେ ଅପ୍ରମିତା ।୮୩।

ଉତ୍ତର ବୋଇଲା ହୋ ଜୀବନ ତୋର ଧନି ଧନି

ସାଧୁ ସାଧୁ ତୋହୋର ପିଅର ଜନନୀ ।୮୪।

ତୁ ଅବା ନପୁଂସେକ ମୁଂ ତୋତେ ଶୁଭବେଳେ ଭେଟି

ତୋହୋର ଜୀବନ ଧନି ଧନି ସାଧୁ ମୋହୋର ଜୀବନଗୋଟି ।୮୫।

ଶୁଣ ହୋ ଉତ୍ତର କୁମାର ଯେ ଗାଣ୍ତିମ ଧନୁ କଥା

ୟେଣେ ସେ ଭାରା ନିବାରଣ ହୋଇବ ସର୍ବଥା ।୮୬।

ଉତ୍ତର ବୋଇଲା ଆଶ୍ରିଜ ହୋଇଲି ବୃହନ୍ନାରୀ

ତୁ ୟେହା କେମନ୍ତେ ହୋ ଜାଣିଲୁ ତଦନ୍ତ କରି ।୮୭।

ବୃହନ୍ନାରୀ ବୋଇଲା ତୁ ଶୁଣସି ଉତ୍ତର

ମୁହିଂ ଯେ ଅଭେଦ ଅଟଇ ପାଣ୍ତବଂକର ।୮୮।

ୟେହେନ୍ନେକ କରି ମହାତମା ଆମ୍ଭନ୍ତ କରନ୍ତି ସଦୟେ

ଯେ ସେ ବୃହନ୍ନାରୀ ସେ ପ୍ରତକ୍ଷେ ଧନୁର୍ଜୟେ ।୮୯।

ଉତ୍ତର ବୋଇଲା ତୁ ସମସ୍ତ ଭେଦ ଜାଣୁ ଯେବେ

ୟେ ଶହସ୍ରନ୍ତ ଥୋଇ ପାଣ୍ତବ ଗଲେ କେଉଂଣ ଠାବେ।୯୦।

ବୃହନ୍ନାରୀ ବୋଇଲା ସେ ପଶାର କୁତୂହୋଳେ

ରାଜ୍ୟଭାର ଥାଠ ସନ୍ୟ ପରିଜା କଲେ ୟେକାବେଳେ ।୯୧।

ଯେ ପଶାରେ ହାରଇ ସେ ଦ୍ୱାଦଶ ବରଷ ବନେ ସେବି

ଅଗ୍ୟାଂତବାସ ବରଷେ ତେରଦିନ ଭୋଗି ।୯୨।

ବରଷେ ତେର ଦିବସ ଯେବେ ହୋଇବ ଜାଣନ୍ତା

ପୁଣ ଦ୍ୱାଦଶ ବରଷ ବନେ ସେ ଯିବ ୟେସନେକ କଥା ।୯୩।

ଆହୋ ଉତ୍ତର ଦଇବ ପୁରୁଷମାନେ କଲେ ଧର୍ମରେ କଷଣ

ଯୁଝେଷ୍ଠି ବନବାସେ ହୋଇବ ମହୀଭାରା ନିବାରଣ ।୯୪।

ବନେ ପଶିଣ ଯେ ଅନେକ ଦଇତ ମାରି

ପ୍ରଥମ ବନବାସେ କୁମ୍ଭିରୀ କିନ୍ନରୀ ନିବାରି ।୯୫।

ହୀଡିମ୍ବେକ ବନେ ପଶି ହିଡିମ୍ବେକ ଦଇତ ମାରି

ହିରଣ୍ୟପୁରେ ପାଣ୍ତବାସୁରକୁ ନିବାରି ।୯୬।

ଦୁଜ ବନବାସେ ଯେ ନିର୍ବାତକପଚ

ହିରଣ୍ୟକପଚ ଆବର ବଜ୍ର ଯେ କପଚ ।୯୭।

ଗୋସିଂହ ରଣସିଂହ ଜପାସୁର ତାରାକ୍ଷ ତ୍ରିପୁରା

ମଧୁ ମେରୁଶୂଳ କାଳାନଳ କାଳନଉମୀ ଆବର ଅଙ୍ଗିରା ।୯୮।

ଅନେକ ଦାନବ ସେ ନାଶକଲେ ବନେ

ଅଗ୍ୟାଂତ ବାସେ ସେ ରହିଲେ ଗୋପ୍ୟାନେ ।୯୯।

ଧର୍ମ ନ ଲଘଂନ୍ତି ସେ ମହତ କୁଳଶୀଳ

ଅଗ୍ୟାଂତବାସେଣ ସେ ବଞ୍ଚାଉଛନ୍ତି ଦିନକାଳ।୧୦୦।

ଆବର ତିନିଦିନ ଅଛଇ ଲେଖନ୍ତେ

ତାହା ତୁ ଗୋପ୍ୟକରି ପାରିବୁ କି ହୃଦଗତେ।୧୦୧।

ଉତ୍ତର ବୋଇଲା ସତ୍ୟ କଲାଇଂ ଯେ ମୁହିଂ

ସାତଦିନ ପରିଯନ୍ତେ ମୁଂ ନ କହିବି କାହିଂ ।୧୦୨।

ଧର୍ମ ଲଂଘଇ ମୁହିଂ କରତାରେ ଦ୍ରୋହ କରଇ

ନିରଞ୍ଜନ ଥାଳେ ମୁଂ ବିଷ ଯେ ଭରଇ ।୧୦୩।

ଜଳେ ଉଲଗ୍ନ ହୋଇ ସ୍ରାହାନେ ଯେତେ ଦୋଷ

ସେ ଦୋଷ ଲଭିବି ମୁଂ କଲେଟି ପ୍ରକାଶେ ।୧୦୪।

ବୃହନ୍ନାରୀ ବୋଇଲା ତୁ ଶୁଣ ହୋ ବିରାଟି

ୟେ ତୋହୋର ରାଜ୍ୟରେ ଯେ ଅଛନ୍ତି ପାଣ୍ତବ ପାଞ୍ଚଗୋଟି ।୧୦୫।

ଉତ୍ତର କୁମାର ଆଶ୍ରିଜ ଯେ ବୃହନ୍ନାରୀ ବଚନେ

ୟେକଥା ସଂପ୍ରତେ ମୁଂ କରିବି କେସେନ ।୧୦୬।

ଆହୋ ବୃହନ୍ନାରୀ ରାଜୁସୀ ଯାଗ ଯୁଝେଷ୍ଠି ଠାକୁରେ କଲେ

ପଞ୍ଚଉତ୍ତର ଶତେ ରଥ ସୁବର୍ଣ୍ଣ ଦେଖା ଦରଶନି ଘେନିଣ ବିରାଟ ଯେ ଗଲେ ।୧୦୭।

ସାତଦିନ ପରିଯନ୍ତେ ଛତ୍ରଶାଳେ ଅନ୍ନ ଖାଇ

ଷୋଳଦିନ ରହିଲେ ଦ୍ରଶନ ନ ପାଇ ।୧୦୮।

ଭୀମସେନ ଠାକୁର ଯୁଝେଷ୍ଠିଂକ ସାନଭ୍ରାଥ

ଅନ୍ତରୀକ୍ଷେ ବିରାଟକୁ ଘେନିଗଲେ ଗଣ୍ତସ୍ଥଳେ ଦେଇ ହାଥ।୧୦୯।

ଯୁଝେଷ୍ଠି ଦେବଂକ ସେ ପାଦତଳେ ପକାଇଲେ ନେଇ

ପଦ୍ମପାଦଗୋଟି ମାତ୍ର ପିତା ମୋର ଦେଖିଲାକ ତହିଂ ।୧୧୦।

ଆବର ଦେଖିଲେ ଶ୍ରୀହସ୍ତର ମଚ୍ଛମୁଦି ଗୋଟିୟେ

ଦିଶଇ ବିଜୁଳି ତେଜ ଆଦିତ୍ୟର ପରାୟେ ।୧୧୧।

ଲକ୍ଷେକ ନୃପତି ଯାହାର ଚରଣ ତଳେ ଲୋଟି

ବାସୁଦେବ ପଢିହାରି ପଣେ ଯାହାର ଚରଣ ତଳେ ଖଟି ।୧୧୨।

ଲକ୍ଷେକ ନୃପତି ଯେ ସବୁଂକରି ମୁକୁଟେ

ଯୁଝେଷ୍ଠି ଦେବଂକର ପାଦ ଅଙ୍ଗୁଷ୍ଠି ବସିଲା ସବୁରି ଲଲାଟେ ।୧୧୩।

ୟେତେ ପୁଣ୍ୟ କାହୁଂ ହୋଇବ ବିରାଟର ବଂଶେ

ଯୁଝେଷ୍ଠି ଦେବଂକର ପାଦରଜ ପଡ଼ିବ କି ମୋହୋର ଦେଶେ ।୧୧୪।

ଶୁଣି ଉତ୍ତର ପ୍ରତିବାକ୍ୟ ଦିଅଇ ବୃହନ୍ନାରୀ

ଅବଦେ ହୋଇଲାନି ତୋହୋର ରାଜ୍ୟେ ଠାକୁରେ ଅଛନ୍ତି ବିଜେକରି ।୧୧୫।

ଆହୋ ଉତ୍ତର ଯାହାର ତୁଲେ ପଶା ଖେଳନ୍ତି ବିରାଟେ

ସଭାପଣ୍ତା ନାମ ବହନ୍ତି କୋନ୍ତଭଟ୍ଟେ ।୧୧୬।

ଅନୀତି ବଚନ ହୋ ନ ଆସଇ ଯାହାର ମୁଖେ

ସେହି ସେ ଯୁଝେଷ୍ଠି ଉତ୍ତର ବୁଝସି ପ୍ରତକ୍ଷେ ।୧୧୭।

ଉତ୍ତର କୁମାର ଆଶ୍ରିଜ ଯେ ହୋଇଲା ତାହା ଶୁଣି

ଦେଖି ତଦନ୍ତ କରି ବୁଝ ବୃହନ୍ନାରୀ ପୁଣି ।୧୧୮।

ଗନ୍ଧମାର୍ଦ୍ଦନ ପର୍ବତ ଜାଣି ଭୀମସେନର କାୟେ

ସେ ଗୋପ୍ୟାନ ହୋଇଲେ ପୁଣ କେବଣ ଉପାୟେ ।୧୧୯।

ତିନିଷାଠି ପଉଟି ଅନ୍ନକେ ଯେ ବେଳକେ ଅତ୍ରିପୁତି

ୟେତେକ କେମନ୍ତେ ତାକୁ ଦିଅଇ ମଚ୍ଛପତି ।୧୨୦।

ୟେ ତୋହୋର ବଚନ ଯେବେ ମୁହିଂ କରିବଇଂ ସତ୍ୟ

ଅଥବା ସରୂପ କରି ମୋତେ କହନି ସଂଘାତ ।୧୨୧।

ଶୁଣ ବାବୁ ଉତ୍ତର କହଇ ଫାଲଗୁନି

ଇଦଂ ବାକ୍ୟ ହୃଦଗତେ ବିଚାରିଲେ ସରୂପ ଲୟେ ଘେନି ।୧୨୨।

ଶୁଣ ହୋ ଉତ୍ତର ତ୍ରଇଲକ୍ୟ ମଧ୍ୟ୍ୟେ ଯାହାର ମହିଂମା ଦୁର୍ଲଭ

କାଳର ଅବଳେ ସେ ସୂପକାର ବଲ୍ଲଭ ।୧୨୩।

ମୟେମତ୍ତ ବାଘ୍ର ଯେ ବଧକଲା ଯୁଦ୍ଧେ

ପ୍ରଚଣ୍ତ ମାଲ ଯେ ମାଇଲା କଉତୁକ ଶଧେ ।୧୨୪।

ସଇରିନ୍ଧ୍ରୀକି ବେଢ଼ିଲା ଯେ କୀଞ୍ଚେକ ସେନାପତି

ଗୁପତ ଯୁଦ୍ଧେ ତାହାନ୍ତ ବିନାଶିଲା ମାରୁତି ।୧୨୫।

ତ୍ରିଗର୍ତ୍ତ ତୋହୋର ପିତାକୁ ଯେ ବାନ୍ଧି ନେଉଥିଲା

ଥାଠ ତାହାର ସଂହରି ବିରାଟକୁ ବନ୍ଧନୁ ଆଣିଲା ।୧୨୬।

ପାଣ୍ତବ ସୁନ୍ଦର ସେ ଅମାପ ବଳବନ୍ତା

ସେ ଯେ ବ୍ରିକୋଦର ସମରେ ଜଗୁଜିତା ।୧୨୭।

ଉତ୍ତର କୁମାର ବୋଇଲା ଶୁଣ ବୃହନ୍ନାରୀ

ତଦ୍ୟାପି ମନଭ୍ରାନ୍ତି ନିହାଇ ଫିଟଇ ମୋହୋରି ।୧୨୮।

ବୃହନ୍ନାରୀ ବୋଇଲା ରେ ଶୁଣସି ଉତ୍ତର

ଅଗ୍ନି ବିଦାରି ବାହାର ଯେବଣ ଶରୀର ।୧୨୯।

ସଇରିନ୍ଧ୍ରୀ ରୂପେଣ ମୁକୁଳିତ ଯାର କେଶ

ତାହାର ଲୁବୁଧେ କୀଞ୍ଚେକ ଗଲେ ପ୍ରାଣନାଶ ।୧୩୦।

ପଞ୍ଚାଳ ଦେଶ ନୃପତି ଦ୍ରୋପଦ ରାଜାର ଅବଳା

ପ୍ରତଗ୍ୟାଂ ସାଧବୀ ସେ କେଶ ଯାହାର ମୁକୁଳା ।୧୩୧।

ଗୋପ୍ୟାନ ନିମନ୍ତେ ସେ ସଇରିନ୍ଧ୍ରୀ ନାମେ ବହି

ଦିନ ହରଣ ନିମନ୍ତେ ସେ ଗୋପ୍ୟେ ଛନ୍ତି ରହି ।୧୩୨।

ନକୁଳକୁମାର ୟେ ସୁନ୍ଦର ସୁକୁମାର ଅଟଇ

ଅଶ୍ୱିନୀକୁମାର ମୁଖେ ଯାହାକୁ ପାଟ ଅଛଇ ।୧୩୩।

ହେମବନ୍ତ ବିବାଦେ ଯେ ପୃଥୀ ଧଇଲା କ୍ରୋନ୍ତମୁନେ

ଛତ୍ର ପ୍ରାୟେ କରି ବହିଲା ଅଭିମାନେ ।୧୩୪।

ସୁନ୍ଦର ସୁକୁମାର ସେ ପଣ୍ତିତ ମହାସିଦ୍ଧା

ରେହନ୍ତର ପ୍ରସାଦେ ସେ ଜାଣଇ ଅଶ୍ୱ ଲକ୍ଷଣ ବିଦ୍ୟା ।୧୩୫।

ଗୋପ୍ୟାନ ନିମନ୍ତେ ସେ ଗ୍ରନ୍ଥିକାର ବାଜୀପାଳ

ସର୍ବଗୁଣେ ସୁଲକ୍ଷଣ ସେ କୁମାର ନକୁଳ ।୧୩୬।

ଆହୋ ଉତ୍ତର ଯାହାର ଅଶ୍ୱ ସାଜିଲେ ଜିଣଇ ପରଥାଠଇ

ନ ଜିଣିଲେ ନ ଲେଉଟଇ ସରୂପ ଜାଣ ଅଟଇ ।୧୩୭।

ଆହୋ ଉତ୍ତର କହନ୍ତେ ନ ସରଇ ୟେହାଂକର ମହିମାଂ

ଆକାଶରେ ପଡୁଥାଇ ଯାହାର ଗାରିମା ।୧୩୮।

ନାମ ସଂକେତ ନାଶକର ସକଳ ଦର୍ପଗଞ୍ଜା

କାଳଦଣ୍ତ ଛାଡଇ ତାକୁ କୃତାନ୍ତେକ ଦେବରାଜା ।୧୩୯।

ବୃହନ୍ନାରୀ ବୋଇଲା ଶୁଣ ହୋ ବିରାଟର ବଚ୍ଛା

ମନ୍ତ୍ରୀ ଚୂଡାମଣି ସହଦେବ ଗୋରୁଂକର ପରିଚ୍ଛା ।୧୪୦।

ପିତାକୁ ଅସାଧ୍ୟ୍ୟ ଯେବଣ ପ୍ରୋଥନା

ଲକ୍ଷେ ରାଜାକଇଂ ଯେ ନପାଇ ଗଣନା ।୧୪୧।

ସାତକ୍ଷଉଣୀ ବଳ ଘେନି ବାହିଲା ବିରାଟ

ପ୍ରୋଥନା ଶିଂଗଘାତେ ନିମଞ୍ଜିଲା ଥାଠ ।୧୪୨।

ବେନିକ୍ଷଉଣୀ ବଳ ମରାଇ ଗଲା ମଚ୍ଛଦେଶେ

ସେ ପ୍ରୋଥନା ସାଧ୍ୟ୍ୟହୋଇଲା ଯାହାର ବେନୁଘୋଷେ ।୧୪୩।

ଉତ୍ତର ଯାହାର ନାମ ଧରନ୍ତେ ସର୍ବ ରୋଗ ତୁଟି

ଭୂତ ଭବିଷ୍ୟ ଗ୍ୟାଂତା ବାବୁ ଯାହାର ନାମଗୋଟି ।୧୪୪।

ଗୋରୁନ୍ତ ତାରିବାକୁ ଯାହାର ମନ୍ତ୍ର ବୁଦ୍ଧି

ତେଣୁ ସେ ତନ୍ତ୍ରୀପାଳ ଗୋପାଳ ନାମ ପରସିଦ୍ଧି ।୧୪୫।

ଉତ୍ତର ବୋଇଲା ବୃହନ୍ନାରୀ ମୁଖ ଚାହିଂ

ୟେମାନଂକର ବାରତା ପାଇଲି ଅର୍ଜୁନ ଠାକୁରେ ଗଲେ କାହିଂ ।୧୪୬।

ବୃହନ୍ନାରୀ ହସିଲେଯେ ଉତ୍ତର ବଚନେ

ମୁହିଂ ସେ ପାର୍ଥିବ ହାଦେ ବାସେବ ନନ୍ଦନେ।୧୪୭।

ଉପହାସେ ଉତ୍ତର ନାସିକାୟେ ଦେଇ ହାଥ

ବାବୁ କି ପାତକେ ଅର୍ଜିଲୁ ହୋ ବାସେବର ସୁତ ।୧୪୮।

ବାବୁ ହରିହର ଆତ୍ମାଗୋଟି ଯେବଣ ପୁରୁଷ

ନପୁଂସେକ ଲକ୍ଷଣ ହେଲୁ କେବଣହିଂ ଦୋଷ ।୧୪୯।

ମୁହିଂ ଯାହା ଶୁଣିଅଛି ଦେଶାଉର ମୁଖେ

ରାମକୃଷ୍ଣ ଜିଣିମାକୁ ଯେ ସାମର୍ଥ ଅଟଇ ୟେକେ ।୧୫୦।

ବୃହନ୍ନାରୀ ବୋଇଲା ସତ୍ୟ ମୋର ବାଣୀ

ପୁରୁଷ ବେଶ ମୋହୋର ଦୋଖ ୟେହିକ୍ଷଣି । ୧୫୧।

ଉତ୍ତର କୁମର ବୋଇଲା କେବଣ ତୋର ପାପ

ୟେହେନ୍ନେକ ଅଲକ୍ଷଣ ତୋହୋର କାହାର ଅଭିଶାପ ।୧୫୨।

ୟେ ମୋହୋର ଇଦଂ ବାକ୍ୟ ଶୁଣ ରେ ବିରାଟି

ନିର୍ବତକପଚେ ବଧ୍ୟ୍ୟକରି ମୁଂ ଅମରାଧି ନାଥେ ଭେଟି ।୧୫୩।

ଯେବଣ ବେଳେ ଦାନେବ ଧାଡ଼ିଦିଲା ଅମର ମଣ୍ତଳେ

ଭାଞ୍ଜିଣ ଜୂର କରଇ ସର୍ଗ ମଣ୍ତଳ ସର୍ବକାଳେ ।୧୫୪।

ମୁଂ ତାହାକଇଂ ନିଧନ ହାଦେ କଲଇଂ ସମରେ

ଅନେକ ଉତ୍ସବ ଇନ୍ଦ୍ର ଦେବତା କଲେକ ଅମରେ ।୧୫୫।

ଆସ୍ତାନେ ପିତାମହ ବସାଇଲେ ମୋତେ କୋଳେ

ଅପଛରୀୟେ ମୋତେ ବେଢିଲେ ହର୍ଷଭୋଳେ ।୧୫୬।

ଆଶା ଜାଣିମା ନିମନ୍ତେ ବାସେବ ଦେବତା ଦିଲେ ପେଷି

ଅନେକ ବିନୟୀ ରମଣ ମୋତେ ମାଗିଲା ଉର୍ବଶୀ ।୧୫୭।

ଶୁଣ ହୋ ସତ୍ୟଯୁଗେ ଅମରେ ପୁରରବା ନାମେ ରାଜା

କାଳେ ସେ ଉର୍ବଶୀ ହାଦେ ତାହାଂକର ଭାରିଯା।୧୫୮।

ପୁରରବା ଅନ୍ତେ ଇନ୍ଦ୍ର ହୋଇଲେ ନ ଘୋଷ

ତାହାଂକର ଉର୍ବଶୀ କରାଇଲା ଅଭିଳାଷ ।୧୫୯।

ପୁଣ ଇନ୍ଦ୍ରପଦେ ବସିଲା ଯଯାତି

ତାହାଂକର ଉର୍ବଶୀ କରାଇଲା ପ୍ରିୟବତୀ ।୧୬୦।

ପୁଣ ଇନ୍ଦ୍ରପଣେ ସ୍ୱର୍ଗେ ବସିଲେ ଦୁଷ୍ମନ୍ତ

ତାହାଂକର ଉର୍ବଶୀ କରାଇଲା ପ୍ରିୟମତ ।୧୬୧।

ୟେବେ ଇନ୍ଦ୍ରପଦେ ଯେ ଅମର ମଣ୍ତଳେ

ୟେ ମୋହୋର ପିଅର ଅଟଇ ଆଖଣ୍ତଳେ ।୧୬୨।

ୟେବେ ସେ ଉର୍ବଶୀ ଅଟେ ତାହାଂକର ଯୁବତୀ

ମୁହିଂ ପାମର ତାହାକଇଂ କେମନ୍ତେ କରିବଇଂ ସୁରତି ।୧୬୩।

ବଂଶ ଗୁରୁପତ୍ନୀ ବୋଲି ନାସ୍ତି ମୁହିଂ କଲି

ରାଗେ ଉର୍ବଶୀ ବୋଇଲା ନପୁଂସେକ ହୋଅ ବୋଲି ।୧୬୪।

ବିରହିତା ବାମା ମୁଂ ମୋତେ କଲୁ ତୁ ନିରାଶ

ଅନ୍ୟସ୍ତିରୀ ମେଳେ ତୋହୋର ନୋହୁ ଅଭିଳାଷ।୧୬୫।

ଶୁଣ ବାବୁ ଉତ୍ତର ୟେହା ଜାଣିଲେ ସସ୍ରଯୋନି

ସାଧୁ ସାଧୁ ପୁତ୍ର ବୋଲି ମୋତେ କଲେ ଧନି ଧନି ।୧୬୬।

ଉର୍ବଶୀକି ବାସବ ଦେବତାୟେ କଲେ କୋପ

ନିକଳଂକ ପୁତ୍ର ଗୋଟିକି ମୋର ଦିଲୁ ୟେତେକ ଶାପ।୧୬୭।

ବାସବେ ଦେବତାଂକ କୋପେ ମୋତେ ସେ କଲାକ ସଦୟେ

ଯାଅ ଯା ଶାପ ମୋହୋର ତୋତେ ହିତ ହୋଉ ଧନୁର୍ଜୟେ ।୧୬୮।

ଗୁପତେ ବନବାସ ଯେ ହୋଇବ ଅଗ୍ୟାଂତ

ଆନ ଆନ ରୂପେ ତୁମ୍ଭେ ଗୁପତେ ରହିବ ପଞ୍ଚୁଭ୍ରାଥ ।୧୬୯।

ବେନିଭୁଜେ ତୋହୋର ଯେ ଫଳିତ ଗୁଣଘୃଷ୍ଟେ

ବାହି ବାନ୍ଧି ତାହା ଳୁଚାଇବୁ ସଂକଟେ ।୧୭୦।

ବାବୁ ପରମ ସାଧବୀ ମୋତେ ଯାହା କୋପେଣ ବୋଇଲା

ମହତଂକର କୋପେ ମୋତେ ପରମହିତ ହୋଇଲା ।୧୭୧।

ମୋହୋର ଲକ୍ଷଣ ଯେ ଘେନିଣ ଉର୍ବଶୀ

ଅମରେ ବସିଅଛି ସେ ହୋଇଣ ପୁରୁଷବେଶୀ।୧୭୨।

ତୁ ଯେ ପୂଚ୍ଛାକଲୁ ବାବୁ ମୋହୋର ଚରିତ

ନଫୁସେକ ଲକ୍ଷଣ ମୋତେ ହୋଇଲା ୟେମନ୍ତ। ୧୭୩।

ଉତ୍ତର ବୋଇଲା ଅର୍ଜୁନ ଠାକୁରେ ବହନ୍ତି ଦଶନାମ

ତାହା କହିଲେ ମୁଂ ହୋଇବି ପରିଣାମ।୧୭୪।

ଅର୍ଜୁନ ବୋଇଲେ ଉତ୍ତର ବହୁତ ଗହନ ୟେ କଥା

ତୁ ଯେ ପୁଚ୍ଛାକଲୁ କହିବାନା ତାହାର ବାରତା ।୧୭୫।

ଧୃତରାଷ୍ଟ୍ର ଅନ୍ଧ ଯେ ରାଜ୍ୟକୁ ନୋହିଲା ଯୋଗ୍ୟ

ସୋଦର ଅର୍ଥେ ପଣ୍ଡୁର ତାହାଂକୁ ବଡ଼ ସ୍ରାଗ ।୧୭୬।

ଧୃତରାଷ୍ଟ୍ରକୁ ପଣ୍ଡୁ ରାଜ୍ୟଭାର ଦେଇ

ଦୁଷ୍ଟଂକ ନିବାରଣେ ସେ ବନଗାମୀ ହୋଇ।୧୭୭।

ପଣ୍ଡୁଂକର ତୁଲେ କୋଇନ୍ତା ମାଦ୍ରୀ ବେନିରାଣୀ

ଶତଶିଂଗ ପର୍ବତରେ ଯେ ଆଶ୍ରମ କଲେ ପୁଣି ।୧୭୮।

ସେ ସୁରନଦୀ ତୀରେ ଅର୍ଜୁନ ନାମେ ବନ

ତହିଂ ଜନମିଲି ମୁଂ ମିଥୁନ କୃଷ୍ଣ ଦୁତୀୟାର ଦିନ ।୧୭୯।

ବୃହସ୍ପତି ବାର ନକ୍ଷତ୍ର ଯେ ଉତ୍ତରା ଫାଲଗୁନି

ରାତ୍ରେଣ କୋଳେ ମୋତେ କୋଇନ୍ତାୟେ ଛନ୍ତି ଘେନି ।୧୮୦।

ଶ୍ରୀକରେ ଅର୍ଘ୍ୟ ଘେନି ପଣ୍ଡୁ ଯେ ରାଜନ

ପ୍ରଥମେ ନାମ ମୋର ଦିଲେକ ଅରଜୁନ ।୧୮୧।

ବୃହସ୍ପତି ରାଇ ଗଣାଇଲେ ସସ୍ରଯୋନି

ବୃହସ୍ପତି ନାମ ମୋତେ ଦିଲେ ଫାଲଗୁନି ।୧୮୨।

ଆହୋ ଉତ୍ତର ରଇବ୍ରତ ପର୍ବତେ ଗୋବିନ୍ଦେ ଫଗୁ ଖେଳି

ୟେମନ୍ତର ସମୟେ ବନେ ଶୁଭିଲା ହୁଳହୁଳି ।୧୮୩।

ଅଦଭୁତ ଶବଦ ଶୁଣିଣ ଦେବରାଜେ

ତତକ୍ଷଣେ କେଶବ ବଇନେତ୍ର ପିଠିରେ କଲେ ବିଜେ।୧୮୪।

ଭ୍ରମନ୍ତେ ଦେଖିଲେ ସେ ମୋହୋର ବର୍ଣ୍ଣଚିହ୍ନ

ସରୂପେ ଦେଖି ମୋତେ କୋଳେ ଧଇଲେ ଜନାର୍ଦ୍ଦନ ।୧୮୫।

ଅନେକ ରତ୍ନ ଆଭରଣ କଲେକ ବନମାଳୀ

ଆପଣେ ଦୋଳିରେ ବସାଇ ଦୁତୀକୃଷ୍ଣ ନାମ ତୋଳି।୧୮୬।

ବାବୁ ଅମର ନାଶ କଲା ଯେ ବଜ୍ରକପଚର ସୁତ

ବାସେବର ବଚନେ ମୁଂ ମାଇଲି ନିର୍ବାତକପଚ।୧୮୭।

ଅନେକ ଉଚ୍ଛବ ଯେ ଅମରେ କଲେକ ଦେବରାଜା

କିରେଟୀ ମୁକୁଟ ବାନ୍ଧି କିରୀଟ ନାମ ଦିଲେକ ବିଡୋଜା ।୧୮୮।

ବାବୁ ବିଶ୍ୱାବସୁ ଭାରିଯା ନାମ ଋତୁବତୀ

ତାହାକୁହିଂ ହରିନେଲା ବଜ୍ରକପଚର ନାତି।୧୮୯।

ହିରଣ୍ୟକପଚ ମାରି ଆଣିଲି ତାର ପ୍ରିୟା

ଅନେକ ବିନୋୟୀ ମୋତେ କହିଲେ ଗନ୍ଧର୍ବକୁଳ ଶ୍ରୀୟା ।୧୯୦।

ହିରଣ୍ୟ ଅନଳ ଋଚିର ପଦ୍ମରାଜ

ୟେ ଚାରିହୟେ ଶୁଦ୍ଧ ସଷ୍ଟିକ ଜାଣି ତେଜ ।୧୯୧।

ବିଶ୍ୱାବସୁ ପୂଜାକଲେ ମୋତେ ଶ୍ୱେତ ବାରାସ ଘେନି

ତେଣୁକରି ନାମ ମୋର ଦିଲେ ଶ୍ୱେତ ଯେ ବାହିନୀ ।୧୯୨।

ଶୁଣ ବାବୁ ଉତ୍ତର ଶ୍ରୀକୃଷ୍ଣାର ତନୁ

ଯେତେବେଳେ ଖାଣ୍ଡବ ବନ ମୁଂ କଲଇଂ ଦହନୁ ।୧୯୩।

ଅଗ୍ନି ଦେବତାଂକର ଯେ ଲୁଦୁବୁଦୁ ବ୍ୟାଧି

ଖାଣ୍ଡବ ବନ ଦହିଣ ଦିଲି ମଉଷଧି।୧୯୪।

ଅଗ୍ନି ଦେବତାୟେ ଅନେକ ତ୍ରିପତି ହୋଇଲେ

ବିଷ୍ଣୁନାଥଂକ ତହୁଂ ମୋତେ ଗାଣ୍ଡିମ ଧନୁ ଦିଲେ ।୧୯୫।

ଅଭୟେ ବର ତୋତେ ପ୍ରାପତ ହୋଉ ବୋଲି ଅଗ୍ନି ଦେବତାୟେ ବୋଇଲେ

ତ୍ରଇଲୋକ୍ୟ ଜୟୀହୁଅ ୟେ ଧନୁ କରେ ଥିଲେ ।୧୯୬।

ବାବୁ ୟେ ଧନୁ କରେ ଥିଲେ ହୋଅଇ ସର୍ବ ଜୟେ

ତେଣୁକରି ଅଗ୍ନି ଦେବତାୟେ ନାମ ଦିଲେ ଧନୁର୍ଜୟେ ।୧୯୭।

ବାବୁ ସୁଗନ୍ଧିକା ହରଣେ ମୁଂ ହନୁମନ୍ତେ ବିବାଦୀ

ଶରେ ଶରେ ସାଗର ମୁହିଂ ସେତୁବନ୍ଧ ବାନ୍ଧି ।୧୯୮।

ବାରାନିଧି ଭିତରେ ସେ ଚଉବିଂଶ ଜୂଣ ଦୀର୍ଘପ୍ରତି

ୟେତେବଡ଼ ବନ୍ଧ ମୁହିଂ ବାନ୍ଧିଲଇଂ ଦକ୍ଷିଣ ମୂରତି।୧୯୯।

ଅନେକ ପ୍ରଶଂସା ମୋତେ କଲାକ ହନୁମନ୍ତ

ତେଣୁକରି ନାମ ମୋର ଦିଲେକ ସେ ପ୍ରାର୍ଥ।୨୦୦।

ବାବୁ ଯାଗଦି ତୀର୍ଥ ଯେ ଗଙ୍ଗା ସ୍ରାହାନ କାଳେ

ସର୍ବେଶ୍ୱର ବୋଲିଣ ସେ ୟେକଇ ଚାଣ୍ଡାଳେ।୨୦୧।

ନିଶାଚର ଦୂରାନ୍ତେକ ଦେବସ୍ତିରୀନ୍ତ ଦେଖି

ବଳାତ୍କାରେ ହରିଲା ଯେ ଶଚୀ ଯେ ଦେବୀଂକି ।୨୦୨।

ଅନେକ ସମର ସେ ହୋଇଲା ମେରୁପୃଷ୍ଠେ

ବୃନ୍ଦାଅର୍କମାନନ୍ତ ସେ ଜିଣିଲା ଦ୍ରପିଷ୍ଟେ।୨୦୩।

ମୁହିଂ ବସିଅଛି ସେ ଅସକନ୍ଦ ନାମେ ବନେ

ଶଚୀଦେବୀଂକି ଘେନିଣ ସେ ଚଳଇ ଯାତୁଧାନେ ।୨୦୪।

ଶଚୀଦେବୀ ଡାକଦିଲେ ଅର୍ଜୁନ ମୋତେ ରଖ

ତୋହୋର ପରାୟେ ପୁତ୍ର ଥାଉଂ ମୁଂ ହୋଇଲି ନିରେଖ।୨୦୫।

ଇଦଂ ବାକ୍ୟ ଶଚୀଦେବୀ ବୋଲନ୍ତି ବିକଳେ

ଦୁରାନ୍ତେକ ବଳ ମୁହିଂ ଧ୍ୱସିଲଇଂ ରୋଳେ।୨୦୬।

ସର୍ବେଶ୍ୱର ଚାଣ୍ଡାଳ ଆଦିକରି ସର୍ବବଧି

ଦେବ ଭୁବନେ ମୁହିଂ କାର୍ଯ୍ୟକଲି ସିଦ୍ଧି ।୨୦୭।

ସେ ଅପର୍ଣ୍ଣାମାନେ ବୋଇଲେ ଖଣ୍ଡିଲୁ ସର୍ବ ଅରିଷ୍ଟି

ସର୍ବସାଚୀ ନାମ ତୋହୋର ହେଉ ରେ ପୁତ୍ରଗୋଟି ।୨୦୮।

ବାବୁ ସାଂଗ୍ରାମେ ନିସତ ହୋଅନ୍ତି ଯେବଣହିଂ ଛତ୍ରୀ

କେଶ ମୁକୁଳିତ ବିବସ୍ର ବିଶହସ୍ର ବିରଥୀ ।୨୦୯।

ମୁଖେ ଅଙ୍ଗୁଳ ଲାଇ ନିସତେ ଦ୍ୟନ୍ତି ପିଠି

ବିବଚ୍ଛ କର୍ମେ ମୁହିଂ ନ ପେଷଇ ଶରଗୋଟି ।୨୧୦।

ସମସ୍ତ ଯୋଦ୍ଧାୟେ ବୋଇଲେ ପ୍ରତଗ୍ୟାଂ ତୋହୋର ସାଚ

ୟେ ମହୀମଣ୍ଡଳେ ନାମ ତୋହୋର ବିବଚ୍ଛ।୨୧୧।

ବାବୁ ରାଜୁସୀ ଯାଗରେ ଯେ ଦିଗ ବିଜୟ କାଳେ

କାହାକୁହିଂ ନ ମାରି ସାଧିଲି ପ୍ରିୟବଳେ।୨୧୨।

ଉତ୍ତର ଦକ୍ଷିଣ ପୂର୍ବେ ପଚ୍ଛିମ ଲକ୍ଷେକ ନୃପତି

ବିଜୟ ନାମ ଦେଇଣ ସଭିୟେଂ କଲେ ତୁସ୍ତି ।୨୧୩।

ମୋର ଦଶନାମ ବାବୁ ଶୁଣିମାକୁ ସାବଧାନ ହୋଇଲୁ ବିରାଟି

ୟେ ମହୀଣ୍ଡଳେ ସାଧିୁ ତୋହୋର ଜୀବନଗୋଟି ।୨୧୪।

ଆହୋ ଉତ୍ତର ୟେ ଦଶନାମ ଯେ ପଢନ୍ତି ଶୁଣନ୍ତି

ପ୍ରାତ ସଂଧ୍ୟ୍ୟାୟେ ଯେ ହୃଦୟେ ଘୋଷନ୍ତି ।୨୧୫।

ହରନ୍ତି ପାତେକ ସେ ଖଣ୍ଡନ୍ତି ଦୁର୍ଗତି

ଅପୁତ୍ରିକେ ପୁତ୍ର ପାନ୍ତି ଧନ ସନ୍ତତି ବର୍ଦ୍ଧୁତି ।୨୧୬।

ରାଜଦଣ୍ଡ ଯମଦଣ୍ଡ ଅପଯଶ ଖଣ୍ଡଇ ସର୍ବକାଳେ

ଇହଲୋକେ ଭୋଗପାନ୍ତି ପରଲୋକେ ବସନ୍ତି ସର୍ଗମଣ୍ଡଳେ ।୨୧୭।

ପ୍ରତ୍ୟକ୍ଷ ଦେଖ ତୁହେ କୁମାର ବିରାଟି

ନପୁଂସେକ ଲକ୍ଷଣ ମୋର ଗଲାଟି ୟେବେ ଫିଟି ।୨୧୮।

ୟେ ମୋହୋର ଦଶନାମ ଶୁଣିଲୁ ବିରାଟି

ଆଝୁଂ ଦୁର୍ଗତମାନ ଗଲା ତୋହୋର ଫିଟି ।୨୧୯।

ଶୁଣିଣ ଉତ୍ତର କୁମାର ଶତେ ସହସ୍ର ଦଣ୍ଡ ପରିଣାମି

ତୁମ୍ଭେ ସେ ବୀରବର ପୁରୁଷଂକ ଉତ୍ତମି ।୨୨୦।

ଜୟତୁ ପାଣ୍ଡବ ଶୁଦ୍ଧ ଗୁଣରାଣି

ବାରତେ ଭାରୋଇମଲ୍ଲ ଅଭୟେ ସୋମବଂଶୀ ।୨୨୧।

ଅନେକ ପୁଣ୍ୟ ସ୍ୱାମି ମୁଂ କରିଥିଲି ପୂର୍ବେ

ଦେଖିଲି ଦୁତୀନାରାୟଣ ସରୂପ ଭଗତିଭାବେ ।୨୨୨।

ଜଗୁଜନ ସୋଦର ପ୍ରଭୁ ଶରଣ ପଞ୍ଜର ନାଥେ

ଶ୍ରୀକୃଷ୍ଣ ସାରଥି ପଣେ ବାହାନ୍ତି ଯାର ରଥେ ।୨୨୩।

ସାଧୁ ସାଧୁ ସୁଲଭ ୟେ ମଘଦେଶ ମଚ୍ଛପୁରୀ

ସାଧୁ ସୁଲଭ ୟେ ନଗର ନରନାରୀ ।୨୨୪।

ସାଧୁ ସାଧୁ ସୁଲଭ ୟେ ବିରାଟର ବଂଶ

ମମ ଭୁବନେ ପ୍ରବେଶ ପରମାନନ୍ଦ ପୁରୁଷ।୨୨୫।

ସୋହୋଦ୍ରାର ପ୍ରାଣନାହା ଦୁତୀକୃଷ୍ଣ କାୟେ

ଶୁଦ୍ରମୁନି ସାରୋଳା ଦାସ ହୃଦଗତେ ନିତ୍ୟେ ଧ୍ୟାୟେ ।୨୨୬।୫୬୨୫।

 

ଶିବପିଣ୍ଡ ଓ ଦେବଦତ୍ତ ଶଙ୍ଖ ବିବରଣ ଏବଂ ଅମ୍ବାସୁର ବଧ

ଇଦଂ ବାଚ ଯେ ଉତ୍ତର କୁମାର କଥୋପି

ଜଗବନ୍ଦନ ପୁରୁଷ କାଳ ବ୍ରତେକ ଅନରୂପୀ।୧।

ଯହୁଂ ସେ ସଂପକ୍ଷ ମୋତେ ଦୂତୀ ନାରାୟଣ

ଉତ୍ତର କୁମାର ବିନୟୀ ପଚାରଇ ବୟାଣ ।୨।

ଅର୍ଜୁନ ବୋଇଲେ ଉତ୍ତର ୟେବେ ବୃକ୍ଷକୁ ବେଗେ ଉଠ

ଚାରିଧନୁ ଆଠତ୍ରୋଣ ଥୋଅ ନେଇ କ୍ରୋଟ ।୩।

ନୟନ ବୁଜି ଉତ୍ତର ବୃକ୍ଷକଇଂ କଲା କୋଳ

ଧାତିକାରେ ଉତ୍ତର ଯାଇଂ ଲାଗିଲାକ ଡାଳ ।୪।

ଚାରିଧନୁ ଆଠତ୍ରୋଣ ଅର୍ଜୁନ ଦିଲା ବଢାଇ

ଉତ୍ତର କୁମାର ଧଇଲା ତାହା ତରୁଡାଳେ ଥାଇ।୫।

ଧନୁ ତ୍ରୋଣମାନେ ସେ ଥୋଇଲା କ୍ରୋଟରେ

ଧାତିକାରେ ଓହ୍ଲାଇଲେ ବିରାଟ କୁମାରେ ।୬।

ମୃତପିଣ୍ଡକୁ ବୋଇଲା ଲାଗଯାଇଂ ବୃକ୍ଷେ

ଆଗ୍ୟାଂ ପ୍ରମାଣେ ସେ ଯାଇଂ ଲାଗିଲା ପ୍ରତକ୍ଷେ ।୭।

ଉତ୍ତର ପଚାରଇ ଶୁଣିମା ଫାଲଗୁନି

ୟେ ମୃତପିଣ୍ଡର ମହିମାଂ ଅଟଇ କେସନି।୮।

କର ଚରଣ ଶିର କିଛିହିଂ ୟେହାର ନାହିଂ

ବଦନ ବିହୁନେ ୟେ ଯେ ବୋବି ୟେକ ଦେଇ ।୯।

ଘୋର ରଡ଼ିଘାତେ ସେ ଯେ କଂପଇ ବ୍ରହ୍ମାଣ୍ଡ

ଅଉଦଡ଼ି ବନ୍ଧନେ ୟେ କିଂପା ୟେଡ଼େକ ପରଚଣ୍ଡ ।୧୦।

ଅର୍ଜୁନ ବୋଇଲା ଶୁଣ ତୁ ହୋ ବିରାଟର ବାଳେ

ଅନେକ ଉପୁଗାର କଲି ନିର୍ବାତ କପଚ ବଧକାଳେ ।୧୧।

ବୃହଧ୍ୱଜର ପୁତ୍ର ସେ ବୁଧଶ୍ରବା ବୋଲି

ଚଣ୍ଡ ଗନ୍ଧର୍ବ ପୁତ୍ର ପ୍ରଚଣ୍ଡ ମହାବଳୀ।୧୨।

ୟେହାର ମାତା ନାମ ଅଟଇ ମଧୁବତୀ

ବାସବେ ଦେବତାର ସେ ଅଟଇ ପଣନାତି ।୧୩।

ୟେହାର ଭାରିଯା ନାମ ଅଟଇ ସୁରମୋହିନୀ

ୟେହାକଇଂ ବଳାତ୍କାରେ ନିର୍ବାତକପଚ ଗଲା ଘେନି ।୧୪।

ନିର୍ବାତକପଚ କଇଂ ବଧକରି ମୁଂ ଆଣିଲି ସେହୁ ବାଳୀ

ଭାରିଯା ପାଇଣ ଅନେକ ସାନନ୍ଦ ହୋଇଲା ପ୍ରଚଣ୍ଡାବଳୀ ।୧୫।

ମୋତେ ବୋଇଲା ତୁ ଯେ ବଧକଲୁ ମୋର ଦାରା ବଇରି

ମୁହିଂ ତୋତେ କିସ ହୋଇବି ଉପୁଗାରି ।୧୬।

ଦେବାକୁ ରହମାନ ନୋହଇ ତୁ ମୋହୋର ଗୁରୁ

ଅଥବା ଦେଇପାରଇ ଯିସ ଲୋଡ଼ିପାରୁ ।୧୭।

ମୁହିଂ ବୋଇଲି ଯେବେ ପ୍ରସନ୍ନ ହୋଇଲୁ ମୋତେ

ଶହସ୍ରନ୍ତ ରକ୍ଷାକରିବୁ ଅଗ୍ୟାଂତବାସ ପରିଯନ୍ତେ ।୧୮।

ବାବୁ ମହତଂକ ବଚନ ନୋହଇଟି ଆନ

ସତ୍ୟ ରଖି ଅଦଉଡ଼ିୟେ ହୋଇଛି ବନ୍ଧନ ।୧୯।

ଗନ୍ଧର୍ବେ ଦାନବେ କିନ୍ନରେ ଶହସ୍ର ନିଅନ୍ତି ବୋଲି ହରି

ତେଣୁକରି ବିକଟାଳେ ଦିଅଇ ଘୋରରଡ଼ି।୨୦।

ଘାଉଆ ବିହୀନେ ଗନ୍ଧାୟେ ଯେ ସେହି

ଆଡ଼ ଦୀର୍ଘ ଯୋଜନ ପରିଯନ୍ତେ ନୁଆସନ୍ତି କେହି ।୨୧।

ୟେ ସେ ବିଦ୍ୟାଧର ପ୍ରଚଣ୍ଡ ମହାବଳୀ

ୟେ ଶହସ୍ରନ୍ତ ରକ୍ଷାକରି ପାରଇ କି ଆନଭଳି ।୨୨।

ଉତ୍ତର ବୋଇଲା ୟେ ଶମୀବୃକ୍ଷର ଅନେକ ମହିମାଂ

ୟେତେ ଶହସ୍ରନ୍ତ ବହିଅଛି ୟେ କେବଣ ମହାତମା ।୨୩।

ସୁନ୍ଦର ହୋଇକରି ଯେ କ୍ରୋଟର ମଧ୍ୟ୍ୟସ୍ଥାନେ

ମହୀଭରା ନ ସହଇ ୟେ ବୃକ୍ଷ ସହିଲା କେସନେ ।୨୪।

ଶୁଣ ଉତ୍ତର କୁମାର ଯେ ବୋଲଇ ଫାଲଗୁନି

ୟେ ବୃକ୍ଷ ହରିହର ଦେବତାଂକ ଭୂଜ ବେନି।।୨୫।

ବାବୁ ଅଙ୍ଗେକ ଶୁକ୍ଲ ବର୍ଣ ଯେ ଅଙ୍ଗେକ କଳା

ପ୍ରତକ୍ଷେ ଦେଖିଲୁଟିକି ବିରାଟର ବଳା ।୨୬।

ଯେବଣ ଶହସ୍ର ଭାର ନ ସହଇ ମେରୁ

ହରିହର ବେନି ଦେବତା ୟେହା ବହିଲେ ଗରୁ ।୨୭।

ଅର୍ଜୁନର ଯେତେବେଳେ ନପୁଂସେକ ଲକ୍ଷଣ ପାରଗଲା

ଦେବଦତ୍ତ ଶଙ୍ଖ ଯେ ମାତଳି ଆଣିଦେଲା ।୨୮।

କିରୀଟୀ ମୁକୁଟ ଯେ ବୀରବେଶ ଅଲଂକାର

ମାତେଳୀ ଆଣି ଆଭରଣ କଲାକ ଶରୀର ।୨୯।

ଉତ୍ତର କୁମାର ପଚାରଇ ଦେବଦତ୍ତ ଶଙ୍ଖ ଚାହିଂ

ୟେ ଶଙ୍ଖଗୋଟି ସ୍ୱାମି ପାଇଲୁ ତୁମେ କାହିଂ ।୩୦।

ଅର୍ଜୁନ ବୋଇଲା ତୁମି ଶୁଣ ହୋ ଉତ୍ତର

ଅଳକାପୁର ଠାକୁର ଯେ ଅଟଇ କୁବେର ।୩୧।

ମକର ମାସ ଶୁକଳ ପକ୍ଷ ତିଥି ଯେ ଚଉଠି

ମଘାନାମେ ନକ୍ଷତ୍ରକୁ ବେଳ ଭୋଗ ତିନିଘଟି।୩୨।

ବିଷ୍ଟି ନାମେ କରଣ ଯେ ଆୟୁଷ୍ମାନ ନାମେ ଯୋଗ

ମକର ସଂକରାନ୍ତିକି ତିନି ଦିବସ ଭୋଗ ।୩୩।

ସହସ୍ରେକ କନ୍ୟା ଘେନି ନଳ କୁବେରଇ

ଚନ୍ଦ୍ରଭାଗା ଆର୍କତୀଥେ ଯାଇଂ ସ୍ରାହାନ କରଇ ।୩୪।

ଅମ୍ବାସୁର ବୋଲିକରି ବାଣାସୁର ପଣନାତି

କନ୍ଦମ୍ବାସୁର ଦାନେବର ସେ ଅଟଇ ସନ୍ତତି ।୩୫।

ପୂର୍ବଦିଗେ ଅମ୍ବୁ ବନେଣ ତାହାର ଯେ ବାସ

ସେହୁ ସେ ଭାସ୍କର ତୀର୍ଥକୁ ବଳାୟେ ମାନସ ।୩୬।

ତାହାର ଭାରିଯା ନାମ ସରହ ସୁନ୍ଦରୀ

ଚନ୍ଦ୍ରଭାଗା ତୀର୍ଥେ ସେ ମାୟେ ସ୍ରାହାନ କରି ।୩୭।

କୁବେର ଭାରିଯା ନାମ ଅଟେ ହାରାବତୀ

ଅନେକ ଅମୁଲ୍ୟ ରତ୍ନ ଆଭରଣ ହୋଇଛନ୍ତି ।୩୮।

ଅମ୍ବାସୁର ଭାରିଯା ଯେ ସରହ ସୁନ୍ଦରୀ

କୁବେର ଭାରିଯା ହାରାବତୀକି ବୋଇଲା କରଯୋଡ଼ି ।୩୯।

ଅପୂର୍ବ ରତ୍ନ ଅଳଂକାର ତୁମର ତହିଂ ଅଛି

ମାଳୀ ଗୋଟିୟେକ ତୁମ୍ଭେ ଦିଅକିନା ଲେଚ୍ଛି ।୪୦।

ଉପହାସ୍ୟ କରିଣ ସେ ବୋଇଲା ଦେବସ୍ତିରୀ

ଦେବତାଂକ ଅଳଂକାରକୁ ଇଚ୍ଛାକଲୁ ଲୋ ପାମେରି ।୪୧।

ଅସୁରୀ ପାମେରୀ ତୁଲୋ ଲେଞ୍ଚ ହୀନଜାତି

ୟେଥେ ଅଳଂକାର ମାଗୁ ଲୋ ଚାଣ୍ଡାଳୀ ଦୁରାପତି ।୪୨।

ଅପାର ଝିଂଘାସି ବୋଇଲା ବହୁତ ବାଗେ

କାନ୍ଦିଣ ରାକ୍ଷାସୁଣୀ କହିଲା ଅମ୍ବାସୁର ଆଗେ ।୪୩।

ପ୍ରୀତି ଉପୁଜାଇ ମୁଂ ମାଗିଲି ଅଳଂକାର

ବୋଇଲା ଦେବତାଂକ ଅଳଂକାରକୁ ଆଶାକରୁ ଲୋ ତୋହୋର ଛାର ।୪୪।

ଅମ୍ବାସୁର ଅଇଲା ଭାରିଯା ହାଥ ଧରି

ଡାହାଣ ଭୁଜେ ଧରିଅଛି ସେ ଲୋହର ଲଉଡ଼ି।୪୫।

ଅଧର ପୁଷ୍ଟ କରିଣ ଯେ ପ୍ରବେଶ କୁବେରର ଆଗେ

ଅପାର ବଡ଼ିମା କଥାସେ କହୁଅଛି ରାଗେ ।୪୬।

ଆହୋ କୁବେର ରାହୁର ବୀର୍ଯ୍ୟେ ଅମ୍ବ ଦଇତ୍ୟ ଜାୟେ

ଅର୍କ ଦଇତ ଅଟଇ ତାହାର ତନୟେ ।୪୭।

ଅର୍କ ଦତ୍ୟକଇଂ ମାଡ଼ି ସେ ବସିଲେ ବିରଞ୍ଚି

ତେଣୁ ସେ କଣ ଅର୍କ ନାମ ବହିଅଛି ।୪୮।

ସେ ଅର୍କ୍ୟଦତ୍ୟର ପୁତ୍ର ମୟ ଯେ ଦାନବ

ହନୁମନ୍ତ ମାଡ଼ି ବସିଲା ଯେ ସେବଇ ରାମଦେବ ।୪୯।

ତାହାର ନନ୍ଦନ ଯେ କଦମ୍ବାସୁର ବୀର

କଦମ୍ବାସୁର ନନ୍ଦନ ମୁଂ ନାମ ମୋ ଅମ୍ବାସୁର ।୫୦।

ମୁହିଂ ରକ୍ଷାପାଳକ ଯେ ଭାସ୍କର ତୀର୍ଥ ଅଧିକାରୀ

ଶୋଷେକ ନାଶେକ ମୁଇଂ ୟେଥିର ଦଣ୍ଡଧାରୀ।୫୧।

ମୋହୋର ଭାରିଯା ଯେ ମାଗିଲା ଏକ ମାଳି

ତୋହୋର ଭାରିଯା ମୋହୋର ଭାରିଯାକୁ ଦିଲା ଗାଳି ।୫୨।

ଦୟା ନ କଲେ ସେ ନ ଦିଲେ ଯୁଗତେ

ଭାରିଯାର ଝିଂଘାସ ମୁଂ ସହିବି କେମନ୍ତେ ।୫୩।

କୁବେର ବୋଇଲା ମୁଂ ଦେବ ଭଣ୍ଡାରର ଅଧିକାରୀ

ରକ୍ଷାପାଳକ ମୁହିଂଟି ୟେମାନ ନୋହୋଇ ମୋହୋରି ।୫୪।

କହୁଂ କହୁଂ କୋପ କଲା ସେ ଅମ୍ବାସୁର ମହାବଳ

ଆକ୍ରେଷି ନଳ କୁବେରର ଧଇଲା ଯାଇଂ ବାଳ ।୫୫।

କୁମରକୁ ବନ୍ଧନ କଲା ସେ ଜଳଫାଶ ଘେନି

ସବୁଂ କୁହିଂ ଧଇଲା କୁବେରର ସହସ୍ରେ କାମେନୀ।୫୬।

ଅଲଂକାରମାନ ସେ ଯେ ଯେତେ ଥିଲେ ଭରି

ସମସ୍ତ ଅମ୍ବାସୁର ଘେନିଲା ଉଛୁଡ଼ି ।୫୭।

ଆପଣା ଭାରିଯା ଶ୍ୱରୀରେ ଆଭରଣ କଲା

ସହସ୍ରେ କନ୍ୟାଂକର ଅଳଂକାର ସମସ୍ତ ନେଇ ଦିଲା ।୫୮।

ନଳ କୁବେରକଇଂ ବନ୍ଧନ କଲା ଅମ୍ବାସୁର

ଧାତିକାରେ ପଶିଲା ଯାଇଂ ଜଳ ଅନ୍ଧାରୀପୁର ।୫୯।

କନ୍ୟାମାନେ ସମସ୍ତେ ଯେ ପଳାଇଲେ ବିକଳେ

କୁବେର ଆଗରେ ଯାଇଂ କହିଲେ ତତକାଳେ ।୬୦।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦିକରି

ମେରୁ ଆସ୍ତାନେ ବସିଛନ୍ତି ତହିଂ କୁବେର କଲାକ ଗୁହାରି ।୬୧।

ପୁତ୍ର ମୋହୋର ଗଲା ଅର୍କ ତୀର୍ଥେ ସ୍ରାହାନ ନିମନ୍ତେ

ଅମ୍ବାସୁର ଧରିନେଲା ଚନ୍ଦ୍ରଭାଗା ଅର୍କତୀର୍ଥେ ।୬୨।

କ୍ରୋଧେଣ କୁବେର କହଇ ଅପ୍ରମିତା

ଶୁଣିଣ ପ୍ରତିଉତ୍ତର ଦିଲକେ ବିଧାତା ।୬୩।

ଆନରେ ବଧ ସେ ନୋହଇ ଯାତୁଧାନେ

ପାଣ୍ଡବ କୁଳେ ଜାତ ତାହା ମାରିବ ଅର୍ଜୁନେ ।୬୪।

ମାତଳି ହକାରି ସେ ଦେବ ମଘବାନ

ବ୍ୟାଧ ପର୍ବତରୁ ମୋତେ ନିଆଇଲେ ବହନ ।୬୫।

ଦେବ ସଭାତଳେ ମୁଂ ହୋଇଲି ପରିଣାମି

ଆଗ୍ୟାଂଦିଲେ ମୋତେ ପିତାମହ ଦେବସ୍ୱାମି ।୬୬।

ତୁହୋ ଧନୁର୍ଜୟେ ଯାଅସି ଅର୍କତୀର୍ଥେ

ନଳ କୁବେରକୁ ଧରି ନେଇଅଛି ଅମ୍ବାସୁର ଦଇତେ ।୬୭।

ତୁ ତାହାକୁ ବଧ ହୋ କର ଫାଲଗୁନି

କୁବେର ନନ୍ଦନ ଦେବଭଣ୍ଡାର ବେଗେ ଆସ ଘେନି ।୬୮।

ନାରଦ ବୋଇଲେ ସେ ଥାଇ ଜଳଅନ୍ଧାର ପୁର

କେବଣ ବାଗେ ସେ ଜଳୁଂ ହୋଇବ ବାହାର ।୬୯।

ପରମ ସାନନ୍ଦ ସେ ଦେବ ଯେ ବିଧାତ

ଦେବଦତ୍ତ ଶଙ୍ଖ ଆଣି ଦିଲେକ ମୋର ହାଥ ।୭୦।

ତ୍ରଇଲୋକ କମ୍ପଇ ସେ କମ୍ବୁ ଶବଦ ଶୁଣି

ଅମ୍ବାସୁର ଜଳୁଂ ବାହାର ହୋଇବ ଶିରଝୁଣି ।୭୧।

ବ୍ରହ୍ମାୟେ ଦିଲେ ମୋତେ ଆବର ଶହସ୍ର ଗୋଟିୟେ

ୟେହା ଘେନି ଅମ୍ବାସୁରକୁ ମାର ହୋ ଧନୁର୍ଜୟେ ।୭୨।

ଆହୋ ଉତ୍ତର ୟେ ଶଙ୍ଖ ଦେଖି ଯେ ମୋତେ ପୁଚ୍ଛାକଲୁ

ବୋଇଲୁ ୟେ ଶଙ୍ଖ ସ୍ୱାମି କାହୁଂ ତୁ ପାଇଲୁ ।୭୩।

ତେଣୁ ସେ ଦେବଦତ୍ତ ଶଙ୍ଖକୁ ବହଇ ମୋର ହାଥେ ।୭୪।

ଉତ୍ତର କୁମାର ଶୁଣି ଅର୍ଜୁନକୁ ପରିଣାମି

ଅମ୍ବାସୁର ବଧ ମୋତେ କହିବା ଦେବସ୍ୱାମୀ।୭୫।

ଯେସନେକ ଅନ୍ଧ ବଧିର ଅରଣ୍ୟର ପଶୁ

ମମ ଜନ୍ମଯାକ ଦେବ ତହିଂର ସାଦ୍ରିଶୁ ।୭୬।

ଶୁଣ ହୋ ଉତ୍ତର ଦେବଦତ୍ତ ଶଙ୍ଖର ମହିମା

ୟେସନେକ କରି ପ୍ରସନ୍ନେ ମୋତେ ଦିଲେ ବେଦବ୍ରହ୍ମା ।୭୭।

ୟେ ଶଙ୍ଖ ଲଳିତ କରି ଯେବେ କରଇ ସୁସ୍ୱରେ ଧୁନି

ଶୁଣିକରି ବଶ୍ୟ ହୋଅନ୍ତି ଅବୋଧ କାମେନୀ।୭୮।

ୟେ ଶଙ୍ଖ ମଧ୍ୟମାନେ ଯେବେ ବାବେ ଧୁନି

ସପତ ଲକ୍ଷ ଯୋଜନେ ଜାଣନ୍ତି ପଦ୍ମଯୋନି ।୭୯।

ଉର୍ଦ୍ଧକଇଂ ବାଦ୍ୟ ଯେବେ କରିବାକ ଟାଣି

ଅସାଧ୍ୟ୍ୟ ସାଧ୍ୟ୍ୟ ହୋଅଇ ୟେ ଶଙ୍ଖର ଶବଦ ଶୁଣି ।୮୦।

ଆକ୍ରେଷି ବାଦ୍ୟ ସେ କରିବା ଯେବେ ସ୍ଵର

ଛତ୍ରୀୟେ ଶହସ୍ର ଧରି ନୁଆରନ୍ତି କର।୮୧।

ୟେ ଶଙ୍ଖ ଘେନି ଗଲି ମୁଂ ଯେ ଭାସ୍କର ଅର୍କତୀର୍ଥେ

ଦତ୍ୟର ବର୍ଣ୍ଣଚିହ୍ନ ନାହିଂ ଜଳେ ପଶିଅଛି ଗୁପତେ ।୮୨।

ଆହୋ ଉତ୍ତର ୟେ ଶଙ୍ଖଧୁନି ବାଦ୍ୟ କରନ୍ତେ ମୁହିଂ ଟାଣି

ଜଳ ଭୁବନ କମ୍ପିଲା ଗହ ଗହ ଶବଦ ଶୁଣି ।୮୩।

ଜଳ ଅନ୍ଧାରୀ ପୁରେ ଅମ୍ଵାସୁର ପଶିଥିଲା

ଗର୍ଜନ ନାଦକରି ସେ ଜଳୁଂ ବାହାର ହୋଇଲା ।୮୪।

ଉଲୁକାପାତ ଶବଦ ଶୁଭିଲା ସେତେବେଳେ

ଆମ୍ଵାସରୁ ବାହାର ହୋଇଲା ମହାଜଳେ ।୮୫।

ନଳ କୁବେର ତୁଲେ ସେ ଅନେକ ବିଳାସୁଣୀ

ଜଳଫାଶ ଘେନି ସେ ବାନ୍ଧିଲା ଅଛି ଟାଣି ।୮୬।

ବାମକରେ ଧରିଣ ଅଛଇ ସବୁରି ଜଳଫାଶି

ଡାହାଣ କରେ ଲୁହାର ଲଉଡ ଘେନି କୋପେ ବାହାର ହୋଇ ଆସି ।୮୭।

ବାବୁ ବହୁତ ପ୍ରତଗ୍ୟାଂ ସେ କଲାକ ଦଇତ ଅମ୍ଵାସୁର

ବାଜିଲା ରଣଗୋଳ ଯେ ତାହାର ମୋହୋର ।୮୮।

ରଥ ଗଜ ଅଶ୍ଵ ଯେ ନାହିଂ ତାହାର ଥାଠ

ଲୁହାର ଲଉଡ଼ି ଘେନି ସେ ବାହାର ଦ୍ରପିଷ୍ଟ ।୮୯।

ପାଟି ଫଳା ଆଡେଣି ଅଙ୍ଗେ ନାହିଂ ବଜ୍ରସେହ୍ନା

ଯେତେ ଶସ୍ର ବିନ୍ଧିଲି ତାହାର ଶରୀରେ ପଡି ସର୍ବ ଗଲା ଚୂନା ।୯୦।

ଲକ୍ଷେ କୋଟି ମର୍ଭୁତ ମେବଚ୍ଛ ଶର ବିନ୍ଧି

ୟେକୁୟେକ ନାରାଜକେ ଯେ କନ୍ଦରେ ହୋନ୍ତି ଚ୍ଛେଦି ।୯୧।

ଆହୋ ଉତ୍ତର ଅନିର୍ବାରଣ ଯେ ମୋହୋର ସମସ୍ତ ଶହସ୍ର

ସକଳ ଚୂରଗଲା ଅମ୍ଵାସୁର ଗାତ୍ର ।୯୨।

ବାବୁ ୟେସନେକ ଇହଲୋକ ଶସ୍ରେ ଯହୁଂ ନୁଆରିଲି ଜିଣି

ରାଗେ ଦେବ ଶହସ୍ରନ୍ତ ସନ୍ଧାନ କଲି ଟାଣି ।୯୩।

ବାବଲ ପଶୁପତ୍ର ଗଦା ଯେ ମୁଦୁଗର

ଭୁଷଣ୍ତୀ ତୀକ୍ଷକାତି ଆବର ଶକ୍ତିଶର ।୯୪।

ରୁଦ୍ର ଶହସ୍ର କାମ୍ୟେକ ବ୍ରହ୍ମ ଯେ ଶକତି

ବ୍ରହ୍ମ ଶହସ୍ର ନାରାୟଣ ଶସ୍ର ରତ୍ନାବଳୀ ଚକ୍ର କାତି ।୯୫।

ୟେ ଶହସ୍ରମାନ ସମସ୍ତ ବିନ୍ଧିଲି ମୁଂ ଟାଣି

ସମସ୍ତେ ଚୂରଗଲେ ପାଷାଣେ ଟେଳା ଜାଣି ।୯୬।

ଆହୋ ଉତ୍ତର ସମସ୍ତେ ଶହସ୍ର ବିଘାତେ

କାଳଚକ୍ର ପ୍ରହାର କଲି ହାଦେ ତହିଂର ଯେ ଅନ୍ତେ ।୯୭।

ନିର୍ଘାତ ଦୁରାନ୍ତେକ ଶରୀରେ ତାହାର ପଡ଼ି

ସେ ଅତୁଟ କାଳଚକ୍ର ଗଲାକ ଉପୁଡ଼ି ।୯୮।

ପର୍ବତ ଅମୋହ ଶସ୍ର ଯେ ମାଇଲି ଅଷ୍ଟାଙ୍ଗେ

ଅନିର୍ଯ୍ୟାପ ଗିରିବର ପଡ଼ିଲେ ତାର ଅଙ୍ଗେ ।୯୯।

କକଡା ମାସେ ଯେହ୍ନେ ଦ୍ରୋଣମେଘ କରେ ବୃଷ୍ଟି

ଅସୁର ଶରୀରେ ପର୍ବତେ ପଡ଼ିଲେ କୋଟି କୋଟି ।୧୦୦।

ଅନ୍ତରୀକ୍ଷେ ତୋଳି ସେ ବୁଲାଇଲା ଲୋହାର ଡାଙ୍ଗେ

ପର୍ବତମାନ ପଡ଼ି ଚୂର ହୋଇଲେ ନିଶାଚର ଅଙ୍ଗେ ।୧୦୧।

ରାଗଭର ହୋଇଣ ମୁଂ ନୁଆରିଲି ସହି

ଅନଳ ବାଣ ବିନ୍ଧିଲି ମୁଂ ଯେଣେ ସଂସାର ହୋୟେ ଦହି ।୧୦୨।

ଶୁଣ ହୋ ଉତ୍ତର ତାର ମହିମାଂ ଦୁର୍ଲ୍ଲଭ

ସେ ଅନଳ ବାଣ ଯାଇ ପଶିଲା ଅମ୍ଵାସୁର ଗର୍ଭ ।୧୦୩।

ନୀଳଚକ୍ର ବାଣ ଯେ ନୀଳାମ୍ଵର ବିଷ୍ଣୁଂକର ଦିଲା

ଯେବଣ ଶତେ କାମ୍ୟେକ ବନ ଦହନ ହୋଇଲା ।୧୦୪।

ତ୍ରଇଲୋକ୍ୟ କମ୍ପିଲା ସେ ନୀଳଚକ୍ର ବାଣ ପେଷନ୍ତେ

ବଳରାମ ଜାଣିଲେ ତାହା ଥାଇ ବାଇବ୍ୟ ପର୍ବତେ ।୧୦୫।

ଅମ୍ଵାସୁରକଇଂ ଯତନେ ଲୋଡୁଥିଲେ କାମପାଳ

ସେ ଅର୍କତୀର୍ଥେ ସ୍ରାହାନ କରନ୍ତେ ହରିନେଲା ବଳରାମଂକର ହଳ ଯେ ମୂଷଳ ।୧୦୬।

ବାଇବ୍ୟ ପର୍ବତୁଂ ବଳରାମେ କ୍ଷେପିଲେ କୋପମୃତ୍ତି

ୟେଗାର ଶହସ୍ର ଯୋଜନ ହୋଇଲା ରାମର ପାଦଗତି ।୧୦୭।

ଶ୍ରୀ ବଳରାମେ ତହୁଂ ରାଇ ମୋତେ ବଚନ ପ୍ରକାଶି

ରହ ରହ ଅର୍ଜୁନ ମୁଂ ୟେହାକଇଂ ବଧ କରଇସି ।୧୦୮।

ଶ୍ରୀ ବଳରାମଂକ ବଚନେ ମୁଂ ଛାଡ଼ିଲି ସଂଗ୍ରାମ

ଅମ୍ଵାସୁର ତୁଲେ ଯୁଦ୍ଧ କଲେକ ବଳରାମ ।୧୦୯।

ମୁହିଂ ଛଡ଼ାଇ ଆଣିଲି ନଳକୁବେର ଅମର ବିଳାସୁଣୀ

କୁବେର ଦେବତାଂକ ଆସ୍ତାନେ ଦିଲି ଆଣି ।୧୧୦।

କୋପେଣ ବଳରାମ ପିଟିଲେ ହଳ ଯେ ମୂଷଳ

ସହସ୍ରବାର ପ୍ରହାର କଲେ ଅସୁର ବକ୍ଷସ୍ଥଳ ।୧୧୧।

ତଦ୍ୟାପି ନାଶ ଯହୁଂ ନଗଲା ଅମ୍ଵାସୁର

ସମରେ ବିମୁଖ ଯେ ହୋଇଲେ ବଳେବର ।୧୧୨।

ଚରଣ ଧରି ବଳରାମେ ରାଗେଣ ଦେଲେ ଫିଙ୍ଗି

ଅମ୍ଵୁବନେ ପଡ଼ିଲା ସେ ଥାନ ପରିତ୍ୟାଗୀ ।୧୧୩।

ଜମ୍ଵୁଦ୍ଵୀପ ଭ୍ରଥଖଣ୍ତ ଅଇଶୂନ୍ୟ ଅଗ୍ନିକୋଣେ

ପୂର୍ବଦିଗ ସିନ୍ଧୁତଟେ ଅମ୍ଵୁ ବନିକା ଯେଣେ ।୧୧୪।

ଭାନୁମତ ପର୍ବତେ ଅମ୍ଵାସୁରକୁ ପିଟିଲେ ଅସକନ୍ଦେ

ପର୍ବତ ଚୂରଗଲା ପଡ଼ି ଅମ୍ଵାସୁର କନ୍ଧେ ।୧୧୫।

ଅମ୍ଵାସୁର ବଧ୍ୟ ଯହୁଂ ନଗଲା କେଉଂଣସି ବାଗେ

ଅନେକ ତମ ଉପୁଜିଲା ବଳରାମଂକର ଅଂଗେ ।୧୧୬।

ମାଡ଼ି ବସିଲେ ବଳରାମ ଅମ୍ଵାସୁର ହୃଦେ

କଟି ମେଖଳାୟେ ସଉଭଦ୍ରା ନାରାୟଣ ପାଦେ ।୧୧୭।

ତିନିଦେବ ମାଡ଼ି ବସିଲେ ୟେକକାୟା

ପୂର୍ବଦିଗେ ଅମ୍ଵୁବନେ ଅମ୍ଵାସୁରକୁ ମାଡ଼ି ବସିଲେ ତ୍ରିତୟା ।୧୧୮।

ଅର୍ଜୁନ କହିଲେ ଯେ ଉତ୍ତର କୁମାରକୁ

ସେ ପରସ୍ତାବେ ଦେବଦତ୍ତ ଶଙ୍ଖ ଦିଲେ ମୁକୁ ।୧୧୯।୫୭୪୪।

***************

 

ଅର୍ଜୁନ ନନ୍ଦିଘୋଷ ରଥ ପ୍ରାପ୍ତି ଓ ମହିଷାସୁର ବଧ ଏବଂ ଅକ୍ଷୟତୂଣ ଉତ୍ପତ୍ତିର ବିବରଣ

ଅର୍ଜୁନ ଦେବଦତ୍ତ ଶଙ୍ଖ ବାଦ୍ୟକଲା

ଯେସନେକେ ନିର୍ଘାତ ଆକାଶୁଂ ଖସିଲା ।୧।

ପ୍ରଳୟ ନିକଟେ ଯେହ୍ନେ ଗରଜନ୍ତି ମେହା

ତେସନେକେ ଶବଦ ଶୁଭିଲା ଘୋରହା ।୨।

କଉରୋବ ସଇନି ଯେ ତ୍ରାସିଲେ ତାହା ଶୁଣି

ଅଦଭୂତେ ଶୁଭିଲା କାହୁଂ ଆକାଶେ ନିର୍ଘାତ ଘୋର ବାଣୀ ।୩।

କି ଅବା ମନ୍ଦିରଗିରି ପଡ଼ିଲାକ ଆସି

ଯୁଗାନ୍ତେକ କାଳ କିବା ହୋଇଲାକ ଆସି ।୪।

ଶମୀବୃକ୍ଷ ତଳକୁ ଦ୍ଵାରକା ଅଶି ସହସ୍ର ଯୁଣ

ତହିଂକି ଶୁଭିଲା ସେ ଦେବଦତ୍ତ ଶଙ୍ଖସ୍ଵନ ।୫।

ଦ୍ଵାରକାୟେ ଥାଇ ତାହା ଜାଣିଲେ ଜନାର୍ଦ୍ଦନ

ଜାଣିଲେ ମାଧବ ଯେ ଶ୍ରୀ ମଧୁସୂଦନ ।୬।

ଗୋବିନ୍ଦ କୃତକୃତ୍ୟ ସାନନ୍ଦ ହୃଦଗତେ

ଦାରୁକକୁ ରାଇ ବୋଇଲେ ସାଜ ନନ୍ଦିଘୋଷ ରଥେ ।୭।

ମଣ୍ତଇ ଦାରୁକ ଯେ ଅନେକ ରତ୍ନ ଖଞ୍ଜି

ଯେସନେକେ ଅରୁଣ ରଥ ମଣ୍ତଇ ବିରଞ୍ଚି ।୮।

ଉଡନ୍ତି ପାତାଙ୍ଗ ଯେ ମୁକୁତା ପ୍ରବନ୍ଧ

ଝଟକନ୍ତି ହୀରା ନୀଳା ୟେହାଂକାର ସନ୍ନିଧ୍ୟ ।୯।

ଫରହର ଆଲମ୍ଵ ଉଡ଼ନ୍ତି ଚଉକତି

ମାଣିକ୍ୟ ଝରାୟେ ଖଞ୍ଜିଲା କ୍ଷୁଦ୍ରମୋତି ।୧୦।

ରଥଂକର ପୀଢ ଚାରି ଯେ ପାବଚ୍ଛେ

ଶତେ ଶତେ ପଂକ୍ତି ହୀରା ମାଣିକ୍ୟ କାଛେ କାଛେ ।୧୧।

ମର୍କତର ନୀଳା ଯେ ମରାଗ ଖଞ୍ଜଣୀ

ତହିଂର ଜ୍ୟୋତି ଦିନକର ତେଜ ଜାଣି ।୧୨।

ଦେବତାୟେ ପ୍ରଶଂସନ୍ତି ଯେବଣ ରଥ ଦେଖି

ନିରାକାର ନାଥ କି ଗଗନ ଉପେକ୍ଷି ।୧୩।

ନାରାୟଣ ଶହସ୍ର ଚକ୍ର ଯେ ଭୂଷଣ୍ତି

ଗଦା ମୁଦୁଗର ପାଟି ଆବର ତ୍ରିଦଣ୍ତି ।୧୪।

ବଜ୍ର ଶକତି ବ୍ରହ୍ମଶକତି ଶୂଳ ଯେ ଶକତି

ଅମୋହ ଶକତି ସୂର୍ଯ୍ୟାବ୍ରତେକ ଶକତି ଛେଲ ଆବର ରୁଦ୍ରକାତି ।୧୫।

ପର୍ବତା ଶର କୁଠାର ପ୍ରଶୁ ଯେ କୋଦାଳ

ମେଘାଶର ନାରାଜ ପର୍ବତା ଦାବାନଳ ।୧୬।

ଜଳଫାଶ ନାଗଫାଶ କାଳଫାଶ ଆବର ଯମଫାଶ

ନୀଳଚକ୍ର କାମ୍ୟେକଚକ୍ର କାଳଚକ୍ର ହିରଣଚକ୍ର ଶୁଦ୍ଧ ଚକ୍ର ଯେ ଅଶେଷ ।୧୭।

କଉମୁଦକୀ ଗଦା ରତ୍ନାବଳୀ ଗଦା ଲୋହାସାର ଗଦା

ବିଜେକେତନ ଗଦା କାଳେବର ଗଦା ଆବର ଚକ୍ରାବର୍ତ୍ତେକ ଗଦା ।୧୮।

ଅସଂକ୍ଷେପ ଶହସ୍ର ଘେନିଣ ଦେବହରି

ରଥରେ ଥୋଇଲେ ନେଇ ମଧୁହାରି ।୧୯।

ଆପଣେ ଜଗନ୍ନାଥ ଯେବଣ ରଥ ସାଜି

ବାଛିଣ ଅଶ୍ଵନ୍ତ ଯୋଚିଲେ ଚାରିବାଜୀ ।୨୦।

ଶ୍ଵେତ ଗୋକ୍ଷୀର ଶ୍ଵେତ ଆବର କାମପାଳ

ରଥରେ ଯୋଚିଲେ ନେଇ ଦେବକୀର ବାଳ ।୨୧।

ଶହସ୍ର ଭେଦ ନୋହୋନ୍ତି ତାହାଂକର କାୟେ

କାମରୂପୀ ଅଟନ୍ତି ସେହୁ ଚାରିହୟେ ।୨୨।

ମହାଭାରା ନିବାରଣେ କରନ୍ତା ଆଦିସଞ୍ଚା

ଯୁଗାନ୍ତେକ ଅଶ୍ଵ ସେ ପ୍ରଳୟ କାଳବଞ୍ଚା ।୨୩।

ରାତ୍ର ଦିବସ ଯେ ନ ଜାଣନ୍ତି ଚାରି ହୟେ

ଆକାଶେ କ୍ଷେପନ୍ତି ସେ ଶ୍ୟାମଳ ପକ୍ଷୀ ପ୍ରାୟେ ।୨୪।

ୟେକା ନିମିଷକେ ଭ୍ରମି ପାରନ୍ତି ସେ ମହୀ

ଦିବା ଅର୍ଦ୍ଧେ ହୋଅନ୍ତି ସେ ସପତ ବ୍ରହ୍ମାଣ୍ତ ଶାହୀ ।୨୫।

ସେ ଚାରି ଅଶ୍ଵନ୍ତ ଜଗନ୍ନାଥେ ଯୋଚି

ରଥ ଘେନି ଦାରୁକ ଯାଅ ଅର୍ଜୁନ ଶମୀ ବୃକ୍ଷତଳେ ଅଛି ।୨୬।

ନାରାୟଣ ବଚନେ ସେ ଚଲଇ ସାରଥି

ଅର୍ଜୁନକୁ ଭେଟିଲା ଯେ ରୟେଣୀ ପାହାନ୍ତି ।୨୭।

ରଥ ଦେଖି ଅର୍ଜୁନ ଯେ ହୋଇଲା ନମସ୍କାର

ତାହା ଦେଖିଣ ଆଶ୍ରିଜ ଉତ୍ତର କୁମାର ।୨୮।

ଦେଖ ଦେଖ ଉତ୍ତର ହୋ ବିରାଟର ସୁତ

ୟେ ସେ ବାବୁରେ ଦେଖ ଆସି ନନ୍ଦିଘୋଷ ରଥ ।୨୯।

ଅଶ୍ଵର ମହିଂମା ଯେ ରଥର ମହିଂମା

ସଞ୍ଚପିଣ ଉତ୍ତର କୁମାରକୁ କହିଲେ ମହାତମା ।୩୦।

ସମସ୍ତ କୁଶଳ ବାରତା ଦାରୁକ ସମାଦେ

ଦ୍ଵାରିକାୟେ କୁଶଳବାବୁ ତୋହୋର ପ୍ରସାଦେ ।୩୧।

ଶ୍ରୀକୃଷ୍ଣ ଅର୍ଜୁନ ତୁମେ ନୁହଂ ଭିନ୍ନାଭିନ୍ନ

ଭାରା ନିବାରଣେ ତୁମ୍ଭେ ଯୁଗେ ଯୁଗେ ଜନ୍ମ ।୩୨।

ସତ୍ୟଯୁଗେ ଶ୍ରୀକୃଷ୍ଣ ଅବତାର ବାସୁଦେବ

ତୁ ଅର୍ଜୁନ ଅଟୁ ହୋ ଅନନ୍ତ ସଦାଶିବ ।୩୩।

ତ୍ରେତୟା ଯୁଗେ ସେ ଯେ ଶ୍ରୀରାମଚନ୍ଦ୍ର ରାୟେ

ତୁହି ସେ ଲକ୍ଷଣ ହୋ ସୁମିତ୍ରା ତନୟେ ।୩୪।

ୟେ ଯୁଗରେ ନରନାରାୟଣ ଅଟ ତୁମ୍ଭେ ବେନି

ଜନ୍ମେ ଜନ୍ମେ ତୁମ୍ଭେ ଅଟ ଭାରା ନିଶୋଧନି ।୩୫।

ରଥକଇଂ ଆଣିଲି ଆଗ୍ୟାଂଦିଲେ ନାରାୟଣେ

କେଶବ ସୁମରି ବାବୁ ଯାଅ ଗୋଧନ ହରଣେ ।୩୬।

ବିଜୟ ମଣି ମୁକୁଟ ଯେ କୁଣ୍ତଳ ମେଖଳା

ଅର୍ଜୁନ ହୃଦଗତେ ଦାରୁକ ଦିଲାକ ଜୟେମାଳା ।୩୭।

ନାରାୟଣ ଭୂଷଣ ସେ ଯେ ସର୍ବ ଅଳଂଙ୍କାର

ଦାରୁକ ଆଭରଣ କଲା ପାର୍ଥିବ ଶରୀର ।୩୮।

ଯେସନେ ବାସବର ଅଭିଷେକ କାଳେ

ତେସନେକ ଶୋଭାବନ ସୁରବଇ ବାଳେ ।୩୯।

ଦାରୁକକଇଂ ଅର୍ଜୁନ ବଚନ ପ୍ରକାଶି

ଉତ୍ତର କୁମାର ରଥ ଘେନି ୟେହିଠାରେ ଥାଅସି ।୪୦।

ଶମୀବୃକ୍ଷ ତଳେ ରହିଲା ଦାରୁକ ସାରଥି

ଉତ୍ତର କୁମାର ରଥ ଘେନି ରହିଲା ଶାନ୍ତିମୃତ୍ତି ।୪୧।

ବହୁତ ବିନୟେ ସେ ଦେଖଇ ଅପ୍ରମିତ

ଦେଖିଣ ସାନନ୍ଦ ଯେ ବିରାଟର ସୁତ ।୪୨।

ଉତ୍ତର ପ୍ରଣପତ୍ୟ ଚରଣେ ସୁତ କୋନ୍ତୀ

ସ୍ଵାମୀ ତେହୋର ପରସନ୍ନେ ମୁଂ ପାଇଲି ସଦଗତି ।୪୩।

ଶ୍ରୀଭୁଜେ ଶହସ୍ର ଯେ ଧରଲେ କିରୀଟୀ

ନାରାୟଣ ସୁମରି ଯାଇଂ ନନ୍ଦିଘୋଷ ରଥେ ଉଠି ।୪୪।

ବାମ ଦକ୍ଷିଣେ କଷିଲା ଅଛି ଅକ୍ଷେୟ ତ୍ରୋଣ ବେନି

ଅନେକ ରତ୍ନ ମଣ୍ତିତ ସେ ନାରାଜଂକର ଧନୀ ।୪୫।

ସ୍ଵାମୀ ଆପଣେ କହିଲେ ସେ କଉରୋବଂକ ସଇନି ଅସଂକ୍ଷେପ

ୟେ ବେନିତ୍ରୋଣେ ତୋହୋର ନାରାଜ ଅଛି ଅଳପ ।୪୬।

ଅର୍ଜୁନ ପ୍ରତିବାକ୍ୟ ଶୁଣ ହୋ ବିରାଟି

ଅକ୍ଷୟେ ନାମ ବହନ୍ତି ୟେ ତ୍ରୋଣ ବେନିଗୋଟି ।୪୭।

ଶୁଣ ହୋ ଉତ୍ତର ୟେ ତ୍ରୋଣର ଚରିତ

ବିଷ୍ଣୁପ୍ରଭା ସତ୍ୟଯୁଗ ମୟେଂଷାସୁର ଜାତ ।୪୮।

ବ୍ରହ୍ମାର ବଳେ ସେ ମୟେଂଷାସୁର ମହାବଳୀ

ଅନନ୍ତ କୋଟି ବ୍ରହ୍ମାଣ୍ତ ସାଧିଲା ମହାସ୍ଥଳୀ ।୪୯।

ଚଣ୍ତମୁଣ୍ତ ଶୁମ୍ଭ ନିଶୁମ୍ଭ ରକତବୀର୍ଯ୍ୟ

ବୀରଘଣ୍ଟ ଚାମର ବିମଳ କାନ୍ତିମାଳା ଦନୁଜ ।୫୦।

ଅନ୍ଧକ ବିରୁପାକ୍ଷ ଭାସ୍କର ମୟେସୁର

ମେଦିନୀ ନ ସହଇ ୟେ ଦଇତଂକର ଭାର ।୫୧।

ସମସ୍ତ ଦେବତାୟେ ଯେ ବହୁତ ବିକଳେ

ଗର୍ଭରୁ ଜାତକଲେ ଜାଳାନଳ ଅନଳେ ।୫୨।

ସେ ଅନଳକୁ ଚାହିଂ ଯେ କରନ୍ତେ ବହୁତ ତୁସ୍ତି

ସେ ଅନଳୁ କନ୍ୟାୟେ ହୋଇଲା ଉତପତ୍ତି ।୫୩।

ମହା ବଇଷ୍ଣବୀ ସେ କୋଟିୟେ ସୂର୍ଯ୍ୟର ତେଜ

ୟେକ ଶରୀରୁ ଉତପତ୍ତି ସହସ୍ରେକ ଭୁଜ ।୫୪।

ଈଶ୍ଵର ତେଜେ ଦୁର୍ଗାର ମୁଖେକ ହୋଇଲା

ବିଷ୍ଣୁର ତେଜଗୋଟି ଭୁଜରେ ରହିଲା ।୫୫।

ଚନ୍ଦ୍ରର ତେଜୁଂ ଦୁର୍ଗାର ସ୍ତନ ଯେ ହୋଇଲା

ବରୁଣର ତେଜ ନାଭି ମଣ୍ତଳେ ରହିଲା ।୫୬।

ପୃଥୀର ତେଜ କଟି ଭାଗରେ ରହିଲା

ବ୍ରହ୍ମାର ତେଜ ପାଦ ଅଙ୍ଗୁଷ୍ଠ ହୋଇଲା ।୫୭।

କୁବେର ତେଜରୁ ନାସିକା ହୋଇଲା

ପ୍ରଜାପ୍ରତି ତେଜ ଯେ ଦନ୍ତରେ ହୋଇଲା ।୫୮।

ଅଗ୍ନିର ତେଜେ ଯେ ଚକ୍ଷୁ ବେନି ହୋଇଲା

ପବନର ତେଜ ବେନି କର୍ଣ୍ଣରେ ରହିଲା ।୫୯।

ୟେହେନ୍ନେକ କରି ସର୍ବ ଦେବତା ଭିଆଇଲେ

ସର୍ବ ଦେବତାୟେ ତାହାଂକର ହାଥରେ ଶହସ୍ର ଦିଲେ ।୬୦।

ବିଷ୍ଣୁ ଦିଲେ ଚକ୍ରଗୋଟି ରୁଦ୍ର ଦିଲେ ତ୍ରିଶୂଳ

ବରଣ ଯେ ଶଙ୍ଖ ଦିଲେ ବଶ୍ୟାନର ।୬୧।

ପବନ ଧନୁ ଶହସ୍ର ଦିଲେ ଇନ୍ଦ୍ର ବଜ୍ର ଶକତି

ଯମ କାଳଦଣ୍ତ ଦିଲା ବରୁଣ ଜଳଫାଶ ଦିଅନ୍ତି ।୬୨।

ବ୍ରହ୍ମା ଅକ୍ଷୟେ ତ୍ରୋଣ ଦିଲେ କମଣ୍ତଳହିଂ ଦିଲେ

ଅରୁଣ ସୁରାପାତ୍ର ଦିଲା ବାସୁକି ନାଗଫାଶ ଦିଲେ ।୬୩।

ଆଦିତ୍ୟ ରଶ୍ମି ଦିଲେ କାଳ ଖଣ୍ତାଫଳା ଦିଲେ

ବିଶ୍ଵକର୍ମା ଯେ ଅଭେଦ ବିଭୂତି ଆଣିଦେଲେ ।୬୪।

ହେମବନ୍ତ ସିଂହନାଦ ଦିଲେକ ଦୁର୍ଗା ସହସ୍ରେ ଭୁଜ ହୋଇ

ମାର ମାର ବୋଲି ଦୁର୍ଗା ଗର୍ଜିଣ ଉଠଇ ।୬୫।

ଇନ୍ଦ୍ର ଦିଲେ ଅଇରାବ୍ରତ ଶାର୍ଦ୍ଦୁଳ ଦିଲେ ହେମବନ୍ତ

ତହିଂ ବିଜେକଲେ ଦେବୀ ଜଗତମାତ ।୬୬।

ତ୍ରିଦଶ ଦେବତାୟେ ବୋଇଲେ ମାଗୋ ପୂରାଅ ମନୀଷା

ତ୍ରଇଲୋକ୍ୟ ଉଦ୍ଧାରିଣୀ ଗୋ ବଧକର ମୟେଂଷା ।୬୭।

ବିଜୟେ ଦୁର୍ଗା ଯେ ଅନ୍ତରୀକ୍ଷ ମାର୍ଗେ

ହିରଣ୍ୟଗିରି ପର୍ବତେ ବିଂଝମାଳ ଲାଗେ ।୬୮।

ତହିଂ ବିଜେକଲେ ଯାଇଂ ଅନାଦି ଶକତି

ସହସ୍ରେକ ଭୁଜ ହୃଦେ ଗୋପ୍ୟାନ କଲେ ସଂଗତି।୬୯।

ମୟେଂଷାସୁର ଭୁବନ ଯେ ଜେନାବଳୀ ନଗ୍ରି

ସିନ୍ଧୁ ପଚ୍ଛିମ କୋଣେ କୁଲାବଇ ପାଟଣା ପୁରୀ।୭୦।

ଅସୁର ପୁରକୁ ଦେବୀ ଦୃଷ୍ଟିପାତ କଲେ

ପ୍ରଥମେ ଚଣ୍ତ ମୁଣ୍ତ ଦେଖିଣ ନାଶଗଲେ।୭୧।

ଦୁଜେଣ ନାଶଗଲେ ଶୁମ୍ଭ ଯେ ନିଶୁମ୍ଭ

ଅସୁର ନିଶୋଧନ କଲେ ଦେବୀ ସର୍ବ।୭୨।

ତିଜେଣ ନାଶ ଯେ କଲେ ରକତବୀର୍ଯ୍ୟ

ବଡାଇ ଦୁରାପଦ ସେ ଅଟଇ ଦନୁଜ।୭୩।

ଅସୁରବଳ ସଇନି ଯହୁଂ ହୋଇଲେ ଅପ୍ରମିତି

ଶରୀରୁ ଜାତକଲେ ଦେବୀ ଅନେକ ମୂରତି।୭୪।

ରକତବୀର୍ଯ୍ୟ ବୋଲିଣ ଯେବଣ ସେନାପତି

ୟେକେ ଅନେକ ଯେ ହୋଇଲେ ଉତପତ୍ତି।୭୫।

ପୃଥିରେ ପଡଇ ଯେବେ ରକତ ଟୋପାୟେ

ସହସ୍ରେ ରକତବୀର୍ଯ୍ୟ ହୋଇ ତହୁଂ ଯାୟେ।୭୬।

ଯେତେବେଳେ ଶହସ୍ର ନ ଅଣ୍ଟିଲା ବିନ୍ଧନ୍ତେ

ଶରୀରୁ ରୋମ ଉପାଡି ବିନ୍ଧିଲେ ଜଗତମାତେ।୭୭।

ଶରୀରୁ ସହସ୍ର ଜାତକଲେ ମହାମାୟେ

ବାନ୍ଧନ୍ତେ ନାରାଜ ହୋଇଲା ଅକ୍ଷୟେ।୭୮।

ଦେଖିଣ ମହାଦେବୀ ସାନନ୍ଦ ହୋଇଲେ

ଦିବାରାତ୍ରେ ବିନ୍ଧନ୍ତେ ନାରାଜ ନ ସରିଲେ।୭୯।

ଅଶିପଦ୍ମ ଦେବୀ ନାରାୟଣୀ ମୃତ୍ତି

ୟେକତ୍ରୋଣୁ ନାରାଜ ବନ୍ଧନ୍ତି ଅପ୍ରମିତି।୮୦।

ସପତ ଦିବସେ ଯେ ମୟେଂଷା ନାଶଗଲା

ୟେକା ତ୍ରୋଣୁ ନାରାଜ ଗୋଟିୟେ ନ ସରିଲା।୮୧।

ଶୁଣ ବାବୁ ଉତ୍ତର ସାବଧାନେ ୟେହୁଂ କଥା

ୟେ ତ୍ରୋଣଗୋଟି ମୋତେ ଦିଲେକ ଜଗତମାତା।୮୨।

ବହୁତ ସାନନ୍ଦ ଯେ ଶୁଣିଣ ବିରାଟର ସୁତ

ପ୍ରଣମିତ ହୋଇ ବୋଇଲା କେଉଂ ପ୍ରସ୍ତାବେ ଦିଲେ ମାତ।୮୩।

କେତେକାଳ ପରିଯନ୍ତେ କାହିଂ କଲ ତପ

ଶୁଣତେ ଇଚ୍ଛା ମୋହୋର କହିବା ସରୂପ।୮୪।।୫୮୨୮।

****************

 

ଅର୍ଜୁନଙ୍କର ପାଶୁପାତ ଓ ଅକ୍ଷୟତୂଣ ପ୍ରାପ୍ତି ବିବରଣ

ଶୁଣିବା ଉତ୍ତର କହିବା ପୂର୍ବର ଯେ କଥା

ମୁହିଂ ବନବାସୀ ହୋଇଲି ସତ୍ୟର ନିମନ୍ତା ।୧।

ଉମାର ସହିତେ ଯେ ଭ୍ରମନ୍ତି ତ୍ରିଲୋଚନ

କାଳେନ୍ଦୀ ନଦୀତୀରେ କଳେବର ନାମେ ବନ ।୨।

ପାର୍ବତୀଂକ ଜାନୁରେ ହର ସୀମାସ୍ଥାନ ଦେଇ

ଦିବସେ ନିଦ୍ରାଗତ ଭୋଳାନାଥ ଗୋସାଇଂ ।୩।

ଗଣ୍ଡା ଗୋଟିୟେକ ଯେ ଗଉରୀ ଥିଲେ ପୋଷି

କାଳିନ୍ଦୀ ନଦୀକି ସେ ପାଣି ହେରିଆସି ।୪।

ସୁସଞ୍ଚ ଜୀବ ଦେଖି ବିନ୍ଧିଲି ନାରାଜ

ହର ପାର୍ବତୀଂକ ଛାମୁରେ ପଡ଼ି ଗଣ୍ଡା ହୋଇଲା ପ୍ରାଣତ୍ୟାଜ ।୫।

ଗଣ୍ଡାର ନିଧନ ଦେଖି ରୁଦ୍ର ମହାରାଗେ

ରାଗେଣ ଈଶ୍ୱରେ ବିହଡନ୍ତି ବନମାର୍ଗେ ।୬।

କେରେ ଗଣ୍ଡା ମୋହୋର ବିନ୍ଧିଲୁ ଅଦଭୁତେ

ତିରଣ ପ୍ରମାଣେ ମାୟେଂସ କାଟିବି ଦେଖନ୍ତେ ।୭।

ରେ ରେ କାର କରି ହର ଅନେକ ପ୍ରତଗ୍ୟାଂ ବୋଲି

ଦୃଧ୍ୱଂସ ବାକ୍ୟ ତାହାର ମୁଂ ସହି ନୁଆରିଲି ।୮।

ମୁହିଂ ଧରିଥିଲି ଯେ ବନଚର ରୂପ

ରୁଦ୍ର ବାରି ନୁଆରିଲେ ମୋହୋର ସରୂପ ।୯।

ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ

ଫିରିକି ନାରାଚ କଣ୍ଠେ ଗୁଞ୍ଜମାଳୀ ଆଭରଣ ।୧୦।

ଶରୀରେ ଆଭରଣ ମୟୂର କଣ୍ଠ ଝାଲି

ଶବର ରୂପ ଧରି ମୁଂ ବନେଣ ବୁଲୁଥିଲି ।୧୧।

ୟେସନେକ ଶୋଭାବନ ମୋହୋର କିରାତ ରୂପଗୋଟି

ବିପରୀତ ରୂପ ଦେଖି ଚିହ୍ନି ନୁଆରିଲେ ଧୃଜଟି ।୧୨।

ଈଶ୍ଵରେ ହୋଇଛନ୍ତି ଯୋଗୀ ଯେ ସ୍ଵରୂପ

ମୁହିଂ ବାରି ନୁଆରିଲି ଈଶ୍ଵରଂକର ରୂପ ।୧୩।

ଦୁହିଂକରି ହୋଇଲା ଯେ ଉଚ୍ଚବାଚ କଳି

ହାବୋଡ଼ା ହାବୋଡ଼ି ଦୁହେଂ ହୋଇଲୁ ପେଲାପେଲି ।୧୪।

ମୁହିଂ ବୋଇଲି ତପୁଆସିରେ ଛେଦିବି ତୋର ମୁଣ୍ତ

ପାର୍ବତୀ ପରାୟେ ଭାରିଜା ହୋଇବ ତୋହୋର ରାଣ୍ତ ।୧୫।

ୟେହାର ଅବସ୍ତା ମୁଂ ଯେ ନୁଆରିବି ଦେଖି

ତେଣୁକରି ମୁଂ ତୋତେ ସାଂଗ୍ରାମେ ଉପେକ୍ଷି ।୧୬।

କୋପେ ଈଶ୍ଵରେ ମୋତେ ପ୍ରହାର କଲେ ମୁଥେ

ମୁହିଂ ଧନୁ ଭରିଲି ଈଶ୍ଵରଂକର ମାଥେ ।୧୭।

ଈଶ୍ଵର ଦେବତାଂକୁ ମୁଂ ବୁଲାଇଲି ଅନ୍ତରୀକ୍ଷେ

ଶ୍ରୋଣିତ ଦୃଷ୍ଟି ସେ ଯେ ହୋଇଲା ପଞ୍ଚୁମୁଖେ ।୧୮।

କୁତୂହୋଳ ପୁରୁଷ ସଦା ରଙ୍ଗେ ଭୋଳା

ବର ମାଗ କିରାତ ରେ ବୋଇଲେ ସୁଢଳା ।୧୯।

ଈଶ୍ଵରଂକ ମୁଖରୁ ୟେସନେକ ବାକ୍ୟ ଶୁଣି

ଭୂମିରେ ଥିରକରି ଥୋଇଲି ହର ଆଣି ।୨୦।

ଦେଖିଲି ପଞ୍ଚୁ ବଦନ ପଞ୍ଚଦଶ ଲୋଚନ

ବର ମାଗ ବର ମାଗ ବୋଲନ୍ତି ଈଶାନ ।୨୧।

ଭତ୍ତର ମହାଭୟ କରିଣ ମୁଂ କାଢି ପକାଇଲି ଧନୁ

ପ୍ରଣପତ୍ୟ ହୋଇଣ ଶୁତିଲି ପଞ୍ଚ ଯେ ବଦନୁ ।୨୨।

ପୁଣ ପୁଣ ରୁଦ୍ର ମୋତେ ବୋଲନ୍ତି ଉତ୍ତର

କିଂପା ତୁନୀ ହୋଇଲୁ ମାଗସିରେ ବର ।୨୩।

ଭୟେ ବୋଇଲି ଦେବ ମୁଂ ଅଟଇ ଅଗ୍ୟାଂନୀ

ଅଭଗତେ ମୁଂ କି ବର ମାଗିବି ଦେବସ୍ଵାମୀ ।୨୪।

ଈଶ୍ଵରେ ବୋଇଲେ ଆରେ ଶୁଣ ତୁ ବୀର ପାଥ

ଯାହା ମାଗିବୁ ତାହା ତୋତେ ଦେବଇଂ ମୋର ସତ୍ୟ ।୨୫।

ପାର୍ବତୀ ବୋଇଲେ ଦେବ ଶଉଚ ହୁଅସି

ସ୍ରାହାନ କର ଭୋ ଦେବ ସରୋବରେ ପଶି ।୨୬।

ଈଶ୍ଵରେ ଗଲେ ସେ ସ୍ରାହାନ ନିମନ୍ତେ

ପାର୍ବତୀ ସନ୍ଦେଶ କହିଲେ ରାଈ ହାଦେ ମୋତେ ।୨୭।

ପାର୍ବତୀ ବୋଇଲେ ଶୁଣସି ଅର୍ଜୁନ

ସତ୍ୟଯୁଗେ ତ୍ରିପୁର ତୁଲେ ଯୁଦ୍ଧକଲେ ତ୍ରିଲୋଚନ ।୨୮।

ଅନେକ ଶହସ୍ରେ ବଧ୍ୟ ଯେ ନୋହିଲା ତ୍ରିପୁର

ନାରାୟଣ ଦେବତାୟେ ଆପଣେ ହୋଇଲକ ଶର ।୨୯।

ପବନ ଦେବତାୟେ ପାଛୀ ଅଗ୍ନୀ ଦେବତାୟେ ମୁନ

ସେହି ଶହସ୍ରେ ବଧ୍ୟ ତାହାକୁ କଲେକ ତ୍ରିଲୋଚନ ।୩୦।

ପାର୍ବତୀ ବୋଇଲେ ସେ ଶର ମାଗରେ ବାବୁ

ତେଣୁ ସେ ତ୍ରଇଲୋକ୍ୟେ ଜିଣନ୍ତା ପାଥ ଅବଶ୍ୟ ହୋଇବୁ ।୩୧।

ଆହୋ ଉତ୍ତରେ ସ୍ରାହାନ ସାରିଣ ବିଜେ ସଦାନନ୍ଦେ

ପଶୁପତ୍ର ଶର ମାଗିଲି ଦିଲେ ମୋତେ ହାଦେ ।୩୨।

ଈଶ୍ଵରେ ବୋଇଲେ ନାରାୟଣ ଅଗ୍ନି ପବନ ଶର

ମୁହିଂ ସେ ଜାଣଇ ୟେହା ଆନେ ଅଗୋଚର ।୩୩।

ପାର୍ବତୀ ନ କହିଲେ କେମନ୍ତେ ଜାଣିଲାକ ପାଥ

ୟେହାର ଶହସ୍ରମାନ ମୁଂ ଦିଆଇବି ନିରୁତାନ୍ତ ।୩୪।

ଈଶ୍ଵରେ ବୋଇଲେ ପାର୍ବତୀ ୟେ ଅର୍ଜୁନ ବୋଲି

ୟେବେ ସରୂପ ମୁଂ ତ ଜାଣି ନୁଆରିଲି ।୩୫।

ୟେ ଯେ ପୁତ୍ର ହାଦେ ହୋଇଲା ଆମ୍ଭର

ତୁମ୍ଭେ ପ୍ରସନ୍ନେ ଉମା ଦିଅ ୟେହାକଇଂ ବର ।୩୬।

ସ୍ଵାମୀର ବଚନ ସେ ଅଲଂଘିତ ବାମା

ସତ୍ୟ ହୋଇଲା ବର ମାଗ ବୋଇଲେକ ଉମା ।୩୭।

ଈଶ୍ୱରେ ବୋଇଲେ ଅଶଉଚବନ୍ତେ ଥିଲେ

ବର ଦେବାର ଧର୍ମ ପ୍ରାପତ ନୋହଇଟି ଭଲେ ।୩୮।

ଉମାଦେବୀ ଗଲେ ଯେ ନଦୀକି ସ୍ରାହାନ କରି

ଅର୍ଜୁନକୁ କହିଲେ ସେ ଦେବ ତ୍ରିପୁରାରି ।୩୯।

ମୟେଂଷା ବଧକାଳେ ଅକ୍ଷୟ ତ୍ରୋଣ କଲେ ଦେବୀ ଜାୟେ

ତାହା ମାଗ ପାଥରେ ତ୍ରଇଲୋକ୍ୟ ହୋଇବୁ ଅଜୟେ ।୪୦।

ଶୂଚିବନ୍ତ ହୋଇଣ ସେ ଅଇଲେ ପାର୍ବତୀ

ବରମାଗ ପାଥ ହୋଇଲା ମୋହୋର ସତି ।୪୧।

ପ୍ରଣମିତ ହୋଇଣ ମାଗିଲି ବରଟି

ପ୍ରସନ୍ନ ହେଲ ଯେବେ ଦିଅ ଅଛୟେ ତ୍ରୋଣଗୋଟି ।୪୨।

ପାର୍ବତୀ ବୋଇଲେ ହର ମନ୍ଦକୃତ୍ୟ କଲ

ଆପଣାର ଶଉର୍ଯ୍ୟପଣ ପରେ ଦିଆଇଲ ।୪୩।

ୟେସନେକ ବଚନ ସେ ବୋଇଲେ ଦେବୀ ଉମା

ଅଛୟେ ତ୍ରୋଣ ମୋତେ ଦିଲେ ସଦାଶିବଂକର ବାମା ।୪୪।

ଦେଇଣ ମହାସ୍ଵତୀ ସ୍ଵାମୀକି କୋପକଲେ

ତ୍ରଇଲୋକ୍ୟ ଜିତା ପାଥ ହୋଇଲୁ ବୋଇଲେ ।୪୫।

ଈଶ୍ୱରେ ବୋଇଲେ ମୁଂ ତ ନ କହିଲି ସତୀ

ଭୂତ ଭବିଷ୍ୟ ଗ୍ୟାଂତା ସେ ବେଦବ୍ୟାସ ନାତି ।୪୬।

ପାର୍ବତୀ ବୋଇଲେ କହି ନ କହିଲ ତ୍ରିପୁରାରି

ଶତେ ଈଶ୍ଵର ହୋଇଲ ୟେକା ଅର୍ଜୁନକୁ ନୋହେ ସରି ।୪୭।

ଶୁଣ ବାବୁ ଉତ୍ତର କହଇ ଧନୁର୍ଜୟେ

ବିନା ତପେ ଅଛୟେ ତ୍ରୋଣ ପାଶୁପାତ ଶର ପାୟେ ।୪୮।

ଉତ୍ତର ବୋଇଲା ସ୍ଵାମୀ ଜୀବନ ତୋହୋର ସାଧୁ

ମୋହୋର ଜୀବନ ସାଧୁ ମୁଂ ଯେ ଆଶ୍ରାକଲି ମହାସିନ୍ଧୁ ।୪୯।

ଉତ୍ତର କୁମାର ବୋଇଲା ସ୍ଵାମୀ କହଇ ମୁହିଂ ତୁକୁ

ମୁଂ ଛାର କ୍ଷେମ ହୋଇପାରିବିକି ସାରଥିପଣକୁ ।୫୦।

ଅର୍ଜୁନ ବୋଇଲା ଉତ୍ତର ତୁ ଆମ୍ଭର ଅନ୍ନଗୁରୁ

ପ୍ରାଣର ସଂଘାତ ତୁ କିଂପା ଭୟେକରୁ ।୫୧।

ଆଗ୍ୟାଂ ପ୍ରମାଣେ ସେ ସାନନ୍ଦ ବିରାଟି

ସାରଥିପଣେ ଯାଇଂ ନନ୍ଦିଘୋଷ ରଥେ ଉଠି ।୫୨। ।୫୮୮୦।

 

Unknown

କୁରୁ ସେନାପତିମାନଙ୍କର ପରିଚୟ , ଝିମିଟି ଖେଳ ଓ ଦୁର୍ବାସାଙ୍କ ଠାରୁ କୁନ୍ତୀଙ୍କ ବରପ୍ରାପ୍ତି ଏବଂ କର୍ଣ୍ଣ ଜନ୍ମ ବିବରଣ

ଶୁଣ ହୋ ଚଇତନ ବଦୟନ୍ତି ମହାମୁନ୍ୟ

ମହତ ଦ୍ରଶନେ ମୁକତ ହୋନ୍ତି ଜନ ।୧।

ଯେବଣ ନନ୍ଦିଘୋଷେ ନାରାୟଣ ସାରଥି

ସେ ଆସନ ଖମ୍ଵ ମାଡ଼ି ବସିଲା ବିରାଟ ସନ୍ତତି ।୨।

ଅର୍ଜୁନ ରଥୀ ସେ ଯେ ଉତ୍ତର କୁମାର ସାରଥି

ଯେସନେକେ ଆକାଶୁଂ ଇନ୍ଦ୍ର ଗୋବିନ୍ଦ ଆସନ୍ତି ।୩।

ରଥିପଣେ ଅର୍ଜୁନ ସୁମରଇ ହନୁମନ୍ତ

କପିକେତନ ଆସି ସେ ଲାଗିଲା ତୁରିତ ।୪।

ଦେବଦତ୍ତ ଶଙ୍ଖ ଯେ ବାଜଇ ଘନ ଘନ

ଶୁଣିଣ ତ୍ରାସିଲେ ଯେ ସକଳ କୁରୁବଳ ସନ୍ୟ ।୫।

ସମସ୍ତେ ଚାହାଂନ୍ତି ଉତ୍ତରକଇଂ କରି ୟେକଦୃଷ୍ଟି

ନନ୍ଦିଘୋଷ ରଥ ସନ୍ନିଧ୍ୟେ ଆସି ଭେଟି ।୬।

ଦୂରୁ ଦେଖିଲେ ଯେ ଭାରଦ୍ଵାଦଶଂକ ନନ୍ଦନ

ଦ୍ରୋଣେ ବୋଇଲେ ଭୀଷ୍ମେ ବିଜୟେ କଲାଟି ଅର୍ଜୁନ ।୭।

କର୍ଣ୍ଣ ବୋଇଲେ ଗୁରୁ ହେ ଶବଦ ଦେବଦତ୍ତ

ଶଂକୁନି ବୋଇଲେ ଯେ କପିକେତନ ଧ୍ଵଜ ରଥ ।୮।

ଶଲ୍ୟ ବୋଇଲେ ୟେତ ନନ୍ଦିଘୋଷ ରଥ ଆସଇ

କୃପ ଆଚାର୍ଯ୍ୟ ବୋଇଲେ ୟେତ ଅର୍ଜୁନ ପରାୟେ ଦିଶଇ ।୯।

ଦ୍ରୋଣେ ବୋଇଲେ ୟେହା କେମନ୍ତେ କରିବାକ ସତ

ପାଣ୍ତବେ ବନସ୍ତେ ପଡ଼ି ମଲେ ପଞ୍ଚୁ ଭ୍ରାଥ ।୧୦।

ଭୀଷ୍ମ ବୋଇଲେ ହୋ ପାଣ୍ତବଂକ ଅନ୍ତରେ

ଆନ କେ ନନ୍ଦିଘୋଷ ରଥ ଆଣଇ ଆମ୍ଭର ଛାମୁରେ ।୧୧।

କିଅବା ଅର୍ଜୁନ ରଥୀ ହୋଇକିନା

କିଂପା ଗୋଳକର ୟେହିକ୍ଷଣି ବୁଝି ସିନା ।୧୨।

ୟେସନେକ ବିଚାରନ୍ତେ ଯେ କୁରୁ ସନ୍ୟବଳ

ୟେକଦୃଷ୍ଟି କରି ଯେ ଚାହାଂନ୍ତି ସକଳ ।୧୩।

ଉତ୍ତର କୁମାର ଅର୍ଜୁନ ଛାମୁରେ ପରିଣାମି

ୟେ ମହରଥୀମାନେ କେ କେ ଅଟନ୍ତି ଦେବସ୍ଵାମୀ ।୧୪।

ଅର୍ଜୁନ ବୋଇଲେ ବାବୁ ଶୁଣ ହୋ ଉତ୍ତର କୁମାର

ୟେ ସେ ଭୀଷ୍ମ ଦ୍ରୋଣ କର୍ଣ୍ଣ ମହାବୀର ।୧୫।

ଭୂରିସର୍ବା ସୋମଦତ୍ତ କୃତବର୍ମା

ବାହ୍ଲିକ ଶଂକୁନି ଯେ ଦ୍ରୋଣ ସୁତ ଅଶସ୍ତାମା ।୧୬।

କୃପ ଆଚାର୍ଯ୍ୟ ଜଦ୍ୟରଥ ଆବର ରାୟେଗୁରୁ ଶଲ୍ୟ

ଛତ୍ରୀ ବୀରବର ସୁନ୍ଦର ଭାରଥେ ଭାରୋଇ ମଲ୍ଲ ।୧୭।

ଶୁଦ୍ଧ ସଷ୍ଟିକ ପ୍ରବାଳ ଜଡ଼ିତ ରଥଗୋଟି

ଶାୟେଂତନୁଂକ ସୋଦର ଭୁରିସର୍ବା ୟେଟି ।୧୮।

ବାବୁ ତାହାଂକର ବାମ ପାଖେ କଣୟମୟ ରଥ

ହୀରା ନୀଳା ମଣିୟେ ଜଡ଼ିତ ଚିରାଳ ଅପ୍ରମିତ ।୧୯।

ବାବୁ କୃଷ୍ଣାଞ୍ଜନ ଛଉରୀ ୟେ ରଥର ଉପରେ

ଦାସୀନେତ ପାତାଙ୍ଗ ଉଡ଼ନ୍ତି ଗଗନ ଶିଖରେ ।୨୦।

କଣୟମୟେ ରଥେ ମର୍କତେ ତେଜ ଝଳି

ଗଜ ମୁକୁତା ମାଣିକ୍ୟ ହୀରା ନୀଳା ମାଳି ମାଳି ।୨୧।

ଦ୍ଵାଦଶ ଶାର୍ଦ୍ଦୋଳ ଯେ ଯୋଚିଲା ଅଛି ରଥେ

ଆକାଶେ କ୍ଷେପି ଲୋଡ଼ନ୍ତି ନ ବିଶ୍ରାମନ୍ତି ଦିବାରାତ୍ରେ ।୨୨।

ଶାୟେଂତନୁର ନନ୍ଦନ ଗଙ୍ଗା ଯାହାର ମାୟେ

ଯାହାର ଶର ବିନ୍ଧନ୍ତେ ତ୍ରଇଲୋକ୍ୟ କଂପଇ ଭୟେ ।୨୩।

ଶରଣ ମଛଳ ଯେ କଇଛା ଜଗଜ୍ଜେଠୀ

ନାରାଜ ବିନ୍ଧନ୍ତେ ଯାହାର ତାମ୍ରଗିରି ଯାୟେ ଫୁଟି ।୨୪।

ଉତ୍ତର ୟେକୋଇଶବାର ପୃଥୀ ନିଛତ୍ର କଲେ ପ୍ରଶୁରାମେ

ସେ ପ୍ରଶୁରାମେ ୟେହାଂକୁ ହାରିଲେ ସାଂଗ୍ରାମେ ।୨୫।

ୟେ ମହୀମଣ୍ତଳେ ଅସଂକ୍ଷେପ ଯାହାର କଥା

ସେ ସେ ଭାଷ୍ମଦେବ କ୍ଷତ୍ରିୟ ମହାରଥା ।୨୬।

ବାବୁ ସିନ୍ଧୁ ଶୋଷଣ ହୋଅଇ ଯାହାର ଶରଘାତେ

ଦାରା ସଂହରଣ କଲେ ସେ ପିତାର ନିମନ୍ତେ ।୨୭।

ଯାହାର ନାରାଜ ଭେଦଇ ପୃଥିବୀରେ

ପୃଥୀଭେଦୀ ଭୀଷ୍ମ ବୋଲି ବୋଲନ୍ତି ଜଗତରେ ।୨୮।

ନ ମରିବି ବୋଲି ସବୁରି ଜୀବ ଛେଦି

ନାହିଂନା ଜିଣନ୍ତା ଯେ ତ୍ରିଭୁବନ ମଝି ।୨୯।

ବାବୁ ଭୀଷ୍ଣଂକର ସନ୍ନିଧ୍ୟେ ଦେଖ ରଥଗୋଟି

ସରୂପ ବିକାଶଇ ସୂର୍ଯ୍ୟ କିରଣ କୋଟି ।୩୦।

ଗଜ ମୁକୁତା ପରିପାଟ ଉପରେଣ ଟାଣି

ପଞ୍ଚଷଠି କୋଟି ଅବିନ୍ଧା ଶୁଦ୍ଧ ରତ୍ନମଣି ।୩୧।

ଖେଚରି ବିମାନ ରଥ ନାମ ତା ବିରଧୂ

ମାଛି ଲୋଚନ ବେନିଫାଳ ହୋଅଇ ଯାହାର ନାରାଜ ବିନ୍ଧୁ ।୩୨।

ଶାକଲ୍ୟ ଦେଶ ରାୟେ ଅଟଇ ଦଣ୍ତଧାରୀ

ମାଦ୍ରୀ ଦେବୀଂକର ସୋଦର ଭ୍ରାଥ ନିରାଧାରୀ ।୩୩।

ଅଶ୍ଵିନୀ କୁମାରଂକର ଅଟଇ ୟେହୁ ଶଳା

ନକୁଳ ସହଦେବଂକର ସୋହୋଦ୍ର ମଉଳା ।୩୪।

ଉତ୍ତର କୁମାର ବୋଇଲା ୟେ ବଡ଼ ଦୁଲ୍ଲଭ କଥା

ମାତାର ସୋଦର ହୋଇ କିଂପାୟେ ତୁମ୍ଭଂକୁ ୟେତେକ ନିରିବଥା ।୩୫।

ଅର୍ଜୁନ ବୋଇଲା ବାବୁ ବାଳୁତ କୁତୂହୋଳେ

ଗୁଣ୍ତି ବାଣ୍ଟି ହୋଇଲୁ ଝିମାଣି ଖେଳବେଳେ ।୩୬।

ଦ୍ରିଯୋଧନ ଯୁଝେଷ୍ଠି ହୋଇଲେ ମୂଳଗଣ୍ତି

ଭୀମ ଧୁଶାସନ ହୋଇଲେ ବାମଗଣ୍ତି ।୩୭।

ଯୁଝେଷ୍ଠିଂକ ଆଡ଼େ ସେ ପଡ଼ିଲା ଭୀମସେନ

ଦ୍ରିଯୋଧନ କତିରେ ପଡ଼ିଲା ଧୁଶାସନ ।୩୮।

କର୍ଣ୍ଣ ଅର୍ଜୁନ ଆମ୍ଭେ ଗଲୁ ଗୁଣ୍ତି ବେନି

ଦ୍ରିଯୋଧନ ଭାଗେ କର୍ଣ୍ଣ ଯୁଝେଷ୍ଠିରେ ଫାଲଗୁନି ।୩୯।

ନକୁଳ ସୋମଦତ୍ତ ଗଲେ ବେନିଗୁଣ୍ତି

ଦ୍ରିଯୋଧନ ଭାଗେ ସୋମଦତ୍ତ ଯୁଝେଷ୍ଠିଂକ ଭାଗେ ନକୁଳ ପଡ଼ି ।୪୦।

ସହଦେବ ଶକୁନି ଯେ ହୋଇଲେ ୟେକଯୋଗ

ଦ୍ରିଯୋଧନେ ଶକୁନି ସହଦେବ ଆମ୍ଭ ଭାଗ ।୪୧।

ୟେମନ୍ତେ ବେନିଭାଗ ହୋଇଲୁ ଖେଡ଼ରସେ

ପ୍ରଥମେ ଧୁଶାସନ ଗୋଡ଼ାଇଲା ହରଷେ ।୪୨।

ଦୁଜେଣ ଗୋଡ଼ାଇଲେ ଭୀମସେନ ମହାବଳୀ

ବ୍ରାଘକଇଂ ଦେଖି ଯେହ୍ନେ ପଳାବଇ ଛେଳି ।୪୩।

ମାରିଣ କଉରୋବ ବଳନ୍ତ କରଇ ଭଗନସ୍ତ

କାହାକୁ ଚାପୋଡ଼େ ମାରି ପାଡ଼ଇ ଭୂମିଗତ ।୪୪।

ୟେକା ନିଶୁଆସକେ ଶତେଭ୍ରାଥ ମାରି

ସୋମଦତ୍ତ ଶକୁନି ନୁଆରିଲେ ଉବୁରି ।୪୫।

ଶଲ୍ୟେ ଯେ ପଳାଇ ଅଛନ୍ତି ଦୁରସରି

ନିଶୁଆସକେ ଭୀମସେନ ଗୋଡ଼ାୟେ ପାଦଗତି କରି ।୪୬।

ଭୀମସେନ ପାଦ ପଡ଼ିଲା ଶଲ୍ୟଂକର ପିଠି

ଅସାଷ୍ଟମେ ଶଲ୍ୟ ପଡ଼ିଲେ ମହୀଲୋଟି ।୪୭।

ଉଠି ନୁଆରିଲେ ଯେ ବହୁତ ଲଜ୍ଜା ପାଇ

ଭୀମକୁ ମାରିବେ ବୋଲି ସତ୍ୟବ୍ରତ ପୁଅ କଇ ।୪୮।

କଇଛାବନ୍ତ କ୍ଷେତ୍ରୀ ସେ ବାଳୁତ ପୁଅ ରାଗେ

ମାୟେ ଦୟିନୀ କରି ବୋଇଲେ ଅନେକ ବାଗେ ।୪୯।

କାହାରି ବୋଲ ନ କରି ରହିଲେ କୁରୁଥାଠେ

ଭୀମକୁ ମାରିବେ ବୋଲି ପ୍ରତଗ୍ୟାଂ ଗରିଷ୍ଠେ ।୫୦।

ଶୁଣ ହୋ ଉତ୍ତର କ୍ଷେତ୍ରୀଂକର ୟେହେନ୍ନେକ କଥା

ଭୀମସେନକୁ ଅପ୍ରୀତି ୟେହାକରଂ ହୋଇଲା ସର୍ବଥା ।୫୧।

ୟେସନେକ ମହାରଥୀ ଯେ ରାୟେଗୁରୁ ଶଲ୍ୟ

ଯୁଗାଧି କାଳର ୟେ ଭାରଥେ ଭାରୋଇମଲ୍ଲ ।୫୨।

ଧନୁରେ ଗୁଣେ ସେ ଯେ ବସାଇ ନାରାଜ

ଗରୁଡ଼ ପିଠିରେ ଥାଇ ଶଂକନ୍ତି ଦେବରାଜ ।୫୩।

ମହାବଳବନ୍ତ ୟେ ଛତ୍ରୀକୁଳ ଆଧି

ବିନ୍ଧିଲେ ନାରାଜ ପାତାଳ ସ୍ଵର୍ଗକଇଂ ଭେଦି ।୫୪।

ତାହାଂକର ସନ୍ନିଧ୍ୟେ ଦେଖ ୟେକରଥ

ଉଦୟ କାଳେ ଯେହ୍ନେ ଦିନକର ନାଥ ।୫୫।

ଅହିବ୍ରତେକ ପାତାଙ୍ଗ ଉଡ଼ନ୍ତି ରଥରେ ଉପରେ

ଫରହର ଦାସୀନେତ ଉଡ଼ଇ ଗଗନ ଭିତରେ ।୫୬।

ହାଥୀଦନ୍ତ ରଥ ସେ କଣୟ ଛାୟେଣି

ତଥିର ଉପରେ ଘଟଣ ଶୁଦ୍ଧମଣି ।୫୭।

ମାଣିକ୍ୟ ଗଜ ମୁକୁତା ତିନି ତିନି ପନ୍ତି

ତଥିର ଉପରେ ହୀରା ପାଞ୍ଚପନ୍ତି ଝଲକନ୍ତି ।୫୮।

ହୀରା ପାଖରେ ମର୍କତ ସାତଧାଡ଼ି

ୟେକା ରଥେ ମଣ୍ତିଲା ରତ୍ନ ଭଣ୍ତାର ଚାରି ।୫୯।

ନୀଳା ପଦ୍ମ ପାଖୁଡ଼ାରେ ଖଞ୍ଜିତ ମୁକୁତା

ଲମ୍ଵିତ ଝଡ଼ାୟେ ଗୁନ୍ଥଣ ପାଟସୂତା ।୬୦।

ଚଉଷଠୀ ପନ୍ତି ହୀରା ପାତ ଚାରିରେଖ

କଣୟ କ୍ଷଦ୍ର ଘଣ୍ଟି ବାଜନ୍ତି ଚଉପାଖ ।୬୧।

ଲମ୍ଵନ୍ତି ମୁକୁତା ମାଳ ଚଉସରା

ରଥରେ ପୁଞ୍ଜି ପୁଞ୍ଜି ମାଣିକ୍ୟର ଝରା ।୬୨।

ଶତେକ କଣୟ କଲସ ରଥରେ ନିର୍ବାଣି

ତଥିର ଉପରେ ଯେ ମର୍କତ ଖଞ୍ଜଣି ।୬୩।

କେଶରୀ ଲାଙ୍ଗୁଡ଼ ଚିହ୍ନ ଉଡ଼ନ୍ତି ରଥ ଧ୍ଵଜେ

ଅମରାଧି ନାଥ କି ସେ ରଥରେ କଲେ ବିଜେ ।୬୪।

ଆହୋ ଉତ୍ତର ଲକ୍ଷେକ ଆଲମ୍ଵ ଉଡ଼ଇ ବେନି ପାଖେ

ଢାଳନ୍ତି ସୁବର୍ଣ୍ଣ ବନ୍ଧ ଡ଼ାଳିମ୍ଵା ଚାମରହିଂ ଲକ୍ଷେ ।୬୫।

ଲକ୍ଷେଣ ଉଦଣ୍ତ ଯେ ଲକ୍ଷେକ ପାଟଛତ୍ର

ୟେକଲକ୍ଷ୍ମୀ ପାଞ୍ଚଲକ୍ଷୀ ଉଡ଼ଇ ପଞ୍ଚୁ ଅହିବ୍ରତ ।୬୬।

ସୁବର୍ଣ୍ଣ ବନ୍ଧା ଶଙ୍ଖ ହୀରା ନୀଳାୟେ ଜଡ଼ି

ବେନି କୋଟି ଶଙ୍ଖ ଛାମୁରେଣ ଫୁରି ।୬୭।

ଅନର୍ଘ ମଣି ମୁକୁଟ ଶୋଭିତ ଲଲାଟେ

ଅଷ୍ଟରତ୍ନେ ବିରାଜନ୍ତି ମୁକୁଟ ସପ୍ତଶାଖା ଘଟେ ।୬୮।

ବଇଜୟନ୍ତି ମାଳା ଶୋଭେ ଯାହାଂକରି ହୃଦେ

ଅତିମାନେ ମାନଗୋବିନ୍ଦ ୟେହିଟି ସେ ହାଦେ ।୬୯।

ସମ୍ପୂର୍ଣ୍ଣ ଚନ୍ଦ୍ର ଲେଖନ ଶୋଭିତ ଲଲାଟେ

ଆରକ୍ତ ସୁରଭି ଶୋଭିତ ଲଲାଟ ବେନିକ୍ରୋଟେ ।୭୦।

ବେନିକରେ ଶୋଭାବନ ଯେ ଶଙ୍ଖ ପଦ୍ମନିଧି

ପନ୍ନଗା ନାରାୟଣ ୟେ ଅଟଇ ଯେ ବିଧି ।୭୧।

ବାବୁ ୟେହାର କରସ୍ଥଳ ଲାଗନ୍ତେ ପାଷାଣେ

ଅବଶ୍ୟ ପାଣିଦ୍ରବ୍ୟ ହୋଅଇ ତତକ୍ଷଣେ ।୭୨।

ଆହୋ ଲକ୍ଷେ ରାଜାଂକର ଉପରେ ୟେ ଅଟନ୍ତି ମଉଡ଼ମଣି

କୋଟିୟେ ପାଦେ କନ୍ଧେ ବିଜୟେ କମଳିନୀ ।୭୩।

କାନ୍ଦିଲେ ମାଣିକ୍ୟ ଯେ ଝଡ଼ଇ ଲୋଚନୁ

ହସିଲେ ମୁକୁତା ଯେ ପଡ଼ଇ ବଦନୁଂ ।୭୪।

ଚାଲନ୍ତେଣ ଅବେଣ୍ଟ ପଦ୍ମ ଯେ ଫୁଟଇ

ଅତିମାନେ ରାଜା ସେ ମାନଗୋବିନ୍ଦାଇ ।୭୫।

ବତିଶ ଲକ୍ଷଣେ ସେ ରାଜା ଦ୍ରିଯୋଧନ

ଲକ୍ଷେକ ରାଜା ଖଟନ୍ତି ୟେହାର ଚରଣ ।୭୬।

ଅପୂର୍ଣ୍ଣା ପ୍ରଦାନ ୟେ ଅନୁବ୍ରତେ ବର

ପିତାମାତା ଆଦିକରି କାହାକୁହିଂ ନାହିଂ ନମସ୍କାର ।୭୭।

ଅଦଭୂତେ ଜଳରୁ କନ୍ୟାୟେକ ଆସି

ଅଷ୍ଟଦିନେ ପ୍ରାଦାନ ସେ ହୁଅଇ ଶୁଭ୍ରକେଶୀ ।୭୮।

ବାବୁ ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ବାରୁଣା ଜଇନ୍ତା

ୟେ ପଞ୍ଚୁ କଟକ ମୂଳେ ରାଜ୍ୟେ ଅପ୍ରମିତା ।୭୯।

କୁଞ୍ଜଗଳ ଦେଶର ରାୟେ ଅଟଇ ଆଧିପତି

ବଡ଼ାଇ ପ୍ରତାପୀ ରାଜା ସେ ମାନଚକ୍ରବ୍ରତୀ ।୮୦।

ଶତେକ ଭ୍ରାଥ ୟେହାର ୟେକୁୟେକ ଦକ୍ଷ

ଧାର୍ମିକ ବିବେକ ପଣ୍ତିତ ବୀରବତ୍ସ ।୮୧।

ଗାନ୍ଧାର ଦେଶର ରାଜା ମନ୍ତ୍ରୀ ଯେ ଶକୁନି

ଭୂତ ଭବିଷ୍ୟ ଗ୍ୟାଂତା ୟେ ଅଟଇ ମହାଗ୍ୟାନୀ ।୮୨।

ଶୁଦ୍ଧ ସଷ୍ଟିକ ଜାଣି ୟେହାର ରଥ ବିରାଜେ

ବଳୟା ବାହାନେ ସେ ୟେହାର ରଥ ସାଜେ ।୮୩।

ଆହୋ ଉତ୍ତର ୟେହାର ଡ଼ାହାଣ ପାରୁଶେ ଯେବଣ ରଥ ବିରାଜି

ଆଦିତ୍ୟ କିରଣ ଜାଣି ସେ ରଥ ମହାତେଜି ।୮୪।

ୟେତେକ ରତ୍ନ ଯେ ଲାଗିଅଛି ରଥେ

ଶତେକ ନୃପତିଂକର ଭଣ୍ତାର ପୁଣ ତେତେ ।୮୫।

ସମସ୍ତ ରଥମାନ ଯେ ଅଟଇ ଅମୂଲ୍ୟ

କୁବେର ଭଣ୍ତାର ଯେ ନୋହିବ ସମତୁଲ ।୮୬।

ୟେ ସେ ରାଧେବ ନନ୍ଦନ ସେ ଅଟଇ ବୀର କର୍ଣ୍ଣ

ପୃଥୀ ୟେହାକୁ ଲାଞ୍ଚ ଦିଅଇ ଶତେଭାର ସୁବର୍ଣ୍ଣ ।୮୭।

ଆହୋ ଉତ୍ତର ଆଣ୍ଟହୋଇ ଚରଣ ତାର ପଡ଼ନ୍ତେଣ ପୃଥୀ

ମୁଖରୁ ରୁଧିର ଯେ ବହଇ ବସୁମତୀ ।୮୮।

ଥିରହୋଇ ଚରଣ ପଡ଼ିବା ନିମନ୍ତେ

ତେଣୁ କରି କଣୟ ଲାଞ୍ଚ ଦିଅଇ ଭାର ଶତେ ।୮୯।

ଆମ୍ଭର ସୋଦର ସେ ଅଟନ୍ତି ଜ୍ୟେଷ୍ଠ ଭ୍ରାଥ

ଯୁଝେଷ୍ଠି ଦେବହୁଂ ବଡ଼ କୋଇନ୍ତାଂକ ଗର୍ଭୁଂ ଜାତ ।୯୦।

ଉତ୍ତର ବୋଇଲା ବାବୁ ବଡ଼ାଇ ଦୁର୍ଲ୍ଲଭ ୟେ ବାଣୀ

ଆଶ୍ରିଜ ହୋଇଲି ମୁଂ ତୁମ୍ଭର ବାକ୍ୟ ଶୁଣି ।୯୧।

ଯେବଣ ସହୋଦ୍ର ୟେକା ମାତାହୁଂ ଜାୟେ

ଜ୍ୟେଷ୍ଠଭ୍ରାଥ ହୋଇଣ କିଂପେ ୟେଡ଼େକ ନିର୍ଦ୍ଦୟେ ।୯୨।

ଅର୍ଜୁନ ବୋଇଲା ହୋ କୋନ୍ତଭୋଜ ବୋଲି ୟେକରାଜା

କୋଇନ୍ତା ଦେବୀ ଅଟନ୍ତି ଯେ ତାହାଂକ ତନୁଜା ।୯୩।

କୋଇନ୍ତାୟେ ଦୃଭାସାଂକୁ ସେବାକଲେ ବାଳକାଳେ

ଦ୍ଵାଦଶ ବରଷ ସେବାକଲେ ଅବିଭାଇତ ବେଳେ ।୯୪।

ରାଜ୍ୟରୁ ଯାଆନ୍ତେଣ ସେ ଦୃଭାସା ମହାଯତି

କୋଇନ୍ତାୟେ ଗୋଡ଼ାଇ ଅଛନ୍ତି ପଛକତି ।୯୫।

ଦୃଭାସାୟେ ବୋଇଲେ ବାହୁଡ଼ି ଯାଅ ଗୋ ଆଈ

ପ୍ରଳମ୍ଵିତ ହୋଇଣ ସେ ବୋଲନ୍ତି ମହାମାଈ ।୯୬।

ଈଶ୍ଵର ସମାନେ ମୁହିଂ ତୁମ୍ଭନ୍ତ ସେବା କଲି

କିଛିହିଂ ନ ପାଇ ମୁଂ ନିଷ୍ଫଳ ହୋଇଲି ।୯୭।

ଦୃଭାସାୟେ ବୋଇଲେ ୟେ ମହାମନ୍ତ୍ର ଆମ୍ଭର

ଯାଚିଣ ନ ଦେଉଂ ଯେ ଆମ୍ଭେ ତୁ ମାଗିଲୁ ଛାମୁର ।୯୮।

ୟେବେ ଆଈ ତୁହି ଯେବେ କଲୁ ଇଛା

ମାଗକିନା ଆମ୍ଭେ ଦେବୁଂ ପୂରୁଂ ମନୋବାଞ୍ଚ୍ଥା ।୯୯।

କୋଇନ୍ତାୟେ ବୋଇଲେ ମୁଂ କିସ ମାଗିବଇଂ ବର

ସ୍ତିରୀଂକର ବେଦନା ଜାଣି ଅନୁଗ୍ରହ କର ।୧୦୦।

ଦୃଭାସାୟେ ବୋଇଲେ ସ୍ତିରୀଂକର ୟେହେନ୍ନେକ ମନବାଞ୍ଚ୍ଥା

ସୁନ୍ଦର ସୁପୁରୁଷ ପୁତ୍ରକଇଂ କରନ୍ତି ମନଇଛା ।୧୦୧।

ଜପାମାଳି ଗୋଟିୟେ ଦେବି ଆଈ ତୋତେ

ୟେହା ଘେନି ସୁମରଣା କରିବୁ ଶେଯ୍ୟାର ଯୁଗତେ ।୧୦୨।

ଯଦ୍ୟପି ଧର୍ମ ପବନ ଇନ୍ଦ୍ର ଚନ୍ଦ୍ର ରୁନ୍ଦ୍ର ସୂର୍ଯ୍ୟ ବ୍ରହ୍ମା ବିଷ୍ଣୁ

ସେ ଆସି ପ୍ରାପତ ହୋଇବ ତୋହୋର ଘଟୁ ।୧୦୩।

ୟେସନେକ ଜପାମାଳା ଦେଇ ଗଲେ ଭଗବନ୍ତେ

କୋଇନ୍ତାୟେ ସ୍ରାହାନ ସାରିଲେ ସେହି ଯେ ବନସ୍ତେ ।୧୦୪।

ସ୍ରାହାନ ସାରି ଦେବୀ ହୋଇଛନ୍ତି ଉଭା

ଈଶାନ୍ୟେ ଦିଶିଲେ ଯେ ଆଦିତ୍ୟ ଜ୍ୟୋତି ପ୍ରଭା ।୧୦୫।

ମହାମନ୍ତ୍ର ପରୀକ୍ଷ ସେ କରିବାର ନିମନ୍ତେ

ବିରଞ୍ଚିକି ସୁମରଣା କଲେକ ଶଯ୍ୟାର ଯୁଗତେ ।୧୦୬।

ଦିନକର ନାଥ ଯେ ମୂର୍ତ୍ତିବନ୍ତ ହୋଇ

କୋଇନ୍ତାଂକ ସନ୍ନିଧ୍ୟେ ଯେ ବିଜେକଲେ ଯାଇଂ ।୧୦୭।

ଅଗ୍ୟାଂନ କୋଇନ୍ତା ଯେ ଅବିଭାଇତ ଅରଜବତୀ

କୋଇନ୍ତାୟେ ଭାସ୍କର ଯେ ବଢିଲା ପୀରତି ।୧୦୮।

ଭାବ ଆଲିଙ୍ଗନେ କୁମାରୀକି ସମ୍ଭର୍ବେ

ବାମକର୍ଣ୍ଣ ବିମ୍ଵରୁ ସନ୍ତାନ ହୋଇଲେ ପ୍ରସବେ ।୧୦୯।

ଦିନକର ନାଥ ଯାଇଂ ଧଇଲେ ତାକୁ କୋଳେ

ସପତସୂର୍ଯ୍ୟ ମଣି ସେ ଚାପିଲେ ବକ୍ଷସ୍ଥଳେ ।୧୧୦।

ଅଭେଦ କପଚ ମଣି ଚାପିଲେ ତାଳୁରେ

ବଜ୍ର ଛଉରୀ ନେଇ ଚାପିଲେ ଶରୀରେ ।୧୧୧।

କର୍ଣ୍ଣରେ ଖଞ୍ଜିଲେ ନେଇ ଅମୃତ କୁଣ୍ତଳ ବେନି

କର୍ଣ୍ଣ ନାମ ଦେଲେ ସେ କୁମର କୋଳେ ଘେନି ।୧୧୨।

ସପତସୂର୍ଯ୍ୟ ତେଜ ଲୋହିତ ବର୍ଣ୍ଣ କାୟେ

ଲାଜେଣ ପିତାର ଘରକୁ ନ ନେଲେ କୋଇନ୍ତାୟେ ।୧୧୩।

ମୃତ୍ତିକା ମଞ୍ଜୁଷ ୟେକ କୋଇନ୍ତା ଦେବୀ କରି

ବାଳୁତ କୁମରନ୍ତ ତହିଂର ଭିତରେଣ ଭରି ।୧୧୪।

ଯମୁନା ନଦୀ ଯେ ବହଇ ଈଶାନ୍ୟଭାଗୀ

ସେ ନଦୀ ଭିତରେ ଦେବୀ ପକାଇଲେ ବେଗି ।୧୧୫।

କୁମାର ତେଜେ କରି ସିଝିଲା ସେହୁ ମାଟି

କଞ୍ଚା କର୍ଦ୍ଦମ ସେ ହୋଇଲା ବଜ୍ରଘୋଟି ।୧୧୬।

ସେ ମଞ୍ଜୁଷ ଉପୁଚିଆଇଲା ଯମୁନା ଭିତରେ

ଯାଇଂଣ ଆଉଜିଲା ସେ ଇନ୍ଦ୍ରପ୍ରଶସ୍ତ ନବରେ ।୧୧୭।

ଗାଲବର ନନ୍ଦନ ସଞ୍ଜୟେ ଧୃତିରାଷ୍ଟର ମନ୍ତ୍ରୀ

ରାଧାନାମେ କନ୍ୟାୟେ ତାହାର ଦୁହିତୀ ।୧୧୮।

ସଞ୍ଜୟକୁ ପ୍ରାପତ ହୋଇଲା ଦିବ୍ୟଚଛୁ

ସେ ବୋଇଲା ମାୟେ ଗୋ ରାଧା କାହିଂ ଅଛୁ ।୧୧୯।

ୟେହିକ୍ଷଣି ଚଳନି ତୁ ଯମୁନା ନଦୀ କୂଳେ

ମଞ୍ଜୁଷ ଗୋଟିୟେ ଉପୁଚିଆଇ ଗୋ ଯାଉଅଛି ଜଳେ ।୧୨୦।

ତାହା ଘେନିକରି ତୁ ମାଗୋ ଆସସି ଯତନେ

ବଡ଼ାଇ ବଳବନ୍ତା ତହିଂ ଅଛଇ ନନ୍ଦନେ ।୧୨୧।

ପିତାର ବଚନେ ସେ ଚଳଇ ନନ୍ଦିନୀ

ପାଇଲା ମଞ୍ଜୁଷ ସେ ସୁକୁମାର ସ୍ଵଭାବିନୀ ।୧୨୨।

ଅନେକ ଯତନେ ତାହା ରାଧା ଯେ ପାଳିଲେ

ବାଳକାଳୁ ପ୍ରୀତି ତାର ମାନଗୋବିନ୍ଦର ତୁଲେ ।୧୨୩।

ପ୍ରାଗବେଣୀ କୂଳେ ଦୁହେଂ ହୋଇଲେ ମଇତ୍ର

ନଜାଣନ୍ତି କୋଇନ୍ତା ମାତା ନ ଜାଣୁ ଆମ୍ଭେ ଭ୍ରାଥ ।୧୨୪।

ଇଦଂବାଚ ଉତ୍ତରକୁ କହିଲେ ଫଲଗୁନି

ତଦର୍ଥେ କର୍ଣ୍ଣ ଅଛି ତାହା ତୁଲେ ଶହସ୍ର ଘେନି ।୧୨୫।

ପରମ ସାନନ୍ଦେଣ କହିଲେ କିରୀଟି

ଶୁଣିଣ ସାନନ୍ଦ ଯେ ହୋଇଲା ବିରାଟି ।୧୨୬।

ବାବୁ ସେ କର୍ଣ୍ଣର ସନ୍ନିଧ୍ୟେଣ ବିରାଜଇ ଯେଉଂଣ ରଥ

ପୂର୍ଣ୍ଣିମା ଚନ୍ଦ୍ର ଜାଣି ଦିଶଇ ଉଦିତ ।୧୨୭।

ରଥର ଉପରେ ବିରାଜଇ ଚନ୍ଦ୍ରକିରଣ ମଣି

ତଥିର ଉପରେ କଣୟ ମୃଗଚର୍ମ ଛାୟେଣି ।୧୨୮।

ତଥିର ଉପରେ ମଲ୍ଲି ମାଳତୀ ଗଜର ମୁକୁତା

ମାଣିକ୍ୟର ଝରା ଯେ ଗୁନ୍ଥିଣ ପାଟସୂତା ।୧୨୯।

ଚନ୍ଦ୍ର ମଣ୍ତଳ ରଥ ଚନ୍ଦ୍ର କିରଣ ଯେ ମଣି

ଚନ୍ଦ୍ର ଉଦୟେ ଜାଣି ଦିଶଇ ରୟେଣୀ ।୧୩୦।

ବାବୁ ଉଦ୍ଦାଳକ ଗୋତ୍ରୀ ଭରଦ୍ଵାଦଶ ମହରଷ

ଦ୍ରୋଣ ମହାଗୁରୁ ଯେ ତାହାଂକର ଶିଷ ।୧୩୧।

ପ୍ରଶୁରାମ ପ୍ରତିଗ୍ରହେ ପାଇଲେ ଆଦିବିଦ୍ୟା

କୁରୁ ପାଣ୍ତବଂକ ମଧ୍ୟେ ଗୁରୁ ବ୍ରାହ୍ମଣ ମହାସିଦ୍ଧା ।୧୩୨।

ଲକ୍ଷେକ ବଳ ଧନୁ ଧରିଛନ୍ତି ହାଥେ

ବିଶାଶତେ ଶାର୍ଦ୍ଦୋଳ ଯୋଚିଲା ଅଛି ରଥେ ।୧୩୩।

ଶାର୍ଦ୍ଦୁଳ ଲାଞ୍ଜ ଚିହ୍ନ ଉଡ଼ଇ ରଥଧ୍ଵଜେ

କଣୟମୟ ରଥେ ହୀରା ସାରିକ୍ଷେ ସରୋଜେ ।୧୩୪।

ବାବୁ ସେ ଦ୍ରୋଣ ଯେ ଅଟନ୍ତି ମହାରଥୀ

ତାହାଂକର ସମାନେ ଅଛନ୍ତି ଭୀଷ୍ମ ମହାଛତ୍ରୀ ।୧୩୫।

ବାବୁ ତାହାଂକର କର ସନ୍ନିଧ୍ୟେ ତୁ ଦେଖ ହୋ ବିରାଟି

ୟେକଖଣ୍ତି ରଥ ସେ ଯେ ମର୍କତ ଆହୁଟି ।୧୩୬।

ବିରାଜଇ ରଥେ ମୃକୁତା ନକ୍ଷତ୍ର ପନ୍ତି ଜାଣି

ୟେ ସେ ଅଶସ୍ତମା ହୋ ମହାରଥୀ ଦ୍ରୋଣି ।୧୩୭।

ଲକ୍ଷେ ପଞ୍ଚାଶ ସହସ୍ର ବଳ ବହଇ ୟେ ଧନୁ

ବଜ୍ର ବିଗାତେ କ୍ଷୟେ ନୋହଇ ୟେହାଂକର ତନୁ ।୧୩୮।

ଛତ୍ରୀଂକର ମଧ୍ୟେ ଅଟଇ କୋଟି କଳ୍ପି

ଦ୍ରୋଣେ ୟେହାଂକର ପିତା ମାତା ୟେହାଂକର କୃପୀ ।୧୩୯।

ୟେହାଂକର ଧନୁ ଧରନ୍ତେ କମ୍ପଇ ଆଖଣ୍ତଳ

ଯମ ଦେବତା ନ ବସଇ ସଞ୍ଜୀବନୀ ମଣ୍ତଳ ।୧୪୦।

ଛତ୍ରୀ ମାନମର୍ଦ୍ଦନ ୟେ ଗୁରୁ ପରମଗୁରୁ

ଦ୍ରୋଣୁଂ ଅଧିକ ପାଞ୍ଚସସ୍ର ବଳ ୟେହାର ଧନୁଧରୁ ।୧୪୧।

ବାବୁ ଶରଣରକ୍ଷଣ ୟେ ସମରେ ଅଶସ୍ତମା

ୟେହାଂକର ମାତୁଳ ୟେ ହାଦେ ଦେଖ କୃପବ୍ରହ୍ମା ।୧୪୨।

ମଳୟ ବସନ୍ତ ରଥ ମଳୟ ବସନ୍ତ ସାରଥି

ମଳୟାନିଳ ବିଜୟେ ରଥ ଆଲୋକମୟେ ବିରାଜଇ ଦିବାରାତି ।୧୪୩।

ଯେତେକ ରତ୍ନ ସେ ଲାଗିଅଛି ରଥଶିଖା

ଅଂକେ ଲେଖନ୍ତେ ସେ ନ ଯାଇ ଆଉ ଲେଖା ।୧୪୪।

ସହସ୍ରେକ ଶାର୍ଦ୍ଦୁଳ ଯୋଚିଲା ଅଛି ବଳ ଲାଗି

ଚଳଇ ରଥ ଗଗନେ ପବନହୁଂ ଅତି ବେଗି ।୧୪୫।

ଯାହାକୁ ଶର ସେ ସନ୍ଧଇ ତାହାକୁ ଅବଶ୍ୟ ବିନ୍ଧଇ

ବିନ୍ଧନ୍ତେ ନ ବ୍ରତଇ ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଯେବେ ହୋଇ ।୧୪୬।

ସମରେ ମହାତମା ସେ ଅଟଇ ନିର୍ଦ୍ଦୟେ

ସୁରଲୋକେ ନାଗଲୋକେ ଯେ ସମରେ ଅଭୟେ ।୧୪୭।

ହତ୍ୟା ବିବାଦକୁ ୟେ ନ ଘୁଞ୍ଚନ୍ତି ସର୍ବକାଳେ

ଦିବି ଭୁବନ ସଞ୍ଚୟେ ଉପାଡ଼ି ପାରନ୍ତି ମନ୍ତ୍ରବଳେ ।୧୪୮।

ବ୍ରାହ୍ଣଣପଣକୁ ଯେ ୟେତେ ମାନ ତେଜ

ୟେ ସେ ମହାରଥୀ କୃପ ଯେ ଆଚାର୍ଯ୍ୟ ।୧୪୯।

ଆହୋ ଉତ୍ତର ମାରାଗ ଛାୟେଣି ଆରକ୍ତମୟେ ରଥ

ଲୋହିତ ପିଙ୍ଗଳ ବର୍ଣ୍ଣ ସମସ୍ତ ମରକତ ।୧୫୦।

ଭାଲୁଂକର ଚର୍ମେ ଯେ ଛାଇଂଲା ଅଛି ରଥଗୋଟି

ୟେ ସେ ସୋମଦତ୍ତ କ୍ଷତ୍ରୀ ମହାରଥୀଟି ।୧୫୧।

ଆହୋ ଉତ୍ତର ତାହାଂକର ଭିଣୋଇ ଯେ ବାହ୍ଲିକ ମହାଯୋଧୀ

କ୍ଷତ୍ରୀବର ସୁନ୍ଦର ୟେ ଅଟନ୍ତି ପବନ ଭେଦି ।୧୫୨।

ନୀଳରଥେ ଦେଖ ଡ଼ାଳିମ୍ଵା ଚାମର ଛାୟେଣି

ଯେସନେକେ ବିରାଜଇ ସୁମନ୍ତେକ ମଣି ।୧୫୩।

ବାବୁ ମହ୍ଲିକ ଦେଶର ୟେ ଅଟନ୍ତି ନରନାହା

ରଥରେ ଯୋଚିଲା ଅଛି ଦେଖ ସହସ୍ରେ ବାହୁଟିଆ ।୧୫୪।

ଶତେଦଳ ପଦ୍ମ ଯେ ସୁବର୍ଣ୍ଣରେ ଖଞ୍ଜି

ମତୁଆଳ ଯୋଦ୍ଧାୟେ ଅମାପତ ବଳ ଗଞ୍ଜି ।୧୫୫।

ବାବୁ ହିରଣନଗ୍ର ବୋଲି ମଣ୍ତଳ ୟେକ ଦଶ

ତହିଂ ରାଜା ଅଟଇ ଅଳମ୍ଵୁଷ ରାକ୍ଷସ ।୧୫୬।

ପଦ୍ମେକ ଯୋଦ୍ଧା ୟେହାର ବ୍ରାଘ ଯେ ବାହାନ

ଅହର୍ନିଶି ବିସ୍ଵାସ ୟେ ଦ୍ରିଯୋଧନ ରାଜାର ସନ୍ନିଧାନ ।୧୫୭।

ଆଗିଆଣି ଥାଠେ ସେ ଚଳଇ ସର୍ବକାଳେ

ଲକ୍ଷେକ ନୃପତି ସେ ଜିଣିପାରଇ ରୋଳେ ।୧୫୮।

ରାଜାର ସଂଘାତ ୟେ ୟେହୁ ସାଖା ଅବିରୋଧ

ତାହାର ନନ୍ଦନ ନାମ ଅଟଇ ଅଳାୟୁଧ ।୧୫୯।

ସାରଙ୍ଗ ସମାନେ ତାହାର ହାଥେ ଧନୁ

ତପେଣ ପ୍ରସନ୍ନ ତାକୁ ହୋଇଲେ ପଞ୍ଚ ମନୁ ।୧୬୦।

ଯୁଗାନ୍ତକ ଯୋଦ୍ଧାୟେ ମାଳବ ଆଧିପତି

ଚତୁର୍ଦ୍ଦିଗେ ବିଖ୍ୟାତ ୟେହାର ଅଲୋକିତ କୀର୍ତ୍ତି ।୧୬୧।

ବାବୁ ହୀରାମୟେ ରଥ ବିରାଜଇ ଶୁଦ୍ଧମୟେ

ଦ୍ଵାଦଶ ଆଦିତ୍ୟ ରଥ ଘୋଟିଲା କଣୟମୟେ ।୧୬୨।

ସିନ୍ଧୁଦେଶର ରାଜା ଯେ ଦୃଶିଳାର ପତି

ଦ୍ରିଯୋଧନ ଭିଣୋଇ ଯେ ଜୟଦ୍ରଥ ନୃପତି ।୧୬୩।

ଦଶ ଅହିବ୍ରତେ ରଥ ୟେ ସାଜଇ ଅନୁବ୍ରତେ

ପଛିଆଣି ଥାଠେ ଚଳଇ ସେ ପିତାର ନିମନ୍ତେ ।୧୬୪।

ଉଡ଼ଙ୍ଗ ଦେଶର ରାଜା ଅଟଇ ଭିଂଝମାଳି

ମରଭୂତେକ ଯୋଦ୍ଧା ଘେନି ଡ଼ାହାଣ ଥାଠେ ଚଳି ।୧୬୫।

ଆହୋ ଉତ୍ତର ବିକର୍ଣ୍ଣ ଦେଶର ରାଜା ଯେ ଉର୍ଦ୍ଧ୍ଵକେଶୀ

କାଶୀର ବିବାଦେ ହାରିଣ ମାନଗୋବିନ୍ଦ ତହିଂ ଶରଣ ପଶି ।୧୬୬।

ପଦ୍ମେକ ମୁକୁଟ ବନ୍ଧାଣ ଯୋଦ୍ଧା ଘେନି ମହାତେଜି

ରାଜାର ବାମପାଖେ ଥାଇ ବଳ ସାଜି ।୧୬୭।

ବାବୁ ଅସଂକ୍ଷେପ କୁରୁ ସାଗର ୟେ ନ ସରଇ କହନ୍ତେ

ଅଷ୍ଟାଦଶ କ୍ଷଉଣୀ ବଳ ଅଛଇ ଲେଖନ୍ତେ ।୧୬୮।

ତୁ ଯେ ପୁଛାକଲୁ ବାବୁ ସେନାପତିଂକର କଥା

ଠିକ ଠିକ କରି ତୋତେ ମୁଂ କହିଲି ବାରତା ।୧୬୯। ୬୦୪୯।

****************

 

ଅର୍ଜୁନ ଦୁର୍ଯ୍ୟୋଧନର କଳି ଓ ଶତେଭ୍ରାତାଙ୍କ ସହିତ ଯୁଦ୍ଧ

ଉତ୍ତର ବୋଇଲା ସ୍ଵାମୀ ପାଇଲି ତଦନ୍ତ

କାହାର ଛାମୁକୁ ୟେବେ ବାହିବଇଂ ତୋର ରଥ ।୧।

ଅର୍ଜୁନ ବୋଇଲା ଶୁଣ ହୋ ଉତ୍ତର କୁମାର

ଧଉର୍ଯ୍ୟ ହୋଇ ବସିଥିବୁଟି ରଥର ଉପର ।୨।

ମହାଘୋର ସମର ହୋଇବ ଗୋଳଯୁଦ୍ଧ

ଅନେକ ସେନା ଯୋଦ୍ଧାୟେ ପଡ଼ିବେ ରଣମଧ୍ୟ ।୩।

ଦେଖିଣ କାତର ନପୁଣ ନୋହିବୁଟି ବିରାଟି

ରଥୁ ଅନ୍ତର ହୋଇଲେ ଭାଞ୍ଜିବ କାୟାଗୋଟି ।୪।

ଯଦ୍ୟପି ହର ଇନ୍ଦ୍ର ବ୍ରହ୍ମା ଆସିବେ ଆଜ ବାହି

ୟେ ରଥେ ଥିଲେ ବାବୁ ପରମାଦ ନାହିଂ ।୫।

ଅଶ୍ଵନ୍ତ ନ ଚାଳିଣ ୟେକା ଆରମ୍ଭେ ବସିଥିଲେ

ଭେଦନ୍ତା ନାହିଂ ତୋତେ ଭୀଷ୍ମ ଦ୍ରୋଣଂକର ବେଳେ ।୬।

ଉତ୍ତର ବୋଇଲା ଗୋସାଇଂ ମୁଂ ଆଶ୍ରେକଲି ମେରୁ

ତୁ ୟେବେ ସମର କର ମୋତେ କିଂପେ ଚିନ୍ତାକରୁ ।୭।

ଯଦ୍ୟପି ଭୀଷ୍ମେ ଦ୍ରୋଣେ ଅଟନ୍ତି ମହାଯୋଧୀ

ସମସ୍ତେ ବୋଗ କରନ୍ତି ସେ ରାଜାର ସମ୍ପ୍ରଧି ।୮।

ରାଜାର ବଚନେ ସେ ଚଳନ୍ତି ସର୍ବଲୋକ

ଆଉମାନେ ନାଉକା ରାଜା ସେ ବାହୁକ ।୯।

ଆମାନଙ୍କ ଛାମୁକୁ ନ ବାହା ମୋହୋର ରଥ

ରାଜାକୁ ଜିଣିଲେ ସେ ସାଧ୍ୟ ହୋଅଇ ସମସ୍ତ ।୧୦।

ଅର୍ଜୁନ ବଚନେ ସେ କୁମାର ଚୂଡ଼ାମଣି

ଦ୍ରିଯୋଧନ ଛାମୁରେ ରଥ ତୁରିତେ ଟେକିଲାକ ଆଣି ।୧୧।

ଯେସନେକ ନିରିଘାତ ପଡ଼ଇ ଆକାଶୁଂ

କଉରୋବ ବଳ ତ୍ରାସିଲେ ନନ୍ଦିଘୋଷ ରଥ ଆସୁଂ ।୧୨।

ଦେଖିଣ ତରସ୍ତ ହୋଇଲେ ରଥୀ ସମସ୍ତ

ଅନ୍ତରୀକ୍ଷେ ପ୍ରବେଶ ଆସି ନନ୍ଦିଘୋଷ ରଥ ।୧୩।

ସମସ୍ତେ ଦେଖିଲେ ରଥଧ୍ଵଜେ କପି ଯେ କେତନ

ଦ୍ରିଯୋଧନ ବୋଇଲା କିରେ ଆରେ ଅରଜୁନ ।୧୪।

ପଶାରେ ହାରିଲରେ ରାଜ୍ୟଭାର ସମସ୍ତ

ବରଷେ ତେରଦିନ ବଞ୍ଚିବନା ଅଗ୍ୟାଂତ ।୧୫।

ଆବର ଦଶ ଦିବସ ଅଛଇନା ଲେଖନ୍ତେ

ବାହୁଡ଼ି ଦ୍ଵାଦଶ ବରଷ ସେବିବ ବନସ୍ତେ ।୧୬।

ଅର୍ଜୁନ ନମସ୍କାର ନନ୍ଦିଘୋଷ ରଥେ ଥାଇଂ

ଅନେକ ମତେ ଝିଂଘାସି ବୋଲଇ କୁରୁସାଇଂ ।୧୭।

ଆରେ ସମ୍ପଦ ହାରିଣ ଯେ ପଶିଲ ଘୋର ବନ

କନ୍ଦମୂଳ ଆହାର ଅଖାଦ୍ୟ ଭକ୍ଷଣ ।୧୮।

ନଗ୍ରେଣ ପଶିଲ ରେ ହୋଇଲ ଭିକ୍ଷାଶୀ

ଛତ୍ରୀବୃତ୍ତ ଛାଡ଼ିଣ ରେ ହୋଇଲ ତ ତପୁସୀ ।୧୯।

ଯୋଗୀ ତପୁସୀ ବ୍ରାହ୍ଣଣ ଭିକ୍ଷାବାସୀ

ୟେହନ୍ତ ବଧକଲେ ଯେ ଅନେକ ପାପ ଗ୍ରାସି ।୨୦।

ଜାତି ବୁଡ଼ାଇଲ ରେ ହୋଇଲ ମାନହୀନ

କୁଳଗୋତ୍ର ବୁଡ଼ାଇଲ ରେ ବିରାଟେ ନେଲ ଦିନ ।୨୧।

ଅପାର ପାତକୀ ରେ ପରଅନ୍ନ ଭୋଗୀ

ଆପଣାର ଦୋଷେଣ ରେ କୁଟୁମ୍ଵ ପରିତ୍ୟାଗୀ ।୨୨।

ୟେଡ଼େକ ପ୍ରତଗ୍ୟାଂ ଯେବେ ଅଛଇ ତୁମ୍ଭର

ପଶାଖେଳେ କିଂପେ ହାରିଲ ରେ ରାଜ୍ୟଭାର ଭଣ୍ତାର ।୨୩।

ଅର୍ଜୁନ ପ୍ରତିବାକ୍ୟ ଯେ ଝିଂଘାସ ବଚନ ଶୁଣି

ତୋହୋର ଦର୍ପମାନ ଅଛଇ ମୁହିଂ ଜାଣି ।୨୪।

ପାଣ୍ତବାସୁର ତୋତେ ଗିଳୁଥିଲା ଯେବଣ କାଳେ

ତୋତେ ଉଦ୍ଧରିଣ ଆଣିଲୁ ତାକୁ ମାଇଲୁ ରୋଳେ ।୨୫।

ହିରଣ୍ୟ ରାକ୍ଷସ ତୋତେ ନେଉଥିଲା ହରି

ଜୀର୍ଣ୍ଣ କୂପ ଭିତରେ ତୋତେ ପକାଇଲା ବନ୍ଦୀକରି ।୨୬।

ନକୁଳ ଉଦ୍ଧାରି ତୋତେ ଆଣିଲା ରେ ତହୁଂ

ପାମର ମୂଢ ରେ ବାକ୍ୟେ ତୁ ୟେଡ଼େ ଗର୍ବ ବହୁ ।୨୭।

ଦ୍ରୋପଦ ରାଜା ରାଇଜର ଜାଣୁ ଟିକି କଥା

ୟେକା ଭୀମସେନ କଲେ ଯେତେକ ଅବସ୍ଥା ।୨୮।

ବିନାକାର୍ଯ୍ୟେ ରକ୍ଷାକଲୁ ଆମ୍ଭେ ତୋତେ

ମୃତୁଜୀବ ଘେନି ୟେବେ ଆସି ପ୍ରତଗ୍ୟାଂ କରୁ କେତେ ।୨୯।

କାୟେମେକ ବନର କଥା ଜାଣୁଟିକି ସବୁ

ଭୀଷ୍ମ ଦ୍ରୋଣ କର୍ଣ୍ଣ ନ ଥିଲେ କି ବାବୁ ।୩୦।

କାଳେଣ ସମସ୍ତେ ଛାଡ଼ି ପଳାଇ ଗଲେଟି ତୋତେ

ଆକାଶକଇଂ ବନ୍ଧନ କରି ତୋତେ ନେଲାଟି ଚିତ୍ରସେନ ରଥେ ।୩୧।

ବାସବର ସୁତ ମୋହୋର ସେ ସହୋଦ୍ର ଭ୍ରାଥ

ଯୁଝେଷ୍ଠିଂକ ବଚନେ ମୁହିଂ କଲଇଂ ଅନର୍ଥ ।୩୨।

ସୋଦର ଛାଡ଼ିଲି ମୁହିଂ ତୋହୋର କଷ୍ଟ ଦେଖି

ଗନ୍ଧର୍ବେ ଯୁଦ୍ଧ କଲି ମୁହିଂ ଉପ୍ରୋଧ ଉପେକ୍ଷି ।୩୩।

ତୁ ଯେ କହିଲୁ ପଶାକ୍ରୀଡ଼ାର କଥା

ମୂର୍ଖଦୁର୍ବଳ ବାଳୁତେ କଥା କହୁ ତୁ ସର୍ବଥା ।୩୪।

କପଟପଶା ଯେ ଭିଆଇଲୁ ଜୁଅ

ଅଜାତଶତ୍ରୁକୁ କଲୁ ବାଳୁତମତ ମୋହ ।୩୫।

ସେ ପଶା ଖେଳରେ ତୁମ୍ଭର ଦେଖିଲୁ ସମ୍ପ୍ରଧି

ଆଜ ବେନିଭ୍ରାଥେ ପଶା ଖେଳିବା ରଣ ମଝି ।୩୬।

ସ୍ଵାମୀ ଆଜ ପଶାୟେ ପାରିବ ଯେହୁ ଜିଣି

ତାହାର ମହିମାଂ ସେ ଯେ ଯୁଗତେ ବଖାଣି ।୩୭।

ଯାବତକାଳେ ତୁମ୍ଭର ସଂପଦ କୂଟ ଯେ କପଟ

ଘରେକ ଭିଆଇଲ ଜଉ ସଜଳସ ଗୁଆଘୃତ ଛଣପଟ ।୩୮।

ପୁରଞ୍ଚନ ପଣ୍ତାକୁ ପେଷିଣ ତାହା ହାଥେ ଲଗାଇଲ ଯୂଇ

ତହିଂ ପୁରଞ୍ଚନ ନାଶଗଲା ଆମ୍ଭେ ଧର୍ମେ ଗଲୁ ଜୀଇଂ ।୩୯।

ସେ ପୁରଞ୍ଚନ ନାଶଗଲା ତୋହୋର ବିଶ୍ଵାସେ

ତୁମ୍ବର ବ୍ରତ ହେତୁ ବ୍ରହ୍ମହତ୍ୟା ପାପ ଦୋଷେ ।୪୦।

ଆହୋ ଦ୍ରିଯୋଧନ ବିଶ୍ଵାସଘାତକେଣ ବ୍ରତନ୍ତି ଯେଉଂଣ ପ୍ରାଣୀ

ଜୀବନହୀନ ତାଂକର ନର୍କେଣ ତାଂକୁ ଗଣି ।୪୧।

ଆପଣାର ଅପାର ଦୋଷ ପରକୁ ଝିଂଘାସ

ଦେଖନ୍ତୁ ସମସ୍ତେ ପଶା ଖେଳିବା ଆଜ ଆସ ।୪୨।

ଦ୍ରିଯୋଧନ ବୋଇଲା ତୁ ଶୁଣରେ କିରୀଟି

ଉଚବାଚ କାଳେ କାହିଂ ପଶାକାଠି ।୪୩।

ପଶା ସାରହିଂ ତ ଆବର ୟେଥେ ନାହିଂ

ରଣ ଭିତରେ ପଶା ଖେଳିବା ଆର କାହିଂ ।୪୪।

ଅର୍ଜୁନ ବୋଇଲା ହୋ ଶୁଣିମା ମହାରାଜ

ତୋହୋର ମୋହୋର ବିନ୍ଧାବିନ୍ଧି ହୋଇବା ନାରାଜ ।୪୫।

ୟେ ନାରାଜମାନ ହୋ ହୋଇବ ପଶାକାଠି

ସେନାଂକର ଶିର ଛିଡ଼ି ହୋଇବେ ସାର ଗୋଟି ।୪୬।

ୟେଥକୁ ପରିଜା ହୋ ଆସ କରିବା ଦ୍ରିଯୋଧନ

ସେନା ସଇନିମାନଂକର ସବୁରିହିଂ ଜୀବନ ।୪୭।

ୟେ ପଶାୟେ ଜିଣିଲେ ଯେ ରାଜ୍ୟଭାର ଭୋଗୀ

ଯେହୁ ଆଜ ହାରଇ ସେ ସମସ୍ତ ପରିତ୍ୟାଗୀ ।୪୮।

ତୋହୋର ସେନା ସନ୍ୟମାନଂକର ଯେବେ ଶିରଲୋଟି

ସେମାନେ ହୋଇବେନା ଆଜ ପଶାର ସାର ଗୋଟି ।୪୯।

ସମରେ ଝାସି ଅର୍ଜୁନ ଯହୁଂ କଲାକ ପହିଜ

ଶୁଣିଣ କୋପାନଳ ହୋଇଲା କୁରୁରାଜ ।୫୦।

ଶ୍ରୀଭୁଜେ ଧନୁୟେକ ଧରିଣ ଧୃତିରାଷ୍ଟି

ଅର୍ଜନ ଉପରକୁ କଲାକ ଶର ବୃଷ୍ଟି ।୫୧।

ଗୁଣେଣ ଶତେକ ସେ ବସାଇଲା ବାଣ

ଅର୍ଜୁନ ଉପରକୁ ବିନ୍ଧିଲା କୁରୁରାଣ ।୫୨।

ପୁଣ ବେନିଶତ ନାରାଜ ଗୁଣରେ ବସାଇ

ଆକ୍ରୋଷିଣ ପ୍ରହାର କଲାକ କୁରୁସାଇଂ ।୫୩।

ଉତ୍ତର ବୋଇଲା ନାରାଜତ ପଡ଼ଇ ଅବିଛନ୍ନେ

ମୋହୋର ଦେହ କମ୍ପୁ ଅଛି ତୁ ସହୁଛୁ କେସନେ ।୫୪।

ଅର୍ଜୁନ ବୋଇଲା ହାଦେ ପରର କାର୍ଯ୍ୟ ବୋଲି

କେମନ୍ତେ ଦ୍ଵନ୍ଦ କରିବି ବୋଲି ବହୁତ ହୃଦେ ବିସରିଲି ।୫୫।

ଉତ୍ତର ବୋଇଉଲା ସ୍ଵାମୀ ତ୍ରିଗର୍ତ୍ତ ହାରି ପଳାଇଲା

ମାନଗୋବିନ୍ଦ ରାଜାକୁ ଯାଇଂ ଶରଣ ପଶିଲା ।୫୬।

ତାହାର ନିମନ୍ତୁ କରି ବାହିଲା କୁରୁରାଣ

ଆମ୍ଭେ ଯେ ତୋହୋର ତହିଂ ପଶିଲୁ ଶରଣ ।୫୭।

ଶରଣବଛଳ ନାଥ ତୁହି କରିବୁ କାରଣ

ବିନ୍ଧ ୟେବେ ନାରାଜ ନକର କଷଣ ।୫୮।

ୟେଣେ ଉତ୍ତର ବଇକୁଲ୍ୟ ତେଣେ ମାନଗୋବିନ୍ଦର କୋପ

ଯଷ୍ଠି ପ୍ରହାରେ ଯେସନେ ଗର୍ଜଇ କାଳସର୍ପ ।୫୯।

କୋପଭର ହୋଇଣ ଧନୁର୍ଜୟେ ପାଥ

ଦ୍ରୋଣଂକର ନାମ ଧରି ସେ ଧନୁରେ ଲଗାଇଲା ମାଥ ।୬୦।

ଦ୍ରୋଣେ ବୋଇଲେ ତୋତେ ପରମ କଲ୍ୟାଣ ହୋଉ ବାବୁ

ୟେ ପଞ୍ଚୁ କଟକେ ୟେକଛତ୍ର ହୋଇ ବସିବୁ ।୬୧।

ଗୁଣ ଟଂକାର କଲା ପାଥ କେଶବ ନାମ ଧରି

ଭୀଷ୍ମ ଦ୍ରୋଣ ଭୂରିସର୍ବା କୃପ ବିଦୃରେ ଚାହିଂ ପ୍ରଣପତ୍ୟ କରି ।୬୨।

ମନେଣ ସାନନ୍ଦ ପାଥ ଯୁଝେଷ୍ଟି ନାମ ଧରି

ବିନ୍ଧିଲା ନାରାଜ ବାରୁଣା ଶର ଚାରି ।୬୩।

ଧନୁ ତ୍ରୋଣ ଶରାସନ ବିଜୁଳି ଯେହ୍ନେ ତ୍ରାସେ

ଜୁଳୁଜୁଳା ପୋକ ଯେହ୍ନେ ଉଡ଼ନ୍ତି ଆକାଶେ ।୬୪।

ତେସନେକ ସରୂପ ସେ ନାରାଜଂକ ଜ୍ୟୋତି

ଦେଖିଣ ପ୍ରଶଂସନ୍ତି ଗାଙ୍ଗେବ ମହାରଥୀ ।୬୫।

ରୋଷେ ପଞ୍ଚୁଶର ବିନ୍ଧିଲା ସୁତ କୋନ୍ତୀ

ସେହ୍ନା ଫୁଟି ମୃଛାଗତେ ପଡ଼ିଲା ସାରଥି ।୬୬।

ପୁଣ ଚାରିଶର ଅର୍ଜୁନ କଲା ଭେଦ

ନୃପତି ରଥ ଚାରିହୟେ ହୋଇଲା ଶିରଛେଦ ।୬୭।

ପୁଣ ଶତେ ନାରାଜ ଯେ ବିନ୍ଧିଲା କିରୀଟି

ଛଇଛାଡ଼େ ମାନଗୋବିନ୍ଦର ରଥ ଗଲା ଫୁଟି ।୬୮।

ଯୋଜନେକ ଅନ୍ତରେ ପଡ଼ିଲା ରଥପୀଢ

ବିରଥୀ ହୋଇଲା ସେ କଉରୋବ ମହାବୀର ସୋହୋଡ଼ ।୬୯।

ଦ୍ରିଯୋଧନ କଟାଳ ଦେଖିଣ ଧୁଶାସନ

ଦୃଜୟେ ଦୁର୍ବଳ ଦୁର୍ମଦ ଦୁରାକର୍ଣ୍ଣ ଦୁମନ ।୭୦।

ୟେ ବିଧି ଅନେଶ୍ଵତ ଭାଇ ଥିଲେକ ତାହାର ପାଖେ

ରାଜାକୁ ପଛକରି ଯେ ବିନ୍ଧିଲେ ବାଣ ଲକ୍ଷେ ।୭୧।

ଶତେକ ସହୋଦ୍ରଂକ ମହାପ୍ରତାପ ଦେଖି

ବିନ୍ଧଇ ଶର ଫାଲଗୁନି ଓପ୍ରୋଧ ଉପେକ୍ଷି ।୭୨।

ଅନେଶ୍ଵତ ଭ୍ରାଥକୁ ପାଞ୍ଚଶତ ବାଣ

ବିନ୍ଧିଲା ଧନୁର୍ଜୟେ ଶବଦ ଗରୁ ଟାଣ ।୭୩।

ରଥ ହାଥୀ ହୟ ସେନା ସାରଥି ସମସ୍ତ ଗଲେ ଫୁଟି

ଅସାଷ୍ଟମେ ସମସ୍ତେ ପଡ଼ିଲେ ମହୀଲୋଟି ।୭୪।

ହାଥୀୟେକ ଆରୋହି ଯେ ରାଜା ଦ୍ରିଯୋଧନ

ଧନୁରେ ଶହସ୍ରେକ ଧରି ସେ ସଲାକ ସନ୍ଧାନ ।୭୫।

ବିନ୍ଧିଲା ଅର୍ଜୁନ ଉପରକୁ ସେ ଧାତିକାରେ

ନାରାଜ ପଡ଼ିଲେ ଯାଇ ଅଶ୍ଵଂକ ଉପରେ ।୭୬।

କଉଶିକ ନାରାଜ ଯେ ବିନ୍ଧିଲେ କିରୀଟି

ହାଥୀର ଚିତାରେ ପଡ଼ି ଧାତିକାରେ ବାଣ ଗଲା ଫୁଟି ।୭୭।

ଦେଖନ୍ତେଣ ହାଥୀ ଯେ ପଡ଼ିଲା ଶରଘାୟେ

ପାଦଗତି ହୋଇଣ ପଳାୟେ କୁରୁରାୟେ ।୭୮।

ଅର୍ଜୁନ ଡାକ ଦିଅଇ ଦ୍ରିଯୋଧନର କଷ୍ଟ ଦେଖି

ରହ ରହ ମାନଗୋବିନ୍ଦ କାହିଂକି ଯାଉ ସମର ଉପେକ୍ଷି ।୭୯।

କପଟପଶା ପ୍ରାୟେ ବୁଝିଲ କି କଉରୋବ

ନିଷତ ହୋଇଲେ କି ଆଜ ପ୍ରାଣ ଘେନି ଯିବ ।୮୦।

ଉତ୍ତର ବୋଇଲା ସ୍ଵାମୀ ତାହାର ଅପଚୟ ବେଳ ହୋଇଅଛି

ବିନ୍ଧୁକିନା ନାରାଜ ଆବର କିସ ବାଛି ।୮୧।

ସମର ଧର୍ମକଥା ତୁ ନ ଜାଣୁ ବିରାଟି

ନିଶତ ଯୋଦ୍ଧାୟେ ଯେ ସମରେ ଦିଅନ୍ତି ପିଠି ।୮୨।

ତାହାନ୍ତ ମାଇଲେ ଯେ ଆପଣା ଧର୍ମ ନାଶି

ସୁସ୍ଥ ହୋଇଣ ସମର କରୁକିନା ପୁଣ ଆସି ।୮୩। ୬୧୩୦ ।

***************

 

କର୍ଣ୍ଣ ଅର୍ଜୁନଙ୍କ ଯୁଦ୍ଧ

ରାଜାର ବିରଥୀ ସେ ଦେଖିଣ ବୀରକର୍ଣ୍ଣ

ଲକ୍ଷେ ଯୋଦ୍ଧା ଘେନିଣ ସେ ଧାଇଂଲା ଅର୍ଜୁନ ସନ୍ନିଧ୍ୟାନ ।୧।

ରେ ରେ ପାଣ୍ତବା ତୁ ଆଜ ଯିବୁ କାହିଂ

ସମସ୍ତେ ମଲେଣି ତୁ ୟେକା ଅଛୁ ରହି ।୨।

ମୃତୁ ପ୍ରାପତ କାଳେ କାଳସର୍ପେ ଖେଡ଼ିଆଳୁ

ଯାହାର ପ୍ରତଗ୍ୟାଂୟେ ବାରାନିଧି ହୋୟେ ଚଳୁ ।୩।

ଆରେ ବିରାଟ କଟକେ ତୁ ହୋଇଲୁ ଭିକ୍ଷାବାସୀ

ପରକାର୍ଯ୍ୟେ ତୁରେ ଆପଣା ମୃତୁ ଲୋଡ଼ୁ ଆସି ।୪।

ଅର୍ଜୁନ ବୋଇଲା ତୁ ହୋ ଶୁଣ ବୀରକର୍ଣ୍ଣ

ବିରାଟ ରାଜ୍ୟେ ଆମ୍ଭେ ହୋଇଲୁ ଗୋପ୍ୟାନ ।୫।

ସ୍ଵାମୀତ୍ଵ ପଣେ ଆମ୍ଭେ ଆସ୍ତାନେ ବସିଲୁ

ରାଜାର ଆଗୋଚର ବ୍ରାଘ ମାଲ ମାଇଲୁ ।୬।

ଶତେସିଂଘର ବଳ କୀଞ୍ଚକ ପ୍ରାକ୍ରମ

ଦ୍ରୋପତୀଂକ ନିମନ୍ତେ ତାହା ବଧ କଲେ ଭୀମ ।୭।

କ୍ଷଣେ କ୍ଷଣେ କ୍ରୋଧ ବସିଲା ବିକ୍ରୋଦରେ

ଶତେ ଭ୍ରାଥ ତାହାର ମାଇଲେ ଅଗୋଚରେ ।୮।

ଆହୋ କର୍ଣ୍ଣ ତ୍ରିଗର୍ତ୍ତ ଯେ ଅଇଲା ଦଣ୍ଡ ଘେନି

ବିରାଟକୁ ରକ୍ଷା ନିମନ୍ତେ ତାହାର ବଧିଲୁ ସଇନି ।୯।

ବିରାଟକୁ ବନ୍ଦୀ ମୁକତ ଭୀମସେନ କଲେ

ତ୍ରିଗର୍ତ୍ତ କେଶ ଧରିଣ ସେ ରାଗେଣ ଘେନିଗଲେ ।୧୦।

ଅଜାତଶତ୍ରୁ ସେ ଯେ ଅଟନ୍ତି ଧର୍ମବଳା

ଛଡ଼ାଇଦିଲେ ତ୍ରିଗର୍ତ୍ତକୁ ସେ ବହନ ହୋଇଗଲା ।୧୧।

ଆହୋ କର୍ଣ୍ଣ ରାକ୍ଷସ ବଳେ କେହି ନ ରହିଲେ ସୀମା

ବିରାଟ ରାଜ୍ୟରେ ପୁଣ ୟେସନେକ ମହିଂମା ।୧୨।

ଯେତେ ଦଣ୍ତ ଘେନି ଆସିଲ ତୁମ୍ଭେ ବାହି

ପ୍ରାଣ ଘେନି ୟେଥୁଂ ଆଜ ଜଣେ ଯାଇ ନାହିଂ ।୧୩।

ଆସିବାର ବେଳ ତୁମ୍ଭର ଅଟଇ ସୁବିଧାନ

ୟେମନ୍ତ ସମୟେ ନାହାନ୍ତି ଠାକୁର ଭୀମସେନ ।୧୪।

ଜଣେହେଂ ଜୀବନ ଧରି ଥାଆନ୍ତ କି ରୋଳେ

ଅଷ୍ଟାଦଶ କ୍ଷଉଣୀ ଲୋଟାନ୍ତେ ୟେତେବେଳେ ।୧୫।

ଅର୍ଜୁନ କୂଟବାକ୍ୟ ଶୁଣି କର୍ଣ୍ଣ ମହାଯୋଧୀ

ଅବିଛନ୍ନେ ନାରାଜ ରାଧେବ ରୋଷେ ବିନ୍ଧି ।୧୬।

ଅର୍ଜୁନ ପଡ଼ିତାଳ ଯେ ଶହସ୍ର ବିଘାତେ

ରୋଷେଣ ଲାଘବ ଯୁଦ୍ଧ ସେ କରନ୍ତି ଅପ୍ରମିତେ ।୧୭।

ଶତେକ ନାରାଜ ଯେ ବିନ୍ଧିଲା କର୍ଣ୍ଣ ଟାଣି

ପାଞ୍ଚ ନାରାଜେ ଯେ ଅର୍ଜୁନ ତାହା ହାଣି ।୧୮।

ବେନିଶତ ନାରାଜ ରାଧେବ ବେଗେ ବିନ୍ଧି

ଦ୍ଵାଦଶ ନାରଜେ ତାହା ଛେଦିଲେ ଅର୍ଜୁନ ।୧୯।

ପଞ୍ଚଶତ ନାରାଜେ ଅର୍ଜୁନ ବିନ୍ଧଇ ବୀର କର୍ଣ୍ଣ

ବିଂଶ ନାରାଜେ ତାହା ଛେଦିଲେ ଅର୍ଜୁନ ।୨୦।

ପୁଣ ବେନି ସହସ୍ର ନାରାଜ କର୍ଣ୍ଣ ବିନ୍ଧି

ପଞ୍ଚଶତ ନାରାଜେ ଅର୍ଜୁନ ତାହା ଛେଦି ।୨୧।

ରହ ରହ କର୍ଣ୍ଣ ହୋ ଦେଖ ମୋହୋର ଶର

ତୀକ୍ଷମୁନା ଶର ଅର୍ଜୁନ ବିନ୍ଧିଲା ଅନିବାର ।୨୨।

ପୁଣ ପୁଣ ପାର୍ଥିବ ଯେ ବିନ୍ଧିଲା ଗଳଗାଜି

କର୍ଣ୍ଣ ରଥ ଶତଖଣ୍ତ ହୋଇ ଗଲା ଭାଜି ।୨୩।

ଆରେକ ରଥ ଯେ ଆରୋହିଣ ବୀରକର୍ଣ୍ଣ

ଅହିବ୍ରତେକ ନାରାଜ କଲାକ ଆଧାନ ।୨୪।

କୋପେଣ ନାରାଜ ବିନ୍ଧଇ ସେ ରାଧେବର ତନୁ

ଅର୍ଜୁନ ଛେଦିଲା କର୍ଣ୍ଣର ବଜ୍ରାବଳୀ ଧନୁ ।୨୫।

ଧନୁ ଛେଦନ୍ତେ ଯେ କର୍ଣ୍ଣ ରଥ ଛାଡ଼ି

ଖଡ଼ଗ ଫଳା ଘେନି ପାଦଗତି ଡ଼େଇଂପଡ଼ି ।୨୬।

ଖେଳନ୍ତା ସିଂଘ ଯେହ୍ନେ ଦିଶଇ ମଧ୍ୟପୁରୀ

କ୍ଷଣେ କ୍ଷଣେ ଗର୍ଜଇ ଯେହ୍ନେ ବିକ୍ରମକେଶରୀ ।୨୭।

ଅସିପତ୍ର ଧରିଣ ଧାମଇଂ ବୀରକର୍ଣ୍ଣ

ହାବୋଡ଼ା ଶର ଘେନି ମାଇଲା ଫାଲଗୁନ୍ୟ ।୨୮।

ଘାୟେଣ ଘୁମାଇ କର୍ଣ୍ଣ ପଡ଼ିଲା ମହୀଲୋଟି

ଅସାଷ୍ଟମେ ବୀର ଯେ ନୁଆରିଲା ଉଠି ।୨୯।

କର୍ଣ୍ଣର ଉପରେ ବୀର ଗଲା ରଥ ବାହି

ଦେଖିଲା କର୍ଣ୍ଣର ଯୋଦ୍ଧାମାନେ ଛନ୍ତି ରହି ।୩୦।

ଚୋଖାର ତୁରଙ୍ଗମ ଆରୋହି ଛନ୍ତି ବୀରେ

ନବନିଶି କୋନ୍ତ ତାହାଂକର ଝଲକନ୍ତି କରେ ।୩୧।

ଆରେ ଆରେ ପାଥ ବୋଲି ଓଗାଳିଲେ ଆସି

ଲକ୍ଷେକୋଟି ନାରଜ ବିନ୍ଧିଲେ ରଣେ ପଶି ।୩୨।

ଦୂରହୁଂ ଦେଖିଲା ତାହା ନାରାୟଣର ସାହା

ଲକ୍ଷେକ ନାରାଜ ବିନ୍ଧିଲା ସୁଭଦ୍ରାର ନାହା ।୩୩।

ନିର୍ଘାତ ବାଣଘାତେ ସବୁରି କାୟେ ଫୁଟି

ମେଛଳ ଯୋଦ୍ଧାମାନେ ପଡ଼ିଲେ ମହୀଲୋଟି ।୩୪।

ରୋଧିର ବିଲେପନ ଶରୀରେଣ ରଙ୍ଗକେଳି

ଯେସନେ ସନ୍ଧ୍ୟାକାଳେ କିଂଶୁକ ପୁଷ୍ୟ ଓଳି ।୩୫।

ଗୁଣସାଗର ଯୋଦ୍ଧା ଯେ ଅଟଇ ବିବତ୍ସ

ଏହା ଶର ପ୍ରହାରେ ପଡ଼ିଲେ ବେନିଲକ୍ଷ ।୩୬।୬୧୬୮।

****************

 

ଅର୍ଜୁନ ସହିତ କୁରୁସୈନ୍ୟଙ୍କର ଗୋଳଯୁଦ୍ଧ , ମୋହନା ଶର ପ୍ରୟୋଗ ଏବଂ କୁରୁସେନାଙ୍କର ଲାଞ୍ଛନା

ବିହଡ଼ଇ ପାଣ୍ତବ ସେ ଥାଠର ଭିତର

ପୁଣି ପ୍ରବେଶ ହୋଇଲା ଆସି ସେ ଦ୍ରିଯୋଧନ ଛାମୁର ।୧।

ଶଲ୍ୟ ବାଲମ୍ଵିକ ଜଦ୍ୟରଥ ଅଶସ୍ତମା

ଶକୁନି ସୋମଦତ୍ତ ଅଳମ୍ଵୁଷ କୃପବ୍ରହ୍ମା ।୨।

ୟେ ଷଡ଼ଯୋଧୀ ଘେନିଣ ମାନଚକ୍ରବ୍ରତୀ

ଅର୍ଜୁନ ଛାମୁରେ ଆସି ପ୍ରବେଶ ତତକ୍ଷଣାନ୍ତି ।୩।

ଅମୃତ ବିବାଦେ ଯେହ୍ନେ ସିଂହିକାର ସୁତ

ସେହିମତି ପ୍ରାୟେକ ହୋଇ ଦିଶୁଛନ୍ତି ସମସ୍ତ ।୪।

ୟେକ ୟେକ ଯୋଦ୍ଧାୟେ ସହସ୍ର ବାଣ ପେଷି

ୟେକମୁଖ ହୋଇଣ ସେ ବିନ୍ଧିଲେ ସର୍ବସାଚୀ ।୫।

ଷଡ଼ ଯୋଦ୍ଧାଂକ ସମର କହିତେ କି ପାରି

ଯେସନେକେ କୂଳକୁ ଉଠଇ ସମୁଦ୍ର ଲହରୀ ।୬।

ସହସ୍ର ସହସ୍ର ଶର ଯେ ଅର୍ଜୁନ ଛେଦଇ

କଉରୋବ ସନ୍ୟକୁ ୟେକାୟେ ଅର୍ଜୁନ ବିନ୍ଧଇ ।୭।

ପାଥକୁ ନାରାଜ ଯେ ବିନ୍ଧଇ ଅପ୍ରମିତା

ଲକ୍ଷ ଲକ୍ଷ କୋଟି ଯେ ନ ଯାଇ ଗଣିତା ୮।

ଜାଳାବଳୀ ବାଣ ଧରି ବିନ୍ଧଇ ବୀର ପାଥ

ଶଲ୍ୟ ଅଶସ୍ତମାଂକର ଛେଦିଲାକ ରଥ ।୯।

ଅଶସ୍ତମା ବିରଥୀ ହୋଇ ଦ୍ରୋଣଂକ ରଥେ ଉଠି

ଭୀଷ୍ମଂକ ରଥେ ଯାଇଂ ଉଠିଲା ଧୃତିରାଷ୍ଟି ।୧୦।

ରାଜାକଇଂ କୋଳକରି ଗଙ୍ଗାର ନନ୍ଦନ

ଆମ୍ଭର ବୋଲ ତୁ ଯେ ନ କଲୁ ଦ୍ରିଯୋଧନ ।୧୧।

ଦୁଷ୍ଟଂକର ବୋଲେ ଯେ ଅଇଲୁ ରଥ ସାଜି

ବିଦେଶେ ବିନାକାର୍ଯ୍ୟେ ବୁଡ଼ାଇଲୁ ସମ୍ପ୍ରଧି ।୧୨।

ଦ୍ରିଯୋଧନ ବୋଇଲା ଜାଣିତ ନୁଆରି

ଛାଡ଼ ଗୋଧନ ପଲ ଯିବା ଚାଲ ଅପସରି ।୧୩।

ଭୀଷ୍ମ ବୋଇଲେ ତୁହୋ ମୁଖ ସାଂଗ୍ରାମେ

ଘୁଞ୍ଚିଲେ କେ ଆଜ ବଞ୍ଚିବାକ କ୍ଷମେ ।୧୪।

ଦ୍ରୋଣେ ବୋଇଲେ ରହିଣ ଯୁଦ୍ଧ କରିବା ସମସ୍ତେ ୟେକମୁଖେ

ୟେକା ପାଣ୍ତବ ସିନା ଅଛଇ ବିବତ୍ସେ ।୧୫।

ଭୀଷ୍ମେ ବୋଇଲେ ୟେକା ପାଣ୍ତବେ ଛତ୍ରୀ ମହାସିଦ୍ଧା

ଆବର ବନସ୍ତେ ସେ ପାଇଛନ୍ତି ଅନେକ ବିଦ୍ୟା ।୧୬।

ନିର୍ବାତକପଚ ବଧକରି ଅମର ସ୍ଵର୍ଗବାସେ

ବହୁତ ଶସ୍ର ଦିଲେ ଅମରଗଣ ତୋଷେ ।୧୭।

ଭୀଷ୍ମ ବୋଇଲେ ତୁମ୍ଭର ଶିଷ୍ୟପ୍ରାୟେ ମଣିଲ କି ଦ୍ରୋଣେ

ଈଶ୍ଵର ଦେବତାୟେ ହାରିଲେ ଯାହାକୁ ରଣେ ।୧୮।

ଦ୍ରୋଣେ ବୋଇଲେ ଦେଖ ହୋ ଜାଣିମା ଛତ୍ରୀବୃତ୍ତ

କିସ କିସ ନାରାଜ ହୋଇଛନ୍ତି ଉପଗତ ।୧୯।

ଅର୍ଜୁନ ବୋଇଲା ଉତ୍ତର ଭୀଷ୍ମ ଦ୍ରୋଣକଇଂ ଚାହାଂ

ଦ୍ରିଯୋଧନ ଯହିଂ ଅଛି ତହିଂକି ରଥ ବାହା ।୨୦।

ବାବୁରେ ବଡ଼ାଇ ଦୁରାପଦଟି ହୋଇବ ସମର

ନପୁଣ ରହି ନୁଆର ରଥର ଉପର ।୨୧।

ପାଟଡ଼ୋର ଘେନିଥିବୁଟି ଦମ୍ଭେ ନିଜ ହାଥେ

ମୁହିଂ ସିନା ନିବାରିବି କଉରୋବ ସମସ୍ତେ ।୨୨।

ବାହଇ ତୁରଙ୍ଗମ ସେ କୁମାର ବିରାଟି

ଭୀଷ୍ମ ଦ୍ରୋଣ ଛାମୁରେ ନନ୍ଦିଘୋଷ ଯାଇଂ ଭେଟି ।୨୩।

ଯେସନେକ ମନ୍ଦର ହେମବନ୍ତ ଆକ୍ରୋଷି

କଉରୋବ ସଇନିକି ନନ୍ଦିଘୋଷ ତେସନେକ ଦିଶି ।୨୪।

ଛାମୁରେ ଅରଜୁନ କରଇ ସମ୍ଭାଷ

ଭୀଷ୍ମେ ପେଶିଲେ ଯେ ନାରାଜ ଆଶିଷ ।୨୫।

ଲାଘବ ବାଣେକ ଯେ ବିନ୍ଧଇ ଫାଲଗୁନି

ଭୀଷ୍ମଂକର ଚରଣେ ସେ କରଇ ଦୟିନୀ ।୨୬।

ଗଙ୍ଗାର ନନ୍ଦନ ଯେ ଛାଡ଼ିଲା ଓପ୍ରୋଧ

କାଳାନ୍ତକ ରୂପ ଧରି ଆରମ୍ଭିଲେ ଯୁଦ୍ଧ ।୨୭।

ଅଧାଚନ୍ଦ୍ର ବାଣ ଯେ ପେଷିଲେ ଗାଙ୍ଗବ

ଦୁରୁଂ ଛେଦିଲା ତାହା ପାଣ୍ତବ ପାର୍ଥିବ ।୨୮।

ସମର ସମ୍ଭାଷଣ ଯେ ଛାଡ଼ିଲେ ଗାଙ୍ଗବେ

ପୁଣି ପଞ୍ଚଷଠି ନାରାଜ ଯେ ବିନ୍ଧିଲେ ପାର୍ଥିବେ ।୨୯।

ପୁଣି ବେନିଶତ ଯେ ନାରାଜ ପୂରୋଇ

ଆକ୍ରେଷି ନାରାଜ ପେଷିଲେ ଭୀଷ୍ମେ ନେଇ ।୩୦।

ଗଙ୍ଗାର ନନ୍ଦନ ଯେ ପ୍ରତଗ୍ୟାଂବନ୍ତ ମହାଛତ୍ରୀ

ବ୍ରହ୍ମାଣ୍ତ ଜିଣିମାକୁ ସମର୍ଥ ମହାରଥୀ ।୩୧।

ହାଥର ବ୍ୟଗ୍ରେ ଶହସ୍ର ଦେଖିତ ନୁଆରି

ପବନହୁଂ ବେଗେ ସେ ନାରାଜ ପ୍ରହାରି ।୩୨।

ବଢିଲା ରଣଗୋଳ ଅତୀୟ ସମ୍ଭରେ

ନିଦ୍ରାଘ ବାଣ ଅର୍ଜୁନ ଧଇଲା ନିଜକରେ ।୩୩।

ସତେକ ଶାର୍ଦ୍ଦୂଳ ଯୋଚିଲାଅଛି ଭୀଷ୍ମଂକର ରଥେ

ବେନିଖଣ୍ତ ହୋଇଲେ ସେ ଅର୍ଜୁନ ଶରଘାତେ ।୩୪।

ମଳୟ ବସନ୍ତ ବୋଲିକରି ଭୀଷ୍ମଂକ ସାରଥି

ଅର୍ଜୁନର ଶରଘାତେ ସେ ମୋହେଣ ପଡ଼ନ୍ତି ।୩୫।

ପୁଣ ବିଶାଶତେ ନାରାଜ ବିନ୍ଧିଲା ପାଥ ଟାଣି

ଭାଷ୍ମଂକର ରଥ ସେ ନାରାଜ ଘେନିଆଣି ।୩୬।

ବିରଥୀ ହୋଇଣ ସେ ଗଙ୍ଗାଦେବୀର ସୁତ

ପୁଣ ଆରୋହିଲେ ଶୁଦ୍ଧ ସଷ୍ଟିକମୟେ ରଥ ।୩୭।

ଭୀଷ୍ମଂକର ଅଭିମାନେ ଭରଦ୍ଵାଜଂକର ଶିଷି

ପାଞ୍ଚଲକ୍ଷ ଯୋଦ୍ଧା ଘେନି ଅର୍ଜୁନକୁ ଓଗାଳିଲେ ଆସି ।୩୮।

ଅଶି ମର୍ଭୁତ ଯୋଦ୍ଧା ଘେନି ମାନଚକ୍ରବର୍ତ୍ତୀ

ସେହି ସେ ବେଢିଲେ ଆସି ଅର୍ଜୁନର କତି ।୩୯।

ଦ୍ରୋଣେ ବୋଇଲେ ହୋ ସମସ୍ତହେଂ ରହ ରହ

ଅନୀତି ନ କରିବା ସମସ୍ତେହେଂ ସମର ସର୍ବେ ସହ ।୪୦।

ୟେକା ଯୋଦ୍ଧାକୁ ବହୁତ ଲୋକ ସମର କଲେ

କାଳଭ୍ରଷ୍ଟ ହୋଇବନା ଧର୍ମକୁ ଲଂଘିଲେ ।୪୧।

କ୍ଷଣକ ସମର ଦେଖ ହୋ ମୋର ରହି

ଯୋଦ୍ଧାନ୍ତ ସମ୍ଵୋଧିଲେ ମଧୁର ବଚନ କହି ।୪୨।

ଆର୍ଦ୍ରାବଳୀ ସାଦୃଶ୍ୟେ ଯେ ଦ୍ରୋଣଂକର ଧନୁ

ଅର୍ଜୁନ ଛାମୁରେ ପ୍ରବେଶ ଭାରଦ୍ଵାଦଶଂକର ତନୁ ।୪୩।

ରଥେ ଥାଇ ପାର୍ଥିବ ଯେ ବିନୟେ ଦଇନି

ଦ୍ରୋଣେ କଲ୍ୟାଣ କଲେ ଯଥାବାକ୍ୟ ଘେନି ।୪୪।

ଅଧର ପୁଷ୍ଟିକରି ଦ୍ରୋଣେ କୋପେ କହନ୍ତି କଥା

ଲୋକିତ କର୍ମେ ସେ କହନ୍ତି ଯଥା ଯଥା ।୪୫।

ଆରେ ରାଜ୍ୟଭାର ତେଜିଣ ରେ ପଶିଲ ଯାଇଂ ବନେ

ଅଗ୍ୟାଂତବାସ ଲଗୁତି ଅଛଇ ତିନିଦିନ ଲେଖନେ ।୪୬।

ବିରାଟର ଗୋଧନ ଆମ୍ଭେ ନେମୁଂରେ ହସ୍ତିନା

ଆମ୍ଭେ ହରି ନେମୁଂ ଯୁଗତେ ତୁମ୍ଭର କାର୍ଯ୍ୟସିନା ।୪୭।

ଯଦ୍ୟପି ଦୁର୍ଗତିକାଳ ବଞ୍ଚିଲ ୟେଥି ଦିନ

ପରଯାଇଂ କିମ୍ପେ ଆପଣା ସହୋଦ୍ରେ ଅନ୍ୟୋଅନ୍ୟ ।୪୮।

ସମର ଦୃଭାର ବୋଲି ଯାଆ ଯା ୟେଥୁ ଘୁଞ୍ଚି

ଗୋଧନ ପଲ ଆମ୍ଭେ ନେଉଂ ସର୍ବସାଚୀ ।୪୯।

ଅର୍ଜୁନ ବୋଇଲା ତୁମ୍ଭେ ଅଟ ପରମଗୁରୁ

ଛତ୍ରୀବୃତ୍ତିପଣ ତାତ ଦୂଷଣ କିଂପେ କରୁ ।୫୦।

ବିରାଟ ସହିଲା ତାତ ଆମ୍ଭର ଆର୍ଦ୍ଦୋଳି

ଭୀମସେନ ବଧକଲେ କୀଞ୍ଚକ ମୂଳେ ଶତେ ମହାବଳୀ ।୫୧।

ଯାହାର ଅନ୍ନ ଭକ୍ଷି ତାହାକୁ ସିନା ରକ୍ଷି

ଶାହାସ୍ର ସଂଘିତାୟେ ତାତ ୟେହେନେକ ବିଚାର ଅଛି ।୫୨।

ତୁମ୍ଭେ ଯେ ବୋଇଲେ ଅଗ୍ୟାଂତବାସ ତିନିଦିନ ଅଛି

ବଢିଲା ଦଶଦିନ ଲାଇ ସାତଦିନ ଉଗୁଳି ହୋଇଅଛି ।୫୩।

ୟେଥୁ ତୁମ୍ଭେ ସମସ୍ତେ ହୋ ଯାଅ ସନ୍ୟ ଘେନି

ରଣମତ୍ସଳା ବାନା ମୋ ନାମଟି ଫାଲଗୁନି ।୫୪।

ଗୋଧନ ନିମନ୍ତେ ସମସ୍ତେ ପାଇବଟି ଲାଜ

କଥା ସେ ରହିବ ତାତ ନୋହିବ କିସ କାର୍ଯ୍ୟ ।୫୫।

ଦ୍ରୋଣେ ବୋଇଲେ ତୁ ସମ୍ଵୋଧନା ନ କଲେ

ୟେ କୁରୁସାଗର ଜିଣିପାରିବୁ ଟିକି ତୋହୋର ବେଳେ ।୫୬।

ଅର୍ଜୁନ ବୋଇଲେ ତାତ ସାଗର ଜଳ ବୋଲି

ୟେକାୟେ ସାଗର ସେ ମନ୍ଥିଲା ବୀର ବାଳି ।୫୭।

ଦ୍ରୋଣେ ବୋଇଲେ କୋଟିୟେ ସିଂଘର ପ୍ରାକ୍ରମ ଅଟଇ ଯେଉଂଣ ବାଳି

ଲୋହଶଙ୍ଖ ବେନି ପର୍ବତ ଶଙ୍ଖନାଳ ପ୍ରାୟେ ତୋଳି ।୫୮।

ତୁ ତାହାକୁ ପଟାନ୍ତର ହୋଇବୁ କି ଧନୁର୍ଜୟେ

ଅର୍ଜୁନ ବୋଇଲା ସେ ହୋଉକିନା ଶୟେ ।୫୯।

ଗୁରୁହେ ତୁମ୍ଭେ ଯେ ବୋଇଲ ୟେ କୁରୁ ସାଗର ସନ୍ୟ

ମୁହିଂ ଜାଣଇ ସବୁରି ପ୍ରାଣ ଅଛି ମୋ ନାରାଜ ମୁନ ।୬୦।

ଦୁରାପଦ ପ୍ରତଗ୍ୟାଂ ଶୁଣି ଚଳିଲେ ଦ୍ରୋଣଗୁରୁ

ଶତେ ନାରାଜ ପେଷିଲେ ଦ୍ରୋଣେ ପଚାରୁ ପଚାରୁ ।୬୧।

ପୁଣି ଶତେ ନାରାଜ ଘେନିଣ ମହାରଥୀ

ଦୁଜଶର ଘେନିଣ ସେ ପେଷି ଛେଦିଲେ ସାରଥି ।୬୨।

ପୁଣିହିଂ ନାରାଜ ପେଷିଲେ ଶତେ ଚାରି

ଚାରିଗୋଟି ଅଶ୍ଵଂକର ଉପରେ ପ୍ରହାରି ।୬୩।

ପୁଣିହିଂ ଚାରିଶତ ବାଣ ଘେନିକରି ଦ୍ରୋଣେ

ନନ୍ଧିଘୋଷ ରଥ ଭେଦିଲେ ଚାରିକୋଣେ ।୬୪।

ଅନିବାରଣ ଶର ଯେ ଘେନିଲା ଫାଲଗୁନି

ଧାତିକାରେ ଭେଦିଲା ସେ ନାରାଜ ସହସ୍ରେ ତିନି ।୬୫।

ଦ୍ରୋଣଂକର ଶରମାନ ଅର୍ଜୁନ ସବୁ ଛେଦି

ପୁଣିହିଂ ସହସ୍ର ନାରାଜ ଦ୍ରୋଣଗୁରୁ ଭେଦି ।୬୬।

ମହାଚଞ୍ଚଳ ବ୍ରତ ସେ ପରଶୁରାମ ଦାନୀ

ପୁଣି ସହସ୍ର ନାରାଜ ବିନ୍ଧିଲେ ଦ୍ରୋଣେ ଟାଣି ।୬୭।

ଅନିବାରଣ ଶର ତାହା କେ ପାରିବ କଳି

ଓହୋକୁଳ ବିନ୍ଧନ୍ତେ ଅଦୃଶ୍ୟ ଅଂଶୁମାଳୀ ।୬୮।

ଯେସନେକେ କୁହୁଡ଼ି ବିକାଶଇ କୁମ୍ଭମାସେ

ସେହି ସାରିକ୍ଷେ ନାରାଜ ପଡ଼ିଲେ ଦଶଦିଶେ ।୬୯।

ସମରେ ଅର୍ଜୁନ କରଇ ଲାଘବ ଯୁଦ୍ଧ

ବିଚାରି ବୋଇଲା ମୋହୋର କାହାକୁ ଉପ୍ରୋଧ ।୭୦।

ମସ୍ତେକ ହାଥ ଦେଇ ପଚାରଇ ଫାଲଗୁନି

ଘୁଞ୍ଚ ଘୁଞ୍ଚ ଗୁରୁ ହୋ ଘେନି ମୋହୋର ଦଇନି ।୭୧।

ତୁମ୍ଭର ଶହସ୍ରମାନ ତାତ ବିନ୍ଧୁଛି ଯେତେବେଳେ

ୟେ ଶହସ୍ରେ ତୁମ୍ଭନ୍ତ ଜିଣି ହୁଅଇ କି ରୋଳେ ।୭୨।

ଅନେକ ନାରାଜ ମୋତେ ଦେଇଅଛନ୍ତି ପଶୁପତି

ମୟେଂଷା ରକ୍ତବୀର୍ଯ୍ୟ ଯେବଣ ଶରେ ସାଧିଲେ ମୋତେ ଦେଇ ଅଛନ୍ତି ପାର୍ବତୀ ।୭୩।

ଶରୀର ମୋହୋର କମ୍ପି ଆସୁଅଛି ବେଳୁବେଳ

ଗୁରୁ ବ୍ରାହ୍ଣଣ ନ ଯାଇଟି ସମର ରୋଳ ।୭୪।

ଦ୍ରୋଣେ ବୋଇଲେ ଦେଖିବା ତୋହୋର ସମର

କିସ କିସ ଶହସ୍ର ବିନ୍ଧୁକିନା ପାଥ ବୀର ।୭୫।

ଆହୋ ଅର୍ଜୁନ ଛତ୍ରୀ ହୋଇ କିଂପେ ବିଭଳିତ କାୟେ

ନିସତ ହୋଇ ବ୍ରତିବା କେବଣ ଉପାୟେ ।୭୬।

ଆଦ୍ୟହୁଂ ତୋହୋର ଶହସ୍ରକୁ ଆମ୍ଭେ କରିଅଛୁଂ ଆଶ

ରଣଯଗ୍ୟଂ କରିଅଛୁ ଅର୍ଜୁନ ଶହସ୍ରେ ହୋଇବୁଂ ପ୍ରାଣନାଶ ।୭୭।

ଅର୍ଜୁନ ବୋଇଲା ଗୋସାଇଂ ୟେ ନୋହଇଟି ପରସ୍ତାବ

ପ୍ରାଣତ୍ୟାଜ ହୋଇବ ଯେ ନୋହୋଇ ୟେ ଠାବ ।୭୮।

ତୁମ୍ଭେ ଯେ କାମ୍ୟକଲ କାରଣ ନିମନ୍ତୁ

ପରକାର୍ଯ୍ୟ ତୁମ୍ଭେ ଅନମିତେ ପାଇବ କିଂପେ ମୃତୁ ।୭୯।

କୁଭୂମି କୁତୀର୍ଥ ୟେ ନୋହୋଇ ସୁତୀର୍ଥ

ୟେକମାତ୍ର ଅଛି ୟେଥେ ନନ୍ଧିଘୋଷ ରଥ ।୮୦।

ୟେ ରଥେ ସାରଥି ହୋଇଥିବେ ବାସୁଦେବ

କୁରୁକ୍ଷେତ୍ର ମଣ୍ତଳେ ମହାଭାରଥ ଯୁଦ୍ଧ ଯେ ହୋଇବ ।୮୧।

ସେ ଭୂମିରେ ପଡ଼ିବ ତୁମ୍ଭେ ଛତ୍ରୀୟ କଇଛା

ୟେଠାରେ ପଡ଼ିବାକୁ ତୁମ୍ଭେ କଲ ମନବାଞ୍ଛା ।୮୨।

କୁରୁକ୍ଷେତ୍ର ଭୂମିରେ ଥିବେ ଲକ୍ଷେକ ନରେଦ୍ର

କୁରୁପାଣ୍ତବ ଯୁଦ୍ଧ ହୋଇବ ତହିଂମଧ୍ୟ ।୮୩।

ନନ୍ଦିଘୋଷ ରଥେ ଥିବେ ପାଥ ଗୋବିନ୍ଦ

ତୁମ୍ଭେ ତହିଂ ମୃତୁ ଲଭିଲେ ପାଇବ ପରମ ପଦ ।୮୪।

ଅକାରଣ ସ୍ଥାନେକ କାରଣ ହୋଇ ମଲେ

ସୁପୁରୁଷେ ନାଶ ଯାନ୍ତି ସୁସ୍ଥାନ ପାଇଲେ ।୮୫।

ଦ୍ରୋଣେ ବୋଇଲେ ବାବୁ ଯେହ୍ନେ ତୋହୋର ଇଛା

ଅଗ୍ନିରେ ଝାସିବାକୁ କି ତୋହୋର ମନବାଞ୍ଚ୍ଥା ।୮୬।

ଦ୍ରୋଣଂକର ବଚନ ଶୁଣିଣ ସର୍ବସାଚୀ

କୋପେଣ ପାର୍ଥିବ ଧନୁ ନାରାଜ ଆମଞ୍ଚି ।୮୭।

ନିଦ୍ରାଘ ବାଣେକ ଯେ ପେଷିଲା ଧନୁର୍ଜୟେ

କାଳସର୍ପ ପ୍ରାୟେକ ଭେଦିଲା ଦ୍ରୋଣଂକର କାୟେ ।୮୮।

ରୋଧିର ବିଲୋପନ ଦ୍ରୋଣଂକର ଅଙ୍ଗ

ୟେସନେକେ ଶରୀରେ ବିକାଶଇ ପାଟ ଯେ ଦେବାଙ୍ଗ ।୮୯।

ଦ୍ରୋଣଂକର ଅପଚୟେ ସାନନ୍ଦ ଫାଲଗୁନି

ହରଷେ ଅର୍ଜୁନ କଲା ଦେବଦତ୍ତ ଶଙ୍ଖଧୁନି ।୯୦।

ଦେବଦତ୍ତ ଶଙ୍ଖର ଯେ ଘୋର ଗହ ଗହ ନାଦେ

ନିଚେଷ୍ଟ ବୋଇ ଦ୍ରୋଣ ପଡ଼ିଲେ ନିଶବଦେ ।୯୧।

ଦ୍ରୋଣଂକର ଅଚେତେ ପାର୍ଥିବ ରଥ ବାହି

ଦେଖିଲେ ଦ୍ରୋଣଂକର ସନ୍ନିଧ୍ୟେ କେହି ନାହିଂ ।୯୨।

ଥାଠ ଭିତରେ ସେ ପଶିଲା ସର୍ବସାଚୀ

ପାଞ୍ଚ ସହସ୍ର ଯୋଦ୍ଧା ଘେନି ମାନଗୋବିନ୍ଦ ରହିଅଛି ।୯୩।

ମୋହଗଲା ଯୋଦ୍ଧାମାନେ ଉଠିଲେ ଚେତନା ପାଇ ହାଦେ

ଯେତେବେଳେ ଦେବଦତ୍ତ ଶଙ୍ଖ ଶୁଭିଲାକ ବାଦ୍ୟନାଦେ ।୯୪।

ଶୁଣ ହୋ ଚଇତନ ଦେବଦତ୍ତ ଶଙ୍ଖର ମହିମାଂ

ଯେହେନ୍ନେକ କରି ଯେ ସ୍ରିଜିଲା ବେଦବ୍ରହ୍ମା ।୯୫।

ୟେ ଶଙ୍ଖର ଶବଦ ଶୁଣିଣ ଛତ୍ରୀମାନେ ହେଉଛନ୍ତି ମୋହ

ମୋହଗଲା ଯୋଦ୍ଧାୟେ ବାହୁଡ଼ି ପାଆନ୍ତିଟି ଦେହ ।୯୬।

ୟେସନେକ ବାଦେ ଯୋଦ୍ଧାୟେ ପାଆନ୍ତି ଶ୍ରମ

ମୋହଗଲା ଯୋଦ୍ଧାୟେ ପାଆନ୍ତି ଚେତନ ।୯୭।

ଦଇବେ ବୀରେ ଯେ ମରନ୍ତି ବା ସମରେ ମୋହଯାଇ

ସମରେ ଛିଦ୍ର ପାଇଲେ ପୁଣ ଉଠନ୍ତି ଚିଆଇଂ ।୯୮।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଅଶସ୍ତମା ଭୂରିସର୍ବା

ମୋହ ତେଜି ଉଠିଲେ ସମସ୍ତ କଉରୋବା ।୯୯।

ପୁଣି ନାରାଜ ଘେନିଣ ଯେ ସମର ଆବୋରି

ବିନ୍ଧନ୍ତି ନାରାଜ ଯେ ଅବିଛିନ୍ନ କରି ।୧୦୦।

ଦ୍ରିଯୋଧନ ବୋଇଲା ହୋ ନୁହଂଇ ୟେକେ ୟେକେ

ସମୂହ ହୋଇ ସମର କରିବା ସର୍ବଲୋକେ ।୧୦୧।

ଧର୍ମ ଅଧମ ତୁମ୍ଭେ କିଛିହିଂ ନ ବିଚାର

ସମସ୍ତେ ବେଢ ୟେକମୁଖେ ନାରାଜ ବେଗେ ମାର ।୧୦୨।

ରାଜାର ମୁଖରୁ ୟେସନେକ ବାକ୍ୟ ଶୁଣି

ବେଢିଲେ ଯୋଦ୍ଧାମାନେ ଚନ୍ଦ୍ରକୁ ତାରା ଜାଣି ।୧୦୩।

ଧର୍ମକୁ ଇଛାକଲେ ପାଇବାନା ବଡ଼ ଦୁଖ

ୟେକା ପାଣ୍ତବକେ କଲା ସମସ୍ତ ବିମୁଖ ।୧୦୪।

ଯେସନେକ ଅରଣ୍ୟ ଭିତରେ କେଶରୀ

ସେହି ସାରିକ୍ଷେ ଦିଶଇ ଦୁତୀୟ ଶ୍ରୀହରି ।୧୦୫।

ପାଞ୍ଚ ପରାୟୁଧ ରଥୀ ଯେ ନବ ପରାୟୁଧ ହାଥୀ

ବତିଶ ପରାୟୁଧ ଅଶ୍ଵ ଯେ ବେଢିଲେ ୟେକମୂର୍ତ୍ତି ।୧୦୬।

ୟେକା ଯୋଦ୍ଧାକୁ ଯେ ସମସ୍ତେ କରନ୍ତି ୟେକଦୃଷ୍ଟି

ଅର୍ଜୁନକୁ ବେଢି ଯେ କରନ୍ତି ଶରବୃଷ୍ଟି ।୧୦୭।

ଆହୋ ଚଇତନ କେ ଶତେକ କେ ସହସ୍ରେକ ବାଣ ବିନ୍ଧି

କେ ଅହିବ୍ରତେକ କେ ଲକ୍ଷେବାଣ ସନ୍ଧି ।୧୦୮।

ଆକାଶ ଅନ୍ଧାର ଦିଶଇ ଉଲୁକାପାତ ମହୀ

ସାଧୁ ଅର୍ଜୁନ ହୋ ତୋହୋରେ ୟେହା ହୋୟେ ସହି ।୧୦୯।

ତୁଷାର ବୃଷ୍ଟି ଜାଣି ଶରଦ ମେଘ ଗରଜନେ

ପବନୁଂ ବେଗେ ଶର ବିନ୍ଧନ୍ତି ଯୋଦ୍ଧାମାନେ ।୧୧୦।

ଉର୍ଦ୍ଧ୍ଵମୁଖେ ଗାଣ୍ତିମ ଧରି ଅର୍ଜୁନ ମହାବଳୀ

ଶହସ୍ରକୁ ଶହସ୍ର ୟେ କରଇ ପଡ଼ିତାଳି ।୧୧୧।

ଅର୍ଜୁନ ନ ଦିଶଇ ଉତ୍ତର କୁମରକୁ

ଶରବୃଷ୍ଟିରେ ଉତ୍ତର ନ ଦିଶଇ ଅର୍ଜୁନକୁ ।୧୧୨।

ଶର ବିନ୍ଧି ଉର୍ଦ୍ଧ୍ଵେ ଡ଼ାକ ଦିଅଇ ଧନୁର୍ଜୟେ

ରହିଥାଅ ଉତ୍ତର ତୁ ହୋଇଣ ନିର୍ଭୟେ ।୧୧୩।

ଉତ୍ତର ଡ଼ାକ ଦିଅଇ ରଥଦଣ୍ତେ ଥାଇ

ଧନୁଘୋଷ ନ ଶୁଭଇ ଅର୍ଜୁନ ଅବା ରଥେ ନାହିଂ ।୧୧୪।

ସ୍ଵର୍ଗମଞ୍ଚ ପାତାଳ କମ୍ଫଇ ଯେବଣ ଶଙ୍ଖନାଦ

ଉତ୍ତର କୁମାରକୁ ନ ଶୁଭଇ ଶଙ୍ଖର ଶବଦ ।୧୧୫।

ଉତ୍ତର ବିଚାରିଲା ଅବା ପଳାଇଲା ଅର୍ଜୁନ

ଅର୍ଜୁନ ବିଚାରଇ ରଥେ ନାହିଂ ଅବା ବିରାଟ ନନ୍ଦନ ।୧୧୬।

ଅର୍ଜୁନର ବାଣ ଯେ ଯୋଦ୍ଧାଂକୁ ଅଗୋଚର

ୟେସନେକ ଅଗୋଚର ହୋଉଅଛି ସମର ।୧୧୭।

କକଡ଼ା ବୃଷ୍ଟିଜାଣି ସେ ନାରାଜମାନ ପଡ଼ି

ଉତ୍ତର କୁମାରକୁ ନ ଦିଶଇ ଅଶ୍ଵଚାରି ।୧୧୮।

ଉତ୍ତର ବିଚାରଇ ଅଶ୍ଵେ ମୋହୋର ନାହାନ୍ତି ଅବା ରଥେ

ବିରାଟର ନନ୍ଦନ ସେ ଦରାଣ୍ତଇ ହାଥେ ।୧୧୯।

ଉତ୍ତର ହାଥ ପଡ଼ିଲା ଅଶ୍ଵଂକ ଉପରେ

ମହାତେଜି ଅଶ୍ଵ ସେ ଉଡ଼ିଲେ ଗଗନରେ ।୧୨୦।

ସମର ଭୂମି ଛାଡ଼ି ଲାଗିଲେ ଗଗନେ

ଉତ୍ତର କୁମାରକୁ ଦେଖିଲେ ପଣ୍ତୁର ନନ୍ଦନେ ।୧୨୧।

ଅର୍ଜୁନ ବୋଇଲା ଉତ୍ତର ତୁ ମନ୍ଦକୃତ କଲୁ

ସମର ତେଜି ରଥ କିଂକେ ଗଗନ ମଣ୍ତଳେ ଆଣିଲୁ ।୧୨୨।

ଉତ୍ତର କୁମାରକୁ ଅର୍ଜୁନ କୋପେଣ ବୋଇଲେ

ସମରେ ଅଧର୍ମ ହୋଇବଟି ଶତ୍ରୁରେ ପିଠିଦିଲେ ।୧୨୩।

ଉତ୍ତର ବୋଇଲା ସମର ତୋର ମୋତେ ହୋଇଲା ଅଗୋଚର

ଗୁଣଘୋଷ ଶଙ୍ଖନାଦ ନ ଶୁଭିଲା ତୋହୋର ।୧୨୪।

ଅଶ୍ଵ ସହିତେ ଦେବ ନୁଆରିଲି ଠାବକରି

ଦରାଣ୍ତନ୍ତେ ଅଶ୍ଵେ ହୋଇଲେ ଗଗନଚାରୀ ।୧୨୫।

ଅର୍ଜୁନକୁ ଉତ୍ତର ହୋଇଣ ପରିଣାମି

ବୋଇଲା ନିଅନ୍ତୁ ଗୋଧନ ପଲ ସମର ନକର ଦେବ ସ୍ଵାମୀ ।୧୨୬।

ଅବଶ୍ୟ ଯୁଦ୍ଧ ରହି କରିବୁ ଯେବେ ପାଥ

ମୁହିଂ କ୍ଷଣେହେଂ ବିଶ୍ରାମି ନୁଆରିବି ତୋ ନନ୍ଦିଘୋଷ ରଥ ।୧୧୭।

ମୋହୋର ଶରୀରକୁ ତ ଶରଘାତ ନାହିଂ

ଆତ୍ମା ବିସର୍ଜିବି ମୁହିଂ ଶରବୃଷ୍ଟି ଚାହିଂ ।୧୨୮।

ଅର୍ଜୁନ ବୋଇଲା ଉତ୍ତରକୁ ରଥରେ ବସିଥିବୁ

ତହିଂ ତୋତେ ପ୍ରମାଦରରେ କିଛି ନାହିଂ ବାବୁ ।୧୨୯।

ରଥ ତେଜ୍ୟାକଲେ ବାବୁ ତୋହୋର ହୋଇବ ମରଣ

ଉତ୍ତର ବୋଇଲା ତୋହୋର ପୋଡ଼ୁ ରଣ ।୧୩୦।

ଅର୍ଜୁନ ବୋଇଲା ଦ୍ଵାଦଶ ବରଷ ସମର ମୋର ନାହିଂ

ସମସ୍ତ ଶହସ୍ରମାନ ବେଳେ ବେଳେ ବିନ୍ଧଇ କିନା ମୁହିଂ ।୧୩୧।

ତୁ କିମ୍ପେ ସମର ଦେଖି ହୋଉଅଛୁ ବିକଳ

ମୁହିଂ ୟେ ସମର ହାଦେ ମଣଇ କୁତୂହଳ ।୧୩୨।

ମୋହୋର କୁତୂହଳ ସମର ସରିବା ପରିଯନ୍ତେ

ଲାଖମାତ୍ର ସାହାହୋଇ ବସିଥାଅ ତୁ ୟେ ମୋହୋର ରଥେ ।୧୩୩।

କଉରୋବ ସଇନି ଆମ୍ଭେ ଜିଣିମା ୟେହିକ୍ଷଣି

ଗୋଧନ ପଲକୁ ମତ୍ସଦେଶେ ଯିବା ଘେନି ପୁଣି ।୧୩୪।

ମୁହିଂ ଜାଣିଲି ତୁ ନିସତ ହୋଇଲୁ ବିରାଟି

ରଥୁ ଡ଼େଇଂ ପଡ଼ିଲେ ହରାଇବୁ ତୋହୋର କାୟାଗୋଟି ।୧୩୫।

ୟେତେ ବୋଲି ପାଟଡ଼ୋରେ ବନ୍ଧନ କଲା ରଥେ

ଝାତିକାରେ ରଥ ଯେ ବାହିଲା ବୀର ପାଥେ ।୧୩୬।

ଗୋଳରେ ସଇନିୟେ ନୁଆରିଲେ ଠାବକରି

ଆପଣେ ଆପଣେ ହୋଉଛନ୍ତି ମରାମରି ।୧୩୭।

ଶ୍ରୀକରେ ଗାଣ୍ତିମ ଧନୁ ଧରିଣ ବିବଛେ

ନନ୍ଦିଘୋଷ ରଥ ନେଇ ଟେକିଲା ପ୍ରତକ୍ଷେ ।୧୩୮।

କଉରୋବେ ଆଶ୍ରିଜ ଯେ ହୋଇଲେ ତାହା ଦେଖି

ଥୋକାୟେ ରଥୀ ପଳାଇଲେ ସମର ଉପେକ୍ଷି ।୧୩୯।

ଦୁରାପଦ ସମର ଯେ ତିନି ପ୍ରହର ଆସି ବେଳ

ଶ୍ରମେ ଅଶ୍ଵ ଗଜ ସଇନି ସବୁ ହୋଇଲେ ନିଚଳ ।୧୪୦।

କ୍ଷୁଧା ତୃଷାୟେ ଅଶ୍ଵ ଯେ ନୁଆରନ୍ତି ଚଳି

ଦେଖିଣ ବିଚାରଇ ସେ ଦୁତୀ ବନମାଳୀ ।୧୪୧।

ମେଘା ଶହସ୍ରେକ ଯେ ବିନ୍ଧିଲା କିରୀଟି

ଅଦଭୂତେ ମେଘରୁ ଯେ ହୋଇଲା ଜଳବୃଷ୍ଟି ।୧୪୨।

ସମର ଭୂମିଯାକ ହୋଇଲାକ ଜଳ

ପିବନ୍ତି ଗଜ ଅଶ୍ଵେ ବହୁତ ପଡ଼ିଲା ଚହଳ ।୧୪୩।

ଜଳ ପାଇଣ ସଇନିୟେ ହୋଇଲେ ହରଷ

ସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲା ଆକାଶ ।୧୪୪।

ଶୁଣ ହୋ ଚଇଚନ ୟେବେ ଅର୍ଜୁନର ମହିଂମା

କ୍ଷତ୍ରୀବର ସୋହାଡ଼ ସେ ଜଗୁଜିତା ମହାତମା ।୧୪୫।

ସମରେ ସମର୍ଥକ ସେ ନୁହଇଂ ବଡ଼ ରାଗୀ

ପର ମନ ଜାଣନ୍ତି ସେ ଅଟନ୍ତି ପରମ ଯୋଗୀ ।୧୪୬।

ଥାଠଯାକ ଶୁଭିଲା ସେ ସାଧୁ ସାଧୁ ଧୁନି

ସବୁରି ଆଷ୍ୟ ଘେନି ତୁ ହୋ ବ୍ରତ ଫାଲଗୁନି ।୧୪୭।

ସମରେ ଧନ୍ୟ ଧନ୍ୟ କରନ୍ତି ତୋଷମତି

ସମରେ ଶ୍ରାଗିଲା ଯେ ବିଚିତ୍ରବୀର୍ଯ୍ୟ ନାତି ।୧୪୮।

ସାଷ୍ଟମ ହୋଇଣ ସେ ଯେ କଉରୋବ ସଇନି

ପୁଣି ଅର୍ଜୁନକୁ ବେଢିଲେ କରେ ଶସ୍ରମାନ ଘେନି ।୧୪୯।

ବିନ୍ଧନ୍ତି ଅବିଛନ୍ନେ ନାରାଜ ବେଗେ ଟାଣି

କକଡ଼ା ମାସେ ଯେହ୍ନେ ନିରାଧାର ବରଷଇ ପାଣି ।୧୫୦।

ବାଣ ଜ୍ଵାଳାବଳୀ ଆଦିତ୍ୟ ତେଜ ଯେହ୍ନେ ଘୋଟି

ୟେକ ୟେକ ଯୋଦ୍ଧାକେ ଯେ ନାରାଜ କୋଟି କୋଟି ।୧୫୧।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଯେ ଉଲୁକାପାତମୟେ

କ୍ଷୀରୋଦ୍ର ମଛନ କାଳେ ଯେସନେକ ପ୍ରାୟେ ।୧୫୨।

କହନ୍ତେ ଅସମ୍ଭବ ଗୋଧନ ହରଣର କଥା

ଇତିଶ୍ରୀ ମହାଭାରଥ ସମର ବ୍ୟବସ୍ଥା ।୧୫୩।

ଭୀଷ୍ମ ଦ୍ରୋଣ ଅଶସ୍ତମା ଶଲ୍ୟ ବାଲମ୍ଵିକ

କର୍ଣ୍ଣ ଶକୁନି କୃପ ଭୂରିସର୍ବା ଆଦି ଯେତେ ଲୋକ ।୧୫୪।

ୟେକମୁଖ ହୋଇଣ ଯେ ପନ୍ଥ କଲେ ଦଣ୍ତ

ବିନ୍ଧନ୍ତି ନାରଜ ଯେ ଘୋଟିଣ ଭୂଅଖଣ୍ତ ।୧୫୫।

ୟେକା ରଥୀକି ବେଢିଲେ ସେ ବାଆନ ପଦ୍ମ ଯୋଧୀ

ନିରାଶି ଉପ୍ରୋଧ ଛାଡ଼ି ଆକ୍ରେଷି ବାଣ ବିନ୍ଧି ।୧୫୬।

ଦ୍ରୋଣେ ବୋଇଲେ ଆଜ ନାଶଗଲୁ ଫାଲଗୁନି

ଆଜ ୟେଥୁଂ କେମନ୍ତେରେ ଯିବୁ ପ୍ରାଣ ଘେନି ।୧୫୭।

ଅର୍ଜୁନ ବୋଇଲେ ଗୁରୁ ହେ ବଚନ ତୁମ୍ଭର ସତ୍ୟ

ଆଜ କଉରୋବେ କେହି ନ ପାବନ୍ତି ଜୀବିତ ।୧୫୮।

ଉଭୟ ପ୍ରତିବାକ୍ୟେ ସମର ମହାଘୋର

ସାଂଗ୍ରାମ ଭୂମିଗୋଟି ଦିଶିଲା ଦିବସେ ଅନ୍ଧକାର ।୧୫୯।

କଷ୍ଠୋର ଦେଖି ଭୀଷ୍ମେ ପର୍ବତା ଶସ୍ର କଲେ

ବଜ୍ରଶର ପେଷି ତାହା ଅର୍ଜୁନ ନିବାରିଲେ ।୧୬୦।

ଦ୍ରୋଣେ ପେଷିଲେ ପନ୍ନଗାଶର ବାଣ

ମହା ମହା ଫଣୀମାନେ ଫେରୁ ଧରି ଯେ ଗର୍ଜନ୍ତି ଥାଠେଣ ।୧୬୧।

ଉତ୍ତର ବୋଇଲା ସ୍ଵାମୀ ଉଡ଼ଙ୍ଗ ବଳ ଦେଖ

ମହାଭୟ ଲାଗିଲା କଷ୍ଟରୁ ମୋତେ ରଖ ।୧୬୨।

ଉତ୍ତର ବଚନେ ସେ ପ୍ରତଗ୍ୟାଂ ମହାରଥୀ

ଖଗବର ନାରାଜ ପେଷିଲେ ତତକ୍ଷଣାନ୍ତି ।୧୬୩।

ଗରୁଡ଼ାଶର ସେ ପେଷିଲେ ଯେତେବେଳେ

ମଛାଗତ ହୋଇ ପଡ଼ିଗଲେ ନାଗବଳେ ।୧୬୪।

ଅଶସ୍ତମା ବିନ୍ଧିଲା ଅନଳ ଶର କାଢି

କାଳାନଳ ବହନି ଆସୁଅଛି ମାଡ଼ି ।୧୬୫।

ମଞ୍ଚେଣ ମେଖଳା ଯେ ଆକାଶେଣ ଶିଖା

ପୃଥିବୀ ବିକାଶିଲା ଅନଳର ରେଖା ।୧୬୬।

ଉତ୍ତର ବୋଇଲା ସ୍ଵାମୀ ହୋଇଲା ବଡ଼ାଇ ଦୁଲଭ

ୟେବେ ସକଳ ସଂସାର ଦହିଜ ହୋଇବ ।୧୬୭।

ଜଳବିମ୍ଵୁ ଶରେକ ଯେ ମାଇଲା କିରୀଟି

ଅଗ୍ନିର ଉପରେ ଜଳ ହୋଇଲାକ ବୃଷ୍ଟି ।୧୬୮।

କଉରୋବ ଯୋଦ୍ଧାୟେ ଯେ ପଳାବନ୍ତି ଭାଞ୍ଜି

ୟେକା ପାଣ୍ତବେକେ ଧାମଇ ଗଳଗାଜି ।୧୬୯।

ମନ୍ଦର ପର୍ବତ ଯେହ୍ନେ ସିନ୍ଧୁ କଲା ଗୋଳା

ସେହି ସରୂପେ ଦିଶଇ ହାଦେ ସେ ବାସବର ବଳା ।୧୭୦।

ଯେବଣ ଶହସ୍ର ବିନ୍ଧନ୍ତି କଉରୋବେ

ପ୍ରତିତୁଲ୍ୟ ନାରାଜେ ନାଶଇ ପାର୍ଥିବେ ।୧୭୧।

ସମରେ ସନ୍ୟମାନେ ପାଇଲେ ମହାଦୁଖ

ପଳାବନ୍ତି ସମର ତେଜି ହୋଇଣ ବିମୁଖ ।୧୭୨।

ଦେବେ ଦାନବେ ଯେ ଅଗୋଚର କଥା

ସଞ୍ଚପି କରି କେହୁ କରିବ ଲେଖନ ସର୍ବଥା ।୧୭୩।

ଯେବଣ ସମର ହୋଇଲା ଗୋଧନ ହରଣେ

ସଞ୍ଚପି କରି ପାରିବ କେ ଲେଖନପଠନେ ।୧୭୪।

ସତ୍ୟ ତ୍ରେତୟା ଦ୍ଵାପର କଳି ଯୁଗ ଚାରି

ଚାରି ଯୁଗକୁ ଅସଂଖ୍ୟ ଗୋଧନ ହରଣ ଆର୍ଦ୍ଦୋଳି ।୧୭୫।

ୟେକା ରଥୀକେ ଯେ ପଦ୍ମ ସାଗରକ ଯୋଧୀ

ୟେକମୁଖ ହୋଇ ସମସ୍ତେ ହାଦେ ବିନ୍ଧି ।୧୭୬।

ଯାବତ ଚନ୍ଦ୍ର ଯେ ଦିବାକର କଥା

ସମସ୍ତ ଉଦିତ ହୋଇ ରହିଲାକ ବୃତ୍ତ ଯଥା ।୧୭୭।

ନ ଦେଖିଣ ନ ପଢିଣ କହିତ ନୁଆରି

ସୁବୁଦ୍ଧି ସୁଗ୍ୟଂଜନେ ୟେହା ଶୁଣିମା ବିଚାରି ।୧୭୮।

ଦଣ୍ତଭଗ୍ନ ଦେଖିଣ ଛତ୍ରୀ ସେନାପତି

ପୁଣ ଆବୋରିଲେ ଆସି ଅର୍ଜୁନର କତି ।୧୭୯।

ତପନ ଶର ସୀତାଂଶୁ ଶର ନବତନ ବଜ୍ରମୁନା

ଅମୋହ ଶର ପଶୁପତ୍ର ଆର୍ଦ୍ରାବଳୀ ପଞ୍ଚୁମୁନା ।୧୮୦।

ଅଧାଚନ୍ଦ୍ର ବାଣ ବାବଲ ବଜ୍ରସୂଚୀ

ବିନ୍ଧନ୍ତି ନାରାଜ ଯେ ତ୍ରୋଣରୁ ବାଛି ବାଛି ।୧୮୧।

ତିମ୍ଵୁର ମୁଦୁଗୁର ଯେ ଅନନ୍ତ ଶକତି

ବିନ୍ଧନ୍ତେ ଆଲୋମୟେ ହୋଉଅଛି ପୃଥୀ ।୧୮୨।

ଦେଖିଣ ଥମ୍ଵୀଭୂତ ହୋଇଲେ ସର୍ବ ଛତ୍ରୀ

କି ଜାଣି ଜୁଳୁଜୁଳା ପୋକ ନିଶାଭାଗେ ଦିଶନ୍ତି ।୧୮୩।

ମହା ପ୍ରଳୟ ଜାଣି ସମର ହୋଇଲା

ଯୁଦ୍ଧ କରନ୍ତେଣ ଆଦିତ୍ୟ ଅସ୍ତଗଲା ।୧୮୪।

କଇଛାବନ୍ତ ରାଜା ସେ ଅଟନ୍ତି ମହାଛତ୍ରୀ

ୟେକ ଭାଞ୍ଜନ୍ତେ ଦଶ ବିଂଶ ତିରିଶ ବେଢନ୍ତି ।୧୮୫।

ରୟଣୀ ଅନ୍ଧାରେ ଯେ ହୋଇଲା ମହାଗୋଳ

ମୁଖରାବ ଶବଦେ ଯେ ଶୁଭଇ ଚହଳ ।୧୮୬।

ମହାଗୋଳ ଉପୁଜିଲା ସମର ମହାରଣେ

ବାରଣ ନ ଗଲା କେ ପର କେ ଆପଣେ ।୧୮୭।

ୟେକ ହାଥରୁ ଆରେକ ଶର ଘେନଇ ଉଛୁଡ଼ି

ତ୍ରୋଣରୁ ଶହସ୍ରମାନ କେ ବିନ୍ଧନ୍ତି ଚୋରିକରି ।୧୮୮।

ଆଗ୍ୟାଂ ଦିଲାକ ରାୟେ ଗାନ୍ଧାରୀର ବଳା

ସମର ଅଭିମୁଖେ ଲଗାଅ ଦିହୁଡ଼ିର ମାଳା ।୧୮୯।

ରଥକେ ପଞ୍ଚାଶ ଯେ ଗଜକେ ପଞ୍ଚବିଂଶ

ଅଶ୍ଵ ଯୋଦ୍ଧାକେ ପଞ୍ଚଦଶ ଧନୁ ଯୋଦ୍ଧାକେ ଦଶ ଦଶ ।୧୯୦।

ପାଦାନ୍ତିମାନେ ବାମକରେ ହୁଳା ଯେ ଡ଼ାହାଣ କରେ ଗଦା

ୟେକାଦଶ ଯୋଜନ ପରିଯନ୍ତେ ଦିଶିଲାକ ଦିବସ ପ୍ରାୟେ ପଦା ।୧୯୧।

ଉତ୍ତର ବୋଇଲା ସ୍ଵାମୀ ନ କରନି ଯୁଦ୍ଧ

ରକତବୀର୍ଯ୍ୟ ପରାୟେ ଦେଖିଲି ରଣମଧ୍ୟ ।୧୯୨।

ମରନ୍ତି ଜୀଅଂନ୍ତି ଲୋଟନ୍ତି ଉଠନ୍ତି

ୟେକ ପଡ଼ନ୍ତେ ସେ ଦଶ ବିଂଶ ଘୋଟନ୍ତି ।୧୯୩।

ଅର୍ଜୁନ ବୋଇଲା ଉତ୍ତର ନ ଜାଣୁ ୟେଥିର କଥା

ୟେହାଂକର ଯୁଦ୍ଧ ମୋତେ ହୋଇଲା ଅପ୍ରମିତା ।୧୯୪।

ପ୍ରାଣେ ନ ମାରିଣ ମୁହିଂ କୁତୂହୋଳ ଯୁଦ୍ଧ କଲି

ଶିର ଛେଦନ ନ କରଇ ପରକାର୍ଯ୍ୟ ବୋଲି ।୧୯୫।

କିଞ୍ଚିତ ଦୋଷକୁ ବହୁତ କୋପେ ଶସ୍ତି

କ୍ଷଣକରେ ଅଛି ସିନା ମରଣ ପ୍ରାପତି ।୧୯୬।

ଉତ୍ତର ତେର ବରଷ ହୋଇଲାନି ସମର ମୋର ନାହିଂ

ସରାଗ ନ ଭଞ୍ଜଇ ୟେ କଉରୋବନ୍ତ ଚାହିଂ ।୧୯୭।

ପ୍ରାଣେହେଂ ୟେହାନ୍ତ ଆଗ ମୁଂ ମାରିବି କେମନ୍ତେ

ସମସ୍ତେହେଂ ବାନ୍ଧବେ ମୋର ଅଟନ୍ତି ଯୁଗତେ ।୧୯୮।

ମୁଖ ଚାହାନ୍ତେଣ ସବୁନ୍ତିହିଂ ଉପ୍ରୋଧ

ତେଣୁକରି ନିରାଧାର ନ କରଇ ଯୁଦ୍ଧ ।୧୯୯।

ପ୍ରତାପୀ ପାଣ୍ତବ ସେ ସମରେଣ ଘୋଟି

କଉରୋବ ସଇନିକି ୟେକା ବ୍ୟାପିଲା କିରୀଟି ।୨୦୦।

ଉତ୍ତର ବୋଇଲା ସ୍ଵାମୀ ତୋହୋର ଆକ୍ରଷଣ ଯେମନ୍ତ

ଛାଗଳ ପ୍ରାୟେକ ଦିଶନ୍ତି କଉରୋବ ସମସ୍ତ ।୨୦୧।

କଉରୋବେ ସୋଦର ତୋର ଅଟନ୍ତି ଯୁଗତେ

ସୁମରକୁଇଂ ଆରମ୍ଭ ତୁ କଲୁ କିସ ଅର୍ଥେ ।୨୦୨।

ସ୍ଵାମୀ ଉପ୍ରୋଧ ଯେବେ ବସିବ ଛତ୍ରୀଂକର କାର୍ଯ୍ୟେ

ବହୁଡ଼ିଗଲେ ୟେଥୁ ଉପୁଜିବ ବହୁତ ଲାଜେ ।୨୦୩।

ଗୁଣସାଗର ନାଥ କଇଛା ଜଗଜ୍ଜେଠୀ

ଅଥବା ଉପ୍ରୋଧ କଲେ ଚାଲ ଯିବାକ ଲେଉଟି ।୨୦୪।

ଉତ୍ତର କୁମାରର ବଚନ ଶୁଣିଣ ଫାଲଗୁନି

ରାଗେଣ ପାର୍ଥିବ ଯେ ମୋହନା ଶର ଘେନି ।୨୦୫।

ମନଭେଦୀ ନାରାଜ ଯେ ବସାଇଲେ ଧନୁ

ୟେକା ଘାନ୍ତିକେ ଭେଦିଲା ଯୋଦ୍ଧାଂକର ତନୁ ।୨୦୬।

ରଥୀକେ ଶତେ ନାରାଜ ଗଜକେ ପଞ୍ଚାଶ

ମୁକୁଟ ଯୋଦ୍ଧାକେ ପଞ୍ଚବିଶ ପାଦାନ୍ତିକେ ଦଶ ଦଶ ।୨୦୭।

ଭାରଥେ ଭୋରୋଇ ମଲ୍ଲ ମହିଂମା ଯାହାର ଧନି

ୟେକ ଘାନ୍ତିକେ ଅର୍ଜୁନ ପେଷିଲେ ୟେତେ ଶର ଘେନି ।୨୦୮।

ଅର୍ଜୁନ ତିଆରଇ ଯେ ମନଭେଦୀ ଶର

ଭେଦ ହୋ ନାରାଜ ସବୁଂକରି ଅଙ୍ଗର ।୨୦୯।

ଅନିର୍ଯ୍ୟାପି ନାରାଜ ଅର୍ଜୁନ କଲାକ ବୃଷ୍ଟି

ସବୁଂକରି ଉପରେଣ ନାରାଜ ଯାଇ ଫୁଟି ।୨୧୦।

ଶତେ ଶତେ ନାରାଜ ପଡ଼ିଲା ରଥ ରଥୀଂକ ଉପରେ

ପଞ୍ଚାଶ ପଞ୍ଚାଶ ନାରାଜ ଭେଦିଲା ଗଜ ଯୋଦ୍ଧାଂକ ଅଙ୍ଗରେ ।୨୧୧।

ମୁକୁଟ ଯୋଦ୍ଧାକେ ପଡ଼ିଲା ପଞ୍ଚବିଂଶ ବାଣ

ଦଶ ଦଶ ନାରାଜ ପଡ଼ିଲା ପାଦାନ୍ତିକେ ଜାଣ ।୨୧୨।

ଅଷ୍ଟାଦଶ କ୍ଷଉଣୀ ଉପରେ ୟେହେନେକ ଶର ଫୁଟି

ୟେକାଘାନ୍ତି ସମସ୍ତେ ପଡ଼ିଲେ ମହୀଲୋଟି ।୨୧୩।

ୟେକାଦଶ ଯୋଜନ ବଳ ପଡ଼ିଲେକ ମାଡ଼ି

ଶରୀରୁ ଆତ୍ମାମାନେ ଯେ ସବୁରି ଗଲା ଛାଡ଼ି ।୨୧୪।

ଗଜ ଅଶ୍ଵମାନେ ଯେ ପଡ଼ିଲେ ନିମଜ୍ଜାଇ

ମୋହଶର ଘାୟେ ପଡ଼ିଲେ ରଣଭୂଇଂ ।୨୧୫।

ଅସଂଖ୍ୟ ସମର ଯେ କଲେକ ସର୍ବସାଚୀ

ଅସାଷ୍ଟମ କୁରୁବୀରଂକର ଚେତନା ନାହିଂ କିଛି ।୨୧୬।

ରତ୍ନ ମଣିମୁକୁଟ ଶିରେଣ ଶିରଭୂଷା

ରକତେ କର୍ଦ୍ଦନ ଯେ ହୋଇଲେ ମାଟି ମିଶା ।୨୧୭।

ଚନ୍ଦନ ସସ୍ତୁରୀ କୁଂକୁମ ପୁଷ୍ୟ ଯେ ଦେବାଙ୍ଗ

ରୋଧିରେ ବିଲେପନ ହୋଇଲା ସେ ସବୁଂକରି ଅଙ୍ଗ ।୨୧୮।

ମହାବାତେ ଯେସନେ ଲୋଟନ୍ତି ବୃକ୍ଷପନ୍ତି

ଅବସ୍ତାୟେ କଉରୋବେ ହୋଇଲେ ବିନଶ୍ୟତି ।୨୧୯।

ଉତ୍ତର କୁମାର ଅର୍ଜୁନ ଚରଣେ ପରିଣାମି

ଦୁସହ ପ୍ରତଗ୍ୟାଂ ତ କଲୁ ଦେବସ୍ଵାମୀ ।୨୨୦।

ଦେବେଣ ଅଗୋଚର ତୋହୋର ମହିମାଂ

ତୁମ୍ଭେ ସେ ବୀରବର ଛତ୍ରୀଂକର ଉତ୍ତମା ।୨୧୧।

ଉତ୍ତରକଇଂ ହକାରିଣ ବୋଇଲ ବୀରମଣି

ଉତ୍ତରା ବାଳୀ ବଚନ ଅଛୁଟିକି ହେତୁକରି ଶୁଣି ।୨୨୨।

ପଡ଼ିଛନ୍ତି କଉରୋବେ ହୋଇଣ ରଣେ ଅସାଷ୍ଟମେ

ମୋହୋର ବାଣେ ଯେ ହୋଇଣ ମତିଭ୍ରମେ ।୨୨୩।

ୟେତେବେଳେ କଉରୋବେ ହୋଇଛନ୍ତି ଅସାଷ୍ଟମ

ଯାଅ ଯା ଉତ୍ତର ହୋ କର ତୁ ଉତକର୍ମ ।୨୨୪।

ବାବୁ ରଥରୁ ଓହ୍ଲାଇ ପଶ ଯା ସମର ଭିତରେ

ଶ୍ରୀଭୂଷା ମୁକୁଟମାନ ଆଣ ହୋ ଉତ୍ତରେ ।୨୨୫।

ଉତ୍ତର ବୋଇଲା ମୁଂ କରଇ ବଡ଼ ଭୟେ

ୟେମାନେ ଦିଶୁଛନ୍ତି ମୋତେ ରାହୁର ତେଜ ପ୍ରାୟେ୍ ।୨୨୬।

ଉତ୍ତର କୁମାର ହାଥ ଧରିଣ ଫାଲଗୁନି

ରଥରୁ ଓହ୍ଲାଇଲା ହାଥରେ ହୁଳାୟେକ ଘେନି ।୨୨୭।

ଅର୍ଜୁନ ଉତ୍ତର ଦୁହେଂ ପଶିଲେକ ଥାଠେ

ପ୍ରଥମେ ଭେଟିଲେ ଯାଇଂ କର୍ଣ୍ଣର ନିକଟେ ।୨୨୮।

ଆହୋ ଉତ୍ତର ଆମ୍ଭର ସୋଦରଟି ୟେ ମହାବଳୀ କର୍ଣ୍ଣ

ବଦନ ଚାହିଂଣ ନିରୋପଇ ବୀର ଫାଲଗୁନ୍ୟ।୨୨୯।

ମମ ସହୋଦ୍ର ହୋଇ କଉରୋବେ ତୋହୋର ମେଳି

ପଡ଼ିଲୁ ଉତ୍ତାନଶାହୀ ହୋଇଣ ତୋହୋର ଭଳି ।୨୩୦।

ବଇଜନ୍ତୀ ମାଳା ଥିଲା କର୍ଣ୍ଣର ହାଦେ ହୃଦେ

ଅର୍ଜୁନ ବୋଇଲା ଉତ୍ତର ହୋ ୟେହା ଘେନ ହାଦେ ।୨୩୧।

ୟେକା ମାତ୍ର ଭାଷ୍ମ ହୋ ନୁହନ୍ତି ମୋହଗତ

ଲୋକିତ କର୍ମକଇଂ ସେ ହୋଇଛନ୍ତି ଅଚେତ ।୨୩୨।

ଭୀଷ୍ମଂକର ସନ୍ନିଧ୍ୟେ ଅଛନ୍ତି ଦ୍ରୋଣଗୁରୁ

ୟେ ଦୁହିନ୍ତି ଛାଡ଼ି ଆଣ ଯେତେ ରତ୍ନ ପାରୁ ।୨୩୩।

ଯହୁଂ ସେ ଆଗ୍ୟାଂ ହୋ ଦିଲା ସର୍ବସାଚୀ

ଅମୂଲ୍ୟ ରତ୍ନମାନ ଉତ୍ତର ଘେନଇ ବାଛି ବାଛି ।୨୩୪।

ଦେବାଙ୍ଗ ବସ୍ରମାନ ଯେ ଅମୂଲ୍ୟ ରତ୍ନ ନେତ

ଘେନିଣ ଉତ୍ତର ସୁଖେ ପୂରାବଇଂ ରଥ ।୨୩୫।

କର୍ଣ୍ଣର ମୁକୁଟ ଘେନିଣ ଫାଲଗୁନି

ପାଦାନ୍ତି ଗୋଟିକର ଶିରେ ବାନ୍ଧିଲାକ ଆଣି ।୨୩୬।

କର୍ଣ୍ଣର ସନ୍ନିଧ୍ୟେ ପଡ଼ିଲା ଅଛି ବୀର ଧୁଶାସନ

ଅର୍ଜୁନ ନିରୋପଇ ଯେ ତାହାର ବଦନ ।୨୩୭।

ଆରେ ତୁହି ଯେ କେଶ ଧରିଲୁ ମୋହୋର ଦ୍ରୋପତୀ

ସଭାତଳେ ଆଣି କଲୁ ଯେ ଅନୀତି ।୨୩୮।

ମହିଂ ତୋହୋର ଶିର ଛେଦନ୍ତି ଆଜ ରଣେ

ପରକାର୍ଯ୍ୟେ ତୋତେ ନ ମାରଇ ଅକାରଣେ ।୨୩୯।

ମୁହିଂ ଅବା ତୋହୋର ଆଜ ବିଦାରନ୍ତି ବକ୍ଷସ୍ଥଳ

ଭୀମସେନ ଠାକୁରଂକର ପ୍ରତଗ୍ୟାଂ ହୋଇବ ନିଷ୍ପଳ ।୨୪୦।

ଯେଉଂଦିନୁ କେଶରେ ଧଇଲୁ ଧୁଶାସନ

ସେହିଦିନୁ ଜିଘ୍ନସେନୀର କେଶ ହୋଇଛି ଅବନ୍ଧନ ।୨୪୧।

ତୋହୋର ଭୁଜ ଉପାଡ଼ିବେ ଭୀମସେନ ଠାକୁରେ

ରୋଧିର ଢାଳିବେ ନେଇଣ ପାଞ୍ଚାଳୀର ଶିରେ ।୨୪୨।

ତେବେ ସେ କେଶ ବନ୍ଧନ କରିବେ ପାଞ୍ଚାଳୀ

ତେର ବରଷ ହୋଇଲା କେଶ ଅଛିତ ମୁକୁଳି ।୨୪୩।

ଧୁଶାସନର ଶ୍ରୀଭୂଷା ମୁକୁଟ ଅଳଂକାର

ନେଇଣ ଆଭରଣ କଲା ସେ ଚାଣ୍ତାଳର ଶିର ।୨୪୪।

ଚାଣ୍ତାଳର ତୁରୀବାଦ୍ୟ ଧୁଶାସନ ହୃଦରେ ଲମ୍ଵାଇ

ହୃଦରେ ତିନିଗାର କାଟିଲା ରୋଷ ବହି ।୨୪୫।

ଅଶସ୍ତମାକୁ ରଥୁଂ ଆଣିଲା କୋଳକରି

ଭୂମିରେ ଶୁଆଇଲା ବିବସନ କରି ।୨୪୬।

ଦେଖିଲା ଶକୁନି ଯେ ପଡ଼ିଛି ଅଚେତେ

ତାହାର କତିରେ ଦୁହେଂ ମିଳିଲେ ତୁରିତେ ।୨୪୭।

ଶକୁନିର ବଦନ ଯେ ଚାହଇଂ ଫାଲଗୁନି

ଶୁଣ ହୋ ଉତ୍ତର ୟେଟି ଆମ୍ଭର ମାତୁଳ ଶକୁନି ।୨୪୮।

ଜଦୁର ଘରେକ ୟେଟି ଭିଆଇଲା କୂଟ କପଟେ

ପୁରେକ ରଞ୍ଚିଲା ଜଉ ସଜଳସ ଗୁଆଘୃତ ଛଣପଟେ ।୨୪୯।

ବିଷଲଡ଼ୁ ଖୁଆଇଲା ଭୀମସେନ ଠାକୁରଂକୁ

ନାଗେଣୀ ଖାଉ ବୋଲି ପକାଇଦିଲା ଜଳକୁ ।୨୫୦।

କପଟପଶା ଯେ ସଞ୍ଚିତ ୟେହାର ବୁଦ୍ଧି

କୂଟ ଉପାୟେ କରି ସେ ଘେନିଲା ଆମ୍ଭର ସମ୍ପ୍ରଧି ।୨୫୧।

ଉତ୍ତର ବୋଇଲା ଯେ ଟେକିଣ ଦକ୍ଷିଣ ପାଣି

ଦେସି ଆଗ୍ୟାଂ ଦୁରାଚାର ଛାରକୁ ପକାଇବି ହାଣି ।୨୫୨।

ଅର୍ଜୁନ ଧଇଲା ଉତ୍ତର କୁମରର ବାହା

ବାବୁ ଉତ୍ତର ରେ ତୁ କୋପ ନ କରନି ୟେହା ।୨୫୩।

ବାବୁ ମାନଗୋବିନ୍ଦ ରାଜା ୟେହାର ବଇରି

ବଂଶ ନାଶକଲା ୟେହାର ପଥର ଘରେ ଭରି ।୨୫୪।

କେହୁଣିସି ମତେ ତାକୁ ନୁଆରିଲା ଜିଣି

କୂଟ ଉପାୟେ କରିଅଛି ମନ୍ତ୍ରୀ ଚୂଡ଼ାମଣି ।୨୫୫।

ଆମ୍ଭର ତୁଲେ ଯତନେ କରାଇ ବଇରତା

ଦ୍ରିଯୋଧନ ସମ୍ପଦ ହରାଇବା ନିମନ୍ତେ କରାଇ ଅବସ୍ତା ।୨୫୬।

ଆମ୍ଭର ଝିଂଘାସ ସେ କରାଇ ଅନେକ ବାଗେ

ଆମ୍ଭେ ନାଶ କରିବୁ କଉରୋବନ୍ତ ସୁମରି ଗତଦୋଷ ରାଗେ ।୨୫୭।

ୟେହାକଇଂ କୋପ ତୁହୋ ନ କର ବିରାଟି

ବିଚାରନ୍ତେ ଶକୁନି ରେ ଅଛି ଆମ୍ଭର କାର୍ଯ୍ୟ ସେଟି ।୨୫୮।

ଅର୍ଜୁନର ବଚନ ଶୁଣି ଉତ୍ତର ପରମ ଶାନ୍ତି

ଶକୁନିକି କୋପ ଯେ ଛାଡ଼ିଲା ନିଭ୍ରାନ୍ତି ।୨୫୯।

ଶକୁନିକି କୋଳକରି ଧଇଲାକ ବିରାଟି

ତାହାକୁ ଶୁଆଇଲା ନେଇ ଗର୍ଦ୍ଦଭର ପିଠି ।୨୬୦।

ଗଳାରେ ଲମ୍ଵାଇଲା ତାର ଦମାଲୁ ଗୋଟାୟେ

ଅଛବ ବସନମାନ ଆଭରଣ କଲା ତାର କାୟେ ।୨୬୧।

ଦୁର୍ଜୟ ବୋଲିଣ ଯେ ଦ୍ରିଯୋଧନର ସାନ

ତାହାର କେଶ ଯେ ଧଇଲେକ ଅର୍ଜୁନ ।୨୬୨।

ଆରେ ସଭାତଳେ ବସାଇଲୁ ତୁ ଆମ୍ଭନ୍ତ ନେଇ

ୟେବେ ସେ ପ୍ରତଗ୍ୟାଂମାନ ତୋର ସବୁ ଗଲା କାହିଂ ।୨୬୩।

ସୁମର ରେ ଦୁର୍ଜୟେ ତୋହୋର ପିତାମାତା

ସୁମର ଦୁର୍ଜୟ ରେ ତୋ ଇଷ୍ଟଦେବତା ।୨୬୪।

ଶ୍ରୀକୃଷ୍ଣାର ନନ୍ଦନ ଯେ କୋପିତ ମହାରଥା

ଛେଦିବି ଶିରକମଳ ରହୁ ଆଜ କଥା ।୨୬୫।

ଉତ୍ତର ବଚନେ ଯେ ବୋଇଲା ସର୍ବସାଚୀ

ଭୀମସେନ ଠାକୁରଂକ ତହିଂ ପାଇବାନା ବାଚି ।୨୬୬।

ଶତେ ଭାଇ ମାରିବେ ବୋଲି କରିଛନ୍ତି ପ୍ରତଗ୍ୟାଂ

ମୁହିଂ କେସନେକ ତାହା କରିବଇଂ ଅବଗ୍ୟାଂ ।୨୬୭।

ୟେତେବୋଲି ଛାଡ଼ିଲା ସେ ଦୁର୍ଜୟର କେଶ

ସମୟେକ ବ୍ରତିଥାଅ ରେ ଯେତେଦିନ ଥିବ ଆଶା ।୨୬୮।

ଦ୍ରିଯୋଧନର ଶତେଭ୍ରାଥ ଶତେକ ଯେ ରଥୀ

କେଶଧରି କୁମାର ଭୂମିରେ ଶୁଆଇଲା ସବୁନ୍ତି ।୨୬୯।

ରାଗେ ଉତ୍ତର କୁମାର ଖଡ଼ଗେ କରଇ ପ୍ରହାର

ଈଶାନ ଖମ୍ଵମାନ ଛେଦିଲା ସବୁଂକରି ରଥର ।୨୭୦।

ରଥୀମାନଂକୁ ନେଇଣ କରଇ ପାଦାନ୍ତି

ପାଦାନ୍ତିମାନଂକୁ ଯେ କରାଇଲା ନେଇ ରଥୀ ।୨୭୧।

ବାହୁକମାନଂକୁ ନେଇ ବସାଇଲା ଅଶ୍ଵ ପିଠି

ଅଶ୍ଵ ଯୋଦ୍ଧାମାନଂକୁ ପକାଇଲା ଭୂମିଲୋଟି ।୨୭୨।

ଯୋଦ୍ଧାଂକର ବେକରେ ଲଗାଇ ତୂରମାନ

ବାଦ୍ୟକାରମାନଂକୁ କଲା ଯୋଦ୍ଧାର ବିଧାନ ।୨୭୩।

ଥାଠ ଲେଉଟାନ୍ତେ ତିନି ପ୍ରହର ରାତି

ଅର୍ଜୁନ ବିଜେକଲା ମାନଗୋବିନ୍ଦର କତି ।୨୭୪।

ଉତ୍ତର ଦେଖିଲା ଯେ ଦ୍ରିଯୋଧନର ମୁକୁଟ ଗୋଟି

ଶରଧାରେ ଫେଇଲା ତାହାକୁ ବିରାଟି ।୨୭୫।

ଅର୍ଜୁନ ବୋଇଲା ଛାଡ଼ ଛାଡ଼ ମୁକୁଟ ଉତ୍ତର

ଲକ୍ଷ୍ମୀ ବିଜେ କରିଥାନ୍ତି ୟେ ମୁକୁଟ ଉପର ।୨୭୬।

କୋଟିୟେ ମାଣିକ୍ୟ ଯେ ଅଛଇ ୟେଥେ ଲାଗି

କୋଟିୟେ ପାଦେ ୟେଥି ବିଜେ କରଇ ସଭଭୋଗୀ ।୨୭୭।

ୟେ ମୁକୁଟ ଭାରା ହାଦେ ଆନ ନ ସହଇ

ପନ୍ନାଙ୍ଗା ନାରାୟଣ ରୂପେ ୟେହା ମାନଗୋବିନ୍ଦ ବହଇ ।୨୭୮।

ପନ୍ନାଙ୍ଗା ବିଷ୍ଣୁୟେ ରାଜା ଦ୍ରିଯୋଧନ

ଲକ୍ଷେ ନୃପତି ୟେହାର ପାଦେ କରନ୍ତି ବନ୍ଦନ ।୨୭୯।

ବତିଶ ଲକ୍ଷଣ ୟେ ମାନଚକ୍ରବ୍ରତୀ

ପଞ୍ଚୁ କଟକରେ ଅଟଇ ଆଧିପତି ।୨୮୦।

ତ୍ରେତୟାଯୁଗେ ସେ ଜାତ ହୋଇଲା ରାବଣ

ୟେ ମୁକୁଟ ବନ୍ଧାଥିଲା ତାହାର ଶିରେଣ ।୨୮୧।

ୟେ ମୁକୁଟର ତେଜ ଯେ ସହସ୍ରେ କିରଣ

ଦ୍ରିଯୋଧନ ବାନ୍ଧିଲା ୟେହା ଦ୍ଵାପର ଯୁଗେଣ ।୨୮୨।

ୟେ ମୁକୁଟ ତେତିଶ କୋଟି ଦେବତା ନୁଆରିଲେ ବାନ୍ଧି

ୟେ ମୁକୁଟର ମହିମାଂ ଯେ ୟେସନେକ ବିଧି ।୨୮୩।

ଅର୍ଜୁନର ବଚନ ଶୁଣି ସେ ବିରାଟର ଚାଟ

ସଧୀର ସଧୀର କରି ଥୋଇଲା ମୁକୁଟ ।୨୮୪।

ଅର୍ଜୁନ ବୋଲଇ ମାନଗୋବିନ୍ଦର ମୁଖ ଚାହିଂ

କଲାକର୍ମ ତୋତେ ଫଳିଲା ପ୍ରତ୍ୟକ୍ଷଇ ।୨୮୫।

ଯେ ଯାହା ଅରଜଇ ଅବଶ୍ୟ ତାହା ଫଳଇ

କଲାର କୃତ କୁକର୍ମ ବୋଲିଣ ବୋଲଇ ।୨୮୬।

ଆପଣେ ଯାହା ଅର୍ଜି କର୍ମ ବୋଲି ଭୁଞ୍ଜି

ସଞ୍ଚୟେ ନାଶକର ପୋଛିଲା ତୋହୋର ପାଞ୍ଜି ।୨୮୭।

ଆପଣେ ଅରଜା ନାହିଂ ହୋ ଖଣ୍ତନ୍ତା

ଯେତେକ ଦିନ ତୋତେ ଥୋଇଅଛି ବିଧାତା ।୨୮୮।

ଅନର୍ଘ ମଣିମୁକୁଟ ଯେ ଦ୍ରିଯୋଧନ ଶିରେ ଥିଲା

ଅଳାୟୁଧ ରାକ୍ଷସର ଶିରେ ତାହା ବାନ୍ଧିଲା ।୨୮୯।

ଅଳାୟୁଧର ମୁକୁଟ ବାନ୍ଧିଲା ରାଜାର ଶିରେ

କଟାରି ଗୋଟିୟେ ନେଇ ଲମ୍ଵାଇଲା ରାଜାର ଗଳାରେ ।୨୯୦।

କୃପ ଆଚାର୍ଯ୍ୟକୁ କୋପ କଲାକ ବିରାଟି

ଉତ୍ତର କୁମାର ତାହାକୁ ତାହାକୁ କଲା ସାତବେଣ୍ଟି ।୨୯୧।

ଶଲ୍ୟଂକର କେଶ ଯେ କଲେ ଲାଣ୍ତମୁଣ୍ତ

ଥୋଡ଼ ଥାଆନ୍ତେ ସେ ଦିଶିଲେ ବିଖଣ୍ତ ।୨୯୨।

ଭୂରିସର୍ବାଂକର ଯେ ଚିରିଲେ ଲହେ ଗାଲ

ଶ୍ରବଣ ଛେଦନ କଲେ ଯୋଦ୍ଧାୟେ ଯେତେ ଭଲ ।୨୯୩।

ମେଳେଛ ଯୋଦ୍ଧାଂକର ଯେ ଛେଦିଲେକ ନାସା

ଜଦ୍ୟରଥର ଓଷ୍ଠ କାଟି ପୂରୋଇଲେ ମନୀଷା ।୨୯୪।

ସୋମଦତ୍ତ ରାଜାର ଯେ ଛେଦିଲେ ଅଙ୍ଗୁଷ୍ଠି

ବିକର୍ଣ୍ଣର ଛେଦିଲେ ବାମ ତଳିପାଗୋଟି।୨୯୫।

ଲହେ ଅଳମ୍ଵୁଷାର ଖୋଳିଲେ ବାମଚଛୁ

ରେ ରେ କଉରୋବେ ତୁମ୍ଭନ୍ତ ଆଜ କେହୁ ରଖୁ ।୨୯୬।

ରାଜା ଭ୍ରାଥମାନଂକର ଛେଦିଲେ ଅଙ୍ଗୁଳି

କାହାନ୍ତ ଚିରିଣ ଯେ ରୁଧିର ଦିଲେ ବଳି ।୨୯୭।

ବାଲ୍ ହିକ ରାଜାର ଯେ ଚିରିଲେ ବକ୍ଷସ୍ଥଳ

ଧୁଶାସନର ହୃଦେ ଲମ୍ଵାଇଲେ ମନ୍ଦାର ମାଳ ।୨୯୮।

ଦୁଇ ଦୁଇ ଯୋଦ୍ଧାନ୍ତ କଲେକ ବନ୍ଧନ

କାହାର ହୃଦେ ଲଦିଲେ ନେଇ ପାଷାଣ ଖଣ୍ତମାନ ।୨୯୯।

ଶୁଣ ମହାରାଜା ୟେହା ଅଗସ୍ତି କହିଲେ

ଅତିଅନ୍ତ ରାଗେ ଅର୍ଜୁନ ୟେମନ୍ତ କୃତ କଲେ ।୩୦୦।

ପୁଣ ସେ ମିଳିଲେ ଜଦ୍ୟରଥର ପାଶରେ

ଚାଣ୍ତାଳ ଗୋଡ଼ ବାନ୍ଧିଲେ ଜଦ୍ୟରଥର ଶିରେ ।୩୦୧।

ଉତ୍ତର ବୋଇଲା ସ୍ଵାମୀ ତୋହେର ବିବତ୍ସ ନାମ ଗୋଟି

ବିଭତ୍ସ କର୍ମ ତୋର ଦେଖିଲା ମମଦୃଷ୍ଟି ।୩୦୨।

ଅରୁଣ ପ୍ରକାଶକୁ ଅଳ୍ପ ଅଛି ରୟଣୀ

ଅଡ଼ାଅ ଗୋଧନ ପଲ ଉତ୍ତର ଚାଲ ଯିବାଘେନି ।୩୦୩।

ଗୋପାଳମାନେ ସେ ଯେ ବନ୍ଧନେ ପଡ଼ିଥିଲେ

ଅନେକ ରତ୍ନ ସେ ଯେ ବାଛିଣ ଘେନିଗଲେ ।୩୦୪।

ତାଡ଼ ତୋଡ଼ର ଯେ ବଳୟା କଂକଣ

କୁରୁଥାଠେ ପଶିଣ ଗୋପାଳେ ଲୁଟିଲେ ତତକ୍ଷଣ ।୩୦୫।

ଚାମର ବସ୍ରମାନ ଘେନିଲେ ରଥଂକରୁ

ହରଷେ ଗୋପାଳମାନେ ଯେ ଅଡ଼ାବନ୍ତି ଗୋରୁ ।୩୦୬।

ଅନେକ ରତ୍ନମାନ ଗୋପାଳେ ଶରୀରେ ଆଭରଣ

ଧାମଇ ସହଦେବ ଯେ ଲଉଡ଼ି କରେଣ ଧରିଣ ।୩୦୭।

ଅଡ଼ାବନ୍ତି ଗୋଧନ ପଲ ସେ ବଡ଼ାଇ ହରଷେ

ଗୋଧନ ଘେନିଣ ଯାଇଂ ପ୍ରବେଶ ପଞ୍ଚୁକୋଶେ ।୩୦୮।

ଅଶୀ ସହସ୍ର ଗୋପାଳେ ଯେ ଗୋଧନ ବେଢକରି

ସହଦେବଂକୁ ବେଢି ସେ ରହିଲେ ଆବୋରି ।୩୦୯।

ରଥ ବାହଇ ତହିଂ ସେ ବିରାଟର ବାଳ

ବିଜୟେ ସର୍ବସାଚୀ ଶମୀବୃକ୍ଷ ତଳ ।୩୧୦। ୬୪୭୮।

****************

 

Unknown

ବିରାଟ କଳ୍ପିରାଜା ଯୁଦ୍ଧେ ଗମନ ଓ ଭୀମ କର୍ତ୍ତୃକ ବୀରବାହୁର ପତନ

ବଇବସୁତ ମନୁ ଅଗସ୍ତିଂକି କଲେ ପୁଛା

ତବ ପୁଣ୍ୟେ ବିଷ୍ଣୁ ପୁରାଣ ମୁଂ ଶୁଣିତେ କଲି ଇଛା ।୧।

କଳପି ରାଜ୍ୟକୁ ଯେ ଗଲାକ ବିରାଟ

ସେ ବେନି ରାଜାଂକର କେଉଂଠାରେ ହେଲା ଭେଟ ।୨।

ଅଜମିଢ ପର୍ବତେ ବିଜୟେ ବୀରବାହୁ

ବିରାଟର ସଇନି ପ୍ରବେଶ ହୋଇଲେ ତହୁଂ ।୩।

ବାରତା ପାଇଣ ସେ ବୀରବାହୁ ନୃପତି

ଜାବଡ଼େ ଚଳାଇଲା ସେ ସମସ୍ତ ହାଥୀ ରଥୀ ।୪।

ଯହୁଂ ଯବନ ବଳ ଉଠିଲେ ଗଳଗାଜି

ମଛ ରାଜାର ସଇନି ପଳାଇଲେ ସର୍ବ ଭାଞ୍ଜି ।୫।

ବୀରବାହୁର ସଇନି ତହିଂ କଲେ ଗୋଳ

ଗୋଡ଼ାଇ ପିଟିଲେ ସେ ବିରାଟର ସନ୍ୟବଳ ।୬।

ଅନେକ ସଇନି ଯେ ପଡ଼ନ୍ତେଣ ଦୃଷ୍ଟି

କୋନ୍ତଂକର ମୁଖ ଚାହିଂ ବୋଲଇ ବିରାଟି ।୭।

କୋନ୍ତେ ସମଦଣ୍ତ ଭାଜିଲା ହୋଇଲି ନିରିମାଖି

ଶରୀର ନ ରହଇ ସନ୍ୟଂକର ହତ ଦେଖି ।୮।

ପଳାବନ୍ତି ସଇନି ପୟେଡ଼ ଯେ କରି

ଭାଞ୍ଜି ପଳାବନ୍ତି ରଥ ଗଜ ଅଶ୍ଵ ଛାଡ଼ି ।୯।

ବିରାଟ କୋନ୍ତେ ବଲ୍ଲଭ ଗ୍ରନ୍ଥିକାର ବାଜୀପାଳ

ପାଞ୍ଚେହେଂ ରହିଛନ୍ତି ଅନଳ ବଟର ତଳ ।୧୦।

ସନ୍ୟ ପଳାଇଲେ ଛିନ୍ନ ଯେ ବିଛନ୍ନେ

ବାରବାହୁ ଥାଠ ଗୋଡ଼ାବନ୍ତି କୋପମନେ ।୧୧।

ବିରାଟ କୋପକଲା ସଇନି ହତ ଦେଖି

ବିଶ୍ଵାସେ ଆଣିଲ ମୋତେ କୋନ୍ତେ ନୁଆରିଲି ରଖି ।୧୨।

ଆବର ଥାଇଣ ମୁଂ କିସ କରିବଇଂ କୋନ୍ତେ

ୟେହିକ୍ଷଣି ନାଶ ଯିବାଟି ନ ଯାଇ ରଖନ୍ତେ ।୧୩।

ରଥ ତେଜ୍ୟାକରି ସେ ମଛଦେଶ ସାଇଂ

ପଳାଇ ଲୋଡ଼ଇ ରାଜା ମନ୍ତ୍ରୀ ତୁଲେ ନାହିଂ ।୧୪।

କଷ୍ଠୋର ଦେଖିଣ ସେ ଘୁଞ୍ଚିଲେ ଯୁଝେଷ୍ଟି

ନକୁଳ ଘେନିକରି ବାହୁଡ଼ିଲେ ନ ଚାହିଂଲେ ଲେଉଟି ।୧୫।

ନକୁଳ ଯୁଝେଷ୍ଠି ଯେ ଯାଚକେଶ୍ଵର ମନ୍ତ୍ରୀ

ୟେ ତିନିହେଂ ଘୁଞ୍ଚି ବନ ଗହନେ ପଶନ୍ତି ।୧୬।

ବିରାଟ ପଳାବନ୍ତେ ଦେଖିଲା ସୂପକାର

ରହ ରହ ବିରାଟ ହୋ ଦେଖିବା ସମର ।୧୭।

ୟେମନ୍ତ ସମୟେ ଯାଇଂ ବେଢିଲେ ସଇନି

ଅନେକ ଦୂରକରି ବେଢିଲେ ଶୁଭଇ ଘୋରଧୁନି ।୧୮।

ସମୁଦ୍ର ଉଲ୍ଲୋଳ ପ୍ରାୟେ ଦିଶୁଅଛି ଥାଠ

ଦେଖିଣ ଉଞ୍ଚସ୍ଵରେ ରୋବଇ ବିରାଟ ।୧୯।

ବିସରି ବୋଇଲା ମୁଂ ଅଟଇ ବଡ଼ ପାପୀ

କୀଞ୍ଚେକ ମଲା କିମ୍ପା ମୁଂ ନ ମଲି ଅଦ୍ୟାପି ।୨୦।

ଅଥବା ମରଣ ନୋହିଲା ଯେବେ ମୋତେ

ୟେ କଷଣୁଂ ପାରି ମୁଂ ହୋଇବି କେମନ୍ତେ ।୨୧।

ରାଜ୍ୟଭାର ତେଜି ନୋହିଲି କିମ୍ପା ଯୋଗୀ

ଆବର କି ମୋତେ ରାଜ୍ୟଭାର ଭୋଗୀ ।୨୨।

ୟେହାଂକର ପାପ ଆତ୍ମା ମୁଂ ଜାଣିଲଇଂ ହାଦେ

ପରରାଜ୍ୟେ ଆଣି ମୋତେ ଚିନ୍ତିଲେ ପରମାଦେ ।୨୩।

ମୋତେ ୟେହି ସମରେ ଯେ ପକାଇଲେ ପେଲି

ହେହାଂକୁ ତ ନୋହିବ ମାରନ୍ତା ବ୍ରାହ୍ମଣ ଜନ ବୋଲି ।୨୪।

ସଞ୍ଚୟେ ରାଜ୍ୟକୁ ମୋର ବଳାଇଲେ ଆଶ

ସୁଦୃଦପଣେ ପଡ଼ି ମୁଂ ହୋଇଲି ଝିଂଘାସ ।୨୫।

ବିରାଟ ବୋଇଲା ମୋତେ ଛାଡ଼ୁକିନା ଗୋସାଇଂ

ୟେ ଗହନ ଥାଠ ଦେଖି ମୋହୋର ବ୍ରତି ନାହିଂ ।୨୬।

ୟେଥୁ ବେଳେ ମୋତେ ଘେନିଯାଅ ଉଦ୍ଧାରି

ମଘଦେଶେ ମଛଦେଶେ ତୁମ୍ଭେ ହୁଅସି ଅଧିକାରୀ ।୨୭।

ଶୁଣ ହୋ ବିରାଟ ବଦୟନ୍ତି ବଲ୍ଲଭ

ଛତ୍ରୀବୃତ୍ତ କଥା ହାଦେ ବଡ଼ାଇ ଦୁଲଭ ।୨୮।

ସମର ଆରମ୍ଭ ଯେ କରିଅଛଇ ବୀରବାହୁ

ୟେମନ୍ତ ବେଳେ ଘୁଞ୍ଚିଲେ ବ୍ରତିବା ଆମ୍ଭେ କାହୁଂ ।୨୯।

ତୋତେ ମୋତେ ସର୍ବେ ଯେ ଦେଖୁଛନ୍ତି ବେଢି

ଆମ୍ଭର ଥାଠ ଥୋକାୟେ ଯାଆନ୍ତୁ ଅପସରି ।୩୦।

ୟେମନ୍ତ ବିଚାରନ୍ତେ କଟାଳିଲେ ସଇନି

ଭୀମସେନ ରହିଅଛି ବିରାଟକୁ ଘେନି ।୩୧।

ଧାତିକାରେ ବେଢିଲେ ଯେ ଲକ୍ଷେ ମୁକୁଟବନ୍ଧା ଯୋଧୀ

ଅବିଛନ୍ନେ ନାରାଜ ଯେ କରୁଛନ୍ତି ସନ୍ଧି ।୩୨।

ଭୀମସେନ ବୋଇଲା ହୋ ଶୁଣ ରାୟେ ମତ୍ସେ

ପୁରସରି ନ ଯିବୁ ତୁ ରହିଥାଅ ମୋର ପଛେ ।୩୩।

ୟେହିକ୍ଷଣି ସମଦଣ୍ତ ବିଦାରିବି ରୋଳେ

ମାରିବି ଯବନବଳ ତୋହୋର ଅଙ୍ଗଛଳେ ।୩୪।

ବିନ୍ଧନ୍ତି ଯୋଦ୍ଧାୟେ ଯେ ଆକର୍ଣ୍ଣ ପୂରୋଇ

ନାରାଜ ଚୂର ହେଉଛି ଭୀମସେନ ଅଙ୍ଗେ ଯାଇଂ ।୩୫।

ପର୍ବତ ଉହାଡ଼େ ଥାଇ ଯେସନେକ ଜନେ

ବିରାଟ ନିଶ୍ଚିନ୍ତେ ରହିଲା ଭୀମସେନର ସନେ ।୩୬।

ଦେଖିଲେ କଷ୍ଠୋରେ ସଇନି ଯେ ହୋଇଲେକ ଭେଟ

କାଳାନଳ ମୃତ୍ତିଧରି ଉଠିଲା ଗରିଷ୍ଠ ।୩୭।

କାଳାନଳ ମୂର୍ତ୍ତି ଜାଣି ସେ ପବନର ବତ୍ସ

ଆକ୍ରୋଷିଣ ଭୀମସେନ ଉପାଡ଼ିଲା ଶାଳ ବେନିବୃକ୍ଷ ।୩୮।

ଅନ୍ତରୀକ୍ଷେ ଧରି ବୁଲାଇ ବୃକ୍ଷ ଉର୍ଦ୍ଧ୍ଵବାହୁ

ନିଶାପତିକି ଦେଖି ଯେହ୍ନେ କ୍ଷେପଇ ଶୂନ୍ୟେ ରାହୁ ।୩୯।

ସେହି ପ୍ରକାରେ ସେ ଦିଶଇ ବ୍ରିକୋଦର ମୃତ୍ତି

ପର୍ବତ ତଳେ ଯେହ୍ନେ ଦିଶନ୍ତି ବୃକ୍ଷପନ୍ତି ।୪୦।

ମନ୍ଦର ପର୍ବତ ଜାଣି ଭୀମସେନର କାୟେ

ବୀରବାହୁ ସନ୍ୟ ଦିଶିଲେ ଖର୍ପରୂପ ପରାୟେ ।୪୧।

କାଳଚକ୍ର ପାୟେ ଯେ ବୁଲାଇ ବେନିଡ଼ୋଳ

ଅଧର ବିକଟାଳ ଖାଂକର ଯାହାର ବାଳ ।୪୨।

ଯେସନେକ ଭଇରୋବ ଉଠଇ ଗଳଗାଜି

ରେ ରେ କାର କରି ହାକନ୍ତେ ପଳାଇଲେ ସର୍ବସନ୍ୟ ଭାଜି ।୪୩।

ଦଣ୍ତ ଭାଞ୍ଜନ୍ତେଣ ବ୍ରିକୋଦର ଉଠି

ଶାଳବୃକ୍ଷ ବୁଲାଇଣ ଅନ୍ତରୀକ୍ଷେ ନେଇ ପିଟି ।୪୪।

ପୁଣ ପୁଣ ପ୍ରହାର କରଇ ବୀର ପରଚଣ୍ତା

ସହସ୍ରେକ ରଥ ଭାଞ୍ଜି କଲାକ ମସୀଗୁଣ୍ତା ।୪୫।

ରାଗେ ବୃକ୍ଷେକ ଧରିଣ ବୁଲାଇ ଭୀମସେନ

ଗଜ ଅଶ୍ଵ ଉପରେ ପିଟିଲା କୋପମନ ।୪୬।

ଭଲ ଭଲ ଦନ୍ତା ଯେ ମୟେମତ୍ତାମାନ

ହାଥରେ ଧରିଣ ରାଗେ ବୁଲାଇ ଭୀମସେନ ।୪୭।

ବେନିକରେ ବେନିଗଜ ବୁଲାଇ କୋପଭରେ

ପ୍ରହାର କରଇ ଭୀମସେନ ଯୋଦ୍ଧାଂକ ଉପରେ ।୪୮।

ବାତଘାତେ ଯେସନେ କଦଳୀ ବନ ଭାଞ୍ଜି

ସେହି ସାଦୃଶ୍ୟେ ଭୀମସେନ ଯବନ ବଳ ପଡିଲେ ନିମଜ୍ଜି ।୪୯।

ଅପ୍ରମିତ ସମର ଅଗୋଚର ଯହୁଂ

ଦେଖିଣ ଦୁରାନ୍ତକ ବଳ ଭାଞ୍ଜିଲେକ ତହୁଂ ।୫୦।

ଅନେକ ନାରାଜ ଯେ ବିନ୍ଧିଲେ ସର୍ବବୀର

ସମସ୍ତ ଚୁରଗଲା ମାରୁତି ଅଙ୍ଗର ।୫୧।

ଗଦା ମୁଦୁଗର ଯେ ତିମ୍ୱୁର ଚକ୍ର କାତି

ଭୀମସେନ ବାମଅଙ୍ଗେ ପଡି ସର୍ବେ ଚୂରହୋନ୍ତି ।୫୨।

କୋନ୍ତ ଜାଠି ଶକତି ଗୁରୁଜ ବାବଲ ଲାଂକିଆ

କେତେ କେ ମାରୁଅଛନ୍ତି କେ ଅନ୍ତକରୁ ତାହା ।୫୩।

ପର୍ବତ ଉପରେ ଯେହ୍ନେ ବରଷଇ ଜଳ

ଭୀମସେନ ଅଙ୍ଗେ ବାଜି ଶସ୍ରେ ପଡନ୍ତି ମହୀତଳ ।୫୪।

ନାରାଜ ନ ଭେଦଇ ଯେ ଭୀମସେନର ଅଙ୍ଗେ

ବିମୁଖେ ସମସ୍ତ ସଇନି ପଳାବନ୍ତି ରଣଭଙ୍ଗେ ।୫୫।

ବାସଭଗ୍ନେ ଯେସନେକେ ପଳାବନ୍ତି ପକ୍ଷୀ

ଭାଞ୍ଜିଲେ ପବନ ବଳ ହୋଇଲେ ନିରିମାଖି ।୫୬।

ଆମାନୁଷ୍ୟ କୃତ ଯେ କଲାକ ବ୍ରିକୋଦର

ଦ୍ୱାଦଶ ଯୋଜନ ପରିଯନ୍ତେ ପଡ଼ିଲା ପୟେଡ ।୫୭।

ରଥ ଗଜ ଅଶ୍ୱ ସଇନି ପାଦାନ୍ତି

ୟେକର ଉପରେ ପଡ଼ି ଆରେକ ନିମଜ୍ଜନ୍ତି ।୫୮।

ପଡ଼ିଲେ ସଇନି ଯେ ନିଶବଦ ହୋଇ

ରକତେ କର୍ଦ୍ଦନ ହୋଇଲାକ ରଣଭୂଇଂ ।୫୯।

ଦ୍ୱାଦଶ ଯୋଜନ ଦୀର୍ଘ ତିନି ଯୋଜନ ପ୍ରତି

ୟେତେ ଦୂର ମାଡ଼ିଣ ଯେ ପଡ଼ିଲେ ସଇନି ପାଦାନ୍ତି ।୬୦।

ରୋଧିରେ ବିଲେପନ ଯେ ଭୀମସେନର କାୟେ

ଦିଶଇ ଅଷ୍ଟାଙ୍ଗ ଯେ ମନ୍ଦାର ପୁଷ୍ୟ ପ୍ରାୟେ ।୬୧।

ଶତେ ପରାୟୁଧ ସନ୍ୟ ଆଣିଥିଲା ବୀରବାହୁ

ପଞ୍ଚ ପରାୟୁଧ ଘେନି ପଲାଇଲା ସେହୁ ।୬୨।

ଦନ୍ତରେ ତିରଣ ଯେ ଅଧରେଣ ଅଙ୍ଗୁଷ୍ଠି

ବାହାନ ତେଜ୍ୟା କରିଣ କେ ଚରଣରେ ଲୋଟି ।୬୩।

ନିର୍ଦ୍ଦୟା ନିରାକୁଳ ନିର୍ଭୟେ ନିରାପକ୍ଷଇ

ଶରଣ ବୋଇଲେ ସେ କ୍ଷଣେହେଂ ନ ରଖଇ ।୬୪।

ରୁଦ୍ର ଅବତାର ସେ ଜାଣିଣ ଭୀମସେନା

ବୀରବାହୁ ଦଣ୍ଡ ଭାଞ୍ଜିକଲା ସର୍ବ ଚୂନା ।୬୫।

ଗୋଡ଼ାଇ ବ୍ରିକୋଦର ଆ ଆରେ ବୀରବାହୁ

କାହିଂକି ପଳାଇଅଛୁ ପଛେ ଗୋଡ଼ାଇଅଛି ରାହୁ ।୬୬।

ଆରେ ଲେଉଟା କରି ତୋର ରୁହାଇ କିନା ହୟେ

ନିସତ ହୋଇଲେ କି ରହିବ ତୋର କାୟେ ।୬୭।

କଟାଳ ଦେଖିଣ ସେ ସହସ୍ରେକ ଯୋଦ୍ଧା ତୁଲେ

ନବନିଶି କୋନ୍ତ ଘେନି ସେ ୟେକମୁଖେ ରହିଲେ ।୬୮।

ଭୀମସେନ ନିପାତ କଲାକ ତାହାର ତେଜ

ସହସ୍ରେ କୋନ୍ତ ଘେନି ଯେ ମାଇଲା ମହାରାଜ ।୬୯।

ମହାତେଜ ଦେଖି ମାରୁତି ପାଡ଼ିଲା ବାମଅଙ୍ଗ

ସମସ୍ତ କୋନ୍ତେ ପଡ଼ି ହୋଇଲେକ ଭଙ୍ଗ ।୭୦।

ଶହସ୍ର ବିଅର୍ଥେ ଯେ ରହିଲେ ସର୍ବେ ଘୁଞ୍ଚି

ବ୍ରିକୋଦର ବୋଇଲା ରେ ହୋଇଲୁ ନିରିମାଖି ।୭୧।

କାଳଚକ୍ର ପ୍ରାୟେ ଭୀମ ବୁଲାଇ ବେନିଆଖି

ଯୋଦ୍ଧାୟେ କିଂକର ହୋଇଲେ ତାହାକଇଂ ଦେଖି ।୭୨।

ଚନ୍ଦ୍ର ଦେଖି ରାହୁ ଯେହ୍ନେ ପଡୁଥାଇ ମାଡ଼ି

ଭୀମସେନ ପିଟିଲା ଯେ ଲୋହଦଣ୍ଡ କାଢି ।୭୩।

ଯୋଦ୍ଧାଂକର ଶିରରେ ଯେ ପଡ଼ିଲା ଲୋହଦଣ୍ଡ

ଅଶ୍ୱମାନେ ଶୁଅନ୍ତି ହୋଇଣ ବେନିଖଣ୍ଡ ।୭୪।

ନିସତ ହୋଇଣ ଛତ୍ରୀ ଦନ୍ତେ ଘେନନ୍ତି ତିରଣ

ମୁଖେ ଅଙ୍ଗୁଷ୍ଠ ଲାଇ ଫୁକାରନ୍ତି ଶରଣ ।୭୫।

ପ୍ରଣପତ୍ୟ ହୋୟେ ଯେହୁଂ ତାକୁ ମାରଇ ପାଦଘାତେ

ପଳାନ୍ତା ଯୋଦ୍ଧାକୁ ସେ ପ୍ରହାର କରଇ ମୁଖେ ।୭୬।

ସହସ୍ରେ ଯୋଦ୍ଧା ତାହାର ସମସ୍ତେହେଂ ସାଖା

ପଡ଼ିଲେ ନିବୁଜାଇ ହୋଇଣ ନିରେଖା ।୭୭।

ମୂଷଳେକ ଘେନିଣ ସେ ନୃପତି ବୀରବାହୁ

ଭୀମସେନ ଉପରେ ପିଟିଲାକ ସେହୁ ।୭୮।

ଦେଖିଣ ବ୍ରିକୋଦର ତାହା ଧଇଲା ବାମହାଥେ

ହୃଦଗତେ ତାହାକୁ ମାଇଲା ପାଦଘାତେ ।୭୯।

ପଡ଼ନ୍ତେଣ ମୁଥେକ ପ୍ରହାର କଲା ତୋଳି

ବୀରବାହୁର ଗାତ୍ର ୟେ ହୋଇଲାକ ଧୂଳି ।୮୦।

ରାଜାର ପଡ଼ନ୍ତେଣ ଯେ ଅପାର ରଥୀ ଥିଲେ

ନିଜ ଭୂମି ଛାଡ଼ି ସେ ବନସ୍ତେ ପଶିଲେ ।୮୧।

ଶୁଣ ହୋ ରାଜନ ଭୀମସେନ ଚଳଇ ବିରାଟକୁ ଘେନି

ଆସିଣ ଭେଟିଲେ ସେହୁ ଆପଣା ସଇନି ।୮୨।

ମାଡ଼ିଣ ବସିଲେ କଳପି ରାଜ୍ୟଭାର

ଅନେକ ଧନ ଭଣ୍ଡାର ତାହାର କଲେ ଜୂର ।୮୩।

ଶ୍ୱେତନାମେ ବିରାଟର ଅଟଇ କନିଷ୍ଠ ପୁତ୍ର

କଳ୍ପ ରାଜ୍ୟେ ତାହାକୁ ଧରାଇଲେ ଦଣ୍ଡଛତ୍ର ।୮୪।୬୫୬୨।

**************

 

ଉତ୍ତରର ଜୟ ବାର୍ତ୍ତା ଶୁଣି ବିରାଟର ଆନନ୍ଦ ଓ ଯୁଧିଷ୍ଠିରଙ୍କର ମସ୍ତକରୁ ରକ୍ତପାତ

ରଥ ଗଜ ଅଶ୍ୱ ତାକୁ ଦିଲେକ ବହୁତ

ୟେମନ୍ତର ସମୟେ ନେଇ ବାରତା ଦିଲା ଦୂତ ।୧।

ସ୍ୱାମୀ ଦଣ୍ଡଭଗ୍ନ ହୋଇଣ ଯେ ତ୍ରିଗର୍ତ୍ତେଶ୍ୱର ଗଲା

ଦ୍ରିଯୋଧନ ଅଗ୍ରତେ ଯାଇ ସବୁ ବାରତା କହିଲା ।୨।

ସ୍ୱାମୀ ଶରଣପଞ୍ଜର ବାନା ଅଟଇ କୁରୁପତି

ମତ୍ସଦେଶକଇଂ ବାହିଲା ରାଜା ମାନଚକ୍ରବ୍ରତୀ ।୩।

ରାଜା ରାଜ୍ୟେ ନାହିଂ ବୋଲି ସେ ବାରତା ପାଇଲା

ରାଜ୍ୟକୁ ନୁଆସି ତେଣେ ଗୋଧନ ହରିନେଲା ।୪।

ଶୁଣିଣ ବିରସ ଯେ ହୋଇଲେ ବିରାଟ

ଭୀମସେନ ବୋଇଲାରେ ଲେଉଟାଅ ବେଗେ ଥାଠ ।୫।

ଶ୍ୱେତ କୁମାରକୁ କଳ୍ପିରାଜ୍ୟେ ଥୋଇ

ଆସଇ ମତ୍ସାଧିପ ଥାଠ ଯେ ଚଳାଇ ।୬।

ପବନହୁଂ ବେଗେ ଥାଠ ଚଳାଇ ଭୀମସେନ

ମୋହୋ ଯିବାଯାୟେ ନପୁଣ ନଥାଇ ଦ୍ରିଯୋଧନ ।୭।

ୟେତେକ ପୁଣ୍ୟ କାହିଂ ଅବା କରିବି ଇହଜନ୍ମେ

ଭେଟିକି କି କଉରୋବ ବଳ ଆଜଇ ସାଂଗ୍ରାମେ ।୮।

ନିଜର ଦେଶେ ରାଜା ଯାଇଂ ପ୍ରବେଶ ତଡ଼ତି

ପୁଣ ଦେଶାଉରେ ନେଇ ବାରତା କଲେ ଧାତି ।୯।

ସ୍ୱାମୀ ଦ୍ରିଯୋଧନ ରାଜା ଗୋଧନ ନିଅନ୍ତେଣ ହରି

ଉତ୍ତର କୁମାର ୟେକା ଗଲାକ ରଥେ ଚଢି ।୧୦।

ଶୁଣି ବିରସ ଯେ ହୋଇଲେ ବିରାଟ

ଉତ୍ତର ପ୍ରାକ୍ରମେ କି ଜିଣିବ କୁରୁଥାଠ ।୧୧।

କୋନ୍ତେ ପଚାରିଲେ ସେ ଗଲା କି ୟେକାଙ୍ଗେ

ଅଥବା କାହାକୁ ସେ ଘନିଗଲା ସଙ୍ଗେ ।୧୨।

ଡଗର ବୋଇଲା ସ୍ୱାମୀ ନପୁଂସକ ବୃହନ୍ନାରୀ

ତାହାକଇଂ ଘେନିଗଲା ସେ ରଥେ ସାରଥି କରି ।୧୩।

କୋନ୍ତେ ବୋଇଲେ ହୋ ରାଜା ନ ଭାଳନି ଆଉ ଚିତ୍ତେ

ଉତ୍ତରକୁ ପ୍ରମାଦ ନାହିଂ ୟେ ବୃହନ୍ନାରୀ ଥାଆନ୍ତେ ।୧୪।

ବଲ୍ଲଭ ଥାଠ ଯେ କଢାୟେ ବେଗ ବେଗ

ସମସ୍ତ ପଛକରି ଭୀମସେନ ହୋଅଇ ଆଗ ।୧୫।

ଭୀମସେନଂକ ଆଗମନ ବାରତା ୟେ ଶୁଣି

ଅର୍ଜୁନ ବିଚାରଇ କଉରୋବେ ମରିବେ ୟେହିକ୍ଷଣି ।୧୬।

ଜୀବନ୍ୟାସ ଶରେକ ଯେ ପେଷିଲେ କିରୀଟି

ଜୀବଦାନ ପାଇଣ ଯେ କଉରୋବେ ସର୍ବେ ଉଠି ।୧୭।

ରୟଣୀ ପ୍ରଭାତେ ଚେତନା ପାଇଲେକ ବଳ

ସମସ୍ତ ପାଲଟ ଦେଖି ଉପୁଜିଲା ମହାଗୋଳ ।୧୮।

କେ ବୋଲଇ ମୋହୋର ମୁକୁଟ କେହୁ ନେଲା

କେ ବୋଲଇ ରତ୍ନହାର କେ ମୋହୋର ଚୋରିକଲା ।୧୯।

କେ ବୋଲଇ ମୋହୋର ଗଦା ଧନୁ ନାହିଂ

ପାଦାନ୍ତି ହୋଇ ରଥୀ ହୋଇଲି କିଂପାଇଂ ।୨୦।

କେ ବୋଲଇ ମୋହୋର ନାସା ଶ୍ରବଣ ଛେଦିଲା

କେ ବୋଲଇ ମୋହୋର ଶରୀର ବିଦାରିଲା ।୨୧।

ଭୀଷ୍ମେ ବୋଇଲେ ହୋ ନ କଲ ଆମ୍ଭର ଯେ ବୋଲ

କାଳେ ଫଳିଲା ତୁମ୍ଭଂକୁ ନୋହିଲା କିଛି ଭଲ ।୨୨।

ୟେହେନ୍ନେକ ବିଡ଼ମ୍ୱଣ କଲାକ ଫାଲଗୁନି

ପଳାଅ ୟେବେ ସମସ୍ତେ ନିଲ୍ଲଜ ଆତ୍ମା ଘେନି ।୨୩।

ଦ୍ରୋଣଂକର ଅଗ୍ରତେ ଶଲ୍ୟେ ଯେ ବୋଇଲେ

ଧର୍ମେଣ ଅର୍ଜୁନ ସବୁଂକରି ଶିର ନ ଛେଦିଲେ ।୨୪।

ଶକୁନି ବୋଇଲା ହୋ ମଲେ ଭଲ ହୁଅନ୍ତା

ମରଣୁଂ ଅଧିକ ହୋଇଲା ଯେ ଚିରାଞ୍ଚନା କଥା ।୨୫।

ଭୀଷ୍ମେ ବୋଇଲେ ୟେବେ ପଳାଅ ବହନ

ସମ୍ପୋଡ଼େ ମାରିବଟି ଆସୁଅଛି ଭୀମସେନ ।୨୬।

କେଶବାସ ଅସମ୍ଭାଳେ ପଳାବନ୍ତି ସଇନି

ଯାନ ବାହାନ ଚଢି ଯେ ନୁଆରନ୍ତି ଶସ୍ରଘେନି ।୨୭।

ଗଜେ ପଳାବନ୍ତେ ମାଡ଼ିଗଲେ ପାଦାନ୍ତି

ରକତ ମାୟେଂସେ କର୍ଦ୍ଦନ ହୋଇଲାକ ପୃଥୀ ।୨୮।

ୟେଥୁ ଅନନ୍ତରେ ହୋ ଶୁଣିବା ବାକ୍ୟରସ

ମହାଭାରଥ ଶୁଣନ୍ତେ ଯେ ଦୁରିତ ହୋୟେ ଧଂସ ।୨୯।

ଅପୁତ୍ରିକମାନେ ପୁତ୍ର ପାବନ୍ତି ବସନ୍ତି ସ୍ୱର୍ଗବାସ

ହେ ସୁଗ୍ୟଂଜନମାନେ ଶ୍ରବଣେ ଶୁଣି ହୃଦେ ୟେହା ଘୋଷ ।୩୦।

ଦାରୁକକୁ ହକାରି ବିନୟେ ବୋଲନ୍ତି ଫାଲଗୁନି

ଦ୍ୱାରିକାପୁରକୁ ଯାଅ ଯା ୟେବେ ନନ୍ଦିଘୋଷ ରଥ ଘେନି ।୩୧।

ସମସ୍ତ ବାରତା କହ ଶ୍ରୀହରିଂକ ଆଗେ

ଜିଣିଲି କଉରୋବନ୍ତ ମୁହିଂ କୃଷ୍ଣଂକ ଅନୁରାଗେ ।୩୨।

ଚଳଇ ଦାରୁକ ୟେ ନନ୍ଦିଘୋଷ ରଥ ଘେନି

ଧନୁତ୍ରୋଣ ଶମୀକ୍ରୋଟେ ଥୋଇଲେ ଫାଲଗୁନି ।୩୩।

ସ୍ତିରୀବେଶ ଅଳଂକାର ପୁଣିହିଂ ଅର୍ଜନ ଅଙ୍ଗେ ଭରି

ତିନି ଦିନକଇଂ ଭ୍ରାନ୍ତିକି ରୂପ ବୃହନ୍ନାରୀ ।୩୪।

ବୀରବେଶ ଅଳଂକାର ଶ୍ରୀକୃଷ୍ଣାର ସୁତ

ଅର୍ଜୁନ ପାଦପଦ୍ମେ ବିନୟେ ଭଗତ ।୩୫।

ସ୍ୱାମୀ ରଥୀର ପଣେ ମୋହୋର ରଥେ ବସିବେ ଇଚ୍ଛାନାହିଂ

ଶରୀର କମ୍ପଇ ମୋହୋର ତୋହୋର ରୂପ ଚାହିଂ ।୩୬।

ଅର୍ଜୁନ ବୋଇଲା ଭ୍ରାନ୍ତି ନ କରସି କିଛି

ଅଗ୍ୟାଂତବାସ ଆବର ବେନି ଦିବସ ଅଛି ।୩୭।

ଉତ୍ତର କୁମାର ରଥୀ ଅର୍ଜୁନ ସାରଥି

ଶମୀବୃକ୍ଷ ତଳରୁ ଯେ ଚଳନ୍ତି ତଡ଼ତି ।୩୮।

ଅର୍ଜୁନ ଆଦେଶେ ଦାରୁକ ଗଲା ବେଗେ

ନନ୍ଦିଘୋଷ ଘେନି ପ୍ରବେଶ ରାମକୃଷ୍ଣ ଆଗେ ।୩୯।

ସାଂଗ୍ରାମ କଥା ସବୁ କହଇ ସଞ୍ଚପି

ୟେକା ଅର୍ଜୁନକେ କଉରୋବେ ବଳଯାକ ବ୍ୟାପି ।୪୦।

ଅଷ୍ଟାଦଶ କ୍ଷଉଣୀ ଯେ ଭୀଷ୍ମ ଦ୍ରୋଣଂକର ମୂଳେ

ସବୁନ୍ତି ଧଂସିଲା ପାର୍ଥ ରଣ କୁତୂହୋଳେ ।୪୧।

ଶୁଣି କୃତକୃତ୍ୟ ୟେ ତୁଳୁସାର ବଲ୍ଲଭ

ହୃଦଗତେ ବିସ୍ମୟ ହୋଇଲେ ପ୍ରଭୁ ବଳଦେବ ।୪୨।

ନନ୍ଦିଘୋଷ ଚାହିଂ ହରି କରନ୍ତି ଧନି ଧନି

ୟେ ରଥେ ବିଜେ ମୋହୋର କଲାକ ଫାଲଗୁନି ।୪୩।

ଆହୋ ଚଇତନ ସମଦଣ୍ଡ ଘେନିଣ ଚଳଇ ବିରାଟ

ମଘ ମତ୍ସଦେଶେ ପ୍ରବେଶ ହୋଇଲାକ ନିଜ ଥାଠ ।୪୪।

ଚାରଗଣେ ବାରତା ଜଣାଇଲେ ରାୟେ

ସ୍ୱାମୀ ଜଗତେ ଉଦିତ ହୋଇଲେ ତୋହୋର ତନୟେ ।୪୫।

ସ୍ୱାମୀ ଅଷ୍ଟାଦଶ କ୍ଷଉଣୀ ଯେ ୟେ କୁରୁ ସାଗର

ତାହା ଜିଣିମାକୁ ହୋ ସାମର୍ଥ ହୋଇଲା ତୋହୋର କୁମର ।୪୬।

ବିରାଟେ ବୋଇଲେ ହୋ ପୁତ୍ର ମୋର ସାଧୁ

ୟେକାୟେ କେମନ୍ତେ ମନ୍ଥିଲୁ ରେ ବାରାନିଧି ସିନ୍ଧୁ ।୪୭।

କୋନ୍ତେ ବୋଇଲେ ବିରାଟେ ବୃହନ୍ନାରୀ ସାରଥୀ ଯାହାର ରଥେ

ତାହାକୁ ଜିଣିମାକୁ ସାମର୍ଥ କେ ୟେ ତିନି ଜଗତେ ।୪୮।

ଶୁଣିଣ କୋପ ଯେ କରଇ ବିରାଟ

ଓଷ୍ଠେ ଦନ୍ତ ଚାପିଣ ଅଧର କଲା ପୁଷ୍ଟ ।୪୯।

ଆପଣେ ଆପଣେ ମତ୍ସରାୟେ କ୍ରୋଧ ମୃତ୍ତି କରଇ ଶାନ୍ତି

ଓପ୍ରୋଧେଣ କିଛି ବୋଲି ନୁଆରି ମନେ କରଇ ଭ୍ରାନ୍ତି ।୫୦।

ବିଜୟେ ମତ୍ସରାୟେ ଆସ୍ତାନେ ହରଷେ

ସନ୍ୟବଳ ଗଲେ ଯେ ଯାହାର ଗୃହବାସେ ।୫୧।

ରୋଷୁଅ ଘରକୁ ଯେ ଚଳିଲେ ବଲ୍ଲଭ

ରାନ୍ଧଣା ବିଧି ସେ ଯେ କରଇ ସୁଲଭ ।୫୨।

ବାଜୀଶାଳେ ଯାଇଂଣ ସେ ପ୍ରବେଶ ନକୁଳ

ଗୋଧନ ପଲ ଘେନିଣ ରହିଲେ ତନ୍ତ୍ରୀପାଳ ।୫୩।

ବିରାଟ ବୋଇଲା ମୁଣୋହି ସାରିବା ପରିଯନ୍ତେ

ପଶାପୀଢେ ଆସ ହୋ ଖେଳିବା ତୋଷ ଚିତ୍ତେ ।୫୪।

ବଦନ୍ତି ସଧୀରେ ଇଦଂବାଚ ଆପଣେ ଦେବଧର୍ମେ

ପୁତ୍ର ତୋହୋର ଉଦିତ ହୋଇଲା ସାଂଗ୍ରାମେ ।୫୫।

ଉଚ୍ଛବ କରାଇବୁ ହାଦେ ମଘଦେଶେ ମତ୍ସଦେଶେ

ପଶା ଉଚିତ ନୋହୋଇ କିଞ୍ଚିତ ହରଷେ ।୫୬।

ବିରାଟ ବୋଇଲା ମୋତେ ନ ଭାବଇ ଆନ

ଆଜ ସେ ନିଚିନ୍ତ କଲା ଯେ ମୋହୋର ନାନ ।୫୭।

ୟେବେ ସେ ମଘଦେଶ ହୋଇଲା ମୋତେ ଭୋଗୀ

ସର୍ବ ସୁଲକ୍ଷଣ କୁମର ହୋଇଲା ପରମ ଯୋଗୀ ।୫୮।

କାଟ କୋଠି ବୋଲି ରାୟେ ପକାଇ ଦିଲେ ଖଡ଼ି

ପ୍ରଭୁ ଲୋକଂକର ଆଗ୍ୟାଂ ମେଣ୍ଟିତେ କି ପାରି ।୫୯।

ଶ୍ରୀଭୁଜେଣ ଖଡ଼ି ଧରିଣ ଧର୍ମସୁତେ

ପଶାକୋଠି କାଟନ୍ତି କୋନ୍ତେ ୟେ ପଣ୍ଡିତେ ।୬୦।

ଦ୍ୱାଦଶ କୋଠି ଯେ ତ୍ରିକଚ୍ଛ କରିଣ କାଟି

ବିରାଟ ପାଡ଼ିଲେ ୟେ ପଶା ସାରଗୋଟି ।୬୧।

ବସିଲେ ପଶାୟେ ଯେ ବିରାଟ ଧର୍ମରାୟେ

ଅତିଅନ୍ତ ହରଷେ ସେ ପଶାକ୍ରୀଡ଼ା କୟେ ।୬୨।

ଦେଶାଉରେ ଯାଇଂ ବାରତା ଜଣାଇଲେ ଆସ୍ତାନେ

ସ୍ୱାମୀ ଦଣ୍ଡଭଗ୍ନ ହୋଇ ପଳାଇ ଗଲେ କଉରୋବେ ସନ୍ୟମାନେ ।୬୩।

ଗୋଗୋଷ୍ଠେ ନେଇ ଯେ ଛାଡିଲେନି ନିଜ ଗୋଧନ ପଲ

ଅଳକାନାଥ ପ୍ରାୟେ ଆସଇ ଉତ୍ତର କୁମର ।୬୪।

ନଗ୍ରେଣ ପ୍ରବେଶ ଯେ ହୋଇଲେ ଚାପଧାରୀ

ମାତଳି ସମାନେ ରଥ ବାହଇ ବୃହନ୍ନାରୀ ।୬୫।

ବିରାଟ ବୋଇଲେ କୋନ୍ତେ ପୁତ୍ର ମୋହୋର ଧନି

ୟେକାନ୍ତେ ଜିଣିଲା ଭୀଷ୍ମ ଦ୍ରୋଣ କଉରୋବ ସଇନି ।୬୬।

କୋନ୍ତ ବୋଇଲେ ବିରାଟେ ବୃହନ୍ନାରୀ ଯାହାର ରଥେ ସାହା

ତ୍ରଇଲୋକର ମଧ୍ୟେ କେହୁ ଜିଣିତେ ପାରଇ ତାହା ।୬୭।

ଶୁଣିଣ ବିରାଟ ଯେ କୋପେଣ ପ୍ରଚଣ୍ଡ

ରାଗେଣ ମତ୍ସାଧିପର ଗଳଇ ତ୍ରିପଣ୍ଡ ।୬୮।

ରକତ କୁମୁଦ ପ୍ରାୟେ ବିରାଜଇ ବେନିନେତ୍ର

ବଦନ ଚାହିଂଣ ପୁଣ ଉପ୍ରୋଧ ବହୁତ ।୬୯।

ଖେଡ଼ନ୍ତି ପଶା ସେ ୟେ ଅତୀୟ କୁତୂହୋଳେ

ବଢିଲା ଅନେକ ହରଷ ଜିଣିଲେ ମହୀପାଳେ ।୭୦।

ବିଜୟେ ଉତ୍ତର କୁମାର ଭିତର କଟକେ

ପୁଣ ବାରତା ଯାଇଂ କହିଲେ ଦୂତଲୋକେ ।୭୧।

ସ୍ୱାମୀ ଉତ୍ତର କୁମାର ତୋର କଉରୋବ ବଳ ଜିଣି

ଦ୍ୱାରେ ପ୍ରବେଶ ଆସି କାର୍ତ୍ତିକେଶ୍ୱର ଜାଣି ।୭୨।

କୋନ୍ତେ ବୋଇଲେ ବିରାଟେ ବୃହନ୍ନାରୀ ଯାହାକଇଂ ସାହା

ତ୍ରଇଲୋକେ ସାମରଥ କେ ଜିଣିତେ ପାରେ ତାହା ।୭୩।

ୟେହୁ ଅବା ଅଟଇ ଯେ ସେ ମାନଗୋବିନ୍ଦ

ବୃହନ୍ନାରୀ ଥିଲେ ଜିଣି ପାରଇଟି ଅସକନ୍ଦ ।୭୪।

ପୁଣ ପୁଣ ଶିଲାଘନା ବଚନ କୋନ୍ତଂକର ଶୁଣି

ରାଗେଣ କମ୍ପିଲା ଶରୀର ବିରାଟର କଦଳୀ ପତ୍ର ଜାଣି ।୭୫।

ଅଷ୍ଟାଙ୍ଗ ବାକ୍ୟେ ସେ ଓପ୍ରୋଧ କଲା ତେଜ୍ୟା

ରାଗେଣ ପ୍ରତିବାକ୍ୟ ଦିଅଇ ମତ୍ସରାଜା ।୭୬।

ଆହୋ କୋନ୍ତ ପଣ୍ଡିତ ତୁ ଅଟୁ ବଡ଼ ଲଘୁ

ନପୁଂସକ ଛାରକୁ ତୁ କେତେହେଂ ଶଳାଘୁ ।୭୭।

ରାତ୍ର ପ୍ରଭାତେ ହୋ ଚାହିଂଲେ ଯାହାର ମୁଖ

ଦିନକର ସୁକୃତ ହରଇ ମିଳଇ ବଡ଼ ଦୁଖ ।୭୮।

ମୋହୋର ନନ୍ଦନର ବଳବୀର୍ଯ୍ୟ ଧଂସୁ

ନପୁଂସକ ଛାରକୁ ତୁ ପ୍ରତଗ୍ୟାଂ ଅଭ୍ୟାସୁ ।୭୯।

ଅଜାତକ ଲୋକକୁ ନ ନେଇ ଯାତ୍ରାକାଳେ

କାହାକୁଇଂ ନ ପାଇ ସେ ନେଲା ଆରତର ବେଳେ ।୮୦।

ରଥରେ ଥିଲାକ ସେ ଲାଖମାତ୍ର ହୋଇ

ପୁତ୍ର ବଳବୀର୍ଯ୍ୟ ମୋର ନିନ୍ଦୁ କାହିଂପାଇଂ ।୮୧।

କୋନ୍ତେ ବୋଇଲେ ରାଜା ନ ଜାଣି କହୁ ହୁଡ଼ି

ସିଂଘ ଶ୍ରିକାଳ କି ହୋଇବେ ସମସରି ।୮୨।

ଯଦ୍ୟପି ନପୁଂସକ ହୋଇଲା ଅଜାତି

ବୃହନ୍ନାରୀ ଦର୍ପେ ସେ ଜିଣିଲା କୁରୁପତି ।୮୩।

ଆହୋ ବିରାଟ ଭୀଷ୍ମ ଦ୍ରୋଣ ଶଲ୍ୟ କୃପ ଅଶସ୍ତାମା ଯାହାକଇଂ ସାହା

ଉତ୍ତର ପ୍ରାକ୍ରମେ କି ଜିଣିତେ ହୋଅଇ ତାହା ।୮୪।

କହୁଂ କହୁଂ କୋପକଲା ବିରାଟ ମହାପ୍ରଭୁ

ଅଧର ପୁଷ୍ଟକରି ବୋଇଲା ୟେବେ ସେ ତାହି ତାହି ମୋତେ କହୁ ।୮୫।

କାଳଚକ୍ର ପ୍ରାୟେକ ବୁଲାଇ ରକତ କୁମୁଦ ବେନିଦୃଷ୍ଟି

କୋପେ ବିରାଟେଶ୍ୱର ନେଇ ମାଇଲା ପଶାକାଠି ।୮୬।

ଆକ୍ରେଷି ପଶାକାଠି ପ୍ରହାର କରନ୍ତେ ବିରାଟେ

ପଶାକାଠି ବାଜିଲା ଯାଇଂ କୋନ୍ତଂକ ଲଲାଟେ ।୮୭।

ଶ୍ରୀବନ୍ତ କପାଳେ ଯେ ପଡ଼ିଲା ପଶାରକାଠି

ରୋଧିର ବାହାର ହୋଇଲା ଯୁଝେଷ୍ଠିଂକ କପାଳ ଫୁଟି ।୮୮।

ଧାତିକାରେ କପାଳୁ ରୋଧିର ଯହୁଂ ଗଳି

ବସ୍ରେଣ ରୋଧିର ଦେବ ଧଇଲେ ସମ୍ଭାଳି ।୮୯।

ମନେଣ ବିଚାରନ୍ତି ଯୁଝେଷ୍ଠି ରାଜଦେବ

ନପୁଣ ନ ଦେଖନ୍ତି ନକୁଳ ଭୀମ ସହଦେବ ।୯୦।

ଦେଖିଲେ ପରମାଦେ ଯେ କହିବେ ପରମାଣ

ବିରାଟ ଶିର କମଳ ଯେ କାଟିବେ ୟେହିକ୍ଷଣ ।୯୧।

ସ୍ୱାମୀ ଜଗନ୍ନାଥ ଅନୁଗ୍ରହ ମୋତେ କର

ସହଦେବ ନକୁଳ ଅର୍ଜୁନ ନ ଦେଖୁ ବ୍ରିକୋଦର ।୯୨।

ସୟଳ ଜନତାରଣ ତୁ ସକଳ ଜନଚିନ୍ତା

ୟେ ଦୁର୍ଗତିରୁ ନାଥ ତୁହି ସେ ରଖନ୍ତା ।୯୩।

ଶୁଣ ହୋ ଚଇତନ ଯୁଝେଷ୍ଠିଂକ ମହିମାଂ

ଅଯାତଶତ୍ରୁ ସେ ଯେ ଅଣହାତ କୋପିତ ମହିଂମା ।୯୪।

ୟେତେ କଷ୍ଠୋରେ ବିରାଟକୁ କୋପ କେବେହେଂ ତାହାଂକର ନାହିଂ

ପାଡ଼ ହୋ ବିରାଟ ବୋଲି ପଶାସାର ଦିଲେ ବାହି ।୯୫।

ଯୁଝେଷ୍ଠିଂକ ରୋଧିର ଯେବେ ପଡ଼ନ୍ତାନା ପୃଥୀ

ସଞ୍ଚୟେ ଶସ୍ୟ ନ ଫଳନ୍ତା ୟେ ନବସୃଷ୍ଟି ।୯୬।

ମେଘେ ବୃଷ୍ଟି ସେ ଯେ ନ କରନ୍ତେ ଭଲେ

ଜଳ ପ୍ରଳୟେ ହୋଅନ୍ତା କୋନ୍ତଂକର କୋପକଲେ ।୯୭।

ବିରାଟ କୋପକଲା ମାଇଲା ପଶାୟେ

ପୂର୍ବକର୍ମ ବିଧାନ ମେଣ୍ଟିଲା ଉପାୟେ ।୯୮।

ଯୁଝେଷ୍ଠି କୋପ ଯେବେ କରନ୍ତେ ଅଳପ

ମଘଦେଶ ମତ୍ସଦେଶର ସରନ୍ତା ସର୍ବଦର୍ପ ।୯୯।

ବଇବସୁତ ମନୁୟେ ପୁଚ୍ଛାକଲେ ଅଗସ୍ତିଂକି

ୟେହେନ୍ନେକେ ପ୍ରାଭବ କିମ୍ପେ ହୋଇଲା ଯୁଝେଷ୍ଠିଂକି ।୧୦୦।

ଅଜାତଶତ୍ରୁ ସେ ଅଣକୋପିତ ଧର୍ମରାୟେ

ଶତ୍ରୁ ମିତ୍ର ଯାହାକୁ ୟେକତ୍ୱ ପରାୟେ ।୧୦୧।

ପାପ ନାହିଂ ମିଥ୍ୟା ନାହିଂ ଯେଉଂଣ ମହାତମାର ଅଙ୍ଗେ

ତାହାଂକୁ ୟେଡେ ପ୍ରମାଦ ହୋଇଲା କେଉଂଣ ବାଗେ ।୧୦୨।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ମହାରଥା

କର୍ମେ ଲେଖନ ଥିଲେ ଅବଶ୍ୟ ବିହଇ ବିଧାତା ।୧୦୩।

ଶତଶୃଙ୍ଗ ପର୍ବତେ ଯୁଝେଷ୍ଠି ଜନ୍ମିଲେ ଯେତେବେଳେ

ଗହନ ଅଟବ୍ୟ ୟେ ଭ୍ରମନ୍ତି ବାଳକାଳେ ।୧୦୪।

ଲାଖକୁ ହାଥସୂତ୍ର ହୋଇବାକ ନିମନ୍ତେ

ଗୋଡ଼ି ଗୋଟିୟେ ଘେନି ଫିମ୍ପା ମାରନ୍ତି ଅନୁବ୍ରତେ ।୧୦୫।

ଦିନେକ ଆକ୍ରେଷି ଯେ ମାଇଲେ ଗୋଡ଼ିଗୋଟି

ଦର୍ଦ୍ଦୁର ଜୀବ ଲଲାଟେ ପଡ଼ି ଲଲାଟ ଗଲା ଫୁଟି ।୧୦୬।

ସେହି ପ୍ରହାରେ ଯେ ନାଶ ଗଲାକ ମଣ୍ଡକୀ

ପ୍ରାଣ ଘେନିଗଲେ ତାହାର ନାଶକର ତହିଂକି ।୧୦୭।

ଚିତ୍ରଗୁପତେ ବୋଇଲେ ୟେ ଅପାର କାଳ ବ୍ରତନ୍ତା ଭୋଗୀ

ଯୁଝେଷ୍ଠିଂକ ପ୍ରହାରେ ୟେ ହୋଇଲା ପ୍ରାଣତ୍ୟାଗୀ ।୧୦୮।

କୃତାନ୍ତକ ବୋଇଲା ଅଦୋଷେ ୟେ ଘେନିଲା ୟେହାର ପ୍ରାଣଗୋଟି

ତାହାର ଲଲାଟେ ପଡିବ ବିରାଟର ପଶାକାଠି ।୧୦୯।

ୟେସନେକ ଶାପ୍ୟ ଯହୁଂ ଦିଲେ ଜନ୍ତୁ ଅଇରି

ତେଣୁକରି ଯୁଝେଷ୍ଠିଂକ ଲଲାଟେ ବିରାଟ ପ୍ରହାରି ।୧୧୦।

ଜୟତୁ ଜୟତୁ ଦେବ ପୁରୁଷଂମକର ଆଦିମୂଳ

ବିହନ୍ତା ପୁରୁଷ ତୁ ବିହୁ ସର୍ବକାଳ ।୧୧୧।

ଯେ ଯାହା କରଇ ତୁ ପ୍ରତକ୍ଷେ ତାହା ଦେଖୁ

ତତକ୍ଷଣେ ବିହୁ ତାକୁ କ୍ଷଣେହେଂ ନ ରଖୁ ।୧୧୨।

ମାତା ରଜ ପିତା ବୀର୍ଯ୍ୟରେ ସେ ଯେ ଉପୁଜଇ ପିଣ୍ଡ

ଧାତୁବାଦ୍ୟ ଲାଇ ତୁ କରୁ ସର୍ବ ରୁଣ୍ଡ ।୧୧୩।

ଅଥବା ପର ଶକତି କରଇ ଯେହୁ ନିନ୍ଦା

ୟେକ ଲିତା ଅନ୍ତର ନୋହୋଇ ନିଜପାୟେ ବନ୍ଧା ।୧୧୪।

ଯାବତ ତପନ ତାପ ହୋଇବ ପରମ ଶୀତଳ

ପରମ ବ୍ରହ୍ମ ଘେନି ୟେ ପଞ୍ଚୁ ଦାବାନଳ ।୧୧୫।

ଚତୁର୍ଥ କର୍ମେଣ ମୁହିଂ ଯେ ଅଟଇ ମନ୍ଦଭାଗୀ

ତାରଣ ପୁରୁଷ ତୁ ଅବିଶ୍ରାମ କର୍ମଯୋଗୀ ।୧୧୬।

ସର୍ବଗ୍ୟଂ ନାଥ ତୁ ସୟଳ ଜନ ଚିନ୍ତା

ସଂସିଦ୍ଧ ପୁରୁଷ ତୁ ଅଭୟେ ବରଦାତା ।୧୧୭।

ମାୟା ମୋହ ପଟଳ ୟେ ସଂସାର ରଚନା

ଲୋଭ ମୋହ କାମ କ୍ରୋଧ ୟେ ଅଦଉତି ବନ୍ଧନ ସିନା ।୧୧୮।

ନମାମି କରମ ପୁରୁଷ ତୁ ଅଟୁ ମହାକଷ୍ଟି

ଦୁରାପଦ ବିଘ୍ନ ଦୁର୍ଗତି ସର୍ବ ମେଣ୍ଚି ।୧୧୯।

ବିହନ୍ତା ପୁରୁଷକୁ ମୋହୋର ବିନୟେ ଯୁଗତେ

ଶୂଦ୍ରମୁନି ସାରଳା ଦାସ କହିଲେ ସଂସାର ଜନହିତେ ।୧୨୦।

ଅଲେଖ ପୁରୁଷ ତୁ ସମସ୍ତ ସମ୍ପାଦି

ୟେହାଂକର ପ୍ରସନ୍ନେ ଯେ ପ୍ରସରଇ ସର୍ବ ବୁଦ୍ଧି ।୧୨୧।

କିଞ୍ଚିତ ପାତକ ମୋହୋର ଯିସ ଥିଲା ପୂର୍ବେ

ଭୋ ଦଇବ ପୁରୁଷ ଖଣ୍ଡନ କର ୟେବେ ।୧୨୨।

ସ୍ୱାମୀ ନିରାକୁଳ ପୁରୁଷ ତୁ ବିହୁ ହୋ ପ୍ରତକ୍ଷେ

ଇଦଂବାକ୍ୟ ଭାବେ ମୁଂ କହିତେ ଯେଉଂଣ ପକ୍ଷେ ।୧୨୩।

କଳିକାଳ ବିକାଳେ ୟେ ପାପପୁଣ୍ୟ ବେନି

ପୂର୍ବର କିଞ୍ଚିତ ଦୋଷେ ଉପୁଜିଲି ମାନବ ଯୋନି ।୧୨୪।

ଜନ୍ମେ ଜନ୍ମେ ଅଭ୍ୟାସି କହିଲି ଶାହାସ୍ର ଯୋଗେ

ମାଗଇ ପଦାର୍ଥମାନ ଯେ କର୍ମର ପରସ୍ତାବେ ।୧୨୫।

ଚନ୍ଦ୍ରେଣ କଳଂକ ଯେହ୍ନେ ବିଦିତ ଦିଗନ୍ତେଣ ଘୋଟି

କର୍ମର ବିପାକେ ତାହା ଯେ ସହିଲେ ଯେୁଝେଷ୍ଠି ।୧୨୬।

ଆପଣେ ଯେତେ ପାପ କରଇ ଫଳଇ ପ୍ରତକ୍ଷେ

କଲା କର୍ମହିଂ ସେ କର୍ମ ବୋଲନ୍ତି ଜଗତେ ।୧୨୭।

ଭାବଗ୍ରାହୀ ନାଥ ତୁ କଇଚ୍ଛା ଜଗଜ୍ଜେଠୀ

ବିପତ୍ୟେ କର୍ମ କରି ସହିଲେ ଯୁଝେଷ୍ଠି ।୧୨୮।

ହେ ବୁଧଜନେ କାଳ ପାତ୍ରେଣ କରି

ସହିଲେ ସେ ମରି ନ ସହିଲେ ଝୁରମରି ।୧୨୯।

ମହତ ଗୁପତ ଆଗ୍ୟାନ ଯେ ବିରାଟ ପର୍ବ କଥା

ଶୁଣନ୍ତେ ଆପାଦ ଖଣ୍ଡଣ ହୋଅଇ ସର୍ବଥା ।୧୩୦।

କଉଶଲ୍ୟାର ନନ୍ଦନ ଦେବ ୟେ ଶ୍ରୀରାମ

ହୃଦଗତେ ବିଘଂସୁ ମୋହୋର ତବ ନାମ ।୧୩୧।

ଶୂଦ୍ରମୁନି ସାରୋଳ ଦାସର ଜନ୍ମର ସୁଫଳେ

ଶ୍ରୀ ସରସ୍ୱତୀ ଭଣ୍ଡାର ମୁଂ ବିଧ୍ୱଂସିଲି ପୁଣ୍ୟବଳେ ।୧୩୨।୬୬୯୪।

***************

 

ଉତ୍ତରର ଯୁଧିଷ୍ଠିରଙ୍କୁ ସ୍ତୁତିବାଦନ ଓ ଅଭିଷେକ ନିମନ୍ତେ ଯୁଧିଷ୍ଠିର ସହଦେବଙ୍କ ସହିତ ମନ୍ତ୍ରଣା

ରାଗେ ପ୍ରହାର କଲା ବିରାଟେଶ୍ୱର ରାଜା

କୋନ୍ତଂକୁ ସମସ୍ୟା ନ ଦେଇ ପାଇଲା ବଡ ଲଜ୍ଜା ।୧।

ଲାଜ ଭୟ ସଂକୋଚେ ସେ ଦିଅନ୍ତି ସମ୍ଭାଷି

ବିଧବା ଆତ୍ମା ପ୍ରାୟେ ସେ ସଂକୋଚେ ଅଛି ବସି ।୨।

ଉତ୍ତର କୁମର ଆସି ବିଜେକଲା ସିଂଘଦ୍ୱାରେ

ଚାରଗଣେ ବାରତା ଜଣାଇଲେ ଛାମୁରେ ।୩।

କୋନ୍ତେ ବୋଇଲେ ହୋ ଉତ୍ତର ୟେକା ଆସୁ

ନପୁଂସକ ବୃହନ୍ନାରୀ ଭିତରେ ନ ପଶୁ ।୪।

ଚାରଗଣେ କହିଲେ କୁମାର ଚୂଡାମଣି

ୟେକା ଭିତରକୁ ଆସିବ ନ ଆସିବ ବୃହନ୍ନାରୀ ପୁଣି ।୫।

ଆଗ୍ୟାଂ ପ୍ରମାଣେ ସେ ଉତ୍ତର କୁମାର ଆଗସରି

ଆସ ଆସ ସ୍ୱାମି ଅର୍ଜୁନର ହାଥ ଧରି ।୬।

ବୃହନ୍ନାରୀ ବୋଇଲେ ହୋ କୋନ୍ତଂକର ଆଗ୍ୟାଂ ନାହିଂ

ଅକାରଣେ କଟାଳ ତୁ କରୁ କାହିଂପାଇଂ ।୭।

ୟେ ଗୁପତ ବେନିଦିନ ହୋଉ କିନା ତୁନୀ

କର ଯା ଦ୍ରଶନ ତୁ ସୁବିଧାନ କର୍ମ ଘେନି ।୮।

ବଇବସୁତ ମନୁ ପୁଚ୍ଛା କଲେ ଶୁଣ ହୋ ଯୋଗେଶ୍ୱର

ବୃହନ୍ନାରୀ କିଂପେ କୋନ୍ତେ ପଶିତେ ନ ଦିଲେ ଭିତର ।୯।

ଶୁଣ ଲୋ ଚଇତନ ମନୁ ଯେ ବୋଇଲେ

ଶମୀବୃକ୍ଷ ତଳେ ଯେ ପାଣ୍ଡବ ନିୟମ କଲେ ।୧୦।

ଭୀମ ଅର୍ଜୁନ ୟେ ନକୁଳ ସହଦେବ

ଗଙ୍ଗାରେ ହାଥ ଭରିଣ ନିୟମ କଲେ ଚାରି ଯେ ପାଣ୍ଡବ ।୧୧।

ଅଗ୍ୟାଂତବାସେଣ ଯେ ଗୁପତ ହୋଇଥିବା

ଅପାର ଦୋଷକଲେ ବିରାଟକୁ ସହିବା ।୧୨।

ଠାକୁର ଦୌପତୀଂକି ୟେ କରିବେ ଝିଂଘାସ

ଅବଶ୍ୟ ଗୁପତେ ତାହାକଇଂ କରିବା ପ୍ରାଣେ ନାଶ ।୧୩।

ଅଥବା ଯେବେ ଆମ୍ଭେ ନୁଆରିବା ନାଶି

ଅବଶ୍ୟ ମରିବାଟି ଅନଳେଣ ଝାସି ।୧୪।

ବୋଲଇ ମନ ହୋ ଶୁଣ ତୁ ଚଇତନ

ବିରାଟକୁ ଦୋଷ ୟେ ନ ଘେନିଲେ ଧର୍ମନାନ ।୧୫।

ଅର୍ଜୁନ ଦେଖନ୍ତା ଯେବେ ଯୁଝେଷ୍ଠିଂକ ଲଲାଟ

ୟେକା କ୍ଷଣକେ କି ଜୀବନ ପାଆନ୍ତା ବିରାଟ ।୧୬।

ତାହା ଜାଣି ଯୁଝେଷ୍ଠି ବିଚାରିଲେ ହୃଦେ

ତେଣୁକରି ଭିତରେ ପଶି ନ ଦିଲେକ ହାଦେ ।୧୭।

ଉତ୍ତର କୁମାର ଯାଇଂ ପ୍ରବେଶ ଭିତରେ

ରଥଘେନି ବୃହନ୍ନାରୀ ରହିଅଛଇ ସିଂଘଦ୍ୱାରେ ।୧୮।

ଛାମୁରେ ଉତ୍ତର କୁମାର କରଇ ଦ୍ରଶନ

ନିରୋପିଣ ଚାହାଂଇ ସେ କୋନ୍ତଂକର ବଦନ ।୧୯।

ପ୍ରଥମେ ବନ୍ଦିଲା କୋନ୍ତଂକ ଶ୍ରୀ ପଦ୍ମପାଦ ଗୋଟି

ୟେହି ଚରଣ ତଳେଟି ଲକ୍ଷେ ରାଜାଂକର ଶିରଲୋଟି ।୨୦।

ତ୍ରଇଲୋକ୍ୟ ଠାକୁର ନାଥ ଜଗୁଜୀବନ ଦେବସ୍ୱାମୀ

ୟେହି ଚରଣ ତଳେ ସେ ଶ୍ରୀବାସୁଦେବ ପରିଣାମି ।୨୧।

ଯେବଣ ପାଦପଦ୍ମ ଦେଖି କ୍ଷମ ନୋହିଲା ବିରାଟ

ସେ ପାଦପଦ୍ମ ରଜ ଆସି ପଡିଲା ମମରାଷ୍ଟ ।୨୨।

କେବଣ ଦିଗପାଳର ୟେ ଅଟଇ ମହା ଯଗ୍ୟଂଭୂମି

ତେଣୁ ସେ ଶ୍ରୀଚରଣ ପଡ଼ିଲା ୟେଥେ ସ୍ୱାମୀ ।୨୩।

ୟେ ବେନି ଚରଣର ଯେ ଦିଶଇ ଅଙ୍ଗୁଷ୍ଠି

ଚିହ୍ନ ହୋଇ ବସିଲା ଲକ୍ଷେ ରାଜାଂକର ମୁକୁଟଗୋଟି ।୨୪।

ସୁସଞ୍ଚ ସୁବଳିତ ଆରମ୍ଭ ବେନିଜାନୁ

ଶୁଦ୍ଧ ସଷ୍ଟିକ ଜାଣି ଯାହାର ବିରାଜଇ ତନୁ ।୨୫।

ପରିମଳ ସୁସଞ୍ଚ ଘଟଣ ତ୍ରିବଳୀ

ୟେ ଜାନୁ ଉପରେ ଯଗ୍ୟଂକାଳେ ବସିଥିଲେ ପାଞ୍ଚାଳୀ ।୨୬।

ରସାଣିଲା ସୁବର୍ଣ୍ଣ ପତ୍ର ପ୍ରାୟେ ଶୋଭାବନ କୁଚ୍ଛି

ଗଭୀର ନାଭି ନିର୍ବାଣ ପରବାଳ ଗଚ୍ଛି ।୨୭।

ଆରମ୍ଭ ଆକ୍ରଷଣ ସ୍ୱାମୀର ବକ୍ଷସ୍ଥଳ

ସମସ୍ତଂକର ଚିନ୍ତା ଅଛି ୟେ ହୃଦୟ କମଳ ।୨୮।

ସୁରଭୀ କମଳ ନାଳ ପରାୟେ ଯାହାର ବେନି କରଗୋଟି

ୟେ କର ନେଉଟାନ୍ତେ ନେଉଟଇ ନବସୃଷ୍ଟି ।୨୯।

ସ୍ୱାମୀ ଯୁଗାନ୍ତକ ଆରୋପଣ ଜାଣି ଯାହାର କଣ୍ଠତଟ

ଅନନ୍ତ କୋଟି ବ୍ରହ୍ମାଣ୍ଡର ଚିନ୍ତାମଣି ଘଟ ।୩୦।

ରସାଣିଲା ମର୍କତ ଜାଣି ଅଧର ପ୍ରକାଶି

ଦ୍ୟାବା ପୃଥିବୀ ୟେଣେ ସିଦ୍ଧହୋଇ ଆସି ।୩୧।

ସ୍ୱାମୀ ଚଉରାଶୀ ଲକ୍ଷଣ ଘେନିଣ ବେନିଡୋଳ

ଦେଖିଲେ ସଦୟେ ସବୁଂକରି ଚିରକାଳ ।୩୨।

ସ୍ୱାମୀ ଯାବତ ଚନ୍ଦ୍ର ସେ ଦିବାକର ଜାଣି

କଦାଚିତେ ଅନନ୍ତ ନୋହଇ ଦୃଢବାଣୀ ।୩୩।

ଅଷ୍ଟାଙ୍ଗ ଶରୀର ଯାକ ନିରୋପଇ ବିରାଟି

ଲଲାଟେଣ ତାମ୍ରବର୍ଣ୍ଣ ସଘାତେଣ ଫୁଟି ।୩୪।

ପୁଣ ପୁଣ ବିନୋପଇ ସେ ବିରାଟର ବଳା

କୋନ୍ତଂକର ମୁଖ ଚାହିଂ ପଦ୍ମପାଦେ ପ୍ରଣପତ୍ୟେ ଶୁତିଲା ।୩୫।

ଉତ୍ତର ବିନୟ ଦେଖି ବିଚାରନ୍ତି କୋନ୍ତେ

ନିଚୟେ ଅର୍ଜୁନ କହିଲା ୟେହାର ତୁଲେ ଯାଆନ୍ତେ ।୩୬।

ତାହାର ନ କହିଲେ ୟେ ଆମ୍ଭନ୍ତ କେହ୍ନେ ଚିହ୍ନି

ଗୁପତ ତିନିଦିନ ଅଛି ନାହିଂ ଅବା କହିଲା ଫାଲଗୁନି ।୩୭।

କୋନ୍ତେ ବୋଇଲେ ରେ ପରମ କଲ୍ୟାଣ ହୋଇ ତୁକୁ ସୁତ

ଲକ୍ଷ୍ମୀ ଅଳଂକୃତ ହୋଇ ଚିରାଞ୍ଚନ ହୋଉ ବ୍ରତ ।୩୮।

ଉତ୍ତମ କୁମାରକୁ ଦେଖି ବିରାଟ ଉଷତ ହୋଇଥିଲା

କୋନ୍ତଂକୁ ପ୍ରଣପତ୍ୟ ହୋଅନ୍ତେ ତାହାର ଶରୀର କମ୍ପିଲା ।୩୯।

ରାଗେ ଉତ୍ତରକୁ ପ୍ରତିବାକ୍ୟ ଦିଅଇ ଦଣ୍ଡଧାରୀ

ପିତା କେ ମଉସା କେ ପୁତ୍ର ନୁଆରିଲୁ ବାରି ।୪୦।

ସମରେ ଶତ୍ରୁକୁ ଜିଣି ଉତ୍ସୁକ ହୋଇଲୁ କିରେ ବାବୁ

ତବ କର୍ତ୍ତବ୍ୟେ ବାବୁ ୟେକତ୍ୱ କଲୁ ସବୁ ।୪୧।

ଅଥୟେ ହୋଇଲା କିରେ ତୋହୋର ମନୀଷା

ପିତାକୁ ଅମାନନା କରି ଓଳଗିଲୁ ମଉସା ।୪୨।

ଉତ୍ତର କୁମର ବୋଇଲା ଶୁଣିମା ମତ୍ସରାୟେ

କୋନ୍ତଂକର ଲଲାଟରେ ଦିଶଇ କିସ ଘାୟେ ।୪୩।

ବିରାଟ ବୋଇଲା ଶୁଣସି ରେ ନନ୍ଦନ

ତୋହୋର ବାହୁବଳେ ଜିଣି ଆଣିଲୁ କି ଗୋଧନ ।୪୪।

ୟେ ବୋଲନ୍ତି ବୃହନ୍ନାରୀ ଅଛଇ ଯାହାର ତୁଲେ

ତାହାକୁ କି ପ୍ରମାଦ ତ୍ରଇଲୋକ୍ୟ ବାହି ଅଇଲେ ।୪୫।

ଯୁଝେଷ୍ଠିଂକ ସଭାପଣ୍ଡା ବୋଲି ମୁହିଂ ଯେ କଲି ଗଉରୋବ

କାଳେହେଂ ନ ଛାଡ଼ିଲା ୟେ ଭୃତ୍ୟର ସଭାବ ।୪୬।

ବାବୁ ଧାରଣା ଜନ ହୋଇ ୟେହାର ପ୍ରକୃତି ବଡ଼ ଲଘୁ

କେତେହେଂ ସହିବି ରେ ପୁତ୍ର ନପୁଂସକ ଶଳାଘୁ ।୪୭।

ପୁଣ ପୁଣ ସହିଲି ପାଞ୍ଚବାର ପରିଯନ୍ତେ

ପୁଣ ବୋଇଲା ଉତ୍ତର ପ୍ରତଗ୍ୟାଂ କି ବୃହନ୍ନାରୀ ଥାଆନ୍ତେ ।୪୮।

ବାବୁ ସହି ନୁଆରିଲି ରେ ଜଗୁବନ୍ଦନ ପୁତ୍ରଗୋଟି

ରାଗେଣ ପ୍ରହାର ମୁଂ କଲାଇଂ ପଶାକାଠି ।୪୯।

ଉତ୍ତର ବୋଇଲା ତାତ ୟେହେନ୍ନେକ ତୁମ୍ଭର ବୁଦ୍ଧି

ପାଦେ ପେଲାଇଲ ତାତ ଅମୂଲ୍ୟ ରତ୍ନନିଧି ।୫୦।

ସ୍ୱାମୀ ଯେତେବେଳେ ଗନ୍ଧର୍ବ କୀଚକ ଅନେଶ୍ୱତ ଭ୍ରାଥ ମାରି

କୋନ୍ତଂକର ନ ଥିଲେ କି ତୁ ଆସନ୍ତୁ ଉବୁରି ।୫୧।

ଜାଣୁନା କି ତ୍ରିଗର୍ତ୍ତ ସମରେ ଯେବଣ କଥା

ସମରେ ହାରି କେତେ ପାଇଲୁ ଅବସ୍ତା ।୫୨।

ୟେହୁ କୋନ୍ତ ପଣ୍ଡାଂକର ଆଗ୍ୟାଂୟେଣ କରି

ବଲ୍ଲଭ ବ୍ରାହ୍ମଣ ତୋତେ ଆଣିଲାକ ତାରି ।୫୩।

ବୀରବାହୁ ସମରେ ଯେହୁ ଉଦ୍ଧରି ଆଣିଲାକ ତୋତେ

କଲା ଉପକାର ତାତ ପାସୋରିଲୁ କେମନ୍ତେ ।୫୪।

ଭୋ ପିତା ଯୁଝେଷ୍ଠି ସମାନେ ଯାହାକୁ କଲୁ ସେବା

ବରଷକ ଭଗତି କ୍ଷଣକେ କିଂପେ ଭାଙ୍ଗିଲୁ ତୁ ଅବା ।୫୫।

ଉତ୍ତର ବୋଇଲା ତୁମ୍ଭେ ବହନ ଆସ୍ତାନୁ ଓହ୍ଲାଅ ରାୟେ

ପ୍ରଣପତ୍ୟ ହୋଇବା କୋନ୍ତଂକର ପଦ୍ମପାୟେ ।୫୬।

ପୁତ୍ର ତରସ୍ତେ ରାଜା ବିଚାରଇ ହୃଦଗତେ

କେବଣ ମହାତ୍ମା ୟେ ଅବା ଅଛଇ ଗୁପତେ ।୫୭।

ବିଚକ୍ଷଣ ପୁତ୍ରକଇଂ ନାହିଂ ବଡ଼ ସାନ

ରକ୍ଷ ଦକ୍ଷ ହୋଇଲେ ହୋଅଇ ସେ କୃଷ୍ଣର ସମାନ ।୫୮।

ସମରେ ଉଦିତ ପୁତ୍ର ଅଭୟେ ବିତକ୍ଷଣ

ସୁଭିଗ୍ୟଂ ପୁତ୍ର ହୋଇଲେ କରିବା ନାହିଂ କି ସବୁଗଣ ।୫୯।

ୟେଡେ ବିଚାରିଣ ରାୟେ ଆସ୍ତାନ କଲା ତେଜ୍ୟା

ପୁତ୍ରକଇଂ ଘେନିଣ ପ୍ରଣପତ୍ୟ ହୋଇଲାକ ମତ୍ସରାଜା ।୬୦।

କୁଶ ହାଥ ହୋଇଣ କୋନ୍ତେ ବିରାଟକୁ କଲ୍ୟାଣ କଲେ ବାଞ୍ଛା

ନିଚଳା ଲକ୍ଷ୍ମୀ ଭୋଗ୍ୟକର ଧର୍ମ ଦେବତା କରୁ ତୋତେ ରକ୍ଷା ।୬୧।

ଉତ୍ତର ବୋଇଲା ସ୍ୱାମୀ ସଦୟେ ଯେବେ ଚିତ୍ତେ

ଅଣକୋପିତ ନାଥ ମୋହୋର ଘେନିମା ଭଗତେ ।୬୨।

ଅନେକ ବିନୟ ବଚନେ ଯେ ବଦୟନ୍ତି ଦେବ କୋନ୍ତେ

ପରମ ସାନନ୍ଦ ହୋଇଣ ଭିତରକୁ ଗଲେ ପିତାପୁତ୍ରେ ।୬୩।

ଯାଆନ୍ତେ ବିରାଟ ପଚାରଇ ଗୋଧନ ହରଣ କଥା

ସତ୍ୟ ବଞ୍ଚାଇଣ ସେ କହିଲା ସର୍ବ ମଥ୍ୟା ।୬୪।

ସେହି ଆସ୍ତାନେଣ ଯେ ଅଛନ୍ତି କୋନ୍ତେ ବସି

ଆଦିତ୍ୟ ଅସ୍ତଗଲା ପ୍ରବେଶ ହୋଇଲାକ ନିଶି ।୬୫।

ଦ୍ୱାରେ ରହିଥିଲା ଯେ ବୀର ଧନୁର୍ଜୟେ

କୋନ୍ତଂକର ସନ୍ନିଧ୍ୟେ ଦ୍ରଶନ ୟାଇଂ କୟେ ।୬୬।

କୋନ୍ତେ ବୋଇଲେ ବାବୁ ମନ୍ଦକୃତ୍ୟ କଲୁ

ଉତ୍ତର କୁମାର ଅଗ୍ରତେ କିମ୍ପାଇଂ କହିଲୁ ।୬୭।

ଅର୍ଜୁନ ବୋଇଲା ସ୍ୱାମୀ ଉତ୍ତର କୁମାରକୁ ସତ୍ୟ କରାଇଲି

ଗୋପ୍ୟାନ କିସ ହୋଇବ ମୁଂ ପ୍ରତକ୍ଷେ ଯୁଦ୍ଧକଲି ।୬୮।

ଯୁଝେଷ୍ଠି ଦେବ ବୋଇଲେ କାହାର ବୋଲେ ଗଲୁ

ଅଗ୍ୟାଂତବାସ ନିହାଇ ସରଇ ତୁ କିଂପେ ଉଦିତ ହୋଇଲୁ ।୬୯।

ଅର୍ଜୁନ ବୋଇଲା ସ୍ୱାମୀ ତୁମ୍ଭେ ଶୁଣିମା ରାଜଦେବ

ମୁହିଂ କିସ କରିବି ମୋତେ ପେଷିଲା ସହଦେବ ।୭୦।

ଆବର ଆଗ୍ୟାଂ ମୋତେ ଦିଲେକ ଦ୍ରୋପତୀ

ୟେଣୁକରି ଯୁଦ୍ଧେ ମୁଂ ଗଲି ଗୋଧନ କତି ।୭୧।

ଯୁଝେଷ୍ଠି ବୋଇଲେ ତୁ ଯାଅ ୟେହିକ୍ଷଣ

ଗୋଗୋଷ୍ଠେ ସହଦେବ ଅଛି ହକାରି ବେଗେ ଆଣ ।୭୨।

ଚଳଇ ବୃହନ୍ନାରୀ କୋନ୍ତଂକର ଆଗ୍ୟାଂୟେ କରି

ଗୋଗୋଷ୍ଠୁ ସହଦେବକଇ ଆଣିଲାଂ ହକାରି ।୭୩।

ସ୍ୱାମୀର ବଚନ ସେ ନିରାଧାର ଶରେ

ଚଳଇ ସହଦେବ କୋନ୍ତଂକ ଆସ୍ତାନରେ ।୭୪।

ଅର୍ଜୁନ ବୋଇଲା ତୁ ସହଦେବ ଶୁଣ

ଠାକୁରଂକ ଆଗ୍ୟାଂ ତୁ ଆସିବୁ ୟେହିକ୍ଷଣ ।୭୫।

ପରମ ସାନନ୍ଦେ ସେ ଚଳଇ ବେଗେ ମନ୍ତ୍ରୀ

କୋନ୍ତଂକୁ ଦ୍ରଶନ କଲା ପଞ୍ଚଘଡ଼ି ରାତ୍ରି ।୭୬।

ଆସ୍ତାନର ତଳେ ଯାଇଂ ସନ୍ନିଧ୍ୟେ ପରିଣାମି

କିମର୍ଥେ ଆଗ୍ୟାଂ ମୋତେ କହିବା ଦେବସ୍ୱାମୀ ।୭୭।

ଯୁଝେଷ୍ଠି ଦେବ ତାହାକୁ ବଚନ ପ୍ରକାଶି

ବାବୁ ଅଗ୍ୟାଂତବାସ ଲେଖନ୍ତେ କେତେଦିନ ଅଛି ।୭୮।

ସହଦେବ ବୋଇଲା ଧନୁ ଶୁକଳ ତ୍ରୟୋଦଶୀ ଦିନ ହୋଇଲଇଂ ଗୋପ୍ୟାନ

ବରଷକ ପୁରି ହୋଇଲାନି ଆବର ବିଂଶଦିନ ।୭୯।

ଯୁଝେଷ୍ଠି ଦେବେ ଯେ ସହଦେବକୁ କଲେ ବାଚି

ନିରଞ୍ଜନ ଆଗ୍ୟାଂୟେ ଆମ୍ଭନ୍ତ ବରଷେ ତେରଦିନ ସଞ୍ଚି ।୮୦।

ୟେବେତ ଅଧିକ ଦିନ ହୋଇଲା ଲେଖନ୍ତେ

ଆବର ସାତ ଦିବସ ଅଧିକ କହିଲୁ କେମନ୍ତେ ।୮୧।

ସହଦେବ କହଇ ଯେ ବଚନ ପ୍ରସିଦ୍ଧି

ସ୍ୱାମୀ କୂଟ କପଟ ମନ୍ତ୍ରୀ ଯେ ଶକୁନି ମନ୍ଦବୁଦ୍ଧି ।୮୨।

ବରଷକେ ବଢା ଯେ ଦଶଦିବସ ଯୁଗତେ

ଅଗ୍ୟାଂତବାସ ଲଗୁତି ସେ ବଢା ଦିବସ ଗଣନ୍ତେ ।୮୩।

ବୋଲନ୍ତା ଅଗ୍ୟାଂତବାସ ଦଶଦିନ ଥାଉଂ

ଉଦିତ ହୋଇ ପଣ୍ଡବେ ଅଇଲେ ଆର କାହୁଂ ।୮୪।

ତାହାର ବଚନ ତୁମ୍ଭେ ନୁଆରନ୍ତ ମେଣ୍ଟ

ପୁଣ ବନବାସ ହୁଅନ୍ତ ବଡ କଷ୍ଟ ।୮୫।

ସ୍ୱାମୀ ତୁମ୍ଭନ୍ତ ନ କହିଲି ୟେ ବଢା ଦଶ ଦିବସ

ତାହା ସରିଅଛି କହିଲା ସହଦେବ ସନ୍ଦେଶ ।୮୬।

କୋନ୍ତେ ବୋଇଲେ ହୋ ପଣ୍ଡିତ ମହାଗ୍ୟାଂତା

ସଭାୟେ ଅବଶ୍ୟ ଶକୁନି ଲଗୁତି କରନ୍ତା ।୮୭।

ଧର୍ମ ଲଂଘତି ଆମ୍ଭେ ନୁଆରନ୍ତୁ ବିଧାନେ

ବାହୁଡ଼ି ଦ୍ୱାଦଶ ବରଷ ପୁଣ ପଶନ୍ତାଇ ବନେ ।୮୮।

ଭଲହିଂ ସେ କଲୁ ବାବୁ ପଣ୍ଡିତ ଗୁଣଗ୍ରାହୀ

ୟେବେ ଦୁଇ ଦିବସ ସରିଲେ ଅଭିଷେକ ହୋଇବା ଆମ୍ଭେ କାହିଂ ।୮୯।

ସୁସ୍ଥାନ ସଭୂମି ହୋଇବ ସୁତୀର୍ଥ ବାସ

ୟେମନ୍ତ ଥାନ ଗୋଟିୟେ ରେ ଠାବ କରିଆସ ।୯୦।

ଆମ୍ଭନ୍ତ ଅଭିଷେକ ତ ନ କରିବେ ଧୃତିରାଷ୍ଟ

ଆମ୍ଭର ସମ୍ପଦ ଦେଖିଲେ ସେ କଉରୋବେ ହୋଇବେ ବଡ କଷ୍ଟ ।୯୧।

ଅଭିଷେକ ହୋଇ ଆମ୍ଭେ ଯିବା ୟେଥୁଂ ଚାପେ

ଇନ୍ଦ୍ରପ୍ରଶସ୍ତ ରାଜ୍ୟ ମାଡ଼ି ବସିବାକ ଧାପେ ।୯୨।

ଆବର ଧୃତିରାଷ୍ଟ ପୁଅନ୍ତ ନାହିଂ ମୋର ଓପ୍ରୋଧ

ଛାଡ଼ିଲି ସୁଦୟା ୟେବେ ଆରମ୍ଭିଲି ଯୁଦ୍ଧ ।୯୩।

ସହଦେବ ବୋଇଲେ ଦେବ ୟେ ତୋହୋର ସତ୍ୟ

ଶମୀବୃକ୍ଷ ତଳେ ଦେବ ବହଇ ମହାତୀର୍ଥ ।୯୪।

ମଘଦେଶ ମତ୍ସଦେଶ ପୂର୍ବ ପଚ୍ଛିମ ବେନି

ମଧ୍ୟେ କଉଶିକ ନଦୀ ବହଇ ଉତ୍ତର ବାହିନୀ ।୯୫।

ମହା କଳପ ବୃକ୍ଷ ଶିଂଶୁପା ଶମୀଶିଖା

ପ୍ରତକ୍ଷରେ ଅଟଇ ସେ ହରିହର ବେନି ସଖା ।୯୬।

ମହା ପବିତ୍ର ରାଜ୍ୟ ୟେ ମତ୍ସଦେଶ ଅଟଇ

ନଗ୍ର ବେଢି ଯାହାର ଦ୍ୱାଦଶ ଗୋଗୋଷ୍ଠଇ ।୯୭।

ଦୁହାଂଳ ଦୁଇପଦ୍ମ ଅଛଇ ଯାର ଗାଈ

ବରଡ଼ ବାରଲକ୍ଷ ମର୍ଭୁତେ ବତ୍ସା ମାଈ ।୯୮।

ପଞ୍ଚ ଅହିବ୍ରତେ ଅଣ୍ଡିର ଷଣ୍ଢବତ୍ସା

ବିହଡ଼ନ୍ତି ଗୋଧନେ ଯେ ଆପଣା ସ୍ୱଇଚ୍ଛା ।୯୯।

ଦୁହିଂବାର ବେଳେ ଚିରେ ଚିରେ ଭୂମିକି ପକାଇ

ସାତଘଡ଼ି ପରିଯନ୍ତେ ରାଜ୍ୟ ବେଢି କ୍ଷୀରନଦୀ ବହଇ ।୧୦୦।

ୟେତେ ଗୋରୁଂକର ଦେବ ପଡ଼ଇ ପାଦରଜ

ୟେହେନ୍ନେକ ପବିତ୍ରସ୍ଥାନ ୟେ ବିରାଟ ମତ୍ସରାଜ୍ୟ ।୧୦୧।

ସ୍ୱାମୀ ନାନା ଜୀବଜନ୍ତୁ ବ୍ରତନ୍ତି କ୍ଷୀରପାନେ

ୟେମନ୍ତ ପବିତ୍ର ରାଜ୍ୟ ନାହିଂ ୟେ ମଧ୍ୟଭୁବନେ ।୧୦୨।

ଗୋମତୀ ନାମେଣ ଯେ ବହଇ କ୍ଷୀରନଦୀ

ୟେ ଭୁବି ମାଡ଼ିଲେ ଦେବ ସକଳ କାର୍ଯ୍ୟ ସିଦ୍ଧି ।୧୦୩।

ଯୁଝେଷ୍ଠି ଦେବେ ବୋଇଲେ ହୋଇଲା ଶୁଦ୍ଧସ୍ଥାନ

କେବଣ ଦିବସକୁ ଯୋଗାଇ ଅନକୂଳ ବିଧାନ ।୧୦୪।

ଛାମୁରେ ସହଦେବ କହଇ ପରିଣାମି

ୟେତ ମକର ମାସ ପବିତ୍ର ଦେବସ୍ଵାମୀ ।୧୦୫।

ମକର ମାସ ଶୁକଳ ପକ୍ଷ ତିଥି ଯେ ଚଉଠୀ

ଅର୍କବାର ରେବତୀ ନକ୍ଷତ୍ର ତହିଂ ଘଟି ।୧୦୬।

ତତୁଲ୍ୟ ନାମେ କରଣ ଶୁଭନାମେ ଯୋଗ

ମକର ସଂକ୍ରାନ୍ତିକି ସତାଇଶ ଦିନ ଭୋଗ ।୧୦୭।

ରାତ୍ର ଦ୍ଵାଦଶ ଦଣ୍ତକୁ ଶୁଭଲଗ୍ନ ବେଳା

ଅମୃତ ଯୋଗରେ ଦେବ ଶୁଭ ଅନକୂଳା ।୧୦୮।

ସହଦେବ କହଇ ସେ ମନ୍ତ୍ରୀ ଚୂଡ଼ାମଣି

ପରମ ସାନନ୍ଦ ହୋଇଲେ ଯୁଝେଷ୍ଠି ଦେବେ ଶୁଣି ।୧୦୯।

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ରେ ଅର୍ଜୁନ

ଦ୍ରୋପତୀକି ଘେନିଯାଅ ଶମୀବୃକ୍ଷ ମୂଳକୁ ପରିଦିନ ।୧୧୦।

ସହଦେବକୁ ବୋଇଲେ ନକୁଳକୁ ନେମୁଟି ବାବୁ

ରୋଷୁଅ ଘରକୁ ଆମ୍ଭେ ଭୀମସେନକୁ ଘେନିଯିବୁ ।୧୧୧।

ଶୁଣିଣ ସାନନ୍ଦ ଯେ ବୋଇଲେ ବେନିଭ୍ରାଥେ

ଯେ ଯାହାର ସ୍ଥାନକୁ ଚଳିଲେ ତୂରିତେ ।୧୧୨। ୬୮୦୬ ।

****************

 

Unknown

ଶମୀବୃକ୍ଷ ତଳେ ଯୁଧିଷ୍ଠିରଙ୍କର ଅଭିଷେକ ଓ ବଳଦେବଙ୍କ ଅପମାନ

ସଭାପଣ୍ତା ରୂପେ ବିରାଟକୁ ଖେଳାବନ୍ତି ପଶା

ସୂପକାର ରୂପେ ବ୍ରିକୋଦର ପୂରୋଇ ମନୀଷା ।୨।

ନୃତ୍ୟ ଆରମ୍ଭେ ତ ରହିଲେ ଧନୁର୍ଜୟେ

ଥାନପାଳ ପୂପେ ଯେ ମାଦ୍ରୀର ତନୟେ ।୨।

ଗୋପାଳ ଚୂଡ଼ାମଣି ଯେ ମନ୍ତ୍ରୀ ତନ୍ତ୍ରୀପାଳ

ସଇରିନ୍ଧ୍ରୀ ରୂପେ ପାଞ୍ଚାଳୀ ବଞ୍ଚନ୍ତି ଦିନକାଳ ।୩।

ଉତ୍ତରା ବାଳୀ କୁଣ୍ତାଇ ବସ୍ର ମାଗିଥିଲା

ଅନେକ ରତ୍ନବସ୍ର ଅର୍ଜୁନ ତାକୁ ଦିଲା ।୪।

ଉତ୍ତରା ବାଳୀକି ଦିଲା ଆବର ଉତ୍ତର କୁମାର

ରଥ ପାତାଙ୍ଗମାନ ଯେ ରତନ ଅଂଳକାର ।୫୪।

ତଦନ୍ତରେ ଉତ୍ତର କୁମାର ଯେ ବିନୟେ ଯୁଝେଷ୍ଠିଂକି

ଅଗ୍ୟାଂତବାସ ପାରକଲେ ତହିଂ ଦିନ ଲେଖି ।୬।

ମକର ଶୁକଳପକ୍ଷ ଯେ ଚଉଠୀର ଦିନ

କୋନ୍ତେ ବିଜୟେ କଲେ ରୋଷୁଅ ଭୁବନ ।୭।

ଭୀମସେନକଇଂ ଘେନିଣ ନିଶାକାଳେ

ବିଜୟେ ଧର୍ମନାନ ଯେ ଶମୀବୃକ୍ଷର ତଳେ ।୮।

ଦିବସ ଅବସାନେ ପାଞ୍ଚାଳୀକି ଘେନି

ଶମୀବୃକ୍ଷ ତଳେ ଯେ ବିଜୟେ ଫାଲଗୁନି ।୯।

ନକୁଳ ସହଦେବ ହୋଇଲେ ୟେକସଙ୍ଗ

ଶମୀବୃକ୍ଷ ତଳେ ପ୍ରବେଶ ହୋଇଲେ ବେଗ ।୧୦।

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ଫାଲଗୁନି

କେମନ୍ତେ ବିଜେ କରିବେ ବ୍ୟାସ ମହାମୁନି ।୧୧।

ସହଦେବ ବୋଇଲା ସେ ଅଛନ୍ତି ଦିନଗଣି

ଋଷିମାନେ ପ୍ରବେଶ ହୋଇବେ ୟେହିକ୍ଷଣି ।୧୨।

ସହଦେବ କହନ୍ତେ ଯେ ବିଜୟେ ବେଦବ୍ୟାସେ

ଷାଠିୟେ ସହସ୍ର ଶିଷ୍ୟ ଅଛନ୍ତି ତାହାଂକ ପାଶେ ।୧୩।

ଲକ୍ଷେକ ବ୍ରାହ୍ଣଣ ଘେନି ଧଉମ୍ୟ ପୁରୋହିତେ

ପାଞ୍ଚସହସ୍ର ଶିଷ୍ୟ ଘେନି ବିଜେ ବିଶ୍ଵାମିତ୍ରେ ।୧୪।

ବେନିଲକ୍ଷ ଶିଷ୍ୟ ଘେନି ବିଜେ ମାରକଣ୍ତେ

ଅହିବ୍ରତେ ଶିଷ୍ୟ ଘେନି ବିଜୟେ ବିଭାଣ୍ତେ ।୧୫।

ଲକ୍ଷେ ଶିଷ୍ୟ ଘେନିଣ ଚଳିଲେ ଗାଗ୍ରବେ

ପାଞ୍ଚଲକ୍ଷ ଶିଷ୍ୟ ଘେନି ବିଜୟେ ବଶିଷ୍ଠ ସୁଦେବେ ।୧୬।

ଅଗସ୍ତିଂକ ତୁଲେ ଯେ ପାଞ୍ଚଲକ୍ଷ ବାଳଖିଳା

ବିଜୟେ ମହାତମା କଳହପ୍ରିୟ ନାରଦ ମହାଭୋଳା ।୧୭।

ବାମଦେବ ସୁମନ୍ତକ ଗାଲବ ଉତଂକ

ଗଉତମ ଭାରଦ୍ଵାଦଶ ଦୃଭାସାଂକ ସାଙ୍ଗ ।୧୮।

ପଉଲସ୍ତ୍ୟ ପରାଶର କଣ୍ତୁ ଶାୟେନ୍ତନୁ

ଜୟମୁନି ବାଲମ୍ଵିକ ପଉଲସ୍ତ୍ୟଂକ ତନୁ ।୧୯।

ୟେହାଂକର ମୂଳେ ଯେ ଅନେକ ମହଋଷି

ଶମୀବୃକ୍ଷ ତଳେ ସମସ୍ତେ ବିଜେକଲେ ଆସି ।୨୦।

ଦିଗପାଳମାନେ ଯାଇଂ କହିଲେ ଜମ୍ଭୋଭେଦୀ

ସୁଧର୍ମାସଭା ଇନ୍ଦ୍ର ଦିଲାକ ଆଣି ସର୍ବସିଦ୍ଧି ।୨୧।

ଆହୋ ଯେବଣ ସଭାୟେ ତ୍ରଇଲୋକ୍ୟେ ବସିଥିଲେ

ଅର୍ଦ୍ଧକକୁ ନ ଅଣ୍ଟଇ ବିଶ୍ଵରୂପ ଧଇଲେ ।୨୨।

ସେ ସଭା ଘେନିଣ ସେ ଅଇଲା ବିଶ୍ଵକର୍ମା

ଶମୀବୃକ୍ଷ ତଳେ ଆଣି ଥାପିଲେ ସୁଧର୍ମା ।୨୩।

ଯେତେବେଳେ ଆସ୍ତାନକୁ ଅଇଲା ସଭାଗୋଟି

ଅମର ବିଳାସୁଣୀ ଅଇଲେ ଚଉଷଠି କୋଟି ।୨୪।

ମୃଦଙ୍ଗ ତାଳ କଂସାଳ ଶରଗୁଣା ଅଧ ଟି

ଗନ୍ଧର୍ବ ପୁରୁଷେ ଅଇଲେ ଲକ୍ଷେ ଚଉଷଠି ।୨୫।

ସାରଙ୍ଗସ୍ଵର ମଣ୍ତଳ ସପତସ୍ଵର ବେଣୀ

ଓଂକାରି ତାଣ୍ଡବ ଯେ ଆରମ୍ଭିଲେ ଖଟଣି ।୨୬।

ଅଇରାବ୍ରତ ପିଛିରେ ଅମରଗଣ ଘେନି

ସମୀବୃକ୍ଷ ତଳେ ଯେ ବିଜେ ସସ୍ରଯୋନି ।୨୭।

ଆବର୍ତ୍ତକ ସମ୍ଵର୍ତ୍ତକ ଦ୍ରୋଣ ଯେ ପୁଷ୍କର

ସେମାନେ ଲାଗିଲେ ଆସି ଶମୀବୃକ୍ଷ ତଳର ।୨୮।

ରତ୍ନ ଯୋଗାଡ଼ ଘେନିଣ ଅଇଲେ କୁବେର ଅଳକାର ପତି

ବାସବର ସନିଧ୍ୟେ ସେ ବିଜେକଲେ ଧାତି ।୨୯।

ଦେବଦାଦ୍ୟ ଦୁନ୍ଦୁଭି ବାଜିଲା ଯେତେବେଳେ

ନାରାୟଣ ପୁଛାକଲେ ଦେବ କାମପାଳେ ।୩୦।

ସ୍ଵାମୀ ଯୁଝେଷ୍ଠି ଠାକୁର ଅଭିଷେକ ଶମୀବୃକ୍ଷ

ଦିଗପାଳମାନନ୍ତ ଘେନି ବିଜେ ସହସ୍ରାକ୍ଷ ।୩୧।

ଅଭିଷେକ ଦେଖିବା ଚାଲ ଯିବା ଦେବହଳୀ

ବ୍ରହ୍ମା ଇନ୍ଦ୍ର ରୁନ୍ଦ୍ର ଦିଗପାଳ ଅଛନ୍ତି ତହିଂ ମିଳି ।୩୨।

ଧର୍ମ ନନ୍ଦନଂକ ଦେଖିଲେ ଅଭିଷେକ

ଅନେକ ଜନ୍ମର ଖଣ୍ତଣ ହୋଇବ ମହାପାତକ ।୩୩।

ଶୁଣି ଯୋଗେଶ୍ଵର ପୁରୁଷ ସେ ସଦା ମତିଭୋଳି

ତାଳଧ୍ଵଜ ରଥେ ବିଜେକଲେ ଦେବହଳୀ ।୩୪।

ନନ୍ଦ ବସୁଦେବ ଉପନନ୍ଦ ଉଗ୍ରସେନ ଉଦ୍ଧବ ଅକ୍ରୂର ପ୍ରସନ୍ନାଜିତ

ବିଜୟେ ମହାବୀରେ ଯେ ଯାହାର ରଥ ।୩୫।

ଯଦୁବଂଶ ଭୋଜବଂଶ ବୃଷ୍ଣିବଂଶ ହଇହେୟବଂଶ

ଅନ୍ଧକବଂଶ ଚୁହାଣବଂଶ କୁକୁରବଂଶ ଅଶେଷ ।୨୩୬।

ୟେସନେକେ ସାତବଂଶ ହୋଇଲେ ବିଶେଷ

ରଥେ ରଥେ ଚଢି ସର୍ବେ ହୋଇଲେ ପ୍ରବେଶ ।୩୭।

ୟେହାଂକର ମୂଳେ ଛପନକୋଟି ବୀରେ

ବିଜେକଲେ ଯେ ଯାହାର ବାହନ ପିଠିରେ ।୩୮।

ଋକ୍ମିଣୀ ଜମ୍ଵୁବତୀ ସତ୍ୟା କାଳନ୍ଦୀ ତୁଳସୀ

ସତ୍ୟଭାମା ଲକ୍ଷ୍ମଣାଭଦ୍ରା ଯେ ଅଷ୍ଟ ପାଟବଂଶୀ ।୩୯।

ୟେହାଂକର ମୂଳେ ଯେ ବତିଶସହସ୍ର ବାଳୀ

ବଇନେତ୍ର ପିଠିରେ ବିଜେ ସବୁଂକରି ହାଥରେ ଅର୍ଘସ୍ଥାଳୀ ।୪୦।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ବାସୁଦେବଂକ ପୁତ୍ର

ୟେହାନ୍ତ ଘେନି ଖଗେବର ପିଠିରେ ବିଜୟେ ଜଗଭୂତ ।୪୧।

ପବନହୁଂ ବେଗେ ଚଳଇ ଦ୍ଵାରିକାଉଂ ଥାଠ

ରାତ୍ର ଚଉଦ ଦଣ୍ତରେ ହୋଇଲେ ଯାଇଂ ଭେଟ ।୪୨।

ଲାଗିଅଛି ଯେ ଅବିଛନ୍ନେ ହୁଳା

ଆଦିତ୍ୟ କିରଣ କି ଦିଶିଲାକ କୋଟିମାଳା ।୪୩।

ବାଜଇ ଦମାଲୁ ଯେ ଦୁନ୍ଦିଭି ନିଶାଣ

ଭେରୀ କମ୍ଵୁ କାହାଳୀ ଯେ ଯନ୍ତ୍ରିତ ନିର୍ବାଣ ।୪୪।

ବିଜିଘୋଷ ଟମକ ଦମା ଯେ ଦାଉଣ୍ତି

ମହୁରୀ ଦୋଷରୀ ଯେ ଅଳାବେଣି ଖଣ୍ତି ।୪୫।

ଅନେକ ବାଦ୍ୟମାନ ଯେ ବାଜଇ ଗହନ

ପୃଥୀ ହେଳ ଘେନଇଂ ଯେ କିମ୍ପଇ ତ୍ରିଭୁବନ ।୪୬।

ଯୁଝେଷ୍ଠିଦେବେ ବିଜେ ଯେ ବ୍ୟାସଂକର କୋଳେ

ପାଞ୍ଚଯୋଜନ ଥାଉଂ ଯେ ଦେଖିଲେ କୃଷ୍ଣ କାମପାଳେ।୪୭।

ଅନେକ ସାନନ୍ଦ ଯେ ଦ୍ଵାରିକାର ବାଳୀ

ଆସ୍ତାନେ ଦେଖିକରି ଦିଲେ ହୁଳହୁଳି ।୪୮।

ଶମୀବୃକ୍ଷ ତଳକୁ ଶୁଭିଲା ଶବଦ ଗହନ

କିସ ଶବଦ ବୋଲି ପୁଛିଲେ ମଘବାନ ।୪୯।

ଦେବସଭା ମଧ୍ୟରେ ସେ ନାରଦେ କହିଲେ

ଦ୍ଵାରିକାର ସମ୍ପଦ ଘେନି ରାମକୃଷ୍ଣେ ବିଜେକଲେ ।୫୦।

ଯେତେ ଦୂରୁଂ ଯୁଝେଷ୍ଠିଂକ ଦିଶିଲା ଆସ୍ତାନ

ଗରୁଡ଼ ପିଠିରୁ ବେଗେ ଉତୁରିଲେ ଜନାର୍ଦ୍ଦନ ।୫୧।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ଯେ ସୁତ

ଆଲଟ ଚାମର ଧରିଅଛନ୍ତି ୟେ ସମସ୍ତେ ଯେ ହାଥ ।୫୨।

ବତିଶସହସ୍ର ଶତେ ଅଷ୍ଟ ପାଟବଂଶୀ

ଶ୍ରୀକରେ ଅର୍ଘ୍ୟଘେନି ସେ ବିଜେକଲେ ଆସି ।୫୩।

ସନ୍ନିଧ୍ୟେ ବିଜେକଲେ ଦେବ ବନମାଳୀ

ପୟରେ ଯାଇଂ ଶ୍ରୀକୃଷ୍ଣ କରନ୍ତି ନିଉଛାଳି ।୫୪।

ଆନନ୍ଦେ ଅନେକ ଯେ ପ୍ରାର୍ଥନା ବାକ୍ୟ ବୋଲି

ଛାମୁରେ ନାରାୟଣ ଶୁତିଲେ ଗଡ଼ଘାଲି ।୫୫।

ଦେଖିଣ ଯୁଝେଷ୍ଠି ଦେବ ଉଠିଲେ ଧାତିକାରେ

ଶ୍ରୀଭୁଜେ ନାରାୟଣଂକୁ ତୋଳି ଧଇଲେ ଯାଇଂ କୋଳେ ।୫୬।

ଦିଗପାଳମାନେ ସମସ୍ତେହେଂ ଉଠି

ପୂଜାବିଧି କଲେ ଶ୍ରୀନାରାୟଣ ପଦ୍ମପାଦ ଗୋଟି ।୫୭।

ଶ୍ରୀ ସଂକ୍ରିଷଣଂକ ଚରଣେ ଧର୍ମ କଲେ ପୂଜା

ଅନେକ ବିନୋୟୀ ସେ କଲେ ଧର୍ମରାଜା ।୫୮।

ମୁନିଜନମାନେ କରନ୍ତି ବେଦଧୁନି

ଅନେକ ଅପଛରୀମାନେ କଲେ ଯେ ହୁଳହୁଳି ଧ୍ଵନି କରେ ଅର୍ଘ୍ୟ ଘେନି ।୫୯।

ଶୀଜଗନ୍ନାଥଂକ ପୁତ୍ରମାନେ ଚରଣେ ପରିଣାମି

ପ୍ରତକ୍ଷେ ନାରାୟଣ ଅନୁଗ୍ରହ ନାଥ ସ୍ଵାମୀ ।୬୦।

ଦେବସଭାରେ ଉତ୍ସବ ଦେଖିଣ ବିଧାନେ

ମରୁଳ ବାହାନେ ପିତା ବିଜେ କଲେକ ଅନ୍ତର୍ଦ୍ଧାନେ ।୬୧।

ପଞ୍ଚାଶକୋଟି ସେ ଯେ ସଙ୍ଗତେ ବାଳଖିଳା

ବେଦବର ନାଥ ଯେ ବିଜୟେ ଶୁଦ୍ଧବେଳା ।୬୨।

ବୃଷଭ ଆରୋହି ସେ ବିଜେକଲେ ଧୂର୍ଜଟି

ତୁଲେଣ ଭ୍ରୂକୁଟିଗଣ ଘେନି ଚଉଦକୋଟି ।୬୩।

ମୟୁରବାହାନେ ଯେ ବିଯେ ଷଡ଼ାନନ

ଗଣପତି ବିଜେକଲେ ଈନ୍ଦୁର ବାହାନ ।୬୪।

ଗ୍ରହଗଣ ସହିତେ ବିଜୟେ ନିଶାପତି

ଶମୀବୃକ୍ଷ ଶିଖରେ ବିଜୟେ ତଡ଼ତି ।୬୫।

ଦାରୁକ ବିଜେକଲେ ନନ୍ଦିଘୋଷ ରଥ ଘେନି

ସୁଭଦ୍ରା ଅଭିମନ୍ୟୁ ବସାଇଣ ବେନି ।୬୬।

ଅଗ୍ନି ଆରୋପଣ କଲେ ବଶିଷ୍ଠ ଉଦ୍ଦାଳକ ଦୁର୍ଭାସା ଅଗସ୍ତି

ସ୍ଵାହା ସ୍ଵଧା ମହାମନ୍ତ୍ରେଣ ପାଡ଼ିଲେ ଆହୂତି ।୬୭।

ପ୍ରାଣତ୍ୟାଜ ବଶ୍ୟାନର କାଳ୍ୟନଳ ଜାଳା ଯେ ପିଙ୍ଗଳ

ଦାବାନଳ ପବନା ଅନଳ ଲୋହିତବର୍ଣ୍ଣ ଅନଳ ।୬୮।

କ୍ରୋଟଅନଳ ବିଶାଖାଅନଳ ୟେମାନଂକୁ ଘେନି

କୃଷ୍ଣମେଘାଅନଳ ଯେ ଦ୍ଵାଦଶ ବହନି ।୬୯।

ଜାତ ଅନଳ ବିକରାଳ ଅନଳ ଶ୍ଵେତ ଅନଳ ପାତିଲେ ଆହୁତି

ଆଗେ ଯାଗନିକ ହୋଇଲେ ବ୍ୟାସ ମହାଯତୀ ।୭୦।

ପାରେଶ୍ଵର ବିଶାମିତ୍ର ବାଲମ୍ଵିକ ଅଗସ୍ତି

ବ୍ରହ୍ମା ବରଣ ହୋଇଲେ ମାର୍କଣ୍ତ ମହାଯତୀ ।୭୧।

ପ୍ରସନ୍ନ ନାରାୟଣ ଦିନକର ବିରଞ୍ଚି

ଅଭିଷେକ ନିମନ୍ତେ ଦିଲେ ଅଶ୍ଵ ରଞ୍ଚି ।୭୨।

ଇନ୍ଦ୍ରଦେବତା ଦିଲେକ ଅଇରାବ୍ରତ ହସ୍ତୀ

ଅନେକ ଅଳଂକାରମାନ ମଣ୍ତିଲେ ଦୁହିନ୍ତି ।୭୩।

କନେକ ସଂହାସନେ ବିଜେ ଯୁଝେଷ୍ଠି ଦଣ୍ତଧାରୀ

ଦିବ୍ୟ ଅଳଂକାରମାନ ଆଭରଣ କରି ।୭୪।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ରତ୍ନ ମଣି ମୁକୁଟ କୁବେର ଦିଲାକ ଆରମ୍ଭ ।୭୫।

ତାତ ଝୁମ୍ପା ସରଳ ବାହୁଟି ଜଗଦଳା

ଶିରରେ ଶିରଭୂଷା ମୁକୁଟ ହୃଦେଣ ରତ୍ନମାଳା ।୭୬।

ଅମରାଧି ନାଥଂକର ଯେତେକ ଅଭିଷେକ ଯୋଗାଡ଼ ଅଳଂକାର

ସମସ୍ତ ଆଭରଣ କଲେ ନେଇ ଯୁଝେଷ୍ଠିକ ଶରୀର ।୭୭।

ପବନ ଦେବତାର ଅଭିଷେକ ଯୋଗାଡ଼ ଯୁଗତ

ଆପଣେ ଆଭରଣ କରଇ ଭୀମସେନର ଗାତ୍ର ।୭୮।

କୁବେର ଦେବତାଂକର ଯେତେ ଅଭିଷେକ ବିଧାନ

ସମସ୍ତ ଆଭରଣ କଲେ ନକୁଳ ଦେହେଣ ।୭୯।

ନାରାୟଣ ଦେବତାଂକର ଯେତେ ଅଭିଷେକ ରତନ

ଅର୍ଜୁନ ଶରୀରେ ତାହା ଆଭରଣ କଲେ ଜନାର୍ଦ୍ଦନ ।୮୦।

ଅଶ୍ଵିନୀ କୁମାରଂକର ଯେତେ ଅଭିଷେକ ଯୋଗାଡ଼ ଆଣି

ଶରୀରେ ଭୂଷଣ କଲେ ମନ୍ତ୍ରୀ ଚୂଡ଼ାମଣି ।୮୧।

ଅନେକ ଅଳଂକାର ଘେନିଣ ଦେବୀ ଶଚୀ

ଦ୍ରୋପତୀଂକ ଶରୀରେ ଆଭରଣ କଲେ ସଞ୍ଚି ।୮୨।

ଶ୍ରୀକରେ ଘେନି ଅମଳାଣ ବସ୍ତ୍ର ପାରିଜାତ ପୁଷ୍ୟମାଳ

ଯୁଝେଷ୍ଠିଂକ ଶରୀରେ ଆଭରଣ କଲେକ ଆଖଣ୍ତଳ ।୮୩।

ବୈଜୟନ୍ତୀମାଳା ଚନ୍ଦ୍ର କିରଣର ମଣି

ଶଶଧର ଦେବତା ଆବରଣ କଲେ ଆଣି ।୮୪।

ସୁମନ୍ତେକ ମଣି ଯେ ଘେନିଣ ବନମାଳୀ

ଯୁଝେଷ୍ଠିଂକ ଅଙ୍ଗେ ଆଭରଣ କଲେ ଶୁଦ୍ଧଶାଳୀ ।୮୫।

ଅନର୍ଘ ମଣି ମୁକୁଟ ଆଣି ଦିଲେକ ଭାସ୍କର

ତିମିର ବିଦାରଣ ମଣି ଦିଲେକ ବେଦବର ।୮୬।

ଦିବ୍ୟବେଶ ଅଳଂକାର ହୋଇଣ ପାଣ୍ତବ ପଞ୍ଚୁବୀରେ

ବିଜେ ପଞ୍ଚୁ ଇନ୍ଦ୍ରେ ଯେ ବାସବର କୋଳେ ।୮୭।

ପାଣ୍ତବଂକ ଅବତାର କହିତ କି ପାରି

ପ୍ରତ୍ୟକ୍ଷେ ଇନ୍ଦ୍ର କି ସେ ମଞ୍ଚେ ଅବତରି ।୮୮।

ପ୍ରସନ୍ନ ଅବତାର ସେ ଅଟନ୍ତି ପ୍ରତ୍ୟକ୍ଷେ

ବିଜୟ ପଞ୍ଚମୂର୍ତ୍ତି ବ୍ରହ୍ମା ଇନ୍ଦ୍ର ବିଷ୍ଣୁ ହର କୁବେର ସାରିକ୍ଷେ ।୮୯।

ଦେଖିଣ ସାନନ୍ଦ ଯେ ହୋଇଲେ ବୃନ୍ଦାଅର୍କେ

ଅନେକ ମନ୍ତ୍ର ଆର୍ଧନା କଲେକ ଦେବଲୋକେ ।୯୦।

ଆପଣେ ପଢିଆରୀ ପଣେଣ କେଶବ

ସଭା ନିବର୍ତ୍ତ କରନ୍ତି ଚଞ୍ଚଳ ବାସୁଦେବ ।୯୧।

ଅଭିଷେକ ଯୋଗାଡ଼ ଆଣିଦିଲେ ବିଶ୍ଵକର୍ମା

ସମସ୍ତ ଖୁଆଇଲେ ନେଇ ସଭା ଯେ ସୁର୍ଧମା ।୯୨।

ପଞ୍ଚମୂର୍ତ୍ତି ଅବତାର ଯେ ପ୍ରତିମା ବିଘ୍ନରାଜ

ରୁଦ୍ର ଅବତାର ପ୍ରତିମା କଲେ ତହିଂ ନେଇ ସଜ ।୯୩।

ମୀନ କୂର୍ମ ବରେହା ନରସିଂହ ବାମନ ପ୍ରଶୁରାମ

ହଳ ହଳଧର ବଉଧ ବଳକୀ ଯେ ନାମ ।୯୪।

ବାମେଣ ଗୁରୁ ଯେ ଡାହାଣେଣ ଧାତା

ଆଗେଣ ବ୍ରହ୍ମା ପଛେଣ ବିରଞ୍ଚି ଦେବତା ।୯୫।

ଚତୁର୍ବଦନ ଅଷ୍ଟଲୋଚନ ମରୁଳ ବାହାନେ

ପଞ୍ଚବିଂଶ ପୁତୁଳି ନିର୍ବାଣିଲେ ଅଷ୍ଟରତ୍ନେ ।୯୬।

କୁବେର ମୂରତି ପଞ୍ଚ ଯେ ପ୍ରତିମା

ବରୁଣ ଦ୍ଵାଦଶ ପ୍ରତିମା ଘଟଣ ଉପମା ।୯୭।

ଆଦିତ୍ୟ ମୂରତି ଦ୍ଵାଦଶ ଦେବତା

ଷୋହଳ ମୂରତି ଚନ୍ଦ୍ର ପ୍ରତିମା ଘଟିତା ।୯୮।

ଅନନ୍ତ ଅନିଳ ଯେ ବିଜୟେ ପବନ

ଧାତୁବାଦ ପବନ ଯେ ଚଞ୍ଚଳ ପବନ ।୯୯।

ଧାପ ପବନ ଚଣ୍ତ ପବନ ଯେ ପ୍ରଚଣ୍ତ ପବନ

ଚରଧର୍ମ ପବନ ତାରଣ ପବନ ଯେ ଧ୍ୟାୟେ ପବନ ।୧୦୦।

ଉର୍ଦ୍ଧ୍ଵଗତି ପ୍ରାଣ ଅପାନ ସମାନ ବ୍ୟାନ ଉଦାନ ପବନ

ମଳୟ ତପତ ଗନ୍ଧବାହ ପବନ ।୧୦୧।

ବିକରାଳ ପ୍ରବହ ଆବହ ସଂବହ ନିବହ ପବନ

ଥକିତ ପବନ ଯେ ଧାରଣ ଆଲୋକିତ ପବନ ।୧୦୨।

ବିଚଳିତ ପବନ କେତୁହେତୁ ଦୁର୍ଦଣ୍ତ ପବନ

ନିରସ୍ତକ ପବନ ଯେ ଘୋର ଜୀବନ୍ୟାସ ପବନ ।୧୦୩।

ରାବପବନ ଯୋଗପବନ ଜଳମନ୍ଥାନ ପବନ

କାରଣ ମାରଣ ଜାରଣ ଖର ଯେ ପବନ ।୧୦୪।

ଘନପବନ କାଳାନ୍ତକ ଧୂମାନ୍ତକ ଯେ ପବନ

ଗୁପତ ବ୍ୟକତ ଯେ ଗ୍ୟାନ ଲଳିତ ପବନ ।୧୦୫।

ୟେମନ୍ତେ ପବନ ଦେବତା ୟେ ଅଣଚାସ ମୂରତି

ଅଷ୍ଟରତ୍ନେ ପ୍ରତିମା ଯେ ଆଭରଣ କରନ୍ତି ।୧୦୬।

ବୃହସ୍ପତି ଶୁକ୍ର ଶନିଶ୍ଚର ଆଦିତ୍ୟ ସୋମ ମଙ୍ଗଳ ଯେ ବୁଧ

ରାହୁ କେତୁ ନବଗ୍ରହନ୍ତ ପ୍ରତିମା କଲେ ରୂପବନ୍ତେ ପ୍ରସିଦ୍ଧ ।୧୦୭।

ବିଶ୍ଵେଦେବା ଦ୍ଵାଦଶ ମୂରତି ପୁରୁଷ

ସନକାଦି ସପତ ମୁନି ବିହନ୍ତା ଚତୁର୍ଦ୍ଦଶ ।୧୦୮।

ଆହୋ ଚଇତନ ୟେମନ୍ତେ ପ୍ରତିମାମାନନ୍ତ ଯେ ସୁବର୍ଣ୍ଣେ ଘଟଣ

ହୀରା ନୀଳା ପୋୟେଳା ଯେ ଅଷ୍ଟରତ୍ନେ ନିରିବାଣ ।୧୦୯।

ସନକ ସନାତନ ସନନ୍ତ ସନନ୍ଦନ ମନୁ ଯେ କୁମାର

ୟେ ଚାରି ପ୍ରତିମା ଯେ ବ୍ରହ୍ମା ଅବତାର ।୧୧୦।

ପଞ୍ଚବିଂଶ ମୂରତି ଯେ ଦୁର୍ଗା ବାରୋହୀ ନାରାୟେଣୀ

ବ୍ରହ୍ମାୟେଣୀ ରୁଦ୍ରାୟେଣୀ ଇନ୍ଦ୍ରାୟେଣୀ ଅଷ୍ଚଭଦ୍ରାୟେଣୀ ।୧୧୧।

କାଳିକା କାଳରାତ୍ରି ଉଗ୍ରତାରା ତ୍ରିପୁରା

ଚାମୁଣ୍ତା ଚଣ୍ତଘଣ୍ଟା ବିରୂପା ଅଙ୍ଗିରା ।୧୧୨।

ବାସେଳୀ ଭଇରୋବୀ ୟେତେକ ରୂପ ଗଢି

ପଞ୍ଚବିଂଶ ପିତୁଳି ଯେ ସମସ୍ତ ରତ୍ନେ ଜଡ଼ି ।୧୧୩।

ଦ୍ଵାଦଶ ପ୍ରତିମା ଯେ ହଳଧର ନୀଳାମ୍ଵର

ଉନବିଂଶ ପ୍ରତିମା ଯମ ଦେବତା ନିଶାଚର ।୧୧୪।

ଦେବତା ପ୍ରତିମା ଯେ ଅଷ୍ଟରତ୍ନେ ପିତୁଳି

ଚଣ୍ତେଶ୍ଵର ବିଶ୍ଵକେସେନ କୁଣ୍ତୋଦର ମାତଙ୍ଗିନି ତେଜ ସେ ମଞ୍ଜୁବଳୀ ।୧୧୫।

ବେତାଳ ତାଳପ୍ରତିମା ଯେ ଅଷ୍ଟରତ୍ନେ ଝଳି

ପ୍ରତିମାକେ ହୀରା ନୀଳା ବଇଦୁର୍ଯ୍ୟ ଓଳି ।୧୧୬।

କାଳ ବିକାଳ ଚିତ୍ରଗୁପତ କାଳୀ ବିକରାଳୀ ବେନି ୟେ ଭାରିଯା

ମହିଷୀ ବାହନେ ନାଶକରଗଣ ଘେନି ବିଜୟେ ଯମରାଜା।୧୧୭।

ତମ୍ଵାର ପ୍ରତିମା ଯେ ଲୁହାର ବେନି ଆଖି

ନବଶତ ପ୍ରତିମା ନିଶାଚରଗଣ ଲେଖି ।୧୧୮।

ପଞ୍ଚବିଂଶ ମୂରତି ଯେ ବହୁତ ଦେବତା

ସ୍ଵାହା ସ୍ଵଧା ମନ୍ତ୍ରେ ପୂଜା ପାଇଲେ ବିହିତା ।୧୧୯।

ଶଙ୍ଖପଦ୍ମ ମହାପଦ୍ମ ଶ୍ଵେତ କର୍କୋଟ କୁଳିକ ତକ୍ଷକ ଅନନ୍ତ

ଦ୍ଵାଦଶ ପ୍ରତିମା ଯେ ଅଷ୍ଟକୁଳା ନାଗନ୍ତ ।୧୨୦।

ନିର୍ଘାତର ମୂଳେ ଯେ ପଞ୍ଚଦଶ ମୂରତି

ନବ ପ୍ରତିମା କଲେ ଗ୍ରାମ ଯେ ଦଇବତୀ ।୧୨୧।

ଭୃଗୁ ପୁରୁଷ ଅଭିନ୍ନ ପୁରୁଷ ଶୂନ୍ୟ ଯେ ପୁରୁଷ

ୟେହାନ୍ତ ଘଟଣ କଲେ ପ୍ରତିମା ଦ୍ଵାଦଶ ।୧୨୨।

ଅଷ୍ଟରତ୍ନେ ନିର୍ବାଣ ସୁବର୍ଣ୍ଣ କଳସ ଲକ୍ଷେଗୋଟି

କୋଟି ତାର୍ଥଜଳ ଘେନି ତହିଂରେଣ ପୁଷ୍ଟି ।୧୨୩।

ସୁବର୍ଣ୍ଣର ଛାୟେଣି ଯେ କୋଟିୟେ ଶ୍ରୀଫଳ

ଆକାଶେ ନିର୍ମିତ ଦେବତାଂକର ସେ ସକଳ ।୧୨୪।

ବ୍ରହ୍ମା ଅବତାର ସେ ସହସ୍ରେକ ଶିଳା

ମହେଶ୍ଵର ଅବତାର ପଞ୍ଚସହସ୍ର ଅନର୍ଗଳା ।୧୨୫।

ସହସ୍ରେକ ଶିଳା ଯେ ପିଙ୍ଗଳ ଅବତାର

ବାମନ ମୂରତି ଶିଳା ୟେକ ସହସ୍ରର ।୧୨୬।

କୂର୍ମ ଅବତାର ଶିଳା ଅଟଇ ସହସ୍ରେକ

ସିଂହ ବାହାନେ ଯେ ଅମ୍ଵିକା ସହସ୍ରେକ ।୧୨୭।

ସହସ୍ରେକ ଶିଳା ଯେ ନାରାୟଣ ମୂରତି

ସହସ୍ରେକ ଶିଳା ନୀଳ ଲୋହିତ ବର୍ଣ୍ଣ ଥିତି ।୧୨୮।

ସହସ୍ରେକ ଶିଳା ଯେ ଶ୍ରୀରାମ ନାମ ମୁଦ୍ରା

ଅନନ୍ତ ସହସ୍ରେକ ଶିଳା ଶୁଦ୍ଧ ରୁଦ୍ରା ।୧୨୯।

ବ୍ରହ୍ମରୁଦ୍ର କର୍ମ ଧର୍ମ ପୃଥୀ ଆପ ତେଜ ବାୟିବ ଆକାଶ

ୟେ ପ୍ରତିମା ଘଟଣ ଗଲେ ନବ ଯେ ପୁରୁଷ ।୧୩୦।

ଅଷ୍ଟରତ୍ନେ ନିର୍ବାଣ କଲେ କୋଟିୟେ ଦୀପକୁ କୋଟିୟେ ରୂଖା

ଗୁଆଘୃତେ ପୂରୋଇ ନେତର ବଳିତା ଅତି ଶିଖା ।୧୩୧।

ଦଶଅବତାର ନେତର ଚନ୍ଦ୍ରାତପ ପାଞ୍ଚକୋଟି

ମୁକୁତା ଝରାମାଳମାନେ ଲମ୍ଵନ୍ତି କୋଟି କୋଟି ।୧୩୨।

ୟେ ବିଧିରେ ଯେତେ ଦେବତା ସୁବର୍ଣ୍ଣର ଖଟୁଳି

ହୀରା ନୀଳା ମାଣିକ୍ୟ ପୋୟେଳା ଅଷ୍ଟରତ୍ନେ ଝଳି ।୧୩୩।

ସ୍ଵାହା ସ୍ଵଧା ମନ୍ତ୍ରେଣ କରନ୍ତି ବେନି ହୋମ

ଋଷିମାନେ ଆରୋପଣ କଲେ ଅଗ୍ନି ସୋମ ।୧୩୪।

ଅନେକ ସମିଧେଣ ଘୃତ ଯେ ଆହୂତି

ଦ୍ଵାଦଶ କୋଟି ମନ୍ତ୍ରେ ହବି ଦେବତା ତୋଷନ୍ତି ।୧୩୫।

ପଞ୍ଚବିଂଶ ସ୍ଥାନେ ହୋମ କର୍ମଣ ବିଧି ଆହୂତି

ମନ୍ତ୍ର ଆଧ୍ୟାନେ ତୋଷିଲେ ଅଗ୍ନିଦେବତାଂକ ମୂର୍ତ୍ତି ।୧୩୬।

ବାଜନ୍ତି ମଧୁର ସ୍ଵରେ ଦେବବାଦ୍ୟ ଦୁନ୍ଦୁଭି

କମ୍ପଇ ସପତ ଦୀପ ହେଳ ଘେନଇ ମହୀଦେବୀ ।୧୩୭।

ପଞ୍ଚକୋଶ ଅନ୍ତର ଯେ ମତ୍ସଦେଶ ପୁରୀ

ତହିଂକି ବାଦ୍ୟ ନ ଶୁଭଇ ମାୟାକଲେ ଦେବ ଶିରୀହରି ।୧୩୮।

ପୁଷ୍କରକଇଂ ଧ୍ୟାୟେ କଲେ ନାରାୟଣ

ଆସନ କମ୍ପିଲା ତାହାର ଅନ୍ତରୀକ୍ଷ ଭୁବନେଣ ।୧୩୯।

ଗଙ୍ଗା ଗୟା ଗୋଦାବରୀ ଗଉତମୀ କୃଷ୍ଣବେଣୀ

ହରିପାଦ କେଦାର ପ୍ରୟାଗ ବୈତରଣୀ ।୧୪୦।

ସୁମତୀ ନର୍ମଦା ଯେ ପ୍ରାଚୀ ଚନ୍ଦ୍ରଭାଗା

ଭାଗିରଥୀ ସରସ୍ଵତୀ ଯମୁନା ଗୋପ୍ୟ ଗଙ୍ଗା ।୧୪୧।

ମହାଅଗ୍ନି ଫଲୁକୀ ଯେ ଗୋମତୀ ଶୋଣଭଦ୍ରା

କାବେରୀ ଉତ୍ତରବାହିନୀ ମଣିକର୍ଣ୍ଣିକା ମାନିନୀ ମାନମୁଦ୍ରା ।୧୪୨।

ସାଗର ସଙ୍ଗମ ଭାବାନୀ ଶିବାନୀ

କାମାକ୍ଷୀ କାଳିନ୍ଦୀ ଯେ ମାତାଙ୍ଗୀ ସୀତାବେଣୀ ।୧୪୩।

କାଶୀକଉଶିକୀ ତୁଙ୍ଗଭ୍ରଦ୍ରା ଅନ୍ଧେକ ବେଦମତୀ

ଚିତ୍ରାଙ୍ଗୀ ଚିତ୍ରଉତ୍ପଳା କମଳା ଶରଣାବତୀ ।୧୪୪।

ବାଞ୍ଚ୍ଥାଦୟା ଯେ ନିର୍ମାୟା ମନ୍ଦଭାଗୀ

ପାତାଳଗଙ୍ଗା ଜଇନ୍ତା ବିଭାସୀ ସଉଭାଗୀ ।୧୪୫।

ୟେହାଂକର ମୂଳେ କୋଟିୟେ ଯେ ତୀର୍ଥ

ଘେନିଣ ପୁଷ୍କର ଦେବତା ବିଜୟେ ତୁରିତ ।୧୪୬।

ମୁକୁତାର ଭାଣ୍ତେ ଶୁଦ୍ଧ ସ୍ଫଟିକ ପ୍ରାୟେ ପାଣି

ଅଭିଷେକକୁ ମହାବିଶ୍ଵେ ଦେବତା ଯୋଗାଇଲେ ଆଣି ।୧୪୭।

ବାମ ଦକ୍ଷିଣେ ରହିଲେ ଯେ ଶ୍ଵେତହସ୍ତୀ ବେନି

ମୁକୁତାର ଭାଣ୍ତେ ସେ ତୀର୍ଥଜଳଛନ୍ତି ଘେନି ।୧୪୮।

ପୁଷ୍କର ଦେବତା ତୁଲେ ଚଉରାଶୀ ଲକ୍ଷ ବାଜୀ

ଅତିବେଗ ଚୋଖାର ତୁରଙ୍ଗମ ମହାତେଜୀ ।୧୪୯।

ଚେଡ଼ିପେଡ଼ି ଦୁଇ ପରିବାରୀ ଦୁଇ କତି

ବିଜୟେ କମଳ ଆସନି ଈଶାନ ମୂରତି ।୧୫୦।

ହୃଦଗତେ ଆଲିଙ୍ଗନ ହୋଇଲେ ବାକ୍ୟଦେବୀ

ସାନନ୍ଦ ଚିତ୍ତେ ଯୁଝେଷ୍ଠିଂଙ୍କ ଅଭୟେ ବର ସେବି ।୧୫୧।

ମକରମାସ ଶୁକଳ ପକ୍ଷ ଚଉଠି ଅର୍କବାର

ରେବତୀ ନକ୍ଷତ୍ର ଯେ ଅଟଇ ସେ ଦିନର ।୧୫୨।

ତୈତିଳ ନାମେ କରଣ ଶୁଭନାମେ ଯୋଗ

ତାରଚନ୍ଦ୍ର ବେଳ ଯେ ରୋହିଣୀ ଘରେ ଭୋଗ ।୧୫୩।

ଈଶାନେ ଯୋଗ୍ନୀ ଯେ ମହାଲକ୍ଷ୍ମୀ ମୂରତି

ମଗର ବାହାନେ ସେ ବାମଭାଗେ ଥିତି ।୧୫୪।

ୟେହେନେକ ଶୁଭଲଗ୍ନ ମାହେନ୍ଦ୍ର ଯୋଗବେଳା

ଅଭିଷେକ ବିଧାନେ ସେ ସମସ୍ତ ଦେବେ ମେଳା ।୧୫୫।

ଶ୍ରୀକୃଷ୍ଣଂକ ଭଣଜା ଯେ ଅର୍ଜୁନର ତନୁ

ଯୁଝେଷ୍ଠିଂକ କୋଳେ ବିଜେ କୁମାର ଅଭିମନ୍ୟୁ ।୧୫୬।

ଅମର ବିଳାସୁଣୀୟେ ଦ୍ୟନ୍ତି ହୁଳହୁଳି

ଅରକ୍ଷେକ ସୁନ୍ଦରୀ ଯେ ଆଲଟ ଚାମରନ୍ତି ଢାଳି ।୧୫୭।

ପାଟଛତ୍ର ଲକ୍ଷେ ଆଲମ୍ଵ ଉଦଣ୍ତ ଯେ ଲକ୍ଷେ

ୟେକଲକ୍ଷୀ ପାଞ୍ଚଲକ୍ଷୀ ଉଡ଼ନ୍ତି ମେବଛେ ।୧୫୮।

ସୁବର୍ଣ୍ଣର ଶଙ୍ଖ ଯେ ଫୁରଇ ବେନିକୋଟି

ସଭାୟେ ଚଉଷଠି କୋଟି କନ୍ୟା ତାଣ୍ତବ ରସେ ଖଟି ।୧୫୯।

ବୀଣା ବାଂୟେଶୀ ଯେ ଅଧାଟି ସରଗୁଣା

ପିନାକୀ ଗଣପତି ଯେ କର୍ଣ୍ଣାଟୀ ବ୍ରହ୍ମବୀଣା ।୧୬୦।

ସୁମସ୍ଵର ବାଦ୍ୟ ସା ରି ଗା ମା ପା ଧା ନି ସପତ ସ୍ଵରଧୁନି

ଭରହରଷେ ଖଟନ୍ତି ନାରଦ ମହାମୁନି ।୧୬୧।

ସୁଲକ୍ଷଣି ବ୍ରହ୍ମଣ ଲକ୍ଷେକ ଋକବେଦୀ

ବେନି ଲକ୍ଷ ବ୍ରାହ୍ମଣ ସାମବେଦୀ ପ୍ରସିଦ୍ଧି ।୧୬୨।

ଚାରିଲକ୍ଷ ବ୍ରାହ୍ମଣ ଯଜୁର୍ବେଦୀ ବରି

ଅଥର୍ବବେଦୀ ବ୍ରାହ୍ମଣ ବରିଲେ ଲକ୍ଷେ ଚାରି ।୧୬୩।

ଆୟୁର୍ବେଦରୁ ବରିଲେ ପାଞ୍ଚଲକ୍ଷ ଦିଜ

ଅହିବ୍ରତେକ ବ୍ରାହ୍ଣଣ ଜ୍ୟୋତିର୍ବେଦ ରାଜରାଜ ।୧୬୪।

ବେନି ଅହିବ୍ରତେକ ଧନୁର୍ବେଦୀ ଆଧ୍ୟାନ

ଶିଶୁମୁନା ବେଦୀ ୟେ ଲକ୍ଷେକ ବିଦୁଜନ ।୧୬୫।

ଅଜପା ଗାୟତ୍ରୀ ଯେ ପଞ୍ଚସହସ୍ର ଅଭ୍ୟାସି

ଯୋଗ ଆଧ୍ୟାନେ ପଞ୍ଚ ଅହିବ୍ରତେ ଜଙ୍ଗମ ବସି ।୧୬୬।

ଆହୋ ଚଇତନ ପ୍ରତକ୍ଷେ ଧର୍ମ ନିରଞ୍ଜନ ଯେଉଂଣ ଯୁଝେଷ୍ଠି

ପଢିହାରୀ ରୂପେ ନାରାୟଣ ଯାହାକଇଂ ଖଟି ।୧୬୭।

ୟେ ମହୀମଣ୍ତଳେ କଳିକାଳ ଧ୍ଵଂସିବା ନିମନ୍ତେ

ଇଦଂବାଚ ମନୁଷ୍ୟ ଅବତାର ତହିଂ ଅର୍ଥେ ।୧୬୮।

ସେ ମହାରାଜାଂକର ପୂର୍ଣ୍ଣ ଅଭିଷେକେ

ଅମରଗଣ ଘେନି ସେ ଖଟନ୍ତି ସର୍ବଲୋକେ ।୧୬୯।

ୟେସନେକ ଆରମ୍ଭ ସଞ୍ଚିତ ଦେବହରି

ଲେଖନ୍ତେ ତାହା ମୁଂ କହିବି କି ଅନ୍ତ କରି ।୧୭୦।

ସଞ୍ଚପି କହିବାକୁ କିସ ମୋହୋର ହେତୁ

ମହାବାକ୍ୟ ଆଖ୍ୟାନ ମୁଂ କହିଲି ତହିଂର ନିମନ୍ତୁ ।୧୭୧।

ମନୁଷ୍ୟ ଜନ୍ମେ ଉତପତ୍ତି ମୁଂ ୟେ ମହୀମଣ୍ତଳେ

ଶ୍ରୀକୃଷ୍ଣର ପଦ୍ମପାଦ ଭାବଇ ବକ୍ଷସ୍ଥଳେ ।୧୭୨।

ଅବ୍ୟୟେ ଭଣ୍ତାର ବୟେ କଲି ମମଗ୍ୟାଂନୁ

ଶଇଳ ରାଜାର ନନ୍ଦିନୀ ବିଜୟେ ମୋହୋର କରୁଶାନୁ ।୧୭୩।

ଧାର ଧାର ସୁଶୀତଳ ସମୀର ବହଇ

ଚାରିମେଘେ ଚାରିକତି ହୋଇଲେକ ଛାଇ ।୧୭୪।

ମାୟାକଲେ ତହିଂ ତେତିଶକୋଟି ଦେବତାୟେ

ହିମଋତୁ ଛାଡ଼ିଲା ଗ୍ରୀଷମ ଋତୁ ପ୍ରାୟେ ।୧୭୫।

ନାନା ତୀର୍ଥଜଳେ ସ୍ନାନକଲେ ପଞ୍ଚଭାଇ

ସୁବର୍ଣ୍ଣ ସିଂହାସନେ ବିଜୟେ ନୃପସାଇଂ ।୧୭୬।

ଚାରିମେଘ ଆସି ଯେ ପଖାଳି ପଞ୍ଚୁଶିର

ଆଣି ନିଉଡ଼ିଲେ ଯେ କୋଟିୟେ ତୀର୍ଥର ଜଳ ।୧୭୭।

ଗନ୍ଧଚନ୍ଧନ ପୁଷ୍ୟ ଦିବ୍ୟରତ୍ନ ବସନ

ହୃଦରେ ଆଭରଣ କରନ୍ତି ପାଣ୍ତବ ପାଞ୍ଚଜଣ ।୧୭୮।

ଦିବ୍ୟ ଅଳଂକାର ହୋଇ ଯେ ପାଣ୍ତବ ପଞ୍ଚୁବୀରେ

ପୁଣିହିଂ ବିଜେକଲେ ଯାଇ ସିଂହାସନ ଉପରେ ।୧୭୯।

ବେଦଧୁନି ମଙ୍ଗଳଶୁଭ ଅନକୂଳ ଧୁନି

ପୁଷ୍କର ଅଭିଷେକ କଲା କୋଟିୟେ ତୀର୍ଥ ଘେନି ।୧୮୦।

ଜୟ ଜୟ ଶବଦ ଶୁଭିଲା ଆକାଶେ

ପୁଷ୍ପ ବୃଷ୍ଟି କଲେ ବ୍ରହ୍ମ ଦଇବତ ପୁରୁଷେ ।୧୮୧।

ଅମୃତାକ୍ଷ ମେଘ ତହିଂ କଲା ଅମୃତ ଯେ ବୃଷ୍ଟି

କଣୟ ବରଷିଲା ଅଷ୍ଟରତ୍ନ କୋଟି କୋଟି ।୧୮୨।

ସୋମପାଳ ଭଦ୍ରା ଯେ ଶଂଖଚିଲ ପକ୍ଷୀ

ଦଧିବାବନ ମଙ୍ଗଳ ବାକ୍ୟ ପକ୍ଷୀ ଯେ ତାରାକ୍ଷି ।୧୮୩।

କନକ ଦୀପାବଳୀ ତ୍ରାସେ ଝଲକନ୍ତି ରତ୍ନମଣି

ଦିଶନ୍ତି ପଣ୍ତୁନନ୍ଦନ ବ୍ରହ୍ମା ବିଷ୍ଣୁ ମହେଶ୍ଵର କି ଇନ୍ଦ୍ର ଜାଣି ।୧୮୪।

କୋଦଣ୍ତ ଅଜଙ୍ଗ ପିନାକ ସାରଙ୍ଗ ଗାଣ୍ତିମ

ବାଆନ ବାଆନ ଗଦା ଘେନିଣ ବୀର ଭୀମ ।୧୮୫।

ଯୁଝେଷ୍ଟି ଦେବଂକର ଯେ ଅଭିଷେକ ଦେଖି

ଅନେକ ପାପୀ ତରିଲେ ପାତେକ ଉପେକ୍ଷି ।୧୮୬।

ବହୁତ ସାନନ୍ଦ ଯେ ହୋଉଛନ୍ତି ବୃନ୍ଦା ଅର୍କେ

ଅନେକ ମଙ୍ଗଳ ଧୁନି କରନ୍ତି ଦେବଲୋକେ ।୧୮୭।

ସାନନ୍ଦ ପରମାନନ୍ଦ ସକଳ ସିଦ୍ଧ ଯୋଗୀ

ସଭା ସମାର୍ଜନା ଦେବ କରନ୍ତି ବେଗି ବେଗି ।୧୮୮।

ଅନେକ ଉଛବେ ସେ ଯାଦେବ ବୀରମାନେ

ବାବୁ ସୁଲଭ ଜୀବନ ଅଟଇ ଆମ୍ଭର ଧନ୍ୟେ ଧନ୍ୟେ ।୧୮୯।

ନାରାୟଣ ପ୍ରସନ୍ନେ ଆମ୍ଭେ ସୁଫଳେ ଅଛୁଂ

ଅନେକ ଜନ୍ମକୁ ନିର୍ମଳ ହୋଇଲା ଆମ୍ଭର ଚଛୁ ।୧୯୦।

ମହାତୀର୍ଥ କାମ୍ୟ କରିଥିଲୁ ପୂର୍ବେ

ଧର୍ମନନ୍ଦନ ଅଭିଷେକ ଦେଖିବାକୁ ସାମରଥ ହୋଇଲୁ ୟେବେ ।୧୯୧।

ପାଣ୍ତବଂକ ଅଭିଷେକ ମହା ସଂପଦ ଦେଖି

ବଳଦେବ ହେଠମାଥେ ବୁଜିଲେ ବେନି ଆଖି ।୧୯୨।

ବିରସ ବଦନ ଯେ ହୋଇଲେ ଦେବ କାମପାଳ

ବହୁତ ବିସୋରିଲେ କଣ୍ଟିଲା ବକ୍ଷସ୍ଥଳ ।୧୯୩।

ଅନମିତେ ଧୃତରାଷ୍ଟ୍ର ପୁତ୍ରଂକର ହୋଇଲୁ ଗଦାଗୁରୁ

ଆବର ମାନଗୋବିନ୍ଦକୁ କେହି ରକ୍ଷା କରିପାରୁ ।୧୯୪।

ବଳରାମଂକ ବିରସ ଭୀମସେନ ଜାଣି

ଶ୍ରୀକୃଷ୍ଣଂକର ସନିଧେ ଯାଇଂ ଯୋଡ଼ଇ ବେନିପାଣି ।୧୯୫।

ସ୍ଵାମୀ ଆମ୍ଭର ସଂପଦ ଦେଖି ତ୍ରୈଲୋକ୍ୟ ଆନନ୍ଦ

ବଳରାମ ବସିଲେ କିଂପେ ମନର ବିଷାଦ ।୧୯୬।

ଲେଉଟି ନାରାୟଣ ଚାହିଂଲେ ରାମ ମୁଖ

ବଳରାମ ବିରସ ଦେଖିଲେ ଶ୍ରୀବତ୍ସ ପ୍ରତକ୍ଷ୍ୟ ।୧୯୭।

ନାରାୟଣ ବୋଇଲେ ଭୀମସେନର ଅଗ୍ରତେ

ବୋଲୁକିନା ସ୍ଵାମି ହେ ବିରସ କିସ ଅର୍ଥେ ।୧୯୮।

ନାରାୟଣ ବଚନେ ବ୍ରିକୋଦର ଉଠି

ବଳରାମଂକ ଛାମୁରେ ଯୋଡ଼ଇ ବେନିକର ଗୋଟି ।୧୯୯।

ସ୍ଵାମି କାମପାଳ ଯୁଝେଷ୍ଠିଦେବଂକ ଅଭିଷେକ

ଅନେକ ସାନନ୍ଦ ହୋଉଅଛନ୍ତି ତ୍ରିଲୋକ ।୨୦୦।

ତୋହୋର ମନ କିଂପା ବିରସ ବଳଦେବ

ଅଥବା ମନକୁ ନଯୋଗାଇଲା କି ଆମ୍ଭର ଉଛବ ।୨୦୧।

ୟେ କାର୍ଯ୍ୟେ ତୋହୋର ମନ୍ଦବୁଧି ପ୍ରସାଦେ

ବେଳେ ବେଳେ ମାନଗୋବିନ୍ଦ ଆମ୍ଭଂକୁ ଚିନ୍ତଇ ପ୍ରମାଦେ ।୨୦୨।

ଭୋ ସ୍ଵାମି ତୋହୋର ୟେକା ୟେ ମନ୍ଦବୁଦ୍ଧି

ବେଳେ ବେଳେ ମାନଗୋବିନ୍ଦ ହରଇ ଆମ୍ଭର ସଂପ୍ରଧି ।୨୦୩।

ତୋହୋର ପ୍ରସାଦେ ଦିଲେ ସେ ବିଷଲଡ଼ୁ

ବାନ୍ଧି ପକାଇଲେ ମୋତେ ଅଗାଧ ସିନ୍ଧୁ ଜଳେ ପଡ଼ୁ ।୨୦୪।

ନାଗୁଣୀ ଖାଉ ବୋଲି ମେଲିଦେଲେ ଜଳେ

ତହୁଂ ପାରହୋଇଲି ମୁଂ ମୋହୋର ଧର୍ମବଳେ ।୨୦୫।

ତୋହୋର ବୁଦ୍ଧି ପାଇ ଆହୁରିବେଳେ ଆମ୍ଭନ୍ତ କଲେ କୂଟ

ଘରେକ ଭିଆଇଲେ ଜଉ ସଜଳସ ଗୁଆଘୃତ ଛଣପଟ ।୨୦୬।

ପାଣ୍ତବେ ମରନ୍ତୁ ବୋଲି ପୋଡ଼ିଦେଲେ ନିଶାକାଳେ

ତହିଂରୁ ପାରି ହୋଇଲୁ ଆମ୍ଭର ପୁଣ୍ୟବଳେ ।୨୦୭।

କପଟ ପଶା ୟେକ ଯେ ଭିଆଇଲେ ଆପଣ

ୟେହେହ୍ନେକ କୂଟବୁଦ୍ଧି ତୋହୋର ବଡ଼ପଣ ।୨୦୮।

ଘୋଷଯାତ୍ରା ବୋଲି ସେ ରଞ୍ଚିଲେ ଉପାୟେ

ସକଳ ଅନୀତି କଲେ ଯେ ତୋହୋର ଭରସାୟେ ।୨୦୯।

ୟେ ତୋହୋର ପରସାଦେ ପାଇଲୁ ୟେତେ କଷ୍ଟ

ୟେତେ ବାଗେ ରାମ ତୋହୋର ନ ପୂରିଲା ପେଟ ।୨୧୦।

ହରଷ ଛାଡ଼ି କିଂପେ ବିରସ ତୋହୋର ମତି

ତୋହ ବିସରିଲେ କିସ ହୋଇବ ହଳପତି ।୨୧୧।

ତୁମ୍ଭର କର୍ମେଣ ୟେତେ କୃତ୍ୟମାନ ଭଲ

କାଳେଣ କାମପାଳ କିଛି ନୋହିଲାଟି ଭଲ ।୨୧୨।

ଦ୍ରୋପଦୀର କେଶ ଯେ ଧରିଲା ଧୁଶାସନ

କେଶ ନ ବାନ୍ଧିଲା ଦେବୀ ଚଉଦ ବରଷ ଷଡ଼ମାସ ତେରଦିନ ।୨୧୩।

ଧୁଶାସନ ରୋଧିରେ ଯେବେ କେଶ ଯେ ପଖାଳି

ତେବେ ସେ କେଶବନ୍ଧନ କରିବ ପାଞ୍ଚାଳୀ ।୨୧୪।

ସ୍ଵାମି ଧୃତରାଷ୍ଟ୍ର ପୁଅନ୍ତ ମୁଂ ବିଦାରିବି ଯୁଦ୍ଧେ

କେଉଂଣ ବାଗେ ତାହାନ୍ତ ରକ୍ଷା କରିବ ରଣ ମଧ୍ୟେ ।୨୧୫।

ସବୁତ ଦେଖୁଥିବ ତୁମ୍ଭେ ଦୁଇଭାଇ ଥାଇ

ତାହାର କେତେ ପ୍ରାକର୍ମ ବୁଝିବ ଗୋସାଇଂ ।୨୧୬।

ମୁହିଂତ ସତ୍ୟ କରୁଛି ତୁମ୍ଭର ପାଦ ଛୁଇଂ

ନିଶ୍ଟୟ କଉରୋବନ୍ତ ସଂହାରିବି ମୁହିଂ ।୨୧୭।

ଅନ୍ୟଦିନ ପ୍ରାୟେ କି ତୁମ୍ଭେ ବୁଝିଲ ବଳେବର

ୟେ ଘାନ୍ତିକି ବ୍ରତିଯିବେ ଯେତେକ ସନ୍ୟ ତାର ।୨୧୮।

କର୍ଣ୍ଣ କୃପ ଅଶ୍ଵତ୍ଥାମା ଶଲ୍ୟ ଭୀଷ୍ମ ଦ୍ରୋଣ

କେବଣ ବାଗେ ୟେହାନ୍ତ ରକ୍ଷା କରିବ ସଂକ୍ରିଷେଣ ।୨୧୯।

ଯଦ୍ୟପି ହୋଇବେଟି ସହସ୍ରେକ ବଳରାମ

ତଥାପି କଉରୋବନ୍ତ ରକ୍ଷା କରି ନ ପାରିବେଟି ସଂଗ୍ରାମ ।୨୨୦।

ଯେବଣ ବେଳେ ଅର୍ଜୁନ ଗଲାକ ଦ୍ଵାରକା

ଭଗ୍ନୀକି ତୁମ୍ଭର ହରି ଆଣିଲାଟି ୟେକା ।୨୨୧

ସାତବଂଶ ଘେନି ତୁମ୍ଭେ କଲ ଯେ ସଂଗ୍ରାମ

ୟେକା ଅର୍ଜୁନକୁ ଜିଣି ନୁଆରିଲ ବଳରାମ ।୨୨୨।

ପାଣ୍ତବ ବନ ଦହନେ ସେ ଇନ୍ଦ୍ରେଣ ବିବାଦୀ

ଅମରଗଣ ଜିଣି ଅଗ୍ନିକି ଦିଲା ଯେ ମଉଷଧି ।୨୨୩।

ପୁଣ ନିର୍ବାଚ କପଚକୁ ବଧକଲା ୟେବେ

ଅମରଗଣନ୍ତ ଘେନି ପୂଜାକଲେ ବାସବେ ।୨୨୪।

ଆପଣେ ଜାଣନା କି ଜାରାସନ୍ଧ ରାଜାନ୍ତ ଥିଲା ବନ୍ଦୀକରି

ଅଷ୍ଟାଦଶ ବେଳେ ସେ ତୁମ୍ଭନ୍ତ ଦିଲା ଧାଡ଼ି ।୨୨୫।

ମହୀଥଳେ ରହି ନୁଆରିଲ ତୁମ୍ଭେ ତାହାର ଡରେ

କୁଟୁମ୍ଵ ଘେନିଣ ଯାଇ ପଶିଲ ସାହେର ଭିତରେ ।୨୨୬।

ଜାରାସନ୍ଧ ବଧକଲୁ ତୁମ୍ଭର ନିମନ୍ତେ

କେବଣ ଭଗତି ନୋହିଲୁ ହୋ ଆମ୍ଭେ ତୋତେ ।୨୨୭।

ଗୋସିଂଘ ଦଇତ ତୁମ୍ଭନ୍ତ ଅବା ନ ଦିଲା କେତେ କଷ୍ଟ

ୟେକାୟେ ଅର୍ଜୁନ ତାକୁ କଲା ପ୍ରାଣଭ୍ରଷ୍ଟ ।୨୨୮।

କଉରୋବନ୍ତ ନେଲା ଯେ ପାଣ୍ତବାସୁର ଧରି

ମାନଗୋବିନ୍ଦ ଉଦ୍ଧାରିଲୁ ପାଣ୍ତବାସୁର ମାରି ।୨୨୯।

ପଞ୍ଚାଳଦେଶେ ଅର୍ଜୁନ ରାଧାଚକ୍ର ବିନ୍ଧି

ଦୁଷ୍ଟନ୍ତ ଘେନି କଉରୋବେ ହୋଇଲେ ବିବାଦୀ ।୨୩୦।

ତହିଂ ସମସ୍ତେ ନ ପାଇଲେ କେତେ ଯେ ଅବସ୍ତା

ଲକ୍ଷେକ ରାଜାନ୍ତ ଜିଣି ଦ୍ରୌପଦୀଂକି ଆଣି ରୁହାଇଲୁ କଥା ।୨୩୧।

ଘୋଷଯାତ୍ରା କଲେ କାମ୍ୟେକ ଯେ ବନେ

ଚିତ୍ରସେନ ବନ୍ଦୀକରି ନେଲା ଦ୍ରିଯୋଧନେ ।୨୩୨।

ସମସ୍ତ କଉରୋବେ ଯେ ପଳାଇଲେ ଡରେ

ଅର୍ଜୁନ ବନ୍ଧନୁ ମୁକତ କଲା ଜିଣି ବିଦ୍ୟାଧରେ ।୨୩୩।

ତ୍ରିଗର୍ତ୍ତ ଅଇଲା ଯେ ସମଦଣ୍ତ ବାହି

ମୁହିଂ ସେ ବନ୍ଧନ କଲି ବିରାଟକୁ ପରିଘାଇ ।୨୩୪।

ଦଣ୍ତ ଭଗ୍ନ ଦେଖି କୋପ କଲାକ ଦ୍ରିଯୋଧନ

ଆପଣେ ବାହିଲା ଅଷ୍ଟାଦଶ କ୍ଷଉଣୀ ଘେନି ସୈନ୍ୟ ।୨୩୫।

ଗୋ ଦୋହନ ବେଳେ ଗୋଷ୍ଠେ ବେଢ଼ିଲା ରାୟେ ଆସି

ୟେକା ସହଦେବ ବଳ ପକାଇଲା ଧ୍ଵଂସି ।୨୩୬।

ପୁଣ ବିଜେକଲା ଆସି ଅର୍ଜୁନ ସମରେ

ୟେକା ରଥୀକେ ସେ ଯେ ଜିଣିଲା କୁରୁସାଗରେ ।୨୩୭।

ଶତେ ସିଂଘର ପ୍ରାକର୍ମ କୀଞ୍ଚକ ଭାଇ ସତେ

ତାହାନ୍ତ ବଧକଲି ମୁହିଂ ମହୀଭାରା ନିବାରିବା ନିମନ୍ତେ ।୨୩୮।

ପ୍ରତକ୍ଷେ ଦେଖିଲା ଅଛ ସ୍ଵାମି ମହିମା ଆପଣା

ଦେଖୁ ଦେଖୁ ବଳଦେବେ ହେଉଅଛ ବଣା ।୨୩୯।

ସୋହୋଦ୍ର ଭଗିନୀ ତୋର ଅର୍ଜୁନ ଭାରିଯା

ଅଭିଷେକ ବିଧାନେ ବସିଅଛି ଯେ ଅଭିମନ୍ୟୁ ତୋହୋର ଭଗ୍ନିଜା ।୨୪୦।

କାଦମ୍ଵରୀ ପାନ ଭୋଳେ କିଛିହିଂ ନ ବିଚାରୁ

ପେଟଥାଉଂ ବଳରାମେ ପିଠିକି କୋଳକରୁ ।୨୪୧।

ଦେଖୁ ଦେଖୁ ଉପେକ୍ଷା କରୁ ତୁ ଅମୃତ

ସ୍ଵାମି ସୁସ୍ଵାଦୁ ମଣି ବିଷ ତୁ କରୁ ଗର୍ଭଗତ ।୨୪୨।

ତୁ ଯାହା ବିଚାର କରୁ ରାମ ମନଇଛା

ଜାଣିମାନା କଉରୋବନ୍ତ କେବଣ ବାଗେ କରୁ ରକ୍ଷା ।୨୪୩।

କହୁଂ କହୁଂ ବ୍ରିକୋଦର ରକତ କୁମୁଦ ଦୃଷ୍ଟି

ରାଗେ ଶ୍ରୀ ବଳଦେବେ ଗଲେ ତହୁଂ ଉଠି ।୨୪୪।

ତାଳଧ୍ଵଜ ରଥ ଆରୋହଣ କଲେ ଦେବରାଜେ

ଦ୍ଵାରକା ପୁରକୁ ଦେବେ କଲେ ତହୁଂ ବିଜେ ।୨୪୫।

ବଳରାମ କୋପେ କେହି ରହି ନୁଆରିଲେ ଆଗ

ଭୀମସେନର ଝିଂଘାସେ ପାଇଲେ ବଡ଼ ରାଗ ।୨୪୬।

ଯହୁଂ ସେ ପ୍ରସର ଆସି ହୋଇଲାକ ରାତି

ହବିକି ତୋଷିଣ ଯେ ଦିଲେ ପୂର୍ଣ୍ଣାହୂତି ।୨୪୭।

ଉତ୍ତରୀ ପଇତା ଯେ ସୁବର୍ଣ୍ଣ ଲେଖନ

ଯୁଝେଷ୍ଠିଂକ ଶରୀରେ ଖଞ୍ଜିଲେ ମୁନିଗଣ ।୨୪୮।

ଆରୋଗ୍ୟ ଆଶିଷ୍ୟ କଲ୍ୟାଣ କଲେ ବାଞ୍ଛ୍ଥା

ପଞ୍ଚୁ କଟକ ପ୍ରାପତ ହେଉ ପୂରୁ ମନଇଛା ।୨୪୯।

ୟେବେ ବନସ୍ତରେ ଯେ ନିବାରିଲେ ଦଇତ ଦୁଷ୍ଟନ୍ତ

ଶତ୍ରୁ ନାଶକରି ତୁମ୍ଭେ ହୋଅ ୟେକଛତ୍ର ।୨୫୦।

ପୃଥିବୀ ଭାରମାନ ତୁମ୍ଭରେ ହେଉ ଲୀନ

ଅନେକ କଲ୍ୟାଣ ସେ ଯେ କଲେ ଦେବ ମଘବାନ ।୨୫୧।

ଅନେକ ରତ୍ନମାଳା ପଞ୍ଚଂକରି କଣ୍ଠେ ଲାଇ

ଉଠିଲେ ବୃନ୍ଦାଅର୍କେ ରଜନୀ କଟାଇ ।୨୫୨।

ଅମର ବିଳାସୁଣୀ ଅପର୍ଣ୍ଣା ମହା ସରସ୍ଵତୀ

ଦ୍ରୌପଦୀ ଦେବୀଂକ ଶିରେ ନେଇ ଅର୍ଘ୍ୟ ବନ୍ଦାପନ୍ତି ।୨୫୩।

ଆମ୍ଭର ତତ୍ତୁଲ୍ୟ ଯେ ଅଟୁ ମହାସତୀ

ପୃଥ୍ଵୀଭାରା ନିବାରଣେ ତୁ ମାନୁଷେ ଉତପତ୍ତି ।୨୫୪।

ଭାରା ନିବାରିଣ ତୁ ଆକାଶରେ ବସ

ପୁଣ କାଳ ଅନ୍ତରେ ତୁ ହୋଇବୁ ପ୍ରକାଶ ।୨୫୫।

ଅଭିଷେକ ଯୋଗାଡ଼ନ୍ତ ଦେଇଣ ଦେବସ୍ତିରୀ

ସ୍ଵାମୀଂକର ତୁଲେ ସେ ବାହାନେ ବିଜେକରି ।୨୫୬।

ବିଜୟେ ବୃନ୍ଦାଅର୍କେ ସେ ଯେ ଯାହା ବାହାନେ

ପ୍ରବେଶ ହୋଇଲେ ଯାଇଂ ଯେ ଯାହାର ଭୁବନେ ।୨୫୭।

ଅଇରାବତ ଗଜ ଘେନି ଗଲେ ମଘବାନ

ଉଚ୍ଚୈଶ୍ରବା ଅଶ୍ଵ ନେଲେ କମଳ ଲୋଚନ ।୨୫୮।

ବନ୍ଧୁବର୍ଗ ଘେନିଣ ଯେ ବିଜୟେ ଦେବରାଜେ

ଗରୁଡ଼ ନନ୍ଦିଘୋଷ ରଥେ କଲେ ସର୍ବେ ବିଜେ ।୨୫୯।

ଗୋବିନ୍ଦ ଚଳିଲେ ଯାଇଂ ଅଭିଷେକ ସାରି

ଅଷ୍ଟକୁଳା ନାଗେ ଗଲେ ଯେ ପାତାଳ ସ୍ଵର୍ଗପୁରି ।୨୬୦।

ୟେଥୁ ଅନନ୍ତରେ ଯେ ପାହିଲାକ ରାତି

ଶମୀବୃକ୍ଷ ତଳେ ରହିଲେ ପଞ୍ଚୁପାଣ୍ତବ ଦ୍ରୋପତୀ ।୨୬୧।

ସୁଧର୍ମା ସଭା ଯେ ନେଲାକ ବିଶ୍ଵକର୍ମା

ଅଭିମନ୍ୟୁ ସୁଭଦ୍ରାକୁ ଘେନିଗଲେ ସତ୍ୟଭମା ।୨୬୨।

ଯୁଝେଷ୍ଠିଦେବେ ଯେ ବ୍ୟାସଂକୁ କଲେ ପୁଛା

ବିରାଟ ରାଜ୍ୟକୁ ମୋର ଯାଇତେ ଦେବ ଇଛା ।୨୬୩।

ବ୍ୟାସେ ବୋଇଲେ ବାବୁରେ ହୋଇଥିଲା ବିପଦ

ୟେବେ ସେ ତୁମ୍ଭର ବାବୁ ହୋଇଲା ସମ୍ପଦ ।୨୬୪।

ଅଗ୍ୟାଂନେ ବିରାଟ ଯେ ହୋଇଥିଲା ଅଭଗତ

ଅଭିଷେକ ବିଧାନ ଦେଖିଲେ ହୋଇବ ମୁକତ ।୨୬୫।

ସକଳ ଋଷିମାନଂକୁ ହୋଇଲେ ପ୍ରଳମ୍ଵିତ

ଉଦିଯୋଗ ଆସି ମୋତେ ହୋଇଲା ଉପଗତ ।୨୬୬।

ସମସ୍ତ ଋଷି ଗଲେ ବହୁତ କଲ୍ୟାଣ ଯେ କରି

ଚଳିଲେ ତୀର୍ଥବାସେ ଆଶ୍ରମେ ଯେ ଯାହାରି ।୨୬୭।

****************

 

ବିରାଟ ସିଂହାସନେ ଯୁଝେଷ୍ଠିଙ୍କ ଉପବେଶନ ଶୁଣି ବିରାଟର କୋପ ଓ ଉତ୍ତର କର୍ତ୍ତୃକ ପରିଚୟ ପ୍ରଦାନ

ଯୁଝେଷ୍ଠିଦେବେ ବୋଇଲେ ଶୁଣସି ସହଦେବ

ଅଭିଷେକ ହୋଇ ପୃଥୀରେ ଦେଇ ନ ଯୋଗାଇ ପାଦ ।୧।

ଯାନ ବାହାନ ତ ଆମ୍ଭର ନାହିଂ କିଛି

ଭୀମସେନ ବୋଇଲା ଦେବ ବୁଦ୍ଧିୟେ ମୋହୋର ଅଛି ।୨।

ସମସ୍ତେହେଂ ବିଜେ କରିବା ୟେ ମୋହୋର ଅଙ୍ଗେ

ବିରାଟ ରାଜ୍ୟେ ଯାଇଂ ପଶିବା ଆମ୍ଭେ ବେଗେ ।୩।

ଅଭିଷେକ ବିଧାନ ହୋଇଥିଲେ ଯେବଣ ମତେ

ଯୁଝେଷ୍ଠି ଦେବ ବିଜେକଲେ ଭୀମସେନର ମାଥେ ।୪।

ଦିବ୍ୟ ଅବତାର ଯେ ହୋଇଣ ପାଞ୍ଚାଳୀ

ଯୁଝେଷ୍ଠି ଦେବଂକ କୋଳେ ବିଜେ ଦ୍ରୋପଦ ରାଜାଂକ ଦୁଲାଳୀ ।୫।

ଛିରୋଦ୍ର ମନ୍ଥନେ ଯେହ୍ନେ ଲକ୍ଷ୍ମୀ ନାରାୟଣ

ଗମନ୍ତି ବଇକୁଣ୍ଠେ ଖଗବର ଆରୋହିଣ ।୬।

ଧନୁ ତ୍ରୋଣ ଭାର ଘେନି ଦିବ୍ୟ ଅଳଂକାର

ଘେନିଣ ସକଳେ ସେ ପାଣ୍ତବ ପଞ୍ଚୁବୀର ।୭।

କରେଣ କୋଦଣ୍ତ ସେ ତ୍ରୋଣିଭାର ଘେନି

ଭୀମସେନ ଡାହାଣ ପଖାୟେ ବିଜୟେ ଫାଲଗୁନି ।୮।

ଦିବ୍ୟ ଅବତାର ସେ ନକୁଳ କୁମାର

ଧବଳ ଛତ୍ର ଘେନିଣ ବିଜୟେ ଭୀମସେନ ବାମ ଯେ ପାଖର ।୯।

ଧନୁଶର ଭାରଥି ଦିବ୍ୟ ଅବତାର କରେଣ ମନ୍ତ୍ରପୋଥି

ଭୀମସେନ ବାମ ପଖାୟେ ସହଦେବ ମହାମନ୍ତ୍ରୀ ।୧୦।

ଅନେକ ଭୂଷଣ ଯେ ସବୁଂକରି କାୟେ

ଦିବ୍ୟ ଅବତାର ସେ ଦିଶନ୍ତି ଦିଗପାଳ ପ୍ରାୟେ ।୧୧।

ମେରୁ ଆସନେ ଯେହ୍ନେ ବ୍ରହ୍ମା ବିଷ୍ଣୁ ମହେଶ୍ଵର

ଅସକନ୍ଦ ଦେବତା ତୁଲେ ଯେହ୍ନେ ବିଜୟେ ବୈଶ୍ଵାନର ।୧୨।

ଶରଦ ଆଦିତ୍ୟ ପ୍ରାୟେ ତେଜେଣ ବିକାଶି

ବେଳ ବେନିଦଣ୍ତ ମଧ୍ୟେ ମଧ୍ୟେ ଯାଇଂ ମତ୍ସଦେଶେ ପଶି ।୧୩।

କଣୟ ଗିରି ଜାଣି ଭୀମସେନ ଚାଲନ୍ତେ ଶୋହଇ

ପାଞ୍ଚାଳୀ ଅର୍ଜୁନ ରୂପ ଜଗୁଜନ ମୋହଇ ।୧୪।

ଦେଖିଣ ବିଷାଦ ଯେ ହୋଇଲେ ପୁରଜନେ

.ୟେସନେକ ବିଧାନ ୟେ ହୋଇଲେ କେସନେ ।୧୫।

ମୂର୍ଖଲୋକେ ବୋଲନ୍ତି ୟେତ ସଭାପଣ୍ତା କୋନ୍ତ ଭଟ

ଦିଗପାଳ ପ୍ରାୟେ ତ ଦିଶନ୍ତି ଅତି ଶ୍ରେଷ୍ଠ ।୧୬।

କେ ବୋଲଇ ଶତେ କୀଞ୍ଚକକୁ ଖାଇଲା ସଇରିନ୍ଧ୍ରୀ

କୋନ୍ତଭଟ ତୁଲେ ଯେହୁ ଦିଶେ ଅଭିଷେକୀ ।୧୭।

କେ ବୋଲଇ ଉତ୍ତରା କୁମାରୀ ୟେ କରାଉଥିଲା ନୃତ୍ୟ

ନପୁଂସକ ରୂପ ଛାଡ଼ି ୟେତ ଇନ୍ଦ୍ରସ୍ଵରୂପ ସଂଜାତ ।୧୮।

କି ଅବା ନାରାୟଣ ଦେବତା ଚକ୍ରପାଣି

ୟେହାଂକର ଚରିତ ଯେ ନୁଆରିଲୁ ଜାଣି ।୧୯।

କେହୁ ୟେହାର ଯେ ନ ଚାହୁଂଥିଲା ମୁଖ

ଦିବ୍ୟ ଅବତାର ୟେତ କନ୍ଦର୍ପ ସ୍ଵରୂପ ।୨୦।

କେ ବୋଲଇ ଠାକୁରଂକୁ ୟେ ଅଶ୍ଵ କରାଉଥିଲା ଲାଗି

ସେ ଗ୍ରନ୍ଥିକାର ବାଜିପାଳ ସୁନ୍ଦର ମହାଭୋଗୀ ।୨୧।

ଶରୀରେ ଆଭରଣ ଯେ କଣୟ ଅମୂଲ୍ୟ

ଲକ୍ଷ୍ମୀର ଭଣ୍ତାର ତହିଂକି ନୋହଇ ସମତୁଲ ।୨୨।

କେ ବୋଲଇ ତନ୍ତ୍ରୀପାଳ ଗୋପାଳ ରୂପ ଦେଖ

ଆକାଶ ତେଜିଣ କି ବିଜୟେ ତ୍ରିଅମ୍ଵକ ।୨୩।

ମନ୍ତ୍ରୀର ବିଧାନ ତ କରେଣ ମନ୍ତ୍ରପୋଥି

ଦଣ୍ତଛତ୍ର କରେ ଧରି ୟେତ ଅଭିଷେକୀ ପ୍ରାୟେକ ଦିଶନ୍ତି ।୨୪।

କେ ବୋଲଇ ୟେତ ରାନ୍ଧି ଦେଉଥିଲା ବଲ୍ଲବ

ଦେଖ ଯେ ୟେହାର ହୋ ମହିଂମା ଦୁଲଭ ।୨୫।

ୟେହାଂକର ଚରିତ ତ ନ ପାରିଲୁ ଜାଣି

ଦିଗପାଳ ପୁରୁଷ ୟେ ଗଗନ ଚୂଡ଼ାମଣି ।୨୬।

ୟେକା ଦେହକେ ଯେ ପାଞ୍ଚଗୋଟି ଦେଖି

ହସନ୍ତି କଉତୁକେ ଯେ ଲଜାନ୍ତ ଉପେଖି ।୨୭।

ମୁଣ୍ତେ କାନ୍ଧେ କାଖେ ହସ୍ତେ ସେ ବହଇ

ୟେକକୁ ଆରେକ ସେ ରୋଷଭରେ କହି ।୨୮।

କେହୁ ହସନ୍ତି କେହୁ ପାଡ଼ନ୍ତି କୁରୁଳି

କେହୁ ମଙ୍ଗଳ ଧୁନି କରନ୍ତି ହୁଳହୁଳି ।୨୯।

ମୂର୍ଖଲୋକେ ବୋଲନ୍ତି କେମନ୍ତ ୟେ ବାଇ

ୟେମନ୍ତ ପ୍ରପଞ୍ଚେ ୟେ ବୁଲନ୍ତି କିସପାଇଂ ।୩୦।

ଦେଖିଣ ବିଚାରନ୍ତି ରାଜ୍ୟର ଗଣିତ ଭିଗ୍ୟଂଲୋକେ

ୟେ ରାଜ୍ୟରେ ପଶିୟେ ତ ମୂର୍ଦ୍ଧନା ଅଭିଷେକେ ।୩୧।

କେ ବୋଲଇ ବିରାଟ ଯେ କଲା ମନ୍ଦକୃତ୍ୟ

ଅତିଅନ୍ତ ବିଶ୍ଵାସେ ଯେ ପୋଷିଲା ୟେହାନ୍ତ ।୩୨।

କୀଚକ ନାଶଗଲା ରାଜ୍ୟତ ଅଣରେଖ

କଳିରେ ବିରାଟକୁ ରାଜ୍ୟ ମାଡ଼ି ବସିବେ ପ୍ରତ୍ୟକ୍ଷ ।୩୩।

କରେଣ ଅର୍ଘ୍ୟ ଘେନି ସୁଲଭ କାମିନୀ

ଦେବ ବିଜେ ପ୍ରାୟେ ଦିଅନ୍ତି ହୁଳହୁଳି ଧୁନି ।୩୪।

ମାହେନ୍ଦ୍ର ଯୋଗେ ସେ ଶୁଭ ଅନୁକୂଳେ

ଆସ୍ଥାନ ମାଡ଼ି ବସିଲେ ପ୍ରତିଗ୍ୟାଂ ମହାବଳେ ।୩୫।

କଣୟ ସିଂହାସନେ ଯେ ବିଜୟେ ଧର୍ମଶିଷି

କୋଳେଣ ପାଞ୍ଚାଳୀ ଘେନି ଆସ୍ଥାନେ ଛନ୍ତି ବସି ।୩୬।

ପାବଛକର ତଳେ ସହଦେବ ମହାମନ୍ତ୍ରୀ

ଭୂତ ଭବିଷ୍ୟ ଜାଣଇ ସେ କରେଣ ମନ୍ତ୍ରପୋଥି ।୩୭।

ଆରେକ ପାବଛତଳେ ବିଜୟ ଫାଲଗୁନି

ବାମକରେ ଗାଣ୍ତିମ ଡ଼ାହାଣ କରେ ଖଡ଼୍‌ଗ ଘେନି ।୩୮।

ଆବର ପାବଛ ତଳେ ନକୁଳ କୁମାର

ନବନିଶି କୋନ୍ତ ଘେନି ସମାର୍ଜଇ ବାଜିପାଳ ।୩୯।

ବାଆନ ବାଆନ ଭାର ଗଦା ଘେନିଣ ବେନିକରେ

ଭୀମସେନ ଆବୋରି ଯେ ବସିଛନ୍ତି ସିଂହଦ୍ଵାରେ ।୪୦।

କାଳଚକ୍ର ପ୍ରାୟେକ ଭ୍ରମଇ ବେନିଡ଼ୋଳା

ଯମ ଦେବତା ପ୍ରାୟେକ ଦିଶଇ ଅନର୍ଗଳା ।୪୧।

ମୂର୍ତ୍ତିକି ଚାହିଂ କେହି ନୁଆରନ୍ତି ଡରେ

ଭୟେ ସର୍ବଲୋକେ ଯେ ଅନାବନ୍ତି ଧୂରେ ।୪୨।

ଦେବାର୍ଚନ ମନ୍ଦିରେ ଯେ ବିଜୟେ ବିରାଟ

ଚାରଗଣେ ଜଣାଇଲେ ରାଜ୍ୟ ତୋହୋର କୋନ୍ତଭଟ ।୪୩।

ଯେବଣ ସଇରିନ୍ଧ୍ରୀ ମୋଢୀ ହେତୁ କୀଞ୍ଚକ ନାଶଗଲା

ଅଭିଷେକ ହୋଇଣ ସେ କୋନ୍ତଭଟ କୋଳରେ ବସିଲା ।୪୪।

ଅଭିଷେକ ଯୋଗାଡ଼ ଦେବେ ସେ ପାଇଲେ ଅବା କାହିଂ

ସେ ରତ୍ନମାଳମାନ ମଧ୍ୟପୁରେ ଦେଖିଲା ଆମ୍ଭର ନାହିଂ ।୪୫।

ସ୍ଵାମି ଦିବ୍ୟ ଅବତାର ସେ ଯେ ତନ୍ତ୍ରୀପାଳ ଗୋପାଳ

ମନ୍ତ୍ରୀପଣେ ପୋଥିୟେ ଘେନି କହଇ ଭୂତ ଭବିଷ୍ୟ ସକଳ ।୪୬।

କନକ ଦଣ୍ତ ଛତ୍ର ଧବଳ ବୀରଛତ୍ର କରେ ଘେନି

ଧନୁତ୍ରୋଣ ଭାରଥି ବାଜିପାଳ ବୃହନ୍ନାରୀ ।୪୭।

ଦ୍ଵାର ଆବୋରି ଦେବ ରହିଛି ବଲ୍ଲବ

ତ୍ରୈଲୋକ୍ୟ ମୂରତି ତାର ଅଟଇ ଦୁଲଭ ।୪୮।

ତାହାଂକର ଗୁପତ ଦେବ ନୁଆରିଲୁ ଜାଣି

ଦିଗପାଳ ପୁରୁଷ ସେ ଗଗନ ଚୂଡ଼ାମଣି ।୪୯।

ଡଗର ମୁଖୁଂ ୟେସନ ବାରତା ଶୁଣିଣ ବିରାଟ

କରେ ଅସିପତ୍ର ଧରି ଅଧର କଲା ପୁଷ୍ଟ ।୫୦।

ଧାମଇଂ ମତ୍ସାଧିପ କରେ ଘେନି ଖଣ୍ତା

ଯେମନ୍ତ ଦର୍ପ କିମ୍ପେ ବହିଲ କୋନ୍ତପଣ୍ଡା ।୫୧।

ଆଜ ତାହାର ମୁଣ୍ତ ମୁଂ ପକାଇବି ହାଣି

କୋଳକରି ଧଇଲା ଶ୍ରୀକୃଷ୍ଣା ପାଟରାଣୀ ।୫୨।

ସ୍ଵାମି ରହ ରହ ବୋଲି ସେ ଶ୍ରୀକୃଷ୍ଣାୟେ ବୋଲି

ରାଗେଣ ବିରାଟେଶ୍ଵର ଶ୍ରୀକୃଷ୍ଣାଂକୁ ଦିଲେ ପେଲି ।୫୩।

ଅନ୍ତପୁରୁଂ ରାଜା ଯେ ହୁଅନ୍ତେଣ ବାହାର

ପିତାର ଭୁଜ ଧରିଲା ଉତ୍ତର କୁମର ।୫୪।

ରହ ରହ କୋପ ସଂହର ରାୟେ ମତ୍ସ

ଅନାଦି ପୁରୁଷଂକୁ ତୁ ଭେଟିଲୁ ପ୍ରତ୍ୟକ୍ଷ ।୫୫।

ବିରାଟ ବୋଇଲା ରେ ଖଡ଼ଗ ଛାଡ଼ ବାବୁ

ବିଚକ୍ଷଣ ପୁତ୍ର ବୋଲି ତୋତେ ସମର୍ପିଲି ସବୁ ।୫୬।

ବାବୁ ଅଦଭୁତେ କାହୁଂ ଆସି ପଶିଲେ ଭୃତ୍ୟପଣେ

ମୋହର ସମ୍ପ୍ରଧି ମାଡ଼ି ବସିଲେ ଅକାରଣେ ।୫୭।

ଅତିହିଂ ଆଶ୍ଵାସ କରି ପୋଷିଲଇଂ ଶ୍ଵାନ

ଅନ୍ତେ ସେ ମୋହୋର ମୁଖେ ଦିଲାକ ଚୁମ୍ଵନ ।୫୮।

ବାବୁ ୟେବେ ଜାଣିଲି କୋନ୍ତଭଟ ବଡ଼ ଲଘୁ

କିଂପାଇଂ ସହି ସହି ନୁଆରିଲି ନପୁଂସକ ଲଘୁ ।୫୯।

ଅତିହିଂ ରାଗେ ସିନା ମାଇଲି ପଶାକାଠି

ବାଜିଣ ଫାଟିଲା ତାହାର ଲଲାଟ ଯେ ପାଟି ।୬୦।

ୟେଡ଼େ ପାମରକୁ ତୁ କିପେଂ ସମାର୍ଜନୀ କଲୁ

ଚାଣ୍ତାଳ ପୁତ୍ରରେ ତାହା ଛାରକୁ ମୋତେ ପ୍ରଳମ୍ଵ କରାଇଲୁ ।୬୧।

ତେତେ ବେଳହୁଂ ମୋତେ ଦେଖିଲାନି ତେଜ

ତେଣୁକରି ମାଡ଼ିବସିଲା ସେ ମୋହୋର ରାଜ୍ୟ ।୬୨।

ବାବୁ ଭୀଷ୍ମ ଦ୍ରୋଣ ଜିଣିମାକୁ ତୁ ହୋଇଲୁ ସାମରଥା

କେମନ୍ତେ ସହିଅଛୁ ପୁତ୍ର ୟେଡ଼େକ ମନ୍ଦକଥା ।୬୩।

ଉତ୍ତର କୁମର ବୋଇଲା ପିତା ଦଣ୍ତେକ ଥିରହୋଇ ବସ

ଶ୍ରୀଭୁଜୁଂ କୃପାଣ ଥୋଇ ଥିର କର ନିଶ୍ଵାସ ।୬୪।

ସାବଧାନ ହୋଇ ତୁମ୍ଭେ କ୍ଷଣେ ଶୁଣ ମୋର ବାଚା

ସମ୍ପଦ ହରିବାକୁ କି ପ୍ରତଗ୍ୟାଂ ତୋର ସାଚା ।୬୫।

ସ୍ଵାମି ସାବଧାନେ ଶୁଣ ହୋ ସେ କୋନ୍ତଂକ ମହିମା

ୟେ ମହୀମଣ୍ତଳେ ସେ ପୁରୁଷ ଉତ୍ତମା ।୬୬।

ସ୍ଵାମି ରାଜୁସି ଯାଗ ସେ ଯେ ଆରୋପଣ କଲା

ଚାରିଉଣା ଲକ୍ଷେ ରାଜା ଯାହାର ଚରଣେ ସେବିଲା ।୬୭।

ସ୍ଵାମି ତ୍ରୈଲୋକ୍ୟ ଠାକୁର ସେ ଦେବ ମଧୁହାରୀ

ଯାହାର ଯଗ୍ୟଂଶାଳେ ସେ ଅନନ୍ତ ପଢିହାରୀ ।୬୮।

ସ୍ଵାମି ଦେଖିଲୁଟିକି ଲକ୍ଷେ ରାଜା ସମ୍ମୁଖେ ନାରାୟଣ

ଯାହାର ପାଦ ଆର୍ଧନା କରନ୍ତି ପ୍ରତିକ୍ଷଣ ।୬୯।

ପାତାଳ ପୁର ସେ ଅନନ୍ତ ନାଗରାଜା

ଯେବଣ ସ୍ଵାମି ପାଦେ କଲାକ ପାଦପୂଜା ।୭୦।

ପାଞ୍ଚ ଉତ୍ତର ଶତେରଥ ପାଣିଦ୍ରବ୍ୟ ଘେନିଗଲୁଂ

ସାତକ୍ଷଉଣୀ ବଳ ଘେନି ଛତ୍ରଶାଳେ ଅନ୍ନ ଭୁଞ୍ଜିଲୁ ।୭୧।

ଅନୁବ୍ରତେ ବୋବି ଯେ ପାଡ଼ୁଥିଲା ପଶ୍ଚିମଦ୍ଵାରେ

କେହି ଜାଣନ୍ତା ନୋହିଲା ଯେ ସ୍ଵାମିଂକ ଛାମୁରେ ।୭୨।

ଭାଇ ତାହାଂକର ତୋହର ଗଣ୍ତସ୍ଥଳେ ଦେଇ ହାଥ

ତାହାଂକର ପାଦତଳେ ତୋତେ କରାଇଲେ ପ୍ରଣିପତ୍ୟ ।୭୩।

ଉଠ ବୋଲି ସ୍ଵାମି ଚାଳି ଦେଲେ ପଞ୍ଚଲହ

ବତ୍ସମୁଦି ଦେଖିବାକୁ ନୋହିଲୁ ତୁ ରହ ।୭୪।

ଭୋ ପିତା ହାଥର ସୁଖେ ସେ ଖେଳିଲେକ ପଶା

ସହ୍ରୋଦ୍ରେ ସମ୍ପଦ ଦେଇ ଅରଣ୍ୟେ କଲେ ବସା ।୭୫।

ଅଜାତଶତ୍ରୁ ଯେବଣ ଧର୍ମରାୟେ ଯୁଝେଷ୍ଠି

କର ନେଉଟାଇଲେ ଉଠେ ନବସୃଷ୍ଟି ।୭୬।

ସ୍ଵାମି ଅଗ୍ୟାଂତବାସ ତାଂକ ଗୋପ୍ୟାନ ନିମନ୍ତେ

ସତ୍ୟେଣ ନାମ ସେ ଯେ ବୋଲାଇଲେକ କୋନ୍ତେ ।୭୭।

କୋଇନ୍ତା ଦେବୀଂକର ଯେ ଅଟନ୍ତି ଜ୍ୟେଷ୍ଠ ବତ୍ସ

କୋନ୍ତ ଭଟ ନାମ ବହିଲେ ନ କହିଲେ ମିଛ ।୭୮।

ସ୍ଵାମି ପାଣ୍ତବାସୁରକୁ ଯେ ବଧକଲେ ରଣେ

ପାଣ୍ତବ ନାମ ଯେ ଯେ ବହିଲେ ପାଞ୍ଚଜଣେ ।୭୯।

ବିଷଲଡ଼ୁ ଖାଇ ଯେ ପାରକଲା ପ୍ରତକ୍ଷେ

ନାଗୁଣୀ ବଳ ଜିଣିଲା ସେ ପବନର ବତ୍ସେ ।୮୦।

ଯଦୁର ଘରୁ ଉବୁରିଲେ ପୋଡ଼ିଲା ନିଶାକାଳେ

କୁମ୍ଭୀରୀ ନାମେ ଦାନବ ଯେ ନିପାତିଲେ ଜଳେ ।୮୧।

ମଧୁବନ ତୋଟାରେ କିନ୍ନରୀ ନାମେ କଉଣୋପ

ବିନା ଯୁଦ୍ଧରେ ହରିଲେ ତାହାର ଦର୍ପ ।୮୨।

ବକ ହିଡ଼ିମ୍ଵିକା ମାରି ଯେ ୟେକଚକ୍ରା ନଗ୍ର ରଖି

ହିଡ଼ମ୍ଵିକୀ ପ୍ରଦାନେ ଯାହାର ପ୍ରତଗ୍ୟାଂ ରହିଅଛି ।୮୩।

ଡୋଧି ଶିବପୁରେ ସେ ଚାଣ୍ତାଳ ବଳ ଧ୍ଵଂସି

କୁମ୍ଭେକ ନିବାରିଲେ ନିରସ୍ତକ ବନେ ପଶି ।୮୪।

ଗୁପତ ନିମନ୍ତେ ସେ ବଲ୍ଲଭ ସୂପକାର

ବ୍ରାଘ ମାଲ ମାଇଲା ଯେ କଉତୁକ ସମର ।୮୫।

ସ୍ଵାମି ପାଞ୍ଚାଳ ଦୁର୍ହ ସଈନ୍ଧ୍ରୀ ବାକ୍ୟ କରି

ଶତେ ମାତୁଳ ମୋର କୀଞ୍ଚେକ ରଣେ ମାରି ।୮୬।

ଯେ ତୋଚେ ପାରକଲା ତ୍ରିଗର୍ତ୍ତର ବନ୍ଧନୁ

ବଲ୍ଲଭ ସୂପକାର ସେ ଯେ ପବନର ତନୁ ।୮୭।

ଶୁଣି ପିତାମହ ପ୍ରତଗ୍ୟାଂ କିରୀଟୀ

ପର ଦୁଖେ କାତର ସେ କଇଛା ଜଗଜ୍ଜେଠୀ ।୮୮।

ସ୍ଵାମି ଉତ୍ତର ଦିଗ ବିଜେ କଲାକ ଯେ ସାଧି

ଜିଣିଲାକ ଚାଳିଶ ସହସ୍ର ମହାଯୋଧୀ ।୮୯।

ଲିହି ପୋଛନ୍ତେ ଯେବଣ ପ୍ରାଣ କରଇ ନଷ୍ଟ

ସମରେ ଜିଣିଲା ସେହୁ ନୃପତି ଯମାଗୋଷ୍ଠ ।୯୦।

ପୁଣି ହିଂ ଦିଗବିଜେ ତାତ କଲାକ ପାତାଳେ

ସପତ ଦ୍ଵୀପା ପୃଥିବୀ ସେ ଧଇଲା ଧନୁହୁଳେ ।୯୧।

ଦେଖିଣ ସାନନ୍ଦ ଯେ ହୋଇଲେ ନାଗରାଜା

ଦୁହିତା ଦେଇଣ ଯେବଣ ସ୍ଵାମୀକି କଲା ପୂଜା ।୯୨।

ପାଞ୍ଚାଳ ଦେଶେଣ ଯେହୁ ମହାଲକ୍ଷ ବିନ୍ଧି

ବ୍ରାହ୍ମ ରୂପେଣ ସେ ଜିଣିଲେ ସର୍ବ ଯୋଧୀ ।୯୩।

ବସନ୍ତ ଉତ୍ସବେ ଯେ ହରି ଆଣିଲେ ସଉଭଦ୍ରେ

ଅନେକ ଦ୍ଵନ୍ଦକରି ଯେ ହାରିଲେ ରାମଚନ୍ଦ୍ରେ ।୯୪।

ଶ୍ରୀକୃଷ୍ଣକଇଂ ଭୟକରି ପଳାଇଲା ଶତଧନୁ

ଶରଣ ପଶିଲା ସେ ପିତା ଅଭିମନ୍ୟୁ ।୯୫।

ଅନେକ ସମର ସେ କଲେକ ଚକ୍ରଧାରୀ

ନାରାୟଣେ ଜିଣିଲା ସେ ସମରେ କକ୍ଷାକରି ।୯୬।

ଖାଣ୍ତବ ବନ ଦହନେ ସେ ଜିଣିଲା ଆକାଶ

ଅଗ୍ନି ଦେବତାକୁ ତାରିଲେ ସେ ବ୍ୟାଧି ଗଲା ନାଶ ।୯୭।

ଅନେକ ସମର ସେ କଲାକ ଜମ୍ଭଭେଦୀ

ଇନ୍ଦ୍ର ଜିଣି ଅଗ୍ନି ଦେବତାର ହରିଲାକ ବ୍ୟାଧି ।୯୮।

ନିର୍ବାତ କପଚକୁ ସେ ମାଇଲା ଆକାଶେ

ଅନେକ ପୂଜା ପାଇଲା ଅମର ସ୍ଵର୍ଗବାସେ ।୯୯।

କିରୀଟ ମୁକୁଟ ଇନ୍ଦ୍ର ବାନ୍ଧିଲେକ ଶିରେ

କିରୀଟୀ ନାମ ପାଇଲା ଅମର ସ୍ଵର୍ଗପୁରେ ।୧୦୦।

ସ୍ଵାମି କିରାତ ରୂପେଣ ସେ ହରଂକୁ ଯେ ଜିଣି

ଭୟେଣ ପ୍ରସନ୍ନ ଯେ ହୋଇଲେ ଶୂଳପାଣି ।୧୦୧।

ସାନନ୍ଦେ ବର ସେ ଦିଲେକ ଦେବହର

ଅକ୍ଷୟେ ତ୍ରୋଣ ପାଶୁପତ୍ର ଅସ୍ତ୍ର ଦିଲେ ପାଥର ।୧୦୨।

ହନୁମନ୍ତର ତୁଲେଣ ସେ ହୋଇଲା ବିବାଦୀ

ଶରେ ଶରେ ସାଗରେ ସେହୁ ସେତୁ ବନ୍ଧ ବାନ୍ଧି ।୧୦୩।

ରାଧାଚକ୍ର ବିନ୍ଧିଲାକ ଦେଖିଲୁ ମହିଂମା

ଲକ୍ଷେ ରାଜା ଦେଖି ଲଘିଂ ନ ପାରିଲେ ଯାହାର ସୀମା ।୧୦୪।

ମେରୁଶୂଳ ବଧ କଲେ ଯେହୁ ହରିହର ଛଳେ

ଶରଣ ପଞ୍ଚର ସ୍ଵାମୀ ସେ ଅଟନ୍ତି ସର୍ବକାଳେ ।୧୦୫।

ଗୋପ୍ୟାନ ନିମନ୍ତେ ସେ ନପୁଂସକ ରୂପ ଧରି

ଉର୍ବଶୀର ଶାପେ ସେ ଦିନ ପାର କରି ।୧୦୬।

ଗୋଧନ ହରଣେ ମୁଂ ତାହାନ୍ତ ଗଲି ଘେନି

ସମୁଦ୍ର ପ୍ରାୟେ ମଣଇଲି ମୁଂ କଉରୋବ ସଇନି ।୧୦୭୮।

ଭୟେଣ ପଳାଇ ମୁଂ ରଥ କଲି ତେଜ୍ୟା

ମୁକୁ ନିର୍ଭୟ କରି ବୋଇଲା ତୁ ସାରଥି ହୋଇଥାଅ ଯା ।୧୦୮।

ମୁହିଂ ସେ ସାରଥି ଆପଣେ ହୋଇଲେ ରଥୀ

ଦେବେ ସେ ଅଗୋଚର ଦେଖିଲେ ତାହାଂକର ମୂର୍ତ୍ତି ।୧୦୯।

ଅଠାର କ୍ଷଉଣୀ ବଳକୁ ସେ ପାଥ ରଥୀ ୟେକା

ଜିଣିଲେ ଭୀଷ୍ମ ଦ୍ରୋଣ ସେ ମନେ ନାହିଂ ଶଂକା ।୧୧୦।

ମନଭେଦୀ ନାରାଜକୁ ବିନ୍ଧିଲେ ସେ ଘେନି

ତେର ଯୋଜନ ମାଡ଼ି ପଡ଼ିଲେ ସେ ଯେ ଅଷ୍ଟାଦଶ କ୍ଷଉଣୀ ସଇନି ।୧୧୧।

ରଥୀ ମହାରଥୀୟେ ପଡ଼ିଲେ ମହାଦୁଖେ

ଶ୍ରୀଭୂଷା ମଣି ମୁକୁଟମାଳ ତାତ ମୁହିଂ ସୁଖେ ।୧୧୨।

ମରଣକୁ ଇଛା ଯେବେ କରିଅଛୁ ତାତ

କାହାକଇଂ କୋପ ଯେ କରୁଅଛୁ ମତ୍ସନାଥ ।୧୧୩।

ୟେକା ଯୋଦ୍ଧାକେ ତାତ ଜିଣିଲେ ସ୍ଵର୍ଗ ତିନି

ବୃହନାରୀ ବୋଲୁ ଯାହା ସେ ପ୍ରତ୍ୟକ୍ଷେ ଫାଲଗୁନି ।୧୧୪।

ମାଦ୍ରୀର ନନ୍ଦନ ନକୁଳ କୁମାର ଯାହାକୁ ବୋଲୁ

ରାଜୁସୀ ଯଗ୍ୟଂରେ ଯାହାର ମହିମା ଦେଖିଲୁ ।୧୧୫।

ଅତୀୟ ସୁକୁମାର ଅଟଇ ତାହାର ଅଙ୍ଗ

ଲକ୍ଷେ ରାଜା ମଧ୍ୟରେ ଯେ ବୋଲାଇ ଭୁଜଙ୍ଗ ।୧୧୬।

କୋନ୍ତମୁନେ ପୃଥୀ ଯେ ଧରିବାକୁ ସାମରଥା

କୁମାର ମୁଖେ ଯାକୁ ଆକାଶେ ପାଟ ଯଥା ।୧୧୭।

ଦକ୍ଷିଣଦିଗ ରାଜାନ୍ତ ସେ ସାଧିଲାକ ଅବହେଳେ

ଚକ୍ରପୁର ଧ୍ଵଂସିଲା ସେ ତାହାର ବୁଦ୍ଧିବଳେ ।୧୧୮।

ଗ୍ରନ୍ଥିକାର ମତେ ଥାନପାଳ ସରୂପେ

ଅସାଧ୍ୟକୁ ସାଧ୍ୟକଲା ଯାହାର ମନ୍ତ୍ର ମହାଦର୍ପେ ।୧୧୯।

ନ ବୁଝି ଅନମିତେ ତାହାକୁ କୋପକରୁ

ଭୋ ତାତ ଜୀଉଂ ଜୀଉଂ ମରଣକୁ କିଂପେ ଇଛାକରି ଲୋଡ଼ୁ ।୧୨୦।

ମନ୍ତ୍ରୀଚୂଡ଼ାମଣି ସହଦେବ ଯାହାକଇଂ ବୋଲି

ମନ୍ତ୍ରେଣ ସାଧିଲା ସେ ପୃଥୁନା ଗୋରୁପଲ୍ଲି ।୧୨୧।

ପୂର୍ବଦିଗ ରାଜାନ୍ତ ସେ ସାଧିଲାକ ହେଳେ

ସାତ ସହସ୍ର ରାଜା ସେ ଖଟିଲେ ଯାହାର ପାଦତଳେ ।୧୨୨।

ୟେବେ ଅଷ୍ଟାଦଶ କ୍ଷଉଣୀମାନ ଗୋବିନ୍ଦର ତୁଲେ

ପ୍ରଥମ ସମରେ ଆସି ଗୋଧନ ବେଢିଲେ ।୧୨୩।

ୟେକା ଗୋପାଳକେ ବହୁତ ସମର ସେ ହାଦେକଲା

ମାନଗୋବିନ୍ଦ ଦର୍ପ ଚୂରି ସେ ଗୋଧନ ଛଡ଼ାଇ ଆଣିଲା ।୧୨୪।

ୟେକା ୟେକା ଜଣକେ ତାତ ଅପାର ମହିଂମା

ଦେବଦାନବେ ଲଂଘି ନୁଆରନ୍ତି ଯାହାର ସୀମା ।୧୨୫।

ଅଗ୍ୟାନେ ଯେ କୋପ ଜାତ କରୁ ପିତାମହ

ସିଂହର ଛାମୁରେ ଶ୍ରିକାଳ କାହିଂ ରହ ।୧୨୬।

ଅନାଦି ଅପର୍ଣ୍ଣା ସେ ଦ୍ରୋପଦ ଦୁଲାଳୀ

ସଇରିନ୍ଧ୍ରୀ ରୂପେ ସେ ସତ୍ୟବ୍ରତ ପ୍ରତିପାଳି ।୧୨୭।

ୟେ ମହୀଭାରା ସେ ଅଟଇ ନିବାରିଣୀ

ପ୍ରତ୍ୟକ୍ଷେ ଅନପୂର୍ଣ୍ଣା ସେ ସ୍ତିରୀକୂଳ ଶିରୋମଣି ।୧୨୮।

କଉରୋବ ବଳ କ୍ଷୟନ୍ତା ସେ ଦ୍ରୋପଦ ଅବଳା

ମେଦିନୀଭାରା ନିମନ୍ତେ ଯାହାର କେଶଟି ମୁକୁଳା ।୧୨୯।

କୀଞ୍ଚକର ମୂଳେ ଯାହାର ଶତେ ସହୋଦ୍ର ନାଶି

ଗୋପ୍ୟେ ରହିଲେ ସେ ସମସ୍ତ ଦୁର୍ଧ୍ଵଂସି ।୧୩୦।

ଉତ୍ତର କୁମାର ଯହୁଂ ୟେମନ୍ତ କଲା ପୁଛା

ଖଡ଼ଗ ଛାଡ଼ି ବିରାଟ ପଡ଼ିଲାକ ମୂର୍ଛା ।୧୩୧।

କୋଳକରି ବିରାଟକୁ ଧଇଲା କୁମରମଣି

ମୁଖେ ଉତ୍ତର କୁମାର ସିଞ୍ଚିଲାକ ନେଇ ପାଣି ।୧୩୨।

ସାଷ୍ଟାମ ହୋଇଣ ସେ ବସିଲା ମତ୍ସପତି

ବାବୁ କିଂପେଇ ରହିଲା ରେ ମୋହୋର ଜୀବତି ।୧୩୩।

ମୁହିଂ ମୂର୍ଖପଣେ ୟେହାଂକୁ ନୁଆରିଲି ଜାଣି

ମୋହର ପୁରେ ରହିଲେ ଠାକୁର ଠାକୁରାଣୀ ।୧୩୪।

ସ୍ଵାମିତ୍ଵ ପଣେ ମୁହିଂ ଅନେକ ତୁକାର ବୋଇଲି

ଆବର ଶ୍ରୀଖଣ୍ତ କପାଳକୁ ପଶାକାଠି ଘାତକଲି ।୧୩୫।

ବାବୁ ୟେତେକ ଭ୍ରଚ୍ଛନା ବୋଲିଅଛି ମୁହିଂ

ଭୀମସେନ ଠାକୁରେ ମୋତେ ସହିବେ କିସ ପାଇଂ ।୧୩୬।

ଜଗବନ୍ଦନ ନାଥ ମୋହୋର ପୁରେ ବିଜେକଲେ

ସେବା କରିବାକୁ ମୋତେ ବିଧାତା ନ ଦିଲେ ।୧୩୭।

କେବଣ ବାଗେ ନନ୍ଦନ ରେ ଚାହିଂବି ତାଂକ ମୁଖ

ୟେହିକ୍ଷଣି ଶିର ମୋର ଛେଦିବେ ବିବତ୍ସ ।୧୩୮।

ଭୀମସେନ ଠାକୁରେ ଅଛନ୍ତି ଦୁଆର ଆବୋରି

ଯାହାର କୋପକୁ ତ୍ରୈଲୋକ୍ୟ ଭୟେ କରି ।୧୩୯।

ଉତ୍ତର ବୋଇଲା ତାତ ନୋହଇ ୟେମନ୍ତ

ଆଜାତଶତ୍ରୁ ଅଟନ୍ତି ସେ ପରମ ପଣ୍ଡିତ ମହତ ।୧୪୦।

ତାହାକର ଚିତ୍ତେ ଯେବେ କୋପ ତୋତେ ଥାନ୍ତା

କୀଞ୍ଚକର ବଧକାଳେ କେ ତୋତେ ରଖନ୍ତା ।୧୪୧।

ତାହାଂକର ମନେ ଯେବେ ତୋତେ ଥାନ୍ତା କିଛି କିନ୍ତୁ

ତ୍ରିଗର୍ତ୍ତ ବନ୍ଦୀରୁ ମୁକତ ହୋଇ ତୁ କେମନ୍ତେ ଆସନ୍ତୁ ।୧୪୨।

ତାହାଂକର କୋପ ଯେବେ ଥାଆନ୍ତା ବିରାଟ

ପଶାକାଠି ମାଇଲୁ ଯେ କୋନ୍ତଂକ ଲଲାଟ ।୧୪୩।

ଭୂମିରେ ପଡନ୍ତା ୟେବେ ତାହାଂକର ରୁଧିର ଫୁଟି

ତୋହୋର ରାଜ୍ୟରେ ସେ ହୁଅନ୍ତା ଅନାବୃଷ୍ଟି ।୧୪୪।

ତାହାଂକର ଯେବେ କୋପ ଥାଆନ୍ତା ହେ ତୋତେ ତାତ

ମୋହୋର ତୁଲେ କିଂପେ ପଶି ନ ଦିଲେ ସେ ପାଥ ।୧୪୫।

ଯୁଝେଷ୍ଠିକର ରୋଧିର ସେ ଯେବେ ଦେଖନ୍ତା ସେ ଘାୟେ

କ୍ଷଣେହେଂ ସମ୍ପଦ ତୋହୋର ଗୋ ଥାନ୍ତା କି ଧନୁର୍ଜୟେ ।୧୪୬।

ଅହନିଶି ଅଣକୋପିତ କୋପ ଯାହାର ନାହିଂ

ତାହାଂକୁ ମନଭ୍ରାନ୍ତି ଦେଖିବୁ ତାତ କାହିଂ ।୧୪୭।

ବିରାଟ ଅଗ୍ରତେ ସେ ଉତ୍ତର ୟେମନ୍ତ ବୋଇଲେ

ପର୍ବତ ଚୂର ହୋଅଇ କି ଟେଳା ଯେ ମାଇଲେ ।୧୪୮।

ସମୁଦ୍ର ପୋଡ଼ି ହୋଅଇ କି ପକାଇଲେ ବାଲି

ଯଷ୍ଟି ପିଟିଲେ କି ଭାଙ୍ଗଇ ଲୁହାର ଲଉଡ଼ି ।୧୪୯।

ଯଦ୍ୟପି ଉଡ଼ଙ୍ଗବଳ ହୋଇବେ ଅପ୍ରମିତ

ସେ କି ତ୍ରୈଲୋକ୍ୟ ବ୍ରତିବେ କୋପିଲେ ବୈନେତ୍ର ।୧୫୦।

ଯଦ୍ୟପି ପ୍ରତାପୀ ହୋଇବେ ଗଜ ଯୂଥ

କେଶରୀ ଧର୍ଷି ସେ ପାରଇ ତାହାନ୍ତ ।୧୫୧।

ପୃଥୀର ଠାକୁର ଅଟନ୍ତି ରାୟେ ଶିରୋମଣି

ଯାହାର ପାଦପୂଜା କରନ୍ତି ଚକ୍ରପାଣି ।୧୫୨।

ଉଠ ଉଠ ତାତ ତୁ ଯେ ଛାଡ଼ ମନୋଭ୍ରାନ୍ତି

ମହତ ଦର୍ଶନେ ତାତ ପାଇବୁ ପରମଗତି ।୧୫୩।

ମକର ମାସ ଶୁକଳପକ୍ଷ ପଞ୍ଚମୀ ଚନ୍ଦ୍ରବାର

ଅଶ୍ୱିନୀ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୧୫୪।

ଶଶୀ ଅଶ୍ୱିନୀ ନକ୍ଷତ୍ରକୁ ଅମୃତ ଯୋଗ ଯେ ଅଟଇ

ଉତ୍ତରାଷାଢା ଧନୁ ଯୋଗ ଯେ ବିରାଟଇ ।୧୫୫।

ଅଶ୍ୱିନୀ ନକ୍ଷତ୍ର ଉତ୍ତରାଷାଢା ନକ୍ଷତ୍ର ଅଟଇ ମୈତ୍ର ତାର

ମୀନ ଲଗ୍ନ ବେଳା ଯେ ନବଖଣ୍ଡ ଭିତର ।୧୫୬।

ସୋମର ଚାରିଦଣ୍ଡ ଶନିଚର ଦଣ୍ଡ ଚାରି

ବୃହସ୍ପତି ବେଳାରେ ଉଠିଲା ଦଣ୍ଡଧାରୀ ।୧୫୭।

ଉତ୍ତର କୁମାର ବଚନେ ଛାଡ଼ିଲା ଭୟମାନ

ମାରୁ କି ତାରୁ ଅବା ଯାଇଂ କରିବା ଦରଶନ ।୧୫୮।

ଜୀବନ ଯେବେ ପାଇବାଟି ହୋଇବା ବିଦ୍ୟମାନ

ବୋଲିବେ ପାଣ୍ଡବେ ବିରାଟେ ନେଲେ ଦିନ ।୧୫୯।

ଅଥବା ବ୍ରିକୋଦର କୋପେ କରିବେ ପ୍ରାଣଘାତ

ଇହଲୋକେ ଗତି ମୁକତି ମଲେ ବୈକୁଣ୍ଠ ହୋଇବ ପ୍ରପତ ।୧୬୦।

ୟେତେ ସୁଲଭ ବାବୁ ଛାଡିତ କି ପାରି

ୟେହା ବିଚାରି ଗଳାରେ ବିରାଟ ଲମ୍ୱାଇଲା କୋଠାରୀ ।୧୬୧।

ଦନ୍ତରେ ତିରଣ ଦଶନହ ଭରି ଅଧରେ

ଶ୍ରୀକୃଷ୍ଣା ମହାଦେଇ ଉତ୍ତର କୁମାର ସଙ୍ଗତରେ ।୧୬୨।

ତ୍ରାହି ତ୍ରାହି ବୋଲି ଫୁକାରଇ ମତ୍ସାଧିପ

ଦେଖିଲାକ ମାରୁତି ଦ୍ୱାରେଣ ମହାକୋପ ।୧୬୩।

ମହାଭୟେ ଉପୁଜିଲା ବିରାଟେଶ୍ୱର ଦେଖି

କାଳଚକ୍ର ପ୍ରାୟେ ଭୀମ ବୁଲାଇ ବେନି ଆଖି ।୧୬୪।

ବିରାଟ ବୋଇଲା ଉତ୍ତର ନ ରହି ମୋର ପ୍ରାଣ

ସଞ୍ଚୟେ ଶରୀର ମୋହୋର ବିସର୍ଜିବ ୟେହିକ୍ଷଣ ।୧୬୫।

ବିରାଟ ଶ୍ରୀକୃଷ୍ଣା କୁମାର ବିରାଟୀ

ଦୂରୁହୁଂ ଭୀମସେନର ଛାମୁରେ ପ୍ରଣିପତ୍ୟେ ଲୋଟି ।୧୬୬।

ପାୟେ ଯାଇଂ ବିରାଟ କରଇ ନିଉଛାଳି

ଝାଳେଣ ତ୍ରିପଣ୍ଡ ଭୂମିରେ ପଡ଼ି ଶରୀର ଯେ ଧୂଳି ।୧୬୭।

ଥୋକାୟେ ଦୂରେ ତିନିହେଂ ଅଛନ୍ତି ପରିଣାମି

ଦଶଦୋଷ ଅପ୍ରାଧ କ୍ଷମା କରିବା ଦେବ ସ୍ୱାମୀ ।୧୬୮।

ମୁହିଂ ଅଗ୍ୟାନୀ ମୂର୍ଖ ଅଟଇ ବଡ ଦୋଷୀ

ଠାକୁରଂକ ଛାମୁରେ ମୁଂ ଆସ୍ଥାନ ମାଡ଼ି ବସି ।୧୬୯।

ସ୍ୱାମୀ ତୁମ୍ଭେ ଉଭା ହୋଇଲ ମୋହର ଆସ୍ତାନର ତଳେ

ତତ୍ର ଦୋଷ ମୋହୋର ନ ଧରିବାକ ୟେ ବେଳେ ।୧୭୦।

ସ୍ୱାମି ଅଥବା ସମୁଦ୍ର ଯେବେ ଲଂଘିବାକ ମହୀ

ପୃଥୀ ମାତ୍ରକେ ପାରିବେ କେ ରହି ।୧୭୧।

ସ୍ୱାମି ଜଳବୃଷ୍ଟି ନ କରଇ ଯେବେ ମଘବା ପୃଥିଗତେ

ସଚରାଚର ମେଦିନୀ ବ୍ରତିବେ କେମନ୍ତେ ।୧୭୨।

ସ୍ୱାମି ଅଗ୍ନି ବରଷିବ ଯେବେ ଆଦିତ୍ୟ ଦେବରାୟେ

ସଚରାଚର ବ୍ରତିବ କେଉଂଣ ଉପାୟେ ।୧୭୩।

ଦଶନହ ମୁଖେ ଭରି ଅନେକ ବିନୟ ଯେ ବୋଲି

ଶତ ସହସ୍ରଦଣ୍ଡ ପ୍ରଣପତ୍ୟେ ଶୁତିଲା ଗଡ଼ଘାଲି ।୧୭୪।

ଦେଖିଣ ବିକ୍ରୋଦର ଦ୍ରହସିତ ମୂରତି

ମନଭ୍ରାନ୍ତି ଛାଡ଼ିଲା ନିର୍ଭୟେ ମତ୍ସପତି ।୧୭୫।

ଅଦ୍ୟାପି ହୃଦଗତେ ବିକୃତ ନ ଥାଇ ଯାହାକୁ

ଦେଖିଲେ ଦ୍ରହସିତ ବଦନେ ତାହାକୁ ।୧୭୬।

ବିରାଟ ଦେଖିଲା ଯହୁଂ ଦ୍ରହସିତ ବଦନଗୋଟି

ଛାମୁରେ ମତ୍ସ୍ୟେଶ୍ୱର ରହିଲା ପରମେଷ୍ଠି ।୧୭୭।

ଭୀମସେନ ବୋଇଲା ବିରାଟ ତୁ ଦ୍ୱାରେ ଥାଅ ରହି

ଠାକୁରଂକ ଆଗ୍ୟାଂ ହୋଇଲେ ଭିତରକୁ ଛାଡ଼ିପାରଇ ମୁହିଂ।୧୭୮।

ୟେମନ୍ତର ସମୟେ ଅର୍ଜୁନ ଚାହିଂଲା ଯେ ଆସ୍ତାନ ତଳେ ଥାଇ

ଦେଖିଲାକ ବିରାଟ ଦ୍ୱାରେ ଅଛିରହି ।୧୭୯।

ଅର୍ଜୁନ ବୋଇଲା ସ୍ୱାମି ବିରାଟ ଅଛି ଦ୍ୱାରେ

ଭିତରକୁ ପଶି ନୁଆରି ଭୀମସେନ ଠାକୁରଂକ ଡରେ ।୧୮୦।

ଯୁଝେଷ୍ଠି ଦେବ ବୋଇଲେ କହ ଯାଇଂ ଭୀମସେନକୁ

ଦ୍ୱାର ଛାଡ଼ି ଦେଉ ବିରାଟ ରାଜାଂକୁ ।୧୮୧।

ଯେତେ ଲୋକନ୍ତ ଘେନି ସେ ଆସଇ ବିରାଟ

ମୁଖେ ଦ୍ରଶନ କରୁ ସେ ନିଷେଧ ନ କର ବାଟ ।୧୮୨।

ଅର୍ଜୁନ ବିଜେକଲେ ଦିବ୍ୟ ଅବତାରେ

ଗାଣ୍ତିମ ଧନୁ ବାବଲ ନାରାଚ ଅଛି କରେ ।୧୮୩।

କିରଟୀ ମୁକୁଟ ଯେ ଅଷ୍ଟରତ୍ନ ବାହୁଟି

ଦୁତି କୃଷ୍ଣ ଅବତାର ସେ ପ୍ରତ୍ୟକ୍ଷେ କିରଟୀ ।୧୮୪।

ଉତ୍ତର ବୋଇଲା ସ୍ୱାମି ବିଜୟେ ଫାଲଗୁନି

ପ୍ରଳମ୍ବ କଲେ ବିରାଟ ପୁତ୍ର ଭାରିଯାନ୍ତ ଘେନି ।୧୮୫।

ଅର୍ଜୁନ ବୋଇଲା ହୋ ବିରାଟ ଉଠ ଉଠ ରାୟେ

ଆସ ଆସ ସ୍ୱାମୀଂକର ଅଭିଷେକ ଦେଖି ପାତକ କର କ୍ଷୟେ।୧୮୬।

ବିରାଟ ବୋଇଲା ସ୍ୱାମି କରଇ ମୁହିଂ ଭୀତି

ଅପାର ଦ୍ରୋହ ମୁଂ କଲଇ ଅତି ଅଜ୍ଞାନ ମୂଢ଼ମତି ।୧୮୭।

ଅର୍ଜୁନ ବୋଇଲା ସେ ସ୍ୱାମୀ କ୍ଷମା ଯେ ସାଗର

ଶତ୍ରୁହିଂ କୋପ ନ ବସଇ ଯାହାର ହୃଦୟର ।୧୮୮।

ଭୀମସେନ ବୋଇଲା ତୁ ଯାଅ ଯା ମତ୍ସପତି

ବାମଦେବ ପୁରୋହିତ ଯାଚେକେଶ୍ୱର ମନ୍ତ୍ରୀ ।୧୮୯।

ଅର୍ଜୁନ ବୋଇଲା ଯେ ବିରାଟ ମୁଖ ଚାହିଂ

ସ୍ୱାମୀଂକର ଚିତ୍ତେ ୟେ ତୋତେ ଆନ ବିକୃତ ନାହିଂ ।୧୯୦।

ଆସ ଆସ ବିରାଟ ହୋ ଦ୍ରଶନ ବେଗେ କର

ଅନେକ ଜନ୍ମର ତୋ ଦୁଷୁକୃତମାନ ହର ।୧୯୧।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ଯମ କୁବେର ସହିତେ

ଯାହାର ଅଭିଷେକ ଦେଖିଲେ ନିଶ୍ଚିନ୍ତେ ।୧୯୨।

ଦ୍ରଶନେ ପ୍ରସନ୍ନ ପ୍ରସନ୍ନେ ପାପ ମୋକ୍ଷ

ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ପ୍ରତକ୍ଷ ।୧୯୩।

ବିରାଟ ଶ୍ରୀକୃଷ୍ଣା ଉତ୍ତର କୁମାର ଆବର ମନ୍ତ୍ରୀ ଅମନାତ୍ୟେ

ଘେନିଣ ଚଳଇ ସେ ବାସବର ସୁତେ ।୧୯୪।

ଦେଖିଲେ ଆସ୍ତାନେଣ ବିଜୟେ ଦେବଧର୍ମ

ଯଶୋବନ୍ତୀ ପୁର ତେଜି କି ବିଜୟେ କଲେ ବ୍ରହ୍ମେ ।୧୯୫।

ଶ୍ରୀଚରଣ ଦେଖି ସେ ବିରାଟ ମହୀପାଳ

ଶତେ ସହସ୍ରବାର ଦଣ୍ତ ପ୍ରଳମ୍ବ ଆସ୍ତାନର ତଳ ।୧୯୬।

ସ୍ୱାମୀ ସାଧୁ ମୋହୋର ପୂର୍ବ ଜନ୍ମ ଧର୍ମ କର୍ମ

ପ୍ରସନ୍ନ ନିରାକର ସମରାଜ୍ୟେ ବିଜୟେ ଦେବଧର୍ମ।୧୯୭।

ସ୍ୱାମି ୟେ ମୋହୋର ରାଜ୍ୟେ ବସନ୍ତି ଯେତେ ଜନ

ତାହାଂକର ଜୀବନ ସାଧୁ ସେ ଯେ ଦେଖିଲେ ନୟନ ।୧୯୮।

ଅପାର ଦୋଷ ସ୍ୱାମୀ କଲାଇଂ ମୁହିଂ ମନ୍ଦ

ଚିହ୍ନି ନୁଆରି ଦେବ ଚିନ୍ତିଲି ପରମାଦ ।୧୯୯।

ତୁକାର ବଚନ ମୁଂ ବୋଇଲି ସ୍ୱାମୀପଣେ

ଅନେକ ଭ୍ରଛନା ମୁଂ ବୋଇଲି ଆପଣେ ।୨୦୦।

ସ୍ୱାମି ତ୍ରିଗର୍ତ୍ତ ପୟାଣ କାଳେ ବୋଇଲି ମୁଂ ଦଣ୍ତ ଯେ ସାଜନ୍ତେ

ଆନ ରାଜ୍ୟକୁ ମନ୍ତ୍ରୀପଣେ ଯୋଗାଅ ବୋଇଲି ହୋ କୋନ୍ତେ ।୨୦୧।

ସହଦେବ ପ୍ରତିବାଚ ବିରାଟ ବଚନକୁ

ୟେଥକୁ ଭୀମସେନ ଠାକୁରେ ଘୁଞ୍ଚିଲେ ତ୍ରିଗର୍ତ୍ତ ବାନ୍ଧିନେଲା ତୁକୁ ।୨୦୨।

ବିରାଟ ବୋଇଲେ ତିଳେକ ଖଞ୍ଜଣି ଯେବଣ ଲଲାଟ ପାଟି

ରାଗେଣ ପ୍ରହାର ମୁଂ କଲଇଂ ପଶାକାଠି ।୨୦୩।

ସ୍ୱାମୀ ଅଗ୍ୟାନ ପଣେ ମୁଂ ନ କହିଲି କାହା

ମୋ ତହୁଂ ସଂସାରେ ଦେବ ଆନ ନାହିଂଟି ଦୋରେହା ।୨୦୪।

କିଂକର ହୋଇ ବିରାଟ ଯେ ବହୁତ ବିନୟ ବୋଲି

ସାଷ୍ଟାଙ୍ଗେ ମତ୍ସପତି ଯେ ଶୁତିଲା ଗଡ଼ଘାଲି ।୨୦୫।

ସ୍ୱାମି ଅନେକ ଅପ୍ରାଧ କଲାଇଂ ମୁହିଂ ଦୋଷ

ତାହା ଉପେକ୍ଷା କରିବା ନିରାଲମ୍ବ ପୁରୁଷ ।୨୦୬।

ପାୟେ ଆସି ବିରାଟ ଯେ କରଇ ନିଉଛାଳି

ଶରୀରୁ ତ୍ରିପଣ୍ତ ଯେ ମହାଶ୍ରମ ଗଳି ।୨୦୭।

ଧୂଳି ଝାଳେଣ ଯେ କର୍ଦନ ତାର କାୟେ

ଆନନ୍ଦେ ଅଶ୍ରୁଜଳ ଗଳଇ ମତ୍ସରାୟେ ।୨୦୮।

ମଥାରେ ବେନି ହାଥ ଦେଇଣ ମତ୍ସପତି

କହଇ ବିରାଟେଶ୍ୱର ବିନୟ ଭଗତି ।୨୦୯।

ତୁ ଦେବ ନିରଞ୍ଜନ ଆତ୍ମା ଅବତାର

ତ୍ରୈଲୋକ୍ୟ ଚିନ୍ତାମଣି ପ୍ରକୃତି ଯାହାର ।୨୧୦।

ତୁ ଦେବ ଅଜାତଶତୃ ପର ଦୁଖେ ଚିନ୍ତା

ତୁ ଦେବ ଅବ୍ୟଗତ ଭୂତ ଭବିଷ୍ୟତ ଗ୍ୟାଂତା ।୨୧୧।

ତୁ ଦେବ ଯୋଗେଶ୍ୱର ପରମ ବ୍ରହ୍ମ ଅବତାର

ତୁ ଦେବ ଖଣ୍ତିବୁ ନାଥ ଅଶେଷ ମହୀଭାର ।୧୧୨।

ସ୍ୱୀମି ସୌଭଦ୍ର ନାମେ ବ୍ରହ୍ମା ବୈକଣ୍ଠ ଭୁବନ ତେଜି

ୟେ ମୃତ୍ୟୁ ମଣ୍ତଳେ ନାମ ତୋହୋର ସେ ଭଜି ।୨୧୩।

ତ୍ରିଜଗତ ଅଳଂକାର ଯାହାର ନାମଗୋଟି

ପଟାନ୍ତର ବାକ୍ୟେ ଶୁଭଇ ଧର୍ମ ଯେ ଯୁଝେଷ୍ଠି ।୨୧୪।

ସ୍ୱାମି ପୃଥୀ ଆପ ତେଜ ବାୟିବ ଆକାଶ

ୟେ ପଞ୍ଚଧାତୁ ତୋହୋର ଗର୍ଭରେ କଲେ ବାସ ।୨୧୫।

ସ୍ୱୀମି ପ୍ରାଣ ଅପାନ ବ୍ୟାନ ସମାନ ଉଦାନ ପଞ୍ଚୁଆତ୍ମା

ଧାତୁବାଦ ପୁରୁଷ ତୁ ସାଧିଲୁ ସର୍ବ ମହାତମା ।୨୧୬।

ତୁହି ସେ ବଞ୍ଚିଲୁ ନାଥ କାଳ କାମ ନିଦ୍ରା

ପରମଯୋଗୀ ପୁରୁଷ ତି ସାଧିଲୁ ସର୍ବ ମୁଦ୍ରା ।୨୧୭।

ସ୍ୱାମି ପାପ ଆତ୍ମା ତେଜିଲୁ ଟେକିଲୁ ଅଜପାଙ୍ଗୀ

ଚଉଧର୍ମ ପୁରୁଷ ତୁ ଅବ୍ୟୟ ପରମ ଯୋଗୀ ।୨୧୮।

ସ୍ୱାମି ପାପଆତ୍ମା ଜିଣିମାକୁ ଯେଉଂଣ ପୁରୁଷଂକ ଇଚ୍ଛା

ତେଣୁ କରି ଶ୍ରୀମୁଖେ ନ ଫୁରିଲାକ ମିଥ୍ୟା ।୨୧୯।

ସତ ରଜ ତମ ଆଶ୍ରିତ ଯେ ତିନି

ସତେ ବିଷ୍ଣୁ ରଜେ ବ୍ରହ୍ମା ତମେ ରୁଦ୍ରନାମ ଘେନି ।୨୨୦।

ସତବାକ୍ୟ ଅନ୍ତର ନୋହିଲା କଦାଚିତେ

ନାରାୟଣ ବିନୋପି ଲୋଟିଲେ ତହିଂର ନିମନ୍ତେ ।୨୨୧।

ସ୍ୱାମି କାଳ ବର୍ତ୍ତମାନ ଜାଣି ଚିନ୍ତିଣ ଦେବ ବର୍ତ୍ତୁ

ତେଣୁ ବ୍ୟାପିଲୁ ସ୍ୱାମି ନାରାୟଣ ହୃଦଗତୁଂ ।୨୨୨।

ସ୍ୱାମି ଯୋଗ ପବନ ତପନ ତାପନ ଆଧ୍ୟାନ ଅଧ୍ୟାପନ

ୟେ ନବ ପୁରୁଷ ଦେବ ତୋହୋର ଅଟଇ ଅଭିନ୍ନ ।୨୨୩।

ସ୍ୱାମି କାଳ ଉଚିଚ ଜାଣନ୍ତା ଯେବଣ ମହାତମା

ତାହା ପ୍ରାନ୍ତକରି ନୁଆରିଲା ବେଦବ୍ରହ୍ମା ।୨୨୪।

ସ୍ୱାମି ସ୍ୱର୍ଗ ମଞ୍ଚ ପାତାଳ ସୁତଳ ରସାନ୍ତଳ

ଅତିତଳ ନିତଳ ଯେ ମହାତଳ ।୨୨୫।

ସ୍ୱାମି ୟେତେକ ତଳ ମଧ୍ୟ୍ୟେ ଯେ ଭୁବନ ସଉନିଧି

ତହିଂ ତୋହୋର ଭୁବନ ଅଟଇ ଦେବନିଧି ।୨୨୬।

ଯହୁଂ ଗୁହାରି ତୋତେ କଲାକ ପଦ୍ମଯୋନି

ୟେ ମୃତ୍ୟୁମଣ୍ତଳେ ଉତପତ୍ତି ତୁ ମାନବ ଶରୀର ଘେନି ।୨୨୭।

ଉତପତ୍ତି ପ୍ରଳୟ ଯାହାର ପ୍ରତ୍ୟକ୍ଷେଣ ସଞ୍ଚା

ମହୀ ଉଦ୍ଧାରଣ ପୁରୁଷ ତୁ ଅନନ୍ତ କାଳ ବଞ୍ଚା ।୨୨୮।

ସ୍ୱାମି ଯାବତ ୟେ ପୃଥୀ ଚନ୍ଦ୍ର ଦିବାକର ଆଦି

ତବ ନାମ ଗୋଟି ସ୍ୱାମି ଉଦିତ ଦିବି ଭୁବି ।୨୨୯।

ସ୍ୱାମି ଅନିଳେକ ନାମେ ବସୁ ଥିଲେ ଅନ୍ଧ ହୋଇ

ଦିବ୍ୟ ଚକ୍ଷୁ ପାଇଲା ସେ ତୋତେ ଦ୍ରଶନ ପାଇ ।୨୩୦।

ମହାସର୍ପ ହୋଇଥିଲେ ନରେନ୍ଦ୍ର ନ ଘୋଷ

ତୁ ମହାପ୍ରଭୁ ଖଣ୍ତିଲୁ ତାହାଂକର ଦୋଷ ।୨୩୧।

ଧର୍ମବଳ ମୋକ୍ଷ ପାଇଲା ତୋହୋରେ

ହରିଣ କପଚ ବଧକଲା ଅଣ ଉପୁଗାରେ ।୨୩୨।

ତ୍ରୈଲୋକ୍ୟ ବନ୍ଦନ ଯାହାର ନାମଗୋଟି

କର ନେଉଟାନ୍ତେ ନେଉଟଇ ନବସୃଷ୍ଟି ।୨୩୩।

ଦୁ ଦେବ ଯୋଗୀଜନଂକର ହୃଦୟ ଯେ ରଞ୍ଜି

ପାପୀ ପୁରୁଷଂକର କାଳ ଦର୍ପ ଗଞ୍ଜି ।୨୩୪।

ପରମ ନିରାକର ପ୍ରତକ୍ଷେ ଦେବଧର୍ମ

ଦଶ ଦୋଷ ଅପ୍ରାଧ କରିବା ଦେବ କ୍ଷମ ।୨୩୫।

ଅପାର ମହିମାଂ ଯାହାର ନ ସରଇ କହନ୍ତେ

ଗୁଣ ସାଗର ନାଥ ତୁ ତ୍ରାହି କରିବା ମୋତେ ।୨୩୬।

ଶ୍ରାଧର୍ମ ନନ୍ଦନ ଯୁଝେଷ୍ଠି ଚରଣ କମଳେ

ଶୂଦ୍ରମୁନି ସାରୋଳ ଦାସ ପ୍ରଣପତ୍ୟ ସର୍ବକାଳେ ।୨୩୭।

**************

 

ବିରାଟଙ୍କର ଯୁଧିଷ୍ଠିରଙ୍କ ନିକଟରେ ଅନୁନୟ, ଯୁଧିଷ୍ଠିରଙ୍କର ପୁନର୍ବାର ଅଭିଷେକ ଓ ଉତ୍ତରା କୁମାରୀର ବିବାହ ନିର୍ବନ୍ଧ

ବିରାଟ ପ୍ରଣପତ୍ୟ ବହୁତ ବିନୋୟୀ

ଦ୍ରହସିତ ବଦନେ ୟେ ବୋଲନ୍ତି ଧର୍ମସାଇଂ ।୧।

ଇଦଂ ମହାବାକ୍ୟ ଯେ ବଦୟନ୍ତି ସୁପ୍ରସନ୍ନେ

ଉଠ ଉଠ ବିରାଟ ହୋ ଭ୍ରାନ୍ତି ଛାଡ଼ ମନେ ।୨।

ୟେ ମହୀମଣ୍ତଳେ ଅନେକ ରାଜା ଭଳି

କେବି ସହି ନୁଆରିଲେ ଆମ୍ଭର ଆର୍ଦୋଳି ।୩।

ୟେତେକ ମହିଂମା ତୋହୋର ୟେ ମତ୍ସ୍ୟରାଜ୍ୟ ପୁରୀ

ବାବୁ ମହତ ୟେ ତୋ ଭୁବନର ନରନାରୀ ।୪।

ଆମ୍ଭେ ଦୋଷ ତୋତେ କଲୁ ମତ୍ସପତି

ଶଳାକୁ ବଧକଲୁ ତୋହୋର କୀଞ୍ଚକ ସେନାପତି।୫।

କୀଞ୍ଚକ ବଧେ ତୋତେ କଳିଲା ବଇରି

ଦଣ୍ତ ଘେନି ତ୍ରିଗର୍ତ୍ତେଶ୍ୱର ତହୁଂ ଦିଲା ଧାଡ଼ି।୬।

ୟେଣେ କଳପି ରାଜା ଯେ ଅଇଲା ବୀରବାହୁ

ଜାଣନ୍ତା ହୋଇଲେ ତୋତେ ଛାଡନ୍ତା ଅବା କେହୁ ।୭।

ଆମ୍ଭର ବିଚାରେ ତୋତେ କିଛି ନାହିଂ ଦୋଷ

ଆମ୍ଭେ ସେ ତୋହୋର ରାଜ୍ୟ କରାଇଲୁ ନାଶ ।୮।

ଭୀମସେନ ବୋଲିକରି ଆମ୍ଭର ଯେଉଂଣ ଭ୍ରାଥଗୋଟି

ବେଳେକେ ଅନ୍ନ ଲାଗଇ ତାକୁ ଷାଠିୟେ ପଉଟି ।୯।

ୟେତେକ ଆଧାରେ ତ୍ରିପୁତି ନୋହୋଇ ତାର ମନ

ସାଂଗ୍ରାମ ପାଇଲେ ସେ ତ୍ରିପୁତି ଭୀମସେନ ।୧୦।

ଯାହାର କୋପକଲେ କଂପଇ ମହୀଆଳି

ତୁହି ସେ ସହି ପାରିଲୁ ତାହାର ଆର୍ଦୋଳି ।୧୧।

ମୋତେ ଅସଂଖ୍ୟ ହୋ ରାଜା ତୋହୋର ମହିଂମା

ପ୍ରତକ୍ଷ୍ୟେ ପିତା ମୋହୋର ତୁ ପଣ୍ତୁ ମହାତମା ।୧୨।

କଲା ଉପୁଗାର ଯେ ଅବା ନ ସୁମରି

ପ୍ରତ୍ୟକ୍ଷେ ଜାଣିମା ସେ ବ୍ରହ୍ମହତ୍ୟା ଦୋଷ ସରି ।୧୩।

ଆହୋ ବିରାଟ ଯେତେକାଳ ପରିଯନ୍ତେ ଆମ୍ଭେ ବ୍ରତିଥାଉଂ ହାଦେ

ତୋହୋର ଗୁଣଗୋଟି ଯେ ଲିହିଥିବୁ ହୃଦେ ।୧୪।

ତୋହୋର ଅନ୍ନ ଖାଇ ଯେ ବଞ୍ଚିଲୁ ଦୁର୍ଗତି

ତୋହୋର ଅନ୍ନବଳେ ଆମ୍ଭେ ମହୀତଳେ ୟେକ ଛତ୍ରୀ ।୧୫।

ତୋହୋର ଅନ୍ନ ଖାଇ ଆମ୍ଭେ ମାଇଲୁ ବ୍ରାଘ ମାଲ

ତୋହୋର ଅନ୍ନ ଖାଇ ମାଇଲୁ କୀଞ୍ଚେକ ମହାମଲ୍ଲ ।୧୬।

ଆହୋ ବିରାଟ କଂସ କେଶୀ ତ୍ରୋଣା ମୁଷ୍ଟିକ ଯେ ଚାଣୁର ଯାମଳା

ପ୍ରଳମ୍ବା ଅଘା କଦମ୍ବା ବକା ଘୋର ମହାବଳା ।୧୭।

ଜାରା ନାରକା ଆଦି ଯେ ଶିଶୁପାଳ ଗାଲୁ

ଦନ୍ତ ବକ୍ର ହିଡ଼ିମ୍ବେକ ଯାହାକଇଂ ବୋଲୁ ।୧୮।

ନିର୍ବାତ କପଚ ହିରଣ କାଳନଉମି ମେରୁଶୂଳ

ଗୋସିଂହ ଜୟେସିଂହ କୁମ୍ଭ ନିକୁମ୍ଭ ବାଣା ବଜ୍ରନାଭ ମହାମଲ୍ଲ।୧୯।

ଲୋହାସୁର ଅମ୍ବାସୁର କାଳଯବନ ଯାହା ଜାଣି

ୟେହାଂକର ତୁଲେ ତୋହୋର କୀଞ୍ଚକ ନାମ ଗଣି ।୨୦।

ୟେହାଂକର ଭାରା ଯେ ନ ସହିଲା ବସୁଧା

ମୁଖେ ରୁଧିର ବହି ସେ ଯେ ହେଲେ ମହାକ୍ରୋଧା ।୨୧।

ମୁଖେଣ ରୁଧିର କରେ କମ୍ବୁ ଧରି

ଦେବ ସଭାତଳେ ରୋବଇ ହସୁନ୍ଧରୀ ।୨୨।

ପୃଥୀର ବିକଳ ସେ ସମସ୍ତ ବୃନ୍ଦାଅର୍କେ

କ୍ଷୀର ସମୁଦ୍ରେ ସେ ଗୁହାରି କଲେ ଦେବଲୋକେ ।୨୩।

ଦେବତାଂକର ବିକଳେ ସେ ଶ୍ରୀରାମ ଲଇକ୍ଷଣ

ଦ୍ୱାପରେ ଜନମିଲେ ଆସି କାହ୍ନୁ ସଂକର୍ଷଣ ।୨୪।

ନକୁଳ ସହଦେବ ଭୀମ ଅରଜୁନ

ୟେହାନ୍ତ ଆଣିଲେ ହରି ସଉନିଧି ବଇକୁଣ୍ଠ ଭୁବନ ।୨୫।

ୟେ ଷଡଜଣ ଯେ ଜନମ ମହୀତଳେ

ନର ନାରାୟଣ ଭାରା ନିବାରନ୍ତି ସର୍ବକାଳେ ।୨୬।

ସଦା ଗୋପ୍ୟାନ ପୁରୁଷ ୟେ ଅଟନ୍ତି କୁରୁଶାନୁ

ଦେବଂକୁ ଗୋଚର ନୋହୋଇ ତୁ ସେ ୟେହାନ୍ତ କାହୁଂ ଚିନ୍‌ହୁଂ।୨୭।

ଆମ୍ଭର ଦେହୁଂ ତୁ ପୂର୍ବେଣ ହୋଇଲୁ ଜାତ

ଉପର ଜନ୍ମେ ନାମ ତୋହୋର ଅଟଇ ଶ୍ୱେତ ।୨୮।

ଧର୍ମର ଆଗ୍ୟାଂ ମୋତେ ହୋଇଲା ଆକାଶେ

କୀଞ୍ଚକ ବଧକର ପଶି ଅଗ୍ୟାଂତ ବନବାସେ ।୨୯।

କାହାରେ ମେଣ୍ଟେଣ ହୋଇବ ସେ ଦେବତାଂକ ଆଗ୍ୟାଂ

କୀଞ୍ଚକ ବଧକରି ଆମ୍ଭେ ସେ ରୁହାଇଲୁ ପ୍ରତଗ୍ୟାଂ ।୩୦।

ତୁ ମୋହୋର ଧର୍ମପିତା ଅଟୁ ନା ବିଚାରେ

ଆରେ ବାବୁ ନକୂଳ ବିରାଟକୁ ବସା ଆସ୍ଥାନ ଉପରେ ।୩୧।

ସ୍ୱାମୀ ମୁହିଂ ମାନବା ଯେ ଅଟଇ ଦେବ ଆସ୍ଥାନ

ୟେଥାନେ ବସିବାକୁ କି ମୁଂ ହୋଇବି ଭାଜନ ।୩୨।

ଆସ ଆସ ବିରାଟ ହୋ ନକୁଳ ବୋଇଲେ

ସ୍ୱାମି ବଡଭାଗ୍ୟ ମୁଂ ଅରଜଇ ୟେହିଠାରେ ଥିଲେ ।୩୩।

ଯୁଝେଷ୍ଠିଦେବ ବୋଇଲେ ତୁ ମନେ ନ ଧର ବିକୃତ

ଆମ୍ଭେ ପଞ୍ଚୁ ସହୋଦ୍ର ତୋତେ ଲାଇ ହୋଇଲୁ ଷଡ଼ଭ୍ରାଥ ।୩୪।

ୟେ ମହୀଣଣ୍ତଳେ ତୁ ହୋଇବୁ ଆଧିପତି

ପଛିମେ ନବସହସ୍ର ରାଜାରେ ତୁ ଶିରୋମଣି ଚକ୍ରବର୍ତ୍ତୀ।୩୫।

ଆସ ଆସ ବିରାଟ ହୋ ତୁ ଘେନ ମୋହୋର ଶାଢ଼ୀ

ୟେ ମହୀମଣ୍ତଳେ ତୁ ହୋଇବୁ ଅଧିକାରୀ ।୩୬।

ଶ୍ରୀକରେ ଶାଢୀ ଯେ ତାକୁ ତୋଳି ଦିଲେକ ଧର୍ମରାୟେ

ପୁଣ ପୁଣ ପ୍ରଣପତ୍ୟ ହୋଇ ଶାଢୀ ବାନ୍ଧିଲା ମଥାୟେ ।୩୭।

କୋନ୍ତେ ବୋଇଲେ ବିରାଟ ମାଗ ଯାହା ଇଚ୍ଛା

ୟେହିକ୍ଷଣି ଦେବି ତୋତେ ଯାହା ମନବାଞ୍ଛା।୩୮।

ବିରାଟ ବୋଇଲା ସ୍ୱାମି ଯାହା ଦେବୁ ବର

ଯେହ୍ନେ ମନକୁ ଯେ କଳ୍ପଇ ମୋହୋର ।୩୯।

ମୋହୋର ଦୁହିତା ସେ ଉତ୍ତରା ବାଳୀକି

ତାହାକଇଂ ପ୍ରଦାନ କରିବି ବୃହନ୍ନାରୀକି ।୪୦।

ଲଭିବି ପରମଗତି ସେ ଦୁହିତା ପରସାଦେ

ତେବେ ସେ ସଦୟେ ବୋଲି ଜାଣିମାନା ହୃଦେ ।୪୧।

ଯେତେବେଳେ ଉତ୍ତରା ପ୍ରଦାନେ କରିବି କିରୀଟୀ

ତେବେ ସେ ମୋହୋର ମନଭ୍ରାନ୍ତି ଯିବ ସିନା ଫିଟି ।୪୨।

ଯୁଝେଷ୍ଠି ବୋଇଲେ ଅର୍ଜୁନର ସୁଭଦ୍ରା ଭାରିଯା

ତାହାଂକର ସହୋଦ୍ର ଯେ ରାମକୃଷ୍ଣ ଦେବରାଜା।୪୩।

ଆହୋ ଉତ୍ତରା ପ୍ରଦାନ କଲେ ଯେ ଅର୍ଜୁନ

ଅପ୍ରୀତି ଭାବ ହୋଇବନା ତୋହୋର କୃଷ୍ଣଂକୁ ଯେ ରାମ ।୪୪।

ୟେତେ ଯଶ ଅର୍ଜିଲୁ ଆମ୍ଭନ୍ତ ସମ୍ଭାଳି

ତୋତେ ଚିତ୍ତେ ଅନ୍ତର ଧରିବେନା ରାମ ବନମାଳୀ।୪୫।

ଅର୍ଜୁନ ବୋଇଲା ଦେବ ୟେମନ୍ତ ନ କହ

ଆରେକ କଥାୟେ ଦେବ ଅଛଇ ସନ୍ଦେହ ।୪୬।

ହୁଡ଼ି ବିରାଟ ହୋଇଲା ଯେ ୟେହାର ଗ୍ୟାନ ନାହିଂ

ବିଦ୍ୟାଗୁରୁ ଶିଷ୍ୟ ପୁତ୍ରୀ ସଙ୍ଗତି ଅଛି କାହିଂ ।୪୭।

ଅର୍ଜୁନ ବୋଇଲା ସେ ମୋ ଅଟଇ ଶିଶୁ ପୁତୀ

ତାହା ମୋହୋର କାହିଂ ମିଳଇ ପୀରତି ।୪୮।

ଯୁଝେଷ୍ଠି ଦେବେ ତୁ ଯେବେ କରୁ ଅପରତେ

ବନ୍ଧୁ ହୋଇଲେ ସେ ନିଭ୍ରାନ୍ତି ହୋଇବ ତୋତେ ।୪୯।

କୁମାରେକ ଅଛି ସେ ଯେ ଅର୍ଜୁନର ତନୁ

ରାମ କୃଷ୍ଣଂକ ଭଣଜା ତାର ନାମ ଅଭିମନ୍ୟୁ ।୫୦।

ଅଭିମନ୍ୟୁକୁ ପ୍ରଦାନେ କର ତୋହୋର କୁମାରୀ

ବରକନ୍ୟାୟେ ସେ ହୋଇବେ ୟେକ ସରି ।୫୧।

ବିରାଟ ବୋଇଲା ସ୍ୱାମି ମୁଂ ନିସ୍ତରିଲି ନିସ୍ତରିଲି

ୟେ ଦୋହିତା ପ୍ରସନ୍ନେ ମୁଂ ପରମ ଗତି ପାଇଲି ।୫୨।

ୟେହାଉଂ ସୁଲଭ ମୁଂ ଯେ ଅରଜିବି କିସ

ୟେବେ ସେ ଜାଣିଲି ମୋହୋର ସୁକର୍ମ ସୁଯଶ ।୫୩।

ସାନନ୍ଦେଣ ଆଗ୍ୟାଂ ସେ ଦିଲେ ଦେବରାଜା

ବିଭାର ଯୋଗାଡ଼ ଯେ ବହନ କର ଯା ଯା ।୫୪।

ବିରାଟ ବୋଇଲା ମୁଂ ମାଗଇ ଅଭିରଥି

ରାଜ୍ୟେ ଭ୍ରମଣି ମୋହୋର କରିବା ୟେହି ମୂର୍ତ୍ତି ।୫୫।

ମତ୍ସ୍ୟଦେଶେ ମଘଦେଶେ ଦେଖନ୍ତୁ ଅଭିଷେକ

କୋଟି କୋଟି ଜନ୍ମର ସେ ଖଣ୍ତନ୍ତୁ ପାତକ ।୫୬।

ଯୁଝେଷ୍ଠି ଦେବଂକର ଅଭିଷେକ ବାରତା ଶୁଣି

ମରୁତ ଦେଶର ଶିବରାଜା ଥାଠ ଯେ ପଲାଣି।୫୭।

ଚୋଖାର ଶ୍ୱେତଅଶ୍ୱ ପଲାଣି ପାଞ୍ଚ ଅହିବ୍ରତ ତୁଲେ

କ୍ଷଣକେ ଆକାଶ କ୍ଷେପି ପାରନ୍ତି ଗମିଲେ ।୫୮।

ପାଣିଦ୍ରବ୍ୟ ଶତେ ରଥ ଘେନି ଶିବରାଜା

ଯୁଝେଷ୍ଠିଦେବଂକ ଅଗ୍ରତେ କଲାକ ପାଦପୂଜା ।୫୯।

ସାଧୁ ମୋହୋର ଜୀବନ ବୋଇଲେ ରାୟେ ଶିବ

ହୃଦଗତେ କଳ୍ପନା କଲି ଦେଖିବି ଠାକୁରଂକ ଅଭିଷେକ ସମ୍ଭବ ।୬୦।

ପୂର୍ବେ ଯେହ୍ନେ ମୁହିଂ କାମ୍ୟ କରିଥିଲି

ଯୁଝେଷ୍ଠି ଠାକୁରଂକ ଅଭିଷେକ ଦେଖିଲି ।୬୧।

ସହସ୍ରେ ଜନ୍ମର ମୁଂ ପାତକ ଛଡ଼ାଇଲି

ସାକ୍ଷାତ ପରବ୍ରହ୍ମ ମୁଂ ନୟନରେ ଦେଖିଲି ।୬୨।

ପୁଣ୍ୟର ବଳେ ମୋତେ ହୋଇଲା ପରାପତ

ଅନେକ ହରଷେ ମହାରାଜା ହୋଇଲା କୃତ କୃତ ।୬୩।

ଶିବରାଜା ଶ୍ୱେତହସ୍ତୀ ଉପରେ ଯୁଝେଷ୍ଠି ଦେବ କଲେ ବିଜେ

ଭ୍ରମନ୍ତି ମଘଦେଶ ମତ୍ସଦେଶ ବେନିରାଜ୍ୟେ ।୬୪।

କରେଣ ଅର୍ଘ୍ୟ ଘେନି ସୁଲଭ କାମେନୀ

ଜୟେ ମଙ୍ଗଳେ କରନ୍ତି ହୁଳ ହୁଳି ଧୁନି ।୬୫।

ଅଭିଷେକ ବିଧାନ ଯେ ଦେଖିଣ ଯୁଝେଷ୍ଠି

ଆକାଶୁଂ ଦେବତାୟେ କଲେକ ପୁଷ୍ୟ ବୃଷ୍ଟି ।୬୬।

ଦେଢ଼ପହର ପରିଯନ୍ତେ ବରଷିଲା ରତ୍ନମାନ

ସମରାଜ୍ୟେ ଲୋକେ ଯେ ସାଉଂଟିଲେ ସର୍ବଧନ ।୬୭।

ଦେଖିଣ ମୁକତ ଯେ ହୋଇଲେ ସର୍ବଜନ

ଦାରିଦ୍ର୍ୟ ଫିଟିଲା ସେ ବିରାଟ ଭୁବନ ।୬୮।

ମତ୍ସଦେଶ ମଘଦେଶ ଦୁହେଂ ହୋଇଲେ ଉଦିତ

ବହୁତଦେଶ ଦେଶାଉରେ ବାରତା କଲେ ତୁରିତ ।୬୯।

ପାଞ୍ଚାଳ ଦେଶ ରାଜା ଦ୍ରୋପଦ ଦେଶ ରାଜେ

ଶ୍ରୀଖଣ୍ତୀ ଧୃଷ୍ଟଦ୍ୟୁମନ ଘେନିଣ ସଙ୍ଗେ ବିଜେ ।୭୦।

ପଦ୍ମେକ ରଥୀ ଯେ ବେନି ପଦ୍ମ ହସ୍ତୀ

ଚାରିପଦ୍ମ ମୁକୁଟବନ୍ଧା ଯୋଦ୍ଧା ତୁଲେଣ ସେନାପତି ।୭୧।

ନବକ୍ଷଉଣୀ ବଳ ଘେନି ପାଞ୍ଚାଳେଶ୍ୱର ନାଥ

ତୁଲେଣ ଘେନିଲା ସେ ପାଞ୍ଚାଳ କୁମାରନ୍ତ ।୭୨।

ବଢାଇ ସମ୍ଭର୍ବେ ସେ ଘେନିଣ ରତ୍ନ କୋଷ

ଚଳନ୍ତି ଦଣ୍ତ ଘେନି ମତ୍ସଦେଶ ମଘଦେଶ ।୭୩।

ଶୁଭେଣ ପ୍ରବେଶ ହୋଇଲେ ଦଣ୍ତଧାରୀ

ଆସ୍ଥାନେ ଦେଶାଉରେ ବାରତା ଯାଇଂକରି ।୭୪।

ସ୍ୱାମି ପାଞ୍ଚାଳ ଦେଶର ରାଜା ଦ୍ରୋପତେ

ଦୃଷ୍ଟଦ୍ୟୁମନ ପଞ୍ଚାଳ କୁମାର ସହିତେ ।୭୫।

ଜଣାଇ ଦରଶନ କରେ ଯାଇଂ ଛାମୁ

ଦୂରହୁଂ କୁମାରମାନେ ହୋଇଲେ ପରିଣାମୁଂ ।୭୬।

ଶ୍ୱେତହସ୍ତୀ ଉପରେ ଯେ ବିଜେ ଧର୍ମସୁତେ

କୋଳେଣ ପାଞ୍ଚାଳୀ ଯେ ଦ୍ରୁପଦ ଦୁହିତେ ।୭୭।

ପାଞ୍ଚାଳ କୁମାର ଯେ ଦ୍ରୋପତୀ କୋଳେ

ଆନନ୍ଦେ ଅଶ୍ରୁଝଜଳ ବହଇ ବେନି ଡୋଳେ ।୭୮।

ଗଜେକ ଆରୋହି ସେ କରେଣ ଗଦା ଘେନି

ଡାହାଣ ପାଖରେ ସେ ଚଳଇ ପାବେନି ।୭୯।

କିରୀଟୀ ମୁକୁଟ ସେ ଶ୍ରୀକରେ ଗାଣ୍ତିମ ଧନୁ

ବାମ ପଖାୟେ ବିଜୟେ ବାସବରୁ ତନୁ ।୮୦।

ହସ୍ତୀୟେକ ଆରୋହି କରେ ଧନୁଶର ଭାରଥୀ

ଭୂତ ଭବିଷ୍ୟ ଜାଣନ୍ତା ସେ ସହଦେବ ମନ୍ତ୍ରୀ ।୮୧।

ଗଜେକ ଆରୋହି ସେ ବୀର ଯେ ନକୁଳ

ପଛିଆଣି ଥାଟ ଆବୋରି ରହିଅଛି କ୍ଷତ୍ରିୟ ଅଚାର୍ଗଳ ।୮୨।

ଅଶ୍ୱେକ ଆରୋହି ବିରାଟର ନନ୍ଦନ ଯେ ଉତ୍ତର କୁମାର

ପାଞ୍ଚଲକ୍ଷ ଯୋଦ୍ଧା ଘେନି ଚଳଇ ଯୁଝେଷ୍ଠିଂକ ଆଗର ।୮୩।

ଗଜେକ ଆରୋହି ସେ ବିରାଟ ମହୀପାଳଇ

ଚମରେକ ଧରି ସେ ଅବିଛନ୍ନେ ଢାଳଇ ।୮୪।

ଯାଚକେଶ୍ୱର ମନ୍ତ୍ରୀ ସେ ବାମଦେବ ପ୍ରୋହିତ

ହସ୍ତୀୟେ ହସ୍ତୀୟେ ଚାମରେ ଚାମରେକ ହସ୍ତ ।୮୫।

ଦ୍ରୋପଦର ନନ୍ଦନ ନାମ ଯେ ଶିଖଣ୍ତୀ

ଲକ୍ଷେକ ଯୋଦ୍ଧା ଘେନି ସେ ଡାହାଣ ପଖାୟେ ମଣ୍ତି ।୮୬।

ଶ୍ୱେତହସ୍ତୀ ଚଢିଣ ସେ ପଞ୍ଚାଳ ଦେଶ ଦ୍ରୋପତେ

କନକ ଦଣ୍ତ ଗୋଟାୟେକ ଘେନିଲା ଅଛି ଶ୍ରାହସ୍ତେ ।୮୭।

ମରୁତ ଦେଶ ରାଜା ଶିବନାମେ ନୃପତି

ଗଜେକ ଆରୋହିଣ କରେ ଧରିଛନ୍ତି ଧବଳଛତ୍ରୀ ।୮୮।

ଯୁଝେଷ୍ଠି ଦେବଂକର ରାଜ୍ୟ ପରିକଳିବା ସମୟେ

ଦ୍ରଶନ କଲା ଆସି କୀଞ୍ଚକର ପିତା ସଂକୋଚନ ରାୟେ ।୮୯।

ଦନ୍ତେ ତିରଣ ସେ ଦଶନହ ଭରି ମୁଖେ

ଅଶ୍ରୁଜଳ ବହଇ ବେନି ନୟନୁଂ ପୁତ୍ରଂକର ଦୁଖେ ।୯୦।

ବିରାଟେଶ୍ୱର ରାଜା ଛାମୁରେ ପରିଣାମି

ସଂକୋଚନ ରାଜା ଛାମୁରେ ଦ୍ରଶନ କରୁଅଛି ଦେବ ସ୍ୱାମୀ ।୯୧।

ଦେଖିଣ ସାନନ୍ଦ ଯେ ଜଗତ ଅଧିକାରୀ

ଶ୍ରୀଭୁଜେ ସଂକୋଚନକୁ ଦିଲେ ଦେବ ଶାଢୀ।୯୨।

ଆହୋ ସଂକୋଚନ ଆମ୍ଭଂକୁ ଆଗ୍ୟାଂ ଦିଲେ ଦେବତାୟେ

ତେଣୁକରି ପୃଥୀବୀକି ଭାରା ତୋହୋର ତନୟେ ।୯୩।

ତାହାନ୍ତ ଆମ୍ଭେ ନାଶକଲୁ ମହୀଭାରା ନିମନ୍ତେ

ସେ ପୁତ୍ର ତୋତେ ଦେଇ ନ ପାରୁଛୁଂ କଦାଚିତ୍ତେ ।୯୪।

ସଂକୋଚନ ବୋଇଲା ସ୍ୱାମି ଦୃଷ୍ଟ ନିଶୋଧନ

ସଜ୍ଜନ ପାଳକ ତୁ ଭାରା ନିବାରଣ ।୯୫।

ସ୍ୱାମୀର ମୁଖେ ଯେ କୀଞ୍ଚକ ନାଶଗଲା

ପୂର୍ବ ଜନ୍ଣେଣ ସେ ଯେ ଅଶ୍ୱମେଧ ଯାଗ କରିଥିଲା ।୯୬।

ଅନେକ ରତ୍ନମାନ ସଂକୋଚନ ରାଜାକୁ ସେ ଦିଲେ

ଅନେକ ପୁରସରି ସେ ବଚନ କହିଲେ ।୯୭।

ୟେସନେକ ସଂପଦେ ଯେ ମଘଦେଶେ ମତ୍ସଦେଶେ ଭ୍ରମି

ଦେଖିଣ ମୁକତ ଜନେ ସେ ଧର୍ମରାୟେ ସ୍ୱାମୀ ।୯୮।

ମତ୍ସଦେଶେ ମଘଦେଶେ ହୋଅଇ ଉତ୍ସବ

ରାଜାକୁ ମୁଣୋହି ଯୋଗା କଲେକ ମତ୍ସଦେବ ।୯୯।

ସମରାଜ୍ୟ ଭ୍ରମଣି ସେ ଅଭୟେ ଚକ୍ରବର୍ତ୍ତୀ

ବିଜୟେ ଧର୍ମନନ୍ଦନ ବାହାର ଜଗତୀ।୧୦୦।

ସ୍ନାହାନ ମାଜଣା ସେ ସାରିଣ ନିତ୍ୟକର୍ମ

ରାଜାନ୍ତ ଘେନି ମୁଣୋହିଂ ବିଜେ ଦେବ ଧର୍ମ ।୧୦୧।

ମୁଣୋହିଂ ଉତ୍ତାରେଣ ଆଂଚୋବନ ସାରି

କ୍ରପୁର ତାମ୍ବୋଳ ଯେ ଭୋଜନ ଦେବ କରି ।୧୦୨।

ଯୁଝେଷ୍ଠିଦେବ ବୋଇଲେ ସହଦେବଂକୁ ରାଇ

ଦ୍ୱାରକା ପୁରକୁ ତୁ ଯାଆସି ବେଗ ହୋଇ ।୧୦୩।

ବିଭାସନ୍ଦେଶ କହ ଯାଇଂ ରାମକୃଷ୍ଣ ବେନି

ବଧୂକୁ ଅଭିମନ୍ୟୁକୁ ଆସ ବେଗ ଘେନି ।୧୦୪।

ୟେସେନେକ ଆଗ୍ୟାଂ ଦିଲେ ଦେବସ୍ୱାମୀ

ବେଗ ଆସ ଘେନି ତୁ ଅଭିମନ୍ୟୁ ବୀରେ ଘେନି ।୧୦୫।

***************

 

Unknown

ଅଭିମନ୍ୟୁର ଉତ୍ତରା ସହିତ ବିବାହ

ସ୍ୱାମୀଂକର ଆଗ୍ୟାଂୟେ ସେ ମନ୍ତ୍ରୀ ଚୂଡାମଣି

ଚଳଇ ଦ୍ୱାରିକାକୁ ଶ୍ୱେତ ଅଶ୍ୱ ପଲାଣି ।୧୦୬।

ତକ୍ଷଣେ ସହଦେବ ଯେ ହୋଇଲେ ଦ୍ୱାରିକା

ଜଗନ୍ନାଥ ଜାଣିଲେ ସହଦେବ ଆସୁଅଛି ୟେକା ।୧୦୭।

ବୈନେତ୍ର ଆରୋହିଣ ସେ ଦେବ ନାରାୟଣ

ସହଦେବକଇଂ ଭେଟିଲେ ସେ ହଂସବଳା ପର୍ବତେଣ ।୧୦୮।

ସନ୍ନିଧ୍ୟ୍ୟେ ସହଦେବ ଶତେ ଦଣ୍ତ ପରିଣାମି

ମତ୍ସଦେଶକୁ ବିଜେ କରିବା ଦେବସ୍ୱାମୀ ।୧୦୯।

ବିରାଟର ନନ୍ଦିନୀ ଯେ ଉତ୍ତରା କୁମାରୀ

ଅଭିମନ୍ୟୁକୁ ପ୍ରାଦାନ କରିବା ଦେବ ହରି ।୧୧୦।

ୟେସନେକ ଯହୁଂ ଶୁଣିଲେ ମୁରାରି

ବୈନେତ୍ର ପିଠିରେ ଅଛନ୍ତି ବିଜେକରି ।୧୧୧।

ୟେମନ୍ତର ସମୟେ ସେ ଆରଣ୍ୟ ଆଧିପତି

ହଂସଧ୍ୱଜ ରାଜା ଆସି ଦ୍ରଶନ କରନ୍ତି ।୧୧୨।

ଦେଖିଣ ସାନନ୍ଦ ସେ ଦେବାଧି ଦେବରାଜା

ଆହୋ ହଂସଧ୍ୱଜ ରାଜା ତୁ ଅଶ୍ୱଗୋଟି ଘେନି ଯା ଯା ।୧୧୩।

ଯେତେବେଳେ ଯୁଝେଷ୍ଠିଦେବ ବାରୁଣାବନ୍ତକଇଂ ଯିବେ

ସମ୍ଭର ସଂପଦେ ସେ ହସ୍ତିନା ରାଜ୍ୟରେ ବସିବେ ।୧୧୪।

ତେତେବେଳେ ୟେ ଅଶ୍ୱଗୋଟି ନେଇ ଦେବୁ

ୟେବେ ଅଶ୍ୱଗୋଟିକୁ ଯତନେ ଥୋଇଥିବୁ ।୧୧୫।

ୟେତେକ ବଚନେ ସେ ହଂସଧ୍ୱଜ ନୃପତି

ହଂସାବଳୀ ପର୍ବତକୁ ସେ ଅଶ୍ୱ ଘେନି ଗଲାକ ତତି ।୧୧୬।

ସେ ହଂସଧ୍ୱଜ ରାଜା ତହିଂ ଛାଡ଼ିଲା ଅଶ୍ୱଗୋଟି

ସହଦେବକଇଂ ଘେନି ଦେବ ବିଜୟେ ବୈନେତ୍ରର ପିଠି ।୧୧୭।

କୋଳେ ସହଦେବ ମନ୍ତ୍ରୀ ଚୂଡାମଣି

ଦ୍ୱାରକା ପୁରେ ଯାଇଂ ବିଜୟେ ଚକ୍ରପାଣି ।୧୧୮।

ସଭାୟେ ବିଜୟେ କରି ଅଛନ୍ତି ବଳଦେବ

ୟେମନ୍ତର ସମୟେ ବିଜୟେ କଲେ ବାସୁଦେବ ।୧୧୯।

ଦେଖିଲେ ସମ୍ଭରେ ଯେ ବିଜୟେ ହଳପତି

ଶ୍ରୀକୃଷ୍ଣ ସହଦେବ ଶତେ ସହସ୍ରଜଣ ପ୍ରଳମ୍ବ କରନ୍ତି ।୧୨୦।

ଆସ୍ଥାନର ତଳେ ସେ ସହଦେବ ମହାମନ୍ତ୍ରୀ

କରପତ୍ର ଯୋଡ଼ି ବହୁତ ବିନୋୟୀ କରଇ ତୁସ୍ତି।୧୨୧।

ସ୍ୱାମି ସମଦଣ୍ତ ଘେନିଣ ମତ୍ସଦେଶକୁ ଯିବା

ବିରାଟ ଦୋହିତା ଅଭିମନ୍ୟୁକୁ ପ୍ରଦାନ କରାଇବା ।୧୨୨।

ବଳଦେବ ମଉନବ୍ରତ ହୋଇଲେ ତାହା ଶୁଣି

ସୁଭଦ୍ରା ଅଭିମନ୍ୟୁକୁ ଘେନି ବିଜୟ କର ଚକ୍ରପାଣି ।୧୨୩।

ଗୋବିନ୍ଦେ ବୋଇଲେ ସ୍ୱାମି ଉଠ ହୋ ଚାଲ ଯିବା

ସାତବଂଶ ଘେନି ଦେବ ବିଜୟେ କରିବା ।୧୨୪।

ସହଦେବ ବୋଇଲା ଯେ ରାମ ଚରଣେ ପରିଣାମି

ତୁମ୍ଭର ନ ଗଲେ ବିଭା ନୋହଇ ଦେବ ସ୍ୱାମୀ।୧୨୫।

ମତ୍ତଭୋଳ ପୁରୁଷ ତୁ ସଦା ପରମ ଯୋଗୀ

କ୍ଷଣକେ ଦୟାସାଗର କ୍ଷଣକେ ମହାରାଗୀ ।୧୨୬।

ଶ୍ରୀ ଜଗନ୍ନାଥଂକ ବଚନେ ରାମ ଗତଦୋଷ କଲେ ତେଜ୍ୟା

ସମଦଣ୍ତ ସାଜ ବୋଲି ଆଗ୍ୟାଂ ଦିଲେ ଦେବରାଜା ।୧୨୭।

ଯଦୁବଂଶ ରାଜା ଉଗ୍ରସେନ ମହୀପତି

ସାଜିଲେ ସମଦଣ୍ତ ଚଉଦଗୋଟି ରଥୀ ।୧୨୮।

ଭୋଜବଂଶ ରାଜା ଯେ ସମର୍ଥକଜିତ

ସାଜିଲା ସମଦଣ୍ତ ସେ ତିନିଖର୍ବ ରଥ ।୧୨୯।

ସୁରସେନ ନୃପତି ଯେ ବୃଷ୍ଣିବଂଶରେ ମହାରାଜା

ପାଞ୍ଚଖର୍ବ ରଥୀ ଯୋଦ୍ଧାକଲା ସଜ୍ଜା ।୧୩୦।

କୁକୁର ବଂଶର ରାଜା ଯେ ଅଟେ ଅନାଧୃଷ୍ଟ

ପାଞ୍ଚଲକ୍ଷ ରଥୀ ସାଜିଲା ସମ୍ଭରେ ମହାଥାଠ ।୧୩୧।

ଅନ୍ଧେକ ବଂଶେ ଯେ ଗୋପାଳସେନ ନୃପତି

ପଞ୍ଚୁମର୍ଭୁତ ରଥ ଯେ ତାହାର ସଂଗତି ।୧୩୨।

ହୈହେୟ ବଂଶେ ସେ ରାଜା ଯେ ଉଦ୍ଧବ

ପଦ୍ମେକ ଯୋଦ୍ଧା ଘେନି ସେ ବଡ଼ାଇ ସମ୍ଭର୍ବ ।୧୩୩।

ଚୌହାଣ ବଂଶର ରାଜା ଯେ ଅଟେ ଉପନନ୍ଦ

ସାଗରେ ରଥୀ ତାହାର ମୁକୁଟ ବନ୍ଧା ଯୋଦ୍ଧା ତିନି ବୃନ୍ଦ।୧୩୪।

ୟେ ବିଧିରେ ସାତବଂଶ ରାଜାମାନେ ରଥ ମଣ୍ତି

କରେଣ ଛେଲ ଚକ୍ରଅସିପତ୍ର କୋନ୍ତ ଯେ ଭୂଷଣ୍ତି ।୧୩୫।

ଅଷ୍ଟରତ୍ନେ ମଣ୍ତିତ ଯେ ସବୁଂକରି ରଥ

ଉଦେଗିରି ପ୍ରତିକ୍ଷଣେ ଯେହ୍ନେ ଦିଶଇ ଆଦିତ୍ୟ ।୧୩୬।

ନନ୍ଦିଘୋଷ ରଥ ଯେ ମଣ୍ତିଲା ଦାରୁକ

ଉପରେ ଶୋଭାବନ ଯେ କଣୟ ଅନେକ ।୧୩୭।

ତାଳଧ୍ୱଜ ରଥ ଦାରୁକ ସାଜଇ

ଶ୍ରୀ ବଳଦେବ ହଳମୂଷଳ ଘେନି ବିଜେ କରନ୍ତି ଯହିଂ ।୧୩୮।

ବତିଶ ସହସ୍ର କନ୍ୟା ଶତେ ଅଷ୍ଟ ପାଟବଂଶୀ

ତାହାନ୍ତ ଘେନି ବିଜୟେ କଲେ ହୃଷିକେଶି।୧୩୯।

ଲକ୍ଷେକ ଷାଠିୟେ ସହସ୍ର ଅଣାଶୀ ନନ୍ଦନ

ଆରୋହିଲେ କୁମାରେ ଯେ ପୁଷ୍ୟକ ବିମାନ ।୧୪୦।

ଯେ ଯାହାର ଆୟୁଧ ସେ ଧରିଛନ୍ତି କରେ

ଅନେକ ରତ୍ନ ଅଳଂକାରମାନ ଯେ ଆଭରଣ ଶରୀରେ ।୧୪୧।

ଦକ୍ଷିଣେ ସୌନନ୍ଦ ମୂଷଳ ଯେ ବାମକରେ ବଜ୍ରହଳ

କାଦମ୍ବରୀପାନେ ସ୍ୱାମୀ ସଦା ମତି ଭୋଳ।୧୪୨।

କୋଟି କୋଟି ସିଂହର ଯାହାର ପରାକ୍ରମ

ତାଳଧ୍ୱଜ ଆରୋହିଣ ବିଜୟେ ବଳରାମ ।୧୪୩।

ଦ୍ୱାରକା ରକ୍ଷାପାଳକ ୟେକା ପ୍ରସନ୍ନାଜିତ

ସମଦଣ୍ତ ଘେନିଣ ଚଳିଲେ ଜଗନ୍ନାଥ ।୧୪୪।

ଅତିଅନ୍ତ ସଂପଦେ ଯେ ଦେବ ହୃଷୀକେଶ

ମତ୍ସଦେଶେ ନାରାୟଣ ହୋଇଲେ ପ୍ରବେଶ ।୧୪୫।

ବାରତା ପାଇଣ ଦେବ ଧର୍ମ ଯେ ଯୁଝେଷ୍ଠି

ସମଦଣ୍ତ ଘେନିଣ ଆପଣେ ଆସନ୍ତି ପାଛୋଟି ।୧୪୬।

ମଘଦେଶ ମତ୍ସଦେଶ ପାଞ୍ଚାଳ ମରୁତ ଦେଶର ସଇନି

ବିରାଟ ପାଛୋଟି ହୋଇଲା ୟେତେ ଘେନି ।୧୪୭।

ଯୁଝେଷ୍ଠିଂକ ଚରଣ ତଳେ କେଶବ ପରିଣାମି

ଅନୁଗ୍ରହ ନାଥ ପ୍ରସନ୍ନ ହୋଅ ଦେବ ସ୍ୱାମୀ ।୧୪୮।

ସମଦଣ୍ତ ଘେନିଣ ସେ ନୃପତି ପଞ୍ଚାଳେ

ବିରାଟ ଦ୍ରୋପତ୍ୟ ଶ୍ରୀବଳରାମଂକ ପାଦତଳେ ।୧୪୯।

ପୁଣ ପୁଣ ପ୍ରଣପତ୍ୟ ଜଗନ୍ନାଥଂକ ପାଦତଳେ

ସ୍ୱାମି ଲଭିଲି ପରମଗତି ଧର୍ମର ସୁଫଳେ ।୧୫୦।

ଗୋବିନ୍ଦେ ବୋଇଲେ ବିରାଟ ଅତିଅନ୍ତ ଭାଗ୍ୟ ତୋହୋର ପୂର୍ବେ

ଯୁଝେଷ୍ଠି ଠାକୁର ଯେ ବିଜେକଲେ ଆସି ୟେବେ ।୧୫୧।

ବିଜୟେ ଆସ୍ଥାନେ ଧର୍ମ ଯେ ନୃପତି

ଶ୍ରୀ ବଳରାମେ ବିଜେ ଧର୍ମ ଯୁଝେଷ୍ଠିଂକ କତି ।୧୫୨।

ଯୁଝେଷ୍ଠି ବଳରାମଂକ ଛାମୁରେ ବିଜୟେ ଦେବ ହରି

ମସ୍ତକେ ହସ୍ତଦେଇ ଅଛନ୍ତି ପୁରସରି ।୧୫୩।

ବିରାଟ ଦ୍ରୋପଦ ଶିବରାଜା ଆସ୍ଥାନର ତଳେ

ବିରାଟ ପ୍ରତିବାକ୍ୟ କହଇ ମଧ୍ୟ୍ୟକାଳେ ।୧୫୪।

ବେଳେ ମୁହିଂ ସ୍ୱାମୀଂକି ସେବା କରିବି ସନ୍ନିଧାନୁ

ସ୍ୱାମି ଉତ୍ତରାକୁ ପ୍ରଦାନ କରିବି ଅଭିମନ୍ୟୁ ।୧୫୫।

ଗୋବିନ୍ଦେ ବୋଇଲେ ହୋ ତୋହୋର ଯେହ୍ନେ ଭାଗ୍ୟ

ତୋହୋର ଆମ୍ଭର ପୂର୍ବେ ଅଛଇ ୟେସନେକ ବନ୍ଧୁ ଯୋଗ ।୧୫୬।

କର ଯାଇଂ ଉତ୍ସବ ହୋ ବିଭାର ବିଧାନେ

ଚଳଇ ବିରାଟ ଯେ ସାନନ୍ଦ ତୋଷମନେ ।୧୫୭।

ଛାୟା ମଣ୍ତୋପ ଯେ ନିର୍ବାଣିଲେ ନୃପମଣି

ପାଞ୍ଚକୋଶ ଆୟତନ ଛାୟା ମଣ୍ତୋପେ ପରିମାଣି ।୧୫୮।

ଶୁଦ୍ଧ ସଷ୍ଟିକ ସ୍ତମ୍ଭ ଯେ କଣୟ ଛାୟେଣି

ତଥିରେ ଉପରେ ପନ୍ତି ମୁକୁତା ରତ୍ନମଣି ।୧୫୯।

ପାଞ୍ଚ ଅହିବ୍ରତେକ ଖମ୍ବ ସଭାୟେଣ ରଞ୍ଚି

ଶତେ ଶତେ ପନ୍ତି ହୀରା ମାଣିକ୍ୟ ତହିଂ ସଞ୍ଚି ।୧୬୦।

ମାରାଗର ଶେଣି ମର୍କତର କୋଣକାଣ୍ତ

କଣୟ ପତ୍ରେ ଛାୟେଣୀ ଯେହ୍ନେ ଦିଶଇ ମାରତଣ୍ତ ।୧୬୧।

କନକର ରୁଅ ପଟା ନୀଳା ରତ୍ନେ ଶୋଭା

ଜଳଧର ମେଘେ ଯେହ୍ନେ ବିଜୁଳିର ପ୍ରଭା ।୧୬୨।

ମର୍କତର ପଦ୍ମ ଯେ କେଶର ବଇଡୁର୍ଯ୍ୟ

ପାଖୁଡା ନୀଳା ମୁକୁତା ଫେରରେ ବିରାଜ ।୧୬୩।

ହସ୍ତୀଦନ୍ତ କମତଳେଣ ପାଣି ପାଟି

ତହିଂର ଉପରେ ଯେ କଣୟ ରସାଣ ପତ୍ର ଘଟି ।୧୬୪।

ଅନେକ ଧନ ଭଣ୍ତାର ଯେ ଧ୍ୱଂସିଲା ବିରାଟଇ

ବିପୁଳ ଭୁବନ ଜାଣି ସଭାଗୋଟି ଘଟଇ ।୧୬୫।

ଚାରିଖମ୍ବ ଭିତରେ ଯେ ନନ୍ଦାବ୍ରତେକଗୋଟି

ୟେ ବିଧିରେ ନବଶତ ପାଟିଆ ତିନିକୋଟି ।୧୬୬।

ପାଣି ପାଟିଆ ତଳେ କଣୟର ବେଣ୍ଟୁଳି

ହୀରା ନୀଳା ବଇଡୁର୍ଯ୍ୟ ମାଣିକ୍ୟ ଖଟୁଳି ।୧୬୭।

କୋଟିକେ ସୁବର୍ଣ୍ଣ କଳସ ଗୋଟିୟେ ବସଇ

ସେ କଳସ ଗୋଟିକେ ଲକ୍ଷେମାଢ ସୁବର୍ଣ୍ଣ କୋଷଇ ।୧୬୮।

କେ କଳସ ଉପରେ ନେତ ପତାଙ୍ଗ ଗୋଟିୟେ

ଦେବ ବିଳାସ ପତନୀ ଆଲମ୍ବ ଷାଠିୟେ ।୧୬୯।

ୟେସନେକ କରିଣ ସଞ୍ଚିତ କଲା ବିରାଟେ

ଅଳକାପୁର ଜାଣି କୁବେରର ଘଟେ ।୧୭୦।

ତଳେ ସଷ୍ଟିକର ପୀଢ କନକବନ୍ଦ ବିଳା

ପାବଚ୍ଛେ ବିରାଜନ୍ତି ମାଣିକ୍ୟ ଝରା ପୋୟେଳା ।୧୭୧।

ଛାୟାମଣ୍ଡୋପ ଘଟିତ ୟେସନେକ ବିଧି

କି ଅବା ରତନ ଯେ ଲାଗିଲା ପଞ୍ଚୁ ନିଧି ।୧୭୨।

ପୋୟେଳାର ବିନ୍ଦେ ଯେ ମୁକୁତା ଚଉସରା

ଲମ୍ବନ୍ତି ନିରନ୍ତରେ ମାଣିକ୍ୟର ଝରା ।୧୭୩।

ୟେସନେକ ସୁସଞ୍ଚେ ଯେ ସଭା ନିରିବାଣି

ଦେଖିଣ ପ୍ରଶଂସା କଲେ ଦେବ ଚକ୍ରପାଣି ।୧୭୪।

ଚତୁର୍ଦ୍ଦିଗ ରାଜାନ୍ତ ନିମନ୍ତ୍ରିଲା ମତ୍ସପତି

ଉତ୍ତରା ବିଭା ବୋଲି ଜଗତେ ଦେଶାଉରେ କହନ୍ତି ।୧୭୫।

ନଇଷେଧ ଦେଶର ନୃପତି ଭୁବି ଯେ ବାହାନ

ଦଣ୍ଡ ସାଜି ଅଇଲା ସେ ତୁଲେ ବହୁତ ଧନ ।୧୭୬।

କଞ୍ଚଣ ଦେଶର ରାଜା ଯେ ଉଦମାଳି

ବଡ଼ାଇ ସମ୍ଭରେ ସେ ରାଜା ଅଇଲାକ ଚଳି ।୧୭୭।

ବ୍ରହ୍ମପୁର ରାଜା ନାମ ଅଟଇ କେତନ

ଦଣ୍ଡ ଘେନି ଅଇଲା ସେ ତୁଲେଣ ଲକ୍ଷେଭାର ଧନ ।୧୭୮।

ଭାନୁପୁର ରାଜା ନାମ କର୍ଣ୍ଣ ଯେ କେଶରୀ

ସମଦଣ୍ଡ ଘେନି ସମ୍ଭର୍ବେ ଅଇଲା ପାଣିଦ୍ରବ୍ୟ ରଥ ଚାରି ଭରି ।୧୭୯।

ମଧୁପୁର ରାଜା ଯେ ଜୀମୂତ ବାହନ

ଅତୁଟ ଅବନ୍ଧ୍ୟା ଆଣିଲା ସେ ଚାରିଲକ୍ଷ ଗୋଧନ ।୧୮୦।

ପାଣି ମଣ୍ଡଳର ରାଜା ପଦ୍ମ ଯେ କେଶରୀ

ଅନେକ ସମ୍ଭର୍ବେ ସେ ଅଇଲା ଦଣ୍ଡଧାରୀ ।୧୮୧।

ବେଦପୁରର ରାଜା ନାମ ଯେ ଧର୍ମଦାସ

ବହୁତ ଆଣିଲା ସେହୁ ପାଣିଦ୍ରବ୍ୟ ରତ୍ନକୋଷ ।୧୮୨।

ଚୋଳ ମଣ୍ଡଳର ରାଜା ନାମ ହରିନାଥ

ସଙ୍ଗେ ଆଣିଲା ସେ ପାଣିଦ୍ରବ୍ୟ ସାତ ରଥ ।୧୮୩।

ବିଜୟ ନଗ୍ରର ରାଜା ଯେ ଋତୁପର୍ଣ୍ଣ

ଚାରିଲକ୍ଷ ଶ୍ଵେତ ଅଶ୍ଵ ଆଣିଲା ରାଜନ ।୧୮୪।

ଉଦୟ ଦେଶର ରାଜା କଉତୁକ ସେନ

ବଡ଼ାଇ ସମ୍ଭରେ ସେ ଅଇଲାକ ରାଜନ ।୧୮୫।

ମହୀନ୍ଦ୍ର ମଣ୍ଡଳର ଯେ ଧନାଧିପ ରାଜା

ସହସ୍ରେକ ମତ୍ତହସ୍ତୀ ଦନ୍ତା ମହାତେଜା ।୧୮୬।

ରଣପୁର ନଗ୍ର ରାଜା ନାମ ଦୀକ୍ଷାପତି

ବହୁତ ସୈନ୍ୟ ଘେନି ସେ ଅଇଲା ତଡ଼ତି ।୧୮୭।

ଯେନାବଳୀ ନଗ୍ରେ ସେ ବିଶିକେସନ ରାଜ

ଲକ୍ଷେ ରଥ ସୁବର୍ଣ୍ଣର ଘେନି କଲା ପାଦପୂଜା ।୧୮୮।

ଯୁଝେଷ୍ଠି ବୋଇଲେ ଶୁଣିମା ବିରାଟ

ହସ୍ତିନାକୁ ଦୂତ ପଠିଆଣ ଆସନ୍ତୁ ଧୃତରାଷ୍ଟ୍ର ।୧୮୯।

ଭୀଷ୍ମ ଦ୍ରୋଣ ଶଲ୍ୟ ଭୁରିଶ୍ରବା ବିଦୁରେ

କର୍ଣ୍ଣ ଶକୁନି ବାଲ୍‌ହିକ ତୁଲେ ଆସନ୍ତୁ କରୁବୀରେ ।୧୯୦।

ଆପଣେ ଲେଖନ କଲେ ଶ୍ରୀହସ୍ତେ ସନକଗୋଟି

ୟେହା ନେଇ ଦେବୁ ତୁ ରାଜା ଧୃତରାଷ୍ଟି ।୧୯୧।

ବଢାଇ ସମ୍ଭର୍ବେ ସେ ଆସନ୍ତି କୁରୁପତି

ଯୋଗେଣ ବିଭା ହୋଇବ ତାହାଂକର ନାତି ।୧୯୨।

ଯୁଝେଷ୍ଠି ଦେବଂକର ବିନୋତ୍ର ବିରାଟର ଅକ୍ଷତ

ଘେନିଣ ଚଳଲେ ସେ ବାମଦେବ ପ୍ରୋହିତ ।୧୯୩।

ସହସ୍ରେ ଯୋଦ୍ଧା ଯେ ପ୍ରୋଦିତଂକ ତୁଲେ

ବାରୁଣାବନ୍ତେ ଯାଇଂ ପାଞ୍ଚଦିନେ ମିଳିଲେ ।୧୯୪।

ଗୋଧନ ହରଣୁଂ ସେ ଯେ ପଳାଇ ଅଇଲା କୁରୁପତି

ଧୃତରାଷ୍ଟ୍ର ଦେଖିଲେ ଯେ ସବୁଂକରି ଶାସ୍ତି ।୧୯୫।

ଇନ୍ଦ୍ରପ୍ରଶସ୍ତେ ବିଜୟେ ଗାନ୍ଧାରୀର ସୁତ

ଅକ୍ଷତ ଘେନି ଯାଇଂ ପ୍ରବେଶ ବମଦେବ ପ୍ରୋହିତ ।୧୯୬।

ମତ୍ସଦେଶର ବାରତା ବୋଲି ଯାଇଂ ଡଗର ଜଣାଇଂ

ଆସ୍ତାନୁ ଆଗ୍ୟାଂ ଦିଲା ଆସନ୍ତୁ ବେଗ ହୋଇ ।୧୯୭।

କିମ୍ଭୂତ କାରଣ ଯେ ପଚାରି କୁରୁପତି

ବିନୟ ଉତ୍ତର ଦିଲେକ ନେଇ ବାମଦେବ ଧାତି ।୧୯୮।

ଧୃତରାଷ୍ଟ୍ରଂକୁ ଯୁଝେଷ୍ଠି ଦେବଂକର ନମସ୍କାର

ଶତେସହସ୍ର ଦଣ୍ଡ ପ୍ରଳମ୍ବ ଶତେବାର ।୧୯୯।

ଓହୋକୁଳ କୁଶଳ ବାରତା ଜଣାଇଂ

ଆରୋଗ୍ୟ କ୍ଷେମେଣ ଆମ୍ଭେ ଅଛୁଂ ପାଞ୍ଚଭାଇ ।୨୦୦।

ଅଭିମନ୍ୟୁକୁ ବିଭା ଦବ ବିରାଟ କୁମାରୀ

ତୁମ୍ଭେ ସେ ୟେଥକୁ ଯେ ଅଟ ଅଧିକାରୀ ।୨୦୧।

ତୁମ୍ଭେ ମୋହୋର ପିତା ଥିବନା ଉତ୍ସବର କାଳେ

ୟେମନ୍ତ ବୋଲି ଲେଖ ଦେଇଛନ୍ତି ଯୁଝେଷ୍ଠି ମହୀପାଳେ ।୨୦୨।

ଅଭିମନ୍ୟୁ ବିଭା ଯହୁଂ ଶୁଣିଲେ ଶୁଭକଥା

କର୍ଣ୍ଣ ଶକୁନି ଧୁଶାସନ ପାଇଲେ ବଡ ବ୍ୟଥା ।୨୦୩।

ଶୁଣିଣ ସାନନ୍ଦ ଯେ ହୋଇଲେ ଧୃତରାଷ୍ଟ୍ର

ସଞ୍ଜୟକୁ ଆଗ୍ୟାଂ ଦିଲେ ସାଜ ବେଗେ ଥାଠ ।୨୦୪।

ପାଣ୍ଡବେ ଉଦିତ ଯେ ଅଭିମନ୍ୟୁର ବିଭା

ସାଜହୁଅ ଭୀଷ୍ମ ଦ୍ରୋଣେ ବହନ ହୋଇ ଯିବା ।୨୦୫।

ଭୀଷ୍ମ ଦ୍ରୋଣେ ବୋଇଲେ ଶୁଣ କୁରୁପତି

ଅଭିମନ୍ୟୁ ବିଭା ମତ୍ସଦେଶେ ଯିବା କି ତଡ଼ତି ।୨୦୬।

ମାନଗୋବିନ୍ଦ ବୋଇଲା ଯାଅ ହୋ ତୁମ୍ଭେ ତାତ

ସମର ଶ୍ରମେ ଅଇଲୁ ଆମ୍ଭର ଅବସ୍ତା ବହୁତ ।୨୦୭।

ନାସ୍ତି ବୋଲି କରି ରାଜା ପଶିଲା ଅନ୍ତପୁରେ

ଯୋଦ୍ଧାୟେ ସଜ ହୋଇ ଆଉ ନୁଆରନ୍ତୁ ଡରେ ।୨୦୮।

ଧୃତରାଷ୍ଟ ବିଦୁର ସଞ୍ଜୟେ ଭୁରିଶ୍ରବା

ୟେତେକ ଘେନି ବିଜୟେ ବ୍ୟାସଂକର ସମ୍ଭବା ।୨୦୯।

ଦଶ ସହସ୍ର ରଥ ବତିଶ ସହସ୍ର ହସ୍ତୀ

ଲକ୍ଷେକ ତୁରଙ୍ଗମ ତିନି ପରାୟୁଧ ପାଦନ୍ତି ।୨୧୦।

ୟେତେକ ସନ୍ୟ ଘେନି ଯେ ଅମ୍ବିକାର ସୁତ

ଭୀଷ୍ମ ଦ୍ରୋଣେ ଘେନି ରାଜା ଭାଳଇ ୟେକାନ୍ତ ।୨୧୧।

ତୁମ୍ଭେ ଯାଇ କହ ଯା ଦ୍ରିଯୋଧନର ଆଗେ

କାର୍ଯ୍ୟକୁ ମାନବଣା ନୋହୁ ଆତ୍ମରାଗେ ।୨୧୨।

ଅଗ୍ୟାଂନେ ସମର ଅବା କଲେ ଅପରତେ

ସୋଦ୍ରିମାପଣେ କି ଅଛି ଅଭ୍ୟନ୍ତର ବାଚ୍ୟେ ।୨୧୩।

ସମଦଣ୍ଡ ଘେନି ଚାଲ ଯିବାକ ଆରମ୍ଭେ

ଅଭିମନ୍ୟୁକୁ ବିଭା ଯାଇଂ କରାଇବା ସମ୍ଭର୍ବେ ।୨୧୪।

ଯଦୁବଂଶେ ଜାତ ରାମ କୃଷ୍ଣଂକ ଭଣଜା

ସମଦଣ୍ଡ ସମ୍ଭରେ ଘେନି ଦ୍ଵାରକାଇଂ ଗଲେନି ଦେବରାଜା ।୨୧୫।

ଭୀଷ୍ମେ ଜଣାଇଲେ ଯାଇଂ ମାନ ଚକ୍ରବର୍ତ୍ତୀ

ବାବୁ ସହୋଦ୍ରେ ଅଭାବ ତୁ ନୋହନା ଅପ୍ରୀତି ।୨୧୬।

ଚାଲ ମତ୍ସଦେଶେ ବିଭା କରିବା ଅଭିମନ୍ୟୁ

ଶୁଣିଣ ପ୍ରତିବାଚ କହଇ କୁରୁସାନୁ ।୨୧୭।

ଭୀଷ୍ମ ଦ୍ରୋଣ ଘେନିଣ ବେଗେ ଯାଉ ତାତ

ମୋତେ ଯିବାକୁ ଆଉ ନ ବୋଲ ବହୁତ ।୨୧୮।

ରାଜାର ଆଗ୍ୟାଂୟେ ସେ ଚଳଇ ଧୃତରାଷ୍ଟ୍ର

ଭୀଷ୍ମ ଦ୍ରୋଣ ତୁଲେ ଘେନିଣ ଯେ ଥାଠ ।୨୧୯।

ବାମଦେବ ପ୍ରୋହିତେ ଅଛନ୍ତି ଯେ ପାଶେ

ଶୁଭ ଯୋଗେ ଧୃତିରାଷ୍ଟ୍ର ଚଳିଲେ ମତ୍ସଦେଶେ ।୨୨୦।

ୟେଥୁ ଅନନ୍ତରେ ମତ୍ସଦେଶର କଥନ

ପ୍ରବେଶ ହେଉଛନ୍ତି ସକଳ ରାଜାମାନ ।୨୨୧।

ଦଶଲକ୍ଷ ବ୍ରାହ୍ମଣ ତୁଲେ ସୁଦେବ ସନାତନେ

ଅମୃତ ରସ ପାକ କରନ୍ତି ବିଧାନେ ।୨୨୨।

ଅନେକ ପବିତ୍ର ପଦାର୍ଥେ ଅନ୍ନେ ଗର୍ଭ ସୁଖୀ

ଦେବେ ଭୋଳ ହୋଉଛନ୍ତି ଯେବଣ ଅନ୍ନ ଦେଖି ।୨୨୩।

ସ୍ନାହାନ ସାରିଣ ସେ ସକଳ ଭୁଅପତି

ମୁଣୋହି ମନ୍ଦିରେ ବସି ସେ ଭୋଜନ କରନ୍ତି ।୨୨୪।

ସୁଦେବ ବୋଲି ବ୍ରାହ୍ମଣେକ ଯେ ସୂପକାର ବଂଶ

ଦୋହରାଂକ ପ୍ରସନ୍ନେ ତାଂକର ସମସ୍ତ ଅମୃତ ପାକରସ ।୨୨୫।

କ୍ଷୀର ସମୁଦ୍ରେ ଯେ ବିରାଟ ପରିଜା

ଗୋରସେଣ ତ୍ରିପୁତି ଯେ ହୋଇଲେ ସର୍ବରାଜା ।୨୨୬।

ଭୁଞ୍ଜିଣ ତ୍ରିପୁତି ଯେ ସକଳ ମହୀପତ୍ୟେ

ଯେବଣ ରାଜାର ଯୋଦ୍ଧା ପାତ୍ର ଅମନାତ୍ୟେ ଯେତେ ।୨୨୭।

ଆଞ୍ଚୋବନ ସାରିଣ କ୍ରପୂର ତାମ୍ବୁଳ ଭୁଞ୍ଜି

ବିଜୟେ ଅସ୍ତାନେ ଯେ କଉତୁକେ ରଞ୍ଜି ।୨୨୮।

ନୃତ୍ୟଗୀତ ତାଣ୍ଡବ ଯେ କରନ୍ତି ବିଳାସୁଣୀ

ବଳଦେବ ସହିତେ ବିଜୟେ ଚକ୍ରପାଣି ।୨୨୯।

କଣୟ ମନ୍ଦିର ଯେ ବିରାଟ ରଞ୍ଚିଲା

ତହିଂ ଯାଇଂ ଜଗନ୍ନାଥର କୁଟୁମ୍ବ ରହିଲା ।୨୩୦।

ସମସ୍ତେ ପ୍ରଶଂସା କଲେ ବିରାଟ ସାଧୁ ସାଧୁ

ଅନାଦି ପୁରୁଷକୁ ତୁ ପାଇଲୁ ୟେବେ ବନ୍ଧୁ ।୨୩୧।

ୟେକା ଦୋହିତାଗୋଟି କୁଳ ଉଦ୍ଧାରିଣୀ

ସୋମବଂଶର ହୋଉ ସେ ଓହୋକୁଳର ମଣ୍ଡଣି ।୨୩୨।

କୁମ୍ଭମାସ କୃଷ୍ଣପକ୍ଷ ପଞ୍ଚମୀର ଦିନ

ଚକ୍ରବାର ହସ୍ତା ନକ୍ଷତ୍ର ଯେ ବିଦ୍ୟମାନ ।୨୩୩।

ବାଣିଜ୍ୟ ନାମେ କରଣ ଶୁଭ ନାମେ ଯୋଗ

ତାରଚନ୍ଦ୍ର ବେଳା ଯେ ରୋହିଣୀ ଘରେ ଭୋଗ ।୨୩୪।

ବିଭାର ଅନୁକୂଳ ଧଇଲେ ପୁରୋହିତେ

ବାରତା ପାଇ ବିଜେକଲେ ବ୍ୟାସ ତପୋବନ୍ତେ ।୨୩୫।

ଲକ୍ଷେକ ବ୍ରାହ୍ମଣ ଘେନି ଧୌମ୍ୟ ପୁରୋହିତେ

ମତ୍ସଦେଶେ ପ୍ରବେଶ ଆସି ହୋଇଲେ ତୁରିତେ ।୨୩୬।

ବେନି ଲକ୍ଷ ବ୍ରାହ୍ମଣ ଘେନିଣ ମାରକଣ୍ଡ ବ୍ରହ୍ମବେତ୍ତା

ଆସିଣ ପ୍ରବେଶ ହୋଇଲେ ଭାର୍ଗବ ମହାଗ୍ୟାଂତା ।୨୩୭।

ତିନି ଅହିବ୍ରତେକ ସେ ଘେନିଣ ବ୍ରହ୍ମଶିଷି

ଆସି ପ୍ରବେଶ ହୋଇଲେ ଶାୟନ୍ତନୁ ମହଋଷି ।୨୩୮।

ଅହିବ୍ରତେକ ବ୍ରାହ୍ମଣ ଘେନିଣ ଉଦ୍ଦାଳେକ ପ୍ରୋହିତେ

ମତ୍ସଦେଶେ ପ୍ରବେଶ ଆସି ହୋଇଲେ ତୂରିତେ ।୨୩୯।

ଯଦୁଋଷି କଣ୍ଡୁଋଷି ପାରେଶ୍ଵର ଋଷି

ଅଭିମନ୍ୟୁ ବିଭା ଶୁଣି ପ୍ରବେଶ ହୋଇଲେକ ଆସି ।୨୪୦।

ସନକ ସତାତନ ସନତ ଯେ ମନୁ ବିଭାଣ୍ଡକ

ଅଗସ୍ତି ଜନକ ସୁମନ୍ତକ ବିଶ୍ଵାମିତ୍ର ପୌଲସ୍ତି ଅନେକ ।୨୪୧।

ୟେମନ୍ତେ ଅଠାଶୀ ଅଇଲେ ମହଋଷି

ବିଭା ଉତ୍ସବକାଳେ ସମସ୍ତେ ପ୍ରବେଶ ହୋଇଲେକ ଆସି ।୨୪୨।

ଅନେକମତେ ନୃପତି ଦେଖି କଲେ ପାଦପୂଜା

ବସି ଋଷିମାନେ ସମସ୍ତେ ବିପ୍ର ଦ୍ଵିଜା ।୨୪୩।

ଧୃତରାଷ୍ଟ୍ର ପ୍ରବେଶ ହୋଇଲେ ମତ୍ସଦେଶେ

ବିନୟ ଭାବେ ଖଟନ୍ତି ଯୁଝେଷ୍ଠି ତାଂକ ପାଶେ ।୨୪୪।

ଅନେକ ପ୍ରଶଂସା ଯେ କଲେକ କଉରୋବେ

ୟୁଝେଷ୍ଠି ବିନୋଇ ଭୀଷ୍ମ ଦ୍ରୋଣଂକର ପାଦେ ।୨୪୫।

ଅନେକ କୁଶଳ ଯେ ବାରତା ପଚାରି

ସମସ୍ତ କ୍ଷେମ ବୋଇଲେ ତହିଂ ଦଣ୍ଡଧାରୀ ।୨୪୬।

ବନସ୍ତେ ପଡିଲା ଯେତେକ କଷ୍ଟମାନ

ପ୍ରସ୍ତାପ ବାକ୍ୟେ ତାହା କହିଲେ ଧର୍ମନାନ ।୨୪୭।

ଅନେକ ସାନନ୍ଦ ଯେ ହୋଇଲେ ଧୃତରାଷ୍ଟ୍ରେ

ଅନେକ କଲ୍ୟାଣ କଲେକ ତୁଷ୍ଟଚିତ୍ତେ ।୨୪୮।

ବିନୟେ ପୁଚ୍ଛାକଲେ ଧର୍ମଂକ ନନ୍ଦନ

ଭୋ ତାତ ଦୟା ମୋତେ କିଂପା ଛାଡ଼ିଲା ଦ୍ରିଯୋଧନ ।୨୪୯।

ସେ ମୋହର ସୋଦର ମୁଂ ତାକୁ କଲାଇ କେବଣ ଦୋଷ

ପୁତ୍ର ବିଭା ଶୁଣି ସେ କିଂପେ ନୋହିଲା ହରଷ ।୨୫୦।

ଯୁଝେଷ୍ଠିଂକ ଅଗ୍ରତେ କହିଲେ ଧୃତରାଷ୍ଟ୍ର

ତୁ ଅବା କି ନ ଜାଣୁ ସେ ସମସ୍ତ ବଡ଼ ଦୁଷ୍ଟ ।୨୫୧।

ଯୁଝେଷ୍ଠି ବୋଇଲେ ତାତ ଦୁଷ୍ଟ ଯେ ହୋଇଲେ

ସମୟ ସେ ବ୍ରତଇ ନା ଅସଜ୍ଜନ ହୋଇଲେ ।୨୫୨।

ମହା ମହା ଦୁଷ୍ଟ ତ ତାତ ଥିଲେ ୟେହି ଭୂମି

କଂସ କେଶୀ ଅଘା ପ୍ରଳମ୍ବା କଦମ୍ବା ଅମ୍ବା କାଳ ଯେ ନଉମି ।୨୫୩।

ଜାରା ନାରକା କାଳ ଯବନ ବାଣୀ ବଜ୍ରନାଭ

ପାଣ୍ଡବାସୁର ନିର୍ବାତ କପଚ ୟେମାନ ପାଇଲେ ପରାଭବ ।୨୫୪।

ୟେମାନେ ସଭିୟେଂ ନାଶ ଗଲେକ ନାହିଂକି ତାତ

ଅତି ଦୁଷ୍ଟପଣ ବସୁଧା ନ ସହଇ ବହୁତ ।୨୫୫।

ଗୋବିନ୍ଦେ ବୋଇଲେ ଯୁଝେଷ୍ଠି ବନେ ପାଇଲା କି ବଡ଼ ଦୁଖ

ଧୃତରାଷ୍ଟ୍ର ଅଗ୍ରତେ ହୋଉଛନ୍ତି ବିମୁଖ ।୨୫୬।

ସ୍ଵାମି ଆମ୍ଭେ ସେ ନାଶିଲୁ କଂସ ଉଗ୍ରସେନ ଚାଟ

ଅବନ୍ତୀପୁରେ ଶାନ୍ତିପନୀ ପଣ୍ଡା ଆମ୍ଭଂକୁ ପଢାଇଥିଲେ ପାଠ ।୨୫୭।

ଦୁଇଭାଇ ହୋଇ ଆମ୍ଭେ ଯେ ଗଲୁ ପାଠ ପଢି

ଆମ୍ଭନ୍ତ ଅନେକ ଦୟାକଲେ ଶାନ୍ତିପନୀ ବ୍ରହ୍ମଚାରୀ ।୨୫୮।

ପୁତ୍ରହୁଂ ଅଧିକ କରି ପାଠ ସେ ପଢାଇ

ନିଅଳ ସେ ଅନେକ ବିଦ୍ୟା ଆମ୍ଭେ ସାଧ୍ୟ କଲୁ ତହିଂ ।୨୫୯।

ହେତୁମତି ଦେଖିଣ ସେ ପ୍ରଶଂସିଲେ ଗୁରୁ

ହୃଦଗତେ ବିସ୍ମରଇ ସେ ଆମ୍ଭର ପାଠ ପଢୁଂ ।୨୬୦।

ଶ୍ରାବଣ ମାସ କୃଷ୍ଣପକ୍ଷ ଚଉଠି ଭୃଗୁବାର

ହସ୍ତାନକ୍ଷତ୍ର ବେଳ ପାଞ୍ଚ ଘଡ଼ି ଭିତର ।୨୬୧।

ଶାନ୍ତିପନୀ ପଣ୍ଡାୟେ ନାହାନ୍ତି ନିଜ ବାସେ

ସୁଦୃଦେ ନିମନ୍ତେ ଗମିଲେ ବିଦେଶେ ।୨୬୨।

ଶାନ୍ତିପନୀ ପଣ୍ଡାଂକ ଭାରିଯା ନାମ ଶ୍ରୀୟା

ସେଦିନ ଆମ୍ଭୁଂକୁ ରାଇଣ ବୋଇଲେ ଗୁରୁପ୍ରିୟା ।୨୬୩।

ବାବୁ ଜାଳ ନାହିଂ ଆଜ ଯିବ କି ଭାଇ ବେନି

ଶୁଖିଲା କାଠ କିଛୁ ଆଣ ହୋ ବନୁ ଘେନି ।୨୬୪।

ଆମ୍ଭେ ଯେ ବୋଇଲୁ ତାହାଂକର ବଚନେ

ଉପବାସ କରିବା କି ଜାଳର ବିହୁନେ ।୨୬୫।

କୋଠାର ଖଣ୍ଡିୟେ ଆମ୍ଭନ୍ତ ଦିଅସି ଗୋ ମାୟେ

ୟେହିକ୍ଷଣି ଆଣିବୁ ଆମ୍ଭେ କାଠ ଯେ ଗୁଡାୟେ ।୨୬୬।

ଯେବଣ ସ୍ଵାମୀ ସେ ତ୍ରୈଲୋକ୍ୟ ଅଧିପତି

କୁତୂହୋଳ ମହିଂମାକୁ ୟେସନେକ କୃତୀ ।୨୬୭।

ଗୁରୁପତ୍ନୀଂକର ବୋଲ ନ ଭାଞ୍ଜିବା ନିମନ୍ତେ

ସର୍ବସମ୍ଭଳ ନାଥ ଗମନ୍ତି ବନସ୍ତେ ।୨୬୮।

ଇଦାନୀଂ ମାନବଲୋକେ ଗୁରୁବଚନ ଭାଞ୍ଜନ୍ତି

ସଂସାରିକା ଦୋଷେ ସେ ବହୁତ ଦୁଖ ଲଭନ୍ତି ।୨୬୯।

ସେ ଗୁରୁଂକ ପତ୍ନୀ ବଚନେଣ କରି

ବନସ୍ତ ଭିତରକୁ ସେ ଗଲୁ କାଠ ପାଡ଼ି ।୨୭୦।

କଟୁରୀ କୋଠାର ଆବର ଆଂକୁଡିଗୋଟି ଆଣିଦିଲେ

ବାଭିୟେ ଦୁହେଂ ଦୁଇଗୋଛି କାଠ ଆଣିମ ବୋଇଲେ ।୨୭୧।

ବେଳ ଦେଢପ୍ରହରେ ପ୍ରବେଶ ହୋଇଲୁ ବନେ

ମେଘେକ ଘୋଟି ଆସି ବରଷିଲା ଗହନେ ।୨୭୨।

ମୂଷଳଧାରା ପ୍ରମାଣେ ବରଷଇ ଅଗୋଚର

କ୍ଷଣକେ ବିଶ୍ରାମ ସେ ନ କଲା ସେଦିନର ।୨୭୩।

ବୃକ୍ଷର କ୍ରୋଟରେ ଗୋଟିୟେ ଗୋଟିୟେ ହୋଇ

ବେନିଭାଇ ପଶିଅଛୁଂ ବେନିକ୍ରୋଟେ ଯାଇଂ ।୨୭୪।

ମହାଶାଳବୃକ୍ଷ ଯେ ଗୋଟିୟେ ଘୋର ଗହନ ଯେ ଶାଖା

ଜନ ମନୁଷ୍ୟ ନାହିଂ ବେନିଭାଇ ବସିଅଛୁ ୟେକା ।୨୭୫।

ବଳରାମେ କ୍ରୋଟେ ଥାଇଂ ଡାକ ଦିଅନ୍ତି ମୁକୁ

ମୁହିଂ ଉଚ୍ଚସ୍ଵରେ ଡାକ ଦିଅଇ ତାହାଂକୁ ।୨୭୬।

ବାଆ ବରଷଣେ ସେ ଗର୍ଜନ ଦିଅନ୍ତି ମେହା

ନ ଶୁଭଇ ବାକ୍ୟମାନ ନ ଦିଶଇ ବିହୁରେହା ।୨୭୭।

ଉପବାସେ ମହାଶୀତେ କ୍ରୋଟେ ଅଛୁଂ ବସି

ବରଷୁଂ ବରଷୁଂ ପ୍ରସର ହୋଇଲାକ ନିଶି ।୨୭୮।

ରୟଣୀ ପ୍ରଭାତେ ଯେ ରହିଲାକୁ ବୃଷ୍ଟି

ଉଚ୍ଚବୃକ୍ଷେ ପିଛୁଳା ହେଲା ନୁଆରିଲୁ ଉଠି ।୨୭୯।

ଶୀତବାୟେ ଭୋଗେ ହାତ ଗୋଡ଼ କମ୍ପଇ ଶରୀର

ଆରଦିନ ବେଳ ହୋଇଲା କି ଆସି ଦେଢ ଯେ ପ୍ରହର ।୨୮୦।

ଦୁଇଭାଇ ବସି ଭାଳୁଅଛୁ ସେହି ବନେ

କାଲି ଗୁରୁଘରେ ଉପବାସେ ଜାଳର ବିହୁନେ ।୨୮୧।

କି ବୋଲିବେଟି ଗୁରୁଂକ ଭାରିଯା

କାର୍ଯ୍ୟକରି ନୋହିଲା କିଛି ପାଇବା ବଡ ଲଜ୍ଜା ।୨୮୨।

ପାଇଲୁ କଞ୍ଚା ଡାଳ ଶାଳବୃକ୍ଷ ଯେ ଗୋଟିୟେ

ଚିରିଣ ଦୁଇଭାଇ ଯେ ଘେନିଲୁ ଗୋଛିୟେ ଗୋଛିୟେ ।୨୮୩।

ଆର ଦିନ ହୋଇଲା ବେଳ ସ୍ଥିର ଦୁଇ ଯେ ପ୍ରହର

କାଠ ଘେନି ହେଳା ନ କରି ଧାଇଂଲୁ ଧାତିକାର ।୨୮୪।

ଦୁଇଗୋଛା କାଠ ଦୁଆରେ ପକାଇଲୁ ଆଣି

ଆମ୍ଭନ୍ତ କୋଡ଼େ ବସାଇ କାନ୍ଦିଲେ ମହାତ୍ମାଣୀ ।୨୮୫।

ତାହାଂକର କାନ୍ଦନ୍ତେ ଯେ ଆମ୍ଭେ ପାଇଲୁ ବଡ ଲଜ୍ଜା

ଅପାରମତେ କହନ୍ତେ ସେ ଶୋକ କଲେ ତେଜ୍ୟା ।୨୮୬।

ଶ୍ରୀ ବାସୁଦେବ ଯେ କଥାର ପ୍ରସ୍ତାବେ

ବିରାଟର ଆଗେ ଯେ କହନ୍ତି ବାସୁଦେବେ ।୨୮୭।

ସମସ୍ତେହେଂ ହାହାକାର କଲେ ତାହା ଶୁଣି

ଦୁଖ ସୁଖ ୟେକତ କରଇ ମହତ ପ୍ରାଣୀ ।୨୮୮।

ଶରୀର ବହିଥିଲେ ହୋଉଥାଇ ୟେମାନ

ପରସ୍ତାପ ବାକ୍ୟେ ୟେହା କହନ୍ତି ଜନାର୍ଦ୍ଦନ ।୨୮୯।

ବଳରାମ ବୋଇଲେ ହୋ ନ ପାଡ଼ ୟେକଥା

କଲାକର୍ମମାନ କେବେହେଂ ଯେ ନୋହଇ ଅନ୍ୟଥା ।୨୯୦।

ବିଭାର ବିଧାନ ଯେ ପଶ ୟେବେ ଶୁଭେ

ବିରାଟ ଧନ୍ଦି ହୋଇଲାଣି ଦୋହିତା ପରସ୍ତାବେ ।୨୯୧।

ବଦୟନ୍ତି ଅଗସ୍ତି ଯେ ବୈବସ୍ଵତ ମନୁ

ସୀଉକାର ବରଣ ଯେ ହେଉଅଛି ଅଭିମନ୍ୟୁ ।୨୯୨।

ଛାୟାମଣ୍ଡପ ଯେ ଅନେକ ସମ୍ଭରେ

ରାଜାଗଣମାନେ ବସିଅଛନ୍ତି ସଭାରେ ନିରନ୍ତରେ ।୨୯୩।

ଯଦୁବଂଶନ୍ତ ଘେନିଣ ବିଜୟେ ରାମକୃଷ୍ଣେ

ପାଣ୍ଡବ ସମେତେ ଯେ ବସିଲେ ଧୃତରାଷ୍ଟେ ।୨୯୪।

ମଧ୍ୟେଣ ବେଦୀୟେକ ଯେ ଅଛଇ ଆରମ୍ଭିଲା

ଉପରେ ଚନ୍ଦ୍ରାତପ ଅଛଇ ଖଞ୍ଜିଲା ।୨୯୫।

କଣୟ ଛାମୁଣ୍ଡିଆ ଯେ ସଷ୍ଟିକର ପୀଢ

ମୁକୁତାର ଖୁଅଝାଲି ଅଛଇ ତଥିର ଉପର ।୨୯୬।

ରୂପାର ପାବଚ୍ଛ ଯେ କଣୟ ଢାଂକୁଣି

ହାଥେଣ ଖଞ୍ଜିଲା ସେ ଯେ ମାରାଗ ଶୁଦ୍ଧମଣି ।୨୯୭।

ସେ ସଭା ମଧ୍ୟେ ଯେ ବିଜୟେ ଯୁଝେଷ୍ଠିଦେବ ଆଦି

ପାଞ୍ଚଲକ୍ଷ ରତ୍ନ ଖଞ୍ଜିତ କଣୟ ଦିବ୍ୟ ବେଦୀ ।୨୯୮।

ତଥି ତଳେ ବସିଛନ୍ତି ନନ୍ଦ ଉପନନ୍ଦ ଉଗ୍ରସେନ ବସୁଦେବ

ରାମକୃଷ୍ଣ ଆଦିକରି ପାଞ୍ଚୁ ଯେ ପାଣ୍ଡବ ।୨୯୯।

ସେ ବେଦୀର ଉପରେ ଯେ ଋଷିମାନନ୍ତ ଘେନି

ବସିଲେ ଶୁଭଯୋଗେ ବ୍ୟାସ ବଶିଷ୍ଠ ମହାମୁନି ।୩୦୦।

ଦ୍ରୋପଦୀ କୁମରନ୍ତ ସେ କୋଳେ ଛନ୍ତି ଘେନି

ପାଞ୍ଚାଳ କୁମରନ୍ତ ସେ କୋଳେ ଛନ୍ତି ଘେନି ।୩୦୧।

ଅଭିମନ୍ୟୁ ବିଜୟେ ଯେ ଜଗନ୍ନାଥଂକର କୋଳେ

ମଧ୍ୟେଣ ବସିଲେ ବେଢି ସକଳ ନୃପବରେ ।୩୦୨।

ପୂର୍ବେଣ ବିରାଟ ଯେ ପଶ୍ଚିମେ କିରୀଟୀ

ସନ୍ନିଧ୍ୟେ ଅର୍ଘ୍ୟ ଆଣି ଦିଅଇ ବିରାଟି ।୩୦୩।

ବିରାଟ ରାଜା ତଥି ବିନୟଭାବ ହୋଇ

ସଭାରେ ଉଭା ହୋଇଲା ମସ୍ତକେ ହସ୍ତଦେଇ ।୩୦୪।

ସମସ୍ତ ନୃପ ଋଷି ମୋତେ ଆଗ୍ୟାଂ ଦେବା

ସର୍ବ ଶୁଭେ ଦୁହିତାକୁ କରାଇବି ବିଭା ।୩୦୫।

ହେଉ ହେଉ ବୋଲିଣ ଯେ ସର୍ବେ ଆଗ୍ୟାଂ ଦିଲେ

ଶୁଣିଣ ବିରାଟ ଯେ ସନ୍ତୋଷ ହୋଇଲେ ।୩୦୬।

କୁଶହସ୍ତ ହୋଇଣ ଯେ ଶ୍ରୀକୃଷ୍ଣାର ସାଇଂ

ବରଣ ବେଦୀ ମଧ୍ୟେ ସେ ବିଜେ କଲେ ଯାଇଂ ।୩୦୭।

ଧୌମ୍ୟ ପୁରୋହିତେ ଯେ ପଢିଲେ ହରଷେ ବେଦଧୁନି

ଦେଶକାଳ ମହାବାକ୍ୟ କରନ୍ତି ସର୍ବମୁନି ।୩୦୮।

ଶଶୀଧର ଗୋତ୍ର ଯେ ଦେବ ଅରଜୁନ

କଉଶିକ ଗୋତ୍ର ଯେ ବିରାଟ ରାଜନ ।୩୦୯।

ଓହୋକୁଳ ଗୋତ୍ର ପଢନ୍ତି ପ୍ରୋହିତେ

ଦେବପୂଜା ବିଧିମାନ ୟେସନ ଯୁଗତେ ।୩୧୦।

ପ୍ରୋହିତେ ବୋଇଲେ ହୋ ଜଳତିଳ ଭର

ବରଣ ବିଧିରେ ଦେଶକାଳ ବାକ୍ୟକୁ ଉଚ୍ଚାର।୩୧୧।

ଦେଶକାଳ ବାକ୍ୟ ଯେ କରାଇଲେ ପ୍ରୋହିତେ

ଶଙ୍ଖ ମହୁରୀ ଯେ ପୁରଇ ସୁଲଳିତେ ।୩୧୨।

ଦୁର୍ବା ଅକ୍ଷତ ଘେନି ବିରାଟ ମହାରାଜା

ପ୍ରୋହିତେ ବାକ୍ୟ ପଢନ୍ତି କଲେ ପଞ୍ଚୁ ଦେବତା ପୂଜା ।୩୧୩।

ବିଭାର ବିଧାନ ଯେ ବସିଲେ ବିଚାରି

ପ୍ରୋହିତେ ବୋଇଲେ ହୋ ବିରାଟ ଦଣ୍ଡଧାରୀ ।୩୧୪।

ସଭାର ମଧ୍ୟକୁ ତୋହୋର ଆଣସି କୁମାରୀ

ରାଜାର ଆଗ୍ୟାଂୟେ ଯେ ଚଳିଲେ ପରିବାରୀ ।୩୧୫।

ଅନ୍ତପୁରୁ ବାହାର ହୁଅନ୍ତେ ଉତ୍ତରା ବାଳୀ

ଶୁଭ ଯୋଗେ କାମିନୀୟେ ଦିଅନ୍ତି ହୁଳହୁଳି ।୩୧୬।

ସଭାରେ ସୁନ୍ଦରୀ ଆସି ହୋଇଲାକ ଉଭା

ସତୀ ସାବିତ୍ରୀ ଯେହ୍ନେ ଦିଶଇ ତେହ୍ନେ ଶୋଭା ।୩୧୭।

ହାର ନିଆଳୀ ଯେ ମୁକୁତା ସରି ଭରି

ତ୍ରିଭୁବନେ ଅନୁଗମ ଯେ ବିରାଟ କୁମାରୀ ।୩୧୮।

ମଙ୍ଗଳ ଅଷ୍ଟକ ଯେ ପଢନ୍ତି ଗ୍ରହକାରୀ

ନଟ ଭାଟମାନେ ଯେ କୟେବାର କରି ।୩୧୯।

ନାରୀଗଣମାନେ ମଙ୍ଗଳ ଗୀତ ଗାବନ୍ତି

ବ୍ରାହ୍ମଣଗଣେ ଯେ ବେଦଧୁନି ଉଚ୍ଚାରନ୍ତି ।୩୨୦।

ଶଙ୍ଖ ମହୁରୀ ଯେ ବିବିଧ ତୂର ବାଦ୍ୟ

ବାଜଣା ବାଜୁଅଛି ଯେ ପଞ୍ଚମ ଶବଦ ।୩୨୧।

ଆଶିଷ ଘେନିଣ ସେ ଧୌମ୍ୟ ପୁରୋହିତେ

ନେଇଣ ସମର୍ପିଲେ ଯେ କନ୍ୟାର ନିଜ ମାଥେ ।୩୨୨।

ଚନ୍ଦନ ଚତୁସମ କାୟେ ଲେପନ କରି

ଦିବ୍ୟ ଅଳଂକାର ଭୂଷଣ ଶରୀରେଣ ଭରି ।୩୨୩।

ୟେମନ୍ତ ବିଧାନେ ଯେ ବାଞ୍ଛା କଲ୍ୟାଣ ଘେନି

ଅନ୍ତପୁରେ ୟାଇ ବିଜେ ବିରାଟ ନନ୍ଦିନୀ ।୩୨୪।

ପ୍ରୋହିତେ ବୋଇଲେ ହୋ ବର ଆସୁ ୟେବେ

ଚଳନ୍ତି ଡଗର ଯେ ଅଭିମନ୍ୟୁ ଠାବେ ।୩୨୫।

ଅର୍ଜୁନ କୁମାର ଯେ ଦିବ୍ୟ ବେଶ ହୋଇ

ବେଦୀର ମଧ୍ୟେ ବିଜେ କରାଇଲେ ନେଇ ।୩୨୬।

କି ଅବା ଦିଶଇ ଅଳକାର ପତି

କି ଅବା ଅଇରାବ୍ରତ ତେଜି ଆସଇ ସୁରପତି ।୩୨୭।

କି ଅବା ରତି ତେଜ୍ୟା କରି ଅଇଲା ଅନଙ୍ଗ

ୟେସନେକ ଦିଶୁଅଛି ଯେ ଅଭିମନ୍ୟୁ ଦିବ୍ୟ ଅଙ୍ଗ ।୩୨୮।

ହାର ନିଆଳୀ ପଦକ ତାଡ଼ ଯେ ତୋଢର

ଅନେକ ରତ୍ନ ଆଭରଣ ତାହାର ଶରୀର ।୩୨୯।

ଗୁରୁ ଦେବାତାଂକୁ ନମସ୍କାର କରି

ବିଜେକଲା କୁମର ଦଧି ମଂଗଳ ସୁମରି ।୩୩୦।

ଅଭିମନ୍ୟୁ ପୂର୍ବମୁଖେ ବିରାଟ ପଶ୍ଟିମ ମୁଖେ

ପାଦ ଶଉଚ କଲା ପ୍ରୋହିତଂକର ବାକ୍ୟେ ।୩୩୧।

ପଇଡ଼ ପାଣି ପୟରେ ପଞ୍ଚାମୃତ ବିଧି

ପାଦ ଶଉଚ କରାଇଲେ ସେ ଯେହ୍ନେକ ପୂଜାବିଧି ।୩୩୨।

ପାଦରଜ ଉଦକ ଯେ ବିରାଟେଶ୍ଵର ରାଜା

ମଥାରେ ଧରିଲା ସେ କରିଣ ଦିବ୍ୟ ପୂଜା ।୩୩୩।

ଶ୍ରୀକରେ ପାଣି ଘେନି ଉତ୍ତର କୁମାର

ଗଡୁମୁଖେ ଗଡାଇଦିଲା ଅଭିମନ୍ୟୁର ପୟର ।୩୩୪।

ପୟର ପୂଜା ସାରିଣ ଘେନିଲା ସୁସଞ୍ଚ ଦିବ୍ୟ ଗଭା

ଅଭିମନ୍ୟୁ ଗଳାରେ ଲମ୍ବାଇଲା ବିରାଟେଶ୍ଵର ରାଜା ।୩୩୫।

ସମସ୍ତ ବ୍ରାହ୍ମଣ ଯେ କଲେକ ବେଦଧୁନି

ପ୍ରୋହିତ ଅଭିମୁଖେ ସମସ୍ତ ମହାମୁନି ।୩୩୬।

ଚନ୍ଦନ ଚତୁସମ ଲେପନ କାୟେ କରି

ଅଭିମନ୍ୟୁ ମୁଖେ ନେଇ ସୀଉକାର କରି ।୩୩୭।

ବେଦୀବରଣ ବାକ୍ୟ ଗୋଟିୟେ ଉଚ୍ଚାରଣ କଲେ

ବସ୍ତ୍ର ଶ୍ରୀଫଳ ଗୁବାକ ଯେ ଅଭିମନ୍ୟୁ ହସ୍ତେ ଦିଲେ ।୩୩୮।

ବାଟିଲା କୁଂକୁମ ଯେ ଅଛଇ ଅପାର

ଚନ୍ଦନ ଚତୁମସ ଯେ ତଥିର ସଂଗର ।୩୩୯।

ଥୋକାୟେକ କାଢି ସେ ଥୋଇଲେ ଯତ୍ନକରି

ଦେବାଦେବୀମାନନ୍ତ ଦିଲେ ଉପଚାର ପୂଜାରେ ଭରି ।୩୪୦।

ନବତନ ବସନ ଯେ ଝୀନ ମଢିଆଳ

ପ୍ରୋହିତ ମନ୍ତ୍ରି ଦିଲେ ତାହା ପିନ୍ଧିଲେ ଅର୍ଜୁନର ବାଳ ।୩୪୧।

ଝୀନ ବସନ ଗୋଟିୟେକ କରେ ଋଷି ଘେନି

ମନ୍ତ୍ରି ପିନ୍ଧାଇଲେ ନେଇ ବିରାଟର ନନ୍ଦିନୀ ।୩୪୨।

ପ୍ରୋହିତେ ବୋଇଲେ ହୋ ଶୁଣ ମତ୍ସସାଇଂ

ସଭାକଇଂ ଆଣ ହୋ ତୋହୋର ତନଇ ।୩୪୩।

କୁମର କୁମାରୀ ଯେ ବସିଲେ ୟେକସ୍ଥାନେ

ମଙ୍ଗଳ ହୁଳହୁଳି ଉଛୁଳିଲା ଗଗନେ ।୩୪୪।

କରନ୍ତି ମଙ୍ଗଳ ଯେ ବିବିଧ ବିଧାନେ

କନ୍ୟାକୁ କନ୍ଧଭୁଷଣ ଯେ କରନ୍ତି ସନ୍ନିଧ୍ୟାନେ ।୩୪୫।

କୁଂକୁମ ଲେପନ ଯେ କରନ୍ତି କୁମାରୀ

ବିରାଟ କୁଂକୁମ ନେଇ ଲିପିଲେ ହଳଧାରୀ ।୩୪୬।

ଗୁଆ ଶ୍ରୀଫଳ ଯେ ବିଲୋହିଣ ସାରି

ଅନ୍ତପୁରକୁ ଗଲା ସେ ବିରାଟ କୁମାରୀ ।୩୪୭।

ଶ୍ରୀ ଜଗନ୍ନାଥେ ଯେ ଯଦୁବଂଶ ଘେନି

ବିରାଟକୁ କଂକୁମ ଲେପନ କରନ୍ତି ଆଣି ।୩୪୮।

ଭୀଷ୍ମ ଧୃତିରାଷ୍ଟ୍ର ବିଦୁର ସଞ୍ଜୟେ ପାଞ୍ଚାଳ ଦେଶ ରାୟେ

ପାଞ୍ଚପାଣ୍ଡବ ଯେ ସମସ୍ତ ରାଜା କୁଂକୁମମୟେ ।୩୪୯।

କୁଂକୁମ ଲେପନ ଯେ ହୋଇଛନ୍ତି ଅପ୍ରମିତ

ୟେକ ଆରକେ ପରିହାସ ଲାଗିଲା ବହୁତ ।୩୫୦।

ଲାଗିଲା ପରିହାସ ହୋଇଲା ମହାଗୋଳ

ବାବୁ ଧନ୍ୟଧନ୍ୟ ପୁଣି ସେ ବିରାଟ ମହୀପାଳ ।୩୫୧।

ଦେବତାମାନେ ଯହିଂ କରୁଛନ୍ତି କ୍ରୀଡ଼ା

ଚନ୍ଦନ ପରିହାସ୍ୟେ ନେଇ ତହିଂ ଦିଲେ ଛଡ଼ା।୩୫୨।

ଅଭିମନ୍ୟୁ ବିଭାକାଳେ ମତ୍ସଦେଶେ ପନ୍ଦର ସହସ୍ର ନୃପତି

ୟେତେ ରାଜା ସମ୍ଭରେ ମିଳିଲେ ଘର ବରଜାତି ।୩୫୩।

ରଥ ଗଜ ଅଶ୍ଵ ପାଦନ୍ତି ଅନେକ

ଗହଳେ ଅନ୍ତ ନୋହଇ ରାଜାଂକର ଲୋକ ।୩୫୪।

କୁଂକୁମ ଲେପନ ସବୁ ପୁରୁଷ ଯେ ସ୍ତିରୀ

ରାଜା ପାତ୍ର ଯୋଦ୍ଧା ଅମନାତ୍ୟ ବାଦ୍ୟକାର ଆଦିକରି ।୩୫୫।

କୁଂକୁମ ଲେପନ ସାରି ତିଳ ଅୟେଂଳା ମରଦି

ସମସ୍ତ କଉତୁକେ ପଶିଲେ ବେଣୀଭଦ୍ରା ନଦୀ ।୩୫୬।

ନଦୀଗୋଟିଯାକ ବହଇ କୁଂକୁମମୟେ

ପଞ୍ଚଦଶ ଯୋଜନ ପାଣି ଅଖାଇଦ ହୋୟେ ।୩୫୭।

ସ୍ନାହାନ ସାରିଣ ଯେ ଆସନ୍ତି ଦେବରାଜେ

ବିଚିତ୍ର ନବରେ ଦେବ ମୁଣୋହିରେ ବିଜେ ।୩୫୮।

ସୁବର୍ଣ୍ଣ ପଇଲମ ସବୁଂକୁହିଂ ଦେଇ

ସୁସଞ୍ଚେ ସମ୍ପାଦି ଅଛି ମତ୍ସଦେଶ ସାଇଂ ।୩୫୯।

ପରଶନ୍ତି ବ୍ରାହ୍ମଣେ ଭିଗ୍ୟଂ ବେଦଚାରୀ

ନିଜ ମନ୍ଦିରେ ମୁଣୋହିରେ ବିଜୟ କଲେ ରାମହରି ।୩୬୦।

ପରଶନ୍ତି ବ୍ରାହ୍ମଣେ ଅମୀୟ ରସପାନ

ସୁଖେଣ ଭୋଜନ କରନ୍ତି ବଳଦେବ ଜନାର୍ଦ୍ଦନ ।୩୬୧।

ଭୋଜନର ସମ୍ପଦ କହିତେ କି ପାରି

ଯହିଂରେ ସେ ନାୟକ ଯେ ଅଟନ୍ତି ଦେବହରି ।୩୬୨।

ଦୁହାଂଣ ଦୁଇପଦ୍ମ ଯାହାର ଅଛନ୍ତି ଧେନୁଗାଈ

ନିତି ପାଞ୍ଚଳକ୍ଷ ଭାର ଯାହାର ଦୁଧ ଦହି ।୩୬୩।

ତିନିଲକ୍ଷ ଭାର ଯାହାର ହୋଇ ଘୃତ

ତାହାଂକର ଭୋଜନ ଅବା କେ କରିବ ଅନ୍ତ ।୩୬୪।

ଯାହାର ଉପୁଜିଅଛି ଅମୃତ ଳକ୍ଷେଭାର

ମାନବ ଜନଂକୁ ସେ ଅସଂଖ୍ୟ ଅଗୋଚର ।୩୬୫।

ୟେସନେକ ମହିମା ଯେ ମତ୍ସଦେଶ ପୁରୀ

ତାହାକୁ ଭୋଜନେ ଯେ କେହୁ କଳିପାରି ।୩୬୬।

ଯାହାର ଯେତେକ ଇଚ୍ଛା ସେ ଭୁଞ୍ଜନ୍ତି ସମସ୍ତେ

ଜନେ ଯେ ପ୍ରଶଂସା କରନ୍ତି ଅପ୍ରମିତେ ।୩୬୭।

ପିଠାର ବର୍ଣ୍ଣମାନ କେ କରୁ ହାଦେ ଲେଖା

କେଉଂଣ ଅପୂର୍ବ ତାହାଂକୁ ଯେ ଶ୍ରୀକୃଷ୍ଣ ଯାହାଂକୁ ସାଖା ।୩୬୮।

ଭୋଜନ ଶେଷେଣ ସେ କଲେକ ଆଞ୍ଚୋବନ

ଉଠିବାକୁ ଶକତି ନାହିଂନା ଭାର୍ଜନ ।୩୬୯।

ଆଚୋଂବନ ସାରିଣ କ୍ରପୂର ତାମ୍ବୁଳ ଭୁଞ୍ଜି

ଚନ୍ଦନ କୁସୁମ ଘେନି ଥୋକାୟେ କେଶ ରଞ୍ଜି ।୩୭୦।

ଭୋଜନ ସାରିଣ ସେ କଲେ ସନ୍ଧ୍ୟା ଅବକାଶେ

ସୀଉକାର ବରଣ ପେଷିଲେ ଅତି ହରଷେ ।୩୭୧।

ଯେସନେକ ସନମାନେ ରାଜାଂକୁ ଦିଲେକ କୁଂକୁମ

ତହିଂ ଅଧିକ କରି ଦିଲେକ ଚଉସମ ।୩୭୨।

ତାମ୍ବୁଳ କର୍ପୂର ଦିଲେକ ଜଣେ ଜଣେ

କୁସୁମ ଭୂଷଣ ସେ ହେଲକ ସକଳ ରାଜାଗଣେ ।୩୭୩।

ଯେତେକ ବସିଅଛନ୍ତି ଯଦୁବଂଶ ଭୋଜବଂଶ କୃଷ୍ଣବଂଶ

ଜଣକେ ଲକ୍ଷେ ମାଢ ଦିଲେକ ରତ୍ନକୋଷ ।୩୭୪।

ସମସ୍ତ ରାଜାଂକୁ ଯେ ଅଳଂକାର ୟେ ବିଧି

କି ଅବା ପ୍ରାପତ ହୋଇଛି ବାରାନିଧି ।୩୭୫।

ବିରାଟ ଅର୍ଜୁନର ସମ୍ବନ୍ଧ ବାକ୍ୟମାନ

ଉଭୟେ ଅନୁମତେ କୋଳ ସମ୍ଭାଷଣ ।୩୭୬।

ବରଣ ବିଧିମାନ ସାରିଲେ ସମ୍ଭରେ

ଅଭିମନ୍ୟୁ ବସାଇଲେ ଅର୍ଜୁନ କୋଳରେ ।୩୭୭।

ସୀଉକାର ବରଣ ଯେ ସାରିଣ ମହୀପତ୍ୟେ

ବୋଇଲା ୟେ ମୋହୋର ସତ୍ୟ ସତ୍ୟ ତ୍ରୟବାର ସତ୍ୟେ ।୩୭୮।

ଶ୍ରୀକରେ ଅର୍ଘ୍ୟ ଘେନିଣ ଅହିଗ୍ୟଂ ସର୍ବବାଳୀ

ମଙ୍ଗଳ ଗୀତ ଗାଇଣ ଦିଅନ୍ତି ହୁଳହୁଳି ।୩୭୯।

ଗାବନ୍ତି ଗୀତ ଯେ ମିଳି ସର୍ବଗଣିକା ପ୍ରିୟା

ଅଭିମନ୍ୟୁଂକ ଉତ୍ତରା କରାଇବା ବିହା ।୩୮୦।

ବିଭାବରଣକୁ ଯେ ସାରିଲେ ପ୍ରୋହିତେ

ଯେ ସେ ପୂର୍ବବିଧି ସମସ୍ତ ଶାହାସ୍ର ଯୁଗତେ ।୩୮୧।

ସୀଉକାର କରିଣ ସେ ଗଲେ ବରକନ୍ୟା

ରାତ୍ର ଅର୍ଦ୍ଧକୁ ସେ ମିଳେ ସମସ୍ତ ବରାଙ୍ଗନା ।୩୮୨।

ଅନେକ ନୃତ୍ୟ ଗୀତ କହି ତ କି ପାରି

ରଜନୀ ପାହିଲା ତହିଂ କଉତୁକ କରି ।୩୮୩।

ଋଷିମାନଂକୁ ଫଳ ଯୋଗାଡମାନ ସଞ୍ଚା

ରୟଣୀ ପ୍ରଭାତେ କଲେ ବିଭା ଯୋଗାଡକୁ ପଞ୍ଚା ।୩୮୪।

ଋଷିମାନଂକୁ କୃଷ୍ଣାଜିନ ଛାଲ ବସିତେ ଆସନ

ପାଦାର୍ଘ୍ୟ ପୂଜା ପୁଷ୍ପ ଅକ୍ଷତ ଗନ୍ଧ ଯେ ଚନ୍ଦନ ।୩୮୫।

ଲକ୍ଷେ ଲକ୍ଷେ ସୁବର୍ଣ୍ଣ ଋଷିଂକି ପାଦପୂଜା

ସମସ୍ୟା ବିନୋଇ ବୋଲଇ ସତ୍ସଦେଶ ରାଜା ।୩୮୬।

ପରମ କଲ୍ୟାଣ ଯେ ମୁନିମାନେ ବାଞ୍ଛି

ଧର୍ମ ତୋତେ ପ୍ରାପତ ହୋଇ ଯେ ବିଧି ଶାହାସ୍ରେ ଅଛି ।୩୮୭।

ଲକ୍ଷେକ ବ୍ରାହ୍ମଣ ଯେ ଘେନି ଧୌମ୍ୟ ପୁରୋହିତେ

ବିଭାର ଯୋଗାଡ଼ ବସିଲେ ବିରାଟ ସହିତେ ।୩୮୮।

ଯେ ବିଧି ବିଧାନେ ଦେଶକାଳ ବାକ୍ୟ ମନ୍ତ୍ର

ପୂରିଣ ଦେଖନ୍ତି ଯେ ରାଜାମାନେ ରାଜ୍ୟଲୋକ ସମସ୍ତ ।୩୮୯।

କଣୟ ବେଦୀରେ ବସିଲେ ଯେ ବିରାଟ ମହାରାଜା

ପ୍ରୋହିତେ ଅଭିମୁଖେ ସାରିଲେ ଦେବପୂଜା ।୩୯୦।

ଆସନ ପାଦାସନ ଯେ ଗଣପତି ସ୍ଥାନ

ବ୍ରହ୍ମା ସନକ ସନାତନ ବିଶ୍ଵେଦେବା ବରିଣ ।୩୯୧।

ପୃଥୀ ଆପ ତେଜ ଯେ ବାୟିବ ଆକାଶ

ଅଷ୍ଟାଦଶ ମାତୃଗଣ ପୂଜି ଉତ୍ସର୍ଗିଲେ ନବ ଯେ ପୁରୁଷ ।୩୯୨।

ଯେ ବିଧି ଶୁଭକଥା ବାଞ୍ଛିତ ମଙ୍ଗଳେ

ଅଷ୍ଟକୁଳା ନାଗନ୍ତ ବିଧିରେ ପୂଜିଲେ ।୩୯୩।

ଶଙ୍ଖପଦ୍ମ ମହାପଦ୍ମ କୁଳୀକ କ୍ରକୋଟକ ଅନନ୍ତ ତକ୍ଷକ ବାସୁକୀ ଅଷ୍ଟକୁଳା

ଦଧିବାମନ ଦୁର୍ଗା ବସୁଧା ଜଳ ଯେ ଅନଳା ।୩୯୪।

ଦଶଦିଗପାଳ ମେଘ ଆବର ଶୂନ୍ୟ ସପତମ

ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ଭୂତ ଯେ ପଞ୍ଚମ ।୩୯୫।

ୟେତ ଦେବତାଂକୁ ଆସନ ପାଦାସନ ନଇବେଦ୍ୟ ଅନ୍ନବଳି

ପୂଜଇ ବିରାଟ ରାଜା କାମ୍ୟାର୍ଥେ ଉତ୍ତରା ବାଳୀ ।୩୯୬।

ହିରଣଦାନ ବସ୍ତ୍ରଦାନ ମୁକୁତା ରତ୍ନମଣି

ଦୋହିତା ଆରୋଗ୍ୟ ଅର୍ଥେ ଦିଅ ନୃପମଣି ।୩୯୭।

ବିଷ୍ଣୁଆଳେ ପୁରାଣ ଶିବଆଳେ ଦିଲେକ ଶତେଦଳ

ଦେବୀମାନଂକୁ ୟେ ବିଧି ଉପଚାର ଶୀତଳ ।୩୯୮।

ଜୀବଘାତ ନ କରଇ ବିରାଟେଶ୍ଵର ରାଜା

ଉପନ ଉପହାରେ ଦେଇ ସେ ଦେବୀଂକି କରଇ ପୂଜା ।୩୯୯।

ଗ୍ରହଶାନ୍ତି ମନ୍ତ୍ର ଯେ କରନ୍ତି ଗ୍ରହପୁତ୍ରେ

ରଙ୍ଗପୁଷ୍ୟ ରଙ୍ଗବସ୍ତ୍ର ରଙ୍ଗମାଳ ଯେ ସମସ୍ତେ ।୪୦୦।

ଶିଳା ଦେବତାଂକୁ ଯେ ବିଧି ସ୍ନାହାନ

ଚଣ୍ଡୀପୁରାଣ ସଂହିତା ମାରକଣ୍ଡ ଆଧ୍ୟାନ ।୪୦୧।

ଅନେକ ନୃତ୍ୟ ଗୀତ କଉତୁକ ମହାସଭା

ଯେସନେକ ଶୋଭାବନ ଅଳକାପୁର ପ୍ରଭା ।୪୦୨।

ଯେତେ ଇଚ୍ଛା ତେତେ ଦଅନ୍ତି ଅନ୍ନଦାନ

ଦରିଦ୍ରେ ଅପାରଗେ ଯେ ହୋଇଲା ଦାନ ଧ୍ୟାନ ।୪୦୩।

ମକରମାସ ଶୁକଳ ପକ୍ଷ ଦଶମୀ ଗୁରୁବାର

ରୋହିଣୀ ନାମେ ନକ୍ଷତ୍ର ଭୋଗ ସେ ଦିନର ।୪୦୪।

କିଂସ୍ତୁଘ୍ନ ନାମେ କରଣ ଆୟୁଷ୍ମାନ୍ ନାମେ ଯୋଗ

ତାର ଚନ୍ଦ୍ର ବଳିଆର ରୋହିଣୀ ଘରେ ଭୋଗ ।୪୦୫।

ଶୁକ୍ରର ଅନ୍ତେ ଯେ ବିଧିର ବେନିଘଡ଼ି

ଅମୃତଯୋଗ ଯେ କୁମ୍ଭ ଲଗ୍ନ ଘେନିକରି ।୪୦୬।

ରାହୁ ଶନିଚର ଯେ ଆଦିତ୍ୟ ମଙ୍ଗଳ

ୟେମାନେ ନାହାନ୍ତି ଯେ ବଞ୍ଚିତ ଶୁଭବେଳେ ।୪୦୭।

ଛାମୁଣ୍ଡିଆ ଈଶାନ କଣର ମଧ୍ୟସ୍ଥାନେ

ବୈଶାଳୀ ଆରମ୍ଭ କଲେକ ବିଦ୍ୟମାନେ ।୪୦୮।

ଶଙ୍ଖ ଅଳତା ଯେ ଗନ୍ଧଣ ଯୋଗାଡ଼ ସର୍ବ

ଅଷ୍ଟକୁଳା ନାଗଂକୁ ସେ ତୋଷିଲେ ବାକ୍ୟଭାବ ।୪୦୯।

ଉଦବେଗେ ବିରାଟେଶ୍ଵର କରପତ୍ର ଯୋଡ଼ି

ମୂର୍ତ୍ତିକା ପୂରୋଇ ବୈଶାଳ ମନ୍ତ୍ର ତିନିକାଣ୍ଡି ଗଢି ।୪୧୦।

ଅଧକାମ୍ୟ ବାକ୍ୟେ ଯେ ଅସରଳା ସୂତା

ମହାମନ୍ତ୍ରେ ବର କାନ୍ଧେ ଦିଲେ ବାଞ୍ଚା ଯେ ପଇତା ।୪୧୧।

କନ୍ୟାର ବାହେ ଅସରଳା ସୂତା ବାନ୍ଧିଲେ ପ୍ରୋହିତେ

ସମଯୋଗ କଲେ ଦୁବ ବରକୋଳି ପତ୍ରେ ।୪୧୨।

ବରକଇଂ ନିଅନ୍ତି ସମସ୍ତ ନାରୀଗଣେ ମିଳି

ନାରୀଗଣେ ଦିଅନ୍ତି ଯେ ମଙ୍ଗଳ ହୁଳହୁଳି ।୪୧୩।

ଦ୍ଵାରିକାର ନାରୀମାନେ ଧାମନ୍ତି କୁତୂହୋଳି

ଗାବନ୍ତି ଗୀତ ସେ ଯେ ଦିଅନ୍ତି ହୁଳହୁଳି ।୪୧୪।

ଛାମୁରେ ଖଟନ୍ତି ଯେ ବିଳାସୁଣୀ ବାଳୀ

ବାଜନ୍ତି ବିଜିଘୋଷ ମହୁରୀ ରାମତାଳି ।୪୧୫।

ନଗ୍ରର ବାହାରେ ଯେ ରହିଛନ୍ତି ଲିଙ୍ଗରାଜା

ଛାମୁରେ ଶାକାମ୍ଭରୀ ଦେବୀ ଯେ ଗିରିଜା ।୪୧୬।

ଶ୍ରୀଭୁଜେ ଶୋଭାବନ କଣୟେ ଅଂଜୋଳି

କନ୍ୟାକଇଂ ଅହିଗ୍ୟଂ ନିମନ୍ତେ ନେଉଛନ୍ତି ନାରୀ ମିଳି ।୪୧୭।

ମଙ୍ଗଳ ଗୀତ ଗାଇ ଦିଅନ୍ତି ହୁଳହୁଳି

ଯାଆନ୍ତେଣ ମୁକୁତା ବିଞ୍ଚନ୍ତି ସର୍ବବାଳୀ ।୪୧୮।

କନ୍ୟାର ଚଉକତି କଣୟ କଲେ ବୃଷ୍ଟି

ଜନମନ ମୋହଇ ସୁନ୍ଦରୀ ଚଉକତି ।୪୧୯।

କନେକର ହାନ୍ଦୋଳରୁ ଧାତ୍ରୀମାନେ ଓହ୍ଲାଇ

ଶୁଭେଣ ଦ୍ରଶନ କଲେ ବିରାଟ ତନୟୀ ।୪୨୦।

ଛାମୁରେ ସୁନ୍ଦରୀୟେ ଥୋଇଲେ ଅର୍ଘ୍ୟସ୍ଥାଳୀ

ଗୋସାମଣିଂକି ବହୁତବାଗେ ଖଟନ୍ତି ମନର ହିଆଳି ।୪୨୧।

ଜୟ ଜୟ ମାନଧାତ୍ରୀ ଗୋ ଅଭୟେ ଅପର୍ଣ୍ଣା

ଆପାଦ କାଳକୁ ମାଗୋ ତୁହି ସେ ବଜ୍ରସ୍ନେହା ।୪୨୨।

ଅମଳାଣ ଆରୋପଣ ଗୋରକତ ପୀତବାସୀ

ମତ୍ତମାତାଙ୍ଗୀ ମାଗୋ କୁହୁକୁହୁ ହାସୀ ।୪୨୩।

ଖୋଚରୀ ଭୂଚରୀ ମାଗୋ ଗବନେଣ ଲୀଳା

ଅହୀରୁଦ୍ର ବାସିନୀ ଗୋ ନାମ ତୋ ସୁଶୀଳା ।୪୨୪।

ଖାଂକର ଚିକୁର ଗୋ କୁରୁଳି ଉର୍ଦ୍ଧ୍ଵକେଶୀ

ଅପାଙ୍ଗନେତ୍ରୀ ଗୋ ବକ୍ର ଭାବେ ତ୍ରାସି ।୪୨୫।

କଣୟ ମେଖଳା ଗୋ ଲମ୍ବିତ କ୍ଷୁଦ୍ରଘଣ୍ଟି

କାକୁସ୍ଥ ବିନ୍ଧ୍ୟବାସିନୀ ଗୋ ବଉଳମାଳା କଣ୍ଠି ।୪୨୬।

ପିଙ୍ଗଳ ବଦନୀ ଗୋ ଆରକ୍ତ ବିମ୍ବଓଷ୍ଠୀ

ଅରୂପା ଅଜପା ମାଗୋ ବିନାଶୁଂ ଅରିଷ୍ଟି ।୪୨୭।

କାମିନୀ କାମମୁଦ୍ରା ଗୋ ପ୍ରସନ୍ନ କାମାକ୍ଷୀ

ମାତା ଅବତାରେ ଅନାଗତ ଫଳ ବାଞ୍ଛି ।୪୨୮।

କୋଟିୟେ ଯୁଗ ଗଲେ ମାଗୋ ବାଳୁତ ଯାହାର ବେଶ

ମୋହନ ଧରଣ ଧାରଣ ସ୍ତମ୍ଭନବିଦ୍ୟା ଯାହାର ବଶ ।୪୨୯।

ଶରଣ ଉଦ୍ଧାରିଣୀ ମାଗୋ ଅପର୍ଣ୍ଣା ସର୍ବମଙ୍ଗଳେ

ଶୂଦ୍ରମୁନି ସୋରୋଳା ଦାସ ବିନୟେ ଶ୍ରୀ ଦୁର୍ଗାଂକ ପାଦତଳେ ।୪୩୦।

ଶୁଣ ହୋ ଚଇତନ କହନ୍ତି ମନୁ ମହାବୀରା

ଗୋସାମଣିଂକି ବହୁତ ତୁସ୍ତି ବିନୟେ କଲାକ ଉତ୍ତରା ।୪୩୧।

ବିରାଟ ନନ୍ଦିନୀର ବହୁତ ବିନୟ ଦେଖି

ପ୍ରସନ୍ନ ବର ଦିଲେ ପିଙ୍ଗଳା ରୁଦ୍ରମୁଖୀ ।୪୩୨।

ବାଳୁତ ରୂପ ହୋଇ ଯେବେ ମୋତେ ୟେହେନେକ ତୁସ୍ତି

ଯାଆ ତୁ ସୋମବଂଶେ ହୁଅ ତୁ ପୁତ୍ରବନ୍ତୀ ।୪୩୩।

ପ୍ରସନ୍ନେ ବର ଯହୁଂ ଦିଲେକ ଭଦ୍ରକାଳୀ

ବାହୁଡ଼ିଣ ବିଜେ କଲାକ ଉତ୍ତରାବାଳୀ ।୪୩୪।

ମକରମାସ ଶୁକୁପକ୍ଷ ଦଶମୀ ଗୁରୁବାର

ରୋହିଣୀ ନକ୍ଷତ୍ର ଯେ ଅଟଇ ସେ ଦିନର ।୩୪୫।

କୌସ୍ତୁଭନାମେ କରଣ ଶିବନାମେ ଯୋଗ

ତାର ଚନ୍ଦ୍ରବେଳା ଯେ ରୋହିଣୀଘରେ ଭୋଗ ।୩୪୬।

ଛାୟାମଣ୍ଡପ ଯେ ଅନେକ ବିସ୍ତାର

ସମସ୍ତ ରାଜାମାନେ ବସିଲେ ସଭାରେ ସମ୍ଭର ।୩୪୭।

ରାମକୃଷ୍ଣ ଘେନିଣ ବିଜୟେ ଧୃତରାଷ୍ଟି

ଭୀମ ଅର୍ଜୁନ ନକୁଳ ସହଦେବ ଯୁଝେଷ୍ଠି ।୪୩୮।

ନରନାରୀମାନେ ସମସ୍ତେ ଗହଣେ

ପୂରିଣ ଦେଖନ୍ତି ଯେ ବିଭାର ବିଧାନେ ।୩୪୯।

ଗାବନ୍ତି ଗୀତ ଯେ ସମସ୍ତ ଶୁଭପ୍ରିୟ

ଅଭିମନ୍ୟୁ ଉତ୍ତରା ଯେ ଦୁହିଂକର ବେହ ।୪୪୦।

କଟମ୍ବା ମାଡ଼ିବସିଲା ବିରାଟ ମହୀପତି

କୋଳେ ବସାଇଲା ଆଣି ଆପଣା ଦୋହିତି ।୪୪୧।

ଅର୍ଜୁନର କୋଳେ ଯେ କୁମାର ଅଭିମନ୍ୟୁ

ତ୍ରୈଲୋକ୍ୟ ମୋହଇ ସେ ସୁଭଦ୍ରାର ତନୁ ।୪୪୨।

ଅନେକ ବିବର୍ଣ୍ଣେ ଗନ୍ଧପୁଷ୍ୟମାଳ

ବରକନ୍ୟାଂକ ଶିରେ ଆଭରଣ କଲେ ମୁକୁଟ ଦୋଳ ।୪୪୩।

ଲମ୍ବିତ ମଲ୍ଲୀମାଳା ଚମ୍ପକ ଚଉସରା

ସେବତୀ ପାଖୁଡା ଯେ ବେଷ୍ଟିତ ରତ୍ନଝରା ।୪୪୪।

ବେଦ ଆଧ୍ୟାନ ଯେ କରନ୍ତି ସୁପଣ୍ଡିତେ

ମଙ୍ଗଳ ସୀଉକାର ପଢନ୍ତି ଚଣ୍ଡପୁତ୍ରେ ।୪୪୫।

ବଦୟନ୍ତି ଅଗସ୍ତି ଶୁଣ ମନୁ ରାଜନ

ଛାୟା ମଣ୍ଡପଗୋଟି ପଞ୍ଚୁକୋଶ ଆୟେତନ ।୪୪୬।

ଯୁଝେଷ୍ଠିଂକ କୋଳେ ଯେ ବିଜୟ ଫାଲୁଗନୀ

ଅର୍ଜୁନ ବସିଅଛି ଯେ ଅଭିମନ୍ୟୁକୁ କୋଳେ ଘେନି ।୪୪୭।

ଶୁଭ ଅବଧାନେ ପୂର୍ବ ନିଜ ମୂର୍ତ୍ତି

ପଛିମ ମୂରତି ଯେ ବୈରାଷ୍ଟ ନୃପତିର ସନ୍ତତି ।୪୪୮।

କନକ ଆଞ୍ଜୋଳି ଦଧିବାମନ ସୁମରି

ପିତାର କୋଳେ ବିଜୟେ କଲାକ ଉତ୍ତରାକୁମାରୀ ।୪୪୯।

ମଧ୍ୟେଣ ବ୍ରାହ୍ମଣ ଯେ ଧୌମ୍ୟ ପୁରୋହିତେ

ଉଦ୍ଦାଳେକ ବାମଦେବ ସୁମନ୍ତେ ଗାର୍ଗବ ସହିତେ ।୪୫୦।

ଯେ ବିଧି ଦେଶକାଳ ବାକ୍ୟ ସେ ଉଚ୍ଚାରି

ସତ୍ୟ ସତ୍ୟ ତ୍ରୟବାର ବାକ୍ୟ ସୀଉକାରି ।୪୫୧।

ଚନ୍ଦ୍ରଦୈବତର ଗୋତ୍ରେ ବୀର ଫାଲଗୁନି

ମହାବାକ୍ୟ ପଦ ଉଚ୍ଚାରନ୍ତି ପୁରୁଷ ତିନି ।୪୫୨।

ଇଦଂ ବାକ୍ୟେ ପିତାମହ ତିନି ଯେ ପୁରୁଷ

ବିଚିତ୍ରବୀର୍ଯ୍ୟ ପଣ୍ଡୁ ଅର୍ଜୁନ ନାମ ଘୋଷ ।୪୫୩।

ଅସ୍ମତ୍ ପିତୃ ପିତାମହ ପ୍ରପିତାମହ

କନ୍ୟାର ତିନିପୁରୁଷ ନାମ ୟେବେ କହ ।୪୫୪।

ମୁଦ୍ରା ଆସନ ପାତି ବିଜୟେ ବିରାଟେ

କୋଳେ ଉତ୍ତରା ବାଳୀ ବିଜୟେ ଶୋହଇ ଜଗୁରାଷ୍ଟ୍ରେ ।୪୫୫।

ଶଙ୍ଖ ଶ୍ଵେତ ଉତ୍ତର ସନ୍ନିଧ୍ୟେ ପୁତ୍ର ତିନି

ବିଭା ସଂଯୋଗ କଲେ ବ୍ୟାସ ମହାମୁନି ।୪୫୬।

ବୃଦ୍ଧ ଭାର୍ଗବ ଗୋତ୍ର ରାୟେ ମତ୍ସେଶ୍ଵର

ଦେଶକାଳ ମହାବାକ୍ୟେ ଉଚ୍ଚାରନ୍ତି ମୁନୀଶ୍ଵର ।୪୫୭।

ଅସ୍ମତ୍ ପିତାମହ ପ୍ରପିତାମହ ବୃଦ୍ଧ ପ୍ରପିତାମହ

ୟେବଂ ବିଧାନ କନ୍ୟାର ତିନି ପୁରୁଷ ନାମ କହ ।୪୫୮।

ନାମ ଉଚ୍ଚାରି ଉଭୟ କୁଳର ପିତୃ ପୁରୁଷ

ଚନ୍ଦ୍ର ଦୈବତ ଗୋତ୍ରସ୍ୟ ଅର୍ଜୁନ ନାମ ପୁତ୍ରସ୍ୟ ।୪୫୯।

ବୃଦ୍ଧ ଭାର୍ଗବ ଗୋତ୍ରସ୍ୟ ବିରାଟ ଦେବ ପୁତ୍ରୀ

ୟେହି ବାକ୍ୟେଣ ତିନି ପୁରୁଷ ନାମ ଧରି ।୪୬୦।

ପ୍ରୋହିତେ ମହାବାକ୍ୟ ନାମ ଯେ ଉଚ୍ଚାରି

ଇଦଂ ବାକ୍ୟ ସେ ଯେ ତ୍ରିବାର ପୂରଣ କରି ।୪୬୧।

ତେଷଠୀ ଅପର୍ଣ୍ଣାଂକର ନାମ ଅବଧାରି

ଦେଖିଣ ସାନନ୍ଦ ଯେ ହୁଅନ୍ତି ନରନାରୀ ।୪୬୨।

ଅଖଣ୍ଡିତ ମନ୍ତ୍ରେ ଦୁବ ଚଉଷଠୀ

ମହାମନ୍ତ୍ର ଅବଧାନେ ପାଡ଼ନ୍ତି ଗଣ୍ଠି ମୁଠି ।୪୬୩।

ଆଇଷ୍ୟ ମନ୍ତ୍ରେ କନ୍ୟାକୁ ଘେନିଣ ପୁରୋହିତେ

ବରହସ୍ତ ଉପରେ କନ୍ୟାର କରପତ୍ରେ ।୪୬୪।

ଶଙ୍ଖ ମହୁରୀ ଯେ ବାଜଇ ଭେରୀ ତୁରୀ ଘୋରନାଦେ

ବ୍ରାହ୍ମଣମାନେ ଉଚ୍ଚାରନ୍ତି ବେଦ ଯେ ଶବଦେ ।୪୬୫।

ହୁଳହୁଳି ଜୟ ଜୟ ଶବଦ କଲେକ କାମିନୀ

ଶୁଭବାଞ୍ଛା ପଢିଲେ ସୁମନ୍ତ ମହାମୁନୀ ।୪୬୬।

ଆପେଣ ଅପଛରୀୟେ ନୃତ୍ୟ ଗୀତ ଆରମ୍ଭି

ମର୍ଦ୍ଦର କଂସାଳ ବାଜଇ ଘୋର ଯେ ଦୁନ୍ଦୁଭି ।୪୬୭।

ବରକନ୍ୟାଂକର କର ଧରି ମଧ୍ୟଗତେ

କୁଶ ବନ୍ଧନ କଲେ ଯେ ଧୌମ୍ୟ ପୁରୋହିତେ ।୪୬୮।

ବର ହସ୍ତ ଉପରେ କନ୍ୟା ହସ୍ତଗତେ

ହସ୍ତବନ୍ଧନ କଲେ ଯେ ଶାହାସ୍ର ସଙ୍ଗତେ ।୪୬୯।

ପ୍ରୋହିତେ ବୋଇଲେ ହୋ ବିରାଟେଶ୍ଵର ରାଜା

ଯଉତୁକ ବେଳ ହୋଇଲା କର ବିଭାର ପୂଜା ।୪୭୦।

ଡାହାଣବ୍ରତେକ ଶଙ୍ଖେ ଜଳ ତିଳ ଭରି

ଦିଅଇ ଯଉତୁକ ସେ ବିରାଟ ଦଣ୍ଡଧାରୀ ।୪୭୧।

କନ୍ୟାର ପରିବାରୀ ଯେ ସହସ୍ରେକ ଦାସୀ

ଲକ୍ଷେକ ଧେନୁ ଗାଈ ଧବଳ କମଳ ଆଶ୍ଵାସୀ ।୪୭୨।

ଳକ୍ଷେକ ଭାର ସୁବର୍ଣ୍ଣ ପଇଲମ ଯୋଗାଡ଼ ରତ୍ନ

ଉପାଧି ଶତେ ରଥ ଦିଲା ଯଉତୁକ ଯତ୍ନ ।୪୭୩।

ଲକ୍ଷେକ ରଥୀ ଯୋଦ୍ଧା ଦିଲାକ ଆଦି କରି

ବେନିଲକ୍ଷ ଶ୍ଵେତହସ୍ତୀ ଶ୍ଵେତଅଶ୍ଵ ଲକ୍ଷ ଚାରି ।୪୭୪।

ଆଲମ୍ବ ଉଦ୍ଦଣ୍ଡ ଯେ ଛତ୍ର ପାଞ୍ଚଲକ୍ଷୀ

ଚାରିଲକ୍ଷ ଚାମର ଯେ ଦିଲାକ ସେ ବାଛି ।୪୭୫।

ବୀରତୂର ବିଜିଘୋଷ ଟମକ ନିଶାଣ

ବୀର ଢୋଲ ମୃଦଙ୍ଗ କାହାଳି ଯେ ପାଞ୍ଚ ଲକ୍ଷ ପୁଣ ।୪୭୬।

ଘଣ୍ଟ ମର୍ଦ୍ଦଳ ବୀର କାହାଳୀ ମହୁରୀ

ୟେମାନ ଚାରିଲକ୍ଷ ଚାରି ସହସ୍ର ଦିଲାକ ଅଗୁଳି ।୪୭୭।

ପଞ୍ଚ ପରାୟୁଧ ଦିଲା ପାଦାନ୍ତି ସଇନି

ପଞ୍ଚପାରିଦଣ୍ଡ ଦିଲା ଛାଡ଼ିଲାକ ପାଣି ଘେନି ।୪୭୮।

ଅନେକ ଦେଶର ଯେ ଥିଲେ ମହୀପତ୍ୟେ

ଚାରି ଭଣ୍ଡାର ଧନ ଦିଲାକ ଅପ୍ରମିତେ ।୪୭୯।

ଅଶ୍ଵ ଗଜ ଦଣ୍ଡଛତ୍ର କହିତ କେହୁ ପାରି

ଅସଂଖ୍ୟ ଅଗୋଚର ଦିଲା ଯଉତୁକ ବିଧିକରି ।୪୮୦।

ବିରାଟ ଭାରିଯା ଯେ ଶ୍ରୀକୃଷ୍ଣା ମହାଦେଈ

ଅନେ ଯଉତୁକ ଦିଲେ ହରଷ ମନ ହୋଇ ।୪୮୧।

ବିରାଟ ପୁତ୍ର ଯେ ଶଙ୍ଖ ଶ୍ଵେତ ଉତ୍ତର

ୟେମାନେ ଯଉତୁକ ଦିଲେ ଅପାର ଅପାର ।୪୮୨।

ଯଉତୁକ ଶେଷେଣ ବୋଇଲେ ଧୌମ୍ୟ ଗୁରୁ

କନ୍ୟା ସାତଗୋଟି ଯେ ଆଣସି ଅନ୍ତପୁରୁଂ ।୪୮୩।

ବର କନ୍ୟାର ହାତ ଫେଡନ୍ତୁ ସେ ଆସି

ସଂକୁଚ ମନେ କନ୍ୟାମାନେ ଆସନ୍ତି ହସି ହସି ।୪୮୪।

ଛାୟା ମଣ୍ଡୋପ ତଳେ ମିଳିଲେ କାମ୍ୟନାରୀ

ବର କନ୍ୟାଂକର ହସ୍ତ ଫେଡିଲେ ଶୁଭେଣ ସେ କରି ।୪୮୫।

କରପତ୍ର ଛାଡ଼ିଣ ଉଠିଲା ଉତ୍ତରା ବାଳୀ

ବର ସନ୍ନିଧ୍ୟେ କନ୍ୟାକଇଂ ବସାଇଲେ ତୋଳି ।୪୮୬।

ନବତନ ଝୀନବସ୍ତ୍ର ଦିଲେକ ବଧାଇ

ଅନେକ ଧନରତ୍ନ ଭିକ୍ଷୁକଜନେ ଦେଇ ।୪୮୭।

ନବତନ ବସ୍ତ୍ର ପିନ୍ଧି ବେଶ ବେଶନ ହୋଇ

ବରକନ୍ୟା ବସିଲେ ୟେକ ଆସନେ ଯାଇଂ ।୪୮୮।

କୁମର କୁମାରୀ ୟେକଇ ଆସ୍ଥାନେ

ବିରାଟ ପ୍ରଣପତ୍ୟ ଅର୍ଜୁନ ସନ୍ନିଧ୍ୟାନେ ।୪୮୯।

ବିଷ୍ଣୁ ମାତୁଳ ଯାହାର ଲକ୍ଷ୍ମୀ ଯାହାର ମାଈ

ମୁଂ ତାକୁ ଯଉତୁକ ଦେବାକୁ କିସ ଭାଜନ ହୋଇବଇଂ ।୪୯୦।

ୟେ ମହୀମଣ୍ଡଳେ ଯେ ଠାକୁର ସୋମବଂଶୀ

ଦୁହିତାୟେ ଦେଇ ମୁ ଶରଣ ଅଛି ପଶି ।୪୯୧।

ଯେ ହୋଇବ ସ୍ଵାମୀ ଦଣ୍ଡ ଦୋଷ ମୋହୋର ଥିଲା ହାଦେ ପୂର୍ବେ

ଦୋହିତା ଗୋଟି ଯେ ଦେଇ ମୁଂ ନିଭ୍ରାନ୍ତି ହୋଇଲି ୟେବେ ।୪୯୨।

ଦୋହିତା ଗୋଟିୟେ ଦେଇଣ ମୁଂ ହୋଉଛି ସମର୍ପି

ସମୁନ୍ଦ୍ର ଆଶ୍ରିତ ମୁଂ କଲ୍ୟାଇଂ ଅଦ୍ୟାପି ।୪୯୩।

ଅନେକ ବିନୋୟୀ ସେ ମତ୍ସାଧିପ ସ୍ଵାମୀ

ଯୁଝେଷ୍ଠିଂକ ଚରଣ ତଳେ ସହସ୍ରେ ଦଣ୍ଡ ପରିଣାମି ।୪୯୪।

ଯୁଝେଷ୍ଠି ବୋଇଲେ ଉଠ ଉଠ ହୋ ମହାତମା

ତୁ ମୋହୋର ଅଭେଦ ଯେ ଅଟୁ ପଞ୍ଚୁଭୂତ ଆତ୍ମା ।୪୯୫।

ଅର୍ଜୁନର ବଦନ ଯେ ଚାହିଂଲେ ଯୁଝେଷ୍ଠି

ବିରାଟକୁ ଅର୍ଜୁନ ଯେ କୋଳକଲା ଉଠି ।୪୯୬।

କନ୍ୟାକଇଂ ସମର୍ପଇ ସେ ଗଲେ ମତ୍ସ୍ୟରାୟେ

ପ୍ରୋହିତେ ଲାଜାହୋମ କରାବନ୍ତି ଉପାୟେ ।୪୯୭।

ଶାକିଗୁଆ ଅଖଣ୍ଡିତ ପଞ୍ଚଗୋଟି ଘେନି

ବରକନ୍ୟାଂକ ଲୁଗାରେ ବନ୍ଧନ କଲେ ଆଣି ।୪୯୮।

ଗଣ୍ଠିଓଳା ଯୁଗତେଣ ହୋଇଲେ ବରକନ୍ୟା

ବସିଲେ ବରବେଶେ ତାହାଂକ ଜୀବନ ଧନ୍ୟା ଧନ୍ୟା ।୪୯୯।

ବାତ ଅନଳ ନାମେଣ ଯେବଣ ହୁତ

ସ୍ଵାହା ସ୍ଵଧା ମନ୍ତ୍ରେ ଯେ କଲେକ ଉପଗତ ।୫୦୦।

ଇଦଂବାକ୍ୟେ ପୁରୋହିତେ ଆରାଧିଲେ ବିଭାବିଧି ଯେ ବହତି

ଗୁଆଘିଅ ମାଘୀତିଳେ ଦିଲେକ ଆହୂତି ।୫୦୧।

ସ୍ଵାହା ସ୍ଵଧା ମନ୍ତ୍ରେଣ ଯେ କଲେକ ଅବଧାନ

ଅଗ୍ନି ଦେବତାଂକର ନୋହିଲା ଉଦ୍ୟାନ ।୫୦୨।

ମାରକଣ୍ଡ ବୋଇଲେ ହୋ ଧୌମ୍ୟ ପୁରୋହିତେ

ଅଗ୍ନିର ଶିଖା ତ ନ ଦିଶିଲା ଲୋହିତେ ।୫୦୩।

ତୋହୋର ପ୍ରାୟେ ବ୍ରାହ୍ମଣ ଦିଲୁ ଯେ ଆହୂତି

ବାରି ତ ନୁଆରିଲୁ ଅଗ୍ନି ଦେବତାଂକ ମୂର୍ତ୍ତି ।୫୦୪।

ଆହୋ ଜାତ ଅନଳ ବୋଲି ଯେଉଂଣ ବଶ୍ଵାନର

ତିନିବଦନ ପନ୍ଦର ଲୋଚନ ତାହାଂକର ।୫୦୫।

ଦ୍ଵାଦଶ କପାଳ ଚତୁର୍ବିଂଶ ଯେ ଶ୍ରବଣ

ନାଭି ଗଣ୍ଡସ୍ଥଳ ଚତୁର୍ଦ୍ଦଶ ବକ୍ଷସ୍ଥଳ ପୁଣ ।୫୦୬।

ପଞ୍ଚବିଂଶ ଉତ୍ସର୍ଗ ତିନି ନାସିକା ପଞ୍ଚକୁକ୍ଷି

ତ୍ରିଶାଖା ଆକର୍ଷଣ ସହସ୍ରେ ପିଙ୍ଗଳାକ୍ଷି ।୫୦୭।

ୟେକଇ ବଦନ ହୋ ଚତୁର ଅନଳ ମୂରତି

ତିନି ବଦନ ଦ୍ଵାଦଶ ରୂପ ଯେ ବହତି ।୫୦୮।

ଚତୁର୍ଦ୍ଦଶ ଓଷ୍ଠ ଦ୍ଵାଦଶ ଯେ ଜିହ୍ଵା

ୟେକ ଚରଣ ତିନି ପିଠି ଶତେ ଉର୍ଦ୍ଧ୍ଵପ୍ରଭା ।୫୦୯।

କପାଳେ ଆହୂତି ଯେ ପଡଇ ବହନି

ସର୍ବ ଶୁଭ ହୋଇ ସେ ବରକନ୍ୟାୟେ ବ୍ରତନ୍ତି ପୁଣି ।୫୧୦।

ଆହୂତି ପଡଇ ଯେବେ ଅଗ୍ନିଂକର ଆଖି

କନ୍ୟାକଇଂ ବରଷେ ନ ପାରଇ ଦେଖି ।୫୧୧।

ଯେବେ ଆହୁତି ପଡଇ ଅଗ୍ନିଂକର ନାସିକା

ସର୍ବେ ପୁତ୍ର ଗୋଟିୟେ ଉପୁଜଇ ତାହାର ୟେକା ।୫୧୨।

ଅଗ୍ନିର କର୍ଣ୍ଣେ ଯେବେ ଆହୂତି ପଡ଼ିବ

ସନ୍ତାନ ଉପୁଜିଲେ ସେ କର୍ଣ୍ଣ ବଧିର ହୋଇବ ।୫୧୩।

ଗଣ୍ଡସ୍ଥଳ ମଧ୍ୟେ ଯେବେ ପଡଇ ଆହୂତି

ବର ଉପରେ କନ୍ୟା ଯେ ହୋଇବ ହତ୍ୟାଟି ।୫୧୪।

ଆହୂତି ପଡ଼ଇ ଯେବେ ଅଗ୍ନିଂକ ହୃଦେ

ବର କନ୍ୟାଂକର ଉପୁଜଇ ବଡ଼ାଇ ସୁହୃଦେ ।୫୧୫।

ଅହିଓ ସୁଲକ୍ଷଣୀ ହୁଅଇ ସୌଭାଗ୍ୟବନ୍ତୀ

ପୁତ୍ର ଉପୁଜିବ ଦୋହିତା ବହୁତ ଉପୁଜନ୍ତି ।୫୧୬।

ଆହୂତି ପଡ଼ଇ ଯେବେ ବଶ୍ୟାନର କନ୍ଧେ

କନ୍ୟା ବିଧବା ହୁଅଇ ତୁଟଇ କାମ ସଧେ ।୫୧୭।

ବାମ ଭୁଜେ ଯେବେ ପଡିବ ଆହୂତି

ପର ଦାରେଣୀ ସେ କନ୍ୟା ହୁଅଇ କରେ ବେଶ୍ୟାବୃତ୍ତି ।୫୧୮।

ତାହାଣ ଭୁଜେ ଯେବେ ଆହୂତି ପଡ଼ିବ

ସୁନ୍ଦର କନ୍ୟା ହୋଇଲେ ବର ଘେନି ଘର କରିବ ।୫୧୯।

ଯେବେ ଆହୂତି ପଡ଼ିବ ଅଗ୍ନିଂକର କୁକ୍ଷି

ପୁତ୍ର ଦୋହିତା ଉପୁଜିବ ଅନ୍ତେ ହୋଇବ ବଡ ସୁଖୀ ।୫୨୦।

ଅଗ୍ନିଂକ ପିଠିରେ ଯେବେ ପଡ଼ିବ ଆହୂତି

ବରଷକେ ବିଧବା ହୋଇବ ସେ ଯୁବତୀ ।୫୨୧।

ଆହୂତି ପଡ଼ିବ ଯେବେ ଅଗ୍ନିଂକ ମେଖଳେ

ଅପାର ଦୁହିତା ହୋଇବେ କର୍ମର ଅବଳେ ।୫୨୨।

ଜାନୁର ମଧ୍ୟେ ଯେବେ ପଡିବ ଆହୂତି

ବର କନ୍ୟାଂକର ହୋଅଇ ଅପାର ପୀରତି ।୫୨୩।

ପୁତ୍ର ଦୋହିତା ନୋହିବ ଜୀବ ଥିବା ଯାୟେ

ଅପୁତ୍ରିକ ହୋଇଣ ମରିବେ ବାପମାୟେ ।୫୨୪।

ପାଦେ ପଡ଼ିବ ଯେବେ ଅଗ୍ନିଂକର ଆହୂତି ଭାଗ

ଦେଶାନ୍ତରୀ ହୋଇ ବୁଲିବେ ହୋଇବ ଭିକ୍ଷା ଯୋଗ ।୫୨୫।

ଅପାର ଉତପତ୍ତି ହୋଇବେ ପୁତ୍ରବାଳୀ

କର୍ମେ ଦରିଦ୍ର ହୋଇବେ ସେ ନୁଆରିବ ସମ୍ଭାଳି ।୫୨୬।

ଆପଣା ଶକତି କ୍ରମେ ନ ପାରିବ ପୋଷି

କ୍ରୟ ବିକ୍ରୟ କରି ଆପଣା ପେଟ ପୋଷି ।୫୨୭।

ଶୁଣ ହୋ ପୁରୋହିତେ ବଦୟନ୍ତି ମାରକଣ୍ଡେ

ଆହୂତି ପଡିଲା ହୋ ଅଗ୍ନି ଦେବତାଂକ ମୁଣ୍ଡେ ।୫୨୮।

ମହାମନ୍ତ୍ର ବାକ୍ୟେ ପ୍ରକ୍ଷେପିଲେ ତାଳୁ

ଆଭୋଗ୍ୟ ହୋଇବ କନ୍ୟା ସନ୍ତାନ ହୋଇବେ ହେଳୁ ।୫୨୯।

ବଡାଇ ଦୁରାପଦେ ରହିବ ତାର ବଂଶ

କନ୍ୟାକଇଂ ଭୋଗ ସର୍ବେ ହୋଇବ ତେରମାସ ।୫୩୦।

ଜନ୍ମ କର୍ମ ଆଧ୍ୟାନ ବେନାସିକ ନାଡ଼ି

କର୍ମ ନାଡ଼ିରେ ଯେବେ ପୂର୍ଣ୍ଣ ଅଭ୍ୟାସ କରି ।୫୩୧।

ମାରକଣ୍ଡେ କହିଲେ ଆଗତ ଗ୍ରନ୍ଥଖଣ୍ଡି

କର୍ମେ ଲାଗି କହିଲେ ୟେ କନ୍ୟା ହୋଇବ ପେଟରାଣ୍ଡି ।୫୩୨।

ବ୍ୟାସେ ବୋଇଲେ ମାରକଣ୍ଡ ସ୍ଵରୂପ ଆମ୍ଭେ କହୁଂ

ଚଉଦ ବରଷ ଯେ ନାଶଯିବ ୟେହାର ପ୍ରହୁ ।୫୩୩।

ମାରକଣ୍ଡେ ବୋଇଲେ ବ୍ୟାସ ୟେହା ନ କର ଉଦିତ

ପାଣ୍ଡବ କୁଳେ ବ୍ୟଥା ଉପୁଜିବ ବହୁତ ।୫୩୪।

ଅଗ୍ନିଂକି ପ୍ରତିକ୍ଷଣ ତହିଂ କଲେକ ବରକନ୍ୟା

କରେଣ ଗଣ୍ଡୂଷ କଲେ ଘୃତ ଯେ ପାରଣା ।୫୩୫।

ଅଗ୍ନି ଦେବତାଂକୁ ଯେ ବହୁତ ଶୀତଳ ଦ୍ରବ୍ୟମାନ

ବର କନ୍ୟା ବେନିୟେ ଯେ କଲେକ ଆଞ୍ଚୋବନ ।୫୩୬।

ଉତ୍ତର କୁମାର ଅଗ୍ନି ଶୀତଳ ପରଖି

ପୁରାଣ ସଂଘତାରେ ଯେହ୍ନେ ବେଭାର ଅଛି ।୫୩୭।

ୟେ ବୁଧଜନେ ୟେ ବିଭାବିଧି କ୍ରମେଣ

ପଞ୍ଚଭୂତ କରି ଲୟେ କରି ଦେଖ ଅଗ୍ନିର ବାରଣ ।୫୩୮।

ଜାତ ଅନଳ ଅଗ୍ନି ଯେ ଅଟଇ ସପତ ଜିହ୍ଵା

ଅଗ୍ନିର ବର୍ଣ୍ଣ ଜାଣି ଆହୂତି ଦେଉଥିବା ।୫୩୯।

କନ୍ୟାଗୋଟି ହୋଇବାକ ଅହିଓ ସୁଲକ୍ଷଣୀ

ପୁତ୍ର ଦୁହିତା ଉପୁଜିବ ଅନଙ୍ଗ ରମ୍ଭା ଜାଣି ।୫୪୦।

ଧନ ବସ୍ତ୍ର ପାଇବ ପଣ୍ଡିତ ହୋଇବ ଯୁଗତେ

ରୋଗ ଆପଦ ଉତପତ୍ତି ନୋହିବ କଦାଚିତେ ।୫୪୧।

ୟେମନ୍ତ ଯାଗ୍ୟଂ କଲେ ଯେ ମନୁଷ୍ୟ ହୋଇବ ସୁଖୀ

ଅଗ୍ନିଂକର ବର୍ଣ୍ଣ ଚିହ୍ନ ଜାଣି ଆହୂତି ଦେବ ଦେଖି ।୫୪୨।

ଓଷ୍ଠର ମଧ୍ୟେ ଯେବେ ଆହୂତି ପଡ଼ିବ

ୟେଥିର ଫଳଶ୍ରୁତି ଅଧେକ ହୋଇବ ।୫୪୩।

ଜନ୍ମର ପ୍ରତିଷ୍ଠା ହୋଇବାକ ବିଭାଯୋଗ

ୟେହା ବିଚାରି ଅଗ୍ନିକି ଦେବ ହବିର୍ଭାଗ ।୫୪୪।

ଚିତ୍ତ ବିଚଳିତ ଯେବେ ଆହୂତି ଦେବାବେଳେ

ସେ ଦୋଷର କାରେଣି ବ୍ରାହ୍ମଣ ବରକନ୍ୟା ଦୁଖ ପାଇଲେ ।୫୪୫।

ୟେସନେକ ବିଧାନ ବିଭାର ଚରିତ

ୟେହା ବିଚାରିଣ କାର୍ଯ୍ୟ କରନ୍ତି ପଣ୍ଡିତ ।୫୪୬।

ବାଭାବିଧି ସାରିଣ ଯେ ଅଗ୍ନିର କ୍ରମେଣ

ଆରୋଗ୍ୟ ଆଶିଷ ବାଞ୍ଛିଲେ ସକଳ ବ୍ରାହ୍ମଣ ।୫୪୭।

ଶୁଭ ଅବଧାନେ ଚଳିଲେ ବରକନ୍ୟା

ରାତ୍ର ପାଇଲା ସେ ସାରିଲେ ଭୋଜନ ।୫୪୮।

ଭୁଞ୍ଜନ୍ତି ଘର ବର ଜାତି ଯେ ସମସ୍ତ

ଅନେକ ବିଧାନେ ଭୋଜନ ଦିଅଇ ମତ୍ସନାଥ ।୫୪୯।

ରାମକୃଷ୍ଣ ଘେନି କରି ଧୃତରାଷ୍ଟ୍ର ରାୟେ

ପଞ୍ଚ ପାଣ୍ଡବନ୍ତ ଘେନି ଭୋଜନ ସର୍ବ କୟେ ।୫୫୦।

ଆଂଚୋବନ ସାରି ସେ କ୍ରପୁର ତାମ୍ବୁଳ ଭୁଞ୍ଜନ୍ତି ଜନେ

ଅନେକ ଅକ୍ଷତ ଦିଲେ ବିରାଟ ରାଜନେ ।୫୫୧।

ଶୁଣ ହୋ ବୈବସୁତ ମନୁ ବଦୟନ୍ତି ଅଗସ୍ତି

ବନ୍ଦାଇଣ ବରକନ୍ୟା ସେ ଅନ୍ତପୁରେ ନିଅନ୍ତି ।୫୫୨।

ଭୂମିରେ ଲିହିଣ ମଣ୍ଡନ୍ତି ପରିହାସେ

ଜୁଆ ଖେଳାବନ୍ତି ଆଣି ମନର ହରଷେ ।୫୫୩।

ସୁର୍ବଣ୍ଣର କଉଡ଼ି ଯେ ରୂପାର ଦେବୀ ବେନି

ଜୁଆ ଖେଳାବନ୍ତି ମିଳି ସକଳ କାମିନୀ ।୫୫୪।

ବର ଦିଅଇ ଯେ କନ୍ୟାର ହାଥେ ତୋଳି

ନଗ୍ର ନରନାରୀମାନେ ସମସ୍ତେହେଂ ମିଳି ।୫୫୫।

ପୁଣ ପୁଣ ଲେଉଟାଇ ପାଡ଼ନ୍ତି ଅନୁମତେ

ଖେଦ ଅନୁସରି ପୁଣ ଧରନ୍ତି ହୃଦଗତେ ।୫୫୬।

ପୁଣ ତୁଷ୍ଟ ଚିତ୍ତେ ପାଡ଼ନ୍ତି ବେନିମତି

ଢମାଳି ଗୀତ ଗାବନ୍ତି ଅନେକ ଯୁବତୀ ।୫୫୭।

ହରଷେଣ ଜୁଆ ଖେଳାନ୍ତି ବିରାଟ କୁମାରୀ

ଦେଖିଣ ହରଷ ହୋଇଲେ ସମସ୍ତ ନରନାରୀ ।୫୫୮।

ଦୁର୍ବା ଅକ୍ଷତ ଶିରେ ଦିଲେକ ବରକନ୍ୟା ବେନି

ଭିତର ପୁରକୁ ବରକନ୍ୟା ନେଲେକ କାମିନୀ ।୫୫୯।

ବିରାଟର ଭାରିଜା ଶ୍ରୀକୃଷ୍ଣା ମହାଦେଈ

ୟେକ ଆସନେ ବରକନ୍ୟାଂକୁ ଭୁଞ୍ଜାଇ ।୫୬୦।

ଷଡ଼ରସ ଭୋଜନ ପରଷନ୍ତି ଆଣି ଆଗ

ଶରୀର ପୁଷ୍ଟକରି ଭୁଞ୍ଜିଲେ ଅତି ବେଗ ।୫୬୧।

ଭୁଞ୍ଜିଣ ତ୍ରିପୁତି ଯେ ହୋଇଲେ ବରକନ୍ୟା ବେନି

ଦିବ୍ୟ ଅବତାର ସେ ଦିଶନ୍ତି ଯୁବା ବୟସ ଘେନି ।୫୬୨।

ଆଞ୍ଚୋବନ ସାରିଣ କ୍ରପୂର ତାମ୍ବୁଳ ଭୁଞ୍ଜି

ରାତ୍ରି ଦେଢ ପ୍ରହର ଶୟନ ସ୍ଥାନେ ରଞ୍ଜି ।୫୬୩।

ଉତ୍ତରାକୁ ଘେନିଣ ରାମକୃଷ୍ଣଂକର ଭଣଞ୍ଜା

ବହୁତ ମଙ୍ଗଳ ଆରୋପଣେ ବିଜେ ମହୁଶଯ୍ୟା ।୫୬୪।

ଗଣିକାଗଣମାନେ ଦ୍ୱାରେ ହାଦେ ମିଳି

ଶୟନ ଗୀତ ଗାଇ ଦିଅନ୍ତି ହୁଳହୁଳି ।୫୬୫।

ପଡ଼ିଲା କବାଟ ସେ ଘୁଞ୍ଚିଲେ ଯୁବତୀ

କୁମାର କୁମାରୀଂକର ବହୁତ ପୀରତି ।୫୬୬।

ନଖ ଦନ୍ତଘାତ ଚୁମ୍ବନ ପରିହାସ

ୟେକକୁ ଆରେକ ବଢିଲା ନାନା ରତିରସ ।୫୬୭।

ଉଦ୍ଦାମ ଶୃଙ୍ଗାର ହୋଇଲା ବେନିଜନ

କେହି ନ ଜାଣନ୍ତି ନଖଦନ୍ତ ପାଦଚିହ୍ନ ।୫୬୮।

ବିବିଧ ଶୃଙ୍ଗାରେ ଯେ ପାହିଲା ରୟେଣୀ

ସ୍ନାହାନକୁ ଆରମ୍ଭ ସେ ବରକନ୍ୟା ବେନି ।୫୬୯।

ବିଭାର ଦୁତୀୟ ଦିନ ହୋଇଲେ ବନ୍ଦାପନା

ତୃତୀୟ ଦିବସ ଉତ୍ସବ ହୋଇଲା ପ୍ରସନ୍ନା ।୫୭୦।

ଇନ୍ଦ୍ରାୟେଣୀ ଶାହାସ୍ର ଯେ ପଢନ୍ତି ପୁରୋହିତେ

ବରକନ୍ୟା ଆରୋଗ୍ୟ ହୋଇବେ ଯେମନ୍ତେ ।୫୭୧।

ଚତୁର୍ଥ ଦିବସେ ଯେ ନଗ୍ର ଉତ୍ସକରି

ସହସ୍ରେ ଦିଜବର ଚତୁର୍ବେଦ ଦ୍ଵାରେ ପଢି ।୫୭୨।

ବହୁତ ଉତ୍ସବେ ସେ ପ୍ରସର ହୋଇଲାକ ରାତି

କୁମାର କୁମାରୀ ଛାୟା ମଣ୍ଡେପେ ବସନ୍ତି ।୫୭୩।

ରଜନୀ ପ୍ରଭାତେ ସେ ଚନ୍ଦନ ବହୁତ ଘୋରି

ୟେକ ଆରେକ ଲେପନ କରନ୍ତି ଚତୁରୀ ।୫୭୪।

ବେଳୁଂବେଳ ପରିହାସ ଲାଗିଲା ବହୁତ

ଚନ୍ଦନ ଛାଡ଼ି ବୃଷ୍ଟିକଲେ କୁଂକୁମନ୍ତ ।୫୭୫।

କୁଂକୁମ ଘଷାସାରି ବହୁତ କଲେ କେଳି

ଶ୍ରୀଖଣ୍ଡି ବିରାଟକୁ ଫିଙ୍ଗିଲା ପରିହାସେ ଧୂଳି ।୫୭୬।

ଚନ୍ଦନ କସ୍ତୁରୀ କ୍ରପୂର ଚତୁସମ ମିଶା

ରସ ପରିହାସେ ଯେ ସମସ୍ତେ ମାଟିମିଶା ।୫୭୭।

ଦାଣ୍ଡେକ ଦିନେ ଯେ ହୋଇଲା ସମସ୍ତ

ୟେକ ନିଉଡ଼ଇ ନେଇ ଆରେକର ମାଥ ।୫୭୮।

ରାମକୃଷ୍ଣ ଆଦିକରି ଉଗ୍ରସେନ ବସୁଦେବ

ଯୁଝେଷ୍ଠି ଦ୍ରୌପଦ ଆଦି କରି ୟେକ ରଙ୍ଗଭାବ ।୫୭୯।

କର୍ଦ୍ଦନ ଉତ୍ସବ ଛାଡ଼ିକରି ଲେପନ ସୁଗନ୍ଧ ଅୟେଂଳା

ଜଳେ ପଶନ୍ତେ ସେ ନଦୀ ହୋଇଲାକ ଗୋଳା ।୫୮୦।

ସ୍ରାହାନ ସାରି ଉଭା ହୋଇଲେକ କୂଳେ

ସବୁନ୍ତିହିଂ ନବତନ ବସ୍ର ଦିଲେ ବିରାଟ ମହୀପାଳେ ।୫୮୧।

ଦେବାଙ୍ଗ ବସନ ଯେ ୟେକବର୍ଣ୍ଣ ପାଟ ଯେ ପତନୀ

ନେତବସ୍ର ଦୋସଡ଼ା ସବୁଂକୁହିଂ ଦିଲା ଆଣି ।୫୮୨।

ଠାକୁର ସେବକ ବାଦ୍ୟକାର ପରିଯନ୍ତେ

ସବୁଂକୁହିଂ ୟେକ ଯୋଗକରି ଦିଲା ନାନାବସ୍ତ୍ର ସହିତେ ।୫୮୩।

ଅନେକ ଯୋଗାଡ଼ ସେ ଦିଲେକ ଭୋଜନ

ଜଣକେ ଅଳଂକାର ଅଦିବ୍ରତେକ ମାଢ ସୁବର୍ଣ୍ଣ ।୫୮୪।

ବସୁଦେବ ନନ୍ଦ ଉପନନ୍ଦ ମହାଖୁଡ଼ ଉଗ୍ରସେନ ବଳରାମେ

ସାତବଂଶ ଘେନି ବିଜେ ପୁରୁଷଂକ ଉତ୍ତମେ ।୫୮୫।

ବିରାଟ ଦ୍ରୁପଦ ରାଜା ଧୃଷ୍ଟ ଯେ ଦ୍ୟୁମନେ

ସଞ୍ଜୟେ ବିଦୁର ଯୁଝେଷ୍ଠି ଭୀମସେନ ଅରଜୁନେ ।୫୮୬।

ସୁବାହୁ କେଶରୀ ଯେ ମାଧବସେନ ମେଳେ

ଆସ୍ତାନର ତଳେ ଆସି ବିଜୟେ ସକଳେ ।୫୮୭।

ସଭାରୁ ଉଠିଣ ସେ ନୃପତି ଧୃତରାଷ୍ଟ୍ରେ

ପ୍ରଣପତ୍ୟ ହୋଇ ବୋଇଲେ ଅବଧାନ ରାମକୃଷ୍ଣେ ।୫୮୮।

ସ୍ଵାମି ପୂର୍ବର ପାତକେଣ ମୋହୋର ଭ୍ରଷ୍ଟ ବେନି ଆଖି

ପୁତ୍ରଂକର ସମ୍ପଦ ମୁଂ ନୁଆରିଲି ଦେଖି ।୫୮୯।

ସ୍ୱାମି ବିନୟ ହୋଇଣ ଯୁଝେଷ୍ଠିଂକି ପୁଚ୍ଛି

ଦ୍ରିଯୋଧନ ପୂର୍ବ ଦୋଷ ଘେନିବା କିଛି ।୫୯୦।

ମୁହିଂ ତ ଜାଣଇ ଯୁଝେଷ୍ଠି ଅଣକୋପୀ

ଅର୍ଜୁନ ମଧ୍ୟ୍ୟମାନ ଭୀମସେନ ପରିତାପୀ ।୫୯୧।

ସକଳ ଅର୍ଚ୍ଚନା ଯେ ଯୁଝେଷ୍ଠି ମହାତମା

ଦଶ ଦୋଷ ଅପ୍ରାଧ କରିବା ମୋର କ୍ଷମା ।୫୯୨।

ଯେତେ ଦୋଷମାନ ବାବୁ ସବୁ ମୋତେ ଦେବା

ଶୁଭ ଅନୁକୂଳେ ଚାଲ ହସ୍ତିନାକୁ ଯିବା ।୫୯୩।

ଯୁଝେଷ୍ଠି ବୋଇଲେ ଦେବ ଯାହା ବୋଇଲୁ ଆସ୍ତାନେ

ଅନୁବ୍ରତେ କୋପ ଆମଂକୁ ତୋହୋର ଦ୍ରିଯୋଧନ ଦୁଶାସନେ ।୫୯୪।

ତହିଂକି ପ୍ରତିକଚ୍ଛ ଶଲ୍ୟକର୍ଣ୍ଣ ଶଂକୁନି

ଓହୋକୁଳ ନାଶ କରିବେ ଜଣ ତିନି ।୫୯୫।

ମଙ୍ଗଳ ରାହୁ ଶନିଶ୍ଚର ତିନିହେଂ ୟେକଘରେ

ସୁବିଧାନେ ନୁଆସନ୍ତି ୟେ ଶାହାସ୍ର ବେଭାରେ ।୫୯୬।

କୁରୁପାଣ୍ଡବେ ତାତ ୟେହିକ୍ଷଣି ନୋହେ ସନ୍ଧି

ଶଇଲୁ ଶକୁନିକି ବାହାରକରି ପାରିବୁ କିୟେ ତୋହୋର ଅଛି ବୁଦ୍ଧି।୫୯୭।

ଭୀମସେନ ବୋଇଲା ଦେବ କହିଲ ଅଭାବ

ତୁମ୍ଭେ ଛାଡ଼ି ପାରିବ କି ସହଦେବ ବାସୁଦେବ ।୫୯୮।

ଭୀମସେନ ବଚନେ ହସିଲେ କାମପାଳେ

ପଣ୍ଡିତ ପ୍ରାୟେକ ଭୀମା କହିଲା ୟେତେବେଳେ।୫୯୯।

ଶକୁନି ଯେବେଳୁଂ ହୋଇଲା ତାଂକ ମନ୍ତ୍ରୀ

ପୃଥିବୀରେ ଦ୍ରିଯୋଧନ ହୋଇଲା ୟେକଛତ୍ରୀ ।୬୦୦।

ଯେତେବେଳେ ସଖା ହୋଇଲା ଶଲ୍ୟ ମହାରାଜା

ପୃଥିବୀରେ ଲକ୍ଷେ ରାଜାଂକ ମଧ୍ୟ୍ୟେ ପାଇଲା ପାଦପୂଜା ।୬୦୧।

ପ୍ରାଣହୁଂ ସଖା ଶଲ୍ୟ ଶକୁନି ମନ୍ତ୍ରୀ କର୍ଣ୍ଣ

ୟେହାନ୍ତ ଛାଡ଼ିତେ ଯୁଝେଷ୍ଠି କେମନ୍ତେ ବାଞ୍ଛାକର ମନ ।୬୦୨।

ବଳରାମ ବୋଇଲେ ହେ ଶୁଣିମା ଧୃତରାଷ୍ଟ୍ର

ଦ୍ରିଯୋଧନ ଅଟଇ ତୋହୋର ପୁତ୍ର ଶ୍ରେଷ୍ଠ ।୬୦୩।

ତୁ ତାହାର ବଚନ ପାରିବୁ କି ଲଂଘି

ପାଣ୍ଡବେ ଥାଆନ୍ତୁ କିନା ଯାଅ ଯା ୟେଥୁଂ ବେଗି ।୬୦୪।

ଦ୍ରିଯୋଧନକୁ ମଣାଇଂ ପଡ଼ିଆ ଦିଅ ସଞ୍ଚୟେ

ତେତେବେଳେ ଯାଆନ୍ତି ସିନା ପଣ୍ଡୁର ତନୟେ ।୬୦୫।

ୟେସେନେକ ଶୁଣି ସବୁନ୍ତିହି ତିଆରିଣ ଅମ୍ବିକାରେ ସୁତ

ସମଦଣ୍ଡ ଘେନି ଧୃତରାଷ୍ଟ୍ର ଚଳିଲା ତୁରିତ ।୬୦୬।

ବିରାଟ ରାଜା ସେ ଅନେକ ପୂଜା କରି

ହୋ ସମୁଧି ଦୋହିତା ଦେଇ ମୁ ସମର୍ପି ହୋଇଲି ଦୋଷ ନ ଧରିବ ମୋହୋରି ।୬୦୭।

ଧୃତରାଷ୍ଠ୍ର ବୋଇଲେ ତୋହୋର ଜୀବନ ଧନ୍ୟ ଧନ୍ୟ

ୟେ ଦୋହିତା ଉପୁଜାଇ ତାରିଲୁ ଅପଚୟେମାନ ।୬୦୮।

ଆପଣେ ତରିଲୁ ତୁ ଲଭିବୁ ବୈକୁଣ୍ଠ ଭୁବନ

ପୁତ୍ର ଭାରିଯା ନାତି ଘେନି ତୋହୋର ପୁରେ ବିଜୟେ ଭଗବାନ ।୬୦୯।

ଆହୋ ସମ୍ବନ୍ଧୀ ତୁମ୍ଭେ ଅଟ ବଡ ରାଜା

ବହୁତ ସନମାନ କଲୁ ପାଇଲୁ ବହୁତ ପୂଜା ।୬୧୦।

ବିରାଟେ ଧୃତରାଷ୍ଟ୍ର ମଧୁର ବାକ୍ୟ କହି

ହସ୍ତିନା ପୁରକଇଂସେ ଚଳିଲେ ରାଜସାଇଂ ।୬୧୧।

ଦ୍ୱାରକାର ସଇନି ଘେନି ବାସୁଦେବ ସଜ

ନିଜପୁରେ ବିଜେକଲେ ଦେବାଧି ଦେବରାଜ ।୬୧୨।

ଭୋ କୃଷ୍ଣ ମୁଂ ବଚନେ କିସ ଭଗତି ହୋଇବି

ମୋହୋର ଦୟା କରିବା ପ୍ରଭୁ ସତ୍ୟ ଭାବି ।୬୧୩।

ଜୟତୁ ଜୟତୁ ଜନାର୍ଦ୍ଦନ ସତ୍ୟଜନ ନିଧି

ଜୟତୁ ଜୟତୁ ଦେବ ସଂସାର ବାରାନିଧି ।୬୧୪।

ଜୟତୁ ଜୟତୁ ଦେବ କେଶୀ ଦର୍ପ ଗଞ୍ଜା

ଜୟତୁ ଜୟତୁ ଦେବ ଶକଟାସୁର ଭଞ୍ଜା ।୬୧୫।

ଜୟତୁ ଜୟତୁ ଦେବ ଦୁଖୀ ଜନ ତାରଣ

ଜୟତୁ ଜୟତୁ ଦେବ ପାପ ନିଶୋଧନ ।୬୧୬।

ଜୟତୁ ଜୟତୁ ଦେବ ଦୁଷ୍ଟ ନିବାରନ୍ତା

ଜୟତୁ ଜୟତୁ ଦେବ ସୟଳ ଜନ ଚିନ୍ତା ।୬୧୭।

ଅନେକ ତୁସ୍ତି କରଇ ବିରାଟ ନୃପତି

ଗଡ଼ଗାଲି ଶୁତି ବୋଇଲା ମୋତେ ଉଦ୍ଧର ଶ୍ରୀପତି।୬୧୮।

ଅନେକ ତୋଷ ସେ ହୋଇଲେ ଦେବ ଜନାର୍ଦ୍ଦନ

ପ୍ରବେଶ ଜଗନ୍ନାଥ ଦ୍ୱାରକା ଭୁବନ ।୬୧୯।

ସମସ୍ତ ଦେଶର ଯେ ରାଜାଗଣମାନେ

ଚଳିଲେ ଦଣ୍ଡ ଘେନି ଯେ ଯାହା ଭୁବନେ ।୬୨୦।

ପାଞ୍ଚାଳ କୁମାରନ୍ତ ଛାଡ଼ିଣ ଦ୍ରୋପତେ

ପାଞ୍ଚାଳ ଦେଶକୁ ବିଜେ ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ସହିତେ ।୬୨୧।

ରହିଲେ ପାଣ୍ଡବେ ଯେ ମତ୍ସଦେଶ ପୁରୀ

ବହୁତ ବିନୟେ ଖଟିଛନ୍ତି ବିରାଟ ଦଣ୍ଡଧାରୀ।୬୨୨।

ସମସ୍ତ ଦିବସେ ଅନ୍ତରେ ଅଷ୍ଟ ମଙ୍ଗଳା ସାରି

ଅନେକ ଉତ୍ସବ କଲା ବିରାଟ ଦଣ୍ଡଧାରୀ ।୬୨୩।

କୁମ୍ଭମାସ ଶୁକ୍ଳ ପକ୍ଷ ତୃତୀୟା ଶୁକ୍ରବାର

ଉତ୍ତର ଭୋଦୋ ନକ୍ଷତ୍ର ଅଟଇ ସେ ଦିନର ।୬୨୪।

ଚନ୍ଦ୍ର ଉତ୍ସବ ବନ୍ଦାପନା ହୋଇଲା ସେ ଦିନରେ

ନଗ୍ର ନରନାରୀମାନେ ମିଳିଲେ ସମ୍ଭରେ ।୬୨୫।

ରାତ୍ର ବେନି ଘଡ଼ି ଉତ୍ତାରେ ଚନ୍ଦ୍ର ବନ୍ଦାପନା

ପ୍ରୋହିତେ ବାକ୍ୟ କଲେ ବେଦ ଯେ ଆଧ୍ୟ୍ୟାନା ।୬୨୬।

ନାରୀଗଣମାନେ ଯେ ଦିଅନ୍ତି ହୁଳ ହୁଳି

ମଙ୍ଗଳ ଗୀତ ଗାବନ୍ତି କାମିନୀଗଣ ମିଳି ।୬୨୭।

ଶଙ୍ଖ ମହୁରୀ ଯେ ଶୁଭଇ ବାଦ୍ୟ ଧୁନି

ବନ୍ଦାପନା ବେଦୀ ଆଣିଲେ ବରକନ୍ୟା ବେନି।୬୨୮।

ଅଭିମନ୍ୟୁ କୁମର ଯେ ଦିବ୍ୟ ବେଶ ହୋଇ

ଉତ୍ତରା ବାଳି ଯେ ତିନି ଭୁବନ ମୋହଇ ।୬୨୯।

ବରକନ୍ୟାୟେ ଲୋଳ ମୁକୁଟ ଯୁଗତେ

ଯେସନେକ ବେଭାର ଅଛି ଶାହାସ୍ର ସଙ୍ଗତେ ।୬୩୦।

ଆଶିଷ୍ୟ ବାକ୍ୟ ବାଞ୍ଛାକଲେ ଯେ ଶୁଭଗତେ

ନାରୀମାନେ ବନ୍ଦାବନ୍ତି ଯେ ଯାହାର ମତେ ।୬୩୧।

ଧନବସ୍ତ୍ର ଶ୍ରୀଫଳ ଅନେକ ବିଲୋହନ୍ତି

ହରଷେ ଦିଅଇ ଯେ ବିରାଟ ନୃପତି ।୬୩୨।

ବରକନ୍ୟାଂକୁ ସେ ଦୁର୍ବା ଅକ୍ଷତ ଦେଇ

ଶ୍ରୀକୃଷ୍ଣା ମହାଦେଇ ଅର୍ଘ୍ୟ ଘେନି ବନ୍ଦାଇ ।୬୩୩।

ପିଠାପଣା ଖଣ୍ଡଖିରସା ନାନା ଦ୍ରବ୍ୟ ଭୁଞ୍ଜି

ନିଦ୍ରା ଅଳସେଣ ଶେଯ୍ୟାୟେ ମନରଞ୍ଜି।୬୩୪।

ୟେମନ୍ତେଣ ଗଲା ସେ କେତେହେଂକ ଦିବସ

ମତ୍ସଦେଶେ ଅଛନ୍ତି ଯୁଝେଷ୍ଠିଦେବ ମନର ହରଷ।୬୩୫।

*****************

 

ଧୃତରାଷ୍ଟ୍ର ଶକୁନିର କଥୋପକଥନ ଓ ଧୃତରାଷ୍ଟ୍ରଙ୍କର ଅପମାନ

ଶୁଣ ବୈବସୁତ ମନୁ ବଦୟନ୍ତି ଅଗସ୍ତି

ହସ୍ତିନା ରାଜ୍ୟରେ ବିଜୟେ ଧୃତରାଷ୍ଟ୍ର ନୃପତି ।୧।

ବିଜୟେ ମାନଗୋବିନ୍ଦ ସମ୍ଭର ଆସ୍ତାନେ

ଧୃତିରାଷ୍ଟ୍ର ବିଜେକଲେ ସଞ୍ଜୟ ବିଦୁର ସନ୍ନିଧ୍ୟ୍ୟାନେ ।୨।

ବହୁତ ବିନୋୟୀ ଯେ ବୋଇଲେ ଧୃତିରାଷ୍ଟ୍ର

ସାଧୁ ସେ ପାଣ୍ଡବେ ବାବୁ ସାଧୁ ସାଧୁ ବିରାଟ ।୩।

ବାବୁ ମଘଦେଶେ ମତ୍ସଦେଶେ ଶୁଣିଲି ମୁଂ ଯାହା

ଆପଣେ ଆସି ଯୁଝେଷ୍ଠିକି ଅଭିଷେକ କଲେ ସୁରନାହା ।୪।

କୁବେର ଦେବତା ଯେ କଲେକ ରତ୍ନ ଲାଗି

ପୁଷ୍କର ଦେବ ଅଭିଷେକ କଲା ପରମ ଯୋଗୀ ।୫।

ତେତିଶକୋଟି ଦେବତାୟେ ଥିଲେ ସମସ୍ତେ ଯେ ଆସି

ଯୁଝେଷ୍ଠିଂକି ଅଭିଷେକ କରାଇଲେ ବସି ।୬।

ବାବୁ ସାମଦଣ୍ଡ ଘେନି ଚାଲ ମତ୍ସଦେଶ ଯିବା

ପୁରୁଷାର୍ଥେ କରିଣ ପାଣ୍ଡବନ୍ତ ଘେନିଣ ଆସିବା।୭।

ଶକୁନି ବୋଇଲା ପ୍ରାଣୀର ବୃଦ୍ଧକାଳ ହୋଇଲେ

ଲୋଭ ମୋହ କାମ କ୍ରୋଧ ଆବୋରଇ ବୟସ ସରିଲେ ।୮।

ଶକୁନି ବୋଇଲା ହୋ ଶୁଣିମା ଧୃତରାଷ୍ଟ୍ର

ବୟସ ଅଧିକ ହୋଇଲେ ପ୍ରାଣୀର ଗ୍ୟାଂନ ହୁଅଇ ଭ୍ରଷ୍ଟ ।।୯।

ବ୍ୟାଧିକି ଔଷଧ ଅଛି ପ୍ରକୃତିକି ନାହିଂ ମଉଷଧି

ସୁବିଧାନ କଥାରେ ତୁ କିଂପେ କରାଇବୁ ଦ୍ୱନ୍ଦୀ ।୧୦।

କିଂପା ଆନେ ବିଧାତା ତୁମ୍ଭର ହରିଲା ବେନିଚଛୁ

ତୋହୋର କିସ ପ୍ରୟୋଜନେ ତୁ କିଂପେ ଅନ୍ଧ ହୋଇଅଛୁ ।୧୧।

ଭଗ୍ନ ନୟନ ଲୋକ ଆବର ଖିନ୍ନପାଦ

ପିଠି କୁଜ ହାତଭଙ୍ଗା ଆବର ଫୁଲା ପାଦ ।୧୨।

ଦନ୍ତ ବକ୍ର ମୁଖ ଖଣ୍ଡଣ କରଖୂର୍ପ କୁବୁଜା

କଦାଚିତେ ଭଲ ନୋହୋନ୍ତି ୟେ ନିଶ୍ଚୟେ ଭଗ୍ନଭଞ୍ଜା।୧୩।

ସଭାରେ ଶକୁନି ଯହୁଂ କହିଲା କୂଟବାଣୀ

ସମସ୍ତେହେଂ ହସିଲେ ଯେ ମର୍ମକଥା ଶୁଣି ।୧୪।

ଧୃତିରାଷ୍ଟ୍ର ବୋଇଲେ ହସିଲେ କିନା ସବୁ

ଶକୁନି ବଚନ ସବୁକୁହିଂ ରୁଚିଲା କିରେ ବାବୁ ।୧୫।

ମୋହୋର ବଚନେ ଶକୁନି କେବଣ ଗୁଣଗ୍ରାହୀ

ପ୍ରାନ୍ତେ କେମନ୍ତେ ହୋଇବ ନ ଥିବ ପୁଣ କେହି ।୧୬।

ଭୂରିଶ୍ରବା ଅଶ୍ୱଥାମା ସଂଜୟେ କୃପାଚାର୍ଯ୍ୟ

ସବୁଂକରି କଷ୍ଟ ମୁହିଂ ଦେଖିବି ନିର୍ଲଜ ।୧୭।

ମଧୁରେ ସରାଗେ ଯେହ୍ନେ ନାଶଯାଇ ରୋଗୀ

ଦୁର୍ଜନ ଗୋଷ୍ଠୀରେ ପଡ଼ିଲେ ଗ୍ୟାଂନଭ୍ରଷ୍ଟ ହୋୟେ ଯୋଗୀ ।୧୮।

କପଟୀ ଅସଜ୍ଜନ ସଙ୍ଗତେ ନାଶଯାଇ ପ୍ରାଣୀ

ଅନ୍ଧମତ୍ତ ପ୍ରାୟେ ହୋଇ ୟେହା କେହି ନ ଜାଣି ।୧୯।

ବାବୁ ସମସ୍ତ ସେନାୟେ ତୁମ୍ଭେ ପରମ ପଣ୍ଡିତ ଅଟ

କାଳେହେଂ ଧୃତରାଷ୍ଟିକୁ ହୋଇବ ପୁତ୍ର କଷ୍ଟ।୨୦।

ଆହେ ଶକୁନି ତୁମ୍ଭର ବଚନେ ପାଣ୍ଡବେ ରାଜ୍ୟକୁ ନ ଆସିବା ପରାୟେ

ତୁମ୍ଭେ ଛାରକୁ କିସ ହୋ ତାହାଂକର ଭୟେ ।୨୧।

ୟେହି ପାଞ୍ଚ ଦିବସ ମଧ୍ୟ୍ୟେ ରାଜ୍ୟ ବସିବେ ଆସି ମାଡ଼ି

ଦେଖି ସିନା ତାହାଂକର ଛାମୁରେ କେ କହିବ ଆଗ ବଢି ।୨୨।

ଆହେ ଶକୁ ବେଦବ୍ୟାସଂକ ମୁଖରୁ ମୁଂ ଶୁଣିଅଛି ହାଦେ

କୁରୁବଂଶ ବୁଡ଼ିବ ଯେ ତୋହୋର ପରସାଦେ ।୨୩।

ଶକୁନି ବୋଇଲା ତୁ ସିନା କୁଳକ୍ଷୟେ ଅନ୍ଧ

ପାଣ୍ଡବନ୍ତ ଅଣାଇ ୟେଥେ କରୁଅଛ ଦ୍ୱନ୍ଦ।୨୪।

ବକର ପ୍ରାୟେ କରିଣ ମୁଖ ବକ୍ର କରୁ

ଦୃଢବାକ୍ୟ ଶୁଣିଣ ମନେ ରୋଷ ଭରୁ ।୨୫।

ଅନ୍ଧ ହୋଇଲେ ହୋଅଇ ଗ୍ୟାଂନଭ୍ରଷ୍ଟ

ଯେତେ ବୁଦ୍ଧି ରଞ୍ଚୁଥାଇ ସବୁ ତାହାର ନଷ୍ଟ।୨୬।

ଧୃତିରାଷ୍ଟ୍ରେ ବୋଇଲେ ସରିଲାନି ଦିନ

ଅଳପ ରହିଲା ଦିନ ବୁଝ ସିନା ବିଧାନ ।୨୭।

କର୍ଣ୍ଣ ବୋଇଲା ତାତ ୟେମନ୍ତ କିଂପେ କହୁ

ଦ୍ରିଯୋଧନର ଆଗ୍ୟାଂ ନୋହିଲେ ପାଣ୍ଡବେ ଆସିବେ କାହୁଂ ।୨୮।

ଧୃତିରାଷ୍ଟ୍ର ବୋଲେ ତୁ ନୁହ କି ୟେତେ କ୍ଷତ୍ରୀ

କାମ୍ୟକ ବନେ ରାଜାକୁ ବନ୍ଦୀଦେଇ ପଳାଇ ଅଇଲ ସର୍ବ ରଥୀ ।୨୯।

ଧାର୍ମିକ ବିବେକ ସେ ପାଣ୍ଡବେ ମହତ

ୟେହାନ୍ତ ଉଦ୍ଧରିବା ନିମନ୍ତେ ସେ ଜିଣିଲେ ଚିତ୍ରରଥ ।୩୦।

ଭୀଷ୍ମେ ବୋଇଲେ ହୋ ସେ କଥା ନ କହନି ବାବୁ

ଗନ୍ଧର୍ବ ବିଜେ ଦେଖି ଆମ୍ଭେ ପଳାଇ ଅଇଲୁ ସବୁ ।୩୧।

ଧୃତିରାଷ୍ଟ୍ର ବୋଇଲେ ମୁଂ ଜାଣଇ ତୁମ୍ଭର ଗାଢପଣ

କେତେ ସମର ନ କଲରେ ଗୋଧନ ହରଣ ।୩୨।

ଶତେ ପରାୟୁଧ ରଥୀ ସହସ୍ରେ ପରାୟୁଧ ହସ୍ତୀ

ଅଷ୍ଟାଦଶ କ୍ଷଉଣୀ ତୁଲେ ତିନି ପାରିଦଣ୍ଡ ନୃପତି ।୩୩।

ୟେତେ ଯୋଦ୍ଧାନ୍ତ ପାଥ ଉତ୍ତର କୁମାରକଇଂ ଘେନି

କେବଣ ଅବସ୍ଥା ତୁମ୍ଭନ୍ତ ନ ଦିଲା ଫାଲଗୁନି ।୩୪।

ତୁମ୍ଭେ ବୋଲି ଦେହଗୋଟି ଧରିଛ ନିର୍ଲଜେ

ଦୂଷିତ କର୍ମେ ବ୍ରତିଅଛ କ୍ଷତ୍ରିୟ କୁଳେ ଲାଜେ ।୩୫।

ଚାଟୁ ପଟଳ କହ ମୁଖ ରଚକ ଖଣ୍ଡି

ବୃଦ୍ଧ ଶ୍ରିକାଳ ପ୍ରାୟେ ତୁମ୍ଭେ ଖାଉଅଛ ଭଣ୍ଡି ।୩୬।

ସରିଲା ବଂଶ ବୋଲି ଧୃତରାଷ୍ଟ୍ର କ୍ରୋଧ କଲେ

ବିଦୁର ସଞ୍ଜୟ ଦୁହେଂ ସଭାରୁ ଉଠାଇ ଘେନିଗଲେ।୩୭।

ଉଚ୍ଚସ୍ୱରେ ଧୃତରାଷ୍ଟ୍ର ଯାଉଅଛି କାନ୍ଦି

ଆଜହୁଂ କାଳ ଫାଶରେ ସମସ୍ତେ ହେଲ ବନ୍ଦୀ ।୩୮।

ଧୃତରାଷ୍ଟ୍ରେ ବୋଇଲେ ବିଦୁର କଥାୟେ କରି ପାରିବୁ କି ମୋତେ

ନିଲ୍ଲଜ ଆତ୍ମାଗୋଟି ମୋର ଯାଇନା କେମନ୍ତେ ।୩୯।

ବଦୁରେ ବୋଇଲେ ଭ୍ରାଥ ନ କହ ଅଶୁଭ କଥା

ବୁଝିବାନା ତାହାଂକର ତଦନ୍ତ ବାରତା ।୪୦।

ଅନ୍ତେଶ୍ୱର ଭୁବନେ ବିଜୟେ ଧୃତିରାଷ୍ଟ୍ରେ

ଗାନ୍ଧାରୀର ଅଗ୍ରତେ କହିଲେ ଗରୁକଷ୍ଟେ ।୪୧।

ଆରେ ରେ ବଲ୍ଲଭୀ ଶୁଣ ତୁ ମୋହର ପ୍ରାଣ ପ୍ରିୟା

ବଂଶ ନାଶ ନିମନ୍ତେ ଶକୁନି କରୁଅଛି ୟେହା ।୪୨।

ପରମାର୍ଥ କଥା କହିଲଇ ଯହୁଂ ମୁହିଂ

ବୋଇଲି ପାଣ୍ଡବନ୍ତ ତୋଷି ଆଣିବାକ ଯାଇଂ ।୪୩।

ବିରାଟ ରାଜ୍ୟେ ବନ ଗୁପତ ଠାରେ

କୋଟିୟେ ତୀର୍ଥ ଘେନି ଦେବ ଯେ ପୁଷ୍କରେ ।୪୪।

ବରୁଣ କୁବେର ଇନ୍ଦ୍ର ଦଶଦିଗପାଳେ ବଶ୍ୟାନରେ

ଅଭିଷେକ କଲେ ଆସି ଯୁଝେଷ୍ଠିଂକି ବିରାଟ ରାଜ୍ୟରେ ।୪୫।

ନୁହନ୍ତି ସାମାନ୍ୟ ସେହୁ ବାସୁଦେବର ପ୍ରାଣବନ୍ଧୁ

କୁଳ ମଣ୍ଡନ ପୁତ୍ର ସେ ଅଟନ୍ତି ଜଗବନ୍ଧୁ ।୪୬।

ଅନେକ ମତେ ତିଆରିଲି ପରମାର୍ଥେ

କେବେହେଂ ନ ଛାଡ଼ିଲା ସେ ପ୍ରବେଶ ହୋଇଲା ଅନର୍ଥେ ।୪୭।

ଗାନ୍ଧାରୀ ବୋଇଲା ସ୍ୱାମି ୟେଥେଂ କିଂପାଇଂ ଆମ୍ଭେ ଥିବା

ନିଶ୍ଚୟେ ସଂଗ୍ରାମ ହୋଇବ ପ୍ରୟାଗ ତୀର୍ଥକଇଂ ଯିବା ।୪୮।

କୁଟୁମ୍ବ ବଧ ଦେଖିଲେ ଅନେକ ପାପ ଦୋଷ

ପ୍ରୟାଗ ତୀର୍ଥେ ଯାଇଂ କରିବା ପାପ ନାଶ ।୪୯।

ସଭାୟେ ଶକୁନି ବୋଇଲେ ବୟସାଧିକ ଲୋକେ

କୁଟୁମ୍ବ ମୁହାଂସେ ଗ୍ୟାଂନ ବୁଡ଼ାବନ୍ତି ଥୋକେ ।୫୦।

ଆସ୍ତାନ ବୋଇଲା ଯେ ଆହାନିକ କାଳେ

ଯେ ଯାହାର ମନ୍ଦିରକୁ ସେ ଚଳିଲେ ସକଳେ ।୫୧।

 

ଯୁଧିଷ୍ଠିରଙ୍କର ଇନ୍ଦ୍ରପ୍ରସ୍ଥକୁ ଯିବା ଅନୁକୂଳ

ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁ

ଆସ୍ତାନେ ବିଜେ କରି ଅଛନ୍ତି ଧର୍ମରାୟେ ତନୁ ।୧।

ଯୁଝେଷ୍ଠି ପଚାରିଲେ ସହଦେବ ମୁଖ ଚାହିଂ

ରାଜ୍ୟକୁ ଅନୁକୂଳ କହିବା ଆମ୍ଭଂକୁହିଂ।୨।

ସହଦେବ ହୋଇଲେ ସ୍ୱାମି କୁମ୍ଭମାସ ଅନ୍ତେ

ମୀନରେ ମଳମାସ ହୋଇବ ଚଇତ୍ରେ ।୩।

ବୈଶାଖ୍ୟ ମାସ ଦେବ ବସନ୍ତ ଷଡ଼ ଋତୁରାଜ

ସେହି ମାସେ ବିଜେ କରିବା ୟେଥୁ ଦେବ ଆମ୍ଭ ରାଜ୍ୟ।୪।

ଲେଖ କହନ୍ତେ ପଞ୍ଚତିରିଶ ଦିନ ଗଲା

ବୈଶାଖ କୃଷ୍ଣପକ୍ଷ ପ୍ରବେଶ ହୋଇଲା ।୫।

ବୈଶାଖ କୃଷ୍ଣପକ୍ଷ ଦୁତୀୟା ବୁଧବାର

ଅନୁରାଧା ନକ୍ଷତ୍ର ଯେ ଭୋଗ୍ୟସେ ଦିନର ।୬।

ୟେସନେକ ଯୋଗକୁ ଅମୃତ ଯୋଗ ବୋଲି

ବୁଧ ଅନୁରାଧାକୁ ଅମୃତ ଯୋଗ କହିଲି ।୭।

ସହଦେବ ବୋଇଲା ସ୍ୱାମି ମାହେନ୍ଦ୍ର ଯୋଗ କାଲି ଅଟଇ

ୟେଥେଂ ଉଦିଯୋଗ କଲେ ପ୍ରାପତ ହୋଇବ ରାଷ୍ଟ୍ରିଇଂ ।୮।

ପ୍ରତିପଦା ଭୁବିବାରେ ବସି କରନ୍ତି ଭାଳେଣି

ଶୁଭେଣ ପାହାନ୍ତି ଯେ ହୋଇଲା ରୟେଣୀ ।୯।

ସୋମର ବେଳ ଘେନି ବାରିଲେ ନିଶ୍ୱାସ

ଦଧିମୁଖା ବାନରେକ ଆସି ଅଦଭୂତେ ହୋଇଲାକ ଦୃଶ୍ୟ।୧୦।

ପୂର୍ଣ୍ଣ ଘଟ କଳସ ସଜାଡ଼ି ଦଧିବାମନ ସୁମରି

ମେଷଲଗ୍ନ ପାପଗ୍ରହ ନାହିଂ ଅବଧାରୀ ।୧୧।

ରୂପାର ଭାଣ୍ଡେ ସେ ଦଧିମାନନ୍ତ ଯୋଗାଡ଼ି

ତମ୍ବାର ନାଉକାର ମତ୍ସ ଯୂଥ ଭରି ।୧୨।

ଛାମୁରେ ଶଙ୍ଖଚିଲ କୃଷ୍ଣଭଦ୍ରା ପକ୍ଷୀ

ଗଗନେ ସୁଲଳିତ ଭାଷଇ ତାରାକ୍ଷି ।୧୩।

ନଟୀକାଳ ବୃକ୍ଷ ଯେ ଅତୁଟ ଫଳ ଭାରି

ତଥିର ଉପରେ ନୀଳକଣ୍ଠ ବଢାଇ ସିଉକାରୀ ।୧୪।

ଫଳିତ କଦଳୀ ବୃକ୍ଷ ଉପରେ ଶେତ କାକ

ଶୁଭ ମଙ୍ଗଳ ବୋଲିଣ ସୁସ୍ୱରେ ଦିଅଇ ଡାକ ।୧୫।

ଶ୍ୱେତହସ୍ତୀ ମଣ୍ଡିଲେ ଶ୍ୱତବାରାସ ଅପ୍ରମିତେ

ଆଲମ୍ବ ପାଟଛତ୍ର ଉଡ଼ନ୍ତି ଦାସୀନେତେ ।୧୬।

ସୁବର୍ଣ୍ଣର କଳସ ଯେ ପାତାଙ୍ଗର ତ୍ରୋଣା

ମାଳ ମାଳ ହୋଇଣ ଉଡନ୍ତି ଜଗୁଜିଣା ।୧୭।

ଶୁଭଯୋଗେ ଅନୁକୂଳ ପଢନ୍ତି ଚଣ୍ଡପୁତ୍ରେ

ସୁଷୁମୁନା ଆଧ୍ୟ୍ୟାନ କରନ୍ତି ପୁରୋହିତେ ।୧୮।

ବେଦମନ୍ତ୍ର ଅଧ୍ୟ୍ୟାନ କରନ୍ତି ବିଦୁଜନ

ଶଙ୍ଖ ଶବଦ ମର୍ଦ୍ଦଳନାଦ ହୁଳ ହୁଳି ଧୁନି ବିତପନ ।୧୯।

ଶ୍ରୀଲକ୍ଷ୍ମୀ ନରସିଂହ ଦଧିବାମନ ଶ୍ରୀ ଦୁର୍ଗାମାଧବ

ସର୍ବମଙ୍ଗଳା ନାମ ଧରି କଲେକ ଉଦିଯୋଗ ।୨୦।

ପୂର୍ବକଇଂ ବଦନ ଉତ୍ତରେ ମାହେଶ୍ୱରୀ

ବାମେଣ ଯୋଗ୍ନି ଯେ ବଇଲ ପିଠିରେ ବିଜେକରି ।୨୧।

ଯୋଗ୍ନିଚକ୍ରେ ୟେହେନେକ ହୋଇଅଛି ଲଗ୍ନବେଳା

ମୁହିଂ ତାହା କହିବି କି ଅଟଇ ମୂର୍ଖଭାବେ ଭୋଳା ।୨୨।

ଯାହା ସେ ମହାତମା ଭେଟାଇଲେ ଅଗସ୍ତି

ମୂର୍ଖ ସ୍ୱଭାବ ଯେ କିସ ଭାବ ମତି ।୨୩।

ପ୍ରତିପ ନବମୀ ଯେ ପୂର୍ବେ ବ୍ରହ୍ମାୟେଣୀ

ଯୋଗୀ ମଣ୍ଡଳକୁ ବେଦ ଆଧ୍ୟ୍ୟାନେ ହଂସ ବାହାନେ ପଲାଣି ।୨୪।

ଉତ୍ତର ଦିଗେ ଥାଇଂ ଦୁତୀୟା ଦଶମୀ

ବଇଲ ଆରୋହି ସେ ମାହେଶ୍ୱରୀ ଅନ୍ତରୀକ୍ଷେ ଭ୍ରମି ।୨୫।

ତୃତୀୟା ୟେକାଦଶୀ ଅଗ୍ନିକୋଣେ କୁମାରୀ

ମୟୂର ଆସନେଣ ସେ ଥାଇ ଯେ ବିଜେକରି ।୨୬।

ଚଉଠି ଦ୍ୱାଦଶୀ ଯେ ନୈଋତେ ନାରାୟଣୀ

ବିହଙ୍ଗମ ପିଠିରେ ଚଢି କରଇ ଭ୍ରମଣି ।୨୭।

ପଞ୍ଚମୀ ତ୍ରୟୋଦଶୀ ଯେ ବାଇବେ ଚାମୁଣ୍ଡା

ମୃତ୍ୟୁପିଣ୍ଡ ଆସନୀ ସେ କରେ ଖପର ଖଣ୍ଡା ।୨୮।

ଷଠୀ ଚତୁର୍ଦ୍ଦଶେ ଯେ ଦକ୍ଷିଣେ ବାରାହୀ

ମଇଂଷି ବାହାନେଣ ଚଳନ୍ତି ମହାମାଈ।୨୯।

ସପ୍ତମୀ ପୂର୍ଣ୍ଣିମା ଉଦେ ହୁଅଇ ଈଶାନେ

ଚଳଇ ମହାଲକ୍ଷ୍ମୀ ଯେ ମଗର ବାହାନେ ।୩୦।

ବାର ତିଥି ଯୋଗ ଲଗ୍ନ ଚାରି ଚାରି ଦଣ୍ଡେ

ପିଠି କତିକି ଚାହାନ୍ତି ଅଷ୍ଟ ଯେ ପହଣ୍ଡେ ।୩୧।

ୟେହା ନ ବାରିଣ ଗଲେ ପଡନ୍ତି ୟେହାର ମୁଖେ

ଯାଇ ତୁ ନୁଆସଇ ଅବଶ୍ୟ କରଇ ଭକ୍ଷେ ।୩୨।

ପିଠି କତିକି ଥିଲେ ସେ କାର୍ଯ୍ୟ ହୋୟେ ହାନି

ବ୍ରତେ ନୁଆସଇ ସେ କାର୍ଯ୍ୟ ଧର୍ମେ ନିଜ କାୟ ଘେନି ।୩୩।

ବାମେ ଯୋଗ୍ନୀ ଯେବେ ଥାଇଟି ଯୁଗତେ

ସର୍ବ କାର୍ଯ୍ୟ ସିଦ୍ଧି ହୋଅଇ ରାଜ୍ୟ ହୋଅଇ ପ୍ରାପତେ ।୩୪।

ଦକ୍ଷିଣେ ଯୋଗ୍ନୀ ଥିଲେ ଅମୃତ ଯୋଗ ବୋଲି

ଅପର୍ଣ୍ଣା ଅଭିମୁଖେ ଯାହା ମୁଂ ଶୁଣିଲି ।୩୫।

ବାଳକାଳେ ତ ନ ପଢିଲି ନ ଜାଣିଲି ଅକ୍ଷର

ସଞ୍ଚପି କହିବାକୁ କି ସଖ୍ୟ ମୋହର ।୩୬।

କୃପାଜଳ ନନ୍ଦିନୀ ଯେ ନର୍ମଦା ସରସ୍ଵତୀ

ମହାତ୍ମାଂକ ବାକ୍ୟେ କରି ସାରୋଳ ଚଣ୍ଡୀ ମୂର୍ତ୍ତି ।୩୭।

ୟେ ସେ ଜମ୍ବୋଦୀପ ଭ୍ରଥଖଣ୍ଡ ମହୀ ଓଡ ରାଷ୍ଟ୍ରେ

ଭୁବନେ ଯାଯ ନଗ୍ରର ପୂର୍ବ ଦିଗ ମଉଦଧି ନିକଟେ ।୩୮।

ଶ୍ଵେତ ବରେହା ନୀଳ ସୁନ୍ଦର ଗିରି ମଧ୍ୟସ୍ଥାନେ

ମହାବାକ୍ୟ ଆଖ୍ୟାନେ ଚନ୍ଦ୍ରଭାଗା ଅର୍କ ତୀର୍ଥ ଈଶାନେ ।୩୯।

ପୁରରବା ସଞ୍ଚିତ ସେ ଝଂଖେରପୁର ଯାହା ବୋଲି

ଶ୍ରୀଗିରିଜାର ଆଗ୍ୟାଂୟେ ମୁହିଂ ତହିଂ ଜନମିଲି ।୪୦।

ଚିତ୍ରଉତ୍ପଳା ଭାଗୀ ଈଶାନ ମୂରତି

ବୃହଧ୍ଵଜ ମୁନି ତହିଂ ତପେଣ ବସିଛନ୍ତି ।୪୧।

ତାହାଂକ ଜଟା ଭେଦି ବହଇ ନଦୀ ବୃଦ୍ଧମାତା

କନକାବତୀ ପାଟଣା ୟେ ପ୍ରଶୁରାମଂକର ସଞ୍ଚିତା ।୪୨।

ଅଭୟେ କାନ୍ତାନୀ ସେ ତ୍ରିଭୁବନ ମଣ୍ଡି

ଶୂଦ୍ରମୁନି ସାରୋଳା ଦାସକୁ ପ୍ରସନ୍ନ ସାରୋଳ ଚଣ୍ଡୀ ।୪୩।

ଚତୁର୍ଥ ଖଣ୍ଡ ପର୍ବ ଅନ୍ତରେଣ କଥା

ଇଦଂ ବାକ୍ୟେ କହିଲି ବିରାଟ ପର୍ବର ବାରତା ।୪୪।

ଯାବତ ଧର୍ମ ସେ ଯେ ତାବତ କର୍ମ ସେ ଯେ ଲେଖା

ବିରାଟ ପର୍ବ କହିଲି ଶାସ୍ତ୍ରର ଯେ ବକତା ।୪୫।

ମୁନି ଅଂଗ ହୋଇଣ ମୁଂ ଜାତ ଶୂଦ୍ରଯୋନି

ଶ୍ରୀ ସାରୋଳା ପ୍ରସନ୍ନେ ୟେବେ ହୋଇଲି ଶୂଦ୍ରମୁନି ।୪୬।

ଶ୍ରୀଚଣ୍ଡୀ ସାରୋଳା ମୋତେ ହୋଇଲେ ପ୍ରସନ୍ନ

ସେ ଯାହା କହଇ ମୁ କଲଇଂ ଲେଖନ ।୪୭।

ଆହେ ବୁଧ ଜନମାନେ ନ ଘେନିମା ମୋର ଦୋଷ

ଅତ୍ୟନ୍ତିକ ମୂର୍ଖ ମୁହିଂ ବୁଦ୍ଧି ମୋହର କିସ ।୪୮।

ଅଗାଦ ସାଗର ୟେ ମହାଭାରଥ ଯାହା ବୋଲି

ଗଣି କେ ଅନ୍ତ କରିପାରିବ ମଉଦଧିର ବାଲି ।୪୯।

ସାଗରେ ପଶନ୍ତେ ଯେହ୍ନେ କଳଣା ନ ଯାଇ

ମାନବ ଜନ୍ମେ ମୁଂ ତାହା କେହ୍ନେ ଅନ୍ତ କରିବଇଂ ।୫୦।

କିଛୁ ମତେ ସଦୟେ କଲେ ସର୍ବ ଯେ ମଙ୍ଗଳେ

କରଇ ଲେଖନ ମୁଂ ତାହାଂକ ବୁଦ୍ଧି ବଳେ ।୫୧।

ପ୍ରସନ୍ନେ ଦିଲେ ମୋତେ ଲେଖନ ଗୋଟିୟେ

ଯାହା ଘେନି ଲେଖଲେ ହୋଇବ ଗ୍ରଛମୟେ ।୫୨।

ତେଣୁ କରି ଲେଖନ ମୁଂ କଲାଇ ୟେହୁ ଗ୍ରନ୍ଥ

ସମ୍ପୂର୍ଣ୍ଣ କରି ଶୁଣିଲେ ସକଳ ଧର୍ମ ହୋଅଇ ପ୍ରାପତ ।୫୩।

ଆଇଷ୍ୟ ବର୍ଦ୍ଧୁତ ହୋଅଇ ଧନ ସନ୍ତାନ ହୋୟେ ପୁଣି

ଶ୍ରୀ ସାରୋଳା ଶ୍ରୀଚରଣେ ବିନୟେ ସାରଳା ଦାସ ମୁନି ।୫୪।

 

ବିରାଟ ପର୍ବ ସମାପ୍ତ